ଶାସନ ଓ ଶାସକ

Leave a Comment



ଅଶୋକ


ସଦାସର୍ବଦା ଲୋକଙ୍କ କଥାରେ ସରକାର କାହିଁକି ମୁଣ୍ଡ ପୂରାଇବ। ଜୀବନର ସବୁ କଥାରେ ସରକାର! ଯଦି ୨୦୪୭ର ମୋର ମିଶନ ପୂରଣ  ହେବ, ତା’ହେଲେ ମୁଁ ପ୍ରତ୍ୟେକଙ୍କ ଜୀବନରୁ ସରକାରକୁ ବାହାର କରିଦେବି। ସାଧାରଣ ମାନବୀୟ ଜୀବନରେ ସରକାର ଆଦୌ ରହିବା କଥା ନୁହଁ। ତାକୁ ନିଜ ଜୀବନ ବଞ୍ଚିବା ପାଇଁ ସ୍ବାଧୀନତା (ଖୁଲି ଛୁଟ୍‌) ରହିବା ଦରକାର। ନିଜ ସ୍ବପ୍ନକୁ ସାକାର କରିବା ଲାଗି ପୂରା ଆକାଶ ଖୋଲା ରହିବା ଆବଶ୍ୟକ। 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବକ୍ତୃତା(‘ଇଣ୍ଡିଆ ଟୁଡେ କନ୍‌କ୍ଲେଭ୍‌’, ୧୬ ମାର୍ଚ୍ଚ ୨୦୨୪)ର ଉପର ଉଦ୍ଧୃତିରୁ ‘ଯଦି ୨୦୪୭ର ମୋର ମିଶନ ପୂର୍ଣ୍ଣ ହେବ, ତା’ହେଲେ ମୁଁ ପ୍ରତ୍ୟେକଙ୍କ ଜୀବନରୁ ସରକାରକୁ ବାହାର କରିଦେବି’ କଥାଟିକୁ ଯଦି ଊହ୍ୟ ରଖାଯାଏ, ତେବେ ଏହା ଜଣେ ଶାସକର ଉକ୍ତି ନୁହେଁ, ବରଂ ମନେହେବ କୌଣସି ଦାର୍ଶନିକ ଅଥବା ରାଷ୍ଟ୍ରନୀତିବିଦ୍‌ଙ୍କ ବାଣୀ। ଦୀର୍ଘ ଦଶ ବର୍ଷର ଶାସନ ପରେ ବି ଜଣେ ଶାସକଙ୍କୁ ଲୋକଙ୍କ ଜୀବନରୁ ସରକାରକୁ ବାହାର କରିଦେବା ପାଇଁ ଆହୁରି ତେଇଶି ବର୍ଷ କାହିଁକି ପ୍ରତୀକ୍ଷା କରିବାକୁ ପଡ଼ିବ, ସେଇ ପ୍ରଶ୍ନ ହୁଏତ ଜଣକୁ କରିପାରେ ବ୍ୟତିବ୍ୟସ୍ତ; ସମାଲୋଚକ ୟାକୁ କ୍ଷମତା-ପିପାସୁର ବାଗାଡ଼ମ୍ବର ବୋଲି ମଧ୍ୟ କରିପାରନ୍ତି ଅଭିହିତ; କିନ୍ତୁ କଥାଟି ଯେତିକି ସହଜ ମନେହଉଚି ସେତିକି ସହଜ ନୁହେଁ ଆଦୌ। ଶାସିତ ଜୀବନରୁ ଶାସନ/ସରକାରକୁ ବାହାର କରିବା କ’ଣ ସମ୍ଭବ! କୌଣସି ରାଜା/ସମ୍ରାଟଙ୍କ ପରି ଆଜୀବନ କ୍ଷମତା-ସିଂହାସନରୁ ଓହ୍ଲାଇବାକୁ ଚାହୁଁ ନଥିବା ଶାସକ କ’ଣ ଶାସିତକୁ ଦେବ ସେତିକି ସ୍ବାଧୀନତା/ସ୍ବତନ୍ତ୍ରତା, ଯାହା ତାକୁ ଖୋଲା ଆକାଶରେ ଉଡ଼ିବାକୁ ଦେବ ନିର୍ବାଧ। ଏଭଳି ଅଛି କୋଉ ଶାସନତନ୍ତ୍ର, ଯାହା ଶାସିତ ପଛରେ ଗୋଡ଼ାଇବ ନାହିଁ; ତାକୁ ଆଇନକାନୁନ ଫାଶରେ ବାନ୍ଧିବ ନାହିଁ; ଜଗି ବସିବ ନାହିଁ ତା’ ଜୀବନର ପ୍ରତିଟି ମୁହୂର୍ତ୍ତ। ଆଧୁନିକ ବିଶ୍ବରେ ସର୍ବାଧିକ ଆଦୃତ ପ୍ରତିନିଧିମୂଳକ ଗଣତନ୍ତ୍ର, ଯାହା ‘ଗଣଙ୍କର, ଗଣଙ୍କ ଦ୍ବାରା, ଗଣଙ୍କ ପାଇଁ ଶାସନ’ (ଆବ୍ରାହମ୍‌ ଲିଙ୍କନ)? ଗଣ ଯଦି ହୋଇଥାଏ ଅଶିକ୍ଷିତ/ଅସାଧୁ/ଲାଞ୍ଚୁଆ ଏବଂ ତା’ ଦ୍ବାରା ବଛାଯାଇଥିବ ଶାସନର ପ୍ରତିନିଧି, ତା’ହେଲେ କିଭଳି ହେବ ସେଇ ଗଣତନ୍ତ୍ର(ତା’ ବି କ୍ଷମତାସୀନ ହେବାକୁ ୩୦ରୁ ୪୦ ଶତାଂଶ ମତ ଯଥେଷ୍ଟ)ର ସ୍ବରୂପ? କାର୍ଲାଇଲ (ଥମାସ୍‌) ତ କହନ୍ତି, ‘ଯେମିତି ଲୋକ ସେମିତି ଶାସନ’; ଅର୍ଥାତ୍‌ ଯେମିତି ଗଣ ସେମିତି ତନ୍ତ୍ର; ସେଥିରୁ ଲାଞ୍ଚୁଆ/ଧୂର୍ତ୍ତ/ଅସାଧୁଙ୍କ ତନ୍ତ୍ର ଜନ୍ମ ନେବା ଅବଧାରିତ! ଏଥିରୁ ଗୋଟିଏ କଥା ତ ଦିବାଲୋକ ପରି ସ୍ପଷ୍ଟ ଯେ ଗଣତନ୍ତ୍ରର ନିର୍ଦ୍ଧାରକ ଯେଉଁ ଗଣ, ତା ଉପରେ ଗଣତନ୍ତ୍ରର ଚରିତ୍ର ଗୋଟାପଣେ ନିର୍ଭରଶୀଳ। ଅତଏବ ଆପଣାର ପ୍ରତିନିଧିଙ୍କୁ ବାଛିବାର ଯୋଉ ଯୋଗାଡ଼ଯନ୍ତ୍ର (ନିର୍ବାଚନ), ସବୁଠୁ ଅଧିକ ତା’ର ମହତ୍ତ୍ବ; କାହିଁକି ନା ସେଇ ନିର୍ବାଚିତ ପ୍ରତିନିଧି ହିଁ ଗଣର ଶାସକ। ଏମିତିରେ ବିଦେଶୀ ହୁଅନ୍ତୁ କି ଦେଶୀ, କେହି ଜଣେ କାହାକୁ ଶାସନ କରିବ, ଏଇ ମୂଳ ବିଚାର ହିଁ ମନେହୁଏ ଅମାନବୀୟ; କାହିଁକି ନା ଶାସନ ମାନେ ହିଁ ମନୁଷ୍ୟର ପ୍ରାକୃତିକ ସ୍ବାଧୀନତାର ହନନ। ମନୁଷ୍ୟ ଆପେ ଶୃଙ୍ଖଳିତ ହୋଇପାରୁନି ବୋଲି ଦରକାର ହୋଇଚି ଶାସନ; ଆତ୍ମନିୟନ୍ତ୍ରିତ ହୋଇପାରୁନି ବୋଲି ଆବଶ୍ୟକ ପଡ଼ିଚି ବାହ୍ୟନିୟନ୍ତ୍ରଣ। ରାଜତନ୍ତ୍ରରେ ରାଜା/ସମ୍ରାଟ ଥିଲେ ଗଡ଼୍‌/ଈଶ୍ବରଙ୍କର ପ୍ରତିନିଧି; ତେଣୁ ସେ ପ୍ରଶ୍ନାତୀତ; କିନ୍ତୁ ଗଣତନ୍ତ୍ର କ’ଣ ତା’ଠୁ ବହୁତ ବେଶି ଭିନ୍ନ? ଗଣ ଅବଶ୍ୟ ମନୋନୀତ କରେ ପ୍ରତିନିଧି (ପ୍ରାୟତଃ ବାଧ୍ୟହୋଇ); କିନ୍ତୁ କେହି ଜଣେ କିଭଳି ଲକ୍ଷଲକ୍ଷ ଲୋକଙ୍କର ହୋଇପାରିବ ପ୍ରତିନିଧି; କିପରି କରିପାରିବ ପ୍ରତ୍ୟେକଙ୍କ ପ୍ରତିନିଧିତ୍ବ। ଇଏ ଏକ ଆପାତ ଅସମ୍ଭବ ବ୍ୟାପାର। ବ୍ୟକ୍ତିବିଶେଷ ସ୍ବୟଂ ନିଜର ହିଁ ହୋଇପାରିବ ପ୍ରତିନିଧି; ନଚେତ୍ ଅନ୍ୟସବୁ କେବଳ କପଟାଚାର। 

ସମ୍ଭବତଃ ଏଇ କାରଣରୁ ସକ୍ରେଟିସ୍‌ଙ୍କ ସମୟର ଗଣତନ୍ତ୍ର ପରୋକ୍ଷ ନୁହେଁ, ଥିଲା ପ୍ରତ୍ୟକ୍ଷ। ପ୍ରତ୍ୟକ୍ଷ ଗଣତନ୍ତ୍ର (ଡାଇରେକ୍ଟ ଡେମୋକ୍ରେସି) ଅର୍ଥ ସମାଜର ପ୍ରତ୍ୟେକ ବ୍ୟକ୍ତି/ନାଗରିକ ଶାସନ/ନିଷ୍ପତ୍ତି ଗ୍ରହଣ​‌େ​‌ର ସିଧାସଳଖ ଅଂଶୀଦାର; ତା’ କଥା କହିବା ପାଇଁ ଲୋଡ଼ାନାହିଁ କେହି ପ୍ରତିନିଧି ବା ମଧ୍ୟସ୍ଥ। ଯୋଉଠି ମଧ୍ୟସ୍ଥତା, ସେଇଠି ଭ୍ରଷ୍ଟାଚାର ଅବଶ୍ୟମ୍ଭାବୀ। ମଧ୍ୟସ୍ଥ ଭ୍ରଷ୍ଟାଚାରୀ ହେବା ଅବଧାରିତ; କାରଣ ମୂଳ ଢାଞ୍ଚା ହିଁ ଭ୍ରଷ୍ଟ; ଅତଏବ ଏଥେନ୍ସରେ ଥିଲା ଯୋଉ ପ୍ରତ୍ୟକ୍ଷ ଗଣତନ୍ତ୍ର ତାହା ପ୍ରକୃତ ଗଣତନ୍ତ୍ର। ପରୋକ୍ଷ ଗଣତନ୍ତ୍ର ବାସ୍ତବରେ ଗଣ/ଲୋକଙ୍କ ତନ୍ତ୍ର ନୁହେଁ; କାହିଁକି ନା ସେଥିରେ କେବଳ ମଧ୍ୟସ୍ଥ ପ୍ରତିନିଧି ଓ ମଧ୍ୟସ୍ଥତା ପ୍ରତିନିଧିତ୍ବ; ଲୋକଙ୍କ ଭୂମିକା ସେଇଠି ମତଦାନରେ ସୀମିତ; ଅର୍ଥାତ୍‌ ନାମକୁ ମାତ୍ର। ଜଣେ ପ୍ରତିନିଧି ଲକ୍ଷଲକ୍ଷ ଲୋକଙ୍କ ମନକଥା/ଚିନ୍ତା/ସମସ୍ୟାକୁ ଉପସ୍ଥାପିତ କରିବା ଅସମ୍ଭବ; ଅତଏବ ପ୍ରତିନିଧିଟିଏ କେବଳ ନିଜର ହିଁ କରିଥାଏ ପ୍ରତିନିଧିତ୍ବ। ଅନ୍ୟ ଶବ୍ଦରେ କହିଲେ ତାହା ଗଣତନ୍ତ୍ର ନୁହେଁ, ଜଣତନ୍ତ୍ର; କାହିଁକି ନା ଏଇ ‘ଜଣ’ ହିଁ ତ ପ୍ରତିନିଧି/ଶାସକ। ନିଜେ ପଛେ ହେଇଥାଉ ଅର୍ଦ୍ଧଶିକ୍ଷିତ/ଦୁର୍ନୀତିଗ୍ରସ୍ତ/ନିର୍ବୋଧ; ସେ କିନ୍ତୁ ନିର୍ଦ୍ଧାରଣ  କରେ କୋଟିକୋଟି ମନୁଷ୍ୟଙ୍କ ପାଇଁ ନୀତିନିୟମ; ସେମାନଙ୍କ ଜୀବନଧାରଣର ସାମାଜିକ/ସାଂସ୍କୃତିକ/ଆର୍ଥନୀତିକ ଏପରି କି ନୈତିକ ବିଧିବିଧାନ; ଅର୍ଥାତ୍‌ ତାଙ୍କର ଭାଗ୍ୟଭବିତବ୍ୟ। ଆଜି କେବଳ ସମାଜ ନୁହେଁ, ବ୍ୟକ୍ତିଜୀବନର ଛତ୍ରେଛତ୍ରେ ଶାସନ/ଶାସକ ଉପସ୍ଥିତ; କେବଳ ଉପସ୍ଥିତ ନୁହେଁ, ଅକ୍ଟୋପସ୍‌ର ବାହୁ ସମ ଚତୁର୍ଦିଗରୁ ଦୃଢ଼  ଓତପ୍ରୋତ। ଶାସନର ଆଧିକ୍ୟ ଏତେ ଯେ ଅନ୍ୟାୟ/ଅନୀତି/ଅଧୀନତା/ଆଧିପତ୍ୟ ବି ତା’ପାଇଁ ହୋଇପଡ଼ିଚି ପ୍ରଶ୍ନାତୀତ। 

ଅଥଚ ଶାସନ ତ ଏପରି ହେବା ଉଚିତ ଯେ ଲୋକଙ୍କୁ ଜଣାପଡ଼ିବା କଥା ନୁହେଁ କୋଉଠି ତା’ର ଅସ୍ତିତ୍ବ! ସରକାର ଏପରି ହେବା ଉଚିତ ଯେ ତାହା ଥିଲେ ବି ନଥିଲା ପରି ହଉଥିବ ପ୍ରତୀତ। ଶାସନ, ଛକରେ ଠିଆହୋଇ ଟ୍ରାଫିକ୍ ନିୟନ୍ତ୍ରକ ସେଇ ପୁଲିସ ପରି ହେବା ଦରକାର, ଯିଏ ସବୁଜ ସଙ୍କେତ ଦେଖି ଠିକରେ ଯାଉଥିବା ଲୋକଙ୍କୁ ଆଦୌ ବାଧା ଦିଏ ନାହିଁ; ଯିଏ ନାଲି ସଙ୍କେତ ନମାନି ଡେଇଁଯିବାର ଆସ୍ପର୍ଦ୍ଧା କରେ, ଅର୍ଥାତ ଅନ୍ୟର ସ୍ବାଧୀନତା/ସ୍ବତନ୍ତ୍ରତା ଉପରେ ବାଧା ପହଞ୍ଚାଏ ସେତେବେଳେ ହିଁ ତା’ର ହସ୍ତକ୍ଷେପ ଲୋଡ଼ା। ଲୋକେ ଯଦି ଅନ୍ୟର ସ୍ବାଧୀନତା ଉପରେ ବାଧା ସୃଷ୍ଟି କରୁନାହାନ୍ତି, ସେଇଠି ଶାସନ/ସରକାରର କିଛି କାମ ନାହିଁ; ସେତେବେଳେ ତା’ର ନିଷ୍କ୍ରିୟତା ହିଁ କାମ୍ୟ; କାହିଁକି ନା ସକ୍ରିୟତା ଅର୍ଥ ଲୋକଙ୍କ ସ୍ବାଧୀନତାର ହନନ। ଚୀନର ଦାର୍ଶନିକ/ସନ୍ଥ ଲାଓଜି/ ଲାଓ ତ୍‌ସେ (କୁହାଯାଏ ସେ ଗୌତମ ବୁଦ୍ଧଙ୍କ ସମକାଳୀନ) ଯାହାକୁ କହିଚନ୍ତି, ‘ଉ ୱେଇ’; ଆକ୍ଷରିକ ଅର୍ଥରେ ନିଷ୍କର୍ମ/ନିଷ୍କ୍ରିୟତା। ଭାରତୀୟ ଦର୍ଶନରେ ଏହାକୁ କୁହାଯାଇଚି ‘ଅକର୍ମ’। (ଶ୍ରୀମଦ୍‌ ଭଗବଦ୍ ଗୀତାର ଗୋଟିଏ ଶ୍ଳୋକ ଏହିପରି: କର୍ମଣୋ ହ୍ୟପି ବୋଦ୍ଧବ୍ୟଂ ବୋଦ୍ଧବ୍ୟଂ ଚ ବିକର୍ମଣ। ଅକର୍ମଣଶ୍ଚ ବୋଦ୍ଧବ୍ୟଂ ଗହନା କର୍ମଣୋ ଗତି।।୪.୧୭।। ଅର୍ଥାତ କର୍ମ, ଅକର୍ମ ତଥା ବିକର୍ମର ତତ୍ତ୍ବ ଜାଣିବା ଦରକାର, କାହିଁକି ନା କର୍ମର ଗତି ଅତି ଗହନ। ଅତଏବ ସ୍ବରୂପ ଦୃଷ୍ଟିରୁ କର୍ମ ତିନି ପ୍ରକାର: କର୍ମ, ଅକର୍ମ ଓ ବିକର୍ମ। ସକାମ ଭାବରେ କରାଯାଇଥିବା ଶାସ୍ତ୍ରବିହିତ କ୍ରିୟା ହେଲା କର୍ମ; ଫଳେଚ୍ଛା, ମମତା ଓ ଆସକ୍ତି ରହିତ ହୋଇ କେବଳ ଅନ୍ୟର ହିତ ପାଇଁ କରାଯାଉଥିବା କର୍ମ ହେଲା ଅକର୍ମ ଏବଂ ବିହିତ କର୍ମ ମଧ୍ୟ ଯଦି ଆସକ୍ତ ହୋଇ ଅନ୍ୟର ହିତ ବା ଦୁଃଖ ପହଞ୍ଚାଇବା ଭାବନାରେ କରାଯାଏ, ତାହା ବିକର୍ମ; ନିଷିଦ୍ଧ କର୍ମ ତ ବିକର୍ମ ହିଁ। ଅଷ୍ଟାଦଶ ଶ୍ଳୋକରେ ଏହାକୁ କୁହାଯାଇଚି, ‘ଅକର୍ମଣି ଚ କର୍ମ ଯଃ’।) ଅକର୍ମ ହିଁ ଶ୍ରେଷ୍ଠକର୍ମ। ତେଣୁ ଶାସନର ଆଧିକ୍ୟ ସବୁ ବିକୃତି/ବିଭ୍ରାଟର ମୂଳ। ଶାସନର ଅକର୍ମ କାମ୍ୟ। ବ୍ୟକ୍ତି, ରାଜ୍ୟ (ରାଷ୍ଟ୍ର) ଓ ପ୍ରକୃତିର ଅନ୍ତଃସମ୍ବନ୍ଧ ସମ୍ପର୍କରେ ବିଚାର ଉପସ୍ଥାପନ କରି ଲାଓଜି ତାଙ୍କର ପ୍ରସିଦ୍ଧ ଗ୍ରନ୍ଥ ତାଓ ତେ ଚିଙ୍ଗ୍ (ପଥ ଓ ପୁଣ୍ୟର ପୁସ୍ତକ)ରେ ଯାହା ଉଲ୍ଲେଖ କରିଥିଲେ, ତା’ର ସାରାଂଶ ଏହିପରି ‘‘ତୁମେ ଯେତେ କଟକଣା/ପ୍ରତିବନ୍ଧକ ରଖିବ ମନୁଷ୍ୟ ସେତିକି ଅଧିକ ଦରିଦ୍ର ହେବ...ତୁମେ ଯେତେ ଅଧିକ ଆଇନକାନୁନ ପ୍ରଣୟନ କରିବ, ସେତିକି ଅଧିକ ଦସ୍ୟୁ/ଦୁର୍ବୃତ୍ତ ସୃଷ୍ଟି ହେବେ। ତେଣୁ ଜ୍ଞାନୀଶାସକ କହନ୍ତି: ମୋର ଅକର୍ମ ଜରିଆରେ ମନୁଷ୍ୟମାନେ ଆପେ ରୂପାନ୍ତରିତ ହେବେ; ମୋର ନିରବତା ମଧ୍ୟଦେଇ ମନୁଷ୍ୟମାନେ ସ୍ବତଃସ୍ଫୂର୍ତ୍ତ ଭାବେ ଶାନ୍ତ ହେବେ; ମୋର ଅଣହସ୍ତକ୍ଷେପ ଦ୍ବାରା ସ୍ବତଃ ସେମାନେ ଐଶ୍ବର୍ଯ୍ୟବାନ ହେବେ।’’ (ଅଧ୍ୟାୟ ୫୭)

ମନୁଷ୍ୟ ଜୀବନରେ ଶାସନ/ଶାସକ/ରାଷ୍ଟ୍ରର ହସ୍ତକ୍ଷେପ ଯେତେ କମ୍ ହେବ, ସେତିକି ​ଉତ୍ତମ; କାହିଁକି ନା, ତାହା ହିଁ ବ୍ୟକ୍ତି ସ୍ବାଧୀନତା/ସ୍ବତନ୍ତ୍ରତାକୁ ସୁରକ୍ଷିତ ରଖିବାର ଏକମାତ୍ର ବାଟ। ଲାଓଜିଙ୍କ ଶବ୍ଦରେ କହିଲେ, ‘ଏକ ମହାନ ରାଜ୍ୟ/ରାଷ୍ଟ୍ରରେ ଶାସନ ଏମିତି କରିବା ଉଚିତ ଯେମିତି ତୁମେ ଚୂନାମାଛ ରାନ୍ଧୁଚ!’ ଶାସନ/ଶାସକର ଭୂମିକା ସେତିକିରେ ହିଁ ସୀମିତ; ନଚେତ୍‌ ସାମାନ୍ୟ ଅଧିକ ଘାଣ୍ଟିଦେଲେ ଚୂନାମାଛ ସତ୍ତା ହରାଇବା ଭଳି ଲୋକଙ୍କ ଅବସ୍ଥା ବିପନ୍ନ ହେବା ସୁନିଶ୍ଚିତ। ସମାଜରେ ଦାରିଦ୍ର୍ୟ, କ୍ଷୁଧା, ଅଶିକ୍ଷା, ହିଂସା, ଘୃଣା, ଅସାଧୁତା ବ୍ୟାପିବାର କାରଣ ଖୋଜିଲେ କୋଉଠି ନା କୋଉଠି ତା’ର ସୂତ୍ର ଶାସନ/ଶାସକ (ରାଜନୀତି/ରାଜନେତା) ସହିତ ଯୋଡ଼ି ହୋଇଥାଏ। ଲୋକେ ସବୁକିଛି ସ୍ବୟଂ କରିବାକୁ ସକ୍ଷମ; ଅନ୍ତତଃ ଆନନ୍ଦରେ ବଞ୍ଚିବା ପାଇଁ ଯେତିକି ଆବଶ୍ୟକ, ସେତିକି ଉପାର୍ଜନ କରିବାକୁ ସେମାନେ ସମର୍ଥ; ଅଥଚ ଶାସନ ସେମାନଙ୍କର ପଥରୋଧ କରିବାକୁ ସଦାଉଦ୍ୟତ। ଲୋକସାଧାରଣ ପାଇଁ ତଥାକଥିତ ଉନ୍ନୟନ ତ ତୁଚ୍ଛା ପ୍ରତାରଣା; କାହିଁକି ନା ତା’ର ସିଂହଭାଗ ହିତାଧିକାରୀ ସେମାନେ ନୁହନ୍ତି, ବରଂ ଧନତନ୍ତ୍ରର ସଂବାହକ ଓ ସଂରକ୍ଷକ। ଗଣତନ୍ତ୍ର କେବଳ ମୁଖା, ଧନତନ୍ତ୍ର ହିଁ ମୁଖ ଅର୍ଥାତ୍‌ ଗଣତନ୍ତ୍ରର ଅସଲ ଚାଳିକା ଶକ୍ତି, ଯାହା ଏବେ ଦିଶୁଚି ଜଳଜଳ (ନିର୍ବାଚନୀ ବଣ୍ଡ୍‌ ତା’ର ଏକ କ୍ଷୁଦ୍ର ଅଂଶ)। ଏହା ଆଉ ଅସ୍ପଷ୍ଟ ନୁହେଁ ଯେ ଶାସନର ପରିଚାଳକ/ଶାସକବର୍ଗ ଗଣ ନୁହେଁ, ଧନତନ୍ତ୍ର ପକ୍ଷର ହିଁ ମଧ୍ୟସ୍ଥ/ପ୍ରତିନିଧି, ଯାହାଙ୍କୁ ନେଇ ଗଣ ହୁଏନି କମ୍‌ ଗର୍ବିତ ଓ ଗୌରବାନ୍ବିତ! ସମ୍ବିଧାନର ଅଭୀଷ୍ଟ ଆଦର୍ଶ ସମାଜତନ୍ତ୍ର ହେଲେ ସୁଦ୍ଧା ଧନତନ୍ତ୍ର ଯୋଉ ଶାସନ ବ୍ୟବସ୍ଥାର ନିୟନ୍ତ୍ରକ, ତାହା କଦାପି ହୋଇପାରେନା ଗଣ/ଲୋକଙ୍କ ତନ୍ତ୍ର। ଏଇ କାରଣରୁ ଆଧୁନିକ ବିଶ୍ବରେ ଧନତନ୍ତ୍ରର ଅନ୍ୟତମ ପ୍ରମୁଖ ପ୍ରବକ୍ତା ଏଲନ ମସ୍କ କହିଥିବା ଏ କଥାକୁ ସହଜରେ ଏଡ଼ାଇ ଦେଇ ହୁଏନାହିଁ ​‌ଯେ, ‘‘କିଛି ଲୋକ କର୍ପୋରେସନ ବିରୋଧରେ, କିନ୍ତୁ ସରକାର ସପକ୍ଷରେ ଅଛନ୍ତି।...ସରକାର ତ ସୀମା ମଧ୍ୟରେ ଏକ କର୍ପୋରେସନ ମାତ୍ର। ବାସ୍ତବରେ ଏହା ବୃହତ୍ତମ କର୍ପୋରେସନ ଏବଂ ହିଂସା ଉପରେ ଏହାର ଏକାଧିପତ୍ୟ। ତେଣୁ ଆପଣ ଯଦି କର୍ପୋରେସନକୁ ପସନ୍ଦ କରନ୍ତିନି ତେବେ ବାସ୍ତବରେ ଆପଣ ସରକାରକୁ ଘୃଣା କରିବା ଉଚିତ।’’ (ଦର୍ଶନୀୟ: ସାକ୍ଷାତ୍‌କାର ‘ଦି ବି ୱାର୍ଡ’; ୨୧ ଜୁଲାଇ ୨୦୨୧; ୟୁଟ୍ୟୁବ୍‌) ମୂଳ ପ୍ରଶ୍ନ ତ ଏଇଆ ଯେ କର୍ପୋରେସନ (ଶାସନ)/ କର୍ପୋରେଟ୍‌ (ଶାସକ) ଆପଣଙ୍କ ଜୀବନରୁ କେତେ/କିଭଳି ଆପେ ନିଜକୁ ବାହାର କରିନେବ? ଆପଣ ତାକୁ କ’ଣ ନିଜ ଜୀବନରୁ ବହିଷ୍କାର କରିବାକୁ ଚାହିଁବେ ବା କରିପାରିବେ?

(‘ସମାଜ’ରେ ୨.୪.୨୦୨୪ରେ ପ୍ରକାଶିତ)
Previous PostOlder Post Home

0 comments:

Post a Comment

ଏହି ବ୍ଲଗର ସମସ୍ତ ସାମଗ୍ରୀ ଲେଖକଙ୍କ ସର୍ବସ୍ବତ୍ତ୍ବ ସଂରକ୍ଷିତ. Powered by Blogger.