ସାକ୍ଷାତକାର/ ପ୍ରଶାନ୍ତ ଭୂଷଣ

Leave a Comment


ସାକ୍ଷାତକାର/ ପ୍ରଶାନ୍ତ ଭୂଷଣ

ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ତଥା ସାମାଜିକ କର୍ମୀ


ଦୁଇଟି ଟୁଇଟ୍‌ ପାଇଁ ଭାରତର ସର୍ବୋଚ୍ଚ ନ୍ୟାୟାଳୟ ଯାହାଙ୍କୁ ଅଦାଲତ ଅବମାନନାରେ ଦୋଷୀସାବ୍ୟସ୍ତ କରିବା ସହ ଦଣ୍ଡବିଧାନ କରିଛନ୍ତି, ସେହି ବହୁଚର୍ଚିତ ଆଇନଜୀବୀ ତଥା ସାମାଜିକ କର୍ମୀ ପ୍ରଶାନ୍ତ ଭୂଷଣଙ୍କ ସହ ‘ସମାଜ’ ପକ୍ଷରୁ ଆଲୋଚନା କରିଛନ୍ତି ଅଶୋକ ସାହୁ...


‘‘ସରକାରୀ ସଂସ୍ଥାଗୁଡ଼ିକୁ ଦାୟିତ୍ବବାନ କରିବାକୁ ହେଲେ ଲୋକଙ୍କ ସ୍ବର ଉତ୍ତୋଳନ ଜରୁରୀ’’

ସମାଜ: ଆପଣଙ୍କୁ ଦୁଇଟି ଟୁଇଟ୍‌ ପାଇଁ ସୁପ୍ରିମକୋର୍ଟ ଦଣ୍ଡାଦେଶ ଦେଇଥିଲେ ୧ ଟଙ୍କାର ଜରିମାନା (ଅନାଦେୟେ ୩ ମାସ କାରାଦଣ୍ଡ ଅଥବା ୩ ବର୍ଷ ପେସାରୁ ବାସନ୍ଦ)। ଆପଣ ଏହି ଦଣ୍ଡକୁ ସ୍ବୀକାର କଲେ। କିଛି ଲୋକଙ୍କ ମତରେ ଆପଣ ଦଣ୍ଡ ସ୍ବୀକାର କରି ଅପରାଧକୁ ସ୍ବୀକାର କରିଛନ୍ତି। ଆପଣ ଅଦାଲତରେ ଗାନ୍ଧିଜୀଙ୍କ ବକ୍ତବ୍ୟ ରଖିଥିଲେ। ଆପଣଙ୍କ ସ୍ଥାନରେ ଗାନ୍ଧିଜୀ ଥିଲେ କ’ଣ କରିଥାନ୍ତେ ବୋଲି ଭାବୁଛନ୍ତି?

ପ୍ରଶାନ୍ତ ଭୂଷଣ: ଅପରାଧ ସ୍ବୀକାର କରିବା କଥା ଠିକ୍‌ ନୁହେଁ। ଅଦାଲତ ଯେଉଁ ପେନାଲ୍‌ଟି ଲଗାନ୍ତି ବା ଦଣ୍ଡ ଦିଅନ୍ତି, ତାକୁ ତ ମାନିବାକୁ ପଡ଼ିଥାଏ। ମୁଁ ଏହି ରାୟ ବିରୋଧରେ ଆସନ୍ତା ୧୫ ତାରିଖ ଭିତରେ ରିଭ୍ୟୁ ଏବଂ ରିଟ୍‌ ପିଟିସନ ବି ଦାୟର୍‌ କରିବି; କିନ୍ତୁ ଅଦାଲତ ଯାହା ରାୟ ଶୁଣାଇଛନ୍ତି, ତାକୁ ବର୍ତ୍ତମାନ ପାଇଁ ତ ସ୍ବୀକାର କରିବାକୁ ପଡ଼ିବ। ଯଦି କିଛି ବିକଳ୍ପ ଦେଇନଥାନ୍ତେ, ତେବେ ଜେଲ୍‌ ଯିବାକୁ ପଡ଼ିଥାନ୍ତା; କିନ୍ତୁ ଦଣ୍ଡକୁ ସ୍ବୀକାର କରିବା ଅର୍ଥ ନୁହେଁ ଯେ ମୁଁ କଥିତ ଅପରାଧକୁ ସ୍ବୀକାର କଲି। ମୁଁ ଏବେ ବି କହୁଛି ଏହି ରାୟ ତ୍ରୁଟିପୂର୍ଣ୍ଣ। 

ଆପଣ ଭାବୁଛନ୍ତି କି ଗାନ୍ଧିଜୀ ମଧ୍ୟ ଏପରି କରିଥାନ୍ତେ?

ମୁଁ ନିଶ୍ଚିତ ଯେ ଗାନ୍ଧିଜୀ ମଧ୍ୟ ଏପରି କରିଥାନ୍ତେ। ଆଉ କିଛି ବିକଳ୍ପ ତ ନଥିଲା। ମୁଁ କ’ଣ ଜବରଦସ୍ତି ଜେଲ୍‌ ଯିବି ବୋଲି କହିଥାନ୍ତି!

ଆପଣଙ୍କୁ ସୁପ୍ରିମକୋର୍ଟ ବାରମ୍ବାର କହିବା ପରେ ମଧ୍ୟ କ୍ଷମା ମାଗିଲେ ନାହିଁ; କିନ୍ତୁ ଅତୀତରେ ଗୋଟିଏ ମାମଲାରେ ଆପଣ କ୍ଷମା ମାଗିବାର ଉଦାହରଣ ରହିଛି। ଏହି ମାମଲାରେ କାହିଁକି କ୍ଷମା ମାଗିଲେନି?

ମୁଁ ପ୍ରକୃତରେ କ୍ଷମା ମାଗିନଥିଲି। ସେଇ ମାମଲା​‌େ​‌ର ମୁଁ କହିଥିଲି ଯେ ୧୬/୧୭ ଜଣ ପୂର୍ବତନ ବିଚାରପତିଙ୍କ ମଧ୍ୟରୁ ପ୍ରାୟ ଅଧା ଦୁର୍ନୀତିଗ୍ରସ୍ତ। ମୁଁ ସ୍ପଷ୍ଟୀକରଣ ଦେଇଥିଲି ଯେ ଦୁର୍ନୀତିର ଅର୍ଥ ନୁହେଁ ଯେ ସେମାନେ ଟଙ୍କା ଲାଞ୍ଚ ନେଇଥିଲେ। ଦୁର୍ନୀତି ମାନେ ମୁଁ କହିଥିଲି ଯେ ସେମାନେ କିଛି ଅକରଣୀୟ କାର୍ଯ୍ୟ କରିଥିଲେ। ଯଦି କୌଣସି ପ୍ରଧାନ ବିଚାରପତି ବା ପୂର୍ବତନ ପ୍ରଧାନ ବିଚାରପତି କିମ୍ବା ସେମାନଙ୍କ ପରିବାର ଏହାକୁ ସେହି ଦୃଷ୍ଟିରେ ନେଇଥାନ୍ତି, ତେବେ ସେଥିପାଇଁ ମୁଁ ଦୁଃଖିତ ବୋଲି ସ୍ପଷ୍ଟ କରିଥିଲି; କିନ୍ତୁ ମୁଁ ଯାହା କହିଛି, ତାହା ସଂପୂର୍ଣ୍ଣ ଠିକ୍‌। 

ଆପଣ କହୁଛନ୍ତି ଯେ ବର୍ତ୍ତମାନର ମାମଲାଟି ବାକ୍‌ ସ୍ବାଧୀନତା ସହ ସଂପୃକ୍ତ; କିନ୍ତୁ ଅତୀତରେ କେନ୍ଦ୍ର ଓ ଅନେକ ରାଜ୍ୟ ସରକାର ସୋସାଲ୍‌ ମିଡିଆ ପୋଷ୍ଟ୍‌ ପାଇଁ ବହୁ ଲୋକଙ୍କୁ ଜେଲ୍‌କୁ ପଠାଇଛନ୍ତି। ସରକାରଙ୍କୁ ସମାଲୋଚନା କରିବାର ସ୍ବାଧୀନତା କ’ଣ ଲୋକଙ୍କର ନାହିଁ? ଆପଣ ତ ପ୍ରଧାନ ବିଚାରପତି ଓ ଅଦାଲତ ବିଷୟରେ ଲେଖିଥିଲେ!

ସୋସାଲ୍‌ ମିଡିଆରେ ସରକାରଙ୍କୁ ସମାଲୋଚନା କଲେ ଯଦି ଜେଲ୍‌ ପଠାଯାଉଛି, ରାଜଦ୍ରୋହ ମକଦ୍ଦମା ଚଳାଯାଉଛି, ତେବେ ତାହା ସମ୍ପୂର୍ଣ୍ଣ ବେଆଇନ ଆଉ ମନଇଚ୍ଛା କରାଯାଉଛି। ଏହା ଆଦୌ ଠିକ୍‌ ନୁହେଁ। ତେବେ ଏହାର ଅର୍ଥ ନୁହେଁ ଯେ ସୋସାଲ୍‌ ମିଡିଆ ପୋଷ୍ଟ୍‌ ପାଇଁ କାହାକୁ ଜେଲ୍‌ ପଠାଯାଇପାରିବ ନାହିଁ। ଯଦି ସୋସାଲ୍‌ ମିଡିଆରେ କେହି ମିଥ୍ୟା ପ୍ରଚାର କରୁଛି; ଘୃଣାର ପ୍ରସାର କରୁଛି, ତା’ ତ ବଡ଼ ଅପରାଧ; ସେଥିପାଇଁ ତାକୁ ଜେଲ୍‌ ପଠାଯିବା ଜରୁରୀ। ବିଡ଼ମ୍ବନାର କଥା ହେଉଛି ଯେଉଁମାନେ ସରକାରଙ୍କ ତରଫରୁ ଘୃଣା ଓ ଶତ୍ରୁତାର ପ୍ରଚାରପ୍ରସାର କରୁଛନ୍ତି, ସେମାନଙ୍କୁ ଜେଲ୍‌ ପଠାଯାଉନି; କିନ୍ତୁ ଯେଉଁମାନେ ସରକାରଙ୍କୁ ସମାଲୋଚନା କରୁଛନ୍ତି, ସେମାନଙ୍କୁ ଜେଲ୍‌ରେ ପୂରାଇ ଦିଆଯାଉଛି। 

ଏହି ଅଦାଲତ ଅବମାନନା ମାମଲାରେ ଆପଣଙ୍କୁ ବହୁତ ସମର୍ଥନ ମଧ୍ୟ ମିଳିଛି। ଏହି ସମର୍ଥକଙ୍କ ଭିତରେ ସୁପ୍ରିମକୋର୍ଟର ଅନେକ ପୂର୍ବତନ ବିଚାରପତି, ବରିଷ୍ଠ ଆଇନଜୀବୀ, ବୁଦ୍ଧିଜୀବୀ ଓ ନାଗରିକ ସମାଜ ରହିଛନ୍ତି। ଆପଣ ଏହାକୁ କିପରି ଦେଖୁଛନ୍ତି?

ମତେ ଲାଗୁଚି ଯେ ଲୋକେ ହିଁ ଏହାକୁ ‘ବାକ୍‌ ସ୍ବାଧୀନତା’ ଓ ‘ଅଭିବ୍ୟକ୍ତିର ସ୍ବାଧୀନତା’ ପ୍ରସଙ୍ଗ କରିଦେଇଛନ୍ତି। ଲୋକଙ୍କୁ ଲାଗୁଚି ଯେ ଜଣେ ବ୍ୟକ୍ତି ସ୍ବର ଉତ୍ତୋଳନ କରିଛି ଏବଂ ଆମକୁ ମଧ୍ୟ କରିବାକୁ ପଡ଼ିବ। ତେଣୁ ବହୁତ ଲୋକ ମୋ ସପକ୍ଷରେ ଠିଆ ହେଲେ। ବହୁ ଲୋକ କହିଛନ୍ତି ଯେ ଆମେ ଯାହା କହୁଛୁ ପ୍ରଶାନ୍ତ ଭୂଷଣ ମଧ୍ୟ ସେକଥା ଉଠାଇଛନ୍ତି। ତେଣୁ ଅଦାଲତ ଲୋକଙ୍କ ଭିତରେ ଡର ସୃଷ୍ଟି କରିବାପାଇଁ ଯେଉଁ ଚାହୁଁଥିଲେ ଯେ ଅଦାଲତକୁ କିଛି କହିପାରିବ ନାହିଁ; ତାହା ହେଲା ନାହିଁ ବରଂ ଓଲଟା ହେଲା। ଲୋ​‌େ​‌କ ଆହୁରି ଦୃଢ଼ଭାବେ ସ୍ବର ଉତ୍ତୋଳନ କଲେ। 

ତା’ମାନେ ଆପଣ କହୁଛନ୍ତି ଯେ ଏହି ମାମଲାରୁ ସକାରାତ୍ମକ ଫଳ ମିଳିଚି?

ନିଶ୍ଚୟ। ଦ୍ବିତୀୟ ସକାରାତ୍ମକ କଥାଟି ହେଉଛି, ଅଦାଲତ ବିଗତ ୬ ବର୍ଷ ଭିତରେ କ’ଣ କ’ଣ କରିଛି, ତା’ର ଆଭିମୁଖ୍ୟ କ’ଣ ଥିଲା ସେ ବିଷୟରେ ବହୁତ ଚର୍ଚା ହେଲା। 

ଆପଣ ଜନସ୍ବାର୍ଥ ମାମଲା ଦାୟର୍‌ କରିବାରେ ଧୁରନ୍ଧର ଏବଂ ବହୁ ମାମଲାରେ ସଫଳତା ବି ପାଇଛନ୍ତି। ନିକଟ ଅତୀତରେ ଆପଣ ସିପିଆଇଏଲ୍‌ ପକ୍ଷରୁ ଏକ ମାମଲା ଦାୟର୍‌ କରିଥିଲେ, ଯେଉଁଥିରେ ପିଏମ୍‌ କେୟାର୍ସ ଫଣ୍ଡ୍‌ (ପ୍ରଧାନମନ୍ତ୍ରୀ ଜରୁରୀକାଳୀନ ସ୍ଥିତି ନାଗରିକ ସହାୟତା ଓ ରିଲିଫ୍‌ ପାଣ୍ଠି)ରୁ ଏନ୍‌ଡିଆର୍‌ଏଫ୍‌ (ଜାତୀୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି)କୁ ଅର୍ଥ ସ୍ଥାନାନ୍ତର ପାଇଁ ଦାବି କରିଥିଲେ। ଆପଣ ଏପରି କାହିଁକି ଚିନ୍ତା କଲେ?

ପ୍ରଥମ କଥା ହେଉଛି ବିପର୍ଯ୍ୟୟ ପରିଚାଳନା ଆଇନ (ଡିଜାଷ୍ଟର୍‌ ମ୍ୟାନେଜ୍‌ମେଣ୍ଟ ଆକ୍ଟ)ରେ ରହିଛି ଯେ ଯେଉଁ ଟଙ୍କା ବିପର୍ଯ୍ୟୟ ରିଲିଫ୍ ପାଇଁ ସରକାରଙ୍କ ପାଖକୁ ଆସିବ, ତାହା ଏନ୍‌ଡିଆର୍‌ଏଫ୍‌ରେ ଗଚ୍ଛିତ ରହିବ। ଦ୍ବିତୀୟ କଥା ହେଲା, ପିଏମ୍‌ କେୟାର୍ସ ଫଣ୍ଡ୍‌ରେ କୌଣସି ସ୍ବଚ୍ଛତା ନାହିଁ କିମ୍ବା ଉତ୍ତରଦାୟିତ୍ବ ନାହିଁ। ସିଏଜି (ଭାରତର ମହାଲେଖା ନିୟନ୍ତ୍ରକ ଓ ମହାସମୀକ୍ଷକ) ଏହାର ଅଡିଟ୍‌ କରିବେ ନାହିଁ; କୁହାଯାଉଛି ଯେ କୌଣସି ପ୍ରାଇଭେଟ୍‌ ଅଡିଟର୍‌ ଏହାର ଅଡିଟ୍‌ କରିବ। ତେଣୁ ଗୋଟିଏ ଦୃଷ୍ଟିରୁ କହିବାକୁ ଗଲେ ପ୍ରଧାନମନ୍ତ୍ରୀ ନିଜର ଏକ ‘ପ୍ରାଇଭେଟ୍‌ ଫଣ୍ଡ୍‌’ ତିଆରି କରିଛନ୍ତି। ସେଥିରେ ଯାହା ଚାହିଁଲେ ସେଇଆ କରିହେବ; ଯାହାକୁ ଚାହିଁଲେ ଯେତେ ଟଙ୍କା ଦେଇହେବ। ସରକାରଙ୍କ ନାଁରେ ଟଙ୍କା ଜମା କରାଯାଉଛି। ସରକାରୀ ଅଧିକାରୀଙ୍କଠାରୁ ପଇସା ଅଣାଯାଉଛି। ପିଏସ୍‌ୟୁଠାରୁ ଅର୍ଥ ଅଣାଯାଉଛି। କମ୍ପାନୀଗୁଡ଼ିକୁ କୁହାଯାଉଛି ଯେ ଏଥିରେ ଟଙ୍କା ଜମାକଲେ ତାହା କର୍ପୋରେଟ୍‌ ସୋସାଲ୍‌ ରେସ୍‌ପନ୍‌ସିବିଲିଟି ଖାତାକୁ ନିଆଯିବ, ନଚେତ୍‌ ନାହିଁ। ଏପରି ସ୍ଥିତିରେ ଯଦି ସରକାର ଅର୍ଥ ଆଣି ଏଥିରେ ଜମା ରଖିବେ, ଯାହାର କୌଣସି ସ୍ବଚ୍ଛତା କି ଉତ୍ତରଦାୟିତ୍ବ ନାହିଁ; ତାହା ଆଦୌ ଠିକ୍‌ କଥା ନୁହେଁ। ତେଣୁ ସେସବୁ ଅର୍ଥକୁ ଏନ୍‌ଡିଆର୍‌ଏଫ୍‌ରେ ରଖାଯିବା ଉଚିତ।

ଦଶ ଦିନ ଭିତରେ ଆପଣ ରିଟ୍‌ ପିଟିସନ ଓ ରିଭ୍ୟୁ ପିଟିସନ ଦାୟର୍‌ କରିବେ ବୋଲି କହୁଛନ୍ତି; କିନ୍ତୁ ଏହାଦ୍ବାରା ଲାଭ କ’ଣ ହେବ? ଆପଣ ତ ଜରିମାନା ଦେଇସାରିଛନ୍ତି।

ନା, ମୁଁ ଜରିମାନା ଏ ଯାଏଁ ଭରିନାହିଁ; ଭରିବି। ତେବେ ରିଟ୍‌ ପିଟିସନ ଆଉ ରିଭ୍ୟୁ ପିଟିସନ ଦାଖଲର କାରଣ ହେଉଛି ଆମେ ଚେଷ୍ଟା କରିବୁ ଅଦାଲତ ତାଙ୍କର ଫଇସଲାକୁ ପୁନର୍ବିଚାର କରି ଓଲଟାଇ ଦିଅନ୍ତୁ; କାରଣ ମୋ ମତରେ ତାହା ତ୍ରୁଟିପୂର୍ଣ୍ଣ ଫଇସଲା ଥିଲା। ମୋତେ କୁହାଗଲା ଅଦାଲତ ଅବମାନନା ଓ ମୁଁ ମୋ ପକ୍ଷ ରଖିଥିଲି। ନିଜର ପକ୍ଷ ରଖିବା ଗଣତନ୍ତ୍ରରେ ପ୍ରତ୍ୟେକ ନାଗରିକର ଏକ ଅଧିକାର। 

ଆପଣ ଜରିମାନା ଭରିବେ ବୋଲି କହୁଛନ୍ତି। ଏହାପରେ ମଧ୍ୟ କ’ଣ ଏହି ମାମଲା ଚାଲିବ?

ହଁ, ଚାଲିବ। ମୁଁ ତ ଜରିମାନା ଦେବି କେବଳ ବିରୋଧ ପାଇଁ। ଏତିକିରେ ମାମଲାର ପରିସମାପ୍ତି ଘଟିନାହିଁ। 

ଆପଣ ଅଦାଲତ ଅବମାନନା ଆଇନର ଗୋଟିଏ ଅଂଶକୁ ରଦ୍ଦ କରିବାପାଇଁ ଅତୀତରେ ଦାବି କରିଥିଲେ। ଆପଣଙ୍କର ଯୁକ୍ତି ଥିଲା ଯେ ସେହି ନିୟମଟି ନ୍ୟାୟପାଳିକାରେ ହେଉଥିବା ଦୁର୍ନୀତିକୁ ଲୋକଲୋଚନକୁ ଆଣିବାରେ ଗଣମାଧ୍ୟମ ପାଇଁ ପ୍ରତିବନ୍ଧକ ହେଉଛି। ତେବେ ଆଇନର ଉକ୍ତ ଅଂଶଟି ରଦ୍ଦ ହେବ କେମିତି?

କୌଣସି ହାଇକୋର୍ଟ କିମ୍ବା ସୁପ୍ରିମକୋର୍ଟ ଏହାକୁ ରଦ୍ଦ କରିପାରିବେ। କହିପାରିବେ ଯେ ଏହି ‘ସ୍କାଣ୍ଡାଲାଇଜିଙ୍ଗ୍ ଦ କୋର୍ଟ’ ନିୟମଟି ଆମର ବାକ୍‌ ସ୍ବାଧୀନତା ପାଇଁ ଅଯଥା  ପ୍ରତିବନ୍ଧକ ହେଉଛି; ଅକାରଣରେ କଟକଣା ଲଗାଉଛି। 

ଏଥିପାଇଁ ଆପଣ ନିଜେ କିଛି ପଦକ୍ଷେପ ନେଇଛନ୍ତି କି?

ମୁଁ ଏଥିପାଇଁ ଏକ ରିଟ୍‌ ଦାୟର୍‌ କରିଥିଲି; କିନ୍ତୁ ତାକୁ ନ୍ୟାୟମୂର୍ତ୍ତି ଅରୁଣ ମିଶ୍ରଙ୍କ ପାଖକୁ ପଠାଇ ଦିଆଗଲା। ମୁଁ ତେଣୁ ପ୍ରତ୍ୟାହାର କରିନେଇଥିଲି। ଏବେ କୌଣସି ହାଇକୋର୍ଟରେ ପୁଣି ପିଟିସନ ଦାୟର୍‌ କରିବି। 

ଆପଣ ଏକ ସାକ୍ଷାତକାରରେ କହିଥିଲେ ଯେ ଅଦାଲତରେ ହେଉଥିବା ଦୁର୍ନୀତି ରୋକିବା ପାଇଁ ବା ତାକୁ ଦାୟିତ୍ବସଂପନ୍ନ କରିବାପାଇଁ ଲୋକଙ୍କୁ ସ୍ବର ଉତ୍ତୋଳନ କରିବାକୁ ହେବ ଏବଂ ଦରକାର ପଡ଼ିଲେ ଅଦାଲତ ସମ୍ମୁଖରେ ପ୍ରତିବାଦ କରିବାକୁ ପଡ଼ିବ। ଏହାଦ୍ବାରା କ’ଣ ନ୍ୟାୟାଳୟର ଅପମାନ ହେବନାହିଁ କି?

ନା; କାହିଁକିନା ଗଣତନ୍ତ୍ରରେ କୌଣସି ସଂସ୍ଥା ସମ୍ମୁଖରେ ନିଜର ବିରୋଧ ପ୍ରକଟ କରିବାର ଅଧିକାର ପ୍ରତ୍ୟେକ ନାଗରିକର ରହିଛି। ତେବେ ତାହା କରିବାର ଆବଶ୍ୟକତା ନାହିଁ। ମୋର କହିବାର କଥା ଯେ ଲୋକେ ମୁକ୍ତଭାବେ ସ୍ବର ଉତ୍ତୋଳନ କରିବା ଦରକାର। ଯଦି କିଛି ତ୍ରୁଟିବିଚ୍ୟୁତି ହେଉଛି, ତେବେ ଅଦାଲତର ଆଭିମୁଖ୍ୟ ବିଷୟରେ ମଧ୍ୟ ସ୍ବର ଉଠାଇବା ଜରୁରୀ। 

କିନ୍ତୁ ଅଦାଲତ ବିରୋଧରେ ସ୍ବର ଉତ୍ତୋଳନ କରିବା ସାଧାରଣ ଲୋକଙ୍କ ପକ୍ଷରେ କ’ଣ ସମ୍ଭବ?

ନିଶ୍ଚିତ ସମ୍ଭବ। କାହିଁକି ସମ୍ଭବ ନୁହେଁ। କେତେ ଲୋକଙ୍କ ବିରୋଧରେ ଅଦାଲତ ଅବମାନନା ମୋକଦ୍ଦମା ଚଳାଇବେ। ତାହା ତ ହୋଇପାରିବ ନାହିଁ। ଅଦାଲତ କେବେ ସେପରି କରିନାହାନ୍ତି ମଧ୍ୟ।

ଦେଶର ଅର୍ଥବ୍ୟବସ୍ଥା ନେଇ ଆପଣ ଅନେକ ଟୁଇଟ୍‌ କରୁଛନ୍ତି। ସରକାରୀ ହିସାବ ଅନୁସାରେ ପ୍ରଥମ ତ୍ରୈମାସିକରେ -୨୩.୯ ଶତାଂଶ ଜିଡିପି (ମୋଟ ଘରୋଇ ଉତ୍ପାଦ) ଅବନତି ଘଟିଛି? ଏଥିପାଇଁ ଦାୟୀ କିଏ ବୋଲି ଆପଣ ଭାବୁଛନ୍ତି?

ନା କେନ୍ଦ୍ର ସରକାର ନା ପ୍ରଧାନମନ୍ତ୍ରୀ...ଅର୍ଥବ୍ୟବସ୍ଥାର ଠିକ୍‌ ପରିଚାଳନା ପାଇଁ କାହାର ଚିନ୍ତା ନାହିଁ। ଖେଳ ହେଉଛି, ଗଣମାଧ୍ୟମକୁ ନିଜ ହାତରେ ରଖ ଆଉ ତା’ ମାଧ୍ୟମରେ ଭ୍ରମ ଧାରଣା ପ୍ରଚାର କରାଅ ଯେ ଅର୍ଥବ୍ୟବସ୍ଥାର ବହୁତ ଉନ୍ନତି ହେଉଛି; ବିମୁଦ୍ରାୟନରୁ ବହୁତ ଲାଭ ମିଳିଲା, କଳାଧନ ସମାପ୍ତ ହୋଇଗଲା; ଲୋକଙ୍କ ପକେଟକୁ ବହୁତ ପଇସା ଆସିଲା; ଦୁର୍ନୀତିର ଅନ୍ତ ଘଟିଲା। ଅର୍ଥବ୍ୟବସ୍ଥାକୁ କିପରି ପରିଚାଳନା କରାଯିବ, ସେହି କୌଶଳ ଓ ବିଜ୍ଞତା ସରକାରଙ୍କୁ ଜଣାନାହିଁ। ସେଥିପ୍ରତି ସରକାର ଯତ୍ନବାନ ନୁହନ୍ତି। କୌଣସି ବିଶେଷଜ୍ଞଙ୍କ ସହ ସରକାର ପରାମର୍ଶ କରୁନାହାନ୍ତି। ବିମୁଦ୍ରାୟନ ହେଉ କି ଲକ୍‌ଡାଉନ ହେଉ, କୌଣସି ବିଶେଷଜ୍ଞଙ୍କର ପରାମର୍ଶ ନିଆଯାଇନାହିଁ; ସବୁ ନିଜ ମର୍ଜିରେ ଚାଲିଛି। ବହୁ ଅର୍ଥନୀତିଜ୍ଞ ନିବେଦନ କରିଥିଲେ ଯେ ଗରିବ ଓ ପ୍ରବାସୀ ଶ୍ରମିକଙ୍କ ହାତରେ ଅନ୍ତତଃ ଲକ୍‌ଡାଉନ ସମୟରେ ୫-୧୦ ହଜାର ଟଙ୍କା ଦିଆଯାଉ, ଯେପରିକି ସେମାନେ ସେହି ଅର୍ଥକୁ ବ୍ୟବହାର କରିବେ। ଏହାଦ୍ବାରା ଅର୍ଥବ୍ୟବସ୍ଥା ଗତିଶୀଳ ହେବ; କିନ୍ତୁ ସରକାର କାହା କଥା ଶୁଣିଲେ ନାହିଁ। ସରକାର କେବଳ ଅମ୍ବାନୀ, ଆଦାନୀ ପରି ଶିଳ୍ପପତିଙ୍କୁ ଫାଇଦା ଦେବାକୁ ଚାହୁଁଛନ୍ତି। ଯେଉଁମାନେ ଏମାନଙ୍କୁ ଅର୍ଥ ଦେଉଛନ୍ତି, ସେମାନଙ୍କର ଲାଭ କଥା ଚିନ୍ତା କରୁଛନ୍ତି। 

ଆପଣଙ୍କୁ ଏକ ଜାତୀୟ ପତ୍ରିକା ଏକଦା ‘ଜନସ୍ବାର୍ଥ ମାମଲାର ଏକ ନମ୍ବର ଅଧିବକ୍ତା’ ଭାବେ ଆଖ୍ୟାୟିତ କରିଥିଲା; କିନ୍ତୁ କିଛି ଲୋକ ଆପଣଙ୍କ କାର୍ଯ୍ୟଶୈଳୀକୁ ‘ଅରାଜକତାବାଦୀ’ କହନ୍ତି ଓ ଆଉ କେତେକ ‘ଚର୍ଚିତ ହେବାପାଇଁ କରୁଥିବା’ ଅଭିଯୋଗ କରନ୍ତି। ଏ ସମ୍ପର୍କରେ ଆପଣଙ୍କ ମତ କ’ଣ?

(ହସି) ଏ ସମ୍ପର୍କରେ ମୋର କିଛି କହିବାର ନାହିଁ। କିଏ କ’ଣ କହୁଛି, କାହିଁକି କହୁଛି, ସେ କହୁଥାଉ। ମୁଁ ମୋ କାମ ଜାରି ରଖିଛି। 

📃

ଅଧିକାରର ଅଧିବକ୍ତା

ପ୍ରଶାନ୍ତ ଭୂଷଣ। ନାଁ ହିଁ ଯଥେଷ୍ଟ। ଭାରତରେ ଜନସ୍ବାର୍ଥ ମାମଲା ଲଢ଼ି ସଫଳ ହୋଇଥିବା ଆଇନଜୀବୀଙ୍କ ମଧ୍ୟରେ ଅଗ୍ରଗଣ୍ୟ। ମାନବାଧିକାର, ପରିବେଶ ଓ ନ୍ୟାୟାଳୟର ଦୁର୍ନୀତିଠାରୁ ଆରମ୍ଭ କରି ସରକାରୀ ଭ୍ରଷ୍ଟ୍ରାଚାର ପର୍ଯ୍ୟନ୍ତ, ସବୁ ପ୍ରସଙ୍ଗରେ ଅକାଟ୍ୟ ଯୁକ୍ତି ବାଢ଼ିପାରୁଥିବା ଅସାଧାରଣ ଅଧିବକ୍ତା।

‘‘ମୁଁ ଦୟା ଭିକ୍ଷା କରୁନାହିଁ। ମୁଁ କୌଣସି କ୍ଷୟକ୍ଷତି ପାଇଁ ନିବେଦନ କରୁନାହିଁ। ସୁତରାଂ, ମୁଁ ଆଇନଗତ ଭାବେ ଦିଆଯାଉଥିବା ଦଣ୍ଡକୁ ଆନନ୍ଦରେ ଗ୍ରହଣ କରିବି। ଯାହାକୁ ଅଦାଲତ ମୋର ଅପରାଧ ବିବେଚନା କରୁଛନ୍ତି, ତାହା ଜଣେ ନାଗରିକର ସର୍ବୋଚ୍ଚ କର୍ତ୍ତବ୍ୟ ଭାବେ ମୁଁ ବିଚାର କରୁଛି।’’

ଏକ ରାଜଦ୍ରୋହ ମାମଲାରେ ଅଭିଯୁକ୍ତ ହୋଇ (ଶଙ୍କରଲାଲ ବେଙ୍କର୍‌ଙ୍କ ସହ) ୧୯୨୨ ମସିହାରେ ମୋହନ ଦାସ କରମଚାନ୍ଦ ଗାନ୍ଧୀ ଅହମଦାବାଦର ଜିଲା ଓ ସେସନ ଜଜ୍‌ ସି.ଏନ୍‌. ବ୍ରୁମ୍‌ଫିଲ୍ଡ଼ଙ୍କ ସମ୍ମୁଖରେ ଏହିଯେଉଁ ବିବୃତି ରଖିଥିଲେ, ସେହି ଶବ୍ଦଗୁଡ଼ିକୁ ପ୍ରାୟ ଅଠାନବେ ବର୍ଷପରେ ଅଦାଲତ ସମ୍ମୁଖରେ ଅବିକଳ ବାରମ୍ବାର ଯିଏ ନିର୍ଭୀକତାର ସହ ଦୋହରାଇଛନ୍ତି, ସେ ହେଉଛନ୍ତି ପ୍ରଶାନ୍ତ ଭୂଷଣ। ମାନବାଧିକାର, ପରିବେଶ, ଭ୍ରଷ୍ଟାଚାର, ଅଦାଲତୀ ସ୍ବଚ୍ଛତା ଆଦି ପାଇଁ ଆଜୀବନ ଲଢ଼େଇ ଜାରି ରଖିଥିବା ଏହି ଅନନ୍ୟ ଅଧିବକ୍ତା ଓ ସାମାଜିକ କର୍ମୀଙ୍କୁ ତାଙ୍କର ଦୁଇଟି ଟୁଇଟ୍‌ (ପ୍ରଥମଟିରେ ଚାରିଜଣ ପୂର୍ବତନ ପ୍ରଧାନ ବିଚାରପତିଙ୍କ ଭୂମିକାର ସମାଲୋଚନା କରିଥିଲେ ଏବଂ ଦ୍ବିତୀୟଟିରେ ଲକ୍‌ଡାଉନ ସମୟରେ ବିନା ମାସ୍କରେ ପ୍ରଧାନ ବିଚାରପତି ଏକ ଦାମୀ ମୋଟର ସାଇକଲରେ ବସିଥିବା ଫଟୋକୁ ସଂଲଗ୍ନ କରି ଟିପ୍ପଣୀ ଦେଇଥିଲେ) ନିମନ୍ତେ ଯେତେବେଳେ ଦେଶର ସର୍ବୋଚ୍ଚ ନ୍ୟାୟାଳୟର ଏକ ପୀଠ ‘ଅଦାଲତ ଅବମାନନା’ର ଦୋଷୀ ସାବ୍ୟସ୍ତ କରୁଥିଲେ, ସେତେବେଳେ ସତେଯେମିତି ଇତିହାସରେ ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ି ହେଇଗଲା; କାହାକାହା ମତରେ ସତ୍ୟାଗ୍ରହର ଆଉ ଏକ ଦୃଷ୍ଟାନ୍ତ ସୃଷ୍ଟି ହେଲା। ଦଣ୍ଡିତ ହେବାର ସମସ୍ତ ସମ୍ଭାବନା ଥିବାସତ୍ତ୍ବେ ସତ୍ୟ ସପକ୍ଷରେ ଅଟଳ ରହିବା, ତାହା ହିଁ ସତ୍ୟାଗ୍ରହ। ପ୍ରଶାନ୍ତ ଭୂଷଣଙ୍କର ସତ୍ୟ ପ୍ରତି ଅଟଳ ନିଷ୍ଠା, ନିର୍ଭୀକତା ଓ ଯୁଯୁତ୍ସୁ ସ୍ବଭାବ ତାଙ୍କୁ ତଥାକଥିତ ଗାନ୍ଧିବାଦୀଙ୍କଠାରୁ ଉଚ୍ଚସ୍ଥାନରେ ରଖିଚି କହିଲେ ଅତ୍ୟୁକ୍ତି ହେବନାହିଁ। ସର୍ବୋଚ୍ଚ ଅଦାଲତ ଦୋଷୀସାବ୍ୟସ୍ତ ଜଣେ ବ୍ୟକ୍ତିଙ୍କୁ ଏକାଧିକ ଥର କ୍ଷମାଭିକ୍ଷା କରିବା ପାଇଁ ଯେମିତି ପ୍ରବର୍ତ୍ତାଇଥିଲେ, ସେପରି ଘଟନା ମଧ୍ୟ ବିରଳ। ବୋଧହୁଏ ଏହା ତାଙ୍କ ଅଙ୍ଗୀକାରବଦ୍ଧତାର ପରିଣାମ। ଅଦାଲତ ଶ୍ରୀ ଭୂଷଣଙ୍କ ଉପରେ ଯେଉଁ ୧ ଟଙ୍କାର ଜରିମାନା (ଅନାଦେୟେ ୩ ମାସ କାରାବାସ ଓ ତିନି ବର୍ଷ ପେସା ବାସନ୍ଦ) ଦଣ୍ଡବିଧାନ କଲେ, ତାହାକୁ ସାଙ୍କେତିକ ବୋଲି କୁହାଯାଉଛି; ତଥାପି ଯେ କୌଣସି ଦଣ୍ଡ ଯେ ଦଣ୍ଡ ଏବଂ ଏହି ଦଣ୍ଡକୁ ଶ୍ରୀ ଭୂଷଣ ଗ୍ରହଣ କରିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ ଶ୍ରୀ ଭୂଷଣଙ୍କୁ ଦୋଷୀସାବ୍ୟସ୍ତ କରିବା ପରେ ଭାରତର ଆଟର୍ଣି ଜେନେରାଲ୍‌ କେ କେ ବେଣୁଗୋପାଳ ତାଙ୍କ ମତି ପରିବର୍ତ୍ତନ କରି ଶ୍ରୀ ଭୂଷଣଙ୍କୁ ଦଣ୍ଡ ନଦେବାକୁ ଅନୁରୋଧ କରିଥିଲେ। ଏହାମଧ୍ୟ ଛୋଟକଥା ନୁହେଁ। ଶ୍ରୀ ଭୂଷଣ କ୍ଷମାଭିକ୍ଷା ନକରିବାପାଇଁ ଗାନ୍ଧିଜୀଙ୍କଠାରୁ ଯେ ପ୍ରେରଣା ନେଇଥିଲେ, ତାହା ନିଜେ ଅଦାଲତରେ ସଦୃଷ୍ଟାନ୍ତ ଉପସ୍ଥାପନ କରିଥିଲେ। ତେବେ ଗଣତାନ୍ତ୍ରିକ ଅଧିକାରକୁ ସୁରକ୍ଷିତ ରଖିବାପାଇଁ ସେ ଯେଉଁ ସାହସ ଓ ନିଷ୍ଠା ଦେଖାଇଆସିଛନ୍ତି, ତାହା ଖୁବ୍‌ କମ୍‌ ଦେଖାଯାଏ।

‘ଜନସ୍ବାର୍ଥ ମାମଲାର ଏକ ନମ୍ବର ଓକିଲ’

ଭାରତବର୍ଷରେ ସାମ୍ବିଧାନିକ ସଂସ୍ଥାଗୁଡ଼ିକର ଅବ୍ୟବସ୍ଥା ପ୍ରତି, ବିଶେଷକରି ନ୍ୟାୟପାଳିକାର ଭ୍ରଷ୍ଟାଚାର ପ୍ରତି ଅଙ୍ଗୁଳି ନିର୍ଦେଶ କଲାଭଳି ସାହସ ଯେଉଁ ହାତଗଣତି ବ୍ୟକ୍ତିଙ୍କର ରହିଛି, ସେମାନଙ୍କ ଭିତରେ ପ୍ରଶାନ୍ତ ଭୂଷଣ ଅଗ୍ରଗଣ୍ୟ। ଜନସାଧାରଣଙ୍କ ସ୍ବାର୍ଥହାନି ହେଲାଭଳି କୌଣସି ମାମଲା ଆସିଲେ ସେ ବିନା ପାରିଶ୍ରମିକରେ ଲଢ଼ିବାପାଇଁ ପ୍ରସ୍ତୁତ ହୋଇଯାଆନ୍ତି। ବର୍ତ୍ତମାନ ସୁଦ୍ଧା ସେ ପରିବେଶ, ମାନବାଧିକାର ଓ ଭ୍ରଷ୍ଟାଚାର ଭଳି ପ୍ରସଙ୍ଗ ସହ ସମ୍ବନ୍ଧିତ ପ୍ରାୟ ୫୦୦ରୁ ଅଧିକ ଜନସ୍ବାର୍ଥ ମାମଲାରେ ଅଦାଲତରେ ଯୁକ୍ତି ଉପସ୍ଥାପନ କରିଛନ୍ତି। ବହୁ ଚର୍ଚିତ/ଗୁରୁତ୍ବପୂର୍ଣ୍ଣ ମାମଲାରେ ତାଙ୍କୁ ସଫଳତା ମଧ୍ୟ ମିଳିଛି। ଏହି କାରଣରୁ ଇଂରେଜୀ ପତ୍ରିକା ‘ଇଣ୍ଡିଆ ଟୁଡେ’ ତାଙ୍କୁ ଭାରତର ‘ଜନସ୍ବାର୍ଥ ମାମଲାର ଏକ ନମ୍ବର ଓକିଲ’ ଆଖ୍ୟା ଦେଇଥିଲା।

ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ୟୁପିଏ ସରକାରର ଦ୍ବିତୀୟ କାର୍ଯ୍ୟକାଳରେ ଶ୍ରୀ ଭୂଷଣ ନୀରା ରାଡିଆ ଟେପ୍‌ ଦୁର୍ନୀତି, କୋଇଲା ଓ ୨ଜି ସ୍ପେକ୍ଟ୍ରମ୍ ଦୁର୍ନୀତି ଆଦି ମାମଲା ଉଠାଇଥିଲେ, ଯେଉଁଥିରେ ତତ୍କାଳୀନ କେନ୍ଦ୍ର ଦୂରସଞ୍ଚାର ମନ୍ତ୍ରୀଙ୍କୁ କେବଳ ଇସ୍ତଫା ଦେବାକୁ ପଡ଼ିନଥିଲା, ଜେଲ୍‌ ଯିବାକୁ ବି ପଡ଼ିଥିଲା। ସେହିପରି ତାଙ୍କ ଅକାଟ୍ୟ ଯୁକ୍ତି ଓ ପ୍ରମାଣ ବଳରେ ଗୋଆ ଏବଂ ଓଡ଼ିଶାରେ ଅବୈଧ ଖଣି ଖନନକୁ ବନ୍ଦ କରିବା ସହ କମ୍ପାନୀଗୁଡ଼ିକଠାରୁ ୧୦୦ ଶତାଂଶ ଜରିମାନା ଆଦାୟ କରିବାକୁ ଅଦାଲତ ନିର୍ଦେଶ ଦେଇଥିଲେ। ଭୋପାଳ ଗ୍ୟାସ ଦୁର୍ଘଟଣା ମାମଲା, ପି.ଜେ. ଥୋମାସଙ୍କୁ ସିଭିସି ନିଯୁକ୍ତି ମାମଲା, ହିନ୍ଦୁସ୍ତାନ ପେଟ୍ରୋଲିୟମ୍‌ ଓ ଭାରତ ପେଟ୍ରୋଲିୟମ୍‌ ଘରୋଇକରଣ ପ୍ରସଙ୍ଗ ଆଦିରେ ତାଙ୍କର ସଫଳତା ଉଲ୍ଲେଖନୀୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକାଳରେ ଶ୍ରୀ ଭୂଷଣ ରାଫେଲ୍‌ ଯୁଦ୍ଧ ବିମାନ କାରବାରର କଥିତ ଦୁର୍ନୀତି, କୋଭିଡ଼ ଲକ୍‌ଡାଉନ ଜନିତ ପ୍ରବାସୀ ଶ୍ରମିକଙ୍କ ସମସ୍ୟା, ପିଏମ୍‌ କେୟାର୍ସ ଫଣ୍ଡ୍‌ରେ ‘ଅସ୍ବଚ୍ଛତା’ ଭଳି ମାମଲା ଉଠାଇଆସିଛନ୍ତି। ଅବଶ୍ୟ ଏସବୁ ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟ ଯେଉଁ ଫଇସଲା ଦେଇଛନ୍ତି, ସେଗୁଡ଼ିକ ‘ସରକାରଙ୍କ ପକ୍ଷରେ ଯାଇଥିବା’ ମନେ କରାଯାଏ।

ଅନ୍ୟ ଯେଉଁ ବହୁଚର୍ଚିତ ଜନସ୍ବାର୍ଥ ମାମଲାର ଅଧିବକ୍ତା ଭାବେ ସେ ଚର୍ଚାରେ ରହିଛନ୍ତି, ତନ୍ମଧ୍ୟରୁ ପ୍ରମୁଖ କେତୋଟି ହେଲା ଆର୍‌ଟିଆଇକୁ ଦୁର୍ବଳ କରିବାକୁ ସରକାରଙ୍କ ପ୍ରଚେଷ୍ଟା; ଗୁଜରାଟର ପୂର୍ବତନ ଗୃହରାଷ୍ଟ୍ରମନ୍ତ୍ରୀ ହରେନ୍‌ ପାଣ୍ଡ୍ୟାଙ୍କ ହତ୍ୟାର ଏସ୍‌ଆଇଟି ତଦନ୍ତ; ନ୍ୟାୟମୂର୍ତ୍ତି ଲୋୟାଙ୍କ ମୃତ୍ୟୁ ତଦନ୍ତ,  ଇତ୍ୟାଦି।

ସଂକ୍ଷେପରେ ପ୍ରଶାନ୍ତ ଭୂଷଣ

ଜନ୍ମ: ୧୫ ଅକ୍ଟୋବର ୧୯୫୬

ବୟସ: ୬୩

ପିତା: ଶାନ୍ତିଭୂଷଣ, ପ୍ରଖ୍ୟାତ ଆଇନଜୀବୀ-ଆକ୍ଟିଭିଷ୍ଟ୍ ଓ ପୂର୍ବତନ ମନ୍ତ୍ରୀ

ଶିକ୍ଷା: ଆଇଆଇଟି ମାଡ୍ରାସ୍ ଓ ପ୍ରିନ୍ସଟନ୍‌ ବିଶ୍ବବିଦ୍ୟାଳୟରେ କିଛିଦିନ ପଢ଼ିବାପରେ ଆହ୍ଲାବାଦ ବିଶ୍ବବିଦ୍ୟାଳୟରୁ ଆଇନ ଶିକ୍ଷା

ପ୍ରକାଶିତ ପୁସ୍ତକ: ଦି କେସ୍‌ ଦ୍ୟାଟ୍‌ ଶୁକ୍‌ ଇଣ୍ଡିଆ (୧୯୭୮) ଏବଂ ବୋଫର୍ସ: ଦି ସେଲିଂ ଅଫ୍ ଏ ନେସନ୍‌ (୧୯୯୦)

ସଂସ୍ଥାରେ ସଂପୃକ୍ତି: ସିପିଆଇଏଲ୍‌, ପିୟୁସିଏଲ୍‌, ଟ୍ରାନ୍ସପେରେନ୍ସି ଇଣ୍ଟରନ୍ୟାସନାଲ; କ୍ୟାମ୍ପେନ୍‌ ଫର୍ ଜିଡିସିଆଲ୍‌ ଏକାଉଣ୍ଟେବିଲିଟି ଏଣ୍ଡ୍‌ ଜୁଡିସିଆଲ୍‌ ରିଫର୍ମସ୍‌

ଆନ୍ଦୋଳନ ସହ ସଂପୃକ୍ତି: ଜନ ଲୋକପାଳ ଆନ୍ଦୋଳନ; ଇଣ୍ଡିଆ ଏଗେନ୍‌ଷ୍ଟ କରପ୍‌ସନ

ରାଜନୀତିକ ଦଳ/ଆନ୍ଦୋଳନ ସହ ସଂପୃକ୍ତି: ଆମ୍‌ ଆଦ୍‌ମୀ ପାର୍ଟିର ପ୍ରତିଷ୍ଠାତା-ସଦସ୍ୟ (ବର୍ତ୍ତମାନ ନାହାନ୍ତି); ‘ସ୍ବରାଜ ଅଭିଯାନ’ର ପ୍ରତିଷ୍ଠାତା-ସଦସ୍ୟ 

(‘ସମାଜ’ରେ ୬ ସେପ୍ଟେମ୍ବର ୨୦୨୦ରେ ପ୍ରକାଶିତ)





Next PostNewer Post Previous PostOlder Post Home

0 comments:

Post a Comment

ଏହି ବ୍ଲଗର ସମସ୍ତ ସାମଗ୍ରୀ ଲେଖକଙ୍କ ସର୍ବସ୍ବତ୍ତ୍ବ ସଂରକ୍ଷିତ. Powered by Blogger.