ଗଣମାଧ୍ୟମ କେତେ ସ୍ବାଧୀନ?

Leave a Comment

ଦୁଃଖର କଥା ଯେ ବିଗତ କେଇବର୍ଷ ଧରି ପାକିସ୍ତାନରେ ଅଭିବ୍ୟକ୍ତିର ସ୍ବାଧୀନତାର ଅବସ୍ଥା ଭଲ ନାହିଁ। ‘ରିପୋର୍ଟର୍ସ ୱିଦାଉଟ୍ ବର୍ଡର୍ସ’ର ତାଜା ରିପୋର୍ଟ ପାକିସ୍ତାନର ଅଭିବ୍ୟକ୍ତିର ସ୍ବାଧୀନତାକୁ ୧୮୦ଟି ଦେଶ ମଧ୍ୟରେ ୧୩୯ ସ୍ଥାନରେ ରଖିଛି। ଯଦି କିଛି ସାଂତ୍ବନାର ବିଷୟ ଥାଏ, ତାହା ହେଲା ଏହି ତାଲିକାରେ ଭାରତର ସ୍ଥାନ ୧୩୮। 

ଦୁଇ ଦିନ ତଳେ ପାକିସ୍ତାନର ଏକ ଇଂରେଜୀ ଖବରକାଗଜ ‘ଡେଲି ଟାଇମ୍ସ’ରେ ସେ ଦେଶର ଜଣେ ବରିଷ୍ଠ ସାମ୍ବାଦିକ ବାବର ଆୟାଜ୍ ନିଜର ଅଗ୍ରଲେଖରେ ତାଙ୍କ ପାଇଁ ଏଇ ଯେଉଁ ‘ସାଂତ୍ବନା’ କଥାଟି ଲେଖିଚନ୍ତି, ତାହା ଆମ ପାଇଁ ସବୁଠୁ ବଡ଼ ବିଡ଼ମ୍ବନା ଓ ଲଜ୍ଜା ନୁହେଁ କି? ଭାରତ କୌଣସି ଦୃଷ୍ଟିରୁ ପାକିସ୍ତାନ ସହ ତୁଳନୀୟ ନୁହେଁ; ମାତ୍ର ଗଣମାଧ୍ୟମ/ଅଭିବ୍ୟକ୍ତିର ସ୍ବାଧୀନତା ବେଳକୁ ଏ ତୁଳନା ସତକୁ ସତ ଆଦୌ ମନେହେଉନାହିଁ ଅସଙ୍ଗତ/ଅମୂଳକ। ସାରା ବିଶ୍ବରେ ଗଣମାଧ୍ୟମର ସ୍ବାଧୀନତାକୁ ଆକଳନ କରି ପ୍ରତିବର୍ଷ ରିପୋର୍ଟ ପ୍ରକାଶ କରୁଥିବା ସଂଗଠନ ‘ରିପୋର୍ଟର୍ସ ୱିଦାଉଟ୍ ବର୍ଡର୍ସ’ (ରିପୋର୍ଟର୍ସ ସାନ୍‌ସ ଫ୍ରଣ୍ଟିଏର୍ସ ବା ଆର୍‌ଏସ୍‌ଏଫ୍‌) ଗତବର୍ଷ (୨୦୧୭) ଭାରତକୁ ୧୩୬ ସ୍ଥାନରେ ରଖିଥିଲାବେଳେ ଚଳିତବର୍ଷ ଏହା ଆଉ ଦୁଇଟି ସ୍ଥାନ ତଳକୁ ଖସି ୧୩୮ରେ ପହଞ୍ଚିଚି। ଏପ୍ରିଲ ୨୫, ୨୦୧୮ରେ ପ୍ରକାଶିତ ‘ବିଶ୍ବ ପ୍ରେସ୍‌ ସ୍ବାଧୀନତା ସୂଚକାଙ୍କ ରିପୋର୍ଟ’ରେ ଏହି ସଂଗଠନ ଭାରତ ସମ୍ପର୍କରେ ଯାହା ଉଲ୍ଲେଖ କରିଚି, ତାହା ବେଶ୍ ପ୍ରଣିଧାନଯୋଗ୍ୟ: ‘‘ଘୃଣାବ୍ୟଞ୍ଜକ ବିବୃତି ଉପମହାଦେଶର ଅନ୍ୟତମ ବୃହତ୍ ରାଷ୍ଟ୍ର ଭାରତ ପାଇଁ ଏକ ବଡ଼ ପ୍ରସଙ୍ଗ, ଯାହା ଆଉ ଦୁଇଟି ସ୍ଥାନ ତଳକୁ ଖସି ଏବର୍ଷ ୧୩୮ ସ୍ଥାନରେ ପହଞ୍ଚିଚି। ୨୦୧୪ରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରଠାରୁ ହିନ୍ଦୁ କଠୋରପନ୍ଥୀମାନେ ସାମ୍ବାଦିକଙ୍କୁ ହିଂସାତ୍ମକ ଆଚରଣ କରିଆସୁଛନ୍ତି।’’ ଏହାର ଉଦାହରଣ ଦେବା ବୋଧହୁଏ ନିଷ୍ପ୍ରୟୋଜନ। ଏ ପରିପ୍ରେକ୍ଷୀରେ ଗତବର୍ଷ ଏହି ରିପୋର୍ଟରେ ଯାହା ଉଲ୍ଲେଖ କରାଯାଇଥିଲା, ତାହା ମଧ୍ୟ ବିଚାରଯୋଗ୍ୟ: ‘‘ହିନ୍ଦୁ ରାଷ୍ଟ୍ରବାଦୀ ଜାତୀୟ ବିତର୍କରୁ ‘ରାଷ୍ଟ୍ରବିରୋଧୀ’ ବିଚାରର ସମସ୍ତ ଅଭିବ୍ୟକ୍ତିକୁ ପରିଶୁଦ୍ଧ କରିବାକୁ ପ୍ରୟାସ କରୁଛନ୍ତି; ଫଳରେ ମୁଖ୍ୟଧାରାର ଗଣମାଧ୍ୟମରେ ଆତ୍ମ-ନିୟନ୍ତ୍ରଣ ବୃଦ୍ଧି ପାଉଛି।’’ ଏ ଆକଳନ ଶତ ପ୍ରତିଶତ ସତ ହୋଇନପାରେ, କିନ୍ତୁ ଏହା ନିଃସନ୍ଦେହ ଯେ ଗତ କିଛି ବର୍ଷ ଭିତରେ କଥିତ ‘ରାଷ୍ଟ୍ରବିରୋଧୀ’ ବିଚାରଗୁଡ଼ିକୁ ଦମନ କରିବାପାଇଁ ଶାସକ ପକ୍ଷ ସର୍ବଦା ଚେଷ୍ଟା କରିଆସିଚି; କାହିଁକିନା, ତା’ ଦୃଷ୍ଟିରେ ଶାସନ-ବିରୋଧ ମାନେ ରାଷ୍ଟ୍ର-ବିରୋଧ! ଅଥଚ ଗଣମାଧ୍ୟମର ମୌଳିକ କାର୍ଯ୍ୟ ହେଲା ଶାସନ-ପ୍ରଶାସନର ଦୋଷଦୁର୍ବଳତାକୁ ଚିହ୍ନେଇଦେବା; ଗଣକୁ ଅସଲ ସ୍ଥିତି ଓ ସ୍ବରୂପ ସମ୍ବନ୍ଧରେ ଅବଗତ କରାଇବା। ଏହା ହିଁ ତା’ର ଅସଲ ନୈତିକତା। ସେ ଆପଣାକୁ ଆତ୍ମ-ନିୟନ୍ତ୍ରିତ କରିବାର ଅର୍ଥ ନୁହେଁ ଯେ ଶାସକର ସବୁ ଅପକର୍ମକୁ ଆଖିବୁଜି ଦେଖିବ ଓ କିଛି କହିବ ନାହିଁ/ଲେଖିବ ନାହିଁ। ସେ ଯଦି ଶାସକର ପୋଷ୍ୟ/ବଶଂବଦ ହୋଇ ରହିବ, ତେବେ ‘ୱାଚ୍‌ଡଗ୍’ ନହେଇ ପାଲଟିଯିବ ‘ଲାପ୍‌ଡଗ୍’। ହୁଏତ ଅଧିକାଂଶ ଭାରତୀୟ ଗଣମାଧ୍ୟମର ଅବସ୍ଥା ଏବେ ସେଇ ସ୍ତରରେ ପହଞ୍ଚିସାରିଚି କହିଲେ ହେବନାଇଁ ଅତ୍ୟୁକ୍ତି। ବର୍ତ୍ତମାନର ଶାସକ ତାକୁ ଏଭଳି ଗଦ ଶୁଙ୍ଘେଇ ଦେଇ ମଣ କରିଚି ଯେ ତା’ର ପ୍ରଶ୍ନ ପଚାରିବାର ଶକ୍ତି ହୋଇସାରିଚି ପରାହତ। କେବଳ ସରକାରୀ ଗଣମାଧ୍ୟମ (ଯଦିଚ ତା’ ବି ସ୍ବାୟତ୍ତ) ନୁହେଁ, ଅଧିକାଂଶ ବେସରକାରୀ ଗଣମାଧ୍ୟମ ବି ହୋଇପଡ଼ିଚନ୍ତି ପରାଙ୍ଗପୁଷ୍ଟ/ଶକ୍ତିହୀନ/ବୋଲକରା। ବର୍ତ୍ତମାନର ଶାସକର ଭାଷାରେ ଯେଉଁ ‘ନିଉ ଇଣ୍ଡିଆ’ ବା ନବଭାରତ ଗଢ଼ା ଚାଲିଚି, ସେଥିରେ ଅଭିବ୍ୟକ୍ତିର ସ୍ବାଧୀନତା ବା ଗଣମାଧ୍ୟମର ସ୍ବାଧୀନତା ମନେହେଉଚି ଖୁବ୍ ଗୌଣ। ଯେଉଁକିଛି ହାତଗଣତି ଗଣମାଧ୍ୟମ କୋଳମଣ୍ଡନକାରୀ ନହୋଇ ଜଗୁଆଳି ହେବାକୁ ଚେଷ୍ଟା କରୁଚନ୍ତି, ସେମାନଙ୍କୁ ନଖଦନ୍ତବିହୀନ କରିଦେବାକୁ ଚାଲିଚି ଚକ୍ରାନ୍ତ। ଯେଉଁ ସଂପାଦକମାନେ ଶାସକ ବିପକ୍ଷରେ କିଛି ଲେଖୁଚନ୍ତି, ସେମାନଙ୍କୁ କଳେବଳେକୌଶଳେ ପଦରୁ କରାଯାଉଚି ବିଦା; ଏପରିକି ମିଥ୍ୟା ଅଭିଯୋଗରେ ଗଣମାଧ୍ୟମର କାର୍ଯ୍ୟକୁ ବି ବନ୍ଦ କରିଦେବାର କରାଯାଉଚି ଦୁଃସାହସ (ନିଉଜ୍ ଚ୍ୟାନେଲ୍ ଏନ୍‌ଡିଟିଭି ଇଣ୍ଡିଆ; ଖବରକାଗଜ ‘କାଶ୍ମୀର ରିଡର୍’। ସର୍ବୋପରି, କେବଳ ବୈଚାରିକ ସ୍ତରରେ ନୁହେଁ, ଶାରୀରିକ ସ୍ତରରେ ମଧ୍ୟ ହେଉଚି ଆକ୍ରମଣ।

ନିକଟ ଅତୀତରେ ମିଛ ଖବର ନିୟନ୍ତ୍ରଣ ଆଳରେ ଏଭଳି ଏକ ଷଡ଼ଯନ୍ତ୍ର ଅପଚେଷ୍ଟା ଅବଶ୍ୟ ଖୁବ୍ ଶୀଘ୍ର ପଣ୍ଡ ହୋଇପାରିଲା। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦେଶ ଦିଆଗଲା (ଏପ୍ରିଲ ୨) ଯେ ‘ମିଛ ଖବର’ ଲେଖିଥିବା ସରକାରୀ ସ୍ବୀକୃତିପ୍ରାପ୍ତ ସାମ୍ବାଦିକଙ୍କର ସ୍ବୀକୃତିକୁ ରଦ୍ଦ କରିଦିଆଯିବ। ବହୁ ବାଦପ୍ରତିବାଦ ପରେ ପ୍ରଧାନମନ୍ତ୍ରୀ ଉକ୍ତ ନିର୍ଦେଶକୁ ପ୍ରତ୍ୟାହାର କରିନେବାକୁ ଆଦେଶ ଦେବାକୁ ବାଧ୍ୟ ହେଲେ। ଏହି ନିର୍ଦେଶର ସବୁଠୁ ବଡ଼ ଦୁର୍ବଳତା ଥିଲା, ଏଥିରେ ‘ମିଛ ଖବର’ର ସଂଜ୍ଞା କ’ଣ, ତାହା ଦର୍ଶାଯାଇନଥିଲା। ଦୃଷ୍ଟି ଦେବା ଆବଶ୍ୟକ ଯେ ମିଛ ଖବରର ସୃଷ୍ଟି/ପ୍ରଚାର କର୍ତ୍ତା ପ୍ରାୟତଃ ମୁଖ୍ୟଧାରାର ସାମ୍ବାଦିକ ନୁହନ୍ତି, ବରଂ ପ୍ରତ୍ୟକ୍ଷ/ପରୋକ୍ଷରେ ରାଜନୈତିକ ଦଳ/କର୍ପୋରେଟଙ୍କ ଦ୍ବାରା ନିଯୁକ୍ତ/ପ୍ରୋତ୍ସାହିତ ଅଣସାମ୍ବାଦିକ। ଏକ ମିଛ ଖବର ପ୍ରଚାରକାରୀ ଖବର ୱେବସାଇଟ୍ ‘ପୋଷ୍ଟକାର୍ଡ ନିଉଜ୍’ର ସଂପାଦକ ମହେଶ ହେଗଡେଙ୍କ ଗିରଫଦାରି ଘଟନା ଏହାର ଜ୍ବଳନ୍ତ ଉଦାହରଣ। ଏହି ୱେବସାଇଟରେ ମାର୍ଚ ୧୮ରେ ଏକ ଖବର ପ୍ରକାଶ ପାଇଲା ଯେ ଜଣେ ଜୈନମୁନିଙ୍କୁ ମୁସଲମାନମାନେ ମାଡ଼ ମାରି ମୁମୂର୍ଷୁ କରିଚନ୍ତି; ଅଥଚ ମାମଲାଟି ଥିଲା ଏକ ରାସ୍ତା ଦୁର୍ଘଟଣାର। ହେଗଡେଙ୍କୁ କର୍ଣ୍ଣାଟକ ପୁଲିସ ଗିରଫ କଲାବେଳକୁ ଏ ଖବର ସାମାଜିକ ଗଣମାଧ୍ୟମରେ ଧାର୍ମିକ ଅସଦ୍ଭାବ ସୃଷ୍ଟି କଲାଭଳି ବେଶ୍ ଘୃଣାର ବାତାବରଣଟିଏ ସୃଷ୍ଟି କରିସାରିଥିଲା। କ୍ଷୋଭ/ବିସ୍ମୟର ବିଷୟ ଯେ କେନ୍ଦ୍ରର ଶାସକ ଦଳର ଅନେକ ସଦସ୍ୟ, ଏପରିକି ଜଣେ ମନ୍ତ୍ରୀ ହେଗଡେଙ୍କ ସପକ୍ଷରେ ବିବୃତିମାନ ଦେବାକୁ ହୋଇନଥିଲେ ସାମାନ୍ୟ କୁଣ୍ଠିତ। ଏହା ବହୁବାର ପ୍ରମାଣିତ ଯେ ଏହି ୱେବସାଇଟ ମିଛ ଖବରର ଏକ ବଡ଼ କାରଖାନା, ଯେଉଁଥିରେ ରାଷ୍ଟ୍ରପ୍ରେମ ନାମରେ ଜାତି/ସଂପ୍ରଦାୟ/ଧର୍ମକୁ ଧରି ବାଦବିବାଦ ସୃଷ୍ଟି ହେଲା ଭଳି ନକଲି ଖବର ଓ ଛବି ହୋଇଆସୁଚି ସ୍ଥାନିତ । କେବଳ ‘ପୋଷ୍ଟକାର୍ଡ ନିଉଜ୍’ ନୁହେଁ, ଏହିପରି ଶତାଧିକ ୱେବସାଇଟ ଏବେ ରାଜନୈତିକ ଦଳ/କର୍ପୋରେଟଙ୍କ ପାଇଁ ଗଢ଼ାହୋଇଚି ମିଥ୍ୟା ସୂଚନା ଦେଇ କେବଳ ପାଠକଙ୍କୁ ବିଭ୍ରାନ୍ତ କରିବା ପାଇଁ, ଯାହାକୁ ଆଗରୁ କୁହାଯାଉଥିଲା ‘ପ୍ରୋପାଗଣ୍ଡା’। ବିଡ଼ମ୍ବନା ଯେ ଖୋଦ୍ ସରକାର ବି ଅନେକ ସମୟରେ ଏପରି ମିଥ୍ୟା ତଥ୍ୟ/ସୂଚନାର ସ୍ରଷ୍ଟା/ବାହକ ପାଲଟୁଚି, ଜାଣତରେ ହେଉ ବା ଅଜାଣତରେ। ଉତ୍ତର-ସତ୍ୟ (ପୋଷ୍ଟ୍-ଟ୍ରୁଥ୍) ଓ ବିକଳ୍ପ ତଥ୍ୟ (ଅଲ୍ଟରନେଟିଭ୍ ଫ୍ୟାକ୍ଟସ)ର ଯୁଗରେ ମିଛ ଖବର ଯେ ଏକ ବଡ଼ ଆହ୍ବାନ ଏବଂ ଗଣମାଧ୍ୟମର ସ୍ବାଧୀନତା କ୍ଷେତ୍ରରେ ଏକ ବିରାଟ ପ୍ରତିବନ୍ଧକ, ତାହା କହିବା ବାହୁଲ୍ୟ। ପୂର୍ବରୁ ବି ଆମେ ଅବଶ୍ୟ ଇନ୍ଦିରା ଗାନ୍ଧିଙ୍କ ଜରୁରୀ ପରିସ୍ଥିତି (୧୯୭୫), ରାଜୀବ ଗାନ୍ଧିଙ୍କ ମାନହାନି ବିଧେୟକ (୧୯୮୮), ରାଜସ୍ଥାନର ବସୁନ୍ଧରା ରାଜେ ସରକାରଙ୍କ ଗଣମାଧ୍ୟମ ନିୟନ୍ତ୍ରଣ ବିଧେୟକ (୨୦୧୭) ଭଳି ଗଣମାଧ୍ୟମର ବେକକୁ ମୋଡ଼ିବା ଭଳି ପଦକ୍ଷେପମାନ ଦେଖିଆସିଛୁ; କିନ୍ତୁ କେହି ସେଥିରେ ସଫଳ ହୋଇନାହାନ୍ତି। ଗଣତାନ୍ତ୍ରିକ ମୂଲ୍ୟବୋଧକୁ ଅକ୍ଷୁଣ୍ଣ ରଖିବାକୁ ହେଲେ ଗଣମାଧ୍ୟମର ସ୍ବାଧୀନତାକୁ ବି ଅକ୍ଷୁଣ୍ଣ ରଖିବା ଜରୁରୀ, ଏହା ଶାସକପକ୍ଷ ବୁଝିବା ସେମାନଙ୍କ ପାଇଁ ହିଁ ମଙ୍ଗଳକର।

ଏଇଥିପାଇଁ ସମ୍ଭବତଃ ଆମେରିକାର ତୃତୀୟ ରାଷ୍ଟ୍ରପତି ଥମାସ ଜେଫରସନ ଏକଦା କହିଥିଲେ ଯେ ସେ ‘ଏକ ଖବରକାଗଜଶୂନ୍ୟ ସରକାର’ ଅପେକ୍ଷା ‘ସରକାର-ବିହୀନ ଖବରକାଗଜ’କୁ ବେଶି ପସନ୍ଦ କରିବେ। ତାଙ୍କ ମତରେ ଗଣମାଧ୍ୟମର ସ୍ବାଧୀନତା ହିଁ ‘ସତ୍ୟ ପ୍ରତି ପ୍ରତ୍ୟେକ ରାସ୍ତାକୁ ଉନ୍ମୁକ୍ତ କରିଥାଏ’। ଆଜି କେବଳ ଭାରତ ନୁହେଁ, ଜେଫରସନଙ୍କ ଦେଶ ଆମେରିକାରେ ବି ଗଣମାଧ୍ୟମ/ଅଭିବ୍ୟକ୍ତିର ସ୍ବାଧୀନତାକୁ ଯେପରି କ୍ଷୁଣ୍ଣ କରିବାକୁ ଶାସକ ପକ୍ଷ ଅପଚେଷ୍ଟା କରିଚାଲିଚି, ତାହା ଅଭୂତପୂର୍ବ। ଯିଏ ସାମାଜିକ ଗଣମାଧ୍ୟମରେ ମିଛ ସୂଚନା/ତଥ୍ୟ ପ୍ରଚାରପ୍ରସାର କରି ରାଷ୍ଟ୍ରପତି ବନିଗଲେ, ସେଇ ଟ୍ରମ୍ପ୍ କ୍ଷମତାସୀନ ହେବାପରେ ସେ ଦେଶର ଶାସନ-ବିରୋଧୀ ମୁଖ୍ୟଧାରାର ଗଣମାଧ୍ୟମଗୁଡ଼ିକୁ ‘ନକଲି ଗଣମାଧ୍ୟମ’ର ଆଖ୍ୟା ଦେଉଛନ୍ତି। ଏ ବିଡ଼ମ୍ବିତ ସ୍ଥିତି ସାରା ପୃଥିବୀରେ ଉତ୍ପନ୍ନ ହୋଇଛି ବୋଧହୁଏ ଏକ ବ୍ୟାପକ ଦକ୍ଷିଣପନ୍ଥୀ ଆକ୍ରମଣାତ୍ମକ ବିଚାରଧାରାସଂପନ୍ନ ଶାସକ ଗୋଷ୍ଠୀର ଆବିର୍ଭାବରୁ, ଯେଉଁମାନେ ବିରୋଧୀ ବିଚାରକୁ ଆଦୌ ସହ୍ୟ କରିପାରନ୍ତି ନାହିଁ; ସେମାନଙ୍କ ଶାସନପଦ୍ଧତିରେ ଧାର୍ମିକ/ସାଂସ୍କୃତିକ/ଲୈଙ୍ଗିକ ବହୁଳତା ମଧ୍ୟ ସହଜେ ହୁଏନା ଗ୍ରହଣୀୟ। ଭାରତ ଓ ଆମେରିକା ବ୍ୟତୀତ ରୁଷିଆ, ତୁର୍କୀ, ଇସ୍ରାଏଲ, ହଙ୍ଗେରୀ, ଫିଲିପାଇନ୍ସ ଆଦି ଏହାର ପ୍ରକୃଷ୍ଟ ଉଦାହରଣ। ତେବେ ଚୀନ ଭଳି ​‌େ​‌ସ୍ବୖରାଚାରୀ ଶାସକ ଥିବା ଦେଶ ମଧ୍ୟ ଅଛନ୍ତି, ଯେଉଁଠି ଗଣମାଧ୍ୟମର ସ୍ବାଧୀନତା ଆମେରିକା, ଭାରତଠାରୁ ମଧ୍ୟ ଅଧିକ ବିପନ୍ନ। ଚୀନ (ପ୍ରେସ୍ ସ୍ବାଧୀନତା ସୂଚକାଙ୍କରେ ୧୭୬ ସ୍ଥାନ)ରେ ଯେଭଳି ତଥ୍ୟ/ସୂଚନା/ଖବରକୁ ସରକାର ସଂପୂର୍ଣ୍ଣ  ନିୟନ୍ତ୍ରଣରେ ରଖିଛନ୍ତି, ତାହା ଅନ୍ୟତ୍ର ବିରଳ। ତେବେ ଏଇନା ଚୀନା ମଡେଲକୁ ଅନୁସରଣ କରି ଆଉ କେତେକ ଏସୀୟ ଦେଶ ଗଣମାଧ୍ୟମକୁ ନିଜ ହାତମୁଠାରେ ରଖିବାର ଅପଚେଷ୍ଟା ଚଳାଇଛନ୍ତି, ଯାହାଙ୍କ ମଧ୍ୟରେ ପ୍ରମୁଖ ହେଲେ ଭିଏତନାମ, କାମ୍ବୋଡିଆ, ଥାଇଲାଣ୍ଡ, ମାଲେସିଆ ଓ ସିଙ୍ଗାପୁର।

ଚିନ୍ତାର କଥା, ଯେଉଁମାନେ ସାହସର ସହିତ ସତ୍ୟ ଖବର ପରିବେଷଣ କରି ନିଜର ପ୍ରକୃତ କର୍ତ୍ତବ୍ୟ ତୁଲାଉଚନ୍ତି, ସେମାନଙ୍କୁ ଆଇନକାନୁନ ମଧ୍ୟ ସୁରକ୍ଷା ଯୋଗାଇବାରେ ହେଉଚି ବିଫଳ। ଭାରତର ସମ୍ବିଧାନ ଅବଶ୍ୟ ଖୁବ୍ ଯତ୍ନ/ଦୂରଦର୍ଶିତାର ସହ ଧାରା ୧୯(୧) (କ)ରେ ଅଭିବ୍ୟକ୍ତିର ସ୍ବାଧୀନତାକୁ ସ୍ପଷ୍ଟ କରିଚି, ଯେଉଁଥିରେ ପ୍ରେସ୍‌ ସ୍ବାଧୀନତା ମଧ୍ୟ ଅଙ୍ଗୀଭୂତ। ତେବେ ଏ ପର୍ଯ୍ୟନ୍ତ ଦେଶରେ ଏଭଳି ନିର୍ଦିଷ୍ଟ ଆଇନ ନାହିଁ, ଯାହା ସମ୍ବାଦଦାତାଙ୍କୁ ସିଧାସଳଖ ସୁରକ୍ଷା/ନିରାପତ୍ତା ଯୋଗାଇବ; ବରଂ ସନ୍ଧାନୀ ସାମ୍ବାଦିକଙ୍କ ଖବରର ଉତ୍ସ ନଜଣାଇଲେ ସେ ପାଲଟୁଚି ଦ୍ରୋହୀ! ସାମାଜିକ ଗଣମାଧ୍ୟମରେ ପ୍ରତିଦିନ ଭିନ୍ନ ବିଚାରଧାରାର ସାମ୍ବାଦିକଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଗାଳିଫଜିତ୍ କରିବା (ଟ୍ରୋଲ୍)  ପାଲଟିଚି ସାଧାରଣ ଘଟନା। ଏପରିକି ଏହି ନିର୍ଦିଷ୍ଟ ବିଚାରଧାରାସଂପନ୍ନ ଗୋଷ୍ଠୀ ହତ୍ୟା କରିବାକୁ ମଧ୍ୟ ପଛାଉ ନାହାନ୍ତି। ଗତବର୍ଷ ସାମ୍ବାଦିକା ଗୌରୀ ଲଙ୍କେଶଙ୍କୁ ଯେଉଁଭଳି ହତ୍ୟା କରାଗଲା, ତାହା ଭାରତୀୟ ଗଣତନ୍ତ୍ରରେ ସାମ୍ବାଦିକଙ୍କ ଅସୁରକ୍ଷାର ସବୁଠୁ ବଡ଼ ଉଦାହରଣ। ‘କମିଟି ଟୁ ପ୍ରୋଟେକ୍ଟ ଜର୍ଣ୍ଣାଲିଷ୍ଟସ’ର ଏକ ରିପୋର୍ଟ ଅନୁସାରେ, ୨୦୧୦ରୁ ଏ ପର୍ଯ୍ୟନ୍ତ ଭାରତରେ ୫୦ରୁ ଊର୍ଦ୍ଧ୍ବ ସାମ୍ବାଦିକଙ୍କୁ ସେମାନଙ୍କର କାର୍ଯ୍ୟ ପାଇଁ ହତ୍ୟା କରାଯାଇଛି। ଏହି ସାହସୀ ସାମ୍ବାଦିକମାନେ ବିଭିନ୍ନ ପ୍ରକାରର ମାଫିଆ/ଭ୍ରଷ୍ଟାଚାରୀଙ୍କ ବିରୋଧରେ ଲେଖନୀ ଚାଳନା କରି ନିଜକୁ ବଳି ପକାଇଛନ୍ତି କେବଳ ଗଣ/ସମାଜର ମଙ୍ଗଳ ପାଇଁ; କିନ୍ତୁ ଶାସକ ପକ୍ଷ ଏଥିପ୍ରତି ଗୋଟାପଣେ ନିସ୍ପୃହ, ବରଂ ଅନେକ କ୍ଷେତ୍ରରେ ଦେଖାଯାଇଚି ଯେ ସେମାନେ ପାଲଟିଚନ୍ତି ଦୁରାଚାରୀଙ୍କ ପକ୍ଷଧର।

ଏଇଠି ଗଣର ଭୂମିକା ବିଶେଷ ମହତ୍ତ୍ବପୂର୍ଣ୍ଣ; କାରଣ ଗଣ ଚାହିଁଲେ ଗୋଟାଏ ଶକ୍ତିଶାଳୀ ଶାସକର ବି ପତନ ଘଟାଇପାରେ, ତା’ ବି ଜଣେ ସାମ୍ବାଦିକର ସମ୍ମାନରକ୍ଷା ପାଇଁ। ଏହାର ଉଦାହରଣ ବିରଳ ହେଲେ ବି ଅସମ୍ଭବ ନୁହେଁ, ତାହା ଦେଖାଇଦେଇଛନ୍ତି ସ୍ଲୋଭାକିଆ ଦେଶର ଜନତା। ପାନାମା ପେପର୍ସ ଦୁର୍ନୀତିକୁ ସେହି ଦେଶରେ ସାର୍ବଜନୀନ କରିଥିବା ଏକ ୱେବସାଇଟ୍ ‘ଏକ୍ଚୁଆଲିଟି ଡଟ୍ ଏସ୍‌କେ’ରେ କାର୍ଯ୍ୟ କରୁଥିବା ଯୁବ ସାମ୍ବାଦିକ ଜାନ୍ କୁସିଆକ୍ ଓ ତାଙ୍କ ଭାବୀପତ୍ନୀ ମାର୍ଟିନା କୁସ୍ନିରୋଭାଙ୍କୁ ଗତ ଫେବୃଆରୀରେ ହତ୍ୟା ପରେ ସେ ଦେଶର ଜନସାଧାରଣ ଯେଉଁଭଳି ରାଜରାସ୍ତାକୁ ଓହ୍ଲାଇଲେ ଓ ପରିଣତି ସ୍ବରୂପ ସେଠାକାର ସରକାର ଦୋହଲିଗଲା, ତାହା ଅନେକଙ୍କୁ ମନେହୋଇପାରେ ଅବିଶ୍ବସନୀୟ। କୁସିଆକ୍ ଏଭଳି ଏକ ଖବର ଉପରେ କାମ କରୁଥିଲେ, ଯେଉଁଥିରେ ଶାସକ ମେଣ୍ଟର ବହୁ ସଦସ୍ୟ ଟିକସ ଚୋରିରେ ସମ୍ପୃକ୍ତ ଥିଲେ ଏବଂ ଏଥିରେ ସେମାନଙ୍କୁ ସହାୟତା କରିଥିଲେ ସରକାରୀ ଅଧିକାରୀଙ୍କ ଗୋଟିଏ ଦୁର୍ନୀତିଗ୍ରସ୍ତ ଗୋଷ୍ଠୀ। କ୍ଷମତାସୀନ ଗୋଷ୍ଠୀ ଦୁର୍ନୀତିପରାୟଣ ହେବା ସ୍ଲୋଭାକିଆବାସୀଙ୍କ ପାଇଁ ନୂଆକଥା ନଥିଲା; କିନ୍ତୁ ଜଣେ ନିଷ୍ଠାପର ନିର୍ଭୀକ ସାମ୍ବାଦିକର ହତ୍ୟାକୁ ସେମାନେ ସହଜରେ ଗ୍ରହଣ କରିପାରିଲେ ନାହିଁ। ସେମାନେ ଗୃହମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ। ସରକାର କିନ୍ତୁ ନିସ୍ପୃହ। ତେବେ ଏ ଉଦାସୀନତା ବେଶିଦିନ ତିଷ୍ଠିପାରିଲା ନାହିଁ। ଇତିମଧ୍ୟରେ ଉପରୋକ୍ତ ୱେବସାଇଟରେ କୁସିଆକଙ୍କ ରିପୋର୍ଟଟି ସୁବିସ୍ତୃତ ପ୍ରକାଶ ପାଇଲା ଓ ସ୍ଲୋଭାକିଆବାସୀଙ୍କ ଆଖି ଖୋଲିଦେଲା। ସେମାନେ ସରକାରର ଔଦ୍ଧତ୍ୟକୁ କେମିତି ସହିଥା’ନ୍ତେ! ମାର୍ଚ ୯ରେ ଦେଶର ୪୮ଟି ସହରର ଲକ୍ଷାଧିକ ଲୋକ ରାଜରାସ୍ତାକୁ ଓହ୍ଲାଇପଡ଼ିଲେ। ୧୨ ମାର୍ଚରେ ଗୃହମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ ପଡ଼ିଲା। ୧୫ ମାର୍ଚ ବେଳକୁ ପ୍ରଧାନମନ୍ତ୍ରୀ ରବର୍ଟ ଫିକୋ (ଯିଏ ଆମ ଦେଶର ଜଣେ ମନ୍ତ୍ରୀ ଜେନେରାଲ ଭି.କେ. ସିଂହଙ୍କ ପରି ସାମ୍ବାଦିକଙ୍କୁ ‘ପ୍ରେଷ୍ଟିଚ୍ୟୁଟ୍’ର ଆଖ୍ୟା ଦେଇଥିଲେ)ଙ୍କ ଆସନ ବି ଟଳମଳ ହେଲା ଓ ସେ ନିଜର ମନ୍ତ୍ରିମଣ୍ଡଳ ସହ ପଦ ଛାଡ଼ିବାକୁ ବାଧ୍ୟ ହେଲେ। ଏହାପରେ ବି ଜନତା ଶାନ୍ତ ହେଲା ନାହିଁ ଓ ଅବିଳମ୍ବେ ନିର୍ବାଚନ କରାଇବା ପାଇଁ ଅଡ଼ି ବସିଲା। ଏହି ଘଟନା ପାଇଁ ସ୍ଲୋଭାକିଆ ତାଜା ପ୍ରେସ୍ ସ୍ବାଧୀନତା ସୂଚକାଙ୍କରେ ଦଶଟି ସ୍ଥାନ ତଳକୁ ଖସିଆସିଚି। ଚିନ୍ତାର ବିଷୟ ଯେ ମାନବ ବିକାଶର ସମସ୍ତ ମାନଦଣ୍ଡରେ ସବା ଉପରେ ସର୍ବଦା ରହିଆସୁଥିବା ୟୁରୋପୀୟ ଦେଶଗୁଡ଼ିକରେ ବି ଗଣମାଧ୍ୟମର ସ୍ବାଧୀନତା କ୍ରମେ ହ୍ରାସ ପାଉଥିବା ଲକ୍ଷ୍ୟ କରାଯାଉଛି।

ଗଣମାଧ୍ୟମର ସ୍ବାଧୀନତାର ଅଧୋଗତି ଘଟିଚାଲିଥିବା ଏବଂ ସାମ୍ବାଦିକର ଜୀବନ କ୍ରମଶଃ ବିପନ୍ନ ହୋଇପଡ଼ୁଥିବା ଭାରତ ଭଳି ଦେଶର ଗଣ ସବୁ ଜାଣି ଚୁପ୍ ରହିବା ତା’ର ଅଭ୍ୟାସରେ ପଡ଼ିଯାଇଚି। ତାକୁ ଏବେବି ସବୁକିଛି ମନେହେଉଚି ସ୍ବାଭାବିକ। ଭାରତୀୟ ଗଣତନ୍ତ୍ର ପାଇଁ ଏହା ଆଦୌ ଶୁଭଙ୍କର ନୁହେଁ। ସ୍ଲୋଭାକିଆର ଜନତା ଗଣମାଧ୍ୟମର ସ୍ବାଧୀନତାକୁ ଯେଉଁ ଢଙ୍ଗରେ ବୁଝିଚନ୍ତି/ପରଖିଚନ୍ତି/ତାକୁ ଅକ୍ଷୁଣ୍ଣ ରଖିବାପାଇଁ ଯେଉଁ ଏକତା ଦେଖାଇଚନ୍ତି, ଭାରତରେ କେବେ ତାହା ସମ୍ଭବ ହେବ?
 (ବିଶ୍ବ ପ୍ରେସ୍‌ ସ୍ବାଧୀନତା ଦିବସ ଉପଲକ୍ଷେ)

(୩ ମେ ୨୦୧୮ରେ ‘ସମାଜ’ରେ ପ୍ରକାଶିତ)
Next PostNewer Post Previous PostOlder Post Home

0 comments:

Post a Comment

ଏହି ବ୍ଲଗର ସମସ୍ତ ସାମଗ୍ରୀ ଲେଖକଙ୍କ ସର୍ବସ୍ବତ୍ତ୍ବ ସଂରକ୍ଷିତ. Powered by Blogger.