ପଦ୍ମାବତୀ: ସାହିତ୍ୟ-ଇତିହାସ-ରାଜନୀତି

Leave a Comment


ଭାରତବର୍ଷରେ ଲିଖିତ ଇତିହାସର କାଳଖଣ୍ଡ ଆଦୌ ବେଶି ନୁହେଁ। ସେହି ହେତୁରୁ ଏଠାରେ ଯୁଗଯୁଗ ଧରି ଲୋକମୁଖରେ ପ୍ରଚଳିତ ସ୍ମୃତି, କିମ୍ବଦନ୍ତୀ, ଗାଥା, ଗଳ୍ପ ଆଦିର ବିଷୟବସ୍ତୁ ଅନେକ ସମୟରେ ଇତିହାସର ହୋଇଛି ଉପଜୀବ୍ୟ। ତେଣୁ ସେଥିରେ ଗପ/କାହାଣୀ ଓ ତଥ୍ୟ/ସତ୍ୟକୁ ଚିହ୍ନିବା ଏକ କଷ୍ଟକର ବ୍ୟାପାର; ସାଧାରଣ ଲୋକଙ୍କ ପାଇଁ ତ ସମ୍ପୂର୍ଣ୍ଣ ଅସମ୍ଭବ। ଏଥିରେ ଇତିହାସ ପାଇଁ ଯେଉଁ ବସ୍ତୁନିଷ୍ଠତା/ପ୍ରାମାଣିକତା ଆବଶ୍ୟକ, ତା’ର ଅଭାବ ଥିବାରୁ ସେଗୁଡ଼ିକର ଐତିହାସିକତା ହୋଇପାରେନା ପ୍ରଶ୍ନାତୀତ। ଇତିହାସ ଯେମିତି ମଣିଷକୁ ଗଢ଼େ, ମଣିଷ ବି ଇତିହାସକୁ ଗଢ଼େ/ଲେଖେ; ମାତ୍ର ତାକୁ ଯଦି ସେ ମନଇଚ୍ଛା ଗଢ଼ିଲା, ତାହା ଇତିହାସ ନହୋଇ ହୁଏ କାବ୍ୟ କି ପୁରାଣ। ଏଭଳି ଏକ ଦ୍ବନ୍ଦ୍ବରୁ ବର୍ତ୍ତମାନର ବହୁଚର୍ଚିତ ବିବାଦ ‘ପଦ୍ମାବତୀ’ର ଉତ୍ପତ୍ତି। ୟା’ ପଛରେ କେବଳ ଏକ ପାରମ୍ପରିକ ଗୌରବବୋଧର ମଜବୁତ ଅଥଚ ଅନିଶ୍ଚିତ ବିଶ୍ବାସବୋଧ ନାହିଁ; ଅଛି ବି ତଥାକଥିତ  ଜାତୀୟତାବାଦର ସ୍ବାର୍ଥସର୍ବସ୍ବ ରାଜନୈତିକ ସଂସ୍କାର। ସର୍ବୋପରି ‘ପଦ୍ମାବତୀ’ ଚଳଚ୍ଚିତ୍ରର କାହାଣୀ ଯେଉଁ ପୃଷ୍ଠଭୂମିକୁ କରିଚି ଆଧାର, ତାହା ଇତିହାସ ଏବଂ କଳ୍ପନାର ଫେଣ୍ଟାଫେଣ୍ଟି ଏକ ମହାକାବ୍ୟ ହୋଇଥିବାରୁ ବାସ୍ତବତାକୁ କଳ୍ପନାଠାରୁ ଭିନେ କରି ଚିହ୍ନିବା ହୋଇଚି କାଠିକର ପାଠ।  ପଦ୍ମାବତୀ ଚରିତ୍ର ପ୍ରକୃତରେ ଐତିହାସିକ ନା କାଳ୍ପନିକ, ତାହା କେବଳ ଏବେ ନୁହେଁ, କୋଉ ଯୁଗରୁ ପାଲଟିଚି ସବୁଠୁ ବଡ଼ ପ୍ରଶ୍ନ।

ସାହିତ୍ୟରେ ପଦ୍ମାବତୀ

ଭାରତୀୟ ଜନଜୀବନରେ, ବିଶେଷତଃ ଉତ୍ତର ଭାରତରେ ଲୋକମୁହଁରେ ଯୁଗଯୁଗ ଧରି ଯେଉଁ କାହାଣୀ ପ୍ରଚଳିତ, ସେଥିରେ ରାଣୀ ପଦ୍ମାବତୀ/ପଦ୍ମିନୀ କେବଳ ଅପୂର୍ବ ସୁନ୍ଦରୀ ନୁହନ୍ତି, ଜଣେ ବୀରା ରମଣୀ ମଧ୍ୟ ଯିଏ ଆପଣାର ସ୍ବାଭିମାନ ରକ୍ଷା ପାଇଁ ନିଜ ପ୍ରାଣ ବିସର୍ଜିବାକୁ ପଛାଇନାହାନ୍ତି! ରାଜସ୍ଥାନର ରାଜପୁତ ସମ୍ପ୍ରଦାୟ ପାଇଁ ସେ କୌଣସି ପ୍ରଖ୍ୟାତ ଦେବୀଠାରୁ କମ୍ ନୁହନ୍ତି; କିନ୍ତୁ ପଦ୍ମାବତୀ ଚରିତ୍ରକୁ ନେଇ ଲିଖିତ ଭାବେ ଯେଉଁ ସର୍ବପ୍ରଥମ ଆଖ୍ୟାନଟି ମିଳୁଚି, ତାହା ଇତିହାସରୁ ନୁହେଁ, ବରଂ ‘ପଦ୍ମାବତ୍’ ନାମକ ଏକ କାବ୍ୟରୁ, ଯାହାକୁ ଅୱଧି ଭାଷାରେ ଲେଖିଥିଲେ ଜଣେ ସୁଫିକବି ମଲିକ ମହମ୍ମଦ ଜାୟସୀ ଷୋଡ଼ଶ ଶତାବ୍ଦୀରେ, ୧୫୪୦ରେ। ଉତ୍ତର ଭାରତରେ ଚତୁର୍ଦଶରୁ ଷୋଡ଼ଶ ଶତାବ୍ଦୀ ମଧ୍ୟରେ କବିମାନେ ଯେଉଁ କାବ୍ୟ ରଚନା କରିଚନ୍ତି, ସେଥିରେ ସୁଫି କାବ୍ୟଧାରାରେ ‘ପ୍ରେମକାହାଣୀ’ର ଏକ ନବ୍ୟ ଅଧ୍ୟାୟ ଯୋଡ଼ି ହୋଇଥିଲା, ଯାହା ମୁଖ୍ୟତଃ ରହସ୍ୟବାଦୀ। ସେସବୁ କାବ୍ୟର ନାୟକ ଜଣେ ରାଜା, ଯିଏ ଅପୂର୍ବ ରୂପସୀ ନାରୀକୁ ଆଶ୍ରୟ କରି ପରମ ସତ୍ୟ ସହ ଭେଟ ହେବାର ଆକାଙ୍କ୍ଷା ରଖେ। ସେ ସାଂସାରିକ ସୁଖସୁବିଧା ଉପଭୋଗ କରୁଥିଲେ ହେଁ ସର୍ବଦା ବଞ୍ଚୁଥାଏ ଆଧ୍ୟାତ୍ମିକ ଜୀବନ। ‘ପଦ୍ମାବତ୍’ ବୋଧହୁଏ ଏଭଳି ଏକମାତ୍ର କାବ୍ୟ, ଯେଉଁଠି ଏହି ତତ୍ତ୍ବର ହୋଇଚି ସାମାନ୍ୟ ବ୍ୟତିକ୍ରମ, କାରଣ ଏଥିରେ କେବଳ କଳ୍ପନା ନାହିଁ, ଇତିହାସ ବି ଅଛି। ଏହାର ନାୟକ ଏକ ଐତିହାସିକ ଚରିତ୍ର, ଯାହାଙ୍କ ନାଁ ରତନ ସିଂହ ବା ରତ୍ନସିଂହ (ଶାସନକାଳ ୧୩୦୨-୧୩୦୩), ଯିଏ ଚିତ୍ତୋଡ଼ ରାଜ୍ୟର ରାଜା ଏବଂ ଖଳନାୟକ (!) ଆଉ ଏକ ବିଖ୍ୟାତ ଐତିହାସିକ ଚରିତ୍ର ଆଲାଉଦ୍ଦିନ ଖିଲଜୀ (ଶାସନ କାଳ ୧୨୯୬-୧୩୧୬), ଯିଏ ଦିଲ୍ଲୀ ସଲ୍‌ତନତ୍‌ର ଦିଗ୍‌ବିଜୟୀ ସୁଲତାନ।

ଜାୟସୀଙ୍କ କାବ୍ୟକଥା ଅନୁସାରେ, ହୀରାମନ ନାମକ ଶୁଆଟିଏ ଚିତ୍ତୋଡ଼ ରାଜା ରତନ ସିଂହଙ୍କୁ ସିଂହଳ/ଶ୍ରୀଲଙ୍କାର ରାଜକୁମାରୀ ପଦ୍ମାବତୀଙ୍କ ଅନିନ୍ଦ୍ୟ ସୌନ୍ଦର୍ଯ୍ୟ ସମ୍ପର୍କରେ ସୂଚନା ଦିଏ ଓ ରାଜା ତାଙ୍କୁ ପାଇବାକୁ ଏତେ ବିକଳ ହୁଅନ୍ତି ଯେ ପତ୍ନୀ ନାଗମତୀକୁ ଛାଡ଼ି ଯୋଗୀ ହୋଇ ପଦ୍ମାବତୀଙ୍କ ସନ୍ଧାନରେ ସୁଦୂର ସିଂହଳ ଅଭିମୁଖେ ବାହାରିପଡ଼ନ୍ତି। ଶେଷରେ ସେ ତାଙ୍କ ଲକ୍ଷ୍ୟସ୍ଥଳରେ ପହଞ୍ଚନ୍ତି ଓ ପଦ୍ମାବତୀଙ୍କୁ ବିବାହ କରି ତାଙ୍କୁ ସାଥୀରେ ନେଇ ପ୍ରତ୍ୟାବର୍ତ୍ତନ କରନ୍ତି। ତେଣେ ରତନ ସିଂହଙ୍କ ରାଜଦରବାରରୁ ପୂର୍ବରୁ ବହିଷ୍କୃତ ଜଣେ ବ୍ରାହ୍ମଣ ପ୍ରତିଶୋଧ ନେବାପାଇଁ ପଦ୍ମାବତୀଙ୍କ ଅପରୂପ ସୌନ୍ଦର୍ଯ୍ୟ ବିଷୟରେ ଖିଲିଜୀଙ୍କୁ ସୂଚନା ଦିଏ। ଏହାପରେ ଖିଲିଜୀ ପଦ୍ମାବତୀଙ୍କୁ ପାଇବା ପାଇଁ ଚିତ୍ତୋଡ଼ ଆକ୍ରମଣ କରନ୍ତି; କିନ୍ତୁ ଅଭେଦ୍ୟ ଦୁର୍ଗକୁ ଭେଦ କରିବା ସମ୍ଭବ ହୁଏ ନାହିଁ। ଦ୍ବିତୀୟ ବାର ସେ ତାଙ୍କ ଲକ୍ଷ୍ୟସାଧନରେ ସଫଳ ହୁଅନ୍ତି। ଏହି ସମୟ ମଧ୍ୟରେ ବହୁ ଘଟଣା ଘଟେ। ସମୟଚକ୍ରରେ ପଡ଼ୋଶୀ କୁମ୍ଭଲଗଡ଼ର ରାଜପୁତ ରାଜା ଦେବପାଲ(ସେ ମଧ୍ୟ ପଦ୍ମାବତୀଙ୍କୁ ପାଇବା ପାଇଁ ଯୁଦ୍ଧ କରିଥିଲେ)ଙ୍କ ସହ ଯୁଦ୍ଧରେ ରତନ ସିଂହଙ୍କ ମୃତ୍ୟୁ ଘଟେ ଏବଂ ପଦ୍ମାବତୀ ଓ ନାଗମତୀ ତାଙ୍କ ଚିତାଗ୍ନିରେ ହିଁ ଆତ୍ମଦାହ(ଜୌହର) କରନ୍ତି। ଖିଲଜି ଦ୍ବିତୀୟ ଥର ଆକ୍ରମଣ କରି ଚିତ୍ତୋଡ଼ ଦୁର୍ଗକୁ ଅଧିକାର କରନ୍ତି; କିନ୍ତୁ ତାଙ୍କର ଅସଲ ଲକ୍ଷ୍ୟ ସାଧିତ ହୁଏ ନାହିଁ; କାରଣ ସେତେବେଳକୁ ପଦ୍ମାବତୀଙ୍କ ଚିତାଭସ୍ମ ବ୍ୟତୀତ ତାଙ୍କୁ ଅନ୍ୟକିଛି ମିଳେନାହିଁ। ଏଇଠି ‘ପଦ୍ମାବତ୍‌’ କାହାଣୀର ହୁଏ ପରିସମାପ୍ତି। (କେତେକ ଲୋକକାହାଣୀରେ ରାଜା ରତନ ସିଂହ ଏକ ସ୍ବୟଂବର ଜରିଆରେ ପଦ୍ମିନୀଙ୍କୁ ବିବାହ କରିଥିବା ଏବଂ ଏକ ବିରାଟ ଦର୍ପଣର ପ୍ରତିଫଳନରେ ତାଙ୍କ ରୂପସୌନ୍ଦର୍ଯ୍ୟକୁ ଆଲାଉଦ୍ଦିନ ଖିଲଜୀ ଦେଖିଥିବା ଦର୍ଶାଯାଇଛି; ଖୁବ୍‌ ସମ୍ଭବ ଯାହା ପରେ ମୂଳକାହାଣୀରେ ଯୋଡ଼ିହୋଇଛି।)

‘ପଦ୍ମାବତ୍’ରେ କବି ଜୟସୀ ଚିତ୍ତୋଡ଼କୁ ଶରୀର, ରତନ ସିଂହ ଆତ୍ମା, ପଦ୍ମିନୀ ବୁଦ୍ଧି, ହୀରାମନ ଆଧ୍ୟାତ୍ମିକ ମାର୍ଗଦର୍ଶକ ଓ ଖିଲଜୀଙ୍କୁ ମାୟା ଭାବେ ଚିତ୍ରଣ କରିଥିବା କହିଛନ୍ତି। ଧ୍ୟାନଯୋଗ୍ୟ ଯେ ଅମିର ଖୁସ୍ରୋଙ୍କଠାରୁ ଆରମ୍ଭ କରି ଇରାନର ରୁମି, ହାଫିଜ, ସାନାଇ ପ୍ରମୁଖ କେନ୍ଦ୍ର ଏସୀୟ ଓ ଉପମହାଦେଶୀୟ କବିମାନେ ଯେଉଁ କାବ୍ୟକବିତା ରଚନା କରିଥିଲେ, ସେଥିରେ ପାର୍ଶୀ ଆଧ୍ୟାତ୍ମିକ କବିତା ପାଇଁ ଅପରିହାର୍ଯ୍ୟ ମନେ କରାଯାଉଥିବା ‘ଷୋହଳ ରୀତି’କୁ ପାଳନ କରିଥିଲେ। ଏହାର ଗୋଟିଏ ରୀତି ଅନୁସାରେ ସେମାନେ ଏକ ଦେବୀତୁଲ୍ୟ ନାରୀ ଚରିତ୍ର ସୃଷ୍ଟି କରୁଥିଲେ। ଜାୟସୀଙ୍କ ସୃଷ୍ଟିରେ ସେହି ଚରିତ୍ରଟି ଯେ ପଦ୍ମାବତୀ/ପଦ୍ମିନୀ, ତାହା ନିଃସନ୍ଦେହ। ‘ପଦ୍ମାବତୀ’ ଚରିତ୍ରଟି ଜାୟସୀଙ୍କ କଳ୍ପନାପ୍ରସୂତ ବୋଲି ମନେ କରିବାର ଆଉ ଏକ କାରଣ ହେଉଛି, ତାଙ୍କ ସମଧର୍ମା କବିମାନଙ୍କ ସମସ୍ତ ନାରୀ ଚରିତ୍ର ବା ନାୟିକା ଥିଲା କାଳ୍ପନିକ; ଉଦାହରଣ: ଜଲାଲୁଦ୍ଦିନ ରୁମିଙ୍କ ଇର୍ଫା; ନିଜାମୀଙ୍କ ନାହିଲା, ଆତ୍ତାରଙ୍କ କନିମ୍, ହକିମ୍ ସାନାଇଙ୍କ ଅଭିଆରା ଆଦି। ସେମାନେ ଏହି ଚରିତ୍ରସବୁକୁ ନିଜ କାବ୍ୟକାହାଣୀରେ ଏଭଳି ପ୍ରାଣବନ୍ତ କରି ଖଞ୍ଜିଚନ୍ତି ଯେ ଜଣେ ସେମାନଙ୍କୁ ରକ୍ତମାଂସର ମନୁଷ୍ୟ ବୋଲି ମନେ କରିବା ବିଚିତ୍ର ନୁହେଁ।

ଇତିହାସରେ ପଦ୍ମାବତୀ?

‘ପଦ୍ମାବତ୍’ କାବ୍ୟକୁ ଜାୟସୀ ଲେଖିଥିଲେ ରାଜା ରତନ ସିଂହ ଓ ଆଲାଉଦ୍ଦିନ ଖିଲଜିଙ୍କ ମଧ୍ୟରେ ହୋଇଥିବା ଯୁଦ୍ଧ (୧୩୦୩)ର ପ୍ରାୟ ୨୪୦ ବର୍ଷ ପରେ। ତେଣୁ ସେଥିରେ ଐତିହାସିକତା ଅପେକ୍ଷା କାଳ୍ପନିକତା ବେଶି ରହିଥିବା ସ୍ବାଭାବିକ। କେବଳ ଦୁଇଟି ପ୍ରମୁଖ ଚରିତ୍ର ଏବଂ ରତନ-ଖିଲଜି ଯୁଦ୍ଧ ପ୍ରକରଣ ବ୍ୟତୀତ ସବୁଯାକ ଘଟନା କାଳ୍ପନିକ ବୋଲି ପ୍ରାୟ ସମସ୍ତ ଆଧୁନିକ ଐତିହାସିକଙ୍କ ମତ। ପଦ୍ମାବତୀ କାହାଣୀ ପ୍ରସଙ୍ଗରେ ସର୍ବାଧିକ ଉଦ୍ଧୃତ ଓ ପ୍ରାମାଣିକ ମତ ଧରାଯାଉଥିବା ରାୟବାହାଦୁର ଗୌରୀଶଙ୍କର ହୀରାଚନ୍ଦ ଓଝାଙ୍କ ଅନୁଯାୟୀ, ‘‘ଇତିହାସ ଅଭାବରୁ ଲୋକେ ‘ପଦ୍ମାବତ୍‌’କୁ ଐତିହାସିକ ପୁସ୍ତକ ବୋଲି ଧରିନେଲେ, କିନ୍ତୁ ବାସ୍ତବରେ ତାହା ଆଜିକାଲିର ଐତିହାସିକ ଉପନ୍ୟାସ ଭଳି ଏକ କବିତାବଦ୍ଧ କାହାଣୀ।’’ (ରାଜପୁତାନା କା ଇତିହାସ; ୧୯୨୭) ଉତ୍ତର ଭାରତ ଓ ଗୁଜରାଟରେ ‘ପଦ୍ମାବତ୍’ କାହାଣୀର ପୁନଃପୁନଃ କଥନ ଫଳରେ ତା’ର ରୂପ କେମିତି ଅନେକ ସ୍ଥାନରେ ବଦଳିଚି, ତାକୁ ଐତିହାସିକା ରମ୍ୟା ଶ୍ରୀନିବାସନ ମଧ୍ୟ ଖୁବ୍ ଯତ୍ନର ସହ ତାଙ୍କର ଗବେଷଣାତ୍ମକ ପୁସ୍ତକ ‘ଦ ମେନି ଲାଇଭ୍ସ ଅଫ୍ ଏ ରାଜପୁତ କୁଇନ’(୨୦୦୭)ରେ ଉଲ୍ଲେଖ କରିଛନ୍ତି। ତାଙ୍କ ଅନୁସାରେ, ‘ପଦ୍ମାବତ୍’ ରଚନାର କେଇ ଦଶନ୍ଧି ପରେ ଏହାର ଏକ ସଂସ୍କରଣ ଚାରଣକବି/ଭାଟମାନଙ୍କ ଦ୍ବାରା ଗାନ କରାଯାଉଥିଲା। ସେହି ସମୟରେ ହେମ ରତନ ଲେଖିଥିଲେ ‘ଗୋରା ବାଦଲ ପଦ୍ମିନୀ ଚୌପାଇ’ (୧୫୮୯), ଯେଉଁଥିରେ ଏହି କାହାଣୀକୁ ବାସ୍ତବ ଘଟନା ପରି ବର୍ଣ୍ଣନା କରାଯାଇଛି। ସେହିପରି ସପ୍ତଦଶ ଶତାବ୍ଦୀରେ ରତନ ସିଂହଙ୍କ କାହାଣୀରେ ମେୱାଡ଼ର ସିସୋଦିଆ ଶାସକଙ୍କୁ ସଂପୃକ୍ତ କରାଗଲା (ପଦ୍ମାବତୀଙ୍କୁ ଯାହାଙ୍କ ବଂଶଜ ବୋଲି କେତେକ ମନେକରନ୍ତି); ଅଷ୍ଟାଦଶ ଶତାବ୍ଦୀରେ ମୋଗଲ ସାମ୍ରାଜ୍ୟର ପତନ ପରେ ଏବଂ ଔପନିବେଶିକ ଶାସନର ପ୍ରାରମ୍ଭରେ ପଦ୍ମାବତୀ କାହାଣୀ ବଦଳିଲା, ଯେଉଁଥିରେ ଖିଲଜୀଙ୍କ ଚରିତ୍ରକୁ ନ୍ୟୂନ କରାଯାଇଥିଲା। ଉଲ୍ଲେଖଯୋଗ୍ୟ, ମଧ୍ୟଯୁଗୀୟ ଐତିହାସିକଙ୍କ ଦୃଢ଼ ମତ ହେଉଛି ଆଲାଉଦ୍ଦିନ ଥିଲେ ପ୍ରଥମ ଶାସକ, ଯିଏ ସ୍ଥାନୀୟ ଲୋକଙ୍କୁ ନିଜ ସରକାରରେ ଅଂଶୀଦାର କରିଥିଲେ ଏବଂ ବଜାର ନିୟନ୍ତ୍ରଣ ଓ କୃଷି ସଂସ୍କାର ପାଇଁ ସେ ବିଧିବଦ୍ଧ ବ୍ୟବସ୍ଥା କରିଥିଲେ, ଯାହା ସେତେବେଳେ ଥିଲା ଅଚିନ୍ତନୀୟ। ଆହୁରି ମଧ୍ୟ ତାଙ୍କ ଗଠିତ ସେନା ଥିଲା  ଅଦ୍ବିତୀୟ; ଯାହା ସାହାଯ୍ୟରେ ସେ ମଧ୍ୟଏସିଆ ଓ ଇରାକକୁ ଅଧିକାର କରିନେଇଥିବା ଶକ୍ତିଶାଳୀ ମଙ୍ଗୋଲଙ୍କ ହାତରୁ ଭାରତକୁ ସୁରକ୍ଷିତ ରଖିପାରିଥିଲେ। ଇତିହାସକାରଙ୍କ ମତରେ, ତାଙ୍କ ବ୍ୟକ୍ତିତ୍ବକୁ ଦେଖିଲେ ସେ ଯେ କୌଣସି ନାରୀକୁ ପାଇବା ପାଇଁ ଯୁଦ୍ଧ କରିଥିବେ, ତାହା ଅକଳ୍ପନୀୟ; ଅନ୍ୟପକ୍ଷରେ ରତନ ସିଂହଙ୍କ ସହ ଯୁଦ୍ଧର ଏକମାତ୍ର କାରଣ ଥିଲା ସାମ୍ରାଜ୍ୟ ବିସ୍ତାର।

ଊନବିଂଶ ଶତାବ୍ଦୀରେ ରାଜପୁତାନାରେ ଥିବା ଇଷ୍ଟ ଇଣ୍ଡିଆ କମ୍ପାନୀର ଏଜେଣ୍ଟ୍ କର୍ଣେଲ ଜେମ୍ସ ଟୋଡ଼ ଏହି ପ୍ରସଙ୍ଗକୁ ତାଙ୍କ ପୁସ୍ତକ ‘ଆନ୍ନାଲ୍ସ ଏଣ୍ଡ୍ ଆଣ୍ଟିକ୍ବିଟିଜ୍ ଅଫ୍ ରାଜସ୍ଥାନ’ରେ ବର୍ଣ୍ଣନା କରିଛନ୍ତି; କିନ୍ତୁ ସେ ସ୍ଥାନୀୟ ଲୋକକାହାଣୀରୁ ଏହାର ଉପାଦାନ ସଂଗ୍ରହ କରିଛନ୍ତି, ଯାହା ବେଶି ବିଭ୍ରାନ୍ତିକର। ଏଥିରେ ସେ ଚିତ୍ତୋଡ଼ର ତତ୍କାଳୀନ ଶାସକ ଭାବେ ରାଜା ରତନ ସିଂହ ନୁହନ୍ତି, ଲକ୍ଷମସି (ଲକ୍ଷ୍ମଣ ସିଂହ)ଙ୍କୁ ଦର୍ଶାଇଛନ୍ତି; ପୁଣି ପଦ୍ମିନୀଙ୍କୁ ସିଲୋନ (ଶ୍ରୀଲଙ୍କା)ର ଚୌହାନ ଶାସକ ହମିର୍ ସାଙ୍କଙ୍କ କନ୍ୟା ବୋଲି କହିଛନ୍ତି। ପରେ କିନ୍ତୁ ସେ ସେହି ଚରିତ୍ରକୁ ସ୍ଥାନୀୟ ରାଜପୁତ୍ ଜାତିର ବୀରାଙ୍ଗନା ପରି ଅର୍ଥାତ ‘ରାଜସ୍ଥାନୀ ପଦ୍ମିନୀ’ ରୂପରେ ଚିତ୍ରଣ କରିଛନ୍ତି। ପଦ୍ମିନୀଙ୍କ ଆତ୍ମବଳିଦାନକୁ ଜଣେ ହିନ୍ଦୁନାରୀର ଦୁଃସାହସିକ ଓ ମହିମାମୟ କାର୍ଯ୍ୟର ପ୍ରତୀକ ଭାବେ ଟୋଡ଼ ଚିତ୍ରଣ କରିଛନ୍ତି। ଏହିପରି ଭାବେ ଏକ କାଳ୍ପନିକ ଚରିତ୍ର ଅବଲୀଳାକ୍ରମେ ଐତିହାସିକ ଚରିତ୍ର ପାଲଟିଯାଇଛି। ତତ୍କାଳୀନ ବାଂଲା ସାହିତ୍ୟକୁ ଟୋଡ଼ଙ୍କ ପୁସ୍ତକ ପ୍ରଭାବିତ କରିଥିବା ଦେଖାଯାଏ। ରଙ୍ଗଲାଲ ବନ୍ଦୋପାଧ୍ୟାୟଙ୍କ ‘ପଦ୍ମିନୀ ଉପାଖ୍ୟାନ’ (୧୮୫୮), ଜ୍ୟୋତିରୀନ୍ଦ୍ରନାଥ ଠାକୁରଙ୍କ ‘ସରୋଜିନୀ ବା ଚିତ୍ତୋର ଆକ୍ରମଣ’ (୧୮୭୫), କ୍ଷୀରୋଦପ୍ରସାଦ ବିଦ୍ୟାବିନୋଦଙ୍କ ନାଟକ ‘ପଦ୍ମିନୀ’ (୧୯୦୬) ଓ ଅବନୀନ୍ଦ୍ରନାଥ ଠାକୁରଙ୍କ ‘ରାଜକାହିଣୀ’ (୧୯୦୯) ତା’ର ଉଦାହରଣ। ଏମାନେ ଟୋଡ଼ଙ୍କ ପୁସ୍ତକକୁ ଅନୁସରଣ କରି ପ୍ରମାଦରେ ପଡ଼ିଚନ୍ତି। ଜବାହରଲାଲ ନେହେରୁ ମଧ୍ୟ ତାଙ୍କ ପ୍ରସିଦ୍ଧ ପୁସ୍ତକ ‘ଡିସ୍କଭରି ଅଫ୍ ଇଣ୍ଡିଆ’ (୧୯୪୬)ରେ ଖିଲଜୀ ଦର୍ପଣରେ ପଦ୍ମିନୀଙ୍କ ପ୍ରତିବିମ୍ବ ଦେଖିଥିବା କାହାଣୀକୁ ବର୍ଣ୍ଣନା କରିଛନ୍ତି।
ପଦ୍ମାବତୀ ଯେ ଏକ କାଳ୍ପନିକ ଚରିତ୍ର, ତାହା ଐତିହାସିକମାନେ ଦୃଢ଼ମତ ପୋଷଣ କରିବା ପଛରେ ଆଉ ଯେଉଁ ତଥ୍ୟଟି ରହିଛି, ତାହା ହେଲା ମହମ୍ମଦ ତୋଗଲକ ଓ ଫିରୋଜ ଶାହଙ୍କ ରାଜଦରବାରରେ କାର୍ଯ୍ୟକରୁଥିବା ଐତିହାସିକ ଜିୟାଉଦ୍ଦିନ ବରଣି (୧୨୮୫-୧୩୫୭) ତଥା ବିଖ୍ୟାତ ସଂଗୀତଜ୍ଞ, କବି ଏବଂ ବିଦ୍ବାନ ଅମୀର ଖୁସ୍ରୋ (୧୨୫୩-୧୩୨୫) ରାଣୀ ପଦ୍ମିନୀ/ପଦ୍ମାବତୀଙ୍କ ନାମ କେଉଁଠି ହେଲେ ଉଲ୍ଲେଖ କରିନାହାନ୍ତି। ଖୁସ୍ରୋ ତାଙ୍କର ‘ଖାଜା’ଇନ ଉଲ୍ ଫୁତୁହ୍’ ଏବଂ ତା’ପରେ ଲେଖିଥିବା ‘ଦିୱାଲ ରାନୀ ଖିଜର ଖାଁ’ (୧୩୧୫), କୌଣସିଥିରେ ପଦ୍ମିନୀ/ପଦ୍ମାବତୀ ସମ୍ପର୍କରେ ସାମାନ୍ୟତମ ସୂଚନା ଦେଇନାହାନ୍ତି; ବରଂ ଆଲାଉଦ୍ଦିନ ଓ ଗୁଜରାଟର ରାଜକୁମାରୀଙ୍କ ପ୍ରେମକାହାଣୀ ବିଷୟରେ ସେ ଲେଖିଛନ୍ତି। ଏହି ଦୁଇ ଜଣଙ୍କ ରଚନାକୁ ମଧ୍ୟଯୁଗୀୟ ଇତିହାସର ତଥ୍ୟ ପାଇଁ ସବୁଠୁ ବିଶ୍ବସ୍ତ ସୂତ୍ର ବୋଲି ଐତିହାସିକ ମନେକରନ୍ତି।

ତେବେ କେହିକେହି ଚିତ୍ତୋଡ଼ ଦୁର୍ଗସ୍ଥ ପଦ୍ମିନୀ ମହଲ, ଜୌହର କୁଣ୍ଡ ଆଦିକୁ ପ୍ରତ୍ନତାତ୍ତ୍ବିକ ପ୍ରମାଣ କହି ପଦ୍ମିନୀଙ୍କୁ ଏବେମଧ୍ୟ ଐତିହାସିକ ଚରିତ୍ର ବୋଲି ଦାବି କରନ୍ତି; କିନ୍ତୁ ଆଧୁନିକ ଐତିହାସିକମାନେ ସେଗୁଡ଼ିକୁ ଐତିହାସିକ ଘଟନାର ବହୁ ପରବର୍ତ୍ତୀ କାଳର ନିର୍ମାଣ ବୋଲି କହନ୍ତି। ଆଉମଧ୍ୟ, ଏ ପ୍ରଶ୍ନ ଏବେ ବି ଅନୁତ୍ତରିତ ଯେ ଖୋଦ୍ ପଦ୍ମିନୀଙ୍କ ସମ୍ବନ୍ଧରେ ଇତିହାସ ସମ୍ପୂର୍ଣ୍ଣ ନିରବ କାହିଁକି? ଜଣେ କବିର ଏକ ସାହିତ୍ୟିକ ଉପସ୍ଥାପନାକୁ ଇତିହାସ ବୋଲି ଧରିନେଲେ ଏପରି ବିଭ୍ରାଟ ସୃଷ୍ଟି ହେବା ଅସ୍ବାଭାବିକ ନୁହେଁ।

ରାଜନୀତିରେ ପଦ୍ମାବତୀ

‘ପଦ୍ମାବତୀ’ ଚଳଚ୍ଚିତ୍ରର କାହାଣୀ ଯାହା ହୋଇଥାଉନା କାହିଁକି, ତାକୁ କଳା ରୂପରେ ଦେଖିଥିଲେ ବିବାଦ ଉପୁଜିବାର ନଥିଲା କୌଣସି କାରଣ; କିନ୍ତୁ ଏହାକୁ ଜାଣିଶୁଣି ବିବାଦୀୟ କରାଯିବାର ସନ୍ଦେହ କ୍ରମେ ଦୃଢ଼ ହେଉଚି। କାହିଁକିନା ପ୍ରଥମତଃ, ପଦ୍ମାବତୀ କାହାଣୀକୁ ନେଇ ଯଦି ଭାରତବର୍ଷରେ ଉଠିଥାନ୍ତା ବିବାଦ, ତେବେ ଅନ୍ତତଃ ଛଅ ଦଶନ୍ଧି ତଳୁ ତାହା ଉଠିଥା’ନ୍ତା, ଆଉ ସଂଜୟ ଲୀଲା ଭଁଶାଲୀ ଏବେ ସାହସ କରିନଥାନ୍ତେ ଆଦୌ ଏଭଳି ଏକ ଚିତ୍ର ତିଆରିବାକୁ; କାରଣ ପଦ୍ମାବତୀ କାହାଣୀକୁ ନେଇ ଏହା ପ୍ରଥମ ଚଳଚ୍ଚିତ୍ର ନୁହେଁ ଏ ଦେଶରେ। ଅନେକ ଜାଣିନଥିବେ ଯେ ଏହି କାହାଣୀକୁ ନେଇ ସର୍ବପ୍ରଥମ ଚଳଚ୍ଚିତ୍ର ଥିଲା ଧୀରେନ ଗାଙ୍ଗୁଲିଙ୍କ ନିର୍ଦେଶିତ ‘କାମନାର୍ ଆଗୁନ’ (କାମନାର ନିଆଁ; ୧୯୩୦), ଯାହା ଥିଲା ଏକ ନିର୍ବାକ୍ ଚିତ୍ର। ଏହାପରେ ଚଳଚ୍ଚିତ୍ର ‘ଚିତ୍ତୋଡ଼ ରାଣୀ ପଦ୍ମିନୀ’ ଚିତ୍ରାପୁ ନାରାୟଣ ମୂର୍ତ୍ତିଙ୍କ ନିର୍ଦେଶନାରେ ନିର୍ମିତ ହୋଇଥିଲା ୧୯୬୩ରେ ତାମିଲ ଭାଷାରେ, ଯେଉଁଥିରେ ପ୍ରଖ୍ୟାତ ଅଭିନେତ୍ରୀ ବୈଜୟନ୍ତୀମାଲା ପଦ୍ମିନୀ ଭୂମିକାରେ କରିଥିଲେ ଅଭିନୟ। ଉକ୍ତ ଚଳଚ୍ଚିତ୍ରରେ ଲୋକପ୍ରିୟ କାହାଣୀକୁ ହିଁ ଚିତ୍ରରୂପ ଦିଆଯାଇଥିଲା; କିନ୍ତୁ ସେତେବେଳେ ଜଣକର ବି ଶୁଭିନଥିଲା ପ୍ରତିବାଦର ସ୍ବର। ଏହା ଏକ ଆଞ୍ଚଳିକ ଭାଷାର ଚଳଚ୍ଚିତ୍ର ହୋଇଥିବାରୁ ‘ଭାବନା ଆହତ ହେଉଥିବା’ ଲୋକଙ୍କ ଦୃଷ୍ଟିରେ ପଡ଼ିନଥିଲା ବୋଧହୁଏ! ତା’ ପରବର୍ଷ ଅର୍ଥାତ ୧୯୬୪ରେ ଏହି କାହାଣୀକୁ ନେଇ ଏକ ହିନ୍ଦୀ ଚଳଚ୍ଚିତ୍ର ‘ମହାରାନୀ ପଦ୍ମିନୀ’ ଜଶୱନ୍ତ ଜାଭେରିଙ୍କ ନିର୍ଦେଶନାରେ ନିର୍ମିତ ହୋଇଥିଲା, ଯେଉଁଥିରେ ଅନୀତା ଗୁହା ସାଜିଥିଲେ ପଦ୍ମିନୀ। ଏଥିରେ ରାଣୀ ପଦ୍ମିନୀ ଏକ ଗୀତରେ ନୃତ୍ୟ କରୁଥିବାର ଦୃଶ୍ୟ ମଧ୍ୟ ରହିଛି (ସ୍ମରଣଯୋଗ୍ୟ ଯେ ‘ପଦ୍ମାବତୀ’ ଚଳଚ୍ଚିତ୍ରରେ ପଦ୍ମାବତୀଙ୍କ ନୃତ୍ୟ ଥିବା ଅଭିଯୋଗ କରି ରାଜପୁତ କରଣୀ ସେନା ଫିଲ୍ମସେଟରେ ନିଆଁ ଲଗାଇଦେଇଥିଲେ)। ଏଥିରେ ମଧ୍ୟ ଖିଲଜୀ ପଦ୍ମିନୀଙ୍କୁ ପାଇବାର ଆକାଙ୍କ୍ଷା ରଖିଥିବାର ଦୃଶ୍ୟ ରହିଛି। ସବୁଠୁ ମଜାକଥା ହେଉଛି ଏହି ଚିତ୍ରରେ ଶେଷରେ ଖିଲଜୀ ପଦ୍ମିନୀଙ୍କୁ ଭଉଣୀ ମାନିଛନ୍ତି ଓ ରାଜା ରତନ ସିଂହ ଖିଲିଜୀଙ୍କ ବାହୁବନ୍ଧନରେ ଶେଷନିଃଶ୍ବାସ ତ୍ୟାଗ କରିଚନ୍ତି। ରାଣୀ ପଦ୍ମିନୀଙ୍କ ଜୌହର ଦୃଶ୍ୟରେ ଚଳଚ୍ଚିତ୍ର ଶେଷ ହୋଇଛି।

ଦ୍ବିତୀୟତଃ, ପ୍ରଚଳିତ କାହାଣୀ ଅନୁସାରେ ରାଣୀ ପଦ୍ମାବତୀ ଜଣେ ବିଦେଶିନୀ (ସିଂହଳୀ) ହୋଇଥିଲେ ହେଁ ଭାରତର ରାଜବଧୂ ହେବା ସହ (ସୋନିଆଙ୍କ ପରି!) ପାଲଟିନାହାନ୍ତି କେବଳ ରାଜପୁତ୍ ଜାତିର ଗୌରବ, କେତେକ ଏବେ ତାଙ୍କୁ ହିନ୍ଦୁ ଗୌରବର ପ୍ରତୀକ କରି ଗଢ଼ିବାରେ ମତ୍ତ। ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନଙ୍କ ପାଇଁ ତ ସେ ପାଲଟିସାରିଚନ୍ତି ‘ରାଷ୍ଟ୍ରମାତା’! ‘ରାଷ୍ଟ୍ରପିତା’ ମହାତ୍ମା ଗାନ୍ଧିଙ୍କ ହତ୍ୟାକାରୀ ନଥୁରାମ ଗୋଡ଼ସେଙ୍କ ମୂର୍ତ୍ତିକୁ ଗୋଆଲିୟରରେ ‘ଭଗବାନ’ କରି ପୂଜା କରିବା ନେଇ ଏହି ବିଜେପି ନେତାଙ୍କ ମତ କ’ଣ କେଜାଣି! ଏ ଦେଶର କେହି ବି ଏହାକୁ ପ୍ରତିବାଦ ନକରି ଦେଖାଇଚନ୍ତି ଖୁବ୍ ସହିଷ୍ଣୁତା। ଏଥିପାଇଁ କରଣୀ ସେନା ଭଳି କୌଣସି ଉତ୍ପାତିଆ ‘ସେନା’ର ଆବଶ୍ୟକତା ପଡ଼ିବ କି? ବଡ଼ ବିଚିତ୍ର, ଏ ଦେଶରେ ଏବେ ବି ଚାଲିଚି ଜୌହର/ସତୀଦାହର ମହିମାମଣ୍ଡନ; ସେଇଥିପାଇଁ କି କ’ଣ, ଆକ୍ରମଣକାରୀଙ୍କ ସହ ଲଢ଼ିଲଢ଼ି ଆତ୍ମବଳି ଦେଇଥିବା ଲକ୍ଷ୍ମୀବାଈଙ୍କଠୁ ଆତ୍ମହତ୍ୟାକାରୀ ପଦ୍ମାବତୀଙ୍କୁ ଏଇନା ମିଳୁଚି ବେଶି ସମ୍ମାନ (ୟେ ନୁହଁ ତ ‘ଅନର୍-ସୁଇସାଇଡ’ର ଉଦାହରଣ?)! ସୂରଜପାଲ ଅମୁ(ହରିୟାଣା ବିଜେପିର ମୁଖ୍ୟ ମିଡିଆ ସଂଯୋଜକ)ଙ୍କ ‘ଫତ୍‌ୱା’ ବି ଆମକୁ କରୁନି ଆଦୌ ବିଚଳିତ, ଯିଏ ‘ପଦ୍ମାବତୀ’ର ନାୟିକା ଦୀପିକା ଓ ନିର୍ଦେଶକ ବଂଶାଲୀଙ୍କ ହତ୍ୟାପାଇଁ ସୁପାରି ଦେଇଚନ୍ତି ଦଶକୋଟିର; ଅଥଚ ‘ପଦ୍ମାବତୀ’ ଚଳଚ୍ଚିତ୍ର ମୁକ୍ତିଲାଭ ନ କରୁଣୁ ରାଜସ୍ଥାନ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ଗୁଜରାଟ ଭଳି ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସବୁଠୁ ବଡ଼ ଚିନ୍ତା ‘ଦେଶର ଆଇନ ଶୃଙ୍ଖଳା ରକ୍ଷା’!! ପଦ୍ମାବତୀ କାହାଣୀ କେବଳ ଲୋକମୁଖରେ ବଞ୍ଚିନାହିଁ, ବଞ୍ଚିଚି ବି ରାଜନୈତିକ ଇସ୍ତାହାରରେ; ବିଂଶ ଶତାବ୍ଦୀର ସ୍ବଦେଶୀ ଆନ୍ଦୋଳନରେ! ଏକବିଂଶ ଶତାବ୍ଦୀରେ କେବଳ ପଦ୍ମାବତୀ ନୁହନ୍ତି, ଆକବର, ଔରଙ୍ଗଜେବ, ତାଜମହଲ ଆଉ କେତେକ’ଣ ବି ପାଲଟିଚନ୍ତି ଗୋଟି, ଯାହାକୁ ଚଳାଇ ଶାସକ ଭାବୁଚି ସିଂହାସନ ପାଉଥିବ ବାରମ୍ବାର ଅନାୟାସରେ; ନିଜ ସ୍ଥାନ ବି ସୁରକ୍ଷିତ ରଖିନବ ଇତିହାସରେ!

(‘ସମାଜ’ର ୨୬ ନଭେମ୍ବର ୨୦୧୭ ସଂସ୍କରଣରେ ପ୍ରକାଶିତ)
Next PostNewer Post Previous PostOlder Post Home

0 comments:

Post a Comment

ଏହି ବ୍ଲଗର ସମସ୍ତ ସାମଗ୍ରୀ ଲେଖକଙ୍କ ସର୍ବସ୍ବତ୍ତ୍ବ ସଂରକ୍ଷିତ. Powered by Blogger.