ଗଣମାଧ୍ୟମର ଭାଷା (୧)

Leave a Comment
ଗତ କିଛି ଦିନ ହେଲା ଓଡ଼ିଆମାନଙ୍କ ମୁହଁରୁ ଏକ ବିଚିତ୍ର/ଖେଚୁଡ଼ି ଶବ୍ଦ ‘ରାହଗିରି’ ଶୁଣିବାକୁ ମିଳୁଚି, ଯାହା ଓଡ଼ିଆ ଗଣମାଧ୍ୟମକୁ ବି ପଶିଆସିଚି ବଳପୂର୍ବକ । ବଳପୂର୍ବକ ଏଇଥିପାଇଁ ଯେ ସରକାର ଓ ପ୍ରଶାସନ ହିଁ ‘ରାହଗିରି’ ନାମରେ ଏକ ‘ଦିବସ’ ବାହାରୁ ଆମଦାନୀ କରି ‘ସ୍ମାର୍ଟସିଟି’ ଭୁବନେଶ୍ୱରରେ ପାଳନ କରିବା ଆରମ୍ଭ କରିଚି । ବିଡ଼ମ୍ବନା ଯେ ଯେଉଁ ସମୟରେ ଓଡ଼ିଆ ଭାଷାକୁ ସରକାରଙ୍କ ସବୁ ଦପ୍ତରରେ ବହୁଳ ବ୍ୟବହାର କରି ଏହାର ପ୍ରଚାରପ୍ରସାର ପାଇଁ ଉଦ୍ୟମ ଆରମ୍ଭ ହୋଇଚି, ସେହି ସମୟରେ ହିଁ ‘ରାହଗିରି’ ଭଳି ଓଡ଼ିଆଙ୍କ ପାଟିରେ ସହଜରେ ପଶୁନଥିବା ବହୁ ଅଣଓଡ଼ିଆ ବିଚିକିଟିଆ ଶବ୍ଦ ଧୀରେଧୀରେ ପ୍ରାଧାନ୍ୟ ବିସ୍ତାର କରିଚାଲିଚି । ଏଇ ଶବ୍ଦଟି ଶୁଦ୍ଧ ହିନ୍ଦୀ ଶବ୍ଦ ବି ନୁହେଁ । ହିନ୍ଦୀରେ ‘ରାହଗିର୍‌’ ଶବ୍ଦ ଅଛି, ଯାହାର ଅର୍ଥ ପଥିକ ବା ପଥଚାରୀ । ‘ଗିରି’ ଲଗାଇ ପୂର୍ବରୁ ବହୁ ବିକୃତ ଶବ୍ଦ ସୃଷ୍ଟି ହୋଇଥିବାବେଳେ ‘ରାହଗିରି’ ସେଥିରେ ଏକ ନୂତନ ସଂଯୋଗ; ଅଥଚ ତାକୁ ବି ଓଡ଼ିଆମାନେ ଅନୁସରଣ କରିବାକୁ ହେଉନାହାନ୍ତି କୁଣ୍ଠିତ । ଏହି ଦିବସର ଓଡ଼ିଆ ନାମକରଣ କରିବାରେ ଏହାର ଆୟୋଜକ ଆଦୌ ଧ୍ୟାନ ଦେଲେ ନାହିଁ କାହିଁକି, ତାହା ଏକ ବଡ଼ ପ୍ରଶ୍ନ; କାରଣ ଓଡ଼ିଆରେ ଏଥିପାଇଁ ସୁନ୍ଦର ଶବ୍ଦର ଆଦୌ ଅଭାବ ନାଇଁ ।

ଏଇ ଉଦାହରଣରୁ ସ୍ପଷ୍ଟ ଯେ ଯେଉଁ ଶବ୍ଦଗୁଡ଼ିକୁ ସରକାରୀ ବ୍ୟବସ୍ଥା ଗ୍ରହଣ କରିନିଏ, ତାହା ଖୁବ୍‌ ସହଜରେ ଗଣମାଧ୍ୟମ ଭିତରକୁ ମଧ୍ୟ ପଶିଯାଇଥାଏ । ଏ ଦିବସ ପାଳନର ଖବର ଦେବାବେଳେ ‘ରାହଗିରି’ ଶବ୍ଦଟି ସେ ଲେଖିବାକୁ/କହିବାକୁ ବାଧ୍ୟ; ତେବେ ଏହା ବିରୋଧରେ କେହି ଏ ପର୍ଯ୍ୟନ୍ତ ସ୍ୱର ଉତ୍ତୋଳନ ନ କରିବା ପରିତାପର ବିଷୟ । ଲାଗୁଚି, ଗଣମାଧ୍ୟମ ବି ଏହାକୁ ଅନାୟାସରେ ଗ୍ରହଣ କରିନେଇଚି । ଅବଶ୍ୟ ଓଡ଼ିଆ ଗଣମାଧ୍ୟମର ଇଂରେଜୀ ଓ ହିନ୍ଦୀ ଭାଷା ପ୍ରୀତି ନୂଆ ନୁହେଁ । ଆଧୁନିକ ହେବା ଆଳରେ ତା’ ଭିତରକୁ କ୍ରମଶଃ ଅଧିକରୁ ଅଧିକ ଅଣଓଡ଼ିଆ ଶବ୍ଦ ପ୍ରବେଶ କରିବାରେ ଲାଗିଚି । ପାଞ୍ଚ ବର୍ଷ ପୂର୍ବରୁ ଯେତେବେଳେ ଇଲେକ୍ଟ୍ରୋନିକ୍ସ ଗଣମାଧ୍ୟମ, ବିଶେଷ କରି ଘରୋଇ ନିଉଜ୍‌ ଚ୍ୟାନେଲ ଓ ଏଫ୍‌ଏମ୍‌ ଷ୍ଟେସନ ନଥିଲା, ସେତେବେଳେ ଏହି ପ୍ରବୃତ୍ତି କିଛିଟା କମ୍‌ ଥିଲା; ମାତ୍ର ଏଭଳି ଗଣମାଧ୍ୟମର ସଂଖ୍ୟା ବଢ଼ିବା ସହ ଏକ ବିକୃ˜/ଖେଚୁଡ଼ି ଓଡ଼ିଆ ଭାଷାର ବ୍ୟବହାର ବୃଦ୍ଧି ପାଉଚି । ସମସ୍ୟା ଗୁରୁତର ଏଇଥିପାଇଁ ଯେ ଓଡ଼ିଆ ଖବରକାଗଜ/ପତ୍ରପତ୍ରିକାଗୁଡ଼ିକ ଉପରେ ଏବେ ଏହାର ବହୁଳ ପ୍ରଭାବ ପଡ଼ୁଚି ।

ଓଡ଼ିଆ ନିଉଜ୍‌ ଚ୍ୟାନେଲର କାର୍ଯ୍ୟକ୍ରମଗୁଡ଼ିକର ଶୀର୍ଷକ ଦେଖିଲେ ହିଁ ସ୍ପଷ୍ଟ ବାରିହେଉଚି ଯେ ଓଡ଼ିଆ ପ୍ରତି ସେମାନଙ୍କର କେତେ ଅଙ୍ଗୀକାରବଦ୍ଧତା ରହିଚି । ଗୋଟିଏ ଅଗ୍ରଣୀ ନିଉଜ୍‌ ଚ୍ୟାନେଲର କେତେକ କାର୍ଯ୍ୟକ୍ରମର ଶୀର୍ଷକ ହେଲା ନିଉଜ୍‌ ଏଟ୍‌ ଏଇଟ୍‌ ପିଏମ୍‌, ନିଉଜ୍‌ ଏଟ୍‌ ନାଇନ୍‌ ପିଏମ୍‌, ନିଉଜ୍‌ ଆୱାର୍ସ ଲାଇଭ୍‌, ମିଡ୍‌ଡେ ଓଡ଼ିଶା, ଗୁଡ଼ ଆଫ୍‌ଟରନୁନ୍‌ ଓଡ଼ିଶା, ଇ ନିଉଜ୍‌, ସହର ପ୍ରାଇମ୍‌, ସ୍ପେଶାଲ୍‌ ରିପୋର୍ଟ ଇତ୍ୟାଦି । ଆଉ ଏକ ଚ୍ୟାନେଲର କାର୍ଯ୍ୟକ୍ରମର ନାମ ହେଲା ପ୍ରାଇମ୍‌ଟାଇମ୍‌ ନିଉଜ୍‌, ନନ୍‌ଷ୍ଟପ୍‌ ନିଉଜ୍‌, ନିଉଜ୍‌ ଟାଇମ୍‌ ଏଟ୍‌ ସେଭେନ୍‌, ବିଗ୍‌ ଡିବେଟ୍‌, କ୍ରାଇମ୍‌ ରିପୋର୍ଟର୍‌, ପେଜ୍‌ଥ୍ରୀ, ୱାନ୍‌ ଟୁ ୱାନ ଇତ୍ୟାଦି । ଆଉ କେତେକ ଚ୍ୟାନେଲରେ ପ୍ରସାରିତ ହେଉଚି ନିଉଜ୍‌ ଟାଇମ୍‌, ନେସନାଲ୍‌ ଇଣ୍ଟରନେସନାଲ, ଭିଉଜ୍‌ ଟୁ ନାଇଟ୍‌, ଫାଇନାଲ ରିପୋର୍ଟ, ଓଡ଼ିଶା ଥ୍ରୀସିକ୍ସଟି, ମନ୍‌ କୀ ବାତ୍‌ ଶୀର୍ଷକ କାର୍ଯ୍ୟକ୍ରମ । ଏସବୁ ଚ୍ୟାନେଲ ପାଇଁ ‘ଏକ୍ସକ୍ଲୁସିଭ୍‌’, ‘ବ୍ରେକିଙ୍ଗ୍‌ ନିଉଜ୍‌’ ଭଳି ଶବ୍ଦ ସତେଯେମିତି ନ ହେଲେ ନ ଚଳେ! କେବଳ କାର୍ଯ୍ୟକ୍ରମର ଶୀର୍ଷକ ନୁହେଁ, ଖବର/ବିଶ୍ଳେଷଣ/ ଆଲୋଚନା/ସାକ୍ଷାତକାର ଆଦିରେ ବହୁଳଭାବେ ହିନ୍ଦୀ/ଇଂରେଜୀ ଶବ୍ଦର ଖେଚୁଡ଼ି ବ୍ୟବହାର ଆମ ଭାଷା ପ୍ରତି ସୃଷ୍ଟି କରିଚାଲିଚି ଆହ୍ୱାନ । ଇଲେକ୍‌ଟ୍ରୋନିକ୍‌ ଗଣମାଧ୍ୟମ ଏକ ଦୃଶ୍ୟଶ୍ରାବ୍ୟ ମାଧ୍ୟମ ହୋଇଥିବାରୁ ଏହା ଦର୍ଶକର ମନ ଉପରେ ଦୀର୍ଘସ୍ଥାୟୀ ପ୍ରଭାବ ପକାଇଥାଏ; ତେଣୁ ଏଥିରେ କୁହାଯାଉଥିବା ଶବ୍ଦ/ଭାଷା ଦ୍ୱାରା ସେ ସହଜରେ ପ୍ରଭାବିତ ହୋଇଥାଏ । ଏଫ୍‌ଏମ୍‌ ରେଡିଓର ଉପସ୍ଥାପକ/ଉପସ୍ଥାପିକାଙ୍କ ପାଇଁ ସତେଯେମିତି ଓଡ଼ିଆ/ହିନ୍ଦୀ/ଇଂରେଜୀର ଖେଚୁଡ଼ି (ରିମିକ୍ସ) ଭାଷା କହିବା ଅବଧାରିତ । ମୁଖ୍ୟତଃ ଯୁବପିଢ଼ି ଏହାର ଶ୍ରୋତା ହୋଇଥିବାରୁ ଏଭଳି ବିଚିତ୍ର ଭାଷା/ଶୈଳୀ ଜରୁରୀ ବୋଲି ଧରିନିଆଯାଇଚି, ଯାହାର ଯୌକ୍ତିକତା/ସତ୍ୟତା କିଛି ନାହିଁ । ଓଡ଼ିଆ ଶ୍ରୋତାଟିଏ ଯୁବକ ହେଉ ବା ବୁଢ଼ା, ସେ ବିଶୁଦ୍ଧ ଓଡ଼ିଆ ଶୁଣିଲେ ତାକୁ କାହିଁକି ଖରାପ ଲାଗିବ? ବରଂ ସଚେତନ ଶ୍ରୋତାଙ୍କ ପାଇଁ ଖେଚୁଡ଼ି ଭାଷା ଶ୍ରୁତିକଟୁ ହେବାର ଆଶଙ୍କା ବେଶି । ବିଶୁଦ୍ଧ ଓଡ଼ିଆ ଶବ୍ଦକୁ ଭଲ ଶୈଳୀରେ କୁହାଗଲେ ତାହା ଅତ୍ୟନ୍ତ ଶ୍ରୁତିମଧୁର ହୋଇଥାଏ ଓ ଲୋକପ୍ରିୟ ବି; ତା’ର ଉଦାହରଣ ଆକାଶବାଣୀର କେତେକ ଉପସ୍ଥାପନା/କାର୍ଯ୍ୟକ୍ରମ, ଯାହାର ପ୍ରଭାବ ଶ୍ରୋତା ମନରେ ଦୀର୍ଘସ୍ଥାୟୀ ହୋଇ ରହିଯାଇଚି ।

ଗତ କେଇବର୍ଷ ହେଲା ଚଳଚ୍ଚିତ୍ର ପରି ଏକ ଲୋକପ୍ରିୟ ଗଣମାଧ୍ୟମରେ ବି ଇଂରେଜୀ/ହିନ୍ଦୀ ଭାଷାର ପ୍ରଭାବ ବଢ଼ିବାରେ ଲାଗିଚି । ଏହା ଚଳଚ୍ଚିତ୍ରର ନାମକରଣକୁ ଦେଖିଲେ ସହଜରେ ବୁଝିହୁଏ । କେତେକ ଇଂରେଜୀ ଶୀର୍ଷକ ଓଡ଼ିଆ ଚଳଚ୍ଚିତ୍ରର ନାମ ଦେଖନ୍ତୁ: ବର୍ଷା ମାଇଁ ଡାର୍ଲିଂ, ଆଇ ଲଭ୍‌ ୟୁ, ନନ୍ଦିନୀ ଆଇ ଲଭ୍‌ ୟୁ, ମୋଷ୍ଟ୍‌ ୱାଣ୍ଟେଡ, ଡି୍ରମ୍‌ଗାର୍ଲ, ଲଭ୍‌ ଡଟ୍‌କମ୍‌, ପ୍ରେମ୍‌ ୱେଡ୍ସ ପ୍ରିୟା, ଫେମିଲି ନଂ ୱାନ୍‌, ଓ ମାଇଁ ଲଭ୍‌, ୱାନ୍‌ଫୋର୍‌ଥ୍ରୀ ଆଇ ଲଭ୍‌ ୟୁ, ବାବୁ ଆଇ ଲଭ୍‌ ୟୁ, ସମ୍‌ଥିଙ୍ଗ୍‌ ସମ୍‌ଥିଙ୍ଗ୍‌, ଟାର୍ଗେଟ୍‌, କଲେଜ ଟାଇମ୍‌ ଇତ୍ୟାଦି । ସେହିପରି କେତେକ ହିନ୍ଦୀ ଶୀର୍ଷକ: ଇସ୍କ ତୁ ହି ତୁ, ଆଶିକ୍‌ ମୁଁ ଆୱାରା, ମୋ ଦୁନିଆ ତୁ ହି ତୁ, ଦିଲ୍‌ ତତେ ଦେଇଛି, ଦିୱାନା ଇତ୍ୟାଦି । କେବଳ ନାମ ନୁହେଁ, ଏସବୁ ଚଳଚ୍ଚିତ୍ରର ଗୀତ, ସଂଳାପ ଆଦିରେ ବି ଅଣଓଡ଼ିଆ ଶବ୍ଦର ବହୁଳ ବ୍ୟବହାର ଆମ ଓଡ଼ିଆ ଭାଷା ପାଇଁ ସୃଷ୍ଟି କରୁଚି ବିପଦ ।

(୨୮ ଫେବୃୟାରୀ ୨୦୧୬ରେ "ସମାଜ"ରେ ପ୍ରକାଶିତ)
Next PostNewer Post Previous PostOlder Post Home

0 comments:

Post a Comment

ଏହି ବ୍ଲଗର ସମସ୍ତ ସାମଗ୍ରୀ ଲେଖକଙ୍କ ସର୍ବସ୍ବତ୍ତ୍ବ ସଂରକ୍ଷିତ. Powered by Blogger.