ମାନବାଧିକାରର ଇତିହାସ: ଗଣତନ୍ତ୍ର

Leave a Comment


ଅଶୋକ


ମାନବାଧିକାର, ଅର୍ଥାତ ମାନବ ବା ମନୁଷ୍ୟର ପ୍ରାପ୍ୟ ଅଧିକାର। ଏହା ସମାଜ, ରାଷ୍ଟ୍ର, ଶାସନ ଓ ନାଗରିକ ସହ ଜଡ଼ିତ ଥିବାରୁ ଏହାକୁ ସାଧାରଣତଃ ଆଧୁନିକ ସଭ୍ୟତା ସହ ଯୋଡ଼ି ଦେଖାଯାଏ, ଯାହା ଅସଙ୍ଗତ ମଧ୍ୟ ନୁହେଁ। ମାନବାଧିକାରକୁ ସଂସ୍ଥାଗତ ମହତ୍ତ୍ବ ପ୍ରଦାନ ଆଧୁନିକ ସମାଜର ହିଁ ଅବଦାନ। ତେବେ ଏହାର ମୌଳିକ ବିଚାର ମାନବ ସଭ୍ୟତା ଭଳି ହିଁ ପୁରାତନ। କେବଳ ପାର୍ଥକ୍ୟ ଏଇଆ ଯେ ପୂର୍ବରୁ ଏହା ସାମାଜିକ/ଧାର୍ମିକ ଆଚାର-ସଂହିତାର ଏକ ଅଂଶ ଥିଲା, ଯାହା ଆଇନଗତ ବଦଳରେ ଥିଲା ବ୍ୟାବହାରିକ/ଲୋକାୟତ। ଧର୍ମ ଭାରତ ଭଳି ଦେଶରେ ମନୁଷ୍ୟର ସମଗ୍ର ଜୀବନଚର୍ଯ୍ୟାକୁ ଅନୁଶାସିତ କରୁଥିବା ସମୟରେ ମାନବାଧିକାରକୁ ଧାର୍ମିକ ଆଚାର-ସଂହିତାର ଅଂଶ ଭାବେ ପ୍ରଚାର କରାଯାଇଆସିଛି। ମନୁଷ୍ୟ ମାତ୍ରେ ହିଁ ସମସ୍ତଙ୍କର ଅଧିକାର ରହିଛି, ଯେହେତୁ ପ୍ରକୃତି କାହା ପ୍ରତି ଭେଦଭାବ କରେ ନାହିଁ ଓ ସଭିଙ୍କ ସହ ସମାନ ବ୍ୟବହାର କରିଥାଏ। ଏହି ପ୍ରାକୃତିକ ସମାନତାର ନ୍ୟାୟ ହିଁ ମନୁଷ୍ୟକୁ ତା’ର ଅଧିକାର ପ୍ରଦାନ କରିଥାଏ। ଲକ୍ଷ୍ୟଣୀୟ ଯେ ଏଥିରେ ବ୍ୟକ୍ତି ସ୍ବାତନ୍ତ୍ର୍ୟର ମଧ୍ୟ ଗୁରୁତ୍ବ ରହିଛି, ଯାହା କେବଳ ପାଶ୍ଚାତ୍ୟ ନୁହେଁ, ପ୍ରାଚ୍ୟ ଏବଂ ଭାରତୀୟ ଧର୍ମଗ୍ରନ୍ଥଗୁଡ଼ିକରେ ମଧ୍ୟ ପ୍ରତିଭାତ। ଶୁକ୍ଳ ଯଜୁର୍ବେଦର ଏକ ଋଚା(୩୬/୧୮)ରେ ପ୍ରତିପାଳକଙ୍କ ପକ୍ଷରୁ ଉଦ୍‌ଘୋଷଣା କରାଯାଇଛି: 


ମିତ୍ରସ୍ୟାହଂ ଚକ୍ଷୁସା ସର୍ବାଣି ଭୂତାନି ସମୀକ୍ଷେ। ମିତ୍ରସ୍ୟ ଚକ୍ଷୁଷା ସମୀକ୍ଷାମହେ।।

ଅର୍ଥାତ ମୁଁ ସମସ୍ତ ପ୍ରାଣୀଙ୍କୁ ମିତ୍ର-ଭାବରେ ଦେଖେ। ମୋତେ ମଧ୍ୟ ଅନ୍ୟ ସମସ୍ତେ ମିତ୍ରଦୃଷ୍ଟିରେ ଦେଖନ୍ତୁ। 


ଗୋଟିଏ ଦିଗରୁ ଦେଖିଲେ ଧର୍ମକୁ ଲୋକଙ୍କ ଜୀବନର ଏକ ଅଂଶ କରିଦେବାରେ ଏହି ମାନବାଧିକାରର ଉଦ୍‌ଘୋଷଣ ବେଶ୍‌ ସହାୟକ ହୋଇଛି; କିନ୍ତୁ ଆଧୁନିକ ଅର୍ଥରେ ଯେଉଁ ମାନବାଧିକାର କଥା କୁହାଯାଉଛି, ତାକୁ ଧର୍ମ ସହ ଯୋଡ଼ିବାର ଔଚିତ୍ୟ ନାହିଁ। ମିତ୍ର-ଭାବରେ ଦେଖିବା ଅର୍ଥ ସମସ୍ତ ପ୍ରାଣୀଙ୍କ ପ୍ରତି ସମଦୃଷ୍ଟି ରଖିବା। ମନୁଷ୍ୟ ହେଉ ବା ସମାଜ ଅଥବା ରାଷ୍ଟ୍ର, ବିଶ୍ବସନୀୟତା ପାଇଁ ଏହା ଅତ୍ୟାବଶ୍ୟକ। ଯେଉଁଠି ସମତା ଓ ସମାନତାର ଭାବ ରହିଥାଏ, ସେଇଠି ସାମାଜିକ ଜୀବନରେ ମଧ୍ୟ ରାଷ୍ଟ୍ରର ଭୂମିକା ଗୌଣ ହୋଇଯାଏ; ଅନାବଶ୍ୟକ ସାଂସ୍କୃତିକ ପ୍ରତୀକଗୁଡ଼ିକର ଉପଯୋଗ କମିଯାଏ। ସମାଜ ଯେତେବେଳେ ସ୍ବୟଂ ଅନୁଶାସିତ ହୁଏ, ବ୍ୟକ୍ତିଜୀବନରେ ମଧ୍ୟ ପ୍ରତୀକମାନ ପ୍ରଭାବହୀନ ପାଲଟେ। ତା’ର ସ୍ଥାନ ନିଏ ବାସ୍ତବତା, ଅର୍ଥାତ ବର୍ତ୍ତମାନତା। ସମାଜ ଅତୀତ ଅଥବା ସ୍ମୃତି-ସ୍ମାରକ ବଦଳରେ ବର୍ତ୍ତମାନରେ ବଞ୍ଚିବାକୁ ଲାଗେ। ତା’ର ସ୍ବପ୍ନ କ୍ରମେ ଯଥାର୍ଥମୁଖୀ ହୁଏ। ଏପରି ସମାଜରେ ନାଗରିକ ନିଜ ଅଧିକାର ଓ କର୍ତ୍ତବ୍ୟଗୁଡ଼ିକ ପ୍ରତି ସମାନ ଭାବେ ସଚେତନ ଥାଏ ଏବଂ ସେହି କାରଣରୁ ବାହାରର କୌଣସି ଅନୁଶାସନର ଆବଶ୍ୟକତା ପଡ଼େନାହିଁ। ଏପରି ରାଷ୍ଟ୍ର ପ୍ଲେଟୋଙ୍କ ‘ଆଦର୍ଶ ରାଷ୍ଟ୍ର’ ଅବଧାରଣାର ନିକଟତର, ଯାହା ଅନୁସାରେ, ‘‘ଉତ୍ତମ ମନୁଷ୍ୟ ଓ ଉତ୍ତମ ଜୀବନ ଉତ୍ତମ ରାଜ୍ୟରେ ହିଁ ମିଳିପାରିଥାଏ’’। ଏହା ଅସମ୍ଭବ ମନେ ହେଉଥିଲେ ହେଁ ଅବାସ୍ତବ ନୁହେଁ। ଏକ ଆଦର୍ଶ ରାଷ୍ଟ୍ର କିପରି ହେବା ଉଚିତ? ସମାଜରେ ଶାସକ ଓ ଶାସିତର ବିଭାଜନ ରହିବ ନାହିଁ ଏବଂ ଯେଉଁଠି ତାହା ଅପରିହାର୍ଯ୍ୟ ସେଇଠି ଶାସକ ଶାସିତ ପ୍ରତି ମିତ୍ରଭାବ ରଖିବ; ସତ୍ତା ଯଦି ଅଛି, ତାହା ନ୍ୟୂନତମ ଶାସନ କରିବ; ସମସ୍ତ ନାଗରିକଙ୍କୁ ସମଦୃଷ୍ଟିରେ ଦେଖିବ; ସେମାନଙ୍କ ମୌଳିକ ଅଧିକାରଗୁଡ଼ିକୁ ସର୍ବତୋଭାବେ ସୁରକ୍ଷିତ ରଖିବ। ସ୍ମରଣ ରଖିବା ଯେ, ରାଷ୍ଟ୍ର ଓ ନାଗରିକ ପରସ୍ପରର ପରିପୂରକ ଏବଂ ରାଷ୍ଟ୍ର ଯେତେବେଳେ ନିଜର ଶ୍ରେଷ୍ଠତ୍ବ ହରାଏ, ନାଗରିକ ମଧ୍ୟ ତା’ର ଶ୍ରେଷ୍ଠତ୍ବ ହରାଏ ଏବଂ ଏହାର ବିପରୀତଟି ମଧ୍ୟ ସମପରିମାଣରେ ସତ୍ୟ। ଜର୍ଜ ହୋଲାଣ୍ଡ୍‌ ସାବାଇନ (୧୮୮୦-୧୯୬୧) ତାଙ୍କର ପ୍ରସିଦ୍ଧ ପୁସ୍ତକ ‘ହିଷ୍ଟ୍‌ରି ଅଫ୍ ପଲିଟିକାଲ୍‌ ଥିଓରି’ ରେ କହନ୍ତି, ‘‘ଶ୍ରେଷ୍ଠ ମନୁଷ୍ୟ ହିଁ ଶ୍ରେଷ୍ଠ ନାଗରିକ ହୋଇଥାଏ; ଏବଂ ଶ୍ରେଷ୍ଠ ନାଗରିକ ଶ୍ରେଷ୍ଠ ରାଷ୍ଟ୍ରରେ ହିଁ ରହିପାରେ।’’


ସମାନତା ଏକ ଅତି ମହତ୍ତ୍ବପୂର୍ଣ୍ଣ ଅବଧାରଣା, ଯାହାର ମନନ ଓ ଅନୁପାଳନ ସେତେଟା ସହଜ ନୁହେଁ। ପ୍ରତ୍ୟେକ ବ୍ୟକ୍ତି ପ୍ରତି ନିରପେକ୍ଷ, ଉଦାର ଭାବନା ତଥା ତାକୁ ତା’ର ପ୍ରଗତି ପାଇଁ ପକ୍ଷପାତରହିତ ସୁଯୋଗ ଏବଂ  ସ୍ବାଧୀନତା ଉପଲବ୍ଧ କରାଇବା ମାନବାଧିକାରର ଗୋଟିଏଗୋଟିଏ ମହତ୍ତ୍ବପୂର୍ଣ୍ଣ ଅଂଶ। ଯେଉଁଠି ସମାଜରେ ପୂର୍ବରୁ ହିଁ ଅତ୍ୟଧିକ ସାମାଜିକ-ଆର୍ଥିକ-ରାଜନୈତିକ ବୈଷମ୍ୟ ରହିଛି, ସେଠି ସମାନ ସୁଯୋଗର ସିଦ୍ଧାନ୍ତ ଏକ ସମାନତା ଆଧାରିତ ସମାଜ ସ୍ଥାପନ ଲକ୍ଷ୍ୟକୁ ବିଫଳ କରିବା ଅନିବାର୍ଯ୍ୟ; କାରଣ ବହୁ ଆଗକୁ ଯାଇସାରିଥିବା ଜଣେ ବ୍ୟକ୍ତି ସହ ଯଦି ସବା ପଛରେ ପଡ଼ିଥିବା ଜଣେ ବ୍ୟକ୍ତିକୁ ସମାନ ସୁଯୋଗ ଦିଆଯାଏ, ତେବେ ସେହି ସ୍ଥିତି ସର୍ବଦା ଅପରିବର୍ତ୍ତିତ ହିଁ ରହିବ; ସମାନତା କେବେ ପ୍ରାପ୍ତ ହେବ ନାହିଁ। ଏ କ୍ଷେତ୍ରରେ ନ୍ୟାୟର ଆବଶ୍ୟକତା ଅପରିହାର୍ଯ୍ୟ। ରାଷ୍ଟ୍ର ଯେତେବେଳେ ସମସ୍ତ ନାଗରିକଙ୍କ ନିମନ୍ତେ ନ୍ୟାୟ ଅନୁକୂଳ ସ୍ଥିତିର ସୃଜନ କରିଥାଏ; ସେତେବେଳେ ସମାନତାର ବାଟ ଫିଟେ। ସମାନତା ହିଁ ମାନବାଧିକାରର ପୁଣ୍ୟଭୂମି। ଏହାର ଆକାଙ୍‌କ୍ଷା ରାଷ୍ଟ୍ର-ସମାଜର ଇତିହାସ ଭଳି ପ୍ରାଚୀନ କହିଲେ ଭୁଲ୍‌ ହେବନାହିଁ। ମହାଭାରତର ଶାନ୍ତିପର୍ବରେ ରାଜଧର୍ମର ଶ୍ରେଷ୍ଠ ପଣ୍ଡିତ ପିତାମହ ଭୀଷ୍ମ ଅତୀତର ସମାନତା ଆଧାରିତ ଶ୍ରେଣୀହୀନ ସମାଜକୁ ମନେପକାଇ କହନ୍ତି: 


ନ ରାଜ୍ୟଂ ନ ଚ ରାଜାସୀତ୍‌, ନ ଦଣ୍ଡୋ ନ ଚ ଦାଣ୍ଡିକଃ । ସ୍ବୟମେବ ପ୍ରଜାଃ ସର୍ବା ରକ୍ଷନ୍ତି ସ୍ମ ପରସ୍ପରମ୍‌ ।। 

ଅର୍ଥାତ୍‌, ଏକଦା ଯେତେବେଳେ ରାଜ୍ୟ ନଥିଲା, ରାଜା ନ ଥିଲେ, ଦଣ୍ଡ ନ ଥିଲା ବା ଦଣ୍ଡଦାତା ମଧ୍ୟ ନ ଥିଲେ, ଲୋକେ ସ୍ବତଃସ୍ଫୂର୍ତ୍ତ  ପରସ୍ପରକୁ ସାହାଯ୍ୟ-ସହଯୋଗ ଓ ରକ୍ଷା କରୁଥିଲେ।


ପ୍ରାଚୀନ ଭାରତରେ ଗଣତାନ୍ତ୍ରିକ ଚେତନା ଓ କଲ୍ୟାଣରେ ସମସ୍ତଙ୍କ ସମାନ ଭାଗୀଦାରିତା ବିଚାର ବୌଦ୍ଧ ଦର୍ଶନରେ ଦର୍ଶନୀୟ। ଗୌତମ ବୁଦ୍ଧ ସ୍ବୟଂ ଗଣତାନ୍ତ୍ରିକ ପଦ୍ଧତିର ବିଶିଷ୍ଟ ସମର୍ଥକଙ୍କ ମଧ୍ୟରେ ରହିଥିଲେ ଏବଂ ବୌଦ୍ଧ ବିହାରଗୁଡ଼ିକ ଭିତରେ ଏପରି ଗଣତାନ୍ତ୍ରିକ ଚେତନା ଦେଖିବାକୁ ମିଳେ। ସେତେବେଳେ ମଧ୍ୟ ବର୍ତ୍ତମାନ ପରି ଜାତି ଓ ଶ୍ରେଣୀରେ ସମାଜ ବିଭାଜିତ ଥିଲା। ସେହି ମାନବକୃତ କୃତ୍ରିମ ବିଭାଜନକୁ ଧର୍ମସତ୍ତାର ମଧ୍ୟ ସମର୍ଥନପ୍ରାପ୍ତ ଥିଲା। ଗୌତମ ବୁଦ୍ଧ ପ୍ରଥମେ ଏହି ଚତୁର୍ବର୍ଣ୍ଣ ବ୍ୟବସ୍ଥାକୁ ଦୃଢ଼ ଚୁନୌତି ଦେଲେ; ଯଜ୍ଞବେଦିରେ ପ୍ରଦତ୍ତ ପଶୁବଳିକୁ ଘୋର ବିରୋଧ କଲେ। ରାଷ୍ଟ୍ରର ବିଧିବତ୍‌ ପ୍ରତିଷ୍ଠା ପରେ ଆର୍ଥିକ-ସାମାଜିକ-ରାଜନୈତିକ ସମାନତାର ବିଚାର ସମ୍ଭବତଃ ସର୍ବପ୍ରଥମେ ବୌଦ୍ଧକାଳରେ ହିଁ ଲୋକସମ୍ମୁଖକୁ ଆସିଲା। ଗୌତମ ବୁଦ୍ଧ ବୌଦ୍ଧସଙ୍ଘ ଗଢ଼ି ଜାତି-ଧର୍ମ-ବର୍ଗ ନିର୍ବିଶେଷରେ ସମସ୍ତ ମନୁଷ୍ୟଙ୍କ ପାଇଁ ନିଜ ଦ୍ବାର ଖୋଲି ଦେଇଥିଲେ; ଅର୍ଥାତ ଗୋଷ୍ଠୀଜୀବନ ଭିତରେ ମଧ୍ୟ ବ୍ୟକ୍ତି ସ୍ବାଧୀନତାର ସର୍ବୋଚ୍ଚ ସମ୍ମାନ ରହିଥିଲା। ବୌଦ୍ଧକାଳରେ ସମ୍ରାଟମାନେ ହିଁ ନିଜ ପ୍ରଜାର ପାଳନକର୍ତ୍ତା, ସଂରକ୍ଷକ ଓ ମାଲିକ ଥିଲେ  ଏବଂ ସମାଜର ଅଳ୍ପ କିଛି କୁଳୀନ ଲୋକଙ୍କ ନିକଟରେ ସବୁଯାକ କ୍ଷମତା ଠୁଳ ହୋଇଥିଲା। ବୁଦ୍ଧ ସେହି ଧାରାକୁ ଭାଙ୍ଗିବାକୁ ଉଦ୍ୟମ କଲେ। ସେତେବେଳେ ବୈଶାଳୀ ଭଳି ଗଣତାନ୍ତ୍ରିକ  ବିଚାର ଉପରେ ପ୍ରତିଷ୍ଠିତ କେତେକ କ୍ଷୁଦ୍ର ରାଜ୍ୟ ଥିଲା ସତ୍ୟ, କିନ୍ତୁ ତାହା ଥିଲା ଖଣ୍ଡିତ ଗଣତନ୍ତ୍ର। ବୁଦ୍ଧ ତତ୍କାଳୀନ ଗଣତନ୍ତ୍ରରେ ରାଜ୍ୟଗୁଡ଼ିକର ସଂଘ ଉପରେ ଅଧିକାରକୁ ଅଗ୍ରାହ୍ୟ କରିିଥିଲେ। ସମ୍ରାଟଙ୍କ ଅଧିକାରର ଅସ୍ବୀକାର୍ଯ୍ୟତାକୁ ନେଇ ଅନେକ ଜାତକ କଥା ରଚିତ ହୋଇଥିଲା। ସେଥିରୁ ଗୋଟିଏ ଥିଲା ଏହିପରି: 


ଥରେ ରାଜାଙ୍କୁ ପ୍ରିୟତମା ପାଟରାଣୀ ବର ମାଗିଲେ, ‘‘ମହାରାଜ, ମୋତେ ରାଜ୍ୟରେ ଅମର୍ଯ୍ୟାଦିତ ନିଷ୍କଣ୍ଟକ ରାଜ୍ୟଭୋଗ କରିବାର ଅଧିକାର ପ୍ରଦାନ କରାଯାଉ।’’


ରାଜା ମହାରାଣୀଙ୍କୁ ବୁଝାଇ କହିଲେ, ‘‘ହେ ଭଦ୍ରେ! ରାଜ୍ୟର ସମସ୍ତ ନିବାସୀଙ୍କ ଉପରେ ମୋର କୌଣସି ଅଧିକାର ନାହିଁ। ମୁଁ ସେମାନଙ୍କ ସ୍ବାମୀ (କର୍ତ୍ତା) ନୁହେଁ। ମୁଁ ତ କେବଳ ସେଇମାନଙ୍କର ସ୍ବାମୀ ଓ ନିୟନ୍ତ୍ରଣକର୍ତ୍ତା, ଯେଉଁମାନେ ରାଜକୀୟ କର୍ତ୍ତବ୍ୟର ଉଲ୍ଲଙ୍ଘନ ପୂର୍ବକ ଅକରଣୀୟ କାର୍ଯ୍ୟ କରି ଅନ୍ୟର ଜୀବନରେ ବାଧା ସୃଷ୍ଟି କରନ୍ତି। ଏଣୁ ମୁଁ ତୁମକୁ ରାଜ୍ୟର ସମସ୍ତ ନିବାସୀଙ୍କ ଉପରେ ସ୍ବାମିତ୍ବ (କର୍ତ୍ତୃତ୍ବ) ପ୍ରଦାନ କରିବା ପାଇଁ ଅସମର୍ଥ ଅଟେ।’’


ଏହି କାହାଣୀ ଭିତରେ ରାଜ୍ୟ/ରାଜା ଅର୍ଥାତ ରାଷ୍ଟ୍ର/ ରାଷ୍ଟ୍ରାଧ୍ୟକ୍ଷର ପ୍ରଜା ବା ନାଗରିକଙ୍କ ପ୍ରତି ଉଦାର ଭାବନା ପରିସ୍ଫୁଟ ହୋଇଥାଏ। ଏହି ଉଦାରତା ହିଁ ଶାସକ ଏବଂ ଶାସିତ ଭିତରେ ରହିଥିବା ଦୂରତା/ପାର୍ଥକ୍ୟକୁ କମ୍‌ କରିଥାଏ। ସୂଚନାଯୋଗ୍ୟ ଯେ, ତୃତୀୟ ଶତାବ୍ଦୀ ପୂର୍ବରୁ ଜନ୍ମଗ୍ରହଣ କରିଥିବା କୌଟିଲ୍ୟ ଓରଫ୍‌ ଚାଣକ୍ୟ ରାଜାଙ୍କ ନେତୃତ୍ବରେ ଏକ କଲ୍ୟାଣକାରୀ ରାଜ୍ୟ ଗଠନକୁ ସମର୍ଥନ କରିଥିଲେ। ସେ କହିଥିଲେ ଯେ ରାଜା ରାଜ୍ୟର ସ୍ବାମୀ ନୁହନ୍ତି; ପ୍ରଥମ ପ୍ରବନ୍ଧନକର୍ତ୍ତା। ପ୍ରଜା ଉପରେ ନିଜର ଇଚ୍ଛା ବଳପୂର୍ବକ ଲଦି ନ ଦେବାପାଇଁ ଚାଣକ୍ୟ ରାଜାଙ୍କୁ ସାବଧାନ କରିଥିଲେ- ‘ଜନତାଙ୍କ କୋପ ସବୁ କୋପଠାରୁ ଭୟଙ୍କର’। ସେ ସ୍ପଷ୍ଟରୂପେ କହିଥିଲେ ଯେ ‘ଯଦି ଜନତାର ଅବସ୍ଥା ଉତ୍ତମ, ତେବେ ରାଜାଙ୍କ ବିନା ମଧ୍ୟ ରାଜ୍ୟ ଠିକ୍‌ଭାବେ ଚାଲିପାରିବ’। ଏହି ପରିପ୍ରେକ୍ଷୀରେ ଫରାସୀ ବିପ୍ଳବର ଅନ୍ୟତମ ମହାନାୟକ ହେନ୍‌ରୀ ସେଣ୍ଟ୍‌-ସାଇମନ (୧୭୬୦-୧୮୨୫)ଙ୍କ ଏକ ଲଘୁକଥାର ପରିକଳ୍ପନା ସ୍ମରଣକୁ ଆସୁଚି: 


‘‘କଳ୍ପନା କରନ୍ତୁ ଯେ ଫ୍ରାନ୍ସରେ ବର୍ତ୍ତମାନ ପଚାଶ ଜଣ ପ୍ରଥମ ଶ୍ରେଣୀର ଚିକିତ୍ସକ, ପଚାଶ ଜଣ ପ୍ରମୁଖ ରସାୟନବିତ୍‌, ଭୌତିକ ବିଜ୍ଞାନୀ, ଦୁଇ ଶହ ଜଣ ବଡ଼  ବ୍ୟବସାୟୀ, ଛଅ ଶହ ଜଣ ବଡ଼ ଚାଷୀ, ପାଞ୍ଚ ଶହ ଜଣ ଯୋଗ୍ୟ କାରିଗର, ବଢ଼େଇ, ମୋଚି ଆଦିଙ୍କର ମୃତ୍ୟୁ ହେଲା। ଏପରି ହେଲେ ଫ୍ରାନ୍ସର ସମୃଦ୍ଧି ତତ୍କାଳ ସମାପ୍ତ ହୋଇଯିବ; ସମଗ୍ର ଦେଶ ଧୂଳିସାତ୍‌ ହୋଇଯିବ।


ଏହାର ବିପରୀତ, କଳ୍ପନା କରନ୍ତୁ ଯେ ଏହି ସମସ୍ତେ ସୁରକ୍ଷିତ ରହିବେ କିନ୍ତୁ ରାଜ ପରିବାରର ସମସ୍ତ ସଦସ୍ୟ, ଦରବାରୀ, ଅଧିକାରୀ, ମନ୍ତ୍ରୀ, ପୁରୋହିତ, ନ୍ୟାୟାଧୀଶ, ଭୂସ୍ବାମୀ ଆଦିଙ୍କର ପରଲୋକ ଘଟିବ; ତେବେ ଦେଶ ପାଇଁ ଦୁଃଖ ଆସିବ, ଶୋକ ମଧ୍ୟ ଅବଶ୍ୟ ହେବ, କାହିଁକିନା ଫ୍ରାନ୍ସ ଏକ ଭାବୁକ ଦେଶ; ପରନ୍ତୁ ସେଥିରେ ଦେଶର କୌଣସି ବାସ୍ତବିକ ଅହିତ ହେବ ନାହିଁ।’’


ଏ କାହାଣୀର ସନ୍ଦେଶ ଖୁବ୍‌ ସ୍ପଷ୍ଟ। ଯେ କୌଣସି ଦେଶ ରାଜା ଅବା ଦରବାରୀଙ୍କ ଦ୍ବାରା ତିଆରି ହୋଇନଥାଏ ବା ସତ୍ତାସୁଖଭୋଗୀ ତାକୁ ନିର୍ମାଣ କରି ନଥାନ୍ତି; ଦେଶର ପ୍ରକୃତ ନିର୍ମାତା/ରକ୍ଷାକର୍ତ୍ତା ତାହାର ଜନସାଧାରଣ। ସେମାନେ ହିଁ ତା’ର ଅସଲ ଶକ୍ତି-କେନ୍ଦ୍ର। ତେବେ ଅଧିକାଂଶ ଜନତା ନିଜର ସେହି ଅକୁତ ଶକ୍ତି ସହ ଅପରିଚିତ ଥାଆନ୍ତି। ପରିଣାମତଃ, ସେମାନେ ରାଜ୍ୟ/ରାଷ୍ଟ୍ର ସଂଚାଳନର ଶୀର୍ଷସ୍ଥ ବ୍ୟକ୍ତିମାନଙ୍କର ଅଧୀନତାକୁ ଅନ୍ଧଭାବେ ସ୍ବୀକାର କରନ୍ତି। ରାଷ୍ଟ୍ର ସଂଚାଳକ ନିଜ ଶୀର୍ଷତ୍ବ/ଶ୍ରେଷ୍ଠତ୍ବର ଔଚିତ୍ୟ ସିଦ୍ଧ କରିବା ପାଇଁ କେବେ ବିକାଶ ତ ଆଉ କେବେ ସୁଖ-ଶାନ୍ତି, ସୁରକ୍ଷା ଆଦିର ଆଳ ଦେଖାନ୍ତି; ଜାତି, ଧର୍ମ, ରାଷ୍ଟ୍ରପ୍ରେମ ପ୍ରଭୃତିର ଦ୍ବାହି ଦେଇ ଆପଣାର ସତ୍ତା ନିଷ୍କଣ୍ଟକ ରଖିବା ନିମିତ୍ତ ଅନୁକୂଳ ବାତାବରଣ ସୃଷ୍ଟି କରିବାରେ ଲାଗିଥାନ୍ତି। ସତ୍ତାସୀନ ବ୍ୟକ୍ତିଙ୍କ ନିର୍ଦେଶ, ଆଦେଶ ଓ କାର୍ଯ୍ୟର ଅନ୍ଧ ଅନୁସରଣ/ଅନୁକରଣରେ ଜନତା ଯଦି ନିର୍ଣ୍ଣୟ/ନିଷ୍ପତ୍ତି ନିଏ ତାହା କେବଳ ତା’ ନିଜର ନୁହେଁ, ଦେଶ/ରାଷ୍ଟ୍ରର ପତନର କାରଣ ହେବା ଅବଶ୍ୟମ୍ଭାବୀ। ତା’ର ଏହି ନିର୍ବୋଧ ଆଚରଣ ହିଁ ସ୍ବାର୍ଥସର୍ବସ୍ବ ପରାଙ୍ଗପୁଷ୍ଟ ଶକ୍ତିଗୁଡ଼ିକୁ ନିଜର ଆଧିପତ୍ୟ/କର୍ତ୍ତୃତ୍ବ ଚିରକାଳ ବଜାୟ ରଖିବାକୁ ସହାୟତା କରିବା ସହ ଜନତାଙ୍କ ଶକ୍ତିକୁ ଅପହୃତ କରି କ୍ଷମତାହୀନ କରିଦିଏ। ଗଣତାନ୍ତ୍ରିକ/ମାନବିକ ଅଧିକାରର ରକ୍ଷା କରିବାକୁ ହେଲେ ଜନତା/ଗଣକୁ ଆପଣାର ଶକ୍ତି/କ୍ଷମତାକୁ ଚିହ୍ନି ତା’ର ସଦୁପଯୋଗ କରିବା ନିତାନ୍ତ ଜରୁରୀ।


ବି.ଦ୍ର.: ଏହା ‘ମାନବାଧିକାରର ଇତିହାସ’ ଶୀର୍ଷକ ଏକ ଦୀର୍ଘ ପ୍ରବନ୍ଧର ସଂପାଦିତ ଅଂଶ


(‘ସମାଜ’ରେ ୨୨.୯.୨୧ରେ ପ୍ରକାଶିତ)

Next PostNewer Post Previous PostOlder Post Home

0 comments:

Post a Comment

ଏହି ବ୍ଲଗର ସମସ୍ତ ସାମଗ୍ରୀ ଲେଖକଙ୍କ ସର୍ବସ୍ବତ୍ତ୍ବ ସଂରକ୍ଷିତ. Powered by Blogger.