ଅଳପ = ଅଧିକ (୨)

Leave a Comment

ଫିନଲାଣ୍ଡର ଏକ ବିଦ୍ୟାଳୟରେ ପିଲାଙ୍କ ଗହଣରେ ଶିକ୍ଷୟିତ୍ରୀ
୧୯୧୭ ମସିହାରେ ସଂଘଟିତ ଋଷ ବିପ୍ଳବ ପରେ ସଂପୂର୍ଣ୍ଣ ସ୍ୱାଧୀନତା ପାଇଥିବା ଫିନଲାଣ୍ଡ କ୍ରମାଗତ ତିନିଟି ଯୁଦ୍ଧର ସାମ୍ନା କରିବା ଯୋଗୁଁ ଆର୍ଥିକ ଓ ମାନସିକ ଭାବେ ଖୁବ୍‍ ଦୁର୍ବଳ ହୋଇପଡ଼ିଥିଲା; କିନ୍ତୁ ୧୯୭୦ରେ ସେଠାକାର ସରକାର ଏହି ଦୁର୍ବଳତାକୁ ହଟାଇ ଦେଶର ସର୍ବାଙ୍ଗୀଣ ସମୃଦ୍ଧି ପାଇଁ ଯେଉଁ ଐତିହାସିକ ନିଷ୍ପତ୍ତି ନେଲେ, ତାହା ଅନେକଙ୍କ ପାଇଁ ଏବେମଧ୍ୟ ଅଚିନ୍ତନୀୟ । ଏଥିପାଇଁ ଶିକ୍ଷାର ଢାଞ୍ଚାକୁ ଆମୂଳଚୂଳ ବଦଳାଇବାକୁ ଏକ ଶିକ୍ଷାସଂସ୍କାର କାର୍ଯ୍ୟକ୍ରମ ଲାଗୁ କଲେ, ଯାହା କେବଳ ସେହି ଦେଶର ଶିକ୍ଷାପଦ୍ଧତି/ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ନୂଆ ରୂପ ଦେଲାନାହିଁ; ଦେଶର ସାମାଜିକ/ରାଜନୈତିକ/ଅର୍ଥନୈତିକ କ୍ଷେତ୍ରରେ ଆଣିଲା ଯୁଗାନ୍ତକାରୀ ପରିବର୍ତ୍ତନ । ଶିକ୍ଷାବ୍ୟବସ୍ଥା ଗୋଟିଏ ଦେଶର ପ୍ରତ୍ୟେକ ମଣିଷର ଭାଗ୍ୟକୁ କିଭଳି ବଦଳାଇ ଦେଇପାରେ, ଫିନଲାଣ୍ଡ ତା’ର ଏକ ପ୍ରକୃଷ୍ଟ ଉଦାହରଣ । ଅତଏବ ସେଇ ଶିକ୍ଷା ପଦ୍ଧତି/ବ୍ୟବସ୍ଥାଟା କିଭଳି, ତାହା ଜାଣିବା ଜରୁରୀ; କାହିଁକିନା ଭାରତ ଭଳି ଦେଶ ପାଇଁ ମଧ୍ୟ ଏହା ନୁହେଁ କମ୍‍ ମହତ୍ତ୍ୱପୂର୍ଣ୍ଣ । ଏ ଶିକ୍ଷାପଦ୍ଧତି ଅନ୍ୟ ଦେଶଗୁଡ଼ିକଠାରୁ ସମ୍ପୂର୍ଣ୍ଣ ବିପରୀତଧର୍ମୀ କହିଲେ ଚଳେ; ଅର୍ଥାତ ଫିନ୍ନିଶ୍‍ ବିଦ୍ୟାଳୟ/ମହାବିଦ୍ୟାଳୟ/ବିଶ୍ୱବିଦ୍ୟାଳୟଗୁଡ଼ିକ ବିଦ୍ୟାର୍ଥୀଙ୍କ ମନ ଭିତରେ ମୂଳରୁ ପ୍ରତିଯୋଗିତା ବଦଳରେ ସହଭାଗିତାର ମହତ୍ତ୍ୱକୁ ଭରିଦେବାକୁ ଶତଚେଷ୍ଟିତ ଏବଂ ପରୀକ୍ଷା/ଚାକିରି ନୁହେଁ, ଶିକ୍ଷାକୁ ହିଁ କରିଛନ୍ତି ମୂଳ ଉଦେ୍ଧଶ୍ୟ । ଏହାର ମୂଳତତ୍ତ୍ୱ ହେଉଛି ‘ଅଳପ=ଅଧିକ’ । ଆସନ୍ତୁ ଜାଣିବା ଅଳପରୁ ଅଧିକର ସୃଷ୍ଟି କରିପାରୁଥିବା ସେହି ଶିକ୍ଷାପଦ୍ଧତି/ବ୍ୟବସ୍ଥାକୁ ।

ଅଳ୍ପ ଆନୁଷ୍ଠାନିକ ଶିକ୍ଷା = ଅଧିକ ବିକଳ୍ପ
ଫିନଲାଣ୍ଡର ପିଲାଏ ଆନୁଷ୍ଠାନିକ ଭାବେ ୭ ବର୍ଷ ବୟସରେ ବିଦ୍ୟାଳୟରେ ନାମ ଲେଖାନ୍ତି; ତା’ ପୂର୍ବରୁ ନୁହେଁ (ଭାରତରେ ଏବେ ୩ ବର୍ଷ ନପୂରୁଣୁ ବହିଖାତା ଧରାଇ ଦିଆଯାଉଛି) । ଶୈଶବାବସ୍ଥାର ବିକାଶକୁ ଅକ୍ଷୁଣ୍ଣ ରଖିବା ଏହାର ଅସଲ ଉଦେ୍ଧଶ୍ୟ । ତା’ ପୂର୍ବରୁ ଅଣଆନୁଷ୍ଠାନିକଭାବେ ପିଲାଙ୍କୁ ଯେଉଁ ଶିକ୍ଷା ଦିଆଯାଏ, ତା’ର ମାଧ୍ୟମ କେବଳ ଖେଳକୁଦ/ଗପସପ । ପିଲାଏ ସ୍କୁଲରେ ନାମ ଲେଖାଇବା ବେଳକୁ ଶିଖିବା ପାଇଁ ଯେଉଁ ମନଟି ଦରକାର, ତାହା ପ୍ରସ୍ତୁତ ହୋଇସାରିଥାଏ । ତା’ପରେ ୯ ବର୍ଷରେ ୯ଟି ଶ୍ରେଣୀ ସମସ୍ତ ଶିଶୁଙ୍କ ପାଇଁ ବାଧ୍ୟତାମୂଳକ ଶିକ୍ଷା । ୧୬ ବର୍ଷ ପରେ ଅର୍ଥାତ ସେମାନେ ମାଟ୍ରିକୁ୍ୟଲେସନ ପରୀକ୍ଷା ଦେବାପରେ ପାଠପଢ଼ା ଇଚ୍ଛାଧୀନ; ଅର୍ଥାତ ବିଦ୍ୟାର୍ଥୀମାନେ ବିଶ୍ୱବିଦ୍ୟାଳୟ ଶିକ୍ଷା ପାଇଁ ଆବେଦନ କରିପାରିବେ କିମ୍ବା ପଲିଟେକ୍ନିକ୍‍ କଲେଜ (ଧନ୍ଦାମୂଳକ ଶିକ୍ଷା)ରେ ନାଁ ଲେଖାଇପାରିବେ ଅଥବା କୌଣସି କାମରେ ଲାଗିଯିବେ (ଏହାର ସଂଖ୍ୟା ୫%ରୁ କମ୍‍) ।

ଅଳ୍ପ ବିଷୟ = ଅଧିକ ଜ୍ଞାନ
ଫିନ୍ନିଶ ଶିକ୍ଷକମାନେ ଏକାବେଳକେ ବହୁତ ବିଷୟ ଶୀଘ୍ରଶୀଘ୍ର ପଢ଼ାନ୍ତି ନାହିଁ (ଭାରତର ଶିକ୍ଷକମାନଙ୍କୁ ଏଥିପାଇଁ ଝାଳନାଳ ହେବାକୁ ପଡ଼ିଥାଏ) । କମ୍‍ ବିଷୟ ପଢ଼ାନ୍ତି, କିନ୍ତୁ ସମ୍ପୃକ୍ତ ବିଷୟରେ ଯଥାସମ୍ଭବ ଅଧିକ ଗଭୀର ଜ୍ଞାନ ଦେବାକୁ ଚେଷ୍ଟା କରନ୍ତି । ଉଲ୍ଲେଖଯୋଗ୍ୟ, ଚଳିତବର୍ଷ (୨୦୧୫)ଠାରୁ ଏଥିରେ ଅଧିକ ସଂସ୍କାର ଅଣାଯାଇ ପ୍ରତ୍ୟେକ ପାଠକୁ ‘ବିଷୟ’(ସବ୍‍ଜେକ୍ଟ)ଭିତ୍ତିକ ନକରି ‘ପ୍ରସଙ୍ଗ’(ଟପିକ୍‍)ଭିତ୍ତିକ ଶିକ୍ଷା ଦେବାକୁ ନିଷ୍ପତ୍ତି ନିଆଯାଇଛି, ଯାହାଦ୍ୱାରା ବିଦ୍ୟାର୍ଥୀର ଜ୍ଞାନ ଅଧିକ ସ୍ପଷ୍ଟ/ଗଭୀର/ବିସ୍ତୃତ ହେବ । ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହେଉଛି ପିଲା ଆଉ ପାରମ୍ପରିକ ଶୈଳୀରେ ଶିକ୍ଷକ ସାମ୍ନାରେ ଚୁପ୍‍ଚାପ ବସି ଶିକ୍ଷକଙ୍କୁ ଶୁଣିବେ ନାହିଁ । ନିଜନିଜ ଭିତରେ କେତେକ ଗୋଷ୍ଠୀ ଗଢ଼ି ସେମାନେ ପାରସ୍ପରିକ ସହଯୋଗରେ ସମସ୍ୟା ସମାଧାନ (ପ୍ରୋବ୍ଲେମ୍‍ ସଲ୍‍ଭିଂ) କରିବେ । ଏହି ସହଭାଗିତା/ସହଯୋଗିତା ହିଁ ସେମାନଙ୍କୁ ଏକ ସମର୍ଥ/ସମ୍ବେଦନଶୀଳ ମଣିଷ ରୂପେ ଗଢ଼ିତୋଳିବ ।
ଅଳ୍ପ ହୋମ୍‍ୱାର୍କ = ଅଧିକ ଭାଗିଦାରୀ
ପିଲାଙ୍କ ପାଇଁ ହୋମ୍‍ୱାର୍କ ଏକ ବଡ଼ ବୋଝ; ଏହା ସମସ୍ତେ ଜାଣନ୍ତି, କିନ୍ତୁ ଭାରତୀୟ ଶିକ୍ଷକମାନେ ମନେକରନ୍ତି ଏହା ନିହାତି ଜରୁରୀ (୨୧ ଜୁଲାଇ ୨୦୧୫ରେ ରାୟଗଡ଼ା ଜିଲା ବିଷମକଟକସ୍ଥିତ ନବୋଦୟ ବିଦ୍ୟାଳୟର ଜଣେ ଦ୍ୱାଦଶ ଶ୍ରେଣୀର ଛାତ୍ରଙ୍କୁ ହୋମ୍‍ୱାର୍କ କରିନଥିବାରୁ ଶିକ୍ଷକ ମାଡ଼ ଦେଇଥିଲେ ଓ ପିଲାଟି ଶ୍ରେଣୀଗୃହରେ ହିଁ ଆତ୍ମହତ୍ୟା କରିଥିଲା) । ଫିନଲାଣ୍ଡ ଏହାକୁ ଭୁଲ୍‍ ପ୍ରମାଣିତ କରିଛି । ସେଠାକାର ପିଲାଏ ହାରାହାରି ଦୈନିକ ଅଧଘଣ୍ଟାରୁ କମ୍‍ ସମୟ ହୋମ୍‍ୱାର୍କ କରିଥାନ୍ତି । ଶ୍ରେଣୀରେ ହିଁ ସେମାନେ ସବୁ ପାଠ ସାରିଦେଇଥାନ୍ତି । ଏହାଦ୍ୱାରା ସେମାନେ ଅଧିକ ସକ୍ରିୟ ହୋଇ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ (ଖେଳକୁଦ, ନାଚଗୀତ, ଭୋଜିଭାତ ଇତ୍ୟାଦି)ରେ ଅଂଶଗ୍ରହଣ କରିବାର ସୁଯୋଗ ପାଆନ୍ତି, ଯାହା ଭାରତୀୟ ପିଲାଙ୍କୁ ସହଜେ ମିଳିନଥାଏ ।

ଅଳ୍ପ ପାଠପଢ଼ା = ଅଧିକ ବିରତି
ଭାରତ ବା ପୃଥିବୀର ଅନ୍ୟ ଦେଶ ଭଳି ଫିନଲାଣ୍ଡରେ ଦୈନିକ ୭/୮ଟି ପିରିୟଡ଼ ପିଲାଙ୍କର ନଥାଏ । ୭୫ ମିନିଟର ୩/୪ଟି ପିରିୟଡ଼ ଥାଏ ଓ ସେଥିରେ ମଧ୍ୟ ମଝିମଝିରେ ବିରତି ରହିଥାଏ । ଏହା ଉଭୟ ଶିକ୍ଷକ ଓ ପିଲାଙ୍କ ମନମସ୍ତିଷ୍କକୁ ଶିକ୍ଷାଦାନ ଓ ଶିକ୍ଷାର୍ଜନ ପାଇଁ ଉତ୍ତମ ଭାବେ ପ୍ରସ୍ତୁତ କରିଥାଏ । ସାଧାରଣତଃ ସ୍କୁଲ ୯ଟା ବା ୯.୪୫ରୁ ଆରମ୍ଭ ହୋଇ ଅପରାହ୍ଣ ୨ଟା ବା ୨.୪୫ରେ ଶେଷ ହୋଇଥାଏ । ଗବେଷଣାରୁ ଜଣାଯାଇଛି ଯେ ସକାଳେ ପିଲାଙ୍କ ସୁଖନିଦ୍ରା ନହେଲେ ସେମାନଙ୍କର ମନ ପାଠପଢ଼ାରେ ଲାଗେ ନାହିଁ । ଆଉ ଏକ ବିଶେଷତ୍ୱ ହେଲା ଏହି ସମୟ ମଧ୍ୟ ବଦଳିଥାଏ । ନମନୀୟତା ଓ ସ୍ୱାଧୀନତା ହିଁ ଫିନ୍ନିଶ ଶିକ୍ଷାପଦ୍ଧତିର ସ୍ୱାତନ୍ତ୍ର୍ୟ । କୌଣସି କଥା ଧରାବନ୍ଧା ନଥାଏ । ଦିନେଦିନେ ପିଲା ଓ ଶିକ୍ଷକ ତୃତୀୟ ପିରିୟଡ଼ରେ ବି ଆସି ପହଞ୍ଚନ୍ତି । ଯଦି ପାଠପଢ଼ା ନଥାଏ, ତେବେ ସେମାନେ ଦ୍ୱିତୀୟ ପିରିୟଡ଼ରେ ବି ଘରକୁ ଚାଲିଯାଆନ୍ତି । ତାହା ପାଠ୍ୟକ୍ରମ ଓ ସୁବିଧା ଅନୁସାରେ ସ୍ଥିର ହୋଇଥାଏ ।
ଏଭଳି ସ୍ୱାଧୀନତା ଶିକ୍ଷକଙ୍କ ପାଇଁ ମଧ୍ୟ ସୃଜନଶୀଳ ଭାବେ ପାଠ ପଢ଼ାଇବାର ସୁଯୋଗ ସୃଷ୍ଟି କରିଥାଏ । ସେମାନେ ପ୍ରତ୍ୟେକ ବିଷୟକୁ ଗଭୀର ଅଧ୍ୟୟନ ଓ ଗବେଷଣା କରିବା ପରେ ହିଁ ପିଲାଙ୍କୁ ଶିଖାଇଥାନ୍ତି । ପ୍ରତ୍ୟେକ ଶିକ୍ଷକଙ୍କୁ ଦୈନିକ ହାରାହାରି ୪ ବା ତା’ଠୁ କମ୍‍ କ୍ଲାସ୍‍ (୨୦ ଜଣ ଶିକ୍ଷାର୍ଥୀବିଶିଷ୍ଟ; ଭାରତରେ ଏ ସଂଖ୍ୟା ୮୦ ପର୍ଯ୍ୟନ୍ତ ଥିବା ଦେଖାଯାଏ) ନେବାକୁ ହୋଇଥାଏ (ଅନ୍ୟ ଦେଶର ଶିକ୍ଷକଙ୍କୁ ୬ ବା ତା’ଠୁ ବେଶି ନେବାକୁ ପଡ଼ିଥାଏ) ।

ଅଳ୍ପ ମନୋନୀତ ଶିକ୍ଷକ = ଅଧିକ ବିଶ୍ୱାସ/ଭରସା
ଶିକ୍ଷକ ନିଯୁକ୍ତି କ୍ଷେତ୍ରରେ ଫିନଲାଣ୍ଡ ସର୍ବଦା କଡ଼ା ମାନଦଣ୍ଡ ରଖିଆସିଛି, ଯାହା ସେ ଦେଶର ଶିକ୍ଷକଙ୍କୁ ସର୍ବଶ୍ରେଷ୍ଠ କରିଛି ପ୍ରମାଣିତ । ପ୍ରାଥମିକ ଶିକ୍ଷକଙ୍କ ପାଇଁ ସର୍ବନିମ୍ନ ଯୋଗ୍ୟତା ରଖାଯାଇଛି ସ୍ନାତକୋତ୍ତର (ପୋଷ୍ଟ୍‍ଗ୍ରାଜୁଏସନ); ପୁଣି କେବଳ ପାଠ ପଢ଼ିଥିଲେ ହେବ ନାହିଁ, ଏଥିପାଇଁ ବହୁ ପ୍ରକାରର ସାକ୍ଷାତକାର ଓ ବ୍ୟକ୍ତିତ୍ୱ ଆକଳନର ଶିଢ଼ି ଚଢ଼ିବା ପରେ ହିଁ ଜଣେ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ହେବାର ସୁଯୋଗ ପାଇଥାଏ (ଆମ ଦେଶରେ ଅଧାପାଠ ପଢ଼ି, ଏପରିକି ଜାଲ୍‍ ସାର୍ଟିଫିକେଟରେ ବି ଆରାମରେ ଶିକ୍ଷକ ଚାକିରି ମିଳିଯାଏ!) ସହସ୍ରାଧିକ ଶିକ୍ଷକତା-ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରୁ କେବଳ ଶ୍ରେଷ୍ଠ ୧୦% ହିଁ ହୋଇଥାନ୍ତି ମନୋନୀତ । ଫିନଲାଣ୍ଡ ବୁଝିଛି ଯେ ପଢ଼ାବହିରୁ ଶିକ୍ଷାଦାନର ସାମର୍ଥ୍ୟ ଆସେ ନାହିଁ, ବରଂ ତାହା ଏକ ପ୍ରାକୃତିକ ଦାନ, ଯାହା ସମସ୍ତଙ୍କ ପାଖରେ ନଥାଏ । ଏଥିପାଇଁ ଲୋଡ଼ା ଏକ ଉତ୍ସର୍ଗୀକୃତ ଓ ଅନୁସନ୍ଧିତ୍ସୁ ମନ । ସେଭଳି ବ୍ୟକ୍ତିଙ୍କୁ ଶିକ୍ଷକଭାବେ ବାଛିବା ଛୋଟକଥା ନୁହେଁ । ବହୁ ମାପଦଣ୍ଡରେ ତଉଲି ହେବାପରେ ଯେଉଁମାନେ ଶିକ୍ଷକଭାବେ ବଛା ହୁଅନ୍ତି, ସେମାନେ ସ୍ୱାଭାବିକ ଭାବେ ଫିନଲାଣ୍ଡରେ ଉଚ୍ଚ ସମ୍ମାନର ପାତ୍ର ହୁଅନ୍ତି । ସରକାର ବି ସେମାନଙ୍କୁ ସେଇ ଅନୁସାରେ ସମପରିମାଣର ବେତନ (ପ୍ରାରମ୍ଭିକ ବେତନ ବାର୍ଷିକ ୨୯ ହଜାର ଡଲାର ବା ୧୮ ଲକ୍ଷ ୪୫ ହଜାର ଟଙ୍କା; ୧୫ ବର୍ଷ ଅଭିଜ୍ଞତା ଥିବା ଶିକ୍ଷକଙ୍କ ବେତନ ୩୭,୫୦୦ ଡଲାର ବା ପ୍ରାୟ ୨୪ ଲକ୍ଷ ଟଙ୍କା) ଦିଅନ୍ତି, ଯାହା ଡାକ୍ତରଙ୍କ ବେତନ ସହ ସମାନ । ଆମ ଦେଶ ପରି ପଚାଶ ପ୍ରକାରର ଶିକ୍ଷକ ନିଯୁକ୍ତି ବ୍ୟବସ୍ଥା ନାହିଁ । ସେଇଠି ସମସ୍ତ ଛାତ୍ର ଯେପରି ସମାନ, ସମସ୍ତ ଶିକ୍ଷକ ବି ସମାନ । ଏହି ଉଚ୍ଚଯୋଗ୍ୟତା/ତାଲିମସଂପନ୍ନ ଏବଂ ପ୍ରତିଭାବାନ ଶିକ୍ଷକଙ୍କ ଉପରେ ଜନସାଧାରଣଙ୍କ ଭରସା/ବିଶ୍ୱାସ ତେଣୁ ଅଖଣ୍ଡ; ଭାରତରେ ଯାହା ଦୁଷ୍ପ୍ରାପ୍ୟ ।

ଅଳ୍ପ ପରୀକ୍ଷା = ଅଧିକ ଶିକ୍ଷା
ଭାରତ ସମେତ ଅନ୍ୟ ଦେଶଗୁଡ଼ିକରେ ପ୍ରଥମ ଶ୍ରେଣୀରୁ ହିଁ ପିଲାଙ୍କ ପରୀକ୍ଷା ସଂଖ୍ୟା ବଢ଼ିଚାଲିଛି; କିନ୍ତୁ ଫିନଲାଣ୍ଡର ପିଲାଙ୍କୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ଗୋଟିଏ ବି ପରୀକ୍ଷା ଦେବାକୁ ପଡ଼ିନଥାଏ । ଆମ ପାଇଁ ଏହା ଅବିଶ୍ୱାସ୍ୟ; କିନ୍ତୁ ସତ୍ୟ । ଶିକ୍ଷକମାନେ ନିଜେ ପ୍ରତ୍ୟେକ ପିଲାଙ୍କର ସାମର୍ଥ୍ୟ ଆକଳନ କରିଥାଆନ୍ତି ଓ ସେହି ଅନୁସାରେ ହିଁ ଦୁର୍ବଳ ପିଲାଙ୍କୁ ସବଳ ପିଲାଙ୍କ ସମକକ୍ଷ କରିବା ପାଇଁ ବାଟ ଖୋଜନ୍ତି । ଏହି କାରଣରୁ ସମସ୍ତ ପିଲାଙ୍କ ଶିକ୍ଷାର ମାନ/ସାମର୍ଥ୍ୟ ପ୍ରାୟ ସମାନ ରହେ । ସମଗ୍ର ଶିକ୍ଷାପଦ୍ଧତିରେ କେବଳ ଗୋଟିଏ ହିଁ ଆନୁଷ୍ଠାନିକ ପରୀକ୍ଷା ରଖାଯାଇଛି, ଯାହା ଦଶମ ଶ୍ରେଣୀରେ ପିଲାଙ୍କୁ ଦେବାକୁ ହୋଇଥାଏ । ଯେଉଁଠି ଆଦୌ ପରୀକ୍ଷା ଚିନ୍ତା ନଥିବ, ସେଇଠି ସତରେ ଶିକ୍ଷକ ଓ ଶିକ୍ଷାର୍ଥୀ ପ୍ରକୃତରେ କେତେ ଆନନ୍ଦ ଅନୁଭବ କରୁନଥିବେ! ଭାରତରେ ତ ଘରୋଇ ବିଦ୍ୟାଳୟଗୁଡ଼ିକ ପ୍ରତି ଦଶପନ୍ଦର ଦିନରେ ଥରେ ପିଲାଙ୍କର ‘ଟେଷ୍ଟ୍‍’ ନନେଲେ ସେମାନଙ୍କ ମନ ଶାନ୍ତ ହେଉନି । ତଥାପି ଶିକ୍ଷାରେ ଆମେ ସବା ପଛରେ? ପ୍ରକୃତ କଥା ହେଉଛି ଆମ ଦେଶରେ ଶିକ୍ଷା ନୁହେଁ, ପରୀକ୍ଷା ହିଁ ମୂଳ ଲକ୍ଷ୍ୟ, କାରଣ ଏଠି ସବୁକିଛି ନିର୍ଦ୍ଧାରିତ ହୁଏ ବିଦ୍ୟାର୍ଥୀ ପାଇଥିବା ନମ୍ବର ପ୍ରତିଶତରୁ । ଫିନଲାଣ୍ଡର ଶିକ୍ଷକଟିଏ ପାଠ୍ୟଖସଡ଼ା (କରିକୁଲମ୍‍) ସାରିଦେବାକୁ ଆଦୌ ତରତର ହୁଏ ନାହିଁ; ବରଂ ସେ ପ୍ରତିଦିନ ପାଠବିଷୟ ବାହାରୁ ଅଧିକ ଜ୍ଞାନ ପିଲାଙ୍କୁ ବାଣ୍ଟିବାକୁ ଚେଷ୍ଟା କରେ ଓ ସେହିଭଳି ପରିବେଶ ଏବଂ ପରିସ୍ଥିତି ତିଆରି କରେ । ବାସ୍ତବ ଜୀବନ ବଞ୍ଚିବା ପାଇଁ ଆବଶ୍ୟକ ହେଉଥିବା କଳାକୌଶଳକୁ ବି ସେ ଶିଖାଏ । ପିଲାଏ ଯୋଉ ସମୟରେ ଗଣିତ ଶିଖୁଥାନ୍ତି, ସେତେବେଳେ ରୋଷେଇ, ଘର ସଫା କରିବା, ସଂଗୀତ, କାଠକାମ ପରି ଚମକ୍ରାର କୌଶଳ ବି ଶିଖନ୍ତି । ଆମ ଦେଶରେ ଗଣିତ ଅଧିକାଂଶ ପିଲାଙ୍କ ପାଇଁ ଭୟର କାରଣ ପାଲଟିଥିବାବେଳେ ଫିନ୍ନିଶ ପିଲାଙ୍କର ବିଜ୍ଞାନ (ପ୍ରାଥମିକ ସ୍ତରରୁ ହିଁ ଫିଜିକ୍ସ ବା ପଦାର୍ଥବିଦ୍ୟା ପଢ଼ାଯାଏ) ପରେ ଏହା  ଅନ୍ୟତମ ପ୍ରିୟ ବିଷୟ; କାରଣ ସେଠାରେ ଆମ ଶିକ୍ଷକଙ୍କ ପରି ଗଣିତକୁ ଏତେ ନିରସିଆ ଶୈଳୀରେ ଶିଖାଯାଏ ନାହିଁ, ବରଂ ଗଣିତ ପାଠଟି ଦୈନନ୍ଦିନ ଜୀବନଜୀବିକାରେ କିଭଳି କାର୍ଯ୍ୟରେ ଆସିବ, ସେଇ ସୂତ୍ରଗୁଡ଼ିକୁ ଶିକ୍ଷା ଦିଆଯାଏ । ପିଲାଙ୍କୁ ସମସ୍ୟା ସମାଧାନ ଓ ତର୍କଜ୍ଞାନ (ଲଜିକ୍‍) ଶିଖାଇବା ହିଁ ଅସଲ ଉଦେ୍ଧଶ୍ୟ, ଯାହା ସେମାନଙ୍କୁ ଆତ୍ମବିଶ୍ୱାସୀ/ ନ୍ୟାୟପରାୟଣ କରିବାରେ ସାହାଯ୍ୟ କରିଥାଏ ।

ଅଳ୍ପ ଗଠନପ୍ରଣାଳୀ = ଅଧିକ ଆସ୍ଥା
ଫିନଲାଣ୍ଡ ଶିକ୍ଷାବ୍ୟବସ୍ଥାର ମୂଳ ତା’ର ଗଠନପ୍ରଣାଳୀ ନୁହେଁ, ବରଂ ଆସ୍ଥା/ଭରସା/ବିଶ୍ୱାସ । ଅନ୍ୟକୁ ସନେ୍ଦହ ଦୃଷ୍ଟିରେ ଦେଖି ତା’ ଉପରେ ବିଭିନ୍ନ ପ୍ରକାରର ନୀତିନିୟମ ଲଦିଦେବା ଭାରତୀୟଙ୍କ ବଡ଼ ବଦଭ୍ୟାସ । ଏହି କାରଣରୁ ହିଁ ଆମେ ଦୈନିକ ଯେମିତି ଆଇନ ତିଆରି କରୁ, ସେମିତି ଭାଙ୍ଗୁ ବି! ସତକଥା ହେଉଛି ଯେଉଁଠି ଯେତିକି ଅଧିକ ଆଇନକାନୁନ, ସେଇଠି ସେତିକି ବେଶି ମାନବୀୟ ବିକାଶର ଅବରୋଧ । ଫିନଲାଣ୍ଡ ଏହାକୁ ଠିକ୍‍ ବୁଝିଛି; ତେଣୁ ଶିକ୍ଷାବ୍ୟବସ୍ଥାକୁ ନୀତିନିୟମରେ ଭାରାକ୍ରାନ୍ତ ନକରି ପାରସ୍ପରିକ ବିଶ୍ୱାସକୁ କରିଛି ମୂଳାଧାର । ଉତ୍ତମ ଶିକ୍ଷାବ୍ୟବସ୍ଥା ଯୋଗୁଁ ବିଦ୍ୟାଳୟ ଉପରେ ସମାଜ ଯେମିତି ବିଶ୍ୱାସ ରଖେ; ବିଦ୍ୟାଳୟ ଓ ଅଭିଭାବକ ଯୋଗ୍ୟ/ପ୍ରତିଭାଶାଳୀ ଶିକ୍ଷକଙ୍କ ଉପରେ ସେମିତି ସମ୍ପୂର୍ଣ୍ଣ ଭରସା ରଖନ୍ତି; ଶିକ୍ଷକମାନେ ମଧ୍ୟ ବିଦ୍ୟାର୍ଥୀଙ୍କ ଉପରେ ଓ ବିଦ୍ୟାର୍ଥୀ ଶିକ୍ଷକଙ୍କ ଉପରେ ଭରସା କରନ୍ତି । ଯେଉଁଠି ପରସ୍ପର ଉପରେ ଏକ ଅଖଣ୍ଡ ଭରସା ଥାଏ, ସେଇଠି ବିଫଳତାର ପ୍ରଶ୍ନ ଉଠେ ନାହିଁ । ଫିନଲାଣ୍ଡ ତା’ର ବଡ଼ ଉଦାହରଣ । ଏ ଭରସାକୁ ବ୍ୟବସ୍ଥା କେମିତି ପ୍ରମାଣିତ କରୁଛି, ତାହା ବିଦ୍ୟାଳୟ ପରିଦର୍ଶନକୁ ସମ୍ପୂର୍ଣ୍ଣ ଉଚ୍ଛେଦରୁ ଜଣାପଡ଼ିଥାଏ । ଆମ ଉଚ୍ଚାଧିକାରୀମାନେ ନିୟମିତ ବିଦ୍ୟାଳୟ ପରିଦର୍ଶନ କରୁନଥିବାରୁ ଶିକ୍ଷକ ଠକୁଛନ୍ତି ଓ ଫଳ (ଆମ ଏଇଠି ‘ଶିକ୍ଷା’କୁ ଗୁରୁତ୍ୱ ଦିଆଯାଏନି) ଠିକ୍‍ ହେଉନାହିଁ ବୋଲି ଯୁକ୍ତି କରାଯାଏ; କିନ୍ତୁ ଫିନଲାଣ୍ଡରେ ଆଦୌ ବିଦ୍ୟାଳୟ ପରିଦର୍ଶନ ବ୍ୟବସ୍ଥା ନାହିଁ । ଏହା ଶିକ୍ଷକ/ଶିକ୍ଷାର୍ଥୀଙ୍କୁ ଅଧିକ ସ୍ୱାଧୀନଚେତା/ଦାୟିତ୍ୱବାନ/କର୍ତ୍ତବ୍ୟନିଷ୍ଠ କରିଥାଏ ।

ଫିନଲାଣ୍ଡର ଶିକ୍ଷାପଦ୍ଧତି କେବଳ ନୁହେଁ, ଶିକ୍ଷାବ୍ୟବସ୍ଥାଟା ବି ଅଦ୍ୱିତୀୟ, ଯାହା ସମ୍ପୂର୍ଣ୍ଣ ଶିକ୍ଷାର୍ଥୀ/ଶିକ୍ଷକକୈନ୍ଦି୍ରକ । ସରକାରଙ୍କ ଭୂମିକା କେବଳ ସୁଯୋଗ ସୃଷ୍ଟିକାରୀ । ପ୍ରଥମରୁ ସ୍ନାତକୋତ୍ତର ଶେଷ ପର୍ଯ୍ୟନ୍ତ ସମସ୍ତ ବିଦ୍ୟାର୍ଥୀଙ୍କ ପାଇଁ ସରକାର ନିଃଶୁଳ୍କ ଶିକ୍ଷାବ୍ୟବସ୍ଥା କରିଛନ୍ତି; ଧନୀଗରିବ ନିର୍ବିଶେଷରେ ପ୍ରତ୍ୟେକଙ୍କୁ  ଯୋଗାଇ ଦେଉଛନ୍ତି ସୁଷମ ମଧ୍ୟାହ୍ନ ଭୋଜନ ଓ ପାଠ୍ୟପୁସ୍ତକ । ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଫିନଲାଣ୍ଡରେ ଘରୋଇ ବିଦ୍ୟାଳୟ ନାହିଁ, ସବୁଯାକ ‘ପବ୍ଲିକ୍‍’ ବା ସରକାରୀ ବିଦ୍ୟାଳୟ (ଭାରତରେ ‘ପ୍ରାଇଭେଟ’ (ଘରୋଇ) ସ୍କୁଲର ନାଁରେ ବି ଯୋଡ଼ାଯାଏ ‘ପବ୍ଲିକ୍‍’!) ଯେଉଁମାନେ ବି ଘରୋଇ ସ୍ତରରେ ବିଦ୍ୟାଳୟ ଖୋଲିବାକୁ ଚେଷ୍ଟା କରିଛନ୍ତି, ସେମାନେ ବିଫଳ ହୋଇଛନ୍ତି; କାରଣ ସରକାରୀ ବିଦ୍ୟାଳୟର ଆକର୍ଷଣ ଏଡ଼ାଇଯିବା ଅଭିଭାବକଙ୍କ ପକ୍ଷେ କେବେ ବି ହୋଇନି ସମ୍ଭବ! ଆମ ଏଇଠି ସ୍କୁଲଘର/ପାଇଖାନା ନିର୍ମାଣ ପାଇଁ ବର୍ଷବର୍ଷ ଧରି ସରକାରଙ୍କୁ ବଜେଟ୍‍ ତିଆରିବାକୁ ପଡୁଛି; କିନ୍ତୁ ସେଇଠି ସରକାର ସ୍କୁଲ ଗୃହଗୁଡ଼ିକୁ ମୂଳରୁ ହିଁ ଏମିତି ତିଆରିଛନ୍ତି ଯେ ତାହା ବାସଗୃହଠାରୁ ମଧ୍ୟ ଅଧିକ ସୁବିଧାଯୁକ୍ତ/ନିରାପଦ । ପ୍ରତ୍ୟେକ ବିଦ୍ୟାଳୟର ପରିଚାଳନା ଭାର ମନ୍ତ୍ରୀ/ସଚିବ ନୁହେଁ, ଗାଁ/ସହରର ପରିଚାଳନା ସମିତି ହାତରେ; ଏପରିକି ଶିକ୍ଷକଙ୍କ ନିଯୁକ୍ତି ଦାୟିତ୍ୱ ବି! ସରକାର କେବଳ ଜାତୀୟ ସ୍ତରରେ ଏକ ସ୍ଥୂଳ ପାଠ୍ୟସୂଚୀ ପ୍ରସ୍ତୁତ କରନ୍ତି; କିନ୍ତୁ ସ୍ଥାନୀୟ ଆବଶ୍ୟକତାକୁ ଚାହିଁ ପରିଚାଳନାମଣ୍ଡଳୀ/ଶିକ୍ଷକ/ଶିକ୍ଷାର୍ଥୀ ମିଶି ବିସ୍ତୃତ ପାଠ୍ୟସୂଚୀ କରିଥାନ୍ତି ପ୍ରସ୍ତୁତ, ଯାହା ହୁଏ ମାର୍ଗଦର୍ଶକ । ସ୍ମରଣୀୟ ଯେ ଫିନଲାଣ୍ଡରେ ଶିକ୍ଷାବ୍ୟବସ୍ଥାର କୌଣସି ବିଷୟକୁ ଧରାବନ୍ଧା କରାଯାଏ ନାହିଁ; ତେଣୁ ସବୁକିଛି ସର୍ବଦା ନମନୀୟ ଓ ପରିବର୍ତ୍ତନଶୀଳ । ଏହା ହିଁ ସେ ଦେଶର ଶିକ୍ଷାପ୍ରଗତିର ମହତ୍ତ୍ୱପୂର୍ଣ୍ଣ ହେତୁ ।

ଏହା ଅବଶ୍ୟ ତର୍କସଂଗତ ଯେ ମାତ୍ର ୫୫ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଦେଶ ୧୨୫ କୋଟିର ଦେଶ ଭାରତ ସହ ତୁଳନୀୟ ନୁହେଁ । ତେବେ ଆମେ ଜାତୀୟ ସ୍ତରରେ ଏକାବେଳକେ ନ କରିପାରିଲେ ବି ରାଜ୍ୟସ୍ତରରେ ଏହି ଶ୍ରେଷ୍ଠ ଶିକ୍ଷାବ୍ୟବସ୍ଥା/ପଦ୍ଧତିକୁ ପ୍ରୟୋଗ କରିବାରେ ସମସ୍ୟା କେଉଁଠି? ଭାରତବାସୀଙ୍କ ପ୍ରତ୍ୟେକ ପ୍ରକାରର ଦୁର୍ଗତି ପାଇଁ ଆମ ଅତୀତପ୍ରେମୀ/ମୁଖୀ ଶିକ୍ଷାପଦ୍ଧତି/ବ୍ୟବସ୍ଥା ଯେ ଦାୟୀ, ଏକଥାକୁ ଯେବେ ଆମେ ବୁଝିପାରିବା, ତାକୁ ଫୋପାଡ଼ିଦେବାରେ ଆମେ ନିଶ୍ଚୟ ଅବହେଳା କରିବାନି । ଯଦି କରିବା, ଆମେ ନିଜକୁ ନିର୍ବୋଧ ବୋଲି ହିଁ ପ୍ରମାଣିତ କରିବା । ଆମ ରାଜ୍ୟରେ ଏକଦା ଏଭଳି ମଣିଷଗଢ଼ା ବିଦ୍ୟାଳୟର ଉଜ୍ଜ୍ୱଳ ଦୃଷ୍ଟାନ୍ତ ଥିଲା ‘ସତ୍ୟବାଦୀ ବନବିଦ୍ୟାଳୟ’, ଯୋଉଠି ଥିଲେ ଉଚ୍ଚଶିକ୍ଷାପ୍ରାପ୍ତ ସୁଯୋଗ୍ୟ ଶିକ୍ଷକ । ଓଡ଼ିଶାର ଭାଗ୍ୟକୁ ବଦଳାଇବାକୁ ହେଲେ ସେଭଳି ଶିକ୍ଷାଳୟ/ଶିକ୍ଷକ ଲୋଡ଼ା । ସରକାର ଯଦି ପ୍ରକୃତରେ ଓଡ଼ିଆଙ୍କୁ ଶିକ୍ଷିତ କରିବାକୁ ଚାହୁଁଥାନ୍ତି, ତେବେ ‘କେନ୍ଦ୍ରୀୟ ବିଦ୍ୟାଳୟ’ ଢାଞ୍ଚାରେ ତଥାକଥିତ ‘ମଡେଲ ସ୍କୁଲ’ (ଆଦର୍ଶ ବିଦ୍ୟାଳୟ) ନ ଗଢ଼ି ଅନ୍ତତଃ ଫିନ୍ନିଶ୍‍ ବିଦ୍ୟାଳୟକୁ ‘ଆଦର୍ଶ’ ଭାବେ ନେଇ ନୂଆ ବିଦ୍ୟାଳୟ ଗଢ଼ିବା ଆରମ୍ଭ କରନ୍ତୁ । ରାଜ୍ୟରେ ଏଭଳି ଏକ ଶିକ୍ଷାପଦ୍ଧତି/ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବାର (ବି୍ରଟେନ ସରକାର ପରି ଓଡ଼ିଶା ସରକାର ନିଜ ପ୍ରତିନିଧି (ମନ୍ତ୍ରୀ/ସଚିବ/ଶିକ୍ଷାବିତ୍‍)ଙ୍କୁ ଅନୁଧ୍ୟାନ ପାଇଁ ଫିନଲାଣ୍ଡ ପଠାଇପାରିବେ) ସାହସ ଦେଖାଇବେ କି ଯାହା ‘ଅଳପ=ଅଧିକ’ ସୂତ୍ରରେ ବିଶ୍ୱାସୀ?

(୨୩ ଅଗଷ୍ଟ ୨୦୧୫, ରବିବାର "ସମାଜ"ରେ ପ୍ରକାଶିତ)
Next PostNewer Post Previous PostOlder Post Home

0 comments:

Post a Comment

ଏହି ବ୍ଲଗର ସମସ୍ତ ସାମଗ୍ରୀ ଲେଖକଙ୍କ ସର୍ବସ୍ବତ୍ତ୍ବ ସଂରକ୍ଷିତ. Powered by Blogger.