ଖବରପାଳ

Leave a Comment
ଟିଭି ଓ ସୋସିଆଲ୍‌ ମିଡିଆର ବ୍ୟାପକ ପ୍ରଭାବ ସତ୍ତ୍ୱେ ଖବରକାଗଜ ଏବେମଧ୍ୟ କୋଟିକୋଟି ଲୋକଙ୍କର ପ୍ରାତଃସଂଧାନୀୟ ଏଇଥିପାଇଁ ଯେ ଏହା ସେମାନଙ୍କୁ କେବଳ ସାରା ପୃଥିବୀର ବିସ୍ତୃତ ଖବର/ସୂଚନା ଯୋଗାଇନଥାଏ, ବରଂ ସେମାନଙ୍କ ପାଇଁ ପଢ଼ିବାର ଏକ ନିଆରା ଆନନ୍ଦ ପ୍ରଦାନ କରିଥାଏ । ଇଲେକ୍‌ଟ୍ରୋନିକ୍‌ ଗଣମାଧ୍ୟମର ତ୍ୱରିତ୍‌ ଖବର ପହଞ୍ଚାଇବାର ଶକ୍ତି ଖବରକାଗଜ ପାଖରେ ନ ଥିଲେ ହେଁ ପାଠକ ମନରେ ଏକ ଦୀର୍ଘସ୍ଥାୟୀ ପ୍ରଭାବ ପକାଇବାରେ ତା’ର ଭୂମିକା ଅତୁଳନୀୟ ।  କିନ୍ତୁ ଖବରକାଗଜର କଳେବର ଓ ପରିସର ଯେତିକି ବୃଦ୍ଧି ପାଉଚି, ତା’ ଭିତରେ ସେତିକି ଦୁର୍ବଳତା/ତ୍ରୁଟିବିଚୁ୍ୟତି ମଧ୍ୟ ବଢ଼ୁଚି । କେବଳ ଭାରତବର୍ଷ ନୁହେଁ, ସମଗ୍ର ବିଶ୍ୱର ସମ୍ବାଦପତ୍ର ଜଗତକୁ ଦେଖିଲେ ଏହା ସ୍ପଷ୍ଟ ଲକ୍ଷ୍ୟ କରିହୁଏ । ମନେହୁଏ, ଆଧୁନିକ ଛାପାକଳ ତା’ର ରୂପକୁ ପୂର୍ବାପେକ୍ଷା ସୁନ୍ଦର କରିଚି ସିନା, ମୂଲ୍ୟବୋଧକୁ ହ୍ରାସ କରିଚାଲିଚି ।  ଯେତେବେଳେ ପ୍ରତ୍ୟେକ ଅକ୍ଷରକୁ ସଜାଇ ଖବରକାଗଜ ଛପାଯାଉଥିଲା, ତା’ ତୁଳନାରେ ଏବେ ତ୍ରୁଟିବିଚୁ୍ୟତି ମଧ୍ୟ ବେଶି ପରିଲକ୍ଷିତ ହେଉଚି । ଏଥିରେ ସନେ୍ଦହ ନାହିଁ ଯେ ଏସବୁ ପ୍ରମାଦ ଅଜାଣତ/ଅଗୋଚରରେ ହିଁ ହେଉଚି; କିନ୍ତୁ ସେସବୁକୁ ପାଠକ ପାଖରେ ପହଞ୍ଚିବା ପୂର୍ବରୁ ସଂଶୋଧିତ ହେବାର ସୁବ୍ୟବସ୍ଥା ଯେଉଁଠି ରହିଚି, ସେଇଠି ଏହାର ସଂଖ୍ୟା ଆଖିଦୃଶିଆ ଭାବେ କମ୍‌ ।

ମଣିଷ ମାତ୍ରେ ଭୁଲ୍‌ କରିବା ସ୍ୱାଭାବିକ । ଗୋଟିଏଗୋଟିଏ ଖବରକାଗଜରେ ପ୍ରତିଦିନ ଲକ୍ଷାଧିକ ଶବ୍ଦ ସଂଯୋଜିତ ଓ ମୁଦ୍ରିତ ହେଉଥିବାବେଳେ ସେଥିରେ ଭୁଲ୍‌ଭଟକା ରହିବା ଆଦୌ ଅପ୍ରାକୃତିକ ନୁହେଁ । ଆଧୁନିକ ଯନ୍ତ୍ରର ଦୁର୍ବଳତା/ ଅଯୋଗ୍ୟ ସାମ୍ବାଦିକର ଅଜ୍ଞତା/ ସମୟ ଅଭାବ/ ଅପରୀକ୍ଷିତ ତଥ୍ୟ ଆଦି ଏଥିପାଇଁ ଦାୟୀ । ସମସ୍ୟା ହେଉଚି ଥରେ ପ୍ରକାଶ ପାଇଯିବା ପରେ ତାକୁ ଆଉ ଫେରାଇ ଆଣିବାର ବାଟ ନାହିଁ । ଯେଉଁମାନେ ପାଠକଙ୍କ ପାଖରେ ଉତ୍ତରଦାୟୀ ହେବାକୁ ଚାହାନ୍ତି, ତା’ ପରଦିନ ‘ତ୍ରୁଟି ସଂଶୋଧନ/ସ୍ୱୀକାର’ ଛପାନ୍ତି, ଯାହା ଏକ ପାରମ୍ପରିକ ପ୍ରଥା; କିନ୍ତୁ ବିଡ଼ମ୍ବନା ଯେ ପ୍ରତ୍ୟହ ଶହଶହ ତ୍ରୁଟିବିଚୁ୍ୟତି ସତ୍ତ୍ୱେ ଆଜିକାଲିର ଖବରକାଗଜ କର୍ତ୍ତୃପକ୍ଷ/ସଂପାଦକ ନିଜର ତ୍ରୁଟି ସ୍ୱୀକାର କରିବାକୁ ବେଶ୍‌ କୁଣ୍ଠିତ । ଏହାଦ୍ୱାରା ସେମାନଙ୍କର ମର୍ଯ୍ୟାଦାହାନି ହେବ ବୋଲି ସେମାନେ ଭାବୁଚନ୍ତି କି? କିନ୍ତୁ ଏପରି କରି ସେମାନେ ଯେ ପାଠକ ମନରେ ଏକ ଦୀର୍ଘସ୍ଥାୟୀ ବିଭ୍ରାନ୍ତି ସୃଷ୍ଟିର କାରଣ ହେଉଚନ୍ତି, ତାହା ଭୁଲିଯିବା ଅନୁଚିତ । ଦେଖାଯାଇଚି ଯେ ଯେଉଁ ଖବରକାଗଜ ନିଜର ଦୋଷତ୍ରୁଟିକୁ ଅକୁଣ୍ଠିତ ଚିତ୍ତରେ ସ୍ୱୀକାର କରିଥାଏ, ତାହା ତା’ର ବିଶ୍ୱସନୀୟତା ବୃଦ୍ଧିର କାରଣ ହୋଇଥାଏ ।

ଏ କ୍ଷେତ୍ରରେ ଆମ ଦେଶରେ ଏକ ଉଦାହରଣୀୟ କାର୍ଯ୍ୟ କରିଚନ୍ତି ‘ଦି ହିନ୍ଦୁ’ ଖବରକାଗଜ କର୍ତ୍ତୃପକ୍ଷ । ଭାରତର ଏକ ପୁରାତନ (୧୮୭୮ରେ ସାପ୍ତାହିକ ପତ୍ର ରୂପେ ସୃଷ୍ଟି) ଓ ବିଶ୍ୱର ଦଶଟି ଶ୍ରେଷ୍ଠ ଖବରକାଗଜ ମଧ୍ୟରେ ମାନ୍ୟତାପ୍ରାପ୍ତ (୧୯୬୫ରେ ‘ଦି ଟାଇମ୍ସ’ ତାଲିକାରେ ସ୍ଥାନିତ) ଏହି ଖବରକାଗଜ ଗତ ଦଶବର୍ଷ ଧରି ନିରବଚ୍ଛିନ୍ନ ଭାବେ ପ୍ରତି ସପ୍ତାହରେ   ‘କରେକ୍ସନ୍‌ସ ଏଣ୍ଡ୍‌ କ୍ଲାରିଫିକେସନ୍ସ’ (ସଂଶୋଧନ ଓ ସ୍ପଷ୍ଟୀକରଣ) ନାଁରେ ଏକ ସ୍ଥାୟୀ ସ୍ତମ୍ଭ ପ୍ରକାଶ କରିଆସୁଚି, ଯେଉଁଥିରେ ସେହି ସପ୍ତାହର ତ୍ରୁଟିବିଚୁ୍ୟତିର ସଂଶୋଧନ ଓ ସ୍ପଷ୍ଟୀକରଣ ସ୍ଥାନ ପାଇଥାଏ । ଉଲ୍ଲେଖଯୋଗ୍ୟ ଯେ ଏହି କାର୍ଯ୍ୟଟି ପାଇଁ ସ୍ୱତନ୍ତ୍ର ଭାବେ ଏକ ବ୍ୟବସ୍ଥା ପ୍ରତିଷ୍ଠିତ କରାଯାଇ କାର୍ଯ୍ୟାଳୟ ଖୋଲାଯାଇଛି, ଯାହାର ମୁଖ୍ୟଙ୍କୁ ‘ନିଉଜ୍‌ ଅମ୍ବୁଡସମ୍ୟାନ’ (ଖବର ଲୋକପାଳ ବା ଖବରପାଳ) ଅଥବା ‘ରିଡର୍ସ ଏଡିଟର୍‌’ (ପାଠକ-ସଂପାଦକ) ଆଖ୍ୟା ଦିଆଯାଇଚି । ନିଜର ନିଷ୍ପକ୍ଷ ଖବର/ବିଶ୍ଳେଷଣ ଓ ନିଆରା ଉପସ୍ଥାପନା ପାଇଁ ସୁନାମ ଅର୍ଜିଥିବା ‘ଦି ହିନ୍ଦୁ’ ଏହି ବ୍ୟବସ୍ଥାକୁ ଆପଣାଇବାରେ ଭାରତବର୍ଷର ସାମ୍ବାଦିକତା ଇତିହାସରେ ପ୍ରଥମ ଓ ଏକାକୀ । ୧ ମାର୍ଚ୍ଚ ୨୦୦୬ (ଯେତେବେଳେ ତାକୁ ୧୨୭ ବର୍ଷ)ରେ ଏହା ଆରମ୍ଭ ହୋଇଥିବାବେଳେ ଗତ ୧ ମାର୍ଚ୍ଚ ୨୦୧୬ରେ ଏହି ବ୍ୟବସ୍ଥାକୁ ଏକ ଦଶନ୍ଧି ପୂରିଲା । ଏହି ଅବସରରେ ସଂପୃକ୍ତ ଖବରକାଗଜ ପକ୍ଷରୁ ଯେଉଁ ସମୀକ୍ଷାତ୍ମକ ରିପୋର୍ଟଟି ପ୍ରକାଶ ପାଇଛି, ତାହା ଯେତିକି ମଜାଦାର, ସେତିକି ଶିକ୍ଷଣୀୟ । ‘ରିଡର୍ସ’ ଏଡିଟର’ଙ୍କ କାର୍ଯ୍ୟାଳୟର ତଥ୍ୟ ଅନୁସାରେ ୨୦୦୬ ମାର୍ଚ୍ଚରୁ ୨୦୧୬ ଫେବୃୟାରୀ ମଧ୍ୟରେ ପାଠକଙ୍କ ପକ୍ଷରୁ ଏ ସମ୍ପର୍କିତ ୭୦,୫୧୯ଟି ଇମେଲ୍‌/ଟେଲିଫୋନ/ଚିଠି/ଫ୍ୟାକ୍ସ ଆସିଥିଲା ଓ ସେହି ସମୟ ମଧ୍ୟରେ ୮,୨୩୬ଟି ସଂଶୋଧନ ଓ ସ୍ପଷ୍ଟୀକରଣ ପ୍ରକାଶିତ ହୋଇଛି । ବ୍ୟବସ୍ଥାଟି ଆରମ୍ଭ ହେବାପରେ ପାଠକଙ୍କ ଅଭିଯୋଗ/ପରାମର୍ଶ ପୂର୍ବରୁ ହିଁ ‘ରିଡର୍ସ ଏଡିଟର’ (ଯିଏ ସାମ୍ବାଦିକ/ସଂପାଦକଙ୍କଠାରୁ ସମ୍ପୂର୍ଣ୍ଣ ସ୍ୱାଧୀନ) ନିଜେ ଓ ସଂପୃକ୍ତ ଖବରର ସମ୍ବାଦଦାତା ମଧ୍ୟ ଏହି ପ୍ରକ୍ରିୟାକୁ ଆଗେଇନେଲେ । ଦଶବର୍ଷର ତଥ୍ୟରୁ ଏକ ମହତ୍ତ୍ୱପୂର୍ଣ୍ଣ କଥାଟି ଦେଖିବାକୁ ମିଳିଚି ଯେ କେବଳ ୨୦୦୯-୧୦ ମସିହାକୁ ଛାଡ଼ିଦେଲେ ପ୍ରତ୍ୟେକ ବର୍ଷ ତ୍ରୁଟିବିଚୁ୍ୟତିର ପରିମାଣ କମିକମି ଆସିଲା । ୨୦୦୬-୦୭ରେ ଏହାର ସଂଖ୍ୟା ୧୦୫୦ ଥିବାବେଳେ ୨୦୧୫-୧୬ ବେଳକୁ ହ୍ରାସପାଇ ଏହା ୭୨୦ରେ ପହଞ୍ଚିଚି ।

ଖବରପାଳ ନିଯୁକ୍ତ କରିବାରେ ‘ଦି ହିନ୍ଦୁ’ ଭାରତରେ ପ୍ରଥମ ହେଲେ ବି ବିଶ୍ୱରେ ଅଦ୍ୱିତୀୟ ନୁହେଁ । ଏଥିପାଇଁ ତା’ର ପ୍ରେରଣାଦାତା ହେଉଚି ବ୍ରିଟିଶ୍‌ ସମ୍ବାଦପତ୍ର ‘ଦି ଗାର୍ଡିଆନ’ (୧୮୨୧ରେ ପ୍ରତିଷ୍ଠିତ) । ଏହି ଖବରକାଗଜ ୧୯୯୭ରେ ସର୍ବପ୍ରଥମେ ତା’ର ଖବରପାଳ/ପାଠକ-ସଂପାଦକ ଇଆନ ମାୟେସ୍‌ଙ୍କୁ ନିଯୁକ୍ତ କରିଥିଲା, ଯାହାଙ୍କୁ ଏ କ୍ଷେତ୍ରରେ ଧୁରୀଣ ବୋଲି ବିଚାର କରାଯାଏ । ନିଜର ଦୀର୍ଘ ଦଶବର୍ଷର ଅଭିଜ୍ଞତାକୁ ପାଥେୟ କରି ସେ ଖବରପାଳଙ୍କ ଭୂମିକା  ସମ୍ପର୍କରେ ଯାହା କହନ୍ତି, ତାହା ଉଲ୍ଲେଖଯୋଗ୍ୟ । ତାଙ୍କ ମତରେ, “ଗୋଟିଏ ପଟେ ଲକ୍ଷାଧିକ ପାଠକ ଓ ଅନ୍ୟପଟେ ସାମ୍ବାଦିକ-ସଂପାଦକ...ତା’ରି ମଧ୍ୟରେ ଜଣେ ଖବରପାଳର ଭୂମିକା ଫୁଟବଲ ଖେଳର ରେଫରି ଭଳି, ବେଳେବେଳେ ଖୁବ୍‌ କଠିନ” । ଇଆନଙ୍କ ଅନୁଯାୟୀ, ଖବରପାଳ ଆତ୍ମନିୟନ୍ତ୍ରଣ ପାଇଁ ଏକ ଜରୁରୀ ବ୍ୟବସ୍ଥା, ଯାହା ଅଭିଯୋଗ/ପ୍ରତିକ୍ରି୍ରୟା/ପରାମର୍ଶ ଆଦିର ସୁବ୍ୟବସ୍ଥିତ, ନିରପେକ୍ଷ ସମାଧାନ କରି ଗୋଟିଏ ଖବରକାଗଜ/ନିଉଜ୍‌ ଚ୍ୟାନେଲ ଏବଂ ପାଠକ/ଦର୍ଶକ ଭିତରେ ଏକ ଆସ୍ଥା ଓ ବିଶ୍ୱାସର ସେତୁ ତିଆରି କରିଥାଏ । ଏହା ସାମ୍ବାଦିକତା ସହ ସମ୍ପୃକ୍ତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ଏକ ଖୋଲାମଞ୍ଚ ପ୍ରଦାନ କରେ ।

ପ୍ରତ୍ୟେକ ଖବରକାଗଜ ଯେଉଁ ପଞ୍ଚଶୀଳ ନୀତିକୁ ଧରି ବାଟ ଚାଲିବା ଆବଶ୍ୟକ, ସେଗୁଡ଼ିକ ହେଲା: ସତ୍ୟକଥନ, ସ୍ୱତନ୍ତ୍ର/ସ୍ୱାଧୀନ, ନ୍ୟାୟ, ମାନବିକତା ଓ ସମାଜସେବା; କିନ୍ତୁ ଏହା ଏକ ଉଦ୍ୟୋଗର ରୂପ ନେବାପରେ ଖବରକାଗଜ ସଂସ୍ଥାଗୁଡ଼ିକ ଯାବତୀୟ ଅନୈତିକତାରେ ଲିପ୍ତ ହେବା ଦେଖାଯାଉଚି । ଏ ଦିଗରେ ପାଠକଙ୍କ ଭୂମିକା ଖୁବ୍‌ ଗୁରୁତ୍ୱପୂର୍ଣ୍ଣ ହେଲେ ବି ତାକୁ ଉପେକ୍ଷା କରାଯାଏ; କାରଣ ତାହା ଖବରକାଗଜର ନୈତିକତା ଦାବି କରେ (ଅବଶ୍ୟ ସଚେତନ ପାଠକ/ଦର୍ଶକଙ୍କ ସଂଖ୍ୟା ଏବେ ବି ଉତ୍ସାହଜନକ ନୁହେଁ) । ଖବରପାଳ ବ୍ୟବସ୍ଥା ସେ ଦୃଷ୍ଟିରୁ ଏକ ଚମକ୍ରାର ସଂଯୋଗସେତୁ, ଯାହା ଉଭୟ ଖବରକାଗଜ ଓ ତା’ର ପାଠକଙ୍କ ଭିତରେ ଥିବା ଦୂରତାକୁ ଦୂର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିପାରିବ । ଅର୍ଗାନାଇଜେସନ ଅଫ୍‌ ନିଉଜ୍‌ ଅମ୍ବୁଡ୍‌ସମ୍ୟାନ (ଓଏନ୍‌ଓ) ବା ଖବରପାଳଙ୍କ ସଂଗଠନର ସୂଚନା ଅନୁଯାୟୀ ଏବେସୁଦ୍ଧା ବିଶ୍ୱର ପ୍ରାୟ ୮୦ଟି ଖବରକାଗଜ ସଂସ୍ଥା ଖବରପାଳ ନିଯୁକ୍ତ କରିଛନ୍ତି । ତେବେ କେବଳ ଖବରପାଳଙ୍କୁ ନିଯୁକ୍ତି ଦେଲେ ହେବ ନାହିଁ, ତା’ର ସକ୍ରିୟ/ସମର୍ଥ କାର୍ଯ୍ୟକାରିତା ମହତ୍ତ୍ୱପୂର୍ଣ୍ଣ । ଖବରପାଳଙ୍କ ଭୂମିକାର ପରିସର ମଧ୍ୟ ଆହୁରି ବ୍ୟାପକ ହୋଇପାରିବ ।

(୧୩ ମାର୍ଚ ୨୦୧୬ରେ 'ସମାଜ"ରେ ପ୍ରକାଶିତ)
Next PostNewer Post Previous PostOlder Post Home

0 comments:

Post a Comment

ଏହି ବ୍ଲଗର ସମସ୍ତ ସାମଗ୍ରୀ ଲେଖକଙ୍କ ସର୍ବସ୍ବତ୍ତ୍ବ ସଂରକ୍ଷିତ. Powered by Blogger.