ଗଣମାଧ୍ୟମର ଜାତିବାଦ

Leave a Comment
ଲୋକବିଶ୍ୱାସରେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବେ ସ୍ୱୀକୃତ ଗଣମାଧ୍ୟମର ନୈତିକ ଦାୟିତ୍ୱ ତୁଲାଇବାରେ ଅବହେଳା/ଉପେକ୍ଷା ଦିନକୁ ଦିନ ବୃଦ୍ଧି ପାଇବା ପରି ମନେହେଉଛି; କାହିଁକିନା ଖବର ବା ନିଜର ମତ ଉପସ୍ଥାପନ କଲାବେଳେ ଗଣମାଧ୍ୟମ ଗଣର ସ୍ୱାର୍ଥ ଅପେକ୍ଷା ଆପଣାର ସ୍ୱାର୍ଥ ଦେଖୁଚି, ଯାହା ତାକୁ ଅନୈତିକତା ଆଡ଼କୁ ଟାଣିନେଉଚି । ଏହାଦ୍ୱାରା ବୃହତ୍ତର ସାମାଜିକ ସ୍ୱାର୍ଥ ସାଧିତ ହୋଇପାରୁନାଇଁ । ଏହି କାରଣରୁ ଭାରତବର୍ଷରେ ପ୍ରତିଦିନ ଲକ୍ଷଲକ୍ଷ ଖବରକାଗଜ, ପତ୍ରପତ୍ରିକା ପ୍ରକାଶନ ସହ ହଜାରେ ସରିକି ଦୃଶ୍ୟଶ୍ରାବ୍ୟ ଗଣମାଧ୍ୟମ ସମେତ ବ୍ୟାପକ ସୋସିଆଲ୍‌ ମିଡିଆ ରହିଥିବା ସତ୍ତ୍ୱେ ଜାତିଆଣ ଭେଦଭାବ ଭଳି କୁସଂସ୍କାର ସମାଜରୁ ଦୂର ହେବା ବଦଳରେ ଭିନ୍ନଭିନ୍ନ ରୂପରେ ପ୍ରକାଶ ପାଉଚି । ବିଡ଼ମ୍ବନାର ବିଷୟ ଯେ ଆଧୁନିକ ମାଧ୍ୟମଗୁଡ଼ିକ ଏହାକୁ ରୋକିବା ଭଳି ଦାୟିତ୍ୱ ନିର୍ବାହ କରିବା ବଦଳରେ ନିଜେ ଏଭଳି ଭେଦଭାବରେ ଆକ୍ରାନ୍ତ ଏବଂ ଅନେକ ସମୟରେ ତାହା ପାଲଟିଚି ଭେଦଭାବର ବାହକ । ଭାରତରେ ନିକଟରେ ହାଇଦରାବାଦ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଜଣେ ଦଳିତ ଛାତ୍ର (ରୋହିତ ଭେମୁଲା) ଏଭଳି ଜାତିଆଣ ଓ ଆନୁଷ୍ଠାନିକ ନିର୍ଯାତନା ସହିନପାରି ଆତ୍ମହତ୍ୟା କରି କେବଳ ଆମ ଶିକ୍ଷାନୁଷ୍ଠାନ ଓ ସମାଜର କୁରୂପକୁ ପଦାରେ ପକାଇଦେଇନାହାନ୍ତି, ବରଂ ଗଣମାଧ୍ୟମର ଜାତିଭେଦକୁ ମଧ୍ୟ ଚିହ୍ନାଇଦେଇଚନ୍ତି ।

ଏହା ସତ ଯେ ସୋସିଆଲ ମିଡିଆର ଅପ୍ରତିହତ ଶକ୍ତି ହେତୁ ରୋହିତ ଆତ୍ମହତ୍ୟା ଘଟନା ତୁରନ୍ତ ସାରାଦେଶର ସଚେତନ ଲୋକଙ୍କୁ ଆନେ୍ଦାଳିତ କଲା ଓ ପ୍ରତିବାଦର ସ୍ୱର ତୀବ୍ର ହେଲା; କିନ୍ତୁ କେବଳ ଚାପରେ ପଡ଼ି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଯେତେବେଳେ ପାଞ୍ଚଜଣ ଛାତ୍ରଙ୍କୁ ନିଲମ୍ବିତ କଲେ, ତାହା ଏକ ସାଧାରଣ ଘଟନା ନ ଥିଲା; କାରଣ ସେମାନଙ୍କୁ କେବଳ ଶ୍ରେଣୀକକ୍ଷକୁ ଯିବାକୁ ଅନୁମତି ଦିଆଯାଇଥିଲା ଏବଂ ଗାଁଲୋକେ କାହାକୁ ନିଆଁପାଣି ବାସନ୍ଦ କଲା ପରି ସେମାନଙ୍କୁ ହଷ୍ଟେଲରୁ ବାହାର କରିଦିଆଯିବା ସହ ଅନ୍ୟ ଛାତ୍ରଛାତ୍ରୀଙ୍କ ସଙ୍ଗେ ମିଶିବା ଓ କ୍ୟାଣ୍ଟିନରେ ଖାଇବା ପାଇଁ ସମ୍ପୂର୍ଣ୍ଣ ବାରଣ କରାଯାଇଥିଲା । ବିଶ୍ୱବିଦ୍ୟାଳୟ ପରି ଏକ ଆଧୁନିକ ଅନୁଷ୍ଠାନର ଏଭଳି ସାମନ୍ତବାଦୀ ଆଚରଣ କିନ୍ତୁ ଗଣମାଧ୍ୟମ ପାଇଁ ବଡ଼ ଖବର ହୋଇନଥିଲା । କେବଳ ସେତିକି ନୁହେଁ, ଏଭଳି ଅନ୍ୟାୟ ଦଣ୍ଡ ବିରୋଧରେ ପାଞ୍ଚଜଣ ଛାତ୍ର କ୍ରମାଗତ ଧାରଣା  ଦେଇଥିଲେ ମଧ୍ୟ କେବଳ ଦିଲ୍ଲୀ ଭିତରେ ସୀମିତ ତଥାକଥିତ ଜାତୀୟ ଗଣମାଧ୍ୟମ କଥା ଦୂରେ ଥାଉ, ସ୍ଥାନୀୟ ଗଣମାଧ୍ୟମ ମଧ୍ୟ ତାକୁ ଗୁରୁତ୍ୱ ଦେଇନଥିଲେ । ଯଦି ସେତେବେଳେ ଏହାର ମହତ୍ତ୍ୱକୁ ଗଣମାଧ୍ୟମ ବୁଝିଥାଆନ୍ତା, ତା’ହେଲେ ନିଶ୍ଚୟ ଏ ଘଟନା ଭିନ୍ନ ମୋଡ଼ ନେଇଥାଆନ୍ତା । ଜଣେ ମେଧାବୀ ଛାତ୍ରର ଜୀବନ ବି ହୁଏତ ବଞ୍ଚିପାରିଥାଆନ୍ତା ।
ଗଣମାଧ୍ୟମର ଏ ଆଭିଜାତ୍ୟ ଦୃଷ୍ଟିର କାରଣ ଅବଶ୍ୟ ଖୁବ୍‌ ସ୍ପଷ୍ଟ । ଭାରତ ଏକ ବିବିଧ ଲୋକଶକ୍ତିସଂପନ୍ନ ଦେଶ ହୋଇଥିଲେ ହେଁ ଏଠାକାର ଗଣମାଧ୍ୟମ ସାଧାରଣତଃ ଅଭିଜାତ ବର୍ଗର ହସ୍ତମୁଦିମାହାଲ; ତେଣୁ ତା’ର ପ୍ରତିନିଧିଙ୍କ ଭିତରେ ବି ଦଳିତ, ଆଦିବାସୀ, ନିମ୍ନବର୍ଗଜ ଲୋକଙ୍କ ସଂଖ୍ୟା ହାତଗଣତି ବା ପୂରା ଶୂନ୍ୟ । ୨୦୦୬ ମସିହାରେ ପ୍ରଫେସର ରବିନ ଜେଫ୍ରେଙ୍କ ଦ୍ୱାରା କରାଯାଇଥିବା ଏକ ସର୍ବେକ୍ଷଣରୁ ଜଣାପଡ଼ିଥିଲା ଯେ ଦେଶର ୩୦୦ ପ୍ରମୁଖ ଗଣମାଧ୍ୟମ ନିର୍ଣ୍ଣୟକର୍ତ୍ତା (ଡିସିସନ ମେକର)ଙ୍କ ମଧ୍ୟରେ ଜଣେ ହେଲେ ଜନଜାତି ବା ଉପଜାତି (ଏସ୍‌ସି ଓ ଏସ୍‌ଟି)ର ବ୍ୟକ୍ତି ନଥିଲେ । ଏବେ ବି ଏ ସ୍ଥିତି ଆଦୌ ବଦଳି ନାହିଁ । ଗଣମାଧ୍ୟମରେ ଏହି ବର୍ଗଙ୍କ ଉପସ୍ଥିତି ନଗଣ୍ୟ, ଅଥଚ ଏମାନଙ୍କ ସଂଖ୍ୟା ଭାରତର ଜନସଂଖ୍ୟାର ୨୫ ଶତାଂଶରୁ ଅଧିକ । ଆଦିବାସୀବହୁଳ ଅଞ୍ଚଳଗୁଡ଼ିକର ସମ୍ବାଦଦାତା ବି ଅଣଆଦିବାସୀ । ଏ କ୍ଷେତ୍ରରେ ବ୍ରିଟେନ ଓ ଆମେରିକା ଉଦାହରଣୀୟ କାର୍ଯ୍ୟ କରିଛନ୍ତି । ନିଜକୁ ବିବିଧତାପୂର୍ଣ୍ଣ କରିବା ପାଇଁ ବି୍ରଟେନର ଗଣମାଧ୍ୟମ ସଂସ୍ଥାଗୁଡ଼ିକରେ ସ୍ଥାନୀୟ ସଂଖ୍ୟାଲଘୁ ଓ ଜନଜାତି ଲୋକଙ୍କୁ ସାମ୍ବାଦିକତା ପାଠ ପଢ଼ାଇବା ସହ ଆବଶ୍ୟକ ତାଲିମର ବ୍ୟବସ୍ଥା କରାଯାଇଛି । ସେହିପରି ସତୁରି ଦଶକରେ ବ୍ୟାପକ ନାଗରିକ ଆନେ୍ଦାଳନ ହେବା ପରେପରେ ଆମେରିକାର ଗଣମାଧ୍ୟମ ସଂସ୍ଥାଗୁଡ଼ିକ ମଧ୍ୟ ବିବିଧତା କଥା ଚିନ୍ତା କରିବା ସହ କୃଷ୍ଣକାୟମାନଙ୍କୁ ନିଯୁକ୍ତି ଦେଇଥିଲେ । ଏହାର ପ୍ରମାଣ ଆମେ ଆମେରିକା ଓ ବ୍ରିଟେନର ନିଉଜ୍‌ ଚ୍ୟାନେଲଗୁଡ଼ିକୁ ଦେଖିଲେ ଅନାୟାସରେ ପାଇପାରିବା । ଏପରିକି ସେଠାକାର ଗଣମାଧ୍ୟମରେ ‘ବ୍ଲାକ୍‌ ବିଟ୍‌’ ବା କୃଷ୍ଣକାୟଙ୍କ ସମ୍ବନ୍ଧୀୟ ଖବର/ବିଚାର ଆଦି ସ୍ୱତନ୍ତ୍ରଭାବେ ପ୍ରକାଶିତ/ପ୍ରସାରିତ ହେଲା; କିନ୍ତୁ ଭାରତୀୟ ଗଣମାଧ୍ୟମରେ ଏବେ ମଧ୍ୟ ଏଭଳି ବିବିଧତା ଅନୁପସ୍ଥିତ କିମ୍ବା ଅଳ୍ପ । ଦେଶ/ରାଜ୍ୟର ପ୍ରମୁଖ ପତ୍ରପତ୍ରିକା କାର୍ଯ୍ୟାଳୟ ଏବଂ ନିଉଜ୍‌ରୁମ୍‌ରେ ଖୋଜିଲେ ବି ଜଣେହେଲେ ଦଳିତ/ଆଦିବାସୀଙ୍କୁ ଦେଖିବାକୁ ମିଳେନା । ଏଠାରେ ଏହି ବର୍ଗର ଲୋକେ ଗଣମାଧ୍ୟମର ବିଷୟବସ୍ତୁ ସେତେବେଳେ ହିଁ ପାଲଟନ୍ତି, ଯେତେବେଳେ କିଛି ହଟଚମଟ ସୃଷ୍ଟି କରିବାର ଅଭିସନ୍ଧି ବା କୌଣସି ନିର୍ଦିଷ୍ଟ ସ୍ୱାର୍ଥ ରହିଥାଏ । ଆଞ୍ଚଳିକ ଗଣମାଧ୍ୟମର ସଂଖ୍ୟା ବଢ଼ୁଥିବାରୁ ଏହି ସ୍ଥିତିରେ ପୂର୍ବାପେକ୍ଷା ଅବଶ୍ୟ କିଛିଟା ଉନ୍ନତି ଆସିଚି, ମାତ୍ର ତାହା ଉତ୍ସାହପ୍ରଦ ନୁହେଁ ।

ବୋଧହୁଏ ଏହି କାରଣରୁ ଦଳିତ/ଆଦିବାସୀ ବର୍ଗର ଶିକ୍ଷିତ ଲୋକେ ମୁଖ୍ୟଧାରାର ଗଣମାଧ୍ୟମ ଅପେକ୍ଷା ସୋସିଆଲ ମିଡିଆ ଭଳି ସହଜ, ସ୍ୱାଧୀନ, ନିଃଶୁଳ୍କ ଓ ସର୍ବବ୍ୟାପୀ ମାଧ୍ୟମ ଉପରେ ନିର୍ଭର କରିବାକୁ ବାଧ୍ୟ ହେଉଛନ୍ତି । ଏବେ ବୈଚାରିକ ସ୍ତରରେ ଜାତି-ଯୁଦ୍ଧ ଚାଲିଚି ସାଇବର ଜଗତରେ, ଯେଉଁଠି ଉଚ୍ଚବର୍ଗ ଓ ନିମ୍ନବର୍ଗର ଲୋକେ ନିଜକୁ ସୁରକ୍ଷିତ ଜାଗାରେ ରଖି ପରସ୍ପରକୁ କରୁଚନ୍ତି ଆକ୍ରମଣ । ବିଶେଷତଃ ହିନ୍ଦୁତ୍ୱବାଦୀ ଓ ଦଳିତଙ୍କ ଭିତରେ ଚାଲିଥିବା ଏ ଲଢ଼େଇ ବେଶ୍‌ ଦର୍ଶନୀୟ । ଫେସ୍‌ବୁକ୍‌, ଟ୍ୱିଟର, ୟୁଟୁ୍ୟବ୍‌ ଭଳି ସୋସିଆଲ ମିଡିଆ ଓ ବିଭିନ୍ନ ୱେବ୍‌ସାଇଟ୍‌ ପାଲଟିଚି ଯୁଦ୍ଧକ୍ଷେତ୍ର । ଏସବୁଥିରେ କେବଳ ଲେଖା ନୁହେଁ, ପ୍ରୋଫାଇଲ ଚିତ୍ରଗୁଡ଼ିକରେ ଧାର୍ମିକ ପ୍ରତୀକଗୁଡ଼ିକ ବି ବେଶ୍‌ ଅର୍ଥବହନକାରୀ । କାର୍‌ସେବକ, ହିନ୍ଦୁ ଭଲକାନୋ, ହିନ୍ଦୁ ଇଣ୍ଟରନେଟ୍‌ ଡିଫେନ୍ସ ଫୋର୍ସ, ହିନ୍ଦୁ ଡିଫେନ୍ସ ଲିଗ୍‌, ଇଣ୍ଟରନେଟ୍‌ ହିନ୍ଦୁ, ଦ ହିନ୍ଦୁଫାଣ୍ଟମ୍‌, ଷ୍ଟଞ୍ଚ୍‌ ହିନ୍ଦୁ ଆଦି ଟ୍ୱିଟର ଆକାଉଣ୍ଟ ହିନ୍ଦୁତ୍ୱର ପ୍ରଖ୍ୟାପକ ହୋଇଥିବାବେଳେ ଆମ୍ବେଦକର କାର୍‌ୱାଁ, ଦଲିତ ୟୁବାଦଲ୍‌, ଦଲିତ ପରିସଂଘ, ଦଲିତ ସଲିଡାରିଟି ୟୁକେ ଭଳି କେତେକ ଆକାଉଣ୍ଟ ଦଳିତ ମତାଦର୍ଶ ପ୍ରଚାର କରିଥାନ୍ତି । ଦଲିତ କ୍ୟାମେରା ନାଁରେ ଟ୍ୱିଟର, ଫେସ୍‌ବୁକ୍‌ ଓ ୟୁଟୁ୍ୟବ୍‌ରେ ବିଭିନ୍ନ ତଥ୍ୟ ଓ ଭିଡିଓ ରହିଛି, ଯାହାର ସଞ୍ଚାଳକ ହେଉଛନ୍ତି ତାମିଲନାଡୁର ରବିଚନ୍ଦ୍ରନ ବାଥରନ । ସେ ନିଜେ ମଧ୍ୟ ଜାତିଆଣ ଭେଦଭାବର ଯାତନାଭୋଗୀ । ସମସାମୟିକ ଘଟନାଗୁଡ଼ିକରେ ପରସ୍ପରବିରୋଧୀ ଓ ଆକ୍ରମଣାତ୍ମକ ବିବୃତି ଦେବାରେ ଏହାର ପ୍ରତିଷ୍ଠାତା/ପରିଚାଳକମାନେ ହୁଅନ୍ତି ନାହିଁ କୁଣ୍ଠିତ । ଏସବୁ ସାଇଟ୍‌ର ଅନୁଗାମୀଙ୍କ ସଂଖ୍ୟା ମଧ୍ୟ ସହସ୍ରାଧିକ । ତେଣୁ ଏସବୁର ସାମାଜିକ-ରାଜନୈତିକ ପ୍ରଭାବ ଅନସ୍ୱୀକାର୍ଯ୍ୟ । ମୁଖ୍ୟଧାରାର ଗଣମାଧ୍ୟମ ଚାହିଁଲେ ଏ ଜାତିଆଣ ସଂଘାତକୁ ରୋକିପାରିବ । ଗଣମାଧ୍ୟମ ପ୍ରକୃତରେ ଯଦି ନିଜର ନୈତିକ କର୍ତ୍ତବ୍ୟ ତୁଲାଇବାକୁ ଚାହୁଁଥାଏ, ତେବେ ନିଜ ଭିତରୁ ଜାତିଭେଦକୁ ପ୍ରଥମେ ପରିହାର କରୁ ଏବଂ ନିଜ ମାଧ୍ୟମରେ ଏଭଳି କୁସଂସ୍କାର ସହ ଲଢ଼ିବା ପାଇଁ ଉଦ୍ୟମୀ ହେଉ ।

(ରବିବାର ସମାଜର "ଚତୁର୍ଥ ସ୍ତମ୍ଭ' ସ୍ତମ୍ଭରେ ଜାନୁୟାରୀ ୩୧-ଫେବୃୟାରୀ ୬ ସଂସ୍କରଣରେ ପ୍ରକାଶିତ)
Next PostNewer Post Previous PostOlder Post Home

0 comments:

Post a Comment

ଏହି ବ୍ଲଗର ସମସ୍ତ ସାମଗ୍ରୀ ଲେଖକଙ୍କ ସର୍ବସ୍ବତ୍ତ୍ବ ସଂରକ୍ଷିତ. Powered by Blogger.