Showing posts with label ମିଡିଆ. Show all posts
Showing posts with label ମିଡିଆ. Show all posts

ଶାସନ ଓ ସାମ୍ବାଦିକତା

1 comment


ଆମେରିକାରେ ଏକଦା ଅନୁଷ୍ଠିତ ହେଉଥିଲା ଶ୍ବାନଙ୍କର ଏକ ଅଖିଳ ବିଶ୍ବ ପ୍ରଦର୍ଶନୀ । ସେଥିରେ ରୁଷ ଦେଶର କେତେକ ଶ୍ବାନ ମଧ୍ୟ ଭାଗ ନେଇଥିଲେ। ଗୋଟିଏ ଆମେରିକୀୟ ଶ୍ବାନ ରୁଷୀୟ ଶ୍ବାନକୁ ପଚାରିଲା, ତମ ଦେଶରେ ସବୁକିଛି ଠିକ୍‌ଠାକ୍‌ ଚାଲିଚି ତ? ସବୁ ସୁବିଧାସୁଯୋଗ ମିଳୁଚି ତ? ରୁଷୀୟ ଶ୍ବାନଟି କହିଲା, ‘ଆଗ ଅପେକ୍ଷା ଏବେ ବହୁତ ଭଲ ଖାଇବାପିଇବା ମିଳୁଛି; ଏବେ ଆଉ ଆମକୁ ବାହାରେ ବୁଲିବାକୁ କି ଅଇଁଠା ପତର ଚାଟିବାକୁ ପଡ଼ୁନି। ତେଣୁ ଆମେ ଖୁସିରେ ଅଛୁ’। ଏହା ଶୁଣି ଆମେରିକୀୟ ଶ୍ବାନ ପଚାରିଲା, ‘ତମେ ଯଦି ଏତେ ଖୁସିରେ ଅଛ, ତା’ର ଆଭାସ କିନ୍ତୁ ତମ ମୁହଁରେ କାଇଁ ଦେଖାଯାଉନି; ତ‌େ‌ମ ଉଦାସ ଦିଶୁଚ’। ରୁଷୀୟ ଶ୍ବାନଟି ଧୀରେଧୀରେ କହିଲା, ଶୁଣ, ମୁଁ ତା’ର କାରଣ କହୁଚି; ତମେ କିନ୍ତୁ ଏକଥା କାହାକୁ କହିବନି। ଆମକୁ ଖାଇବାପିଇବା, ସୁବିଧାସୁଯୋଗ ସବୁ ମିଳୁଚି ସିନା, ଭୁକିବାର ସ୍ବାଧୀନତା ଜମା ନାଇଁ। ​


‘କମିଟି ଟୁ ପ୍ରୋଟେକ୍ଟ ଜର୍ଣ୍ଣାଲିଷ୍ଟ୍‌’ (ସିପିଜେ) ବା ‘ସାମ୍ବାଦିକଙ୍କ ସୁରକ୍ଷା ସମିତି’ ଦ୍ବାରା ନିକଟରେ ପ୍ରକାଶିତ ବାର୍ଷିକ ‘ପ୍ରିଜନ ସେନ୍‌ସସ’ (କାରାଗାର ଜନସୁମାରି) ରିପୋର୍ଟଟିକୁ ପଢ଼ିବା ପରେ ଏଇ ଗପଟି ମନେପଡ଼ିଲା। ୟା’ର ଆଉ ଏକ କାରଣ ହେଲା ସାମ୍ବାଦିକ ବା ସମ୍ବାଦଦାତାଙ୍କୁ ‘ୱାଚ୍‌ଡଗ୍‌’ ମଧ୍ୟ କୁହାଯାଏ। ସମ୍ଭବତଃ ଏଇଥିପାଇଁ ଯେ ଶ୍ବାନଙ୍କ ପରି ସେ ସଦାସର୍ବଦା ଜାଗ୍ରତ ରହି ଶାସନ/ପ୍ରଶାସନ ଶାସକ/ପ୍ରଶାସକଙ୍କ କାର୍ଯ୍ୟ ଉପରେ ନଜର ରଖେ, ସେମାନଙ୍କ ତ୍ରୁଟିବିଚ୍ୟୁତି/ଦୋଷଦୁର୍ବଳତାକୁ ଲୋକଙ୍କୁ ଜଣାଏ; ଜନସାଧାରଣଙ୍କ ବାକ୍‌ ସ୍ବାଧୀନତାର ସୁରକ୍ଷା ନିମନ୍ତେ ସେ ସ୍ବର ଉତ୍ତୋଳନ କରେ। ସେଥିପାଇଁ ତାକୁ ଦିଆଯାଇଚି ଏଭଳି ଆଖ୍ୟା; କିନ୍ତୁ ରୁଷୀୟ ଶ୍ବାନଟିର ଭୁକିବାର ସ୍ବାଧୀନତା ନଥିବା ପରି ତାହାର ଯଦି ଲେଖିବାର, କହିବାର କୌଣସି ସ୍ବାଧୀନତା ନଥିବ, ତେବେ ତା’ର ବ୍ୟକ୍ତିତ୍ବ କେବଳ ହେବନାହିଁ ଖଣ୍ଡିତ/ପତିତ, ବୃତ୍ତିପ୍ରବୃତ୍ତି ଅର୍ଥାତ ସାମ୍ବାଦିକତାର ସ୍ଖଳନ ମଧ୍ୟ ନିଶ୍ଚିତ। ଶାସନ/ଶାସକ କେବେ ଚାହେଁନାଇଁ ଯେ ଲୋକେ ଜାଣିଯାଆନ୍ତୁ ତା’ର ଦୁର୍ବଳତା; ଶାସନର ତ୍ରୁଟିବିଚ୍ୟୁତିକୁ କେହି କରୁ ଉନ୍ମୋଚିତ। ଯେଉଁମାନେ କରୁଚନ୍ତି ଏପରି ଦୁଃସାହସ, ସେମାନଙ୍କ ବିରୋଧରେ ମିଥ୍ୟା ମୋକଦ୍ଦମା ଖଞ୍ଜି କାରାବଦ୍ଧ କରିବା ହୋଇଚି ସାଧାରଣ କଥା। ଆମର ସମସାମୟିକ ପୃଥିବୀରେ ଏ ଦୁଷ୍ପ୍ରବୃତ୍ତି ବୃଦ୍ଧି ପାଇବା ଉଦ୍‌ବେଗଜନକ। ଗତ ମାସରେ ସାର୍ବଜନୀନ ହୋଇଥିବା ସିପିଜେର ‘କାରାଗାର ଜନସୁମାରି’ ତଥ୍ୟ କହୁଚି ଯେ ୨୦୨୩ (୧ ଡିସେମ୍ବର)ରେ ବିଭିନ୍ନ ଦେଶର କାରାଗାରରେ ବନ୍ଦୀ ଅଛନ୍ତି  ୩୨୦ ଜଣ ସାମ୍ବାଦିକ/ସମ୍ବାଦଦାତା (୨୦୨୨ରେ ୩୬୭; ୨୦୨୧ରେ ୩୦୫)। ଏହି ସଂସ୍ଥା ସାମ୍ବାଦିକଙ୍କୁ କାରାବଦ୍ଧ କରିବାର କାରଣ ମଧ୍ୟ କରିଥାଏ ଅନୁସନ୍ଧାନ। ସେଥିରୁ ଜଣାଯାଏ ଯେ ଅନ୍ତତଃ ୧୬୮ ଜଣ ସାମ୍ବାଦିକ ଏପରି ଅଛନ୍ତି, ଯେଉଁମାନେ ନିଜ ଦେଶର ଶାସନ/ଶାସକଙ୍କର କେବଳ କରିଥିଲେ ସମାଲୋଚନା, ଅଥଚ ମିଥ୍ୟା ଖବର ପ୍ରସାରଣ ଓ ରାଷ୍ଟ୍ରବିରୋଧୀ ଗତିବିଧି ଆଖ୍ୟା ଦେଇ ସେମାନଙ୍କୁ  କରାଯାଇଚି ବନ୍ଦୀ। ୬୬ ଜଣ ସାମ୍ବାଦିକ ତ ଏପରି ରହିଛନ୍ତି, ଯାହାଙ୍କୁ ଏ ପର୍ଯ୍ୟନ୍ତ ସୁଦ୍ଧା ଜଣାଇ ଦିଆଯାଇ ନାହିଁ ଯେ ସେମାନେ କୋଉ ଅଭିଯୋଗରେ ଅଭିଯୁକ୍ତ! ସବୁଠୁ ବଡ଼ ବିଡ଼ମ୍ବନା,  ଏହା କେବଳ ଏକଚ୍ଛତ୍ରବାଦୀ ବା ଅଧିନାୟକବାଦୀ ଶାସନର କଥା ନୁହେଁ, ବରଂ ତଥାକଥିତ ଗଣତାନ୍ତ୍ରିକ ରାଷ୍ଟ୍ର/ରାଜ୍ୟର ​‌େସ୍ବୖରାଚାରୀ ବ୍ୟବସ୍ଥାରେ ମଧ୍ୟ ଦୃଶ୍ୟମାନ। କ୍ରମେ ଶାସନ/ଶାସକ ଯେଉଁ ପ୍ରକାରର ହେଉ/ହୁଅନ୍ତୁ ନା କାହିଁକି, ସେମାନଙ୍କର ଚରିତ୍ର ଯେ ପ୍ରାୟ ସମାନ ତାହା ପ୍ରମାଣିତ ହେବାରେ ଲାଗିଚି ବାରମ୍ବାର। ସିପିଜେ ତାଲିକାରେ ସର୍ବାଧିକ ସାମ୍ବାଦିକଙ୍କୁ କାରାବଦ୍ଧ କରିଥିବା ଦଶଟି ରାଷ୍ଟ୍ର ମଧ୍ୟରେ ଯଥାକ୍ରମେ ରହିଛନ୍ତି ଚୀନ (୪୪), ମ୍ୟାଁମାର (୪୩), ବେଲାରୁଷ (୨୮), ରୁଷିଆ (୨୨), ଭିଏତ୍‌ନାମ (୧୯), ଇରାନ (୧୭), ଇସ୍ରାଏଲ୍‌ ଓ ତା’ ଅଧିକୃତ ପାଲେଷ୍ଟାଇନ ଅଞ୍ଚଳ (୧୭), ଏରିଟ୍ରିଆ (୧୬), ଇଜିପ୍ଟ (୧୩) ଏବଂ ତୁର୍କୀ (୧୩)। ‘ଗଣତନ୍ତ୍ରର ଜନନୀ’ ବୋଲି କୁହାଯାଉଥିବା ଦେଶ ଭାରତବର୍ଷରେ ବି ସାତ ଜଣ (୨୦୨୩) ସାମ୍ବାଦିକଙ୍କୁ କାରାବଦ୍ଧ କରାଯାଇଥିବା ରିପୋର୍ଟରେ କୁହାଯାଇଚି। ଉଲ୍ଲେଖନୀୟ ଯେ, ସେମାନଙ୍କ ମଧ୍ୟରୁ ପାଞ୍ଚ ଜଣଙ୍କ ବିରୋଧରେ ଅତି କଠୋର ‘ଆତଙ୍କବାଦ ନିରୋଧୀ ଓ ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ’ (ୟୁଏପିଏ) ଅଧୀନରେ କରାଯାଇଚି ମୋକଦ୍ଦମା। ଭାରତରେ କେବଳ ସାମ୍ବାଦିକ ନୁହନ୍ତି, ଛାତ୍ର, ବୁଦ୍ଧିଜୀବୀ, ଆଇନଜୀବୀ ଆଦିଙ୍କ ବିରୋଧରେ ଏଇ ଆତଙ୍କବାଦ ନିରୋଧୀ ଆଇନର ଅପପ୍ରୟୋଗ କେବଳ ବିସ୍ମୟକର ନୁହେଁ, ଅତୀବ ଚିନ୍ତାଜନକ। 


ଚୀନ ଭଳି ଏକଚ୍ଛତ୍ରବାଦୀ ଶାସନ କବଳିତ ରାଷ୍ଟ୍ରରେ ଶାସନ/ଶାସକର ସମାଲୋଚନା ସିଧାସଳଖ ଅପରାଧ ବୋଲି ଧରାଯାଉଥିବାବେଳେ ଯେଉଁ ସାମ୍ବାଦିକମାନେ ତଥାପି କରୁଚନ୍ତି ସ୍ବର ଉତ୍ତୋଳନ, ସେମାନଙ୍କୁ କାରାବଦ୍ଧ କରାଯାଉଥିବାରୁ ତାଲିକାରେ ଏ ଦେଶ ପାଇଚି ସର୍ବାଗ୍ରେ ସ୍ଥାନ।  ବିଶେଷକରି ଶିନ୍‌ଜିଆଙ୍ଗ୍‌ର ଉଇଘର ମୁସଲମାନ ଜନଜାତି ସମ୍ପ୍ରଦାୟର ସାମ୍ବାଦିକ (୪୪ ମଧ୍ୟରୁ ୧୯ ଜଣ) ଶାସକର ପାଲଟିଚନ୍ତି ମୁଖ୍ୟ ନିଶାଣ। ଉଇଘରଙ୍କ ଉପରେ ଦମନଲୀଳା ପାଇଁ ଚୀନ ଆନ୍ତର୍ଜାତିକ ସ୍ତରରେ ହୋଇଆସୁଚି ସଦା ନିନ୍ଦିତ। ସେହିପରି ୨୦୨୧ରେ ମ୍ୟାଁମାର୍‌ରେ ସାମରିକ ଶାସନ ଆରମ୍ଭ ହେବାପରଠୁ ବୃଦ୍ଧି ପାଇଚି ସମ୍ବାଦଦାତାଙ୍କ ଉପରେ ଅକଥନୀୟ ଅତ୍ୟାଚାର/ଉତ୍ପୀଡ଼ନ। ଯେଉଁମାନେ ସତ୍ୟ ଲେଖିବାକୁ/କହିବାକୁ କରୁଚନ୍ତି ଉଦ୍ୟମ, ସେମାନଙ୍କ ବିରୋଧରେ ମିଥ୍ୟା ମାମଲା ରୁଜୁ କରି କାରାଦଣ୍ଡରେ କରାଯାଉଚି ଦଣ୍ଡିତ। ଗତ ତିନି ବର୍ଷ ମଧ୍ୟରେ ଅନେକ ଗଣମାଧ୍ୟମ ସଂସ୍ଥା ବନ୍ଦ ହୋଇସାରିଥିବାବେଳେ ବହୁ ସାମ୍ବାଦିକଙ୍କୁ ଭୋଗିବାକୁ ପଡ଼ିଚି ଦେଶାନ୍ତର ଅଥବା ଆତ୍ମନିର୍ବାସନ। ଏପରିକି ପଶ୍ଚିମ ମ୍ୟାଁମାରରେ ଆସିଥିବା ‘ମୋଚା’ ବାତ୍ୟାର ଫଟୋ ଉଠାଇଥିବା ଜଣେ ଫଟୋ ସାମ୍ବାଦିକଙ୍କୁ ଦେଶଦ୍ରୋହ ମାମଲାରେ ଗିରଫ କରାଯାଇ ଦିଆଯାଇଚି କୋଡ଼ିଏ ବର୍ଷର କାରାଦଣ୍ଡ! ବେଲାରୁଷରେ ଗତ ଦୁଇ ବର୍ଷ ଭିତରେ ୧୯ଟି ଗଣମାଧ୍ୟମ ସଂସ୍ଥାକୁ ‘ଚରମପନ୍ଥୀ’ ଆଖ୍ୟା ଦେଇ କରାଯାଇଚି ମୋକଦ୍ଦମା। ଇସ୍ରାଏଲ୍‌ ଗାଜା ଉପରେ ଆକ୍ରମଣକୁ ଦୃଷ୍ଟିରେ ରଖି ସ୍ବଅଧିକୃତ ପାଲେଷ୍ଟାଇନ ଅଞ୍ଚଳର ସାମ୍ବାଦିକଙ୍କୁ ବିନା କୌଣସି ଅଭିଯୋଗ ଦର୍ଶାଇ କରିଚାଲିଚି ଗିରଫ (ଇସ୍ରାଏଲ୍‌-ଗାଜା ଯୁଦ୍ଧର ରିପୋର୍ଟିଂ ବେଳେ କେବଳ ୨୦୨୩ରେ ୭୭ ଜଣ ସାମ୍ବାଦିକଙ୍କ ମୃତ୍ୟୁ ଘଟିଚି)। 


ଲେଖକ/ବୁଦ୍ଧିଜୀବୀ/ସାମ୍ବାଦିକ/ମାନବାଧିକାର କର୍ମୀଙ୍କୁ କାରାଗାରରେ ନିକ୍ଷେପ କରିବା ନେଇ ପୂର୍ବରୁ କୁଖ୍ୟାତ ରୁଷିଆ ୨୦୨୨ରେ ୟୁକ୍ରେନରେ ଯୁଦ୍ଧ ଆରମ୍ଭ କରିବା ପରଠାରୁ ଶାସନ/ଶାସକ ପାଇଁ ସାମ୍ବାଦିକତା ସତେଯେମିତି ହୋଇପଡ଼ିଚି ସବୁଠୁ ବଡ଼ ଶତ୍ରୁ; କେବଳ ନିଜ ଦେଶରେ ନୁହେଁ, ବରଂ ଅନ୍ୟ ଦେଶରେ ନିର୍ବାସିତ ଜୀବନ ବିତାଉଥିବା ସାମ୍ବାଦିକଙ୍କୁ ମଧ୍ୟ କାରାବଦ୍ଧ କରିବାକୁ ହେଉଚି ଉଦ୍ୟମ। ରୁଷିଆରେ ରହୁଥିବା ବିଦେଶୀ ସମ୍ବାଦଦାତାଙ୍କ ପାଇଁ ରୁଷ ଶାସକ ପାଲଟିଯାଇଚି ସତେଯେମିତି ‘ଜାର୍‌’, ଯିଏ ହୁକୁମ ଦେବାମାତ୍ରେ ସାମ୍ବାଦିକ ନିଜକୁ ପାଉଚି କାରାଗୃହ ଭିତରେ। ସତର ଜଣ ବିଦେଶୀ ସମ୍ବାଦଦାତା ରୁଷର ବିଭିନ୍ନ କାରାଗାରରେ ବର୍ତ୍ତମାନ ବନ୍ଦୀ ଥିବା ଏହାର ପ୍ରମାଣ। ନିକଟରେ ପାଶ୍ଚାତ୍ୟ ଦୁନିଆରେ ଚହଳ ସୃଷ୍ଟି କରିଥିବା  ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କର ଦୀର୍ଘ (ଦୁଇ ଘଣ୍ଟାରୁ ଊର୍ଦ୍ଧ୍ବ) ତଥା ବିରଳ ସାକ୍ଷାତକାରରେ ଆମେରିକାର ପ୍ରଖ୍ୟାତ ସାମ୍ବାଦିକ (ପୂର୍ବତନ ଫକ୍ସ ନିଉଜ୍‌ ଉପସ୍ଥାପକ) ଟକର୍‌ କାର୍ଲସନ ଏ ବିଷୟ କରିଥିଲେ ଉତ୍ଥାପନ। ବିଶେଷତଃ, ଆମେରିକାର ଜଣେ ଯୁବ ସମ୍ବାଦଦାତା ଇଭାନ ଗେର୍‌ଶେକୋଭିଚ୍‌ଙ୍କୁ ଗୁପ୍ତଚରଗିରି କରିବା ଅଭିଯୋଗରେ କାରାବଦ୍ଧ କରାଯାଇଥିବାରୁ କାର୍ଲସନ ପୁତିନଙ୍କୁ ସିଧାସଳଖ ପ୍ରଶ୍ନ ପଚାରିବା ସହ କରିଥିଲେ ତାଙ୍କର ମୁକ୍ତି ନିବେଦନ। ରୁଷିଆରେ ଆସନ୍ତା ମାସରେ (୧୫-୧୭ ମାର୍ଚ୍ଚ) ରାଷ୍ଟ୍ରପତି  ନିର୍ବାଚନ ହେବାକୁ ଥିବାରୁ ଏ ସାକ୍ଷାତକାର ଯେ ପୁତିନଙ୍କର ଏକ ସୁଦୁ ‘ପ୍ରୋପାଗଣ୍ଡା’, ତାହା ନିଃସନ୍ଦେହ (ନିର୍ବାଚନ ପୂର୍ବରୁ ଭାରତର ‘ଯଶସ୍ବୀ’ ଶାସନ ମୁଖ୍ୟ ମଧ୍ୟ ସେପରି କରନ୍ତି); ତଥାପି କାର୍ଲସନ ଯେପରି ଏହା ପଚାରିବାର ସାହସ ଦେଖାଇଲେ, ତାହା ପ୍ରଶଂସନୀୟ। 


କେବଳ ସମ୍ବାଦଦାତାଙ୍କୁ କାରାବଦ୍ଧ କରିବା ନୁହେଁ; ଡରାଇ, ଧମକାଇ, ଆକ୍ରମଣ କରି ଶାସକଶ୍ରେଣୀର ପ୍ରକୃତ ସାମ୍ବାଦିକତାର ତଣ୍ଟି ଚିପିବା ପାଇଁ  କରିଆସୁଚନ୍ତି ଅପଚେଷ୍ଟା। ଶାସନର ଉତ୍ପୀଡ଼ନ ଭୟରେ ବହୁ ସାମ୍ବାଦିକ ଦେଶ ତ୍ୟାଗ କରି ଅନ୍ୟ ଦେଶରେ ଥାଇ ନିଜର ବୃତ୍ତି/ପ୍ରବୃତ୍ତିକୁ ଜାରି ରଖିବାକୁ କରୁଚନ୍ତି ସଙ୍ଘର୍ଷ। ତେବେ ଯାବତୀୟ ନିର୍ଯାତନା/ଉତ୍ପୀଡ଼ନ/ଭୟ ପ୍ରଦର୍ଶନ ସତ୍ତ୍ବେ ବର୍ତ୍ତମାନ ବନ୍ଦ ହୋଇପଡ଼ିଥିବା ସ୍ବାଧୀନ (ଇଣ୍ଡିପେଣ୍ଡେଣ୍ଟ) ଖବରକାଗଜ ‘ନୋଭାୟା ଗେଜେଟା’ (ଆକ୍ଷରିକ ଅର୍ଥ ‘ନବୀନ/ନୂତନ ଖବରକାଗଜ’)ର ସାମ୍ବାଦିକ/ସମ୍ପାଦକ ଦିମିତ୍ରି ମୁରାତୋଭଙ୍କ ପରି କିଛି ଦୁଃସାହସୀ ମସୀଯୋଦ୍ଧା ରୁଷ ଛାଡ଼ି ଯାଇନାହାନ୍ତି ଅନ୍ୟତ୍ର। ରୁଷିଆର ଶାସକ ଶ୍ରେଣୀ ଓ ଅଭିଜାତ ବର୍ଗର ଭ୍ରଷ୍ଟାଚାର, ମାନବାଧିକାର ଉଲ୍ଲଙ୍ଘନ ତଥା କ୍ରମବର୍ଦ୍ଧିଷ୍ଣୁ ​‌େ‌ସ୍ବୖରାଚାରୀ ଶାସନ ଆଦି ସମ୍ବେଦନଶୀଳ ପ୍ରସଙ୍ଗରେ ସର୍ବଦା ମୁଖର ଏହି ଖବରକାଗଜର ସାତ ଜଣ ସମ୍ବାଦଦାତାଙ୍କୁ କେବଳ ଅନୁସନ୍ଧାନଧର୍ମୀ ରିପୋର୍ଟ ପାଇଁ କରାଯାଇଚି ହତ୍ୟା। ଏହା ସତ୍ତ୍ବେ ଶ୍ରୀ ମୁରାତୋଭ୍‌ ଏ ପର୍ଯ୍ୟନ୍ତ ରହିଚନ୍ତି ଅଟଳ/ ଅବିଚଳିତ। ଶାସକଙ୍କ ଦ୍ବାରା ‘ନୋଭାୟା ଗେଜେଟା’ର ଛାପା ଓ ଅନ୍‌ଲାଇନ୍‌ ସଂସ୍କରଣକୁ ବନ୍ଦ କରିବାର ନିର୍ଦେଶ ବି ତାଙ୍କୁ କରିପାରିନାଇଁ କର୍ତ୍ତବ୍ୟଚ୍ୟୁତ କି ଶାସନର ଶରଣାଗତ। ସ୍ମରଣଯୋଗ୍ୟ, ମୁରାତୋଭ୍‌ଙ୍କୁ ଫିଲିପାଇନ୍ସର ସାମ୍ବାଦିକା ମାରିଆ ରେସାଙ୍କ ସହ ମିଳିତ ରୂପେ ସେମାନଙ୍କ ସାହସିକ ସାମ୍ବାଦିକତା ପାଇଁ କରାଯାଇଥିଲା ନୋବେଲ୍‌ ଶାନ୍ତି ପୁରସ୍କାର(୨୦୨୧)ରେ ପୁରସ୍କୃତ। ଫିଲିପାଇନ୍ସର ପ୍ରାକ୍ତନ ରାଷ୍ଟ୍ରପତି ରୋଡ୍ରିଗୋ ଦୁତେର୍ତ୍ତେଙ୍କର ଜଣେ ମୁଖର ସମାଲୋଚକ ମାରିଆ(ତାଙ୍କ ରଚିତ ‘ହାଓ ଟୁ ଷ୍ଟାଣ୍ଡ୍‌ ଅପ୍‌ ଟୁ ଏ ଡି​‌କ୍ଟେଟର’ ପଠନୀୟ)ଙ୍କୁ ଭିତ୍ତିହୀନ ଖବର ପ୍ରସାରଣ ଏବଂ ଟିକସ ଫାଙ୍କି ଭଳି ମିଥ୍ୟା ଅଭିଯୋଗରେ ବିବାଦୀୟ ‘ସାଇବର ଅପରାଧ ନିରୋଧୀ ଆଇନ’ରେ ଗିରଫ କରାଯାଇଥିଲା। ବିଡ଼ମ୍ବନା ହେଲା ୨୦୧୨ରେ ନିଜର ଖବର ୱେବ୍‌ସାଇଟ୍‌ ‘ରାପ୍‌ଲର୍‌’ରେ ସେଠାକାର ଜଣେ ଦୁର୍ନୀତିଗ୍ରସ୍ତ ବ୍ୟବସାୟୀଙ୍କ ଅପକର୍ମ ସମ୍ପର୍କରେ ସେ ସମ୍ବାଦ ପ୍ରକାଶ କରିଥିଲେ ଏବଂ ଉପରୋକ୍ତ ଆଇନଟି ୨୦୧୪ରେ ପ୍ରଣୀତ ହୋଇଥିଲେ ହେଁ ତାଙ୍କ ନାଁରେ ରୁଜୁ କରାଯାଇଥିଲା ମୋକଦ୍ଦମା (ଭାରତରେ ବି ଅନୁରୂପ ଘଟନା ଦେଖିବାକୁ ମିଳେ)। ଗତ ମାସରେ ଅଦାଲତ ତାଙ୍କୁ ଟିକସ ଫାଙ୍କି ମାମଲାରେ କରିଚନ୍ତି ଦୋଷମୁକ୍ତ ଘୋଷଣା।


ସାମ୍ବାଦିକତାର ଧର୍ମ ବିନା କୌଣସି ଭୟ ବା ଅନୁଗ୍ରହ/ପୂର୍ବାଗ୍ରହ ରଖି ସତ୍ୟକଥନ; ସତ୍ୟାନୁସନ୍ଧାନ, ସତ୍ୟ ସମ୍ବାଦ ପରିବେଷଣ। ପ୍ରକୃତ ସାମ୍ବାଦିକର କର୍ତ୍ତବ୍ୟ ଶାସନ/ଶାସକର ସ୍ତୁତିଗାନ ନୁହେଁ, କ୍ଷମତାସୀନଙ୍କ ଦ୍ବାରା ଶାସିତ/ଶୋଷିତଙ୍କ ନିମନ୍ତେ ସ୍ବର ଉତ୍ତୋଳନ। ଏ କର୍ତ୍ତବ୍ୟକୁ ଯେଉଁମାନେ ନିଷ୍ଠାପର ଭାବେ ତୁଲାଇବାକୁ ଚାହିଁଚନ୍ତି, ସେମାନେ ଶାସକର ଚକ୍ଷୁଶୂଳ ହେବା ସତେଯେପରି ନିଧାର୍ଯ୍ୟ; କେବଳ ବର୍ତ୍ତମାନ ନୁହେଁ, ସଦାକାଳ। ‘ସମାଜ’ ସ୍ରଷ୍ଟା ମନିଷୀ ଗୋପବନ୍ଧୁ ଏହାର ଏକ ଉଳ ଦୃଷ୍ଟାନ୍ତ; ସମ୍ଭବତଃ ସେ ଓଡ଼ିଶାର ସାମ୍ବାଦିକତା ଇତିହାସରେ ଖବର ପ୍ରସାରଣ ପାଇଁ କାରାଦଣ୍ଡ ଭୋଗିଥିବା ପ୍ରଥମ ସାମ୍ବାଦିକ/ସଂପାଦକ, ଯିଏ ‘ସାମ୍ବାଦିକ ଗାନ୍ଧୀ’ଙ୍କ ପରି ଏ କ୍ଷେତ୍ରରେ ପାଲଟିଚନ୍ତି ଅନନ୍ୟ ମାର୍ଗଦର୍ଶକ। ‘ସମାଜ’ରେ ‘ସତ୍ୟ ହୋଇଥିଲେ ସାଙ୍ଘାତିକ’ ଶିରୋନାମାରେ ପ୍ରକାଶିତ (୧୩ ଅଗଷ୍ଟ ୧୯୨୧) ଏକ ସମ୍ବାଦକୁ ଭିତ୍ତିକରି ପୁରୀ ପୁଲିସ ପକ୍ଷରୁ ଦାୟର୍‌ ମାନହାନି ମୋକଦ୍ଦମାରେ ଗୋପବନ୍ଧୁ ନିର୍ଦୋଷରେ ଖଲାସ ହୋଇଥିଲେ ସତ୍ୟ; କିନ୍ତୁ ତାଙ୍କୁ ବିଚାରାଧୀନ ବନ୍ଦୀ ଭାବେ ୧୯୨୧ ଅକ୍ଟୋବର ୨୮ରୁ ନଭେମ୍ବର ୨୯ ପର୍ଯ୍ୟନ୍ତ ହେବାକୁ ପଡ଼ିଥିଲା କାରାରୁଦ୍ଧ। ସେ ଆଜିର ଜଣେ ସଂପାଦକଙ୍କ ପରି ଶାସକର ନାଲିଆଖି ଦେଖି ହୋଇ ନଥିଲେ ତା’ର ଶରଣାଗତ କି ଆପଣାର କର୍ତ୍ତବ୍ୟରୁ ଓହରି ଯାଇ ହୋଇ ନଥିଲେ ଆତ୍ମନିର୍ବାସିତ। ଗୋପବନ୍ଧୁ ଜଣେ ସାମ୍ବାଦିକ-ସଂପାଦକ ଭାବେ କିଭଳି ନିର୍ଭୀକ ଓ ଅସାଧାରଣ ଥିଲେ, ତାହା ଅଦାଲତରେ ସେ ଦେଇଥିବା ଜବାବରୁ ସ୍ପଷ୍ଟ ଜଣାପଡ଼େ । ଇଂରେଜୀରେ ଲେଖିଥିବା ଉକ୍ତ ଜବାବର ଶେଷରେ ସେ ଉ​‌​​ଲ୍ଲେଖ କରିଥିଲେ, ‘‘ଉପସଂହାରରେ ମୋର ବକ୍ତବ୍ୟ ଯେ ସାଧାରଣ ପ୍ରେସ୍‌ କାର୍ଯ୍ୟରେ ରହି ମୁଁ ସମାଜ ପ୍ରତି ମୋର କର୍ତ୍ତବ୍ୟକୁ ବଡ଼ ପବିତ୍ର ଜ୍ଞାନ କରେ । ଏହି କର୍ତ୍ତବ୍ୟ କଲାବେଳେ କୌଣସି ଜାତି ବା ସଂପ୍ରଦାୟ ପ୍ରତି ଘୃଣା ବା ବି​‌େ​‌ଦ୍ବଷ ରଖିବା ମୋର ଧର୍ମ ନୁହେଁ । ଏ କର୍ତ୍ତବ୍ୟ ଦେଶର ଜନସାଧାରଣଙ୍କ ଉପକାରାର୍ଥେ କରିବାକୁ ହୁଏ । ଇଂରେଜ ସାମ୍ରାଜ୍ୟରେ ସମ୍ବାଦପତ୍ରର ଏହି ପ୍ରକାର କାର୍ଯ୍ୟ ଶାସନ ନୀତିର ଚତୁର୍ଥ ଭାଗ (ଫୋର୍ଥ ଏଷ୍ଟେଟ୍‌) ବୋଲି ବିଦିତ। ଉପସ୍ଥିତ ଘଟଣା ଏହି ତୁଳନାରେ ଅକିଞ୍ଚିତ୍‌କର ହେଲେ ମଧ୍ୟ ମୁଁ ଏହା ପ୍ରକାଶ କରିବା ଦ୍ବାରା ଜନସାଧାରଣଙ୍କ ପ୍ରତି କର୍ତ୍ତବ୍ୟ କରିଛି ବୋଲି ମୋର ବିଶ୍ବାସ ଓ ଏହାର ମୋର ବିବେକସମ୍ମତ ।’’ (ଦ୍ରଷ୍ଟବ୍ୟ: ‘ସମାଜ’ ସ୍ବତନ୍ତ୍ର ସଂଖ୍ୟା, ୧୮.୧୦.୧୯୬୯) ଆଜି ସମଗ୍ର ବିଶ୍ବରେ ଏକଚ୍ଛତ୍ରବାଦୀ/ଅଧିନାୟକବାଦୀ ଶାସକଙ୍କ ସଂଖ୍ୟା/ପ୍ରାଧାନ୍ୟ ବଢ଼ିଚାଲିଥିବାବେଳେ ଗଣ-ମାଧ୍ୟମ ପାଲଟିସାରିଚି ଶାସକ-ମାଧ୍ୟମ। ଏହାସତ୍ତ୍ବେ ଗଣତନ୍ତ୍ର ଓ ସମାଜକୁ ବଞ୍ଚାଇବାକୁ ହେଲେ ଗୋପବନ୍ଧୁଙ୍କ କହିବା ପରି ‘ଫୋର୍ଥ ଏଷ୍ଟେଟ୍‌’କୁ ନିର୍ଭୀକ/ବିବେକସମ୍ମତ ଭାବେ କରିବାକୁ ହିଁ ହେବ କର୍ତ୍ତବ୍ୟ ସମ୍ପାଦନ। 


(‘ସମାଜ’ରେ ୧୮.୨.୨୦୨୪ରେ ପ୍ରକାଶିତ)

Read More

ସାକ୍ଷାତକାର/ ହରିବଂଶ ନାରାୟଣ ସିଂହ

Leave a Comment


‘ବିଚାରଗତ ପରିବର୍ତ୍ତନ ସମାଜକୁ କଳୁଷିତ କରୁଛି’

 

ହରିବଂଶ ନାମରେ ଜଣାଶୁଣା ହରିବଂଶ ନାରାୟଣ ସିଂହ (ଜନ୍ମ: ୩୦ ଜୁନ ୧୯୫୬) ଦୀର୍ଘ ତିନି ଦଶନ୍ଧିର ସାମ୍ବାଦିକତା ପରେ ରାଜନୀତିରେ ପାଦ ଦେଇଥିଲେ ୨୦୧୪ ମସିହାରେ ବିହାରର ଜନତା ଦଳ (ୟୁନାଇଟେଡ) ଜରିଆରେ। ରାଜ୍ୟସଭାକୁ ମନୋନୀତ ହୋଇ ପ୍ରଥମ କାର୍ଯ୍ୟକାଳରେ ହିଁ ସେ ୨୦୧୮ରେ ଏନ୍‌ଡିଏର ପ୍ରାର୍ଥୀ ରୂପେ ରାଜ୍ୟସଭାର ଉପାଧ୍ୟକ୍ଷ ନିର୍ବାଚିତ ହେଲେ ଓ ଦ୍ବିତୀୟ ଥର ୨୦୨୦ରେ ପୁନଃନିର୍ବାଚିତ ହୋଇଛନ୍ତି। ଶ୍ରୀ ହରିବଂଶଙ୍କ ସାମ୍ବାଦିକ ଜୀବନ ଆରମ୍ଭ ହୋଇଥିଲା ୧୯୭୭ରେ ଟାଇମ୍ସ ଅଫ୍ ଇଣ୍ଡିଆ ଗ୍ରୁପ୍‌ର ହିନ୍ଦୀ ପତ୍ରିକା ‘ଧର୍ମୟୁଗ୍‌’ରୁ ଏବଂ ପରେ ସେ କଲକାତାର ଆନନ୍ଦ ବଜାର ପତ୍ରିକା ଗ୍ରୁପ୍‌ର ହିନ୍ଦୀ ପତ୍ରିକା ‘ରବିବାର’ରେ କାର୍ଯ୍ୟ କଲେ। ୧୯୮୯ରେ ସେ ‘ପ୍ରଭାତ ଖବର’ ଖବରକାଗଜର ମୁଖ୍ୟ ସମ୍ପାଦକ ହେଲେ, ଯାହା ବିହାରର ଗୋଖାଦ୍ୟ ଦୁର୍ନୀତି ସମେତ ବହୁ ଦୁର୍ନୀତିର ପେଡ଼ି ଖୋଲିଥିବାରୁ ବେଶ୍‌ ପ୍ରସିଦ୍ଧ। ହରିବଂଶ ପୂର୍ବତନ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖରଙ୍କ ଜୀବନୀ ସମେତ ବହୁ ପୁସ୍ତକର ରଚୟିତା ଓ ସଂପାଦକ।
ନିକଟରେ ‘ଗୋପବନ୍ଧୁଙ୍କ ସତ୍ୟବାଦୀ’ ପତ୍ରିକାର ବାର୍ଷିକୋତ୍ସବରେ ଯୋଗ ଦେବାକୁ ଓଡ଼ିଶା ଆସିଥିବା ଅବସରରେ ହରିବଂଶଙ୍କ ସହ ‘ସମାଜ’ ପକ୍ଷରୁ ଆଲୋଚନା କରିଥିଲେ ଅଶୋକ

 

ସମାଜ: ଆପଣ ପ୍ରଥମେ ଜଣେ ସାମ୍ବାଦିକ ଥିଲେ ଏବଂ ପରେ ରାଜନୀତିକୁ ଆସିଲେ।  ଏହା କିପରି ସମ୍ଭବ ହେଲା? ନିଜର ରାଜନୈତିକ ବିଚାର ପାଇଁ ଆପଣ କାହାକୁ ପ୍ରେରଣା ବୋଲି ମାନନ୍ତି?
ହରିବଂଶ: ମୂଳତଃ ମୁଁ ଜଣେ ସାମ୍ବାଦିକ ଓ ଦୀର୍ଘ ସମୟ ଧରି ସାମ୍ବାଦିକତା କରିଛି। ମୋର ଜନ୍ମ ଜୟପ୍ରକାଶ ନାରାୟଣ ଜୀଙ୍କ ଗାଁରେ ହୋଇଥିଲା। ଏହା ଦୁଇଟି ରାଜ୍ୟ ଉତ୍ତରପ୍ରଦେଶ ଓ ବିହାରର ଗାଁ। ତିନିଟି ଜିଲା ଆରା, ବଲିଆ ଓ ଛପରା ଭିତରେ ଏହି ଗାଁଟି ଆସେ। ସଂଯୋଗବଶତଃ ଜୟପ୍ରକାଶଙ୍କ ଜନ୍ମ ସେଇ ଗାଁରେ ହୋଇଥିବାରୁ ସେ ମୋର ସ୍ବାଭାବିକ ପ୍ରେରଣା ପାଲଟିଗଲେ। ଯେତେବେଳେ ମୁଁ ଯୁବକ ଥିଲି, ପାଠ ପଢ଼ୁଥିଲି, ସେତେବେଳେ ଜୟପ୍ରକାଶ ଆନ୍ଦୋଳନ ଆରମ୍ଭ ହେଲା। ମୁଁ ବନାରସ (ବାରାଣସୀ)ରେ ଅର୍ଥନୀତି ପଢ଼ୁଥିଲି। ସେତେବେଳେ ଆନ୍ଦୋଳନରୁ ପ୍ରେରଣା ମିଳିଲା ଓ ଆମକୁ ଲାଗିଲା ଯେ ସମାଜ ବଦଳିବା ଉଚିତ। ଜୟପ୍ରକାଶ ନାରାୟଣ ଯେଉଁ ପ୍ରସଙ୍ଗ ଉଠାଇଛନ୍ତି, ଆମକୁ ତାହା ଠିକ୍‌ ମନେହେଲା। ତେଣୁ ଆ​‌େ​‌ମ ତାକୁ ଦର୍ଶନ ଭାବେ ଗ୍ରହଣ କଲୁ। ସମାଜ ପରିବର୍ତ୍ତନ ପାଇଁ ସାମ୍ବାଦିକତା ଠିକ୍‌ ରାସ୍ତା ବୋଲି ମନେହେଲା। ସ୍ବାଧୀନତା ସଂଗ୍ରାମ ସମୟରେ ମଧ୍ୟ ସାମ୍ବାଦିକତା ତାହା କରୁଥିଲା। ସମ୍ମାନନୀୟ ଗୋପବନ୍ଧୁ ଦାସ ଜୀଙ୍କ କଥା ନିଅନ୍ତୁ। ସ୍ବାଧୀନତା ସଂଗ୍ରାମ ସମୟରେ ସେ ସାମ୍ବାଦିକତା ଓ ସାହିତ୍ୟକୁ ଧରି ହିଁ ସଂଗ୍ରାମ କଲେ, ଅନ୍ୟମାନଙ୍କ ବିଚାରକୁ ପ୍ରଭାବିତ କଲେ। ସେହି ଦୃଷ୍ଟିରୁ ଜୟପ୍ରକାଶ ଆନ୍ଦୋଳନ ସମୟରେ ଟାଇମ୍ସ ଅଫ୍‌ ଇଣ୍ଡିଆରେ ତାଲିମ ଗ୍ରହଣକାରୀ ସାମ୍ବାଦିକତା ଯୋଜନା କାର୍ଯ୍ୟକାରୀ ହେଉଥିଲା। ସେଇଠି ଏସ୍‌.ପି. ସିଂହ, ଗଣେଶ ମନ୍ତ୍ରୀ, ବିକ୍ରମ ରାଓ, ଏମ୍‌.ଜେ. ଆକବର, ଉଦୟନ ଶର୍ମାଙ୍କ ଭଳି ବିଶିଷ୍ଟ ଲୋକେ ମନୋନୀତ ହୋଇ ଆସିଥିଲେ। ସେହି କ୍ରମରେ ୧୯୭୭ରେ ମୋର ‘ବମ୍ବେ ଟାଇମ୍ସ ଅଫ୍ ଇଣ୍ଡିଆ’ରେ ଜଣେ ଟ୍ରେନି ଜର୍ଣ୍ଣାଲିଷ୍ଟ୍‌ ଭାବେ ପ୍ରବେଶ ଘଟିଲା। ସେତେବେଳେ ସର୍ବାଧିକ ବିକ୍ରି ହେଉଥିବା ପତ୍ରିକା ‘ଧର୍ମୟୁଗ୍‌’ରେ କାମ କରିବାର ସୁଯୋଗ ମିଳିଲା। ସେଠାରୁ ମୁଁ ହାଇଦରାବାଦକୁ ଏକ ବ୍ୟାଙ୍କ୍‌ ଚାକିରି ପାଇଁ ଗଲି। ପରେ ତାକୁ ଛାଡ଼ି କଲିକତା ଅାନନ୍ଦ ବଜାର ପତ୍ରିକାର ‘ରବିବାର’ରେ ଯୋଗ ଦେଲି। ଦୁଇ ମହାନଗରୀ ବମ୍ବେ ଓ କଲିକତାର ସବୁଠୁ ବଡ଼ ଖବରକାଗଜ ସମୂହରେ କାମ କରିବା ପରେ ମୋର ମନେହେଲା ଯେ ଛୋଟ ଜାଗାକୁ ଯାଇ ଜୟପ୍ରକାଶ ଆନ୍ଦୋଳନର ଯେଉଁ ଆଶା ଆକାଙ୍‌କ୍ଷା ରହିଥିଲା, ତାହା ସାମ୍ବାଦିକତା ମାଧ୍ୟମରେ ସମ୍ଭବ ହେଉଛି ନା ନାହିଁ ତାହା ପରୀକ୍ଷା କରାଯିବା ଉଚିତ। ଏହାପରେ ୧୯୮୯ ଅକ୍ଟୋବରରେ ମୁଁ ଏକ ବନ୍ଦପ୍ରାୟ ଖବରକାଗଜରେ ଯୋଗ ଦେବାକୁ ରାଞ୍ଚି ଗଲି। ୪୦୦ କପି ବିକ୍ରି ହେଉଥିଲା। ୨୬ ବର୍ଷ ପରେ ଯେତେବେଳେ ମୁଁ ସେହି ଖବରକାଗଜକୁ ବିଦାୟ ନେଲି, ସେତେଳେକୁ ତା’ର ଦଶଟି ସଂସ୍କରଣ ପ୍ରକାଶ ପାଉଥିଲା ଏବଂ ପାଠକ ସଂଖ୍ୟା ଥିଲେ କୋଟିକୋଟି। ୧୯୮୯-୯୦ରେ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖର ଜୀ ମୋତେ ପ୍ରେସ୍‌ ଆଡ଼ଭାଇଜର ଜଏଣ୍ଟ ସେକ୍ରେଟାରୀ ଭାବେ ରଖିଲେ। ମୋ ଭିତରେ ରାଜନୀତି ପ୍ରତି ରୁଚି ଥିଲା। ୨୦୧୪ରେ ଜନତା ଦଳ (ୟୁନାଇଟେଡ)ର ନୀତୀଶ କୁମାର ଜୀ ମୋତେ ରାଜ୍ୟସଭାକୁ ପଠାଇବାକୁ କହିଲେ। ଦେଖନ୍ତୁ, ଆରମ୍ଭରୁ ହିଁ ମୁଁ ମାନିଆସିଛି ଯେ ରାଜନୀତି ହିଁ ସମାଜକୁ ବଦଳାଏ।  ଦେଶର ନିୟତି ସ୍ଥିର ହେଉଥିବା ସଂସଦ ଯାଇକି ଦେଖିବାକୁ ମୋର ଇଚ୍ଛା ହେଲା। ଏହିପରି ଭାବେ ସାମ୍ବାଦିକତାରୁ ମୋର ରାଜନୀତିରେ ପ୍ରବେଶ ଘଟିଲା। 


ଆପଣ କହିଲେ ଆପଣଙ୍କ ଉପରେ ଜୟପ୍ରକାଶଙ୍କ ପ୍ରଭାବ ପଡ଼ିଥିଲା। ତେବେ ଆପଣ ତାକୁ ସାମ୍ବାଦିକତା ଓ ରାଜନୈତିକ ଜୀବନରେ କିପରି କାର୍ଯ୍ୟକାରୀ କଲେ?
ସର୍ବପ୍ରଥମେ ଜୀବନରେ ସରଳତା ଓ ନୈତିକ ମୂଲ୍ୟବୋଧକୁ ଆପଣାଇବା। ମନେରଖନ୍ତୁ ଯେ, ଜୟପ୍ରକାଶ ଥିଲେ ଗାନ୍ଧିଜୀଙ୍କ ଦର୍ଶନର ସର୍ବଶ୍ରେଷ୍ଠ ବ୍ୟାଖ୍ୟାକାର, ସମାଜବାଦର ପ୍ରତିଷ୍ଠାତା ଥିଲେ। ୧୯୬୪ରେ ସେ ହିଁ ‘ସଂପୂର୍ଣ୍ଣ କ୍ରାନ୍ତି’ ଆରମ୍ଭ କଲେ। ଗାନ୍ଧିଜୀ ସବୁବେଳେ ରାଜନୀତିରେ ସରଳତା ଓ ନୈତିକତାକୁ ଗୁରୁତ୍ବ ଦେଉଥିଲେ। ଭୁଲ୍‌ ବାଟରେ ଯାଇ ଆପଣ ଠିକ୍‌ ଲକ୍ଷ୍ୟସ୍ଥଳରେ ପହଞ୍ଚିପାରିବେ ନାହିଁ। ତେଣୁ ଆମକୁ ବୈଚାରିକ ଆଧାରରେ ଏବେମଧ୍ୟ ଜୟପ୍ରକାଶ ଓ ଗାନ୍ଧିବାଦୀ ଦର୍ଶନରୁ ପ୍ରେରଣା ମିଳିଥାଏ, ଯାହାକୁ ଆମେ ବ୍ୟକ୍ତିଗତ ଜୀବନରେ ମଧ୍ୟ ପ୍ରୟୋଗ କରିପାରିବା। 


ଆପଣଙ୍କୁ କିଛି ଲୋକ ସମାଜବାଦୀ କହନ୍ତି ତ କିଛି ଲୋକ ଏବେ ସେପରି କହିବାକୁ କୁଣ୍ଠାବୋଧ କରୁଛନ୍ତି। ଆପଣ ପୂର୍ଣ୍ଣତଃ ସମାଜବାଦୀ ନା ଆଉ କିଛି?

ପ୍ରକୃତରେ ସମାଜବାଦର ଅବଧାରଣା ବଦଳିଚାଲିଛି। ଖୋଦ୍‌ ଜୟପ୍ରକାଶଙ୍କ ଜୀବନକୁ ଦେଖନ୍ତୁ ସେଥିରେ କେତେ ପରିବର୍ତ୍ତନ ଆସିଛି। ସେ ମାର୍କ୍ସବାଦ ଆପଣାଇଲେ; ପରେ ସମାଜବାଦର ପ୍ରଣେତା ହେଲେ। ପୁଣି ସର୍ବୋଦୟ ଏବଂ ଶେଷରେ ୭୪’ରେ ସମ୍ପୂର୍ଣ୍ଣ କ୍ରାନ୍ତି କଥା କହିଲେ। ସେ କହିଲେ ଯେ ସମୟର ଧାରା ଅନୁସାରେ ବିଚାର ମଧ୍ୟ ବଦଳେ। କୌଣସି ବିଚାର ସ୍ଥିର ନୁହେଁ। ଆଜି ସମାଜର ସବୁଠୁ ବଡ଼ ସମସ୍ୟା ହେଲା ଚରିତ୍ରକୁ ନେଇ, ନୈତିକତାକୁ ନେଇ। କାହାକୁ ଆକ୍ରମଣାତ୍ମକ ବ୍ୟବହାର ନ କରିବା, ସରଳ ଓ ନୈତିକ ଜୀବନ ବଞ୍ଚିବା- ଗାନ୍ଧିଜୀ ତାଙ୍କ ଆଶ୍ରମରେ ଏହା ଉପରେ ସର୍ବଦା ଗୁରୁତ୍ବାରୋପ କରୁଥିଲେ। ଜୟପ୍ରକାଶ ମଧ୍ୟ ଏ ମୂଲ୍ୟବୋଧକୁ ଆପଣାଇଥିଲେ। ତେଣୁ ଏସବୁ ଶାଶ୍ବତ ମୂଲ୍ୟବୋଧଗୁଡ଼ିକୁ ନିଜ ଜୀବନର ଅଂଶ କରିବାକୁ ଆମେ ଚେଷ୍ଟିତ ହେବା ଉଚିତ। ତେଣୁ ମୋ କ୍ଷେତ୍ରରେ ଯେଉଁମାନେ ସେପରି କହନ୍ତି, ତାହା ତାଙ୍କ ବ୍ୟକ୍ତିଗତ ବିଚାର। ସର୍ବୋଦୟର ବଡ଼ ନେତା ଦାଦା ଧର୍ମାଧିକାରୀ କହୁଥିଲେ, ପୁଞ୍ଜିବାଦ, ସାମ୍ୟବାଦ, ସମାଜବାଦ, ଅରାଜକତାବାଦ- ଏହା ବଡ଼ ପ୍ରଶ୍ନ ନୁହେଁ; ବଡ଼ ପ୍ରଶ୍ନ ହେଉଛି ଏପରି କୌଣସି ସାଧନ ଅଛି ନା ନାହିଁ, ଯାହାଦ୍ବାରା ମନୁଷ୍ୟର ପରିବର୍ତ୍ତନ ଘଟିବ, ସେ ବଦଳିବ। ଗାନ୍ଧିଜୀ କୌଣସି ବାଦ ଭିତରେ ବାନ୍ଧି ହୋଇ ନଥିଲେ। ସମାଜ କିପରି ବଦଳିବ, ସାମ୍ବାଦିକତାକୁ ଧରି ମୁଁ ଚେଷ୍ଟା କରିଥିଲି ଏବଂ ଏବେ ରାଜନୀତିକୁ ଧରି ତାହା କରିବାକୁ ଉଦ୍ୟମ କରୁଛି। 


ବ୍ୟକ୍ତିଗତ ଜୀବନ ଭଳି ସଂସଦରେ ମଧ୍ୟ ନିଜ ଆଚରଣ ଦ୍ବାରା ଅନ୍ୟମାନଙ୍କୁ ଆପଣ ବେଶ୍‌ ପ୍ରଭାବିତ କରିଛନ୍ତି; କିନ୍ତୁ କୃଷି ବିଧେୟକକୁ ଧ୍ବନିମତରେ ମଂଜୁରୀ ଦିଆଇବା ପରେ ଆପଣଙ୍କ ଭାବମୂର୍ତ୍ତିକୁ ନେଇ ପ୍ରଶ୍ନ ଉଠିଥିଲା। ଏ ସମ୍ପର୍କରେ ଆପଣ କ’ଣ କହିବେ?
ଦୁଇଟି କଥା ମୁଁ କହିବାକୁ ଚାହିଁବି। ସେତେବେଳେ ପଦମର୍ଯ୍ୟାଦା ଅନୁସାରେ ମୁଁ ଆଚରଣ କରିଥିଲି। ଆମ ବ୍ୟବସ୍ଥାରେ ଏପରି କେତେକ ପଦ ଅଛି, ଯଥା ବାଚସ୍ପତି, ଅଧ୍ୟକ୍ଷ, ଉପାଧ୍ୟକ୍ଷ ବା ବିଚାର ବିଭାଗୀୟ ପଦଗୁଡ଼ିକ, ଏସବୁରେ ପଦସ୍ଥ ବ୍ୟକ୍ତି ସାମ୍ବାଦିକ ସମ୍ମିଳନୀରେ କିଛି କହିପାରିବେ ନାହିଁ। ଆପଣ କେବେମଧ୍ୟ କୌଣସି ଖବରକାଗଜ ବା ଗଣମାଧ୍ୟମରେ ଏ ନେଇ ମୋର ବିବୃତି ବା ପ୍ରେସ୍‌ ବିଜ୍ଞପ୍ତି ପାଇବେ ନାହିଁ; କାହିଁକିନା ଏ ପଦର ମର୍ଯ୍ୟାଦା ହିଁ ସେହିଭଳି। କିନ୍ତୁ ଆପଣ ଯେଉଁ ପ୍ରଶ୍ନଟି ପଚାରିଛନ୍ତି, ମୁଁ ଅନୁରୋଧ କରିବି, କୃଷି ବିଲ୍‌ ସମ୍ପର୍କିତ ରାଜ୍ୟସଭାର ରେକର୍ଡକୁ ବାହାର କରି ଦେଖନ୍ତୁ ଯେ ମୁଁ ଅନେକ ଥର ସଦସ୍ୟମାନଙ୍କୁ କହିଛି, ସେମାନେ ଶାନ୍ତିପୂର୍ଣ୍ଣ ଭାବେ ବସନ୍ତୁ, ସତର ଅଠର ଥର। ଆସନରେ ନ ବସିବା ପର୍ଯ୍ୟନ୍ତ ଭୋଟିଂ (ମତଗ୍ରହଣ) ହୋଇପାରିବ ନାହିଁ। ପ୍ରସଙ୍ଗଟି ଉପରେ ସାଢ଼େ ତିନି- ଚାରି ଘଣ୍ଟା ଆଲୋଚନା ହୋଇଛି। ତେଣୁ ଆପଣ ଦେଖିପାରିବେ; ସଦନ ରେକର୍ଡରୁ ଜଣାପଡ଼ିବ ଯେ ସେତେବେଳେ ସ୍ଥିତି କ’ଣ ଥିଲା। ଯେତେବେଳେ ମୁଁ ଏହି ପଦରୁ ଚାଲିଯିବି, ସେତେବେଳେ ଜଣେ ସ୍ବାଧୀନ ନାଗରିକ ଭା‌େ‌ବ ମୁଁ ସବୁକିଛି ସ୍ପଷ୍ଟଭାବେ କହିବି।


ପୂର୍ବତନ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖରଙ୍କ ସହ ଆପଣଙ୍କ ଖୁବ୍‌ ଭଲ ସମ୍ବନ୍ଧ ରହିଥିଲା। ଆପଣ ତାଙ୍କର ଅତିରିକ୍ତ ସୂଚନା ପରାମର୍ଶଦାତା ଥିଲେ। ଆପଣ ତାଙ୍କ ଉପରେ ଅନେକ ପୁସ୍ତକ ମଧ୍ୟ ଲେଖିଛନ୍ତି। ଭାରତ ଇତିହାସରେ ତାଙ୍କର ସ୍ଥାନ କେଉଁଠି ବୋଲି ଆପଣ ଭାବନ୍ତି?
ପ୍ରକୃତରେ ଚନ୍ଦ୍ରଶେଖର ଥିଲେ ନିଜ ବିଚାରାଧାରାରେ ଆଜୀବନ ଚାଲୁଥିବା ଜଣେ ବ୍ୟକ୍ତି। ଆପଣ ଠିକ୍‌ କହିଲେ ଯେ ମୁଁ ତାଙ୍କ ଉପରେ ସାତ ଆଠଟି ବହି ଲେଖିଛି। ୨୦୧୯ରେ ପ୍ରକାଶ ପାଇଥିଲା ତାଙ୍କର ଜୀବନୀ ‘ଦ ଲାଷ୍ଟ୍‌ ଆଇକନ୍‌ ଅଫ୍ ଆଇଡିଓଲୋଜିକାଲ୍‌ ପଲିଟିକ୍ସ’ ଅର୍ଥାତ ‘ବୈଚାରିକ ରାଜନୀତିର ଅନ୍ତିମ ପ୍ରଣେତା’। 


ଏ କଥା ଆପଣଙ୍କ ମନ ଭିତରେ କିପରି ଆସିଲା?

ଜୀବନରେ ଯେଉଁ ସମାଜବାଦର ବିଚାରଧାରାକୁ ଆପଣାଇଲେ, ଆଜୀବନ ସେଥିରେ ଅଟଳ ରହିଲେ। ଆପଣଙ୍କର ମନେଥିବ, ୧୯୯୧ରେ ଯେତେବେଳେ ଉଦାରୀକରଣ ଆରମ୍ଭ ହେଲା, ସେତେବେଳେ ସେ ଏକମାତ୍ର ବ୍ୟକ୍ତି ଥିଲେ ଯିଏ ସମଗ୍ର ଦେଶରେ ପରିଭ୍ରମଣ କରିଥିଲେ। ଓଡ଼ିଶା ବି ଆସିଥିଲେ। ବୁଲିବୁଲି ଲୋକଙ୍କୁ ସଚେତନ କରିବା ଆରମ୍ଭ କଲେ ଯେ ଉଦାରୀକରଣର ପ୍ରଭାବ କ’ଣ ପଡ଼ିବ; ଆମ ସମାଜକୁ କୁଆଡ଼େ ନେବ। ତାଙ୍କ ବିଚାରରେ ଆମେ ସହମତ ବା ଅସହମତ ହୋଇପାରୁ; କିନ୍ତୁ ଆରମ୍ଭରୁ ଯେଉଁ ବିଚାରକୁ ସେ ବିଶ୍ବାସ କଲେ, ତାକୁ ଆଜୀବନ ଧରି ରଖିଲେ। କଳାହାଣ୍ଡି ଯାଇ ସେଠାକାର ପ୍ରସଙ୍ଗ ଉଠାଇବାରେ ​‌େ​‌ସ ଦେଶର ପ୍ରଥମ ଜାତୀୟ ନେତା। ଆଜି ବି କଳାହାଣ୍ଡିରେ ଭକ୍ତଚରଣ ଦାସ ଥିବେ। ଚନ୍ଦ୍ରଶେଖର ଭାରତ ଯାତ୍ରା ପାଇଁ ଯେଉଁ ଟ୍ରଷ୍ଟ୍‌ ଗଢ଼ିଥିଲେ, ସେଥିରେ ନିଜର କୌଣସି ସମ୍ପର୍କୀୟଙ୍କୁ ରଖି ନଥିଲେ। ଯେଉଁ ବ୍ୟକ୍ତି ନିଜ ଜୀବନରେ ସର୍ବଦା ସମାଜବାଦର ଆଦର୍ଶକୁ ବଞ୍ଚିଚାଲିଥିଲେ, ତାଙ୍କର ଗଭୀର ପ୍ରଭାବ ପଡ଼ିବା ସ୍ବାଭାବିକ ଥିଲା। ସେ ଜୟପ୍ରକାଶଙ୍କର ଅତି ଘନିଷ୍ଠ ଥିଲେ। 


ବିଗତ କିଛି ବର୍ଷ ହେଲା ଦେଖାଯାଉଛି ଯେ ସଂସଦରେ ଯେଉଁଭଳି ବିଚାରବିମର୍ଶ ହେବା କଥା ତାହା ହେଉନାହିଁ। ସରକାରୀ ପକ୍ଷ ବିରୋଧୀଙ୍କ କଥା ଶୁଣିବାକୁ ପ୍ରସ୍ତୁତ ନୁହନ୍ତି। ଆପଣଙ୍କୁ ଲାଗୁନାହିଁ କି ଯେ ଏହା ଏକ ଅଗଣତାନ୍ତ୍ରିକ ଆଚରଣ ଏବଂ ଗଣତନ୍ତ୍ରର ଅପମାନ?

ମୁଁ ଯେଉଁ ପଦରେ ରହିଛି, ସେଥିରେ ଥାଇ ଏ ପ୍ରଶ୍ନର ଉତ୍ତର ଯେପରି ଦେବା କଥା ଦେଇପାରିବି ନାହିଁ। ମୋ କାର୍ଯ୍ୟ ହେଉଛି ଗୃହ ପରିଚାଳନା କରିବା। ଉତ୍ତମ ବିଚାରବିମର୍ଶ ହେଉ- ସରକାର ଓ ବିରୋଧୀ ଦଳ ଉଭୟ ସେପରି ଚାହିଁବା ଦରକାର। ଆପଣ ଦେଖିଥିବେ ଯେ ରାଜ୍ୟସଭାରେ ବହୁତ ଉଚ୍ଚ ସ୍ତରର ବିଚାରବିମର୍ଶ ହୋଇଥାଏ। ଦୁର୍ଭାଗ୍ୟର କଥା ଯେ ଆଜିକାଲି କେବଳ ସଂସଦ ନୁହେଁ, ବିଧାନସଭାରେ ମଧ୍ୟ ଉତ୍ତମ ବିଚାରବିମର୍ଶ ଓ ଆଲୋଚନା ହୋଇପାରୁ ନାହିଁ। ସଂସଦ ଓ ବିଧାନସଭା, ଏହା ହେଉଛି ଗଣତନ୍ତ୍ରର ମନ୍ଦିର; ଏଠାରେ ଲୋକଙ୍କର ନିୟତି ନିର୍ଣ୍ଣୟ ହୋଇଥାଏ। ଆଜି ଟେକ୍ନୋଲୋଜି ଯେଉଁଭଳି ବଦଳିଚାଲିଛି; ଜଳବାୟୁ ପରିବର୍ତ୍ତନ ଘଟୁଛି, ଏସବୁ ଆଗାମୀ ଦଶନ୍ଧିରେ ପୃଥିବୀକୁ ସମ୍ପୂର୍ଣ୍ଣ ବଦଳାଇ ଦେବ। ଏସବୁ ବଡ଼ବଡ଼ ଆହ୍ବାନ ବିଷୟରେ ଏହିଭଳି ବଡ଼ ମଞ୍ଚଗୁଡ଼ିକରେ ବିସ୍ତୃତ ଆଲୋଚନା ହେବା ଦରକାର; ଏବଂ ଆଲୋଚନା କରାଇବା ରାଜନୈତିକ ଦଳଗୁଡ଼ିକର ଦାୟିତ୍ବ। 


ଆପଣ ଜେଡି(ୟୁ)ର ନେତା। ଭଲ କଥା ଯେ ନୀତୀଶ କୁମାର ବିହାରରେ ସଂପୂର୍ଣ୍ଣ ମଦବନ୍ଦ କରିବାପାଇଁ ଆଇନ ଆଣିଛନ୍ତି; କିନ୍ତୁ ସେ ସେଥିରେ ସଫଳତା ପାଉନାହାନ୍ତି କାହିଁକି?

ଏକ ସଭ୍ୟ ଓ ସୁସଂସ୍କୃତ ସମାଜ ଗଢ଼ିବା ପାଇଁ ଗାନ୍ଧିଜୀଙ୍କର ଯେଉଁ ଇଚ୍ଛା ଥିଲା, ସେ ଦିଗରେ ନୀତୀଶ ଜୀ’ ପ୍ରଚେଷ୍ଟା ଜାରି ରଖିଛନ୍ତି। ଆପଣ ଦେଖନ୍ତୁ, ଏହି ଆଇନ ଲାଗୁ ହେବାପରେ ସମାଜର ନିମ୍ନବର୍ଗର ଲୋକଙ୍କ ଜୀବନରେ କେତେ ପରିବର୍ତ୍ତନ ଆସିଛି। ସେମାନଙ୍କର ପିଲା ପଢ଼ୁଛନ୍ତି, ସେମାନଙ୍କ ଘରେ ଖୁସି ଫେରିଛି। କିନ୍ତୁ ଆପଣ ଜାଣନ୍ତି, ଆଇନ ହେବାପରେ ବି ମଣିଷର ପ୍ରବୃତ୍ତି ସହଜରେ ବଦଳେ ନାହିଁ। ଯେମିତି, ହତ୍ୟା ରୋକିବା ପାଇଁ ଆଇନ ଅଛି, କିନ୍ତୁ ହତ୍ୟାକାଣ୍ଡ ବନ୍ଦ ହେଉନାହିଁ। ତଥାପି ଆଇନକୁ ଅଧିକ ପ୍ରଭାବଶାଳୀ କରିବାପାଇଁ ଯେଉଁ କୌଶଳ ଆପଣାଇବା ଦରକାର, ବିହାର ସରକାର ସାହସର ସହ ତାହା କରୁଛି। ଅନ୍ୟ କୌଣସି ଦେଶରେ ଏ ପର୍ଯ୍ୟନ୍ତ ଏପରି ସାହସିକ ପଦକ୍ଷେପ ନେବାକୁ ଉଦ୍ୟମ କରାଯାଉ ନାହିଁ; କାରଣ ସେଥିରୁ ଆୟ ବହୁତ ହୁଏ। ବିହାର ଭଳି ରାଜ୍ୟରେ ନୀତୀଶ ଜୀ ତାହା କରି ଦେଶ ଓ ଦୁନିଆକୁ ଏକ ରାସ୍ତା ଦେଖାଇଛନ୍ତି।


ଆପଣ ମୂଳତଃ ଜଣେ ସାମ୍ବାଦିକ। ଜଣେ ବିଖ୍ୟାତ ସଂପାଦକ ମଧ୍ୟ ଥିଲେ। ପ୍ରତିବର୍ଷ ‘ବିଶ୍ବ ପ୍ରେସ୍‌ ସ୍ବାଧୀନତା ସୂଚକାଙ୍କ’ରେ ଭାରତ ନିମ୍ନଗାମୀ ହୋଇଚାଲିଛି। ଆପଣଙ୍କ ଅନୁସାରେ ଏହାର କାରଣ କ’ଣ?
ଗୋଟିଏ ଧାରଣା ରହିଛି ଯେ ବ୍ୟବସ୍ଥା ବହୁତ ହସ୍ତକ୍ଷେପ କରୁଛି; ମୁଁ ସେପରି ହେଉଛି ବୋଲି ଭାବୁନାହିଁ। ହଁ, ସାମ୍ବାଦିକତାରେ ଯେଉଁ ଆଦର୍ଶ ରହିଥିଲା, ତାହା କ’ଣ ଏବେ ଅଛି? ଆମେ ସମସ୍ତେ ମିଶି ଏ ବିଷୟରେ ଆତ୍ମମନ୍ଥନ କରିବା ଆବଶ୍ୟକ। ଏଡିଟର୍ସ ଗିଲ୍ଡ, ପ୍ରେସ୍‌ କାଉନସିଲ୍‌ ଆଦି ସଂସ୍ଥା ଓ ସରକାର ମିଶି ସାମ୍ବାଦିକତାକୁ ନେଇ ଗାନ୍ଧୀଯୁଗରେ ଯେଉଁ ସ୍ବପ୍ନ ଥିଲା ବା ସାମ୍ବାଦିକତା ​‌କ୍ଷେତ୍ରରେ ଗୋପବନ୍ଧୁ ଦାସ ଜୀ ଯେଉଁ ରାସ୍ତା ଦେଖାଇଛନ୍ତି, ସେହି ଦିଗ ଆଡ଼କୁ କିପରି ମୁହାଁଇ ନେଇହେବ, ସେ ଦିଗରେ ଉଦ୍ୟମ କରିବା ଦରକାର। ଏବେ ବଡ଼ବଡ଼ କମ୍ପାନୀ ଏ କ୍ଷେତ୍ରକୁ ଆସିଛନ୍ତି। ପୂର୍ବରୁ ଠିକ୍‌ ତଥ୍ୟ ଉପରେ ଗୁରୁତ୍ବ ଦିଆଯାଉଥିଲା। ଏବେ କମ୍ପାନୀର ସ୍ବାର୍ଥକୁ ଗୁରୁତ୍ବ ଦିଆଯାଉଛି।


ପ୍ରେସ୍‌ କାଉନସିଲ୍‌ ତ ଏକ ସରକାରୀ ସଂସ୍ଥା। ଏ ଦିଗରେ ଏହା ଯେଉଁଭଳି କାର୍ଯ୍ୟ କରିବା କଥା, ବୋଧହୁଏ ସେପରି କରୁନାହିଁ। ଆପଣଙ୍କ ଧାରଣା କ’ଣ?
ଦେଖନ୍ତୁ, ପ୍ରେସ୍‌ କାଉନସିଲକୁ ସରକାର ସ୍ବାୟତ୍ତ ସଂସ୍ଥା ଭାବେ ଗଢ଼ିଛନ୍ତି। ଯେତେବେଳେ ଏହା ଗଠନ ହେଲା, ସେତେବେଳେ ଏହାର ଲକ୍ଷ୍ୟ କ’ଣ ଥିଲା। ଆପଣଙ୍କର ମନେଥିବ, ୧୯୭୭ରେ, ଜରୁରୀ ପରିସ୍ଥିତି ପରେ, ଏହାକୁ କୁହାଯାଉଥିଲା ‘ଦନ୍ତବିହୀନ ସଂସ୍ଥା’। ସମୟାନୁସାରେ ଏହା ପରିବର୍ତ୍ତନ ହେବା ଦରକାର। ଆପଣ ଜାଣିଥିବେ ଯେ ବିହାରରେ ଏକ ପ୍ରେସ୍‌ ବିଲ୍‌ ଆସିଥିଲା। ସେହି ବିଲ୍‌ ବିଧାନସଭାରେ ଉପସ୍ଥାପନ କରା ନଯାଇ ତାକୁ ଗୃହୀତ କରାଇ ନିଆଯାଇଥିଲା। ଇତିହାସରେ ଆଜି ପର୍ଯ୍ୟନ୍ତ କେଉଁଠି ସେପରି ହୋଇନଥିବ। ଅରୁଣ ସୌରୀ ଜୀ’ଙ୍କ ନୂଆ ପୁସ୍ତକରେ ଏ ବିଷୟରେ ବିସ୍ତୃତ ବର୍ଣ୍ଣନା ରହିଛି। ସେତେବେଳେ ପ୍ରଯୁକ୍ତି ଏତେ ଶକ୍ତିଶାଳୀ ନଥିଲା କି ସୋସିଆଲ୍‌ ମିଡିଆ ବି ନଥିଲା। ଏହା ୧୯୮୪-୮୫ର କଥା। ସେତେବେଳେ ପ୍ରେସ୍‌ କାଉନସିଲ୍‌ରେ ଏହା ଆଲୋଚନା ହେବାର ଥିଲା। ତାହା ଗୋଟିଏ ଗୁରୁତ୍ବପୂର୍ଣ୍ଣ ମୋଡ଼ ଥିଲା। ତେବେ ଏବେ ବି ବିଳମ୍ବ ହୋଇନାହିଁ। ଏ ବିଷୟରେ ସଚେତନ ହେବାପରେ, ଏଡିଟର୍ସ ଗିଲ୍‌ଡ ଓ ଅନ୍ୟମାନେ ବସି ଏହାର କୌଣସି ରାସ୍ତା ବାହାର କରିବା ଉଚିତ। ଗାନ୍ଧୀ କହୁଥିଲେ, ବାହାରୁ କୌଣସି ପରିବର୍ତ୍ତନ ହେଲେ ତାହା ଉତ୍ତମ ନୁହେଁ, ବରଂ ଭିତରୁ ପରିବର୍ତ୍ତନ ହେବା ଦରକାର।


ଆପଣ ଜରୁରୀ ପରସ୍ଥିତି (ଇମର୍ଜେନ୍ସି) କଥା କହିଲେ। କିଛି ଲୋକ କହୁଛନ୍ତି ଯେ ଜରୁରୀ ପରିସ୍ଥିତି ସମୟରେ ଗଣମାଧ୍ୟମ ଯେପରି ଥିଲା, ଏବେ ତା’ର ଅବସ୍ଥା ସେହିପରି। ସରକାର ତା’ ଉପରେ ଭାରୀ ପଡ଼ୁଛି। ଆପଣଙ୍କ ମତ କ’ଣ?
ଦେଖନ୍ତୁ, ବହୁତ ଲୋକ ବହୁତ କଥା କହନ୍ତି, ତାହା ସେମାନଙ୍କ ବ୍ୟକ୍ତିଗତ ବିଚାର। କିନ୍ତୁ ମୁଁ ଗୋଟିଏ କଥା କହିବି। ଜରୁରୀ ପରିସ୍ଥିତି ସମୟରେ କେତୋଟି ଖବରକାଗଜ ବିରୋଧ କଲେ? କୁଲଦୀପ ନାୟାରଙ୍କୁ ଛାଡ଼ି କେତେଜଣ ସାମ୍ବାଦିକ କଲମ ଚାଳନା କଲେ? ଏ ସମ୍ପର୍କରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଲାଲକୃଷ୍ଣ ଆଡ଼ୱାଣିଙ୍କର ପ୍ରସିଦ୍ଧ ଉକ୍ତି ରହିଛି, ‘‘ଯେତେବେଳେ ନଇଁବାକୁ କୁହାଗଲା, ସେମାନେ ଘୁଷୁରିଲେ।’’ କେହି ସରକାର ବିରୋଧରେ ସ୍ବର ଉତ୍ତୋଳନ କରିନଥିଲେ। ଆଜି ଦେଶ ଓ ରାଜ୍ୟଗୁଡ଼ିକରେ ଅଲଗା ଅଲଗା ସରକାର ଅଛନ୍ତି ଓ ସରକାର ବିରୋଧରେ ଖୋଲିକି ଲୋକେ କହୁଛନ୍ତି, ଲେଖୁଛନ୍ତି। ଏପରିକି ଅମୂଳକ କଥା ବି ଲେଖୁଛନ୍ତି।  ମୁଁ ଅନେକ ରାଜ୍ୟ କଥା କହିପାରିବି। 


କିନ୍ତୁ ସରକାରୀ ହେଉ କି ଘରୋଇ, ସବୁ ପ୍ରକାରର ଟିଭି ଚ୍ୟାନେଲ୍‌ରେ ସରକାରଙ୍କ ଗୁଣଗାନ କରାଯାଉଥିବା ଅଭିଯୋଗ ହେଉଛି।
ବହୁତ ଦିନରୁ ଏ ଅଭିଯୋଗ ହୋଇଆସୁଛି ଯେ ସରକାରୀ ଟିଭି ଚ୍ୟାନେଲ୍‌ ବା ଅନ୍ୟ ସରକାରୀ ମାଧ୍ୟମରେ ସରକାରଙ୍କ କଥା କୁହାଯାଉଛି। ଏହା ଏକ ଧାରଣା। ଘରୋଇ ଚ୍ୟାନେଲ୍‌ ଉପରେ କାହାର ନିୟନ୍ତ୍ରଣ ରହିଛି? ବହୁତ ଚ୍ୟାନେଲ୍‌ ଅଛି, ବହୁତ ବିରୋଧରେ ବି କହୁଛନ୍ତି। ସବୁଠି। ଏ ଦେଶରେ ଅଲଗା ଅଲଗା ରାଜ୍ୟରେ ଅଲଗା ଅଲଗା ସରକାର ଅଛି। କେଉଁଠି କେତେ ଟିଭି ଚ୍ୟାନେଲ୍‌ ଉପରେ କାର୍ଯ୍ୟାନୁଷ୍ଠାନ କରାଯାଇଛି? ଏବେ ବି ସରକାରଙ୍କ ବିରୋଧରେ ଚ୍ୟାନେଲ୍‌ରେ ବହୁତ କଥା କୁହାଯାଉଛି। ଏପରିକି ଆଗେ ମଧ୍ୟ ଏତେ ସରକାର ବିରୋଧୀ କଥା କହିବା କଷ୍ଟକର ଥିଲା। ହଁ, ଏ ଦେଶର କେତେକ ପ୍ରଭାବଶାଳୀ ଇଂରେଜୀପଢ଼ୁଆ, ସମ୍ଭ୍ରାନ୍ତ (ଏଲିଟ୍‌) ଶ୍ରେଣୀର ଯେତେବେଳେ ଗୁରୁତ୍ବ କମିଯାଏ, ସେମାନେ ବିଭିନ୍ନ ପ୍ରକାରର ପ୍ରଚାର କରନ୍ତି; ସେମାନେ କରିପାରିବେ। 


ଗଣମାଧ୍ୟମକୁ ନେଇ ‘ଗୋଦି ମିଡିଆ’ ଶବ୍ଦଟି ଆଜିକାଲି ବହୁତ ପ୍ରଚଳିତ ଏବଂ ଚର୍ଚିତ। ଏ ସମ୍ପର୍କରେ ଆପଣ କ’ଣ କହିବେ?
ଆପଣଙ୍କର ମନେଥିବ, ‘ଲିଙ୍କ୍‌’, ‘ପେଟ୍ରିଅଟ୍‌’ ଆଦି ସାମ୍ୟବାଦୀ ବିଚାରଧାରାର, ‘ଜୁଟ୍‌ ପ୍ରେସ୍‌’, ବୁର୍ଜୁଆ ଖବରକାଗଜ, ପୁଞ୍ଜିପତିଙ୍କ ଖବରକାଗଜ ବୋଲି କହୁଥିଲେ, କିନ୍ତୁ ସେହି ମୁଖ୍ୟସ୍ରୋତର ଖବରକାଗଜ ହିଁ ସେବା ପ୍ରଦାନ କଲା। ଆପଣଙ୍କର ବା ମୋର ବ୍ୟକ୍ତିଗତ ବିଚାର ଅଲଗା ହୋଇପାରେ; କିନ୍ତୁ ସେହି ଅନୁସାରେ ବ୍ୟବସ୍ଥା କାମ କରେ ନାହିଁ। ଏହା ଏ ଦେଶର ସ୍ବାଧୀନତା, ଏହା ଏ ଦେଶର ଗଣତନ୍ତ୍ର। ଆପଣ କିପରି କହିପାର​‌େ​‌ବ ଯେ ଏଥିରେ କଟକଣା ରହିଛି? ଆପଣ ଗଣମାଧ୍ୟମକୁ ଏପରି ବିଶେଷଣ ଦେଉଛନ୍ତି ଓ ତାହା ପ୍ରସାରିତ ହେଉଛି। ସମସ୍ତଙ୍କର କହିବାର ସ୍ବାଧୀନତା ଅଛି। ୭୫’ରେ କ’ଣ କିଏ ନିଜ କଥା କହିପାରୁଥିଲା? ତ ଗଣମାଧ୍ୟମର ସ୍ବାଧୀନତା ଆଜି ଅଛି ନା ସେତେବେଳେ ଥିଲା?


ଆଜି କର୍ପୋରେଟ୍‌ ସଂସ୍ଥାଗୁଡ଼ିକ ଗଣମାଧ୍ୟମକୁ ମଧ୍ୟ ନିୟନ୍ତ୍ରଣ କରୁଛନ୍ତି...।
ଏହା ଆଜିର କଥା ନୁହେଁ। ଯେତେବେଳେ ୧୯୯୧ରେ ଦେଶରେ ଉଦାରୀକରଣ ଆସିଲା, ସେତେବେଳେ ପୁଞ୍ଜି ସବୁ ସ୍ଥାନକୁ ଗଲା। ହିନ୍ଦୀ ଭାଷାର ଜଣେ ପ୍ରମୁଖ ସାମ୍ବାଦିକ ଥିଲେ ପାରାଳକର ଜୀ। ମୂଳତଃ ସେ ମରାଠୀ ଥିଲେ। ୧୯୫୨ରେ ସେ କହିଥିଲେ, ଭବିଷ୍ୟତରେ ବଡ଼ବଡ଼ କର୍ପୋରେଟ୍‌ ଆସିବେ, ଖବରକାଗଜ ଆକର୍ଷଣୀୟ ହୋଇଯିବ; କିନ୍ତୁ ସେଥିରେ ସତ୍ୟ ରହିବ ନାହିଁ। କେବଳ ଖବରକାଗଜକୁ କାହିଁକି ଦୋଷ ଦେବା। ପ୍ରଥମେ ସମାଜ ବିଚାରକୁ ନେଇ ପରିଚାଳିତ ହେଉଥିଲା। ଆଜିର ସମାଜ ବିଚାର ନୁହେଁ, ନ୍ୟସ୍ତସ୍ବାର୍ଥ ଦ୍ବାରା ପରିଚାଳିତ ହେଉଛି। ଗାନ୍ଧିଜୀଙ୍କ ସମୟରେ ସେ ସମାଜକୁ, ଗଣମାଧ୍ୟମକୁ, ଆଇନକୁ ଯେଉଁ ଚରିତ୍ର/ସ୍ବଭାବ ଦେଇଥିଲେ, ନୈତିକତା ଦେଇଥିଲେ, ତାହା ଆଜି ନାହିଁ। ମୂଲ୍ୟବୋଧ ବଦଳିଛି। ଏହା ଦୁଇଟି ଜାଗାରେ ଗଠନ ହୁଏ- ବିଦ୍ୟାଳୟରେ ଓ ଘରେ। ସେଥିପାଇଁ ଆମର ଗୋପବନ୍ଧୁ ଦାସ ଜୀ ବିଦ୍ୟାଳୟ ଖୋଲିଥିଲେ। ତେଣୁ ସମାଜର ସଚ୍ଚରିତ୍ର କିପରି ଫେରିବ, ସେ ଦିଗରେ ଉଦ୍ୟମ ହେବା ଦରକାର।


ଓଡ଼ିଶା ସହ ଆପଣଙ୍କର ସମ୍ବନ୍ଧ କିଭଳି?

ଓଡ଼ିଶା ମୋ ପାଇଁ ଆଧ୍ୟାତ୍ମିକ, ସାଂସ୍କୃତିକ ସ୍ଥଳ। ମାନନୀୟ ପ୍ରଧାନମନ୍ତ୍ରୀ କହନ୍ତି ଯେ ଓଡ଼ିଶାରୁ ପ୍ରାରମ୍ଭିକ ସୂର୍ଯ୍ୟକିରଣ ବାହାରେ ଓ ସମଗ୍ର ଦେଶକୁ ବିଚ୍ଛୁରିତ କରିଥାଏ। ଏହା ଶ୍ରୀଜଗନ୍ନାଥଙ୍କ ମାଟି। ଏଠାରେ ଲିଙ୍ଗରାଜ ମନ୍ଦିର ଅଛି। ଏହା ସନ୍ଥ ପରମ୍ପରାର ରାଜ୍ୟ। ଏଇଠି ବଡ଼ବଡ଼ ସ୍ବାଧୀନତା ସଂଗ୍ରାମୀ ଜନ୍ମ ନେଇଥିଲେ। ଯେଉଁ ପ୍ରଦେଶ ନିଜର ସଂସ୍କୃତି, ପରିଚିତି ଓ ଗୌରବକୁ କ୍ରମାଗତ ଶକ୍ତିଶାଳୀ କରିଚାଲିଛି, ତାହା ଓଡ଼ିଶା। ମୁଁ ଏହାକୁ ବହୁତ ସମ୍ମାନ କରେ ଏବଂ ମୁଁ ପ୍ରାୟ ଓଡ଼ିଶା ଆସେ। 

(‘ସମାଜ’ରେ ୧୦ ଏପ୍ରିଲ ୨୦୨୨ରେ ପ୍ରକାଶିତ)

Read More

ପେଗାସସ୍ ପିଠିରେ ପ୍ରେତ

Leave a Comment

 


ଅଶୋକ

ପେଗାସସ୍। ଏଇ ପୌରାଣିକ ନାମଟି ଏବେ କେବଳ ଭାରତରେ ନୁହେଁ, ସମଗ୍ର ବିଶ୍ବରେ ଚର୍ଚ୍ଚା/ବିବାଦର କେନ୍ଦ୍ର। ଆମ ଦେଶରେ ସଂସଦର ହଟ୍ଟଗୋଳରୁ ଯାଇ ପହଞ୍ଚିଚି ସର୍ବୋଚ୍ଚ ନ୍ୟାୟାଳୟର କାଠଗଡ଼ାରେ। ଗ୍ରୀକ୍‌ ପୌରାଣିକ କାହାଣୀର ଶୁଭ୍ର ପକ୍ଷୀରାଜ ଅଶ୍ବ ପେଗାସସ୍‌ ଅବିକଳ ଆମ ପୁରାଣର ଉଚ୍ଚୈଶ୍ରବା (ସମୁଦ୍ରମନ୍ଥନରୁ ଜାତ) ପରି, ଯିଏ ଚିମେରା ନାମକ ଅତୀବ ଶକ୍ତିଶାଳୀ ରାକ୍ଷସ(ମହାକବି ହୋମର୍‌ଙ୍କ ବର୍ଣ୍ଣନାନୁସାରେ ଏହା ସିଂହ ମୁଣ୍ଡ, ଛାଗଳ ଶରୀର ଓ ସର୍ପ ଲାଞ୍ଜବିଶିଷ୍ଟ, ଯାହାର ପାଟିରୁ ସର୍ବଦା ନିଆଁହୁଳା ବାହାରୁଥାଏ)କୁ ବଧ କରିବାପାଇଁ ନାୟକ ବେଲ୍ଲେରୋଫୋନ୍‌ଙ୍କ ବାହନ ସାଜିଥିଲା। ପରେ ଗ୍ରୀକ୍‌ ଦେବରାଜ ଜିଅସ୍‌ଙ୍କ ଦ୍ବାରା ତାହା ଏକ ନକ୍ଷତ୍ରରେ ପରିଣତ ହୋଇ ନଭମଣ୍ଡଳରେ ବିରାଜମାନ କଲା। ଏବେ କିନ୍ତୁ ପେଗାସସ୍‌ ପୃଥିବୀକୁ ପକ୍ଷୀରାଜ ଅଶ୍ବ ରୂପରେ ନୁହେଁ, ଏକ ଅତି ଶକ୍ତିଶାଳୀ ଗୁପ୍ତଚର ସଫ୍ଟୱେର୍‌ (ସ୍ପାଏୱେର୍‌) ଭାବେ ସୂକ୍ଷ୍ମରୂପରେ ଓହ୍ଲାଇ କରୁଚି ବିଶ୍ବଭ୍ରମଣ! ସନ୍ତ୍ରାସବାଦୀ/ଅପରାଧୀଙ୍କୁ ବଧ କରିବା ଲକ୍ଷ୍ୟରେ ଏହା ଓହ୍ଲାଇଥିଲେ ହେଁ ୟା’କୁ କିଏ ବାହନ କରିଚି ଓ କାହା ନିର୍ଦେଶରେ କାର୍ଯ୍ୟ କରୁଚି, ତାହା ଏ ପର୍ଯ୍ୟନ୍ତ ଅଜ୍ଞାତ। ଆହୁରି ମଧ୍ୟ, ଏବେ ଗୋଳ ଉଠିଚି ଯେ ଏହା କୌଣସି ପ୍ରେତ(ବର୍ତ୍ତମାନ ସୁଦ୍ଧା ଅଦୃଶ୍ୟ)ର ନିୟନ୍ତ୍ରଣରେ, ଯିଏ ଆତଙ୍କବାଦୀ/ଅପରାଧୀଙ୍କ ବଧ ପାଇଁ ନୁହେଁ, ବରଂ ପ୍ରମୁଖ ରାଜନେତା, ସାମ୍ବାଦିକ, ସାମାଜିକ କର୍ମୀ ଓ ଅନ୍ୟମାନଙ୍କ ବିରୋଧରେ ଏହାକୁ କରିଚି ପ୍ରୟୋଗ।


ପ୍ରଯୁକ୍ତି ମନୁଷ୍ୟ ପାଇଁ ବରଦାନ ନା ଅଭିଶାପ, ଏ ପ୍ରଶ୍ନର ଉତ୍ତର ଖୋଜିବାର ସମୟ ଆସିଚି ଯେତେବେଳେ ଏହା ତା’ର ଜୀବନ ପ୍ରତି ପାଲଟୁଚି ବିପଜ୍ଜନକ। ଆଧୁନିକ ପ୍ରଯୁକ୍ତିର ହିଁ ଅବଦାନ ପେଗାସସ୍ ଭଳି ଅତି ଶକ୍ତିଶାଳୀ ଗୁପ୍ତଚର ସାଇବର୍ ଅସ୍ତ୍ର, ଯାହା ଜଣକର ଅଜାଣତରେ କେବଳ ତା’ର ବ୍ୟକ୍ତିଗତ ସ୍ବାଧୀନତା, ଗୋପନୀୟତାକୁ ଅପହରଣ କରିପାରେ ନାହିଁ, ବରଂ ଚାହିଁଲେ ତା’ ଜୀବନଯାପନର ପ୍ରତ୍ୟେକ ମୁହୂର୍ତ୍ତର ଦୃଶ୍ୟ-ଶ୍ରାବ୍ୟ-କଥ୍ୟକୁ ଏହା ପ୍ରେଷକ ନିକଟକୁ ପ୍ରେରଣ କରିବା ସହ ତା’ ପ୍ରାଣଘାତର ହେତୁ ମଧ୍ୟ ହୋଇପାରେ। ନିର୍ଦିଷ୍ଟ ଭାବେ ପେଗାସସ୍‌ର ଅତୀତକୁ ଦେଖିଲେ ମଧ୍ୟ ଏଭଳି ଆଶଙ୍କା ଦୃଢ଼ ହେବାକୁ ଲାଗେ, ଯେତେବେଳେ ଦୁଇଜଣ ସାମ୍ବାଦିକ (ମେକ୍ସିକୋର ସିସିଲିଓ ପିନେଦା ବିର୍ତୋ ଏବଂ ‘ୱାଶିଂଟନ ପୋଷ୍ଟ୍‌’ର ଜମାଲ୍‌ ଖାଶୋଗି)ଙ୍କୁ ହତ୍ୟା କରାଯାଇଥିଲା, ଯାହାଙ୍କ ସେଲ୍‌ଫୋନ୍‌ରେ ଏହି ସ୍ପାଏୱେର୍‌ (ଗୁପ୍ତଚର ସଫ୍ଟୱେର୍‌) ରୋପଣର ଅଭିଯୋଗ ହୋଇଥିଲା। ସ୍ମାର୍ଟଫୋନ୍‌ ଆଧୁନିକ ମଣିଷର ଅହର୍ନିଶ ସାଥୀ ପାଲଟିଥିବାବେଳେ ଏହା ହିଁ ସାଇବର୍‌ ଅସ୍ତ୍ରର ଏକ ସହଜ ମାଧ୍ୟମ ମଧ୍ୟ ପାଲଟିଚି, ଯାହା ସହାୟତାରେ ଜଣକ ଉପରେ ସର୍ବଦା ରଖାଯାଇପାରେ ଗୁପ୍ତ ନଜର। ଏହି ସ୍ପାଏୱେର୍‌ର ସ୍ବାତନ୍ତ୍ର୍ୟ ହେଲା, ଏହାକୁ ଜଣକର ଅଜାଣତରେ ତା’ ସେଲ୍‌ଫୋନ୍‌ରେ କେବଳ ଗୋଟିଏ ‘ମିସ୍‌ଡ କଲ୍‌’ କରି ରୋପଣ କରାଯାଇପାରେ; ଅର୍ଥାତ ପୂର୍ବରୁ ବ୍ୟବହାରକାରୀ ବାର୍ତ୍ତା ବା ଇ-ମେଲ୍‌ ଆଦିକୁ ଖୋଲିବାପରେ ହିଁ ତା’ ଫୋନ୍‌/କଂପ୍ୟୁଟର୍‌ ଏପରି ଭାଇରସ୍‌/ମାଲ୍‌ୱେର୍‌ ଦ୍ବାରା ସଂକ୍ରମିତ ହେଉଥିଲା; କିନ୍ତୁ ଏବେ ତାହା ଅନାବଶ୍ୟକ; ତେଣୁ ଏହାକୁ ‘ଜିରୋ-କ୍ଲିକ୍‌’ ଆକ୍ରମଣ କୁହାଯାଉଛି। ପେଗାସସ୍‌ର ସୃଷ୍ଟିକର୍ତ୍ତା ଇସ୍ରାଏଲ୍‌ ଦେଶର ଏନ୍‌ଏସ୍‌ଓ ଗ୍ରୁପ୍‌ (ସଂସ୍ଥାର ତିନି ପ୍ରତିଷ୍ଠାତା ନିଭ୍‌ କାର୍ମି, ଶାଲେଭ୍‌ ହୁଲ୍ଲୋ ଓ ଓମ୍ରି ଲେଭିଙ୍କ ନାମର ପ୍ରଥମ ଅକ୍ଷରକୁ ନେଇ ଏହାର ନାମକରଣ ହୋଇଛି) ତା’ ୱେବ୍‌ସାଇଟ୍‌ରେ ଉକ୍ତ ସ୍ପାଏୱେର୍‌କୁ ଅପରାଧୀ ଓ ସନ୍ତ୍ରାସବାଦୀଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ତିଆରି କରାଯାଇଛି ଏବଂ ଏହା ନିର୍ଦିଷ୍ଟ ଭାବେ ସରକାର ତଥା ସରକାରୀ ଗୁଇନ୍ଦା ଓ ନିରାପତ୍ତା ସଂସ୍ଥାଗୁଡ଼ିକୁ ହିଁ ବିକ୍ରି କରିଥିବା ଦର୍ଶାଇଚି। ତେବେ ୨୦୧୮ରେ ପେଗାସସ୍‌ ସମ୍ପର୍କରେ ଗଭୀର ଅନୁସନ୍ଧାନ କରିଥିବା କାନାଡ଼ାର ଟରଣ୍ଟୋ ବିଶ୍ବବିଦ୍ୟାଳୟ ଅଧୀନସ୍ଥ ‘ଦି ସିଟିଜେନ୍‌ ଲ୍ୟାବ୍‌’ ଏକ ବିବରଣୀ ପ୍ରକାଶ କରି ଦର୍ଶାଇଥିଲା ଯେ ବିଶ୍ବର ୪୫ଟି ଦେଶରେ ଏହା ବ୍ୟବହୃତ ହେଉଛି। ଏହି ୪୫ଟି ଦେଶ ମଧ୍ୟରେ ସେହି ଦେଶଗୁଡ଼ିକର ନାମ ମଧ୍ୟ ରହିଥିଲା, ଯାହା ‘ପ୍ରୋଜେକ୍ଟ ପେଗାସସ୍‌’ରେ ଦର୍ଶାଯାଇଥିବା ଭାରତ ସମେତ ୧୦ଟି ଦେଶ ମଧ୍ୟ ଅନ୍ତର୍ଭୁକ୍ତ। 


ଉଲ୍ଲେଖଯୋଗ୍ୟ, ନିକଟରେ ପ୍ୟାରିସ୍‌ର ଏକ ଅଣଲାଭକାରୀ ସଂସ୍ଥା ‘ଫର୍‌ବିଡେନ୍‌ ଷ୍ଟୋରିଜ୍‌’ ଓ ମାନବାଧିକାର ନେଇ ବିଶ୍ବବ୍ୟାପୀ କାର୍ଯ୍ୟରତ ‘ଆମ୍‌ନେଷ୍ଟି ଇଣ୍ଟରନ୍ୟାସନାଲ୍‌’ ପୃଥିବୀର ପ୍ରମୁଖ ୧୭ଟି ଗଣମାଧ୍ୟମ ଜରିଆରେ ବିଭିନ୍ନ ଦେଶର ୫୦ ହଜାର ଫୋନ୍‌ନମ୍ବର (ଭାରତର ପ୍ରାୟ ୧୦୦୦ ଅନ୍ତର୍ଭୁକ୍ତ) ସାର୍ବଜନୀନ କରିଛନ୍ତି, ଯାହା ‘ପ୍ରୋଜେକ୍ଟ ପେଗାସସ୍‌’ ଭାବେ ଦେଶ/ବିଶ୍ବରେ ଚହଳ ପକାଇଚି। ଏହି ବ୍ୟୟବହୁଳ ଗୁପ୍ତଚର ପ୍ରଯୁକ୍ତିର ପ୍ରୟୋଗକର୍ତ୍ତା କେଉଁମାନେ, ତାହା ସନ୍ଧାନସାପେକ୍ଷ; ତେବେ ଏହାର ଐତିହାସିକ କାଳକ୍ରମକୁ ନିରୀକ୍ଷଣ କଲେ ବିଶ୍ବର କେବଳ ଏକଛତ୍ରବାଦୀ ଶାସକ ନୁହନ୍ତି, ବରଂ ଗଣତାନ୍ତ୍ରିକ (ଛଦ୍ମ) ଶାସକମାନେ ମଧ୍ୟ ୟା’ର ପ୍ରୟୋଗ କର୍ତ୍ତା, ସେହି ସନ୍ଦେହ କ୍ରମେ ଦୃଢ଼ ହେବାକୁ ଲାଗିଚି। 


ପେଗାସସ୍ ସ୍ପାଏୱେର୍‌ର ଉଦ୍ଭବ କେବେ, ତାହା ତ ଏ ପର୍ଯ୍ୟନ୍ତ ଉଦ୍ଭାବକଙ୍କ ଛଡ଼ା ଆଉ କାହାକୁ ଜଣାନାହିଁ, କିନ୍ତୁ ସର୍ବପ୍ରଥମେ ଏହାକୁ ଆବିଷ୍କାର କରାଯାଇଥିଲା ୨୦୧୬ ଅଗଷ୍ଟ ମାସରେ, ଆରବ ଦେଶର ମାନବାଧିକାର କର୍ମୀ ଅହମଦ ମନସୁରଙ୍କ ଆଇଫୋନ୍‌ର ଏକ ବାର୍ତ୍ତା (ମେସେଜ୍‌)ରେ, ଯେଉଁଠି ୟୁନାଇଟେଡ ଆରବ ଏମିରେଟ୍‌ସ (ୟୁଏଇ)ର କାରାଗାରରେ ନିର୍ଯାତନା ଦିଆଯିବାର ‘ଗୁପ୍ତ ରହସ୍ୟ’ ରହିଥିବା ଦର୍ଶାଯାଇଥିଲା। ମନସୁର୍‌ ଉକ୍ତ ବାର୍ତ୍ତାର ‘ଲିଙ୍କ୍‌’କୁ ଉପରୋକ୍ତ ‘ଦି ସିଟିଜେନ୍‌ ଲ୍ୟାବ୍‌’କୁ ପରୀକ୍ଷା ପାଇଁ ପଠାଇବା ପରେ ଜଣାପଡ଼ିଥିଲା ଯେ ତାହା ପେଗାସସ୍‌ ସହ ସଂଯୁକ୍ତ। ୟୁଏଇରେ ଏହା ଅନ୍ୟତ୍ର ମଧ୍ୟ ବ୍ୟବହୃତ ହୋଇଥିବା ଅନୁସନ୍ଧାନରୁ ସେତେବେଳେ ଜଣାପଡ଼ିଥିଲା। ସେହିପରି ତୁର୍କୀରେ ଅବସ୍ଥିତ ସାଉଦି ଆରବର ଦୂତାବାସରେ ସାମ୍ବାଦିକ ତଥା ମାନବାଧିକାର କର୍ମୀ ଖାଶୋଗିଙ୍କୁ ହତ୍ୟାର ଦୁଇ ମାସ ପରେ ଏନ୍‌ଏସ୍‌ଓ ବିରୋଧରେ ମୋକଦ୍ଦମା ଦାୟର୍‌ କରାଯାଇଥିଲା। ଭାରତରେ ସର୍ବପ୍ରଥମେ ପେଗାସସ୍‌ ପ୍ରୟୋଗ କରି ସାମ୍ବାଦିକ ଓ ମାନବାଧିକାର କର୍ମୀଙ୍କୁ ନିଶାଣ କରାଯାଇଥିବା ସମ୍ପର୍କରେ ସର୍ବପ୍ରଥମେ ହ୍ବାଟ୍ସଆପ୍‌ ପକ୍ଷରୁ ୨୦୧୯ ଅକ୍ଟୋବରରେ ସୂଚନା ଦିଆଯାଇଥିଲା। ସେହିବର୍ଷ ନଭେମ୍ବରରେ ଡିଏମ୍‌କେ ସାଂସଦ ଦୟାନିଧି ମାରାନ ଲୋକସଭାରେ ପ୍ରଶ୍ନ କରିଥିଲେ ଯେ ସରକାର ହ୍ବାଟ୍ସଆପ୍‌ ଦୂରଭାଷ ଓ ବାର୍ତ୍ତାକୁ ‘ଟ୍ୟାପ୍‌’ କରିବା ପାଇଁ କିମ୍ବା ଅନ୍ୟ କୌଣସି କାରଣ ପାଇଁ ପେଗାସସ୍‌କୁ ବ୍ୟବହାର କରିଚନ୍ତି କି? ତତ୍କାଳୀନ ଗୃହ ରାଷ୍ଟ୍ରମନ୍ତ୍ରୀ କିଷନ ରେଡ୍ଡୀ ସିଧାସଳଖ ‘ପେଗାସସ୍‌’ ସମ୍ପର୍କିତ ଉତ୍ତର ନରଖି କହିଥିଲେ, ‘‘ଦେଶର ନିରାପତ୍ତା ଓ ସାର୍ବଭୌମତ୍ବ ରକ୍ଷା ପାଇଁ ସୂଚନା ପ୍ରଯୁକ୍ତି ଆଇନ, ୨୦୦୦ରେ ଧାରା ୬୯ ଅନୁୁସାରେ ଯେ କୌଣସି କଂପ୍ୟୁଟରରୁ ତଥ୍ୟ ସଂଗ୍ରହ, ନିୟନ୍ତ୍ରଣ ବା ନିରୀକ୍ଷଣ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର କ୍ଷମତା ରହିଛି। ସେହିପରି ଭାରତୀୟ ଟେଲିଗ୍ରାଫ୍ ଆଇନ, ୧୮୮୫ର ଧାରା ୫ ଜରୁରୀକାଳୀନ ସ୍ଥିତିରେ ସରକାରଙ୍କୁ ଯେ କୌଣସି ବାର୍ତ୍ତାର ଗତିରୋଧ କରିବା ଆଇନତଃ ବୈଧ।’’ 


ଅନେକଙ୍କୁ ହୁଏତ ଜଣାନଥିବ ଯେ, ଦେଶରେ ସରବରାହ ହେଉଥିବା ଯେ କୌଣସି ବାର୍ତ୍ତା ଓ ଇ-ମେଲ୍‌ ଆଦିକୁ ସଂରକ୍ଷଣ/ନିରୀକ୍ଷଣ କରିବା ପାଇଁ ସରକାରଙ୍କ ପାଖରେ ଅତ୍ୟଧିକ ଗୁପ୍ତ ‘ସେଣ୍ଟ୍ରାଲ୍‌ ମନିଟରିଂ ସିଷ୍ଟମ୍‌’ (ସିଏମ୍‌ଏସ୍‌) ନାମକ ବ୍ୟବସ୍ଥା ନିରନ୍ତର କାର୍ଯ୍ୟ କରୁଛି (ୟୁପିଏର ପି. ଚିଦମ୍ବରମ୍‌ଙ୍କ ଅବଦାନ!); କିନ୍ତୁ ପେଗାସସ୍‌ ଏହାଠାରୁ ଅତ୍ୟୁନ୍ନତ ପ୍ରଯୁକ୍ତି କୌଶଳ। ‘ପ୍ରୋଜେକ୍ଟ ପେଗାସସ୍‌’ ରହସ୍ୟୋଦ୍‌ଘାଟନ‌ରେ ସ୍ଥାନିତ ଭାରତର ୧୦ଟି ଫୋନ୍‌ ନମ୍ବରବିଶିଷ୍ଟ ସେଲ୍‌ଫୋନ୍‌ର ସ୍ବାଧୀନ ‘ଫୋରେନ୍ସିକ୍’ ବିଶ୍ଳେଷଣ କରାଯିବା ପରେ ପେଗାସସ୍‌ ଜରିଆରେ ସେଗୁଡ଼ିକ ‘ହ୍ୟାକ୍‌’ ହୋଇଥିବା କିମ୍ବା ସେହି ଉଦ୍ୟମ କରାଯାଇଥିବାର ମିଳିସାରିଚି ପ୍ରମାଣ (ଦ୍ରଷ୍ଟବ୍ୟ: ପ୍ରଥମ ଥରପାଇଁ ଫ୍ରାନ୍ସ ସରକାରଙ୍କ ନିଯୁକ୍ତ ତଦନ୍ତ ଅଧିକାରୀ ସ୍ପଷ୍ଟ କରିଚନ୍ତି ଯେ ସେହି ଦେଶର ଦୁଇଜଣ ସାମ୍ବାଦିକଙ୍କ ସେଲ୍‌ଫୋନ୍‌ରେ ମଧ୍ୟ ପେଗାସସ୍‌ ରୋପିତ ହୋଇଥିଲା)। ଦୃଷ୍ଟାନ୍ତ ଭାବେ ଯେଉଁ ଦୁଇଟି ଘଟନାର ସ୍ଥାନ-କାଳ-ପାତ୍ର ସହ ପେଗାସସ୍‌କୁ ଯୋଡ଼ାଯାଉଚି, ତାହା ସତ୍ୟ ହୋଇଥିଲେ ନିଶ୍ଚିତ ସାଙ୍ଘାତିକ। ପ୍ରଥମ: ୨୦୧୯ରେ ଭାରତର ତତ୍କାଳୀନ ପ୍ରଧାନ ବିଚାରପତିଙ୍କ ଉପରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିବା ସର୍ବୋଚ୍ଚ ନ୍ୟାୟାଳୟର ଜଣେ ମହିଳା କର୍ମଚାରୀ ଓ ତାଙ୍କ ସମ୍ପର୍କୀୟଙ୍କ ୧୧ଟି ଫୋନ୍‌ ନମ୍ବର ଏହି ପେଗାସସ୍‌ ତାଲିକାରେ ରହିଚି। ଉକ୍ତ ମହିଳା କର୍ମଚାରୀ ଓ ତାଙ୍କ ପରିବାରର ସଦସ୍ୟଗଣଙ୍କୁ କିପରି ତଳିତଳାନ୍ତ କରିଦିଆଯାଇଥିଲା, ତାହା ଗଣମାଧ୍ୟମରେ ଚର୍ଚିତ ହୋଇଥିଲା। ଦ୍ବିତୀୟ: ସେହି ବର୍ଷ ହିଁ ବିଜେପି ଓ ଜେଡିୟୁ-କଂଗ୍ରେସ ସରକାର ମଧ୍ୟରେ କ୍ଷମତା କନ୍ଦଳ ଚାଲିଥିବାବେଳେ କର୍ଣ୍ଣାଟକର ପ୍ରମୁଖ ରାଜନେତାଙ୍କ ଫୋନ୍‌ନମ୍ବର ମଧ୍ୟ ଏହି ତାଲିକାରେ ଅନ୍ତର୍ଭୁକ୍ତ; ଅର୍ଥାତ୍‌ ସେମାନଙ୍କ ଫୋନ୍‌ରେ ସ୍ପାଏୱେର୍‌ କରାଯାଇଥିଲା ରୋପଣ। 


ଏସବୁ ଘଟନାକ୍ରମରୁ ଜଣାଯାଉଚି ଯେ ବିଧାନପାଳିକା, ନ୍ୟାୟପାଳିକା, କାର୍ଯ୍ୟପାଳିକା, ଗଣମାଧ୍ୟମ- ଗଣତନ୍ତ୍ରର କୌଣସି ସ୍ତମ୍ଭ ଗୁପ୍ତଚର ଆଖିରୁ ବାଦ୍‌ ପଡ଼ିନାହିଁ। ୨୦୨୦ରେ ‘ରିସେଟ୍: ରିକ୍ଲେମିଙ୍ଗ୍‌ ଦି ଇଣ୍ଟର୍‌ନେଟ୍‌ ଫର୍‌ ସିଭିଲ୍‌ ସୋସାଇଟି’ ନାମକ ପୁସ୍ତକ ପ୍ରକାଶିତ ହେବାପରେ ବହୁଚର୍ଚିତ ହୋଇଥିଲା, କାରଣ ଏଥିରେ ଲେଖକ ଖୁବ୍‌ ସ୍ପଷ୍ଟ ଭାବେ ଲେଖିଚନ୍ତି ଯେ ବିଶ୍ବର ଅନ୍ୟ ଦେଶ ଅପେକ୍ଷା ପେଗାସସ୍‌ ଭାରତରେ ସର୍ବାଧିକ ବ୍ୟବହୃତ ହୋଇଚି ଏବଂ ‘‘ଭାରତୀୟ ଆରକ୍ଷୀ ଏବଂ ସୁରକ୍ଷା ସଂସ୍ଥାଗୁଡ଼ିକ ଏନ୍‌ଏସ୍‌ଓ ସ୍ପାଏୱେର୍‌ର ସବୁଠୁ ବଡ଼ ଉପଯୋଗ ଓ ଦୁରୁପଯୋଗକାରୀ’’। ଏ ପୁସ୍ତକର ଲେଖକ ଆଉ କେହି ନୁହନ୍ତି, ପେଗାସସ୍‌ ସମ୍ବନ୍ଧରେ ଗଭୀର ଅନୁସନ୍ଧାନକାରୀ ପୂର୍ବୋକ୍ତ ‘ଦି ସିଟିଜେନ୍‌ ଲ୍ୟାବ୍‌’ର ପ୍ରତିଷ୍ଠାତା-ନିର୍ଦେଶକ ରୋନାଲ୍ଡ ଡେଇବର୍ଟ। ତାଙ୍କ ମନ୍ତବ୍ୟ ଉପେକ୍ଷାଯୋଗ୍ୟ ନୁହେଁ, କାହିଁକିନା ଇଣ୍ଟରନେଟ୍‌, ଅତ୍ୟାଧୁନିକ ଯୋଗାଯୋଗ ବ୍ୟବସ୍ଥା, ସାଇବର୍‌ ସୁରକ୍ଷାର ବିଶେଷଜ୍ଞ ଓ ଗବେଷକ ଭାବେ ରୋନାଲ୍ଡଙ୍କ ପ୍ରସିଦ୍ଧି ଅବିସମ୍ବାଦିତ। ତେବେ ରାଜ୍ୟସଭାରେ ସରକାରୀ ଭାବେ ପ୍ରଥମ ଥର ପାଇଁ ଏକ ଲିଖିତ ଉତ୍ତରରେ ଭାରତର ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଅଜୟ ଭଟ୍ଟ ଏବେ (୧୦/୮/୨୧) ଦର୍ଶାଇଛନ୍ତି, ‘‘ପ୍ରତିରକ୍ଷା ମନ୍ତ୍ରଣାଳୟ ଏନ୍‌ଏସ୍‌ଓ ଗ୍ରୁପ୍‌ ସହ କୌଣସି କାରବାର କରିନାହିଁ’’। ଏହା ହୁଏତ ସତ୍ୟ; କିନ୍ତୁ ଅସଲ ପ୍ରଶ୍ନ ତ ଏବେ ବି ଅନୁତ୍ତରିତ ଯେ ସେଇ ‘ପ୍ରେତ’ଟି କିଏ, ଯିଏ ପେଗାସସ୍‌କୁ ବାହନ କରି ଗୋପନରେ କରୁଚି ଆତଙ୍କର ଆବାହନ? ମେକ୍ସିକୋରେ ନିଶାଦ୍ରବ୍ୟ ବିକ୍ରୟକାରୀ ଓ ସେମାନଙ୍କୁ ପ୍ରୋତ୍ସାହିତ କରୁଥିବା ସରକାରୀ ଅଧିକାରୀ ସେଠାକାର କେତେକ ସାମ୍ବାଦିକଙ୍କ ଫୋନ୍‌ରେ ପେଗାସସ୍‌ ଲଗାଇଥିବାର ମିଳିସାରିଚି ଆପାତପ୍ରମାଣ। ଏହାର ଅର୍ଥ, ଅପରାଧୀର ଅନୁସନ୍ଧାନ/ଉନ୍ମୁଳନ ନିମନ୍ତେ ଯାହା ଅଭିପ୍ରେତ, ଏବେ ତାହା ପାଲଟିଚି ସେଇ ଅପରାଧୀର ଅକାଟ୍ୟ ଅସ୍ତ୍ର। ଥରେ ଚିନ୍ତା କରନ୍ତୁ, ଯଦି ସନ୍ତ୍ରାସବାଦୀ ପେଗାସସ୍‌କୁ କରନ୍ତି ବାହନ, କ’ଣ ହେବ ଭବିଷ୍ୟତ ଦେଶ/ବିଶ୍ବର! କୁହାଯାଏ, ପ୍ରଯୁକ୍ତି ଆବିଷ୍କାର ସଦା ନିରପେକ୍ଷ ଓ ସ୍ବାଧୀନ ଏବଂ ମନୁଷ୍ୟ ନିଜ ପ୍ରବୃତ୍ତି ଅନୁଯାୟୀ କରିଥାଏ ତାହାର ଭଲ ବା ମନ୍ଦ ଉପଯୋଗ; କିନ୍ତୁ ତାହା ଯଦି ମାନବ ଜାତି ପାଇଁ ପରାଧୀନତା, ଦାସତ୍ବ ଓ ସନ୍ତ୍ରାସର କାରଣ ହୁଏ; ଗଣତନ୍ତ୍ରକୁ ହତ୍ୟା କରିବାର ମାଧ୍ୟମ ପାଲଟେ, ତା’ର ଭୟାବହ ପରିଣତି ଅଚିନ୍ତନୀୟ। ପେଗାସସ୍‌ ପ୍ରକରଣକୁ ପ୍ରହସନ ମନେକଲେ ଏହା ପ୍ରାଣାନ୍ତକ ହେବା ଅଧିକ ସମ୍ଭବ। ଅତଏବ ନାୟକ ପରିବର୍ତ୍ତେ ପେଗାସସ୍‌ ପିଠିରେ ବସିଥିବା ସେହି ପ୍ରେତ(ଖଳନାୟକ)ର ଅସଲ ସ୍ବରୂପ ଉଦ୍‌ଘାଟନ ଅପରିହାର୍ଯ୍ୟ। ନ୍ୟାୟାଳୟ କ’ଣ ସେଥିରେ ସଫଳ ହେବ?

(‘ସମାଜ’ରେ ୧୨ ଅଗଷ୍ଟ ୨୦୨୧ରେ ପ୍ରକାଶିତ)

Read More

ଆଜ୍ଞାପାଳନର ଗଣମାଧ୍ୟମ

Leave a Comment


ଅଶୋକ

ଗତ ଏପ୍ରିଲ ୨୮ରେ ଦୀର୍ଘ ତିନି ଦଶନ୍ଧି ଧରି ଆମେରିକାର ଏକ ପ୍ରତିଷ୍ଠିତ ଖବରକାଗଜ ‘ନିଉୟର୍କ ପୋଷ୍ଟ୍‌’ରେ ସାମ୍ବାଦିକତା କରୁଥିବା ଲୌରା ଇଟାଲିୟାନୋ ଯେତେବେଳେ ଟୁଇଟରରେ ନିଜର ଇସ୍ତଫା ଘୋଷଣା କଲେ, ତାହା ସେଠା ଗଣମାଧ୍ୟମ ଜଗତରେ ଚହଳ ସୃଷ୍ଟି କରିଥିଲା। ଏହାର କାରଣ ଥିଲା ସେ ଏପରି ଏକ ମନଗଢ଼ା ଖବର ଲେଖିଥିଲେ, ଯାହା ‘ମିଡିଆ ମୋଗଲ୍‌’ ଭାବେ ପ୍ରସିଦ୍ଧ ରୁପର୍ଟ ମର୍ଡୋକ୍‌ଙ୍କ ଉକ୍ତ ଖବରକାଗଜର ପ୍ରଥମ ପୃଷ୍ଠାରେ ପ୍ରକାଶ ପାଇ ରାଜନୈତିକ ହଟଚମଟର କାରଣ ହୋଇଥିଲା। ଖବରରେ ଲେଖା ଥିଲା, ‘‘ଆମେରିକା-ମେକ୍ସିକୋ ସୀମାରୁ ଅଣାଯାଇ ଶରଣାର୍ଥୀ ଶିବିରରେ ରଖାଯାଉଥିବା ଅନାଥ ପିଲାଙ୍କୁ ପ୍ରଦତ୍ତ ‘ୱେଲ୍‌କମ୍‌ କିଟ୍‌ସ୍‌’ରେ ସୁପର୍‌ହିରୋଜ୍‌ ଆର୍‌ ଏଭ୍ରିହ୍ବେୟାର୍‌ ପୁସ୍ତକ ଦିଆଯାଉଛି।’’ ପିଲାଙ୍କ ପାଇଁ ଲେଖା ଏହି ପୁସ୍ତକଟି ହିଁ ହେଉଛି ବିବାଦର ହେତୁ, କାରଣ ଏହାର ଲେଖିକା ଆମେରିକାର ଉପରାଷ୍ଟ୍ରପତି କମଳା ହାରିସ୍‌। ଖବର ପ୍ରକାଶ ମାତ୍ରେ ତାଙ୍କ ବିରୋଧୀ ପକ୍ଷ ମାଡ଼ିବସିଲେ ଯେ କମଳା ନିଜ ସରକାରୀ ପଦର ଦୁରୁପଯୋଗ କରି ଜନତାଙ୍କ ଟିକସଅର୍ଥରେ ବହି ବାଣ୍ଟିଚନ୍ତି; ଅଥଚ ୱାଶିଂଟନ ପୋଷ୍ଟ୍‌ ତଥ୍ୟ ଯାଞ୍ଚ କରି କହିଲା ଯେ ଖବରଟି ସଂପୂର୍ଣ୍ଣ ଭିତ୍ତିହୀନ; କାରଣ ସ୍ଥାନୀୟ କେହି ବାସିନ୍ଦା ଗୋଟିଏ ମାତ୍ର ସେହି ବହିଟିକୁ ଜଣେ ପିଲାକୁ ଏକ ଦାନ କାର୍ଯ୍ୟକ୍ରମରେ ଦେଇଥିଲେ। ଏହା ଜାଣିବା ମାତ୍ରେ ନିଉୟର୍କ ପୋଷ୍ଟ ତା’ ୱେବ୍‌ସାଇଟ୍‌ରେ ଏକ ସଂପାଦକୀୟ ଟୀକା ସହ ତ୍ରୁଟି ସମ୍ପର୍କରେ ଦର୍ଶାଇବାକୁ ବାଧ୍ୟ ହେଲା। ତେବେ ଏହି ଭିତ୍ତିହୀନ ଖବରର ଲେଖିକା ତାଙ୍କ ଇସ୍ତଫା ନିଷ୍ପତ୍ତି ସହ ଯାହା ଲେଖିଥିଲେ, ତାକୁ ନେଇ ସେଠାରେ ଅନେକ ପ୍ରଶ୍ନ ଉଠିଛି। ସେ ଟୁଇଟ୍‌ରେ ଲେଖିଚନ୍ତି, ‘‘କମଳା ହାରିସ୍ ଖବର-ଏକ ମିଥ୍ୟା ଖବର, ଯାହାକୁ ଲେଖିବାକୁ ମୋତେ ଆଦେଶ ଦିଆଯାଇଥିଲା, ଏବଂ ମୁଁ ଦୃଢ଼ଭାବେ ଏହାକୁ ବିରୋଧ କରିବାରେ ବିଫଳ ହୋଇଥିଲି; ତାହା ମୋ ଧୈର୍ଯ୍ୟର ବନ୍ଧକୁ ଭାଂଗିଦେଇଚି।’’


ଏହି ସମଗ୍ର ପ୍ରକରଣଟି କେତୋଟି ଗୁରୁତ୍ବପୂର୍ଣ୍ଣ ଦିଗ ପ୍ରତି ଆଲୋକପାତ କରିଥାଏ, ଯାହା ଉଲ୍ଲେଖନୀୟ। ପ୍ରଥମ: ଆମେରିକାରେ ମଧ୍ୟ ‘ଆଦେଶ’ ବା ‘ଆଜ୍ଞା’ ବଳରେ ମିଛ ଖବର ଲେଖାଯାଏ; ଅବଶ୍ୟ ଭାରତ ପରି ଏତେ ବହୁଳ ପରିମାଣରେ ନୁହେଁ। ଦ୍ବିତୀୟ: ମିଛ ଖବରକୁ ଚିହ୍ନଟ କରିବାର ଦାୟିତ୍ବ ବି ସେହି ଗଣମାଧ୍ୟମର, ଯାହା ‘ୱାଶିଂଟନ ପୋଷ୍ଟ୍‌’ ତା’ର ସତ୍ୟ ସନ୍ଧାନ ସ୍ତମ୍ଭ ଜରିଆରେ କରିଛି। ଏହାକୁ ଆମେ ‘ସ୍ବଜାତି ଶତ୍ରୁତା’ ନୁହେଁ, ବରଂ ଏକ ସତ୍ୟନିଷ୍ଠ ସାମ୍ବାଦିକୀୟ ଅଙ୍ଗୀକାରବଦ୍ଧତା ରୂପେ ଗ୍ରହଣ କରିବା ଶ୍ରେୟସ୍କର। ଆମ ଦେଶରେ ସଚରାଚର ଏହା ପରିଦୃଷ୍ଟ ହୁଏ ନାହିଁ। ତୃତୀୟ: ନୀତିନିଷ୍ଠ ସମ୍ବାଦକର୍ମୀଟିକୁ ଆଜ୍ଞାକାରୀ କରାଯାଇପାରିବ ନାହିଁ ଏବଂ ଯେଉଁଠି ତାକୁ ସେପରି ଅନୈତିକ ନିୟୋଜିତ କରାଯାଏ, ତା’ର ପରିଣତି ଗଣମାଧ୍ୟମର ଅବନତିର କାରଣ ପାଲଟିବା ସହ ଗଣ ଓ ଗଣତନ୍ତ୍ର ପ୍ରତି ମଧ୍ୟ ବିପଜ୍ଜନକ ସାବ୍ୟସ୍ତ ହେବା ଅବଧାରିତ। ଗଣମାଧ୍ୟମ ସେତେବେଳେ ଗୋଟାପଣେ ଦାସତ୍ବକୁ ହିଁ ସ୍ବୀକାର କରିନିଏ।


ଲୌରାଙ୍କ ପରି ଭାରତରେ ଗତକିଛି ବର୍ଷ ହେଲା ଅନେକ କନିଷ୍ଠ/ବରିଷ୍ଠ ସାମ୍ବାଦିକ ଆଜ୍ଞାପାଳନ କରିବାକୁ ମନାକରି କାର୍ଯ୍ୟାନ୍ତର/ପଦଚ୍ୟୁତ ହୋଇଥିବା ଦେଖାଯାଇଚି। ତନ୍ମଧ୍ୟରୁ ଗତବର୍ଷ ଏକ ଜାତୀୟ ଟିଭି ଚ୍ୟାନେଲ୍‌ର ଜାମ୍ମୁକାଶ୍ମୀର ବ୍ୟୁରୋମୁଖ୍ୟ ତେଜିନ୍ଦର ସିଂହ ସୋଢ଼ିଙ୍କ ଇସ୍ତଫା ଉଲ୍ଲେଖନୀୟ। ନିଜର ଉଗ୍ର ଆଚରଣ ଏବଂ ଶାସକ ଦଳ ସପକ୍ଷରେ ଓକିଲାତି କରିବା ପାଇଁ (କୁ)ଖ୍ୟାତ ଏହି ଚ୍ୟାନେଲ୍‌ର ସଂପାଦକ-ମାଲିକ କିପରି ବିରୋଧୀ ଦଳର ଜଣେ ବରିଷ୍ଠ ନେତା/ସାଂସଦ(ଯାହାଙ୍କ ପତ୍ନୀଙ୍କର ଅପମୃତ୍ୟୁ ଘଟିଥିଲା)ଙ୍କୁ ବଦନାମ କରିବା ପାଇଁ ଜାଲ ବିଛାଇବା ନିମନ୍ତେ ଆଜ୍ଞା/ଆଦେଶ ଦେଇଥିଲେ ଏବଂ ଯାହାକୁ କରିବାକୁ ଅନିଚ୍ଛୁକ ହୋଇ ତାଙ୍କୁ ଇସ୍ତଫା ଦେବାକୁ ପଡ଼ିଲା, ଏ ବିଷୟରେ ପରେ ଗଣମାଧ୍ୟମରେ ସାକ୍ଷାତକାରବେଳେ ଶ୍ରୀ ସୋଢ଼ି ଟିକିନିଖି ବର୍ଣ୍ଣନା କରିଥିଲେ। ତାଙ୍କ ଅନୁଯାୟୀ, ସଂପୃକ୍ତ ଚ୍ୟାନେଲ୍‌ଟି ଲୋକଙ୍କୁ ହଇରାଣ ହରକତ କରି ନ୍ୟସ୍ତସ୍ବାର୍ଥ ହାସଲପାଇଁ କେତେକ ବିଶିଷ୍ଟ ଶବ୍ଦାବଳୀ ପ୍ରଚଳନ କରିଚି, ଯାହା ମଧ୍ୟରୁ ଗୋଟିଏ ହେଲା ‘ଚେଜ୍‌ ସି​‌େ​‌କ୍ବନ୍‌ସ’ ବା ‘କ୍ରମାଗତ କାହା ପଛରେ ପଡ଼ିଯିବା’। ଯାହାକୁ ଉଦ୍ଦେଶ୍ୟମୂଳକ ଭାବେ ବଦନାମ କରିବାପାଇଁ ସ୍ଥିର କରାଯାଉଥିଲା, ତା’ଠାରୁ ନାଟକୀୟ ପ୍ରତିକ୍ରିୟାମାନ ହାସଲ କରିବା ପର୍ଯ୍ୟନ୍ତ ତା’ ପଛରେ ସମ୍ବାଦଦାତାଙ୍କୁ ଲଗାଇ ଦିଆଯାଏ। ବିଶେଷକରି ଏକ ନିର୍ଦିଷ୍ଟ ରାଜନୈତିକ ଦଳର ବିଚାରଧାରା ସହ ଅସମ୍ମତ ଓ ବିରୋଧଭାବ ରଖୁଥିବା ଲୋକଙ୍କ ପାଇଁ ଏହା ପ୍ରୟୋଗ କରାଯାଏ। କହିବା ବାହୁଲ୍ୟ ଯେ ବିଚରା ଉକ୍ତ ସଂପାଦକ-ମାଲିକଟି ମଧ୍ୟ ସେଇ କ୍ଷମତାସୀନଙ୍କ ଆଜ୍ଞାଧୀନ। ସେପରି ସ୍ଥଳେ ତା’ଠାରୁ ସ୍ବାଧୀନ ଗଣମାଧ୍ୟମଟିଏ ଆଶା କରିବା ବୃଥା। 


ଏହା କେବଳ ଏକ କ୍ଷୁଦ୍ର ଉଦାହରଣ। ଭାରତରେ ହାତଗଣତି କେତେକ ଗଣମାଧ୍ୟମ ସଂସ୍ଥାକୁ ଛାଡ଼ିଦେଲେ ଅଧିକାଂଶ ଅଳ୍ପବହୁତେ ଆଜ୍ଞାପାଳନର ଗଣମାଧ୍ୟମ ପାଲଟିଚନ୍ତି; କାରଣ ସେଗୁଡ଼ିକ ପ୍ରତ୍ୟକ୍ଷ ବା ପରୋକ୍ଷରେ କୌଣସି ନା କୌଣସି ପୁଞ୍ଜିପତି କି ରାଜନେତାର ହସ୍ତମୁଦି ମାହାଲ, ଯାହା କ୍ଷମତା ଓ ପୁଞ୍ଜି ପାଖରେ ନିଜକୁ ସମର୍ପିବାକୁ ବାଧ୍ୟ। ଏହି କାରଣରୁ ସେ ଆଜି କ୍ଷମତାସୀନର ତୋଷାମଦକାରୀ ଏବଂ ସେଇ ସୂତ୍ରେ ସେ ଗଣର ମାଧ୍ୟମ ହେବାର ନୈତିକତା ବି ହରାଇସାରିଚି।  ଗଣମାଧ୍ୟମଟିଏ ଯେ ପର୍ଯ୍ୟନ୍ତ ଆର୍ଥିକ କ୍ଷେତ୍ରରେ ସ୍ବାଧୀନତା ହାସଲ କରିନାହିଁ, ତାହା ପ୍ରକୃତ ଅର୍ଥରେ ସ୍ବାଧୀନ ହୋଇପାରିବ ନାହିଁ। ଆମେରିକା, ବ୍ରିଟେନ ସମେତ ଆଉ କେତେକ ଦେଶରେ ଏବେ ଏକ ନୂଆ ଗଣମାଧ୍ୟମ ପରିଚାଳନା ଛାଞ୍ଚ/ନମୁନା ବିକଶିତ ହେବାରେ ଲାଗିଚି, ଯାହା ଗଣମାଧ୍ୟମ ସଂସ୍ଥାଗୁଡ଼ିକୁ ସଂପୂର୍ଣ୍ଣ ସ୍ବାଧୀନ ହେବାର ନୂଆ ଆଶା ଦେଖାଇଛି। ଏହା ପ୍ରକୃତରେ ନୂଆ ନୁହେଁ, ବରଂ ପୁରୁଣା ପନ୍ଥାକୁ ଆଧୁନିକ ଶୈଳୀରେ ପ୍ରୟୋଗ କରି ଆର୍ଥିକ ସଂପନ୍ନତା ହାସଲ କରିବାର ବାଟ। ପାଶ୍ଚାତ୍ୟରେ ହେଉ କି ଭାରତବର୍ଷରେ, ପୁରାତନ ପତ୍ରପତ୍ରିକାଗୁଡ଼ିକର ଜନ୍ମଲଗ୍ନରେ ଏକ ଆଦର୍ଶବାଦୀ ବୈଚାରିକ ସିଦ୍ଧାନ୍ତ ହିଁ ମୂଳ ଥିଲା ଏବଂ ତାକୁ ଆଗକୁ ବଢ଼ାଇବାକୁ  ସଦସ୍ୟତା (ସବ୍‌ସ୍କ୍ରିପ୍‌ସନ) ବା ଚାନ୍ଦା ଗ୍ରହଣ ବ୍ୟବସ୍ଥା ରହିଥିଲା। ସେଗୁଡ଼ିକ ଅନିୟମିତ ହେଉଥିଲେ ସତ, କିନ୍ତୁ ଆତ୍ମନିର୍ଭର ଥିଲେ; ତେଣୁ ସ୍ବାଧୀନ ଥିଲେ। ପରନିର୍ଭରତା ଅର୍ଥାତ ପରାଧୀନତା, ଏହା ସବୁ କ୍ଷେତ୍ରରେ ସତ୍ୟ। ବର୍ତ୍ତମାନ ପୁନଃ ସେହି ପୁରାତନ ପନ୍ଥା ଆପଣାଇ ବଡ଼ବଡ଼ ଗଣମାଧ୍ୟମ ସଂସ୍ଥା ଦୋହଲିଯାଉଥିବା ନିଜର ଆର୍ଥିକ ସ୍ଥିତିକୁ ସଂପନ୍ନ କରିପାରିଚନ୍ତି। ଆମେରିକାର ପ୍ରସିଦ୍ଧ ଖବରକାଗଜ ‘ଦି ନିଉୟର୍କ ଟାଇମ୍ସ’ ଏହାର ଏକ ପ୍ରକୃଷ୍ଟ ଦୃଷ୍ଟାନ୍ତ। କିଛି ବର୍ଷ ପୂର୍ବରୁ ଡିଜିଟାଲ୍‌ ମାଧ୍ୟମଗୁଡ଼ିକର ଲୋକପ୍ରିୟତା ପରେ ୧୭୯ ବର୍ଷର ଏହି ଖବରକାଗଜର ଆର୍ଥିକ ସ୍ଥିତି ଦୁର୍ବଳ ହୋଇପଡ଼ିଥିଲା; କିନ୍ତୁ ୨୦୧୧ରେ ଏହା ସେହି ଡିଜିଟାଲ୍‌ ମାଧ୍ୟମକୁ ଆପଣାଇ ‘ସଦସ୍ୟତା ଅଭିଯାନ’ (ସପ୍ତାହକୁ ଭାରତୀୟ ମୁଦ୍ରାରେ ମାତ୍ର ୧୫ ଟଙ୍କା) ଆରମ୍ଭ କଲା ଏବଂ ତାହା ବର୍ତ୍ତମାନ ତାକୁ ପୂର୍ବାପେକ୍ଷା ଅଧିକ ସଂପନ୍ନ କରିଛି। ୨୦୧୯ରେ ଏହା ୧୪ କୋଟି ଡଲାର୍‌ ଲାଭ ଅର୍ଜନ କରିଥିଲା; ଏପରିକି ଗତବର୍ଷ କରୋନା କାଳରେ କେବଳ ତିନି ମାସ ମଧ୍ୟରେ ୬ ଲକ୍ଷ ନୂଆ ‘ଡିଜିଟାଲ୍‌ ସବ୍‌ସ୍କ୍ରାଇବର୍‌’ ଯୋଡ଼ିବାରେ ସଫଳ ହୋଇଚି। ଆମ ଦେଶରେ ‘ହିନ୍ଦୁ’ ଭଳି କେତେକ ପୁରାତନ ଖବରକାଗଜ ଏହାର ଅନୁସରଣ କରୁଥିବା ଲକ୍ଷ୍ୟଣୀୟ।


ଭାରତର ଗଣମାଧ୍ୟମ ସଂସ୍ଥାଗୁଡ଼ିକ କ୍ଷେତ୍ରରେ ଏହା କେତେ ସମ୍ଭବ ତାହା ଅବଶ୍ୟ ଚିନ୍ତାର ବିଷୟ; କାହିଁକିନା ଅଧିକାଂଶଙ୍କର ଶରୀର ଓ ଆତ୍ମାକୁ କର୍ପୋରେଟ୍‌ ଛାଞ୍ଚ ଉପରେ ଏପରି ଗଢ଼ାଯାଇଛି ଯେ ସେଗୁଡ଼ିକ ପୁଞ୍ଜିପତି/ରାଜନେତାଙ୍କ ପୁଞ୍ଜି ଓ ସହାୟତା ବିନା ତିଷ୍ଠିବା ପ୍ରାୟ ଅସମ୍ଭବ; କାରଣ ଏଗୁଡ଼ିକ ପାଖରେ ବିଶ୍ବସନୀୟତାର ଘୋର ଅଭାବ। ଗତ କେଇବର୍ଷର ମୁଖ୍ୟଧାରାର ଭାରତୀୟ ଗଣମାଧ୍ୟମକୁ ଅନୁଧ୍ୟାନ କଲେ ଜଣାପଡ଼େ ଯେ ଏଗୁଡ଼ିକ ଲୋକାଧାରିତ ଏବଂ ଲୋକକୈନ୍ଦ୍ରିକ ସାମ୍ବାଦିକତାଠାରୁ ଅନେକ ପରିମାଣରେ ଦୂରେଇ ଯାଇଛନ୍ତି; କାରଣ ଏମାନେ ସମାଜର ନିମ୍ନବର୍ଗ ଓ ସଂଖ୍ୟାଲଘୁଙ୍କ ଉପରେ ଅତ୍ୟାଚାର, ଭାରତୀୟଙ୍କ ମଧ୍ୟରେ ବଢ଼ୁଥିବା ଆର୍ଥିକ-ସାମାଜିକ ଅସମାନତା, ଧାର୍ମିକ ଓ ଜାତିଆଣ ହିଂସା, କୃଷି ସଙ୍କଟ, ବୃହତ୍‌ କର୍ପୋରେଟ୍‌ ଦ୍ବାରା ଶୋଷଣ ଓ ପରିବେଶର ଦୋହନ, ପୁଞ୍ଜିପତିଙ୍କୁ ଋଣଛାଡ଼, ନ୍ୟାୟବ୍ୟବସ୍ଥାରେ ଦୁର୍ନୀତି ଆଦି ସମ୍ବେଦନଶୀଳ ପ୍ରସଙ୍ଗ ନେଇ କାଁଭାଁ ଲେଖାକୁ ଛାଡ଼ିଦେଲେ ଐତିହାସିକ ନିରବତା ଅବଲମ୍ବନ କରିଆସିଛନ୍ତି। ଆଉମଧ୍ୟ କ୍ଷମତାସୀନଙ୍କୁ/ଶାସକଗୋଷ୍ଠୀକୁ ପ୍ରଶ୍ନ କରିବା ପରିବର୍ତ୍ତେ ସେମାନଙ୍କର ଆଜ୍ଞାଧୀନତାକୁ ଖୁସିରେ ସ୍ବୀକାର କରିନେଇଥିବା ମନେହେଉଛି, ଯାହା ସାମ୍ବାଦିକତାର ମୌଳିକ ସିଦ୍ଧାନ୍ତର ହିଁ ପରିପନ୍ଥୀ। ଏଗୁଡ଼ିକର ଅବସ୍ଥା ବର୍ତ୍ତମାନ ସେହି ପ୍ରସିଦ୍ଧ କାହାଣୀର ବେଙ୍ଗଟି ପରି, ଯିଏ ବେଳୁବେଳ ଗରମ ହୋଇଆସୁଥିବା ଜଳପାତ୍ରରେ କ୍ରମଶଃ ନିଜକୁ ଖାପ ଖୁଆଇ ନେଉନେଉ ତା’ର ମୃତ୍ୟୁ ହେବା ପର୍ଯ୍ୟନ୍ତ ମଧ୍ୟ ସେଥିରୁ ବାହାରି ଆସିବାକୁ ଇଚ୍ଛା କରେନାହିଁ। 


ଅବଶ୍ୟ ଏପରି ସମୟରେ ନୂତନ ଡିଜିଟାଲ୍‌ ଗଣମାଧ୍ୟମ, ବିଶେଷତଃ କେତେକ ଖବର ୱେବ୍‌ସାଇଟ୍‌ ଭାରତୀୟ ପାଠକ/ଦର୍ଶକଙ୍କ ମନରେ ନୂତନ ଆଶା ସଞ୍ଚାର କରିଛନ୍ତି, ଯେଉଁଗୁଡ଼ିକ ଯାବତୀୟ ପ୍ରତିକୂଳତାର ସମ୍ମୁଖୀନ ହୋଇ ନିର୍ଭୀକଭାବେ ସାମ୍ବାଦିକତାର ଅସଲ ମଶାଲ୍‌ ଧରି ଆଗେଇ ଚାଲିଚନ୍ତି। ଏମାନେ କେବଳ ଲୋକପ୍ରସଙ୍ଗଗୁଡ଼ିକୁ ଉତ୍ଥାପନ କରୁନାହାନ୍ତି, କ୍ଷମତାସୀନଙ୍କୁ ବି ପ୍ରଶ୍ନ ପଚାରି ଅଥୟ କରୁଛନ୍ତି। ଏଥିଯୋଗୁଁ ଶାସକଗୋଷ୍ଠୀର ଶ୍ୟେନଚକ୍ଷୁ ଏବେ ଏମାନଙ୍କ ଉପରେ। ସେମାନଙ୍କ ଉପରେ ନାନା ଅଙ୍କୁଶ ଲଗାଇବାକୁ ଚାଲିଚି ଯାବତୀୟ ଫନ୍ଦିଫିକର। ଡିଜିଟାଲ୍‌ ଖବର ସଂସ୍ଥାକୁ ନିୟନ୍ତ୍ରଣ କରିବାକୁ ସରକାର ଏତେ ତତ୍ପର ହେବାର ବିବିଧ କାରଣ ମଧ୍ୟରୁ ଗୋଟିଏ ହେଲା ଏଗୁଡ଼ିକ ଶାସକଶ୍ରେଣୀର ବୋଲକରା ହେବାକୁ ବାଧ୍ୟ ନୁହନ୍ତି, କାହିଁକିନା ଏମାନେ ଆର୍ଥିକ ରୂପେ ସଂପୂର୍ଣ୍ଣ ସ୍ବନିର୍ଭର; ପାଠକ/ଦର୍ଶକଙ୍କ ଦେୟ/ଚାନ୍ଦା ଏବଂ ବିଶ୍ବାସ ହିଁ ଏମାନଙ୍କ ମୁଖ୍ୟ ସମ୍ବଳ। କ୍ରମଶଃ ସେମାନେ ଅଧିକ ସମ୍ବଳ ଜୁଟାଇବାରେ ମଧ୍ୟ ସମର୍ଥ ହେଉଛନ୍ତି; କିନ୍ତୁ କ୍ଷମତାସୀନଙ୍କ ଅଙ୍କୁଶ ସେମାନଙ୍କ ଉପରେ ଇତିମଧ୍ୟରେ ଅଧିକ ଟାଣ ହୋଇଛି। ଏପରିକି ଦେଶରେ କୋଭିଡ଼ ମହାମାରୀ ଚରମ ଅବସ୍ଥାରେ ଥିବାବେଳେ ଏକ ମନ୍ତ୍ରିଗୋଷ୍ଠୀ (ଜିଓଏମ୍‌) ଯେଉଁ ରିପୋର୍ଟ ତିଆରି କରିଛି, ତାହା ଗଣମାଧ୍ୟମ ପ୍ରତି  କ୍ଷମତାସୀନଙ୍କ ଭୟ ଓ ଡିଜିଟାଲ୍‌ ଗଣମାଧ୍ୟମର ଶକ୍ତିର ସୂଚନା ଦେଇଥାଏ। ଏହି ରିପୋର୍ଟରେ ସରକାରଙ୍କ ଭାବମୂର୍ତ୍ତି କିପରି ସୁଧାରିହେବ, ସେଥିପାଇଁ ଚିନ୍ତା ପ୍ରକଟ କରାଯିବା ସହ କୁହାଯାଇଛି ଯେ ସରକାରବିରୋଧୀ ଭାଷ୍ୟ/ଆଖ୍ୟାନ (ନେରେଟିଭ୍‌) ତିଆରି କରୁଥିବା ସାମ୍ବାଦିକଙ୍କୁ ଚିହ୍ନଟ କରାଯାଉ ଏବଂ ସେହିପରି ଭାଷ୍ୟକୁ କାଟିପାରୁଥିବା ସାମ୍ବାଦିକଙ୍କୁ ମଧ୍ୟ ଖୋଜାଯାଉ, ଯେପରିକି ଏକ ପ୍ରଭାବଶାଳୀ ଚିତ୍ର ନିର୍ମାଣ କରି ଜନତାଙ୍କୁ ସରକାରଙ୍କ ପକ୍ଷକୁ ଅଣାଯାଇପାରିବ। ଏଥିରେ ଏପରି ‘ସ୍ପିନ୍‌ ଡକ୍ଟର୍’ ବା ତର୍କଖୋର୍‌ଙ୍କୁ ମଧ୍ୟ ଚିହ୍ନଟ କରାଯିବାପାଇଁ କୁହାଯାଇଛି, ଯେଉଁମାନେ ଗୋଟିଏ ତଥ୍ୟକୁ ଭିନ୍ନଭିନ୍ନ ସନ୍ଦର୍ଭରେ ଉପସ୍ଥାପନ କରିବାର ଦକ୍ଷତା ରଖୁଥିବେ! ପୂର୍ବରୁ ବିଧିବଦ୍ଧଭାବେ ଭାରତୀୟ ସାମ୍ବାଦିକ ଓ ସାମ୍ବାଦିକତାକୁ ନେଇ କୌଣସି ସରକାର ଏତେ ଚିନ୍ତା କରିନଥିବେ ନିଶ୍ଚୟ! ଏହାର ଫଳଶ୍ରୁତି ଗତ ଫେବୃ୍ଆରୀରେ ଅଧିସୂଚିତ ‘ସୂଚନା ପ୍ରଯୁକ୍ତି (ମଧ୍ୟବର୍ତ୍ତୀ ସଂସ୍ଥାଗୁଡ଼ିକ ପାଇଁ ମାର୍ଗଦର୍ଶିକା ଓ ଡିଜିଟାଲ୍‌ ଗଣମାଧ୍ୟମ ଆଚାର ସଂହିତା) ନିୟମ ୨୦୨୧’।


୨୫ ମେ’ରେ କାର୍ଯ୍ୟାନ୍ବୟନ ପାଇଁ ଦେଇଥିବା ସରକାରଙ୍କ ତିନିମାସିଆ କଣ୍ଟ ପୂରିବା ପରେ ଏଇନା ପ୍ରମୁଖ ସାମାଜିକ ଗଣମାଧ୍ୟମ ସଂସ୍ଥା ଓ ଭାରତ ସରକାରଙ୍କ ଭିତରେ ଚାଲିଥିବା ଶୀତଳଯୁଦ୍ଧ ମଧ୍ୟ ଏହାର ଏକ ପରିଣତି। ସାମାଜିକ ଗଣମାଧ୍ୟମର ନିରଙ୍କୁଶତା ନିଃସନ୍ଦେହ ଅନେକ ସାମାଜିକ/ରାଜନୈତିକ/ମାନସିକ ବିକୃତିର ସୃଷ୍ଟିକର୍ତ୍ତା​‌, ଅତଏବ ୟାକୁ ଆଇନ ଅନ୍ତର୍ଗତ କରାଯିବା ଆବଶ୍ୟକ; କିନ୍ତୁ ଯେ ପର୍ଯ୍ୟନ୍ତ ତାହା ଉପଯୋଗକାରୀର ଅଭିବ୍ୟକ୍ତି/ବାକ୍‌ ସ୍ବାଧୀନତାକୁ ସସମ୍ମାନେ, ନିରୁଦ୍ଦେଶ ଓ ଅହିଂସ ଉପାୟରେ ବଞ୍ଚାଇ ରଖିଚି, ସେ ପର୍ଯ୍ୟନ୍ତ ତା’ର ସଞ୍ଚାଳନକୁ ଅଙ୍କୁଶିତ କରିବାର ଔଚିତ୍ୟ ନାହିଁ। ଯଦି ଏଗୁଡ଼ିକରେ ଶାସନବିରୋଧୀ ମତାମତ ପ୍ରକାଶ ହେତୁ ସରକାର ସେଗୁଡ଼ିକୁ ନିୟନ୍ତ୍ରିତ/ଦଣ୍ଡିତ କରିବାକୁ ଚାହୁଁଥାନ୍ତି (କରୋନା କାଳରେ ସାଧାରଣ ଜନତାଙ୍କୁ ମଧ୍ୟ ଦଣ୍ଡିତ କରିବାକୁ ପଛାଇନାହାନ୍ତି), ତେବେ ତାହା ନିଶ୍ଚିତ ଗର୍ହିତ । ଶାସକ ଦଳର ସଦସ୍ୟଙ୍କର ଜାଲ୍‌ ଦସ୍ତାବିଜ୍‌ ସଂଲଗ୍ନ ଟୁଇଟ୍‌କୁ ଯଦି ସଂପୃକ୍ତ ସଂସ୍ଥା ‘ମେନିପୁଲେଟେଡ୍‌ ମିଡିଆ’ (ହେର୍‌ଫେର୍‌ କରାଯାଇଥିବା ତଥ୍ୟ) ଭାବେ ଚିହ୍ନଟ କଲା, ତେବେ ତାକୁ ନାଲିଆଖି ଦେଖାଇ ବଶମ୍ବଦ କରିବାର ଚେଷ୍ଟା ସରକାରଙ୍କ ଦୁର୍ବଳତାର ହିଁ ଲକ୍ଷଣ। ନକହିଲେ ନଚଳେ ଯେ ରାଜନୈତିକ ଦଳଗୁଡ଼ିକର ‘ଆଇଟି ସେଲ୍‌’ ନାମକ ମିଛ ସୂଚନା/ଖବର ତିଆରି କାରଖାନାକୁ ବନ୍ଦ କରିଦେଲେ ସାମାଜିକ ଗଣମାଧ୍ୟମରୁ ଅଧେ ଅଳିଆ ହଟିଯିବ; କିନ୍ତୁ ତାହା କରିବ କିଏ! ନିକଟରେ ସରକାର ନୂଆ ଆଇନ ପାଳନ ପାଇଁ ବାଧ୍ୟ କରିବା ପରେ ହ୍ବାଟ୍‌ସ୍‌ଆପ୍‌ ଅଦାଲତର ଦ୍ବାରସ୍ଥ ହୋଇଛି; କାରଣ ସରକାର ପ୍ରତ୍ୟେକ ବାର୍ତ୍ତା (ମେସେଜ୍‌)ର ମୂଳ ଉତ୍ସ ଜାଣିବାକୁ ଚାହୁଁଛନ୍ତି, ଯାହା ଏହାର ମୂଳ ନୀତି ‘ଏଣ୍ଡ୍‌-ଟୁ-ଏଣ୍ଡ୍‌ ଏନ୍‌କ୍ରିପ୍‌ସନ’ (ବାର୍ତ୍ତା ଆଦାନପ୍ରଦାନକାରୀଙ୍କ ବ୍ୟତୀତ ଅନ୍ୟ କେହି ପଢ଼ିପାରିବେ ନାହିଁ)ର ପରିପନ୍ଥୀ। ବାର୍ତ୍ତାର ସାର୍ବଜନୀନତା ବ୍ୟକ୍ତିର ଗୋପନୀୟତା ଏବଂ ବାକ୍‌ ସ୍ବାଧୀନତା କ୍ଷୁଣ୍ଣକାରୀ; ତେଣୁ ସେହି ସୂତ୍ରେ ଭାରତୀୟ ସମ୍ବିଧାନର ମୌଳିକ ଅଧିକାରର ହନନକାରୀ ବୋଲି ହ୍ବାଟ୍‌ସଆପ୍‌ର ଯୁକ୍ତି। ଏହାକୁ ଅଯଥାର୍ଥ ବୋଲି ମଧ୍ୟ କହିହେବ ନାହିଁ। ତେବେ ଏହାର ଅନ୍ୟାନ୍ୟ ଦିଗ ପରୀକ୍ଷଣୀୟ। ଅନ୍ତତଃ ଏତିକି କୁହାଯାଇପାରେ ଯେ, ​‌େ​‌ଯ କୌଣସି ଗଣମାଧ୍ୟମ ଆଜ୍ଞାଧୀନତାକୁ ସ୍ବୀକାର କରିନେଲେ ତାହା ତା’ର ଅସଲ କର୍ତ୍ତବ୍ୟରୁ ବିଚ୍ୟୁତ ହେବା ନିଧାର୍ଯ୍ୟ; ତେଣୁ ତା’ର ସ୍ଖଳନ/ପତନ ବି ଅନିବାର୍ଯ୍ୟ।

(‘ସମାଜ’ରେ ୧ ଜୁନ ୨୦୨୧ରେ ପ୍ରକାଶିତ ପ୍ରକ୍ଷିପ୍ତ ପ୍ରବନ୍ଧର ସଂପୂର୍ଣ୍ଣ ଲେଖା)



Read More

ବନବିଦ୍ୟାଳୟ ବିଶ୍ବବିଦ୍ୟାଳୟ

1 comment

  

(‘ଗୁପ୍ତ ବୃନ୍ଦାବନ’ର ପୁରୁଣା ଚିତ୍ର)

ଗତ କିଛି ବର୍ଷ ହେଲା ଓଡ଼ିଶାରେ ବିଶ୍ବବିଦ୍ୟାଳୟ ଶବ୍ଦଟି ଭାରି ଶୁଣାଯାଉଚି। ଏଥିପାଇଁ ମନ୍ତ୍ରୀହାକିମମାନେ ଯେମିତି କସରତ କରୁଚନ୍ତି, ମନେହେଉଚି ରାଇଜର ସବୁ ବିଦ୍ୟାର ଆଳୟଗୁଡ଼ାକର ନାଁ ଆଗରେ ସତେକି ‘ବିଶ୍ବ’ ଯୋଡ଼ି ହୋଇଯିବ! କେତେକରେ ଯୋଡ଼ା ବି ହେଇସାରିଲାଣି, ‘ବିଦ୍ୟା’ ଓ ‘ଆଳୟ’ର ମାନ ଯାହା ଥାଉ ପଛକେ! ଏବେ ଓଡ଼ିଶାରେ ଯାହାକୁ ଯେତେ ବିଶ୍ବବିଦ୍ୟାଳୟ। ଏହି କ୍ରମରେ ସରକାର ଗୋଟାଏ ଭାଷା ବିଶ୍ବବିଦ୍ୟାଳୟ ଖୋଲିବାକୁ ବି ମନସ୍ଥ କରିଛନ୍ତି, ଯାହାର ନାମ ରହିଛି ସତ୍ୟବାଦୀ ଓଡ଼ିଆ ବିଶ୍ବବିଦ୍ୟାଳୟ। ସତ୍ୟବାଦୀ କଥା ଭାବିଲେ ଯାହାଙ୍କ ନାମ ସର୍ବପ୍ରଥମେ ମାନସପଟରେ ଉଦ୍ଭାସିତ ହୁଏ, ସିଏ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଏବଂ ତାଙ୍କ ପ୍ରତିଷ୍ଠିତ ଶିକ୍ଷା-ଭାଷା-ସାହିତ୍ୟ-ଜାତୀୟତାବୋଧର ସାଧନା କେନ୍ଦ୍ର ସତ୍ୟବାଦୀ ବନବିଦ୍ୟାଳୟ। କେବଳ ଓଡ଼ିଶା ନୁହେଁ, ଏକଦା ସମଗ୍ର ଭାରତବର୍ଷରେ ଶିକ୍ଷାର ଏକ ଅପୂର୍ବ ଓ ଅନନ୍ୟ ପ୍ରୟୋଗଶାଳା ପାଲଟିଥିବା ଏହି ବନବିଦ୍ୟାଳୟ ପରିସରରେ ବିଶ୍ବବିଦ୍ୟାଳୟଟିଏ ପ୍ରତିଷ୍ଠା ନିମନ୍ତେ ସରକାରଙ୍କ ନିଷ୍ପତ୍ତି ସ୍ବାଗତଯୋଗ୍ୟ ତ ନିଶ୍ଚୟ; କିନ୍ତୁ ଏହାର ନକ୍ସାରେ ମୋହର ମାରିବା ଦିନ ସରକାର ଏହାକୁ ନେଇ ଯେଉଁ ବାହାଦୁରୀ ଦେଖାଇବାକୁ ଚେଷ୍ଟା କରିଚନ୍ତି, ତାହା ଆଶା ଅପେକ୍ଷା ଅଧିକ ଆଶଙ୍କାର କାରଣ ହୋଇଚି। ସରକାର କହିଚନ୍ତି ଯେ ବିଶ୍ବବିଦ୍ୟାଳୟଟି ସତ୍ୟବାଦୀ ବନବିଦ୍ୟାଳୟ ଢାଞ୍ଚାରେ ହେବ। ଏହା କାହିଁକି ସମ୍ଭବ ଲାଗୁନାଇଁ, ସେକଥା କହିବା ପୂର୍ବରୁ ଗୋଟିଏ ସୂଚନା ଦେଇଦିଏଁ ଯେ ୨୦୧୭ ମସିହାରେ ସରକାର ପ୍ରଥମେ ଏପରି ଏକ ବିଶ୍ବବିଦ୍ୟାଳୟର ପରିକଳ୍ପନା କଲେ ଓ ‘ଓଡ଼ିଆ ବିଶ୍ବବିଦ୍ୟାଳୟ ବିଧେୟକ’ ପ୍ରସ୍ତୁତ କଲେ। ୨୦୧୮ରେ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠାକୁ କ୍ୟାବିନେଟ୍‌ ମଞ୍ଜୁରୀ ମିଳିଲା ଏବଂ ସେଥିନେଇ ପାଣ୍ଠି ବ୍ୟବସ୍ଥା ଓ ନକ୍ସା ଅଙ୍କନ କରୁକରୁ ୨୦୨୧ ମସିହା ଆସିଗଲା। ଗୋପବନ୍ଧୁ ଶହେ ବର୍ଷ ତଳେ ତାଙ୍କର ‘ସତ୍ୟବାଦୀ’ ପତ୍ରିକାରେ ସେଇ ଓଡ଼ିଶାର ଭାଷାସାହିତ୍ୟ ବିଷୟରେ ଆଲୋଚନା କରୁକରୁ ଠାଏ ଲେଖିଥିଲେ, ‘‘ଓଡ଼ିଶା କଥା ସ୍ବତନ୍ତ୍ର; ଓଡ଼ିଶାର ସବୁ ବିଷୟରେ ମନ୍ଥର ଗତି’’ (‘ସାହିତ୍ୟ ସମାଜ’), ଯାହା ଏବେ ବି ପ୍ରାସଙ୍ଗିକ ମନେ ହେଉନାହିଁ କି? ଆମ ମନ୍ତ୍ରୀହାକିମମାନେ ଅବଶ୍ୟ ବହୁତ ଚିନ୍ତା କରି ବିଶ୍ବବିଦ୍ୟାଳୟଟିଏ ଗଢ଼ୁଥିବାରୁ ବିଳମ୍ବ ହୋଇଥିବ! 


ଇତିମଧ୍ୟରେ ପ୍ରସ୍ତାବିତ ବିଶ୍ବବିଦ୍ୟାଳୟର ନକ୍ସା ଅଙ୍କନ ସହ ୧୦ କୋଟି ଟଙ୍କାର ପାଣ୍ଠି ବି ବଜେଟ୍‌ରେ ଘୋଷଣା ହୋଇଚି; କିନ୍ତୁ ଏଥିରେ ରାଜ୍ୟର ସାହିତ୍ୟିକ-ବୁଦ୍ଧିଜୀବୀ-ଚିନ୍ତାଶୀଳ ବ୍ୟକ୍ତିଙ୍କର ମତାମତ ନିଆଯାଇନଥିବା କହି ଦ‌େଳ ଅସନ୍ତୁଷ୍ଟଙ୍କ ଅଭିଯୋଗ ଯେ ଭାଷା-ସାହିତ୍ୟ-ଗବେଷଣାରେ ଅମଲା, ହାକିମ ଆଉ ନେତାମନ୍ତ୍ରୀଙ୍କର କି କାମ! କିନ୍ତୁ ସେମାନେ ବୁଝିବା ଦରକାର ଯେ ଏମାନଙ୍କ ବିନା ଶାସନ ଅଚଳ, ଯେମିତି ଇଂରେଜୀ ବିନା ଓଡ଼ିଶା ଅଚଳ! ଏଇ ରାଜ୍ୟରେ କେତେ ସରକାର ଆସି ‘ଓଡ଼ିଆ ଭାଷାରେ ଓଡ଼ିଶା ଶାସନ’ ସ୍ଲୋଗାନ ଦେଇଦେଇ ଗଲେଣି; ଅଥଚ ଇଂରେଜୀ ହିଁ ଶାସନ-ପ୍ରଶାସନର ମୁଖ୍ୟଭାଷା ହୋଇ ଏବେ ବି ରହିଚି। ତେଣୁ ସରକାର ଓ ହାକିମବୃନ୍ଦ ଯେତେବେଳେ ବିଶ୍ବବିଦ୍ୟାଳୟ ବନବିଦ୍ୟାଳୟ ଢାଞ୍ଚାରେ ହିଁ ହେବ ବୋଲି ଅଟଳ ପ୍ରତିଜ୍ଞା କରିଚନ୍ତି; ସେଥିକୁ ଏତେ ଅଭିଯୋଗ କିଆଁ! ସତକୁ ସତ ସତ୍ୟବାଦୀର ପଞ୍ଚସଖା ଓ ବନବିଦ୍ୟାଳୟର ଶିକ୍ଷକମାନଙ୍କ ପରି ଏବେ ଓଡ଼ିଶାର କେଇଜଣ ଭାଷାବିତ୍‌-ସାହିତ୍ୟିକ-ବୁଦ୍ଧିଜୀବୀ ମଧ୍ୟ ସରକାରୀ ପଦଗଦକୁ ତୁଚ୍ଛ ମନେକରି ତ୍ୟାଗ କରିପାରିବେ? ଏମାନଙ୍କ ଭିତରୁ ଅଧାରୁ ଅଧିକ ତ ସରକାରଙ୍କ ବିଭୋର ଚାଟୁକାର। ଏଇଠି ଗୋଟିଏ ଘଟନା ସମସ୍ତଙ୍କର ସ୍ମରଣକୁ ଆସୁ।


୧୯୦୯ ଅଗଷ୍ଟ ୧୨ରେ ସତ୍ୟବାଦୀରେ ଯେଉଁ ମଧ୍ୟଇଂରାଜୀ ବିଦ୍ୟାଳୟଟି ପ୍ରତିଷ୍ଠିତ ହେଲା, ତାହାକୁ ଆରମ୍ଭରୁ ହିଁ ବନବିଦ୍ୟାଳୟ ଢାଞ୍ଚାରେ ଗଢ଼ାଗଲା। ‘ଗୁପ୍ତ ବୃନ୍ଦାବନ’ ନାମକ ଉଦ୍ୟାନରେ ବକୁଳ-ଛୁରୀଅନା ବୃକ୍ଷ ତଳେ ବସି ବିଭିନ୍ନ ଶ୍ରେଣୀର ପିଲାଏ ପାଠ ପଢ଼ିଲେ। ଶିକ୍ଷକମାନେ ଇଟାସିମେଣ୍ଟ ତିଆରି ପିଢ଼ି ବା ଚଉକିରେ ବସି ଶିକ୍ଷା ଦେଉଥିଲେ। ବର୍ଷାଦିନ ପାଇଁ କେତେ ବଖରା ଚାଳଘର ତିଆରି କରାଯାଇଥିଲା। ୧୯୧୭ରେ ଏହା ଉଚ୍ଚଇଂରାଜୀ ବିଦ୍ୟାଳୟରେ ପରିଣତ ହୋଇଥିଲା। ପ୍ରଥମ ତିନିଚାରିବର୍ଷ ସରକାରଙ୍କ ଶିକ୍ଷାବିଭାଗ ବା ବିଶ୍ବବିଦ୍ୟାଳୟ ସହ ସମ୍ପର୍କ ନରଖି ଏହା ଚାଲିଥିଲା। ପରେ ବିଶ୍ବବିଦ୍ୟାଳୟରେ ସାମିଲ୍‌ ହେଲା; କିନ୍ତୁ ୧୯୨୧ରେ ଏହା ଜାତୀୟ ବିଦ୍ୟାଳୟରେ ପରିଣତ ହେଲା। ଗୋପବନ୍ଧୁଙ୍କ ଅନିଚ୍ଛା ସତ୍ତ୍ବେ ମଝିରେ ବନବିଦ୍ୟାଳୟର ଅଭିଭାବକଗଣ ଓ ପରିଚାଳନା ମଣ୍ଡଳୀର ସଦସ୍ୟ ବିଦ୍ୟାଳୟଟିକୁ ସରକାରୀ ହୋଇଯିବାକୁ ପ୍ରବର୍ତ୍ତାଇଲେ ଏବଂ ସେଥିପାଇଁ ବିଶ୍ବବିଦ୍ୟାଳୟକୁ ଦରଖାସ୍ତ କରାଗଲା; କିନ୍ତୁ ବନବିଦ୍ୟାଳୟର ଢାଞ୍ଚା ସରକାରୀ ଢାଞ୍ଚା ସହ ଖାପ ଖାଇଲା ନାହିଁ; ତେଣୁ ସରକାରୀ ପାଣ୍ଠି ମଞ୍ଜୁର ହେଲାନାହିଁ। ଏହି ପରିପ୍ରେକ୍ଷୀରେ ଗୋପବନ୍ଧୁ ଯାହା ଲେଖିଥିଲେ, ତାହା ପ୍ରଣିଧାନଯୋଗ୍ୟ: ‘‘ଯଥାର୍ଥରେ କହିବାକୁ ଗଲେ ବର୍ତ୍ତମାନ ଶାସନ ପଦ୍ଧତିରେ ଭାରତରେ ଚଳୁଥିବା ଶିକ୍ଷାରେ ମୋର ଆଦୌ ବିଶ୍ବାସ ନାହିଁ। ମୋ ମତରେ ଶିକ୍ଷା କୌଣସି ପ୍ରକାରେ ଶାସନ ଶିକୁଳିରେ ଆବଦ୍ଧ ହେବା ଉଚିତ ନୁହେଁ। ଏପରିକି ସ୍ବରାଜ୍ୟ ସରକାରରେ ଶିକ୍ଷା ଶାସନର ଅଧୀନ ହେବା ମୋର ଇଚ୍ଛା ନୁହେଁ।’’ (୩.୧.୧୯୨୫) ପାଖାପାଖି ଶହେ ବର୍ଷ ତଳର ଏଇ କଥାଟି ପ୍ରକୃତରେ ଏବେ ବି କମ୍‌ ପ୍ରାସଙ୍ଗିକ ନୁହେଁ! ଇଂରେଜୀ-ପ୍ରଧାନ ସ୍ବରାଜ୍ୟ ଶାସନ ଆମ ସକଳ ପ୍ରକାରର ବିଦ୍ୟାର ଆଳୟଗୁଡ଼ାକୁ ଏପରି ପିଞ୍ଜରାବଦ୍ଧ କରି ରଖିଚି ଯେ ସେଗୁଡ଼ାକ ମୁକ୍ତ ଉଡ଼ାଣ କଥା ଭୁଲିଗଲେଣି। ‘ସ୍ବାୟତ୍ତ’ ବୋଲି କୁହାଯାଉଥିବା ବିଶ୍ବବିଦ୍ୟାଳୟଗୁଡ଼ାକ ବି ଆମୂଳଚୂଳ ପରାୟତ୍ତ! ଏଇଠି ମୁକ୍ତ ମନନ-ଚିନ୍ତନ, ନିଷ୍ଠାପର ଗବେଷଣା କି ମୌଳିକ ସର୍ଜନା କିପରି ସମ୍ଭବ ହେବ? ଓଡ଼ିଆ ବିଶ୍ବବିଦ୍ୟାଳୟ ଶାସନ ଶିକୁଳିରେ ଆବଦ୍ଧ ହେବ ନା ସେଥିରୁ ମୁକ୍ତ ରହିବ?


ସତ୍ୟବାଦୀ ବନବିଦ୍ୟାଳୟ ତା’ର ଅଳ୍ପାୟୁ ଭିତରେ ବି କେବଳ ଶିକ୍ଷାର ମୌଳିକ ପ୍ରୟୋଗ କ୍ଷେତ୍ରରେ ଅସାଧାରଣ ନଥିଲା, ଓଡ଼ିଆ ଭାଷାସାହିତ୍ୟକୁ ମଧ୍ୟ ଯେଉଁ ଅମୂଲ୍ୟ ଅବଦାନ ଦେଇଯାଇଛି ତା’ର ଦ୍ବିତୀୟ ଦୃଷ୍ଟାନ୍ତ ନାହିଁ। ଶହେବର୍ଷ ତଳେ ଓଡ଼ିଶା ଭୂଇଁରେ ଏପରି ବିଦ୍ୟାଳୟଟିଏ ଥିଲା, ଯେଉଁଠି ଓଡ଼ିଶାର ଉଚ୍ଚଶିକ୍ଷିତ, ବାଗ୍ମୀ, ସୁଲେଖକ, ଉଚ୍ଚ ମାନର କବି-ପ୍ରାବନ୍ଧିକମାନେ ଶିକ୍ଷାଦାନରେ ବ୍ରତୀ ହେବା ସହ ଉଚ୍ଚକୋଟୀର ସାହିତ୍ୟ ସର୍ଜନା କରିଥିଲେ, ତାହା ଏବେ ବି ବିସ୍ମୟର ବିଷୟ। ‘ସତ୍ୟବାଦୀ’ ପତ୍ରିକାର ପ୍ରତ୍ୟେକ ସଂଖ୍ୟାର ପ୍ରତିଟି ରଚନା ଓଡ଼ିଆ ସାରସ୍ବତ ଜଗତର ଶ୍ରେଷ୍ଠସ୍ଥାନ ଦାବି କରିବାର ସାମର୍ଥ୍ୟ ରଖେ। ବନବିଦ୍ୟାଳୟର ପ୍ରତିଷ୍ଠାତା-ସଂପାଦକ ପଣ୍ଡିତ ଗୋପବନ୍ଧୁଙ୍କ କାବ୍ୟକବିତା, ପ୍ରବନ୍ଧ; ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପଣ୍ଡିତ ନୀଳକଣ୍ଠ ଦାସଙ୍କ କବିତା, ପ୍ରବନ୍ଧ ଓ ସାହିତ୍ୟ ସମାଲୋଚନା; ଶିକ୍ଷକ ଗୋଦାବରୀଶ ମିଶ୍ରଙ୍କ କବିତା, ନାଟକ, ଅର୍ଥନୀତି ଓ ସ୍ବାସ୍ଥ୍ୟରକ୍ଷା ବିଷୟକ ପ୍ରବନ୍ଧଚୟ; ଶିକ୍ଷକ କୃପାସିନ୍ଧୁ ମିଶ୍ରଙ୍କ ଐତିହାସିକ ଓ ଦାର୍ଶନିକ ପ୍ରବନ୍ଧମାନ ତଥା ଆଚାର୍ଯ୍ୟ ହରିହରଙ୍କ ପ୍ରବନ୍ଧ ସଂକଳନ ଓଡ଼ିଆ ସାହିତ୍ୟାକାଶର ଗୋଟିଏଗୋଟିଏ ଉଜ୍ବଳ ନକ୍ଷତ୍ର। ପ୍ରଖର ବିଦ୍ବାନ ନୀଳକଣ୍ଠଙ୍କ ‘ସତ୍ୟବାଦୀ’ରେ ଧାରାବାହିକ ପ୍ରକାଶିତ ପ୍ରାଚୀନ ଭାରତର ଆର୍ଯ୍ୟମାନଙ୍କର ସାଂସ୍କୃତିକ ଜୀବନର ଇତିହାସ ଆଲୋଚନା ପରେ ପୁସ୍ତକାକାରରେ ମୁଦ୍ରିତ ହୋଇ ଉତ୍କଳ ବିଶ୍ବବିଦ୍ୟାଳୟର ପୋଷ୍ଟ୍‌ଗ୍ରାଜୁଏଟ୍‌ ପାଠ୍ୟପୁସ୍ତକ ଭାବେ ନିର୍ବାଚିତ ହୋଇଥିଲା। ବିଦ୍ୟାଳୟଟିଏ ବି ବିଶ୍ବବିଦ୍ୟାଳୟର କାର୍ଯ୍ୟ ତୁଲାଇପାରେ, ତାହା ସତ୍ୟବାଦୀ ବନବିଦ୍ୟାଳୟ ଜ୍ବଳନ୍ତ ପ୍ରମାଣ। ଇଂରେଜୀ ‘ୟୁନିଭର୍ସିଟି’କୁ ଆମେ ଓଡ଼ିଆରେ ବିଶ୍ବବିଦ୍ୟାଳୟ କହୁଚୁ, ଯାହା ଆସିଚି ମୂଳ ଲାଟିନ ଶବ୍ଦ ‘universitas magistrorum et scholarisum’ରୁ, ଯାହାର ମୋଟାମୋଟି ଅର୍ଥ ହେଲା ‘ଶିକ୍ଷକ ଓ ବିଦ୍ବାନମାନଙ୍କ ସମାଜ ବା ସଂପ୍ରଦାୟ’। ପାଶ୍ଚାତ୍ୟ ସଭ୍ୟତାର ଆଧୁନିକ ବ୍ୟୁତ୍ପତ୍ତି ଅନୁଯାୟୀ ‘ୟୁନିଭର୍ସିଟି’ରେ ‘ଶୈକ୍ଷିକ ସ୍ବାଧୀନତା’ ଏକ ଅନିବାର୍ଯ୍ୟ ଆବଶ୍ୟକତା। କହିବା ବାହୁଲ୍ୟ, ‘ୟୁନିଭର୍ସିଟି’ର ଉପରୋକ୍ତ ପ୍ରାଚୀନ ଓ ଆଧୁନିକ ସଂଜ୍ଞା, ଉଭୟ ମଧ୍ୟ ସତ୍ୟବାଦୀ ବନବିଦ୍ୟାଳୟକୁ ‘ବିଶ୍ବବିଦ୍ୟାଳୟ’ର ମାନ୍ୟତା ପ୍ରଦାନ କରିଥାଏ। ଅବଶ୍ୟ ତତ୍କାଳୀନ ଇଂରେଜ ସରକାର ହୁଅନ୍ତୁ ବା ଏବର ଇଂରେଜୀ-ପ୍ରଧାନ ସରକାର, ଏପରି କୌଣସି ବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ଭାବେ ଗ୍ରହଣ କରିବେ ସେ ନେଇ ଘୋର ସଂଶୟ ରହିଚି। ଏହି ଦୃଷ୍ଟିରୁ ପ୍ରସ୍ତାବିତ ଓଡ଼ିଆ ବିଶ୍ବବିଦ୍ୟାଳୟକୁ ମଧ୍ୟ ଆକଳନ କରାଯାଇପାରେ।


ସରକାରଙ୍କ ଅନୁଯାୟୀ, ସତ୍ୟବାଦୀ ଓଡ଼ିଆ ବିଶ୍ବବିଦ୍ୟାଳୟରେ ଓଡ଼ିଆ ଭାଷା-ସାହିତ୍ୟ-ସଂସ୍କୃତିର ଉଚ୍ଚତର ଗବେଷଣା ହେବ। ଆମ ବିଶ୍ବବିଦ୍ୟାଳୟଗୁଡ଼ିକରେ କିପରି ଗବେଷଣା ହଉଚି ଏବଂ ସେଥିରେ ଓଡ଼ିଆ ଭାଷାର ସ୍ଥାନ କ’ଣ, ତାହା ଆମ ସଭିଙ୍କୁ ଅଳ୍ପବହୁତେ ଜଣା। ବେଳେବେଳେ ସନ୍ଦେହ ଉପୁଜୁଚି ଯେ ଆମ ଶିକ୍ଷାନୁଷ୍ଠାନଗୁଡ଼ିକରେ ଓଡ଼ିଆ ଭାଷାର ଦୈନ୍ୟକୁ ଘୋଡ଼ାଇବା ପାଇଁ ଏପରି ଏକ ସ୍ବତନ୍ତ୍ର ଭାଷା ବିଶ୍ବବିଦ୍ୟାଳୟଟିଏ ଖୋଲିବାର ଫିକର ହେଉନାହିଁ ତ? ଆମ ମାତୃଭାଷାରେ ଯଦି ଆମୂଳଚୂଳ ପ୍ରାଥମିକ ବିଦ୍ୟାଳୟଠୁ ବିଶ୍ବବିଦ୍ୟାଳୟ ଯାଏ ସବୁପ୍ରକାରର ବିଦ୍ୟା ଶିକ୍ଷା ଦିଆଯାଆନ୍ତା ଓ ଗବେଷଣା ହୁଅନ୍ତା, ତା’ହେଲେ ଏପରି ଏକ ସ୍ବତନ୍ତ୍ର ଭାଷା ବିଶ୍ବବିଦ୍ୟାଳୟର ଆବଶ୍ୟକତା ହୁଏତ ପଡ଼ିନଥାନ୍ତା। ଇଂରେଜୀ ଭାଷା ଭାରତୀୟ ସମାଜରେ ଶ୍ରେଣୀ ବିଭାଜନ, ଅର୍ଥାତ ଅଭିଜାତ ଓ ବଞ୍ଚିତ ଦୁଇ ଶ୍ରେଣୀ ସୃଷ୍ଟିର କାରଣ, ଯାହାକୁ ଅଟକାଇପାରିବ କେବଳ ମାତୃଭାଷା। ମାତୃଭାଷା ଯେପର୍ଯ୍ୟନ୍ତ ଜ୍ଞାନବିଜ୍ଞାନର ଭାଷା ପାଲଟିନାହିଁ, ତାହା ଇଂରେଜୀର ସ୍ଥାନ ନେଇପାରିବ ନାହିଁ ଏବଂ ଇଂରେଜୀ-ଅଜ୍ଞମାନେ ସର୍ବଦା ସେଥିରୁ ବଞ୍ଚିତ ହେଉଥିବେ। ଇଂରେଜୀକୁ ସମ୍ପୂର୍ଣ୍ଣ ପରିତ୍ୟାଗ କରାଯାଉ, ସେକଥା ଆଦୌ ନୁହେଁ। ତାହା ରହିବା ଉଚିତ କେବଳ ଅନ୍ୟ ବିଦେଶୀ ଭାଷା ପରି ଦ୍ବିତୀୟ କି ତୃତୀୟ ଭାଷା ଭାବରେ। ମାତୃଭାଷା ହିଁ ହେବ ସର୍ବତ୍ର ଶିକ୍ଷାର ମାଧ୍ୟମ। ୟୁରୋପରେ ଯେତେଦିନ ପର୍ଯ୍ୟନ୍ତ ଲାଟିନ ଭାଷାର ଆଧିପତ୍ୟ ଥିଲା, ସେତେଦିନ ଯାଏ ଜ୍ଞାନବିଜ୍ଞାନ ସ୍ଥାଣୁ ଅବସ୍ଥାରେ ରହିଥିଲା। ନବଜାଗରଣ (ରେନେସଁା) ଯୁଗରେ ବିଭିନ୍ନ ଦେଶରେ ଯେତେବେଳେ ମାତୃଭାଷାର ମହତ୍ତ୍ବ ବଢ଼ିଲା ଓ ସର୍ବତ୍ର ବ୍ୟବହାର ହେବାକୁ ଲାଗିଲା, ସେତେବେଳେ ଯାଇ ଜ୍ଞାନବିଜ୍ଞାନ କ୍ଷେତ୍ରରେ ନୂଆ ଜୁଆର ଆସିଲା। ବିଶ୍ବର ସାହିତ୍ୟ, ଦର୍ଶନ, ବିଜ୍ଞାନ ଆଦି କ୍ଷେତ୍ରରେ ନରୱେ, ସୁଇଡେନ, ଡେନମାର୍କ ଆଦି କ୍ଷୁଦ୍ର ଦେଶଗୁଡ଼ିକର ବିପୁଳ ଅବଦାନ ସର୍ବସ୍ବୀକୃତ। କହିବାର ତାତ୍ପର୍ଯ୍ୟ, ଓଡ଼ିଆ ବିଶ୍ବବିଦ୍ୟାଳୟ ଏକ ଭାଷା ବିଶ୍ବବିଦ୍ୟାଳୟ ହେଲେମଧ୍ୟ ଏହା କେବଳ ଭାଷା ଓ ସାହିତ୍ୟଚର୍ଚ୍ଚା ତଥା ଭାଷାବିତ୍‌-ସାହିତ୍ୟିକଙ୍କ ମଧ୍ୟରେ ସୀମାବଦ୍ଧ ରହିବା ଉଚିତ ନୁହେଁ। ଓଡ଼ିଆ ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇବା ପୂର୍ବରୁ ଓ ପରେ ବହୁ ବଡ଼ବଡ଼ ସ୍ବପ୍ନ ଦେଖାଯାଇଥିଲା, ଯାହା ମଉଳିସାରିଚି। ଏହା ଅବଶ୍ୟ ଅସ୍ବାଭାବିକ ନୁହେଁ। ସରକାର ସବୁ କରିଦେବେ ବୋଲି ଯେଉଁ ଧାରଣାଟି ରହିଚି, ତାହାକୁ ନଛାଡ଼ିବା ଯାଏ ବାସ୍ତବ ପନ୍ଥା ଖୋଜିପାଇବା ଅସମ୍ଭବ। ପ୍ରକୃତରେ ଶାସ୍ତ୍ରୀୟ ମାନ୍ୟତାର ଅର୍ଥ ଓଡ଼ିଆ ଭାଷାର ପ୍ରାଚୀନତା ଓ ସ୍ବତନ୍ତ୍ରତାକୁ ସରକାରୀ ସ୍ବୀକୃତି; କିନ୍ତୁ ଅସଲ ଆହ୍ବାନ ତ ଏହାକୁ ଜ୍ଞାନବିଜ୍ଞାନର ଭାଷା କରିବା, ଯେଉଁ ଦିଗରେ ଏ ଯାଏ କାର୍ଯ୍ୟ ଆରମ୍ଭ ହୋଇନାହିଁ। ଓଡ଼ିଆ ବିଶ୍ବବିଦ୍ୟାଳୟ ଏ କ୍ଷେତ୍ରରେ ଏକ ଦିଗ୍‌ଦର୍ଶକ ଅନୁଷ୍ଠାନ ହୋଇପାରନ୍ତା, ସରକାରଙ୍କୁ ବି ଓଡ଼ିଆ ଶିଖାନ୍ତା;  କିନ୍ତୁ ଗୋପବନ୍ଧୁଙ୍କ କହିବା ପରି ସରକାରୀ ଶିକୁଳି ବନ୍ଧା ହୋଇଥିଲେ ଏହା ସମ୍ଭବ ହେବାପରି ଲାଗୁନାହିଁ।


ବନବିଦ୍ୟାଳୟର ପ୍ରତିଷ୍ଠାତା ଗୋପବନ୍ଧୁଙ୍କ ପୁରୋଦୃଷ୍ଟି ଏଇଥିରୁ ଅନୁମେୟ ଯେ ୧୯୧୮ରେ ସେ ଭାରତର ଶ୍ରେଷ୍ଠ ମନୀଷୀ ରବୀନ୍ଦ୍ରନାଥ ଠାକୁରଙ୍କ ତତ୍କାଳୀନ ପୃଥିବୀ ପ୍ରସିଦ୍ଧ ଶିକ୍ଷାନୁଷ୍ଠାନ (୧୯୨୧ରେ ଜାତୀୟ ବିଶ୍ବବିଦ୍ୟାଳୟ ମାନ୍ୟତା ପାଇଲା) ଶାନ୍ତିନିକେତନ ଯାଇ ତା’ର ବୈଶିଷ୍ଟ୍ୟ ଅନୁଧ୍ୟାନ କରିଥିଲେ। ‘ସତ୍ୟବାଦୀ’ ପତ୍ରିକା (୧୩୨୫ ସାଲ୍‌ ଧନୁ ଓ ମକର ସଂଖ୍ୟା)ରେ ‘ବୋଲପୁର ଶାନ୍ତିନିକେତନ’ ଶୀର୍ଷକ ଭ୍ରମଣ ଆଲେଖ୍ୟରେ ତାହାର କର୍ମଧାରା ଓ ଆଦର୍ଶ ପ୍ରସଙ୍ଗରେ ସେ ଯାହା ଲେଖିଛନ୍ତି, ତାହା ଉଲ୍ଲେଖଯୋଗ୍ୟ: ‘‘ସ୍ବାଧୀନତା ଶାନ୍ତିନିକେତନର ନିୟାମକ ନୀତି। କୌଣସି ପ୍ରକାର ପରମ୍ପରା ଓ ପଦ୍ଧତିରେ ମାନବ ହୃଦୟକୁ ଆବଦ୍ଧ ନରଖି ତାହାର ସ୍ବଚ୍ଛନ୍ଦ ସ୍ବାଭାବିକ ବିକାଶ ନିମନ୍ତେ ସ୍ବାଧୀନତା ଦେବା ଏଠା ବିଧାନର ଲକ୍ଷ୍ୟ।’’ ପ୍ରତିଷ୍ଠାତାଙ୍କ ସହ ସମସ୍ତ ଶିକ୍ଷକ ଜାତୀୟ ସଂଗ୍ରାମରେ ଝାସଦେବା ଫଳରେ ବନବିଦ୍ୟାଳୟ କାଳଗର୍ଭରେ ଲୀନ ହୋଇଗଲା; କିନ୍ତୁ ଓଡ଼ିଶାରେ ଆଉ ସେପରି ଉତ୍କୃଷ୍ଟ ଶିକ୍ଷାଳୟଟିଏ ଏ ପର୍ଯ୍ୟନ୍ତ ଗଢ଼ାଯାଇପାରିଲା ନାହିଁ। ଗୋପବନ୍ଧୁଙ୍କ ପରି ଅନ୍ତର୍ଦୃଷ୍ଟିସଂପନ୍ନ ଆଉ ଜଣେହେଲେ ବୁଦ୍ଧିଜୀବୀ-ନେତା ଗତ ଶହେବର୍ଷ ଭିତରେ ଏ ରାଇଜରେ ଜନ୍ମ ନେଇନାହାନ୍ତି, ଯିଏ ରବୀନ୍ଦ୍ରନାଥ ମହର୍ଷି ଦେବେନ୍ଦ୍ରନାଥଙ୍କ ‘ବ୍ରହ୍ମବିଦ୍ୟାଳୟ’କୁ ‘ବିଶ୍ବଭାରତୀ’ରେ ରୂପାନ୍ତରିତ କରିବାଭଳି ସତ୍ୟବାଦୀ ବନବିଦ୍ୟାଳୟକୁ ‘ସତ୍ୟବାଦୀ ବିହାର’ (୧୯୨୫ରେ ସେ ହଜାରିବାଗ ଜେଲରୁ ଖଲାସ ହେବାପରେ ଏହି ନାମରେ ବିଦ୍ୟାଳୟର ପୁନର୍ଗଠନ ପାଇଁ କାମ ଆରମ୍ଭ କରିଥିଲେ ହେଁ ତାହା ଫଳବତୀ ହୋଇପାରିନଥିଲା) ବିଶ୍ବବିଦ୍ୟାଳୟରେ (ଓଡ଼ିଆ ବିଶ୍ବବିଦ୍ୟାଳୟ ପରି କେବଳ ‘ଭାଷା’ର ନୁହେଁ) ପରିଣତ କରିପାରିଥାନ୍ତେ। ଏହା ହିଁ ଓଡ଼ିଆ ଜାତିର ସବୁଠୁ ବଡ଼ ଦୁର୍ଭାଗ୍ୟ।

(୧୧.୩.୨୦୨୧ରେ ‘ସମାଜ’ରେ ପ୍ରକାଶିତ)



Read More

ଶିଷ୍ଟ ବିଶିଷ୍ଟ ଅବଶିଷ୍ଟ

Leave a Comment



ଅଶୋକ


ଦିନେ ସକାଳେ ମୁଁ ଉଠିଲି

ହେ ସୁନ୍ଦରୀ ବିଦାୟ ସୁନ୍ଦରୀ ବିଦାୟ ସୁନ୍ଦରୀ ବିଦାୟ ବିଦାୟ ବିଦାୟ

ଦିନେ ସକାଳେ ମୁଁ ଉଠିଲି

ଆଉ ମତେ ଆକ୍ରମଣକାରୀ ମିଳିଗଲା।

ହେ ପକ୍ଷପାତୀ ମତେ ନେଇଚାଲ

ହେ ସୁନ୍ଦରୀ ବିଦାୟ ସୁନ୍ଦରୀ ବିଦାୟ ସୁନ୍ଦରୀ ବିଦାୟ ବିଦାୟ ବିଦାୟ

ହେ ପକ୍ଷପାତୀ ମତେ ନେଇଚାଲ

କାଇଁକିନା ମତେ ଲାଗୁଚି ମୁଁ ମରିବାକୁ ଯାଉଚି।

​‌ଏଇଟା ପକ୍ଷପାତର ଫୁଲ

ହେ ସୁନ୍ଦରୀ ବିଦାୟ ସୁନ୍ଦରୀ ବିଦାୟ ସୁନ୍ଦରୀ ବିଦାୟ ବିଦାୟ ବିଦାୟ

ଏଇଟା ପକ୍ଷପାତର ଫୁଲ

ସ୍ବାଧୀନତା ନିମନ୍ତେ ମରିଗଲା।

ଇଏ ହେଉଚି ପ୍ରସିଦ୍ଧ ଇତାଲୀୟ ଲୋକଗୀତ ‘ବେଲ୍ଲା ଚାଓ’ (ସୁନ୍ଦରୀ ବିଦାୟ)ର କେଇଟି ପଙ୍‌କ୍ତି, ଯାହାକୁ ମୂଳତଃ ଆଣ୍ଠୁଏ ପାଣିକାଦୁଅରେ ଠିଆହୋଇ ସୂ‌େର୍ଯ୍ୟାଦୟରୁ ସୂର୍ଯ୍ୟାସ୍ତ ଧାନଖେତରେ ବାଳୁଙ୍ଗା ବାଛୁଥିବା ମହିଳାମାନେ ଗାଉଥିଲେ ଊନବିଂଶ ଶତାବ୍ଦୀରେ ସେମାନଙ୍କ ଉତ୍ପୀଡ଼କଙ୍କ ବିରୋଧରେ। ଏହି ମହିଳାମାନେ ମୁଖ୍ୟତଃ ଥିଲେ ଅତି ସାମାଜିକ-ଆର୍ଥିକ ନ୍ୟୂନ ଶ୍ରେଣୀର, ଯାହାଙ୍କ ମୂଲ୍ୟବାନ ଯୁବାକାଳ ବ୍ୟତୀତ ହୋଇଯାଉଥିଲା ସେହି ଅବାଞ୍ଛନୀୟ/ଅସହଣୀୟ କାର୍ଯ୍ୟରେ; କିନ୍ତୁ ସେଇ ଧାନଖେତରେ କେବଳ ବାଳୁଙ୍ଗା ଘାସ ବଛାଯାଉ ନଥିଲା, ସେଇଠି ନବ୍ୟ ରାଜନୀତିକ ଆଦର୍ଶ ଓ ପ୍ରତିବାଦ-ବିପ୍ଳବର ବୀଜ ମଧ୍ୟ ହେଉଥିଲା ବପନ। ପରେପରେ କୃଷକ ଓ କୃଷିଶ୍ରମିକଙ୍କ ଅସନ୍ତୋଷ ଊନବିଂଶ ଶତାବ୍ଦୀର ଅନ୍ତିମ ଓ ବିଂଶ ଶତାବ୍ଦୀର ପ୍ରଥମ ଭାଗରେ ଜନ୍ମ ଦେଇଥିଲା ବହୁ ବିକ୍ଷୋଭ/ ପ୍ରତିବାଦ/ ବିପ୍ଳବ ଏବଂ ତା’ରି ଭିତରୁ ଦିନେ ସୃଷ୍ଟି ହୋଇଥିଲା ଉକ୍ତ ଅଦ୍ଭୁତ ପ୍ରେରଣାଦାୟୀ ସଂଗୀତ ‘ବେଲ୍ଲା ଚାଓ’। ୧୯୪୦ ଦଶକରେ ଇଟାଲିକୁ ନାଜୀ ଜର୍ମାନମାନେ ଯେତେବେଳେ ଅକ୍ତିଆର୍ କଲେ, ଫାସିବାଦୀ ଶକ୍ତିଙ୍କ ବିରୋଧରେ ଏହା ପାଲଟିଥିଲା ପ୍ରତିବାଦୀ ଗୀତ। ବିସ୍ମିତ ହେବାର କିଛି ନାହିଁ ଯେ ତା’ପରଠୁ ସାରା ବିଶ୍ବରେ ଫାସିବାଦ-ବିରୋଧୀ ଗୀତ ଭାବେ ଏହାକୁ ବିଭିନ୍ନ ଭାଷାରେ ଗାନ କରାଯାଇ ଆସୁଥିବାବେଳେ ଏଇନା ଏଇ ନାମରେ ଏକ ଦେଶୀ ସଂଗୀତ ଶୁଭୁଚି ଦିଲ୍ଲୀ ସୀମାନ୍ତରେ ଲକ୍ଷଲକ୍ଷ କୃଷକଙ୍କ ସମାବେଶ ଭିତରୁ, ଯାହାର ଶୀର୍ଷକ ରହିଚି ‘ୱାପସ୍‌ ଯାଓ ୱାପସ୍‌ ଯାଓ’ (ଫେରିଯାଅ ଫେରିଯାଅ)। ଏହାର ଆରମ୍ଭ ଏମିତି: ‘‘ଆମେ ନିଜ ପଛରେ ସବୁ ପ୍ରତିବନ୍ଧକକୁ ଛାଡ଼ି ଆସିଚୁ/ ହେ ନିର୍ଦୟୀ/ ଫେରିଯାଅ ଫେରିଯାଅ/ ମାଟିର ପ୍ରତ୍ୟେକ ଦାନା/ ଏକସଂଗେ ଗାଉଛନ୍ତି/ହେ ନିର୍ଦୟୀ/ ଫେରିଯାଅ ଫେରିଯାଅ।’’

ଏଇ ଆନ୍ଦୋଳନ ସମସ୍ତ ପାରମ୍ପରିକତାକୁ ଭାଂଗି ଯେପରି ଏକ ନୂଆ ପ୍ରତିମାନ ଗଢ଼ିଚି, ତାହା ଆଗାମୀ ଦିନରେ ଇତିହାସରେ ଏକ ସ୍ବତନ୍ତ୍ର ଅଧ୍ୟାୟ ଲେଖିବା ପାଇଁ ଯଥେଷ୍ଟ। ଖାଲି ବୈପ୍ଳବିକ ସଂଗୀତ ନୁହେଁ, ଆନ୍ଦୋଳନ ଭିତରେ ହିଁ ଜନ୍ମ ନେଇଚି ଏକ ଚାରିପୃଷ୍ଠାର ଖବରକାଗଜ ‘ଟ୍ରଲି ଟାଇମ୍ସ’ (ଏଇ ନାଁ ମନେହୁଏ ବେଶ୍ ସାର୍ଥକ, କାହିଁକିନା ପ୍ରାୟ ମାସେ କାଳ ଧରି କିଲୋମିଟର କିଲୋମିଟର ବ୍ୟାପୀ ରାଜପଥ ଉପରେ ଠିଆ ହୋଇଥିବା ଟ୍ରାକ୍ଟର ଟ୍ରଲି ହିଁ ପାଲଟିଚି ଲକ୍ଷାଧିକ ଆନ୍ଦୋଳନକାରୀଙ୍କ ବାସସ୍ଥାନ)। ଗୁରୁମୁଖୀ-ହିନ୍ଦୀ ଦ୍ବିଭାଷୀ ଏଇ ପାକ୍ଷିକ ଖବରକାଗଜର ପ୍ରଥମ ସଂପାଦକୀୟ ଶୀର୍ଷକ ଥିଲା, ‘‘ଇନ୍‌କିଲାବ ଦି ତଲୱାର୍‌ ବିଚାରାଁ ଦି ସାନ ତେ ତେଜ ହୋନ୍ଦି ଏ’’; ଅର୍ଥାତ ଇନ୍‌କିଲାବର ଖଣ୍ଡା ବିଚାରର ଶାଣରେ ଅଧିକ ଧାରୁଆ ହୋଇଥାଏ। ପ୍ରକୃତରେ ଏହି ଶକ୍ତିଶାଳୀ ଶବ୍ଦ କେତୋଟି ଭାରତର ଅନନ୍ୟ ଦେଶପ୍ରେମୀ/ଚିନ୍ତକ/ବିପ୍ଳବୀ ଭଗତ ସିଂହଙ୍କର। ଲକ୍ଷାଧିକ ଆନ୍ଦୋଳନକାରୀଙ୍କ ପାଖରେ ଆନ୍ଦୋଳନ ସମ୍ପର୍କିତ ବିଷୟବସ୍ତୁକୁ ପହଞ୍ଚାଇବା ଲକ୍ଷ୍ୟରେ ପ୍ରକାଶିତ ଏ ଖବରକାଗଜ ଏକ କ୍ଷୁଦ୍ର ପ୍ରୟାସ ହେଲେ ହେଁ ଏହାର ଶକ୍ତି ଅକଳନୀୟ ଏବଂ ସରକାରଙ୍କ ପୋଷ୍ୟ/ଶିଷ୍ଟ ଗଣମାଧ୍ୟମଗୁଡ଼ିକ ମୁହଁରେ ଚାପୁଡ଼ା ସଦୃଶ, ଯେଉଁମାନେ ଗଣ ମାଧ୍ୟମ ବଦଳରେ ପାଲଟିଚନ୍ତି ମଣ ମାଧ୍ୟମ/ଜଣ ମାଧ୍ୟମ। 

ଏ ଆନ୍ଦୋଳନର ସବୁଠୁ ବଡ଼ ବିଶେଷତ୍ବ ହେଉଚି ଏହାର ସୃଜନଶୀଳ ସ୍ବନିର୍ଭରତା। ଏଠି ଲକ୍ଷଲକ୍ଷ ଲୋକଙ୍କ ପାଇଁ ଯେଉଁ ଯନ୍ତ୍ରରେ ଖାଦ୍ୟ ତିଆରି ହେଉଚି, ଶୀତାର୍ତ୍ତ ସକାଳରେ ଗାଧୋଇବାକୁ ଯେଉଁ ଉ‌ପାୟ​‌େ​‌​‌ର ପାଣି ଉଷୁମ କରାଯାଉଚି, ସେସବୁ ଦେଶୀ ଜ୍ଞାନକୌଶଳରେ ନିର୍ମିତ ସାଧନକୁ ଦେଖିଲେ ଏ ଅବଶିଷ୍ଟଙ୍କ ସର୍ଜନଶୀଳତା କାହିଁକି ଶିଷ୍ଟ/ବିଶିଷ୍ଟମାନଙ୍କୁ ଚମକାଇ ଦେଉଚି, ତାହା ବୁଝିବା ସହଜ। କ୍ଷମତାହୀନ ଶ୍ରମଜୀବୀ/କୃଷକଗୋଷ୍ଠୀ ବି ଅମିତ ପରାକ୍ରମୀ ଆଧିପତ୍ୟର ସମ୍ମୁଖୀନ ହେବାକୁ ସମର୍ଥ, ଏହା ତା’ର ବଡ଼ ଦୃଷ୍ଟାନ୍ତ। ଏମାନେ ମୁର୍ଖ/ଅପୋଗଣ୍ଡ/ରାଷ୍ଟ୍ରବିରୋଧୀ ନୁହନ୍ତି (ଯେପରି ଶିଷ୍ଟ/ବିଶିଷ୍ଟ ଅପପ୍ରଚାର କରୁଚନ୍ତି); ବରଂ ଏମାନଙ୍କ ‘ଅର୍ଗାନିକ’ ଗୋଷ୍ଠୀବଦ୍ଧତା ଅନେକ ଦୃଷ୍ଟିରୁ ‘ନିଉ ଇଣ୍ଡିଆ’ ପାଇଁ ଅନନ୍ୟ, କାହିଁକିନା ୟା’ ଜରିଆରେ ବହୁଦିନ ଧରି ନିସ୍ତେଜ ହୋଇପଡ଼ିଥିବା ସିଭିଲ୍‌ ସୋସାଇଟି ବା ନାଗରିକ ସମାଜ ହୋଇଚି ଜାଗ୍ରତ/ଦୃଢ଼ସଂକଳ୍ପ। ସମାଜର ଅଣସରକାରୀ/ଅରାଜନୀତିକ ନେତୃତ୍ବ ଏହି ନାଗରିକ ସମାଜର ଗୋଷ୍ଠୀବଦ୍ଧତା/ସହକାରିତା କ୍ଷମତାସୀନ ବିଶିଷ୍ଟ ତଥା ତାଙ୍କ ଆଜ୍ଞା ପାଳନକାରୀ ଶିଷ୍ଟମାନଙ୍କ ଲାଗି ଯେ ଅଡ଼ୁଆ ବଢ଼ାଇବାରେ ଲାଗିଚି, ତାହା ସେମାନଙ୍କୁ ଚିନ୍ତାରେ ପକାଇଚି। ସେମାନଙ୍କ ଗୋଷ୍ଠୀବଦ୍ଧତାକୁ ଛିନ୍ନଛତ୍ର କରିବା ନିମନ୍ତେ ବିଶିଷ୍ଟ/ଶାସକ ଶ୍ରେଣୀ ଖୁବ୍ ଚକ୍ରାନ୍ତ ଚଳାଇଥିଲେ ବି ହୋଇପାରିନାଇଁ ଏ ଯାଏ ସଫଳ। ଇଏ ଏକ ବିଡମ୍ବନା ଯେ ଭାରତର ପାରମ୍ପରିକ ମୁଖ୍ୟ ଗଣମାଧ୍ୟମ, ନିର୍ଦିଷ୍ଟ କରି କହିଲେ  ଟେଲିଭିଜନ ମାଧ୍ୟମ ଏଇନା ଶାସକର ଚାଟୁକାରିତାରେ ହିଁ ନିଜକୁ ବ୍ୟସ୍ତ ରଖିଥିବାବେଳେ ଜନସାଧାରଣ ସାମାଜିକ ଗଣମାଧ୍ୟମ (ସୋସାଲ୍‌ ମିଡିଆ) ଉପରେ ଭରସା ରଖିଥିଲେ; ମାତ୍ର ତା’ ଉପରେ ବି ପଡ଼ିଲାଣି ଶାସକ ଶ୍ରେଣୀର ଶ୍ୟେନଦୃଷ୍ଟି। ଫଳତଃ ନାଗରିକ ସମାଜ ପାଇଁ ସୋସାଲ୍‌ ମିଡିଆର ଦୁଆରକୁ ବି କିଳି ରଖିବାର ଫିକର ହୋଇଚି। ସୁଖର କଥା ଯେ ଲୋକଚାପ ଆଗରେ ହାର୍‌ ମାନି ପୁଣିଥରେ ଦୁଆର ଖୋଲିବାକୁ ବାଧ୍ୟ ହୋଇଚି ଫେସ୍‌ବୁକ୍‌। ବିଶ୍ବର ବୃହତ୍ତମ ଏଇ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ କ୍ରମେ କେବଳ ଅସାମାଜିକ ହେଉନାଇଁ, ହେବାରେ ବି ଲାଗିଚି ଅଗଣତାନ୍ତ୍ରିକ।

ଦେଶରେ ନିକଟ ଅତୀତରେ ଆଉ ଯେଉଁଠି ଗୋଷ୍ଠୀବଦ୍ଧତା ଦେଖିବାକୁ ମିଳିଥିଲା, ତାହା ଥିଲା ଶାହିନବାଗ। ସେଇଠି ଏକ କ୍ଷୁଦ୍ର ମୁସଲମାନ ଗୃହିଣୀ ଗୋଷ୍ଠୀର ପ୍ରତିବାଦ କ୍ରମଶଃ କିପରି ଏକ ବଡ଼ ଘଟନା ପାଲଟିଥିଲା, ତା’ ତ ବିଶ୍ବଇତିହାସର ଅଂଶ ହୋଇସାରିଚି। ଏହା ଦେଖାଇ ଦେଇଥିଲା ଯେ କୌଣସି ରାଜନୀତିକ ଦଳ ଓ ଟ୍ରେଡ଼ ୟୁନିଅନ ପରି ସଂଗଠନର ସହାୟତା ବିନା ମଧ୍ୟ ନାଗରିକ ସମାଜ ଖୁବ୍‌ ପ୍ରଭାବଶାଳୀ ଭାବେ ଏକ ଗଣତାନ୍ତ୍ରିକ ପରିକଳ୍ପନାକୁ ସାକାର କରିପାରେ। ବାସ୍ତବରେ ଗଣତନ୍ତ୍ର ତ କୋଉ ରାଜନୀତିକ ଦଳର ବୋପାସମ୍ପତ୍ତି ନୁହଁ କି ଏହାକୁ କିଏ ପେଟେଣ୍ଟ୍‌/କପିରାଇଟ୍‌ କରିନାଇଁ। ଗଣତନ୍ତ୍ର ଗଣର ଗଣପାଇଁ ଗଣଦ୍ବାରା; ଅର୍ଥାତ ଏହା ଗଣର ଅଙ୍ଗୀଭୂତ ପ୍ରତ୍ୟେକଙ୍କର। ସଂସଦ/ସଂସଦଭବନ ବି ଗଣତନ୍ତ୍ରର ଅନ୍ତୁଡ଼ିଶାଳ ନୁହେଁ; ସଡ଼କ ହିଁ ଗଣତନ୍ତ୍ରର ଅସଲ ମଞ୍ଚ ଯେଉଁଠି ତାହା ଜୀବନ୍ୟାସ ପାଏ/ ଯେଉଁଠି ନାଗରିକ ସମାଜ ମୁକ୍ତିର ସଂଗୀତ ଗାଇପାରେ/ ଯେଉଁଠି ଉତ୍ପୀଡ଼ିତ ନିର୍ଭୟରେ ଉତ୍ପୀଡ଼କକୁ ଲଢ଼େଇ ପାଇଁ ଆହ୍ବାନ କରିପାରେ/ ଯେଉଁଠି ଅବଶିଷ୍ଟ ଶିଷ୍ଟ/ବିଶିଷ୍ଟମାନଙ୍କୁ ସେମାନଙ୍କ ଦାୟିତ୍ବ/କର୍ତ୍ତବ୍ୟ ବିଷୟରେ ଚେତାଇ ଦେଇପାରେ। ଗଣତନ୍ତ୍ର ଏକ ନିର୍ବାଚନିକ ପରିଘଟନା ମାତ୍ର ନୁହେଁ; ଏହା ବଞ୍ଚିରହେ ନାଗରିକଙ୍କ ନିତ୍ୟନୈମିତ୍ତିକ ପ୍ରୟୋଗରେ; ନାଗରିକ ସମାଜର ଗୋଷ୍ଠୀବଦ୍ଧ ସଜୀବ ପ୍ରଥାପରମ୍ପରାରେ। ଅବଶ୍ୟ ଆମ ବିଶିଷ୍ଟ/ସମ୍ଭ୍ରାନ୍ତ/ଶାସକ ଶ୍ରେଣୀକୁ ଏହା ଲାଗୁଚି ‘ଅଧିକ ଗଣତନ୍ତ୍ର’ (ନିତି ଆୟୋଗର ସିଇଓ ଅମିତାଭ କାନ୍ତଙ୍କ ପରି), ତେଣୁ ଅସହ୍ୟ; କାହିଁକିନା ଗଣତନ୍ତ୍ର ଯେତେ ପାକଳ ହୁଏ ତାହା ଗଣକୁ ଅର୍ଥାତ ନାଗରିକ ସମାଜକୁ  ସେତିକି ସ୍ବନିର୍ଭର/ସ୍ବାଭିମାନୀ/ଶକ୍ତିଶାଳୀ କରେ। ଅନ୍ୟ ଅର୍ଥରେ କହିଲେ ଗଣତନ୍ତ୍ର (ଡେମୋକ୍ରେସି) ସେଇଠି ପାଲଟିଯାଏ ଯଥାର୍ଥରେ ସାଧାରଣତନ୍ତ୍ର (ଇଂରେଜୀରେ ଯାହାକୁ କୁହାଯାଏ ରିପବ୍ଲିକ୍‌)। ସାଧାରଣତନ୍ତ୍ରର ଭାବାଦର୍ଶ ଗଣତନ୍ତ୍ରଠୁ ଅଧିକ ମହତ୍‌/ବିସ୍ତୃତ, ଯେଉଁଠି ବହୁସଂଖ୍ୟକ ବା ସଂଖ୍ୟାଗରିଷ୍ଠ ଚାହିଁଲେ ମଧ୍ୟ ସଂଖ୍ୟାଲଘୁଟିକୁ କେବେ ବି ଦେଇପାରେନା ନିର୍ଯାତନା କି କରିପାରେନା ଉତ୍ପୀଡ଼ନ। ଭାରତକୁ କେବଳ ଗଣତନ୍ତ୍ର ନୁହେଁ, ଅସଲରେ ସାଧାରଣତନ୍ତ୍ରଟିଏ କରି ଗଢ଼ିବା ନିମନ୍ତେ ଆମର ରାଷ୍ଟ୍ରନାୟକମାନେ ‘ସମ୍ବିଧାନ’ ନାମକ ଯେଉଁ ଅଧିକାର ଓ କର୍ତ୍ତବ୍ୟର ଅସାଧାରଣ ଜୀବନ୍ତ ପ୍ରତିଲିପି ତିଆରି କରିଚନ୍ତି, ତାହା ହିଁ ତା’ର ହେତୁ। ନିର୍ବାଚନସମ୍ଭୁତ ସତ୍ତାଧାରୀ ବିଶିଷ୍ଟଗଣ ନୁହନ୍ତି, ଅବଶିଷ୍ଟ ସାଧାରଣ ହିଁ ହେଉଚନ୍ତି ସାଧାରଣତନ୍ତ୍ରର ଆତ୍ମା; ଅଥଚ ଗଣତାନ୍ତ୍ରିକ ଶାସନ ପଦ୍ଧତିରେ ସେଇ ବିଶିଷ୍ଟଙ୍କ (ଏଇନା ଅବଶିଷ୍ଟଙ୍କ ପାଇଁ ସେଇଠି ସ୍ଥାନ ନାହିଁ; ଚା’ ବିକାଳି ପ୍ରଧାନମନ୍ତ୍ରୀ ହେବାର ଦୃଷ୍ଟାନ୍ତ କେବଳ ଅତ୍ୟୁତ୍ସାହୀଙ୍କର ଏକ ଭାବପ୍ରବଣ ମିଥ୍‌) ହାତରେ ହିଁ ଚାବିକାଠି ସମର୍ପି ଦିଆଯିବା ଅବଧାରିତ। ଏଥିରୁ ଯେଉଁ ହିଗେମନି ବା ଆଧିପତ୍ୟର ଜନ୍ମ, ତାହା କେବଳ ରାଷ୍ଟ୍ରକ୍ଷମତାର ନୁହେଁ, ସାମନ୍ତବାଦର ଏକ ରୂପ। ଏଇମାନେ ହିଁ ଏବେ ଭାରତରେ ଅଧିକ ଗଣତନ୍ତ୍ର ହୋଇଗଲା ବୋଲି ଖୁବ୍‌ ଚିନ୍ତିତ।

ତେବେ ରାଷ୍ଟ୍ରକ୍ଷମତାକୁ ବୈଧତା କେବଳ ରାଜନୀତିକ ନୁହେଁ, ସାମାଜିକ ସମ୍ମତିର ମଧ୍ୟ ଫଳ; ଅର୍ଥାତ ସମୁଦାୟ ଶକ୍ତି ଓ କ୍ଷମତାର କେନ୍ଦ୍ର ଏକମାତ୍ର ରାଷ୍ଟ୍ର ନୁହେଁ, ସମାଜର ଛତ୍ରେଛତ୍ରେ ତା’ର ଉପସ୍ଥିତି। ଜନଗଣର ଭାଷା/ଭାବନା ଭିତରେ ହିଁ ଶାସକ ଶ୍ରେଣୀ ବଞ୍ଚିରହିବାକୁ ଚେଷ୍ଟା କରେ ନିଜ ମତାଦର୍ଶଗତ ଭିତ୍ତି ରୂପରେ। ଯେତେବେଳେ ଜନଗଣଙ୍କ ଭିତରୁ ବହୁଳାଂଶ ବିଶ୍ବାସ କରିନିଏ ଯେ ସେଇ ଆଧିପତ୍ୟ ହିଁ ଏକମାତ୍ର ବାସ୍ତବ; ସେତେବେଳେ ବିଶିଷ୍ଟର ଆଧିପତ୍ୟ ବଞ୍ଚିରହିବାରେ ହୁଏ ସଫଳକାମ। ଯେତେବେଳେ ଏହି ଆଧିପତ୍ୟକୁ ଅବଶିଷ୍ଟ ଶ୍ରେଣୀ ପ୍ରଶ୍ନ/ବିରୋଧ/ପ୍ରତିରୋଧ କରେ, ସେ ପାଲଟେ ବିଶିଷ୍ଟ/ରାଷ୍ଟ୍ରକ୍ଷମତାର ଶତ୍ରୁ; ଆଖ୍ୟା ପାଏ ‘ରାଷ୍ଟ୍ରଦ୍ରୋହୀ’ର। ପୁଞ୍ଜିପତିର ସ୍ବାର୍ଥରକ୍ଷା ନିମନ୍ତେ ସଦା ପ୍ରଯତ୍ନଶୀଳ ସଂସ୍କାରବାଦୀ ରାଜନୀତି ଶ୍ରମଜୀବୀର ଆନ୍ଦୋଳନକୁ ନିରସ୍ତ୍ର କରିବାକୁ ସର୍ବଦା ଚେଷ୍ଟିତ; କିନ୍ତୁ ମାନସିକ ଶ୍ରମ କରି ସାଆନ୍ତପଣିଆ ଦେଖାଉଥିବା ବିଶିଷ୍ଟ ତ ସର୍ବଦା ପରାଙ୍ଗପୁଷ୍ଟ ଶ୍ରେଣୀ; ଅବଶିଷ୍ଟର ଶାରୀରିକ ଶ୍ରମ ବିନା ତା’ର ସବୁକିଛି ଅଚଳ। ନିଜେ ସଦା ପରନିର୍ଭର; ଅଥଚ ଆତ୍ମନିର୍ଭର ଅବଶିଷ୍ଟକୁ ଆଇନ ସହାୟତାରେ ଆତ୍ମନିର୍ଭରଶୀଳ ହେବାକୁ ଉପଦେଶ ଦେବାପାଇଁ କରେନା ଲଜ୍ଜାବୋଧ। ସେ ଅବଶିଷ୍ଟର ବିରୋଧ/ପ୍ରତିରୋଧକୁ ଛଳେ ବଳେ କୌଶଳେ ନିଷ୍କ୍ରିୟ କରିଦେବାକୁ ବି ବଦ୍ଧପରିକର; ଅଥଚ ଧନତନ୍ତ୍ର ସହାୟତାରେ ବଳୀୟାନ କ୍ଷମତାସୀନ ବିଶିଷ୍ଟ ବୁଝିପାରେନା ଯେ ତା’ ନିଷ୍ଠୁର ଆଧିପତ୍ୟର ପରିସମାପ୍ତି ଅସମ୍ଭବ ନୁହେଁ, କାରଣ ଏଇ ପୌରସମାଜ ଭିତରୁ ହିଁ ଜନ୍ମନେଇଥାଏ କାଉଣ୍ଟର-ହିଗେମନି ବା ବିକଳ୍ପ ଆଧିପତ୍ୟ। ଏହା ଯେତେବେଳେ ନାଗରିକ ସମାଜ ଭିତରେ ବଞ୍ଚିତ/ଶୋଷିତ/ଅବହେଳିତ ଅବଶିଷ୍ଟର କର୍ତ୍ତୃତ୍ବ ପ୍ରତିଷ୍ଠା କରିବ, ସେତେବେଳେ ରାଷ୍ଟ୍ରତନ୍ତ୍ର ନିଜ ଚରିତ୍ର ବଦଳାଇବାକୁ ବାଧ୍ୟ ହେବ।

(‘ସମାଜ’ରେ ୨୬.୧୨.୨୦୨୦ରେ ପ୍ରକାଶିତ)

ମୋ: ୯୪୩୮୮ ୪୪୬୭୮

ashoksamaja@gmail.com

Read More
Previous PostOlder Posts Home
ଏହି ବ୍ଲଗର ସମସ୍ତ ସାମଗ୍ରୀ ଲେଖକଙ୍କ ସର୍ବସ୍ବତ୍ତ୍ବ ସଂରକ୍ଷିତ. Powered by Blogger.