ଶାସକ-ମାଧ୍ୟମ (୨)

Leave a Comment

"ଅାଉଟଲୁକ" ପତ୍ରିକାର ପ୍ରଚ୍ଛଦ

ମେ ଗତଥର ଦର୍ଶାଇଥିଲୁ ଯେ ଚୀନର ଏକ ସାହସୀ ପତ୍ରିକା ‘ସଦର୍ନ ୱିକ୍‍ଲି’ କିଭଳି କମୁ୍ୟନିଷ୍ଟ ସରକାରଙ୍କ କୃପାପାତ୍ର ହୋଇ ନିଜର ମୌଳିକତା ହରାଇବା ସହ ଗୋଟାପଣେ ଶାସକ-ମାଧ୍ୟମ ପାଲଟିସାରିଛି । ଭାରତରେ ବି ଏଭଳି ଦୁଷ୍ପ୍ରବୃତ୍ତିର ଉଦାହରଣ ବେଶ୍‍ ଦେଖିବାକୁ ମିଳିଲାଣି । ଆମ ଦେଶର ଓଡ଼ିଶା, ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଭଳି ରାଜ୍ୟମାନଙ୍କରେ ରାଜନେତାଙ୍କ ହାତରେ ଏକାଧିକ ଗଣମାଧ୍ୟମ ସଂସ୍ଥା ରହିଛି, ଯେଉଁମାନେ ଏହାକୁ ଗଣ ନୁହେଁ, ବରଂ ଆପଣାର ପ୍ରତିପତ୍ତି, କ୍ଷମତା, ଧନସମ୍ପତ୍ତି ବୃଦ୍ଧି ପାଇଁ ମଧ୍ୟ ବ୍ୟବହାର କରୁଥିବା ଦେଖାଯାଉଛି । ଶାସକ ଦଳରେ ଯଦି ସେ ଅଛନ୍ତି, ତେବେ ସରକାରଙ୍କ ମୁଖପତ୍ର ସାଜିବାରେ ମଧ୍ୟ ଆଦୌ ସେମାନେ କୁଣ୍ଠାପ୍ରକାଶ କରୁନାହାନ୍ତି । ବର୍ତ୍ତମାନ ସରକାରୀ ଟିଭି ଚ୍ୟାନେଲ ବ୍ୟତୀତ ଘରୋଇ ଜାତୀୟ ଓ ଆଞ୍ଚଳିକ ନିଉଜ୍‍ ଚ୍ୟାନେଲଗୁଡ଼ିକର ଉପସ୍ଥାପନାକୁ ଦେଖିଲେ ସହଜରେ ଜଣେ ଠଉରାଇପାରିବ ଯେ କ୍ଷମତାସୀନମାନେ ଗଣମାଧ୍ୟମକୁ କିଭଳି ନିଜର ହାତମୁଠାରେ ରଖିବାକୁ ସତତ ଚେଷ୍ଟିତ ଓ କେତେକାଂଶରେ ହୋଇସାରିଚନ୍ତି ସଫଳ । ମାତ୍ର ଯେତେବେଳେ କୌଣସି ପ୍ରତିÂିତ ପତ୍ରପତ୍ରିକା ସରକାର ବା ରାଜନେତାଙ୍କ ଚାପର ବଶବର୍ତ୍ତୀ ହୁଏ, ତେବେ ତାହା ଅଧିକ ବିପଜ୍ଜନକ ହୋଇପଡେ଼; କାରଣ ବର୍ତ୍ତମାନ ନିରସ୍ତ୍ର ଓ ନିସ୍ୱର ଗଣ ପାଇଁ ଏଭଳି କେତେକ ହାତଗଣତି ପତ୍ରପତ୍ରିକା ହିଁ ସାହାଭରସା ।

ଭାରତର ଏକ ପ୍ରତିଷ୍ଠିତ ପତ୍ରିକା ‘ଆଉଟଲୁକ୍‍’ ତା’ର ଗତ ଅଗଷ୍ଟ ୮ ସଂସ୍କରଣର ପ୍ରମୁଖ ପ୍ରସଙ୍ଗରେ ପ୍ରକାଶ କରିଥିଲା ଏକ ଚମତ୍କାର ସନ୍ଧାନୀ ରିପୋର୍ଟ ‘ଅପରେସନ ବେଟିଉଠାଓ’ (ଅପରେସନ ବେବିଲିଫ୍ଟ) । ପ୍ରଥମେ ଏହାକୁ ତା’ର ୱେବ୍‍ସାଇଟ୍‍ରେ ଜୁଲାଇ ୨୯ରେ ପ୍ରକାଶ କରିଥିଲା (ବର୍ତ୍ତମାନ ମଧ୍ୟ ଏହା ‘ଆଉଟ୍‍ଲୁକ୍‍ଇଣ୍ଡିଆ ଡଟ୍‍ କମ୍‍’ରେ ଉପଲବ୍ଧ) । ଜଣେ ମୁକ୍ତ ସାମ୍ବାଦିକା ନେହା ଦୀକ୍ଷିତ ଆସାମ, ଗୁଜରାଟ ଓ ପଞ୍ଜାବ ଯାଇ ଦୀର୍ଘଦିନ ଧରି ଅନୁସନ୍ଧାନ କରି ପାଞ୍ଚଟି ଭାଗରେ ଏହି ରିପୋର୍ଟ ପ୍ରସ୍ତୁତ କରିଥିଲେ । ଏଥିରେ ମୁଖ୍ୟତଃ ଉଦାହରଣ ସହ ଦର୍ଶାଯାଇଚି ଯେ କେତେକ ହିନ୍ଦୁତ୍ୱବାଦୀ ସଂଗଠନ ଦ୍ୱାରା ସବୁ ଆଇନକାନୁନ ଆଖିରେ ଧୂଳିଦେଇ କିଭଳି ଆସାମରୁ ୩୧ଜଣ ଆଦିବାସୀ ଶିଶୁ ଓ କିଶୋରକିଶୋରୀଙ୍କୁ ଧରିନେଇ ପଞ୍ଜାବ ଏବଂ ଗୁଜରାଟରେ ରଖାଯାଇଛି, ଯାହାଙ୍କ ସମ୍ପର୍କରେ ସେମାନଙ୍କ ବାପାମାଆମାନେ ମଧ୍ୟ ଅନ୍ଧାରରେ । ଏ ରିପୋର୍ଟ ୱେବ୍‍ସାଇଟ୍‍ରେ ପ୍ରକାଶ ପାଇବାର ସପ୍ତାହେ ନପୂରୁଣୁ ଅଗଷ୍ଟ ୪ରେ ଗୁଆହାଟି ହାଇକୋର୍ଟର ସହକାରୀ ସଲିସିଟର ଜେନେରାଲ, ବିଜେପିର ଜଣେ ମୁଖପାତ୍ର ଓ ସେଠାକାର ବିଜେପି ସଂଖ୍ୟାଲଘୁ ସେଲ୍‍ର ଜଣେ ସଦସ୍ୟ ଗୁଆହାଟିର ଲାଟାସିଲ୍‍ ଥାନାରେ ଏକ ଏତଲା ଦେଲେ ଯେ ନେହାଙ୍କ ଉପରୋକ୍ତ କାହାଣୀ ସାମ୍ପ୍ରଦାୟିକ ଘୃଣା ସୃଷ୍ଟି କରିବା ଭଳି! ପୁଲିସ ପତ୍ରିକାର ପ୍ରକାଶକ ଓ ପରିଚାଳନା ନିର୍ଦେଶକ ଇନ୍ଦ୍ରନିଲ ରୟ, ମୁଖ୍ୟ ସଂପାଦକ କୃଷ୍ଣ ପ୍ରସାଦ ଓ ସାମ୍ବାଦିକା ନେହା ଦୀକ୍ଷିତଙ୍କ ବିରୋଧରେ ମାମଲା ଦାୟର୍‍ କଲା । ତେବେ ଅସଲ କଥାଟି ହେଲା ଅଗଷ୍ଟ ୧୩ ତାରିଖରେ ଶ୍ରୀ ରୟ ‘ଆଉଟ୍‍ଲୁକ୍‍’ କର୍ମଚାରୀଙ୍କ ନିକଟକୁ ଏକ ଇ-ମେଲ୍‍ ଲେଖି ‘ଇକୋନୋମିକ୍‍ ଟାଇମ୍ସ’ର ପୂର୍ବତନ ରାଜନୈତିକ ସଂପାଦକ ରାଜେଶ ରାମଚନ୍ଦ୍ରନଙ୍କୁ ପତ୍ରିକାର ନୂତନ ମୁଖ୍ୟ ସଂପାଦକ ଭାବେ ନିଯୁକ୍ତି ଦିଆଯାଇଥିବା ଜଣାଇଲେ ।

କୃଷ୍ଣ ପ୍ରସାଦଙ୍କ ଅପସାରଣ ଘଟନା କହିଦେଉଚି ଯେ ଜଣେ ସାହସୀ ସଂପାଦକ ପାଇଁ ବର୍ତ୍ତମାନ ସଚ୍ଚୋଟ ହୋଇ କାମ କରିବା କେତେ କଷ୍ଟକର ହେଲାଣି । ଏହାରି ପଛରେ ରାଜନୈତିକ ଅଭିସନ୍ଧିମୂଳକ ଚାପ ରହିଥିବା ସହଜେ ଅନୁମେୟ । ଏହି ପ୍ରତିଷ୍ଠିତ ପତ୍ରିକା ପ୍ରକାଶନରେ ଯାହାର ପୃଷ୍ଠପୋଷକତା ରହିଛି, ତାହା ମୂଳତଃ ଏକ ରିଏଲ୍‍ ଇଷ୍ଟେଟ୍‍ କମ୍ପାନୀ, ଯିଏ ସବୁବେଳେ ସରକାରୀ କୃପାପାତ୍ର ହୋଇ ରହିବାକୁ ଚାହେଁ । ବର୍ତ୍ତମାନର କର୍ପୋରେଟ୍‍ ମିଡିଆ ସଂସାରରେ ଏଥିରେ ଅସ୍ୱାଭାବିକତା କିଛି ନାହିଁ । ତେବେ କୃଷ୍ଣ ପ୍ରସାଦଙ୍କ ଏଭଳି ଅଚାନକ ପ୍ରସ୍ଥାନ ଦ୍ୱାରା ଗୋଟିଏ କଥା ସ୍ପଷ୍ଟ ଯେ କ୍ଷମତାସୀନଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରୁଥିବା ସାମ୍ବାଦିକମାନେ କ୍ରମଶଃ ବିଭିନ୍ନ ପ୍ରକାରେ ନିର୍ଯାତିତ ହେଉଛନ୍ତି ଓ ସେମାନେ ଏଥିପ୍ରତି ପ୍ରସ୍ତୁତ ରହିବା ଆବଶ୍ୟକ ।

କେବଳ ଏହି ଘଟନା ନୁହେଁ, ନିକଟ ଅତୀତରେ କାଶ୍ମୀର ଉପତ୍ୟକାରେ ବହୁ ଖବରକାଗଜ କାର୍ଯ୍ୟାଳୟରେ ଚଢ଼ଉ କରାଗଲା, ସାମ୍ବାଦିକଙ୍କୁ ଅଟକ ରଖାଗଲା ଓ ସରକାରୀ ଅନୁମତି ନଥିବା ସତ୍ତ୍ବେ ଗଣମାଧ୍ୟମ ଉପରେ ଅଙ୍କୁଶ ଲଗାଗଲା । ଛତିଶଗଡ଼ର ବସ୍ତର ଅଞ୍ଚଳରେ ଆଦିବାସୀଙ୍କ ଉପରେ ଅତ୍ୟାଚାରର କାହାଣୀ ଲୋକଲୋଚନକୁ ଆଣୁଥିବା ସାମ୍ବାଦିକମାନଙ୍କୁ ମାଡ଼ ମାରିବା, ହତ୍ୟା କରିବା ଘଟନା ଘଟିଚାଲିଛି ଓ ପୁଲିସର ଜାଣତରେ/ସହାୟତାରେ କ୍ଷମତାସୀନ ଲୋକଙ୍କ ସହ ସଂପୃକ୍ତ ନିର୍ଦିଷ୍ଟ କେତେକ ଗୋଷ୍ଠୀର ଲୋକେ ଏସବୁ ଭିଆଉଛନ୍ତି ।

ଏଭଳି ଘଟନା ପଛରେ ରହିଥିବା ଲୋକଙ୍କର ମୂଳ ଲକ୍ଷ୍ୟ ହେଉଛି ସତ୍ୟକୁ ପଦାକୁ ନ ଆଣିବା ଓ ଅସତ୍ୟର ପ୍ରଚାର କରି ନିଜର ମନ୍ଦ ଉଦ୍ଦେଶ୍ୟ ଚରିତାର୍ଥ କରିବା । ଗଣମାଧ୍ୟମ କାର୍ଯ୍ୟ କରିବା ପଛରେ ତିନିଟି ପ୍ରମୁଖ ସମ୍ବନ୍ଧ ଓତପ୍ରୋତ ଭାବେ ଜଡ଼ିତ; ସେଗୁଡ଼ିକ ହେଲା ସରକାର-ଗଣମାଧ୍ୟମ ସଂସ୍ଥା; ଗଣମାଧ୍ୟମ ସଂସ୍ଥା-ସାମ୍ବାଦିକ ଓ ସାମ୍ବାଦିକ-ସରକାର ।  ବର୍ତ୍ତମାନର ଭୟାଳୁ ସରକାରମାନେ ଯେନତେନ ପ୍ରକାରେ ଗଣମାଧ୍ୟମ ସଂସ୍ଥାଗୁଡ଼ିକୁ ନିଜ ହାତରେ ରଖି ଆପଣାର ଦୁର୍ବଳତାଗୁଡ଼ିକୁ ଲୁଚାଇବା ଓ ନିଜର ପ୍ରଶସ୍ତି ଗାନ କରିବାର ଅଭିସନ୍ଧି ରଖୁଛନ୍ତି । ସଚ୍ଚୋଟ ଓ ସାହସୀ ସାମ୍ବାଦିକମାନେ ଏହାରି ଭିତରେ ପେଷି ହେବା ସାର ହେଉଛି । ତେଣୁ ‘କର୍ମରତ ସାମ୍ବାଦିକ ଆଇନ ୧୯୫୫’କୁ ବଦଳାଇବାର ସମୟ ଉପଗତ; କିନ୍ତୁ ଗଣମାଧ୍ୟମର ସ୍ୱାଧୀନତା ଓ ସାମ୍ବାଦିକଙ୍କ ସୁରକ୍ଷା ନେଇ ସର୍ବଦା କୁଣ୍ଠିତ ସରକାର କ’ଣ ତାହା କରିବାକୁ ଚାହିଁବେ?

(୪ ସେପ୍ଟେମ୍ବର ୨୦୧୬ରେ ସମାଜର "ଚତୁର୍ଥସ୍ତମ୍ଭ"ରେ ପ୍ରକାଶିତ)
Next PostNewer Post Previous PostOlder Post Home

0 comments:

Post a Comment

ଏହି ବ୍ଲଗର ସମସ୍ତ ସାମଗ୍ରୀ ଲେଖକଙ୍କ ସର୍ବସ୍ବତ୍ତ୍ବ ସଂରକ୍ଷିତ. Powered by Blogger.