ନକଲି ସମ୍ବାଦରେ ଗଣତନ୍ତ୍ର

Leave a Comment

ଯେ କୌଣସି ଦେଶର ଗଣତାନ୍ତ୍ରିକ ପ୍ରକ୍ରିୟାରେ ଭୋଟରଙ୍କ ମତ ନିର୍ମାଣ କରିବାରେ ତଥ୍ୟ (ଡେଟା)/ସୂଚନା (ଇନ୍ଫର୍ମେସନ)/ସମ୍ବାଦ (ନିଉଜ୍)ର ଯେ ବଡ଼ ଭୂମିକା ରହିଥାଏ, ତାହା ଅନସ୍ବୀକାର୍ଯ୍ୟ; କିନ୍ତୁ ସାରା ପୃଥିବୀରେ ଗତ କେଇବର୍ଷ ଭିତରେ ହୋଇଥିବା ଗଣତାନ୍ତ୍ରିକ ନିର୍ବାଚନଗୁଡ଼ିକରେ ନକଲି ତଥ୍ୟ/ସୂଚନା/ଖବର ଯେପରି ଗଣତାନ୍ତ୍ରିକ ନିର୍ବାଚନ ପ୍ରକ୍ରିୟାକୁ କବଳିତ କରିଛି, ତାହା ଅଭୂତପୂର୍ବ। ବିଶେଷତଃ ୨୦୧୬ ଆମେରିକୀୟ ରାଷ୍ଟ୍ରପତି ନିର୍ବାଚନବେଳେ ଏହା ତା’ର ପ୍ରଚଣ୍ଡ ରୂପ ଦେଖାଇଥିଲା ଏବଂ ସବୁ ଅଗଣତାନ୍ତ୍ରିକ କଥା କହିଆସୁଥିବା ଜଣେ ବ୍ୟକ୍ତିକୁ ଶ୍ରେଷ୍ଠ ଗଣତନ୍ତ୍ର କୁହାଯାଉଥିବା ଯୁକ୍ତରାଷ୍ଟ୍ର ଆମେରିକାର ସିଂହାସନ ଅକ୍ତିଆର୍ କରିବାରେ ସହାୟକ ହୋଇଥିଲା। ତେବେ ଏହି ନକଲି ତଥ୍ୟ/ସୂଚନା/ଖବର ନିର୍ମାଣର କାରଖାନା କେଉଁଠି ଏବଂ ତାହା କେମିତି ତିଆରି ହୁଏ, ତାହା ଥିଲା ପ୍ରାୟ ଅଜଣା। କାଁଭାଁ କେତେକ ଖବରକାଗଜରେ ସେତେବେଳେ ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କ ରାଜନୈତିକ ଜ୍ଞାପନ/ବିଜ୍ଞାପନର ଯୋଜନା ନିର୍ମାଣକାରୀ କମ୍ପାନୀ ‘କେମ୍ବ୍ରିଜ୍ ଆନାଲିଟିକା’ (ସି.ଏ.) କଥା ପ୍ରକାଶ ପାଇଥିଲା; କିନ୍ତୁ ତାହା କେଉଁ ଉପାୟରେ ଜଣେ ଶିଳ୍ପପତିକୁ ଆମେରିକାର ରାଷ୍ଟ୍ରପତି କରିଦେଲା, ସେ ବିଷୟରେ ପ୍ରାୟ ସମସ୍ତେ ଥିଲେ ଅଜ୍ଞ। ଯଦି ସେହି କମ୍ପାନୀର ଜଣେ ପ୍ରମୁଖ ବ୍ୟକ୍ତି ଖ୍ରୀଷ୍ଟଫର୍ ୱାଇଲି (ହ୍ବିସିଲ୍‌ବ୍ଲୋଅର୍) ସପ୍ତାହକ ତଳେ ଏ ଗୁମର କଥାକୁ ଖୋଲି କହିନଥାନ୍ତେ ଓ ଦୁଇଟି ସମ୍ବାଦପତ୍ର ‘ଦ ଅବଜର୍ଭର’ ଓ ‘ଦ ନିଉୟର୍କ ଟାଇମ୍ସ’ରେ ପ୍ରକାଶ ପାଇନଥା’ନ୍ତା, ତେବେ ହୁଏତ ଏ ଯାଏଁ ବି ତାହା ଥାଆନ୍ତା ଅଜଣା। ଦେଖିବାର କଥା ଯେ, ୱାଇଲି ଯାହିତାହି କର୍ମଚାରୀ ନୁହନ୍ତି, ସେ ‘କେମ୍ବ୍ରିଜ୍ ଆନାଲିଟିକା’ର ଅନ୍ୟତମ ପ୍ରତିଷ୍ଠାତା। ଏହି କଥାର ସତ୍ୟତା ପରଖିବାକୁ ବ୍ରିଟେନର ନିଉଜ୍ ଚ୍ୟାନେଲ  ‘ଚ୍ୟାନେଲ୍ ଫୋର୍’ ଏକ ଗୁପ୍ତ ସନ୍ଧାନ (ଷ୍ଟିଙ୍ଗ୍ ଅପରେସନ) କରି କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଆଲେକଜାଣ୍ଡାର ନିକ୍ସଙ୍କଠାରୁ (ଏବେ କମ୍ପାନୀ ଦ୍ବାରା ବିତାଡ଼ିତ) ସବୁ ଗୋପନ କଥା ଉଗାଳିପାରିଚି। ନିକ୍ସ ଶ୍ରୀଲଙ୍କାର ଏକ ରାଜନୈତିକ ଦଳର କର୍ମୀ ରୂପରେ ଯାଇଥିବା ‘ଚ୍ୟାନେଲ୍ ଫୋର୍’ର ସାମ୍ବାଦିକଙ୍କୁ ଯାହା କହିଚନ୍ତି, ତା’କୁ ଠିକେଠିକେ କହିଲେ ଏଇଆ ହବ ଯେ କେମ୍ବ୍ରିଜ୍ ଆନାଲିଟିକା କେବଳ ଭୋଟରଙ୍କ ବ୍ୟକ୍ତିଗତ ତଥ୍ୟ ବିଶ୍ଳେଷଣ କରେ ନାହିଁ, ବରଂ ସିଏ ତା’ ଗ୍ରାହକ (କ୍ଲାଏଣ୍ଟ୍)ର ରାଜନୈତିକ ପ୍ରତିଦ୍ବନ୍ଦ୍ବୀଙ୍କ ଭାବମୂର୍ତ୍ତିକୁ କଳଙ୍କିତ କରିବା ପାଇଁ ଅଭିଯାନ ମଧ୍ୟ ଚଳାଇଥାଏ, ଯେଉଁଥିରେ ରୂପଜୀବୀ ସହ ଏକାଠି ଧରାଇବା, ଲାଞ୍ଚ ନେବାବେଳେ ଧରା ପକାଇବା, ତାଙ୍କ ବିରୋଧରେ ମିଥ୍ୟା/ମନଗଢ଼ା ଖବର ପ୍ରଚାରପ୍ରସାର କରିବା ଇତ୍ୟାଦି ଅନୈତିକ ଉପାୟମାନ ଅନ୍ତର୍ଭୁକ୍ତ।

ସ୍ମରଣଯୋଗ୍ୟ ଯେ ‘କେମ୍ବ୍ରିଜ୍ ଆନାଲିଟିକା’ ତଥ୍ୟ/ସୂଚନା/ଖବରକୁ ନେଇ ଯେଉଁ ଭୟଙ୍କର ଖେଳ ଖେଳିପାରିଲା, ତାହା ପୃଥିବୀର ଦୁଇ ଶହ କୋଟିରୁ ଅଧିକ ଲୋକଙ୍କର ଟିକିନିଖି ବ୍ୟକ୍ତିଗତ ତଥ୍ୟର ଭଣ୍ଡାର ରଖିଥିବା ‘ଫେସବୁକ୍’ ନଥିଲେ ଆଦୌ ସମ୍ଭବ ହୋଇନଥା’ନ୍ତା। ଫେସବୁକ୍ ହିଁ ଅସଲ ନାଟର ଗୋବର୍ଦ୍ଧନ। ଏହାର ମୁଖ୍ୟ ମାର୍କ ଜୁକର୍‌ବର୍ଗ ପୂର୍ବରୁ ଏହି ଭୟଙ୍କର ଠକାମି ଓ ଦୁର୍ନୀତି ନେଇ ଗାଲୁଆମି ଦେଖାଉଥିଲେ ବି ଶେଷରେ ଏବେ ସ୍ବୀକାର କରିଚନ୍ତି ଯେ ‘ଫେସବୁକ୍’ର ତ୍ରୁଟି ହୋଇଛି ଓ ତଥ୍ୟ ଚୋରି କଥା ସତ। ‘କେମ୍ବ୍ରିଜ୍ ଆନାଲିଟିକା’ ଓ ଫେସବୁକ୍ ଦୁର୍ନୀତିର ସମଗ୍ର ପ୍ରକରଣକୁ ଦେଖିଲେ ମନେହଉଚି ଯେ ଏହା କୌଣସି ହଲିଉଡ଼ ଥ୍ରୀଲର୍‌ର କାହାଣୀଠାରୁ ଆଦୌ କମ୍ ରୋମାଞ୍ଚକର ନୁହେଁ, ଯେଉଁଥିରେ ଅଛନ୍ତି ଜଣେ ବଣ୍ଡ୍-ଖଳନାୟକ ପରି ସିଇଓ, ଜଣେ ପୁଞ୍ଜିପତି, ଜଣେ ସରଳମତି ଅଥଚ ବିବାଦୀୟ ସତ୍ୟକଥକ (ହ୍ବିସିଲବ୍ଲୋଅର୍), ଜଣେ ଅସାମାଜିକ ତଥ୍ୟ ବିଜ୍ଞାନୀ (ଡେଟା ସାଇଣ୍ଟିଷ୍ଟ୍), ଜଣେ ଅଦୂରଦର୍ଶୀ ଶିକ୍ଷକ ଓ ଉଦ୍ଭାବକ ଏବଂ ସର୍ବୋପରି ଜଣେ ବିଜୟୋଲ୍ଲସିତ ରାଷ୍ଟ୍ରପତି ଓ ତା’ର ପ୍ରଭାବଶାଳୀ ପରିବାର। ଫେସ୍‌ବୁକ୍  ଅମଳ/ଆହରଣ କରିଥିବା ଅଜସ୍ର ବ୍ୟକ୍ତିଗତ ତଥ୍ୟ ଭିତରୁ ପ୍ରାୟ ୫ କୋଟି ଆମେରିକୀୟଙ୍କ ତଥ୍ୟ/ସୂଚନା ଚୋରି କରିବା ପାଇଁ ‘କେମ୍ବ୍ରିଜ୍ ଆନାଲିଟିକା’ ଯାହାଙ୍କୁ ଦାୟିତ୍ବ ଦେଇଥିଲା, ସେ ହଉଚନ୍ତି ବିଖ୍ୟାତ କେମ୍ବ୍ରିଜ୍ ବିଶ୍ବବିଦ୍ୟାଳୟର ତଥ୍ୟବିଜ୍ଞାନୀ ଆଲେକଜାଣ୍ଡାର କୋଗାନ୍। ଏ ମହାଶୟ ଯେଉଁ ଉପାୟ ଆପଣାଇଥିଲେ, ତାହା ବି ଥିଲା ସମ୍ପୂର୍ଣ୍ଣ ଅଭିନବ। ସେ ୨୦୧୫ ମସିହାରେ ‘ଦିସ୍‌ଇଜ୍‌ୟୋର୍‌ଡିଜିଟାଲ୍‌ଲାଇଫ୍’ (thisisyourdigitallife) ନାମକ ଏକ ଚରିତ୍ରଭିତ୍ତିକ କୁଇଜ୍ ‘ଆପ୍’ ତିଆରି କଲେ, ଯାହା ଜରିଆରେ ଫେସବୁକ୍ ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ତଥ୍ୟ ସଂଗ୍ରହ କରିହେବ। ଏହାରି ସାହାଯ୍ୟରେ ପ୍ରତ୍ୟକ୍ଷ ଭାବେ ଦୁଇ ଲକ୍ଷ ସତୁରି ହଜାର ଲୋକଙ୍କର ବ୍ୟକ୍ତିଗତ ସୂଚନା ହାସଲ କଲା ପରେ ସେମାନଙ୍କ ‘ବନ୍ଧୁ ତାଲିକା’ରେ ଥିବା ଲୋକଙ୍କ ତଥ୍ୟକୁ ମଧ୍ୟ ଚୋରି କରି ନିଆଗଲା। ଆମେ ଅଧିକାଂଶ ଫେସବୁକ୍ ବ୍ୟବହାରକାରୀ ଆଦୌ ସଚେତନ ନୋହୁ ଯେ ଆମେ ଯେଉଁ ବ୍ୟକ୍ତିଗତ କଥା, ଫଟୋ, ବିଚାର ଆଦି ଫେସବୁକ୍  ବା ଅନ୍ୟ ସାମାଜିକ ଗଣମାଧ୍ୟମରେ ଅନ୍ୟ ସହ ବାଣ୍ଟୁଚୁ, ତାକୁ ନେଇ ଜଣେ ନିର୍ବାଚନ ଜିଣିଯାଇପାରେ ଓ ଦେଶର ରାଷ୍ଟ୍ରପତି କି ପ୍ରଧାନମନ୍ତ୍ରୀ ବି ହୋଇପାରେ! ଆମ ପାଇଁ ଯାହା ଅକଳ୍ପନୀୟ ଓ ଅସମ୍ଭବପ୍ରାୟ, ତାକୁ ହିଁ ସମ୍ଭବ କରିଦେଖାଇବା ‘କେମ୍ବ୍ରିଜ୍ ଆନାଲିଟିକା’ର ବିଶେଷତ୍ବ। ନିର୍ଦିଷ୍ଟ ରାଜନେତାଙ୍କ ଲାଗି ଭୋଟ ସାଉଁଟିବା ପାଇଁ ଲୋକଙ୍କ ମନକୁ ପ୍ରଲୋଭିତ କରିବାର ତା’ର ତରିକା ବି ଗୋଟାପଣେ ନିଆରା। ଏହା ପୂର୍ବରୁ ରାଜନୈତିକ ଦଳଗୁଡ଼ିକ ଭୋଟରମାନଙ୍କ ଯେଉଁ ତଥ୍ୟକୁ ବିଶ୍ଳେଷଣ କରୁଥିଲେ, ତାହା ଥିଲା ‘ଡେମୋଗ୍ରାଫିକ୍’ ବା ଜନସାଂଖ୍ୟିକୀୟ; କିନ୍ତୁ ‘କେମ୍ବ୍ରିଜ୍ ଆନାଲିଟିକା’ ଏଥିପାଇଁ ଯେଉଁ ପଦ୍ଧତି ନିର୍ମାଣ କଲା, ତା’କୁ କୁହାଯାଉଚି ‘ସାଇକୋଗ୍ରାଫିକ୍’ ବା ‘ମନୋବିଜ୍ଞାନାତ୍ମକ’। ଏ ଦୁଇଟି ଭିତରେ ରହିଚି ଆକାଶପାତାଳ ପ୍ରଭେଦ, ଯାହା ବୁଝିବା ଜରୁରୀ। ଜନସାଂଖ୍ୟିକୀୟ ସୂଚନାରେ ଜଣେ ବ୍ୟକ୍ତିର ବୟସ, ଲିଙ୍ଗ, ଜାତି, ବର୍ଣ୍ଣ, ସମ୍ପ୍ରଦାୟ ଆଦିକୁ ବିଚାରକୁ ନିଆଯାଏ। ଏହି ତଥ୍ୟ ଭିତ୍ତିରେ ବିଜ୍ଞାପନଦାତାମାନେ ନିର୍ଦିଷ୍ଟ ବ୍ୟକ୍ତିଙ୍କୁ ପ୍ରଲୋଭିତ କଲାଭଳି ବିଜ୍ଞାପନ ବାର୍ତ୍ତାମାନ ପଠାଇଥାଆନ୍ତି। ରାଜନୈତିକ ଦଳମାନେ ମଧ୍ୟ ଭୋଟରମାନଙ୍କୁ ପ୍ରଭାବିତ/ପ୍ରଲୋଭିତ କରିବା ପାଇଁ ସେହି ଅନୁସାରେ ପ୍ରଚାର ଭାଷଣ/ବିଜ୍ଞାପନ ଆଦି ତିଆରି କରୁଥିଲେ; କିନ୍ତୁ ‘ସାଇକୋଗ୍ରାଫିକ୍’ ବିଶ୍ଳେଷଣରେ ଜଣେ ବ୍ୟକ୍ତିର ବ୍ୟକ୍ତିତ୍, ମୂଲ୍ୟବୋଧ, ବିଚାର, ବ୍ୟବହାର, ରୁଚି, ଆଚରଣ, ମନୋଭାବ ଓ ଜୀବନଶୈଳୀ ସମ୍ବନ୍ଧିତ ତଥ୍ୟକୁ ପରଖା ଯାଇଥାଏ। ଏହି ପଦ୍ଧତି ସାହାଯ୍ୟରେ ବିଜ୍ଞାପନଦାତାମାନେ ସହଜରେ ଜାଣିପାରନ୍ତି ଯେ ଆପଣ କି ପ୍ରକାରର ଲୋକ ଓ କିଭଳି କାର୍ଯ୍ୟ କରିବେ। ହ୍ବିସିଲବ୍ଲୋଅର୍ ୱାଇଲିଙ୍କ ଭାଷାରେ କହିଲେ, ଏହି ପଦ୍ଧତି ମାଧ୍ୟମରେ ସ୍ବାମୀ/ସ୍ତ୍ରୀଠାରୁ ବି ଅଧିକ ଜଣକର ଅନ୍ତରଙ୍ଗ କଥା ଠଉରାଇ ହେବ। କହିବା ବାହୁଲ୍ୟ ଯେ ‘ଜନସାଂଖ୍ୟିକୀୟ’ ତଥ୍ୟ ସଂଗ୍ରହ ଓ ବିଶ୍ଳେଷଣଠାରୁ ‘ମନୋବିଜ୍ଞାନାତ୍ମକ’ ବିଶ୍ଳେଷଣ ଅଧିକ କଷ୍ଟକର; କିନ୍ତୁ ଅଧିକ ନିର୍ଭୁଲ୍ ଓ ଉପଯୋଗୀ ମଧ୍ୟ। ‘ଜନସାଂଖ୍ୟିକୀୟ’ ତଥ୍ୟ ଖୋଜିପାଇବା ସେତେଟା କଷ୍ଟ ନୁହେଁ, କିନ୍ତୁ ‘ମନୋବିଜ୍ଞାନାତ୍ମକ’ ତଥ୍ୟ ଆହରଣ ଦୁରୂହ; ତେବେ ଏଥିପାଇଁ ପ୍ରତି ମୁହୂର୍ତ୍ତରେ ବିଶ୍ବର ଲକ୍ଷଲକ୍ଷ ଲୋକ ନିଜର ବ୍ୟକ୍ତିଗତ ସ୍ବପ୍ନ, ସମ୍ଭାବନା, ବିଚାର, ଛବି ଆଦି ‘ପୋଷ୍ଟ୍’ କରୁଥିବା ଫେସବୁକରୁ ଆଉ ଶ୍ରେଷ୍ଠ ମାଧ୍ୟମ କିଛି ନାହିଁ। ଆପଣ ଅନଲାଇନରେ କୌଣସି ଜିନିଷ ଖୋଜିଲେ (ସର୍ଚ) ଓ କୌଣସି କମ୍ପାନୀ ସେ ସମ୍ପର୍କିତ ବିଜ୍ଞାପନ ଆପଣଙ୍କୁ ଦେଖାଇଲା, ତାହା ବିରକ୍ତିକର ହେଲେ ହେଁ ସେତେଟା ଅନୈତିକ ନୁହେଁ, ଅନ୍ତତଃ ଆଜିକାଲିର ଡିଜିଟାଲ୍ ଯୁଗରେ; କିନ୍ତୁ ଆପଣଙ୍କ ମତ ବା ବିଚାରକୁ ପ୍ରଭାବିତ କରିବାକୁ ବାରମ୍ବାର ଚେଷ୍ଟା କରିବା, ତା’ପୁଣି ଅନୈତିକ ଉପାୟରେ, ଏହା ନିଶ୍ଚିତ ଭାବେ ଗର୍ହିତ ଅପରାଧ। ଯଦି ତାହା ନିର୍ଦିଷ୍ଟ ରାଜନୈତିକ ଦଳ ବା ପ୍ରାର୍ଥୀ ପ୍ରତି ଆକର୍ଷିତ/ବିକର୍ଷିତ କରିବା ପାଇଁ ହୋଇଥାଏ, ତେବେ ଗଣତନ୍ତ୍ର ପାଇଁ ଘୋର ବିପଜ୍ଜନକ। ଯାହା ଜଣାପଡ଼ୁଚି, ଆମେରିକା ସମେତ ବିଶ୍ବର ଅନେକ ଦେଶର ନିର୍ବାଚନରେ ଏଇଆ ହିଁ ଅଳ୍ପବହୁତେ ଘଟିଚି।

ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ନିର୍ବାଚିତ ହେବା ପଛରେ ସବୁଠୁ ବଡ଼ ହାତ ଥିଲା ମିଥ୍ୟା ସୂଚନା/ନକଲି ସମ୍ବାଦର, ତାହା ଏକାଧିକ ସର୍ବେକ୍ଷଣରୁ ସ୍ପଷ୍ଟ ହୋଇଚି। ଏସବୁକୁ ଯେଉଁ କାରଖାନା ତିଆରି କରିଚାଲିଥିଲା ତାହା ହେଲା ‘କେମ୍ବ୍ରିଜ୍ ଆନାଲିଟିକା’। ଏହାର ମାଲିକଙ୍କ ମଧ୍ୟରୁ ଯେଉଁ ଦୁଇଜଣ ନିର୍ବାଚନବେଳେ ପ୍ରତ୍ୟକ୍ଷଭାବେ ଟ୍ରମ୍ପଙ୍କ ସହ ସଂପୃକ୍ତ ଥିଲେ, ସେମାନେ ହେଲେ ଟ୍ରମ୍ପଙ୍କ ନିର୍ବାଚନ ପ୍ରଚାର ପାଇଁ ଚାନ୍ଦା ଦେଇଥିବା ରବର୍ଟ ମର୍କର୍ ଓ ତାଙ୍କ ତତ୍କାଳୀନ ପ୍ରଚାର ପରାମର୍ଶଦାତା ଷ୍ଟିଭ୍ ବ୍ୟାନନ। ଏମାନଙ୍କ ପରାମର୍ଶରେ ହିଁ ନିର୍ଦିଷ୍ଟ ଭୋଟରଙ୍କ ପାଖକୁ ସେମାନଙ୍କୁ ଭ୍ରମିତ କଲାଭଳି ନିର୍ଦିଷ୍ଟ ବାର୍ତ୍ତାମାନ ପଠାଯାଇଥିଲା ଓ ନକଲି ଖବର ପ୍ରଚାରପ୍ରସାର କରାଯାଇଥିଲା। ଏହା ସେତେଟା ହୁଏତ ସଫଳ ହୋଇନଥା’ନ୍ତା, ଯଦି ଆମେରିକୀୟମାନେ ଫେସବୁକ୍ ଖବରକୁ ସମ୍ପୂର୍ଣ୍ଣ ବିଶ୍ବାସ କରିନଥା’ନ୍ତେ! ଏକ ସର୍ବେକ୍ଷଣରୁ ଜଣାପଡ଼ିଚି ଯେ ଆମେରିକାର ୬୨ ଶତାଂଶ ଲୋକ ଖବର ପାଇଁ ସାମାଜିକ ଗଣମାଧ୍ୟମ ଉପରେ ନିର୍ଭର କରିଥା’ନ୍ତି। ‘କେମ୍ବ୍ରିଜ୍ ଆନାଲିଟିକା’ର ଅନୈତିକ ପଦ୍ଧତି କାମ କରିବାର ଏହା ଏକ ବଡ଼ କାରଣ। ଟ୍ରମ୍ପଙ୍କ ସମର୍ଥନରେ ନିର୍ବାଚନ ପୂର୍ବରୁ ୧୧୫ଟି ମିଥ୍ୟା ଖବର ପ୍ରଚାର କରାଯାଇଥିଲା, ଯାହାକୁ କେବଳ ଫେସବୁକରେ ୩ କୋଟି ଲୋକ ‘ଶେୟାର୍’ କରିଥିଲେ। ବିଡ଼ମ୍ବନା ହଉଚି, ମୁଖ୍ୟ ଧାରାର ଗଣମାଧ୍ୟମର ସତ୍ୟ ଖବର ଅପେକ୍ଷା ଏସବୁ ମିଛଖବର/ଗୁଜବ ଦ୍ରୁତବେଗରେ ପ୍ରଚାରିତ/ପ୍ରସାରିତ ହୋଇଥିଲା। ଟ୍ରମ୍ପ୍ ଏଥିପାଇଁ ‘କେମ୍ବ୍ରିଜ୍ ଆନାଲିଟିକା’କୁ ଲକ୍ଷାଧିକ ଡଲାର ପ୍ରଦାନ କରିଥିଲେ। ନିକଟରେ ‘ସାଇନ୍ସ’ ପତ୍ରିକାରେ ପ୍ରକାଶିତ ଏକ ବିଶ୍ଳେଷଣାତ୍ମକ ଆଲେଖ୍ୟର ତଥ୍ୟ କହୁଚି ଯେ ୨୦୦୬ରୁ ୨୦୧୭ ମଧ୍ୟରେ ପ୍ରାୟ ୩ ନିୟୁତ ଲୋକ ୧,୨୬୦୦୦ ମିଥ୍ୟା/ନକଲି ସୂଚନା/ଖବରକୁ ୪.୫ ନିୟୁତ ଥର ଟୁଇଟ୍ କରିଥିଲେ। ଏଥିରୁ ମିଛ ଖବର ପ୍ରସାରଣର ମାତ୍ରା ଓ ବେଗ କେତେ କ୍ଷିପ୍ର, ତାହା ସହଜେ ଚିନ୍ତନୀୟ।
ବ୍ରିଟେନର ଏହି ସଂସ୍ଥା ‘କେମ୍ବ୍ରିଜ୍ ଆନାଲିଟିକା’ କେବଳ ଆମେରିକାର ଗଣତନ୍ତ୍ରକୁ ହତ୍ୟା କରିବାକୁ ଚେଷ୍ଟା କରିନାହିଁ, ଏହା ବିଶ୍ବର ଅନେକ ଦେଶର ଗଣତନ୍ତ୍ରକୁ ମଧ୍ୟ ତା’ର ତଥ୍ୟଖେଳରେ ବିଷାକ୍ତ କରିଦେଇଥିବା କ୍ରମେ ପଦାକୁ ଆସୁଚି। ଖୋଦ୍ ଏହି ସଂସ୍ଥା ତା’ ୱେବସାଇଟରେ ଦୃଷ୍ଟାନ୍ତ ଦେଖାଇ ଦାବି କରିଚି ଯେ ଏହା ମେକ୍ସିକୋ, ମାଲେସିଆ, ବ୍ରାଜିଲ୍, ଚୀନ, ନାଇଜେରିଆ, କେନିଆ, ଥାଇଲାଣ୍ଡ, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ, ତ୍ରିନିଦାଦ୍, ଟବାଗୋ, ଏପରିକି ଭାରତରେ ମଧ୍ୟ ସଫଳ ଭାବେ ତଥ୍ୟ ବିଶ୍ଳେଷଣ/ ହେର୍‌ଫେର୍ କରି ନିର୍ବାଚନରେ ରାଜନୈତିକ ଦଳ ଓ ରାଜନେତାଙ୍କର ବିଜୟରାସ୍ତାକୁ ସୁଗମ କରିଚି। ଫେସବୁକ୍ ତଥ୍ୟଚୋରି ପ୍ରକରଣକୁ ଦେଖିଲେ ମନେହଉଚି ଯେ ଏହି ସଂସ୍ଥାର ଦାବି ଅମୂଳକ/ଅଯଥାର୍ଥ ନୁହେଁ। ଏଇନା ଭାରତରେ ବି ଏହାକୁ ନେଇ କେତେକ ରାଜନୈତିକ ଦଳ ହୁରି ପକାଇ ପରସ୍ପର ବିରୋଧରେ ନିର୍ବାଚନରେ ଅନୈତିକତାକୁ ପ୍ରଶ୍ରୟ ଦେଇଥିବା ଆରୋପ କରିଚନ୍ତି। ବିଜେପି କଂଗ୍ରେସକୁ ‘କେମ୍ବ୍ରିଜ ଆନାଲିଟିକା’ର ସାହାଯ୍ୟ ନେଇଥିବା ଅଭିଯୋଗ କରିଥିବାବେଳେ କଂଗ୍ରେସ ବି ଅନୁରୂପ ଆରୋପ ଆଣି ବିଜେପିକୁ ‘ମିଛ ଖବରର କାରଖାନା’ ବୋଲି ଅଭିହିତ କରିଚି। ଭାରତୀୟ ଭୋଟରମାନେ ଯେ ଏଭଳି ସଂସ୍ଥାର ଭେଳିକି ବାର୍ତ୍ତା/ବିଜ୍ଞାପନରେ କେତେ ପ୍ରଲୋଭିତ ଓ ପରିବର୍ତ୍ତିତ ହୋଇଥିବେ, ତାହା କହିହେଉ ନାହିଁ; କିନ୍ତୁ ମିଛ ତଥ୍ୟ/ସୂଚନା/ଖବର ଯେ ପାଶ୍ଚାତ୍ୟ ପରି ଭାରତରେ ମଧ୍ୟ ଗତ ନିର୍ବାଚନଗୁଡ଼ିକରେ ସାମାଜିକ ଗଣମାଧ୍ୟମରେ ବହୁଳ ପ୍ରଚାରପ୍ରସାର କରାଯାଇଥିଲା, ତାହା ନିଃସନ୍ଦେହ। ବିଶେଷତଃ, ସାଧାରଣ ନିର୍ବାଚନ ପୂର୍ବରୁ ଓ ପରେ ନରେନ୍ଦ୍ର ମୋଦିଙ୍କ ଭାବମୂର୍ତ୍ତିକୁ ଦୃଢ଼/ନିଷ୍କଳଙ୍କ ଦେଖାଇବା ଏବଂ ବିରୋଧୀଙ୍କୁ ବଦନାମ କରିବା ଭଳି ଯେଉଁସବୁ ମିଥ୍ୟା ସୂଚନା/ଖବର/ଛବି (‘ୟୁନେସ୍କୋ ଦ୍ବାରା ମୋଦିଙ୍କୁ ବିଶ୍ବର ଶ୍ରେଷ୍ଠ ପ୍ରଧାନମନ୍ତ୍ରୀ ଘୋଷଣା’ ପରି) ପ୍ରଚାର କରାଯାଇଥିଲା, ସେସବୁକୁ ପ୍ରମାଣ ସହ ଦର୍ଶାଇଚନ୍ତି/ଦର୍ଶାଉଚନ୍ତି ଅଲ୍ଟ ନିଉଜ୍, ଏସ୍ଏମ୍ ହୋକ୍ସ ସ୍ଲେୟର୍, ଚେକ୍‌ ଫୋର୍‌ ସ୍ପାମ୍ ଭଳି ସତ୍ୟ ଅନ୍ବେଷଣକାରୀ/ଉନ୍ମୋଚନକାରୀ ୱେବ୍‌ସାଇଟ୍।

ଏବେ ଭାରତର ନିର୍ବାଚନଗୁଡ଼ିକରେ ବି ‘କେମ୍ବ୍ରିଜ୍ ଆନାଲିଟିକା’ ସଂପୃକ୍ତ ଥିବାର ସନ୍ଦେହ କ୍ରମଶଃ ଘନୀଭୂତ ହଉଚି, କାରଣ ‘କେମ୍ବ୍ରିଜ୍ ଆନାଲିଟିକା’ର ପିତୃସଂସ୍ଥା ‘ଷ୍ଟ୍ରାଟେଜିକ୍ କମ୍ୟୁନିକେସନ୍ସ ଲାବୋରେଟରିଜ୍’ (ଏସ୍‌ସିଏଲ୍‌)ର ଏକ ଅଂଶୀଦାର ସଂସ୍ଥା ‘ଓଭ୍‌ଲେନୋ ବିଜିନେସ୍ ଇଣ୍ଟେଲିଜେନ୍ସ’ (ଓବିଆଇ) ତା’ପାଇଁ ୨୦୧୦ ମସିହାରୁ ତୃଣମୂଳ ସ୍ତରରେ ତଥ୍ୟସଂଗ୍ରହ କରୁଥିବା ଜଣାଯାଇଚି। ଏହି ସଂସ୍ଥାର ମୁଖ୍ୟ ହେଲେ ଜେଡିୟୁ ନେତା କେ.ସି. ତ୍ୟାଗୀଙ୍କ ପୁତ୍ର ଅମ୍ରିଶ ତ୍ୟାଗୀ। ଶ୍ରୀ ତ୍ୟାଗୀ ଏକ ସାକ୍ଷାତକାରରେ ବିହାର ବିଧାନସଭା ନିର୍ବାଚନ ପାଇଁ ରଣନୀତି ତିଆରି କରିଥିବା କହିବା ସହ କିଭଳି ବିଜେପିର ରଣକୌଶଳକୁ ପ୍ରତିହତ କରିହେବ, ତା’ର ଉଦାହରଣ ମଧ୍ୟ ଦେଇଚନ୍ତି। ଧ୍ୟାନଯୋଗ୍ୟ, ଶ୍ରୀ ତ୍ୟାଗୀ ଭାରତୀୟ-ଆମେରିକୀୟଙ୍କୁ ପ୍ରଲୋଭିତ କରିବା ପାଇଁ ଟ୍ରମ୍ପଙ୍କ ପ୍ରଚାର ଅଭିଯାନର ମଧ୍ୟ ଅଂଶୀଦାର ଥିଲେ। ‘ଓବିଆଇ’ର ଦ୍ବିତୀୟ ମୁଖ୍ୟ (ହିମାଂଶୁ ଶର୍ମା) ତାଙ୍କ ‘ପରିଚୟ’ (ପ୍ରୋଫାଇଲ୍)ରେ ଦର୍ଶାଇଚନ୍ତି ଯେ ସେ ‘ଶାସକ ବିଜେପିର ଚାରିଟି ନିର୍ବାଚନ ପ୍ରଚାର ଅଭିଯାନରେ ସଫଳତାର ସହ କାର୍ଯ୍ୟ କରିଚନ୍ତି’। ଏସ୍‌ସିଏଲ, ଭାରତ ଶାଖାର ତତ୍କାଳୀନ ନିର୍ଦେଶକ ତଥା ଅମ୍ରିଶଙ୍କ ପ୍ରମୁଖ ସହଯୋଗୀ ଅବନୀଶ ରାୟ ବର୍ତ୍ତମାନର ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ ତଥା ବିଜେପି ନେତା ମହେଶ ଶର୍ମାଙ୍କ ପାଇଁ କାମ କରିଥିବା ସ୍ବୀକାର କରିଚନ୍ତି।

ମୋଟକଥା ହଉଚି, ତଥ୍ୟ/ସୂଚନା ଆଉ ଶସ୍ତା/ସାଧାରଣ ହୋଇ ରହିନାହିଁ ଏବଂ ଏହା ବିକ୍ରିଯୋଗ୍ୟ, ଏକଥା ବୁଝିବାର ବେଳ ଆସିଯାଇଚି। ୨୦୦୬ ମସିହାରେ ହିଁ ନେପାଳର ମାଓବାଦୀମାନେ ଏହାକୁ ହୃଦୟଙ୍ଗମ କରିଥିବା ଦେଖାଯାଇଚି। ବ୍ରିଟିଶ ସାମ୍ବାଦିକ ଜେମ୍ସ ହାର୍ଡିଂ ତାଙ୍କ ପୁସ୍ତକ ‘ଆଲ୍‌ଫା ଡଗ୍ସ’ରେ ଦେଇଥିବା ଏକ ଉଦାହରଣ ଉଲ୍ଲେଖଯୋଗ୍ୟ। ସେ ଲେଖିଚନ୍ତି ଯେ ୨୦୦୬ ମସିହାରେ ଆମେରିକୀୟ ରାଜନୈତିକ ରଣନୀତିକାର ଷ୍ଟାନ୍ ଗ୍ରୀନବର୍ଗଙ୍କ ପାଇଁ କାମ କରୁଥିବା ଜଣେ ସ୍ଥାନୀୟ ତଥ୍ୟ ସଂଗ୍ରହକର୍ତ୍ତାଙ୍କୁ ମାଓବାଦୀମାନେ ଭୋଟରଙ୍କ ମତ ସଂଗ୍ରହ କଲାବେଳେ ଅପହରଣ କରିନେଇଥିଲେ। ସରକାରଙ୍କ ସମକ୍ଷରେ ସେମାନେ ଅପହୃତର ମୁକ୍ତିପାଇଁ ଯେଉଁ ଦାବି ରଖିଥିଲେ, ତାହା ଅର୍ଥ, ଅସ୍ତ୍ରଶସ୍ତ୍ର ବା କୌଣସି ବନ୍ଦୀ ମାଓବାଦୀର ମୁକ୍ତି ଆଦି କିଛି ନଥିଲା, ବରଂ ସେମାନଙ୍କ ଦାବି ଥିଲା ଗ୍ରୀନବର୍ଗଙ୍କ ଦଳ ଦ୍ବାରା ସଂଗୃହୀତ ଭୋଟରଙ୍କ ମତର ତଥ୍ୟାବଳୀ (ଡେଟା)। ସେମାନେ ଏହାଦ୍ବାରା ଦେଶର ରାଜନୈତିକ ପାଣିପାଗକୁ ଆକଳନ କରିପାରିବେ ବୋଲି ଭାବିଥିଲେ ଓ ଶେଷରେ ତଥ୍ୟ ସଂଗ୍ରହକାରୀମାନେ ସେମାନଙ୍କୁ ତଥ୍ୟାବଳୀ ଦେବାକୁ ବାଧ୍ୟ ହୋଇଥିଲେ। ‘ଡେଟା ଇଜ୍ ନିଉ ଅଏଲ୍’ (ତଥ୍ୟ ନୂଆ ତୈଳ) କଥାଟି ଏବେ ପୁରୁଣା ମନେହେଲାଣି; କାରଣ ତଥ୍ୟ ତୈଳଠାରୁ ବି ପାଲଟିଲାଣି ଅଧିକ ତରଳ ଓ ଅମୂଲମୂଲ। ତାକୁ ଠିକ୍‌ ଭାବେ ଧରିନରଖିଲେ ତାହା କେବଳ ବ୍ୟକ୍ତି ନୁହେଁ, ସମଗ୍ର ଗଣତନ୍ତ୍ର ପାଇଁ ବିପଦର କାରଣ ହେବ, ତାହା ନିଶ୍ଚିତ।
ମନ୍ତ୍ରୀ ରବିଶଙ୍କର ପ୍ରସାଦ ଯେତେ ହୁଙ୍କାର ଦେଲେ ବି ନା ସେ ଜୁକରବର୍ଗଙ୍କୁଧରିପାରିବେ ନା ତଥ୍ୟଚୋରିକୁ ରୋକିପାରିବେ; କାହିଁକିନା ନିରବ ମୋଦି, ବିଜୟ ମାଲ୍ୟା ଭଳି ଅର୍ଥଚୋରଙ୍କୁ ଧରିପାରୁନଥିବା ଭାରତୀୟ ବ୍ୟବସ୍ଥା ମହାଚତୁର ବିଦେଶୀ ତଥ୍ୟଚୋରଙ୍କୁ ଧରିବ ବୋଲି ଭାବିବା କେବଳ ହାସ୍ୟାସ୍ପଦ ନୁହେଁ, ସମ୍ପୂର୍ଣ୍ଣ ଅସମ୍ଭବ। ଅସାଧୁ ସାବଧାନ। ସାଧୁ ବି!

(୨୫ ମାର୍ଚ ୨୦୧୮ରେ ‘ସମାଜ’ରେ ପ୍ରକାଶିତ)
Next PostNewer Post Previous PostOlder Post Home

0 comments:

Post a Comment

ଏହି ବ୍ଲଗର ସମସ୍ତ ସାମଗ୍ରୀ ଲେଖକଙ୍କ ସର୍ବସ୍ବତ୍ତ୍ବ ସଂରକ୍ଷିତ. Powered by Blogger.