ଆଇନ ଥାଇ ଅନ୍ଧ

Leave a Comment


ଅଶୋକ

ବିନା ପ୍ରସ୍ତୁତିରେ ଲକ୍‌ଡାଉନ୍ ଘୋଷଣା ପ୍ରବାସୀ ଶ୍ରମଜୀବୀଙ୍କ ପାଇଁ କାଳ ପାଲଟିଛି। ଶତଚେଷ୍ଟା ସତ୍ତ୍ବେ ସେମାନେ ସେଥିରୁ ମୁକୁଳି ପାରୁନାହାନ୍ତି। ଆଇନ ଥାଇ ମଧ୍ୟ ତାକୁ ସରକାର ଠିକ୍‌ଭାବେ କାର୍ଯ୍ୟକାରୀ ନକରି ଅନ୍ଧ ପରି ଅନ୍ଧାରରେ ବାଡ଼ି ବୁଲାଇବାର ପରିଣାମ ଦେଶବାସୀଙ୍କୁ ଭୋଗିବାକୁ ପଡ଼ୁଛି। ଏଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଉଭୟ ଦାୟୀ।

ପ୍ରଥମେ କେତୋଟି ଦୃଶ୍ୟ ମନେ ପକାଇବା।
କୋମଳ ପାଦରେ ଚାଲିଚାଲି କ୍ଳାନ୍ତ ହୋଇପଡ଼ିଥିବା ଶିଶୁଟିଏ ମାଆ ଟାଣିଟାଣି ନେଉଥିବା ସୁଟ୍‌କେଶ୍‌ ଉପରେ ଶୋଇପଡ଼ିଛି...
ରୋଗିଣା ବୃଦ୍ଧା ମାଆକୁ କୋଳେଇଧରି ଯୁବକଟିଏ ଚାଲିଚାଲି ଡାକ୍ତରଖାନା ନେଉଛି....
ପନ୍ଦର ବର୍ଷୀୟା କିଶୋରୀଟିଏ ଅକ୍ଷମ ବାପାଙ୍କୁ ସାଇକଲ୍‌ ପଛପଟେ ବସାଇ ୧୨୦୦ କିଲୋମିଟର ଯାଇ ଘରେ ପହଞ୍ଚୁଚି...
ଘରକୁ ଚାଲିଚାଲି ଫେରିବାବେଳେ ଜୀବନ ହାରିଥିବା ନିଜ ବନ୍ଧୁର ମୃତଦେହକୁ କାନ୍ଧେଇ ଜଣେ ଯୁବକ ଯାଉଛି...
ସୁରତ ପୁଲିସର ନିର୍ଘାତ ମାଡ଼ରେ ନାମ ପଞ୍ଜୀକରଣ ପାଇଁ ଯାଇଥିବା ଯୁବକଟିଏ (ଗଞ୍ଜାମର) ଟଳିପଡ଼ୁଚି....

ଏ ଦୁର୍ଦଶାଗ୍ରସ୍ତ ଅଭାଗା ମଣିଷଙ୍କ ତାଲିକା ଢେର୍‌ ଲମ୍ବା। ଏମାନଙ୍କ ଦୋଷ କ’ଣ? ଦୋଷ ଏଇଆ ଯେ ଏମାନେ ଦେଶାନ୍ତରୀ ପ୍ରବାସୀ ଶ୍ରମଜୀବୀ; ଦିନ ମଜୁରିଆ! ଏମାନଙ୍କ ପାଇଁ ଦେଶରେ ଭଳିକି ଭଳି ଆଇନ ପ୍ରଣୟନ କରାଯାଇଚି ସତ, ଆଇନ ପ୍ରଣେତା/ଆଇନର ରକ୍ଷାକର୍ତ୍ତାମାନେ ସେହି ଆଇନର ପାଳନ/କାର୍ଯ୍ୟକାରିତା ବିଷୟରେ ଘଡ଼ିଏ ବି ଚିନ୍ତା କରିନାହାନ୍ତି; ୟା’ଙ୍କ ପ୍ରତି ସହୃଦୟତା ରଖିବା ଦୂରେ ଥାଉ! ଯଦି ସାମାନ୍ୟ ବି ଚିନ୍ତା କରିଥା’ନ୍ତେ, ତେବେ ଆମକୁ ଆଜି ଏ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ପଡ଼ିନଥା’ନ୍ତା, ଏହା ନିଶ୍ଚିତ। ‘ନିଶ୍ଚିତ’ କହୁଚି ଏଇଥିପାଇଁ ଯେ ଏବେ ବି ଏଭଳି ଆଇନ ରହିଚି, ଯାହା ଏହି ପ୍ରବାସୀ ରାଜ୍ୟାନ୍ତର ଶ୍ରମିକଙ୍କର କେବଳ ମଜୁରୀ ନିଶ୍ଚିତ କରିନଥା’ଏ, ସେମାନଙ୍କ ପାଇଁ ରହଣି, ବିସ୍ଥାପନ ଭତ୍ତା ଓ ଯାତ୍ରା ଭତ୍ତା ପ୍ରଦାନର ବ୍ୟବସ୍ଥା ମଧ୍ୟ କରିଥାଏ; ଏହାର ଅର୍ଥ ହେଲା ଯଦି ଉକ୍ତ ଆଇନଟିକୁ ଠିକ୍‌​‌ଭାବେ କାର୍ଯ୍ୟକାରୀ କରାଯାଇଥା’ନ୍ତା, ତେବେ ଜ​‌େ​‌ଣମଧ୍ୟ ଶ୍ରମଜୀବୀକୁ ହଟହଟା ହେବାକୁ ପଡ଼ିନଥା’ନ୍ତା କି ଶହଶହ ଶ୍ରମିକଙ୍କର ଜୀବନ ଯାଇନଥା’ନ୍ତା। ଏହି ଆଇନଟି ହେଉଛି ‘ଆନ୍ତଃରାଜ୍ୟ ପ୍ରବାସୀ ଶ୍ରମଜୀବୀ (ନିୟାମକ ନିୟୋଜନ ଏବଂ ସେବା ସର୍ତ୍ତ) ଆଇନ ୧୯୭୯’ (ଇଣ୍ଟର-ଷ୍ଟେଟ୍‌ ମାଇଗ୍ରାଣ୍ଟ ୱାର୍କମେନ (ରେଗୁଲେସନ ଅଫ୍‌ ଏମ୍ପ୍ଲୟମେଣ୍ଟ ଆଣ୍ଡ୍‌ କଣ୍ଡିସନ୍ସ ଅଫ୍‌ ସର୍ଭିସ୍‌) ଆକ୍ଟ)। ତେବେ ବିଡ଼ମ୍ବନା ଯେ ଆମ ‘ନିଉ ଇଣ୍ଡିଆ’ର ଭାଗ୍ୟବିଧାତାମାନେ ଏହି ଆଇନଟି ବିଷୟରେ ସମ୍ପୂର୍ଣ୍ଣ ଅଜ୍ଞ ଥିଲେ ଅଥବା ଜାଣି ନଜାଣିବାର, ଦେଖି ନଦେଖିବାର ଛଳନା କଲେ। ତେଣୁ ନିଃସହାୟ ଶ୍ରମଜୀବୀଙ୍କଠାରୁ ଗାଡ଼ିଭଡ଼ା ଆଦାୟ କରିବାର ଦୁଷ୍କର୍ମ ବି କଲେ। ସେ ଯାହାହେଉ, ଯେଉଁମାନଙ୍କୁ ଭାରତୀୟ ଅର୍ଥନୀତିର ମେରୁଦଣ୍ଡ ବୋଲି କୁହାଯାଇ ଆସିଛି, ସେମାନଙ୍କୁ ହିଁ ମେରୁଦଣ୍ଡହୀନ କରି ରଖିବାର ମସୁଧା କରାଯାଇଆସିଛି ଏହା ଆଉଥରେ ସ୍ପଷ୍ଟ ହୋଇଗଲା।

ଆନ୍ତଃରାଜ୍ୟ ପ୍ରବାସୀ ଶ୍ରମଜୀବୀ ଆଇନ ୧୯୭୯
ସରକାରୀ ତଥ୍ୟକୁ ଯଦି ଆମେ ଦେଖିବା, ତେବେ ଭାରତର ଆର୍ଥିକ ସର୍ବେକ୍ଷଣ ୨୦୧୭ ଅନୁଯାୟୀ ଆନ୍ତଃରାଜ୍ୟ ପ୍ରବାସୀ ଶ୍ରମଜୀବୀଙ୍କ ସଂଖ୍ୟା ପ୍ରାୟ ୧୦ କୋଟି। ଯଦି ଏମାନଙ୍କ ପାଇଁ ‘ଆନ୍ତଃରାଜ୍ୟ ପ୍ରବାସୀ ଶ୍ରମଜୀବୀ (ନିୟାମକ ନିୟୋଜନ ଏବଂ ସେବା ସର୍ତ୍ତ) ଆଇନ ୧୯୭୯’କୁ ଠିକ୍‌ଭାବେ କାର୍ଯ୍ୟକାରୀ କରାଯାଇଥା’ନ୍ତା, ତେବେ ଏହି ଲୋକେ ଏତେ ଦୁର୍ଦ୍ଦଶା ଭୋଗୁନଥା’ନ୍ତେ; କାରଣ ଏହି ଆଇନରେ ସେମାନଙ୍କୁ ସର୍ବନିମ୍ନ ମଜୁରୀ ପ୍ରଦାନ, ଯାତ୍ରା ଭତ୍ତା, ବିସ୍ଥାପନ ଭତ୍ତା, ରହଣି ସୁବିଧା, ଚିକିତ୍ସା ଖର୍ଚ ଓ ସୁରକ୍ଷା କପଡ଼ା ଦେବାପାଇଁ ନିୟମ ରହିଛି। ସବୁଠୁ ଗୁରୁତ୍ବପୂର୍ଣ୍ଣ, ସାମୟିକ ପ୍ରବାସୀ ଶ୍ରମଜୀବୀମାନେ ଯେପରି ଠିକାଦାର/ସର୍ଦାର (କଣ୍ଟ୍ରାକ୍ଟର)ଙ୍କ ଦ୍ବାରା ଶୋଷିତ ନହେବେ, ସେଥିପାଇଁ ଏଥିରେ ନିର୍ଦିଷ୍ଟଭାବେ ପଦକ୍ଷେପ ନେବାପାଇଁ ନିୟମ କରାଯାଇଛି। ଆନ୍ତଃରାଜ୍ୟ ଶ୍ରମଜୀବୀଙ୍କୁ କାମ କରାଇବାକୁ ହେଲେ ପ୍ରଥମେ ସେମାନଙ୍କର ପଞ୍ଜୀକରଣ କରାଯିବା ଜରୁରୀ ଓ ଯେଉଁ ଠିକାଦାର ସେମାନଙ୍କୁ ନେଉଥିବେ, ତାଙ୍କର ଲାଇସେନ୍ସ ରହିବା ବାଧ୍ୟତାମୂଳକ। ସଂପୃକ୍ତ କର୍ତ୍ତୃପକ୍ଷଙ୍କୁ ଠିକାଦାରମାନେ ସମସ୍ତ ଶ୍ରମଜୀବୀଙ୍କର ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରିବେ। ପ୍ରବାସୀ ଶ୍ରମଜୀବୀମାନେ ଯେପରି ନିୟମିତ ମଜୁରି/ଦରମା ପାଇବେ, ରହଣି ପାଇଁ ଗୃହ, ମାଗଣା ଚିକିତ୍ସା ସୁବିଧା, ସୁରକ୍ଷା କପଡ଼ା ଆଦି ପାଉଛନ୍ତି ନା ନାହିଁ ଏବଂ ସେମାନଙ୍କ ସହ ଭେଦଭାବ ହେଉଛି ନା ନାହିଁ, ତାହା ମଧ୍ୟ ଠିକାଦାରମାନେ ନିଶ୍ଚିତ କରିବେ। କେବଳ ସେତିକି ନୁହେଁ, ଏହି ଆଇନ ଠିକ୍‌ଭାବେ ପାଳନ ହେଉଛି ନା ନାହିଁ, ତାହା ଅନୁଧ୍ୟାନ କରିବାପାଇଁ ରାଜ୍ୟ ସରକାରଗୁଡ଼ିକ ‘ଇନ୍‌ସପେକ୍ଟର’ ବା ପରିଦର୍ଶକଙ୍କୁ ନିଯୁକ୍ତ କରାଯିବାର ବ୍ୟବସ୍ଥା ରହିଛି। ଆଇନ ଅମାନ୍ୟ କରୁଥିବା ପ୍ରତିଷ୍ଠାନ ବା ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ। କିନ୍ତୁ ପରିତାପର ବିଷୟ ଯେ ଶ୍ରମଜୀବୀମାନେ ଏହି ଆଇନ ବିଷୟରେ ତ ଅଜ୍ଞ, ରାଜ୍ୟ ସରକାରଗୁଡ଼ିକ ମଧ୍ୟ ଏହାକୁ କାର୍ଯ୍ୟକାରୀ କରିବାରେ ସମ୍ପୂର୍ଣ୍ଣ ଉଦାସୀନ।
ଲକ୍‌ଡାଉନ ଘୋଷଣା ପରେ ସାରା ଦେଶରେ ପ୍ରବାସୀ ଶ୍ରମଜୀବୀମାନେ ଯେପରି ଭାବେ ହୀନସ୍ତା ହେଲେ, ସେଥିରୁ କୌଣସି ଗୋଟିଏ ବି ରାଜ୍ୟ ଏହି ଆଇନଟିକୁ କାର୍ଯ୍ୟକାରୀ କରିନଥିବା ସ୍ପଷ୍ଟ ହୋଇଯାଇଛି। ଫଳରେ ସେମାନଙ୍କର ସ୍ବାସ୍ଥ୍ୟସୁରକ୍ଷା ଚିନ୍ତା ଦୂରେଥାଉ, ପେଟକୁ ଦାନାଗଣ୍ଡେ ବି ଜୁଟିପାରିଲା ନାହିଁ। କୌଣସି ରାଜ୍ୟ ସରକାର ଜାଣିପାରିଲେ ନାହିଁ ଯେ ତାଙ୍କ ରାଜ୍ୟରୁ କେତେ ବାହାର ରାଜ୍ୟକୁ କାମ କରିବାକୁ ଯାଇଛନ୍ତି ଓ ଅନ୍ୟ ରାଜ୍ୟରୁ କେତେ ଶ୍ରମିକ ତାଙ୍କ ରାଜ୍ୟକୁ ଆସିଛନ୍ତି। ତେଣୁ ସମସ୍ତେ କେବଳ ଅନ୍ଧାରରେ ବାଡ଼ି ବୁଲାଇବା ସାର ହେଲା। ଆନ୍ତଃରାଜ୍ୟ ପ୍ରବାସୀ ଶ୍ରମଜୀବୀଙ୍କ ସବୁ ପ୍ରକାରର ସୁରକ୍ଷା କ୍ଷେତ୍ରରେ କେନ୍ଦ୍ର ସରକାରଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ଥିବାସତ୍ତ୍ବେ ଦୀର୍ଘ ଦୁଇମାସ ପର୍ଯ୍ୟନ୍ତ ଆଖି ବୁଜିଦିଆଗଲା। ଅବସ୍ଥା ଅସମ୍ଭାଳ ହେବାପରେ ହିଁ ଯାହାକିଛି ପଦକ୍ଷେପ ନିଆଗଲା। ଦୁଃଖର କଥା ଯେ ଅଦାଲତଙ୍କ ଆଖି ମଧ୍ୟ ବହୁ ବିଳମ୍ବରେ ଖୋଲିଲା। ତଥାପି ୯ ଜୁନରେ ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କୁ ଯେଉଁ ନିର୍ଦେଶ ଦେଇଛନ୍ତି, ତାହା ବେଶ୍ ଗୁରୁତ୍ବପୂର୍ଣ୍ଣ। ଏଥିରେ ବିଭିନ୍ନ ରାଜ୍ୟରେ ଫସିରହିଥିବା ଶ୍ରମଜୀବୀଙ୍କୁ ଚିହ୍ନଟ କରିବା ସହ ୧୫ ଦିନ ଭିତରେ ସେମାନଙ୍କ ଗୃହରାଜ୍ୟରେ ପହଞ୍ଚାଇ ଦେବାପାଇଁ କୁହାଯାଇଛି। ସେହିପରି ଦାବି କରାଗଲେ ୨୪ ଘଣ୍ଟା ଭିତରେ ଶ୍ରମିକ ଟ୍ରେନର ବ୍ୟବସ୍ଥା,  ଲକ୍‌ଡାଉନବେଳେ ସେମାନଙ୍କ ଉପରେ କରାଯାଇଥିବା ମୋକଦ୍ଦମା ପ୍ରତ୍ୟାହାର, ସମସ୍ତ ସରକାରୀ ଯୋଜନାର ଲାଭ ପ୍ରଦାନ, ସମସ୍ତ ପ୍ରବାସୀ ଶ୍ରମଜୀବୀଙ୍କ ତାଲିକା ତିଆରି, ରୋଜଗାର ସମ୍ଭାବନା ଚିହ୍ନଟ ଓ ଶ୍ରମଜୀବୀଙ୍କ ଦକ୍ଷତା ମାପ, ଯେଉଁମାନେ ନିଜର କର୍ମସ୍ଥଳକୁ ଫେରିଯିବାକୁ ଚାହୁଁଥିବେ ସେମାନଙ୍କ ପାଇଁ ସ୍ବତନ୍ତ୍ର ପରାମର୍ଶ କେନ୍ଦ୍ର ପ୍ରତିଷ୍ଠା ଆଦି ନିର୍ଦେଶ ଶ୍ରମଜୀବୀଙ୍କ ଜୀବନଯନ୍ତ୍ରଣାକୁ ସାମାନ୍ୟ ଲାଘବ କରିପାରେ। ତେବେ କେନ୍ଦ୍ର ଓ ସମସ୍ତ ରାଜ୍ୟ ସରକାର ପାରସ୍ପରିକ ସହଯୋଗ ରଖି କାର୍ଯ୍ୟ କରିବା ଆବଶ୍ୟକ।

ତେବେ ବର୍ତ୍ତମାନର ବହୁଚର୍ଚିତ ଆନ୍ତଃରାଜ୍ୟ ପ୍ରବାସୀ ଶ୍ରମଜୀବୀ ଆଇନ ୧୯୭୯କୁ ମଧ୍ୟ ଖୁବ୍‌ଶୀଘ୍ର ବିଲୁପ୍ତ କରିବାପାଇଁ ସରକାର ରାସ୍ତା ଖୋଜିଛନ୍ତି। ଏହା ବଦଳରେ ମୋଦି ସରକାର ‘ବ୍ୟାବସାୟିକ ସୁରକ୍ଷା, ସ୍ୱାସ୍ଥ୍ୟ ଏବଂ କାର୍ଯ୍ୟ ପରିସ୍ଥିତି ବିଲ୍‌, ୨୦୧୯’ ନାମକ ସଂହିତା (କୋଡ୍‌) ସଂସଦରେ ଆଗତ କରିସାରିଛନ୍ତି। ୧୩ଟି ପୁରୁଣା କେନ୍ଦ୍ରୀୟ ଶ୍ରମ ଆଇନକୁ ମିଶାଇ ଏହାକୁ ପ୍ରସ୍ତୁତ କରାଯାଇଛି ବୋଲି ସରକାର କହୁଛନ୍ତି, ଯେଉଁଥିରେ ଉପରୋକ୍ତ ଗୁରୁତ୍ବପୂର୍ଣ୍ଣ ଆଇନଟି ମଧ୍ୟ ସମାହିତ ହୋଇଛି। ତେବେ ଏପରି କରାଯିବା ଦ୍ବାରା ନିର୍ଦିଷ୍ଟ ଆଇନଗୁଡ଼ିକର ସମସ୍ତ ବ୍ୟବସ୍ଥା ରହିବ କି ନାହିଁ, ସେ ନେଇ ଶ୍ରମିକ ସଂଗଠନଗୁଡ଼ିକ ସନ୍ଦେହ ପ୍ରକାଶ କରିଛନ୍ତି।

ଆହୁରି ମଧ୍ୟ କେନ୍ଦ୍ର ଗୃହ ଓ ସହରୀ ଦାରିଦ୍ର୍ୟ ଉନ୍ମୁଳନ ମନ୍ତ୍ରଣାଳୟର ରାଜ୍ୟାନ୍ତର ଶ୍ରମିକଙ୍କ ସମ୍ପର୍କରେ ଦିଆଯାଇଥିବା ରିପୋର୍ଟକୁ ସରକାର ଉପେକ୍ଷା କରିଛନ୍ତି। ୨୦୦୯ ମସିହାରେ ‘ଅସଂଗଠିତ କ୍ଷେତ୍ରର ଶ୍ରମଜୀବୀଙ୍କ ସାମାଜିକ ସୁରକ୍ଷା ବିଲ୍‌’ ଅଣାଯାଇଥିଲା, ଯେଉଁଥିରେ ସେମାନଙ୍କ ସାମାଜିକ ସୁରକ୍ଷା, କାର୍ଯ୍ୟର ସୁରକ୍ଷା ସମେତ ସେମାନଙ୍କର ଏକ ଡାଟାବେସ୍‌ (ଜରୁରୀ ତଥ୍ୟ) ତିଆରି କରିବାର ବ୍ୟବସ୍ଥା ରଖାଯାଇଥିଲା; କିନ୍ତୁ ତାହା ମଧ୍ୟ ଏଯାଏଁ ଶୀତଳଭଣ୍ଡାରରେ।

ଓଡ଼ିଶା: ପଥଭ୍ରଷ୍ଟ ପଥପ୍ରଦର୍ଶକ
ଆପଣ ଜାଣି ଖୁସି ହେବେ ଯେ ପ୍ରବାସୀ ଶ୍ରମଜୀବୀଙ୍କ ପାଇଁ ଆଇନ ଆଣିବାରେ ଓଡ଼ିଶା ସମଗ୍ର ଭାରତରେ ପ୍ରଥମ ରାଜ୍ୟ। ତେବେ ଏ କ୍ଷେତ୍ରରେ ଏହା ପଥପ୍ରଦର୍ଶକ ହୋଇଥିଲେ ହେଁ ଦୁଃଖର କଥା ଯେ, ଆଇନର କାର୍ଯ୍ୟକାରିତା ଦୃଷ୍ଟିରୁ ଏହା ପଥଭ୍ରଷ୍ଟ ମନେହେଉଛି। ଓଡ଼ିଶାରେ ୧୯୭୫ ମସିହାରେ ‘ଦାଦନ ଲେବର (କ​‌େ​‌ଣ୍ଟ୍ରାଲ୍‌ ଆଣ୍ଡ୍‌ ରେଗୁଲେସନ) ଆକ୍ଟ’ (ଓଆର୍‌ଏଲ୍‌ଏ) ପ୍ରଣୀତ ହୋଇଥିଲା। ଏହା ମୁଖ୍ୟତଃ ଦାଦନ ଶ୍ରମିକ (ଯେଉଁମାନେ ବଇନା ବା ଅଗ୍ରୀମ ଅର୍ଥ ନେଇ ଅନ୍ୟ ରାଜ୍ୟକୁ କାମ କରିବାକୁ ଯାଇଥାନ୍ତି)ଙ୍କ ସୁରକ୍ଷା ଓ ସ୍ବାର୍ଥରକ୍ଷାପାଇଁ କରାଯାଇଥିଲା। ଏହାଠୁ ପ୍ରେରଣା ନେଇ ହିଁ କେନ୍ଦ୍ର ସରକାର ଆନ୍ତଃରାଜ୍ୟ ପ୍ରବାସୀ ଶ୍ରମଜୀବୀ ଆଇନ ୧୯୭୯ ପ୍ରଣୟନ କରିଥିଲେ। ଏହାପରେ ଓଡ଼ିଶାର ଆଇନଟି ସ୍ବତଃ ଅକାମୀ ହୋଇଯାଇଥିଲା।

ସେ ଯାହାହେଉ, ଆଇନ ଠିକ୍‌ଭାବେ କାର୍ଯ୍ୟକାରୀ ହୋଇନଥିବାରୁ ଆନ୍ତଃରାଜ୍ୟ ଶ୍ରମଜୀବୀଙ୍କ ନିର୍ଦିଷ୍ଟ ସଂଖ୍ୟା କେତେ, ତା’ର ତଥ୍ୟ କାହା ପାଖରେ ମଧ୍ୟ ନାହିଁ। ତେବେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରୁ ହିଁ ଅନ୍ୟ ରାଜ୍ୟକୁ କାମ କରିବାକୁ ଯାଉଥିବା ସାମୟିକ ଶ୍ରମଜୀବୀଙ୍କ ସଂଖ୍ୟା ସର୍ବାଧିକ। ବିଶେଷତଃ ପଶ୍ଚିମ ଓଡ଼ିଶାରେ ଠିକାଦାର/ସର୍ଦ୍ଦାରମାନେ ବଇନା ଟଙ୍କା ଦେଇ ଦାକ୍ଷିଣାତ୍ୟ ରାଜ୍ୟଗୁଡ଼ିକୁ ଶ୍ରମଜୀବୀଙ୍କୁ ନେବା ଓ ସେଠାରେ ସେମାନଙ୍କ ଦୁର୍ଦଶାଗ୍ରସ୍ତ ଜୀବନ ବଞ୍ଚିବାର କାହାଣୀ ପ୍ରତିବର୍ଷ ଗଣମାଧ୍ୟମରେ ଚର୍ଚିତ ହୋଇଆସିଛି। ନୂଆଖାଇ ସରିବାପରଠୁ ଜୁନ୍‌ ମାସ ଭିତରେ କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗିର,  ବୌଦ୍ଧ, ସୋନପୁର, ବରଗଡ଼ ଆଦି ଜିଲାର ୨ ଲକ୍ଷରୁ ଅଧିକ ଲୋକ ସପରିବାର ଯାଇ ଆନ୍ଧ୍ରପ୍ରଦେଶର ଇଟାଭାଟିଗୁଡ଼ିକରେ କାମ କରିଥାନ୍ତି। ବହୁ ଆଲୋଚନା-ସମାଲୋଚନା ପରେ ସେମାନଙ୍କ ଶୋଷଣ ବନ୍ଦ କରିବା ସହ ସୁରକ୍ଷା ନିଶ୍ଚିତ କରିବାପାଇଁ ୨୦୧୨ରେ ଓଡ଼ିଶା ସରକାର ଆନ୍ତର୍ଜାତିକ ଶ୍ରମ ସଂଗଠନ (ଆଇଏଲ୍‌ଓ) ସହାୟତାରେ ଆନ୍ଧ୍ରପ୍ରଦେଶ ସରକାର ଓ କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ସହିତ ଏକ ବୁଝାମଣାପତ୍ର (ଏମ୍‌ଓୟୁ)ରେ ସ୍ବାକ୍ଷର କରିଥିଲେ। ଏହା ଅନୁସାରେ ଇଟାଭାଟି ଶ୍ରମିକମାନଙ୍କୁ ରହିବା ପାଇଁ ପକ୍କାଘର, ଚିକିତ୍ସା ସୁବିଧା, ନିୟମିତ ସର୍ବନିମ୍ନ ମଜୁରି ପ୍ରଦାନ ଇତ୍ୟାଦି ନିଶ୍ଚିତ କରିବାପାଇଁ ବ୍ୟବସ୍ଥା ହୋଇଥିଲା। ପ୍ରତ୍ୟେକ ଶ୍ରମିକଙ୍କର ପଞ୍ଜୀକରଣ କରିବାଠାରୁ ଆରମ୍ଭ କରି ସର୍ଦାର (କଣ୍ଟ୍ରାକ୍ଟର)ଙ୍କ ଲାଇସେନ୍ସ ଆଦି ପ୍ରଦାନ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ। ସେଠାରେ ଇଟାଭାଟି ଶ୍ରମିକଙ୍କ ସନ୍ତାନଙ୍କ ପାଇଁ ପାଠପଢ଼ା ସମେତ ଅନ୍ୟ ବ୍ୟବସ୍ଥା କରିବାକୁ ଆନ୍ଧ୍ର ସରକାର ସମ୍ମତ ହୋଇଥିଲେ। ବର୍ତ୍ତମାନ ମଧ୍ୟ ତେଲଙ୍ଗାନା(ପୂର୍ବରୁ ଆନ୍ଧ୍ରପ୍ରଦେଶ ଥିଲା)ର ୧୫୦ କୋଟି ଟଙ୍କାର ଇଟାଭାଟି ଶିଳ୍ପରେ ପଶ୍ଚିମ ଓଡ଼ିଶାର ହିଁ ଅଧିକାଂଶ ଶ୍ରମିକ କାମ କରନ୍ତି; କିନ୍ତୁ ଏତେସବୁ ଆଇନକାନୁନ ଓ ଏମ୍‌ଓୟୁ ସତ୍ତ୍ବେ ମଧ୍ୟ ଶ୍ରମଜୀବୀଙ୍କ ଅବସ୍ଥା ଗୋତି ଶ୍ରମିକଠାରୁ ଅଧିକ ଉନ୍ନତ ହୋଇପାରିନାହିଁ।

ଅନ୍ୟପକ୍ଷରେ, ଭାରତର ପ୍ରବାସୀ ଶ୍ରମଜୀବୀଙ୍କ ଉପରେ ବିସ୍ତୃତ ଗବେଷଣା କରୁଥିବା ସଂସ୍ଥା ‘ଆଜୀବିକା ବ୍ୟୁରୋ’ ୨୦୧୪ରେ ଉପକୂଳ ଓ ପଶ୍ଚିମ ଓଡ଼ିଶାର ଆନ୍ତଃରାଜ୍ୟ ପ୍ରବାସୀ ଶ୍ରମଜୀବୀଙ୍କ ତଥ୍ୟ ସଂଗ୍ରହ କରିଥିଲା। ୯୯,୫୨୩ଟି ପରିବାରର ତଥ୍ୟର ନିଷ୍କର୍ଷରୁ ଜଣାପଡ଼ିଥିଲା ଯେ ଉପକୂଳ ଓଡ଼ିଶା (ମୁଖ୍ୟତଃ କେନ୍ଦ୍ରାପଡ଼ା ଓ ଖୋର୍ଦ୍ଧା)ର ୨୪ ଶତାଂଶ  କେରଳ ଯାଇଥାନ୍ତି। ଅନ୍ୟମାନେ ତାମିଲନାଡୁ, ଜାମ୍ମୁକାଶ୍ମୀର, ମହାରାଷ୍ଟ୍ର, ଗୁଜରାଟ ଯାଆନ୍ତି। ସେହିପରି ପଶ୍ଚିମ ଓଡ଼ିଶାର ୨୬ ଶତାଂଶ ପଡ଼ୋଶୀ ଛତିଶଗଡ଼, ରାୟପୁର, ଦୁର୍ଗକୁ ଯାଆନ୍ତି। ଏକ-ପଞ୍ଚମାଂଶ ଯାଇଥାନ୍ତି ଉତ୍ତର ପ୍ରଦେଶ ଓ ମହାରାଷ୍ଟ୍ରକୁ। ୮ ଶତାଂଶ ଯାଆନ୍ତି ଆନ୍ଧ୍ର ଇଟାଭାଟିକୁ। ଉଭୟ ପଶ୍ଚିମ ଓ ଉପକୂଳ ଓଡ଼ିଶାର ପ୍ରବାସୀଙ୍କ ଭିତରୁ ପ୍ରାୟ ୫୦ ଶତାଂଶ ନିର୍ମାଣ କ୍ଷେତ୍ରରେ କାର୍ଯ୍ୟ କରିଥାନ୍ତି। ଅନ୍ୟମାନେ ବିଭିନ୍ନ କଳାକାରଖାନା, ମିସ୍ତ୍ରି କାମ, ହୋଟେଲ୍‌ ବୟ ଆଦି କାର୍ଯ୍ୟ କରିଥାନ୍ତି। ‘ଇଣ୍ଡିଆ ମାଇଗ୍ରେସନ ନାଓ’ ସଂସ୍ଥାର ‘ଇଣ୍ଟର୍‌ଷ୍ଟେଟ୍‌ ମାଇଗ୍ରାଣ୍ଟ ପଲିସି ଇଣ୍ଡେକ୍ସ ୨୦୧୯’ ଅନୁସାରେ ପ୍ରବାସୀ ଶ୍ରମଜୀବୀଙ୍କୁ ଉପଯୁକ୍ତ ସୁବିଧାସୁଯୋଗ, ମଜୁରୀ, ସୁରକ୍ଷା ଆଦି ପ୍ରଦାନ କ୍ଷେତ୍ରରେ ପ୍ରମୁଖ ରାଜ୍ୟଙ୍କ ମଧ୍ୟରେ କେରଳ (୬୨) ଶୀର୍ଷରେ ରହିଥିବାବେଳେ ତା’ ପଛକୁ ରହିଛନ୍ତି ମହାରାଷ୍ଟ୍ର (୪୨), ପଞ୍ଜାବ (୪୦), ହରିଆଣା (୩୮), ତାମିଲନାଡୁ (୩୭), ଗୁଜରାଟ (୩୫) ଓ ଦିଲ୍ଲୀ (୩୩)।
ବର୍ତ୍ତମାନ ଅନ୍ୟ ରାଜ୍ୟରୁ ଫେରୁଥିବା ପ୍ରବାସୀ ଶ୍ରମିକଙ୍କ ତାଲିକା ପ୍ରସ୍ତୁତି, ଦକ୍ଷତା ମାପ ଓ ରୋଜଗାର ପ୍ରଦାନ ଓଡ଼ିଶା ସରକାରଙ୍କ ପ୍ରଧାନ କାମ ହେବା ଆବଶ୍ୟକ।

ସରକାରଙ୍କ କର୍ତ୍ତବ୍ୟ
୧. ଆନ୍ତଃରାଜ୍ୟ ପ୍ରବାସୀ ଶ୍ରମଜୀବୀ ଆଇନ ୧୯୭୯ର ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ କାର୍ଯ୍ୟକାରୀ କରିବାର ବେଳ ଆସିଛି। ପ୍ରତ୍ୟେକ ଶ୍ରମିକଙ୍କ ପଞ୍ଜୀକରଣ ସହିତ ସମ୍ପୂର୍ଣ୍ଣ ତଥ୍ୟ ପଞ୍ଜିକା ପ୍ରସ୍ତୁତ ହେଉ।
୨. ଉତ୍ତର ପ୍ରଦେଶ ପରି ଓଡ଼ିଶା ସମେତ ସମସ୍ତ ରାଜ୍ୟରେ ପ୍ରତ୍ୟେକ ଶ୍ରମିକଙ୍କ ଦକ୍ଷତା ମାପ କରାଯାଉ। ଅଣକୁଶଳୀ, କୁଶଳୀ, ଅତି କୁଶଳୀ ଆଦି ବର୍ଗୀକରଣ କରାଯାଉ, ଯେପରିକି ସେମାନଙ୍କୁ ଦକ୍ଷତା ଅନୁଯାୟୀ ରୋଜଗାର ଦେବାକୁ ସୁବିଧା ହେବ ବା ସେଥିପାଇଁ ବାଟ ଖୋଜିବା ସହଜ ହେବ।
୩. ସାମୟିକ ପ୍ରବାସୀ ଶ୍ରମଜୀବୀମାନେ ପ୍ରବାସୀ ରାଜ୍ୟରେ ସରକାରୀ ସୁବିଧାସୁଯୋଗରୁ ବଞ୍ଚିତ ହୋଇଥାନ୍ତି; କାରଣ ସେମାନଙ୍କ ପାଖରେ ଆବଶ୍ୟକ ଦସ୍ତାବିଜ୍‌ ନଥାଏ। ଏପରିକି ନିଜର ଗୃହରାଜ୍ୟରେ ମଧ୍ୟ ତାହା ନଥାଏ। ସେପରି ସ୍ଥଳେ ପ୍ରବାସୀ ରାଜ୍ୟରେ ସେମାନଙ୍କୁ ସରକାରୀ ଯୋଜନାର ଲାଭ ମିଳିବାର ବ୍ୟବସ୍ଥା କରାଯିବା ଆବଶ୍ୟକ। କେରଳ ଏହାର ଏକ ସଫଳ ଉଦାହରଣ। ସେଠାରେ ‘ଅତିଥି କର୍ମଜୀବୀ’ଙ୍କ ପାଇଁ ସ୍ବତନ୍ତ୍ର ପରିଚୟ ପତ୍ର ଦିଆଯାଇ ସରକାରୀ ସୁବିଧା ପ୍ରଦାନ କରାଯାଉଛି। ଏ ଦିଗରେ କେନ୍ଦ୍ର ପ୍ରସ୍ତାବିତ ‘ଗୋଟିଏ ଦେଶ ଗୋଟିଏ ରେସନ କାର୍ଡ’ ଯୋଜନା ଏକ ଉଲ୍ଲେଖନୀୟ ପଦକ୍ଷେପ ହେବ। ତେବେ ଏହାର ପରିଧିକୁ ବଢ଼ାଇବା ଆବଶ୍ୟକ।
୪. ୨୦୧୨ର ଆନ୍ଧ୍ର-ଓଡ଼ିଶା ସରକାରଙ୍କ ଏମ୍‌ଓୟୁ ପରି ଆନ୍ତଃରାଜ୍ୟ ଶ୍ରମଜୀବୀଙ୍କ ସ୍ବାର୍ଥର ସୁରକ୍ଷାକୁ ନିଶ୍ଚିତ କରିବା ପାଇଁ କେନ୍ଦ୍ର ସରକାରଙ୍କ ସହାୟତାରେ ରାଜ୍ୟ-ରାଜ୍ୟ ଭିତରେ ବୁଝାମଣା କରାଯାଉ।
୫. ସର୍ବୋପରି ସମସ୍ତ ଶ୍ରମଜୀବୀ, ବିଶେଷତଃ ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକଙ୍କ ସାମାଜିକ ସୁରକ୍ଷାକୁ ସାର୍ବଜନୀନ କରାଯାଉ। କେନ୍ଦ୍ର ପ୍ରସ୍ତାବିତ ନୂତନ ଏକୀକୃତ ଆଇନରେ ଏହାକୁ ଗୁରୁତ୍ବ ଦିଆଯାଉ।
୬. ଉତ୍ତର ପ୍ରଦେଶ ପରି ଓଡ଼ିଶାରେ ପ୍ରବାସୀ ଶ୍ରମଜୀବୀ କଲ୍ୟାଣ ଆୟୋଗ ପ୍ରତିଷ୍ଠା କରାଯାଉ।

ଆଇନ ଓ ଅଧିକାର

ଆନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ ଆଇନ, ୧୯୭୯ରେ କ’ଣ ଅଛି?

  •     ଏହି ଅଧିନିୟମ ଆନ୍ତଃରାଜ୍ୟ ପ୍ରବାସୀଙ୍କ ନିଯୁକ୍ତି ଏବଂ ସେମାନଙ୍କର ସେବା ସର୍ତ୍ତାବଳୀକୁ ନିୟନ୍ତ୍ରଣ କରିଥାଏ।
  •     ଏହା ପ୍ରତ୍ୟେକ ପ୍ରତିଷ୍ଠାନ ପାଇଁ ପ୍ରଯୁଜ୍ୟ, ଯାହା ଅନ୍ୟ ରାଜ୍ୟରୁ ପାଞ୍ଚ କିମ୍ବା ଅଧିକ ପ୍ରବାସୀ ଶ୍ରମିକଙ୍କୁ ନିୟୋଜିତ କରିଥାଏ; କିମ୍ବା ଯଦି ଏହା ପୂର୍ବ ୧୨ ମାସର ଯେ କୌଣସି ଦିନ ପାଞ୍ଚ କିମ୍ବା ଅଧିକ ପ୍ରବାସୀ ଶ୍ରମିକଙ୍କୁ ନିୟୋଜିତ କରିଥାଏ।
  •     ଠିକାଦାର/ସର୍ଦ୍ଦାର(କଣ୍ଟ୍ରାକ୍ଟର)ମାନଙ୍କ ପାଇଁ ମଧ୍ୟ ଏହା ପ୍ରଯୁଜ୍ୟ, ଯେଉଁମାନେ ସମାନସଂଖ୍ୟକ ଆନ୍ତଃରାଜ୍ୟ ଶ୍ରମିକଙ୍କୁ ନିୟୋଜିତ କରିଥାନ୍ତି।
  •     ଏହି ଆଇନ ପ୍ରତିଷ୍ଠାନଗୁଡ଼ିକ ପାଇଁ ପଞ୍ଜୀକରଣର ଏକ ବ୍ୟବସ୍ଥା ଧାର୍ଯ୍ୟ କରିଛି। ମୁଖ୍ୟ ନିଯୁକ୍ତିଦାତା ସଂପୃକ୍ତ କର୍ତ୍ତୃପକ୍ଷଙ୍କଠାରୁ ପଞ୍ଜୀକରଣ ପ୍ରମାଣପତ୍ର ବିନା ଆନ୍ତଃରାଜ୍ୟ ଶ୍ରମିକଙ୍କୁ ନିୟୋଜିତ କରିବାକୁ ବାରଣ କରାଯାଇଛି।
  •     ଆଇନରେ ଏହା ମଧ୍ୟ ଦର୍ଶାଯାଇଛି ଯେ ପ୍ରତ୍ୟେକ ସର୍ଦ୍ଦାର/କଣ୍ଟ୍ରାକ୍ଟର, ଯିଏ ଅନ୍ୟ ରାଜ୍ୟରେ ନିୟୋଜନ ପାଇଁ ଗୋଟିଏ ରାଜ୍ୟରୁ ଶ୍ରମିକ ନିଯୁକ୍ତ କରନ୍ତି, ସେ ଏଥିପାଇଁ ଲାଇସେନ୍ସ ପାଇଥିବା ଜରୁରୀ।

ଆଇନରେ ଥିବା ଆନ୍ତଃରାଜ୍ୟ ପ୍ରବାସୀ ଶ୍ରମିକଙ୍କ ପାଇଁ ଲାଭଦାୟକ ବ୍ୟବସ୍ଥା
  •     ଆନ୍ତଃରାଜ୍ୟ ଶ୍ରମିକଙ୍କୁ ନିୟୋଜିତ କରୁଥିବା ପ୍ରତିଷ୍ଠାନଗୁଡିକ ପଞ୍ଜୀକରଣ ବ୍ୟବସ୍ଥା କରିବା ଜରୁରୀ, ଯାହା ସେମାନଙ୍କୁ ଉତ୍ତରଦାୟୀ କରିଥାଏ। ଶ୍ରମିକଙ୍କ ଶ୍ରମର ଉପଯୋଗକୁ ଆନୁଷ୍ଠାନିକ ସ୍ବୀକୃତି ଦେବାପାଇଁ ଏହା ଆବଶ୍ୟକ।
  •     ଏହା ନିୟୋଜିତ ଶ୍ରମିକଙ୍କ ସଂଖ୍ୟା ଉପରେ ନଜର ରଖିବାରେ ସରକାରଙ୍କୁ ସାହାଯ୍ୟ କରିଥାଏ ଏବଂ ସେମାନଙ୍କର ସେବା ସର୍ତ୍ତାବଳୀକୁ ନିୟନ୍ତ୍ରଣ କରିବା ପାଇଁ ଏକ ଆଇନଗତ ଆଧାର ପ୍ରଦାନ କରିଥାଏ; କିନ୍ତୁ ଏହା ଠିକ୍‌ଭାବେ କାର୍ଯ୍ୟକାରୀ ନହେବାରୁ ବର୍ତ୍ତମାନର ଯାବତୀୟ ସମସ୍ୟା ଉପୁଜିଛି।
  •     ଲାଇସେନ୍ସ ପ୍ରକ୍ରିୟାର ଏକ ଅଂଶ ଭାବରେ କଣ୍ଟ୍ରାକ୍ଟରମାନେ ମଧ୍ୟ କେତେକ ସର୍ତ୍ତ ଦ୍ୱାରା ବନ୍ଧା। ସେମାନେ ଯାହା ପ୍ରଦାନ କରିବା ପାଇଁ ସେମାନଙ୍କୁ ପ୍ରତିଶ୍ରୁତି ଦେବେ, ତାହା ଚୁକ୍ତିନାମାର ସର୍ତ୍ତାବଳୀରେ ଅନ୍ତର୍ଭୁକ୍ତ ହେବ ଏବଂ ଯାହା ଆଧାରରେ ସେମାନେ ଶ୍ରମିକ ନିଯୁକ୍ତ କରନ୍ତି।
  •    କୌଣସି ପରିସ୍ଥିତିରେ ସର୍ବନିମ୍ନ ମଜୁରୀ ଅଧିନିୟମ ଅନୁଯାୟୀ ଧାର୍ଯ୍ୟ କରାଯାଇଥିବା ଦରମାଠାରୁ କମ୍ ହେବ ନାହିଁ |

କ’ଣ କହେ ପ୍ରବାସୀ ଶ୍ରମିକଙ୍କ ଉପରେ ପ୍ରସ୍ତାବିତ ସଂହିତା

  • ଏହି ନୂତନ ସଂହିତା (କୋଡ୍‌) ବା ଆଇନ ଆନ୍ତଃରାଜ୍ୟ ପ୍ରବାସୀ ଶ୍ରମିକଙ୍କୁ ‘ଚୁକ୍ତିଭିତ୍ତିକ ଶ୍ରମ/ଶ୍ରମିକ’ (କଣ୍ଟ୍ରାକ୍ଟ ଲେବର୍‌)ର ପରିଭାଷାରେ ଅନ୍ତର୍ଭୁକ୍ତ କରେ।
  •     ଏଥି ସହିତ ଏକ ଆନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ ମଧ୍ୟ ପୃଥକ ଭାବରେ ଅନ୍ୟ ରାଜ୍ୟରେ ଅବସ୍ଥିତ ଏକ ପ୍ରତିଷ୍ଠାନ ପାଇଁ ନିଯୁକ୍ତିଦାତା କିମ୍ବା କଣ୍ଟ୍ରାକ୍ଟରଙ୍କ ଦ୍ୱାରା ନିଯୁକ୍ତ ବ୍ୟକ୍ତି ଭାବରେ ବ୍ୟାଖ୍ୟା କରାଯାଇଛି।
  •     ଏହି କୋଡ୍‌ରେ ‘ଚୁକ୍ତିଭିତ୍ତିକ ଶ୍ରମିକ ଏବଂ ଆନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ’ ନାମକ ଅଧ୍ୟାୟ ରହିଛି, କିନ୍ତୁ ସଂସଦୀୟ ସ୍ଥାୟୀ କମିଟି ପ୍ରବାସୀ ଶ୍ରମିକ ସମ୍ବନ୍ଧୀୟ ନିୟମାବଳୀକୁ ପୃଥକ ଅଧ୍ୟାୟରେ ଅନ୍ତର୍ଭୁକ୍ତ କରିବାକୁ ପରାମର୍ଶ ଦେଇଛନ୍ତି।
  •     ସଂସ୍ଥାର ପଞ୍ଜୀକରଣ, କଣ୍ଟ୍ରାକ୍ଟରଙ୍କ ଲାଇସେନ୍ସ ଏବଂ କାର୍ଯ୍ୟର ଅବଧି, ବେତନ ଏବଂ ସୁବିଧାସୁଯୋଗକୁ ସର୍ତ୍ତାବଳୀ ଅନ୍ତର୍ଭୁକ୍ତ କରିବା ସମ୍ବନ୍ଧରେ ୧୯୭୯ ଆଇନ ପରି ବ୍ୟବସ୍ଥା ରହିଛି।
  •     ଅଧିକନ୍ତୁ, ଉଭୟ ପୁରାତନ ଆଇନ ଏବଂ ପ୍ରସ୍ତାବିତ ସଂହିତାରେ ଆନ୍ତଃରାଜ୍ୟ ପ୍ରବାସୀ ଶ୍ରମିକଙ୍କୁ ବିସ୍ଥାପନ ଭତ୍ତା (ଡିସ୍‌ପ୍ଲେସ୍‌ମେଣ୍ଟ ଆଲୋୱେନ୍ସ) ଏବଂ ଯାତ୍ରା ଭତ୍ତା ପ୍ରଦାନ ନିମନ୍ତେ ବ୍ୟବସ୍ଥା ରହିଛି।

ମତମନ୍ତବ୍ୟ

ଡ. ଏନ୍‌ ତିରୁମାଲା ନାଏକ, ଶ୍ରମ କମିଶନର, ଓଡ଼ିଶା

ବର୍ତ୍ତମାନ ପ୍ରବାସୀ ଶ୍ରମିକଙ୍କ ଦକ୍ଷତା ମାପ (ସ୍କିଲ୍‌ ମ୍ୟାପିଙ୍ଗ୍) ଆରମ୍ଭ ହୋଇଛି। ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟ ଦେଇଥିବା ନିର୍ଦେଶ ଅନୁସାରେ କାର୍ଯ୍ୟପନ୍ଥା ଗ୍ରହଣ କରାଯାଉଛି। ପ୍ରବାସୀ ଶ୍ରମିକଙ୍କ ସମସ୍ୟା ବୁଝିବାପାଇଁ ହେଲ୍‌ପ ଡେସ୍କ ପ୍ରତିଷ୍ଠା କରାଯାଇଛି।

ତେଜେଶ୍ବର ପରିଡ଼ା, ଅଧ୍ୟକ୍ଷ, ସେଣ୍ଟର ଫର ପଲିସି, ଗଭର୍ଣ୍ଣାନ୍ସ ଆଣ୍ଡ ଆଡଭୋକେସି

ପ୍ରବାସୀ ଶ୍ରମିକଙ୍କ ଦକ୍ଷତାର ତଥ୍ୟ ସଂଗ୍ରହ ପାଇଁ ସରକାର ନିର୍ଦିଷ୍ଟ ମାନଦଣ୍ଡ ଜାରି କରନ୍ତୁ। କେଉଁ କ୍ଷେତ୍ରରେ କେଉଁ ବର୍ଗର କର୍ମଚାରୀଙ୍କୁ ନିଯୁକ୍ତି ଦେଇହେବ, ତା’ର ତଥ୍ୟ ରହୁ। ଶ୍ରମିକଙ୍କ ବର୍ଗୀକରଣ ହେଉ। ଶ୍ରମିକଙ୍କ ଦକ୍ଷତା ବୃଦ୍ଧି ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉ। ଓଡ଼ିଶା ପ୍ରବାସୀ ଶ୍ରମିକ କଲ୍ୟାଣ କମିସନ ପ୍ରତିଷ୍ଠା କରାଯିବା ଉଚିତ।

ରବିନାରାୟଣ ମଲ୍ଲିକ, ଜିଲା ସଭାପତି, ସିଆଇଟିୟୁ

ସରକାର ପ୍ରବାସୀ ଶ୍ରମିକଙ୍କ ଦକ୍ଷତା ମାପି ରୋଜଗାର ଯୋଗାଇବା ଦରକାର। ମନରେଗାରେ ଥିବା କେତେକ କଟକଣାକୁ କୋହଳ କରିବା ଉଚିତ, ଯେପରିକି ସମସ୍ତଙ୍କୁ କାମ ମିଳିବ।  କେତେକ ସହରାଞ୍ଚଳରେ ମଧ୍ୟ ଏହାକୁ ଲାଗୁ କରାଯାଉ।

‘ସମାଜ’ କଟକ; ମୋ: ୯୪୩୮୮୪୪୬୭୮
ashoksamaja@gmail.com

(ଏହା ‘ରବିବାର ସମାଜ’ରେ ୧୪.୬.୨୦୨୦ରେ ପ୍ରକାଶିତ)
Next PostNewer Post Previous PostOlder Post Home

0 comments:

Post a Comment

ଏହି ବ୍ଲଗର ସମସ୍ତ ସାମଗ୍ରୀ ଲେଖକଙ୍କ ସର୍ବସ୍ବତ୍ତ୍ବ ସଂରକ୍ଷିତ. Powered by Blogger.