ଅଳପ = ଅଧିକ (୧)

Leave a Comment
ଶିକ୍ଷା ଏମିତି ଯନ୍ତ୍ର ନିର୍ମାଣ କରେ, ଯାହା ମଣିଷ ପରି କାମ କରିଥାଏ ଏବଂ ଏମିତି ମଣିଷ ଗଢ଼େ ଯାହା ଯନ୍ତ୍ର ପରି କାର୍ଯ୍ୟ କରେ ।
(ଗ୍ରେଟ୍‍ କୋଟ୍ସ ଟୁ ଇନ୍ସପାୟାର ଗ୍ରେଟ୍‍ ଟିଚର୍ସ; ପୃ: ୨୩)
ଫିନଲାଣ୍ଡର ଏକ ବିଦ୍ୟାଳୟରେ ଛାତ୍ରଛାତ୍ରୀ ଓ ଶିକ୍ଷୟିତ୍ରୀ

ଜର୍ମାନୀର ପୃଥିବୀ ପ୍ରସିଦ୍ଧ ସମାଜତତ୍ତ୍ୱବିତ୍‍-ମାନବବାଦୀ ଦାର୍ଶନିକ ଏରିକ୍‍ ଫ୍ରମ୍‍ (୧୯୦୦-୧୯୮୦) ଯୋଉ ପରିପ୍ରେକ୍ଷୀରେ ଏକଥା କହିଥାଆନ୍ତୁନା କାହିଁକି, ଆଧୁନିକ ଶିକ୍ଷା ପଦ୍ଧତି, ବିଶେଷକରି ଭାରତୀୟ ଶିକ୍ଷା ବ୍ୟବସ୍ଥା ପାଇଁ ଜଣାପଡ଼େ ଶତ ପ୍ରତିଶତ ସତ । ଆମ ଶିକ୍ଷା ଏଭଳି ଯନ୍ତ୍ର ତିଆରି କରିବାରେ ସମର୍ଥ ହେଉଛି, ଯାହା ମନୁଷ୍ୟ ପରି କାର୍ଯ୍ୟ କରୁଛି; କିନ୍ତୁ ଏପରି ମନୁଷ୍ୟ ବି ଗଢ଼ୁଛି ଯାହା ଯନ୍ତ୍ରବତ୍‍ ମନେହେଉଛି ନିଷ୍ପ୍ରାଣ/ନିସ୍ପନ୍ଦ/ନିସ୍ପୃହ । କହିବାର ଅର୍ଥ ହେଲା ଶିକ୍ଷା ଦ୍ୱାରା ମଣିଷ ନିକଟରେ ଯେଉଁ ମନୁଷ୍ୟତ୍ୱ ଓ ମାନବୋଚିତ ସୁଗୁଣ ସବୁର ବିକାଶ ହେବା କଥା ତାହା ହେଉନାହିଁ, ବରଂ ପ୍ରାକୃତିକ ଗୁଣ ଅନ୍ତର୍ହିତ ହୋଇଯାଇ ମଣିଷ ପାଲଟିଯାଉଛି ଯନ୍ତ୍ର । ଅନ୍ୟ ଅର୍ଥରେ କହିଲେ ଶିକ୍ଷା ମନୁଷ୍ୟକୁ ଯନ୍ତ୍ର କରିଦେଉଛି ଓ ଏହି ଯନ୍ତ୍ର ତିଆରି କାରଖାନାର ନାଁ ବିଦ୍ୟାଳୟ/ ମହାବିଦ୍ୟାଳୟ/ ବିଶ୍ୱବିଦ୍ୟାଳୟ, ଯାହାକୁ କିଏ ଜଣେ ଆଖ୍ୟା ଦେଇଥିଲେ ‘ମଣିଷଗଢ଼ା କାରଖାନା’ । ଏସବୁ ମଣିଷଗଢ଼ା କାରଖାନାରେ ଏବେ ଗଢ଼ାଯାଉଛି ଯନ୍ତ୍ର, ଯାହାର ନାହିଁ ମାନବୋଚିତ ଗୁଣ/ ଚରିତ୍ର/ ଧର୍ମ । ଇଂରେଜୀ ‘ଏଜୁକେସନ’କୁ ଭାରତୀୟମାନେ ‘ଶିକ୍ଷା’ ନୁହେଁ, ‘ବିଦ୍ୟା’ ଭାବେ ଦର୍ଶାଇଛନ୍ତି କୋଉକାଳୁ ଏବଂ କରିଛନ୍ତି ବି ଏହାର ଲକ୍ଷ୍ୟ ନିରୂପଣ । ଗପ ମାଧ୍ୟମରେ ଶିକ୍ଷା ଦେବା ଥିଲା ଏକଦା ଭାରତୀୟଙ୍କର ଏକ ଚମକ୍ରାର ଶୈଳୀ, ଯାହାକୁ କ୍ରମଶଃ ଆମେ ଭୁଲିଯାଇଛୁ । ‘ହିତୋପଦେଶ’ର ରଚନା ଠିକ୍‍ ସେହି ଉଦେ୍ଧଶ୍ୟରେ ହିଁ ହୋଇଥିଲା, ଯୋଉଥିରେ ‘ଏଜୁକେସନ’ ବା ବିଦ୍ୟାର ଲକ୍ଷ୍ୟ ବର୍ଣ୍ଣିତ ହୋଇଛି ଏଇପରି:
“ବିଦ୍ୟା ଦଦାତି ବିନୟମ୍‍ ବିନୟାଦ୍‍ୟାତି ପାତ୍ରତାମ୍‍
ପାତ୍ରତ୍ୱାଦ୍ଧନମାପ୍ନୋତି ଧନାଦ୍ଧର୍ମଂ ତତଃ ସୁଖମ୍‍” ।

ଯେ କୌଣସି କର୍ମ ପରି ବିଦ୍ୟାଧ୍ୟୟନର ଚରମ ଲକ୍ଷ୍ୟ ସୁଖ; କିନ୍ତୁ ତାହା କିଭଳି ମିଳିଥାଏ, ନା’ ବିଦ୍ୟା ପ୍ରଥମେ ଦିଏ ବିନୟ, ବିନୟ ମଣିଷକୁ କରେ ଯୋଗ୍ୟ ପାତ୍ର/ଚରିତ୍ର, ଯୋଗ୍ୟ ଚରିତ୍ର ହେଲେ ମିଳିଥାଏ ଧନ, ଧନରୁ ଧର୍ମ (ଏଇଠି ଏହାର ଅର୍ଥ ପ୍ରତ୍ୟେକଙ୍କ ପ୍ରତି ସତ୍ୟ ଓ ନ୍ୟାୟପରାୟଣତା) ଓ ଧର୍ମରୁ ଆସେ ସୁଖ । ଅଥଚ ଆମ ବିଦ୍ୟାଳୟଗୁଡ଼ିକରେ ବିଦ୍ୟାର୍ଥୀଙ୍କୁ ଦାନ/ପ୍ରଦାନ କରାଯାଉଥିବା ବିଦ୍ୟାର ଲକ୍ଷ୍ୟ ବହୁଳାଂଶ କେବଳ ଧନୋପାର୍ଜନ; ନିର୍ଦିଷ୍ଟ ଭାବେ କହିଲେ ଚାକିରି । ଗଣିତ, ସାହିତ୍ୟ, ଦର୍ଶନ, ବିଜ୍ଞାନ- ପ୍ରତ୍ୟେକ ବିଦ୍ୟାର ଲକ୍ଷ୍ୟ ମଣିଷକୁ ଚାକର କରିବା; ଯନ୍ତ୍ର ବନାଇବା । ଭାରତୀୟ ଶିକ୍ଷା ବ୍ୟବସ୍ଥା ଏମିତି ତିଆରି ହୋଇଛି ଯେ ଆମ ବିଦ୍ୟାଳୟ/ମହାବିଦ୍ୟାଳୟ/ବିଶ୍ୱବିଦ୍ୟାଳୟସବୁ ଶିକ୍ଷାଳୟରେ ପରିଣତ ହୋଇପାରିନାହାନ୍ତି । ଏଇଠି ବିଦ୍ୟାଳୟ ଓ ଶିକ୍ଷାଳୟ ଭିତରେ ତାରତମ୍ୟଟା ବୁଝିବା ଜରୁରୀ । ବିଦ୍ୟାଳୟ ହେଉଛି ତାହା ଯେଉଁଠି ବିଭିନ୍ନ ବିଷୟର ପାଠ୍ୟ ବିଷୟକୁ ବିଦ୍ୟାର୍ଥୀଙ୍କ ମୁଣ୍ଡରେ ଯେନତେନପ୍ରକାରେ ପୂରାଇ ଦିଆଯାଏ; କିନ୍ତୁ ଶିକ୍ଷାଳୟରେ ପାଠ୍ୟପୁସ୍ତକ କେବଳ ଶିକ୍ଷା ଅର୍ଜନରେ ସହାୟତା କରେ, ତାହା ଆଦୌ ଶିକ୍ଷା (ଇଂରେଜୀରେ ଏହାର ଏକ ଚମକ୍ରାର ଶବ୍ଦ ରହିଛି- ଲର୍ଣ୍ଣିଂ) ଦିଏ ନାହିଁ । ଅର୍ଥାତ ଶିକ୍ଷାଳୟରେ ବହି/ ଶିକ୍ଷକ/ ପରିପାଶ୍ୱର୍ କେବଳ ଶିକ୍ଷାର ମାଧ୍ୟମ ହୁଅନ୍ତି, ସେମାନେ ଶିକ୍ଷା ଦିଅନ୍ତି ନାହିଁ । କାରଣ ଏମାନେ ବିଦ୍ୟାଦାନ କରିପାରନ୍ତି, କିନ୍ତୁ ଶିକ୍ଷା ଦେଇପାରନ୍ତି ନାହିଁ; କାହିଁକିନା ବିଦ୍ୟାକୁ ଦାନ/ପ୍ରଦାନ ବା ଗ୍ରହଣ କରିହୁଏ; ଶିକ୍ଷାକୁ କେବଳ ଅର୍ଜନ କରିହୁଏ । ଏ ସୂକ୍ଷ୍ମ ତାରତମ୍ୟକୁ ବୁଝିବାକୁ ପଡ଼ିବ ।

ଆମ ବିଦ୍ୟାର ଆଳୟଗୁଡ଼ିକ ଏ ପର୍ଯ୍ୟନ୍ତ ଶିକ୍ଷାର ଆଳୟ ହୋଇପାରିନାହିଁ, କାରଣ ସେ ସମ୍ପର୍କରେ ପ୍ରକୃତରେ କେବେ ଚିନ୍ତା କରାଯାଇନାହିଁ/ କରାଯାଉନାହିଁ । ଯୋଉମାନେ ଚିନ୍ତା କରୁଛନ୍ତି, ସେମାନଙ୍କ ହାତରେ ଖଡ଼ା ସିଝୁନାହିଁ ବା ସିଝାଇବାକୁ ସେମାନେ କୋଉଦିନଠୁ ହେଲେଣି ଅଯୋଗ୍ୟ । ଭାରତରେ ବିଦ୍ୟା ଆଉ ଦାନ କରାଯାଉନାହିଁ, ବିକ୍ରି କରାଯାଉଛି; ଯୋଉଠି ଶିକ୍ଷକ ବିକ୍ରେତା ଓ ଦଲାଲ ସାଜିଛି ବିଦ୍ୟାଳୟ-ନିର୍ମାତା । ବିଦ୍ୟା ବିକ୍ରୟଯୋଗ୍ୟ ହେବାପରେ ସ୍ୱାଭାବିକଭାବେ ବିଦ୍ୟାର ଆଳୟଗୁଡ଼ାକ ପାଲଟିଛି ‘ଇଣ୍ଡଷ୍ଟ୍ରି’ । ଏ ଇଣ୍ଡଷ୍ଟ୍ରିରେ ଯେଉଁ ବିଦ୍ୟା ପ୍ରଦାନ କରାଯିବ, ତାହା ବିଦ୍ୟାର୍ଥୀକୁ ମନୁଷ୍ୟ ନୁହେଁ, ଯନ୍ତ୍ର କରିବା ପାଇଁ ହିଁ ଅଭିପ୍ରେତ; ଏଭଳି ଯନ୍ତ୍ର ଯାହା ମାନବୀୟ ଗୁଣ/ଧର୍ମ/ଚରିତ୍ରକୁ ବାଦ୍‍ଦେଇ ସାରା ଜୀବନ କଳେବଳେକୌଶଳେ ଧନସଂପତ୍ତି ସୃଷ୍ଟି/ଠୁଳ କରିଚାଲିବ ଅପ୍ରମିତ । ଏଥିରେ ଶିକ୍ଷା କାହିଁ?

ଆମ ସରକାର ବି ଭାବୁଛନ୍ତି ଯେ କେବଳ ସର୍ବଶିକ୍ଷା ଅଭିଯାନରେ ବାହାରିଗଲେ ଶିକ୍ଷାର ସୁନାମିରିଗ ସବୁ ଧରାପଡ଼ିଯିବେ; ସଭିଏଁ ଶିକ୍ଷିତ ହୋଇଯିବେ; ସରକାରୀ ଭାଷାରେ କହିଲେ ‘ଗୁଣାତ୍ମକ ଶିକ୍ଷା’ ପାଇଯିବେ;  କିନ୍ତୁ ଆମ ବିଦ୍ୟାଳୟଗୁଡ଼ିକରେ ଗୁଣାତ୍ମକ ଶିକ୍ଷା (ଧ୍ୟାନ ଦିଅନ୍ତୁ, ଶିକ୍ଷା ସର୍ବଦା ଗୁଣାତ୍ମକ) କଥା ଦୂରେ ଥାଉ, ଗୁଣାତ୍ମକ ପାଠ ମଧ୍ୟ ହାସଲ କରିବା ହେଉନି/ନୁହେଁ ସମ୍ଭବ, କାହିଁକିନା ବିଦ୍ୟା ଦାନ/ଗ୍ରହଣର ପଦ୍ଧତିଟା ଆମୂଳଚୂଳ ବିଦ୍ୟାର୍ଥୀ-ପ୍ରତିକୂଳ; ତଥାକଥିତ ‘ଶିକ୍ଷା ବ୍ୟବସ୍ଥା’ଟା ବି ବିଦ୍ୟାର୍ଥୀ-ବିଦ୍ୟାଦାତାକୈନ୍ଦ୍ରିକ ହେବା ବଦଳରେ ଅନେକ ସମୟରେ ମନେହୁଏ ପରିଦର୍ଶକ-ସଚିବ-ମନ୍ତ୍ରୀକୈନ୍ଦ୍ରିକ! ବିଦ୍ୟାର୍ଥୀଙ୍କ ପାଇଁ ଯିଏ ପ୍ରକୃତରେ ହୁଅନ୍ତା ଦିଗ୍‍ଦର୍ଶକ, ସେଇ ଶିକ୍ଷକ ହିଁ ଏଇଠି ନିଜେ ଯେପରି ନିର୍ଯାତିତ/ଯାନ୍ତ୍ରିକ, ସେହିପରି ଅଯୋଗ୍ୟ/ ପୀଡ଼କ । ଯଥାର୍ଥ ଶିକ୍ଷକଟିଏ ସମାଜର କେବଳ ଦାୟିତ୍ୱବାନ  ଓ ମହତ୍ତ୍ୱପୂର୍ଣ୍ଣ ସଦସ୍ୟ ନୁହନ୍ତି, ସେ ପୃଥିବୀର ଭାଗ୍ୟ ବଦଳାଇବାର ସାମର୍ଥ୍ୟ ରଖୁଥିବା ଜଣେ ମହାନ ଦୂରଦ୍ରଷ୍ଟା/ଦାର୍ଶନିକ । ଅଥଚ ଆଜି ଭାରତର ପ୍ରାଥମିକ ଶିକ୍ଷକ ହାତରେ ପ୍ଲାକାର୍ଡ/ବ୍ୟାନର୍‍ ଧରି ସର୍ବତ୍ର ରାଜରାସ୍ତାର ପଥିକ! ଦୃଷ୍ଟି-ଦର୍ଶନହୀନ/ ଆଗ୍ରହଶୂନ୍ୟ ‘ମହା’ବିଦ୍ୟାଳୟ/ ‘ବିଶ୍ୱ’ବିଦ୍ୟାଳୟର ଅଧ୍ୟାପକ, ଯାହାଙ୍କ ହାତରେ ଆମେ ଟେକିଦେଇଛୁ ଏ ଦେଶର ଜ୍ଞାନଗରିମା ଭବିଷ୍ୟତ ନାଗରିକଙ୍କ । ସରକାର ଓ ତାଙ୍କ ଚାଟୁକାରମାନେ କିନ୍ତୁ ଘୋର ଆଶାବାଦୀ ଯେ ଭାରତକୁ ଆଗାମୀ କେଇବର୍ଷ ମଧ୍ୟରେ ସେମାନେ କରିଦେବେ ମହାଶକ୍ତି (ସୁପରପାୱାର); ବିଶ୍ୱଗୁରୁ । ସେପଟେ ରଘୁରାମ ରାଜନ (ରିଜର୍ଭ ବ୍ୟାଙ୍କ ଅଫ୍‍ ଇଣ୍ଡିଆର ଗଭର୍ଣ୍ଣର) କହିଲେଣି, ଅର୍ଥନୈତିକ ନୀତିନିର୍ମାଣ ପାଇଁ ଦେଶରେ ବିଜ୍ଞ ଅର୍ଥନୀତିଜ୍ଞଙ୍କ ଘୋର ଅଭାବ ତ ନାରାୟଣ ମୂର୍ତ୍ତି (ପ୍ରଖ୍ୟାତ ସୂଚନାପ୍ରଯୁକ୍ତି ବିଶାରଦ) ପ୍ରଶ୍ନ କଲେଣି: “ଗତ ଷାଠିଏ ବର୍ଷ ଭିତରେ ଭାରତ ଏମିତି ଗୋଟିଏ ବି ଜିନିଷ କ’ଣ କରିପାରିଛି ନିର୍ମାଣ, ଯାହାର ହୋଇଛି ବିଶ୍ୱବ୍ୟାପୀ ପ୍ରଚଳନ; ଗୋଟିଏ ବି ପ୍ରଯୁକ୍ତି ହୋଇଛି ଉଦ୍ଭାବନ, ଯାହା ବିଶ୍ୱରେ କରିଛି ଆଲୋଡ଼ନ; ଗୋଟିଏ ବି ଉପୁଜିଚି କି ଚିନ୍ତା/ବିଚାର, ଯାହାକୁ ନେଇ ବିଶ୍ୱ ହୋଇଛି ଧନ୍ୟ?” ଅନ୍ଧ ରାଷ୍ଟ୍ରପ୍ରେମୀଙ୍କ ପାଇଁ ଏ ପ୍ରଶ୍ନ ଅବଶ୍ୟ ହୋଇପାରେ ଅବାନ୍ତର ବା ଅପ୍ରାସଙ୍ଗିକ; କିନ୍ତୁ ଚିନ୍ତାଶୀଳ ବ୍ୟକ୍ତିଙ୍କ ପାଇଁ ଏହା ନିଶ୍ଚୟ ମହତ୍ତ୍ୱପୂର୍ଣ୍ଣ; କାହିଁକିନା ଏହା ହିଁ ଚିହ୍ନାଇ ଦିଏ ବାହାପିଆ ନେତୃତ୍ୱର ମିଛ ଆତ୍ମପ୍ରଶଂସା ଓ ଆମ ନିଲଠା ପଣ୍ଡିତପଣ!
ଆମ ପାଠ ଓ ପଣ୍ଡିତପଣିଆ କାହିଁକି ବିଶ୍ୱସ୍ତରୀୟ ନୁହେଁ, ଏହାର ଏକ ଛୋଟିଆ ପ୍ରମାଣ ଦିଏଁ । ଅର୍ଗାନାଇଜେସନ ଫର୍‍ ଇକୋନୋମିକ୍‍ କୋଅପରେସନ ଡେଭଲପମେଣ୍ଟ (ଓଇସିଡି) ନାମକ ଏକ ସଂଗଠନ ପକ୍ଷରୁ ୨୦୦୦ ମସିହାଠାରୁ ପ୍ରତି ତିନିବର୍ଷରେ ଥରେ ଆନ୍ତର୍ଜାତିକ ବିଦ୍ୟାର୍ଥୀ ଆକଳନ କାର୍ଯ୍ୟକ୍ରମ (ପ୍ରୋଗ୍ରାମ ଫର ଇଣ୍ଟରନେସନାଲ ଷ୍ଟୁଡେଣ୍ଟ ଆସେସମେଣ୍ଟ ବା ପିସା) ହୋଇଆସୁଛି ଆୟୋଜିତ । ଏଥିରେ ମୁଖ୍ୟତଃ ୧୫ ବର୍ଷୀୟ ବିଦ୍ୟାର୍ଥୀଙ୍କର ପଠନ, ଗଣିତ ଓ ବିଜ୍ଞାନ ଜ୍ଞାନକୁ ଆକଳନ କରାଯାଏ ଓ ସେହି ଅନୁସାରେ ପ୍ରତ୍ୟେକ ଦେଶର ସ୍ଥାନ (ର୍ୟାଙ୍କ୍‍) ହୁଏ ନିରୂପିତ । ଏଥିରୁ ସେହି ଦେଶର ସ୍କୁଲ ଶିକ୍ଷା ବ୍ୟବସ୍ଥାର ମାନ ବି ବିଶ୍ୱସ୍ତରରେ କେଉଁ ସ୍ଥାନରେ ରହିଛି, ତାହା ଜଣାପଡ଼େ । ଦୁର୍ଭାଗ୍ୟ/ସୌଭାଗ୍ୟକୁ ପ୍ରଥମ ଥର ପାଇଁ ଆମ ସରକାର ୨୦୦୯ ମସିହାରେ ଏହି ଆକଳନରେ ଭାଗ ନେବାକୁ ଦୁଇଟି ରାଜ୍ୟ ହିମାଚଳ ପ୍ରଦେଶ ଓ ତାମିଲନାଡୁ(ଭାରତରେ ଉନ୍ନତ ସ୍କୁଲଶିକ୍ଷା ପାଇଁ ପ୍ରସିଦ୍ଧ)ର ୪୦୦ ବିଦ୍ୟାଳୟର ୧୬ ହଜାର ବିଦ୍ୟାର୍ଥୀଙ୍କୁ କରିଥିଲେ ମନୋନୀତ । ଯୋଜନା ଥିଲା ପରବର୍ତ୍ତୀ ଆୟୋଜନରେ ସମଗ୍ର ଦେଶରୁ ବିଦ୍ୟାର୍ଥୀ କରିବେ ଅଂଶଗ୍ରହଣ; ଅଥଚ ଯେତେବେଳେ ଫଳ ହେଲା ପ୍ରକାଶନ, ନଇଁ ଯାଇଥିଲା ଲଜ୍ଜାରେ ଭାରତର ମୁଣ୍ଡ, କାରଣ ୬୫ଟି ଦେଶର ତାଲିକାରେ ସବାତଳେ ଥିଲା ଭାରତର ସ୍ଥାନ (ହିମାଚଳ ପ୍ରଦେଶ ଓ ତାମିଲନାଡୁ ଯଥାକ୍ରମେ ୬୦୦ରୁ ୩୩୭ ଓ ୩୨୫ ନମ୍ବର ରଖିଥିଲେ) । ଏହି ଆକଳନରେ ସର୍ବଦା ଆଗୁଆ ରହୁଥିବା ଫିନ୍‍ଲାଣ୍ଡ ଓ ଦକ୍ଷିଣ କୋରିଆକୁ ପଛରେ ପକାଇ ଚୀନ ପକ୍ଷରୁ ପ୍ରଥମ ଥରପାଇଁ ଭାଗ ନେଇଥିବା ସାଙ୍ଘାଇର ପିଲାଏ ସଭିଙ୍କୁ ଚମକ୍ରୃତ କରି ଗଣିତ ଓ ବିଜ୍ଞାନରେ ପାଇଥିଲେ ସର୍ବଶ୍ରେଷ୍ଠ ସ୍ଥାନ (୫୫୬ ନମ୍ବର) । (ତକ୍ରାଳୀନ ମାନବ ସମ୍ବଳ ବିକାଶ ମନ୍ତ୍ରୀ କପିଳ ସିବଲ ଏଭଳି ଲଜ୍ଜାଜନକ ସ୍ଥିତି ପାଇଁ ଜାତୀୟ ଶିକ୍ଷା ଗବେଷଣା ଓ ତାଲିମ ପରିଷଦ (ଏନ୍‍ସିଇଆର୍‍ଟି)କୁ ତଦନ୍ତ କରିବାକୁ ନିର୍ଦେଶ ଦେଇଥିଲେ) ଆପଣା ଜ୍ଞାନଗରିମା ପଦାରେ ପଡ଼ିବା ପରେ ଆମ ସରକାର ପୂର୍ବଯୋଜନା ସତ୍ତ୍ୱେ ୨୦୧୧ ଓ ଚଳିତବର୍ଷ (୨୦୧୫) ଭାଗ ନେବାକୁ ହୋଇଥିଲେ ପଶ୍ଚାତ୍‍ପଦ । ଅନ୍ତତଃ ସରକାରଙ୍କ ଏଇ ନିଷ୍ପତ୍ତି ଆମକୁ ଲୋକହସା ହେବାରୁ ରକ୍ଷା କରିଦେଲା । ଦେହରେ ମନ୍ଦାକିନୀ ରଜ ଲଗାଇଲେ ବି ଗ୍ରାମ ଶୂକରୀ କେବେ ଗାଈ ହୋଇପାରିବନି ଏବଂ ଯଦି ସେ ସେଭଳି ହେବାକୁ ଚେଷ୍ଟା କରେ, ତେବେ ଜଗତରେ କେବଳ ଲୋକହସା ହେବା ହିଁ ସାର ବୋଲି କବିସୂର୍ଯ୍ୟ ସତେଯେମିତି ଆମ ପାଇଁ ହିଁ ଲେଖିଥିଲେ! ଯୋଉ ଦେଶର ଶିକ୍ଷା ମନ୍ତ୍ରୀ (ସ୍ମୃତି ଇରାନୀ) ନିଜ ଶିକ୍ଷାଗତ ଯୋଗ୍ୟତାକୁ ନେଇ ମିଥ୍ୟା ସତ୍ୟପାଠ କରନ୍ତି; ଯିଏ ଭବିଷ୍ୟ ଜାଣିବାପାଇଁ ଜ୍ୟୋତିଷ ପାଖରେ ହାତ ଦେଖାନ୍ତି, ଏଭଳି ଲୋକହସା ହେବାରେ ଅବଶ୍ୟ କିଛି ବିଚିତ୍ରତା ନାହିଁ!

ବିଫଳତାରୁ ମଣିଷ ଶିଖେ; କିନ୍ତୁ ଆମେ ଆମର ବିଫଳତାରୁ କିଛି ଶିଖୁନାହୁଁ, ବରଂ ଆମର ତୁଚ୍ଛା ଆତ୍ମମୁଗ୍ଧତାରେ ଆମେ ଉଚ୍ଚାଟିତ । ଏହା ହିଁ ବଡ଼ ବିଡ଼ମ୍ବନା । ୟୁରୋପର ଛୋଟିଆ ଦେଶଟିଏ (ଶ୍ରେଷ୍ଠ ଉଦାହରଣ ଫିନ୍‍ଲାଣ୍ଡ; ପିସା ଆକଳନରେ ଏହା ପ୍ରତିଥର ପ୍ରଥମ ତିନିଟି ସ୍ଥାନରେ ରହିଆସୁଛି) କାହିଁକି ଜ୍ଞାନବିଜ୍ଞାନରେ ଭାରତ ଭଳି ଏକ ବୃହତ୍ତମ ଦେଶକୁ କରିଦେଉଛି କ୍ଷୁଦ୍ରତମ, ତା’ର ହେତୁ ନଖୋଜିବା ଯାଏଁ ଏ ବିଡ଼ମ୍ବନାର ସମାପ୍ତି ନାହିଁ । ଆଉ ଏହାକୁ ଖୋଜିବାକୁ ହେଲେ ମୂଳକୁ ଯିବାକୁ ପଡ଼ିବ, ଯାହା କେବଳ ସେ ଦେଶର ଶିକ୍ଷା ପଦ୍ଧତି/ବ୍ୟବସ୍ଥାରେ ନାହିଁ, ଜନଜୀବନରେ ବି ହୋଇଛି ପରିବ୍ୟାପ୍ତ । ଏହି ମୌଳିକ ତତ୍ତ୍ୱଟି ହେଉଛି ‘ଅଳପ = ଅଧିକ’ । ଅଳ୍ପ/କମ୍‍ କେମିତି ଅଧିକ/ବେଶି, ତାହା ଜାଣିବାକୁ ହେଲେ କେବଳ ଅଙ୍କ କଷିଲେ ହେବ ନାହିଁ; ନିଜ ଜୀବନରେ ତାକୁ ଜିଇବାକୁ ହେବ; ଅର୍ଥାତ ଏହି ଜୀବନଦର୍ଶନକୁ ଅଙ୍ଗେ ନିଭାଇବାକୁ ପଡ଼ିବ । ଫିନ୍ନିଶ(ଫିନଲାଣ୍ଡର ଲୋକ)ମାନେ ଯଥାର୍ଥରେ ଅଳ୍ପରେ ହିଁ ବିଶ୍ୱାସ କରନ୍ତି ଓ ସେହି ଅନୁସାରେ ଜୀବନ ବଞ୍ଚନ୍ତି । ସେମାନଙ୍କର ଘରଗୁଡ଼ିକ ଆବଶ୍ୟକତାଠୁ ବିଶେଷ ବଡ଼ ନୁହେଁ; ସେମାନେ ସବୁଥିରେ ମିତବ୍ୟୟୀ । ଜୀବନଶୈଳୀ ସାଧାରଣ, ସର୍ବୋପରି ବିନୟୀ । ଫିନ୍ନିଶ ମହିଳାମାନେ ଅଳ୍ପ ମେକ୍‍ଅପ୍‍ରେ ବିଶ୍ୱାସୀ । ଆମ ଦେଶର ଲୋକଙ୍କ ପରି ପଚାଶ ହଳ ଶସ୍ତା ପୋଷାକ ଓ ଦଶ ହଳ ଜୋତା ନରଖି ସେମାନେ ଉଚ୍ଚ ମାନର ଅଳ୍ପ ପୋଷାକ/ଜୋତା ରଖିଥାନ୍ତି, ଯାହାକୁ ଅଧିକ ଦିନ ଧରି ପିନ୍ଧିବାକୁ ସେମାନେ ଭଲ ପାଆନ୍ତି । ସେମାନେ ପରିମାଣରେ ବିଶ୍ୱାସ କରନ୍ତିନି, ବରଂ ଗୁଣ/ମାନରେ ହିଁ ଗୁରୁତ୍ୱ ଦିଅନ୍ତି । ପ୍ରକୃତରେ ଅଳ୍ପ ହିଁ ଅଧିକ ହେଉଛି ସେମାନଙ୍କର ଜୀବନଦର୍ଶନ । ଅଥଚ ଆମେ ସର୍ବଦା ଅଧିକରେ ବିଶ୍ୱାସୀ । ସବୁ କିଛି ଅଧିକ ଦରକାର । ପୁରୁଣା ଯେତେ ଭଲ ଥିଲେ ବି ଆହୁରିଆହୁରି ନୂଆ ଜିନିଷରେ ଘର ଭର୍ତ୍ତି କରିବା ଆମର ସଉକ । ଆମର କିଛି ବି ଅଳ୍ପରେ କାମ ଚଳେନି; ଶାନ୍ତି ଆସେନି । ପ୍ରାଚୀନ ଭାରତୀୟମାନେ ବରଂ ଅଳ୍ପରେ ବିଶ୍ୱାସୀ ଥିଲେ, ତେଣୁ ସେମାନେ ପାଉଥିଲେ ଅଧିକ ସୁଖଶାନ୍ତି । ଏବେ ଫିନ୍ନିଶ୍‍ମାନେ ସେଥିରେ ବିଶ୍ୱାସୀ ଓ ଜ୍ଞାନବିଜ୍ଞାନରେ ହରାଇ ଦେଉଛନ୍ତି ‘ଅଧିକ-ବିଶ୍ୱାସୀ’ ଭାରତୀୟଙ୍କୁ, କାହିଁକିନା ଆମ ଜୀବନ ପଦ୍ଧତି ପରି ଶିକ୍ଷା ପଦ୍ଧତିରେ ବି ‘ଅଧିକ’ର ହିଁ ରାଜତ୍ୱ । ଆମେ ବିଶ୍ୱାସ କରୁ ଅଧିକ ସମୟ ପାଠ/ ଅଧିକ ହୋମ୍‍ୱାର୍କ/ ଅଧିକ ବହିପତ୍ର/ ଅଧିକ ଶ୍ରେଣୀ/ ଅଧିକ ଟିଉସନ/ ଅଧିକ ପରୀକ୍ଷା; ଅଥଚ ୟା’ଦ୍ୱାରା ଯେ ବିଦ୍ୟାର୍ଥୀଟିଏ ଅଧିକ ହନ୍ତସନ୍ତ ହୁଏ ଓ ଜୀବନକୁ ଚିହ୍ନବା ପୂର୍ବରୁ ଜୀବନ ପ୍ରତି ଘୃଣା/ହତାଶା/ନିରାଶା ବି ଅଧିକ ବଢ଼ିଯାଏ, ତାହା ବୁଝିବାକୁ ଆମ ପାଖରେ ନଥାଏ ସମୟ କି ମନୋବୃତ୍ତି । ଅଧିକରେ ବିଶ୍ୱାସ ମଣିଷକୁ ଅଧିକ ଧନସଂପତ୍ତି ଆହରଣ ପାଇଁ ଅଧିକ ଲୋଭୀ କରାଏ ସିନା, ବିନୟୀ ହେବାରୁ କରେ ବଞ୍ଚିତ । ଅଳ୍ପ ହିଁ ଜଣେ ମଣିଷକୁ କରେ ଅଧିକ ବିନୟୀ, ଯାହା ଶିକ୍ଷାର ଅନ୍ୟତମ ଅସଲ ଲକ୍ଷ୍ୟ । ଅଳ୍ପକୁ ଅଧିକରେ ପରିଣତ କରିପାରୁଥିବା ଫିନଲାଣ୍ଡର ଶିକ୍ଷାବ୍ୟବସ୍ଥା ସେଇ କାରଣରୁ ଆଖ୍ୟା ପାଇଛି ପୃଥିବୀର ସର୍ବଶ୍ରେଷ୍ଠ; ଯାହା ଅନୁକରଣୀୟ ।

(୯ ଅଗଷ୍ଟ ୨୦୧୫, ରବିବାର "ସମାଜ"ରେ ପ୍ରକାଶିତ)
Next PostNewer Post Previous PostOlder Post Home

0 comments:

Post a Comment

ଏହି ବ୍ଲଗର ସମସ୍ତ ସାମଗ୍ରୀ ଲେଖକଙ୍କ ସର୍ବସ୍ବତ୍ତ୍ବ ସଂରକ୍ଷିତ. Powered by Blogger.