ଲକ୍‌ଡାଉନ ସାହିତ୍ୟ

Leave a Comment

ଅଶୋକ

ଲକ୍‌ଡାଉନ...ସଟ୍‌ଡାଉନ...କ୍ବାରେଣ୍ଟାଇନ୍...ମାସ୍କ। ଆଜି ପ୍ରତି ମୁହୂର୍ତ୍ତରେ ଆମେ ସାମ୍ନା କରୁଥିବା ଏହି ଶବ୍ଦଗୁଡ଼ିକ ଆଉ କାନକୁ ଅଖାଡୁଆ ଶୁଭୁନି। କରୋନା ବିଦେଶାଗତ ହୋଇଥିଲେ ବି ଆଉ ଲାଗୁନି ଯେ ଏହା କୋଉ ନିଉୟର୍କ, ଲଣ୍ଡନ କି ଉହାନରୁ ହେଇଚି ଆମଦାନି। ଏଇନା ଏସବୁକୁ ନେଇ ବି ସାହିତ୍ୟ ଲେଖାଗଲାଣି....କବିତା...ଗପ...ଉପନ୍ୟାସ...ଡାଏରି...। ସାହିତ୍ୟ ସମାଜର ଦର୍ପଣ। ସେ ଦୃଷ୍ଟିରୁ ଏହା ଖୁବ୍‌ ସ୍ବାଭାବିକ। ସାହିତ୍ୟିକଟିଏ ସମସାମୟିକ ସମାଜର ପ୍ରତିବିମ୍ବ ଯେତେ ସ୍ପଷ୍ଟ ଫୁଟାଇପାରେ ତା’ର ସାହିତ୍ୟରେ, ତାହା ସେତେ ଜୀବନ୍ତ ହୁଏ; ସେତେ ଅଧିକ ପାଠକଙ୍କର ପ୍ରିୟ ହୁଏ। ତେବେ ଆଜିର ଏ ଗତିହୀନ, ନିଷ୍ପ୍ରାଣ, ଅଥର୍ବ କାଳଖଣ୍ଡରେ ସାହିତ୍ୟିକଟିଏ ବି ଗୃହବନ୍ଦୀ ଜୀବନ ଜିଇବାକୁ ବାଧ୍ୟ। ଅନ୍ୟପରି ତା’ପାଇଁ ମଧ୍ୟ ଦୁନିଆକୁ ଦେଖିବାର ମାଧ୍ୟମ କେବଳ ଟେଲିଭିଜନ ପରଦା କି ଟୁଇଟର/ହ୍ବାଟ୍‌ସଆପ୍‌/ଫେସ୍‌ବୁକ୍‌/ଇନ୍‌ଷ୍ଟାଗ୍ରାମ। ଏସବୁ ଆମକୁ ଯେତିକି ସ୍ଥିତି ସମ୍ପର୍କରେ ସୂଚନା ଦିଅନ୍ତି, ମନୁଷ୍ୟର ଯାତନା/ଯନ୍ତ୍ରଣା/ଅନ୍ୟାୟ/ଅସହାୟତା ସମ୍ବନ୍ଧରେ ବି ସଚେତନ କରାନ୍ତି। ସମ୍ବେଦନଶୀଳ ସ୍ରଷ୍ଟା ନିଜେ ସେସବୁକୁ ଅନୁଭବ କରି ଲେଖିଆସିଚି ଓ ଏବେ ଲେଖୁଚି ସାହିତ୍ୟ। ସଂଗରୋଧର ଏ ଦୁଃସମୟରେ ସାହିତ୍ୟପୁସ୍ତକ ପ୍ରକାଶନ ଏକ ଦୁଃସାଧ୍ୟ ବ୍ୟାପାର; ତଥାପି ତାହା କେହିକେହି କରିଚନ୍ତି ସମ୍ଭବ। ତେବେ ଡିଜିଟାଲ୍‌ ପୁସ୍ତକ (ଇ-ବୁକ୍‌) ମାଧ୍ୟମରେ ପାଠକଙ୍କ ନିକଟରେ ପହଞ୍ଚିବାପାଇଁ ଅନେକ କରିଚନ୍ତି ପ୍ରୟାସ। ଲକ୍‌ଡାଉନ ସମୟର ଏପରି ଜଣେ ସ୍ରଷ୍ଟା ହେଲେ ଖ୍ୟାତିସଂପନ୍ନ କଥାକାର ତଥା ଚଳଚ୍ଚିତ୍ର ନିର୍ମାତା ସିଦ୍ଧାର୍ଥ ଗିଗୁ।

ମାର୍ଚରୁ ଦେଶସାରା ଲକ୍‌ଡାଉନ ଲାଗୁ ହେବାପରେ ସେ ମହାମାରୀ/ଲକ୍‌ଡାଉନ/କ୍ବାରେଣ୍ଟାଇନ ସମୟର ଅସହାୟତା/ଦୁଃଖଯାତନା/ସ୍ନେହପ୍ରେମକୁ ନେଇ ଏକ ଉପନ୍ୟାସ ଲେଖିବାକୁ ଭାବିଲେ। ବୁକର୍‌ ପୁରସ୍କାରପ୍ରାପ୍ତ ବିଖ୍ୟାତ ଉପନ୍ୟାସ ‘ଦି ରିମେନ୍ସ ଅଫ୍ ଦି ଡେ’କୁ ଔପନ୍ୟାସିକ କାଜୁଓ ଇଶିଗୁରୋ ମାସକ ଭିତରେ ଲେଖିଥିଲେ; କିନ୍ତୁ ତେବେ ସିଦ୍ଧାର୍ଥ କେବେ ଭାବି ନଥିଲେ ଯେ ୨୧ଦିନ ଭିତରେ ହିଁ ସେ ଉପନ୍ୟାସଟିକୁ ସମ୍ପୂର୍ଣ୍ଣ କରିଦେବେ। ତାଙ୍କ ଉପନ୍ୟାସର ନାଁ ‘ଲଭ୍‌ ଇନ୍‌ ଦି ଟାଇମ୍‌ ଅଫ୍ କ୍ବାରେଣ୍ଟାଇନ’ (କ୍ବାରେଣ୍ଟାଇନ କାଳରେ ପ୍ରେମ)। ଲକ୍‌ଡାଉନ ସମୟର ଦୁଇଜଣ ପ୍ରେମୀ ଓ ଏକ ଗୃହଶୂନ୍ୟ ପରିବାରର କାହାଣୀ ଏଥିରେ ବର୍ଣ୍ଣିତ। ଲକ୍‌ଡାଉନ ଘୋଷଣା ପରେ ସମଗ୍ର ଦେଶରେ ଲକ୍ଷଲକ୍ଷ ପ୍ରବାସୀ ଶ୍ରମଜୀବୀଙ୍କ ପଳାୟନ/ବିସ୍ଥାପନର ଅଭୂତପୂର୍ବ ଦୁଃଖାନ୍ତକ ଦୃଶ୍ୟ ସିଦ୍ଧାର୍ଥଙ୍କୁ ବିଚଳିତ କରିଥିଲା ଓ ସେ ଏଥିରେ ତା’ର ଚିତ୍ର ଦେଖାଇଛନ୍ତି। ଏଥିସହ ସମସ୍ତ ସୁବିଧାସୁଯୋଗ ଉପଭୋଗ କରୁଥିବା ପ୍ରେମୀଯୁଗଳଙ୍କ ଆବେଗ/ଆସ୍ପୃହା/ପ୍ରେମ/ବିଚ୍ଛେଦ ଆଦିର ବର୍ଣ୍ଣନା ରହିଛି। ୨୦୧୯ ଡିସେମ୍ବରରେ ରୁପା ପବ୍ଲିକେସନ୍ସ ପକ୍ଷରୁ ପ୍ରକାଶ ପାଇଥିଲା ତାଙ୍କର ଉପନ୍ୟାସ ‘ଦି ଲାୟନ୍‌ ଅଫ୍ କାଶ୍ମୀର’। ଅଳ୍ପଦିନର ବ୍ୟବଧାନରେ ଏହି ପୁସ୍ତକଟି ଏପ୍ରିଲ ୨୦ରୁ ଇ-ବୁକ୍‌ ଆକାରରେ ଆମାଜନରେ ଉପଲବ୍ଧ।
ଲକ୍‌ଡାଉନ ସମୟରେ ଲେଖାଯାଇଥିବା ଆଉ ଏକ ଉପନ୍ୟାସ ସିରିଜ୍ ଲେଖିଛନ୍ତି ଜଣାଶୁଣା କଥାଶିଳ୍ପୀ ଓ ସ୍ତମ୍ଭକାର ଶୋଭା ଦେ। ‘ଲକ୍‌ଡାଉନ ଲିଆସନ୍‌ସ’ ନାମକ ଏହି ଉପନ୍ୟାସର ଛଅଟି ଭାଗକୁ ଛଅ ସପ୍ତାହରେ ଲେଖିଛନ୍ତି, ଯାହାକୁ ଇ-ବୁକ୍‌ ଆକାରରେ ପ୍ରକାଶ କରିଛି ସାଇମନ ଏଣ୍ଡ ସ୍କୁଷ୍ଟର୍‌ ଇଣ୍ଡିଆ। ଏଥିରେ ଶୋଭା ମୁଖ୍ୟତଃ ସମ୍ଭ୍ରାନ୍ତ ବର୍ଗଙ୍କ କ୍ରୋଧ/ହତାଶା/ଭୟ/ଭଗ୍ନହୃଦୟର କଥା ଲେଖିଛନ୍ତି। ସମ୍ଭୋଗ ତାଙ୍କ ପ୍ରତ୍ୟେକ କାହାଣୀ ଭିତରକୁ ପଶିଆସିଚି। ଏହାର ବର୍ଣ୍ଣନା ଓ ଅସଂଯତ ଭାଷା ଅବଶ୍ୟ ବେଳେବେଳେ ମନେହେଉଛି ଅସହଜ। ଲକ୍‌ଡାଉନ ସମୟରେ ବେକାର/ବେରୋଜଗାର ହୋଇପଡ଼ିଥିବା ସ୍ବାମୀର ଦୈହିକ ବାସନାର ପୂର୍ତ୍ତିପାଇଁ ସ୍ତ୍ରୀର ଯନ୍ତ୍ରଣାଭୋଗ; ବାହାଘର ହୋଇନପାରିବାର ସମସ୍ୟା, ଜଣେ ସମଲିଙ୍ଗୀ ମହିଳାଙ୍କ ଆବେଗ; ଚାକିରିରୁ ଅନ୍ତର କରାଯାଇଥିବା ଜଣେ ମହିଳାଙ୍କର ନିଜ ଭିଣୋଇଁଙ୍କୁ ଆକର୍ଷିତ କରିବାର ଯୋଜନା ଆଦି ଦେ’ଙ୍କ କାହାଣୀର ବିଷୟବସ୍ତୁ। ସେ ଜଣେ ପ୍ରବାସୀ ଶ୍ରମଜୀବୀର ଦୁଃଖକୁ ବି କହିବାକୁ ଚେଷ୍ଟା କରିଚନ୍ତି ଗୋଟିଏ କାହାଣୀରେ; କିନ୍ତୁ ତାହା ଲାଗୁଚି ଅତିଶୟ କୃତ୍ରିମ। ମୋଟାମୋଟିଭାବେ କେତେକ ସମାଲୋଚକ ତାଙ୍କ ନାନ୍ଦନିକ ଦୃଷ୍ଟିଭଙ୍ଗୀକୁ କରିଚନ୍ତି ନାପସନ୍ଦ।

ଲକ୍‌ଡାଉନ ସମୟର ଆଉ ଏକ ଉଲ୍ଲେଖନୀୟ ପୁସ୍ତକ ‘ଦି ଡେ ବିଫୋର୍‌ ଟୁଡେ: ଲକ୍‌ଡାଉନ୍‌ ଷ୍ଟୋରିଜ୍’। ଚଳଚ୍ଚିତ୍ର ପ୍ରଯୋଜିକା ଓ କାହାଣୀଲେଖିକା ଗାୟତ୍ରୀ ଗିଲ୍‌ ଏହାର ସ୍ରଷ୍ଟା। ଦଶଟି କାହାଣୀକୁ ନେଇ ସଂକଳିତ ଏହି ଇ-ପୁସ୍ତକରେ ମହାମାରୀ ପରବର୍ତ୍ତୀ ‘ଏକ ସମ୍ପୂର୍ଣ୍ଣ ନୂତନ ପୃଥିବୀ’ ଓ ତା’ର କରୁଣ ବାସ୍ତବତାମାନ ବର୍ଣ୍ଣିତ। ଗାୟତ୍ରୀ କେବେ ପୁସ୍ତକଟିଏ ଲେଖିବା କଥା ଭାବିନଥିଲେ; କିନ୍ତୁ ଦୈନିକ କିଛିକିଛି ଲେଖି ବନ୍ଧୁମାନଙ୍କ ପାଖକୁ ହ୍ବାଟ୍‌ସଆପ୍‌ରେ ପଠାଉପଠାଉ ଏପରି ଏକ ଗଳ୍ପ ସଂକଳନ କଥା ଚିନ୍ତା କଲେ। ଏଥିରେ କଣ୍ଟେନମେଣ୍ଟ୍‌ ଜୋନ୍‌ଠାରୁ ଆରମ୍ଭ କରି ମୋବାଇଲ୍‌ ଆପ୍‌ର ଅତ୍ୟଧିକ ବ୍ୟବହାର ପର୍ଯ୍ୟନ୍ତ, ସବୁକିଛିକୁ ଗାଳ୍ପିକା ନିଖୁଣଭାବେ ବର୍ଣ୍ଣନା କରିଚନ୍ତି। ତାଙ୍କର ବିଶେଷତ୍ବ ହେଉଛି, ସେ ଅନେକ ସମସାମୟିକ ଘଟଣା ପ୍ରବାହକୁ ହାସ୍ୟବ୍ୟଙ୍ଗାତ୍ମକ ଭାବେ ଉପସ୍ଥାପନ କରିଚନ୍ତି।

ଶେଷରେ ଯେଉଁ ବହି କଥା ନଲେଖିଲେ ନଚଳେ, ତା’ର ଶୀର୍ଷକ ‘ଉହାନ ଡାଏରି’। ଉହାନ ହେଉଚି ଚୀନର ସେଇ ସହର, ଯେଉଁଠୁ କରୋନା ମହାମାରିର ଉଦ୍ଭବ ହୋଇଥିଲା ଏବଂ ସେଇଠି ହିଁ ‘ଉହାନ ଡାଏରି’ର ଲେଖିକା ଫାଙ୍ଗ୍‌ ଫାଙ୍ଗ୍‌ଙ୍କ ଘର। ଜାନୁଆରିରୁ ସଟ୍‌ଡାଉନ୍‌ ଓ କ୍ବାରେଣ୍ଟାଇନକୁ ଯାଇଥିବା ଏ ସହରରେ ଏକାକିନୀ ଦୁଇଟି କୋଠରିରେ କାଳ କାଟିବା ୬୫ ବର୍ଷୀୟା ଫାଙ୍ଗ୍‌ଙ୍କ ପାଇଁ ଅତୀବ ଯନ୍ତ୍ରଣାଦାୟକ। ତେବେ ତାଙ୍କର ଏ ବ୍ୟକ୍ତିଗତ ଅଭିଜ୍ଞତାର କାହାଣୀ ବିଶ୍ବବାସୀଙ୍କ ପାଇଁ କାହିଁକି ଏତେ ଗୁରୁତ୍ବପୂର୍ଣ୍ଣ? ଏଇଥିପାଇଁ ଗୁରୁତ୍ବପୂର୍ଣ୍ଣ ଯେ ଫାଙ୍ଗ୍ ତାଙ୍କ ଦେଶର ସେହି ହାତଗଣତି ସାହିତ୍ୟିକଙ୍କ ଭିତରୁ ଜଣେ, ଯିଏ ଶକ୍ତିଶାଳୀ କ୍ଷମତାସୀନଙ୍କୁ ମଧ୍ୟ ସତ୍ୟ ଦେଖାଇବାରେ ଭୟ କରିନାହାନ୍ତି କି କୁଣ୍ଠିତ ହୋଇନାହାନ୍ତି। ସରକାରୀ କଟକଣା ସତ୍ତ୍ବେ ସେ ସରକାରଙ୍କ ଦୋଷଦୁର୍ବଳତାକୁ ଚିହ୍ନାଇଦେଇ କଠୋର ପ୍ରଶ୍ନ ପଚାରିଛନ୍ତି, ଯାହା ସାମ୍ବାଦିକମାନେ କରିପାରିନାହାନ୍ତି। ‘ଉହାନ ଡାଏରି’ କେବଳ ତାଙ୍କର ବ୍ୟକ୍ତିଗତ ଜୀବନର କଥନ ନୁହେଁ, ବରଂ ସମଗ୍ର ମାନବ ଜାତିର ଏକ ଜୀବନଲିପି। ଘଟନାବହୁଳ ପ୍ରାତ୍ୟହିକତା ଭିତରେ ଏଥିରେ ରହିଛି ଜୀବନଯନ୍ତ୍ରଣାର ନିଚ୍ଛକ ପ୍ରତିଛବି; ସ୍ନେହପୀରତି/ଦୟାକରୁଣାର ଅକୃତ୍ରିମ ଉଚ୍ଛ୍ବାସ; ଭବିଷ୍ୟତ ପାଇଁ ଦୃଢ଼ ଚେତାବନୀ। ଫାଙ୍ଗ୍‌ଙ୍କ ଆମେରିକୀୟ ଅନୁବାଦକ ମାଇକେଲ୍‌ ପେରି ଇଂରେଜୀରେ ଏହାର ଅନୁବାଦ ପ୍ରକାଶ କରିବାପରେ ସାରା ବିଶ୍ବରେ ଆଦୃତ ହେବାରେ ଲାଗିଛି। ସେ ଠାଏ ଲେଖିଛନ୍ତି, ‘‘ମୋ ଝିଅ ଥରେ ତା’ର ୯୯ ବର୍ଷୀୟା ଜେଜେଙ୍କୁ ପଚାରିଲା ତାଙ୍କ ଦୀର୍ଘ ପରମାୟୁର ରହସ୍ୟ କ’ଣ। ତାଙ୍କ ଉତ୍ତର ଥିଲା: ପ୍ରଚୁର ମାଂସ ଖାଅ, ବ୍ୟାୟାମ କରନାହିଁ ଏବଂ ଯେଉଁମାନେ ପାଇବା ଯୋଗ୍ୟ ସେମାନଙ୍କୁ ମନଇଚ୍ଛା ଅଭିଶାପ ଦିଅ।’’ ଫାଙ୍ଗ୍‌ ଚାହାନ୍ତି, ଚୀନା ବଦଳନ୍ତୁ ଓ ନିଜ ତ୍ରୁଟିବିଚ୍ୟୁତିକୁ ସ୍ବୀକାର କରିବାର ସତ୍‌ସାହସ ଦେଖାନ୍ତୁ।

ଲକ୍‌ଡାଉନ କବିତା

ଲକ୍‌ଡାଉନ ସମୟରେ ଓଡ଼ିଆ କବିଲେଖକମାନେ ମଧ୍ୟ ଅନେକ କିଛି ଲେଖିଛନ୍ତି।​‌ ସେସବୁ ଅବଶ୍ୟ ଏ ଯାଏଁ ଲୋକଲୋଚନକୁ ଆସିପାରିନାହିଁ ଗୋଟିକୁ ଛାଡ଼ିଦେଲେ।  ସାମାଜିକ ଗଣମାଧ୍ୟମରୁ ଆରମ୍ଭ ହୋଇଥିବା ଲକ୍‌ଡାଉନ୍‌ କବିତା ଏବେ ପୁସ୍ତକ ଆକାରରେ ପ୍ରକାଶ ପାଇଛି। ଏପରି ଏକ ବିଚାର ଓ ଉଦ୍ୟୋକ୍ତାର ଯିଏ ସ୍ରଷ୍ଟା, ସେ କବି ଭାରତ ମାଝୀ। ସେ କହନ୍ତି, ‘‘ମାର୍ଚ୍ଚରୁ ସାରା ଦେଶରେ କାୟାରୋଧର କଥା କୁହାଗଲା । ଲକ୍୍ଡାଉନ୍ ପର୍ଯ୍ୟାୟଟିଏ ଆରମ୍ଭ ହେଲା। ଖଟି ବଂଦ, ବୁଲାବୁଲି ବି ଗୋଟେ ପ୍ରକାର ବଂଦ, ସବୁଠି ଯେମିତି ତାଲା ପଡିଗଲା । ବଡ ଆଉଟୁପାଉଟୁ ସମୟ। ତାରି ଭିତରେ ବହୁ ସାଂଗଙ୍କର ଚାକିରି ଯିବା, ଦରମା କଟିବା, ଆତଂକରେ ରହିବା, ଅସ୍ଥିରତା, ଅବିଶ୍ୱାସ... ଏମିତି ଅନେକ କିଛି ଭିତରେ ଲକ୍ଷଲକ୍ଷ ପ୍ରବାସୀ ଶ୍ରମିକଂକ ଘର ଫେରଂତା କାହାଣୀ ଓ ସେଗୁଡିକର ଭିଡିଓ ତଥା ଫଟୋଚିତ୍ର ସାଧାରଣଲୋକ ଭାବେ ମୋତେ ବ୍ୟତିବ୍ୟସ୍ତ କରିପକାଉଥିଲା । ଏହାରି ଭିତରେ ସେହି ଶ୍ରମିକ ଓ ଲକ୍୍ଡାଉନରେ ପେଶି ହେଉଥିବା ଲୋକଂକ ଦୁଃଖକୁ ​‌େ​‌ନଇ କିଛି ଚମତ୍କାର କବିତା ପଢ଼ିବାର ସୁଯୋଗ ବି ମିଳିଥିଲା । ସେଇଥିରୁ ମୁଁ ଚିନ୍ତାକଲି ଏସବୁ କବିତାକୁ ନେଇ ଗୋଟେ ସଂକଳନ କରାଗଲେ ଏ ସମୟର ଅନ୍ତତଃ ସାକ୍ଷୀଟିଏ ହୋଇ ରହିବ।’’ ପକ୍ଷୀଘର ପ୍ରକାଶନ ସଂସ୍ଥା ପକ୍ଷରୁ ପ୍ରକାଶିତ ‘ଲକ୍୍ଡାଉନ୍ କବିତା’ରେ ୭୬ଜଣ ବରିଷ୍ଠ-କନିଷ୍ଠ କବିଙ୍କ କବିତା ସ୍ଥାନ ପାଇଛି। ଭାରତ ମାଝୀ ଓ ବନୋଜ ତ୍ରିପାଠୀ ଏହାର ସଙ୍କଳନ ଓ ସଂପାଦନା  କରିଥିବାବେଳେ ଶିଳ୍ପୀ ଫିରଦୌସି ତବସୁମ ପ୍ରଚ୍ଛଦଚିତ୍ର ଓ ଶିଳ୍ପୀ ରାଜେଶ ନାୟକ ଇଲଷ୍ଟ୍ରେସନ ଆଙ୍କିଛନ୍ତି।

‘ସମାଜ’, କଟକ; ମୋ: ୯୪୩୮୮୪୪୬୭୮
ashoksamaja@gmail.com

(୫.୭.୨୦୨୦ରେ ‘ସମାଜ ରବିବାର’ ପୃଷ୍ଠାରେ ପ୍ରକାଶିତ)
Next PostNewer Post Previous PostOlder Post Home

0 comments:

Post a Comment

ଏହି ବ୍ଲଗର ସମସ୍ତ ସାମଗ୍ରୀ ଲେଖକଙ୍କ ସର୍ବସ୍ବତ୍ତ୍ବ ସଂରକ୍ଷିତ. Powered by Blogger.