ସାମ୍ବାଦିକତାର ସ୍ପଟଲାଇଟ୍

Leave a Comment

ପୁଲିସ, ପ୍ରଶାସନିକ ଅଧିକାରୀ ଓ କିଛି ପ୍ରଭାବଶାଳୀ ଲୋକଙ୍କୁ ଛାଡ଼ିଦେଲେ ସାଧାରଣତଃ ଜଣେ ସାମ୍ବାଦିକଙ୍କୁ କେହି ଚିହ୍ନନ୍ତି ନାହିଁ । ଏହା ଏକ କଟୁ ସତ୍ୟ ଯେ ଯେଉଁ ସାମ୍ବାଦିକମାନେ ଆମ ସମାଜରେ ସୁପରିଚିତ, ସେମାନଙ୍କ ମଧ୍ୟରୁ ବହୁଳାଂଶ ନିଜର ସୁକୃତି ପାଇଁ ନୁହେଁ, ଦୁଷ୍କୃତି ପାଇଁ ହିଁ ଚର୍ଚ୍ଚିତ । ଏ ଅବସ୍ଥା ସମଗ୍ର ପୃଥିବୀରେ ଦେଖାଯାଏ; ତେବେ ଭାରତବର୍ଷରେ ଏହାର ପରିମାଣ ଖୁବ୍‌ ବେଶି । ସାମ୍ବାଦିକତା ଏକ ସମ୍ମାନଜନକ ବୃତ୍ତି ହୋଇଥିଲେ ହେଁ ଲୋକଚକ୍ଷୁରେ ଏହାର ବିଶ୍ୱସନୀୟତା ଏବେ ସଙ୍କଟାପନ୍ନ । ଏଭଳି ସମୟରେ ପ୍ରକୃତ/ସାହସୀ ସାମ୍ବାଦିକତାକୁ ଦର୍ଶାଇଥିବା, ବାସ୍ତବ ଘଟନାକୁ ବେଶ୍‌ ଜୀବନ୍ତ ଭାବେ ଉପସ୍ଥାପିତ କରିଥିବା ଏକ ଚଳଚ୍ଚିତ୍ର ‘ସ୍ପଟ୍‌ଲାଇଟ୍‌’ ଚଳିତବର୍ଷ (୨୦୧୬) ‘ଶ୍ରେଷ୍ଠ ଚଳଚ୍ଚିତ୍ର’ର ଅସ୍କାର ପୁରସ୍କାର ପାଇବା ଏ ବୃତ୍ତି ପ୍ରତି ପାଶ୍ଚାତ୍ୟ ଜଗତର ଲୋକଙ୍କ ଭିତରେ ଏକ ଗଭୀର ସମ୍ମାନବୋଧ ଆଣିଦେଇଚି, ଯାହା ଆଶ୍ୱାସନାର ବିଷୟ । ବାସ୍ତବ ଘଟନା/ବିଷୟବସ୍ତୁକୁ ନେଇ ପୂର୍ବରୁ ଯେ କୌଣସି ଚଳଚ୍ଚିତ୍ର ନିର୍ମିତ ହୋଇନାହିଁ, ତାହା ନୁହେଁ; କିନ୍ତୁ ଏହାର ରୂପାୟନ ଯେଉଁଭଳି ସତ୍ୟନିଷ୍ଠା ଦେଖାଇଚି, ତାହା ଅଭୂତପୂର୍ବ ।

ସତୁରୀ ଦଶକରେ ‘ଅଲ୍‌ ଦ ପ୍ରେସିଡେଣ୍ଟ୍‌ସ ମେନ’ ନାମକ ଚଳଚ୍ଚିତ୍ର ସାମ୍ବାଦିକତା ଓ ସାମ୍ବାଦିକଙ୍କର ସମ୍ମାନ ବଢ଼ାଇବାରେ ସାହାଯ୍ୟ କରିଥିଲା, ଯାହା ‘ୱାଶିଂଟନ ପୋଷ୍ଟ୍‌’ର ସାମ୍ବାଦିକ ବବ୍‌ ଉଡୱାର୍ଡ ଓ କାର୍ଲ ବର୍ନଷ୍ଟେନଙ୍କ ଦ୍ୱାରା ସର୍ବାଧିକ ବିକ୍ରୟ ପୁସ୍ତକର ଚଳଚ୍ଚିତ୍ର ରୂପାନ୍ତର ଥିଲା । ଏହି ଦୁଇଜଣ ସାହସୀ ଯୁବ ସମ୍ବାଦଦାତା ଉଦାହରଣୀୟ ସନ୍ଧାନୀ ସାମ୍ବାଦିକତା ବଳରେ ସର୍ବଶକ୍ତିମାନ ହ୍ୱାଇଟ୍‌ହାଉସ୍‌ ଅଭ୍ୟନ୍ତରର ଦୁର୍ନୀତିକୁ କରିଥିଲେ ଅନାବୃତ, ଯାହାର ଫଳସ୍ୱରୂପ ତକ୍ରାଳୀନ ରାଷ୍ଟ୍ରପତି ରିଚାର୍ଡ ନିକ୍ସନ (୯ ଅଗଷ୍ଟ ୧୯୭୪) ଇସ୍ତଫା ଦେବାକୁ ହୋଇଥିଲେ ବାଧ୍ୟ । ଉଲ୍ଲେଖନୀୟ କଥା ହେଉଚି ଏହି ଚଳଚ୍ଚିତ୍ରର ପ୍ରଭାବରେ ଆମେରିକାର ବହୁ ସାମ୍ବାଦିକତା ଶିକ୍ଷାନୁଷ୍ଠାନରେ ହଠାତ୍‌ ଛାତ୍ର ଉପସ୍ଥାନ ବୃଦ୍ଧି ପାଇଲା; ନିଉଜ୍‌ରୁମ୍‌ଗୁଡ଼ିକରେ ସନ୍ଧାନୀ ସାମ୍ବାଦିକଙ୍କ ଦଳ ଗଠନ କରାଗଲା; ନାଟକୀୟ ଭାବେ ସମ୍ବାଦପତ୍ରର ସମ୍ମାନ/ବିଶ୍ୱସନୀୟତା ବଢ଼ିଗଲା (ଏଥିରୁ ଚଳଚ୍ଚିତ୍ର ମଧ୍ୟ ଏକ ବଳିଷ୍ଠ ଗଣମାଧ୍ୟମ, ତା’ର ପ୍ରମାଣ ମିଳେ) । ତେବେ ଏହା ଚାଳିଶ ବର୍ଷ ତଳର କଥା, ଯେତେବେଳେ ଗଣମାଧ୍ୟମର ସ୍ୱରୂପ ସଂପୂର୍ଣ୍ଣ ଭିନ୍ନ ଥିଲା । ଆଜିକାଲି ଆଉ ସେଭଳି ସନ୍ଧାନୀ ସାମ୍ବାଦିକତା ସାରା ପୃଥିବୀରେ ବିରଳ ହେଲାଣି । ସଂଯୋଗ ହେଉଚି, ଏ ବର୍ଷ ଅସ୍କାର ପୁରସ୍କାରପ୍ରାପ୍ତ ‘ସ୍ପଟ୍‌ଲାଇଟ୍‌’ ମଧ୍ୟ ସନ୍ଧାନୀ ସାମ୍ବାଦିକତା ଓ ସାମ୍ବାଦିକଙ୍କ ବାସ୍ତବ କାହାଣୀ ଉପରେ ଆଧାରିତ, ଯାହା ୧୪ ବର୍ଷ ତଳେ ଘଟିଥିଲା ଯୁକ୍ତରାଷ୍ଟ୍ର ଆମେରିକାର ବୋଷ୍ଟନରେ ।

୨୦୦୨ ମସିହାରେ ‘ବୋଷ୍ଟନ ଗ୍ଲୋବ୍‌’ ନାମକ ଖବରକାଗଜ ବୋଷ୍ଟନ ଅଞ୍ଚଳର ରୋମାନ କ୍ୟାଥଲିକ୍‌ ଚର୍ଚ୍ଚର ଧର୍ମଯାଜକମାନଙ୍କ ଦ୍ୱାରା ଶିଶୁଙ୍କ ଉପରେ ଦୀର୍ଘଦିନରୁ ଚାଲିଆସିଥିବା ଯୌନଶୋଷଣ ଭଳି ଏକ ଖୁବ୍‌ ସମ୍ବେଦନଶୀଳ ଘଟନା ଉପରୁ ପରଦା ଉଠାଇ ସାରା ପୃଥିବୀରେ ଚହଳ ପକାଇ ଦେଇଥିଲା । ଏପରିକି ଏହାର ପ୍ରଭାବରେ ଭାଟିକାନ ସିଟି ମଧ୍ୟ କାର୍ଯ୍ୟାନୁଷ୍ଠାନ ନେବାକୁ ବାଧ୍ୟ ହୋଇଥିଲା । ଚର୍ଚ୍ଚ ଓ ଧର୍ମଗୁରୁମାନଙ୍କ ମୁଖା ଖୋଲିଦେବାର ଏହି ଅଭିଯାନ ‘ବୋଷ୍ଟନ ଗ୍ଲୋବ୍‌’ର ସାମ୍ବାଦିକ-ସଂପାଦକଙ୍କ ପାଇଁ କମ୍‌ ଦୁଃସାହସର କଥା ନଥିଲା, କାରଣ ତାହା ଥିଲା ସମସ୍ତଙ୍କ ପାଇଁ, ବିଶେଷକରି ଧର୍ମଭୀରୁ ଲୋକଙ୍କ ପାଇଁ ଅବିଶ୍ୱସନୀୟ/ଅଗ୍ରହଣୀୟ; କିନ୍ତୁ ଅତ୍ୟନ୍ତ ନିଷ୍ଠାପରତା/ନିର୍ଭୀକତା/ସମ୍ବେଦନଶୀଳତାର ସହ କରାଯାଇଥିବା ଅନୁସନ୍ଧାନରୁ ମ୍ୟାଟ୍‌ କାରୋଲ, ସାଚା ଫିଫର୍‌ ଓ ମାଇକ୍‌ ରେଜେନ୍‌ଡେସ (ଏହି ସାମ୍ବାଦିକ ଦଳର ନାଁ ଥିଲା ‘ସ୍ପଟ୍‌ଲାଇଟ୍‌’) ଏହାର ସୂତ୍ରଧର ୱାଲଟର ‘ରବ୍‌ବି’ ରବିନସନ ଏବଂ ‘ବୋଷ୍ଟନ ଗ୍ଲୋବ୍‌’ର ସଂପାଦକ ମାର୍ଟିନ ବ୍ୟାରନ (ବର୍ତ୍ତମାନ ‘ୱାଶିଂଟନ ପୋଷ୍ଟ୍‌’ର ସଂପାଦକ)ଙ୍କ ପ୍ରେରଣାରେ ଯେଭଳି କ୍ରମାଗତ ସପ୍ରମାଣ ଖବରଟିର ଉପସ୍ଥାପନ କରିଥିଲେ, ତାହା ଥିଲା ସଂପୂର୍ଣ୍ଣ ଅକାଟ୍ୟ (ଏଥିପାଇଁ ଖବରକାଗଜଟିକୁ ସମ୍ମାନଜନକ ‘ପୁଲିଜର୍‌ ପୁରସ୍କାର’ ମିଳିଥିଲା) । ଏହି ଅନୁସନ୍ଧାନମୂଳକ ଖବର ସଂଗ୍ରହ ଓ ଉପସ୍ଥାପନାର ଚମକ୍ରାର ଜୀବନ୍ତ ଦୃଶ୍ୟ ‘ସ୍ପଟ୍‌ଲାଇଟ୍‌’ ଚଳଚ୍ଚିତ୍ରର ମଧ୍ୟ ଅନ୍ୟତମ ବିଭବ, ଯେଉଁଥିରେ ହଇଚଇ ସୃଷ୍ଟି କରିବାର ଅପଚେଷ୍ଟା ନାଇଁ କି ଦର୍ଶକଙ୍କୁ ଅଯଥା ଉତ୍ତେଜିତ କରିବା ଭଳି କୌଣସି ଚିତ୍ର/ଦୃଶ୍ୟର ସାହାଯ୍ୟ ନିଆଯାଇନାହିଁ । ପୀଡ଼ିତମାନେ ଅତୀତରେ ଘଟିଥିବା ଯୌନଶୋଷଣର କରୁଣ କଥା ଜଣେ ସାମ୍ବାଦିକଙ୍କୁ ଯେମିତି କହୁଚନ୍ତି, ତାହା ଖୁବ୍‌ ମର୍ମଭେଦୀ; ମାତ୍ର ସଂପୃକ୍ତ ସାମ୍ବାଦିକଙ୍କ ମୁହଁରେ ଖବର ପାଇବା ପାଇଁ କୌଣସି ଉଗ୍ରତା(ଆମ ଦେଶରେ ସର୍ବଦା ଯାହା ପରିଦୃଶ୍ୟ)ର ଚିହ୍ନବର୍ଣ୍ଣ ନାଇଁ, ବରଂ ଫୁଟିଉଠିଚି ସମ୍ବେଦନଶୀଳତା । ସତକୁ ସତ ପ୍ରତ୍ୟେକ ସାମ୍ବାଦିକଙ୍କ ପାଇଁ ‘ସ୍ପଟ୍‌ଲାଇଟ୍‌’ ପାଲଟିଚି ଏକ ପାଠଶାଳା! ସେଇଥିପାଇଁ ଏହାର ନିର୍ଦେଶକ ଟମ୍‌ ମ୍ୟାକ୍‌କାର୍ଥି ଏକ ସାକ୍ଷାତକାରରେ ଯଥାର୍ଥରେ କହିଚନ୍ତି, “ଏଇ ଚଳଚ୍ଚିତ୍ରଟିକୁ ଆମେ ସେଇ ସମସ୍ତ ସାମ୍ବାଦିକଙ୍କ ପାଇଁ ତିଆରି କରିଚୁ, ଯେଉଁମାନେ ପ୍ରକୃତରେ ସମ୍ମାନାସ୍ପଦ/ପ୍ରଭାବଶାଳୀ ଲୋକଙ୍କୁ ଦାୟିତ୍ୱବାନ ହେବାକୁ ବାଧ୍ୟ କରନ୍ତି” । ଚିତ୍ରାୟନ ଦୃଷ୍ଟିରୁ ଏ ଚଳଚ୍ଚିତ୍ରଟି ସେତିକି ବଳିଷ୍ଠ/ଉକ୍ରୃଷ୍ଟ ବିବେଚିତ ହୋଇନପାରେ; କିନ୍ତୁ ନିର୍ଭୀକତା ଓ ସାହସର ଅଭୂତପୂର୍ବ ଦୃଷ୍ଟାନ୍ତ ନିଖୁଣ ଭାବେ ଉପସ୍ଥାପିତ କରିଥିବାରୁ ଏହା ବିଶ୍ୱର ପ୍ରତ୍ୟେକ ସାମ୍ବାଦିକଙ୍କ ପାଇଁ ଅବଶ୍ୟ ଦର୍ଶନୀୟ ।

ଶିଶୁଙ୍କୁ ଯୌନଶୋଷଣ ଭଳି ଘୃଣ୍ୟ ଅପରାଧ ପୃଥିବୀର ବିଭିନ୍ନ ସ୍ଥାନରେ ଚାଲିଥିଲେ ବି (ସ୍ପଟ୍‌ଲାଇଟ୍‌ ଚଳଚ୍ଚିତ୍ରର ଶେଷଭାଗରେ କେତେକ ସ୍ଥାନର ନାଁ ରହିଛି, ଯେଉଁଠି ଭାରତର କେରଳର ଏକ ମାମଲା ବିଷୟରେ କୁହାଯାଇଚି) ତାହା ସହଜରେ ଲୋକଲୋଚନକୁ ଆସେ ନାଇଁ; କାରଣ ସେଥିରେ ସମାଜର ସମ୍ମାନାସ୍ପଦ/ପ୍ରଭାବଶାଳୀମାନେ ହିଁ ଥାଆନ୍ତି ସମ୍ପୃକ୍ତ । ‘ବୋଷ୍ଟନ ଗ୍ଲୋବ୍‌’ର ସାମ୍ବାଦିକଙ୍କ ପରି କେତେକ ସାହସୀ ସାମ୍ବାଦିକ ଏଭଳି ପୀଡ଼ିତଙ୍କ ପାଇଁ ଏକମାତ୍ର ସାହାରା, ଯେଉଁମାନେ ସତ୍ୟକୁ ଉନ୍ମୋଚିତ କରିବା ପାଇଁ ଲାଗିପଡ଼ିଥାନ୍ତି ଅହୋରାତ୍ର । ଦେଖାଯାଉଚି ଯେ ଦିନକୁ ଦିନ ଏଭଳି ସମ୍ବାଦ ଓ ସାମ୍ବାଦିକଙ୍କ ସଂଖ୍ୟା କମିବାରେ ଲାଗିଚି । ଭାରତରେ ଏଭଳି କେତେକ ଯତ୍ନଶୀଳ ସନ୍ଧାନୀ ସାମ୍ବାଦିକତା ଦେଖିବାକୁ ମିଳିଥିଲା ଅଶୀ ଦଶକରେ ଭାଗଲପୁର ଅନ୍ଧତ୍ୱ ମାମଲା, ବୋଫର୍ସ ମାମଲା ଆଦିରେ । ପ୍ରକୃତ ସନ୍ଧାନୀ ସାମ୍ବାଦିକତାର ଲକ୍ଷ୍ୟ ହଇଚଇ ସୃଷ୍ଟି କରିବା ନୁହେଁ; ବରଂ ଅପରାଧ/ଦୁର୍ନୀତିର ଆମୂଳଚୂଳ ଉତ୍ପାଟନ ପର୍ଯ୍ୟନ୍ତ ଧୈର୍ଯ୍ୟ ସହକାରେ ନିଚ୍ଛକ ଖବର ସପ୍ରମାଣ ପ୍ରକାଶ କରିବା । ନିକଟ ଅତୀତରେ ଓଡ଼ିଶାର ସାରଥି ମାମଲା ଏହି ଧରଣର ହେଲେ ବି ନିଉଜ୍‌ ଚ୍ୟାନେଲସବୁ  ଯେମିତି ତାକୁ ଯାତ୍ରାନାଟକରେ ପରିଣତ କରିଦେଲେ (ଈପ୍‌ସିତ ଲକ୍ଷ୍ୟ ପର୍ଯ୍ୟନ୍ତ ପହଞ୍ଚିଥିଲେ ସୁଦ୍ଧା), ତାହା କେବଳ ସାମ୍ବାଦିକତା ନୁହେଁ, ସମାଜ ପାଇଁ ମଧ୍ୟ ମଙ୍ଗଳକର ନୁହେଁ । ତେଣୁ ଏ ସମ୍ପର୍କରେ ଚିନ୍ତା କରିବାର ବେଳ ଉପଗତ; ଅନ୍ତତଃ ସ୍ପଟ୍‌ଲାଇଟ୍‌ ଆମକୁ ସେଇ ଶିକ୍ଷା ହିଁ ଦେଇଚି ।


(୨୦ ମାର୍ଚ ୨୦୧୬ ସମାଜରେ ପ୍ରକାଶିତ)
Next PostNewer Post Previous PostOlder Post Home

0 comments:

Post a Comment

ଏହି ବ୍ଲଗର ସମସ୍ତ ସାମଗ୍ରୀ ଲେଖକଙ୍କ ସର୍ବସ୍ବତ୍ତ୍ବ ସଂରକ୍ଷିତ. Powered by Blogger.