ସାକ୍ଷାତକାର । ଜାଁ ଦ୍ରେଜ୍‌

2 comments

ଅର୍ଥନୀତିଜ୍ଞ ଜାଁ ଦ୍ରେଜ୍‌
ଅର୍ଥନୀତିଜ୍ଞ ଜାଁ ଦ୍ରେଜ୍‌
ଅଶୋକଙ୍କ ସହ ଅର୍ଥନୀତିଜ୍ଞ ଜାଁ ଦ୍ରେଜ୍‌


 

 ଜାତିଗତ ଜନସୁମାରି ନିଜକୁ ଚିହ୍ନିବାରେ ସହାୟତା କରିବ


ଜାଁ  ଦ୍ରେଜ୍‌। ‘ବିକାଶମୂଳକ ଅର୍ଥନୀତି’ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଭାରତୀୟ ଅର୍ଥନୀତିଜ୍ଞ ଭାବେ ଏକ ବିଶ୍ବପ୍ରସିଦ୍ଧ ନାମ। ବେଲ୍‌ଜିୟମରେ ଜନ୍ମିତ ଦ୍ରେଜ୍‌ ୧୯୭୯ରୁ ଭାରତକୁ ହିଁ ନିଜ ଘର କରିଛନ୍ତି ଏବଂ ୨୦୦୨ରୁ ଭାରତୀୟ ନାଗରିକ ହୋଇଛନ୍ତି। ସେ ନୂଆଦିଲ୍ଲୀସ୍ଥିତ ‘ଭାରତୀୟ ପରିସଂଖ୍ୟାନ ସଂସ୍ଥା’ରୁ ଅର୍ଥନୀତିରେ ପିଏଚ୍‌ଡି କରିବା ପରଠାରୁ କ୍ଷୁଧା, ମରୁଡ଼ି, ଲିଙ୍ଗବୈଷମ୍ୟ, ଶିଶୁ ସ୍ବାସ୍ଥ୍ୟ ଓ ଶିକ୍ଷା ଏବଂ ବିଶେଷଭାବେ  ପ୍ରଧାନମନ୍ତ୍ରୀ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଆଇନ (ମନରେଗା) କ୍ଷେତ୍ରରେ କାର୍ଯ୍ୟ କରିଆସୁଛନ୍ତି। ​‌େ​‌ସ ଲଣ୍ଡନ ସ୍କୁଲ୍‌ ଅଫ୍ ଇକୋନୋମିକ୍ସ, ଦିଲ୍ଲୀ ସ୍କୁଲ୍‌ ଅଫ୍ ଇକୋନୋମିକ୍ସ ଓ ଆହ୍ଲାବାଦ ବିଶ୍ବବିଦ୍ୟାଳୟରେ ଅଧ୍ୟାପନା ପରେ  ସମ୍ପ୍ରତି ରାଞ୍ଚି  ବିଶ୍ବବିଦ୍ୟାଳୟରେ ଅତିଥି ପ୍ରାଧ୍ୟାପକ ରୂପେ କାର୍ଯ୍ୟରତ। ତେବେ ଶ୍ରୀ ଦ୍ରେଜ୍‌ କେବଳ ବିଶ୍ବବିଦ୍ୟାଳୟର ଚାରିକାନ୍ଥ ମଧ୍ୟରେ ସୀମିତ ନ ରହି ଭାରତର ଗ୍ରାମାଞ୍ଚଳରେ ହିଁ ଅଧିକ ସମୟ ବିତାଇ  ଅର୍ଥନୀତିର ନୂତନ ଦିଗ ଦେଖାଇବାକୁ ଉଦ୍ୟମ କରିଆସିଛନ୍ତି। ସେ  ତିନିଜଣ ନୋବେଲ୍‌ ବିଜେତା ଅର୍ଥନୀତିଜ୍ଞ ଅମର୍ତ୍ତ୍ୟ ସେନ, ନିକୋଲାସ୍ ଷ୍ଟର୍ଣ୍ଣ ଓ ଆଙ୍ଗସ୍‌ ଡିଏଟନଙ୍କ ସହ ମିଶି  ଅର୍ଥନୀତି ସମ୍ପର୍କିତ ଅନେକ ବିଖ୍ୟାତ ପୁସ୍ତକ ରଚନା କରିଛନ୍ତି। ଅତୀତରେ ସେ ଦୁଇଥର ଜାତୀୟ ପରାମର୍ଶଦାତା ପରିଷଦର ସଦସ୍ୟ ରହିଥିଲେ। ବର୍ତ୍ତମାନ ନୋବେଲ ବିଜେତା ଅର୍ଥନୀତିଜ୍ଞ ଏସ୍ଥର୍‌ ଡୁଫ୍ଲୋଙ୍କ ନେତୃତ୍ବାଧୀନ ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦର ଅନ୍ୟତମ ସଦସ୍ୟ ଅଛନ୍ତି। ଭାରତରେ  ଅନେକ ଶାନ୍ତି ଆନ୍ଦୋଳନ, ସୂଚନା ଅଧିକାର ଅଭିଯାନ ଓ ଖାଦ୍ୟ ଅଧିକାର ଅଭିଯାନର ସେ ଜଣେ ସକ୍ରିୟ କର୍ମୀ।  ସମ୍ଭ୍ରାନ୍ତ ଜୀବନ ବ୍ୟତୀତ କରିବାକୁ ନ ଚାହିଁ  ସେ ପତ୍ନୀ ବେଲା ଭାଟିଆଙ୍କ ସହ ସାଧାରଣ ନିରାଡ଼ମ୍ବର ଜୀବନଯାପନ କରିଆସୁଛନ୍ତି।
ଏହି ଅନନ୍ୟ ଅର୍ଥଶାସ୍ତ୍ରବିଦ୍‌, ସମାଜ ବିଜ୍ଞାନୀ ଓ ସାମାଜିକ କର୍ମୀ ଜାଁ ଦ୍ରେଜ୍‌ ନିକଟରେ ଓଡ଼ିଶା ଆସିଥିବାବେଳେ  ‘ସମାଜ’ ପକ୍ଷରୁ ତାଙ୍କ ସହ ସାକ୍ଷାତ-ଆଲୋଚନା କରିଥିଲେ ଅଶୋକ।


ସମାଜ: ବିଶ୍ବ ଅସମାନତା ରିପୋର୍ଟ ୨୦୨୨ ଅନୁସାରେ ଭାରତ ପୃଥିବୀର ସର୍ବାଧିକ ଅସମାନତାପୂର୍ଣ୍ଣ ଦେଶ। ଆପଣ ଏଥିରେ ଏକମତ କି?

ଜାଁ ଦ୍ରେଜ୍‌: ନିଶ୍ଚିତ। ଆୟ ଓ ସମ୍ପତ୍ତି ପରିପ୍ରେକ୍ଷୀରେ ଏହି ରିପୋର୍ଟ ଦର୍ଶାଇଛି ଯେ ଭାରତ ହେଉଛି ବିଶ୍ବର ସର୍ବାଧିକ ବୈଷମ୍ୟ ରହିଥିବା ଦେଶ। ଏହା ବ୍ୟତୀତ ଜାତି ଓ ଲିଙ୍ଗ ଦୃଷ୍ଟିରୁ ମଧ୍ୟ ଭାରତରେ ଅସମାନତା ଅତ୍ୟଧିକ ଏବଂ ଏହି ଅସମାନତା ଗୋଟିଏ ଆରଟିକୁ ସୁଦୃଢ଼ କରିଥାଏ। ଭାରତର ଜନସାଧାରଣଙ୍କ ମଧ୍ୟରୁ ଏକ ବଡ଼ ଅଂଶ ଭିତରେ ଅସମାନତା ନେଇ ଧାର୍ମିକ ବା ସାଂସ୍କୃତିକ ସ୍ବୀକୃତିର ଏକ ବିଶେଷ ସମସ୍ୟା ମଧ୍ୟ ରହିଛି। ମୋର ସନ୍ଦେହ ଯେ ବିଶ୍ବର ଅନ୍ୟ କୌଣସି ଦେଶରେ ଏତେ ଗଭୀର ଭାବେ ଅସମାନତାର ସମସ୍ୟା ରହିଛି।


ଆପଣଙ୍କର କ’ଣ ମନେହେଉଛି ଯେ ଜାତିଗତ ଜନସୁମାରି କରାଯିବା ଆବଶ୍ୟକ, ଯେପରିକି ଅସମାନତାକୁ କମ୍‌ କରିବାର ପଦକ୍ଷେପରେ ଜାତିକୁ ମଧ୍ୟ ଅନ୍ତର୍ଭୁକ୍ତ କରିହେବ?
ମୋର ମନେହେଉଛି ଯେ ଜାତିଗତ ଜନଗଣନା ଆମକୁ ନିଜକୁ ଚିହ୍ନିବାରେ ସହାୟତା କରିବ। ଏହା ଭାରତର ଅର୍ଥବ୍ୟବସ୍ଥା ଓ ସାମାଜିକ ବ୍ୟବସ୍ଥାରେ ଜାତିର ନିରନ୍ତର ପ୍ରଭାବକୁ ଉନ୍ମୋଚନ କରିବାରେ ସାହାଯ୍ୟ କରିବ। ଜାତିଗତ ଜନସୁମାରି ଜାତିଗତ ପରିଚିତିକୁ ମଜଭୁତ କରିବ ଏବଂ ଏହାକୁ ଜାତି ବ୍ୟବସ୍ଥାରୁ ଉନ୍ମୁଳନ କରିବା କାମକୁ ଆହୁରି କଠିନ କରିଦେବ, ଏହା ମୁଁ ଦେଖିପାରୁଛି। ତେଣୁ ମୁଁ ଏହାକୁ ନିୟମିତ କରିବା ସପକ୍ଷରେ ନାହିଁ। କିନ୍ତୁ ମୋତେ ଲାଗୁଛି ଯେ ଜାତି ବ୍ୟବସ୍ଥାକୁ ସର୍ବସମ୍ମୁଖରେ ଯଦି ଉନ୍ମୋଚନ କରିବାର ଅଛି, ତେବେ ଭାରତୀୟ ସମାଜକୁ ଆଜି ଏହି ଆତ୍ମପରୀକ୍ଷାର ସମ୍ମୁଖୀନ ହେବାକୁ ହିଁ ପଡ଼ିବ। 


କୋଭିଡ଼ ସମୟ​‌େ​‌ର ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଆଇନ (ମନରେଗା) ପ୍ରବାସୀ ଶ୍ରମିକଙ୍କୁ ବହୁତ ସାହାଯ୍ୟ କରିଥିଲା, କିନ୍ତୁ ଏହାର କାର୍ଯ୍ୟାନ୍ବୟନରେ ଭ୍ରଷ୍ଟାଚାର ଯୋଗୁଁ ଏହା ସମାଲୋଚିତ ହୋଇଆସିଛି। ଏହାର ସମାଧାନ କ’ଣ?
ମନରେଗା କୋଭିଡ଼ ସଙ୍କଟ ବେ​‌େ​‌ଳ ପ୍ରବାସୀ ଶ୍ରମିକଙ୍କୁ ସହାୟତା ଯୋଗାଇବା ବ୍ୟତୀତ ଆହୁରି ବହୁତ କିଛି କରିଛି। ଏହା ସମସ୍ତ ଗ୍ରାମାଞ୍ଚଳ ଶ୍ରମିକଙ୍କୁ ଘରୋଇ ନିଯୋକ୍ତାଙ୍କଠାରୁ ଅଧିକ ମଜୁରୀ ପ୍ରଦାନ କରି ଲାଭାନ୍ବିତ କରିଥିଲା। ମନରେଗା ଅନ୍ୟାନ୍ୟ ଲାଭ ବ୍ୟତୀତ ଉତ୍ପାଦକ ସମ୍ପତ୍ତି ଏବଂ ପରିବେଶ ସୁରକ୍ଷା କରିବାରେ ସାହାଯ୍ୟ କରିଥିଲା। ତେବେ ଏହା ସତ୍ୟ ଯେ ବାଟମାରଣା ଓ ଭ୍ରଷ୍ଟାଚାର ଯୋଗୁଁ ମନରେଗାର ଅସଲ କ୍ଷମତା ନଷ୍ଟ ହୋଇଯାଉଛି। ମୁଖ୍ୟ ଅପରାଧୀ ହେଉଛନ୍ତି ଘରୋଇ ଠିକାଦାର, ଯାହାଙ୍କର ଏହି ଯୋଜନାରେ କୌଣସି ଭୂମିକା ରହିବା ଅନୁଚିତ। ମୋ ମତରେ ଏହି ସମସ୍ୟାର ସମାଧାନ ପାଇଁ ଆମକୁ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ର ଅଭିଜ୍ଞତାରୁ ଶିକ୍ଷା ଗ୍ରହଣ କରିବାକୁ ହେବ। ଛତିଶଗଡ଼ ଓ ଓଡ଼ିଶା ଭଳି ରାଜ୍ୟଗୁଡ଼ିକରେ ଘରୋଇ ଡିଲରଙ୍କ ହାତରୁ ଛଡ଼ାଇ ଆଣି ଗ୍ରାମପଞ୍ଚାୟତ ଓ ଅନ୍ୟ ଗୋଷ୍ଠୀଭିତ୍ତିକ ଅନୁଷ୍ଠାନଗୁଡ଼ିକ ହାତରେ ରେସନ ଦୋକାନ ଚଳାଇବାକୁ ଦେବାପରେ ପିଡିଏସ୍‌ରେ ଭ୍ରଷ୍ଟାଚାର ବହୁ ପରିମାଣରେ କମି ଯାଇଛି। ମନରେଗା ପାଇଁ ବୋଧହୁଏ ଏପରି କିଛି କରାଯାଇପାରେ, ଯଦିଚ ଏହି ଯୋଜନା ଏତେ ଜଟିଳ ହୋଇସାରିଛି ଯେ ମଧ୍ୟସ୍ଥଙ୍କ ବିନା କୌଣସି କାମ କରିବା କଷ୍ଟକର ହୋଇପଡ଼ିଲାଣି। ଯଦି ଗ୍ରାମ ପଞ୍ଚାୟତକୁ କାର୍ଯ୍ୟଭାର ସମର୍ପଣ କରିବାର ଅଛି, ତେବେ ଯୋଜନାକୁ ସରଳ କରିବାକୁ ହେବ। 


ସବୁଜ ବିପ୍ଳବ ଭାରତରେ ଖାଦ୍ୟ ଉତ୍ପାଦନକୁ ବୃଦ୍ଧି କରିଥିଲା, ଯେପରିକି ଏହା ଖାଦ୍ୟାନ୍ନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହୋଇପାରିବ। ଆପଣଙ୍କ ଅନୁସାରେ, ନୀତିଗତ ସ୍ତରରେ କେଉଁଠି ପ୍ରକୃତରେ ତ୍ରୁଟି ରହିଲା ଯେ ସ୍ବାଧୀନତାର ସାତ ଦଶନ୍ଧି ପରେ ମଧ୍ୟ ଭାରତରେ ପୁଷ୍ଟିହୀନତା ଉଚ୍ଚ ସ୍ତରରେ ରହିଛି?
ବ୍ୟାପକ ଅଳ୍ପପୁଷ୍ଟି ବହୁବିଧ ବିଫଳତାର ଦ୍ୟୋତକ, ଯେଉଁଥିରେ କ୍ରମାଗତ ଅତିଶୟ ଦାରିଦ୍ର୍ୟ, ମହିଳାଙ୍କୁ ନିରନ୍ତର ଉତ୍ପୀଡ଼ନ, ଶିକ୍ଷାର ନିମ୍ନ ସ୍ତର ଏବଂ ନିରାଶାଜନକ ସ୍ବାସ୍ଥ୍ୟସୁବିଧା ଇତ୍ୟାଦି ଅନ୍ତର୍ଭୁକ୍ତ। ଫଳସ୍ବରୂପ, ସାର୍ବଜନୀନ ନୀତି ଓ ଗଣତାନ୍ତ୍ରିକ ରାଜନୀତିରେ ଗରିବ ଲୋକଙ୍କ ପାଇଁ ଉଦ୍‌ବେଗର ପ୍ରତିଫଳନ ଖୁବ୍‌ କମ୍ ଦେଖାଯାଏ। ମହିଳାଙ୍କ ପ୍ରତି ଉତ୍ପୀଡ଼ନ ଭଳି କେତେକର ସାଂସ୍କୃତିକ ମୂଳ ବି ରହିଛି, କିନ୍ତୁ ସେଗୁଡ଼ିକ ମଧ୍ୟ ସାର୍ବଜନୀନ ନୀତି ଦ୍ବାରା ପ୍ରଭାବିତ ହୋଇପାରେ। ଯଦି ଆମେ ଅପପୁଷ୍ଟିର ଉନ୍ମୁଳନ ଚାହୁଁ, ତେବେ ଆମକୁ ସବୁ ଲୋକଙ୍କୁ ଭଲ ପାରିଶ୍ରମିକ, ଶିକ୍ଷା, ସ୍ବାସ୍ଥ୍ୟସେବା ଓ ଅନ୍ୟ ମୌଳିକ ସୁବିଧା ପ୍ରଦାନକୁ ସୁନିଶ୍ଚିତ କରିବାକୁ ହେବ। ଏଥିପାଇଁ କୌଣସି ‘ସର୍ଟକଟ୍’ ନାହିଁ।


ଆପଣଙ୍କର ଶେଷ ପ୍ରକାଶିତ ବହିର ନାଁ ଥିଲା ‘ସେନ୍‌ସ ଏଣ୍ଡ୍‌ ସଲିଡାରିଟି: ଝୋଲାୱାଲା ଇକୋନୋମିକ୍ସ ଫର୍‌ ଏଭ୍ରିୱାନ’। ‘ଝୋଲାୱାଲା ଇକୋନୋମିକ୍ସ’ କହିଲେ କ’ଣ ବୁଝାଏ ଏବଂ ସାମ୍ପ୍ରତିକ ପରିଦୃଶ୍ୟରେ ଏହାର ପ୍ରଭାବ କ’ଣ?
ପୁସ୍ତକ ମୁଖବନ୍ଧରେ ଯେପରି କୁହାଯାଇଛି, ଝୋଲାୱାଲା ଅର୍ଥଶାସ୍ତ୍ର ବୋଲି କିଛି ନାହିଁ। ଏହି ଅଭିବ୍ୟକ୍ତିର ଉଦ୍ଦେଶ୍ୟ କେବଳ ଅନୁସନ୍ଧାନ ଓ କାର୍ଯ୍ୟାନୁଷ୍ଠାନ ମଧ୍ୟରେ ସମ୍ଭାବ୍ୟ ପରିପୂରକତା ଆଡ଼କୁ ଦୃଷ୍ଟି ଆକର୍ଷଣ କରିବା। ଉତ୍ତମ ଗବେଷଣା ସାର୍ବଜନୀନ କାର୍ଯ୍ୟାନ୍ବୟନକୁ ମଜଭୁତ କରିପାରେ; ଏପରିକି ନିଜେ ମଧ୍ୟ କାର୍ଯ୍ୟାନ୍ବୟନର ଏକ ଉପକରଣ ହୋଇପାରେ। ଏହାର ବିପରୀତ, ସମ୍ମିଳିତ ପଦକ୍ଷେପ ଏକ ବଡ଼ ଶିକ୍ଷଣୀୟ ଅଭିଜ୍ଞତା ହୋଇପାରିବ। ଝୋଲାୱାଲା ଅର୍ଥଶାସ୍ତ୍ରର ବିଚାର ଅର୍ଥନୈତିକ ଗବେଷଣାକୁ ବ୍ୟାବହାରିକ ପରିବର୍ତ୍ତନ ସହ ସଂଯୋଗ କରିଥାଏ। 


ଏକଦା ଆପଣ ଓଡ଼ିଶାର ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ର ପ୍ରଶଂସା କରିଥିଲେ। ଏହା କ’ଣ ଦେଶର ସର୍ବଶ୍ରେଷ୍ଠ ବ୍ୟବସ୍ଥା?
ମୁଁ କହିବି ନାହିଁ ଯେ ଏହା ଦେଶର ଶ୍ରେଷ୍ଠତମ; କିନ୍ତୁ ମନେହୁଏ ଯେ ଏହା ଅନ୍ୟତମ ଶ୍ରେଷ୍ଠ ବ୍ୟବସ୍ଥା। ୨୦୧୬ରେ କରାଯାଇଥିବା ଏକ ସର୍ବେକ୍ଷଣରେ ଆମେ ନିଷ୍କର୍ଷରେ ଉପନୀତ ହୋଇଥିଲୁ ଯେ ଓଡ଼ିଶାର ଗ୍ରାମୀଣ ପରିବାରଗୁଡ଼ିକ ପିଡିଏସ୍‌ ଅଧୀନରେ ସେମାନଙ୍କ ଖାଦ୍ୟାନ୍ନ ଅଧିକାରର ୯୦%ରୁ ଅଧିକ ପାଉଛନ୍ତି। ଏହା ନିକଟରେ କରାଯାଇଥିବା ଅନ୍ୟ ଅନୁଧ୍ୟାନଗୁଡ଼ିକରୁ ମଧ୍ୟ ଜଣାପଡ଼ିଛି। ତେବେ ଏଥିରେ ସଂସ୍କାର ପାଇଁ ଅନେକ କିଛି ସୁଯୋଗ ରହିଛି। ଏଥିସହ ଗତ ଦୁଇ ବର୍ଷ ଭିତରେ ପିଡିଏସ୍‌ର କାର୍ଯ୍ୟକାରିତା କ୍ଷେତ୍ରରେ କେତେକ ରାଜ୍ୟରେ ଘୋର ବିଭ୍ରାଟ ଦେଖାଯାଇଛି। ଓଡ଼ିଶା କ୍ଷେତ୍ରରେ ଏପରି ହୋଇଛି କି ନାହିଁ, ତାହା ଜାଣିବା ଗୁରୁତ୍ବପୂର୍ଣ୍ଣ।

 
ନିକଟରେ ଆପଣ ‘ଏଚ୍‌ଓପିଏସ୍‌ ଏଜ୍‌ ଏ ରୁଟ୍‌ ଟୁ ୟୁନିଭର୍ସାଲ୍‌ ହେଲ୍‌ଥକେୟାର୍‌’ ଶୀର୍ଷକ ଏକ ଅଗ୍ରଲେଖ ଖବରକାଗଜରେ ଲେଖିଥିଲେ। ଆପଣଙ୍କ ଅନୁଯାୟୀ ଓଡ଼ିଶା ଭଳି ରାଜ୍ୟରେ ଏହାକୁ କିପରି କାର୍ଯ୍ୟକାରୀ କରିହେବ?
ଏଚ୍‌ଓପିଏସ୍‌ର ଅର୍ଥ ‘ଏକ ଇଚ୍ଛାଧୀନ ସାର୍ବଜନୀନ ସେବା ରୂପରେ ସ୍ବାସ୍ଥ୍ୟସେବା’ (ହେଲ୍‌ଥକେୟାର୍‌ ଏଜ୍‌ ଏନ୍‌ ଅପ୍‌ସନାଲ୍‌ ପବ୍ଲିକ୍‌ ସର୍ଭିସ୍‌)। ଏହାର ମୁଖ୍ୟ ବିଚାର ହେଉଛି ସାର୍ବଜନୀନ କ୍ଷେତ୍ରରେ ପ୍ରତ୍ୟେକ ବ୍ୟକ୍ତିଙ୍କର ସ୍ବାସ୍ଥ୍ୟସେବାର ଆଇନଗତ ଅଧିକାର ରହିବା ଦରକାର। ଏହା ଯେ କୌଣସି ବ୍ୟକ୍ତିକୁ ନିଜ ଖର୍ଚରେ ଘରୋଇ କ୍ଷେତ୍ରରୁ ସ୍ବାସ୍ଥ୍ୟସେବା ଗ୍ରହଣ କରିବାରେ ପ୍ରତିବନ୍ଧକ ସୃଷ୍ଟି କରିବ ନାହିଁ। ଏହି ଢାଞ୍ଚାର ମୁଖ୍ୟ ଆହ୍ବାନ ହେଉଛି ସେହି ସେବାଗୁଡ଼ିକୁ ନିର୍ଦିଷ୍ଟ କରିବା, ଯାହାର ଗ୍ୟାରେଣ୍ଟି ଲୋକଙ୍କୁ ଅଧିକାର ରୂପେ ଦିଆଯିବ। ଏହାର ପରିଚାଳନା ଆଦର୍ଶଗତ ଭାବେ ଏକ ସ୍ବାଧୀନ ସଂସ୍ଥା ଦ୍ବାରା କରାଯିବା ଆବଶ୍ୟକ, ଯେଉଁଥିରେ ସରକାରଙ୍କ ପ୍ରତିନିଧି ବ୍ୟତୀତ ଅନ୍ୟମାନେ ମଧ୍ୟ ସ୍ଥାନ ପାଇବେ। 


ଓଡ଼ିଶା ସରକାରଙ୍କୁ ଆପଣ କି ପରାମର୍ଶ ଦେବେ?
ଓଡ଼ିଶାକୁ ସ୍ବାସ୍ଥ୍ୟସେବା ଅଧିକାର ଅଧିନିୟମ ଉପରେ ବିଚାର କରିବା ଆବଶ୍ୟକ। ରାଜସ୍ଥାନ ଓ ତାମିଲନାଡୁ ଏ କ୍ଷେତ୍ରରେ ପୂର୍ବରୁ ପଦକ୍ଷେପ ନେଇଛନ୍ତି। ଓଡ଼ିଶା ଅପେକ୍ଷାକୃତ ଗରିବ ରାଜ୍ୟ, କିନ୍ତୁ ଏହା ସାର୍ବଜନୀନ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଆଗରୁ ବିଭିନ୍ନ ପ୍ରକାରର ଯୋଜନା ହାତକୁ ନେଇଛି। ପ୍ରକୃତରେ ସଦ୍ୟତମ ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ (ଏନ୍‌ଏଫ୍‌ଏଚ୍‌ଏସ୍‌) ଅନୁସାରେ ଓଡ଼ିଶାର ପ୍ରାୟ ୯୦% ପରିବାର ଦେହ ଖରାପ ହେଲେ ସାଧାରଣତଃ ସାର୍ବଜନୀନ କ୍ଷେତ୍ର ବା ସରକାରୀ ଡାକ୍ତରଖାନାକୁ ଯାଇଥା’ନ୍ତି। ସ୍ବାସ୍ଥ୍ୟସେବା ଆଇନ ସାର୍ବଜନୀନ  ସ୍ବାସ୍ଥ୍ୟସେବାକୁ ମଜଭୁତ କରିବା ସହ ନିଜର ଅଧିକାର ଭାବେ ଉଚ୍ଚମାନର ସ୍ବାସ୍ଥ୍ୟସେବା ଯୋଗାଇଦେବାକୁ ଦାବି କରିବା ପାଇଁ ଜନସାଧାରଣଙ୍କୁ କ୍ଷମତାପନ୍ନ କରିବ। 

(‘ସମାଜ’ରେ ୧୦ ଜୁଲାଇ ୨୦୨୨, ରବିବାର ପ୍ରକାଶିତ)

Next PostNewer Post Previous PostOlder Post Home

2 comments:

  1. ଗତକାଲି ପ୍ରକାଶିତ ଏହି ସାକ୍ଷାତକାରଟିକୁ ପଢିଲା ପରେ, ଜଣେ ପ୍ରସିଦ୍ଧ ଅର୍ଥନୀତିଜ୍ଞଙ୍କ ଦୃଷ୍ଟିରେ ଭାରତୀୟ ଅର୍ଥନୈତିକ ପରିଚାଳନା ଓ ଯୋଜନା ଗୁଡିକର ରୂପାୟନ ଉପରେ ଜାଁ ଦ୍ରେଜଙ୍କ ଦୃଷ୍ଟିଭଙ୍ଗୀ ଜାଣିହେଲା। ସାକ୍ଷାତକାରଟି ଜୀବନ୍ତ ଓ ମନଲୋଭା; ସୁଖପାଠ୍ୟ। ଅଭିନନ୍ଦନ ନେବେ।

    ReplyDelete
  2. ଚମତ୍କାର।ଶିକ୍ଷଣୀୟ।

    ReplyDelete

ଏହି ବ୍ଲଗର ସମସ୍ତ ସାମଗ୍ରୀ ଲେଖକଙ୍କ ସର୍ବସ୍ବତ୍ତ୍ବ ସଂରକ୍ଷିତ. Powered by Blogger.