ଲୋକ୍ତନ୍ତ୍ର ବଚାଓ, ନୋଟା କା ବଟନ ଦବାଓ (ଗଣତନ୍ତ୍ର ବଞ୍ଚାଅ, ନୋଟା ବଟନ ଦବାଅ)।
ଚଳିତ ଲୋକସଭା ନିର୍ବାଚନରେ ମଧ୍ୟପ୍ରଦେଶର ଇନ୍ଦୋରରେ ଏ ଧ୍ବନି ଖୁବ୍ ଶୁଣିବାକୁ ମିଳିଥିଲା; ମତଦାନ ଯନ୍ତ୍ର(ଇଭିଏମ୍)ରେ ରହିଥିବା ‘ନୋଟା’ ବା ‘ନନ୍ ଅଫ୍ ଦି ଏବୋଭ୍’ (ଉପରୋକ୍ତ ପ୍ରାର୍ଥୀଙ୍କ ମଧ୍ୟରୁ କେହି ନୁହନ୍ତି) ହଠାତ୍ ସେଇଠି ସ୍ଥାନୀୟ କଂଗ୍ରେସ ଲାଗି ଗୁରୁତ୍ବପୂର୍ଣ୍ଣ ପାଲଟିଥିଲା। ଏହାର କାରଣ କଂଗ୍ରେସର ଲୋକସଭା ପ୍ରାର୍ଥୀ ଜଣକ ନାମାଙ୍କନ ପତ୍ର ପ୍ରତ୍ୟାହାର ସହ ବିଜେପିରେ ଯୋଗ ଦେଇ ଦଳକୁ ‘ଧୋକା’ ଦେଇଥିଲେ। ୨୦୧୩ ସେପ୍ଟେମ୍ବରରେ ସର୍ବୋଚ୍ଚ ନ୍ୟାୟାଳୟ ‘ପିୟୁସିଏଲ୍ ବନାମ ୟୁନିଅନ ଅଫ୍ ଇଣ୍ଡିଆ’ ମାମଲାର ରାୟ ଶୁଣାଇ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଇଭିଏମ୍ରେ ନୋଟା ବଟନ ସଂଯୋଗ କରିବାକୁ ନିର୍ବାଚନ ଆୟୋଗକୁ ନିର୍ଦେଶ ଦେଇଥିଲେ। ଏହା ପରଠୁ ନୋଟାକୁ ନେଇ ବିଭିନ୍ନ ସ୍ତରରେ ସଚେତନତା ଉଦ୍ୟମ ହୋଇଛି ସତ୍ୟ; କିନ୍ତୁ ସମ୍ଭବତଃ ପ୍ରଥମ ଥରପାଇଁ କୌଣସି ରାଜନୈତିକ ଦଳ ‘ନୋଟା’ ସପକ୍ଷରେ ପ୍ରଚାର କରିଛି। ତେବେ ନୋଟାକୁ ଭୋଟ ଦେବାଦ୍ବାରା ଗଣତନ୍ତ୍ର କିଭଳି ବଞ୍ଚିବ ତାହା ଅବଶ୍ୟ ସବୁଠୁ ବଡ଼ ପ୍ରଶ୍ନ। କଂଗ୍ରେସକୁ କେବଳ ଇନ୍ଦୋର ନୁହେଁ, ଏହା ପୂର୍ବରୁ ଗୁଜରାଟର ସୁରତ ଲୋକସଭା ଆସନରେ ମଧ୍ୟ ବଡ଼ ଧକ୍କା ଲାଗିଥିଲା, ଯାହା ଭାରତୀୟ ଗଣତନ୍ତ୍ର ଓ ସଂସଦୀୟ ନିର୍ବାଚନର ଦୁର୍ବଳତାକୁ ମଧ୍ୟ ପଦାରେ ପକାଇ ଦେଇଛି। ସେଇଠି ମତଦାନ ପୂର୍ବରୁ ହିଁ ବିଜେପି ପ୍ରାର୍ଥୀଙ୍କୁ ବିଜୟୀ ଘୋଷଣା କରିଦିଆଯାଇଛି; କାହିଁକି ନା କଂଗ୍ରେସର ମୁଖ୍ୟ ଓ ବିକଳ୍ପ ପ୍ରାର୍ଥୀ ଉଭୟଙ୍କର ନାମାଙ୍କନ ପତ୍ର ଖାରଜ ହୋଇଯାଇଥିଲା ଏବଂ ଅନ୍ୟ ସମସ୍ତ ପ୍ରାର୍ଥୀ ନିର୍ବାଚନ ମଇଦାନରୁ ଓହରି ଯାଇଥିଲେ। ତେବେ ବିନା ପ୍ରତିଦ୍ବନ୍ଦ୍ବିତା ଅର୍ଥାତ୍ ମତଦାତାଙ୍କ ସ୍ବୀକୃତି (ହଉପଛେ ଅଳ୍ପ) ବିନା ଜଣେ କିଭଳି ସେମାନଙ୍କର ପ୍ରତିନିଧି ହୋଇପାରିବ, ତା’ର ଉତ୍ତର କିଏ ଦେବ?
ମତଦାତାଙ୍କ ପାଇଁ ଏ ଦୁର୍ଭାଗ୍ୟଜନକ ଓ ବିଡ଼ମ୍ବିତ ସ୍ଥିତି ଆଦୌ ଉତ୍ପନ୍ନ ହୋଇ ନଥା’ନ୍ତା, ଯଦି ନୋଟାକୁ ସମୁଚିତ ସ୍ବୀକୃତି ଦିଆଯାଇ ଥାଆନ୍ତା। ଏହା ନିଃସନ୍ଦେହ ଯେ ଯଦି ନୋଟାକୁ ଜଣେ କାଳ୍ପନିକ ପ୍ରାର୍ଥୀ ଭାବେ ବିଚାର କରାଯାଆନ୍ତା, ତେବେ ଆଉ କୌଣସି ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା ବିନା ଲୋକଙ୍କ ପ୍ରତିନିଧି ହୋଇପାରନ୍ତେ ନାହିଁ କି ଜନତାଙ୍କ ଉପରେ ଜଣକୁ ଲୋକ ପ୍ରତିନିଧି କରି ଲଦି ଦିଆଯାଇ ପାରନ୍ତା ନାହିଁ। ଉଲ୍ଲେଖଯୋଗ୍ୟ, ଭାରତର ନିର୍ବାଚନ ଇତିହାସରେ ଲୋକସଭା ସଦସ୍ୟ ଅପ୍ରତିଦ୍ବନ୍ଦ୍ବୀ ନିର୍ବାଚିତ ହେବାର ଏହା ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ୩୫ ଜଣ ଲୋକସଭା ପ୍ରାର୍ଥୀ ଅପ୍ରତିଦ୍ବନ୍ଦ୍ବୀ ନିର୍ବାଚିତ ହୋଇଛନ୍ତି ସତ୍ୟ; କିନ୍ତୁ ସେମାନେ ସମସ୍ତେ ନିର୍ବାଚନ ମଇଦାନକୁ ‘ନୋଟା’ ଆସିବା ପୂର୍ବର, ଏହା ଭୁଲିଗଲେ ଚଳିବ ନାହିଁ। ପ୍ରଖ୍ୟାତ ବକ୍ତା ତଥା ଲେଖକ ଶିବ ଖେଡ଼ାଙ୍କ ତରଫରୁ ତାଙ୍କ ଆଇନଜୀବୀ ଏହାକୁ ଆଧାର କରି ଯୁକ୍ତି ଉପସ୍ଥାପନ କରିବା ପରେ ଭାରତର ସର୍ବୋଚ୍ଚ ନ୍ୟାୟାଳୟ ଯଥାର୍ଥତଃ ଏ ବିଷୟକ ‘ଜନସ୍ବାର୍ଥ ମାମଲା’କୁ ବିଚାର ନିମନ୍ତେ ଗ୍ରହଣ କରିବା ପ୍ରଣିଧାନଯୋଗ୍ୟ।
ନୋଟାକୁ କାଳ୍ପନିକ ପ୍ରାର୍ଥୀର ମାନ୍ୟତା
ଶ୍ରୀ ଖେଡ଼ା ମୁଖ୍ୟତଃ ନୋଟାକୁ ଏକ ‘କାଳ୍ପନିକ ପ୍ରାର୍ଥୀ’ ଭାବେ ମାନ୍ୟତା ଦେଇ ତା’ର ପ୍ରଚାରପ୍ରସାର କରିବା, ଯେଉଁ ସଂସଦୀୟ ଆସନରେ ନୋଟା ସଂଖ୍ୟାଗରିଷ୍ଠ ଭୋଟ ପାଇବ ସେଇଠି ପୁନଃ ମତଦାନ କରାଯିବା, ନୋଟାରୁ କମ୍ ଭୋଟ ପାଇଥିବା ପ୍ରାର୍ଥୀମାନଙ୍କୁ ପରବର୍ତ୍ତୀ ପାଞ୍ଚ ବର୍ଷ ମଧ୍ୟରେ କୌଣସି ନିର୍ବାଚନ ଲଢ଼ିବାକୁ ନଦେବା ପାଇଁ ନିୟମ ପ୍ରଣୟନ କରିବାକୁ ନିର୍ଦେଶ ଦେବା ନିମନ୍ତେ ସର୍ବୋଚ୍ଚ ନ୍ୟାୟାଳୟରେ ନିବେଦନ କରିଛନ୍ତି। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ ପୀଠ ସୁରତ ଘଟଣାକୁ ହୃଦ୍ବୋଧ କରି ଏ ସମ୍ପର୍କରେ ନିର୍ବାଚନ ଆୟୋଗଙ୍କଠାରୁ ଉତ୍ତର ଲୋଡ଼ିଛନ୍ତି। ଏହା ଏଇଥିପାଇଁ ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ ଯେ ପୂର୍ବରୁ ମହାରାଷ୍ଟ୍ର, ହରିୟାଣା, ଦିଲ୍ଲୀ ଓ ପୁଡୁଚେରୀରେ ରାଜ୍ୟ ନିର୍ବାଚନ ଆୟୋଗ ନୋଟାକୁ ସର୍ବାଧିକ ଭୋଟ ମିଳିଲେ ପୁନଃନିର୍ବାଚନ କରାଯିବ ବୋଲି ନିୟମ ପ୍ରଣୟନ କରିଛନ୍ତି। ତେଣୁ ଲୋକସଭା ଓ ସମସ୍ତ ରାଜ୍ୟ ବିଧାନସଭା ନିର୍ବାଚନରେ ଅନୁରୂପ ନିୟମ ପ୍ରଣୟନ କରାଯାଇପାରେ। ଅବଶ୍ୟ ନୋଟାକୁ ଜଣେ ପ୍ରାର୍ଥୀର ମାନ୍ୟତା ପ୍ରଦାନ କରିବାକୁ ହେଲେ କେବଳ ନ୍ୟାୟାଳୟର ନିର୍ଦେଶ ଯଥେଷ୍ଟ ହେବନାହିଁ। ଏଥିପାଇଁ ସଂସଦରେ ‘ରିପ୍ରେଜେଣ୍ଟେସନ ଅଫ୍ ଦି ପିପୁଲ୍ସ ଆକ୍ଟ ୧୯୫୧’ରେ ସଂଶୋଧନ ଆଣିବାକୁ ହେବ। ସରକାର, ଅର୍ଥାତ୍ ସତ୍ତାସୀନ ଦଳ ସମେତ ଅନ୍ୟାନ୍ୟ ରାଜନୈତିକ ଦଳ କ’ଣ ଏହା ହେବାକୁ ଦେବେ? ଏଥିରେ ଆମର ଘୋର ସନ୍ଦେହ ରହିଚି; କାହିଁକି ନା କେତେକ ବ୍ୟତିକ୍ରମକୁ ଛାଡ଼ିଦେଲେ କୌଣସି ରାଜନୈତିକ ଦଳ ବା ରାଜନେତା ନୋଟା ସପକ୍ଷରେ କେବେ ନଥିଲେ କି ଏବେ ବି ନାହାନ୍ତି। ଏପରି କରିବା ପଛରେ ରହିଚି ରାଜନୈତିକ ଦଳର ନ୍ୟସ୍ତସ୍ବାର୍ଥ, ହୀନମନ୍ୟତା ଓ କ୍ଷମତା ହରାଇବାର ଭୟ। ସେ ଯାହାହେଉ, ଯଦି ଆମେ ସୁରତ ଓ ଇନ୍ଦୋର ପରିସ୍ଥିତିରେ କାଳ୍ପନିକ ନୋଟା ପ୍ରାର୍ଥୀକୁ ରଖି ବିଚାର କରିବା, ତେବେ ନୋଟାର ଶକ୍ତିକୁ ଆକଳନ କରିବା ଆଦୌ କଷ୍ଟକର ହେବନାହିଁ।
କାଗଜବାଘ ବି ବେଳେବେଳେ ଡରାଏ
ଭାରତ ବିଶ୍ବର ଚତୁର୍ଦ୍ଦଶ ରାଷ୍ଟ୍ର ଭାବେ ନୋଟା ଭଳି ବ୍ୟବସ୍ଥାକୁ ତା’ର ନିର୍ବାଚନରେ ସ୍ଥାନିତ କରିଥିଲା। ଏହାର ମୁଖ୍ୟ ଉଦ୍ଦେଶ୍ୟ ମଧ୍ୟ ପ୍ରତିଫଳିତ ହୋଇଥିଲା ସର୍ବୋଚ୍ଚ ନ୍ୟାୟାଳୟଙ୍କ ପିୟୁସିଏଲ୍ ରାୟରେ। ଦେଶରେ ସୁଶାସନ ପାଇଁ ନୀତିନିଷ୍ଠ ଓ ଉଚ୍ଚ ନୈତିକ ମୂଲ୍ୟବୋଧସଂପନ୍ନ ବ୍ୟକ୍ତି ଜନ ପ୍ରତିନିଧି ମନୋନୀତ ହେବା ଚାହି ଏବଂ ନୋଟା ଉତ୍ତମ ପ୍ରାର୍ଥୀ ମନୋନୟନ କରିବାରେ ରାଜନୈତିକ ଦଳଙ୍କୁ ବାଧ୍ୟ କରିବ ବୋଲି ଅଦାଲତ ଆଶା ପ୍ରକାଶ କରିଥିଲେ। ଆମର ଦୁର୍ଭାଗ୍ୟ ଯେ ରାଜନୈତିକ ଦଳଗୁଡ଼ିକ ସେପରି ହେବାକୁ ଦେଇନାହାନ୍ତି ଏବଂ ଆମ ସଂସଦ ଓ ବିଧାନସଭାଗୁଡ଼ିକୁ କଳଙ୍କିତ ଚରିତ୍ରର ବ୍ୟକ୍ତି ନିର୍ବାଚିତ ହୋଇ ଆମ ପ୍ରତିନିଧି ହୋଇ କ୍ଷମତା ଉପଭୋଗ କରୁଛନ୍ତି। ଗତ ପାଞ୍ଚ ବର୍ଷ ମଧ୍ୟରେ ଅନୁଷ୍ଠିତ ରାଜ୍ୟ ବିଧାନସଭା ନିର୍ବାଚନ ଓ ଲୋକସଭା ନିର୍ବାଚନରେ ନୋଟା ୧ କୋଟି ୨୯ ଲକ୍ଷରୁ ଅଧିକ ଭୋଟ ପାଇଛି; ଅଥଚ ଆପରାଧିକ ମୋକଦ୍ଦମା ରହିଥିବା ପ୍ରାର୍ଥୀଙ୍କ ସଂଖ୍ୟା ନିର୍ବାଚନରେ ବଢ଼ିବଢ଼ି ଚାଲିଛି। ଆସୋସିଏସନ ଫର୍ ଡେମୋକ୍ରେଟିକ୍ ରିଫର୍ମସ୍ (ଏଡିଆର୍)ର ଏକ ରିପୋର୍ଟ ଅନୁସାରେ, ୨୦୦୯ ଲୋକସଭା ନିର୍ବାଚନରେ ୫୪୩ ବିଜୟୀ ପ୍ରାର୍ଥୀଙ୍କ ମଧ୍ୟରୁ ୧୬୨ ଜଣ (୩୦ ଶତାଂଶ) ନିଜ ବିରୋଧରେ ଆପରାଧିକ ମାମଲା (୭୬ ଜଣ ଗୁରୁତର ଅପରାଧରେ ସଂଶ୍ଳିଷ୍ଟ) ରହିଥିବା ସତ୍ୟପାଠରେ ଉଲ୍ଲେଖ କରିଥିବାବେଳେ ୨୦୧୯ ନିର୍ବାଚନରେ ଏ ସଂଖ୍ୟା ୪୩ ଶତାଂଶରେ ପହଞ୍ଚିଥିଲା; ଅର୍ଥାତ୍ ନୋଟା ଆସିବା ପରେ ମଧ୍ୟ ରାଜନୈତିକ ଦଳଗୁଡ଼ିକ ପାଇଁ କିଛି ଫରକ୍ ପଡ଼ିନାହିଁ। ଏହାର କାରଣ, ନୋଟା ଭୋଟ ଗଣତି ହୁଏ ସତ୍ୟ; କିନ୍ତୁ ତାହା ନିର୍ବାଚନ ଫଳକୁ ପ୍ରଭାବିତ କରିପାରେ ନାହିଁ; କାହିଁକି ନା ନୋଟା ଭୋଟ ସଂଖ୍ୟାଗରିଷ୍ଠ ହୋଇଥିଲେ ସୁଦ୍ଧା ଅନ୍ୟ ପ୍ରାର୍ଥୀ ଯଦି ଗୋଟିଏ ଭୋଟ ବି ପାଇଥିବ, ତେବେ ସେ ବିଜୟୀ ଘୋଷିତ ହେବ। ନୋଟା ସେଇଥିପାଇଁ ‘କାଗଜବାଘ’ର ଆଖ୍ୟା ପାଇଛି; କିନ୍ତୁ ତା’ର ଯଦି ନଖଦନ୍ତ ଥାଆନ୍ତା, ତେବେ ରାଜନୈତିକ ଦଳଗୁଡ଼ିକ ତାକୁ ହେୟ ମଣି ଆପରାଧିକ ପ୍ରବୃତ୍ତିର ବ୍ୟକ୍ତିଙ୍କୁ ଟିକଟ ଦେବାର ଦୁଃସାହସ ନିଶ୍ଚୟ କରନ୍ତେ ନାହିଁ! ଏହା ଏଇଥିପାଇଁ କହିହେବ ଯେ ବିଗତ ଏକ ଦଶନ୍ଧି ମଧ୍ୟରେ ନୋଟା କେତେକ ଅଦ୍ଭୁତ କୀର୍ତ୍ତି ମଧ୍ୟ ସ୍ଥାପନ କରିସାରିଚି। ନୋଟା ଏ ପର୍ଯ୍ୟନ୍ତ ସଂଖ୍ୟାଗରିଷ୍ଠ ଭୋଟ ପାଇନାହିଁ ସତ; କିନ୍ତୁ ଦୁଇଟି ଲୋକସଭା ଓ ଅନେକ ବିଧାନସଭା ନିର୍ବାଚନରେ ଏହା ତୃତୀୟ, ଏପରି କି ଦ୍ବିତୀୟ ସ୍ଥାନ ହାସଲ କରିଛି। କେତେକ ଦୃଷ୍ଟାନ୍ତ: ୧) ୨୦୧୪ ଲୋକସଭା ନିର୍ବାଚନରେ ଟୁଜି ଦୁର୍ନୀତି ଅଭିଯୁକ୍ତ ସାଂସଦ ଏ ରାଜା (ଡିଏମ୍କେ ପ୍ରାର୍ଥୀ) ଏଆଇଡିଏମ୍କେ ପ୍ରାର୍ଥୀଙ୍କଠାରୁ ପରାଜିତ ହୋଇଥିଲେ, ଯେଉଁଠି ନୋଟା ତୃତୀୟ ସ୍ଥାନରେ ରହିଥିଲା। ସମ୍ଭବତଃ ଦୁର୍ନୀତିଗ୍ରସ୍ତ ପ୍ରାର୍ଥୀ ଥିବାରୁ ଜନସାଧାରଣ ନୋଟାକୁ ଅଧିକ ଭୋଟ ଦେଇଥିଲେ। (୨) ୨୦୧୭ ଗୁଜରାଟ ବିଧାନସଭା ନିର୍ବାଚନରେ ୧୧୮ ନିର୍ବାଚନ ମଣ୍ଡଳୀରେ ନୋଟା ବିଜେପି ଓ କଂଗ୍ରେସ ପରେ ତୃତୀୟ ସର୍ବାଧିକ ଭୋଟ ପାଇଥିଲା। (୩) ୨୦୧୮ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ନୋଟା ସିପିଆଇ(ଏମ୍) ଓ ବିଏସ୍ପି ଭଳି ଜାତୀୟ ଦଳଠାରୁ ଅଧିକ ଭୋଟ ପାଇଥିଲା। (୪) ୨୦୧୮ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପି ଓ କଂଗ୍ରେସର ଭୋଟଭାଗ ମଧ୍ୟରେ ବ୍ୟବଧାନ ମାତ୍ର ୦.୧% ଥିବାବେଳେ ନୋଟାର ଭୋଟଭାଗ ଥିଲା ୧.୪%। (୫) ୨୦୧୮ ପରେ ଅନୁଷ୍ଠିତ ରାଜ୍ୟ ବିଧାନସଭା ନିର୍ବାଚନଗୁଡ଼ିକରେ ‘ରେଡ଼ ଆଲର୍ଟ ଆସନ’(ଯେଉଁ ଆସନଗୁଡ଼ିକରେ ତିନି ବା ତଦୂର୍ଦ୍ଧ୍ବ ଆପରାଧିକ ମୋକଦ୍ଦମା ଥିବା ପ୍ରାର୍ଥୀ ନିର୍ବାଚନ ଲଢ଼ୁଥିଲେ)ରେ ନୋଟା ୨୬ ଲକ୍ଷ ୭୭ ହଜାରରୁ ଅଧିକ ଭୋଟ ପାଇଛି। (୬) ମହାରାଷ୍ଟ୍ରର ଲାଟୁର ରୁରାଲ୍ ନିର୍ବାଚନମଣ୍ଡଳୀ (ଅନୁସୂଚିତ ଜାତି ପାଇଁ ସଂରକ୍ଷିତ)ରେ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଥିଲେ ହେଁ ନୋଟା ୧୩%ରୁ ଅଧିକ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ରହିଥିଲା।
ନୋଟା ହୋଇପାରିବ ନିର୍ବାଚନ ସଂସ୍କାରକ
ଉପରୋକ୍ତ କେତେକ ଉଦାହରଣରୁ ସ୍ପଷ୍ଟ ଯେ ନୋଟା କେବଳ ଭୋଟରଙ୍କ ଅସନ୍ତୋଷ ପ୍ରକାଶର ମାଧ୍ୟମ ନୁହେଁ, ବରଂ ନିର୍ବାଚନ ସଂସ୍କାରକ ମଧ୍ୟ ହୋଇପାରିବ, ଯଦି ତାକୁ ଅଧିକ କ୍ଷମତାପନ୍ନ କରାଯାଏ। ମନେରହୁ ଯେ, ନୋଟାକୁ କ୍ଷମତା ଦେବା ଅର୍ଥ ମତଦାତାଙ୍କୁ କ୍ଷମତାଶାଳୀ କରିବା। ଏଥିପାଇଁ କେତୋଟି ପ୍ରସ୍ତାବ: (କ) ଯେଉଁ ନିର୍ବାଚନମଣ୍ଡଳୀରେ ନୋଟା ସଂଖ୍ୟାଗରିଷ୍ଠ ଭୋଟ ପାଇବ, ସେଇଠି ନୂଆ ପ୍ରାର୍ଥୀମାନଙ୍କୁ ନେଇ ପୁନଃନିର୍ବାଚନ କରାଯାଉ। (ଖ) ଯେଉଁଠି ବିଜୟୀ ଭୋଟ ବ୍ୟବଧାନ ନୋଟାଠୁ କମ୍ ହୋଇଥିବ, ସେଠାରେ ମଧ୍ୟ ପୁନଃନିର୍ବାଚନ ହେଉ। (ଗ) ଯେଉଁ ରାଜନୈତିକ ଦଳଗୁଡ଼ିକ ନୋଟାଠୁ କମ୍ ଭୋଟ ପାଇଛନ୍ତି, ସେମାନେ ଉକ୍ତ ପୁନଃନିର୍ବାଚନର ସମସ୍ତ ଖର୍ଚ୍ଚ ତୁଲାଇବେ। (ଘ) ଯେଉଁ ପ୍ରାର୍ଥୀମାନେ ନୋଟାଠୁ ହାରିଥିବେ, ସେମାନଙ୍କୁ ଅନ୍ତତଃ ୫/୬ ବର୍ଷ ପର୍ଯ୍ୟନ୍ତ କୌଣସି ନିର୍ବାଚନରେ ଭାଗ ନେଇ ନପାରିବାର ବ୍ୟବସ୍ଥା କରାଯାଉ କିମ୍ବା ସେମାନଙ୍କୁ ନିର୍ବାଚନ ଲଢ଼ିବାକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଉ।
ଏହା କାର୍ଯ୍ୟକାରୀ ହେଲେ ମତଦାତାଙ୍କୁ ‘ପ୍ରତ୍ୟାଖ୍ୟାନ କରିବାର ଅଧିକାର’ (ରାଇଟ୍ ଟୁ ରିଜେକ୍ଟ) ଆପେଆପେ ମିଳିବା ଆରମ୍ଭ ହୋଇଯିବ ଏବଂ ରାଜନୈତିକ-ନିର୍ବାଚନିକ ଦୁର୍ନୀତି କମିବା ଆଶା କରାଯାଇପାରେ। ନୋଟା ସମ୍ପର୍କିତ ରାୟ ଦେବାବେଳେ ତତ୍କାଳୀନ ଭାରତର ପ୍ରଧାନ ବିଚାରପତି ପାଲାନିସାମି ସଦାଶିବମ୍ ଯାହା କହିଥିଲେ, ତାହା ପ୍ରଣିଧାନଯୋଗ୍ୟ: ‘‘ଗଣତନ୍ତ୍ରରେ ଭୋଟରଙ୍କ ଗୋପନୀୟତାର ଅଧିକାରକୁ ସୁରକ୍ଷିତ ରଖି କୌଣସି ପ୍ରାର୍ଥୀଙ୍କୁ ପ୍ରତ୍ୟାଖ୍ୟାନ କରିବାର ଅଧିକାର ପ୍ରଦାନ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଏଭଳି ବିକଳ୍ପ ଭୋଟରଙ୍କୁ ରାଜନୈତିକ ଦଳଗୁଡ଼ିକର ପ୍ରାର୍ଥୀ ମନୋନୟନ ନେଇ ଅସନ୍ତୋଷ ପ୍ରକାଶ କରିବାର ଅଧିକାର ଦେଇଥାଏ। କ୍ରମଶଃ ଏଥିରେ ବ୍ୟବସ୍ଥାଗତ ପରିବର୍ତ୍ତନ ଆସିବ ଏବଂ ଦଳଗୁଡ଼ିକ ଲୋକଙ୍କ ଇଚ୍ଛାକୁ ଗ୍ରହଣ କରି ନିଜର ସଚ୍ଚୋଟତା ପାଇଁ ଜଣାଶୁଣା ବ୍ୟକ୍ତିଙ୍କୁ ପ୍ରାର୍ଥୀ କରିବାକୁ ବାଧ୍ୟ ହେବେ।’’ ନୋଟାକୁ କ୍ଷମତାପନ୍ନ କରି ବ୍ୟବସ୍ଥାଗତ ପରିବର୍ତ୍ତନ ଆଣିବାର ସେହି ସମୟ ଉପଗତ।
(‘ସମାଜ’ରେ ୩୧.୫.୨୦୨୪ରେ ପ୍ରକାଶିତ)
Very nice article Ashok Babu, thnx
ReplyDelete