ସାକ୍ଷାତକାର/ ହରିବଂଶ ନାରାୟଣ ସିଂହ

Leave a Comment


‘ବିଚାରଗତ ପରିବର୍ତ୍ତନ ସମାଜକୁ କଳୁଷିତ କରୁଛି’

 

ହରିବଂଶ ନାମରେ ଜଣାଶୁଣା ହରିବଂଶ ନାରାୟଣ ସିଂହ (ଜନ୍ମ: ୩୦ ଜୁନ ୧୯୫୬) ଦୀର୍ଘ ତିନି ଦଶନ୍ଧିର ସାମ୍ବାଦିକତା ପରେ ରାଜନୀତିରେ ପାଦ ଦେଇଥିଲେ ୨୦୧୪ ମସିହାରେ ବିହାରର ଜନତା ଦଳ (ୟୁନାଇଟେଡ) ଜରିଆରେ। ରାଜ୍ୟସଭାକୁ ମନୋନୀତ ହୋଇ ପ୍ରଥମ କାର୍ଯ୍ୟକାଳରେ ହିଁ ସେ ୨୦୧୮ରେ ଏନ୍‌ଡିଏର ପ୍ରାର୍ଥୀ ରୂପେ ରାଜ୍ୟସଭାର ଉପାଧ୍ୟକ୍ଷ ନିର୍ବାଚିତ ହେଲେ ଓ ଦ୍ବିତୀୟ ଥର ୨୦୨୦ରେ ପୁନଃନିର୍ବାଚିତ ହୋଇଛନ୍ତି। ଶ୍ରୀ ହରିବଂଶଙ୍କ ସାମ୍ବାଦିକ ଜୀବନ ଆରମ୍ଭ ହୋଇଥିଲା ୧୯୭୭ରେ ଟାଇମ୍ସ ଅଫ୍ ଇଣ୍ଡିଆ ଗ୍ରୁପ୍‌ର ହିନ୍ଦୀ ପତ୍ରିକା ‘ଧର୍ମୟୁଗ୍‌’ରୁ ଏବଂ ପରେ ସେ କଲକାତାର ଆନନ୍ଦ ବଜାର ପତ୍ରିକା ଗ୍ରୁପ୍‌ର ହିନ୍ଦୀ ପତ୍ରିକା ‘ରବିବାର’ରେ କାର୍ଯ୍ୟ କଲେ। ୧୯୮୯ରେ ସେ ‘ପ୍ରଭାତ ଖବର’ ଖବରକାଗଜର ମୁଖ୍ୟ ସମ୍ପାଦକ ହେଲେ, ଯାହା ବିହାରର ଗୋଖାଦ୍ୟ ଦୁର୍ନୀତି ସମେତ ବହୁ ଦୁର୍ନୀତିର ପେଡ଼ି ଖୋଲିଥିବାରୁ ବେଶ୍‌ ପ୍ରସିଦ୍ଧ। ହରିବଂଶ ପୂର୍ବତନ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖରଙ୍କ ଜୀବନୀ ସମେତ ବହୁ ପୁସ୍ତକର ରଚୟିତା ଓ ସଂପାଦକ।
ନିକଟରେ ‘ଗୋପବନ୍ଧୁଙ୍କ ସତ୍ୟବାଦୀ’ ପତ୍ରିକାର ବାର୍ଷିକୋତ୍ସବରେ ଯୋଗ ଦେବାକୁ ଓଡ଼ିଶା ଆସିଥିବା ଅବସରରେ ହରିବଂଶଙ୍କ ସହ ‘ସମାଜ’ ପକ୍ଷରୁ ଆଲୋଚନା କରିଥିଲେ ଅଶୋକ

 

ସମାଜ: ଆପଣ ପ୍ରଥମେ ଜଣେ ସାମ୍ବାଦିକ ଥିଲେ ଏବଂ ପରେ ରାଜନୀତିକୁ ଆସିଲେ।  ଏହା କିପରି ସମ୍ଭବ ହେଲା? ନିଜର ରାଜନୈତିକ ବିଚାର ପାଇଁ ଆପଣ କାହାକୁ ପ୍ରେରଣା ବୋଲି ମାନନ୍ତି?
ହରିବଂଶ: ମୂଳତଃ ମୁଁ ଜଣେ ସାମ୍ବାଦିକ ଓ ଦୀର୍ଘ ସମୟ ଧରି ସାମ୍ବାଦିକତା କରିଛି। ମୋର ଜନ୍ମ ଜୟପ୍ରକାଶ ନାରାୟଣ ଜୀଙ୍କ ଗାଁରେ ହୋଇଥିଲା। ଏହା ଦୁଇଟି ରାଜ୍ୟ ଉତ୍ତରପ୍ରଦେଶ ଓ ବିହାରର ଗାଁ। ତିନିଟି ଜିଲା ଆରା, ବଲିଆ ଓ ଛପରା ଭିତରେ ଏହି ଗାଁଟି ଆସେ। ସଂଯୋଗବଶତଃ ଜୟପ୍ରକାଶଙ୍କ ଜନ୍ମ ସେଇ ଗାଁରେ ହୋଇଥିବାରୁ ସେ ମୋର ସ୍ବାଭାବିକ ପ୍ରେରଣା ପାଲଟିଗଲେ। ଯେତେବେଳେ ମୁଁ ଯୁବକ ଥିଲି, ପାଠ ପଢ଼ୁଥିଲି, ସେତେବେଳେ ଜୟପ୍ରକାଶ ଆନ୍ଦୋଳନ ଆରମ୍ଭ ହେଲା। ମୁଁ ବନାରସ (ବାରାଣସୀ)ରେ ଅର୍ଥନୀତି ପଢ଼ୁଥିଲି। ସେତେବେଳେ ଆନ୍ଦୋଳନରୁ ପ୍ରେରଣା ମିଳିଲା ଓ ଆମକୁ ଲାଗିଲା ଯେ ସମାଜ ବଦଳିବା ଉଚିତ। ଜୟପ୍ରକାଶ ନାରାୟଣ ଯେଉଁ ପ୍ରସଙ୍ଗ ଉଠାଇଛନ୍ତି, ଆମକୁ ତାହା ଠିକ୍‌ ମନେହେଲା। ତେଣୁ ଆ​‌େ​‌ମ ତାକୁ ଦର୍ଶନ ଭାବେ ଗ୍ରହଣ କଲୁ। ସମାଜ ପରିବର୍ତ୍ତନ ପାଇଁ ସାମ୍ବାଦିକତା ଠିକ୍‌ ରାସ୍ତା ବୋଲି ମନେହେଲା। ସ୍ବାଧୀନତା ସଂଗ୍ରାମ ସମୟରେ ମଧ୍ୟ ସାମ୍ବାଦିକତା ତାହା କରୁଥିଲା। ସମ୍ମାନନୀୟ ଗୋପବନ୍ଧୁ ଦାସ ଜୀଙ୍କ କଥା ନିଅନ୍ତୁ। ସ୍ବାଧୀନତା ସଂଗ୍ରାମ ସମୟରେ ସେ ସାମ୍ବାଦିକତା ଓ ସାହିତ୍ୟକୁ ଧରି ହିଁ ସଂଗ୍ରାମ କଲେ, ଅନ୍ୟମାନଙ୍କ ବିଚାରକୁ ପ୍ରଭାବିତ କଲେ। ସେହି ଦୃଷ୍ଟିରୁ ଜୟପ୍ରକାଶ ଆନ୍ଦୋଳନ ସମୟରେ ଟାଇମ୍ସ ଅଫ୍‌ ଇଣ୍ଡିଆରେ ତାଲିମ ଗ୍ରହଣକାରୀ ସାମ୍ବାଦିକତା ଯୋଜନା କାର୍ଯ୍ୟକାରୀ ହେଉଥିଲା। ସେଇଠି ଏସ୍‌.ପି. ସିଂହ, ଗଣେଶ ମନ୍ତ୍ରୀ, ବିକ୍ରମ ରାଓ, ଏମ୍‌.ଜେ. ଆକବର, ଉଦୟନ ଶର୍ମାଙ୍କ ଭଳି ବିଶିଷ୍ଟ ଲୋକେ ମନୋନୀତ ହୋଇ ଆସିଥିଲେ। ସେହି କ୍ରମରେ ୧୯୭୭ରେ ମୋର ‘ବମ୍ବେ ଟାଇମ୍ସ ଅଫ୍ ଇଣ୍ଡିଆ’ରେ ଜଣେ ଟ୍ରେନି ଜର୍ଣ୍ଣାଲିଷ୍ଟ୍‌ ଭାବେ ପ୍ରବେଶ ଘଟିଲା। ସେତେବେଳେ ସର୍ବାଧିକ ବିକ୍ରି ହେଉଥିବା ପତ୍ରିକା ‘ଧର୍ମୟୁଗ୍‌’ରେ କାମ କରିବାର ସୁଯୋଗ ମିଳିଲା। ସେଠାରୁ ମୁଁ ହାଇଦରାବାଦକୁ ଏକ ବ୍ୟାଙ୍କ୍‌ ଚାକିରି ପାଇଁ ଗଲି। ପରେ ତାକୁ ଛାଡ଼ି କଲିକତା ଅାନନ୍ଦ ବଜାର ପତ୍ରିକାର ‘ରବିବାର’ରେ ଯୋଗ ଦେଲି। ଦୁଇ ମହାନଗରୀ ବମ୍ବେ ଓ କଲିକତାର ସବୁଠୁ ବଡ଼ ଖବରକାଗଜ ସମୂହରେ କାମ କରିବା ପରେ ମୋର ମନେହେଲା ଯେ ଛୋଟ ଜାଗାକୁ ଯାଇ ଜୟପ୍ରକାଶ ଆନ୍ଦୋଳନର ଯେଉଁ ଆଶା ଆକାଙ୍‌କ୍ଷା ରହିଥିଲା, ତାହା ସାମ୍ବାଦିକତା ମାଧ୍ୟମରେ ସମ୍ଭବ ହେଉଛି ନା ନାହିଁ ତାହା ପରୀକ୍ଷା କରାଯିବା ଉଚିତ। ଏହାପରେ ୧୯୮୯ ଅକ୍ଟୋବରରେ ମୁଁ ଏକ ବନ୍ଦପ୍ରାୟ ଖବରକାଗଜରେ ଯୋଗ ଦେବାକୁ ରାଞ୍ଚି ଗଲି। ୪୦୦ କପି ବିକ୍ରି ହେଉଥିଲା। ୨୬ ବର୍ଷ ପରେ ଯେତେବେଳେ ମୁଁ ସେହି ଖବରକାଗଜକୁ ବିଦାୟ ନେଲି, ସେତେଳେକୁ ତା’ର ଦଶଟି ସଂସ୍କରଣ ପ୍ରକାଶ ପାଉଥିଲା ଏବଂ ପାଠକ ସଂଖ୍ୟା ଥିଲେ କୋଟିକୋଟି। ୧୯୮୯-୯୦ରେ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖର ଜୀ ମୋତେ ପ୍ରେସ୍‌ ଆଡ଼ଭାଇଜର ଜଏଣ୍ଟ ସେକ୍ରେଟାରୀ ଭାବେ ରଖିଲେ। ମୋ ଭିତରେ ରାଜନୀତି ପ୍ରତି ରୁଚି ଥିଲା। ୨୦୧୪ରେ ଜନତା ଦଳ (ୟୁନାଇଟେଡ)ର ନୀତୀଶ କୁମାର ଜୀ ମୋତେ ରାଜ୍ୟସଭାକୁ ପଠାଇବାକୁ କହିଲେ। ଦେଖନ୍ତୁ, ଆରମ୍ଭରୁ ହିଁ ମୁଁ ମାନିଆସିଛି ଯେ ରାଜନୀତି ହିଁ ସମାଜକୁ ବଦଳାଏ।  ଦେଶର ନିୟତି ସ୍ଥିର ହେଉଥିବା ସଂସଦ ଯାଇକି ଦେଖିବାକୁ ମୋର ଇଚ୍ଛା ହେଲା। ଏହିପରି ଭାବେ ସାମ୍ବାଦିକତାରୁ ମୋର ରାଜନୀତିରେ ପ୍ରବେଶ ଘଟିଲା। 


ଆପଣ କହିଲେ ଆପଣଙ୍କ ଉପରେ ଜୟପ୍ରକାଶଙ୍କ ପ୍ରଭାବ ପଡ଼ିଥିଲା। ତେବେ ଆପଣ ତାକୁ ସାମ୍ବାଦିକତା ଓ ରାଜନୈତିକ ଜୀବନରେ କିପରି କାର୍ଯ୍ୟକାରୀ କଲେ?
ସର୍ବପ୍ରଥମେ ଜୀବନରେ ସରଳତା ଓ ନୈତିକ ମୂଲ୍ୟବୋଧକୁ ଆପଣାଇବା। ମନେରଖନ୍ତୁ ଯେ, ଜୟପ୍ରକାଶ ଥିଲେ ଗାନ୍ଧିଜୀଙ୍କ ଦର୍ଶନର ସର୍ବଶ୍ରେଷ୍ଠ ବ୍ୟାଖ୍ୟାକାର, ସମାଜବାଦର ପ୍ରତିଷ୍ଠାତା ଥିଲେ। ୧୯୬୪ରେ ସେ ହିଁ ‘ସଂପୂର୍ଣ୍ଣ କ୍ରାନ୍ତି’ ଆରମ୍ଭ କଲେ। ଗାନ୍ଧିଜୀ ସବୁବେଳେ ରାଜନୀତିରେ ସରଳତା ଓ ନୈତିକତାକୁ ଗୁରୁତ୍ବ ଦେଉଥିଲେ। ଭୁଲ୍‌ ବାଟରେ ଯାଇ ଆପଣ ଠିକ୍‌ ଲକ୍ଷ୍ୟସ୍ଥଳରେ ପହଞ୍ଚିପାରିବେ ନାହିଁ। ତେଣୁ ଆମକୁ ବୈଚାରିକ ଆଧାରରେ ଏବେମଧ୍ୟ ଜୟପ୍ରକାଶ ଓ ଗାନ୍ଧିବାଦୀ ଦର୍ଶନରୁ ପ୍ରେରଣା ମିଳିଥାଏ, ଯାହାକୁ ଆମେ ବ୍ୟକ୍ତିଗତ ଜୀବନରେ ମଧ୍ୟ ପ୍ରୟୋଗ କରିପାରିବା। 


ଆପଣଙ୍କୁ କିଛି ଲୋକ ସମାଜବାଦୀ କହନ୍ତି ତ କିଛି ଲୋକ ଏବେ ସେପରି କହିବାକୁ କୁଣ୍ଠାବୋଧ କରୁଛନ୍ତି। ଆପଣ ପୂର୍ଣ୍ଣତଃ ସମାଜବାଦୀ ନା ଆଉ କିଛି?

ପ୍ରକୃତରେ ସମାଜବାଦର ଅବଧାରଣା ବଦଳିଚାଲିଛି। ଖୋଦ୍‌ ଜୟପ୍ରକାଶଙ୍କ ଜୀବନକୁ ଦେଖନ୍ତୁ ସେଥିରେ କେତେ ପରିବର୍ତ୍ତନ ଆସିଛି। ସେ ମାର୍କ୍ସବାଦ ଆପଣାଇଲେ; ପରେ ସମାଜବାଦର ପ୍ରଣେତା ହେଲେ। ପୁଣି ସର୍ବୋଦୟ ଏବଂ ଶେଷରେ ୭୪’ରେ ସମ୍ପୂର୍ଣ୍ଣ କ୍ରାନ୍ତି କଥା କହିଲେ। ସେ କହିଲେ ଯେ ସମୟର ଧାରା ଅନୁସାରେ ବିଚାର ମଧ୍ୟ ବଦଳେ। କୌଣସି ବିଚାର ସ୍ଥିର ନୁହେଁ। ଆଜି ସମାଜର ସବୁଠୁ ବଡ଼ ସମସ୍ୟା ହେଲା ଚରିତ୍ରକୁ ନେଇ, ନୈତିକତାକୁ ନେଇ। କାହାକୁ ଆକ୍ରମଣାତ୍ମକ ବ୍ୟବହାର ନ କରିବା, ସରଳ ଓ ନୈତିକ ଜୀବନ ବଞ୍ଚିବା- ଗାନ୍ଧିଜୀ ତାଙ୍କ ଆଶ୍ରମରେ ଏହା ଉପରେ ସର୍ବଦା ଗୁରୁତ୍ବାରୋପ କରୁଥିଲେ। ଜୟପ୍ରକାଶ ମଧ୍ୟ ଏ ମୂଲ୍ୟବୋଧକୁ ଆପଣାଇଥିଲେ। ତେଣୁ ଏସବୁ ଶାଶ୍ବତ ମୂଲ୍ୟବୋଧଗୁଡ଼ିକୁ ନିଜ ଜୀବନର ଅଂଶ କରିବାକୁ ଆମେ ଚେଷ୍ଟିତ ହେବା ଉଚିତ। ତେଣୁ ମୋ କ୍ଷେତ୍ରରେ ଯେଉଁମାନେ ସେପରି କହନ୍ତି, ତାହା ତାଙ୍କ ବ୍ୟକ୍ତିଗତ ବିଚାର। ସର୍ବୋଦୟର ବଡ଼ ନେତା ଦାଦା ଧର୍ମାଧିକାରୀ କହୁଥିଲେ, ପୁଞ୍ଜିବାଦ, ସାମ୍ୟବାଦ, ସମାଜବାଦ, ଅରାଜକତାବାଦ- ଏହା ବଡ଼ ପ୍ରଶ୍ନ ନୁହେଁ; ବଡ଼ ପ୍ରଶ୍ନ ହେଉଛି ଏପରି କୌଣସି ସାଧନ ଅଛି ନା ନାହିଁ, ଯାହାଦ୍ବାରା ମନୁଷ୍ୟର ପରିବର୍ତ୍ତନ ଘଟିବ, ସେ ବଦଳିବ। ଗାନ୍ଧିଜୀ କୌଣସି ବାଦ ଭିତରେ ବାନ୍ଧି ହୋଇ ନଥିଲେ। ସମାଜ କିପରି ବଦଳିବ, ସାମ୍ବାଦିକତାକୁ ଧରି ମୁଁ ଚେଷ୍ଟା କରିଥିଲି ଏବଂ ଏବେ ରାଜନୀତିକୁ ଧରି ତାହା କରିବାକୁ ଉଦ୍ୟମ କରୁଛି। 


ବ୍ୟକ୍ତିଗତ ଜୀବନ ଭଳି ସଂସଦରେ ମଧ୍ୟ ନିଜ ଆଚରଣ ଦ୍ବାରା ଅନ୍ୟମାନଙ୍କୁ ଆପଣ ବେଶ୍‌ ପ୍ରଭାବିତ କରିଛନ୍ତି; କିନ୍ତୁ କୃଷି ବିଧେୟକକୁ ଧ୍ବନିମତରେ ମଂଜୁରୀ ଦିଆଇବା ପରେ ଆପଣଙ୍କ ଭାବମୂର୍ତ୍ତିକୁ ନେଇ ପ୍ରଶ୍ନ ଉଠିଥିଲା। ଏ ସମ୍ପର୍କରେ ଆପଣ କ’ଣ କହିବେ?
ଦୁଇଟି କଥା ମୁଁ କହିବାକୁ ଚାହିଁବି। ସେତେବେଳେ ପଦମର୍ଯ୍ୟାଦା ଅନୁସାରେ ମୁଁ ଆଚରଣ କରିଥିଲି। ଆମ ବ୍ୟବସ୍ଥାରେ ଏପରି କେତେକ ପଦ ଅଛି, ଯଥା ବାଚସ୍ପତି, ଅଧ୍ୟକ୍ଷ, ଉପାଧ୍ୟକ୍ଷ ବା ବିଚାର ବିଭାଗୀୟ ପଦଗୁଡ଼ିକ, ଏସବୁରେ ପଦସ୍ଥ ବ୍ୟକ୍ତି ସାମ୍ବାଦିକ ସମ୍ମିଳନୀରେ କିଛି କହିପାରିବେ ନାହିଁ। ଆପଣ କେବେମଧ୍ୟ କୌଣସି ଖବରକାଗଜ ବା ଗଣମାଧ୍ୟମରେ ଏ ନେଇ ମୋର ବିବୃତି ବା ପ୍ରେସ୍‌ ବିଜ୍ଞପ୍ତି ପାଇବେ ନାହିଁ; କାହିଁକିନା ଏ ପଦର ମର୍ଯ୍ୟାଦା ହିଁ ସେହିଭଳି। କିନ୍ତୁ ଆପଣ ଯେଉଁ ପ୍ରଶ୍ନଟି ପଚାରିଛନ୍ତି, ମୁଁ ଅନୁରୋଧ କରିବି, କୃଷି ବିଲ୍‌ ସମ୍ପର୍କିତ ରାଜ୍ୟସଭାର ରେକର୍ଡକୁ ବାହାର କରି ଦେଖନ୍ତୁ ଯେ ମୁଁ ଅନେକ ଥର ସଦସ୍ୟମାନଙ୍କୁ କହିଛି, ସେମାନେ ଶାନ୍ତିପୂର୍ଣ୍ଣ ଭାବେ ବସନ୍ତୁ, ସତର ଅଠର ଥର। ଆସନରେ ନ ବସିବା ପର୍ଯ୍ୟନ୍ତ ଭୋଟିଂ (ମତଗ୍ରହଣ) ହୋଇପାରିବ ନାହିଁ। ପ୍ରସଙ୍ଗଟି ଉପରେ ସାଢ଼େ ତିନି- ଚାରି ଘଣ୍ଟା ଆଲୋଚନା ହୋଇଛି। ତେଣୁ ଆପଣ ଦେଖିପାରିବେ; ସଦନ ରେକର୍ଡରୁ ଜଣାପଡ଼ିବ ଯେ ସେତେବେଳେ ସ୍ଥିତି କ’ଣ ଥିଲା। ଯେତେବେଳେ ମୁଁ ଏହି ପଦରୁ ଚାଲିଯିବି, ସେତେବେଳେ ଜଣେ ସ୍ବାଧୀନ ନାଗରିକ ଭା‌େ‌ବ ମୁଁ ସବୁକିଛି ସ୍ପଷ୍ଟଭାବେ କହିବି।


ପୂର୍ବତନ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖରଙ୍କ ସହ ଆପଣଙ୍କ ଖୁବ୍‌ ଭଲ ସମ୍ବନ୍ଧ ରହିଥିଲା। ଆପଣ ତାଙ୍କର ଅତିରିକ୍ତ ସୂଚନା ପରାମର୍ଶଦାତା ଥିଲେ। ଆପଣ ତାଙ୍କ ଉପରେ ଅନେକ ପୁସ୍ତକ ମଧ୍ୟ ଲେଖିଛନ୍ତି। ଭାରତ ଇତିହାସରେ ତାଙ୍କର ସ୍ଥାନ କେଉଁଠି ବୋଲି ଆପଣ ଭାବନ୍ତି?
ପ୍ରକୃତରେ ଚନ୍ଦ୍ରଶେଖର ଥିଲେ ନିଜ ବିଚାରାଧାରାରେ ଆଜୀବନ ଚାଲୁଥିବା ଜଣେ ବ୍ୟକ୍ତି। ଆପଣ ଠିକ୍‌ କହିଲେ ଯେ ମୁଁ ତାଙ୍କ ଉପରେ ସାତ ଆଠଟି ବହି ଲେଖିଛି। ୨୦୧୯ରେ ପ୍ରକାଶ ପାଇଥିଲା ତାଙ୍କର ଜୀବନୀ ‘ଦ ଲାଷ୍ଟ୍‌ ଆଇକନ୍‌ ଅଫ୍ ଆଇଡିଓଲୋଜିକାଲ୍‌ ପଲିଟିକ୍ସ’ ଅର୍ଥାତ ‘ବୈଚାରିକ ରାଜନୀତିର ଅନ୍ତିମ ପ୍ରଣେତା’। 


ଏ କଥା ଆପଣଙ୍କ ମନ ଭିତରେ କିପରି ଆସିଲା?

ଜୀବନରେ ଯେଉଁ ସମାଜବାଦର ବିଚାରଧାରାକୁ ଆପଣାଇଲେ, ଆଜୀବନ ସେଥିରେ ଅଟଳ ରହିଲେ। ଆପଣଙ୍କର ମନେଥିବ, ୧୯୯୧ରେ ଯେତେବେଳେ ଉଦାରୀକରଣ ଆରମ୍ଭ ହେଲା, ସେତେବେଳେ ସେ ଏକମାତ୍ର ବ୍ୟକ୍ତି ଥିଲେ ଯିଏ ସମଗ୍ର ଦେଶରେ ପରିଭ୍ରମଣ କରିଥିଲେ। ଓଡ଼ିଶା ବି ଆସିଥିଲେ। ବୁଲିବୁଲି ଲୋକଙ୍କୁ ସଚେତନ କରିବା ଆରମ୍ଭ କଲେ ଯେ ଉଦାରୀକରଣର ପ୍ରଭାବ କ’ଣ ପଡ଼ିବ; ଆମ ସମାଜକୁ କୁଆଡ଼େ ନେବ। ତାଙ୍କ ବିଚାରରେ ଆମେ ସହମତ ବା ଅସହମତ ହୋଇପାରୁ; କିନ୍ତୁ ଆରମ୍ଭରୁ ଯେଉଁ ବିଚାରକୁ ସେ ବିଶ୍ବାସ କଲେ, ତାକୁ ଆଜୀବନ ଧରି ରଖିଲେ। କଳାହାଣ୍ଡି ଯାଇ ସେଠାକାର ପ୍ରସଙ୍ଗ ଉଠାଇବାରେ ​‌େ​‌ସ ଦେଶର ପ୍ରଥମ ଜାତୀୟ ନେତା। ଆଜି ବି କଳାହାଣ୍ଡିରେ ଭକ୍ତଚରଣ ଦାସ ଥିବେ। ଚନ୍ଦ୍ରଶେଖର ଭାରତ ଯାତ୍ରା ପାଇଁ ଯେଉଁ ଟ୍ରଷ୍ଟ୍‌ ଗଢ଼ିଥିଲେ, ସେଥିରେ ନିଜର କୌଣସି ସମ୍ପର୍କୀୟଙ୍କୁ ରଖି ନଥିଲେ। ଯେଉଁ ବ୍ୟକ୍ତି ନିଜ ଜୀବନରେ ସର୍ବଦା ସମାଜବାଦର ଆଦର୍ଶକୁ ବଞ୍ଚିଚାଲିଥିଲେ, ତାଙ୍କର ଗଭୀର ପ୍ରଭାବ ପଡ଼ିବା ସ୍ବାଭାବିକ ଥିଲା। ସେ ଜୟପ୍ରକାଶଙ୍କର ଅତି ଘନିଷ୍ଠ ଥିଲେ। 


ବିଗତ କିଛି ବର୍ଷ ହେଲା ଦେଖାଯାଉଛି ଯେ ସଂସଦରେ ଯେଉଁଭଳି ବିଚାରବିମର୍ଶ ହେବା କଥା ତାହା ହେଉନାହିଁ। ସରକାରୀ ପକ୍ଷ ବିରୋଧୀଙ୍କ କଥା ଶୁଣିବାକୁ ପ୍ରସ୍ତୁତ ନୁହନ୍ତି। ଆପଣଙ୍କୁ ଲାଗୁନାହିଁ କି ଯେ ଏହା ଏକ ଅଗଣତାନ୍ତ୍ରିକ ଆଚରଣ ଏବଂ ଗଣତନ୍ତ୍ରର ଅପମାନ?

ମୁଁ ଯେଉଁ ପଦରେ ରହିଛି, ସେଥିରେ ଥାଇ ଏ ପ୍ରଶ୍ନର ଉତ୍ତର ଯେପରି ଦେବା କଥା ଦେଇପାରିବି ନାହିଁ। ମୋ କାର୍ଯ୍ୟ ହେଉଛି ଗୃହ ପରିଚାଳନା କରିବା। ଉତ୍ତମ ବିଚାରବିମର୍ଶ ହେଉ- ସରକାର ଓ ବିରୋଧୀ ଦଳ ଉଭୟ ସେପରି ଚାହିଁବା ଦରକାର। ଆପଣ ଦେଖିଥିବେ ଯେ ରାଜ୍ୟସଭାରେ ବହୁତ ଉଚ୍ଚ ସ୍ତରର ବିଚାରବିମର୍ଶ ହୋଇଥାଏ। ଦୁର୍ଭାଗ୍ୟର କଥା ଯେ ଆଜିକାଲି କେବଳ ସଂସଦ ନୁହେଁ, ବିଧାନସଭାରେ ମଧ୍ୟ ଉତ୍ତମ ବିଚାରବିମର୍ଶ ଓ ଆଲୋଚନା ହୋଇପାରୁ ନାହିଁ। ସଂସଦ ଓ ବିଧାନସଭା, ଏହା ହେଉଛି ଗଣତନ୍ତ୍ରର ମନ୍ଦିର; ଏଠାରେ ଲୋକଙ୍କର ନିୟତି ନିର୍ଣ୍ଣୟ ହୋଇଥାଏ। ଆଜି ଟେକ୍ନୋଲୋଜି ଯେଉଁଭଳି ବଦଳିଚାଲିଛି; ଜଳବାୟୁ ପରିବର୍ତ୍ତନ ଘଟୁଛି, ଏସବୁ ଆଗାମୀ ଦଶନ୍ଧିରେ ପୃଥିବୀକୁ ସମ୍ପୂର୍ଣ୍ଣ ବଦଳାଇ ଦେବ। ଏସବୁ ବଡ଼ବଡ଼ ଆହ୍ବାନ ବିଷୟରେ ଏହିଭଳି ବଡ଼ ମଞ୍ଚଗୁଡ଼ିକରେ ବିସ୍ତୃତ ଆଲୋଚନା ହେବା ଦରକାର; ଏବଂ ଆଲୋଚନା କରାଇବା ରାଜନୈତିକ ଦଳଗୁଡ଼ିକର ଦାୟିତ୍ବ। 


ଆପଣ ଜେଡି(ୟୁ)ର ନେତା। ଭଲ କଥା ଯେ ନୀତୀଶ କୁମାର ବିହାରରେ ସଂପୂର୍ଣ୍ଣ ମଦବନ୍ଦ କରିବାପାଇଁ ଆଇନ ଆଣିଛନ୍ତି; କିନ୍ତୁ ସେ ସେଥିରେ ସଫଳତା ପାଉନାହାନ୍ତି କାହିଁକି?

ଏକ ସଭ୍ୟ ଓ ସୁସଂସ୍କୃତ ସମାଜ ଗଢ଼ିବା ପାଇଁ ଗାନ୍ଧିଜୀଙ୍କର ଯେଉଁ ଇଚ୍ଛା ଥିଲା, ସେ ଦିଗରେ ନୀତୀଶ ଜୀ’ ପ୍ରଚେଷ୍ଟା ଜାରି ରଖିଛନ୍ତି। ଆପଣ ଦେଖନ୍ତୁ, ଏହି ଆଇନ ଲାଗୁ ହେବାପରେ ସମାଜର ନିମ୍ନବର୍ଗର ଲୋକଙ୍କ ଜୀବନରେ କେତେ ପରିବର୍ତ୍ତନ ଆସିଛି। ସେମାନଙ୍କର ପିଲା ପଢ଼ୁଛନ୍ତି, ସେମାନଙ୍କ ଘରେ ଖୁସି ଫେରିଛି। କିନ୍ତୁ ଆପଣ ଜାଣନ୍ତି, ଆଇନ ହେବାପରେ ବି ମଣିଷର ପ୍ରବୃତ୍ତି ସହଜରେ ବଦଳେ ନାହିଁ। ଯେମିତି, ହତ୍ୟା ରୋକିବା ପାଇଁ ଆଇନ ଅଛି, କିନ୍ତୁ ହତ୍ୟାକାଣ୍ଡ ବନ୍ଦ ହେଉନାହିଁ। ତଥାପି ଆଇନକୁ ଅଧିକ ପ୍ରଭାବଶାଳୀ କରିବାପାଇଁ ଯେଉଁ କୌଶଳ ଆପଣାଇବା ଦରକାର, ବିହାର ସରକାର ସାହସର ସହ ତାହା କରୁଛି। ଅନ୍ୟ କୌଣସି ଦେଶରେ ଏ ପର୍ଯ୍ୟନ୍ତ ଏପରି ସାହସିକ ପଦକ୍ଷେପ ନେବାକୁ ଉଦ୍ୟମ କରାଯାଉ ନାହିଁ; କାରଣ ସେଥିରୁ ଆୟ ବହୁତ ହୁଏ। ବିହାର ଭଳି ରାଜ୍ୟରେ ନୀତୀଶ ଜୀ ତାହା କରି ଦେଶ ଓ ଦୁନିଆକୁ ଏକ ରାସ୍ତା ଦେଖାଇଛନ୍ତି।


ଆପଣ ମୂଳତଃ ଜଣେ ସାମ୍ବାଦିକ। ଜଣେ ବିଖ୍ୟାତ ସଂପାଦକ ମଧ୍ୟ ଥିଲେ। ପ୍ରତିବର୍ଷ ‘ବିଶ୍ବ ପ୍ରେସ୍‌ ସ୍ବାଧୀନତା ସୂଚକାଙ୍କ’ରେ ଭାରତ ନିମ୍ନଗାମୀ ହୋଇଚାଲିଛି। ଆପଣଙ୍କ ଅନୁସାରେ ଏହାର କାରଣ କ’ଣ?
ଗୋଟିଏ ଧାରଣା ରହିଛି ଯେ ବ୍ୟବସ୍ଥା ବହୁତ ହସ୍ତକ୍ଷେପ କରୁଛି; ମୁଁ ସେପରି ହେଉଛି ବୋଲି ଭାବୁନାହିଁ। ହଁ, ସାମ୍ବାଦିକତାରେ ଯେଉଁ ଆଦର୍ଶ ରହିଥିଲା, ତାହା କ’ଣ ଏବେ ଅଛି? ଆମେ ସମସ୍ତେ ମିଶି ଏ ବିଷୟରେ ଆତ୍ମମନ୍ଥନ କରିବା ଆବଶ୍ୟକ। ଏଡିଟର୍ସ ଗିଲ୍ଡ, ପ୍ରେସ୍‌ କାଉନସିଲ୍‌ ଆଦି ସଂସ୍ଥା ଓ ସରକାର ମିଶି ସାମ୍ବାଦିକତାକୁ ନେଇ ଗାନ୍ଧୀଯୁଗରେ ଯେଉଁ ସ୍ବପ୍ନ ଥିଲା ବା ସାମ୍ବାଦିକତା ​‌କ୍ଷେତ୍ରରେ ଗୋପବନ୍ଧୁ ଦାସ ଜୀ ଯେଉଁ ରାସ୍ତା ଦେଖାଇଛନ୍ତି, ସେହି ଦିଗ ଆଡ଼କୁ କିପରି ମୁହାଁଇ ନେଇହେବ, ସେ ଦିଗରେ ଉଦ୍ୟମ କରିବା ଦରକାର। ଏବେ ବଡ଼ବଡ଼ କମ୍ପାନୀ ଏ କ୍ଷେତ୍ରକୁ ଆସିଛନ୍ତି। ପୂର୍ବରୁ ଠିକ୍‌ ତଥ୍ୟ ଉପରେ ଗୁରୁତ୍ବ ଦିଆଯାଉଥିଲା। ଏବେ କମ୍ପାନୀର ସ୍ବାର୍ଥକୁ ଗୁରୁତ୍ବ ଦିଆଯାଉଛି।


ପ୍ରେସ୍‌ କାଉନସିଲ୍‌ ତ ଏକ ସରକାରୀ ସଂସ୍ଥା। ଏ ଦିଗରେ ଏହା ଯେଉଁଭଳି କାର୍ଯ୍ୟ କରିବା କଥା, ବୋଧହୁଏ ସେପରି କରୁନାହିଁ। ଆପଣଙ୍କ ଧାରଣା କ’ଣ?
ଦେଖନ୍ତୁ, ପ୍ରେସ୍‌ କାଉନସିଲକୁ ସରକାର ସ୍ବାୟତ୍ତ ସଂସ୍ଥା ଭାବେ ଗଢ଼ିଛନ୍ତି। ଯେତେବେଳେ ଏହା ଗଠନ ହେଲା, ସେତେବେଳେ ଏହାର ଲକ୍ଷ୍ୟ କ’ଣ ଥିଲା। ଆପଣଙ୍କର ମନେଥିବ, ୧୯୭୭ରେ, ଜରୁରୀ ପରିସ୍ଥିତି ପରେ, ଏହାକୁ କୁହାଯାଉଥିଲା ‘ଦନ୍ତବିହୀନ ସଂସ୍ଥା’। ସମୟାନୁସାରେ ଏହା ପରିବର୍ତ୍ତନ ହେବା ଦରକାର। ଆପଣ ଜାଣିଥିବେ ଯେ ବିହାରରେ ଏକ ପ୍ରେସ୍‌ ବିଲ୍‌ ଆସିଥିଲା। ସେହି ବିଲ୍‌ ବିଧାନସଭାରେ ଉପସ୍ଥାପନ କରା ନଯାଇ ତାକୁ ଗୃହୀତ କରାଇ ନିଆଯାଇଥିଲା। ଇତିହାସରେ ଆଜି ପର୍ଯ୍ୟନ୍ତ କେଉଁଠି ସେପରି ହୋଇନଥିବ। ଅରୁଣ ସୌରୀ ଜୀ’ଙ୍କ ନୂଆ ପୁସ୍ତକରେ ଏ ବିଷୟରେ ବିସ୍ତୃତ ବର୍ଣ୍ଣନା ରହିଛି। ସେତେବେଳେ ପ୍ରଯୁକ୍ତି ଏତେ ଶକ୍ତିଶାଳୀ ନଥିଲା କି ସୋସିଆଲ୍‌ ମିଡିଆ ବି ନଥିଲା। ଏହା ୧୯୮୪-୮୫ର କଥା। ସେତେବେଳେ ପ୍ରେସ୍‌ କାଉନସିଲ୍‌ରେ ଏହା ଆଲୋଚନା ହେବାର ଥିଲା। ତାହା ଗୋଟିଏ ଗୁରୁତ୍ବପୂର୍ଣ୍ଣ ମୋଡ଼ ଥିଲା। ତେବେ ଏବେ ବି ବିଳମ୍ବ ହୋଇନାହିଁ। ଏ ବିଷୟରେ ସଚେତନ ହେବାପରେ, ଏଡିଟର୍ସ ଗିଲ୍‌ଡ ଓ ଅନ୍ୟମାନେ ବସି ଏହାର କୌଣସି ରାସ୍ତା ବାହାର କରିବା ଉଚିତ। ଗାନ୍ଧୀ କହୁଥିଲେ, ବାହାରୁ କୌଣସି ପରିବର୍ତ୍ତନ ହେଲେ ତାହା ଉତ୍ତମ ନୁହେଁ, ବରଂ ଭିତରୁ ପରିବର୍ତ୍ତନ ହେବା ଦରକାର।


ଆପଣ ଜରୁରୀ ପରସ୍ଥିତି (ଇମର୍ଜେନ୍ସି) କଥା କହିଲେ। କିଛି ଲୋକ କହୁଛନ୍ତି ଯେ ଜରୁରୀ ପରିସ୍ଥିତି ସମୟରେ ଗଣମାଧ୍ୟମ ଯେପରି ଥିଲା, ଏବେ ତା’ର ଅବସ୍ଥା ସେହିପରି। ସରକାର ତା’ ଉପରେ ଭାରୀ ପଡ଼ୁଛି। ଆପଣଙ୍କ ମତ କ’ଣ?
ଦେଖନ୍ତୁ, ବହୁତ ଲୋକ ବହୁତ କଥା କହନ୍ତି, ତାହା ସେମାନଙ୍କ ବ୍ୟକ୍ତିଗତ ବିଚାର। କିନ୍ତୁ ମୁଁ ଗୋଟିଏ କଥା କହିବି। ଜରୁରୀ ପରିସ୍ଥିତି ସମୟରେ କେତୋଟି ଖବରକାଗଜ ବିରୋଧ କଲେ? କୁଲଦୀପ ନାୟାରଙ୍କୁ ଛାଡ଼ି କେତେଜଣ ସାମ୍ବାଦିକ କଲମ ଚାଳନା କଲେ? ଏ ସମ୍ପର୍କରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଲାଲକୃଷ୍ଣ ଆଡ଼ୱାଣିଙ୍କର ପ୍ରସିଦ୍ଧ ଉକ୍ତି ରହିଛି, ‘‘ଯେତେବେଳେ ନଇଁବାକୁ କୁହାଗଲା, ସେମାନେ ଘୁଷୁରିଲେ।’’ କେହି ସରକାର ବିରୋଧରେ ସ୍ବର ଉତ୍ତୋଳନ କରିନଥିଲେ। ଆଜି ଦେଶ ଓ ରାଜ୍ୟଗୁଡ଼ିକରେ ଅଲଗା ଅଲଗା ସରକାର ଅଛନ୍ତି ଓ ସରକାର ବିରୋଧରେ ଖୋଲିକି ଲୋକେ କହୁଛନ୍ତି, ଲେଖୁଛନ୍ତି। ଏପରିକି ଅମୂଳକ କଥା ବି ଲେଖୁଛନ୍ତି।  ମୁଁ ଅନେକ ରାଜ୍ୟ କଥା କହିପାରିବି। 


କିନ୍ତୁ ସରକାରୀ ହେଉ କି ଘରୋଇ, ସବୁ ପ୍ରକାରର ଟିଭି ଚ୍ୟାନେଲ୍‌ରେ ସରକାରଙ୍କ ଗୁଣଗାନ କରାଯାଉଥିବା ଅଭିଯୋଗ ହେଉଛି।
ବହୁତ ଦିନରୁ ଏ ଅଭିଯୋଗ ହୋଇଆସୁଛି ଯେ ସରକାରୀ ଟିଭି ଚ୍ୟାନେଲ୍‌ ବା ଅନ୍ୟ ସରକାରୀ ମାଧ୍ୟମରେ ସରକାରଙ୍କ କଥା କୁହାଯାଉଛି। ଏହା ଏକ ଧାରଣା। ଘରୋଇ ଚ୍ୟାନେଲ୍‌ ଉପରେ କାହାର ନିୟନ୍ତ୍ରଣ ରହିଛି? ବହୁତ ଚ୍ୟାନେଲ୍‌ ଅଛି, ବହୁତ ବିରୋଧରେ ବି କହୁଛନ୍ତି। ସବୁଠି। ଏ ଦେଶରେ ଅଲଗା ଅଲଗା ରାଜ୍ୟରେ ଅଲଗା ଅଲଗା ସରକାର ଅଛି। କେଉଁଠି କେତେ ଟିଭି ଚ୍ୟାନେଲ୍‌ ଉପରେ କାର୍ଯ୍ୟାନୁଷ୍ଠାନ କରାଯାଇଛି? ଏବେ ବି ସରକାରଙ୍କ ବିରୋଧରେ ଚ୍ୟାନେଲ୍‌ରେ ବହୁତ କଥା କୁହାଯାଉଛି। ଏପରିକି ଆଗେ ମଧ୍ୟ ଏତେ ସରକାର ବିରୋଧୀ କଥା କହିବା କଷ୍ଟକର ଥିଲା। ହଁ, ଏ ଦେଶର କେତେକ ପ୍ରଭାବଶାଳୀ ଇଂରେଜୀପଢ଼ୁଆ, ସମ୍ଭ୍ରାନ୍ତ (ଏଲିଟ୍‌) ଶ୍ରେଣୀର ଯେତେବେଳେ ଗୁରୁତ୍ବ କମିଯାଏ, ସେମାନେ ବିଭିନ୍ନ ପ୍ରକାରର ପ୍ରଚାର କରନ୍ତି; ସେମାନେ କରିପାରିବେ। 


ଗଣମାଧ୍ୟମକୁ ନେଇ ‘ଗୋଦି ମିଡିଆ’ ଶବ୍ଦଟି ଆଜିକାଲି ବହୁତ ପ୍ରଚଳିତ ଏବଂ ଚର୍ଚିତ। ଏ ସମ୍ପର୍କରେ ଆପଣ କ’ଣ କହିବେ?
ଆପଣଙ୍କର ମନେଥିବ, ‘ଲିଙ୍କ୍‌’, ‘ପେଟ୍ରିଅଟ୍‌’ ଆଦି ସାମ୍ୟବାଦୀ ବିଚାରଧାରାର, ‘ଜୁଟ୍‌ ପ୍ରେସ୍‌’, ବୁର୍ଜୁଆ ଖବରକାଗଜ, ପୁଞ୍ଜିପତିଙ୍କ ଖବରକାଗଜ ବୋଲି କହୁଥିଲେ, କିନ୍ତୁ ସେହି ମୁଖ୍ୟସ୍ରୋତର ଖବରକାଗଜ ହିଁ ସେବା ପ୍ରଦାନ କଲା। ଆପଣଙ୍କର ବା ମୋର ବ୍ୟକ୍ତିଗତ ବିଚାର ଅଲଗା ହୋଇପାରେ; କିନ୍ତୁ ସେହି ଅନୁସାରେ ବ୍ୟବସ୍ଥା କାମ କରେ ନାହିଁ। ଏହା ଏ ଦେଶର ସ୍ବାଧୀନତା, ଏହା ଏ ଦେଶର ଗଣତନ୍ତ୍ର। ଆପଣ କିପରି କହିପାର​‌େ​‌ବ ଯେ ଏଥିରେ କଟକଣା ରହିଛି? ଆପଣ ଗଣମାଧ୍ୟମକୁ ଏପରି ବିଶେଷଣ ଦେଉଛନ୍ତି ଓ ତାହା ପ୍ରସାରିତ ହେଉଛି। ସମସ୍ତଙ୍କର କହିବାର ସ୍ବାଧୀନତା ଅଛି। ୭୫’ରେ କ’ଣ କିଏ ନିଜ କଥା କହିପାରୁଥିଲା? ତ ଗଣମାଧ୍ୟମର ସ୍ବାଧୀନତା ଆଜି ଅଛି ନା ସେତେବେଳେ ଥିଲା?


ଆଜି କର୍ପୋରେଟ୍‌ ସଂସ୍ଥାଗୁଡ଼ିକ ଗଣମାଧ୍ୟମକୁ ମଧ୍ୟ ନିୟନ୍ତ୍ରଣ କରୁଛନ୍ତି...।
ଏହା ଆଜିର କଥା ନୁହେଁ। ଯେତେବେଳେ ୧୯୯୧ରେ ଦେଶରେ ଉଦାରୀକରଣ ଆସିଲା, ସେତେବେଳେ ପୁଞ୍ଜି ସବୁ ସ୍ଥାନକୁ ଗଲା। ହିନ୍ଦୀ ଭାଷାର ଜଣେ ପ୍ରମୁଖ ସାମ୍ବାଦିକ ଥିଲେ ପାରାଳକର ଜୀ। ମୂଳତଃ ସେ ମରାଠୀ ଥିଲେ। ୧୯୫୨ରେ ସେ କହିଥିଲେ, ଭବିଷ୍ୟତରେ ବଡ଼ବଡ଼ କର୍ପୋରେଟ୍‌ ଆସିବେ, ଖବରକାଗଜ ଆକର୍ଷଣୀୟ ହୋଇଯିବ; କିନ୍ତୁ ସେଥିରେ ସତ୍ୟ ରହିବ ନାହିଁ। କେବଳ ଖବରକାଗଜକୁ କାହିଁକି ଦୋଷ ଦେବା। ପ୍ରଥମେ ସମାଜ ବିଚାରକୁ ନେଇ ପରିଚାଳିତ ହେଉଥିଲା। ଆଜିର ସମାଜ ବିଚାର ନୁହେଁ, ନ୍ୟସ୍ତସ୍ବାର୍ଥ ଦ୍ବାରା ପରିଚାଳିତ ହେଉଛି। ଗାନ୍ଧିଜୀଙ୍କ ସମୟରେ ସେ ସମାଜକୁ, ଗଣମାଧ୍ୟମକୁ, ଆଇନକୁ ଯେଉଁ ଚରିତ୍ର/ସ୍ବଭାବ ଦେଇଥିଲେ, ନୈତିକତା ଦେଇଥିଲେ, ତାହା ଆଜି ନାହିଁ। ମୂଲ୍ୟବୋଧ ବଦଳିଛି। ଏହା ଦୁଇଟି ଜାଗାରେ ଗଠନ ହୁଏ- ବିଦ୍ୟାଳୟରେ ଓ ଘରେ। ସେଥିପାଇଁ ଆମର ଗୋପବନ୍ଧୁ ଦାସ ଜୀ ବିଦ୍ୟାଳୟ ଖୋଲିଥିଲେ। ତେଣୁ ସମାଜର ସଚ୍ଚରିତ୍ର କିପରି ଫେରିବ, ସେ ଦିଗରେ ଉଦ୍ୟମ ହେବା ଦରକାର।


ଓଡ଼ିଶା ସହ ଆପଣଙ୍କର ସମ୍ବନ୍ଧ କିଭଳି?

ଓଡ଼ିଶା ମୋ ପାଇଁ ଆଧ୍ୟାତ୍ମିକ, ସାଂସ୍କୃତିକ ସ୍ଥଳ। ମାନନୀୟ ପ୍ରଧାନମନ୍ତ୍ରୀ କହନ୍ତି ଯେ ଓଡ଼ିଶାରୁ ପ୍ରାରମ୍ଭିକ ସୂର୍ଯ୍ୟକିରଣ ବାହାରେ ଓ ସମଗ୍ର ଦେଶକୁ ବିଚ୍ଛୁରିତ କରିଥାଏ। ଏହା ଶ୍ରୀଜଗନ୍ନାଥଙ୍କ ମାଟି। ଏଠାରେ ଲିଙ୍ଗରାଜ ମନ୍ଦିର ଅଛି। ଏହା ସନ୍ଥ ପରମ୍ପରାର ରାଜ୍ୟ। ଏଇଠି ବଡ଼ବଡ଼ ସ୍ବାଧୀନତା ସଂଗ୍ରାମୀ ଜନ୍ମ ନେଇଥିଲେ। ଯେଉଁ ପ୍ରଦେଶ ନିଜର ସଂସ୍କୃତି, ପରିଚିତି ଓ ଗୌରବକୁ କ୍ରମାଗତ ଶକ୍ତିଶାଳୀ କରିଚାଲିଛି, ତାହା ଓଡ଼ିଶା। ମୁଁ ଏହାକୁ ବହୁତ ସମ୍ମାନ କରେ ଏବଂ ମୁଁ ପ୍ରାୟ ଓଡ଼ିଶା ଆସେ। 

(‘ସମାଜ’ରେ ୧୦ ଏପ୍ରିଲ ୨୦୨୨ରେ ପ୍ରକାଶିତ)

Next PostNewer Post Previous PostOlder Post Home

0 comments:

Post a Comment

ଏହି ବ୍ଲଗର ସମସ୍ତ ସାମଗ୍ରୀ ଲେଖକଙ୍କ ସର୍ବସ୍ବତ୍ତ୍ବ ସଂରକ୍ଷିତ. Powered by Blogger.