ପେଗାସସ୍ ପିଠିରେ ପ୍ରେତ

Leave a Comment

 


ଅଶୋକ

ପେଗାସସ୍। ଏଇ ପୌରାଣିକ ନାମଟି ଏବେ କେବଳ ଭାରତରେ ନୁହେଁ, ସମଗ୍ର ବିଶ୍ବରେ ଚର୍ଚ୍ଚା/ବିବାଦର କେନ୍ଦ୍ର। ଆମ ଦେଶରେ ସଂସଦର ହଟ୍ଟଗୋଳରୁ ଯାଇ ପହଞ୍ଚିଚି ସର୍ବୋଚ୍ଚ ନ୍ୟାୟାଳୟର କାଠଗଡ଼ାରେ। ଗ୍ରୀକ୍‌ ପୌରାଣିକ କାହାଣୀର ଶୁଭ୍ର ପକ୍ଷୀରାଜ ଅଶ୍ବ ପେଗାସସ୍‌ ଅବିକଳ ଆମ ପୁରାଣର ଉଚ୍ଚୈଶ୍ରବା (ସମୁଦ୍ରମନ୍ଥନରୁ ଜାତ) ପରି, ଯିଏ ଚିମେରା ନାମକ ଅତୀବ ଶକ୍ତିଶାଳୀ ରାକ୍ଷସ(ମହାକବି ହୋମର୍‌ଙ୍କ ବର୍ଣ୍ଣନାନୁସାରେ ଏହା ସିଂହ ମୁଣ୍ଡ, ଛାଗଳ ଶରୀର ଓ ସର୍ପ ଲାଞ୍ଜବିଶିଷ୍ଟ, ଯାହାର ପାଟିରୁ ସର୍ବଦା ନିଆଁହୁଳା ବାହାରୁଥାଏ)କୁ ବଧ କରିବାପାଇଁ ନାୟକ ବେଲ୍ଲେରୋଫୋନ୍‌ଙ୍କ ବାହନ ସାଜିଥିଲା। ପରେ ଗ୍ରୀକ୍‌ ଦେବରାଜ ଜିଅସ୍‌ଙ୍କ ଦ୍ବାରା ତାହା ଏକ ନକ୍ଷତ୍ରରେ ପରିଣତ ହୋଇ ନଭମଣ୍ଡଳରେ ବିରାଜମାନ କଲା। ଏବେ କିନ୍ତୁ ପେଗାସସ୍‌ ପୃଥିବୀକୁ ପକ୍ଷୀରାଜ ଅଶ୍ବ ରୂପରେ ନୁହେଁ, ଏକ ଅତି ଶକ୍ତିଶାଳୀ ଗୁପ୍ତଚର ସଫ୍ଟୱେର୍‌ (ସ୍ପାଏୱେର୍‌) ଭାବେ ସୂକ୍ଷ୍ମରୂପରେ ଓହ୍ଲାଇ କରୁଚି ବିଶ୍ବଭ୍ରମଣ! ସନ୍ତ୍ରାସବାଦୀ/ଅପରାଧୀଙ୍କୁ ବଧ କରିବା ଲକ୍ଷ୍ୟରେ ଏହା ଓହ୍ଲାଇଥିଲେ ହେଁ ୟା’କୁ କିଏ ବାହନ କରିଚି ଓ କାହା ନିର୍ଦେଶରେ କାର୍ଯ୍ୟ କରୁଚି, ତାହା ଏ ପର୍ଯ୍ୟନ୍ତ ଅଜ୍ଞାତ। ଆହୁରି ମଧ୍ୟ, ଏବେ ଗୋଳ ଉଠିଚି ଯେ ଏହା କୌଣସି ପ୍ରେତ(ବର୍ତ୍ତମାନ ସୁଦ୍ଧା ଅଦୃଶ୍ୟ)ର ନିୟନ୍ତ୍ରଣରେ, ଯିଏ ଆତଙ୍କବାଦୀ/ଅପରାଧୀଙ୍କ ବଧ ପାଇଁ ନୁହେଁ, ବରଂ ପ୍ରମୁଖ ରାଜନେତା, ସାମ୍ବାଦିକ, ସାମାଜିକ କର୍ମୀ ଓ ଅନ୍ୟମାନଙ୍କ ବିରୋଧରେ ଏହାକୁ କରିଚି ପ୍ରୟୋଗ।


ପ୍ରଯୁକ୍ତି ମନୁଷ୍ୟ ପାଇଁ ବରଦାନ ନା ଅଭିଶାପ, ଏ ପ୍ରଶ୍ନର ଉତ୍ତର ଖୋଜିବାର ସମୟ ଆସିଚି ଯେତେବେଳେ ଏହା ତା’ର ଜୀବନ ପ୍ରତି ପାଲଟୁଚି ବିପଜ୍ଜନକ। ଆଧୁନିକ ପ୍ରଯୁକ୍ତିର ହିଁ ଅବଦାନ ପେଗାସସ୍ ଭଳି ଅତି ଶକ୍ତିଶାଳୀ ଗୁପ୍ତଚର ସାଇବର୍ ଅସ୍ତ୍ର, ଯାହା ଜଣକର ଅଜାଣତରେ କେବଳ ତା’ର ବ୍ୟକ୍ତିଗତ ସ୍ବାଧୀନତା, ଗୋପନୀୟତାକୁ ଅପହରଣ କରିପାରେ ନାହିଁ, ବରଂ ଚାହିଁଲେ ତା’ ଜୀବନଯାପନର ପ୍ରତ୍ୟେକ ମୁହୂର୍ତ୍ତର ଦୃଶ୍ୟ-ଶ୍ରାବ୍ୟ-କଥ୍ୟକୁ ଏହା ପ୍ରେଷକ ନିକଟକୁ ପ୍ରେରଣ କରିବା ସହ ତା’ ପ୍ରାଣଘାତର ହେତୁ ମଧ୍ୟ ହୋଇପାରେ। ନିର୍ଦିଷ୍ଟ ଭାବେ ପେଗାସସ୍‌ର ଅତୀତକୁ ଦେଖିଲେ ମଧ୍ୟ ଏଭଳି ଆଶଙ୍କା ଦୃଢ଼ ହେବାକୁ ଲାଗେ, ଯେତେବେଳେ ଦୁଇଜଣ ସାମ୍ବାଦିକ (ମେକ୍ସିକୋର ସିସିଲିଓ ପିନେଦା ବିର୍ତୋ ଏବଂ ‘ୱାଶିଂଟନ ପୋଷ୍ଟ୍‌’ର ଜମାଲ୍‌ ଖାଶୋଗି)ଙ୍କୁ ହତ୍ୟା କରାଯାଇଥିଲା, ଯାହାଙ୍କ ସେଲ୍‌ଫୋନ୍‌ରେ ଏହି ସ୍ପାଏୱେର୍‌ (ଗୁପ୍ତଚର ସଫ୍ଟୱେର୍‌) ରୋପଣର ଅଭିଯୋଗ ହୋଇଥିଲା। ସ୍ମାର୍ଟଫୋନ୍‌ ଆଧୁନିକ ମଣିଷର ଅହର୍ନିଶ ସାଥୀ ପାଲଟିଥିବାବେଳେ ଏହା ହିଁ ସାଇବର୍‌ ଅସ୍ତ୍ରର ଏକ ସହଜ ମାଧ୍ୟମ ମଧ୍ୟ ପାଲଟିଚି, ଯାହା ସହାୟତାରେ ଜଣକ ଉପରେ ସର୍ବଦା ରଖାଯାଇପାରେ ଗୁପ୍ତ ନଜର। ଏହି ସ୍ପାଏୱେର୍‌ର ସ୍ବାତନ୍ତ୍ର୍ୟ ହେଲା, ଏହାକୁ ଜଣକର ଅଜାଣତରେ ତା’ ସେଲ୍‌ଫୋନ୍‌ରେ କେବଳ ଗୋଟିଏ ‘ମିସ୍‌ଡ କଲ୍‌’ କରି ରୋପଣ କରାଯାଇପାରେ; ଅର୍ଥାତ ପୂର୍ବରୁ ବ୍ୟବହାରକାରୀ ବାର୍ତ୍ତା ବା ଇ-ମେଲ୍‌ ଆଦିକୁ ଖୋଲିବାପରେ ହିଁ ତା’ ଫୋନ୍‌/କଂପ୍ୟୁଟର୍‌ ଏପରି ଭାଇରସ୍‌/ମାଲ୍‌ୱେର୍‌ ଦ୍ବାରା ସଂକ୍ରମିତ ହେଉଥିଲା; କିନ୍ତୁ ଏବେ ତାହା ଅନାବଶ୍ୟକ; ତେଣୁ ଏହାକୁ ‘ଜିରୋ-କ୍ଲିକ୍‌’ ଆକ୍ରମଣ କୁହାଯାଉଛି। ପେଗାସସ୍‌ର ସୃଷ୍ଟିକର୍ତ୍ତା ଇସ୍ରାଏଲ୍‌ ଦେଶର ଏନ୍‌ଏସ୍‌ଓ ଗ୍ରୁପ୍‌ (ସଂସ୍ଥାର ତିନି ପ୍ରତିଷ୍ଠାତା ନିଭ୍‌ କାର୍ମି, ଶାଲେଭ୍‌ ହୁଲ୍ଲୋ ଓ ଓମ୍ରି ଲେଭିଙ୍କ ନାମର ପ୍ରଥମ ଅକ୍ଷରକୁ ନେଇ ଏହାର ନାମକରଣ ହୋଇଛି) ତା’ ୱେବ୍‌ସାଇଟ୍‌ରେ ଉକ୍ତ ସ୍ପାଏୱେର୍‌କୁ ଅପରାଧୀ ଓ ସନ୍ତ୍ରାସବାଦୀଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ତିଆରି କରାଯାଇଛି ଏବଂ ଏହା ନିର୍ଦିଷ୍ଟ ଭାବେ ସରକାର ତଥା ସରକାରୀ ଗୁଇନ୍ଦା ଓ ନିରାପତ୍ତା ସଂସ୍ଥାଗୁଡ଼ିକୁ ହିଁ ବିକ୍ରି କରିଥିବା ଦର୍ଶାଇଚି। ତେବେ ୨୦୧୮ରେ ପେଗାସସ୍‌ ସମ୍ପର୍କରେ ଗଭୀର ଅନୁସନ୍ଧାନ କରିଥିବା କାନାଡ଼ାର ଟରଣ୍ଟୋ ବିଶ୍ବବିଦ୍ୟାଳୟ ଅଧୀନସ୍ଥ ‘ଦି ସିଟିଜେନ୍‌ ଲ୍ୟାବ୍‌’ ଏକ ବିବରଣୀ ପ୍ରକାଶ କରି ଦର୍ଶାଇଥିଲା ଯେ ବିଶ୍ବର ୪୫ଟି ଦେଶରେ ଏହା ବ୍ୟବହୃତ ହେଉଛି। ଏହି ୪୫ଟି ଦେଶ ମଧ୍ୟରେ ସେହି ଦେଶଗୁଡ଼ିକର ନାମ ମଧ୍ୟ ରହିଥିଲା, ଯାହା ‘ପ୍ରୋଜେକ୍ଟ ପେଗାସସ୍‌’ରେ ଦର୍ଶାଯାଇଥିବା ଭାରତ ସମେତ ୧୦ଟି ଦେଶ ମଧ୍ୟ ଅନ୍ତର୍ଭୁକ୍ତ। 


ଉଲ୍ଲେଖଯୋଗ୍ୟ, ନିକଟରେ ପ୍ୟାରିସ୍‌ର ଏକ ଅଣଲାଭକାରୀ ସଂସ୍ଥା ‘ଫର୍‌ବିଡେନ୍‌ ଷ୍ଟୋରିଜ୍‌’ ଓ ମାନବାଧିକାର ନେଇ ବିଶ୍ବବ୍ୟାପୀ କାର୍ଯ୍ୟରତ ‘ଆମ୍‌ନେଷ୍ଟି ଇଣ୍ଟରନ୍ୟାସନାଲ୍‌’ ପୃଥିବୀର ପ୍ରମୁଖ ୧୭ଟି ଗଣମାଧ୍ୟମ ଜରିଆରେ ବିଭିନ୍ନ ଦେଶର ୫୦ ହଜାର ଫୋନ୍‌ନମ୍ବର (ଭାରତର ପ୍ରାୟ ୧୦୦୦ ଅନ୍ତର୍ଭୁକ୍ତ) ସାର୍ବଜନୀନ କରିଛନ୍ତି, ଯାହା ‘ପ୍ରୋଜେକ୍ଟ ପେଗାସସ୍‌’ ଭାବେ ଦେଶ/ବିଶ୍ବରେ ଚହଳ ପକାଇଚି। ଏହି ବ୍ୟୟବହୁଳ ଗୁପ୍ତଚର ପ୍ରଯୁକ୍ତିର ପ୍ରୟୋଗକର୍ତ୍ତା କେଉଁମାନେ, ତାହା ସନ୍ଧାନସାପେକ୍ଷ; ତେବେ ଏହାର ଐତିହାସିକ କାଳକ୍ରମକୁ ନିରୀକ୍ଷଣ କଲେ ବିଶ୍ବର କେବଳ ଏକଛତ୍ରବାଦୀ ଶାସକ ନୁହନ୍ତି, ବରଂ ଗଣତାନ୍ତ୍ରିକ (ଛଦ୍ମ) ଶାସକମାନେ ମଧ୍ୟ ୟା’ର ପ୍ରୟୋଗ କର୍ତ୍ତା, ସେହି ସନ୍ଦେହ କ୍ରମେ ଦୃଢ଼ ହେବାକୁ ଲାଗିଚି। 


ପେଗାସସ୍ ସ୍ପାଏୱେର୍‌ର ଉଦ୍ଭବ କେବେ, ତାହା ତ ଏ ପର୍ଯ୍ୟନ୍ତ ଉଦ୍ଭାବକଙ୍କ ଛଡ଼ା ଆଉ କାହାକୁ ଜଣାନାହିଁ, କିନ୍ତୁ ସର୍ବପ୍ରଥମେ ଏହାକୁ ଆବିଷ୍କାର କରାଯାଇଥିଲା ୨୦୧୬ ଅଗଷ୍ଟ ମାସରେ, ଆରବ ଦେଶର ମାନବାଧିକାର କର୍ମୀ ଅହମଦ ମନସୁରଙ୍କ ଆଇଫୋନ୍‌ର ଏକ ବାର୍ତ୍ତା (ମେସେଜ୍‌)ରେ, ଯେଉଁଠି ୟୁନାଇଟେଡ ଆରବ ଏମିରେଟ୍‌ସ (ୟୁଏଇ)ର କାରାଗାରରେ ନିର୍ଯାତନା ଦିଆଯିବାର ‘ଗୁପ୍ତ ରହସ୍ୟ’ ରହିଥିବା ଦର୍ଶାଯାଇଥିଲା। ମନସୁର୍‌ ଉକ୍ତ ବାର୍ତ୍ତାର ‘ଲିଙ୍କ୍‌’କୁ ଉପରୋକ୍ତ ‘ଦି ସିଟିଜେନ୍‌ ଲ୍ୟାବ୍‌’କୁ ପରୀକ୍ଷା ପାଇଁ ପଠାଇବା ପରେ ଜଣାପଡ଼ିଥିଲା ଯେ ତାହା ପେଗାସସ୍‌ ସହ ସଂଯୁକ୍ତ। ୟୁଏଇରେ ଏହା ଅନ୍ୟତ୍ର ମଧ୍ୟ ବ୍ୟବହୃତ ହୋଇଥିବା ଅନୁସନ୍ଧାନରୁ ସେତେବେଳେ ଜଣାପଡ଼ିଥିଲା। ସେହିପରି ତୁର୍କୀରେ ଅବସ୍ଥିତ ସାଉଦି ଆରବର ଦୂତାବାସରେ ସାମ୍ବାଦିକ ତଥା ମାନବାଧିକାର କର୍ମୀ ଖାଶୋଗିଙ୍କୁ ହତ୍ୟାର ଦୁଇ ମାସ ପରେ ଏନ୍‌ଏସ୍‌ଓ ବିରୋଧରେ ମୋକଦ୍ଦମା ଦାୟର୍‌ କରାଯାଇଥିଲା। ଭାରତରେ ସର୍ବପ୍ରଥମେ ପେଗାସସ୍‌ ପ୍ରୟୋଗ କରି ସାମ୍ବାଦିକ ଓ ମାନବାଧିକାର କର୍ମୀଙ୍କୁ ନିଶାଣ କରାଯାଇଥିବା ସମ୍ପର୍କରେ ସର୍ବପ୍ରଥମେ ହ୍ବାଟ୍ସଆପ୍‌ ପକ୍ଷରୁ ୨୦୧୯ ଅକ୍ଟୋବରରେ ସୂଚନା ଦିଆଯାଇଥିଲା। ସେହିବର୍ଷ ନଭେମ୍ବରରେ ଡିଏମ୍‌କେ ସାଂସଦ ଦୟାନିଧି ମାରାନ ଲୋକସଭାରେ ପ୍ରଶ୍ନ କରିଥିଲେ ଯେ ସରକାର ହ୍ବାଟ୍ସଆପ୍‌ ଦୂରଭାଷ ଓ ବାର୍ତ୍ତାକୁ ‘ଟ୍ୟାପ୍‌’ କରିବା ପାଇଁ କିମ୍ବା ଅନ୍ୟ କୌଣସି କାରଣ ପାଇଁ ପେଗାସସ୍‌କୁ ବ୍ୟବହାର କରିଚନ୍ତି କି? ତତ୍କାଳୀନ ଗୃହ ରାଷ୍ଟ୍ରମନ୍ତ୍ରୀ କିଷନ ରେଡ୍ଡୀ ସିଧାସଳଖ ‘ପେଗାସସ୍‌’ ସମ୍ପର୍କିତ ଉତ୍ତର ନରଖି କହିଥିଲେ, ‘‘ଦେଶର ନିରାପତ୍ତା ଓ ସାର୍ବଭୌମତ୍ବ ରକ୍ଷା ପାଇଁ ସୂଚନା ପ୍ରଯୁକ୍ତି ଆଇନ, ୨୦୦୦ରେ ଧାରା ୬୯ ଅନୁୁସାରେ ଯେ କୌଣସି କଂପ୍ୟୁଟରରୁ ତଥ୍ୟ ସଂଗ୍ରହ, ନିୟନ୍ତ୍ରଣ ବା ନିରୀକ୍ଷଣ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର କ୍ଷମତା ରହିଛି। ସେହିପରି ଭାରତୀୟ ଟେଲିଗ୍ରାଫ୍ ଆଇନ, ୧୮୮୫ର ଧାରା ୫ ଜରୁରୀକାଳୀନ ସ୍ଥିତିରେ ସରକାରଙ୍କୁ ଯେ କୌଣସି ବାର୍ତ୍ତାର ଗତିରୋଧ କରିବା ଆଇନତଃ ବୈଧ।’’ 


ଅନେକଙ୍କୁ ହୁଏତ ଜଣାନଥିବ ଯେ, ଦେଶରେ ସରବରାହ ହେଉଥିବା ଯେ କୌଣସି ବାର୍ତ୍ତା ଓ ଇ-ମେଲ୍‌ ଆଦିକୁ ସଂରକ୍ଷଣ/ନିରୀକ୍ଷଣ କରିବା ପାଇଁ ସରକାରଙ୍କ ପାଖରେ ଅତ୍ୟଧିକ ଗୁପ୍ତ ‘ସେଣ୍ଟ୍ରାଲ୍‌ ମନିଟରିଂ ସିଷ୍ଟମ୍‌’ (ସିଏମ୍‌ଏସ୍‌) ନାମକ ବ୍ୟବସ୍ଥା ନିରନ୍ତର କାର୍ଯ୍ୟ କରୁଛି (ୟୁପିଏର ପି. ଚିଦମ୍ବରମ୍‌ଙ୍କ ଅବଦାନ!); କିନ୍ତୁ ପେଗାସସ୍‌ ଏହାଠାରୁ ଅତ୍ୟୁନ୍ନତ ପ୍ରଯୁକ୍ତି କୌଶଳ। ‘ପ୍ରୋଜେକ୍ଟ ପେଗାସସ୍‌’ ରହସ୍ୟୋଦ୍‌ଘାଟନ‌ରେ ସ୍ଥାନିତ ଭାରତର ୧୦ଟି ଫୋନ୍‌ ନମ୍ବରବିଶିଷ୍ଟ ସେଲ୍‌ଫୋନ୍‌ର ସ୍ବାଧୀନ ‘ଫୋରେନ୍ସିକ୍’ ବିଶ୍ଳେଷଣ କରାଯିବା ପରେ ପେଗାସସ୍‌ ଜରିଆରେ ସେଗୁଡ଼ିକ ‘ହ୍ୟାକ୍‌’ ହୋଇଥିବା କିମ୍ବା ସେହି ଉଦ୍ୟମ କରାଯାଇଥିବାର ମିଳିସାରିଚି ପ୍ରମାଣ (ଦ୍ରଷ୍ଟବ୍ୟ: ପ୍ରଥମ ଥରପାଇଁ ଫ୍ରାନ୍ସ ସରକାରଙ୍କ ନିଯୁକ୍ତ ତଦନ୍ତ ଅଧିକାରୀ ସ୍ପଷ୍ଟ କରିଚନ୍ତି ଯେ ସେହି ଦେଶର ଦୁଇଜଣ ସାମ୍ବାଦିକଙ୍କ ସେଲ୍‌ଫୋନ୍‌ରେ ମଧ୍ୟ ପେଗାସସ୍‌ ରୋପିତ ହୋଇଥିଲା)। ଦୃଷ୍ଟାନ୍ତ ଭାବେ ଯେଉଁ ଦୁଇଟି ଘଟନାର ସ୍ଥାନ-କାଳ-ପାତ୍ର ସହ ପେଗାସସ୍‌କୁ ଯୋଡ଼ାଯାଉଚି, ତାହା ସତ୍ୟ ହୋଇଥିଲେ ନିଶ୍ଚିତ ସାଙ୍ଘାତିକ। ପ୍ରଥମ: ୨୦୧୯ରେ ଭାରତର ତତ୍କାଳୀନ ପ୍ରଧାନ ବିଚାରପତିଙ୍କ ଉପରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିବା ସର୍ବୋଚ୍ଚ ନ୍ୟାୟାଳୟର ଜଣେ ମହିଳା କର୍ମଚାରୀ ଓ ତାଙ୍କ ସମ୍ପର୍କୀୟଙ୍କ ୧୧ଟି ଫୋନ୍‌ ନମ୍ବର ଏହି ପେଗାସସ୍‌ ତାଲିକାରେ ରହିଚି। ଉକ୍ତ ମହିଳା କର୍ମଚାରୀ ଓ ତାଙ୍କ ପରିବାରର ସଦସ୍ୟଗଣଙ୍କୁ କିପରି ତଳିତଳାନ୍ତ କରିଦିଆଯାଇଥିଲା, ତାହା ଗଣମାଧ୍ୟମରେ ଚର୍ଚିତ ହୋଇଥିଲା। ଦ୍ବିତୀୟ: ସେହି ବର୍ଷ ହିଁ ବିଜେପି ଓ ଜେଡିୟୁ-କଂଗ୍ରେସ ସରକାର ମଧ୍ୟରେ କ୍ଷମତା କନ୍ଦଳ ଚାଲିଥିବାବେଳେ କର୍ଣ୍ଣାଟକର ପ୍ରମୁଖ ରାଜନେତାଙ୍କ ଫୋନ୍‌ନମ୍ବର ମଧ୍ୟ ଏହି ତାଲିକାରେ ଅନ୍ତର୍ଭୁକ୍ତ; ଅର୍ଥାତ୍‌ ସେମାନଙ୍କ ଫୋନ୍‌ରେ ସ୍ପାଏୱେର୍‌ କରାଯାଇଥିଲା ରୋପଣ। 


ଏସବୁ ଘଟନାକ୍ରମରୁ ଜଣାଯାଉଚି ଯେ ବିଧାନପାଳିକା, ନ୍ୟାୟପାଳିକା, କାର୍ଯ୍ୟପାଳିକା, ଗଣମାଧ୍ୟମ- ଗଣତନ୍ତ୍ରର କୌଣସି ସ୍ତମ୍ଭ ଗୁପ୍ତଚର ଆଖିରୁ ବାଦ୍‌ ପଡ଼ିନାହିଁ। ୨୦୨୦ରେ ‘ରିସେଟ୍: ରିକ୍ଲେମିଙ୍ଗ୍‌ ଦି ଇଣ୍ଟର୍‌ନେଟ୍‌ ଫର୍‌ ସିଭିଲ୍‌ ସୋସାଇଟି’ ନାମକ ପୁସ୍ତକ ପ୍ରକାଶିତ ହେବାପରେ ବହୁଚର୍ଚିତ ହୋଇଥିଲା, କାରଣ ଏଥିରେ ଲେଖକ ଖୁବ୍‌ ସ୍ପଷ୍ଟ ଭାବେ ଲେଖିଚନ୍ତି ଯେ ବିଶ୍ବର ଅନ୍ୟ ଦେଶ ଅପେକ୍ଷା ପେଗାସସ୍‌ ଭାରତରେ ସର୍ବାଧିକ ବ୍ୟବହୃତ ହୋଇଚି ଏବଂ ‘‘ଭାରତୀୟ ଆରକ୍ଷୀ ଏବଂ ସୁରକ୍ଷା ସଂସ୍ଥାଗୁଡ଼ିକ ଏନ୍‌ଏସ୍‌ଓ ସ୍ପାଏୱେର୍‌ର ସବୁଠୁ ବଡ଼ ଉପଯୋଗ ଓ ଦୁରୁପଯୋଗକାରୀ’’। ଏ ପୁସ୍ତକର ଲେଖକ ଆଉ କେହି ନୁହନ୍ତି, ପେଗାସସ୍‌ ସମ୍ବନ୍ଧରେ ଗଭୀର ଅନୁସନ୍ଧାନକାରୀ ପୂର୍ବୋକ୍ତ ‘ଦି ସିଟିଜେନ୍‌ ଲ୍ୟାବ୍‌’ର ପ୍ରତିଷ୍ଠାତା-ନିର୍ଦେଶକ ରୋନାଲ୍ଡ ଡେଇବର୍ଟ। ତାଙ୍କ ମନ୍ତବ୍ୟ ଉପେକ୍ଷାଯୋଗ୍ୟ ନୁହେଁ, କାହିଁକିନା ଇଣ୍ଟରନେଟ୍‌, ଅତ୍ୟାଧୁନିକ ଯୋଗାଯୋଗ ବ୍ୟବସ୍ଥା, ସାଇବର୍‌ ସୁରକ୍ଷାର ବିଶେଷଜ୍ଞ ଓ ଗବେଷକ ଭାବେ ରୋନାଲ୍ଡଙ୍କ ପ୍ରସିଦ୍ଧି ଅବିସମ୍ବାଦିତ। ତେବେ ରାଜ୍ୟସଭାରେ ସରକାରୀ ଭାବେ ପ୍ରଥମ ଥର ପାଇଁ ଏକ ଲିଖିତ ଉତ୍ତରରେ ଭାରତର ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଅଜୟ ଭଟ୍ଟ ଏବେ (୧୦/୮/୨୧) ଦର୍ଶାଇଛନ୍ତି, ‘‘ପ୍ରତିରକ୍ଷା ମନ୍ତ୍ରଣାଳୟ ଏନ୍‌ଏସ୍‌ଓ ଗ୍ରୁପ୍‌ ସହ କୌଣସି କାରବାର କରିନାହିଁ’’। ଏହା ହୁଏତ ସତ୍ୟ; କିନ୍ତୁ ଅସଲ ପ୍ରଶ୍ନ ତ ଏବେ ବି ଅନୁତ୍ତରିତ ଯେ ସେଇ ‘ପ୍ରେତ’ଟି କିଏ, ଯିଏ ପେଗାସସ୍‌କୁ ବାହନ କରି ଗୋପନରେ କରୁଚି ଆତଙ୍କର ଆବାହନ? ମେକ୍ସିକୋରେ ନିଶାଦ୍ରବ୍ୟ ବିକ୍ରୟକାରୀ ଓ ସେମାନଙ୍କୁ ପ୍ରୋତ୍ସାହିତ କରୁଥିବା ସରକାରୀ ଅଧିକାରୀ ସେଠାକାର କେତେକ ସାମ୍ବାଦିକଙ୍କ ଫୋନ୍‌ରେ ପେଗାସସ୍‌ ଲଗାଇଥିବାର ମିଳିସାରିଚି ଆପାତପ୍ରମାଣ। ଏହାର ଅର୍ଥ, ଅପରାଧୀର ଅନୁସନ୍ଧାନ/ଉନ୍ମୁଳନ ନିମନ୍ତେ ଯାହା ଅଭିପ୍ରେତ, ଏବେ ତାହା ପାଲଟିଚି ସେଇ ଅପରାଧୀର ଅକାଟ୍ୟ ଅସ୍ତ୍ର। ଥରେ ଚିନ୍ତା କରନ୍ତୁ, ଯଦି ସନ୍ତ୍ରାସବାଦୀ ପେଗାସସ୍‌କୁ କରନ୍ତି ବାହନ, କ’ଣ ହେବ ଭବିଷ୍ୟତ ଦେଶ/ବିଶ୍ବର! କୁହାଯାଏ, ପ୍ରଯୁକ୍ତି ଆବିଷ୍କାର ସଦା ନିରପେକ୍ଷ ଓ ସ୍ବାଧୀନ ଏବଂ ମନୁଷ୍ୟ ନିଜ ପ୍ରବୃତ୍ତି ଅନୁଯାୟୀ କରିଥାଏ ତାହାର ଭଲ ବା ମନ୍ଦ ଉପଯୋଗ; କିନ୍ତୁ ତାହା ଯଦି ମାନବ ଜାତି ପାଇଁ ପରାଧୀନତା, ଦାସତ୍ବ ଓ ସନ୍ତ୍ରାସର କାରଣ ହୁଏ; ଗଣତନ୍ତ୍ରକୁ ହତ୍ୟା କରିବାର ମାଧ୍ୟମ ପାଲଟେ, ତା’ର ଭୟାବହ ପରିଣତି ଅଚିନ୍ତନୀୟ। ପେଗାସସ୍‌ ପ୍ରକରଣକୁ ପ୍ରହସନ ମନେକଲେ ଏହା ପ୍ରାଣାନ୍ତକ ହେବା ଅଧିକ ସମ୍ଭବ। ଅତଏବ ନାୟକ ପରିବର୍ତ୍ତେ ପେଗାସସ୍‌ ପିଠିରେ ବସିଥିବା ସେହି ପ୍ରେତ(ଖଳନାୟକ)ର ଅସଲ ସ୍ବରୂପ ଉଦ୍‌ଘାଟନ ଅପରିହାର୍ଯ୍ୟ। ନ୍ୟାୟାଳୟ କ’ଣ ସେଥିରେ ସଫଳ ହେବ?

(‘ସମାଜ’ରେ ୧୨ ଅଗଷ୍ଟ ୨୦୨୧ରେ ପ୍ରକାଶିତ)

Next PostNewer Post Previous PostOlder Post Home

0 comments:

Post a Comment

ଏହି ବ୍ଲଗର ସମସ୍ତ ସାମଗ୍ରୀ ଲେଖକଙ୍କ ସର୍ବସ୍ବତ୍ତ୍ବ ସଂରକ୍ଷିତ. Powered by Blogger.