ଗଣମାଧ୍ୟମର ଭାଷା (୨)

Leave a Comment
ବର୍ତ୍ତମାନ ଓଡ଼ିଆ ଭାଷା ପାଇଁ ସବୁଠୁ ବଡ଼ ଆହ୍ୱାନ ମୁଦ୍ରିତ ଗଣମାଧ୍ୟମରେ ଇଂରେଜୀ/ହିନ୍ଦୀ ଶବ୍ଦର ପ୍ରାଚୁର୍ଯ୍ୟ । କେବଳ ଖବର ଭିତରେ ବା ଖବରର ଶୀର୍ଷକ ନୁହେଁ, ବରଂ ପୃଷ୍ଠାଗୁଡ଼ିକର ଶୀର୍ଷକ ମଧ୍ୟ ଇଂରେଜୀ/ହିନ୍ଦୀରେ ରଖାଯାଉଚି । ଦୁଃଖର କଥା ଯେ କେବଳ କ୍ଷୁଦ୍ର ପତ୍ରପତ୍ରିକା ନୁହନ୍ତି, ଆଗଧାଡ଼ିର କେତେକ ଖବରକାଗଜରେ ବି ଏହି ପ୍ରବୃତ୍ତି ପରିଦୃଶ୍ୟ । କେତେକ ପୃଷ୍ଠାର ଶୀର୍ଷକ ଦେଖନ୍ତୁ: ଟ୍ୱିନ୍‌ସିଟି ମିରର୍‌, ଏକ୍ସଟ୍ରା ଟାଇମ୍‌, ବିଜିନେସ୍‌ ଲାଇନ, ଲାଇଫ୍‌ ଷ୍ଟାଇଲ୍‌, ମେଲ୍‌ ବିୟୁଟି, ଷ୍ଟାର୍‌ ସିକ୍ରେଟ୍‌, ସାଇଡ୍‌ଲାଇନ୍‌, ସ୍ପୋର୍ଟିଂ ଟାଇମ୍ସ, ଟାଇମ୍‌ ପାସ୍‌, ଫନ୍‌କୁଇଜ୍‌, ନୋ ପଲିଟିକ୍ସ, ଟେଲିଟାଇମ୍‌, ଫାଷ୍ଟ୍‌ସଟ୍‌ ଫାଷ୍ଟ୍‌ସ୍ପଟ୍‌, ଲେଫ୍ଟଓଭର୍‌ ରେସିପି, ଶିକ୍ଷାପ୍ଲସ୍‌ ଇତ୍ୟାଦି । ସେହପରି କେତେକ ଖବରର ଶୀର୍ଷକ: ବାର୍ଥ ଡେ ଗର୍ଲ ପ୍ରୀତି, ଭାରତର ହ୍ୱାଇଟ୍‌ୱାସ୍‌, ଅନୁଙ୍କ ଅନେଷ୍ଟି, ପର୍ଫେକ୍ଟ ଲାଗିବେ ଦୀପିକା, ଇଲୁଷ୍ଟ୍ରେସନଗୁଡ଼ିକ କାହିଁକି ୟୁନିକ୍‌, ବ୍ରେକ୍‌ଅପ୍‌ କଥା, ଇଲେଭେନ୍‌ ଷ୍ଟାର୍‌ ଭ୍ୟାକେସନରେ ଯାଉଛନ୍ତି, ପେଟ୍‌ପ୍ୟାରେଣ୍ଟ୍‌ଙ୍କୁ ଆପ୍‌, ଆଇଡିଆଟି ସିମ୍ପଲ୍‌, ରିଡିଂ ସାଙ୍ଗକୁ ଆକ୍ଟିଂ, ଆଦିତ୍ୟଙ୍କ ସର୍ଟବ୍ରେକ୍‌, ସପିଂ କରନ୍ତୁ ମସ୍ତିରେ, ଓଲିଉଡ଼କୁ କମ୍‌ବ୍ୟାକ୍‌, ବିଳମ୍ବିତ ରାତିରେ ହାଇଡ୍ରାମା, ମିଡନାଇଟ୍‌ ସରେଣ୍ଡର୍‌ ଆଦି । କେବଳ ଶୀର୍ଷକ ନୁହେଁ, ଖବର ଭିତରେ କେତେକ ଇଂରେଜୀ/ହିନ୍ଦୀ ଶବ୍ଦର ବହୁଳ ବ୍ୟବହାର ଖବରକାଗଜର ମାନକୁ ନୂ୍ୟନ କରୁଥିଲେ ହେଁ ସେଥିପ୍ରତି ସଂପାଦକମାନଙ୍କ ଯଥୋଚିତ ଦୃଷ୍ଟି ନାହିଁ । ଏଭଳି କେତେକ ଶବ୍ଦ ହେଲା: ଗ୍ୟାରେଣ୍ଟି, କନେକ୍ସନ, ଟିମ୍‌, ମ୍ୟାଟେରିଆଲ୍‌, ଟାର୍ଗେଟ୍‌, ଲିଙ୍କ୍‌, ବ୍ୟାକ୍‌ଗ୍ରାଉଣ୍ଡ୍‌, ପ୍ଲାନ୍‌, ଷ୍ଟ୍ରାଟେଜି, କିଲର୍‌, ଡିସ୍‌ପୋଜ୍‌, ଲାଇଭ୍‌, ରାଇଟ୍‌ହ୍ୟାଣ୍ଡ୍‌, ସସ୍‌ପେନ୍ସ, ଆକ୍ଟିଭ୍‌, ଆଇଡିଆ, ଫେଭରିଟ୍‌ (ଇଂରେଜୀ); ଗଫ୍‌ଲତି, ଠପ୍‌, ମସ୍ତି, ଛାନ୍‌ଭିନ୍‌, ଖୁଲାସା, ମାହୋଲ, ପର୍ଦ୍ଦାଫାସ୍‌, ଚକ୍କର୍‌, ରାଜ୍‌ (ହିନ୍ଦୀ) ଇତ୍ୟାଦି । କହିବା ବାହୁଲ୍ୟ ଯେ ଏସବୁ ଶବ୍ଦ ବ୍ୟବହାର ନ କରି ବି ଆରାମରେ ଖବରକୁ ଲେଖା/କୁହାଯାଇପାରେ । ଯେଉଁ ଶବ୍ଦର ନିର୍ଦିଷ୍ଟ ଓଡ଼ିଆ ପ୍ରତିଶବ୍ଦ ନାହିଁ, ତା’ର ବ୍ୟବହାର ଅନୁଚିତ ନୁହେଁ; କିନ୍ତୁ ଯେଉଁଗୁଡ଼ିକର ପ୍ରତିଶବ୍ଦ ବା ବୁଝିହେବା ଭଳି ଶବ୍ଦ ରହିଛି, ତାକୁ ବ୍ୟବହାର କରିବାକୁ ଆମେ କୁଣ୍ଠିତ କାହିଁକି? ବରଂ ହିନ୍ଦୀ/ଇଂରେଜୀ ବଦଳରେ ଲୋପ ପାଇଯାଉଥିବା ଆମ ରାଜ୍ୟର ଆଞ୍ଚଳିକ ଶବ୍ଦଗୁଡ଼ିକୁ ବ୍ୟବହାର କଲେ ତାହା ଓଡ଼ିଆ ଶବ୍ଦଭଣ୍ଡାରକୁ ସମୃଦ୍ଧ କରିବା ସହ ଖବରକାଗଜ ପାଠକଙ୍କୁ ନିଆରା ଲାଗିବ ।

ଓଡ଼ିଆ ଗଣମାଧ୍ୟମରେ ଇଂରେଜୀ/ହିନ୍ଦୀ ଶବ୍ଦ ବଢ଼ିବାର ଏକ ମୁଖ୍ୟ କାରଣ ହେଉଚି ଖବର/ବିଶ୍ଳେଷଣ ଆଦିରେ ମୌଳିକତାର ଅଭାବ । ଧୀରେଧୀରେ ଆଞ୍ଚଳିକ ଗଣମାଧ୍ୟମରେ, ବିଶେଷକରି ଖବରକାଗଜରେ ମୌଳିକ ଖବର/ବିଶ୍ଳେଷଣ ଆଦି କମିଯାଉଥିବାବେଳେ ଅନୁବାଦିତ ଲେଖା ବଢ଼ିଚାଲିଚି; କାହିଁକିନା ସେସବୁ ଇଣ୍ଟରନେଟ୍‌ ମାଧ୍ୟମରେ ଏବେ ସହଜରେ ଉପଲବ୍ଧ ହେଉଛି । ଅର୍ଦ୍ଧାଧିକ ଖବରକାଗଜ ପୃଷ୍ଠାପୂରଣ ପାଇଁ ଏହି ସହଜମାର୍ଗକୁ ବାଛିନେଇଚନ୍ତି । ପ୍ରମୁଖ ଇଲେକ୍‌ଟ୍ରୋନିକ୍‌ ଓ ମୁଦ୍ରିତ ଗଣମାଧ୍ୟମ ବି ଥ୍ରୀସି (କ୍ରିକେଟ୍‌, ସିନେମା, କ୍ରାଇମ୍‌)କୁ ପ୍ରାଧାନ୍ୟ ଦେଉଥିବାରୁ ସେଥିରେ ମଧ୍ୟ ବହୁଳାଂଶ ଆମଦାନୀକରା ଖବର ସ୍ଥାନ ପାଇବାକୁ ବାଧ୍ୟ, ଅର୍ଥାତ ଇଂରେଜୀ/ହିନ୍ଦୀ ଖବରର ଓଡ଼ିଆ ରୂପାନ୍ତର; କିନ୍ତୁ ବିଶୁଦ୍ଧ ଓଡ଼ିଆ ଭାଷାନ୍ତର ନ ହୋଇ ହେଉଚି ବିକୃତ ଶବ୍ଦାନ୍ତର । ଯେଉଁମାନେ ଏସବୁ କାମ କରନ୍ତି, ତାଙ୍କର ଇଂରାଜୀ/ହିନ୍ଦୀ ସହ ଓଡ଼ିଆ ଭାଷା ଜ୍ଞାନ ଉପରେ ଖବର/ବିଶ୍ଳେଷଣର ସୌନ୍ଦର୍ଯ୍ୟ ଓ ସୁଖପାଠ୍ୟତା ନିର୍ଭରଶୀଳ; କିନ୍ତୁ ଅସଲ ସମସ୍ୟା ହେଲା ସାମ୍ବାଦିକତାର ବଡ଼ବଡ଼ ଡିଗ୍ରୀ ହାସଲ କରିଥିବା ସତ୍ତ୍ୱେ ଏହା ଅନସ୍ୱୀକାର୍ଯ୍ୟ ଯେ ଓଡ଼ିଆ ଗଣମାଧ୍ୟମର ଅଧିକାଂଶ ସାମ୍ବାଦିକଙ୍କ ମାତୃଭାଷା ଜ୍ଞାନ ନିହାତି ଦୁର୍ବଳ । ଓଡ଼ିଆ ଗଣମାଧ୍ୟମ ସଂସ୍ଥାଗୁଡ଼ିକ ସାମ୍ବାଦିକଙ୍କୁ ନିଯୁକ୍ତ କଲାବେଳେ ସେମାନଙ୍କ ଓଡ଼ିଆ ଭାଷାର ଦକ୍ଷତା ଉପରେ ଯେତିକି ଗୁରୁତ୍ୱ ଦେବା କଥା ସେତିକି ଦିଅନ୍ତି ନାହିଁ । ତେଣୁ ସଂପାଦନାବେଳେ ଯାହା ସୁଧାରିବା ଆବଶ୍ୟକ, ତାହା ମଧ୍ୟ ଠିକ୍‌ଭାବେ ହୋଇନଥାଏ । ତେଣୁ ପାଠକ/ଦର୍ଶକ ଅଶୁଦ୍ଧ ଓ ବିକୃତ ଓଡ଼ିଆରେ ଖବର ପଠନ/ଦର୍ଶନ କରିବାକୁ ବାଧ୍ୟ ହୋଇଥାନ୍ତି । ଓଡ଼ିଆ ଗଣମାଧ୍ୟମ ସଂସ୍ଥାଗୁଡ଼ିକ ଏ ନେଇ ସଚେତନ ହେବା ବିଧେୟ ।

କେବଳ ଶବ୍ଦ ସଂଯୋଜନା ନୁହେଁ, ଓଡ଼ିଆ ଖବରକାଗଜରେ ବାକ୍ୟବିନ୍ୟାସ ମଧ୍ୟ ଅଦ୍ଭୁତ ଭାବେ ବଦଳିବାରେ ଲାଗିଚି । ମନେହେଉଚି, ନିଉଜ୍‌ ଚ୍ୟାନେଲର ଖଣ୍ଡିତ ଭାଷାର ସେ ବି ଅନୁସରଣକାରୀ । ମନେରଖିବା ଆବଶ୍ୟକ ଯେ ଖବରକାଗଜ କେବଳ ଏକ ସୂଚନାଦାତା ନୁହେଁ; ବରଂ ସମାଜ ପାଇଁ ଏକ ନିଃଶୁଳ୍କ ଭାଷା ଶିକ୍ଷାକେନ୍ଦ୍ର । ବହୁ ପୂର୍ବରୁ ‘ସମାଜ’ ଏହା କରିଦେଖାଇଚି । ଭାଷାଭିତ୍ତିକ ଏକ ପ୍ରଦେଶ ଗଠନ ପାଇଁ ଓଡ଼ିଆଙ୍କୁ ଏକଜୁଟ କରିବାରେ ଓ ଓଡ଼ିଆ ଭାଷା ସୁରକ୍ଷା କ୍ଷେତ୍ରରେ ଏ ଖବରକାଗଜର ଭୂମିକା ଅତୁଳନୀୟ । ‘ସମାଜ’ ପଢ଼ି ନିଜର ଭାଷାଜ୍ଞାନ ଓ ଶବ୍ଦଭଣ୍ଡାରକୁ ସମୃଦ୍ଧ କରିଥିବା ଲୋକଙ୍କର ବି ଅଭାବ ନାହିଁ । କିନ୍ତୁ ବର୍ତ୍ତମାନ ଭଳି ଔପନିବେଶିକ ଭାରତବର୍ଷର ସବୁ ସ୍ଥାନରେ ଇଂରେଜୀର ଆଧିପତ୍ୟ ସ୍ପଷ୍ଟଭାବେ ରହିଥିଲା; ଏପରିକି ପ୍ରାଦେଶିକ ଖବରକାଗଜଗୁଡ଼ିକରେ ମଧ୍ୟ, ତାହା ‘ସମାଜ’ର ସ୍ରଷ୍ଟା ଉକ୍ରଳମଣି ଗୋପବନ୍ଧୁଙ୍କ ପାଖାପାଖି ଶହେବର୍ଷ ତଳର ଏକ ଟିପ୍ପଣୀରୁ ଜଣାପଡ଼େ । ‘ସତ୍ୟବାଦୀ’ ପତ୍ରିକାରେ ସେ ଏକଦା ଲେଖିଥିଲେ, “ଇଂରେଜୀ ଶିକ୍ଷା ଏ ଦେଶରେ ବହୁ ଦିନ ହେଲା ଚଳିଲାଣି, ଦେଶୀୟ ଲୋକଙ୍କ ମଧ୍ୟରୁ ଅନେକେ ଇଂରେଜୀରେ ବୁ୍ୟତ୍ପନ୍ନ ପଣ୍ଡିତ ହୋଇଅଛନ୍ତି, ବଡ଼ବଡ଼ ଗ୍ରନ୍ଥ ଲେଖୁଛନ୍ତି, ବକ୍ରୃତା ଦେଉଛନ୍ତି, ଦୈନିକ ଖବରକାଗଜ ଚଳାଉଛନ୍ତି; ମାତ୍ର ନିଜ ମାତୃଭାଷା କହିଲାବେଳେ ଯେତେ ସହଜ ଓ ସ୍ୱଚ୍ଛଳ ଲାଗେ, ଇଂରେଜୀ କହିଲାବେଳେ ସେପରି ବୋଧ କରନ୍ତି କି?” (ସତ୍ୟବାଦୀ, ୧୩୨୫ ସାଲ) ଇଂରେଜୀପ୍ରିୟ ଓଡ଼ିଆମାନଙ୍କୁ ପଚାରିଥିବା ଏ ପ୍ରଶ୍ନରୁ ଅନୁଭବ କରିହୁଏ ଯେ ଗୋପବନ୍ଧୁ ଖବରକାଗଜର ଭାଷା ନେଇ ମଧ୍ୟ ଖୁବ୍‌ ସଚେତନ ଓ ସତର୍କ ଥିଲେ ।

ଗଣର କଥା କହିବାକୁ ହେଲେ ସେମାନଙ୍କ ମୁହଁର ଭାଷା ପରି ଗଣମାଧ୍ୟମର ଭାଷା ବି ଅତି ସରଳ, ସାବଲୀଳ ଓ ସ୍ପଷ୍ଟ ହେବା ଦରକାର । ତେବେ ସରଳତା ନାଁରେ ବର୍ତ୍ତମାନ ପରି ଭାଷାର ଗାମ୍ଭୀର୍ଯ୍ୟ/ଗରିମା ନଷ୍ଟ କଲାଭଳି ଭାଷା ଯେପରି ବ୍ୟବହାର ନ କରାଯାଏ, ସେଥିପ୍ରତି ମଧ୍ୟ ଦୃଷ୍ଟି ରହିବା ଆବଶ୍ୟକ । ଆପଣା ଭାଷାକୁ ହେୟଜ୍ଞାନ କରି କୌଣସି ଗଣମାଧ୍ୟମ ଗଣ ହୃଦୟରେ ତିଷ୍ଠିପାରିବ ନାହିଁ, ତାହା କହିବା ବାହୁଲ୍ୟ ।

(୬ ଫେବୃୟାରୀ ୨୦୧୬ରେ "ସମାଜ'ର "ଚତୁର୍ଥସ୍ତମ୍ଭ' ସ୍ତମ୍ଭରେ ପ୍ରକାଶିତ)
Next PostNewer Post Previous PostOlder Post Home

0 comments:

Post a Comment

ଏହି ବ୍ଲଗର ସମସ୍ତ ସାମଗ୍ରୀ ଲେଖକଙ୍କ ସର୍ବସ୍ବତ୍ତ୍ବ ସଂରକ୍ଷିତ. Powered by Blogger.