ପ୍ରଧାନମନ୍ତ୍ରୀଙ୍କୁ ଖୋଲାଚିଠି

Leave a Comment
ପ୍ରିୟ ନରେନ୍ଦ୍ର ମୋଦି ଜୀ,
ବହୁତ ବର୍ଷ ପରେ ମୁଁ କାହା ପାଖକୁ ଚିଠି ଲେଖୁଚି । ଏଇଥିପାଇଁ ଲେଖୁଚି ଯେ ନଲେଖି ରହିପାରୁନି । ଆଜିକାଲି ଆପଣଙ୍କ ଶାସନର ବର୍ଷପୂର୍ତ୍ତି ଉତ୍ସବ ଗଣମାଧ୍ୟମରେ ଖୁବ୍‍ ଜୋରରେ ମନାଚାଲିଚି । ସୋସିଆଲ ମିଡିଆରେ ବି ଚର୍ଚା ଜୋର୍‍ । ଆଲୋଚକଙ୍କ ଭିତରୁ କିଏ ଲେଖା ଆରମ୍ଭରୁ ଆପଣଙ୍କୁ ଟେକିଦେଇଚି ତ କିଏ ଲେଖାର ପଛ ଆଡ଼କୁ । ସାମ୍ବାଦିକଙ୍କ ପାଇଁ ଏ ଭାରସାମ୍ୟ କଥାଟା ଅଡ଼ୁଆ ହେଲେ ବି ଅପରାହାର୍ଯ୍ୟ ଯେମିତି! ୟା’ ଭିତରେ ଆପଣଙ୍କ ସଫଳତା ବିଫଳତାକୁ ନେଇ ଯେତିକି ପ୍ରବନ୍ଧ, ନିବନ୍ଧ ପ୍ରକାଶ ପାଇଲାଣି, ସେସବୁକୁ ଯଦି ଆପଣ ପଢ଼ିବେ ତା’ହେଲେ ନିଶ୍ଚୟ ବର୍ଷେରୁ ଅଧିକ ସମୟ ଲାଗିଯିବ । ତେଣୁ ଆପଣ ଭଲ କରିଚନ୍ତି ସେଗୁଡ଼ିକୁ ପଢ଼ିବା ବୁଝିବା ଅପେକ୍ଷା ବିଦେଶ ବୁଲାରେ ବେଶି ସମୟ କାଟିବା ଭଲ ।

ରାହୁଳ ଗାନ୍ଧୀଙ୍କ ପରି ବିରୋଧୀ ଓ ନିନ୍ଦୁକମାନେ ଅବଶ୍ୟ ଆପଣଙ୍କୁ ଛିଗୁଲଉଚନ୍ତି ଯେ ‘ଭାରତକୁ ବୁଲି ଆସି ଆପଣ ଭଲ କରିଚନ୍ତି’! ତେବେ ଦେଶର କୋଟିକୋଟି ଟଙ୍କା ଶ୍ରାଦ୍ଧ କରିଥିଲେ ହେଁ ବିଦେଶ ମନ୍ତ୍ରୀ ବିଚାରୀ ସୁଷମା ସ୍ୱରାଜ ଥାଉଥାଉ ଆପଣ ଏକଲା ବୁଲିବା କ’ଣ ଶୋଭାପାଉଚି? ସେ ଯେମିତି ମୁହଁ ଶୁଖାଇ ସବୁବେଳେ ବସୁଚନ୍ତି, ତାହା ଆମକୁ ଭଲ ଲାଗୁନାଇଁ । ଅବଶ୍ୟ ଆପଣଙ୍କ ବର୍ଷିକିଆ ଶାସନ କାଳରେ  ଆପଣ ଘରେ ବାହାରେ ସବୁଠି ଏମିତି ଛାଇଯାଇଚନ୍ତି ଯେ ଅନ୍ୟ ମନ୍ତ୍ରୀମାନଙ୍କ ସତ୍ତା ବି ହଜିଯିବାକୁ ବସିଲାଣି । ଆପଣଙ୍କ ଫେସ୍‍ବୁକ୍‍-ଟ୍ୱିଟର ବାର୍ତ୍ତାରୁ ବି ମନେହଉଚି ଯେ ଆପଣ ଜଣେ ହିଁ ସବୁ କରୁଚନ୍ତି; ଆପଣଙ୍କ ବିନୁ ଅନ୍ୟ ଗତି ନାଇଁ । ଆପଣ ହର୍ତ୍ତା-କର୍ତ୍ତା-ଦଇବ ବିଧାତା । ଆମ ରାଇଜର ଟାଣୁଆ ନେତା ତଥା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅବଶ୍ୟ ନିଜ ଧନ୍ଦାରେ ଭଲ ମାତିଚନ୍ତି ଓ ଦେଶବିଦେଶ ଗସ୍ତ କରି ଆପଣଙ୍କ ଭଳି ଭାଷଣ ଦେବାରେ ବ୍ରତୀ ହୋଇଚନ୍ତି । ସେଇଥିପାଇଁ କି କ’ଣ ତାଙ୍କୁ ପ୍ରଶଂସକମାନେ ଏବେଠୁ ନବୀନଙ୍କ ପରେ ଓଡ଼ିଶାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ବୋଲି କହିସାରିଲେଣି!!

ସେ ଯାହାହେଉ, ଆପଣ ଗତ ବର୍ଷକ ଭିତରେ ଯେତିକି ନିଜ କାମଧନ୍ଦାର ପ୍ରଚାରପ୍ରସାର କରିଚନ୍ତି, ମୌନ ମନମୋହନ ବୋଧହୁଏ ତାଙ୍କର ଦଶବର୍ଷିଆ ଶାସନକାଳ ମଧ୍ୟରେ କରିନଥିବେ । ବିଦେଶ ଭ୍ରମଣରେ ତ ଆପଣଙ୍କ ରେକର୍ଡକୁ କେହି ଭାଙ୍ଗିପାରିବେନି । ଭବିଷ୍ୟତରେ ଅବଶ୍ୟ ଆପଣ ମୋଟାମୋଟା ଭ୍ରମଣ କାହାଣୀ ଲେଖିବାରେ ଏହା ଭଲ କାମରେ ଆସିବ । ଆପଣଙ୍କ ନିନ୍ଦୁକମାନେ ନାମାବଳୀମୁଦ୍ରିତ କୋଟ୍‍ପିନ୍ଧାକୁ ନେଇ ଯେତିକି ସମାଲୋଚନା କଲେ, ତାହା ଆମର ଠିକ୍‍ ମନେ ହୋଇନଥିଲା; କାଇଁକିନା ଆପଣ ଆଉ ଏବେ ସେହି ସ୍ୱକଥିତ ଚା’ବିକାଳି ନୁହନ୍ତି ବା ସାଧାରଣ ମଧ୍ୟବିତ୍ତ ବ୍ୟକ୍ତି ନୁହନ୍ତି, ଯିଏ ୨୦୧୪ ନିର୍ବାଚନରେ ଭୋଟ୍‍ଭିକ୍ଷା କରୁଥିଲା । ଏବେ ଆପଣ ଦେଶର ପ୍ରଧାନମନ୍ତ୍ରୀ; ସବୁ ପ୍ରକାରର ବିଳାସବ୍ୟସନ ପାଇଁ ଦେଶବାସୀଙ୍କଠୁ ଲାଇସେନ୍ସପ୍ରାପ୍ତ । ପୁଣି ଦେଶର ଧନ ଆପଣ କୋଉ ଖାଇଯାଉଚନ୍ତି! ଆପଣଙ୍କ ପାଇଁ ତ ଅମ୍ବାନି, ଆଦାନିଙ୍କ ପରି ପ୍ରିୟବନ୍ଧୁ ଅଛନ୍ତି! ଅମ୍ବାନିଙ୍କ ହାତ ଯେତେବେଳେ ଆପଣଙ୍କ ପିଠି ଉପରେ ରହିଚି, ସେତେବେଳେ ଆପଣଙ୍କ ଡର କାହାକୁ । ଏୟାର୍‍ ଇଣ୍ଡିଆ ଛଡ଼ା ଆଦାନିଙ୍କ ବ୍ୟୋମଯାନ ତ ଆପଣଙ୍କ ଭ୍ରମଣ ପାଇଁ ସବୁବେଳେ ପ୍ରସ୍ତୁତ ହେଇ ରହିଚି । ଏବେ ଆଉ ଆପଣ ଆଗପରି ଓ ଆମପରି ଗରିବ କି ମଧ୍ୟବିତ୍ତ ନୁହନ୍ତି; ଗତ ବର୍ଷକ ଭିତରେ ଆପଣ ପାଲଟିସାରିଚନ୍ତି ସର୍ବୋଚ୍ଚବିତ୍ତ; କୁଳୀନ । ଅବଶ୍ୟ ସହସ୍ରେ କୋଟି ଟଙ୍କାର ମାଲିକ ହୋଇଥିଲେ ବି ବାବା ରାମଦେବଙ୍କ ଭଳି ଆପଣ ବି କହିଦେଇ ପାରିବେ ଯେ ‘ମୁଁ ଫଟା କପର୍ଦ୍ଧକଶୂନ୍ୟ’ ।

ହଁ, ଏଇ ବର୍ଷକ ଭିତରେ ଆପଣ ଖୁବ୍‍ ଗୋଟାଏ ଭଲ କାମ କରିଚନ୍ତି ଯେ କଂଗ୍ରେସର ମୂଳପୋଛ ପାଇଁ ସବୁ କଂଗ୍ରେସିଆ ନାଁକୁ ବଦଳାଇ ଦେଇଚନ୍ତି । ଶେଷକୁ କଂଗ୍ରେସ ନେତାଙ୍କ ସବୁଠୁ ବଡ଼ ସରକାରୀ ମାହାଲ ଯୋଜନା ଆୟୋଗକୁ ଛିନ୍‍ଛତ୍ର କରି ବନାଇଚନ୍ତି ନୀତି ଆୟୋଗ ।  ଆପଣ ଆସିନଥିଲେ ସେମାନେ ଆଉ କେତେକାଳ ଏମିତି ମନମର୍ଜି ରାଜନୀତି ଚଳାଇଥାନ୍ତେ, ତାହା କହିହବନି ।
ଆପଣ ବିଜେପିର ଛତ୍ରପତି ହେବାପରେ ବଡ଼ବଡ଼ ମିଡିଆ ଆପଣଙ୍କ ଗୁଣଗାନ କରିବାରେ ଏଯାଏଁ ବ୍ୟସ୍ତ । ଏଥିରେ ଅବଶ୍ୟ କିଛି ନୂଆ କଥା ନାହିଁ । କ୍ଷମତାକୁ ଆସିବା ପରେ ସେମାନଙ୍କୁ ଅବଶ୍ୟ ଆପଣ ସିଧାସଳଖ ମନା ନକରି ବାଆଁରେଇକି ମନା କରିଦେଇଚନ୍ତି ଯେ ସେମାନେ ଆପଣଙ୍କ ପାଖକୁ ସହଜରେ ଆସିପାରିବେ ନାଇଁ କି ପ୍ରଶ୍ନ ପଚାରିପାରିବେ ନାଇଁ । ‘ମନ୍‍ କୀ ବାତ୍‍’ ପାଇଁ ତ ସରକାରୀ ରେଡିଓ, ଟିଭି ଚ୍ୟାନେଲ ପଡ଼ିଚି । ଆପଣଙ୍କ ଅସୁବିଧା କ’ଣ? ଆପଣ କେଜରିୱାଲ ପରି ବୋକା ନେତା ନୁହନ୍ତି, ଯିଏ ମିଡିଆକୁ ସିଧାସଳଖ ନାଲିଆଖି ଦେଖାଇବ! ଗୋଟିଏ ତୀରରେ ଦୁଇଟି ଶିକାର କରିବା ଆପଣଙ୍କଠୁ ଅନ୍ୟ ନେତାଏ ଶିଖିବା ଦରକାର । ଆପଣ ନିଜର ଖୁସି ପାଇଁ ହେଉ ବା ଅନ୍ୟ କାରଣରୁ, ସେଲ୍‍ଫିଟିଏ ଉଠାଇଲେ ବି ତାକୁ ନେଇ ହେଡ଼ଲାଇନ ଲେଖା ହେଉଛି ‘ସେଲ୍‍ଫି କୂଟନୀତି’! ସତକୁ ସତ ଆପଣ ନିଜ ରାଜନୀତିରେ ବି ଯେମିତି କୂଟନୀତି ପୂରେଇଦେଇଚନ୍ତି, କମ୍‍ ନେତା ହିଁ ସେମିତି କରିପାରନ୍ତି ।
ଆପଣ ଯୁଆଡ଼େ ଯାଉଚନ୍ତି, ସେଇଠି ଶୁଭୁଚି ଆପଣଙ୍କ ଜୟଜୟକାର । ଏମିତିକି  ଆମେରିକାର ରାଷ୍ଟ୍ରପତି ଓବାମା ବି ଆପଣଙ୍କ ଉପରେ ଫିଦା! ଆଉ ଆପଣ ‘ଯେ ଦେଶ ଯାଇ ସେ ରୂପ ହୋଇ’ ନ୍ୟାୟରେ ଯେମିତି ରୂପବର୍ଣ୍ଣ ଧାରଣ କରୁଚନ୍ତି, ତାକୁ ଦେଖିଲେ ଆଖି ଖୋସି ହେଇଯାଉଚି । ଧନ୍ୟ ହେଇଯାଉଚି ଆମ ଚର୍ମଚକ୍ଷୁ । ଚୀନର ସୈନ୍ୟପ୍ରତିମାଙ୍କ ଭିତରେ କଳାଚଷମା ଲଗାଇ ବୁଲିବାର ଦୃଶ୍ୟ ହଉ କି ମଙ୍ଗୋଲିଆରେ ମଙ୍ଗୋଲୀୟ ପୋଷାକ ଓ ହ୍ୟାଟ୍‍ ଲଗାଇ ବାଦ୍ୟଯନ୍ତ୍ର ବାଦନର ଦୃଶ୍ୟ, ସବୁଠି ଆପଣ ମନେହଉଚନ୍ତି ‘ହିରୋ’ । ଭାରତର କୌଣସି ପ୍ରଧାନମନ୍ତ୍ରୀ ନିଜକୁ ଏତେ ‘ଦର୍ଶନୀୟ’ କରିପାରିନଥିଲେ ଯେମିତି ଆପଣ କରିପାରିଚନ୍ତି । ସେଥିପାଇଁ ଆପଣ ଧନ୍ୟବାଦର ପାତ୍ର ।

କିଛିଦିନ ତଳେ କେଜରିୱାଲଙ୍କ ସଭାସ୍ଥଳରେ ଚାଷୀ ଗଜେନ୍ଦ୍ର ଆତ୍ମହତ୍ୟାକୁ ନେଇ କେଜରିୱାଲଙ୍କୁ ଲୋକେ ଯେତେ ଘେରିଲେ, ଆପଣଙ୍କୁ ବି ସେତିକି ଦୋଷ ଦେଲେ । କିନ୍ତୁ ତାହା କ’ଣ ଗୋଟାଏ ବଡ଼ କଥା? ଏମିତି ତ ଚାରି ଲକ୍ଷ ଚାଷୀ ଜୀବନ ହାରିଲେଣି । ଗରିବ ଓ ଗରିବୀ ରହିବା ସବୁବେଳେ ଭଲ; ନହେଲେ କୋଉ ପ୍ରସଙ୍ଗକୁ ନେଇ ଆପଣ ଭୋଟ ମାଗିବେ? ଚାଷୀ ଚାଷ କରୁନି ତ ଆପଣ ତା’ ଜମିକୁ ଟାଟା-ବେଦାନ୍ତ ଆଦିଙ୍କୁ ଦବାକୁ ଆଇନ ଆଣୁଚନ୍ତି । ୟା’ଦ୍ୱାରା ‘ମେକ୍‍ ଇନ୍‍ ଇଣ୍ଡିଆ’ ହବ । ସେଥିପାଇଁ ଏତେ ଗଣ୍ଡଗୋଳ କିଆଁ? ଶେଷରେ ଆପଣଙ୍କ ଶାସନର ବର୍ଷପୂର୍ତ୍ତି ହେଉଥିବାରୁ ଆପଣଙ୍କୁ ବଧେଇ । ଇଏ ଆପଣଙ୍କ ପାଇଁ ‘ପାର୍ଟି ଟାଇମ୍‍’; ପାର୍ଟି ତୋ ବନ୍‍ତା ହୈ! ଆମେ ଆପଣଙ୍କୁ ଏଭଳି ସମୟରେ ଆଦୌ ଡିଷ୍ଟର୍ବ କରିବୁ ନାଇଁ; ନା’ ଆଦୌ ନୁହେଁ । ଧନ୍ୟବାଦ ।

ଅାପଣଙ୍କର ଜଣେ ଗଣତନ୍ତ୍ରପ୍ରେମୀ ନାଗରିକ
ଅଶୋକ
Next PostNewer Post Previous PostOlder Post Home

0 comments:

Post a Comment

ଏହି ବ୍ଲଗର ସମସ୍ତ ସାମଗ୍ରୀ ଲେଖକଙ୍କ ସର୍ବସ୍ବତ୍ତ୍ବ ସଂରକ୍ଷିତ. Powered by Blogger.