କୃତ୍ରିମ ମେଧାର ବାସ୍ତବ ବିପଦ

Leave a Comment



ଅଶୋକ


କୃତ୍ରିମ ମେଧା(ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ବା ଏଆଇ)କୁ ନେଇ ଏଇନା ସମଗ୍ର ବିଶ୍ବ ଯେତିକି ଆଶାନ୍ବିତ, ତତୋଧିକ ଆଶଙ୍କିତ। ଏହା ଅବଶ୍ୟ ଅହେତୁକ ନୁହେଁ। କୃତ୍ରିମ ମେଧା ଏପରି ଏକ ଅତ୍ୟାଧୁନିକ ପ୍ରଯୁକ୍ତି ଯାହା ତା’ର ପ୍ରାରମ୍ଭିକ ସୋପାନରେ ହିଁ ଯେଉଁଭଳି ଶକ୍ତି ଓ ଦକ୍ଷତା ହାସଲ କରିଚି, ତାହା କେବଳ ଅଭୂତପୂର୍ବ ନୁହେଁ, ବୈପ୍ଳବିକ। ସବୁଠୁ ଗୁରୁତ୍ବପୂର୍ଣ୍ଣ, ଏହା କେବଳ ଗୋଟିଏ କ୍ଷେତ୍ରରେ ସୀମିତ ରହିବ ନାହିଁ, ବରଂ ମାନବ ସଭ୍ୟତାର ପ୍ରତ୍ୟେକ କ୍ଷେତ୍ରକୁ ଏହା ପ୍ରଭାବିତ କରିବାର ସମ୍ଭାବନା ସୃଷ୍ଟି କରିଛି। ଅତଏବ ମନୁଷ୍ୟର ପେସାଠୁ ଆରମ୍ଭ କରି ଦୈନନ୍ଦିନ ଜୀବନଯାପନ ପର୍ଯ୍ୟନ୍ତ, ସବୁଠି ଏହା ତା’ର ଛାପ ଛାଡ଼ିବାକୁ ଉଦ୍ୟତ। କେବଳ ସେତିକି ନୁହେଁ, ବାସ୍ତବ ସୃଜନଶୀଳ ହୋଇନଥିଲେ ହେଁ ଏହା ବିଭିନ୍ନ ଉତ୍ସରୁ ଆହରଣ କରି କଳା, ସଂଗୀତ, ସାହିତ୍ୟ ଆଦି କ୍ଷେତ୍ରରେ ମଧ୍ୟ ଏହା ‘ସୃଜନ’ କରିବାରେ ସମର୍ଥ। ଏହି କାରଣରୁ ଏବେ ଏହାକୁ କେହିକେହି ମନୁଷ୍ୟର ପ୍ରତିଦ୍ବନ୍ଦ୍ବୀ ଭାବେ ଦେଖିବାକୁ ପଛାଉନାହାନ୍ତି। କୃତ୍ରିମ ମେଧାକୁ ନେଇ ଯେଉଁ ସବୁଠୁ ବଡ଼ ବାସ୍ତବ ଓ ତତ୍କାଳ ପ୍ରଭାବୀ ଆଶଙ୍କା ପ୍ରକାଶ ପାଇଚି, ତାହା ନିଯୁକ୍ତି/ରୋଜଗାରକୁ ନେଇ। ଶିଳ୍ପ କ୍ଷେତ୍ରରେ କୃତ୍ରିମ ମେଧା ପ୍ରଯୁକ୍ତି ଯେ ମନୁଷ୍ୟଠାରୁ ଅଧିକ ସାମର୍ଥ୍ୟବାନ/ଉତ୍ପାଦନଶୀଳ, ସେଥିରେ କୌଣସି ସନ୍ଦେହ ଥାଇନପାରେ, କାହିଁକିନା ଏହାର ‘ମେକାନିକାଲ୍‌’ ଶକ୍ତି ଅବିରତ ଓ ଅବାରିତ କାର୍ଯ୍ୟ କରିବାରେ ସକ୍ଷମ, ଯାହା ମନୁଷ୍ୟ ପକ୍ଷେ ଅସମ୍ଭବ। ଏହାର ଅର୍ଥ ଏହା ଶିଳ୍ପ/ଉଦ୍ୟୋଗ/ବ୍ୟବସାୟ/ଶିକ୍ଷା ଆଦି କ୍ଷେତ୍ରରେ ମନୁଷ୍ୟର ସ୍ଥାନ ନେବା ଆଶଙ୍କା ଆଦୌ ଅମୂଳକ ନୁହେଁ। ଏ ଧାରା ଆରମ୍ଭ ମଧ୍ୟ ହୋଇସାରିଚି; କିନ୍ତୁ ଏହା ଯେ ସବୁ କ୍ଷେତ୍ରରେ ମନୁଷ୍ୟ ବିକଳ୍ପ ହୋଇଯିବ, ତାହା ନୁହେଁ। ଏହା ଯଦି କିଛି ଲୋକଙ୍କ ଚାକିରି ବା ରୋଜଗାର ନେଇଯିବ, ବହୁ ଲୋକଙ୍କୁ ନୂଆ ରୋଜଗାର ମଧ୍ୟ ଯୋଗାଇଦେବ ବୋଲି ବିଶେଷଜ୍ଞଙ୍କ ମତ। ପ୍ରତ୍ୟେକ ନୂତନତା ଅନେକ କିଛିକୁ ପୁରାତନ କରିଦିଏ, ଏହା ଅବଧାରିତ। ପ୍ରଯୁକ୍ତି କ୍ଷେତ୍ରରେ ମଧ୍ୟ ଏହା ସତ୍ୟ, ବରଂ ଏହାର ପ୍ରବାହ ଏଇଠି ଅପେକ୍ଷାକୃତ ତୀବ୍ର। ସବୁଠୁ ବଡ଼କଥା, ଏହି ପ୍ରବାହରୁ କେହି ସହଜରେ ନିଜକୁ ମୁକ୍ତ କରିପାରି​‌େ​‌ବ ନାହିଁ ବା ଅଟକାଇ ପାରିବେ ନାହିଁ। କୃତ୍ରିମ ମେଧା ଯେ ଭବିଷ୍ୟତରେ ବୈପ୍ଳବିକ ବିବର୍ତ୍ତନ ଆଣିବାକୁ ଯାଉଚି, ଏହା ପ୍ରାୟ ନିଶ୍ଚିତ। 


ଏବେ କ୍ରମାଗତ କୃତ୍ରିମ ମେଧାର ଉପଯୋଗ ତୀବ୍ର ବୃଦ୍ଧି ପାଇବାରେ ଲାଗିଚି; ତେଣୁ ଏଥିରୁ ନୂଆନୂଅା ବିପଦ ମଧ୍ୟ ଆଗକୁ ଆମେ ଅବଶ୍ୟ ଦେଖିବାକୁ ପାଇବା। ଏପରିକି ଆମ ପାଇଁ ସେସବୁ ଅକଳ୍ପନୀୟ ଓ ଅଚିନ୍ତନୀୟ ମଧ୍ୟ ହୋଇପାରେ। ନିକଟରେ ଓଡ଼ିଶାର ଏକ ନିଉଜ୍‌ ଚ୍ୟାନେଲ୍‌ରେ କୃତ୍ରିମ ମେଧାସଂପନ୍ନ ଆଭାସି ଉପସ୍ଥାପିକା (ଲିସା) ଓଡ଼ିଆରେ ଖବର ପଢ଼ିବା ଖୁବ୍‌ ଚର୍ଚା ସୃଷ୍ଟି କରିଥିଲା। ଅବଶ୍ୟ ଆମ ଦେଶରେ ଏହା ପ୍ରଥମ ଥର ପାଇଁ ହୋଇନାହିଁ। ଏହାପୂର୍ବରୁ ଏକ ହିନ୍ଦୀ ଟିଭି ଚ୍ୟାନେଲ୍‌ ତା’ର ଏଆଇ ଉପସ୍ଥାପିକା(ସାନା)କୁ କାମରେ ଲଗାଇସାରିଛି। ପ୍ରକୃତରେ ଏଇନା ବହୁଳ ଲୋକପ୍ରିୟ କୃତ୍ରିମ ମେଧାଯୁକ୍ତ ଚାଟ୍‌ବଟ୍‌ ‘ଚାଟ୍‌ଜିପିଟି’ ସର୍ବସାଧାରଣଙ୍କ ପାଇଁ ଉପଲବ୍ଧ ହେବାର ପାଞ୍ଚବର୍ଷ ପୂର୍ବରୁ (୨୦୧୮) ଚୀନ (ଶିନ୍‌ହୁଆ ନିଉଜ୍‌ ଏଜେନ୍ସି) ତା’ ନିଜର କୃତ୍ରିମ ମେଧାସଂପନ୍ନ ଖବର ଉପସ୍ଥାପକ ପ୍ରସ୍ତୁତ କରି ଚହଳ ସୃଷ୍ଟି କରିଥିଲା। ଏବେ ବିଶ୍ବର ଅନେକ ଦେଶରେ ଏଆଇ ଉପସ୍ଥାପକ ଖବର ପଢ଼ୁଥିବା ଦେଖିବାକୁ ମିଳୁଚି; କିନ୍ତୁ ନକଲି/ମିଥ୍ୟା ସମ୍ବାଦର ଏଇ ଯୁଗରେ ଏଆଇ ଉପସ୍ଥାପକ ମୁହଁରୁ ଯେ ସର୍ବଦା ଠିକ୍‌/ସତ୍ୟ ଖବର ହିଁ ଶୁଣିବାକୁ/ଦେଖିବାକୁ ମିଳିବ, ତାହା ଅନିଶ୍ଚିତ। ୟା’ର ଉଦାହରଣ ବି ହେଲାଣି ଦୃଶ୍ୟମାନ। ଗତ ମାର୍ଚ (୨୦୨୩) ମାସରେ ଭେନେଜୁଏଲାର ସରକାରୀ ଟିଭି ଚ୍ୟାନେଲ୍‌ ଭିଟିଭିରେ ଦୁଇ ଇଂରେଜୀ ଭାଷୀ ଏଆଇ ଉପସ୍ଥାପକ (ନୋଆ ଓ ଡାରେନ୍‌) ‘ଅନ୍ୟ ଚ୍ୟାନେଲ୍‌ଗୁଡ଼ିକ ଯେପରି ଭେନେଜୁଏଲାର ଅର୍ଥନୀତି ବିପର୍ଯ୍ୟସ୍ତ ହୋଇଥିବା ଦର୍ଶାଉଛନ୍ତି, ତାହା ଠିକ୍‌ ନୁହେଁ’ ମର୍ମରେ ସରକାରଙ୍କ ପକ୍ଷରେ ଓକିଲାତି କରିବାକୁ ଚେଷ୍ଟା କରିଥିଲେ (ଭାରତର ଅଧିକାଂଶ ନିଉଜ୍‌ ଚ୍ୟାନେଲ୍‌ ଉପସ୍ଥାପକଙ୍କ ପାଇଁ ଅବଶ୍ୟ ଏହା ସାଧାରଣ କଥା!)। ବାସ୍ତବତା ଏହାର ଓଲଟା ଏବଂ ଭେନେଜୁଏଲାର ଅର୍ଥନୀତି ଏପରି ରସାତଳଗାମୀ ହୋଇସାରିଚି ଯେ ସେଠାରେ ଘୋର ଖାଦ୍ୟସଙ୍କଟ ଦେଖାଦେଲାଣି। ଏହା ଏକ ଭ୍ରମାତ୍ମକ ସୂଚନା (ପ୍ରୋପାଗଣ୍ଡା) ଥିଲା। ‘ସିନ୍ଥେସିଆ’ ନାମକ କମ୍ପାନୀ ଦ୍ବାରା ପ୍ରସ୍ତୁତ ଏଭଳି ଏଆଇ ଉପସ୍ଥାପକ ମାତ୍ର ୩୦ ଡଲାରରୁ କମ୍‌ ବ୍ୟୟରେ କ୍ରୟ କରାଯାଇପାରୁଚି! ସବୁଠୁ ଗୁରୁତ୍ବପୂର୍ଣ୍ଣ, ଏହି ଉପସ୍ଥାପକର ଭିନ୍ନଭିନ୍ନ ‘ଅବତାର’ କରାଯାଇପାରିବ ଏବଂ ପୃଥିବୀର ପ୍ରମୁଖ ଭାଷାଗୁଡ଼ିକରେ ସେ ଖବର ପଢ଼ିପାରିବ। ଏହି ପ୍ରକ୍ରିୟାର ବାସ୍ତବ ବିପଦ ହେଲା, ଏଆଇ ଉପସ୍ଥାପକକୁ ଆୟୁଧ କରି କୌଣସି ଦେଶ/ରାଜ୍ୟର ସରକାର ନିର୍ବିଘ୍ନରେ ଆପଣାର ‘ପ୍ରୋପାଗଣ୍ଡା’ (ମିଥ୍ୟା ସୂଚନା/ତଥ୍ୟର ପ୍ରସାରଣ) ଚଳାଇପାରିବେ ଏବଂ ସେଥିପାଇଁ କାହାକୁ ସହଜରେ ଦାୟୀ ବି କରାଯାଇପାରିବ ନାହିଁ; ଅନ୍ତତଃ ସାଂପ୍ରତିକ ସ୍ଥିତିରେ, କାହିଁକିନା କୃତ୍ରିମ ମେଧାକୁ ନେଇ କୌଣସି ନିର୍ଦିଷ୍ଟ ଆଇନକାନୁନ ଏଯାଏଁ ପ୍ରଣୟନ ହୋଇନାହିଁ। ନିର୍ବାଚନବେଳେ ମିଥ୍ୟା ଖବରର ପ୍ରାବଲ୍ୟ ଓ ତା’ର ସୁଦୂରପ୍ରସାରୀ ପ୍ରଭାବ ବିଷୟରେ ଆମେ ସଭିଏଁ ଅଳ୍ପବହୁତେ ଅବଗତ। ଯଦି ସେଥିରେ କୃତ୍ରିମ ମେଧାର ପ୍ରଯୁକ୍ତି ଯୋଡ଼ିହୁଏ, ତେ‌େବ ତା’ର ପ୍ରଭାବ କେତେ ବ୍ୟାପକ  ଓ ପ୍ରଭାବୀ ହେବ, ତାହା ସହଜେ କଳନୀୟ। 


୨୦୧୪ ଲୋକସଭା ନିର୍ବାଚନରେ ପ୍ରଥମ ଥର ପାଇଁ ଆମେ ଆଧୁନିକ ପ୍ରଯୁକ୍ତିର ଶକ୍ତି ଦେଖିଥିଲୁ, ଯେଉଁଠି ବର୍ତ୍ତମାନର ପ୍ରଧାନମନ୍ତ୍ରୀଙ୍କ ଥ୍ରୀଡି ଅବତାର (ହଲୋଗ୍ରାମ) ଏକାବେଳକେ ଅନେକ ସ୍ଥାନରେ ଉଦ୍‌ବୋଧନ ଦେଉଥିଲା, ଅବଶ୍ୟ ବକ୍ତୃତା ଥିଲା ପ୍ରାକ୍‌ପ୍ରସ୍ତୁତ। ଏବେ କିନ୍ତୁ ସେପରି କରିବାର ଆବଶ୍ୟକତା ରହିବ ନାହିଁ। କୃତ୍ରିମ ମେଧାସଂପନ୍ନ ନେତାଙ୍କ ଆଭାସି ଅବତାର ନିଜ ଦଳ ବା  ସରକାରଙ୍କ ସଫଳତା ବଖାଣିବା ସହିତ ସଭାରେ ଉପସ୍ଥିତ ଲୋକଙ୍କ ପ୍ରଶ୍ନର ଉତ୍ତର ଦେଉଥିବା ଦେଖିବାକୁ ମିଳିଲେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ୨୦୨୪ ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ ଏଆଇର ଅସୁମାରୀ ଶକ୍ତିକୁ ରାଜନୈତିକ ଦଳଗୁଡ଼ିକ ସମ୍ଭବତଃ ହାତଛଡ଼ା କରିବେ ନାହିଁ। ସାମାଜିକ ଗଣମାଧ୍ୟମରେ ମିଥ୍ୟା ଖବରର ପ୍ରସ୍ତୁତି ଓ ପ୍ରଚାରପ୍ରସାର ପାଇଁ ଆଉ ଆଇଟି ସେଲ୍‌ରେ ଅଧିକ ଲୋକଙ୍କୁ ବେତନ ଦେଇ ନିଯୁକ୍ତ କରିବାକୁ ପଡ଼ିବ ନାହିଁ; କୌଣସି ‘ଏଆଇ ଟୁଲ୍‌’ ତାକୁ ଅଳ୍ପ କେଇ ମୁହୂର୍ତ୍ତରେ ଅନାୟାସରେ କରିଦେଇ ପାରିବ। ସ୍ମରଣଯୋଗ୍ୟ, ଦୁଇ ମାସ ତଳେ ତୁର୍କୀରେ ଅନୁଷ୍ଠିତ ନିର୍ବାଚନରେ କୃତ୍ରିମ ମେଧାର କାରନାମା ହଇଚଇ ସୃଷ୍ଟି କରିଥିଲା, ଯେତେବେଳେ ରାଷ୍ଟ୍ରପତି ରଜବ ତୈୟବ ଏର୍ଦୋଆନ୍‌ଙ୍କ ପ୍ରତିଦ୍ବନ୍ଦ୍ବୀ କେମଲ କିଲିକଡ଼ାରୋଗ୍ଲୁଙ୍କର ଏକ ଇଂରେଜୀଭାଷୀ ‘ଡିପ୍‌ଫେକ୍‌’ ଭିଡିଓ ବହୁଳ ପ୍ରଘଟ ହେଲା। ସେହିପରି କେନ୍ଦ୍ର-ବାମ ହୋମଲାଣ୍ଡ୍‌ ପାର୍ଟିର ନେତା ମୁହରମ୍‌ ଇନ୍ସଙ୍କର ଏକ ଅଜ୍ଞାତ ମହିଳାଙ୍କ ସହ ଯୌନସଂପର୍କର ଭିଡିଓ ପ୍ରଘଟ ହେଲା, ଯାହାକୁ ସେ ‘ଡିପ୍‌ଫେକ୍‌’ (ଗଭୀର ନକଲି ଅର୍ଥାତ ଏହା ବାସ୍ତବତାର ଏତେ ନିକଟତର ଯେ ନକଲି ବୋଲି ଜାଣିବା ଅସମ୍ଭବ) ଭିଡିଓ ଆଖ୍ୟା ଦେଇଥିଲେ; କିନ୍ତୁ ରାଷ୍ଟ୍ରପତି ନିର୍ବାଚନରୁ ନିଜର ନାମାଙ୍କନ ପ୍ରତ୍ୟାହାର କରିବାକୁ ବାଧ୍ୟ ହୋଇଥିଲେ। ଏହି ଘଟନାରୁ ୨୦୨୪ରେ ଭାରତର ସାଧାରଣ ନିର୍ବାଚନ ଓ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ କୃତ୍ରିମ ମେଧା କୋଉ ଭୂମିକା ଗ୍ରହଣ କରିପାରେ ଏବଂ ଗଣତନ୍ତ୍ର ପାଇଁ କିଭଳି ବିପଦ ସୃଷ୍ଟି କରିପାରେ, ତା’ର ଆଭାସ ଅବଶ୍ୟ ମିଳେ। ଆଧୁନିକ ନିର୍ବାଚନ ବିଜୟ  ଅଭିନବ ବ୍ୟାଖ୍ୟାନ ସୃଷ୍ଟି ଓ ପ୍ରଚାର ଉପରେ ହିଁ ବେଶି ନିର୍ଭରଶୀଳ, ତାହା ମିଥ୍ୟା ବା ନକଲି ହେଉପଛେ। ଏହା ଆମେରିକା ଓ ଭାରତରେ ପ୍ରମାଣିତ ହୋଇସାରିଚି।  କୃତ୍ରିମ ମେଧା ତାହା କରିବାରେ ସର୍ବାଧିକ ଦକ୍ଷତା ହାସଲ କରିସାରିଚି । ଏଆଇର କୃତି(ଲେଖା/ଅଡ଼ିଓ/ଭିଡିଓ ଇତ୍ୟାଦି)ରେ ଅସଲି-ନକଲି ଭିତରେ ପ୍ରଭେଦ ଜାଣିବା ପ୍ରାୟତଃ ଅସମ୍ଭବ। ‘ଯେବେ ନ ଦେଖିବୁ ବେନି ନୟନେ, ପରତେ ନ ଯିବୁ ଗୁରୁ ବଚନେ’ ଭଳି ପ୍ରବାଦ ବି ଅସାର ପାଲଟିଚି, କାରଣ ବେନି ନୟନ ବି ୟା’ ପାଖରେ ଧୋକା ଖାଇଯାଉଚି। ଆଗାମୀ ସମୟରେ କୃତ୍ରିମ ମେଧା ଗଣତନ୍ତ୍ର ପାଇଁ ଭାରୀ ପଡ଼ିପାରେ, ଏ ଆଶଙ୍କା କ୍ରମେ ଦୃଢ଼ୀଭୂତ ହଉଚି।


କୃତ୍ରିମ ମେଧାର ସବୁଠୁ ବଡ଼ ଶକ୍ତି ହେଉଚି ସ୍ବୟଂକ୍ରିୟତା (ଅଟୋମେସନ)। ଏବେ ମେସିନ ଲର୍ଣ୍ଣିଂ (ଯନ୍ତ୍ର ନିଜେନିଜେ ଶିକ୍ଷା କରେ) ପଦ୍ଧତି ଏଥିରେ ସଂଯୁକ୍ତ ହେବାପରେ ଏହାର ଶକ୍ତି ହୋଇଚି ବହୁଗୁଣିତ। ଆଗାମୀ ସମୟରେ କ୍ବାଣ୍ଟମ୍‌ କଂପ୍ୟୁଟିଙ୍ଗ୍‌ ଓ ରୋବୋଟିକ୍ସରେ ଏହା ସଂଯୋଗ ହେବାପରେ ଏଇନା ଅସମ୍ଭବ ମନେହେଉଥିବା କାର୍ଯ୍ୟସବୁ ଆଗାମୀ ଦିନରେ ସମ୍ଭବ ହେବ ବୋଲି ବୈଜ୍ଞାନିକ ଆଶାନ୍ବିତ। ଏହା ନିର୍ମାଣ/ବିନିର୍ମାଣ କ୍ଷେତ୍ରରୁ ଆରମ୍ଭ କରି ବଜାରୀକରଣ ଏବଂ ସ୍ବାସ୍ଥ୍ୟସେବାଠୁ ନେଇ ବ୍ୟକ୍ତିଗତ ସୁବିଧାସୁଯୋଗ କ୍ଷେତ୍ରରେ ମୌଳିକ ପରିବର୍ତ୍ତନ ଆଣିବାରେ ସମର୍ଥ। ଯଦି ପ୍ରକୃତରେ କୃତ୍ରିମ ମେଧା ତା’ର ସଂପୂର୍ଣ୍ଣ ବିକଶିତ ସ୍ବରୂପକୁ ଆସେ, ତେବେ ମନୁଷ୍ୟ ପାଇଁ କେବଳ ଏହା ସକାରାତ୍ମକ ପରିବର୍ତ୍ତନ ଆଣିବ ନାହିଁ, ବରଂ ଯୁଦ୍ଧ ଭଳି ଭୟାବହ ମାନବୀୟ ସଙ୍କଟ ଓ ବିତ୍ପାତ  ସୃଷ୍ଟିକାରୀ ପ୍ରକରଣରେ ଏହାର ଉପଯୋଗ ନିଶ୍ଚିତ। ଯୁକ୍ତରାଷ୍ଟ୍ର ଆମେରିକା ଓ ଚୀନ ଭଳି ଦେଶ ଏହା କରିସାରିଚନ୍ତି ଆରମ୍ଭ। କାଳ୍ପନିକ ବିଜ୍ଞାନାଧାରିତ ଚଳଚ୍ଚିତ୍ରଗୁଡ଼ିକରେ ଦୃଶ୍ୟାୟିତ ଘଟନାବଳୀଠୁ ଅଧିକ ଧ୍ବଂସାତ୍ମକ ହୋଇପାରେ ଏଆଇ ସଂଚାଳିତ ଯୁଦ୍ଧ, ଯାହାକୁ ଚୀନ ୨୦୧୯ରେ ପ୍ରକାଶିତ ଏକ ଶ୍ବେତପତ୍ରରେ ଆଖ୍ୟା ଦେଇଚି ‘ଇଣ୍ଟେଲିଜେଣ୍ଟାଇଜ୍‌ଡ଼ ୱାର୍‌ଫେୟାର୍’ (କୃତ୍ରିମ ମେଧାଯୁକ୍ତ ଯୁଦ୍ଧ) । ଏଭଳି ଯୁଦ୍ଧରେ ଏଆଇଯୁକ୍ତ ସ୍ବୟଂଚାଳିତ ଅସ୍ତ୍ରଶସ୍ତ୍ର, ଡ୍ରୋନ୍‌, ବଟ୍‌ସ, ସ୍ବୟଂ ନିର୍ଣ୍ଣୟକାରୀ ରୋବଟ୍‌ ଶତ୍ରୁ ସହ ଲଢ଼ିବେ। ଏ ଦିଗରେ ଚୀନର ଦ୍ରୁତ ପଦକ୍ଷେପ ବିଶ୍ବ ପାଇଁ, ବିଶେଷତଃ ଭାରତ ପାଇଁ ଚିନ୍ତାର କାରଣ ନିଶ୍ଚୟ। ଏ ପରିପ୍ରେକ୍ଷୀରେ ପ୍ରସିଦ୍ଧ ସାମରିକ ବିଶାରଦ ତଥା ‘ଫୋର୍ସ’ ପତ୍ରିକାର ସଂପାଦକ ପ୍ରବୀଣ ସାହନୀ ଗତବର୍ଷ ପ୍ରକାଶିତ ତାଙ୍କର ବହୁଚର୍ଚିତ ପୁସ୍ତକ ‘ଦ ଲାଷ୍ଟ୍‌ ୱାର୍‌: ହାଓ ଏଆଇ ୱିଲ୍‌ ଶେପ୍‌ ଇଣ୍ଡିଆଜ୍‌ ଫାଇନାଲ୍‌ ଶୋଡାଉନ୍ ୱିଥ୍‌ ଚାଇନା’ରେ ଉଲ୍ଲେଖ କରିଛନ୍ତି, ‘ଯଦି ନିକଟ ଭବିଷ୍ୟତରେ ଚୀନ ଓ ଭାରତ ମଧ୍ୟରେ ଯୁଦ୍ଧ ହୁଏ, ତେବେ ଭାରତ ଦଶ ଦିନ ଭିତରେ ହିଁ ପରାଜିତ ହେବାର ଆଶଙ୍କାକୁ ଏଡ଼ାଇ ଦେଇ ହେଉନାହିଁ’। ଏ ଭୀତିପ୍ରଦ ବାକ୍ୟକୁ କୌଣସି ପ୍ରତିରକ୍ଷା ବିଶେଷଜ୍ଞର ଖିଆଲ୍‌ କହିବା ନା ଏହା ହିଁ ବାସ୍ତବତା? ପ୍ରତ୍ୟେକ ଦେଶ ଯଦି ଯୁଦ୍ଧକ୍ଷେତ୍ରକୁ ରୋବଟ୍‌ ସେନା ପ୍ରେରଣ କରନ୍ତେ ଓ ସେମାନଙ୍କ ମଧ୍ୟରେ ଲଢ଼େଇ ହୁଅନ୍ତା, ତେବେ ତ ଅସୁବିଧା ନଥିଲା; କିନ୍ତୁ ପ୍ରତି କ୍ଷେତ୍ରରେ ଅସମତା/ବିଷମତାଭରା ଆମର ଏଇ ପୃଥିବୀରେ ତାହା କ’ଣ ସମ୍ଭବ? ଅନ୍ତତଃ ଶହେ ଦୁଇଶହ ବର୍ଷ ଭିତରେ ତ ନୁହେଁ। ତେଣୁ ଯଦି ମାନବ ସୈନିକ ଓ ରୋବଟ୍‌ ସୈନିକଙ୍କ ମଧ୍ୟରେ ଯୁଦ୍ଧ ହୁଏ ତେବେ କାହାର ବିଜୟ ହେବ, ତାହା ସହଜେ ଅନୁମେୟ।


କୃତ୍ରିମ ମେଧା ମନୁଷ୍ୟର ସ୍ଥାନ ନେବା ଯଦି ବାସ୍ତବତାରେ ପରିଣତ ହୁଏ, ବିଶେଷକରି ତା’ର କାର୍ଯ୍ୟକ୍ଷେତ୍ରରେ, ତେ​‌ବେ ଏହାର ସକାରାତ୍ମକ ଦିଗକୁ ଉପେକ୍ଷା କରାଯାଇନପାରେ। ଯଦି ସତକୁ ସତ ବ୍ୟାପକଭାବେ ଏହା ମନୁଷ୍ୟର ସହଯୋଗୀ ହୋଇ ତା’ର ଅଧିକାଂଶ କାର୍ଯ୍ୟ କରିଦିଏ ତେବେ ତା’ର କେବଳ ଉତ୍ପାଦକତା ବଢ଼ିବ ନାହିଁ, ତାକୁ ସୃଜନଶୀଳ କାର୍ଯ୍ୟରେ ବ୍ରତୀ ହେବା ପାଇଁ, ଜୀବନକୁ ଉପଭୋଗ କରିବା ପାଇଁ, ବିଶ୍ବ ଭ୍ରମଣରେ ଯିବା ପାଇଁ ବା ନିଜ ଖୁସି ଅନୁସାରେ ଜୀବନ ବିତାଇବା ଲାଗି ଯଥେଷ୍ଟ ସମୟ/ସାଧନ ମିଳିଯିବ। ଏପରି ହେଲେ ସମାଜରୁ ଜାତି, ଧର୍ମ, ସଂପ୍ରଦାୟ ଭିତ୍ତିକ ଭେଦଭାବ/ଲଢ଼େଇ ସ୍ବତଃ ହଟିଯିବ; ଚୋରି/ଡକାୟତି ଇତ୍ୟାଦି ଦୂର ହେବ; କାରଣ ସ୍ବୟଂକ୍ରିୟ/ସ୍ବୟଂଚାଳିତ ଯନ୍ତ୍ର ଦ୍ବାରା କେବଳ ଶୈଳ୍ପିକ ଉତ୍ପାଦନ ନୁହେଁ, ବରଂ କୃଷି ଉତ୍ପାଦନ ମଧ୍ୟ ବହୁଗୁଣିତ ହୋଇପାରିବ ଏବଂ କେହି ଭୋକିଲା ବା ଗରିବ ରହିବେ ନାହିଁ। ଏପରି ଏକ ଦେଶ/ବିଶ୍ବର କଳ୍ପନା ଅବାସ୍ତବ ପ୍ରତୀତ ହେଉନାହିଁ। କୃତ୍ରିମ ମେଧାର ସଦୁପଯୋଗ ହୁଏତ ଆଗାମୀ ଶତାବ୍ଦୀଗୁଡ଼ିକରେ ମାନବଜାତି ପାଇଁ ବରଦାନ ସାବ୍ୟସ୍ତ ହୋଇପାରେ। ଦୁରୁପଯୋଗ ହିଁ ଅସଲ ବିପଦ।

(‘ସମାଜ’ରେ ୪ ସେପ୍ଟେମ୍ବର ୨୦୨୩​‌ ରେ ପ୍ରକାଶିତ)

Next PostNewer Post Previous PostOlder Post Home

0 comments:

Post a Comment

ଏହି ବ୍ଲଗର ସମସ୍ତ ସାମଗ୍ରୀ ଲେଖକଙ୍କ ସର୍ବସ୍ବତ୍ତ୍ବ ସଂରକ୍ଷିତ. Powered by Blogger.