ବିଗତ ସପ୍ତାହରେ ନ୍ୟାୟାଳୟ ଦ୍ବାରା ଏପରି କେତେକ ରାୟ ପ୍ରକାଶ ପାଇଛି, ଯାହା ଭାରତର ନ୍ୟାୟିକ ତଥା ଲୋକତାନ୍ତ୍ରିକ ଇତିହାସ ପାଇଁ ଉଲ୍ଲେଖନୀୟ ଏବଂ ଦୃଷ୍ଟାନ୍ତଯୋଗ୍ୟ। ବିଶେଷତଃ, ଏସବୁ ରାୟ ଏଇଥିପାଇଁ ମହତ୍ତ୍ବପୂର୍ଣ୍ଣ ଯେ ନ୍ୟାୟାଳୟ କେବଳ ସଂପୃକ୍ତ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିନାହାନ୍ତି ଅବା ଜାମିନ ଦେଇ କାରାମୁକ୍ତ କରିନାହାନ୍ତି, ବରଂ ଯେଉଁ ଆଇନ ବଳରେ ସେମାନଙ୍କୁ ଗିରଫ କରାଯାଇ କାରାବଦ୍ଧ କରାଯାଇଥିଲା, ସେହି ଆଇନର ଏବଂ ଆଇନ ପ୍ରୟୋଗକର୍ତ୍ତାଙ୍କ ଦୋଷାଦୋଷ ନିର୍ଣ୍ଣୟ କରିବାକୁ ମଧ୍ୟ ଭୁଲିନାହାନ୍ତି। ଭାରତରେ ଅନେକ ବିବାଦୀୟ ଆଇନ ତ ରହିଛି; କିନ୍ତୁ ଏହା ଭିତରୁ ସମ୍ଭବତଃ ସର୍ବାଧିକ ବିବାଦୀୟ ଓ ଚର୍ଚ୍ଚିତ ଦୁଇଟି ଆଇନ ହେଉଛି ରାଜଦ୍ରୋହ ଆଇନ (ଭାରତୀୟ ଦଣ୍ଡ ସଂହିତା ବା ଆଇପିସିର ୧୨୪(କ) ଧାରା) ଏବଂ ଆତଙ୍କବାଦୀ ନିରୋଧୀ ଆଇନ (ବେଆଇନ କାର୍ଯ୍ୟକଳାପ (ନିରୋଧୀ) ଆଇନ, ୧୯୬୭; ଇଂରେଜୀରେ ‘ୟୁଏପିଏ’)।
ରାଜଦ୍ରୋହ ଆଇନକୁ ନେଇ ସଦ୍ୟ ଚର୍ଚ୍ଚିତ ମାମଲା ମଧ୍ୟରୁ ଅନ୍ୟତମ ହେଲା ସାମ୍ବାଦିକ ବିନୋଦ ଦୁଆଙ୍କ ବିରୋଧରେ ହୋଇଥିବା ମୋକଦ୍ଦମା, ଯାହାକୁ ସର୍ବୋଚ୍ଚ ନ୍ୟାୟାଳୟ ଖାରଜ କରିଥିଲେ। ନ୍ୟାୟାଳୟ ସ୍ପଷ୍ଟରୂପେ କହିଚନ୍ତି ଯେ ସରକାରଙ୍କୁ ସମାଲୋଚନା ଯେତେ ତୀବ୍ର ହେଉପଛେ, ତାହା ଜଣେ ସାମ୍ବାଦିକଙ୍କୁ ରାଜଦ୍ରୋହୀ ଭାବେ ଅପରାଧୀ ଘୋଷିତ କରିବାର କାରଣ ହୋଇ ନପାରେ। ଦ୍ବିତୀୟ ମାମଲାଟି ଲାକ୍ଷାଦ୍ବୀପର ଜଣେ ଯୁବ ଚଳଚ୍ଚିତ୍ର ନିର୍ମାତ୍ରୀ ଆଇଶା ସୁଲତାନାଙ୍କର, ଯାହାଙ୍କୁ କେରଳ ଉଚ୍ଚ ନ୍ୟାୟାଳୟ ଗିରଫଦାରି-ପୂର୍ବ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ତାଙ୍କ ବିରୋଧରେ ଅଭିଯୋଗ: ସେ କୋଭିଡ଼-୧୯ ପ୍ରସଙ୍ଗକୁ ନେଇ ଏକ ଟେଲିଭିଜନ ବିତର୍କରେ ଆଲୋଚନାବେଳେ ‘ଜୈବାସ୍ତ୍ର’ ଶବ୍ଦ ବ୍ୟବହାର କରିଥିଲେ। ଇତିମଧ୍ୟରେ ଅବଶ୍ୟ ସୁଲତାନା ‘ଭୁଲ୍ରେ ସେ ଉକ୍ତ ଶବ୍ଦ କହିଥିଲେ’ ବୋଲି ସ୍ପଷ୍ଟୀକରଣ ରଖିଛନ୍ତି। ହୁଏତ େସ ଭୟରେ ତ୍ରୁଟିସ୍ବୀକାର କରିଥାଇ ପାରନ୍ତି; କିନ୍ତୁ ‘ରାଜଦ୍ରୋହୀ’ ମୋହନ ଦାସ କରମଚାନ୍ଦ ଗାନ୍ଧୀ କିନ୍ତୁ ଏ ବିଷୟରେ ଯାହା ଅଦାଲତରେ ନିର୍ଭୀକଭାବେ ନିଜ ବୟାନରେ କହିଥିଲେ, ତାହା ୧୮୭୦ରେ ପ୍ରଣୀତ ରାଜଦ୍ରୋହ ଆଇନର ଅସ୍ତିତ୍ବ ଥିବା ପର୍ଯ୍ୟନ୍ତ ପ୍ରାସଙ୍ଗିକ ହୋଇ ରହିଥିବ।
ଗାନ୍ଧିଜୀ ରାଜଦ୍ରୋହ (ସେଡିସନ୍)ର ଧାରାକୁ ଆଇପିସିର ରାଜନୈତିକ ଧାରାଗୁଡ଼ିକ ମଧ୍ୟରେ ରାଜକୁମାର ଆଖ୍ୟା ଦେବା ସହ ଏହାକୁ ନାଗରିକର ସ୍ବାଧୀନତାକୁ ଦମନ କରିବା ଅଭିପ୍ରାୟରେ ସୃଷ୍ଟି କରାଯାଇଛି ବୋଲି କହିଥିଲେ। ସ୍ବୟଂ ଜଣେ ବିଶିଷ୍ଟ ଆଇନଜ୍ଞ ଗାନ୍ଧୀ ୧୮ ମାର୍ଚ୍ଚ ୧୯୨୨ରେ ଅଦାଲତରେ ନିଜ ପକ୍ଷରୁ ଦୁଇଟି ବିବୃତି ରଖିଥିଲେ: ପ୍ରଥମ, ସେ ତତ୍କାଳୀନ ଶାସନ (ଇଂରେଜ) ପ୍ରତି ବୀତଶ୍ରଦ୍ଧ ବୋଲି କରାଯାଇଥିବା ଅଭିଯୋଗକୁ ସ୍ବୀକାର କରିଥିଲେ; ଦ୍ବିତୀୟ, ସେ ଏହାକୁ ଉଚିତ କାର୍ଯ୍ୟ ଓ ତାହା କରିବା ତାଙ୍କର ଦାୟିତ୍ବ ବୋଲି କହିବା ସହ ଦର୍ଶାଇଥିଲେ ଯେ ‘‘ସେହି ବ୍ୟବସ୍ଥା/ଶାସନକୁ ଶ୍ରଦ୍ଧା କରିବା/ଭଲ ପାଇବା ତାଙ୍କ ପାଇଁ ଏକ ପାପ।’’ ସେ ଯୁକ୍ତି ବାଢ଼ିଥିଲେ ଯେ, ଆଇନ ଦ୍ବାରା ଅନୁରାଗ/ଶ୍ରଦ୍ଧାକୁ ନିର୍ମାଣ ବା ନିୟନ୍ତ୍ରଣ କରାଯାଇ ନପାରେ। ଯଦି ଜଣେ ବ୍ୟକ୍ତି ବା ବ୍ୟବସ୍ଥା/ଶାସନ ପ୍ରତି ଜଣକର ଶ୍ରଦ୍ଧା ନାହିଁ, ତେବେ ଯେ ପର୍ଯ୍ୟନ୍ତ ସେ ହିଂସାର ପରିକଳ୍ପନା, ସୃଷ୍ଟି ବା ପ୍ରୋତ୍ସାହିତ କରିନାହିଁ, ସେ ପର୍ଯ୍ୟନ୍ତ ତା’ର ନିଜ ଅଶ୍ରଦ୍ଧାକୁ ସଂପୂର୍ଣ୍ଣ ବ୍ୟକ୍ତ କରିବାର ସ୍ବାଧୀନତା ରହିବା ଉଚିତ। ଭଲଭାବେ ଅନୁଧ୍ୟାନ କଲେ ଜାଣିହେବ ଯେ ବହୁଚର୍ଚ୍ଚିତ କେଦାରନାଥ ସିଂହ ବନାମ ବିହାର ରାଜ୍ୟ ମାମଲା (୧୯୬୨) ରାୟରେ ଉଚ୍ଚତମ ନ୍ୟାୟାଳୟଙ୍କ ସାମ୍ବିଧାନିକ ପୀଠ ଯେଉଁ ‘ହିଂସାକୁ ପ୍ରୋତ୍ସାହିତ ବା ଉସୁକାଇବା ବିନା କୌଣସି ପ୍ରକାରର ଭାଷଣ/ସମାଲୋଚନା ରାଜଦ୍ରୋହ ଅପରାଧ ନୁହେଁ’ ବୋଲି କହିଲେ, ତା’ର ମୌଳିକ ଯୁକ୍ତି ପରୋକ୍ଷରେ ଗାନ୍ଧିଜୀଙ୍କ ଉପରୋକ୍ତ ବୟାନରେ ହିଁ ରହିଚି। ପରବର୍ତ୍ତୀ କାଳରେ ଅଧିକାଂଶ ରାଜଦ୍ରୋହ ମାମଲାର ବିଚାରବେଳେ ଉଚ୍ଚତମ ନ୍ୟାୟାଳୟଙ୍କ ଏହି ରାୟ କଷଟିପଥର ଭଳି କାର୍ଯ୍ୟ କରିଆସିଚି, ଯାହାର ସଦ୍ୟତମ ଦୃଷ୍ଟାନ୍ତ ଦେଖିବାକୁ ମିଳିଚି ବିନୋଦ ଦୁଆଙ୍କ ମାମଲାରେ। ବିଡ଼ମ୍ବନା ଯେ ଇଂରେଜ ଶାସନ ଅମଳରେ ଯେଉଁ ଆଇନର ଦୁରୁପଯୋଗ ଯେତେ ହେଉନଥିଲା, ସ୍ବାଧୀନ ଭାରତରେ ତାହା ସେତିକି ଅଧିକ ଦେଖାଯାଉଛି। ସରକାରଙ୍କ ‘ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ’ (ଏନ୍ସିଆର୍ବି)ର ତଥ୍ୟ ଅନୁସାରେ, ୨୦୧୬େର ୩୫ଟି ରାଜଦ୍ରୋହ ମାମଲା ରୁଜୁ ହୋଇଥିବାବେଳେ ୨୦୧୯ରେ ଏହା ୯୩ରେ (୧୬୫% ବୃଦ୍ଧି) ପହଞ୍ଚିଥିଲା। ୟା’ର କାରଣ ଅବଶ୍ୟ ଅସ୍ପଷ୍ଟ ନୁହେଁ। ଶାସନ-ବିରୋଧୀ ଶବ୍ଦ ରହିଥିବା ନାଟକ ପ୍ରଦର୍ଶନକାରୀ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ଗୀତିକାର ଓ ବ୍ୟଙ୍ଗ ଚିତ୍ରକର, ଏପରିକି ଗୋଟିଏ ଗୋଟିଏ ଟୁଇଟ୍ ପାଇଁ ମଧ୍ୟ ଲୋକଙ୍କୁ ରାଜଦ୍ରୋହୀ କରାଗଲା ଘୋଷଣା। ଦେଶରେ ରାଜା ନାହାନ୍ତି ସିନା, ରାଜଥାଟର ଜମକ ଖୁବ୍ ରହିଚି; ତେଣୁ ରାଜଦ୍ରୋହୀ ବି ଅଛନ୍ତି! ଯେଉଁ ଇଂରେଜମାନେ ଏହାକୁ ପ୍ରଣୟନ କରିଥିଲେ, ସେମାନେ ମଧ୍ୟ ନିଜ ଦେଶରେ କେବେଠୁ ଏପରି ଆଇନକୁ ଅଳିଆଗଦାକୁ ଫିଙ୍ଗିସାରିଚନ୍ତି, ଅଥଚ ଆମ ଗଣତାନ୍ତ୍ରିକ ନେତୃବୃନ୍ଦ ଏହାକୁ କରିଚନ୍ତି ନିଜର ସୁରକ୍ଷା କବଚ! ଗଣତନ୍ତ୍ର ପାଇଁ ଏହା ଲଜ୍ଜା ନୁହେଁ କି?
ରାଜଦ୍ରୋହ ଆଇନ ପରି ଭାରତରେ ଯେଉଁ ଆଇନର ସର୍ବାଧିକ ଅପପ୍ରୟୋଗ ହୋଇଆସିଚି, ତାହା ହେଲା କଠୋରତମ ‘ବେଆଇନ କାର୍ଯ୍ୟକଳାପ (ନିରୋଧୀ) ଆଇନ’ ବା ୟୁଏପିଏ। ୟା’ର ସଦ୍ୟତମ ଦୃଷ୍ଟାନ୍ତ ପ୍ରତିଫଳିତ ହୋଇଛି ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ଅଭିଯୁକ୍ତ ତିନି ଛାତ୍ରନେତା/ନେତ୍ରୀ ଆସିଫ୍ ଇକ୍ବାଲ୍ ତନ୍ହା, ଦେବାଙ୍ଗନା କଲିତା ଓ ନତାଶା ନରୱାଲଙ୍କ ବିରୋଧରେ ହୋଇଥିବା ୟୁଏପିଏ ମାମଲାର ବହୁଚର୍ଚ୍ଚିତ ରାୟରେ। ଏମାନଙ୍କ ଜାମିନ ଶୁଣାଣିବେଳେ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ଯେଉଁ ରାୟ ରଖିଚନ୍ତି, ତାହା ଅତ୍ୟନ୍ତ ପ୍ରଣିଧାନଯୋଗ୍ୟ। ନ୍ୟାୟାଳୟ ଉପରୋକ୍ତ ତିନି ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନବେଳେ କେବଳ ସଂପୃକ୍ତ ମାମଲାକୁ ପରଖିନାହାନ୍ତି, ବରଂ ରାଷ୍ଟ୍ରଶକ୍ତି କିପରି ଏହାର ଅପପ୍ରୟୋଗ କରିଚି, ତା’କୁ ଗଭୀର ଭାବେ ଅନୁଶୀଳନ ଓ ବିଶ୍ଳେଷଣ କରିବା ସହ ୟୁଏପିଏକୁ ପରିଭାଷିତ କରିବାକୁ ମଧ୍ୟ ଚେଷ୍ଟା କରିଚନ୍ତି। ଅଦାଲତ କହିଚନ୍ତି ଯେ ‘ସମ୍ବିଧାନର ଅନୁଚ୍ଛେଦ ୧୯(୧)(କ)ରେ ନାଗରିକଙ୍କୁ ସ୍ବମତ ପ୍ରକାଶ ଓ ଶାନ୍ତିପୂର୍ଣ୍ଣ ବିରୋଧର ଅଧିକାର ମିଳିଚି; ତେଣୁ ଏହା ବେଆଇନ ନୁହେଁ ଏବଂ ୟୁଏପିଏରେ ସନ୍ନିବେଶିତ ‘ଆତଙ୍କବାଦୀ କାର୍ଯ୍ୟ’ର ପରିସରରେ ଆସୁନାହିଁ’। ତନ୍ହା ମାମଲାରେ ଅଦାଲତ କହିଥିଲେ, ‘‘ଯେହେତୁ ‘ଆତଙ୍କବାଦୀ କୃତ୍ୟ’ ଏକ ଅସ୍ପଷ୍ଟ ଶବ୍ଦ, ତେଣୁ ଏହାର ଅର୍ଥ ସଂକୀର୍ଣ୍ଣ ରୂପେ ବୁଝିବା ଦରକାର। ସାଧାରଣ ମାମଲା ପାଇଁ ଦଣ୍ଡ ସଂହିତାର ସାଧାରଣ ଆଇନରେ ସମାଧାନ କରାଯିବା ଉଚିତ ଓ ୟୁଏପିଏକୁ କେବଳ ଭାରତର ସୁରକ୍ଷା ସମ୍ବନ୍ଧୀୟ ପ୍ରସଙ୍ଗରେ ଲାଗୁ କରାଯିବା ଉଚିତ।’’ ଶେଷରେ ଅଦାଲତ ଯେଉଁ ଗୁରୁତ୍ବପୂର୍ଣ୍ଣ କଥାଟି କହିଛନ୍ତି, ତାହା ଏମିତି: ‘‘ୟୁଏପିଏର ଧାରା ୧୫, ୧୭ ଓ ୧୮ ଅନୁସାରେ ଲାଗୁ କଠୋର ନିୟମାବଳୀକୁ ଲୋକଙ୍କ ଉପରେ ଲଦିଦେବା ଆମ ରାଷ୍ଟ୍ରର ଅସ୍ତିତ୍ବ ପ୍ରତି ବିପଦକୁ ଦୂର କରିବା ଉଦ୍ଦେଶ୍ୟରେ ସଂସଦ ଦ୍ବାରା ତିଆରି ଆଇନକୁ ଦୁର୍ବଳ କରିଦେବ। ନିରର୍ଥକ ଭାବେ ଏହି ଧାରାଗୁଡ଼ିକର ପ୍ରୟୋଗରେ ଏହାକୁ ତୁଚ୍ଛ ମନେ କରାଯିବ।’’
ଏହି ହେତୁ ରାଷ୍ଟ୍ରଶକ୍ତିର ଦୁରଭିସନ୍ଧିଭରା ଦୃଢ଼ ବିରୋଧ ସତ୍ତ୍ବେ ଉଚ୍ଚତମ ନ୍ୟାୟାଳୟ ମଧ୍ୟ ଉଚ୍ଚ ନ୍ୟାୟାଳୟଙ୍କ ‘ଜାମିନ’କୁ ଅଟକାଇବାକୁ ଉଚିତ ମଣିନାହାନ୍ତି। ଉଲ୍ଲେଖନୀୟ, ୧୯୬୭ରେ ପ୍ରଣୀତ ୟୁଏପିଏକୁ ଇତିମଧ୍ୟରେ ଛଅଥର ସଂଶୋଧିତ କରି ଏହାକୁ ଏଭଳି ଏକ କଠୋର ଆଇନରେ ପରିଣତ କରିଦିଆଯାଇଚି ଯେ ଯାହା ସାଧାରଣ ନ୍ୟାୟିକ ପଦ୍ଧତିରୁ ବିଚ୍ୟୁତ ହୋଇ ନିଜର ଏକ ଅନନ୍ୟ ଶକ୍ତି ଧାରଣ କରିଚି, ଯେଉଁଠି ଥରେ ଅଭିଯୁକ୍ତ ହୋଇଗଲେ ଜଣକର ସାମ୍ବିଧାନିକ ସୁରକ୍ଷା କବଚ ମଧ୍ୟ ନିଷ୍ପ୍ରଭ ହୋଇପଡ଼େ। ତେଣୁ ଜାମିନ ମିଳିବା ତ ଦୂରର କଥା, ତା’ର ବିଚାର ପ୍ରକ୍ରିୟାର ଦୀର୍ଘତା ଓ ଜଟିଳତା ସଂପୃକ୍ତ ବ୍ୟକ୍ତିଟି ପାଇଁ ଅସହ୍ୟ ବେଦନାଦାୟକ ହୋଇଯାଏ। ବିଡ଼ମ୍ବନା ତ ଏଇଆ ଯେ ନିର୍ଦୋଷ ଲୋକଙ୍କୁ ବି ଏହି କଠୋରତମ ଆଇନର ବଳିଭୋଜ୍ୟ ହେବାକୁ ପଡ଼ୁଚି। ନ୍ୟାୟାଳୟରେ ନିର୍ଦୋଷ ପ୍ରମାଣିତ ହେବା ବେଳକୁ ଦଶ ପନ୍ଦର ବର୍ଷ ବିତିଯିବାର ବହୁ ନଜିର୍ ରହିଚି।
ଖୋଦ୍ ସରକାରଙ୍କ ଆଧିକାରିକ ତଥ୍ୟକୁ ଦେଖିଲେ ଏହି ବିସଙ୍ଗତିକୁ ବୁଝିବା ଆଦୌ କଷ୍ଟକର ନୁହେଁ। ଏନ୍ସିଆର୍ବି ତଥ୍ୟ କହେ, ୨୦୧୬ରୁ ୨୦୧୯ ମଧ୍ୟରେ ୟୁଏପିଏରେ ୪,୨୩୧ଟି ମାମଲା ରୁଜୁ ହୋଇଥିଲା ଏବଂ ୫,୯୨୨ ଜଣଙ୍କୁ ଗିରଫ କରାଯାଇଥିଲା। ମାତ୍ର ୧୧୨ଟି ମାମଲାରେ ଦୋଷସିଦ୍ଧି ହୋଇଥିଲାବେଳେ ୧୮୭ଟି ମାମଲାରେ ଅଭିଯୁକ୍ତ ନିର୍ଦୋଷରେ ଖଲାସ ହୋଇଥିଲେ। ତେବେ ଏ ଆଇନର ଅସଲ ଦୁର୍ଦାନ୍ତ ଚିତ୍ର ଦେଖିବାକୁ ମିଳେ ଏହାର ବିଚାର ଅପେକ୍ଷାରେ ଥିବା ମାମଲାଗୁଡ଼ିକର ସଂଖ୍ୟାରେ। ଆରକ୍ଷୀ ବଳର ତଦନ୍ତ ପ୍ରକ୍ରିୟା ଭିତରେ ରହିଥିବା ମାମଲା ସଂଖ୍ୟା ସର୍ବାଧିକ, ହାରାହାରି ୮୩% ଏବଂ ଆରୋପପତ୍ର ଦାଖଲ ମାମଲା ସଂଖ୍ୟା ହାରାହାରି ୧୭%। ବିଚାରାଧୀନ ମାମଲା ସଂଖ୍ୟା ହାରାହାରି ୯୫.୫%; ଯାହାର ଅର୍ଥ ହେଲା ପ୍ରତିବର୍ଷ ମାତ୍ର ୫% ୟୁଏପିଏ ମାମଲାର ବିଚାର ସଂପୂର୍ଣ୍ଣ ହୋଇଥାଏ। ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ ୟୁଏପିଏରେ ବିଚାର ଅପେକ୍ଷାରେ ଥିବା ବନ୍ଦୀଟିଏ ଜାମିନରେ ମୁକୁଳିବା ମଧ୍ୟ ଅତ୍ୟନ୍ତ କଷ୍ଟ। ଏହାକୁ ଦୃଷ୍ଟିରେ ରଖି ଚଳିତବର୍ଷ ଫେବୃଆରୀରେ ଉଚ୍ଚତମ ନ୍ୟାୟାଳୟ ଏହାର ଏକ ସମାଧାନ ପଥ ଦେଖାଇବାକୁ ଚେଷ୍ଟା କରିଚନ୍ତି। ୟୁନିଅନ୍ ଅଫ୍ ଇଣ୍ଡିଆ ବନାମ କେ ଏ ନଜୀବ ମାମଲାରେ ନ୍ୟାୟାଳୟ ୟୁଏପିଏର ପ୍ରତିବନ୍ଧକ ସତ୍ତ୍ବେ ଅଭିଯୁକ୍ତର ମୌଳିକ ଅଧିକାର କ୍ଷୁଣ୍ଣ ହେଉଥିବା ଆଧାରରେ ସାମ୍ବିଧାନିକ ଅଦାଲତଗୁଡ଼ିକ ଜାମିନ ପ୍ରଦାନ କରିପାରିବେ। ନଜୀବ ମାମଲାରେ ଅଭିଯୁକ୍ତ ହାଜତରେ ଦୀର୍ଘ ୫ ବର୍ଷରୁ ଊର୍ଦ୍ଧ୍ବକାଳ ରହିଥିବାରୁ ଉପରୋକ୍ତ କାରଣ ଦର୍ଶାଇ ଜାମିନ ମଞ୍ଜୁର କରିଥିଲେ।
ୟୁଏପିଏ ଆଇନକୁ ନେଇ ସଦ୍ୟଚର୍ଚ୍ଚିତ ଆଉ ଏକ ରାୟ ଆସିଚି ଆସାମର ଜଣେ ଆଦିବାସୀ, ଦଳିତ, ଚାଷୀ ନେତା ଅଖିଳ ଗୋଗୋଇଙ୍କୁ ନେଇ, ଯିଏ କାରାଗାରରେ ଥାଇ ଚଳିତବର୍ଷ ଅନୁଷ୍ଠିତ ବିଧାନସଭା ନିର୍ବାଚନ ଜିଣିଥିଲେ। ସେ ୨୦୧୯ରେ ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ‘ନାଗରିକ ସଂଶୋଧନ ଆଇନ’ (ସିଏଏ) ବିରୋଧୀ ଆନ୍ଦୋଳନରେ ବକ୍ତୃତା ଦେଇଥିବାରୁ ତାଙ୍କ ବିରୋଧରେ ପୁଲିସ ୧୫ଟି ମାମଲା ରୁଜୁ କରିଥିଲା, ଯେଉଁଥିରୁ ୬ଟି ୟୁଏପିଏ। ଏଥିରୁ ସ୍ବତନ୍ତ୍ର ଏନ୍ଆଇଏ ଅଦାଲତ ଗୋଟିଏର ରାୟ ପ୍ରକାଶ କରି ତାଙ୍କୁ ଦୋଷମୁକ୍ତ ଘୋଷଣା କରିଚନ୍ତି। କେବଳ ଗୋଗୋଇ ନୁହନ୍ତି, ସିଏଏ ବିରୋଧୀ ଆନ୍ଦୋଳନରେ ସଂପୃକ୍ତ ବହୁ ଲୋକଙ୍କ ବିରୋଧରେ ୟୁଏପିଏ ପ୍ରୟୋଗ କରାଯାଇଛି। ମାନବାଧିକାର ଓ ଗଣତନ୍ତ୍ର ସପକ୍ଷବାଦୀ ସଂଗଠନଗୁଡ଼ିକର ଅଭିଯୋଗ ଯେ ଦେଶର ଚାଷୀ, ମୂଲିଆ, ଆଦିବାସୀଙ୍କ ଅଧିକାର ପାଇଁ ଲଢ଼ୁଥିବା ଏବଂ ଶାସନ/ଶାସକ ସହ ଅସମ୍ମତି ପ୍ରକାଶ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଜାଣିଶୁଣି ଅଯଥାରେ ଏହି କଠୋର ଆଇନର ଅପପ୍ରୟୋଗ କରାଯାଉଛି, ସତେଯେମିତି ସେମାନେ ସମସ୍ତେ ଆତଙ୍କବାଦୀ ଓ ଦେଶର ଅଖଣ୍ଡତା, ସାର୍ବଭୌମତ୍ବ ଓ ସୁରକ୍ଷା ପ୍ରତି ବିପଦ! ଗତ କେଇ ବର୍ଷ ଭିତରେ ଏହି ଆଇନ ବଳରେ ଅସଂଖ୍ୟ ସାମାଜିକ କର୍ମୀ, ସାମ୍ବାଦିକ, କବି, ଲେଖକ, ବୁଦ୍ଧିଜୀବୀ, ଛାତ୍ରଛାତ୍ରୀ, ଅଧ୍ୟାପକ ଆଦିଙ୍କୁ କରାଯାଇଚି କାରାରୁଦ୍ଧ। ଉଲ୍ଲେଖନୀୟ, ୨୦୧୯ରେ ୟୁଏପିଏରେ ଅଣାଯାଇଥିବା ସଂଶୋଧନରେ ଧାରା ୩୫ ଓ ୩୬ରେ ସରକାର ଯେ କୌଣସି ‘ବ୍ୟକ୍ତି’କୁ ମଧ୍ୟ (ପୂର୍ବରୁ କେବଳ ସଂଗଠନ ଥିଲା) ଆତଙ୍କବାଦୀ ଅଭିହିତ କରି ନିର୍ଦ୍ଧାରିତ ନୀତିନିୟମ ପାଳନ ବିନା ଗିରଫ କରିପାରିବାର ନିୟମ ଯୋଡ଼ାଗଲା। କହିବା ନିଷ୍ପ୍ରୟୋଜନ ଯେ ଏହା ସମ୍ବିଧାନପ୍ରଦତ୍ତ ନାଗରିକ ଅଧିକାରର ସମ୍ପୂର୍ଣ୍ଣ ପରିପନ୍ଥୀ। ସ୍ବର୍ଗତ ଅଟଳ ବିହାରୀ ବାଜପେୟୀ ଅବଶ୍ୟ ଏହି ଆଇନକୁ ନେଇ ଯାହା କହିଥିଲେ, ତାହା ସ୍ମରଣଯୋଗ୍ୟ। ୧୯୬୭ରେ ଯେତେବେଳେ ତତ୍କାଳୀନ ଇନ୍ଦିରା ଗାନ୍ଧୀଙ୍କ ସରକାର ୟୁଏପିଏ ବିଧେୟକ ଆଣିଲା (ଗୃହୀତ ହେବା ପୂର୍ବରୁ ସଂସଦର ‘ସଂଯୁକ୍ତ ମନୋନୟନ ସମିତି’ ଏଥିରେ କିଛି ପରିବର୍ତ୍ତନ କରିଥିଲା), ସେତେବେଳେ ଶ୍ରୀ ବାଜପେୟୀ ଏହାକୁ ତୀବ୍ର ବିରୋଧ କରି ଆପଣାର ଚିରାଚରିତ ଢଙ୍ଗରେ କହିଥିଲେ, ‘‘ସମିତିକୁ ଗୋଟିଏ ଗଧ ଦିଆଯାଇଥିଲା ଏବଂ ସମିତିର କାମ ଥିଲା ତାକୁ ଘୋଡ଼ା ବନାଇବା; ମାତ୍ର ପରିଣାମ ବାହାରିଲା ଯେ ତାହା ଖଚ୍ଚର ହୋଇଯାଇଚି। ଏବେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଭାର (ଓଜନ) ବୋହିବା ପାଇଁ ତ ଖଚ୍ଚର ଠିକ୍ ଅଛି, କିନ୍ତୁ ଯଦି ସ୍ବରାଷ୍ଟ୍ର ମନ୍ତ୍ରୀ ଭାବୁଥାନ୍ତି ଯେ ସେହି ଖଚ୍ଚର ଉପରେ ବସି ରାଷ୍ଟ୍ରର ସାର୍ବଭୌମତ୍ବ ଓ ଅଖଣ୍ଡତାର ଲଢ଼େଇ ଲଢ଼ିପାରିବେ, ତେବେ ସେଥିରେ ମୋର ବିନମ୍ର ମତଭେଦ ରହିଛି’’। ଗତ ୫୪ ବର୍ଷ ମଧ୍ୟରେ ଉକ୍ତ ଖଚ୍ଚରଟିକୁ ଯେତିକିଯେତିକି ଦୁର୍ଦାନ୍ତ କରିବାକୁ ଚେଷ୍ଟା କରାଯାଉଚି, ଖଚ୍ଚରାରୋହଣ ସୃଷ୍ଟ ବିପଦ ସେତିକିସେତିକି ବଢ଼ିଚାଲିଚି।
ashok@thesamaja.in
(‘ସମାଜ’ରେ ୨୭.୬.୨୦୨୧ରେ ପ୍ରକାଶିତ)
ସୁନ୍ଦର ଅଭିବ୍ୟକ୍ତି ! ରାଜଦ୍ରୋହ ଓ ୟୁଏପିଏ ଆଇନ୍ ସଂପର୍କରେ ବେଶ୍ କିଛି ଜାଣିବାକୁ ମିଳିଲା !
ReplyDeleteDhanyabad 🙏
ReplyDelete