ଦେଖ୍ ଖବର ରଖ୍ ନଜର

Leave a Comment
ପାକିସ୍ତାନର କରାଚିସ୍ଥିତ ଏକ ସ୍ଥାନୀୟ ନିଉଜ୍‍ ଚ୍ୟାନେଲର ସମ୍ବାଦଦାତା ଭାବେ କାର୍ଯ୍ୟରତ ଅଲି ହାସନ ମନରେ ଉଚ୍ଚାଶା ପୋଷଣ କରି ଆମେରିକାର କୌଣସି ବଡ଼ ଚ୍ୟାନେଲରେ କାମ କରିବାକୁ ଭାବିଚି । ଘଟନାଚକ୍ରରେ ସେ ଥରେ ଆମେରିକା ଯିବାର ସୁଯୋଗ ପାଇଚି, କିନ୍ତୁ ବିମାନ ଭିତରେ ଅନୁଷ୍ଠିତ ଅଡିସନରେ ସେ  ‘ହାଇଜାକ୍‍’, ‘ବୋମା’ ଆଦି ଶବ୍ଦ ବାରମ୍ବାର ଉଚ୍ଚାରଣ କରିଥିବାରୁ ତାକୁ ପରେ ଆବେଦନ ସତ୍ତ୍ୱେ ଭିସା ମିଳିନାହିଁ । ତା’ ଚ୍ୟାନେଲ ପାଇଁ ଖବର ସଂଗ୍ରହ ପାଇଁ ଯାଇଥିବାବେଳେ ଓସାମା ବିନ୍‍ ଲାଦେନର ଚେହେରା ସହ ଅବିକଳ ସାମଞ୍ଜସ୍ୟ ଥିବା ଜଣେ ବ୍ୟକ୍ତିକୁ ଭେଟିବା ପରେ ତା’ ମୁଣ୍ଡରେ ପଶିଚି ଦୁଷ୍ଟବୁଦ୍ଧି ଓ ସେ ତିଆରିଚି ଏକ ନକଲି ‘ଓସାମା ଟେପ୍‍’ । ତା’କୁ ବିକି୍ର କରିଚି ନିଜ ଚ୍ୟାନେଲର ମୁଖ୍ୟଙ୍କୁ । ପରେ ଅବଶ୍ୟ ଧରାପଡ଼ିଚି ଅଲିର କାରସାଦି ।

‘ତେରେ ବିନ ଲାଦେନ’ (୨୦୧୦) ଚଳଚ୍ଚିତ୍ରର ଏ କାହାଣୀର କିଛି ଅଂଶ ସହ ବିଗତ ସପ୍ତାହରେ ଏକ ନିଉଜ୍‍ ଚ୍ୟାନେଲ କରିଥିବା କାରସାଦି ତୁଳନୀୟ । ଘଟନାଟି ଥିଲା ଗଜପତି ଜିଲା ଗୋଠକେଳି ଗାଁରେ ତିନିଜଣଙ୍କୁ ହତ୍ୟା । ଏହାକୁ ଦେଖାଇବାକୁ ଯାଇ ଏହି ଓଡ଼ିଆ ଚ୍ୟାନେଲ ୨୦୧୪ ମସିହାର ଏକ ଭିଡିଓ କ୍ଲିପ୍‍ର ସାହାରା ନେଇ ଦର୍ଶକଙ୍କ ଭିତରେ ସୃଷ୍ଟି କରିଥିଲା ଚାଞ୍ଚଲ୍ୟ । ଉକ୍ତ ହତ୍ୟାକାଣ୍ଡର ଦୃଶ୍ୟଟି ମଧ୍ୟ ଓଡ଼ିଶା ବାହାରର । ଟିଆର୍‍ପି ପାଇଁ ବିକଳ ହେଉଥିବା ନିଉଜ୍‍ ଚ୍ୟାନେଲଗୁଡ଼ିକର ଏ ଅସହାୟତା ବୁଝିହେଉଚି । ଗତ କେଇବର୍ଷ ଭିତରେ ଓଡ଼ିଶାରେ ବେପାରୀ ଓ ରାଜନେତାମାନେ ଗୋଟାଏ ପରେ ଗୋଟାଏ ନିଉଜ୍‍ ଚ୍ୟାନେଲ ଖୋଲି ନିଜନିଜର ଆଧିପତ୍ୟ ବୃଦ୍ଧି କରିବାକୁ ଚେଷ୍ଟା କରୁଚନ୍ତି; ଯାହା ସମଗ୍ର ଭାରତବର୍ଷରେ ଦେଖିବାକୁ ମିଳେ । ଏମାନେ ଟିଆର୍‍ପି (ଟେଲିଭିଜନ ରେଟିଂ ପଏଣ୍ଟ୍‍) ଦୌଡ଼ରେ ସର୍ବାଗ୍ରେ ରହିବାକୁ ବି ରୀତିମତ ଆଇନବେଆଇନ କାର୍ଯ୍ୟ କରିବାକୁ ପଛଘୁଞ୍ଚା ଦେଉନାହାନ୍ତି । ଏ ପରିସ୍ଥିତିରେ ନିଜକୁ ସବାଆଗରେ ଦେଖିବାର ଦୁରାଗ୍ରହରୁ ସଂପୃକ୍ତ ଚ୍ୟାନେଲର ଏପରି କାରସାଦି ଅଗ୍ରାହ୍ୟ ହେଲେ ବି ଅସ୍ୱାଭାବିକ ନୁହେଁ; କିନ୍ତୁ ଏକ ପ୍ରତିଷ୍ଠିତ ଖବରକାଗଜ ମଧ୍ୟ ସତ୍ୟାସତ୍ୟ ଯାଞ୍ଚ ନ କରି ଏହାକୁ ପ୍ରଥମ ପୃଷ୍ଠାରେ ସଚିତ୍ର ପ୍ରକାଶ କରିବା ନିରାଶାଜନକ ଓ ଉଦ୍‍ବେଗପୂର୍ଣ୍ଣ ।

ଅନୁଧ୍ୟାନ କଲେ ଜଣାପଡ଼ିବ ଯେ ଗଣଙ୍କୁ ଖବର/ସୂଚନା ପ୍ରଦାନ ଅପେକ୍ଷା ଏହାରି ମୂଳରେ ରହିଚି ଚାଞ୍ଚଲ୍ୟ ସୃଷ୍ଟିର ଅବା‚ିତ କାମନା । ଯଦି ଗଣ ସହ ଗଣମାଧ୍ୟମ ଯୋଡ଼ିହୋଇ କାର୍ଯ୍ୟ କରୁଥାଆନ୍ତା, ତେବେ ଏଭଳି ସମସ୍ୟା ଉପୁଜି ନଥାଆନ୍ତା । ଯେଉଁମାନେ ଏଭଳି ଖବରର ନିର୍ଣ୍ଣାୟକ, ସେମାନେ ମଧ୍ୟ ସାମାନ୍ୟ ସମ୍ବେଦନଶୀଳ ହୋଇଥିଲେ ଏଭଳି ଭିଡିଓ ଓ ଚିତ୍ରକୁ ପ୍ରଚାରପ୍ରସାର କରିବାଠୁ ନିଜକୁ ନିବର୍ତ୍ତାଇଥାଆନ୍ତେ । ଏହି ଘଟନାରୁ ଆଉ ଏକ ଅଭୂତପୂର୍ବ ଶଙ୍କା ମଧ୍ୟ ଜନ୍ମ ନେଇଛି ଯେ ଫଟୋ ବା ଚିତ୍ର ମଧ୍ୟ ମିଥ୍ୟା ହୋଇପାରେ!
ଲୋକଧାରଣାରେ ଚତୁର୍ଥ ସ୍ତମ୍ଭର ମାନ୍ୟତା ପାଇଥିବା ଗଣମାଧ୍ୟମର ଏଭଳି ସ୍ଖଳନ ଗତବର୍ଷ ଓଡ଼ିଶାରେ ପ୍ରଥମ କରି ଆଖିଦୃଶିଆ ହୋଇଥିଲା ସାରଥୀ ବାବା ଘଟନାରେ । ଏହା ସତ୍ୟ ଯେ ଗଣମାଧ୍ୟମ ହିଁ ଏହାକୁ ପ୍ରଥମେ ଲୋକଲୋଚନକୁ ଆଣିଥିଲା ଏବଂ ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚାଇବାରେ ପୁଲିସ ପ୍ରଶାସନକୁ ସହାୟତା କରିଥିଲା; କିନ୍ତୁ ଏହି ଘଟନାକୁ ଯେଭଳି କ୍ରମାଗତ ସପ୍ତାହସପ୍ତାହ ଧରି କେତେକ ନିଉଜ୍‍ ଚ୍ୟାନେଲ ଅତିରଞ୍ଜନ ସହ ‘ବ୍ରେକିଂ ନିଉଜ୍‍’ ଓ ‘ମହାପ୍ରଭାବ’ ଲେଖି ପ୍ରସାରିତ କଲେ, ତାହା ଗଣମାଧ୍ୟମର ନିଷ୍ଠା ଓ ନିଷ୍ପକ୍ଷତା ଉପରେ ସ୍ୱତଃ ପ୍ରଶ୍ନବାଚୀ ସୃଷ୍ଟି କରେ । ପୁନଶ୍ଚ, ଗଣମାଧ୍ୟମର ଅତ୍ୟଧିକ ହସ୍ତକ୍ଷେପ ଫଳରେ ଏହି ଘଟନା ସହ ସଂପୃକ୍ତ କେତେକଙ୍କ ବ୍ୟକ୍ତିଗତ ଜୀବନ ଯେଭଳି ପ୍ରଭାବିତ ହେଲା, ତାହା ମଧ୍ୟ ଅସ୍ପୃହଣୀୟ । ଏଭଳି ମାମଲାରେ ସଂପୃକ୍ତ ଯୁବତୀଙ୍କ ପରିଚୟ ଗୋପନ ରଖାଯିବାର ବିଧି ରହିଥିଲେ ହେଁ କେତେକ ଚ୍ୟାନେଲ ଓ ଖବରକାଗଜ ତାକୁ କରିଥିଲେ ଉଲ୍ଲଙ୍ଘନ । ଯେଉଁ ଗଣ ପାଇଁ ଗଣମାଧ୍ୟମ କାର୍ଯ୍ୟ କରୁଚି, ତା’ର ବ୍ୟକ୍ତିଗତ ସ୍ୱାଧୀନତା ଓ ସାମାଜିକ ମର୍ଯ୍ୟାଦାର ସୁରକ୍ଷା ନିମନ୍ତେ ଯତ୍ନବାନ ହେବା ମଧ୍ୟ ଜରୁରୀ; ନଚେତ୍‍ ବିଶ୍ୱସନୀୟତା ଲୋପ ହେବାର ଡେମୋକ୍ଲିସ୍‍ ଖଣ୍ଡା ତା’ ମୁଣ୍ଡ ଉପରେ ଝୁଲୁଛି ଅବିରତ । ଏହାକୁ ଗଣମାଧ୍ୟମ ଭୁଲିଗଲେ ତା’ର ସତ୍ତା ବିପନ୍ନ ହେବା ସୁନିଶ୍ଚିତ । ଅପରପକ୍ଷେ ହୀରାକୁଦ ଥାନା ଭିତରେ ନାବାଳକ ଉପରେ ପୁଲିସ ବର୍ବରତାର ପ୍ରମାଣ ଦେଖାଇ (ଫଳସ୍ୱରୂପ ନିର୍ଯାତନାକାରୀ ପୁଲିସ ଅଧିକାରୀ ଦଣ୍ଡିତ ହୋଇଛନ୍ତି) ଗଣମାଧ୍ୟମ ଯେଉଁ କର୍ତ୍ତବ୍ୟ ପାଳନ କରିଛି, ତାହା କେବଳ ତା’ର ବିଶ୍ୱସନୀୟତାକୁ ଦୃଢ଼ କରିନାହିଁ; ତା’ର ସାମାଜିକ ଅଙ୍ଗୀକାରବଦ୍ଧତାକୁ ମଧ୍ୟ କରିଚି ପ୍ରକଟିତ ।

ଓଡ଼ିଶାରେ ଯେତିକିଯେତିକି ଖବରକାଗଜ ଓ ଚ୍ୟାନେଲ ସଂଖ୍ୟା ବଢ଼ୁଚି, ହଟଚମଟ କରିବାର ପ୍ରବୃତ୍ତି ମଧ୍ୟ ସେହି ପରିମାଣରେ ବୃଦ୍ଧି ପାଇବା ଚିନ୍ତାଜନକ । ଯେଉଁ ଦେଶର ଗଣ ଯେତେ ଚେତନଶୀଳ, ସେଠାକାର ଗଣମାଧ୍ୟମ ମଧ୍ୟ ସେତିକି ସତ୍ୟସନ୍ଧାନୀ ଓ ସତ୍ୟନିଷ୍ଠ । ଅତଏବ ପାଠକ/ଦର୍ଶକ କୌଣସି ସମ୍ବାଦକୁ ଆଖିବୁଜି ଗ୍ରହଣ କରି ନ ନେଇ ସେଥିପ୍ରତି ନଜର ରଖିଲେ ଗଣମାଧ୍ୟମ ଆତ୍ମସମୀକ୍ଷା କରିବାକୁ ବାଧ୍ୟ ହେବ । ଫିଲ୍ମି ଶୈଳୀରେ କହିଲେ, ଦେଖ୍‍ ଖବର ରଖ୍‍ ନଜର!

('ରବିବାର ସମାଜ' ର ୨୪-୩୦ ଜାନୁୟାରୀ ୨୦୧୬ ସଂଖ୍ୟାରେ "ଚତୁର୍ଥସ୍ତମ୍ଭ" ନାମକ ନୂତନ ସ୍ତମ୍ଭରେ ପ୍ରକାଶିତ)
Next PostNewer Post Previous PostOlder Post Home

0 comments:

Post a Comment

ଏହି ବ୍ଲଗର ସମସ୍ତ ସାମଗ୍ରୀ ଲେଖକଙ୍କ ସର୍ବସ୍ବତ୍ତ୍ବ ସଂରକ୍ଷିତ. Powered by Blogger.