Showing posts with label ଆପ୍‌. Show all posts
Showing posts with label ଆପ୍‌. Show all posts

ମହନ୍ତ ବନାମ ‘ମଫ୍‌ଲର୍‌ ମ୍ୟାନ୍‌’

2 comments


‘‘ଶୁଣ କେଜରିୱାଲ୍,

ଯେତେବେଳେ ସମଗ୍ର ମାନବ ସମାଜ କରୋନା ପୀଡ଼ାରେ ଛଟପଟ ହେଉଥିଲା, ସେହି ସମୟରେ ଆପଣ ୟୁପିର ଶ୍ରମଜୀବୀମାନଙ୍କୁ ଦିଲ୍ଲୀ ଛାଡ଼ିବାକୁ ବିବଶ କରିଦେଇଥିଲେ। ଛୋଟ ପିଲା ଓ ମହିଳାଙ୍କୁ ଅର୍ଦ୍ଧରାତ୍ରିରେ ୟୁପି ସୀମାରେ ଅସହାୟ ଭାବେ ଛାଡ଼ିଦେବା ଭଳି ଅଗଣତାନ୍ତ୍ରିକ ଓ ଅମାନବୀୟ କାର୍ଯ୍ୟ ଆପଣଙ୍କ ସରକାର କଲା। ଆପଣଙ୍କୁ ମାନବଦ୍ରୋହୀ କହିବା ନା....’’


ଇଏ ଥିଲା ୭ ଫେବୃଆରୀ ରାତିରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଟୁଇଟ୍‌ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍‌ଙ୍କ ଉଦ୍ଦେଶ୍ୟରେ। ଏହାର ଅଧଘଣ୍ଟା ଭିତରେ ହିଁ ଶ୍ରୀ କେଜରିୱାଲ୍‌ ଜବାବ ଦେଲେ: 

‘‘ଶୁଣ ଯୋଗୀ,

ଆପଣ କିଛି ନ କହିଲେ ହିଁ ଭଲ। ଯେଉଁଭଳି ୟୁପିର ଲୋକଙ୍କ ଶବ ନଦୀରେ ବୋହିଯାଉଥିଲା ଓ ଆପଣ କୋଟିକୋଟି ଟଙ୍କା ଖର୍ଚ କରି ଟାଇମ୍ ପତ୍ରିକାରେ ନିଜର ମିଥ୍ୟା ପ୍ରଶଂସାର ବିଜ୍ଞାପନ ଦେଇଚାଲିଥିଲେ, ଆପଣଙ୍କ ପରି ନିର୍ଦୟୀ ଓ କ୍ରୂର ଶାସକ ମୁଁ ଦେଖିନାହିଁ।’’


ଦୁଇଟି ରାଜ୍ୟର ସର୍ବୋଚ୍ଚ ଶାସକଙ୍କ ଏପରି ରାଜନୈତିକ ଅଶିଷ୍ଟ ସମ୍ବୋଧନକୁ ଆମେ ସହଜରେ ଗ୍ରହଣ କରିନେଲୁ; କାହିଁକିନା ଆାମେ ଧରିନେଇଚୁ ଯେ ଏହା ସାମ୍ପ୍ରତିକ ରାଜନୀତିର ‘ନିଉ ନର୍ମାଲ୍‌’ ବା ନୂଆ ସ୍ବାଭାବିକତା। କୌଣସି ଦେଶର ରାଜନୈତିକ ଭାଷା ଯେ ସେ ଦେଶର ଲୋକତାନ୍ତ୍ରିକ ଶିଷ୍ଟତା ତଥା ସବଳତାର ପରିଚାୟକ, ତାହା ଆମେ କେବେଠୁ ପାସୋରି ସାରିଛୁ। ତେବେ ଏ ‘ମାନବଦ୍ରୋହୀ’ ଏବଂ ‘କ୍ରୂର’ ଶାସକଦ୍ବୟ ଯେ ଏଇନା ଭାରତୀୟ ରାଜନୈତିକ ଆକାଶର ଦୁଇ ଉଜ୍ବଳ ଜ୍ୟୋତିଷ୍କ ଭାବେ ଉଭା ହୋଇଛନ୍ତି, ବିଶେଷତଃ ସଦ୍ୟସମାପ୍ତ ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ପରେ, ତାହା କହିବା ଆଦୌ ଅତିଶୟୋକ୍ତି ନୁହେଁ। ଏପରି କାହିଁକି ହେଲା? 


ଅଜୟ ମୋହନ ସିଂହ ବିଷ୍ଟ୍‌ ଓରଫ୍‌ ଯୋଗୀ ଆଦିତ୍ୟନାଥ ଓ ଅରବିନ୍ଦ କେଜରିୱାଲ- ଭାରତୀୟ ରାଜନୀତିର ଏହି ଉଦୀୟମାନ ତାରକାଙ୍କ ଅବସ୍ଥାନ ଏଇନା ବିପରୀତ ମେରୁରେ। ଉଭୟ ନରେନ୍ଦ୍ର ମୋଦୀଙ୍କ ପରି କଠୋର ପରିଶ୍ରମୀ, ରାଜ୍ୟ/ରାଷ୍ଟ୍ର ପାଇଁ ଉତ୍ସର୍ଗୀକୃତ ଜାତୀୟତାବାଦୀ, ଦୃଢ଼ମନା ଭାବେ ନିଜର ଏକ ଭାବମୂର୍ତ୍ତି ପ୍ରତିଷ୍ଠା କରିବାରେ ପ୍ରୟାସୀ ଏବଂ ସଫଳ। ଏହି ଗୋଟିଏ ସାମଞ୍ଜସ୍ୟ ବ୍ୟତୀତ ୟାଙ୍କ ଭିତରେ ବୈଚାରିକ ପାର୍ଥକ୍ୟ ଏତେ ଯେ ଉଭୟଙ୍କର ତୁଳନା ମନେହେବ ଅତି ଅସଂଗତ ଓ ଅବାସ୍ତବ; କିନ୍ତୁ ଉଭୟଙ୍କୁ ଗୋଟିଏ ନିକିତିରେ ଓଜନ କରିବା ପାଇଁ ଆମେ ବାଧ୍ୟ, କାହିଁକିନା ଏଇ ଦୁଇଜଣ ହିଁ ମନେହେଉଚନ୍ତି ଆଗାମୀ ଭାରତବର୍ଷର ପ୍ରମୁଖ ପ୍ରତିଦ୍ବନ୍ଦ୍ବୀ ନେତୃତ୍ବ। ଜଣେ ଗୈରିକ ବସନ ପିନ୍ଧା ମଠ ମହନ୍ତରୁ ରାଜନେତା ଓ ଅନ୍ୟଜଣେ ଆଇଆଇଟି ଶିକ୍ଷାପ୍ରାପ୍ତ ଇଂଜିନିୟର୍‌-ସମାଜକର୍ମୀରୁ ‘ମଫ୍‌ଲର୍‌ ମ୍ୟାନ୍‌’ ରାଜନେତା। ଉଭୟଙ୍କର ରାଜନୀତି ସହିତ ପ୍ରତ୍ୟକ୍ଷ ସମ୍ବନ୍ଧ ସ୍ବାଭାବିକ ଭାବେ ଖୁବ୍‌ କମ୍‌ ରହିବା କଥା। ଶ୍ରୀ କେଜରିୱାଲଙ୍କ କ୍ଷେତ୍ରରେ ଅନେକ ଦିନ ଧରି ରାଜନୀତି ଦୂରରେ ରହିଥିଲା ଏବଂ ସେ ରାଜନୀତିକୁ ଆସିବା ପରେ ଏପରି କାର୍ଯ୍ୟ କରିଆସୁଥିଲେ, ଯାହାକୁ ଅରାଜନୈତିକ, ଏପରିକି ରାଜନୀତିବିରୋଧୀ ବୋଲି ମଧ୍ୟ କୁହାଯାଇପାରିବ। ମୂଳତଃ ଦୁର୍ନୀତି ବିରୋଧୀ ଆନ୍ଦୋଳନରୁ ତାଙ୍କ ରାଜନୀତିର ଜନ୍ମ। ୨୦୧୨ ମସିହାରେ ଭାରତୀୟ ରାଜନୀତିରେ ଦୁଇଟି ବିପରୀତ ରାଜନୈତିକ ଅବଧାରଣାର ଅଭ୍ୟୁଦୟ ଘଟିଥିଲା ନରେନ୍ଦ୍ର ମୋଦୀ ଓ ଅରବିନ୍ଦ କେଜରିୱାଲଙ୍କ ରୂପରେ। ଶ୍ରୀ ମୋଦୀ ଗୁଜରାଟରେ କ୍ରମାଗତ ତୃତୀୟ ଥର ମୁଖ୍ୟମନ୍ତ୍ରିତ୍ବ ହାସଲ କରିବା ପରେ ୨୦୧୪ରେ ବିଜେପିର ପ୍ରଧାନମନ୍ତ୍ରୀ ପଦର ପ୍ରାର୍ଥୀ ମନୋନୀତ ହେବା ଭାରତୀୟ  ରାଜନୈତିକ ଇତିହାସର ଏକ ଗୁରୁତ୍ବପୂର୍ଣ୍ଣ ମୋଡ଼ ଥିଲା। ତାଙ୍କ ସ୍ଥାନରେ ଯଦି ଆଉ କେହି ମନୋନୀତ ହୋଇଥା’ନ୍ତା, ଭାରତର ନିକଟ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ନିଶ୍ଚୟ ଭିନ୍ନ ହୋଇଥାନ୍ତା। ଭାରତ ପ୍ରଥମ ଥର ପାଇଁ ଦେଖିଲା ଏପରି ଜଣେ ପ୍ରକାଣ୍ଡ ରାଜନୈତିକ ବ୍ୟକ୍ତିତ୍ବକୁ, ଯିଏ ଜାତୀୟ ରାଜନୀତିରୁ ଦୂରରେ ରହିଥିବା ସତ୍ତ୍ବେ ପ୍ରଥମ ଥର ପାଇଁ ବଂଶବାଦ ରାଜନୀତିରୁ ନ ଆସି ଜନମନରେ ନିଜକୁ ସର୍ବଶକ୍ତିମାନ ବୋଲି ବିଶ୍ବାସ ଜନ୍ମାଇବାରେ ସଫଳ ହେଲା। ୨୦୧୭ ହେଉ କି ୨୦୨୨, ଉତ୍ତରପ୍ରଦେଶ ନିର୍ବାଚନରେ ମୋଦୀ ଯେ ଏକ ଅପ୍ରତିହତ ଶକ୍ତି, ତାହା ଯେ କେହି ସ୍ବୀକାର କରିବାକୁ ବାଧ୍ୟ। ତେବେ ଏ ସଫଳତାରେ ଯୋଗୀ ଆଦିତ୍ୟନାଥଙ୍କ ଭାଗ କେତେ, ତାହା ନିଶ୍ଚୟ ଏକ ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନ। 


ଯୋଗୀଙ୍କ ଜନ୍ମ ହୋଇଥିଲା ଏକ ସାଧାରଣ ଠାକୁର ପରିବାରରେ, ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲା ମସାଲଗାଓଁ ନାମକ ଗାଁରେ। ୧୯୯୨ରେ ସେ ବିଜ୍ଞାନରେ ସ୍ନାତକୋତ୍ତର ଶିକ୍ଷା ଗ୍ରହଣବେଳେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)ର ଛାତ୍ର ସଂଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ର ସଦସ୍ୟ ହେବା ସହ ଛାତ୍ରସଂସଦର ସଚିବ ପଦ ପାଇଁ ନିର୍ବାଚନ ଲଢ଼ିବା ଥିଲା ତାଙ୍କ ରାଜନୈତିକ ଜୀବନର ଅୟମାରମ୍ଭ; କିନ୍ତୁ ସେ ସେଥିରେ ଶୋଚନୀୟ ପରାଜୟ ବରଣ କଲେ। ସେ ପର୍ଯ୍ୟନ୍ତ ସେ ଥିଲେ ଅଜୟ ବିଷ୍ଟ୍‌। ଏ ଘଟନାର ଅଳ୍ପଦିନ ପରେ ହିଁ ନାଟକୀୟ ଭାବେ ତାଙ୍କ ଜୀବନର ପଟ୍ଟଭୂମି ସମ୍ପୂର୍ଣ୍ଣ ବଦଳିଗଲା, ଯେତେବେଳେ ସେ ଗୋରଖପୁର ଗଲେ ଏବଂ ମହନ୍ତ ଅବୈଦ୍ୟନାଥଙ୍କ ଆଶିଷ ଲାଭକଲେ। ସେ ବିଖ୍ୟାତ ଗୋରଖନାଥ ମଠର ନାଥ ସମ୍ପ୍ରଦାୟର ଏହି ମହନ୍ତଙ୍କ ଶିଷ୍ୟତ୍ବ ଗ୍ରହଣ କଲେ, ଯିଏ କେବଳ ହିନ୍ଦୁ ରାଷ୍ଟ୍ରବାଦର ଜଣେ ସମର୍ଥକ ନଥିଲେ, ବରଂ ୧୯୮୯ ପର୍ଯ୍ୟନ୍ତ ହିନ୍ଦୁ ମହାସଭା ଟିକଟରେ ନିର୍ବାଚନ ଲଢ଼ିଆସିଥିଲେ ଏବଂ ରାମ ଜନ୍ମଭୂମି ଆନ୍ଦୋଳନର ଥିଲେ ଅନ୍ୟତମ ପ୍ରମୁଖ ଉଦ୍ୟୋକ୍ତା। ୧୯୯୧ ବେଳକୁ ଅବୈଦ୍ୟନାଥ ଭାରତୀୟ ଜନତା ପାର୍ଟି(ବିଜେପି)ରେ ସାମିଲ୍‌ ହୋଇସାରିଥିଲେ ଏବଂ ସେହିବର୍ଷ ତଥା ୧୯୯୬ରେ ସେ ବିଜେପି ଟିକଟରେ ଗୋରଖପୁରରୁ ସାଂସଦ ନିର୍ବାଚିତ ହେଲେ। ଅବୈଦ୍ୟନାଥ ଯାହାଙ୍କୁ ନିଜର ଉତ୍ତରାଧିକାରୀ ଭାବେ ମନୋନୀତ କରିଥିଲେ, ସେ ହେଲେ ଯୋଗୀ ଆଦିତ୍ୟନାଥ। ଫଳସ୍ବରୂପ, ରାଜନୀତିରୁ ଗୁରୁ ସନ୍ନ୍ୟାସ ନେବାପରେ ୧୯୯୮ରେ ଶିଷ୍ୟ ଆଦିତ୍ୟନାଥ ଲୋକସଭାର କନିଷ୍ଠତମ ସଦସ୍ୟ ହେବାର ସୌଭାଗ୍ୟ ଅର୍ଜନ କଲେ। ବ୍ରିଟିଶ ଶାସନକାଳରୁ ଦକ୍ଷିଣପନ୍ଥୀ ରାଜନୀତିରେ କେନ୍ଦ୍ରୀୟ ଭୂମିକା ତୁଲାଇ ଆସୁଥିବା ଗୋରଖନାଥ ପୀଠର ଅଧୀଶ୍ବର ହେବାପରେ ତାଙ୍କ ଧାର୍ମିକ/ରାଜନୈତିକ ପ୍ରଭାମଣ୍ଡଳ ବୃଦ୍ଧି ପାଇଲା। ୨୦୦୪ ସାଧାରଣ ନିର୍ବାଚନରେ ଦେଶର ଅଧିକାଂଶ ସ୍ଥାନରେ ବିଜେପି ପରାଜିତ ହେବା ସତ୍ତ୍ବେ ଗୋରଖପୁର ଆସନରେ ଲକ୍ଷାଧିକ ଭୋଟ ବ୍ୟବଧାନରେ ଜିଣିଲେ ଆଦିତ୍ୟନାଥ। ଏହା ପଛରେ ଥିଲା ତାଙ୍କଦ୍ବାରା ଗଠିତ ହିନ୍ଦୁ ଯୁବାବାହିନୀର ବିଶେଷ ଅବଦାନ, ଯାହାର ଅପଖ୍ୟାତି ସର୍ବଜନବିଦିତ। କୁହାଯାଏ ଯେ ୨୭ ଫେବୃଆରୀ ୨୦୦୨ର ଗୋଧ୍ରା ଘଟନା ପରେ ଗୁଜରାଟରେ ଭାରତୀୟ ଇତିହାସର ଯେଉଁ ବର୍ବରତମ ନରସଂହାର ଘଟିଥିଲା, ଆଦିତ୍ୟନାଥ ତା’ପରେ ହିଁ ଏପରି ଏକ ବାହିନୀ ଗଠନର ପରିକଳ୍ପନା କରିଥିଲେ। କ୍ରମଶଃ ସେ ପାଲଟିଗଲେ ହିନ୍ଦୁତ୍ବ ରାଜନୀତିର ‘ପୋଷ୍ଟର୍‌ ବୟ’। ୨୦୧୭ ବିଧାନସଭା ନିର୍ବାଚନରେ ବହୁମତ ହାସଲ ପରେ ବିଜେପି ଆଦିତ୍ୟନାଥଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଏକପ୍ରକାର ବାଧ୍ୟ ହେଲା। ପଦ ସମ୍ଭାଳିବାର ମାସକ ପରେ ପ୍ରଥମ ଟିଭି ସାକ୍ଷାତକାରରେ ସେ କହିଲେ, ‘‘ହିନ୍ଦୁରାଷ୍ଟ୍ରର ବିଚାରରେ କିଛି ବି ତ୍ରୁଟି ନାହିଁ।’’ ଆଦିତ୍ୟନାଥ ଜଣେ ବୈରାଗୀ ରାଜନୀତିଜ୍ଞ ଭାବେ ନିଜର ଭାବମୂର୍ତ୍ତିକୁ ଯେପରି ଗଢ଼ିଆସିଛନ୍ତି, ତା’ ତୁଳନାରେ ମୋଦୀଙ୍କ ତଦ୍ରୂପ ଭାବମୂର୍ତ୍ତି ବେଳେବେଳେ ନିଷ୍ପ୍ରଭ ମନେହୁଏ; ଏହାର କାରଣ ଆଦିତ୍ୟନାଥ ଜଣେ ଦୀକ୍ଷିତ ଯୋଗୀ ଏବଂ ତାଙ୍କ ପାଇଁ ଗୈରିକ ବସନ ଅନ୍ୟ ବିଜେପି ନେତାଙ୍କ ପରି କେବଳ ରାଜନୈତିକ ରଂଗିନ କପଡ଼ା ନୁହେଁ, ବରଂ ତାଙ୍କ ଅସ୍ମିତାର ଏକ ଅଭିନ୍ନ ଅଙ୍ଗ। ହୁଏତ ଏହା ହିଁ ତାଙ୍କୁ ଅନ୍ୟ ସମସ୍ତଙ୍କଠାରୁ କରିପାରିଚି ଅନନ୍ୟ/ଆକର୍ଷଣୀୟ। ଯୋଗୀଙ୍କ ଜୀବନୀ ଦି ମଙ୍କ୍‌ ହୁ ଟ୍ରାନ୍ସଫର୍ମଡ ଉତ୍ତରପ୍ରଦେଶ ରେ ଶାନ୍ତନୁ ଗୁପ୍ତା ଲେଖନ୍ତି, ‘‘ଉତ୍ତରାଖଣ୍ଡର ଗ୍ରାମାଞ୍ଚଳରେ ଲାଳିତପାଳିତ ଅଜୟ ସିଂହ ବିଷ୍ଟ୍‌ ନାମକ ଯୁବକ ଗାଈ, ଖେତ, ପାହାଡ଼, ନଦୀ ଆଦି ଭିତରେ ବିକାଶଲାଭ କଲେ ଏବଂ ପ୍ରଥମେ ମହନ୍ତ, ତା’ ପରେ ସାଂସଦ ଓ ପୁଣି ମୁଖ୍ୟମନ୍ତ୍ରୀ ହେଲେ।’’ ୨୦୨୨ ବିଧାନସଭା ନିର୍ବାଚନରେ ତାଙ୍କର ଅପ୍ରତ୍ୟାଶିତ ଓ ଅଭୂତପୂର୍ବ ବିଶାଳ ବିଜୟ ତାଙ୍କୁ ନରେନ୍ଦ୍ର ମୋଦିଙ୍କ ପରେ ବିଜେପିର ୨ନଂ ନେତାର ଆସନରେ ବସିବା ପାଇଁ ‘ଉପଯୋଗୀ’ (ନିର୍ବାଚନ ପ୍ରଚାରବେଳେ ମୋଦୀ ତାଙ୍କୁ ‘ୟୁପି+ଯୋଗୀ=ଉପଯୋଗୀ’ କହିଥିଲେ) କରାଇଛି ବୋଲି କୁହାଯାଉଚି, ଯାହା ଅଯଥାର୍ଥ ମନେହେଉ ନାହିଁ।


କେଜରିୱାଲଙ୍କୁ କିନ୍ତୁ ଯୋଗୀଙ୍କ ପରି କର୍ତ୍ତବ୍ୟବୋଧ ବା ରାଜନୀତି, କୌଣସିଟି ଉତ୍ତରାଧିକାର ସୂତ୍ରରେ ପ୍ରାପ୍ତ ହୋଇନଥିଲା। ତାଙ୍କ ରାଜନୀତି ଯଥାର୍ଥରେ ଆରମ୍ଭ ହୋଇଥିଲା ଶୂନ୍ୟରୁ, ଅଣରାଜନୈତିକ କାର୍ଯ୍ୟକ୍ରମରୁ, ଅନଶନରୁ। ସେ ରାଜନୈତିକ ଦଳ ଗଢ଼ିବା ପରେ ବହୁ ଲୋକଙ୍କ ଭ୍ରୁକୁଟି ଓ ନାସିକା କୁଞ୍ଚନ ରୋଗ ଦେଖାଦେଇଥିଲା। ତାଙ୍କର ରାଜନୈତିକ ଆଦର୍ଶକୁ ନେଇ ପରମ୍ପରାବାଦୀମାନେ ପ୍ରଶ୍ନ କରିବାକୁ ଭୁଲିଲେ ନାହିଁ। ସେମାନେ ଭାବୁଥିଲେ ଯେ ଜଣେ ସାମାଜିକ କର୍ମୀକୁ ରାଜନୀତି ଆଦୌ ଆସେନି ଓ ସେ ଅଳ୍ପଦିନରେ ଧୂଳିସାତ୍‌ ହୋଇଯିବ; କିନ୍ତୁ କେଜରିୱାଲ ରାଜନୀତିର ପିଚ୍ଛିଳ ପଥରେ ପ୍ରାରମ୍ଭିକ ପତନ ପରେ ଖୁବ୍‌ଶୀଘ୍ର ଚାଲିବା ଶିଖିଗଲେ; ତେବେ ଆପଣାର ମୂଳ ଅଣପାରମ୍ପରିକ ରାଜନୀତିକୁ ଛାଡ଼ିଲେ ନାହିଁ। ଏହା ହିଁ ପାଲଟିଗଲା ତାଙ୍କର ସବୁଠୁ ବଡ଼ ବିଜୟ-ମନ୍ତ୍ର। ଏବେ ଆଉ ଭାରତୀୟମାନଙ୍କୁ ତାଙ୍କ ‘ଆକ୍ଟିଭିଜମ୍‌’ ରାଜନୀତି ଅସୁନ୍ଦର କି ଅବିଶ୍ବାସ୍ୟ ମନେହେଉ ନାହିଁ, ବରଂ ସେମାନଙ୍କୁ ଲାଗୁଚି ଯେ ଏହା ହିଁ ସାଂପ୍ରଦାୟିକ/ଜାତିବାଦୀ/ବଂଶବାଦୀ ରାଜନୀତିକୁ ହଟାଇବାର ବାସ୍ତବ ବିକଳ୍ପ। କେବଳ ଶିକ୍ଷା, ସ୍ବାସ୍ଥ୍ୟ ପରି ସାଧାରଣତଃ ଅଣରାଜନୈତିକ ପ୍ରସଙ୍ଗଗୁଡ଼ିକୁ ରାଜନୈତିକ ପ୍ରସଙ୍ଗ କରି ଲୋକଙ୍କୁ ମାଗଣାରେ ସର୍ବୋତ୍ତମ ସେବା ଉପଲବ୍ଧ କରାଇବା ନୁହେଁ; ଆର୍‌ଏସ୍‌ଏସ୍‌ର ହିନ୍ଦୁ ଜାତୀୟତାବାଦକୁ ଆଡ଼େଇ ଦେଇ ଏକ ନବ୍ୟ ଜାତୀୟତାବାଦର ଉଦ୍ଭାବନ କରି କେଜରିୱାଲ କେବଳ ବିଜେପି ନୁହେଁ କଂଗ୍ରେସର ମଧ୍ୟ ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ପାଲଟିଚନ୍ତି। ଏଥିପାଇଁ ତାଙ୍କୁ ନେହେରୁଙ୍କୁ ଚବିଶ ଘଣ୍ଟା ଗାଳି ଦେବାକୁ ପଡ଼ିନାହିଁ କି ଗାନ୍ଧିଙ୍କୁ ଖଳନାୟକ ଓ ଗଡ୍‌ସେଙ୍କୁ ନାୟକ ଭାବେ ଉପସ୍ଥାପନ କରିବା ଆବଶ୍ୟକ ହୋଇନାହିଁ; କେବଳ ସର୍ଦ୍ଦାର ଭଗତ ସିଂହ ଓ ବାବାସାହେବ ଆମ୍ବେଦକରଙ୍କୁ ପ୍ରତୀକ ଭାବେ ଥୋଇ ଗାନ୍ଧୀ, ନେହେରୁ ଓ ସାଭରକରଙ୍କଠୁ ଦୂରତା ବଜାୟ ରଖିବାରେ କେଜରିୱାଲ୍‌ ସମର୍ଥ ହୋଇଚନ୍ତି, ଯେଉଁ ଦୁଇଜଣ ସମ୍ଭବତଃ ଭାରତୀୟ ରାଜନୀତିରେ ଚର୍ଚିତ ହେଲେ ମଧ୍ୟ ସବୁଠୁ କମ୍‌ ଧ୍ରୁବୀକରଣୀୟ ବ୍ୟକ୍ତିତ୍ବ। ମନେହୁଏ, କେବଳ ଜାତୀୟତାବାଦ ନୁହେଁ ବରଂ ଭାରତୀୟ ସାଧାରଣତନ୍ତ୍ରର ଧର୍ମନିରପେକ୍ଷତା ଓ ସମାଜବାଦକୁ ମଧ୍ୟ ସେ ଯେପରି ପୁନଃ ପରିଭାଷିତ କରିବାକୁ ଉଦ୍ୟମରତ। ଏ ନବ୍ୟ ଜାତୀୟତାବାଦ, ନବ୍ୟ ଧର୍ମନିରପେକ୍ଷତା ଏବଂ ନବ୍ୟ ସମାଜବାଦର ସ୍ବରୂପ ଅବଶ୍ୟ ଏ ପର୍ଯ୍ୟନ୍ତ ଅସ୍ପଷ୍ଟ। ଆଗାମୀ ଦିନରେ ହୁଏତ ଏହାର ପ୍ରକୃତ ସ୍ବରୂପ ଉନ୍ମୋଚିତ ହେବ। କେଜରିୱାଲଙ୍କ ରାଜନୀତି ଅସାଧାରଣ ଓ ‘ସ୍ମାର୍ଟ’ ହେଲେ ବି ସୁବିଧାବାଦୀ; କିନ୍ତୁ ସୁବିଧାବାଦ ତ ଭୋଟ ରାଜନୀତିର ଏକ ସ୍ବଭାବଗତ ପ୍ରକୃତି; ତେଣୁ କେବଳ ତାଙ୍କୁ ଦୋଷ ଦେବା ଅସମୀଚୀନ। ଦିଲ୍ଲୀ ପରେ ପଞ୍ଜାବରେ ଅସାଧାରଣ ସଫଳତା କେଜରିୱାଲଙ୍କୁ ଅନ୍ୟ ରାଜ୍ୟ, ବିଶେଷତଃ ୨୦୨୨ ଶେଷ ଆଡ଼କୁ ହେବାକୁ ଥିବା ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ପ୍ରେରିତ କରିବ ନିଶ୍ଚୟ ଏବଂ ସେଠାରେ ମୁସଲମାନ ସମ୍ପ୍ରଦାୟର ଭୋଟ ତାଙ୍କୁ ମିଳିବା ସାଧ୍ୟାତୀତ ନୁହେଁ। 


ବୟସ ଦୃଷ୍ଟିରୁ ଯୋଗୀ (୪୯), କେଜରିୱାଲ (୫୩) ଓ ରାହୁଳ ଗାନ୍ଧୀ (୫୧) ସମପର୍ଯ୍ୟାୟର; କିନ୍ତୁ ପ୍ରଥମ ଦୁଇଜଣଙ୍କ ପ୍ରଭାମଣ୍ଡଳ ଇତିମଧ୍ୟରେ ଅଧିକ ବିସ୍ତୃତ ଓ ଉଜ୍ବଳ ହୋଇସାରିଚି, ଯାହାକୁ ଚାହିଁଲେ ମଧ୍ୟ ରାହୁଳ ନିଷ୍ପ୍ରଭ କରିବାରେ ସମର୍ଥ ହେବାଭଳି ଲାଗୁ ନାହିଁ। ପ୍ରକୃତରେ ବିଜେପି ଓ ଆମ୍‌ ଆଦ୍‌ମୀ ପାର୍ଟି(ଆପ୍‌)ର ବିକଳ୍ପ ରାଜନୀତି ମଧ୍ୟରେ ଭାରତ ପାଇଁ ଏବେ ଆଉ ରାହୁଳ ଓ ପ୍ରିୟଙ୍କାଙ୍କ ଭବିଷ୍ୟତ ବା କଂଗ୍ରେସର ପୁନରୁତ୍‌ଥାନ ପ୍ରଶ୍ନ ମହତ୍ତ୍ବପୂର୍ଣ୍ଣ ହୋଇ ରହିନାହିଁ, ବରଂ ଆଗାମୀ ଦିନରେ ଜାତୀୟ ସ୍ତରରେ ବିଜେପି ବନାମ ଆପ୍‌ ହେବାର ସମ୍ଭାବନା ସର୍ବାଧିକ। ୨୦୨୨ ନିର୍ବାଚନ ଫଳ ତେଣୁ ୨୦୨୪ ନୁହେଁ, ବରଂ ୨୦୨୯ ଲଢ଼େଇର ପୂର୍ବାଭାସ ଦେଇଚି, ଯାହାର ଦୁଇ ନାୟକ ହୋଇପାରନ୍ତି ଯୋଗୀ ଓ କେଜରିୱାଲ।


(‘ସମାଜ’ରେ ୧୩.୩.୨୦୨୨ରେ ପ୍ରକାଶିତ)

Read More

ଅପରାଜେୟ ‘ଆପ୍‌’ ଓ ଭାରତୀୟ ଗଣତନ୍ତ୍ର

Leave a Comment


୨୦୨୦ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ୍ ଆଦ୍‌ମୀ ପାର୍ଟି(ଆପ୍‌)ର କ୍ରମାଗତ ବିପୁଳ ବିଜୟ (୭୦ରୁ ୬୩ ଆସନ) ଓ ଏହାର ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ଭାରତୀୟ ଜନତା ପାର୍ଟି (ବିଜେପି)ର ଶୋଚନୀୟ ପରାଜୟ (ମାତ୍ର ୭ଟି ଆସନ) ଭାରତୀୟ ଗଣତନ୍ତ୍ରର କେତୋଟି ପ୍ରମୁଖ ଦିଗକୁ ସୂଚିତ କରିଥାଏ, ଯାହାର ଚିହ୍ନଟ ଗୁରୁତ୍ବପୂର୍ଣ୍ଣ। ଅନେକ ହୁଏତ ଦିଲ୍ଲୀ ଭଳି ଏକ କ୍ଷୁଦ୍ର କେନ୍ଦ୍ରଶାସିତ ପ୍ରଦେଶର ନିର୍ବାଚନ ପରିଣାମ ବାକି ଭାରତ ପାଇଁ ସେତେଟା ମହତ୍ତ୍ବପୂର୍ଣ୍ଣ ନୁହେଁ ବୋଲି ଭାବିପାରନ୍ତି; କିନ୍ତୁ ନିରିଖେଇ ଦେଖିଲେ ବୁଝିହେବ ଯେ ଏଥିରେ ଏଭଳି କେତେକ ରାଜନୀତିକ/ସାମାଜିକ/ସାଂସ୍କୃତିକ ଆଖ୍ୟାନ ରହିଛି, ଯାହା ଦୃଷ୍ଟାନ୍ତଯୋଗ୍ୟ।

ପ୍ରଥମ: କ୍ଷମତାସୀନ କ୍ଷୁଦ୍ର ଆଞ୍ଚଳିକ ଦଳ ଆପ୍ ସହ ଲଢ଼ିବା ପାଇଁ ଅନ୍ୟ ଜାତୀୟ ଦଳ, ବିଶେଷତଃ ବିଶ୍ବର ବୃହତ୍ତମ ଦଳ ବୋଲି ନିଜକୁ ଗର୍ବ କରୁଥିବା ବିଜେପି ଯେଭଳି ନକାରାତ୍ମକ ପ୍ରଚାର କରିଥିଲା, ତାହା ଅଭୂତପୂର୍ବ ନହେଲେ ବି ଗଣତାନ୍ତ୍ରିକ ମୂଲ୍ୟବୋଧ ଅନୁରୂପ ନଥିଲା (ମୁଖ୍ୟମନ୍ତ୍ରୀ ତଥା ଆପ୍ ନେତା ଅରବିନ୍ଦ କେଜରିୱାଲଙ୍କୁ ‘ଆତଙ୍କବାଦୀ’ ଅଭିହିତ କରିବା/ ‘ଗୋଲି ମାରୋ..’ (ଗୁଳି ମାର) ସ୍ଲୋଗାନ ଇତ୍ୟାଦି)। ବିଚାରବନ୍ତ ମତଦାତାଙ୍କୁ ଏହା ପସନ୍ଦ ନଆସିବା ସ୍ବାଭାବିକ। ଅନ୍ୟପକ୍ଷରେ ଆପ୍ ନେତୃବୃନ୍ଦ, ବିଶେଷକରି କେଜରିୱାଲ ପୂର୍ବାପେକ୍ଷା ଅଧିକ ପରିପକ୍ବତା ଦେଖାଇ ଏ ନିର୍ବାଚନରେ ନିଜର ରାଜନୀତିକ ପ୍ରତିଦ୍ବନ୍ଦ୍ବୀଙ୍କୁ ସମାଲୋଚନା ବଦଳରେ ଜନସାଧାରଣଙ୍କ ଜୀବନଜୀବିକାର ମାନ ବୃଦ୍ଧି କଲାଭଳି ଜରୁରୀ ପ୍ରସଙ୍ଗରେ ତାଙ୍କ ସରକାର କ’ଣ କରିଛି ଓ ଭବିଷ୍ୟତରେ କ’ଣ କରିବାକୁ ଚାହୁଁଛି, ତା’ର ରୂପରେଖ ଉପସ୍ଥାପନ କଲେ। ଭାରତବର୍ଷରେ ହିନ୍ଦୁ-ମୁସଲମାନ/ପାକିସ୍ତାନ/ଯୁଦ୍ଧବିଗ୍ରହ ଇତ୍ୟାଦି ଭାବପ୍ରବଣ ପ୍ରସଙ୍ଗଗୁଡ଼ିକ ନିର୍ବାଚନର ମୁଖ୍ୟ ପ୍ରସଙ୍ଗ ପାଲଟୁଥିବାବେଳେ (ବିଜେପି ପାଖରେ ଏତଦ୍‌ଭିନ୍ନ ଅନ୍ୟ ପ୍ରସଙ୍ଗ ନଥିଲା) କେଜରିୱାଲଙ୍କ ସକାରାତ୍ମକ ପ୍ରଚାର ଭାରତୀୟ ରାଜନୀତିକ ଇତିହାସର ଏକ ଉଲ୍ଲେଖନୀୟ ଘଟନା। ବିଜେପି ଦ୍ବାରା ଯେଉଁ ତଥାକଥିତ ରାଷ୍ଟ୍ରବାଦର ଜାଲ ବସାଯାଇଥିଲା (ଶାହିନବାଗ ଆନ୍ଦୋଳନ ପରିପ୍ରେକ୍ଷୀରେ), ତାକୁ ମଧ୍ୟ ସେ ଅନାୟାସରେ କାଟି ବିଜେପିକୁ ଚକ୍‌ମା ଦେବା ସହ ନିଜ ସପକ୍ଷରେ ଜନମତକୁ ନେବାରେ ସମର୍ଥ ହୋଇଛନ୍ତି। ତାଙ୍କୁ ମୁସଲମାନ-ସପକ୍ଷବାଦୀ ଓ ହିନ୍ଦୁ-ବିରୋଧୀ ଭାବେ ଅଭିହିତ କରିବାର ଯୋଜନାକୁ କେଜରିୱାଲ ପଣ୍ଡ କରିଦେବା ସହ ହିନ୍ଦୁତ୍ବ ନୁହେଁ, ବରଂ ହିନ୍ଦୁଙ୍କ ସମେତ ଜାତିଧର୍ମ ନିର୍ବିଶେଷରେ ସେ ସମସ୍ତଙ୍କ ହିତାକାଂକ୍ଷୀ ବୋଲି ବାର୍ତ୍ତା ଦେବାରେ ମଧ୍ୟ ସଫଳ ହୋଇଛନ୍ତି। ଏ ବାର୍ତ୍ତା ଏଇଥିପାଇଁ ମହତ୍ତ୍ବପୂର୍ଣ୍ଣ ଯେ ଗତ କେଇବର୍ଷ ଧରି ହିନ୍ଦୁ/ ହିନ୍ଦୁତ୍ବ /ରାଷ୍ଟ୍ରବାଦ /ଜାତୀୟତାବାଦ/ଦେଶପ୍ରେମ ଆଦିକୁ ନେଇ ଅନେକ ଭ୍ରାନ୍ତଧାରଣା ସୃଷ୍ଟି କରାଯାଇଛି। ଏଥିଯୋଗୁଁ ହିଁ କେବଳ ସାଧାରଣ ଲୋକ ନୁହନ୍ତି, ବୁଦ୍ଧିଶୁଦ୍ଧି ଥିବା ପାଠୁଆ ଲୋକେ ବି ସେଇ ଧାରଣାର ବଶବର୍ତ୍ତୀ ହେଉଛନ୍ତି। ବିଡ଼ମ୍ବନା ଯେ ଯେଉଁମାନେ କ୍ଷମତାସୀନଙ୍କ ନୀତି/ନୈତିକତା ଉପରେ ପ୍ରଶ୍ନ ଉଠାଉଛନ୍ତି ବା ଭିନ୍ନମତ ରଖୁଛନ୍ତି, ସେମାନଙ୍କୁ ରାଷ୍ଟ୍ରଦ୍ରୋହୀ ଭାବେ ଚିତ୍ରଣ କରାଯାଉଛି।

ଦ୍ବିତୀୟ: ୨୦୧୯ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କ ଦଳ ବିଜେପିର ବିପୁଳ ବିଜୟ ପାଇଁ ‘ଟିନା’ (ଦେୟାର ଇଜ୍ ନୋ ଅଲଟରନେଟିଭ୍/କିଛି ବିକଳ୍ପ ନାହିଁ) ତତ୍ତ୍ବ କାମ କରିବା ପରି ଦିଲ୍ଲୀ ନିର୍ବାଚନରେ କେଜରିୱାଲ ଓ ଆପ୍‌ର ସ୍ଥିତି ଥିଲା ତଦନୁରୂପ। ବିଜେପି ଓ କଂଗ୍ରେସର କୌଣସି ସ୍ଥାନୀୟ ନେତା ଯେ ଆପ୍ ମୁଖ୍ୟଙ୍କ ସମକକ୍ଷ ନୁହନ୍ତି, ତାହା ଆରମ୍ଭରୁ ଜଣାପଡ଼ିଥିଲା। ବିଜେପିର ବିକଳ ଅବସ୍ଥା ଏଥିରୁ ଅନୁମେୟ ଯେ ମହାପ୍ରତାପୀ ଅମିତ ଶାହାଙ୍କୁ ମଧ୍ୟ ଘରଘର ବୁଲି ପ୍ରଚାରପତ୍ର ବାଣ୍ଟିବା ଦେଖାଯାଇଥିଲା। ଶ୍ରୀ ମୋଦୀଙ୍କ ସମେତ ବିଜେପିର ଅଢ଼େଇଶହ ସାଂସଦ, ଏପରିକି ଅନ୍ୟ ରାଜ୍ୟର ଏକାଧିକ ମୁଖ୍ୟମନ୍ତ୍ରୀ ଆସି ପ୍ରଚାର କରିଥିଲେ; କିନ୍ତୁ ସବୁ ନିଷ୍ଫଳ। ଏ ପରାଜୟ ପଛର ଅନ୍ୟତମ ପ୍ରମୁଖ କାରଣ ଦିଲ୍ଲୀ ମ୍ୟୁନିସିପାଲିଟି (ଏମ୍‌ସିଡି) ଓ ସଂସଦୀୟ କ୍ଷେତ୍ର ତା’ ଅଧୀନରେ ଥିଲେ ହେଁ ବିଜେପି ଲୋକପ୍ରତିନିଧିଙ୍କ ନିରାଶାଜନକ କାର୍ଯ୍ୟ ମତଦାତାଙ୍କୁ ବିତୃଷ୍ଣ କରିଛି।

ଅପରପକ୍ଷେ, ବହୁ ପ୍ରତିକୂଳତା ଓ ପ୍ରତିବନ୍ଧକ ସୃଷ୍ଟି କରାଯିବା ସତ୍ତ୍ବେ ଆପଣାର ଦାୟବଦ୍ଧତାକୁ ପ୍ରମାଣ କରି ଏକ ଭିନ୍ନ ଉନ୍ନୟନମୂଳକ ଢାଞ୍ଚା ପ୍ରସ୍ତୁତ କରିବା ବା ଅନ୍ତତଃ ତାହା କରୁଛି ବୋଲି ମତଦାତାଙ୍କ ମନରେ ବିଶ୍ବାସ ଜନ୍ମାଇପାରିବା ଆପ୍‌କୁ ପୁଣି ବିଜୟୀ କରିଛି। ବିଶେଷତଃ, ଏକ ସାମାଜିକ ନ୍ୟାୟବିଶିଷ୍ଟ ଏଜେଣ୍ଡାକୁ ବାସ୍ତବ କ୍ଷେତ୍ରରେ କାର୍ଯ୍ୟାନ୍ବୟନ କରିବାର ପ୍ରଚେଷ୍ଟା ପ୍ରଶଂସାଯୋଗ୍ୟ। ବିଦ୍ୟୁତ୍, ପାଣି, ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ଆପ୍ ସରକାର ଯେତିକି କାର୍ଯ୍ୟ କରିଛନ୍ତି, ତାକୁ ମତଦାତା ଆଡ଼େଇ ଦେବା ସହଜ ହୋଇନାହିଁ। ବିଶେଷକରି ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ନବପ୍ରୟୋଗ ସଫଳ ହେବାସହ ବହୁଚର୍ଚିତ ଓ ଉଦାହରଣୀୟ ହୋଇଛି। ଗରିବଙ୍କ ପାଇଁ ମାଗଣା ବିଜୁଳି ଓ ପାଣି, ଘରୋଇ ସ୍କୁଲ ଭଳି ଉନ୍ନତ ସୁବିଧାସୁଯୋଗ ଥିବା ସରକାରୀ ସ୍କୁଲ ନିର୍ମାଣ/ବିକାଶ, ମହିଳା ଓ ଛାତ୍ରଛାତ୍ରୀଙ୍କ ପାଇଁ ମାଗଣା ବସ୍‌ଯାତ୍ରା, ମୋହଲ୍ଲା କ୍ଲିନିକ୍, ୪୦ ପ୍ରକାରର ସରକାରୀ ସେବାକୁ ପ୍ରତ୍ୟେକ ଲୋକଙ୍କ ଘରେ ପହଞ୍ଚାଇବା ଭଳି ଦଶଟି ସ୍ବତନ୍ତ୍ର ଯୋଜନାର ‘ଗ୍ୟାରେଣ୍ଟି କାର୍ଡ’ ଆପ୍ ସରକାରକୁ ‘ଆମ୍‌ ଆଦ୍‌ମୀ’ର ନିକଟତର କରିପାରିଛି। ଅନେକ ସମୟରେ ‘ମାଗଣା ସେବା’ ନେଇ ପ୍ରଶ୍ନ ଉଠେ; କିନ୍ତୁ ସମାଜର ସବୁ ମଣିଷଙ୍କୁ ମୌଳିକ ସୁବିଧାସୁଯୋଗ ଯୋଗାଇ ଦେବା (ବିଶେଷତଃ ବଞ୍ଚିତମାନଙ୍କୁ) ଯେ କୌଣସି ଗଣତାନ୍ତ୍ରିକ ସରକାରର ପ୍ରମୁଖ କର୍ତ୍ତବ୍ୟ। ଯେ ପର୍ଯ୍ୟନ୍ତ ତା’ର ଅନ୍ୟାୟ ବଣ୍ଟନ ନହୋଇଛି, ତାକୁ ଅନୁଚିତ କୁହାଯିବ କାହିଁକି!
କେଜରିୱାଲ ପ୍ରତିବାଦୀରୁ ପ୍ରଶାସକରେ ପରିବର୍ତ୍ତିତ ହେବା ଦିଲ୍ଲୀ ପାଇଁ ବେଶ୍ ମଙ୍ଗଳକର ହୋଇଛି। ଏହା ପ୍ରଦେଶର ଆର୍ଥିକ ସ୍ଥିତିକୁ ପରଖିଲେ ବି ଜାଣିହୁଏ। ତଥ୍ୟ କହୁଚି, କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ କେନ୍ଦ୍ର ଅନୁଦାନ ହ୍ରାସ ପାଇଥିଲେ ସୁଦ୍ଧା ଦିଲ୍ଲୀର ବାର୍ଷିକ ବଜେଟ୍ ୨୦୧୫ରେ ୩୦ ହଜାର କୋଟି ଥିବାବେଳେ ୨୦୧୯ରେ ତା’ର ଦୁଇଗୁଣ, ଅର୍ଥାତ ୬୦ ହଜାର କୋଟି ଟଙ୍କା ହୋଇଛି। ୟା’ଠୁ ବି ଗୁରୁତ୍ବପୂର୍ଣ୍ଣ, ୨୦୧୩-୧୪ରେ ବିତ୍ତୀୟ ନିଅଣ୍ଟ ୩,୯୪୨ କୋଟି ଥିବାବେଳେ ୨୦୧୭-୧୮ ବେଳକୁ ବିତ୍ତୀୟ ବଳକା ରହିଥିଲା ୧୧୩ କୋଟି ଟଙ୍କା। ଉତ୍ତମ ପ୍ରଶାସନିକ ପରିଚାଳନା ବିନା ଏହା ଅସମ୍ଭବ। ଭୁଲିଯିବା ଅନୁଚିତ ଯେ, ଦୀର୍ଘ ନ୍ୟାୟିକ ଲଢ଼େଇ ପରେ ୨୦୧୮ରେ ସର୍ବୋଚ୍ଚ ନ୍ୟାୟାଳୟ ଆପ୍ ସରକାର ସପକ୍ଷରେ ରାୟ ଦେଇ ରାଜ୍ୟ ବିଷୟଗୁଡ଼ିକ ତା’ର ସଂପୂର୍ଣ୍ଣ ନିୟନ୍ତ୍ରଣାଧୀନ ବୋଲି କହିବା ସହ ଉପ-ରାଜ୍ୟପାଳଙ୍କ ପ୍ରଭୁତ୍ବ ଉପରେ ଲଗାମ ଲଗାଇବା ପରେ ହିଁ ଏସବୁ ସମ୍ଭବ ହୋଇପାରିଛି।

ତୃତୀୟ: ଉତ୍ତର-ଜଗତୀକରଣ କାଳରେ ଯେଉଁ ନୂତନ ଭାରତୀୟ ମଧ୍ୟବର୍ଗ ବିଜେପିର ହିନ୍ଦୁତ୍ବ ପରିଚିତି ପ୍ରତି ଆକର୍ଷିତ ହେଲେ, ସେମାନେ କଂଗ୍ରେସର ପରମ୍ପରାବାଦୀ ଦୃଷ୍ଟି ଓ ବାମପନ୍ଥୀଙ୍କ ମହାନଗରୀୟ ବୌଦ୍ଧିକତାର ବିରୋଧୀ ହେବା ଅସ୍ବାଭାବିକ ନୁହେଁ। ତେବେ ଜଗତୀକରଣ ପ୍ରବାସୀ, ପେସାଦାର ଓ ଉତ୍ତର-ଶିଳ୍ପାୟନ ମଧ୍ୟବର୍ଗଙ୍କ ଜରିଆରେ ସମ୍ପତ୍ତି ସୃଷ୍ଟି କଲା। ଏହା ଭାରତର ସହରୀ ଜନସଂଖ୍ୟାକୁ ବଢ଼ାଇଲା। କୃଷିସଙ୍କଟ ଗ୍ରାମୀଣ ଜନତାଙ୍କୁ ସହର/ନଗରମୁହଁା କଲା, ଯେଉଁଠି ପେଟ ପୂରାଇବା ପାଇଁ କିଛି ଗୋଟାଏ କାମ ମିଳିବାର ସମ୍ଭାବନା ରହିଲା। ସମାଜର ଏହି ଶ୍ରେଣୀପାଇଁ ରାଜନୀତିକ ଅଭିବ୍ୟକ୍ତିର ମଞ୍ଚ ଭାବେ ଆପ୍‌ର ଅଭ୍ୟୁଦୟ ଖୁବ୍ ମହତ୍ତ୍ବପୂର୍ଣ୍ଣ। ଲକ୍ଷ୍ୟଣୀୟ ଯେ, କେବଳ କଂଗ୍ରେସ ନୁହେଁ, ଭାରତର ସମଗ୍ର ରାଜନୀତିକ ଦଳ/ସତ୍ତା/ପ୍ରତିଷ୍ଠାନ/ମିଡିଆ/କର୍ପୋରେଟ ଯେ ଦୁର୍ନୀତିଗ୍ରସ୍ତ ଓ ସେସବୁକୁ ପରିଶୁଦ୍ଧ କରିବା ପାଇଁ ଜନଲୋକପାଳ ଭଳି ଏକ ଦୃଢ଼ ଦୁର୍ନୀତି-ନିରୋଧୀ ଆଇନ ପ୍ରଣୟନ ଜରୁରୀ, ଏ ବିଶ୍ବାସ ଓ ତାହାର ପ୍ରଚ୍ଛଦରେ ହୋଇଥିବା ଦେଶବ୍ୟାପୀ ଆନ୍ଦୋଳନରୁ ହିଁ ରାଜନେତା ଅରବିନ୍ଦ କେଜରିୱାଲ ତଥା ଆପ୍‌ର ସୃଷ୍ଟି (୨୦୧୨ରେ)। ରାଜନୀତି ସହ ଆଦୌ ସଂପୃକ୍ତି ନଥିବା କେଜରିୱାଲଙ୍କ ଭଳି ପ୍ରଶାସକ/ସମାଜକର୍ମୀଙ୍କୁ ଲୋକେ ଅନ୍ୟ ରାଜନେତାଙ୍କଠାରୁ ଭିନ୍ନଦୃଷ୍ଟିରେ ​‌େ​‌ଦଖିବା ସ୍ବାଭାବିକ ଥିଲା। ଆପ୍‌ ମଧ୍ୟ ଅଦ୍ବିତୀୟ ଭାରତୀୟ ରାଜନୀତି ପାଇଁ ଥିଲା ‘ସୁଇ ଜେନେରିସ୍’ (ଲାଟିନ); ଅର୍ଥାତ ଏକ ସମ୍ପୂର୍ଣ୍ଣ ନିଆରା/ ସ୍ବଜାତୀୟ ପ୍ରୟୋଗ। ଏଇଥିପାଇଁ ସ୍ବଜାତୀୟ ଯେ ପ୍ରଥମ ଥରଲାଗି ଏହା ଜାତି/ଧର୍ମ/ବର୍ଣ୍ଣ/ସଂସ୍କୃତି/ବଂଶବାଦ/ଭାବାଦର୍ଶ, ସବୁ ପ୍ରକାରର ପ୍ରତିବନ୍ଧକ/ରୂଢ଼ିକୁ ଭାଂଗି ନୂଆପିଢ଼ିକୁ ରାଜନୀତିରେ ପ୍ରବେଶାଧିକାର ଦେଲା; ବାମ-ଦକ୍ଷିଣ-କେନ୍ଦ୍ରଠାରୁ ଅଲଗା ବାରିହେଲା। ରାଷ୍ଟ୍ରବାଦର ବ୍ୟଞ୍ଜନାକୁ ମଧ୍ୟ ଆପ୍‌ ଅନେକ ପରିମାଣରେ ବଦଳାଇଦେଇଚି ତା’ର ସମାଜକୈନ୍ଦ୍ରିକ ନୀତି-ରାଜନୀତି/କାର୍ଯ୍ୟଦ୍ବାରା। ସେହି କାରଣରୁ ଏ ନିର୍ବାଚନରେ ବିଜେପିର ରାଷ୍ଟ୍ରବାଦ/ଭାରତୀୟତା/ସାଂପ୍ରଦାୟିକତା ଆଦିକୁ ଦିଲ୍ଲୀର ବିଚାରଶୀଳ ଜନତା ପୁଣିଥରେ ପ୍ରତ୍ୟାଖ୍ୟାନ କରିଛନ୍ତି। ଆମେ ଆପ୍‌ର ନୀତି/ରାଜନୀତିକୁ ସମର୍ଥନ କରୁ ବା ନକରୁ, ତାକୁ ଅନ୍ତତଃ ଏଡ଼ାଇ ଦେବା ଆଉ କାହାପକ୍ଷେ ସମ୍ଭବ ନୁହେଁ। ଭାରତୀୟ ଗଣତନ୍ତ୍ର ପାଇଁ ଏହା ଏକ ଶୁଭ ଲକ୍ଷଣ।

(୧୨ ଫେବୃଆରୀ ୨୦୨୦ରେ ‘ସମାଜ’ରେ ପ୍ରକାଶିତ)
Read More
Previous PostOlder Posts Home
ଏହି ବ୍ଲଗର ସମସ୍ତ ସାମଗ୍ରୀ ଲେଖକଙ୍କ ସର୍ବସ୍ବତ୍ତ୍ବ ସଂରକ୍ଷିତ. Powered by Blogger.