ଗଣରାଜ୍ୟର ଗଣମାଧ୍ୟମ (୨)

Leave a Comment

ଇତିହାସରେ ଯେତିକି ଏକଛତ୍ରବାଦୀ ଶାସକ ଥିଲେ, ହିଟଲରଙ୍କ ଏକଛତ୍ରବାଦ ସେମାନଙ୍କଠାରୁ ଗୋଟିଏ ଦୃଷ୍ଟିରୁ ସଂପୂର୍ଣ୍ଣ ମୌଳିକ ଥିଲା ଯେ ସେ ନିଜ ଦେଶକୁ ହାତମୁଠାରେ ରଖିବା ପାଇଁ ସମସ୍ତ ଯାନ୍ତ୍ରିକ ବସ୍ତୁକୁ ବ୍ୟବହାର କରିଥିଲେ । ରେଡିଓ ଓ ଡାକବାଜି ଯନ୍ତ୍ର ଆଦି ସାହାଯ୍ୟରେ ସେ ୮୦ ନିୟୁତ ଲୋକଙ୍କୁ ସ୍ୱାଧୀନ ବିଚାରରୁ ବଞ୍ଚିତ କରିଥିଲେ । କେବଳ ଜଣେ ବ୍ୟକ୍ତିର ଇଚ୍ଛାନୁସାରେ ଏତେ ଲୋକ ପରିଚାଳିତ ହେବା ସେଥିପାଇଁ ସମ୍ଭବ ହୋଇଥିଲା ।

ହିଟଲରଙ୍କ ଯୁଦେ୍ଧାପକରଣ ଓ ଯୁଦ୍ଧ ପ୍ରସ୍ତୁତି ଦାୟିତ୍ୱରେ ଥିବା ମନ୍ତ୍ରୀ ଆଲବର୍ଟ ସ୍ପିଅର୍‌ଙ୍କ ଏ ଉକ୍ତିଟିରୁ କେବଳ ଏହି ଦୁର୍ଦ୍ଧର୍ଷ ଶାସକଙ୍କ ଚତୁରତା ଓ ନିର୍ମମତା ସମ୍ପର୍କରେ ଜାଣିହୁଏନି, ଜନଜୀବନରେ ରେଡିଓର ଅଦ୍ଭୁତ ପ୍ରଭାବ ନେଇ ମଧ୍ୟ କଳନା କରିହୁଏ । ତାଙ୍କର ବହୁ ପୂର୍ବରୁ ଅବଶ୍ୟ ଇଟାଲିର ମୁସୋଲିନି ଓ ରୁଷିଆର ଷ୍ଟାଲିନ ଜନସାଧାରଣଙ୍କୁ ଆକର୍ଷିତ କରିବା ପାଇଁ ରେଡିଓକୁ ଏକ ପ୍ରଭାବଶାଳୀ ଅସ୍ତ୍ର କରିବାର ରହିଚି ଉଦାହରଣ; କିନ୍ତୁ ହିଟଲରଙ୍କ ଅଗ୍ନିବର୍ଷୀ ବକ୍ତୃତା ଶୁଣିବା ମାତ୍ରେ ନାଜୀମାନେ ଯେପରି ଇହୁଦିଙ୍କୁ କରୁଥିଲେ ଆକ୍ରମଣ, ତାହା ଥିଲା ଅଭୂତପୂର୍ବ । ହିଟଲର ଯାହାର ନାଁ ରଖିଥିଲା ‘ଲୋକଙ୍କ ରିସିଭର୍‌’ (ଜର୍ମାନ ଭାଷାରେ ଭୋକ୍‌ସେମଫାଙ୍ଗର୍‌), ତାହା ପାଲଟିଯାଇଥିଲା ଲୋକଙ୍କ ଶତ୍ରୁ । କହିବାର ଅର୍ଥ ହେଲା କୌଣସି ଗଣମାଧ୍ୟମର ଦୁରୁପଯୋଗ କେତେ ଘାତକ ହୋଇପାରେ, ତାହା ଏଥିରୁ ସ୍ପଷ୍ଟ ।

ଭାରତବର୍ଷରେ ବି ଗଣରାଜ୍ୟର ସରକାରମାନେ ଅନେକ ସମୟରେ ସରକାରୀ ଗଣମାଧ୍ୟମର କରିଆସିଚନ୍ତି ଅପବ୍ୟବହାର । ଏହାର ସର୍ବୋକ୍ରୃଷ୍ଟ ଉଦାହରଣ ୧୯୭୫ର ଜରୁରୀକାଳୀନ ପରିସ୍ଥିତିରେ ଦୂରଦର୍ଶନ ଓ ଆକାଶବାଣୀ ଇନ୍ଦିରାଗାନ୍ଧି ସରକାରଙ୍କ ଧେଣ୍ଡୁରା ସାଜିବା । ଖବର ନାମରେ ମିଥ୍ୟା ଗଳ୍ପ ଗଢ଼ି ଗଣଙ୍କୁ ବିଭ୍ରାନ୍ତ କରିବାର ଭୟଙ୍କର ଉଦ୍ୟମ ସେଥର ସରକାରୀ ମିଡିଆରେ ଯେଭଳି ହୋଇଥିଲା, ତାହା ଭାରତରେ କେବେ ଦେଖାଯାଇନଥିଲା । ରାଷ୍ଟ୍ରହିତ ଓ ସମ୍ବିଧାନର ଶପଥ ନେଇଥିବା ତକ୍ରାଳୀନ ସୂଚନା ମନ୍ତ୍ରୀ ବିଦ୍ୟାଚରଣ ଶୁକ୍ଳ ପାଲଟିଯାଇଥିଲେ ସଂଜୟ ଗାନ୍ଧିଙ୍କ ହୁକୁମ ପାଳନକାରୀ । ସେହି କାରଣରୁ ୧୯୭୭ରେ ଯେତେବେଳେ ଜନତା ପାର୍ଟି ସରକାର କ୍ଷମତାକୁ ଆସିଲା, ଦୂରଦର୍ଶନ ଓ ଆକାଶବାଣୀକୁ ସରକାରୀ ପଞ୍ଝାରୁ ମୁକ୍ତି ଦେବାପାଇଁ ଚିନ୍ତା କରାଗଲା; ଯାହା ପ୍ରସାରଭାରତୀ ଗଠନର ମୂଳ ଥିଲା । ତେବେ ବିବିସି ଭଳି ଏହାକୁ ସ୍ୱାୟତ୍ତ କରିବା ସହ ଉଚ୍ଚମାନର କାର୍ଯ୍ୟକ୍ରମ ପ୍ରସ୍ତୁତି ପାଇଁ ଯେଉଁ ସ୍ୱପ୍ନ ଦେଖାଯାଇଥିଲା, ତାହା ଏବେ ବି ଅଧୁରା । ଏହାର କାର୍ଯ୍ୟକୁଶଳତା ବର୍ତ୍ତମାନ ମଧ୍ୟ ବିବିସି ସହ ତୁଳନୀୟ ନୁହେଁ । ୧୯୪୦ରେ ଭାରତରେ ପ୍ରଥମ କରି ଆରମ୍ଭ ହୋଇଥିବା ବିବିସି ହିନ୍ଦୀ ରେଡିଓ ଚ୍ୟାନେଲର ବିଶ୍ୱସନୀୟତା ଏଥିରୁ ପ୍ରମାଣିତ ଯେ ୨୦୧୧ରେ ଏହାକୁ ବନ୍ଦ କରିବାକୁ ବିବିସି କର୍ତ୍ତୃପକ୍ଷ ଯେତେବେଳେ ଘୋଷଣା କଲେ, ସେତେବେଳେ ଦେଶବ୍ୟାପୀ ହେଲା ତୀବ୍ର ପ୍ରତିରୋଧ । ଗୋଟାଏ ବିଦେଶୀ ସରକାରୀ ଗଣମାଧ୍ୟମ ସଂସ୍ଥା ପ୍ରତି ଏଭଳି ଦରଦ ବିରଳ; କିନ୍ତୁ ଗୋଟାଏ ନିଷ୍ପକ୍ଷ/ବିଶ୍ୱସନୀୟ ଗଣମାଧ୍ୟମ ପ୍ରତି ଶ୍ରୋତା/ଦର୍ଶକଙ୍କ ଏ ଭାବାବେଗ ଆଦୌ ନୁହେଁ ଅସ୍ୱାଭାବିକ । ଭାରତ-ପାକିସ୍ତାନ ଯୁଦ୍ଧ (୧୯୬୫), ବାଂଲାଦେଶ ସ୍ୱାଧୀନତା (୧୯୭୧), ଭାରତର ଜରୁରୀକାଳୀନ ପରିସ୍ଥିତି (୧୯୭୫-୭୭), ବାବ୍ରି ମସଜିଦ୍‌ ଭଙ୍ଗା (୧୯୯୨) ଭଳି ସଂକଟ କାଳରେ ବିବିସିର ଉକ୍ରୃଷ୍ଟ ମାନର ପ୍ରସାରଣ ଶ୍ରୋତାଙ୍କ ମନରେ ରହିଚି ଚିରଜୀବନ୍ତ । ଏପରିକି ଭାରତର ସରକାରୀ ଗଣମାଧ୍ୟମରେ ଘୋଷଣା ହେବା ପୂର୍ବରୁ ହିଁ ଭାରତୀୟ ଓ ବିଶ୍ୱବାସୀଙ୍କୁ ଇନ୍ଦିରାଗାନ୍ଧୀଙ୍କ ମୃତୁ୍ୟ ଖବର ଶୁଣାଇଥିଲା ବିବିସି ରେଡିଓ । ଏଭଳି କାର୍ଯ୍ୟକୁଶଳତା ସରକାରୀ ମିଡିଆରେ ଏବେ ବି ଅନୁପସ୍ଥିତ । ବ୍ରେକିଙ୍ଗ୍‌ନିଉଜ୍‌, ଏକ୍ସକ୍ଲୁସିଭ୍‌, ମହାପ୍ରଭାବ ଆଦି ଘରୋଇ ଚ୍ୟାନେଲର ହଟଚମଟ ଏଇଥିରେ ନାହିଁ ସତ; କିନ୍ତୁ ଗଣକୁ ସଚେତନ କରିବା ଭଳି ତ୍ୱରିତ୍‌ ଖବର ଓ ନିଷ୍ପକ୍ଷ ତର୍କବିତର୍କ/ବିଶ୍ଳେଷଣର ବି ରହିଚି ଘୋର ଅଭାବ, ଯାହା ବର୍ତ୍ତମାନ ପାଇଁ ଅତି ଜରୁରୀ ।

ଏହି ଅଭାବକୁ ହୃଦୟଙ୍ଗମ କରି ଯେଉଁ ଦୁଇଟି ଚ୍ୟାନେଲ ଆରମ୍ଭ ହୋଇଥିଲା ତାହା ହେଲା ଲୋକସଭା ଟିଭି (୨୦୦୬) ଓ ରାଜ୍ୟସଭା ଟିଭି (୨୦୧୧) । ଲୋକସଭା ଟିଭି ସଂସଦର ନିମ୍ନ ସଦନ ଓ ରାଜ୍ୟସଭା ଟିଭି ସଂସଦର ଉଚ୍ଚ ସଦନ ଅଧୀନରେ କାର୍ଯ୍ୟ କରିଥାଏ । ଏ ଦୁଇଟି ସଂପୂର୍ଣ୍ଣ ରୂପେ ସ୍ୱୟଂଶାସିତ ଟିଭି ଚ୍ୟାନେଲ । ଲୋକସଭା କାର୍ଯ୍ୟବିଧିର ସିଧାପ୍ରସାରଣ କରିବା ବ୍ୟତୀତ ଭାରତୀୟ ସଂସଦ, ଗଣତନ୍ତ୍ର, କଳାସଂସ୍କୃତି ଇତ୍ୟାଦି ସମ୍ପର୍କିତ ସୂଚନାଧର୍ମୀ ଓ ଶିକ୍ଷଣୀୟ କାର୍ଯ୍ୟକ୍ରମ ଦର୍ଶକଙ୍କୁ ଦେଖାଇବା ଲୋକସଭା ଚ୍ୟାନେଲର ମୂଳ ଉଦେ୍ଦଶ୍ୟ । ସେହିପରି ରାଜ୍ୟସଭା ଚ୍ୟାନେଲର ଧାର୍ଯ୍ୟ ଲକ୍ଷ୍ୟ ହେଉଛି ରାଜ୍ୟସଭା କାର୍ଯ୍ୟବିଧି ପ୍ରସାରଣ ସହ ଖବର, ସମକାଳୀନ ପ୍ରସଙ୍ଗ ଉପରେ ଚର୍ଚ୍ଚା/ଆଲୋଚନା, କଳାକାର/ବୁଦ୍ଧିଜୀବୀଙ୍କ ସହ ସାକ୍ଷାତକାର, ଜାତୀୟ/ଅନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ବିଶ୍ଳେଷଣ ଆଦି ଦେଖାଇବା । ଅନୁଧ୍ୟାନ ଓ ଅନୁଭବ କହୁଚି ଯେ ଲୋକସଭା ଟିଭି ଏ କ୍ଷେତ୍ରରେ ସେଭଳି ଆଖିଦୃଶିଆ କାର୍ଯ୍ୟ କରିବାରେ ସଫଳ ହୋଇନାହିଁ କେବଳ ଲୋକସଭା କାର୍ଯ୍ୟବିଧିର ସିଧାପ୍ରସାରଣ ବ୍ୟତୀତ; ବରଂ ଅନେକ ସମୟରେ ଏହି ଚ୍ୟାନେଲରେ କର୍ମଚାରୀ ନିଯୁକ୍ତିରେ ଅନିୟମିତତା ନେଇ ଉଠିଚି ଅଭିଯୋଗ । ସରକାର ଏହାକୁ ପ୍ରତ୍ୟକ୍ଷ ନିୟନ୍ତ୍ରଣ କରୁନଥିଲେ ବି ଏଥିରେ ପ୍ରସାରିତ କାର୍ଯ୍ୟକ୍ରମ, ଏପରିକି ବିତର୍କରେ ଭାଗ ନେବାକୁ ଆସୁଥିବା ଅତିଥି କିଏ ହେବେ ତାହା ନିର୍ଦ୍ଧାରଣ କରିବାକୁ ବି ବେଳେବେଳେ ସରକାରୀ ହସ୍ତକ୍ଷେପର ରହିଚି ନଜିର୍‌ । ଭାରତର ଜଣେ ସାହସୀ ସାମ୍ବାଦିକଭାବେ ଜଣାଶୁଣା ତଥା ଲୋକସଭା ଟିଭିର ପୂର୍ବତନ ପରାମର୍ଶଦାତା ଏବଂ ‘ଟକ୍‌ଟାଇମ’ ଓ ‘ୱାନ ଅନ୍‌ ୱାନ୍‌’ କାର୍ଯ୍ୟକ୍ରମର ଉପସ୍ଥାପକ ପରଞ୍ଜୟ ଗୁହା ଠାକୁରତା ଏବଂ ଅନ୍ୟଜଣେ ଉପସ୍ଥାପକ ଚାରୁ କାର୍ତ୍ତିକେୟ ସରକାରୀ ହସ୍ତକ୍ଷେପକୁ କରିଚନ୍ତି ସ୍ୱୀକାର, ଯାହା ଅନୁଧ୍ୟାନଯୋଗ୍ୟ (ଦ୍ରଷ୍ଟବ୍ୟ: ହେଜ୍‌ ଲୋକସଭା ଟିଭି ବିକମ୍‌ ଏ ମାଉଥ୍‌ପିସ୍‌ ଫର୍‌ ଦି ଗଭର୍ଣ୍ଣମେଣ୍ଟ- କାରୱାଁମେଗାଜିନ ଡଟ୍‌ ଇନ୍‌) । ବର୍ତ୍ତମାନର ମୁଖ୍ୟ ସଂପାଦିକା (ଏଡିଟର-ଇନ୍‌-ଚିଫ୍‌)ଙ୍କୁ ପ୍ରଥମେ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବା ସିଇଓ (ଯାହା ଏକ ପ୍ରାଶାସନିକ ପଦ) ଭାବେ ହିଁ ନିଯୁକ୍ତି ଦିଆଯାଇଥିଲା ଏବଂ ତାଙ୍କ ଜରିଆରେ ସରକାର ଏହି ଚ୍ୟାନେଲକୁ ନିୟନ୍ତ୍ରିତ କରୁଥିବା ଅଭିଯୋଗ ଉଠୁଚି । କୁହାଯାଉଚି, ୟୁପିଏ ଅପେକ୍ଷା ଏନଡିଏ ଏ କ୍ଷେତ୍ରରେ କିଛିଟା ଆଗୁଆ । ଫଳରେ କ୍ଷମତାସୀନ ସରକାରଙ୍କୁ ସମାଲୋଚନା କଲା ଭଳି କାର୍ଯ୍ୟକ୍ରମ ଏଥିରେ ହୋଇପାରୁନାହିଁ ପ୍ରସାରଣଯୋଗ୍ୟ, ଯାହା ଗଣମାଧ୍ୟମର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରବୃତ୍ତି ।

ତେବେ ଦ୍ୱିଭାଷୀ (ଇଂରୋଜୀ/ହିନ୍ଦୀ) ଚ୍ୟାନେଲ ରାଜ୍ୟସଭା ଟିଭି ଏ କ୍ଷେତ୍ରରେ ଏକ ସୁନ୍ଦର ବ୍ୟତିକ୍ରମ କହିଲେ ହେବନାହିଁ ଅତୁ୍ୟକ୍ତି । ରାଜ୍ୟସଭାରେ ଶାସକ ଦଳର ସଂଖ୍ୟାଗରିଷ୍ଠତା ନ ଥିବାରୁ ବୋଧହୁଏ ଏ ଚ୍ୟାନେଲଟି ଏ ଯାଏଁ କ୍ଷମତାଧରଙ୍କ ପ୍ରଭାବ ବାହାରେ ରହିଚି! ନିକଟରେ ନୂତନ କଳେବର ଲାଭ କରିଥିବା ରାଜ୍ୟସଭା ଟିଭିର ପ୍ରତ୍ୟେକ କାର୍ଯ୍ୟକ୍ରମ ହେଉଚି ବେଶ୍‌ ଦର୍ଶନୀୟ । ଏଥିରେ ଘରୋଇ ନୁ୍ୟଜ୍‌ ଚ୍ୟାନେଲର ବିଜ୍ଞାପନୀ ଘୋଘା ନାଇଁ କି ଆଲୋଚକ-ଉପସ୍ଥାପକଙ୍କ ହୋହା ନାଇଁ; ଅଛି କେବଳ ନିଚ୍ଛକ ଖବର-ନିଷ୍ପକ୍ଷ ବିଶ୍ଳେଷଣ-ସ୍ପଷ୍ଟ ଉପସ୍ଥାପନା । ବିଶିଷ୍ଟ ନିର୍ଦେଶକ ଶ୍ୟାମ ବେନେଗଲଙ୍କ ନିର୍ଦେଶନାରେ ‘ସମ୍ବିଧାନ’ ଭଳି ଉଚ୍ଚମାନର ଧାରାବାହିକ ନିର୍ମାଣ କରି ରାଜ୍ୟସଭା ଟିଭି ସୃଷ୍ଟି କରିଚି ଏକ ନୂତନ ଅଧ୍ୟାୟ । ଏବେ ଦେଶର ଜାତୀୟ ପୁରସ୍କାରପ୍ରାପ୍ତ ନିର୍ଦେଶକଙ୍କୁ ନେଇ ନିର୍ମାଣ କରୁଚି ସୁଭାଷଚନ୍ଦ୍ର ବୋଷ, ବଲ୍ଲଭଭାଇ ପଟେଲ, ଭାରତୀୟ ସେନା ଆଦି ଉପରେ ଫିଚରଫିଲ୍ମ ଓ ପ୍ରାମାଣିକ ଚିତ୍ର । ଆରମ୍ଭ କରିଛି ‘୧୦୦ ଏଡିଟର୍ସ ଅଫ୍‌ ଇଣ୍ଡିଆ’ (ଭାରତର ଶହେ ସଂପାଦକ) ଭଳି ନିଆରା କାର୍ଯ୍ୟକ୍ରମ ।

ଗଣକୋଷରୁ ହଜାରହଜାର କୋଟି ଟଙ୍କା ଖର୍ଚ କରାଯାଉଥିôବା ଗଣରାଜ୍ୟର ଅନ୍ୟ ଗଣମାଧ୍ୟମଗୁଡ଼ିକ ପାଇଁ ରାଜ୍ୟସଭା ଟିଭି ହୋଇପାରିବ  ଏକ ଉଦାହରଣ । ସେଗୁଡ଼ିକଠାରୁ ମଧ୍ୟ ଦର୍ଶକ ଆଶା କରନ୍ତି ସେହିଭଳି ନିରପେକ୍ଷ ଓ ଉଚ୍ଚମାନର କାର୍ଯ୍ୟକ୍ରମ । ଏବେ ଘରୋଇ ଗଣମାଧ୍ୟମସବୁ ସାଜିଚନ୍ତି କାହାର ନା କାହାର ବଚସ୍କର; ଯାହା ଗଣରାଜ୍ୟର ଗଣମାଧ୍ୟମ ପାଇଁ ଗଣ ହୃଦୟରେ ପ୍ରତିଷ୍ଠିତ ହେବାକୁ ଦେଇଚି ଏକ ସୁନ୍ଦର ସୁଯୋଗ । ସରକାର ବା କୌଣସି ରାଜନୈତିକ ଦଳର ସ୍ୱାର୍ଥ ନୁହେଁ, ଗଣସ୍ୱାର୍ଥ ହିଁ ହେଉ ତା’ର ଅସଲ ଲକ୍ଷ୍ୟ/ଉଦେ୍ଦଶ୍ୟ । ଏକ ପାକଳ ଗଣତାନ୍ତ୍ରିକ ବ୍ୟବସ୍ଥାର ତାହା ହିଁ ମୌଳିକ କର୍ତ୍ତବ୍ୟ ।

(୨୧ ଫେବୃୟାରୀ ୨୦୧୬ ରେ ସମାଜରେ ପ୍ରକାଶିତ)
Next PostNewer Post Previous PostOlder Post Home

0 comments:

Post a Comment

ଏହି ବ୍ଲଗର ସମସ୍ତ ସାମଗ୍ରୀ ଲେଖକଙ୍କ ସର୍ବସ୍ବତ୍ତ୍ବ ସଂରକ୍ଷିତ. Powered by Blogger.