ମୋଦି-ଯୋଗର ମହିମା

Leave a Comment
ଶୂନ ପରେ ଭାରତ ଯେଉଁ ଗୋଟିଏ ଜିନିଷ ପାଇଁ ଯଥାର୍ଥରେ ଗର୍ବ କରିପାରିବ, ତାହା ହେଉଛି ଯୋଗ । ବିଶ୍ୱକୁ ଏହା ତା’ର ଅନନ୍ୟ ଅବଦାନ । ଏକ ଆଧ୍ୟାତ୍ମିକ ଓ ସାଂସ୍କୃତିକ କ୍ରିୟା ଭାବେ ହଜାରହଜାର ବର୍ଷ ଧରି ନିରବଚ୍ଛିନ୍ନ ଭାବେ ଏହା ଭାରତୀୟଙ୍କ ଜୀବନ ସହ ଓତପ୍ରୋତ ଭାବେ ସମ୍ପୃକ୍ତ । ଗଶେଶଙ୍କ ଗଣ୍ଡିରେ ହାତୀମୁଣ୍ଡ ଲଗାଇ ଭାରତ ସର୍ବପ୍ରଥମେ ପ୍ଲାଷ୍ଟିକ୍‍ ସର୍ଜରୀ କରିଥିବା ବା ଷ୍ଟେମସେଲ ଗବେଷଣାର ଉତ୍ସ ମହାଭାରତରେ ବୋଲି ଦାବି କରିବା ଭଳି ଏହା ଏକ ଉପରଠାଉରିଆ ଦାବି ନୁହେଁ । ସତକୁ ସତ ଏହା ଯେ ଭାରତୀୟଙ୍କ କୃତି, ଏଥିରେ କୌଣସି ସନେ୍ଦହ ନାହିଁ । ଏହି କାରଣରୁ ସାରା ପୃଥିବୀ ଏହାକୁ ମାନିନେବାକୁ ଏବେ କୁଣ୍ଠିତ ହୋଇନାହିଁ । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଯୋଗ ଯେ ମନୁଷ୍ୟ ପାଇଁ ହିତକର, ତାହା ବିଶ୍ୱବାସୀ ବୁଝିପାରିଛନ୍ତି । ତେଣୁ ଅନ୍ୟ ଦେଶର ଲୋକେ ବି କାହିଁ କେବେଠୁ  ‘ୟୋଗା’ ନାଁରେ ଯୋଗ କରିଆସୁଛନ୍ତି ଓ ଭାରତୀୟଙ୍କ ଭିତରେ ଏହା କେବେ ହରାଇନାହିଁ ଲୋକପ୍ରିୟତା । ଯୋଗ ଏକ ପ୍ରାତ୍ୟହିକ କ୍ରିୟା; ତଥାପି ଯୋଗ ପାଇଁ ଗୋଟିଏ ନିର୍ଦିଷ୍ଟ ଦିବସ ସୃଷ୍ଟି କରିବାର ଆବଶ୍ୟକତା ପଡ଼ିଲା କେଉଁଥିପାଇଁ?

ଏ ପ୍ରଶ୍ନ ଆଜି ପଚାରିବା ଗୁରୁତ୍ୱପୂର୍ଣ୍ଣ, କାହିଁକିନା ଏଥିସହ ଯୋଗର ବର୍ତ୍ତମାନ ଓ ଭବିଷ୍ୟତ ଜଡ଼ିତ । ମିଳିତ ଜାତିସଂଘ ଜୁନ ୨୧କୁ ‘ଆନ୍ତର୍ଜାତିକ ଯୋଗ ଦିବସ’ ଭାବେ ଘୋଷଣା କରିବାରେ ଯାହାଙ୍କ ପ୍ରମୁଖ ଭୂମିକା ରହିଛି, ସେଇ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ଭବତଃ ପାଶ୍ଚାତ୍ୟର ବିଭିନ୍ନ ଦିବସଠୁ ପ୍ରେରଣା ନେଇ ଏଭଳି ଏକ ଦିବସ ପ୍ରସ୍ତାବ ଦେଇଥିଲେ ଓ ଏହାକୁ ବିଶ୍ୱର ଅଧିକାଂଶ ଦେଶ ସ୍ୱାଭାବିକ ଭାବେ କରିଛନ୍ତି ସମର୍ଥନ । ବିରୋଧ କରିବାର ନଥିଲା କୌଣସି କାରଣ; କାହିଁକିନା ଯୋଗ ଭାରତୀୟଙ୍କଠାରୁ ଉଦ୍ଭବ ହୋଇଥିଲେ ହେଁ ଏହା ନୁହେଁ କୌଣସି ଗୋଟିଏ ଧର୍ମର ଧର୍ମାନୁଷ୍ଠାନ । ଯୋଗ ସାରା ପୃଥିବୀରେ ଧାର୍ମିକ ନୁହେଁ, ବରଂ ଏକ ଆଧ୍ୟାତ୍ମିକ ଓ ସାଂସ୍କୃତିକ ଅନୁଷ୍ଠାନ ଭାବେ ଲୋକଜୀବନରେ ସ୍ୱୀକୃତ ଏବଂ ପ୍ରଚଳିତ । ଏହି ଦୃଷ୍ଟିରୁ ଦେଖିଲେ ଏଥିପାଇଁ ଗୋଟିଏ ସ୍ୱତନ୍ତ୍ର ଦିବସ ସୃଷ୍ଟି କରାଯିବା ଯୋଗର ଗୁରୁତ୍ୱକୁ ହ୍ରାସ କରିଦେବା ଭଳି କଥା । ଯୋଗ ଯେତେବେଳେ ବ୍ୟକ୍ତିଗତ ବା ସାମାଜିକ ନହୋଇ ସରକାରୀ ଅନୁଷ୍ଠାନରେ ପରିଣତ ହୁଏ, ସେତେବେଳେ ଏଭଳି ବ୍ୟତିକ୍ରମ ହେବା ଅସ୍ୱାଭାବିକ ନୁହେଁ । ଏଭଳି ଦିବସ ଘୋଷଣା ଦ୍ୱାରା ପାଶ୍ଚାତ୍ୟରେ ବାପାମାଆମାନଙ୍କୁ ପୁତ୍ରକନ୍ୟାମାନେ ହତାଦର କରୁଥିବାବେଳେ ବର୍ଷକ ଗୋଟିଏ ଦିନ ପାଇଁ ସେମାନଙ୍କୁ ସାକ୍ଷାତ କରି ସ୍ନେହସମ୍ମାନ ବାଣ୍ଟିବା ପାଇଁ ଫାଦର୍ସ ଡେ’, ମଦର୍ସ ଡେ’ ଇତ୍ୟାଦି ସୃଷ୍ଟି କରିବା ପରି ମୋଦି ଯୋଗକୁ ବି ଗୋଟିଏ ଦିବସରେ ବାନ୍ଧିଦେଇଛନ୍ତି । ସେଇଥିପାଇଁ ‘ଆନ୍ତର୍ଜାତିକ ଯୋଗ ଦିବସ’ (ଇଣ୍ଟରନ୍ୟାସନାଲ ଡେ’ ଅଫ୍‍ ୟୋଗା)ରେ ଦିଲ୍ଲୀର ରାଜପଥରେ ବି ସେ ନିଜେ ସାଜିଛନ୍ତି ଯୋଗ କାର୍ଯ୍ୟକ୍ରମର କର୍ତ୍ତା । ଏ ଦୃଷ୍ଟିରୁ ମୋଦି ନିଶ୍ଚୟ ଅନ୍ୟ ପ୍ରଧାନମନ୍ତ୍ରୀଙ୍କଠାରୁ ସ୍ୱତନ୍ତ୍ର । ସେ କେବଳ ଜଣେ ରାଜନେତା ନୁହନ୍ତି, ଭାରତ ଓ ଯୋଗର ବ୍ରାଣ୍ଡ୍‍ ଆମ୍ବାସାଡର୍‍ । ଗତ ବର୍ଷକ ଭିତରେ ସେ ନିଜର ଏକ ମହାନ ଭାବମୂର୍ତ୍ତି ଗଢ଼ିବା ପାଇଁ ଯେତିକି କଳ-ବଳ-କୌଶଳ ପ୍ରୟୋଗ କରିଛନ୍ତି, ତାହା ଅଭୂତପୂର୍ବ କହିଲେ ଅତୁ୍ୟକ୍ତି ହେବନାହିଁ (ସେ ପଟେଲଙ୍କ ସର୍ବୋଚ୍ଚ ମୂର୍ତ୍ତି ଗଢ଼ିବା କଥା ପ୍ରାୟ ଭୁଲିଯାଇଛନ୍ତି) । ବିଭିନ୍ନ ରାଷ୍ଟ୍ରମୁଖ୍ୟଙ୍କ ସହ ସ୍ଥାନୀୟ ପୋଷାକପରିଚ୍ଛଦ ପିନ୍ଧି ‘ସେଲ୍‍ଫି’ ନେବାରେ ସେ ଯେମିତି ସିଦ୍ଧି ଦେଖାଇଛନ୍ତି, ବରାକ୍‍ ଓବାମା (ଆମେରିକାର ରାଷ୍ଟ୍ରପତି) କି ସି ଜିନପିଙ୍ଗ (ଚୀନର ରାଷ୍ଟ୍ରପତି) ବି ତାଙ୍କ ନିକଟରେ ତୁଚ୍ଛ ବୋଲି ଏକ ଧାରଣା ସୃଷ୍ଟି କରିବାରେ ସେ ହୋଇଛନ୍ତି ସଫଳ । ନିଜ ନାମାବଳୀବୁଣା ସୁଟ୍‍ପିନ୍ଧି ଶକ୍ତି ପ୍ରଦର୍ଶନ କରିବାରେ ବି ସେ ହୋଇନାହାନ୍ତି ସାମାନ୍ୟ କୁଣ୍ଠିତ । ଏଇ କାରଣରୁ ଏବେ ସେ ବହୁ ଭାରତୀୟଙ୍କ ଆଖିରେ ‘ଲାଇଫ୍‍ଷ୍ଟାଇଲ ଗୁରୁ’; ‘ହିରୋ’ । ବେଶପୋଷାକରେ ନୁହେଁ, ଜୀବନଶୈଳୀରେ ମଧ୍ୟ ଅନ୍ୟ ନେତାଙ୍କଠାରୁ ଭିନ୍ନ ହେବାରେ ସେ ସତତ ଚେଷ୍ଟିତ, ଯିଏ ପ୍ରତ୍ୟହ ଯୋଗ କରନ୍ତି । ‘ମେକ ଇନ ଇଣ୍ଡିଆ’ ତାଙ୍କର ପ୍ରମୁଖ କାର୍ଯ୍ୟକ୍ରମ ହେଲେ ବି ଯୋଗ ଭଳି ଭାରତୀୟ ସଂସ୍କୃତିକୁ ବିଦେଶକୁ ରପ୍ତାନୀ କରିବାକୁ ସେ ଏକପ୍ରକାର ଉଚ୍ଛନ୍ନ । କିନ୍ତୁ ଭାରତୀୟ ଯୋଗଗୁରୁମାନେ କେଉଁକାଳୁ ଏହାକୁ ଯେମିତି ସାରା ବିଶ୍ୱରେ ପ୍ରଚାରପ୍ରସାର କରି ଏକ ବୃହତ୍‍ ବ୍ୟବସାୟରେ ପରିଣତ କରିସାରିଛନ୍ତି, ତାକୁ ଦେଖିଲେ ତାଙ୍କ ପ୍ରଚେଷ୍ଟା ମନେହୁଏ ଅନାବଶ୍ୟକ । କେବଳ ଆମେରିକାରେ ଯୋଗ ପାଲଟିଛି ଏକ ବିରାଟ ‘ଇଣ୍ଡଷ୍ଟି୍ର’, ଯାହାର ପରିମାଣ ୨୭ ବିଲିୟନ ଡଲାର ବା ପାଖାପାଖି ୨୦ ହଜାର କୋଟି ଟଙ୍କା । ଏ ସମ୍ପର୍କରେ ‘ହଫିଙ୍ଗଟନ ପୋଷ୍ଟ୍‍’ର ସାମ୍ବାଦିକା କ୍ୟାରୋଲିନ ଗ୍ରେଗୋରଙ୍କ ପ୍ରବନ୍ଧ ‘ହାଓ ୟୋଗା ବିକେମ୍‍ ଏ ୨୭ ବିଲିୟନ ଡଲାର ଇଣ୍ଡଷ୍ଟ୍ରି- ଏଣ୍ଡ୍‍ ରିଇନ୍‍ଭେଣ୍ଟେଡ ଆମେରିକାନ ସ୍ପିରିଚୁଆଲିଟି’ ଆମକୁ ଯୋଗ ସମ୍ବନ୍ଧୀୟ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋକପାତ କରିଥାଏ ।

ଆମେରିକାରେ ଯୋଗକେନ୍ଦ୍ରକୁ ‘ୟୋଗା ଷ୍ଟୁଡିଓ’ ବୋଲି କୁହାଯାଏ, ଯାହାର ସଂଖ୍ୟା ୧୯୭୧ ମସିହାରେ ନିଉୟର୍କରେ କେବଳ ତିନି ଥିଲା । ଏବେ ଏହା ଅଗଣିତ, ଯେଉଁଠି ଯୋଗାଭ୍ୟାସକାରୀଙ୍କ ସଂଖ୍ୟା ୨୦ ନିୟୁତରୁ ଊଦ୍ଧ୍ୱର୍- ଯାହାଙ୍କ ମଧ୍ୟରୁ ୮୩ ପ୍ରତିଶତ ମହିଳା । ଯୋଗକୁ ବର୍ତ୍ତମାନ ସାରା ପୃଥିବୀରେ ଲୋକପ୍ରିୟ କରିଥିବା ଗୁରୁ ଶ୍ରୀଶ୍ରୀ ରବିଶଙ୍କର, ‘ସଦ୍‍ଗୁରୁ’ ଜଗ୍‍ଗି ବାସୁଦେବ, ବାବା ରାମଦେବଙ୍କ ବହୁପୂର୍ବରୁ ଅନ୍ୟ ଯୋଗଗୁରୁମାନେ ବିଦେଶ ଯାଇ ସେଠାରେ ଯୋଗ ଶିଖାଉଛନ୍ତି । ଭାରତରୁ ପାଶ୍ଚାତ୍ୟକୁ ଊନବିଂଶ ଶତାବ୍ଦୀରେ ହିଁ ଯୋଗ ପ୍ରସାରିତ ହୋଇଥିଲା ଏବଂ ବିଶ୍ୱବିଖ୍ୟାତ କବି-ଲେଖକ-ଦାର୍ଶନିକ ହେନରି ଡେଭିଡ ଥୋରୋ (୧୮୧୭-୧୮୬୨)ଙ୍କୁ ‘ଆମେରିକାର ପ୍ରଥମ ଯୋଗୀ’ ବୋଲି କୁହାଯାଏ । ତେବେ ୧୯୭୦ ମସିହା ପରଠାରୁ ଆମେରିକାରେ ଯୋଗ ବିସ୍ତାର ଲାଭ କରିଥିଲା । ବର୍ତ୍ତମାନ ସେଠାରେ ଯୋଗ ଏକ ଫେସନ ପାଲଟିଲାଣି । ଫଳସ୍ୱରୂପ ଏହା କେବଳ କେତେକ ଶାରୀରିକ ଆସନ ଭିତରେ ହୋଇଯାଇଛି ସୀମିତ । ଏହା ଦେଖି ୨୦୧୦ରେ ସେଠାକାର ହିନ୍ଦୁ ଆମେରିକା ଫାଉଣ୍ଡେସନ (ଏଚଏଏଫ) ନାମକ ସଂଗଠନ ଆରମ୍ଭ କରିଥିଲା ‘ଟେକ୍‍ ବ୍ୟାକ୍‍ ୟୋଗା’ ଆନେ୍ଦାଳନ, ଯାହାର ଉଦେ୍ଧଶ୍ୟ ଥିଲା ମୂଳ ଯୋଗ ପ୍ରତି ଲୋକଙ୍କୁ ସଚେତନ କରାଇବା ସହ ହିନ୍ଦୁତ୍ୱ ପ୍ରତି ଦୃଷ୍ଟି ଆକର୍ଷଣ କରିବା । ଏ ଆନେ୍ଦାଳନ ଅବଶ୍ୟ ବେଶିଦିନ ତିଷ୍ଠି ପାରିନଥିଲା, କାରଣ ଆମେରିକୀୟମାନେ ଯୋଗକୁ ଧାର୍ମିକ ନୁହେଁ, ଆଧ୍ୟାତ୍ମିକ ଦୃଷ୍ଟିରେ ଦେଖନ୍ତି (ସ୍କୁଲରେ ଯୋଗଶିକ୍ଷା ନେଇ ହୋଇଥିବା ଏକ ମାମଲାରେ ଆମେରିକାର ଏକ ଅଦାଲତ ମଧ୍ୟ ଏହାକୁ ‘ଆଧ୍ୟାତ୍ମିକ’ ଆଖ୍ୟା ଦେଇଥିଲେ) ।

ଅଥଚ ଯୋଗକୁ ଆନ୍ତର୍ଜାତିକ ରୂପ ଦେବାକୁ ସରକାରୀ ସ୍ତରରେ ପ୍ରଚେଷ୍ଟା କରି ମୋଦି ଏହାକୁ ସେହିଭଳି ସଂକୀର୍ଣ୍ଣ କରିଦେବାର ବାଟ ପ୍ରଶସ୍ତ କରୁନାହାନ୍ତି ତ? ଏଭଳି ଆଶଙ୍କାର କାରଣ ହେଉଛି ଆନ୍ତର୍ଜାତିକ ଯୋଗ ଦିବସର ‘ଟି-ସାର୍ଟ’ ପିନ୍ଧାଇ ଲୋକଙ୍କୁ କେବଳ ‘ଆସନ’ କରିବାକୁ ଉସୁକାଇବାର ପ୍ରଚେଷ୍ଟା । ପତଞ୍ଜଳି ଯୋଗସୂତ୍ରରେ କୁହାଯାଇଛି ‘ଯୋଗଃ ଚିତ୍ତବୃତ୍ତି ନିରୋଧଃ’ । ଚିତ୍ତ ବୃତ୍ତିକୁ ନିରୋଧ କରିବା ହିଁ ପ୍ରକୃତ ଯୋଗ; ଯାହା ସହଜସାଧ୍ୟ ନୁହେଁ । ମୋଦି କାହାକୁ ରାଜପଥରେ ବା ଭାରତୀୟ ଦୂତାବାସ ଭିତରେ ବସାଇ ପ୍ରକୃତ ଯୋଗ ଶିଖାଇପାରିବେ ନାହିଁ କି ସେମାନଙ୍କ ଚିତ୍ତ ବୃତ୍ତିକୁ ନିରୋଧ କରିବାରେ ସାହାଯ୍ୟ କରିପାରିବେ ନାହିଁ । ତାଙ୍କୁ ‘ରୋଲ୍‍ ମଡେଲ’ ବୋଲି ଧରିନେଇଥିବା କିଛି ଲୋକଙ୍କୁ ହୁଏତ ଏହା ଯୁଗାନ୍ତକାରୀ  ମନେହୋଇପାରେ; କିନ୍ତୁ ଗୋଟିଏ ଦିନ ଶାରୀରିକ ଅଙ୍ଗଚାଳନା କରିବା ଦ୍ୱାରା କାହାର କିଛି ଲାଭ ହେବନାହିଁ, ସାମାନ୍ୟ ଅତୁ୍ୟତ୍ସାହିତ କ୍ଷଣିକ ଆତ୍ମତୃପ୍ତି ଲାଭ ବ୍ୟତୀତ । ପ୍ରତୀକ ସୃଷ୍ଟି ଓ ପ୍ରଚାରରେ ମାହିର୍‍ ମୋଦି ଅବଶ୍ୟ ଏହାଦ୍ୱାରା ଲାଭବାନ ହେବେ; କାରଣ ସେ ଜାଣନ୍ତି ଯେ ହ୍ୟାମବର୍ଗର, ପିଜା ଓ ନୁଡୁଲ୍ସ ଖାଇ ଚର୍ବି ବଢ଼ାଉଥିବା ଭାରତୀୟ ଉଚ୍ଚବର୍ଗ ଓ ମଧ୍ୟବର୍ଗ ପାଇଁ ଯୋଗ ଏବେ ବି ଏକ ଆକର୍ଷଣୀୟ ନିଦାନ । ବିନା ପଇସାରେ ଯଦି ଯାବତୀୟ ରୋଗ ଦୂର ହୋଇପାରିବ, ତେବେ ଯୋଗକୁ ଆପଣାଇବାରେ କ୍ଷତି କ’ଣ? କିନ୍ତୁ ଧ୍ୟାନଯୋଗ୍ୟ ଯେ କେବଳ ଶାରୀରିକ ଅଙ୍ଗଭଙ୍ଗୀକୁ ଯୋଗ କହିବା ଦ୍ୱାରା ଯୋଗର ମୌଳିକତା ହେଉଛି କ୍ଷୁଣ୍ଣ । ପାଶ୍ଚାତ୍ୟ ସଭ୍ୟତାର ଅଧିକାଂଶ ତତ୍ତ୍ୱ ଶରୀର ଉପରେ ପର୍ଯ୍ୟବସିତ ହୋଇଥିବାବେଳେ ଭାରତୀୟ ସଭ୍ୟତାର ତତ୍ତ୍ୱ ଶରୀର ବ୍ୟତୀତ ମନ, ଚେତନା ଓ ଆତ୍ମାକୁ ନେଇ ପ୍ରସାରିତ । ଏହା ଭୁଲିଯିବା ଅନୁଚିତ । ଏହି କାରଣରୁ ଚିତ୍ତବୃତ୍ତି ନିରୋଧର ନାମ ଯୋଗ ବୋଲି କୁହାଯାଇଛି; କିନ୍ତୁ ମୋଦି-ଯୋଗ କେବଳ ଶରୀର ଉପରେ ଧ୍ୟାନ ଦେଇଥିବା ମନେହେଉଛି । ଚିତ୍ତବୃତ୍ତି ନିରୋଧ ହେବା ବଦଳରେ ପ୍ରସାରିତ ହେବାର ସୁଯୋଗ ସୃଷ୍ଟି କରାଯାଇଛି । ମୋଦି ସ୍ୱଚ୍ଛ ଭାରତ ଅଭିଯାନ ଭଳି ଯୋଗକୁ ବି କେବଳ କୌଶଳକୈନ୍ଦି୍ରକ ଓ ପ୍ରଚାରବହୁଳ କରିଦେଇଛନ୍ତି । ସେ ଯୋଗର ସାଂସ୍କୃତିକ ପୃଷ୍ଠଭୂମି, ଆଧ୍ୟାତ୍ମିକ ବିଚାର ଓ ଦାର୍ଶନିକ ଚେତନାକୁ ଦୂରେଇ ଦେଇ କେବଳ ତାକୁ କସରତ ଭାବେ ଉପସ୍ଥାପିତ କରୁଛନ୍ତି । ମୋଦିଙ୍କ ସରକାରୀ ଯୋଗରେ ସାଧନା ଜରୁରୀ ନୁହେଁ, କେବଳ ଲୋକଦେଖାଣିଆ ଅଙ୍ଗଚାଳନା ଲୋଡ଼ା । ଏହା ହିଁ ବିଡ଼ମ୍ବନା । ସମ୍ଭବତଃ ଏହି କାରଣରୁ ପ୍ରଥମ ଦିନରେ ହିଁ ବିଶ୍ୱ ରେକର୍ଡ କରିବାର ଆଶା । ମୋଦି ରାଜନୀତିର ତେନ୍ଦୁଲକର; ପୂର୍ବର ସବୁ ରେକର୍ଡ ଭଙ୍ଗ କରିବାକୁ ଚାହାନ୍ତି । ଅନ୍ୟ କାହାକୁ ସୁଯୋଗ ନଦେଇ ସବୁ ଓଭର୍‍ ଏକା ଖେଳିବାକୁ ତାଙ୍କର ଇଚ୍ଛା । ଏଭଳି ଆଭିମୁଖ୍ୟ ଜଣେ ଖେଳାଳିର ଆପଣା ସ୍ୱାର୍ଥ ପାଇଁ ହୁଏତ ଭଲ, କିନ୍ତୁ ଅନ୍ୟମାନଙ୍କ ଲାଗି ଚିନ୍ତାଜନକ । ଦେଶ କ୍ଷେତ୍ରରେ ଏହା ବିପଜ୍ଜନକ । କୋଣଠେସା ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡ଼ୱାଣୀଙ୍କ ‘ଜରୁରୀକାଳୀନ ଆଶଙ୍କା’କୁ ଏ ଦୃଷ୍ଟିରୁ କହିହେବ ନାହିଁ ଅପ୍ରାସଙ୍ଗିକ ।

ଯୋଗ କରିବା, ଲୋକଙ୍କୁ ଓ ସରକାରୀ କର୍ମଚାରୀ/ଅଧିକାରୀଙ୍କୁ ସଦାଚାର, ପରିଷ୍କାର ପରିଚ୍ଛନ୍ନତା, କର୍ମ ପ୍ରତି ନିଷ୍ଠାପରତା ଆଦି ଶିକ୍ଷାଦେବା ଜରୁରୀ ହେଲେ ବି ଏସବୁ ପ୍ରଧାନମନ୍ତ୍ରୀଙ୍କର ମୁଖ୍ୟ କାର୍ଯ୍ୟ ନୁହେଁ । ସମାଜ ଓ ଦେଶରେ ଶାନ୍ତି ପ୍ରତିଷ୍ଠା, ଧାର୍ମିକ ଉନ୍ମାଦନା ଓ ଘୃଣା-ଦ୍ୱେଷ-ହିଂସା ସୃଷ୍ଟି କରିବାକୁ ନଦେବା, ସମସ୍ତଙ୍କୁ ସମୁଚିତ ନ୍ୟାୟ ଉପଲବ୍ଧ କରାଇବା, ଦେଶର ଅର୍ଥ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ ରଖିବା, ଶିକ୍ଷା ଓ ରୋଜଗାର ବଢ଼ାଇବା, ଜନସାଧାରଣଙ୍କ ଧନଜୀବନର ସୁରକ୍ଷା ସୁନିଶ୍ଚିତ କରିବା ଏବଂ ସାମାଜିକ-ଆର୍ଥିକ ନିରାପତ୍ତା ପ୍ରଦାନ କରିବା, ଦରିଦ୍ର-ଚାଷୀମୂଲିଆ ଏବଂ ସମାଜର ପୀଡ଼ିତ-ଦଳିତଙ୍କ ହିତ ପ୍ରତି ଧ୍ୟାନଦେବା ଇତ୍ୟାଦି ତାଙ୍କର ପ୍ରମୁଖ ଦାୟିତ୍ୱ । ମୋଦି ଯୋଗାସନକୁ ଯେତିକି ପ୍ରାଧାନ୍ୟ ଦେଉଛନ୍ତି, ସେତିକି ପ୍ରାଧାନ୍ୟ ଶିକ୍ଷା-ସ୍ୱାସ୍ଥ୍ୟ-କୃଷି-ପରିବେଶକୁ ଦେଉଥିବା ମନେହେଉନାହିଁ ।
ଅନ୍ତତଃ, ଯୋଗର ଆନ୍ତର୍ଜାତିକୀକରଣ ଓ ରାଜନୀତିକରଣ ଉଦ୍ୟମରେ ତା’ର ମୌଳିକତା ଯେମିତି ନଷ୍ଟ ନହୁଏ, ସେଥିପ୍ରତି ଯତ୍ନବାନ ହେବା ସରକାରଙ୍କ ସମେତ ସମସ୍ତଙ୍କର କର୍ତ୍ତବ୍ୟ । ଯୋଗ ପ୍ରତି ନକାରାତ୍ମକ ମନ୍ତବ୍ୟ ଦେଉଥିବା ବ୍ୟକ୍ତିଙ୍କୁ ମଧ୍ୟ ଯେପରି ଦେଶଦ୍ରୋହୀ କରି ନଦିଆଯାଏ, ତାହା ମଧ୍ୟ ନିଶ୍ଚିତ ହେବା ଆବଶ୍ୟକ  (ବିଜେପି ସାଂସଦ ଯୋଗୀ ଆଦିତ୍ୟନାଥଙ୍କ ମତରେ ଯେଉଁମାନେ ଯୋଗକୁ ବିରୋଧ କରିବେ, ସେମାନଙ୍କୁ ସମୁଦ୍ରରେ ଫିଙ୍ଗାଯିବା ଦରକାର) । ଯେଉଁ ଯୋଗ ସୁସ୍ୱାସ୍ଥ୍ୟ, ଶାନ୍ତି ଓ ମୋକ୍ଷ ପ୍ରଦାନରେ ସହାୟକ, ତାହା ଯନ୍ତ୍ରଣା ଓ ଅଶାନ୍ତିର କାରଣ ନହେଉ ।
Next PostNewer Post Previous PostOlder Post Home

0 comments:

Post a Comment

ଏହି ବ୍ଲଗର ସମସ୍ତ ସାମଗ୍ରୀ ଲେଖକଙ୍କ ସର୍ବସ୍ବତ୍ତ୍ବ ସଂରକ୍ଷିତ. Powered by Blogger.