ସୁନା ପ୍ରେମିକଙ୍କ ଦେଶ

Leave a Comment


ସ୍ବର୍ଣ୍ଣ ଆଭୂଷଣ ପିନ୍ଧିବା ଓ ପିନ୍ଧାଇବା ଭାରତୀୟଙ୍କର କେବଳ ସଉକ ନୁହେଁ; ପରମ୍ପରା। ଏହି କାରଣରୁ ଭାରତ ବିଶ୍ବର ସର୍ବାଧିକ ସୁନା ଆମଦାନୀକାରୀ ଦେଶ। ସୁନା ଚୋରାଚାଲାଣ ବୃଦ୍ଧି ନିମନ୍ତେ ମଧ୍ୟ ଏହା ଦାୟୀ। କେତେକ ବିଳାସୀ ବ୍ୟକ୍ତି ସୁବର୍ଣ୍ଣ ମାସ୍କ ପିନ୍ଧିବାର ଚେଷ୍ଟା କରିଥିଲେ ହେଁ ଏହି ହଳଦିଆ ଧାତୁର ଅଭୂତପୂର୍ବ ଦରବୃଦ୍ଧି ଭାରତର ଅଗଣିତ ସୁନା ପ୍ରେମିକଙ୍କୁ ହତାଶ କରିଛି।

ଅଶୋକ

‘ଭାରତ ପୃଥିବୀର ଏପରି ସ୍ବର୍ଣ୍ଣକୁଣ୍ଡ, ଯେଉଁଠି ସବୁ ସ୍ବର୍ଣ୍ଣ ଯାଇ ଜମା ହେଉଛି’- ଖ୍ରୀଷ୍ଟପୂର୍ବ ୭୭ରେ ଏହା କହିଥିଲେ ପ୍ଲିନି ଦି ଏଲ୍‌ଡର ବା ପ୍ଲିନି ବଡ଼, ଯାହାଙ୍କ ମୂଳ ନାମ ଥିଲା ଗାଇଅସ ପ୍ଲିନିଅସ୍‌ ସିକଣ୍ଡସ୍‌। ପ୍ଲିନି ସାଧାରଣ ଲୋକ ନଥିଲେ। ସେ ପ୍ରାଚୀନ ରୋମ ସାମ୍ରାଜ୍ୟର ସମ୍ରାଟ ଭେସ୍‌ପାସିଆନଙ୍କ ବନ୍ଧୁ ତଥା ଜଣେ ବିଶିଷ୍ଟ ଲେଖକ-ଦାର୍ଶନିକ, ଭୂଗୋଳବିତ୍‌ ଓ ନାବିକ। ଭାରତ ସମ୍ପର୍କରେ ମଧ୍ୟ ତାଙ୍କର ଗଭୀର ଜ୍ଞାନ ରହିଥିଲା, ଯାହା ତାଙ୍କର ବିଶ୍ବବିଖ୍ୟାତ ଗ୍ରନ୍ଥ ‘ନେଚୁରାଲ୍‌ ହିଷ୍ଟ୍ରି’ (ପ୍ରାକୃତିକ ଇତିହାସ)ର ଅନେକ ସ୍ଥାନରେ ଉଲ୍ଲେଖ କରିଛନ୍ତି। ପ୍ଲିନିଙ୍କ ଅଭିଯୋଗ ଥିଲା ଯେ ଭାରତ ଶୃଙ୍ଗାର/ପ୍ରସାଧନ ସାମଗ୍ରୀ ଦେଇ ରୋମ ସାମ୍ରାଜ୍ୟରୁ ବହୁ ଅମୂଲ୍ୟ ଧନସଂପତ୍ତି ନେଇଯାଉଛି; ବିଶେଷ କରି ସୁନା। କହିବା ବାହୁଲ୍ୟ ଯେ ଏହି ବିଦ୍ବାନଙ୍କ ଅଭିଯୋଗ ଅମୂଳକ ନଥିଲା। ଭାରତର ବଣିକମାନେ ସେତେବେଳେ ରୋମରେ ପ୍ରସାଧନ ସାମଗ୍ରୀ, କପଡ଼ା, ହସ୍ତଶିଳ୍ପ ଓ ମସଲା ଆଦି ଜିନିଷ ବଦଳରେ ସୁନା ବୋହି ଆଣୁଥିଲେ। ଭାରତୀୟମାନେ ସଦାକାଳେ ସୁନା ପ୍ରେମିକ। ପର୍ବପର୍ବାଣି, ଯାନିଯାତ୍ରା, ବାହାବ୍ରତ ସବୁଠି ସୁନା ପିନ୍ଧିବା ଓ ପିନ୍ଧାଇବା ଭାରତୀୟଙ୍କର କେବଳ ସଉକ ନୁହେଁ, ପ୍ରଥା/ପରମ୍ପରା। ଏହି କାରଣରୁ ଭାରତ ହେଉଛି ପୃଥିବୀର ସର୍ବାଧିକ ସୁନା ଆମଦାନୀକାରୀ ଦେଶ। କେବଳ ଗତବର୍ଷ (୨୦୧୯) ୯୦୦ ଟନ୍ ସୁନା ଭାରତକୁ ବାହାରୁ ଆମଦାନୀ କରାଯାଇଥିଲା। ଅବଶ୍ୟ ସେଥିରୁ ସବୁ ସୁନା ଭାରତୀୟମାନେ ବ୍ୟବହାର କରିନଥିବେ। ସେଥିରୁ କିଛିରେ ସୁନା ଅଳଙ୍କାର ତିଆରି ହୋଇ ପୁଣି ବିଦେଶକୁ ପଠାଯାଇଥିବ; ତଥାପି ଏହାର ସିଂହଭାଗ ଲୋକଙ୍କ ଘରକୁ କିଣା ହୋଇ ଯାଇଥିବ। ବିଶ୍ବାସ କରାଯାଏ ଯେ ଆମେ ହେଉଛୁ ପୃଥିବୀର ସବୁଠୁ ବଡ଼ ସୁନା ଗଚ୍ଛିତକାରୀ ଦେଶ। ପ୍ରାୟ ୨୫,୦୦୦ ଟନ ସୁନା କେବଳ ଲୋକଙ୍କ ପାଖରେ ରହିଛି। ଏହାର ମୂଲ୍ୟ ଦେଶର ମୋଟ ଘରୋଇ ଉତ୍ପାଦ(ଜିଡିପି)ର ୪୦%ରୁ ଅଧିକ ହେବ ବୋଲି ଆକଳନ କରାଯାଇଛି। ଏହା ମଧ୍ୟ ଆମେରିକାର ଫୋର୍ଟ ନକ୍ସ, ଇଉରୋପର କେନ୍ଦ୍ରୀୟ ବ୍ୟାଙ୍କ ଓ ଚୀନରେ ଗଚ୍ଛିତ ସବୁ ସୁନାଠାରୁ ମଧ୍ୟ ଅଧିକ। 

ଏହାବ୍ୟତୀତ ଭାରତର ମନ୍ଦିରଗୁଡ଼ିକରେ ଯେଉଁ ସ୍ବର୍ଣ୍ଣଭଣ୍ଡାର ରହିଛି, ତାହା ବର୍ତ୍ତମାନ ସୁଦ୍ଧା ଅମାପ। କେବଳ ତିରୁଅନନ୍ତପୁରମ୍‌ ଶ୍ରୀପଦ୍ମନାଭସ୍ବାମୀ ମନ୍ଦିରରେ ୭୫ ଲକ୍ଷ କୋଟି ଟଙ୍କାର ସୁନା ସମେତ ଅନ୍ୟାନ୍ୟ ଅମୂଲ୍ୟ ଧାତୁର ଅଳଙ୍କାର ରହିଥିବା ଅନୁମାନ କରାଯାଉଛି। ୨୦୧୧ରେ ସୁପ୍ରିମକୋର୍ଟ ସ୍ବୟଂ କହିଥିଲେ ଯେ ମନ୍ଦିର ମାଟିତଳେ ଥିବା ‘ଏ’ରୁ ‘ଏଫ୍‌’ ଭଣ୍ଡାରରୁ ୬୫,୦୦୦ କୋଟି ଟଙ୍କାର ମୂଲ୍ୟବାନ ଅଳଙ୍କାର ମିଳିସାରିଛି। ସବୁଠୁ ବଡ଼ ଭଣ୍ଡାର ‘ବି’କୁ ଏପର୍ଯ୍ୟନ୍ତ ଖୋଲାଯାଇ ନାହିଁ। ଏସବୁ ଦୁର୍ମୂଲ୍ୟ ଅଳଙ୍କାର ମଧ୍ୟରୁ କେତେକ ଖ୍ରୀଷ୍ଟପୂର୍ବ ସମୟର। ଭାରତର ଅନ୍ୟାନ୍ୟ ମନ୍ଦିରରେ ମଧ୍ୟ ଟନ୍‌ଟନ୍‌ ସୁନା ରହିଥିବା କୁହାଯାଉଛି। ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ଯେ ଗଜନିର ମହମ୍ମଦ ୧୦୦୦-୧୦୨୫ ଖ୍ରୀ. ମଧ୍ୟରେ ଭାରତକୁ ୧୭ ଥର କେବଳ ଧନସଂପତ୍ତି ଲୁଣ୍ଠନ ପାଇଁ ଆକ୍ରମଣ କରିଥିଲେ। ସେ ୧୦୨୫ ଖ୍ରୀ.ରେ ସୋମନାଥ ମନ୍ଦିର ଉପରେ ଆକ୍ରମଣ କରିଥିଲେ। ସେ ଯାହାହେଉ, ସୁନା ପ୍ରେମିକଙ୍କ ଦେଶ ଭାରତରେ ଏହି ଉଜ୍ବଳ ଧାତୁଟିର ଅତ୍ୟଧିକ ଚାହିଦା ଯୋଗୁଁ ଏଠାରେ ସୁବର୍ଣ୍ଣ ତସ୍କରଙ୍କ ସଂଖ୍ୟା ମଧ୍ୟ ବଢ଼ିଚାଲିଛି। 

ସ୍ବର୍ଣ୍ଣ ତସ୍କର

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏକ ଆକଳନ ଅନୁସାରେ ବାଂଲାଦେଶ, ଭୁଟାନ, ମିଆଁମାର୍‌, ନେପାଳ ଆଦି ଦେଶରୁ ଭାରତ ସୀମାରେ ହିଁ ସାରା ପୃଥିବୀର ଏକ-ଚତୁର୍ଥାଂଶ ସୁନାର କାରବାର ହୋଇଥାଏ। ଅନେକ ଥର ଏହି ସ୍ବର୍ଣ୍ଣ ତସ୍କରମାନେ ଧରାପଡ଼ିଥିଲେ ହେଁ ଏହି ଅବୈଧ କାରବାର ବନ୍ଦ ହେଉନାହିଁ। ଭାରତରେ ସୁନାର ଚାହିଦା ଅଧିକ ଥିବାବେଳେ ସୁନା ଦର ଏବେ ସର୍ବକାଳୀନ ଉଚ୍ଚ ହୋଇଛି ଓ ୧୦ ଗ୍ରାମକୁ ୬୦ ହଜାର ଟଙ୍କା ଛୁଇଁବାକୁ ବସିଛି। ତେଣୁ ସୀମା ଶୁଳ୍କ (୧୨.୫ ଶତାଂଶ) ଓ ଅନ୍ୟାନ୍ୟ ଟିକସ (୩ରୁ ୮ ଶତାଂଶ) ଫାଙ୍କିବା ନିମନ୍ତେ ସୁନା ଚୋରି ଘଟନା ବୃଦ୍ଧି ପାଇବାରେ ଲାଗିଛି। ଗୋଟିଏ ହିସାବ ଅନୁସାରେ ବେଆଇନ ଭାବେ ଅଣାଯାଉଥିବା ଗୋଟିଏ କିଲୋଗ୍ରାମ ସୁନାରେ ପାଖାପାଖି ୬ ଲକ୍ଷ ଟଙ୍କାର ‘ଲାଭ’ ମିଳିଥାଏ। ଏପରି ଲାଭର ଲୋଭରୁ ବେଆଇନ କାରବାର ମଧ୍ୟ ବଢ଼ିଛି। ନିକଟରେ ଧରାପଡ଼ିଥିବା ବହୁଚର୍ଚିତ କେରଳ ସୁନା ଦୁର୍ନୀତି ଏହାର ଏକ ଉଦାହରଣ ମାତ୍ର। ଜୁଲାଇ ୫ରେ ଶୁଳ୍କ ବିଭାଗ କେରଳର ରାଜଧାନୀ ତିରୁଅନନ୍ତପୁରମ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ୧୫ କୋଟି ଟଙ୍କାର ଅବୈଧ ଚାଲାଣ ସୁନା ଜବତ କରିଥିଲା। ୟୁନାଇଟେଡ଼ ଆରବ ଏମିରେଟ୍‌ସ (ୟୁଏଇ) ଦୂତାବାସ ଠିକଣାରେ ‘କୂଟନୈତିକ ବ୍ୟାଗ୍’ରେ ଆସିଥିବା ୩୦ କିଲୋଗ୍ରାମ ସୁନା ନେଉଥିବାବେଳେ ସରିତ କୁମାର ନାମକ ଜଣେ ବ୍ୟକ୍ତିକୁ ଧରିଥିଲା ସୀମାଶୁଳ୍କ ବିଭାଗ। ପଚରାଉଚୁରା କରିବାପରେ ଧୀରେଧୀରେ ଗୁମର ଖୋଲିବା ସହ ଜଣାପଡ଼ୁଛି ଯେ ଦୀର୍ଘଦିନ ଧରି ଚାଲିଥିବା ବିରାଟ ସୁନା ଚୋରିର ଏହା ଏକ ଅଂଶ ମାତ୍ର। ଗତବର୍ଷ ନଭେମ୍ବର ମାସରୁ ବର୍ତ୍ତମାନ ସୁଦ୍ଧା ଏହି ତସ୍କର ଦଳ ୧୦୦ କୋଟିରୁ ଅଧିକ ଟଙ୍କାର ସୁନା ବେଆଇନ ଭାବେ ଆଣିଥିବା ଜଣାପଡ଼ିଛି। ଇତିମଧ୍ୟରେ ମୁଖ୍ୟ ତସ୍କରୀ ସ୍ବପ୍ନାପ୍ରଭା ସୁରେଶ ଓ ସରିତ କୁମାରଙ୍କ ସମେତ ବାର ଜଣଙ୍କୁ ଗିରଫ କରାଯାଇଛି। ସ୍ବପ୍ନା ଓ ଅନ୍ୟ ଅଭିଯୁକ୍ତଙ୍କୁ ପୁଲିସ ଇତିମଧ୍ୟରେ ରିମାଣ୍ଡରେ ଆଣିବା ସହ ସେମାନଙ୍କୁ ଜାମିନ ନଦେବାକୁ ଅଦାଲତରେ ଆବେଦନ କରିଛି। ଅନ୍ୟପକ୍ଷରେ ଅଦାଲତ ଅଗଷ୍ଟ ୧୦ରେ ସ୍ବପ୍ନାଙ୍କ ଜାମିନ ଆବେଦନର ଶୁଣାଣି କରିବାକୁ ଧାର୍ଯ୍ୟ କରିଛନ୍ତି। ସେହିପରି ନୂଆଦିଲ୍ଲୀ ବାଟେ ସ୍ବଦେଶ ଫେରିଥିବା ସାଉଦି ଆରବର ଜନୈକ କୂଟନୀତିଜ୍ଞ ଏହି କାରବାରରେ ସଂପୃକ୍ତ ଥିବା ତଦନ୍ତକାରୀ ସଂସ୍ଥା ସନ୍ଦେହ କରୁଛି।

ସୁନେଲି ବିଷକନ୍ୟା ସ୍ବପ୍ନା

କେରଳ ସୁନା ଦୁର୍ନୀତିର ସବୁଠୁ ଗୁରୁତ୍ବପୂର୍ଣ୍ଣ ଦିଗ ହେଉଛି ଏହି ଅବୈଧ କାରବାରର ନାୟିକା ସ୍ବପ୍ନା ସୁରେଶଙ୍କ କୂଟନୈତିକ-ରାଜନୈତିକ ସଂପୃକ୍ତି। ସ୍ବପ୍ନା ପୂର୍ବରୁ ୟୁଏଇ କନସୁଲେଟ-ଜେନେରାଲଙ୍କ କାର୍ଯ୍ୟାଳୟରେ ପରିଚାଳନା ସଚିବ ଭାବେ କାର୍ଯ୍ୟ କରିଥିବାବେଳେ କେରଳ ସରକାରଙ୍କ ସୂଚନା ପ୍ରଯୁକ୍ତି ବିଭାଗ (ଆଇଟି) ସହ ଜଡ଼ିତ କମ୍ପାନୀରେ ପିଆର୍‌ଓ ଥିଲେ। ତାଙ୍କ ନିଯୁକ୍ତିରେ ଆଇଟି ବିଭାଗ ସଚିବ ଏ ଶିବଶଙ୍କର ସହାୟତା କରିଥିବା ଜଣାପଡ଼ିବା ପରେ ତାଙ୍କୁ ପଦଚ୍ୟୁତ ଓ ନିଲମ୍ବିତ କରାଯାଇଛି। କେବଳ ଶିବଶଙ୍କର ନୁହନ୍ତି, ମୁଖ୍ୟମନ୍ତ୍ରୀ ପିନରାୟି ବିଜୟନଙ୍କ ସମେତ ବହୁ ବଡ଼ବଡ଼ ନେତା ଓ ସରକାରୀ ଅଧିକାରୀଙ୍କ ସହ ସ୍ବପ୍ନାଙ୍କ ଫଟୋ ଦେଖିବାକୁ ମିଳିଛି। ସୀମାଶୁଳ୍କ ବିଭାଗ, ପ୍ରବର୍ତ୍ତନ ନିର୍ଦେଶାଳୟ, ଆୟକର ବିଭାଗ ବ୍ୟତୀତ ଏକ ବିରଳ ଘଟନା କ୍ରମରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ଏହି ମାମଲାର ଯାଞ୍ଚ କରୁଥିବାବେଳେ ଅଗଷ୍ଟ ୬ରେ ଏନ୍‌ଆଇଏ ସୂଚନା ଦେଇଛି ଯେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ତା’ର ବେଶ୍‌ କାଟ୍‌ତି ଥିଲା ବୋଲି ସ୍ବପ୍ନା କହିଛନ୍ତି। ତେଣୁ ମାମଲାଟି ବେଶ୍‌ ଗମ୍ଭୀର ଓ ରୋଚକ ହେବାରେ ଲାଗିଛି। ବିରୋଧୀ ଦଳ କମ୍ୟୁନିଷ୍ଟ ମୁଖ୍ୟମନ୍ତ୍ରୀ ବିଜୟନଙ୍କର ଇସ୍ତଫା ଦାବି କରିଛନ୍ତି। ଅନୁସନ୍ଧାନ ପରେ ଜଣାପଡ଼ିଲାଣି ଯେ ସ୍ବପ୍ନାଙ୍କ ଚାକିରି ପାଇଁ ଦିଆଯାଇଥିବା ଶିକ୍ଷାଗତ ପ୍ରମାଣପତ୍ରଗୁଡ଼ିକ ଜାଲ୍‌। ତାଙ୍କର କାର୍ଯ୍ୟକଳାପସବୁ ଏବେ ସନ୍ଦିଗ୍ଧ। ଏକଦା ଅନେକଙ୍କର ପ୍ରିୟପାତ୍ରୀ ଥିବା ସ୍ବପ୍ନା ଏବେ ସମସ୍ତଙ୍କ ପାଇଁ ବିଷକନ୍ୟା ପାଲଟିଛନ୍ତି। 

ଏନ୍‌ଆଇଏ ଏହି ମାମଲାକୁ ହାତକୁ ନେବାର ଅନ୍ୟତମ କାରଣ ହେଉଛି ଏହି ଘଟଣା ସହ ମଧ୍ୟପୂର୍ବ ଆତଙ୍କବାଦୀଙ୍କ ସମ୍ପର୍କ ସନ୍ଦେହ। ଏହି ସୁନା ଚୋରିର ଅର୍ଥ ଦେଶରେ ଆତଙ୍କବାଦୀ କାର୍ଯ୍ୟକଳାପରେ ଲାଗିଛି ନା ନାହିଁ, ସେ ସମ୍ପର୍କରେ ଏନ୍‌ଆଇଏ ତଦନ୍ତ ଜାରି ରଖିଛି। ଅଦାଲତରେ ମଧ୍ୟ ସ୍ବପ୍ନାଙ୍କୁ ଏ ନେଇ ଜେରା କରାଯାଇଛି। 

ଚୋରା ସୁନାର ରାଜ୍ୟ

ଗଲ୍‌ଫ ଦେଶସମୂହରୁ କେରଳକୁ ଚୋରାରେ ସୁନା ଆସୁଥିବା ଘଟନା ନବେ ଦଶକରୁ ବୃଦ୍ଧି ପାଇଥିବା ବିଶେଷଜ୍ଞଙ୍କ ମତ। ୨୦୧୩ରେ କେନ୍ଦ୍ର ସରକାର ଆମଦାନୀ ଶୁଳ୍କ ବୃଦ୍ଧି କରିବା ପରେ ସୁନା ଚୋରା ଚାଲାଣ ଆହୁରି ବଢ଼ିଯାଇଛି। କେରଳ କଷ୍ଟମ୍‌ସ (ପ୍ରିଭେଣ୍ଟିଭ୍‌) କମିଶନରେଟ୍‌ର ତଥ୍ୟ ଅନୁସାରେ ୨୦୧୭ରୁ ୨୦୨୦ ଜୁଲାଇ ପ୍ରଥମ ସପ୍ତାହ ମଧ୍ୟରେ ସେହି ରାଜ୍ୟରେ ୯୩୨ କିଲୋଗ୍ରାମ ଚୋରା ସୁନା ଜବତ କରାଯାଇଛି, ଯାହାର ମୂଲ୍ୟ ୩୦୪ କୋଟି ଟଙ୍କାରୁ ଅଧିକ ହେବ। ସୂଚନାଯୋଗ୍ୟ ଯେ ଗତବର୍ଷ ନଭେମ୍ବରରେ ମୟଙ୍କ ଧାକଡ଼ ନାମକ ବ୍ୟକ୍ତିଙ୍କ ପକ୍ଷରୁ ବମ୍ବେ ହାଇକୋର୍ଟରେ ଦାଖଲ ସତ୍ୟପାଠର ପ୍ରତିକ୍ରିୟାରେ ଡିଆର୍‌ଆଇ ଦେଇଥିବା ସୂଚନା ଅନୁଯାୟୀ ଗୁଜରାଟର ମୁନ୍ଦ୍ରା ବନ୍ଦରର ଏକ ଗୁପ୍ତଜାଗାରୁ ୪,୫୨୨ କିଲୋଗ୍ରାମ ଓଜନର ସୁନା ଜବତ କରାଯାଇଥିଲା, ଯାହାର ମୂଲ୍ୟ ୧,୪୭୩ କୋଟି ଟଙ୍କା। ଏକ ତସ୍କର ଦଳ ଦ୍ବାରା ଏହା ଅଣାଯାଇଥିଲା। ଏହି ଅପରାଧୀ ଦଳର ମୁଖ୍ୟ ଥିଲା କେରଳ ପେରୁମ୍ବାଭୁର୍‌ ନିବାସୀ ତଥା ୟୁଏଇରେ ବ୍ୟବସାୟ କରୁଥିବା ନିସାର୍‌ ପି. ଆଲିୟାର୍‌। ନିସାରକୁ ପରେ ଗିରଫ କରାଯାଇଥିଲା।

୨୦୧୪ରେ ଘଟିଥିବା ଅନ୍ୟ ଏକ ଘଟନା ମଧ୍ୟ ସୁନା ତସ୍କରି ସହ ଆତଙ୍କବାଦୀଙ୍କ ସମ୍ପର୍କର ସୂଚନା ଦେଇଥାଏ। ସେହିବର୍ଷ କୋଚି ବିମାନବନ୍ଦରରେ ସୀମାଶୁଳ୍କ ବିଭାଗ ଦୁବାଇରୁ ଆସୁଥିବା ୨ କିଗ୍ରା ଚୋରା ସୁନା ଜବତ କରିଥିଲା। ପରେ ଏହି ଘଟଣାରେ ପେରୁମ୍ବାଭୁରର ପିକେ ଅନାଜ ଓ କନ୍ନୁରର ଅବଦୁଲ ହଲିମଙ୍କୁ ଗିରଫ କରାଯାଇଥିଲା, ଯେଉଁମାନେ ପୂର୍ବରୁ ଆତଙ୍କବାଦୀ କାର୍ଯ୍ୟକଳାପରେ ସଂପୃକ୍ତ ଥିଲେ। ତେବେ ଆତଙ୍କ କାର୍ଯ୍ୟରେ ଚୋରାସୁନାର ଟଙ୍କା ଲାଗିଛି ନା ନାହିଁ, ତା’ର ପ୍ରମାଣ ଏ ପର୍ଯ୍ୟନ୍ତ ମିଳିନାହିଁ। କେବଳ କେରଳ ନୁହେଁ, ବିଭିନ୍ନ ରାସ୍ତା ଦେଇ ଭାରତର ଅନ୍ୟ ଜାଗାକୁ ଚୋରାରେ ଆସୁଥିବା ସୁନାର ୭୫ ଶତାଂଶ ୟୁଏଇରୁ ହିଁ ଆସିଥାଏ। ବିଶ୍ବ ସ୍ବର୍ଣ୍ଣ ପରିଷଦ (ୱାର୍ଲଡ ଗୋଲ୍‌ଡ କାଉନସିଲ) ଅନୁଯାୟୀ ଚୋରା ସୁନାର ମାତ୍ର ୨ ଶତାଂଶ ହିଁ ଧରାପଡ଼େ। ଏଥିରୁ ଏ ସମସ୍ୟାର ଗମ୍ଭୀରତା ସହଜେ ଅନୁମେୟ।

ଅନ୍ୟପକ୍ଷରେ, କେରଳ ଭାରତର ସବୁଠୁ ଶସ୍ତାରେ ସୁନା ମିଳୁଥିବା ରାଜ୍ୟ ଭାବେ ଜଣାଶୁଣା। ଏଠାରେ ଛତୁ ଫୁଟିବା ପରି ସବୁ ସହରରେ ବଡ଼ବଡ଼ ସୁନା ତିଆରି ଦୋକାନ ଓ ଶୋ’ରୁମ୍‌ ରହିଥିବା ଦେଖିବାକୁ ମିଳେ। ଏସବୁ ଦୋକାନରେ ଯେ ଚୋରାସୁନାର ବେପାର ଚାଲିନଥିବ, ତାହା କହିହେବ ନାହିଁ।

୧୯୯୦ ଜୁନ ୬ରେ ଉଦାରୀକରଣ କାଳର ପ୍ରଥମ ପର୍ଯ୍ୟାୟବେଳେ ସରକାର ୧୯୬୮ର କଠୋର ‘ସ୍ବର୍ଣ୍ଣ ନିୟନ୍ତ୍ରଣ ଆଇନ’କୁ ନିଷ୍କ୍ରିୟ କରିଦେଇଥିଲେ। ଏହା ଭାରତରେ ହଠାତ୍‌ ସୁନା ଚୋରାଚାଲାଣ ଯୁଗର ଅନ୍ତ ଘଟାଇଥିବା ମନେହେଲା; କିନ୍ତୁ ଧୀରେଧୀରେ ପୁଣି ଏହି ତସ୍କରତା ଆରମ୍ଭ ହେଲା। ସ୍ବର୍ଣ୍ଣ ବ୍ୟବସାୟର ଉଦାରୀକରଣ ଓ ନିର୍ଦିଷ୍ଟ ନୀତି ପ୍ରଣୟନ ହିଁ ଏଥିରେ ଲଗାମ ଲଗାଇପାରିବ।

ଓଡ଼ିଶାରେ ଜବତ ଚୋରାସୁନା

୨୦୧୯ରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ସୀମାଶୁଳ୍କ ବିଭାଗ ଏକାଧିକ ଥର ଚୋରାଚାଲାଣ ହେଉଥିବା ସୁନାକୁ ଧରିବାରେ ସମର୍ଥ ହୋଇଥିଲା। ବ୍ୟାଙ୍କକ୍‌ରୁ କଲକାତା ଆସୁଥିବା ଜଣେ ଯାତ୍ରୀ ପାଖାପାଖି ୨୮୪ ଗ୍ରାମ୍‌ ସୁନା ସହ ଧରା ପଡ଼ିଥିଲେ, ଯାହାର ମୂଲ୍ୟ ୧୦ ଲକ୍ଷ ଟଙ୍କାରୁ ଅଧିକ। ଯାଞ୍ଚ ବେଳେ ସାର୍ଟ ବୋତାମରେ ସୁନାଗୁଡ଼ିକୁ ରିଙ୍ଗ ଆକାରରେ ଲଗାଯାଇଥିଲା। ରିଙ୍ଗକୁ ଏଭଳି ରୁପାର ଆବରଣ ଦିଆଯାଇଥିଲା ଯେ ସହଜରେ କେହି ସୁନା ବୋଲି ଜାଣିପାରିବ ନାହିଁ। ଏହି ଘଟନାର ତିନି ଦିନ ପୂର୍ବରୁ ମହାରାଷ୍ଟ୍ରର ଜଣେ ମହିଳାଙ୍କଠାରୁ ୮ଖଣ୍ଡ ସୁନା ବିସ୍କୁଟ ଜବତ କରାଯାଇଥିଲା, ଯାହାର ଓଜନ ଥିଲା ୯୫୯ ଗ୍ରାମ ଏବଂ ବଜାର ମୂଲ୍ୟ ୩୩ଲକ୍ଷ ଟଙ୍କା। ଭୁବନେଶ୍ୱରରୁ ବିଦେଶକୁ ସିଧାସଳଖ ବିମାନ ଚଳାଚଳ କରିବା ପରେ ସୁନା ଚୋରାଚାଲାଣ ବୃଦ୍ଧି ପାଇଛି। ଭାରତୀୟ ବଜାର ତୁଳନାରେ ବ୍ୟାଙ୍କକ୍‌ରେ ସୁନାଦର ଅପେକ୍ଷାକୃତ କମ୍‌ ଥିବାରୁ ଏପରି ହେଉଥିବା ଅନୁମାନ କରାଯାଉଛି।

କରୋନା କାଳରେ ସୁନା

ବିଶ୍ବ ମହାମାରୀ କୋଭିଡ଼ ୧୯ ସମୟରେ ସୁନାର ଦର ସାଧାରଣ ଲୋକଙ୍କ ହାତପାଆନ୍ତାରୁ ବାହାରକୁ ଚାଲିଯାଇଥିବାବେଳେ ଚାହିଦା ହ୍ରାସ ପାଇଛି। ବିଶ୍ବ ସ୍ବର୍ଣ୍ଣ ପରିଷଦ (ଡବ୍ଲ୍ୟୁଜିସି)ର ରିପୋର୍ଟ ଅନୁଯାୟୀ ଏପ୍ରିଲ୍‌-ଜୁନ୍‌ ତ୍ରୈମାସିକରେ ସୁନାର ଚାହିଦା ୭୦ ଶତାଂଶ ହ୍ରାସ ପାଇ ୬୩.୭ ଟନରେ ପହଞ୍ଚିଛି। ଗତବର୍ଷ ଅର୍ଥାତ ୨୦୧୯ରେ ଏହି ଦ୍ବିତୀୟ ତ୍ରୈମାସିକରେ ଭାରତରେ ସୁନାର ଚାହିଦା ୨୧୩.୨ ଟନ ରହିଥିଲା। ମୂଲ୍ୟ ଅନୁସାରେ ଦେଖିଲେ ଏହି ସମୟରେ ଗତବର୍ଷ ୬୨,୪୨୦ କୋଟି ଟଙ୍କା ଥିବାବେଳେ ସେଥିରେ ୫୭ ଶତାଂଶ ହ୍ରାସ ପାଇ ୨୬,୬୦୦ କୋଟିରେ ପହଞ୍ଚିଛି। ବର୍ଷର ପ୍ରଥମ ଛଅ ମାସ ଭିତରେ ଭାରତରେ ସୁନାର ଚାହିଦା ୫୬ ଶତାଂଶ ହ୍ରାସ ପାଇ ୧୬୫.୬ ଟନରେ ପହଞ୍ଚିଛି। ତେବେ ଏହା ସମଗ୍ର ବିଶ୍ବଚାହିଦାର ଅନୁରୂପ। ଲକ୍‌ଡାଉନ/ସଟ୍‌ଡାଉନ ଆଦି ଯୋଗୁଁ ସୁନା ବେପାର ମାନ୍ଦା ରହିଛି।

ସୁନା ଦରବୃଦ୍ଧିର କାରଣ

ସୁନା ଦର ଆଗରୁ ମଧ୍ୟ ବଢ଼ୁଥିଲା; କିନ୍ତୁ ଧୀରେଧୀରେ। ଗତ ବର୍ଷକ ଭିତରେ ଏହାର ଦ୍ରୁତବୃଦ୍ଧି ଘଟୁଛି। ଏହାର ମୁଖ୍ୟ କାରଣ ବିଭିନ୍ନ ଦେଶର ଆର୍ଥିକ ଅସ୍ଥିରତା ଓ ଅନିଶ୍ଚିତତା। ନିବେଶକମାନେ ଅନ୍ୟଠାରେ ନିବେଶ କରିବା ଅପେକ୍ଷା ସୁନାରେ ନିବେଶ କରିବାକୁ ବେଶି ନିରାପଦ ମନେ କରୁଛନ୍ତି। ତେଣୁ ଆନ୍ତର୍ଜାତିକ ସ୍ତରରେ ସୁନାଦର ବୃଦ୍ଧି ଘଟିବା ସହ ଭାରତରେ ମଧ୍ୟ ଦର ବଢ଼ୁଛି। ଆମେରିକା-ଚୀନ ବାଣିଜ୍ୟିକ ସଂଘର୍ଷ ମଧ୍ୟ ସୁନାଦରକୁ ପ୍ରଭାବିତ କରିଛି। ସୁନା ବିଶେଷଜ୍ଞଙ୍କ ମତରେ, ଆଗାମୀ ୧୮-୨୪ ମାସ ମଧ୍ୟରେ ୧୦ ଗ୍ରାମ ସୁନାର ମୂଲ୍ୟ ୬୫,୦୦୦ ଟଙ୍କା ପର୍ଯ୍ୟନ୍ତ ଯାଇପାରେ। କହିବା ବାହୁଲ୍ୟ ଯେ ଏହି ପୀତ ଧାତୁ ସାଧାରଣ ଭାରତୀୟଙ୍କ ପାଇଁ କ୍ରମଶଃ ଅପହଞ୍ଚ ହେବାରେ ଲାଗିଛି।

ସୁବର୍ଣ୍ଣ ତଥ୍ୟ

୧ ‘ଗୋଲ୍‌ଡ’ ଶବ୍ଦଟି ପ୍ରାଚୀନ ଇଂରେଜୀ ଶବ୍ଦ ‘ଗିଓଲୁ’ରୁ ଆସିଛି, ଯାହାର ଅର୍ଥ ହଳଦିଆ। 

୨ ବର୍ତ୍ତମାନ ସୁଦ୍ଧା ମଣିଷ ଦ୍ବାରା ୧,୬୧,୦୦୦ ଟନ୍‌ ସୁନା ଖଣିରୁ ଖୋଳାଯାଇଛି।

୩ ପୃଥିବୀର ସମସ୍ତ ମହାଦେଶର ମାଟିତଳେ ସୁନା ରହିଛି।

୪ ବର୍ତ୍ତମାନ ମଧ୍ୟ ମାଟିତଳେ ୮୦% ସୁନା ଗଚ୍ଛିତ ରହିଥିବା ବିଶ୍ବାସ କରାଯାଉଛି।

୫ ସମୁଦ୍ରଗୁଡ଼ିକର ଗର୍ଭରେ ମୋଟ ୧୦୦ କୋଟି ଟନରୁ ବେଶି ସୁନା ରହିଥିବା ଆକଳନ କରାଯାଇଛି। 

୬ ୨୦୧୦ ମେ’ରେ ଆବୁଧାବିର ଏକ ବିଳାସମୟ ହୋଟେଲରେ ବିଶ୍ବର ପ୍ରଥମ ସୁନା ଏଟିଏମ୍‌ ସ୍ଥାପନ କରାଯାଇଥିଲା। ଏହି ମେସିନଟିର ଘୋଡ଼ଣି ୨୪ କ୍ୟାରେଟ୍‌ ସୁନାରେ ତିଆରି।

୭ ୧୯୯୯ରେ ଆଇଏମ୍‌ଏଫ୍‌ରେ ଯୋଗ ଦେବା ପର୍ଯ୍ୟନ୍ତ ସୁଇସ୍‌ ଫ୍ରାଙ୍କ୍‌ରେ ସୁନା ପରସ୍ତ ଦିଆଯାଉଥିଲା।

୮ ରସାୟନବିତ୍‌ ବିଶ୍ବାସ କରନ୍ତି ​‌ଯେ ସୀସାକୁ ସୁନାରେ ରୂପାନ୍ତରିତ କରିହେବ।

୯ ‘୧୯୩୩ ଡବଲ୍‌ ଇଗଲ୍‌’ ପୃଥିବୀର ସବୁଠୁ ଦାମୀ ସ୍ବର୍ଣ୍ଣମୁଦ୍ରା। ୨୦୦୨ରେ ଏହା ନିଉୟର୍କରେ ୫୭ କୋଟି ଟଙ୍କାରେ ବିକ୍ରି ହୋଇଥିଲା।

୧୦ ପୂରା ଖାଣ୍ଟି ସୁନା ଏତେ କୋମଳ ଯେ ତାକୁ ହାତରେ ମୋଟା ବା ପତଳା କରିହେବ।

୧୧ ସୁନା ଏକ ଉତ୍ତମ ବିଦ୍ୟୁତ୍‌ବାହୀ ଧାତୁ।

୧୨ ଏକ ଆଉନ୍ସ (୨୮.୩୪୯୫ ଗ୍ରାମ) ସୁନାରେ ୧୦୦ ବର୍ଗଫୁଟକୁ ଛାଉଣି କରିହେବ। 

୧୩ ୧୮୬୯ରେ ଦୁଇ ଅଷ୍ଟ୍ରେଲୀୟ ବିଶ୍ବର ବୃହତ୍ତମ ସୁନାମୁଣ୍ଡା ଖୋଳିଥିଲେ, ଯାହାର ଆକାର ୧୦ ଗୁଣନ ୨୫ ଇଞ୍ଚ ଥିଲା।

୧୪ ଅଷ୍ଟ୍ରିଆର ଫିଲ୍‌ହାର୍ମୋନିକ୍ ହେଉଛି ବିଶ୍ବର ସବୁଠୁ ଓଜନିଆ ସ୍ବର୍ଣ୍ଣମୁଦ୍ରା। ଏହାର ଓଜନ ୩୧.୧ କିଲୋଗ୍ରାମ। ଏହା ମଧ୍ୟ ୨୦୦୪ରେ ବୃହତ୍ତମ ସ୍ବର୍ଣ୍ଣମୁଦ୍ରା ଭାବେ ଗିନିଜ ବିଶ୍ବରେକର୍ଡରେ ସ୍ଥାନ ପାଇଛି।

୧୫ ବିଶ୍ବର ଦୁଇ-ତୃତୀୟାଂଶ ସୁନା ଦକ୍ଷିଣ ଆଫ୍ରିକାରୁ ଆସିଥାଏ।

୧୬ ବୈଜ୍ଞାନିକଙ୍କ ବିଶ୍ବାସ ଯେ ମଙ୍ଗଳ, ବୁଧ ଓ ବୃହସ୍ପତି ଗ୍ରହରେ ସୁନା ରହିଛି।

ଭାରତରେ ସୁନା ଦର

(୨୪ କ୍ୟାରେଟ୍‌; ୧୦ ଗ୍ରାମ)

ବର୍ଷ ମୂଲ୍ୟ (ଟଙ୍କାରେ) 

୧୯୬୪ ୬୩

୧୯୭୫ ୫୪୦

୧୯୮୫ ୨,୧୩୦

୧୯୯୫ ୪,୬୮୦

୨୦୦୫ ୭,୦୦୦

୨୦୧୧ ୨୬,୪୦୦

୨୦୧୨ ୩୧,୦୫୦

୨୦୧୩ ୨୯,୬୦୦

୨୦୧୪ ୨୮,୦୦୬

୨୦୧୫ ୨୬,୩୪୩

୨୦୧୬ ୨୮,୬୨୩

୨୦୧୭ ୨୯,୬୬୭

୨୦୧୮ ୩୧,୪୩୮

୨୦୧୯ ୩୫,୨୨୦

୨୦୨୦ ୫୭,୪୯୦

(‘ରବିବାର ସମାଜ’ରେ ୯ ଅଗଷ୍ଟ ୨୦୨୦ରେ ପ୍ରକାଶିତ)

‘ସମାଜ’, କଟକ; ମୋ: ୭୯୭୮୧୦୯୧୫୩

ashoksamaja@gmail.com

Next PostNewer Post Previous PostOlder Post Home

0 comments:

Post a Comment

ଏହି ବ୍ଲଗର ସମସ୍ତ ସାମଗ୍ରୀ ଲେଖକଙ୍କ ସର୍ବସ୍ବତ୍ତ୍ବ ସଂରକ୍ଷିତ. Powered by Blogger.