ଯୁଦ୍ଧଭୂମିର ଅନ୍ତିମ ଇଚ୍ଛାପତ୍ର

1 comment


‘ଆଜି ବିଶ୍ରାମ ଓ ଶାନ୍ତି ପାଇଁ ସମୟ ନାହିଁ। ପାଲେଷ୍ଟିନୀୟଙ୍କ ରକ୍ତ ବୁହାଯାଇଛି। ଇସ୍ରାଏଲ ସହିତ ଶାନ୍ତି ଆଲୋଚନା ପାଇଁ କୌଣସି ସ୍ଥାନ ନାହିଁ। ଯଦି ସେମାନେ ନିଜକୁ ହମାସ୍‌ର କ୍ଷେପଣାସ୍ତ୍ର ଆକ୍ରମଣରୁ ନିଜକୁ ବଞ୍ଚାଇବାକୁ ଚାହାନ୍ତି, ତେବେ ସେମାନଙ୍କୁ ଇସ୍ରାଏଲ୍‌ର ପ୍ରତ୍ୟେକ ଘରେ ଗୋଟିଏ ଗୋଟିଏ ଆଇରନ୍‌ ଡୋମ୍‌ ଲଗାଇବାକୁ ପଡ଼ିବ’।


ଗାଜାପଟିରେ ଇସ୍ରାଏଲ୍‌ର ରକେଟ୍‌ ଆକ୍ରମଣ ପରେ ୧୪ ଅଗଷ୍ଟ ୨୦୧୪ରେ ସନ୍ତ୍ରାସବାଦୀ ସଂଗଠନ ହମାସ୍‌ର ମୁଖପାତ୍ର ଫଓଜି ବାର୍‌ହୋମ୍ ଦେଇଥିଲା ଏ ଚେତାବନୀ। ଏହାର ଆଠ ବର୍ଷ ପରେ ଅକ୍ଟୋବର ୭ରେ ହମାସ୍‌ ଇସ୍ରାଏଲ୍‌ ଉପରେ ଆକ୍ରମଣ କରି ଯେଉଁ ଧନଜୀବନ କ୍ଷୟ କରିଚି (ଏକାବେଳକେ ୧୩ ଶହଙ୍କୁ ହତ୍ୟା ଓ ୨ ଶହଙ୍କୁ ପଣବନ୍ଦୀ), ତାହା ସେହି ଦେଶର ପ୍ରତିରକ୍ଷା ବ୍ୟବସ୍ଥାକୁ କେବଳ ବଡ଼ ଧକ୍କା ଦେଇନାହିଁ, ପୁଣିଥରେ ଦୋହଲାଇ ଦେଇଚି ଇହୁଦୀଙ୍କ ଅସ୍ତିତ୍ବ। ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ନାଜୀ ଜର୍ମାନୀରେ ଅତି ନୃଶଂସ ଭାବେ ବିଷାକ୍ତ ଗ୍ୟାସ୍‌ଭରା କୋଠରୀରେ ପୂରାଇ ଏବଂ ସାମୂହିକ ଭାବେ ଗୁଳି କରାଯାଇ ଯେଉଁ ଗଣସଂହାର (ହୋଲୋକଷ୍ଟ୍‌) ହୋଇଥିଲା, ତାହା ମାନବ ଇତିହାସର ଏକ କଳା ଅଧ୍ୟାୟ। ସେତେବେଳେ ପ୍ରାୟ ୬୦ ଲକ୍ଷ ଇହୁଦୀଙ୍କୁ ହତ୍ୟା କରାଯାଇଥିବାବେଳେ ଏଥରର ଘଟନାକୁ ଇସ୍ରାଏଲ୍‌ ସେହିପରି ଗଣହତ୍ୟାର ଦ୍ବିତୀୟ ଘଟନା ଭାବେ କରିଛି ଆଖ୍ୟାୟିତ। ହମାସ୍‌ ଯେଉଁଭଳି ଭାବେ କଲା ଅତର୍କିତ ଆକ୍ରମଣ, ତାହା ଆକସ୍ମିକ ହୋଇନଥିବ କଦାଚନ; ଅଥଚ ବିଶ୍ବର ସର୍ବାଧିକ ଦକ୍ଷ ବୋଲି ଖ୍ୟାତି ଅର୍ଜିଥିବା ଇସ୍ରାଏଲ୍‌ର ଗୁଇନ୍ଦା ସଂସ୍ଥା ‘ମୋସାଦ୍‌’ ବି ଖାଇଲା ଚକ୍‌ମା। ‘ବଳ ବା ଶକ୍ତି ଦ୍ବାରା ଶାନ୍ତି କିଣାଯାଏ; ଏହାକୁ ଦୁର୍ବଳତା ବା ଏକତରଫା ପଶ୍ଚାତ୍‌ଗମନ  ଦ୍ବାରା ନୁହେଁ’ ବୋଲି ବାହୁସ୍ଫୋଟ କରୁଥିବା ଇସ୍ରାଏଲ ସରକାରର ମୁଖିଆ ବେଞ୍ଜାମିନ୍‌ ନେତନ୍ୟାହୁଙ୍କୁ ମଧ୍ୟ ନିଜର ଦୁର୍ବଳତାକୁ ଚିହ୍ନାଇ ଦେଇଥିବ ଏ ମର୍ମାନ୍ତିକ ଓ ନିନ୍ଦନୀୟ ଘଟନା। 


ଏହା ନିଃସଂଶୟ ଯେ ଇସ୍ରାଏଲ୍‌ ଏକ କ୍ଷୁଦ୍ର ଦେଶ ହୋଇମଧ୍ୟ ସମଗ୍ର ବିଶ୍ବରେ ଅନେକ କ୍ଷେତ୍ରରେ ଦେଖାଇଚାଲିଚି ଯେଉଁ ପରାକ୍ରମ, ତା’ର ପଟାନ୍ତର ନାହିଁ; କିନ୍ତୁ ସନ୍ତ୍ରାସବାଦୀ ଭଳି ଅପଶକ୍ତି କେଉଁ ବାଟରେ କେତେବେଳେ କାହାର କ୍ଷତି କରିବ, ତା’ର ଠିକଣା ନାହିଁ, ଏ ଘଟନା ତା’ର ଏକ ଦୃଷ୍ଟାନ୍ତ। ଇସ୍ରାଏଲ୍‌ର ଅତ୍ୟାଧୁନିକ କ୍ଷେପଣାସ୍ତ୍ର ପ୍ରତିରୋଧୀ ବ୍ୟବସ୍ଥା ‘ଆଇରନ୍‌ ଡୋମ୍‌’ ବି ଏଥର ହମାସ୍‌ ​‌େ​‌କ୍ଷପଣାସ୍ତ୍ରକୁ ଅଟକାଇ ପାରିନାହିଁ। ତେବେ ୭ ଅକ୍ଟୋବର ପରେ ଯାହାସବୁ ଘଟିଚାଲିଚି, ତାହା ହେବାକୁ ଯାଉଚି ଇତିହାସର ଆଉ ଏକ କଳଙ୍କିତ ଅଧ୍ୟାୟ । ଇସ୍ରାଏଲ୍‌-ହମାସ୍‌ ସଂଘର୍ଷର ଗତି ଦିନକୁ ଦିନ ଯେତିକି ବିକଟ ​‌େ​‌ହଉଛି, ବଢ଼ିବଢ଼ି ଯାଉଚି ନିରୀହ/ନିର୍ଦୋଷ ମନୁଷ୍ୟମାନଙ୍କ ଆର୍ତ୍ତି। ଇସ୍ରାଏଲ୍‌ ଆକ୍ରମଣରେ ଏ ପର୍ଯ୍ୟନ୍ତ ୪ ହଜାରରୁ ଅଧିକ ପାଲେଷ୍ଟିନୀୟଙ୍କ ଜୀବନ ଗଲାଣି; ଯାହାଙ୍କ ମଧ୍ୟରୁ ୧୫୦୦ରୁ ଊର୍ଦ୍ଧ୍ବ ନିର୍ମାୟା ଶିଶୁ। ୨୦୦୭ରୁ ଗାଜାପଟିକୁ ନିଜ ନିୟନ୍ତ୍ରଣରେ ରଖିଥିବା ହମାସ୍‌ ସମଗ୍ର ପାଲେଷ୍ଟିନୀୟଙ୍କର ପ୍ରତିନିଧିତ୍ବ କରେ ନାହିଁ ବୋଲି ଆମେରିକା ସମେତ ସଭିଏଁ କହୁଥିଲେ/ଜାଣୁଥିଲେ ହେଁ ସମଗ୍ର ଗାଜାପଟିକୁ ଇସ୍ରାଏଲ୍‌ ପାଣି, ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ କରିବା ସହ ଖାଦ୍ୟ, ଔଷଧ ଆଦି ଅତ୍ୟାବଶ୍ୟକ ଦ୍ରବ୍ୟ ଯୋଗାଣକୁ ବନ୍ଦ  କରି ଚତୁର୍ଦିଗ ରାସ୍ତାକୁ କରିଦେଇଛି ଅବରୋଧ। ଫଳତଃ ଗାଜା ୪୦ କିଲୋମିଟରର ଏକ ମୁକ୍ତାକାଶ କାରାଗାର ପାଲଟିଯାଇଚି କହିଲେ ଭୁଲ୍‌ ହେବନାହିଁ, ଯେଉଁଠି ପ୍ରାୟ ୨୩ ଲକ୍ଷ ପାଲେଷ୍ଟିନୀୟଙ୍କୁ ଦୁର୍ବିସହ ଜୀବନ ବଞ୍ଚିବାକୁ ଛାଡ଼ି ଦିଆଯାଇଚି। ନେତନ୍ୟାହୁ ପଣ କରିଚନ୍ତି ଯେ ଯେପରି ହେଉ ହମାସ୍‌କୁ ଏଥର ନିର୍ମୂଳ କରିବେ; କିନ୍ତୁ ହମାସ୍‌କୁ ​‌େ​‌ସ ଖତମ୍‌ କରିବେ କ’ଣ, ଏବେ ପଡ଼ୋଶୀ ଲେବାନନ୍‌ର ମହାଦୁର୍ଦାନ୍ତ ସନ୍ତ୍ରାସବାଦୀ ସଂଗଠନ ହେଜ୍‌ବୋଲ୍ଲା ହମାସ୍‌ର ସାଥୀ ହୋଇ ଇସ୍ରାଏଲ୍‌ ସହ ଲଢ଼ିବା ଆରମ୍ଭ କରିଚି। ଅନ୍ୟପଟେ ପାଲେଷ୍ଟିନୀୟଙ୍କ ଅଧିକାର ଓ ସୁରକ୍ଷା ଆଳରେ ଏହି ସନ୍ତ୍ରାସବାଦୀ ସଂଗଠନକୁ ଇରାନ ଖୋଲାଖୋଲି ସମର୍ଥନ କରୁଥିବାରୁ ଇସ୍ରାଏଲ୍‌-ହମାସ୍‌ ସଂଘର୍ଷ ପ୍ରଲମ୍ବିତ ହେବାର ସମ୍ଭାବନା ଦିଶୁଚି। ଅବଶ୍ୟ ଇରାନ୍‌ ଓ ଆରବ ଦେଶସମୂହ ସହିତ ଇସ୍ରାଏଲ୍‌ର ଲଢ଼େଇ ନୂଆ ବା ପ୍ରଥମ ନୁହେଁ। ଆରବ ଦେଶ ଏକାଠି ଲଢ଼ିଲେ ମଧ୍ୟ ଇସ୍ରାଏଲ୍‌କୁ ଯୁଦ୍ଧରେ ପରାଜୟ କରିବା କଷ୍ଟକର, ଏହା ପୂର୍ବପ୍ରମାଣିତ। ପୁଣି ଆମେରିକା ଓ ବ୍ରିଟେନ ଭଳି ଦୁଇ ମହାଶକ୍ତି ଇସ୍ରାଏଲର ମିତ୍ରରାଷ୍ଟ୍ର। ଇତିମଧ୍ୟରେ ଆମେରିକୀୟ ରାଷ୍ଟ୍ରପତି ଜୋ ବାଇଡେନ ଓ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ଇସ୍ରାଏଲ୍‌ ଗସ୍ତ କରି ସବୁ ପ୍ରକାରର ସାହାଯ୍ୟ ସହାୟତା ଯୋଗାଇଦେବାକୁ ଦେଇଚନ୍ତି ନିର୍ଭର ପ୍ରତିଶ୍ରୁତି। ଆମେରିକା ପ୍ରେରଣ କରିଚି ତା’ର ଦୁର୍ଦ୍ଧର୍ଷ ଯୁଦ୍ଧପୋତ। ତେବେ ସବୁଠୁ ବଡ଼ ପ୍ରଶ୍ନ ହମାସ୍‌, ହେଜ୍‌ବୋଲ୍ଲା ଓ ଅନ୍ୟ ଆତଙ୍କବାଦୀ ସଂଗଠନକୁ ନିର୍ମୂଳ କରିବା ନାଁରେ ଇସ୍ରାଏଲ୍‌ ନିରୀହ ପାଲେଷ୍ଟିନୀୟଙ୍କ ଜୀବନକୁ ବିପନ୍ନ କରୁନାହିଁ କି? ଗାଜା ସହରସ୍ଥିତ ଅଲ୍‌-ଅହ୍‌ଲି ଆରବ ଚିକିତ୍ସାଳୟରେ ବିସ୍ଫୋରଣ ଏ ପ୍ରଶ୍ନକୁ କରିଚି ଅଧିକ ମଜଭୁତ। ଉଭୟ ପକ୍ଷ ଏହି ଯୁଦ୍ଧ ଅପରାଧକୁ ସ୍ବୀକାର କରୁନାହାନ୍ତି; ଅଥଚ ପାଞ୍ଚ ଶହ ନିରୀହ ଲୋକଙ୍କ ଏକାଥରକେ ଲିଭିଗଲା ଜୀବନଦୀପ ଅଭୟସ୍ଥାନ ଧରାଯାଉଥିବା ଚିକିତ୍ସାଳୟରେ। ଇସ୍ରାଏଲ୍‌ ଦାବି କରୁଚି ଯେ ପାଲେଷ୍ଟିନୀୟ ଇସ୍‌ଲାମିକ୍‌ ଜିହାଦ୍‌ (ପିଆଇଜେ) ନାମକ ଆଉ ଏକ ସନ୍ତ୍ରାସବାଦୀ ଗୋଷ୍ଠୀର ଏକ ଲକ୍ଷ୍ୟହୀନ କ୍ଷେପଣାସ୍ତ୍ର ପଡ଼ିବା ଦ୍ବାରା ଘଟିଚି ବିସ୍ଫୋରଣ; କିନ୍ତୁ ଘଟନାର ଅଳ୍ପସମୟ ଭିତରେ ସାମାଜିକ ଗଣମାଧ୍ୟମରେ ଇସ୍ରାଏଲ କର୍ତ୍ତୃପକ୍ଷଙ୍କ ବିବୃତି ଓ ତାକୁ ହଟାଇଦେବା ଭଳି ଘଟନା ଇସ୍ରାଏଲ୍‌ର ଦାବିକୁ କରିଚି ସଂଶୟାଚ୍ଛନ୍ନ। 


ଇତିମଧ୍ୟରେ ଇସ୍ରାଏଲ୍‌ ୱେଷ୍ଟବ୍ୟାଙ୍କ୍‌ (ଜୋର୍ଡାନ ନଦୀର ପଶ୍ଚିମ ଭାଗରେ ଥିବାରୁ ଏହିପରି ନାମିତ)ରେ ମଧ୍ୟ ଆକ୍ରମଣ କରି ଶତାଧିକ ପାଲେଷ୍ଟିନୀୟଙ୍କ ଜୀବନ ନେଲାଣି। ଏଠାରେ ୧୯୯୩ର ଓସ୍‌ଲୋ ଚୁକ୍ତି ପରେ ଅନ୍ତରୀଣ ସରକାର ଭାବେ ପାଲେଷ୍ଟାଇନ ପ୍ରାଧିକରଣ ଗଠିତ ହୋଇଥିଲା ଏବଂ ତାକୁ ୱେଷ୍ଟ୍‌ବ୍ୟାଙ୍କ ଓ ଗାଜାପଟିର କିଛି ଅଂଶରେ ସୀମିତ ସ୍ବଶାସନ ପାଇଁ ଅନୁମତି ମିଳିଥିଲା। ଏବେ ପ୍ରାଧିକରଣର ଅଧ୍ୟକ୍ଷ ଥିବା ମହମୁଦ ଆବ୍‌ବାସ ୨୦୦୫ରେ ଚାରିବର୍ଷ ପାଇଁ ନିର୍ବାଚିତ ହୋଇଥିଲେ ହେଁ ଏ ପର୍ଯ୍ୟନ୍ତ ଚଉକି ଛାଡ଼ୁନାହାନ୍ତି କି କରାଉନାହାନ୍ତି ନିର୍ବାଚନ; ତେଣୁ ପାଲେଷ୍ଟିନୀୟଙ୍କ ମଧ୍ୟରେ ନାହିଁ ଆଉ  ତାଙ୍କର ପୂର୍ବ ଲୋକପ୍ରିୟତା। ଏପରିକି ଏକ ସର୍ବେକ୍ଷଣ ଅନୁସାରେ ଅଧିକ ଲୋକ ତାଙ୍କ ଅପେକ୍ଷା ହମାସ୍‌ ମୁଖ୍ୟଙ୍କ ହାତରେ ଶାସନ ଭାର ଦେବାପାଇଁ ଉତ୍ସୁକ। ଏସବୁ ଦୃଷ୍ଟିରୁ ପାଲେଷ୍ଟିନୀୟଙ୍କ ପାଇଁ ବର୍ତ୍ତମାନ ଅତ୍ୟନ୍ତ କଠିନ ସମୟ। ଏଇନା ଇସ୍ରାଏଲ୍‌ର ଆକ୍ରମଣ ବିରୋଧରେ ଓ ପାଲେଷ୍ଟାଇନ ସପକ୍ଷରେ ଆରବ ଦେଶଗୁଡ଼ିକରେ ପ୍ରତିବାଦ ଶୋଭାଯାତ୍ରାମାନ ଆୟୋଜନ ହେଉଛି ସତ, କିନ୍ତୁ ଇସ୍ରାଏଲ୍‌ ସେଥିପ୍ରତି ଭ୍ରୂକ୍ଷେପ କରୁନାହିଁ ଓ ଆଗାମୀ ଦିନରେ ବି କରିବାର ସମ୍ଭାବନା ନାହିଁ। ସେ ଜାଣେ ଯେ ଆରବ ରାଷ୍ଟ୍ର ତା’ର ସେଭଳି କିଛି କ୍ଷତି କରିପାରିବେ ନାହିଁ। ଇସ୍ରାଏଲ୍‌ ଗାଜାର ଉତ୍ତର ଭାଗରୁ ଦକ୍ଷିଣ ଭାଗକୁ ପ୍ରାୟ ଦଶ ଲକ୍ଷ ଲୋକଙ୍କୁ ପଳାୟନ କରିବାକୁ ବାଧ୍ୟ କରିବା ପରେ ସେହି ଲୋକେ ଏବେ ସମ୍ପୂର୍ଣ୍ଣ ବାସ୍ତୁହରା; ପ୍ରତି ମୁହୂର୍ତ୍ତର ଅନିଶ୍ଚିତତା ସେମାନଙ୍କ ପାଇଁ ଆଣିଚି ଅସହଣୀୟ ଯନ୍ତ୍ରଣା। ପଡ଼ୋଶୀ ଇଜିପ୍ଟ ଓ ଜୋର୍ଡାନ ପାଲେଷ୍ଟାଇନ ପକ୍ଷରେ ବିବୃତି ଦେଉଥିଲେ ହେଁ ସେମାନଙ୍କୁ ଶରଣ ଦେବାକୁ ସ୍ପଷ୍ଟ କରିଦେଇଚନ୍ତି ମନା। ଏପରି ସ୍ଥିତିରେ କୁଆଡ଼େ ଯିବେ ପାଲେଷ୍ଟାଇନବାସୀ! ଲକ୍ଷ୍ୟଣୀୟ ଯେ ଇସ୍ରାଏଲ୍‌-ହମାସ୍‌ ସଂଘର୍ଷ କ୍ରମେ ଇସ୍ରାଏଲ୍‌-ପାଲେଷ୍ଟାଇନ ସଂଘର୍ଷ​‌େ​‌ର ପରିଣତ ହେଉଛି, ଯାହା ଭବିଷ୍ୟତର ଗତିପଥକୁ ଆହୁରି କଣ୍ଟକିତ କରିବାକୁ ଯଥେଷ୍ଟ। ଇତିହାସରେ ଏହାର ପ୍ରମାଣ ଦର୍ଶନୀୟ।


ଯେଉଁ ସମୟରେ ଏସିଆ-ଆଫ୍ରିକା ମହାଦେଶରେ ଔପନିବେଶିକ ଶାସନର ଅନ୍ତ ହେବାକୁ ଯାଉଥିଲା, ସେତେବେଳେ ବ୍ରିଟିଶ ଶାସିତ ପାଲେଷ୍ଟାଇନରେ ଇହୁଦୀଙ୍କୁ ଏକ ଉପନିବେଶ ନିର୍ମାଣର ଅନୁମତି ଦିଆଗଲା; ଯାହାର ନାଁ ରହିଲା ଇସ୍ରାଏଲ୍‌। ଯେଉଁଦିନ ଏ ନୂଆ ରାଷ୍ଟ୍ର ନିର୍ମାଣର ଘୋଷଣା ହେଲା, ସେହିଦିନ ହିଁ ପୋତି ଦିଆଗଲା ଯୁଦ୍ଧର ବୀଜ। ୧୯୪୮ରେ ସହସ୍ରାଧିକ ପାଲେଷ୍ଟିନୀୟଙ୍କୁ ସେମାନଙ୍କ ଭିଟାମାଟିରୁ ଘଉଡ଼ାଇ ଦିଆଗଲା, ଯେଉଁମାନେ ଜୋର୍ଡାନ, ଲେବାନନ, ସିରିୟା ଓ ମିଶର (ଇଜିପ୍ଟ) ଭଳି ପଡ଼ୋଶୀ ଦେଶରେ ଶରଣାର୍ଥୀ ଭାବେ ରହିବାକୁ ବାଧ୍ୟହେଲେ। କ୍ରମେ ଉଭୟଙ୍କ ମଧ୍ୟରେ ପ୍ରତିରୋଧ ଆନ୍ଦୋଳନ ଆରମ୍ଭ ହୋଇଗଲା। ପାଲେଷ୍ଟାଇନ ପକ୍ଷରେ ମିଶର ଓ ସିରିୟା ଥିବାବେଳେ ଇସ୍ରାଏଲ୍‌ ସହିତ ଥିଲେ ଆମେରିକା ଓ ପାଶ୍ଚାତ୍ୟ ରାଷ୍ଟ୍ର। ପ୍ରାୟ ଦୁଇ ଦଶନ୍ଧି ଧରି ଚାଲିଲା ଏ ଯୁଦ୍ଧ, ଯାହାର ଆମେରିକା-ସୋଭିଏତ୍‌ ଶୀତଳ ଯୁଦ୍ଧ ସହ ଦେଖାଯାଏ ସାମଞ୍ଜସ୍ୟ। ୧୯୬୭ରେ ଆଶ୍ଚର୍ଯ୍ୟଜନକ ଭାବେ ଆକ୍ରମଣ କରି ଇସ୍ରାଏଲ ଛଅ ଦିନ ଭିତରେ ଗାଜା ସମେତ ଜୋର୍ଡାନର ପଶ୍ଚିମ ତଟ, ସିରିୟାର ଗୋଲାନ ହାଇଟ୍ସ ଓ ମିଶରର ସିନାଇ ଦ୍ବୀପକୁ କରିନେଲା ଅକ୍ତିଆର। ୧୯୭୩ରେ ମିଶର ସେନା ଇସ୍ରାଏଲ ଉପରେ ଆକ୍ରମଣ କଲା ଏବଂ ୧୯୭୮ରେ ଏକ ଶାନ୍ତିଚୁକ୍ତିରେ ସିନାଇ ଦ୍ବୀପକୁ ମିଶରକୁ ଇସ୍ରାଏଲ୍‌ ଫେରାଇ ଦେଲା; କିନ୍ତୁ ଜେରୁଜେଲମ୍‌ ସମେତ ୱେଷ୍ଟ୍‌ବ୍ୟାଙ୍କ ଓ ଗାଜା ଉପରେ ଜାରି ରଖିଲା ନିୟନ୍ତ୍ରଣ। ଏହିପରି କ୍ରମେ ପାଲେଷ୍ଟାଇନ ହରାଇଲା ତା’ର ଅସଲ ସତ୍ତା। ପରେ ୟାସିର୍‌ ଆରାଫତଙ୍କ ନେତୃତ୍ବରେ ଏକ ମୁଖ୍ୟ ରାଜନୈତିକ ପ୍ରତିରୋଧୀ ସଂଗଠନ ଭାବେ ପାଲେଷ୍ଟାଇନ ମୁକ୍ତି ସଂଗଠନ(ପିଏଲ୍‌ଓ)ର ଘଟିଲା ଅଭ୍ୟୁଦୟ। 


ପିଏଲ୍‌ଓ ନେତୃତ୍ବରେ ହିଁ ପାଲେଷ୍ଟାଇନ ପ୍ରାଧିକରଣ ହୋଇଥିଲା ଗଠିତ, କିନ୍ତୁ ଏ ପର୍ଯ୍ୟନ୍ତ ତା’ର ଲକ୍ଷ୍ୟ ରହିଚି ଅପୂର୍ଣ୍ଣ; ସ୍ବାଧୀନ ପାଲେଷ୍ଟାଇନ ରାଷ୍ଟ୍ର ଏବେ ବି ସ୍ବପ୍ନ। ଏଥିପାଇଁ ଇସ୍ରାଏଲ୍‌ର ଜିଦ୍‌ ବେଶି ଦାୟୀ। ସଂଯୁକ୍ତ ରାଷ୍ଟ୍ର ଅନୁଯାୟୀ, ଜେରୁଜେଲମ୍‌ର ପଶ୍ଚିମ ଭାଗ ଇସ୍ରାଏଲ୍‌ର ଓ ପୂର୍ବ ଭାଗ ପାଲେଷ୍ଟାଇନର, କିନ୍ତୁ ଇସ୍ରାଏଲ୍‌ ସମଗ୍ର ଜେରୁଜେଲମ୍‌କୁ ଅକ୍ତିଆର କରି ତାକୁ ନିଜର ରାଜଧାନୀ ଦାବି କରିବା ସହ ସେଠାରେ ନିର୍ମାଣ କରିଚି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଆଦିଙ୍କ ନିବାସ ହର୍ମ୍ୟ। ସ୍ମରଣୀୟ ଯେ ଜେରୁଜେଲମ୍‌ ହେଉଚି ସେହି ସ୍ଥାନ, ଯେଉଁଠି ରହିଚି ଇହୁଦୀ, ଇସାଇ (ଖ୍ରୀଷ୍ଟିଆନ) ଓ ଇସ୍‌ଲାମ୍‌, ତିନି ଆବ୍ରାହମୀୟ ଧର୍ମାବଲମ୍ବୀଙ୍କ ପବିତ୍ର ପୀଠ। ଦ୍ବିତୀୟତଃ, ଜୋର୍ଡାନ ନଦୀର ପଶ୍ଚିମ ତଟରେ ଇସ୍ରାଏଲ ଦ୍ବାରା ଇହୁଦୀ ବସତି ସ୍ଥାପନ। ସଂଯୁକ୍ତ ରାଷ୍ଟ୍ର ଏହାକୁ ସ୍ପଷ୍ଟରୂପେ ବେଆଇନ ଘୋଷିତ କରିଥିଲେ ହେଁ ଦକ୍ଷିଣପନ୍ଥୀ ନେତନ୍ୟାହୁ ସରକାର ଏହାକୁ ଦେଇଚାଲିଚି ପ୍ରୋତ୍ସାହନ। ଏ ଅଞ୍ଚଳରେ ପାଲେଷ୍ଟିନୀୟ ଓ ଇହୁଦୀଙ୍କ ମଧ୍ୟରେ ସଂଘର୍ଷ ଏକ ନିତ୍ୟନୈମିତ୍ତିକ ଘଟନା। ତୃତୀୟତଃ, ପାଲେଷ୍ଟାଇନ ସ୍ବାଧୀନ ରାଷ୍ଟ୍ର ହେଲେ ମଧ୍ୟ ତାକୁ ସଂପୂର୍ଣ୍ଣ ସ୍ବାୟତ୍ତତା ବା ସାର୍ବଭୌମତ୍ବ ଦିଆଯିବ ନାହିଁ ବୋଲି ସ୍ପଷ୍ଟ କହିଚି ଇସ୍ରାଏଲ୍‌। ଅତଏବ ତଥାକଥିତ ‘ଟୁ-ନେସନ ଥିଓରି’ ଏଇଠି ମନେହେଉଚି ନିଷ୍ଫଳ।  ଅତୀତ ଅପରିବର୍ତ୍ତନୀୟ। ଏକଦା ନିଜର ଅସ୍ତିତ୍ବ ରକ୍ଷା ପାଇଁ ପ୍ରାଣପଣେ ସଂଘର୍ଷ କରୁଥିବା ଇସ୍ରାଏଲ୍‌ ପାଲେଷ୍ଟାଇନର ଅଧିକାଂଶ ଭାଗକୁ କବ୍‌ଜା କରି ଗିଳିଦେବାକୁ ବସିଚି ଗୋଟାପଣେ। ସତେଯେମିତି ‘ଜୋର୍‌ ଯା’ର୍‌ ମୁଲକ ତାର’ କଥାଟି ଇସ୍ରାଏଲ୍‌ ପକ୍ଷରେ ହୋଇଛି ସତ୍ୟ ସାବ୍ୟସ୍ତ। ଏପରିକି ପାଲେଷ୍ଟିନୀୟଙ୍କ ରାଜନୈତିକ ଅସ୍ତିତ୍ବକୁ ମଧ୍ୟ ଇସ୍ରାଏଲ୍‌ ଦିଏ ନାହିଁ ସ୍ବୀକୃତି! ସବୁଠୁ ବଡ଼ ପ୍ରଶ୍ନ, ହମାସ୍‌କୁ ନିର୍ମୂଳ କରିବା ସହଜ ନହେଲେ ହେଁ ଯଦିବା ଧରାଯାଏ ଯେ ତାହା ବାସ୍ତବ ରୂପ ନେବ, ତେବେ ତା’ପରେ କିଏ ହେବ ଗାଜାର ଶାସନକର୍ତ୍ତା ଏବଂ କ’ଣ ହେବ ଯୁଦ୍ଧ ପରବର୍ତ୍ତୀ ଯୋଜନା? 


ସ୍ମରଣରେ ରହୁ ଯେ ୨୦୦୧ ସନ୍ତ୍ରାସବାଦୀ ଆକ୍ରମଣ ପରେ ଆମେରିକା ଆଫଗାନିସ୍ତାନ ଓ ଇରାକ୍‌ରେ ରଚିଲା ଯୁଦ୍ଧ ବିଭୀଷିକା। ଲକ୍ଷ୍ୟ ଥିଲା, ତାଲିବାନ ଓ ଅଲ୍‌-କାଏଦାକୁ ନିର୍ମୂଳ କରିବା ଏବଂ ସେହି ଛଳରେ ସଦ୍ଦାମ ହୁସେନ ଶାସନର ପତନ। ଦୁଇ ଦଶନ୍ଧି ପରେ ଦେଖାଗଲା ଯେ କେବଳ ତାଲିବାନ କାବୁଲ୍‌ ଶାସନକୁ ହାତେଇ ନାହିଁ, ଇରାକ୍‌ ମଧ୍ୟ ଚାଲିଯାଇଛି ଇରାନର ଛାୟା ପ୍ରତିନିଧିଙ୍କ ହାତକୁ, ଯାହା ମନେହେଉଛି ଆହୁରି ବେଶି ଘାତକ। ହମାସ୍‌ ଆକ୍ରମଣ ଓ ଇସ୍ରାଏଲ୍‌ର ପ୍ରତିଆକ୍ରମଣର ତତ୍କାଳ ପ୍ରଭାବ ଯାହା ଉପରେ ପଡ଼ିବ, ତାହା ହେଲା ଆବ୍ରାହମ୍‌ ଏକର୍ଡସ୍‌ ପିସ୍ ଏଗ୍ରିମେଣ୍ଟ ବା ଆରବ-ଇସ୍ରାଏଲ୍‌ ଶାନ୍ତି ଚୁକ୍ତି (୧୫ ସେପ୍ଟେମ୍ବର ୨୦୨୦), ଯେଉଁଥିରେ ବାହାରେନ୍, ୟୁଏଇ, ସୁଦାନ, ମରକ୍କୋ ସାମିଲ ଥିଲେ (ପୂର୍ବରୁ ଇଜିପ୍ଟ ଓ ଜୋର୍ଡାନ ସହ ଶାନ୍ତି ଚୁକ୍ତି ସରିଥିଲା) ଏବଂ ଏଥିରେ ନିକଟ ଭବିଷ୍ୟତରେ ସାଉଦି ଆରବ ଅନ୍ତର୍ଭୁକ୍ତ ହେବାର ଚାଲିଥିଲା ପ୍ରସ୍ତୁତି। ଏ ଚୁକ୍ତି​ରେ ଯେଉଁ ଆରବ ରାଷ୍ଟ୍ରସମୂହ ଓ ଇସ୍ରାଏଲ୍‌ ମଧ୍ୟରେ ଶାନ୍ତି ଓ ସ୍ବାଭାବିକ ସ୍ଥିତି କାମନା କରାଯାଇଥିଲା, ତାହା ଫଳପ୍ରସୂ ହେବାର ସମ୍ଭାବନା ଏବେ ସଂକଟଗ୍ରସ୍ତ। ବର୍ତ୍ତମାନ ଗାଜା ଓ ୱେଷ୍ଟ୍‌ବ୍ୟାଙ୍କ୍‌ ପାଇଁ ନୂତନ ଭାବେ ଉଭୟ ପକ୍ଷ ଚିନ୍ତା କରିବାର ସମୟ। ପିଠାକଳିରେ ତୃତୀୟର ଲାଭ ହେବା ଭଳି ଇସ୍ରାଏଲ୍‌-ହମାସ୍‌ ଲଢ଼େଇରେ ଅନ୍ୟମାନେ ଲାଭ ଉଠାଇବାର ମଉକା ଖୋଜିବାରେ ବ୍ୟସ୍ତ। ଇରାନ ‘ଆବ୍ରାହମ୍‌ ଏକର୍ଡ’କୁ ମୃତ ଘୋଷଣା କରିଥିବାବେଳେ ରୁଷିଆ ପାଇଁ ଏହା ସାବ୍ୟସ୍ତ ହୋଇଛି ବରଦାନ, କାରଣ ବିଶ୍ବସମୁଦାୟର ଦୃଷ୍ଟି ଏବେ ୟୁକ୍ରେନ୍‌ରୁ ଆସି ପହଞ୍ଚିଚି ମଧ୍ୟପୂର୍ବରେ। ଆମେରିକା ତା’ ଉପରେ ଇସ୍ରାଏଲ୍‌ର ନିର୍ଭରଶୀଳତାକୁ ବଢ଼ାଇବାକୁ ଚାହୁଁଚି ଏବଂ ସେଥିରେ ସଫଳ ହୋଇଚି। ମଧ୍ୟପ୍ରାଚ୍ୟରେ ଅସ୍ଥିରତା ଆଳରେ ମଧ୍ୟପ୍ରାଚ୍ୟରୁ ଏସିଆ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ନିଜର ସାଧନକୁ ପ୍ରେରଣ/ମୁତୟନ କରିବାକୁ ଚାହେଁ, ଯେପରିକି ତା’ର ଚିର ପ୍ରତିଦ୍ବନ୍ଦ୍ବୀ ଚୀନକୁ କରିପାରିବ ପ୍ରତିହତ। 


ଲାଗୁଚି କେବଳ ପାଲେଷ୍ଟାଇନ୍‌ବାସୀଙ୍କ ବ୍ୟତୀତ ସଭିଏଁ ହେବେ ଯୁଦ୍ଧବିଜୟୀ। ଗାଜାର ବିଦୀର୍ଣ୍ଣ ବସୁଧାରେ ବସି ହୟା ନାମ୍ନୀ କୁନିଝିଅଟି ଲେଖିଥିବା ଅନ୍ତିମ ଇଚ୍ଛାପତ୍ର (ଉଇଲ୍‌) ପଢ଼ିବାକୁ ବି କାହାର ନଥିବ ଫୁରସତ୍‌ (ଆରବ୍‌ ନେଟୱର୍କ ଫର୍‌ ଆର୍ଲି ଚାଇଲ୍‌ଡ଼ହୁଡ଼ ୱେବ୍‌ସାଇଟ୍‌ରେ ପ୍ରଦତ୍ତ), ଯେଉଁଥିରେ ସେ ସମ୍ଭାବ୍ୟ ମରଣ ପୂର୍ବରୁ ନିଜର ସାମାନ୍ୟ ସଞ୍ଚିତ ଅର୍ଥ, ପୋଷାକ ଓ ଜୋତାକୁ ଦାନ କରିବାକୁ କରିଚି ନିବେଦନ! ତଥାପି ବିଶ୍ବବାସୀଙ୍କୁ ଇସ୍ରାଏଲ୍‌ର ପକ୍ଷ ନେବାବେଳେ ବୁଝିବାକୁ ହିଁ ହେବ ଭୀତତ୍ରସ୍ତ ହୟାର ବେଦନା, ଯୁଦ୍ଧବିଧ୍ବସ୍ତ ଗାଜାର ଡାକ; ଯେଉଁଠି ଏବେ ପ୍ରତିଧ୍ବନିତ ହେଉଚି ପାଲେଷ୍ଟାଇନର ଜାତୀୟ କବି ମହମୁଦ ଦାରୱିଶ୍‌ଙ୍କ ଶବ୍ଦ ‘‘ମୋ ଜନ୍ମଭୂମି ଗୋଟାଏ ସୁଟ୍‌କେଶ୍‌ ନୁହଁ ଏବଂ ମୁଁ ନୁହେଁ ଜଣେ ପର୍ଯ୍ୟଟକ!’’ ଶାନ୍ତି ପାଇଁ ଯୁଦ୍ଧ କ’ଣ ଜରୁରୀ?

(‘ସମାଜ’ରେ ୨୨.୧୦.୨୩ରେ ପ୍ରକାଶିତ)

Next PostNewer Post Previous PostOlder Post Home

1 comment:

  1. Nice one with proper analytical study.

    ReplyDelete

ଏହି ବ୍ଲଗର ସମସ୍ତ ସାମଗ୍ରୀ ଲେଖକଙ୍କ ସର୍ବସ୍ବତ୍ତ୍ବ ସଂରକ୍ଷିତ. Powered by Blogger.