Showing posts with label ଇତିହାସ. Show all posts
Showing posts with label ଇତିହାସ. Show all posts

ଯୁଦ୍ଧଭୂମିର ଅନ୍ତିମ ଇଚ୍ଛାପତ୍ର

1 comment


‘ଆଜି ବିଶ୍ରାମ ଓ ଶାନ୍ତି ପାଇଁ ସମୟ ନାହିଁ। ପାଲେଷ୍ଟିନୀୟଙ୍କ ରକ୍ତ ବୁହାଯାଇଛି। ଇସ୍ରାଏଲ ସହିତ ଶାନ୍ତି ଆଲୋଚନା ପାଇଁ କୌଣସି ସ୍ଥାନ ନାହିଁ। ଯଦି ସେମାନେ ନିଜକୁ ହମାସ୍‌ର କ୍ଷେପଣାସ୍ତ୍ର ଆକ୍ରମଣରୁ ନିଜକୁ ବଞ୍ଚାଇବାକୁ ଚାହାନ୍ତି, ତେବେ ସେମାନଙ୍କୁ ଇସ୍ରାଏଲ୍‌ର ପ୍ରତ୍ୟେକ ଘରେ ଗୋଟିଏ ଗୋଟିଏ ଆଇରନ୍‌ ଡୋମ୍‌ ଲଗାଇବାକୁ ପଡ଼ିବ’।


ଗାଜାପଟିରେ ଇସ୍ରାଏଲ୍‌ର ରକେଟ୍‌ ଆକ୍ରମଣ ପରେ ୧୪ ଅଗଷ୍ଟ ୨୦୧୪ରେ ସନ୍ତ୍ରାସବାଦୀ ସଂଗଠନ ହମାସ୍‌ର ମୁଖପାତ୍ର ଫଓଜି ବାର୍‌ହୋମ୍ ଦେଇଥିଲା ଏ ଚେତାବନୀ। ଏହାର ଆଠ ବର୍ଷ ପରେ ଅକ୍ଟୋବର ୭ରେ ହମାସ୍‌ ଇସ୍ରାଏଲ୍‌ ଉପରେ ଆକ୍ରମଣ କରି ଯେଉଁ ଧନଜୀବନ କ୍ଷୟ କରିଚି (ଏକାବେଳକେ ୧୩ ଶହଙ୍କୁ ହତ୍ୟା ଓ ୨ ଶହଙ୍କୁ ପଣବନ୍ଦୀ), ତାହା ସେହି ଦେଶର ପ୍ରତିରକ୍ଷା ବ୍ୟବସ୍ଥାକୁ କେବଳ ବଡ଼ ଧକ୍କା ଦେଇନାହିଁ, ପୁଣିଥରେ ଦୋହଲାଇ ଦେଇଚି ଇହୁଦୀଙ୍କ ଅସ୍ତିତ୍ବ। ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ନାଜୀ ଜର୍ମାନୀରେ ଅତି ନୃଶଂସ ଭାବେ ବିଷାକ୍ତ ଗ୍ୟାସ୍‌ଭରା କୋଠରୀରେ ପୂରାଇ ଏବଂ ସାମୂହିକ ଭାବେ ଗୁଳି କରାଯାଇ ଯେଉଁ ଗଣସଂହାର (ହୋଲୋକଷ୍ଟ୍‌) ହୋଇଥିଲା, ତାହା ମାନବ ଇତିହାସର ଏକ କଳା ଅଧ୍ୟାୟ। ସେତେବେଳେ ପ୍ରାୟ ୬୦ ଲକ୍ଷ ଇହୁଦୀଙ୍କୁ ହତ୍ୟା କରାଯାଇଥିବାବେଳେ ଏଥରର ଘଟନାକୁ ଇସ୍ରାଏଲ୍‌ ସେହିପରି ଗଣହତ୍ୟାର ଦ୍ବିତୀୟ ଘଟନା ଭାବେ କରିଛି ଆଖ୍ୟାୟିତ। ହମାସ୍‌ ଯେଉଁଭଳି ଭାବେ କଲା ଅତର୍କିତ ଆକ୍ରମଣ, ତାହା ଆକସ୍ମିକ ହୋଇନଥିବ କଦାଚନ; ଅଥଚ ବିଶ୍ବର ସର୍ବାଧିକ ଦକ୍ଷ ବୋଲି ଖ୍ୟାତି ଅର୍ଜିଥିବା ଇସ୍ରାଏଲ୍‌ର ଗୁଇନ୍ଦା ସଂସ୍ଥା ‘ମୋସାଦ୍‌’ ବି ଖାଇଲା ଚକ୍‌ମା। ‘ବଳ ବା ଶକ୍ତି ଦ୍ବାରା ଶାନ୍ତି କିଣାଯାଏ; ଏହାକୁ ଦୁର୍ବଳତା ବା ଏକତରଫା ପଶ୍ଚାତ୍‌ଗମନ  ଦ୍ବାରା ନୁହେଁ’ ବୋଲି ବାହୁସ୍ଫୋଟ କରୁଥିବା ଇସ୍ରାଏଲ ସରକାରର ମୁଖିଆ ବେଞ୍ଜାମିନ୍‌ ନେତନ୍ୟାହୁଙ୍କୁ ମଧ୍ୟ ନିଜର ଦୁର୍ବଳତାକୁ ଚିହ୍ନାଇ ଦେଇଥିବ ଏ ମର୍ମାନ୍ତିକ ଓ ନିନ୍ଦନୀୟ ଘଟନା। 


ଏହା ନିଃସଂଶୟ ଯେ ଇସ୍ରାଏଲ୍‌ ଏକ କ୍ଷୁଦ୍ର ଦେଶ ହୋଇମଧ୍ୟ ସମଗ୍ର ବିଶ୍ବରେ ଅନେକ କ୍ଷେତ୍ରରେ ଦେଖାଇଚାଲିଚି ଯେଉଁ ପରାକ୍ରମ, ତା’ର ପଟାନ୍ତର ନାହିଁ; କିନ୍ତୁ ସନ୍ତ୍ରାସବାଦୀ ଭଳି ଅପଶକ୍ତି କେଉଁ ବାଟରେ କେତେବେଳେ କାହାର କ୍ଷତି କରିବ, ତା’ର ଠିକଣା ନାହିଁ, ଏ ଘଟନା ତା’ର ଏକ ଦୃଷ୍ଟାନ୍ତ। ଇସ୍ରାଏଲ୍‌ର ଅତ୍ୟାଧୁନିକ କ୍ଷେପଣାସ୍ତ୍ର ପ୍ରତିରୋଧୀ ବ୍ୟବସ୍ଥା ‘ଆଇରନ୍‌ ଡୋମ୍‌’ ବି ଏଥର ହମାସ୍‌ ​‌େ​‌କ୍ଷପଣାସ୍ତ୍ରକୁ ଅଟକାଇ ପାରିନାହିଁ। ତେବେ ୭ ଅକ୍ଟୋବର ପରେ ଯାହାସବୁ ଘଟିଚାଲିଚି, ତାହା ହେବାକୁ ଯାଉଚି ଇତିହାସର ଆଉ ଏକ କଳଙ୍କିତ ଅଧ୍ୟାୟ । ଇସ୍ରାଏଲ୍‌-ହମାସ୍‌ ସଂଘର୍ଷର ଗତି ଦିନକୁ ଦିନ ଯେତିକି ବିକଟ ​‌େ​‌ହଉଛି, ବଢ଼ିବଢ଼ି ଯାଉଚି ନିରୀହ/ନିର୍ଦୋଷ ମନୁଷ୍ୟମାନଙ୍କ ଆର୍ତ୍ତି। ଇସ୍ରାଏଲ୍‌ ଆକ୍ରମଣରେ ଏ ପର୍ଯ୍ୟନ୍ତ ୪ ହଜାରରୁ ଅଧିକ ପାଲେଷ୍ଟିନୀୟଙ୍କ ଜୀବନ ଗଲାଣି; ଯାହାଙ୍କ ମଧ୍ୟରୁ ୧୫୦୦ରୁ ଊର୍ଦ୍ଧ୍ବ ନିର୍ମାୟା ଶିଶୁ। ୨୦୦୭ରୁ ଗାଜାପଟିକୁ ନିଜ ନିୟନ୍ତ୍ରଣରେ ରଖିଥିବା ହମାସ୍‌ ସମଗ୍ର ପାଲେଷ୍ଟିନୀୟଙ୍କର ପ୍ରତିନିଧିତ୍ବ କରେ ନାହିଁ ବୋଲି ଆମେରିକା ସମେତ ସଭିଏଁ କହୁଥିଲେ/ଜାଣୁଥିଲେ ହେଁ ସମଗ୍ର ଗାଜାପଟିକୁ ଇସ୍ରାଏଲ୍‌ ପାଣି, ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ କରିବା ସହ ଖାଦ୍ୟ, ଔଷଧ ଆଦି ଅତ୍ୟାବଶ୍ୟକ ଦ୍ରବ୍ୟ ଯୋଗାଣକୁ ବନ୍ଦ  କରି ଚତୁର୍ଦିଗ ରାସ୍ତାକୁ କରିଦେଇଛି ଅବରୋଧ। ଫଳତଃ ଗାଜା ୪୦ କିଲୋମିଟରର ଏକ ମୁକ୍ତାକାଶ କାରାଗାର ପାଲଟିଯାଇଚି କହିଲେ ଭୁଲ୍‌ ହେବନାହିଁ, ଯେଉଁଠି ପ୍ରାୟ ୨୩ ଲକ୍ଷ ପାଲେଷ୍ଟିନୀୟଙ୍କୁ ଦୁର୍ବିସହ ଜୀବନ ବଞ୍ଚିବାକୁ ଛାଡ଼ି ଦିଆଯାଇଚି। ନେତନ୍ୟାହୁ ପଣ କରିଚନ୍ତି ଯେ ଯେପରି ହେଉ ହମାସ୍‌କୁ ଏଥର ନିର୍ମୂଳ କରିବେ; କିନ୍ତୁ ହମାସ୍‌କୁ ​‌େ​‌ସ ଖତମ୍‌ କରିବେ କ’ଣ, ଏବେ ପଡ଼ୋଶୀ ଲେବାନନ୍‌ର ମହାଦୁର୍ଦାନ୍ତ ସନ୍ତ୍ରାସବାଦୀ ସଂଗଠନ ହେଜ୍‌ବୋଲ୍ଲା ହମାସ୍‌ର ସାଥୀ ହୋଇ ଇସ୍ରାଏଲ୍‌ ସହ ଲଢ଼ିବା ଆରମ୍ଭ କରିଚି। ଅନ୍ୟପଟେ ପାଲେଷ୍ଟିନୀୟଙ୍କ ଅଧିକାର ଓ ସୁରକ୍ଷା ଆଳରେ ଏହି ସନ୍ତ୍ରାସବାଦୀ ସଂଗଠନକୁ ଇରାନ ଖୋଲାଖୋଲି ସମର୍ଥନ କରୁଥିବାରୁ ଇସ୍ରାଏଲ୍‌-ହମାସ୍‌ ସଂଘର୍ଷ ପ୍ରଲମ୍ବିତ ହେବାର ସମ୍ଭାବନା ଦିଶୁଚି। ଅବଶ୍ୟ ଇରାନ୍‌ ଓ ଆରବ ଦେଶସମୂହ ସହିତ ଇସ୍ରାଏଲ୍‌ର ଲଢ଼େଇ ନୂଆ ବା ପ୍ରଥମ ନୁହେଁ। ଆରବ ଦେଶ ଏକାଠି ଲଢ଼ିଲେ ମଧ୍ୟ ଇସ୍ରାଏଲ୍‌କୁ ଯୁଦ୍ଧରେ ପରାଜୟ କରିବା କଷ୍ଟକର, ଏହା ପୂର୍ବପ୍ରମାଣିତ। ପୁଣି ଆମେରିକା ଓ ବ୍ରିଟେନ ଭଳି ଦୁଇ ମହାଶକ୍ତି ଇସ୍ରାଏଲର ମିତ୍ରରାଷ୍ଟ୍ର। ଇତିମଧ୍ୟରେ ଆମେରିକୀୟ ରାଷ୍ଟ୍ରପତି ଜୋ ବାଇଡେନ ଓ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ଇସ୍ରାଏଲ୍‌ ଗସ୍ତ କରି ସବୁ ପ୍ରକାରର ସାହାଯ୍ୟ ସହାୟତା ଯୋଗାଇଦେବାକୁ ଦେଇଚନ୍ତି ନିର୍ଭର ପ୍ରତିଶ୍ରୁତି। ଆମେରିକା ପ୍ରେରଣ କରିଚି ତା’ର ଦୁର୍ଦ୍ଧର୍ଷ ଯୁଦ୍ଧପୋତ। ତେବେ ସବୁଠୁ ବଡ଼ ପ୍ରଶ୍ନ ହମାସ୍‌, ହେଜ୍‌ବୋଲ୍ଲା ଓ ଅନ୍ୟ ଆତଙ୍କବାଦୀ ସଂଗଠନକୁ ନିର୍ମୂଳ କରିବା ନାଁରେ ଇସ୍ରାଏଲ୍‌ ନିରୀହ ପାଲେଷ୍ଟିନୀୟଙ୍କ ଜୀବନକୁ ବିପନ୍ନ କରୁନାହିଁ କି? ଗାଜା ସହରସ୍ଥିତ ଅଲ୍‌-ଅହ୍‌ଲି ଆରବ ଚିକିତ୍ସାଳୟରେ ବିସ୍ଫୋରଣ ଏ ପ୍ରଶ୍ନକୁ କରିଚି ଅଧିକ ମଜଭୁତ। ଉଭୟ ପକ୍ଷ ଏହି ଯୁଦ୍ଧ ଅପରାଧକୁ ସ୍ବୀକାର କରୁନାହାନ୍ତି; ଅଥଚ ପାଞ୍ଚ ଶହ ନିରୀହ ଲୋକଙ୍କ ଏକାଥରକେ ଲିଭିଗଲା ଜୀବନଦୀପ ଅଭୟସ୍ଥାନ ଧରାଯାଉଥିବା ଚିକିତ୍ସାଳୟରେ। ଇସ୍ରାଏଲ୍‌ ଦାବି କରୁଚି ଯେ ପାଲେଷ୍ଟିନୀୟ ଇସ୍‌ଲାମିକ୍‌ ଜିହାଦ୍‌ (ପିଆଇଜେ) ନାମକ ଆଉ ଏକ ସନ୍ତ୍ରାସବାଦୀ ଗୋଷ୍ଠୀର ଏକ ଲକ୍ଷ୍ୟହୀନ କ୍ଷେପଣାସ୍ତ୍ର ପଡ଼ିବା ଦ୍ବାରା ଘଟିଚି ବିସ୍ଫୋରଣ; କିନ୍ତୁ ଘଟନାର ଅଳ୍ପସମୟ ଭିତରେ ସାମାଜିକ ଗଣମାଧ୍ୟମରେ ଇସ୍ରାଏଲ କର୍ତ୍ତୃପକ୍ଷଙ୍କ ବିବୃତି ଓ ତାକୁ ହଟାଇଦେବା ଭଳି ଘଟନା ଇସ୍ରାଏଲ୍‌ର ଦାବିକୁ କରିଚି ସଂଶୟାଚ୍ଛନ୍ନ। 


ଇତିମଧ୍ୟରେ ଇସ୍ରାଏଲ୍‌ ୱେଷ୍ଟବ୍ୟାଙ୍କ୍‌ (ଜୋର୍ଡାନ ନଦୀର ପଶ୍ଚିମ ଭାଗରେ ଥିବାରୁ ଏହିପରି ନାମିତ)ରେ ମଧ୍ୟ ଆକ୍ରମଣ କରି ଶତାଧିକ ପାଲେଷ୍ଟିନୀୟଙ୍କ ଜୀବନ ନେଲାଣି। ଏଠାରେ ୧୯୯୩ର ଓସ୍‌ଲୋ ଚୁକ୍ତି ପରେ ଅନ୍ତରୀଣ ସରକାର ଭାବେ ପାଲେଷ୍ଟାଇନ ପ୍ରାଧିକରଣ ଗଠିତ ହୋଇଥିଲା ଏବଂ ତାକୁ ୱେଷ୍ଟ୍‌ବ୍ୟାଙ୍କ ଓ ଗାଜାପଟିର କିଛି ଅଂଶରେ ସୀମିତ ସ୍ବଶାସନ ପାଇଁ ଅନୁମତି ମିଳିଥିଲା। ଏବେ ପ୍ରାଧିକରଣର ଅଧ୍ୟକ୍ଷ ଥିବା ମହମୁଦ ଆବ୍‌ବାସ ୨୦୦୫ରେ ଚାରିବର୍ଷ ପାଇଁ ନିର୍ବାଚିତ ହୋଇଥିଲେ ହେଁ ଏ ପର୍ଯ୍ୟନ୍ତ ଚଉକି ଛାଡ଼ୁନାହାନ୍ତି କି କରାଉନାହାନ୍ତି ନିର୍ବାଚନ; ତେଣୁ ପାଲେଷ୍ଟିନୀୟଙ୍କ ମଧ୍ୟରେ ନାହିଁ ଆଉ  ତାଙ୍କର ପୂର୍ବ ଲୋକପ୍ରିୟତା। ଏପରିକି ଏକ ସର୍ବେକ୍ଷଣ ଅନୁସାରେ ଅଧିକ ଲୋକ ତାଙ୍କ ଅପେକ୍ଷା ହମାସ୍‌ ମୁଖ୍ୟଙ୍କ ହାତରେ ଶାସନ ଭାର ଦେବାପାଇଁ ଉତ୍ସୁକ। ଏସବୁ ଦୃଷ୍ଟିରୁ ପାଲେଷ୍ଟିନୀୟଙ୍କ ପାଇଁ ବର୍ତ୍ତମାନ ଅତ୍ୟନ୍ତ କଠିନ ସମୟ। ଏଇନା ଇସ୍ରାଏଲ୍‌ର ଆକ୍ରମଣ ବିରୋଧରେ ଓ ପାଲେଷ୍ଟାଇନ ସପକ୍ଷରେ ଆରବ ଦେଶଗୁଡ଼ିକରେ ପ୍ରତିବାଦ ଶୋଭାଯାତ୍ରାମାନ ଆୟୋଜନ ହେଉଛି ସତ, କିନ୍ତୁ ଇସ୍ରାଏଲ୍‌ ସେଥିପ୍ରତି ଭ୍ରୂକ୍ଷେପ କରୁନାହିଁ ଓ ଆଗାମୀ ଦିନରେ ବି କରିବାର ସମ୍ଭାବନା ନାହିଁ। ସେ ଜାଣେ ଯେ ଆରବ ରାଷ୍ଟ୍ର ତା’ର ସେଭଳି କିଛି କ୍ଷତି କରିପାରିବେ ନାହିଁ। ଇସ୍ରାଏଲ୍‌ ଗାଜାର ଉତ୍ତର ଭାଗରୁ ଦକ୍ଷିଣ ଭାଗକୁ ପ୍ରାୟ ଦଶ ଲକ୍ଷ ଲୋକଙ୍କୁ ପଳାୟନ କରିବାକୁ ବାଧ୍ୟ କରିବା ପରେ ସେହି ଲୋକେ ଏବେ ସମ୍ପୂର୍ଣ୍ଣ ବାସ୍ତୁହରା; ପ୍ରତି ମୁହୂର୍ତ୍ତର ଅନିଶ୍ଚିତତା ସେମାନଙ୍କ ପାଇଁ ଆଣିଚି ଅସହଣୀୟ ଯନ୍ତ୍ରଣା। ପଡ଼ୋଶୀ ଇଜିପ୍ଟ ଓ ଜୋର୍ଡାନ ପାଲେଷ୍ଟାଇନ ପକ୍ଷରେ ବିବୃତି ଦେଉଥିଲେ ହେଁ ସେମାନଙ୍କୁ ଶରଣ ଦେବାକୁ ସ୍ପଷ୍ଟ କରିଦେଇଚନ୍ତି ମନା। ଏପରି ସ୍ଥିତିରେ କୁଆଡ଼େ ଯିବେ ପାଲେଷ୍ଟାଇନବାସୀ! ଲକ୍ଷ୍ୟଣୀୟ ଯେ ଇସ୍ରାଏଲ୍‌-ହମାସ୍‌ ସଂଘର୍ଷ କ୍ରମେ ଇସ୍ରାଏଲ୍‌-ପାଲେଷ୍ଟାଇନ ସଂଘର୍ଷ​‌େ​‌ର ପରିଣତ ହେଉଛି, ଯାହା ଭବିଷ୍ୟତର ଗତିପଥକୁ ଆହୁରି କଣ୍ଟକିତ କରିବାକୁ ଯଥେଷ୍ଟ। ଇତିହାସରେ ଏହାର ପ୍ରମାଣ ଦର୍ଶନୀୟ।


ଯେଉଁ ସମୟରେ ଏସିଆ-ଆଫ୍ରିକା ମହାଦେଶରେ ଔପନିବେଶିକ ଶାସନର ଅନ୍ତ ହେବାକୁ ଯାଉଥିଲା, ସେତେବେଳେ ବ୍ରିଟିଶ ଶାସିତ ପାଲେଷ୍ଟାଇନରେ ଇହୁଦୀଙ୍କୁ ଏକ ଉପନିବେଶ ନିର୍ମାଣର ଅନୁମତି ଦିଆଗଲା; ଯାହାର ନାଁ ରହିଲା ଇସ୍ରାଏଲ୍‌। ଯେଉଁଦିନ ଏ ନୂଆ ରାଷ୍ଟ୍ର ନିର୍ମାଣର ଘୋଷଣା ହେଲା, ସେହିଦିନ ହିଁ ପୋତି ଦିଆଗଲା ଯୁଦ୍ଧର ବୀଜ। ୧୯୪୮ରେ ସହସ୍ରାଧିକ ପାଲେଷ୍ଟିନୀୟଙ୍କୁ ସେମାନଙ୍କ ଭିଟାମାଟିରୁ ଘଉଡ଼ାଇ ଦିଆଗଲା, ଯେଉଁମାନେ ଜୋର୍ଡାନ, ଲେବାନନ, ସିରିୟା ଓ ମିଶର (ଇଜିପ୍ଟ) ଭଳି ପଡ଼ୋଶୀ ଦେଶରେ ଶରଣାର୍ଥୀ ଭାବେ ରହିବାକୁ ବାଧ୍ୟହେଲେ। କ୍ରମେ ଉଭୟଙ୍କ ମଧ୍ୟରେ ପ୍ରତିରୋଧ ଆନ୍ଦୋଳନ ଆରମ୍ଭ ହୋଇଗଲା। ପାଲେଷ୍ଟାଇନ ପକ୍ଷରେ ମିଶର ଓ ସିରିୟା ଥିବାବେଳେ ଇସ୍ରାଏଲ୍‌ ସହିତ ଥିଲେ ଆମେରିକା ଓ ପାଶ୍ଚାତ୍ୟ ରାଷ୍ଟ୍ର। ପ୍ରାୟ ଦୁଇ ଦଶନ୍ଧି ଧରି ଚାଲିଲା ଏ ଯୁଦ୍ଧ, ଯାହାର ଆମେରିକା-ସୋଭିଏତ୍‌ ଶୀତଳ ଯୁଦ୍ଧ ସହ ଦେଖାଯାଏ ସାମଞ୍ଜସ୍ୟ। ୧୯୬୭ରେ ଆଶ୍ଚର୍ଯ୍ୟଜନକ ଭାବେ ଆକ୍ରମଣ କରି ଇସ୍ରାଏଲ ଛଅ ଦିନ ଭିତରେ ଗାଜା ସମେତ ଜୋର୍ଡାନର ପଶ୍ଚିମ ତଟ, ସିରିୟାର ଗୋଲାନ ହାଇଟ୍ସ ଓ ମିଶରର ସିନାଇ ଦ୍ବୀପକୁ କରିନେଲା ଅକ୍ତିଆର। ୧୯୭୩ରେ ମିଶର ସେନା ଇସ୍ରାଏଲ ଉପରେ ଆକ୍ରମଣ କଲା ଏବଂ ୧୯୭୮ରେ ଏକ ଶାନ୍ତିଚୁକ୍ତିରେ ସିନାଇ ଦ୍ବୀପକୁ ମିଶରକୁ ଇସ୍ରାଏଲ୍‌ ଫେରାଇ ଦେଲା; କିନ୍ତୁ ଜେରୁଜେଲମ୍‌ ସମେତ ୱେଷ୍ଟ୍‌ବ୍ୟାଙ୍କ ଓ ଗାଜା ଉପରେ ଜାରି ରଖିଲା ନିୟନ୍ତ୍ରଣ। ଏହିପରି କ୍ରମେ ପାଲେଷ୍ଟାଇନ ହରାଇଲା ତା’ର ଅସଲ ସତ୍ତା। ପରେ ୟାସିର୍‌ ଆରାଫତଙ୍କ ନେତୃତ୍ବରେ ଏକ ମୁଖ୍ୟ ରାଜନୈତିକ ପ୍ରତିରୋଧୀ ସଂଗଠନ ଭାବେ ପାଲେଷ୍ଟାଇନ ମୁକ୍ତି ସଂଗଠନ(ପିଏଲ୍‌ଓ)ର ଘଟିଲା ଅଭ୍ୟୁଦୟ। 


ପିଏଲ୍‌ଓ ନେତୃତ୍ବରେ ହିଁ ପାଲେଷ୍ଟାଇନ ପ୍ରାଧିକରଣ ହୋଇଥିଲା ଗଠିତ, କିନ୍ତୁ ଏ ପର୍ଯ୍ୟନ୍ତ ତା’ର ଲକ୍ଷ୍ୟ ରହିଚି ଅପୂର୍ଣ୍ଣ; ସ୍ବାଧୀନ ପାଲେଷ୍ଟାଇନ ରାଷ୍ଟ୍ର ଏବେ ବି ସ୍ବପ୍ନ। ଏଥିପାଇଁ ଇସ୍ରାଏଲ୍‌ର ଜିଦ୍‌ ବେଶି ଦାୟୀ। ସଂଯୁକ୍ତ ରାଷ୍ଟ୍ର ଅନୁଯାୟୀ, ଜେରୁଜେଲମ୍‌ର ପଶ୍ଚିମ ଭାଗ ଇସ୍ରାଏଲ୍‌ର ଓ ପୂର୍ବ ଭାଗ ପାଲେଷ୍ଟାଇନର, କିନ୍ତୁ ଇସ୍ରାଏଲ୍‌ ସମଗ୍ର ଜେରୁଜେଲମ୍‌କୁ ଅକ୍ତିଆର କରି ତାକୁ ନିଜର ରାଜଧାନୀ ଦାବି କରିବା ସହ ସେଠାରେ ନିର୍ମାଣ କରିଚି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଆଦିଙ୍କ ନିବାସ ହର୍ମ୍ୟ। ସ୍ମରଣୀୟ ଯେ ଜେରୁଜେଲମ୍‌ ହେଉଚି ସେହି ସ୍ଥାନ, ଯେଉଁଠି ରହିଚି ଇହୁଦୀ, ଇସାଇ (ଖ୍ରୀଷ୍ଟିଆନ) ଓ ଇସ୍‌ଲାମ୍‌, ତିନି ଆବ୍ରାହମୀୟ ଧର୍ମାବଲମ୍ବୀଙ୍କ ପବିତ୍ର ପୀଠ। ଦ୍ବିତୀୟତଃ, ଜୋର୍ଡାନ ନଦୀର ପଶ୍ଚିମ ତଟରେ ଇସ୍ରାଏଲ ଦ୍ବାରା ଇହୁଦୀ ବସତି ସ୍ଥାପନ। ସଂଯୁକ୍ତ ରାଷ୍ଟ୍ର ଏହାକୁ ସ୍ପଷ୍ଟରୂପେ ବେଆଇନ ଘୋଷିତ କରିଥିଲେ ହେଁ ଦକ୍ଷିଣପନ୍ଥୀ ନେତନ୍ୟାହୁ ସରକାର ଏହାକୁ ଦେଇଚାଲିଚି ପ୍ରୋତ୍ସାହନ। ଏ ଅଞ୍ଚଳରେ ପାଲେଷ୍ଟିନୀୟ ଓ ଇହୁଦୀଙ୍କ ମଧ୍ୟରେ ସଂଘର୍ଷ ଏକ ନିତ୍ୟନୈମିତ୍ତିକ ଘଟନା। ତୃତୀୟତଃ, ପାଲେଷ୍ଟାଇନ ସ୍ବାଧୀନ ରାଷ୍ଟ୍ର ହେଲେ ମଧ୍ୟ ତାକୁ ସଂପୂର୍ଣ୍ଣ ସ୍ବାୟତ୍ତତା ବା ସାର୍ବଭୌମତ୍ବ ଦିଆଯିବ ନାହିଁ ବୋଲି ସ୍ପଷ୍ଟ କହିଚି ଇସ୍ରାଏଲ୍‌। ଅତଏବ ତଥାକଥିତ ‘ଟୁ-ନେସନ ଥିଓରି’ ଏଇଠି ମନେହେଉଚି ନିଷ୍ଫଳ।  ଅତୀତ ଅପରିବର୍ତ୍ତନୀୟ। ଏକଦା ନିଜର ଅସ୍ତିତ୍ବ ରକ୍ଷା ପାଇଁ ପ୍ରାଣପଣେ ସଂଘର୍ଷ କରୁଥିବା ଇସ୍ରାଏଲ୍‌ ପାଲେଷ୍ଟାଇନର ଅଧିକାଂଶ ଭାଗକୁ କବ୍‌ଜା କରି ଗିଳିଦେବାକୁ ବସିଚି ଗୋଟାପଣେ। ସତେଯେମିତି ‘ଜୋର୍‌ ଯା’ର୍‌ ମୁଲକ ତାର’ କଥାଟି ଇସ୍ରାଏଲ୍‌ ପକ୍ଷରେ ହୋଇଛି ସତ୍ୟ ସାବ୍ୟସ୍ତ। ଏପରିକି ପାଲେଷ୍ଟିନୀୟଙ୍କ ରାଜନୈତିକ ଅସ୍ତିତ୍ବକୁ ମଧ୍ୟ ଇସ୍ରାଏଲ୍‌ ଦିଏ ନାହିଁ ସ୍ବୀକୃତି! ସବୁଠୁ ବଡ଼ ପ୍ରଶ୍ନ, ହମାସ୍‌କୁ ନିର୍ମୂଳ କରିବା ସହଜ ନହେଲେ ହେଁ ଯଦିବା ଧରାଯାଏ ଯେ ତାହା ବାସ୍ତବ ରୂପ ନେବ, ତେବେ ତା’ପରେ କିଏ ହେବ ଗାଜାର ଶାସନକର୍ତ୍ତା ଏବଂ କ’ଣ ହେବ ଯୁଦ୍ଧ ପରବର୍ତ୍ତୀ ଯୋଜନା? 


ସ୍ମରଣରେ ରହୁ ଯେ ୨୦୦୧ ସନ୍ତ୍ରାସବାଦୀ ଆକ୍ରମଣ ପରେ ଆମେରିକା ଆଫଗାନିସ୍ତାନ ଓ ଇରାକ୍‌ରେ ରଚିଲା ଯୁଦ୍ଧ ବିଭୀଷିକା। ଲକ୍ଷ୍ୟ ଥିଲା, ତାଲିବାନ ଓ ଅଲ୍‌-କାଏଦାକୁ ନିର୍ମୂଳ କରିବା ଏବଂ ସେହି ଛଳରେ ସଦ୍ଦାମ ହୁସେନ ଶାସନର ପତନ। ଦୁଇ ଦଶନ୍ଧି ପରେ ଦେଖାଗଲା ଯେ କେବଳ ତାଲିବାନ କାବୁଲ୍‌ ଶାସନକୁ ହାତେଇ ନାହିଁ, ଇରାକ୍‌ ମଧ୍ୟ ଚାଲିଯାଇଛି ଇରାନର ଛାୟା ପ୍ରତିନିଧିଙ୍କ ହାତକୁ, ଯାହା ମନେହେଉଛି ଆହୁରି ବେଶି ଘାତକ। ହମାସ୍‌ ଆକ୍ରମଣ ଓ ଇସ୍ରାଏଲ୍‌ର ପ୍ରତିଆକ୍ରମଣର ତତ୍କାଳ ପ୍ରଭାବ ଯାହା ଉପରେ ପଡ଼ିବ, ତାହା ହେଲା ଆବ୍ରାହମ୍‌ ଏକର୍ଡସ୍‌ ପିସ୍ ଏଗ୍ରିମେଣ୍ଟ ବା ଆରବ-ଇସ୍ରାଏଲ୍‌ ଶାନ୍ତି ଚୁକ୍ତି (୧୫ ସେପ୍ଟେମ୍ବର ୨୦୨୦), ଯେଉଁଥିରେ ବାହାରେନ୍, ୟୁଏଇ, ସୁଦାନ, ମରକ୍କୋ ସାମିଲ ଥିଲେ (ପୂର୍ବରୁ ଇଜିପ୍ଟ ଓ ଜୋର୍ଡାନ ସହ ଶାନ୍ତି ଚୁକ୍ତି ସରିଥିଲା) ଏବଂ ଏଥିରେ ନିକଟ ଭବିଷ୍ୟତରେ ସାଉଦି ଆରବ ଅନ୍ତର୍ଭୁକ୍ତ ହେବାର ଚାଲିଥିଲା ପ୍ରସ୍ତୁତି। ଏ ଚୁକ୍ତି​ରେ ଯେଉଁ ଆରବ ରାଷ୍ଟ୍ରସମୂହ ଓ ଇସ୍ରାଏଲ୍‌ ମଧ୍ୟରେ ଶାନ୍ତି ଓ ସ୍ବାଭାବିକ ସ୍ଥିତି କାମନା କରାଯାଇଥିଲା, ତାହା ଫଳପ୍ରସୂ ହେବାର ସମ୍ଭାବନା ଏବେ ସଂକଟଗ୍ରସ୍ତ। ବର୍ତ୍ତମାନ ଗାଜା ଓ ୱେଷ୍ଟ୍‌ବ୍ୟାଙ୍କ୍‌ ପାଇଁ ନୂତନ ଭାବେ ଉଭୟ ପକ୍ଷ ଚିନ୍ତା କରିବାର ସମୟ। ପିଠାକଳିରେ ତୃତୀୟର ଲାଭ ହେବା ଭଳି ଇସ୍ରାଏଲ୍‌-ହମାସ୍‌ ଲଢ଼େଇରେ ଅନ୍ୟମାନେ ଲାଭ ଉଠାଇବାର ମଉକା ଖୋଜିବାରେ ବ୍ୟସ୍ତ। ଇରାନ ‘ଆବ୍ରାହମ୍‌ ଏକର୍ଡ’କୁ ମୃତ ଘୋଷଣା କରିଥିବାବେଳେ ରୁଷିଆ ପାଇଁ ଏହା ସାବ୍ୟସ୍ତ ହୋଇଛି ବରଦାନ, କାରଣ ବିଶ୍ବସମୁଦାୟର ଦୃଷ୍ଟି ଏବେ ୟୁକ୍ରେନ୍‌ରୁ ଆସି ପହଞ୍ଚିଚି ମଧ୍ୟପୂର୍ବରେ। ଆମେରିକା ତା’ ଉପରେ ଇସ୍ରାଏଲ୍‌ର ନିର୍ଭରଶୀଳତାକୁ ବଢ଼ାଇବାକୁ ଚାହୁଁଚି ଏବଂ ସେଥିରେ ସଫଳ ହୋଇଚି। ମଧ୍ୟପ୍ରାଚ୍ୟରେ ଅସ୍ଥିରତା ଆଳରେ ମଧ୍ୟପ୍ରାଚ୍ୟରୁ ଏସିଆ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ନିଜର ସାଧନକୁ ପ୍ରେରଣ/ମୁତୟନ କରିବାକୁ ଚାହେଁ, ଯେପରିକି ତା’ର ଚିର ପ୍ରତିଦ୍ବନ୍ଦ୍ବୀ ଚୀନକୁ କରିପାରିବ ପ୍ରତିହତ। 


ଲାଗୁଚି କେବଳ ପାଲେଷ୍ଟାଇନ୍‌ବାସୀଙ୍କ ବ୍ୟତୀତ ସଭିଏଁ ହେବେ ଯୁଦ୍ଧବିଜୟୀ। ଗାଜାର ବିଦୀର୍ଣ୍ଣ ବସୁଧାରେ ବସି ହୟା ନାମ୍ନୀ କୁନିଝିଅଟି ଲେଖିଥିବା ଅନ୍ତିମ ଇଚ୍ଛାପତ୍ର (ଉଇଲ୍‌) ପଢ଼ିବାକୁ ବି କାହାର ନଥିବ ଫୁରସତ୍‌ (ଆରବ୍‌ ନେଟୱର୍କ ଫର୍‌ ଆର୍ଲି ଚାଇଲ୍‌ଡ଼ହୁଡ଼ ୱେବ୍‌ସାଇଟ୍‌ରେ ପ୍ରଦତ୍ତ), ଯେଉଁଥିରେ ସେ ସମ୍ଭାବ୍ୟ ମରଣ ପୂର୍ବରୁ ନିଜର ସାମାନ୍ୟ ସଞ୍ଚିତ ଅର୍ଥ, ପୋଷାକ ଓ ଜୋତାକୁ ଦାନ କରିବାକୁ କରିଚି ନିବେଦନ! ତଥାପି ବିଶ୍ବବାସୀଙ୍କୁ ଇସ୍ରାଏଲ୍‌ର ପକ୍ଷ ନେବାବେଳେ ବୁଝିବାକୁ ହିଁ ହେବ ଭୀତତ୍ରସ୍ତ ହୟାର ବେଦନା, ଯୁଦ୍ଧବିଧ୍ବସ୍ତ ଗାଜାର ଡାକ; ଯେଉଁଠି ଏବେ ପ୍ରତିଧ୍ବନିତ ହେଉଚି ପାଲେଷ୍ଟାଇନର ଜାତୀୟ କବି ମହମୁଦ ଦାରୱିଶ୍‌ଙ୍କ ଶବ୍ଦ ‘‘ମୋ ଜନ୍ମଭୂମି ଗୋଟାଏ ସୁଟ୍‌କେଶ୍‌ ନୁହଁ ଏବଂ ମୁଁ ନୁହେଁ ଜଣେ ପର୍ଯ୍ୟଟକ!’’ ଶାନ୍ତି ପାଇଁ ଯୁଦ୍ଧ କ’ଣ ଜରୁରୀ?

(‘ସମାଜ’ରେ ୨୨.୧୦.୨୩ରେ ପ୍ରକାଶିତ)

Read More

ଶାସନ ଓ ସିନେମା

Leave a Comment



ଅଶୋକ

ପତ୍ନୀକୁ ରାଜସିଂହାସନରେ ଅଧିଷ୍ଠିତ କରାଯିବାକୁ ଥିବାରୁ ମହଙ୍ଗା ଅଳଙ୍କାର କିଣିବା ପାଇଁ ଅର୍ଥାଭାବ ହେବାପରେ ଡ୍ୟୁକ୍‌ ଅଫ୍ ଉର୍ଟେମ୍‌ବର୍ଗ ବେଇମାନ ସୁଧଖୋର୍‌ ଜୋସେଫ୍‌ ସୁ ଓପେନହାଇମର୍‌ଙ୍କ ନିକଟକୁ ଗଲେ। ଦୁଷ୍ଟ ଇହୁଦୀ ସୁ ପ୍ରଥମେ ଡ୍ୟୁକ୍‌(ଏକ ରାଜକୀୟ ଉପାଧି)ଙ୍କୁ ଦୁର୍ନୀତିପରାୟଣ କଲା ଏବଂ କାରାଗାରକୁ ପଠାଇଦେଲା। ପରେ ତାଙ୍କୁ କାରାଗାରରୁ ଉଦ୍ଧାର କରିବା ବାହାନାରେ ତାଙ୍କ ପତ୍ନୀ ନିର୍ଦୋଷ ଡୋରୋଥିୟା ଷ୍ଟର୍ମକୁ ବଳାତ୍କାର କଲା। ଏଥିରେ ମର୍ମାହତ ଡୋରୋଥିୟା ଆତ୍ମହତ୍ୟା କଲେ। ଏହାପରେ କ୍ରୋଧିତ ସହରବାସୀ ସୁ’କୁ ସର୍ବସାଧାରଣରେ ଫାଶୀଖୁଣ୍ଟରେ ଝୁଲାଇଦେଲେ ଏବଂ ଇହୁଦୀମାନଙ୍କୁ ଉର୍ଟେମବର୍ଗରୁ ବାହାର କରିଦେଲେ।


ମୋଟାମୋଟି ଏହା ହେଉଛି ୧୯୪୦ରେ ନାଜୀ ଜର୍ମାନୀରେ ନିର୍ମିତ ବିଶ୍ବକୁଖ୍ୟାତ ଚଳଚ୍ଚିତ୍ର ‘ଜ୍ୟୁଡ ସୁ’(ସୁ ଦି ଜିଉ)ର କାହାଣୀ । ଏ ଚଳଚ୍ଚିତ୍ର ଦେଖିବାକୁ ଦେଶର ଦୁଇ କୋଟିରୁ ଅଧିକ ଲୋକଙ୍କ ଧାଡ଼ି ଲାଗେ। ୟାଙ୍କ ମଧ୍ୟରେ ଥାଆନ୍ତି ନାଜୀ ‘ଡେଥ୍‌ ସ୍କ୍ବାଡ’ର ସୈନିକ, ବୁର୍ଜୁଆ; ବର୍ଲିନ ଆଖପାଖ ବାସିନ୍ଦା ଓ ନାଜୀ ଶାସନାଧୀନ(ଥାର୍ଡ ରାଇକ୍‌) ଅର୍ଦ୍ଧେକ ଲୋକ। ନାଜୀ ‘ପ୍ରୋପାଗଣ୍ଡା’ ମନ୍ତ୍ରୀ ଜୋସେଫ୍ ଗୋଏବଲ୍ସ ୧୮ ଅଗଷ୍ଟ ୧୯୪୦ରେ ନିଜ ଡାଏରିରେ ଲେଖୁଛନ୍ତି: ‘ଅନ୍ତତଃ ଗୋଟାଏ ଇହୁଦୀ-ବିରୋଧୀ ଚଳଚ୍ଚିତ୍ର ଆସିଲା।’ ନାଜୀ ଶାସନରେ ଚଳଚ୍ଚିତ୍ର ଉପରେ ସ୍ବତନ୍ତ୍ର ଗବେଷଣା କରିଥିବା ଐତିହାସିକ ସୁସାନ ଟେଗେଲ୍‌ଙ୍କ ଭାଷାରେ, ଏହି ସ୍ବତନ୍ତ୍ର ଚଳଚ୍ଚିତ୍ର ପ୍ରଦର୍ଶନ ପରେ କାରାରକ୍ଷୀମାନେ ଇହୁଦୀ କଏଦୀଙ୍କୁ ଅଧିକ ନିର୍ଯାତନା ଦେବାକୁ ପାଆନ୍ତି ପ୍ରେରଣା। 


ପୃଥିବୀରେ ଚଳଚ୍ଚିତ୍ରର ଉନ୍ମେଷ ହୋଇଥିଲା ଔଦ୍ୟୋଗିକ ପୁଞ୍ଜିବାଦର ଯୁଗରେ, ନିର୍ବାକ୍‌ ରୂପରେ। ପରେ ଏହାକୁ ଏକ ‘କଳା’ ଭାବେ ଦେଖାଗଲା, ଯାହା ଥିଏଟର/ମଞ୍ଚ ନାଟକଠାରୁ ଅଧିକ ବିସ୍ତୃତି ଲାଭ କଲା ଏବଂ ଏଥିରେ ସଂଳାପ, ଗୀତ ଓ ନୃତ୍ୟ ସବୁକିଛି ହେଲା ଅନ୍ତର୍ଭୁକ୍ତ। ଦର୍ଶକ ହୃଦୟରେ ଅଲିଭା ସ୍ବାକ୍ଷର ଛାଡ଼ିଯାଉଥିବା ଦୃଶ୍ୟଶ୍ରାବ୍ୟର ଏପରି ଏକ ଅନନ୍ୟ ଓ ଶକ୍ତିଶାଳୀ ମାଧ୍ୟମ ପାଲଟିଗଲା, ଯାହା ମନେହେଲା ଅବିକଳ୍ପ। କିନ୍ତୁ ଏହା କ’ଣ କେବଳ କଳା ଭିତରେ ରହିଲା ସୀମିତ? ନା; ଖୁବ୍‌ଶୀଘ୍ର ଏହା ପାଲଟିଗଲା ‘ପ୍ରୋପାଗଣ୍ଡା’ ବା ନ୍ୟସ୍ତସ୍ବାର୍ଥ ହାସଲ ପାଇଁ ଅସତ୍ୟ/ଅର୍ଦ୍ଧସତ୍ୟ/ଭ୍ରମ ପ୍ରଚାରର ଏକ ଶାସକପ୍ରିୟ  ଗଣମାଧ୍ୟମ। ନାଜୀ ଶାସନ ଆରମ୍ଭରୁ ହିଁ ବୁଝିଯାଇଥିଲା ଯେ ଭ୍ରମ/ଭ୍ରାନ୍ତି ସୃଷ୍ଟିକାରୀ ଚଳଚ୍ଚିତ୍ର ସହାୟତାରେ ଶାସିତଙ୍କ ମନକୁ ଭୁଲାଇ ଦେବା ବା ଆକର୍ଷିତ କରିବା ସହଜ। ତେଣୁ ପ୍ରଥମ ବିଶ୍ବଯୁଦ୍ଧ ପରେ ଦେଶର ଅଶାନ୍ତ ଯୁବପିଢ଼ିକୁ ଶାନ୍ତ କରିବା ପାଇଁ ଶାସନ-ନିୟନ୍ତ୍ରିତ ଚଳଚ୍ଚିତ୍ର ନିର୍ମାଣ କମ୍ପାନୀ ୟୁନିଭର୍ସମ୍‌ ଫିଲ୍ମସ(ୟୁଏଫ୍‌ଏ)ର ଚଳଚ୍ଚିତ୍ର ‘ଅକ୍ତେନ’କୁ ବ୍ୟବହାର କରାଯାଇଥିଲା। ପ୍ରକୃତରେ ନାଜୀ ପାର୍ଟି ୧୯୩୩ରେ ୟୁନିଭର୍ସମ୍‌ର ଅଧିଗ୍ରହଣ ପରେ ୧୯୩୭ରେ ହିଟଲର ତା’ର ଜାତୀୟକରଣ କରିବା ସହ ‘ପ୍ରୋପାଗଣ୍ଡା ମିନିଷ୍ଟ୍ରି’ ଅଧୀନରେ ରଖିଲେ। ଇଏ ଥିଲା ପ୍ରୋପାଗଣ୍ଡା ମନ୍ତ୍ରୀ ଗୋଏବଲ୍ସଙ୍କ ତୀକ୍ଷ୍ଣ ମସ୍ତିଷ୍କର କରାମତି। ଇତିହାସ କହୁଚି, ୧୯୩୩ରୁ ୧୯୪୫ ମସିହା ମଧ୍ୟରେ ନାଜୀ ଜର୍ମାନୀରେ ଏଗାର ଶହଟି ଚଳଚ୍ଚିତ୍ର ନିର୍ମିତ ହୋଇଥିଲା, ଯେଉଁଥିରୁ ନବେ ଶତାଂଶ ଥିଲା ରାଜନୈତିକ ବିଚାରଧାରା ପ୍ରଣୋଦିତ ଓ ସ୍ବତନ୍ତ୍ର ମତବାଦ ପ୍ରଖ୍ୟାପନକାରୀ। ଏହା ମଧ୍ୟରେ  ପ୍ରସିଦ୍ଧ ନିର୍ଦେଶିକା-ଅଭିନେତ୍ରୀ ଲେନି ରିଫେନଷ୍ଟଲ୍‌ଙ୍କ ଦି ଭିକ୍ଟରି ଅଫ୍ ଫେଥ (୧୯୩୩), ଟ୍ରାଇମ୍ଫ୍‌ ଅଫ୍ ଦ ୱିଲ୍‌ (୧୯୩୫), ଅଲିମ୍ପିଆ (୧୯୩୮) ଆଦି ଅନ୍ତର୍ଭୁକ୍ତ। ତେବେ ନାଜୀ ଚଳଚ୍ଚିତ୍ର ଉଦ୍ୟୋଗର ବହୁ ପୂର୍ବରୁ ହିଁ ନ୍ୟସ୍ତସ୍ବାର୍ଥ ପ୍ରଣୋଦିତ ଚଳଚ୍ଚିତ୍ର ନିର୍ମାଣର ଧାରା ଆରମ୍ଭ ହୋଇଥିଲା ଯୁକ୍ତରାଷ୍ଟ୍ର ଆମେରିକାର ‘ହଲିଉଡ଼’ରେ। ଏହାର ପୁରୋଭାଗରେ ଥିଲେ ପ୍ରଖ୍ୟାତ ନିର୍ଦେଶକ ଡବ୍ଲ୍ୟୁ.ଜି. ଗ୍ରିଫିଥ୍, ଯିଏ ନିର୍ମାଣ କରିଥିଲେ ଦ ବାର୍ଥ ଅଫ୍ ଏ ନେସନ ୧୯୧୫ରେ। ଏହା ମୂଳରେ ଥିଲା ଶ୍ବେତାଙ୍ଗ ଆଧିପତ୍ୟ ପ୍ରତିଷ୍ଠା। ଏ ଚଳଚ୍ଚିତ୍ରର କାହାଣୀ ଆରମ୍ଭ ହୁଏ ଆମେରିକୀୟ ଗୃହଯୁଦ୍ଧରୁ ଏବଂ ଶେଷ ହୁଏ କୁଖ୍ୟାତ କୁ କ୍ଲକ୍ସ କ୍ଲାନ୍‌(ସନ୍ତ୍ରାସ ସୃଷ୍ଟିକାରୀ ଏକ ଶ୍ବେତାଙ୍ଗ ଆଧିପତ୍ୟବାଦୀ ଦକ୍ଷିଣପନ୍ଥୀ ଗୋଷ୍ଠୀ, ଯାହାର ମୁଖ୍ୟ ନିଶାଣ ଆମେରିକୀୟ କୃଷ୍ଣକାୟ, ଇହୁଦୀ, ପ୍ରବାସୀ, ବାମପନ୍ଥୀ, ମୁସଲମାନ ଓ ନିରୀଶ୍ବରବାଦୀ)ର ଗୌରବଗାନରେ। ବିଶ୍ବରେ ଚଳଚ୍ଚିତ୍ର ନିର୍ମାଣର ଏହା ଆଦ୍ୟସୋପାନ ହୋଇଥିଲେ ହେଁ ବିଡ଼ମ୍ବନା ଯେ ତା’ ବି ଥିଲା ସାମାଜିକ ବାସ୍ତବବାଦ ଆଳରେ ନିରୁତା ପ୍ରୋପାଗଣ୍ଡା। ଜାତିଆଣ ଭେଦଭାବ ଯେ ସାଂସ୍କୃତିକ ସଂକୀର୍ଣ୍ଣତାକୁ ଜନ୍ମ ଦିଏ, ଏ ଚଳଚ୍ଚିତ୍ର ଥିଲା ତା’ର ଏକ ଦୃଷ୍ଟାନ୍ତ। 


ଏ କ୍ଷେତ୍ରରେ ପଛରେ ପଡ଼ିନଥିଲା ୟୁନିୟନ ଅଫ୍ ସୋଭିଏତ୍‌ ସୋସାଲିଷ୍ଟ୍‌ ରିପବ୍ଲିକ୍ (ୟୁଏସଏସ୍‌ଆର୍‌)। ସୋଭିଏତ୍‌ ବିପ୍ଳବ ପରବର୍ତ୍ତୀ ପାଞ୍ଚବର୍ଷ ପାଶ୍ଚାତ୍ୟ ଚଳଚ୍ଚିତ୍ର ଗ୍ରହଣୀୟ ଥିଲାବେଳେ ଜୋସେଫ୍‌ ଷ୍ଟାଲିନଙ୍କ ଉଦୟ ପରେ ଆସିଲା ଏକ ନୂଆ ଧରଣର ଅନୁଶାସିତ ସୋଭିଏତ୍‌ ଚଳଚ୍ଚିତ୍ରର ଯୁଗ। ଚିତ୍ର ନିର୍ମାତାଗଣ କୌଣସି ବ୍ୟକ୍ତି ବା ଘଟନାର କାହାଣୀକୁ ଚିତ୍ରାୟିତ କରିବା ବଦଳରେ ଶାସକ ପକ୍ଷରୁ ସିଧାସଳଖ ରାଷ୍ଟ୍ର ଓ ନାଗରିକଙ୍କ ସହ ତା’ର ସମ୍ବନ୍ଧ ଉପରେ ଧ୍ୟାନ କେନ୍ଦ୍ରିତ କରିବାକୁ କୁହାଗଲା। ପ୍ରସିଦ୍ଧ ଚିତ୍ରନିର୍ମାତା ସର୍ଗେଇ ଇଜେନ୍‌ଷ୍ଟେଇନଙ୍କ ‘ବ୍ୟା‌େଟଲସିପ୍‌ ପୋଟେମକିନ୍‌’ (୧୯୨୫) ଓ ‘ଦି ଓଲ୍‌ଡ ଏଣ୍ଡ୍‌ ଦି ନିଉ’ (୧୯୨୯) ଥିଲା ଅନ୍ୟ ପାଇଁ ଦିଗ୍‌ଦର୍ଶକ ସ୍ଥାନୀୟ। ବିଶ୍ବ ଚଳଚ୍ଚିତ୍ର ଇତିହାସରେ ଏ ଦୁଇଟି ତା’ର ନିଖୁଣ ଗଢ଼ଣ, କଳାତ୍ମକତା ଓ ଚିତ୍ରାୟନ ପାଇଁ ପାଇଚି ସର୍ବକାଳୀନ କ୍ଲାସିକ୍‌ର ମର୍ଯ୍ୟାଦା। ତେବେ ବିଡ଼ମ୍ବନା ଯେ ଏହା ବି ଥିଲା ପ୍ରୋପାଗଣ୍ଡାଭିତ୍ତିକ। ବିଶେଷକରି ‘ଦି ଓଲ୍‌ଡ ଏଣ୍ଡ୍ ଦି ନିଉ’। ଷ୍ଟାଲିନ ନିଜ ଦେଶର ଚାଷୀଙ୍କଠାରୁ ଜମି ଛଡ଼ାଇ ସରକାରଙ୍କ ନିୟନ୍ତ୍ରଣରେ ରଖିବା ପାଇଁ କାର୍ଯ୍ୟକାରୀ କରିଥିଲେ ଏକ ଯୋଜନା। ଯେଉଁମାନେ ଏଥିରେ ଅସହଯୋଗ କଲେ, ସେମାନଙ୍କୁ ସେ ବଳପୂର୍ବକ କଲେ ଦଣ୍ଡିତ। ଏହି ନରମେଧ ଯଜ୍ଞରେ ପ୍ରାୟ କୋଟିଏରୁ ଅଧିକ ଲୋକ ବଳି ପଡ଼ିଥିବା ଇତିହାସ କହେ। ଏହି ସରକାରୀ କାର୍ଯ୍ୟକ୍ରମକୁ ବୈଧତା ପ୍ରଦାନ କରିବା ଥିଲା ‘ଦି ଓଲ୍‌ଡ ଏଣ୍ଡ୍‌ ଦି ନିଉ’ ଚଳଚ୍ଚିତ୍ରର ପ୍ରମୁଖ ଉଦ୍ଦେଶ୍ୟ।


ଇଉରୋପୀୟ ଦେଶ, ବିଶେଷତଃ ଜର୍ମାନୀ ଓ ସୋଭିଏତ୍‌ ରୁଷରେ ଯୁଦ୍ଧ ପାଇଁ ନାଗରିକଙ୍କୁ ପ୍ରଚୋଦିତ/ପ୍ରରୋଚିତ କରିବା ଥିଲା ରାଷ୍ଟ୍ର ନିର୍ମିତ/ପ୍ରୋତ୍ସାହିତ ଚଳଚ୍ଚିତ୍ରଗୁଡ଼ିକର ଅସଲ ଲକ୍ଷ୍ୟ। ଗାର୍ଲଫ୍ରେଣ୍ଡ୍‌ସ ଅନ୍‌ ଦି ଫ୍ରଣ୍ଟ (୧୯୪୧) ଏପରି ଚଳଚ୍ଚିତ୍ରସମୂହର ପ୍ରତିନିଧିତ୍ବ କରେ, ଯେଉଁଥିରେ ସ୍କୁଲଛାତ୍ରୀଙ୍କ ଏକ ଦଳ ଫିନଲାଣ୍ଡ ବିରୋଧରେ ଲଢ଼େଇ କରୁଥିବା ଦେଖାଯାଏ। ଏହାର ପ୍ରମୁଖ ବାର୍ତ୍ତା, ଯୁଦ୍ଧକ୍ଷେତ୍ରକୁ ସୋଭିଏତ୍‌ ଯୁବପିଢ଼ି ନିରର୍ଥକ ମରଣଲାଭ ପାଇଁ ନୁହେଁ, ବରଂ ନିଜ ପରିବାର ଓ ଦେଶପାଇଁ ଲଢ଼ିବା ଭଳି ଏକ ଅର୍ଥପୂର୍ଣ୍ଣ ପ୍ରାଣ ବିସର୍ଜନ ପାଇଁ ଯିବା ବାଞ୍ଛନୀୟ! ଏହି ‘ନିଉ ୱେଭ୍’ ଚଳଚ୍ଚିତ୍ରଗୁଡ଼ିକୁ ରାଷ୍ଟ୍ରତନ୍ତ୍ର ଏପରି ଢଙ୍ଗରେ ଉପସ୍ଥାପିତ କରୁଥିଲା, ଯେପରିକି ଲୋକେ ଶାସକଙ୍କ ଲାଗି ନିଜ ଜୀବନକୁ ମଧ୍ୟ ଉତ୍ସର୍ଗ କରିବାକୁ ରହିବେ ସଦା ପ୍ରସ୍ତୁତ। ଭ୍ଲାଦିମିର ପୁତିନଙ୍କ ଆଧୁନିକ ରୁଷିଆରେ ଚିତ୍ର ନିର୍ମାତାଙ୍କୁ ଷ୍ଟାଲିନ ଯୁଗର କଟକଣାର ସମ୍ମୁଖୀନ ହେବାକୁ ପଡ଼ୁନାହିଁ ସତ; ମାତ୍ର ସେଠା ସଂସ୍କୃତି ମନ୍ତ୍ରଣାଳୟରୁ ଅନୁମତି ହାସଲ କରିବା ଅନିବାର୍ଯ୍ୟ। ଅପରପକ୍ଷେ, ୟୁକ୍ରେନ୍ ଯୁଦ୍ଧ(୨୦୨୨)ର କିଛିବର୍ଷ ପୂର୍ବରୁ ବାଟାଲିୟନ୍‌ (୨୦୧୫) ନାମକ ଯୁଦ୍ଧ ଆଧାରିତ ଚଳଚ୍ଚିତ୍ର ହୋଇଥିଲା ନିର୍ମିତ, ଯାହାର ଅର୍ଦ୍ଧାଧିକ ଖର୍ଚ୍ଚ ବହନ କରିଥିଲା ଉକ୍ତ ମନ୍ତ୍ରଣାଳୟ। ଟି-୧୩ (୨୦୧୯) ନାମକ ଚଳଚ୍ଚିତ୍ର ମଧ୍ୟ ସରକାରୀ ସହାୟତାରେ ହୋଇଥିଲା ନିର୍ମାଣ, ଯାହା ନାଜୀଙ୍କ ଉପରେ ରେଡ୍‌ ଆର୍ମିର ବିଜୟକୁ କରିଥାଏ ଗୌରବାନ୍ବିତ।


ଲକ୍ଷ୍ୟଣୀୟ ଯେ ହଲିଉଡ଼ ଏବଂ ଇଉରୋପୀୟ ଦେଶଗୁଡ଼ିକର ଚଳଚ୍ଚିତ୍ର ଉଦ୍ୟୋଗ ଓ ଭାରତୀୟ ଚଳଚ୍ଚିତ୍ର ଉଦ୍ୟୋଗର ଅୟମାରମ୍ଭ ମଧ୍ୟରେ ବ୍ୟବଧାନ ବହୁତ ଅଧିକ ନୁହେଁ; ଅର୍ଥାତ ୧୯୧୩ରେ ଏଠାରେ ପ୍ରଥମ ନିର୍ବାକ ଚଳଚ୍ଚିତ୍ର ‘ରାଜା ହରିଶ୍ଚନ୍ଦ୍ର’ ନିର୍ମିତ ହେଲା ଏବଂ ୧୯୧୮ରେ ପ୍ରଣୀତ ହେଲା ‘ଇଣ୍ଡିଆନ ସିନେମାଟୋଗ୍ରାଫ୍ ଆକ୍ଟ’। ବ୍ରିଟିଶ ଶାସନ ଭାରତର ଦର୍ଶକ କି ପ୍ରକାର ଚଳଚ୍ଚିତ୍ର ଦେଖିବେ, ସେଥିରେ କଟକଣା ଜାରିର ବ୍ୟବସ୍ଥା କରିସାରିଥିଲା; ଅଥଚ ନିର୍ମାଣ କରାଯାଇନଥିଲା କୌଣସି ପ୍ରୋପାଗଣ୍ଡା ସିନେମା। ସମ୍ଭବତଃ ଏହାର କାରଣ ଇଂରେଜ ଭାବୁଥିଲେ ଯେ ସିନେମା ପରି କୁଳୀନ କଳାତ୍ମକ ମାଧ୍ୟମ ଦରିଦ୍ର/ଅଶିକ୍ଷିତ ଭାରତୀୟଙ୍କ ପାଇଁ ନୁହେଁ। ପରେ ୧୯୫୨ରେ ପ୍ରଣୀତ ହେଲା ସିନେମାଟୋଗ୍ରାଫ୍‌ ଆଇନର ସଂଶୋଧିତ ରୂପ, ଯାହା ଦେଶରେ ନିର୍ମିତ ଚଳଚ୍ଚିତ୍ର ଉପରେ ଶାସନକଳର ନଜର ରଖିବାର କରିଦେଲା ବ୍ୟବସ୍ଥା। ଅବଶ୍ୟ ବାରମ୍ବାର ଦେଶର ବିଶ୍ବାସ ଜିଣିଆସୁଥିବା ଶାସକ ପାଇଁ ପ୍ରୋପାଗଣ୍ଡା ଭିତ୍ତିକ ଚଳଚ୍ଚିତ୍ରର ଆବଶ୍ୟକତା ପଡ଼ିନଥିବା ହେତୁ ସ୍ବାଧୀନୋତ୍ତର ଭାରତ​‌େ​‌ର ବହୁ ଦଶନ୍ଧି ପର୍ଯ୍ୟନ୍ତ ଏହା ଦେଖିବାକୁ ମିଳେନାହିଁ। ପଚାଶ ଦଶକର ଦିଲିପ କୁମାରଙ୍କ ଚଳଚ୍ଚିତ୍ରଗୁଡ଼ିକରେ ନେହେରୁବାଦ, ରାଜକପୁରଙ୍କ ଚଳଚ୍ଚିତ୍ରରେ ସମାଜବାଦ ଓ ଗୁରୁଦତ୍ତଙ୍କ ଚଳଚ୍ଚିତ୍ରରେ ଅତୀତ ପ୍ରେମ/ବିଷାଦ ଅଧିକ ଥିବାବେଳେ ସେଗୁଡ଼ିକ କେବେ ବି ପ୍ରକାଶ୍ୟରେ ହୋଇନଥିଲା ରାଜନୈତିକ ବିଚାରଧାରାର ବାହକ। ଏପରିକି ହମ୍‌ ଦୋନୋ (୧୯୬୧), ଉପକାର (୧୯୬୭), ପୂରବ ଔର୍‌ ପଶ୍ଚିମ (୧୯୭୦) ବା କ୍ରାନ୍ତି (୧୯୮୧) ଭଳି ଯୁଦ୍ଧବିଷୟକ ଚଳଚ୍ଚିତ୍ରରେ ମଧ୍ୟ ପ୍ରକାଶ୍ୟଭାବେ ଦେଖାଯାଏ ନାହିଁ କୌଣସି ରାଜନୈତିକ ମତବାଦ। ଅବଶ୍ୟ ୧୯୭୯ର ଲୋକପ୍ରିୟ ଚଳଚ୍ଚିତ୍ର କାଲା ପଥରକୁ ଇନ୍ଦିରା ଗାନ୍ଧୀ ତାଙ୍କର କୋଇଲା ଜାତୀୟକରଣ ନୀତିକୁ ବୈଧ କରିବା ପାଇଁ ବ୍ୟବହାର କରିଥିବା କୁହାଯାଏ। ତେବେ ୨୦୦୧ର ‘ଗଦର’ରୁ ଆରମ୍ଭ ହୋଇଥିଲା ହିନ୍ଦୀ ଚଳଚ୍ଚିତ୍ରର ଏକ ନୂଆ ଧାରା, ଯେଉଁଥିରେ ‘ଇସ୍‌ଲାମୋଫୋବିଆ’ ସମ୍ଭବତଃ ପ୍ରଥମ ଥରପାଇଁ ଖୋଲାଖୋଲି ହେଲା ପ୍ରଦର୍ଶିତ। ଏହା ଥିଲା ଅଟଳ ବିହାରୀ ବାଜପେୟୀଙ୍କ ଯୁଗ। ତା’ ପରଠାରୁ ନିର୍ଦିଷ୍ଟ ଏଜେଣ୍ଡାଭିତ୍ତିକ ଚଳଚ୍ଚିତ୍ର ନିର୍ମାଣର ଧାଡ଼ି ଲାଗିଲା। ବ୍ୟକ୍ତିତ୍ବ ଆଧାରିତ ଚଳଚ୍ଚିତ୍ର ମଧ୍ୟରେ ଶିବସେନା ସୁପ୍ରିମୋଙ୍କ ଉପରେ ନିର୍ମିତ ଠାକ୍‌ରେ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଉପହାସର ପାତ୍ର କରିଥିବା ଦି ଆକ୍ସିଡେଣ୍ଟାଲ୍‌ ପ୍ରାଇମ୍‌ ମିନିଷ୍ଟର୍‌, ୱାଇଏସ୍‌ଆର୍‌ ରାଜଶେଖର ରେଡ୍ଡିଙ୍କ ଉପରେ ନିର୍ମିତ ଯାତ୍ରା, ପିଏମ୍‌ ନରେନ୍ଦ୍ର ମୋଦୀ ଇତ୍ୟାଦି ଅନ୍ତର୍ଭୁକ୍ତ। ସେହିପରି ଦି ତାସ୍‌କେଣ୍ଟ ଫାଇଲ୍ସ (୨୦୧୯), କେଶରୀ (୨୦୧୯), ପଦ୍ମାବତ୍‌ (୨୦୧୮), ମଣିକର୍ଣ୍ଣିକା (୨୦୧୯), ସମ୍ରାଟ ପୃଥ୍ବୀରାଜ (୨୦୨୨), ରାମସେତୁ (୨୦୨୨), ରାମରାଜ୍ୟ (୨୦୨୨) ପ୍ରଭୃତିକୁ ଐତିହାସିକ ଚଳଚ୍ଚିତ୍ର କୁହାଯାଉଥିଲେ ବି ଚିହ୍ନିବା ବାକି ରହେ ନାହିଁ ଯେ ଏଗୁଡ଼ିକ ନିର୍ଦିଷ୍ଟ ରାଜନୈତିକ ବିଚାରଧାରାର ପ୍ରୋତ୍ସାହକ। ଅଜ୍ଞାତରେ ହେଉ ବା ଅନେକ ସମୟରେ ଜ୍ଞାତସାରରେ, ଏସବୁ କଥାଚିତ୍ରରେ ଇତିହାସ ଓ ପ୍ରୋପାଗଣ୍ଡାର ସୀମାରେଖା ହୋଇଚି ଅସ୍ପଷ୍ଟ। ତଥାକଥିତ ‘ସାମାଜିକ’ ପର୍ଯ୍ୟାୟର ଟଏଲେଟ୍‌: ଏକ୍‌ ପ୍ରେମ୍ କଥା (୨୦୧୭), ପ୍ୟାଡ଼ମ୍ୟାନ (୨୦୧୮) ଭଳି ଛବି ସାଂପ୍ରତିକ ଶାସନତନ୍ତ୍ରର ଯୋଜନାକୁ ବୈଧତା ପ୍ରଦାନର କେବଳ ଏକ ପ୍ରଚେଷ୍ଟା। ଆଦିତ୍ୟ ଧର୍‌ଙ୍କ ଉରି- ଦି ସର୍ଜିକାଲ୍‌ ଷ୍ଟ୍ରାଇକ୍‌(୨୦୧୯), ଶୀର୍ଷକରୁ ହିଁ ଏହା ଯେ ଏକ ପ୍ରୋପାଗଣ୍ଡା ଚଳଚ୍ଚିତ୍ର, ତାହା ବୁଝିବା କଷ୍ଟ ନୁହେଁ। ଅପ୍ରମାଣିତ ଘଟନାବଳୀ ଓ ସମସାମୟିକ ରାଜନୀତିକୁ କଳାତ୍ମକ ଶୈଳୀରେ ଉପସ୍ଥାପିତ କରି ନ୍ୟସ୍ତସ୍ବାର୍ଥ ସାଧନରେ ଏହା ଯେପରି ସଫଳ ହୋଇଚି, ତାହା ବିରଳ। ମନେରହୁ ଯେ, ଶାସକ ଶ୍ରେଣୀ ଏଗୁଡ଼ିକୁ ଅନେକ ସମୟରେ ରାଜନୈତିକ ଆୟୁଧ ବି କରିଚନ୍ତି ନିର୍ବାଚନ ଆଗରୁ। ଅବଶ୍ୟ ରାଜନୈତିକ ଅଭୀଷ୍ଟ ପୂରଣ ଲାଗି ଦକ୍ଷିଣ ଭାରତର ନେତୃବୃନ୍ଦ ଚଳଚ୍ଚିତ୍ରକୁ ଏକ ଶକ୍ତିଶାଳୀ ମାଧ୍ୟମ ଭାବେ ବ୍ୟବହାର କରିବାର ଇତିହାସ ବେଶ୍ ପୁରୁଣା। ଏମାନଙ୍କ ମଧ୍ୟରେ ଏମ୍‌ଜି ରାମଚନ୍ଦ୍ରନ, ଏନ୍‌ଟି ରାମାରାଓ, ଏମ୍‌. କରୁଣାନିଧି, ଜେ ଜୟଲଳିତା ପ୍ରମୁଖ ଅଗ୍ରଗଣ୍ୟ।


ଆମେ ଭୁଲି ଯିବାନି ଯେ ଚଳଚ୍ଚିତ୍ରର ଉନ୍ମେଷ କାଳରେ ଯେଉଁ ପ୍ରୋପାଗଣ୍ଡା ଭିତ୍ତିକ ଚିତ୍ରମାନ ହୋଇଥିଲା ନିର୍ମିତ, ସେଗୁଡ଼ିକ ‘ସି​‌େ​‌ନମାଟିକ୍’ କଳାତ୍ମକତା ଦୃଷ୍ଟିରୁ ଅପୂର୍ବ/ଅସାଧାରଣ/ଅତୁଳନୀୟ; ତେଣୁ ବର୍ତ୍ତମାନ ସୁଦ୍ଧା ସେଗୁଡ଼ିକ ପାଲଟିଛନ୍ତି ବିଶ୍ବ ଚଳଚ୍ଚିତ୍ରର ଅନୁକରଣୀୟ। ଅନ୍ୟ ଏକ ବିଶେଷତ୍ବ, ସେଗୁଡ଼ିକ ଛଦ୍ମ ଆବରଣହୀନ; ଅର୍ଥାତ ପ୍ରୋପାଗଣ୍ଡା ହେଉପଛେ ପରିପ୍ରେକ୍ଷ ଓ ଆଭିମୁଖ୍ୟ ଅତ୍ୟନ୍ତ ସ୍ପଷ୍ଟ; ମାତ୍ର ବର୍ତ୍ତମାନର ପ୍ରୋପାଗଣ୍ଡାଭିତ୍ତିକ ଚଳଚ୍ଚିତ୍ରଗୁଡ଼ିକର ଛଦ୍ମାଚରଣ ଖୁବ୍ ଜଳଜଳ। ନିକଟରେ ବିବେକ ଅଗ୍ନିହୋତ୍ରୀଙ୍କ ଦି କାଶ୍ମୀର ଫାଇଲ୍ସ (୨୦୨୨) ଚଳଚ୍ଚିତ୍ରଟିକୁ ‘ଅଶ୍ଳୀଳ ପ୍ରୋପାଗଣ୍ଡା’ କହି ଭାରତରେ ଏକ ବିରାଟ ବିବାଦକୁ ଜନ୍ମ ଦେଇଥିବା ପ୍ରସିଦ୍ଧ ଇସ୍ରାଏଲୀ ନିର୍ଦେଶକ ନାଦାଭ ଲେପିଡ଼ଙ୍କ ଏ ବିଷୟକ ମନ୍ତବ୍ୟ ପ୍ରଣିଧାନଯୋଗ୍ୟ: ‘‘ଇଜେନଷ୍ଟେଇନଙ୍କ ବ୍ୟା​‌େ​‌ଟଲ୍‌ସିପ୍‌ ପୋଟେମ୍‌କିନକୁ କେତେକ କହନ୍ତି ପ୍ରୋପାଗଣ୍ଡା ଚଳଚ୍ଚିତ୍ର; କିନ୍ତୁ ତାହା ଏକ ‘ମାଷ୍ଟର୍‌ପିସ୍‌’। ମାନବତାର ଇତିହାସରେ ଲେନି ରିଫେନ୍‌ଷ୍ଟଲ୍‌ଙ୍କ ଚଳଚ୍ଚିତ୍ରମାନ ଭୟାନକ ବିଚାରଧାରାର ପ୍ରତିନିଧି; କିନ୍ତୁ ଏସବୁ ନାନ୍ଦନିକ ଦୃଷ୍ଟିରୁ ଅତ୍ୟନ୍ତ ଚମତ୍କାର। ଜଣେ କଳାକାର ଯେତେବେଳେ ଏକ ବିଚାରଧାରା ଉପରେ ଆତ୍ମିକ ବିଶ୍ବାସ କରେ, ସେ ତାକୁ ଖୁବ୍‌ ସ୍ପଷ୍ଟ ଢଙ୍ଗରେ କହେ, ଠିକ୍‌ କୌଣସି ଐତିହ୍ୟ ପରି। ଏହା ହିଁ କଳାର ଚମତ୍କାରିତା। ମୁଁ ପ୍ରୋପାଗଣ୍ଡାର ନୈତିକ ଦିଗ କଥା କହୁନାହିଁ; ବରଂ ଚଳଚ୍ଚିତ୍ରର ନାନ୍ଦନିକତା କଥା କହୁଛି। ଦି କାଶ୍ମୀର ଫାଇଲ୍ସ ଏ ଦୃଷ୍ଟିରୁ ପ୍ରକୃତ ଚଳଚ୍ଚିତ୍ର ନୁହେଁ, ବରଂ ଏକ ଛଦ୍ମ ଆବରଣ।’’ (‘ଦି କାଶ୍ମୀର ଫାଇଲ୍ସ ଡିସ୍‌ଗାଇଜ୍‌ଡ ଆଜ୍‌ ଏ ଫିଲ୍ମ’: ଦି ନିଉ ଇଣ୍ଡିଆନ ଏକ୍ସପ୍ରେସ; ୩ ଡିସେମ୍ବର ୨୨) ସରକାରଙ୍କ ଦ୍ବାରା ଆୟୋଜିତ ଏକ ପ୍ରମୁଖ ଚଳଚ୍ଚିତ୍ର ଉତ୍ସବ(ଆଇଏଫ୍‌ଏଫ୍‌ଆଇ)ର ମୁଖ୍ୟ ବିଚାରକ (ଜୁରି) ଭାବେ ଲେପିଡ଼ ଯେଉଁ ଚଳଚ୍ଚିତ୍ରଟି ସମ୍ପର୍କରେ ନିଜର ମୁକ୍ତ ବିଚାର ରଖିଲେ, ସେ ସମ୍ଭବତଃ ଅଜ୍ଞ ଥିଲେ ଯେ ଶାସକ ଶ୍ରେଣୀ (ପ୍ରଧାନମନ୍ତ୍ରୀଙ୍କ ସମେତ) ତା’ର ମୁଖର ସମର୍ଥକ/ପ୍ରଚାରକ। କାଶ୍ମୀରର ସଂଖ୍ୟାଲଘୁ ପଣ୍ଡିତଙ୍କ ପଳାୟନ ଭଳି ସମ୍ବେଦନଶୀଳ ପ୍ରସଙ୍ଗ ଏହାର ବିଷୟବସ୍ତୁ ହୋଇଥିଲେ ହେଁ ଉପସ୍ଥାପନାରେ ଅତିରଞ୍ଜନ ଓ ଐତିହାସିକ ଅସଙ୍ଗତି ସୁସ୍ପଷ୍ଟ ଏବଂ ନୂତନ କାଶ୍ମୀର ନୀତିକୁ ବୈଧତା ପ୍ରଦାନ ପ୍ରଚେଷ୍ଟା ଅସଲ ଅଭୀଷ୍ଟ। ଦେଖିବାର କଥା, ଲେପିଡ଼ଙ୍କ ମନ୍ତବ୍ୟକୁ ଅବିଳମ୍ବେ ଇସ୍ରାଏଲୀ ରାଷ୍ଟ୍ରଦୂତ ଖଣ୍ଡନ କରିବା ସହ ତା’ର ଅସାରତା ପ୍ରମାଣ କରିବାକୁ କରିଥିଲେ ଉଦ୍ୟମ। ଏହା ଏଇଥିପାଇଁ ଯେ ଇସ୍ରାଏଲକୁ ନେଇ ଏଇନା ବଦଳିଛି ଭାରତର ଦୃଷ୍ଟିଭଙ୍ଗୀ। ଭାରତ ପୂର୍ବରୁ ପାଲେଷ୍ଟିନୀୟଙ୍କ ସପକ୍ଷବାଦୀ ଥିବାବେଳେ ଏବେ ମନେହଉଚି ସେ ଇସ୍ରାଏଲର ପକ୍ଷଭୁକ୍ତ। ୟେ ଅବଶ୍ୟ ଯେତିକି ରଣନୀତିକ ନୁହେଁ, ତା’ଠୁ ବେଶି ବୈଚାରିକ। ସେଥିଯୋଗୁଁ ସ୍ବାଧୀନଚେତା ସିନେକର୍ମୀ ଲେପିଡ଼ଙ୍କ ମନ୍ତବ୍ୟ ଉଭୟ ଦେଶର ଶାସକ ପକ୍ଷକୁ ଅସହଜ କରିବା ଆଦୌ ନଥିଲା ଅସ୍ବାଭାବିକ। ଲେପିଡ଼ଙ୍କ ଚଳଚ୍ଚିତ୍ରଗୁଡ଼ିକୁ ଦେଖିଲେ ଅବଶ୍ୟ କହିହେବ ଯେ କାଶ୍ମୀର ଫାଇଲ୍ସ ବିବାଦକୁ ନେଇ ତାଙ୍କର ପରବର୍ତ୍ତୀ ମନ୍ତବ୍ୟ ଥିଲା ବେଶ୍ ସ୍ବଭାବସୁଲଭ; କାରଣ ସେ ଇସ୍ରାଏଲର ପାଲେଷ୍ଟାଇନ ନୀତିକୁ ସର୍ବଦା କରିଆସିଛନ୍ତି ବିରୋଧ, ଯାହାର ପ୍ରତିଫଳନ ତାଙ୍କ ଚଳଚ୍ଚିତ୍ରଗୁଡ଼ିକରେ ଫୁଟିଉଠିଚି କୋଉଠି ନା କୋଉଠି ଅତ୍ରତତ୍ର। ଲେପିଡ଼ ଇସ୍ରାଏଲ ଫେରିବା ପରେ ମଧ୍ୟ ନିଜ ମନ୍ତବ୍ୟରୁ ଓହରି ଯାଇନାହାନ୍ତି; ବରଂ ଫାସିବାଦର ବିପଦ ଓ ଚଳଚ୍ଚିତ୍ରରେ ତା’ର ଅଭିସନ୍ଧିମୂଳକ ପ୍ରୟୋଗ ବିଷୟରେ ଚେତାଇ ଦେଇ ସ୍ଥାନୀୟ ଗଣମାଧ୍ୟମକୁ କହିଚନ୍ତି ଯେ ଇସ୍ରାଏଲ ଯଦି ଦି କାଶ୍ମୀର ଫାଇଲ୍ସ ପରି ଚଳଚ୍ଚିତ୍ର ନିର୍ମାଣ କରିବ, ତେବେ ସେ ଆଦୌ ହେବେନାହିଁ ବିସ୍ମିତ। 


ସୋଭିଏତ୍‌ ସଂଘ ପରି ନାଜୀ ଜର୍ମାନୀର ପତନ ହୋଇଥିଲା ଏଇ କାରଣରୁ ଯେ ଏହାର ସାଂସ୍କୃତିକ ଉଦ୍ୟୋଗ ଆପଣାର ଲୋକଙ୍କୁ ସେସବୁ ପ୍ରଶ୍ନ ପଚାରିବାକୁ ବା ସେ ସମ୍ପର୍କରେ ଚିନ୍ତା କରିବାକୁ ମଧ୍ୟ କରିଦେଇଥିଲା ଅସମର୍ଥ, ଯାହା ସେମାନଙ୍କୁ ପଚାରିବା ଥିଲା ନିହାତି ଆବଶ୍ୟକ। ଏକ ମୁକ୍ତ ପ୍ରଗତିଶୀଳ ସମାଜ କଠିନରୁ କଠିନ ପ୍ରଶ୍ନକୁ ସମ୍ମୁଖୀନ ହେବାର ଏବଂ କଟୁ ସମାଲୋଚନାକୁ ସାମ୍ନା କରିବାର ସାହସ ରଖେ। ଲେପିଡ଼ଙ୍କ କଳାତ୍ମକ ପ୍ରଶ୍ନ/ ବୈଚାରିକ ଭିନ୍ନମତର ସମ୍ମୁଖୀନ ନହୋଇପାରିବା ଆମର ଶକ୍ତି ନୁହେଁ, ଅସମର୍ଥତା; ଭୀରୁତା।

(‘ସମାଜ’ରେ ୧୧.୧୨.୨୦୨୨ରେ ପ୍ରକାଶିତ)

Read More

ବସୁଧୈବ କୁଟୁମ୍ବକଂ ବାସ୍ତବତା

Leave a Comment


 ଅୟଂ ନିଜଃ ପରୋ ବେତି ଗଣନା ଲଘୁଚେତସାଂ।

ଉଦାରଚରିତାନାଂ ତୁ ବସୁଧୈବ କୁଟୁମ୍ବକଂ।।


ପଞ୍ଚତନ୍ତ୍ରହିତୋପଦେଶରେ ସ୍ଥାନିତ ଏହି ଶ୍ଳୋକଟି ଭାରତବର୍ଷରେ ଅତୀବ ଲୋକପ୍ରିୟ ଲୋକଗଳ୍ପମାଳା ସିଂହାସନବତ୍ରିଶିରେ ବି ଦେଖିବାକୁ ମିଳେ, ଯାହା ଦ୍ବାତ୍ରିଂଶତ-ପୁତ୍ତଳିକା-ସିଂହାସନମ ବା ବିକ୍ରମ ଚରିତ ନାମରେ ମଧ୍ୟ ପ୍ରସିଦ୍ଧ। ଅବଶ୍ୟ ଏଥିରେ ଏହାର କେତେକ ଶବ୍ଦ ଭିନ୍ନ ଥିବାବେଳେ ସକାରାତ୍ମକ ଅର୍ଥରେ ବ୍ୟବହୃତ। ପ୍ରାଚୀନ ଧାରାବତୀ ନଗରୀ (ଓଡ଼ିଆ କାହାଣୀ ଜଗନ୍ନାଥ ସିଂହଙ୍କ ବତ୍ରିଶ ସିଂହାସନରେ ଏହାର ନାମ ଉଜ୍ବଳ ନଗ୍ର ଭାବେ ବର୍ଣ୍ଣିତ)ର ସମ୍ରାଟ ଭୋଜଦେବ ପରମାର ଐତିହାସିକ ଚରିତ୍ର ହେଲେ ହେଁ ତାଙ୍କ କଥନିକା ଓ ସ୍ମୃତି ଗ୍ରାମ୍ୟଗୀତି, ସହରୀ ପ୍ରବାଦ, ଥଟ୍ଟାପରିହାସ ଓ ସର୍ବୋପରି ଲୋକଗଳ୍ପ ମଧ୍ୟରେ ହଜାରହଜାର ବର୍ଷ ଧରି ଭାରତୀୟ ଜନମାନସରେ ଜୀବିତ ରହିଚି। ଏସବୁକୁ ଆନୁମାନିକ ଏକାଦଶ ଖ୍ରୀଷ୍ଟାବ୍ଦରେ ରାଜା ଭୋଜଙ୍କ ସମୟରେ ରଚନା କରାଯାଇଥିଲା ଏବଂ ଇତିହାସ ଅନୁସାରେ ୧୩୦୫ ମସିହା ବେଳକୁ ସୁଦୂର ମଙ୍ଗୋଲିଆ ବାଟ ଦେଇ ରୁଷିଆ ଓ ଜର୍ମାନୀରେ ପହଞ୍ଚିଥିବା ପ୍ରମାଣ ମିଳେ। ଏପରିକି ମଙ୍ଗୋଲୀୟ ଲୋକକଥାରେ ‘ଅର୍ଜି ବୁଜି’ ନାମକ ଯେଉଁ ଚରିତ୍ର ରହିଛି, ତାହା ‘ରାଜା ଭୋଜ’ ବୋଲି କୁହାଯାଏ। ସେହିପରି ବିଶ୍ବପ୍ରସିଦ୍ଧ ଗ୍ରୀମ୍‌ସ କାହାଣୀମାଳାରେ ରହିଥିବା ଗୋଟିଏ ଗଳ୍ପ ମଧ୍ୟ ବିକ୍ରମ ଚରିତ ପ୍ରେରଣାରେ ରଚିତ ହୋଇଥିବା ସ୍ପଷ୍ଟ। 


ବିକ୍ରମ ଚରିତରେ ବସୁଧୈବ  କୁଟୁମ୍ବକଂ ପରିପ୍ରେକ୍ଷକୁ ବୁଝିବାକୁ ହେଲେ ଏହାର ମୂଳ କାହାଣୀର ଉପୋଦ୍‌ଘାତକୁ ଜାଣିବା ଜରୁରୀ। ତାହା ସଂକ୍ଷେପରେ ଏହିପରି: ଘଟନାକ୍ରମରେ ଦିନେ ସମ୍ରାଟ ବିକ୍ରମାଦିତ୍ୟ/ବିକ୍ରମାର୍କଙ୍କର ଏକ ସିଂହାସନରେ ଉପବେଶନ କରିବାକୁ ଗଲାବେଳେ ସେଥିରେ ଖଚିତ ବତିଶିଟି ପୁତ୍ତଳି/ପୁତ୍ତଳିକା ରାଜା ଭୋଜଙ୍କୁ ବିକ୍ରମାଦିତ୍ୟଙ୍କ କୀର୍ତ୍ତି ଓ ମହାନତା ସମ୍ବନ୍ଧରେ ବର୍ଣ୍ଣନା କରିବାକୁ ଯାଇ ପ୍ରତ୍ୟେକେ ଗୋଟିଏ ଗୋଟିଏ କାହାଣୀ କହନ୍ତି ଏବଂ ତାଙ୍କ ପରି ହୋଇପାରିଲେ ଯାଇ ସେହି ସିଂହାସନରେ ସେ ବସିପାରିବେ ବୋଲି ତାଙ୍କୁ ଚେତାଇ ଦିଅନ୍ତି। ଏଇଠାରୁ ହିଁ ବତିଶି ପୁତ୍ତଳିକାଙ୍କ କାହାଣୀ ଆରମ୍ଭ ହୁଏ। ବିକ୍ରମ ଚରିତ ଭାରତର ପ୍ରାୟ ସମସ୍ତ ଭାଷାରେ ଉପଲବ୍ଧ ଥିଲେ ହେଁ ସବୁଠୁ ପ୍ରାଚୀନ ଯେଉଁଗୁଡ଼ିକୁ ଧରାଯାଏ, ତାହା ହେଲା ଆନ୍ଧ୍ରପ୍ରଦେଶରେ ମିଳୁଥିବା ସଂସ୍କରଣ, ଗଦ୍ୟରେ ବର୍ଣ୍ଣିତ ଆଉ ଏକ ସଂସ୍କରଣ, ଦେବନାଗରୀ ଲିପିରେ ଲିଖିତ ଦୁଇଟି ଜୈନ ସଂସ୍କରଣ ଓ ବରରୁଚିଙ୍କ ରଚିତ ସଂସ୍କରଣ। ଉଲ୍ଲେଖଯୋଗ୍ୟ, ଏହି ବିକ୍ରମ ଚରିତ ଧାରାରେ ବେତାଳ ପଞ୍ଚବିଂଶତି/ବେତାଳ ପଚିଶି ନାମକ କାହାଣୀମାଳା ମଧ୍ୟ ଭାରତୀୟ ଭାଷାଗୁଡ଼ିକରେ ଦେଖିବାକୁ ମିଳେ। ସେ ଯାହାହେଉ, ବସୁଧୈବ କୁଟମ୍ବକଂ ଶ୍ଳୋକଟିକୁ ବିକ୍ରମ ଚରିତର ତେଲୁଗୁ ସଂସ୍କରଣରେ ଦେଖିବାକୁ ମିଳେ ପ୍ରାରମ୍ଭିକ କାହାଣୀ ‘ସର୍ବସ୍ବ-ଦକ୍ଷିଣା-ଯଜ୍ଞ ବର୍ଣ୍ଣନଂ’ରେ, ଯାହାକୁ ସୁପ୍ରଭା ନାମକ ପୁତ୍ତଳିକା କହିଛି। ଏଥିରେ ବର୍ଣ୍ଣିତ ଶ୍ଳୋକଟି ଏହିପରି: ଅୟଂ ନିଜଃ ପରୋବେତି ବିକଳ୍ପୋ ଭ୍ରାନ୍ତଚେତସାଂ/ ପୁନସ୍ତୁଦାର ଚିତ୍ତାନାଂ ବସୁଧୈବ କୁଟୁମ୍ବକଂ। (ବିକ୍ରମ ଚରିତ, ଆନ୍ଧ୍ର, ୩.୧)। ସେହିପରି ଜୈନ ସଂସ୍କରଣରେ ଏହି ଶ୍ଳୋକଟି ସ୍ଥାନ ପାଇଛି ‘ପରୋପକାରାୟ-ସ୍ବଦେହାହୁତି-ଦାନ’ ନାମକ କାହାଣୀରେ, ଯାହାକୁ କହିଛି ସେହି ସୁପ୍ରଭା, କିନ୍ତୁ ଏଠାରେ ସେ ତୃତୀୟ ନୁହେଁ, ସପ୍ତଦଶତମ ପୁତ୍ତଳିକା ରୂପରେ। ତେବେ ବିକ୍ରମ ଚରିତରେ ବିକ୍ରମାଦିତ୍ୟଙ୍କ ଉଦାର ହୃଦୟ ଓ ନ୍ୟାୟ ପରାୟଣତାକୁ ଦର୍ଶାଇବାକୁ ବସୁଧୈବ କୁଟୁମ୍ବକଂ ବ୍ୟବହାର କରାଯାଇଛି; ବିଶ୍ବଭ୍ରାତୃତ୍ବ ଆଦି ଦର୍ଶାଇବା ପାଇଁ ନୁହେଁ;  ଯେପରି ଆଧୁନିକ ସମୟରେ ଏହାର ତ୍ରୁଟିପୂର୍ଣ୍ଣ ଉପଯୋଗ ହୋଇଛି।


ତେବେ ବସୁଧୈବ କୁଟୁମ୍ବକଂ ଶ୍ଳୋକଟିକୁ ପଞ୍ଚତନ୍ତ୍ର, ହିତୋପଦେଶ, ବିକ୍ରମ ଚରିତ ବା ଅନ୍ୟ ଯେଉଁଥିରେ ବି ବର୍ଣ୍ଣନା କରାଯାଇଛି, ସେଥିରେ ଉଦ୍ଧୃତି ରୂପରେ ହିଁ ସଂଲଗ୍ନ ହୋଇଛି, କେବଳ ଗୋଟିଏକୁ ଛାଡ଼ି। ଏହା ହେଉଛି ମହୋପନିଷଦ। ଏଥିରେ ଏହାର ସ୍ବାଭାବିକ ବର୍ଣ୍ଣନା ରହିଥିବାରୁ ବର୍ତ୍ତମାନ ସୁଦ୍ଧା ଏହା ହିଁ ଏହି ବିଖ୍ୟାତ ଶ୍ଳୋକର ମୂଳ ଉତ୍ସ ବୋଲି ଧରାଯାଇଆସୁଚି। ବ୍ରହ୍ମସୂତ୍ରର ଟୀକାକାର ଭାବେ ପ୍ରସିଦ୍ଧ ଆଚାର୍ଯ୍ୟ ରାମାନୁଜ ଶ୍ରୀ-ଭାଷ୍ୟମ ଦ୍ବିତୀୟ ଅଧ୍ୟାୟର ସପ୍ତମ ଅଧିକରଣାରେ ତାଙ୍କ ତର୍କକୁ ପୁଷ୍ଟ କରିବାପାଇଁ ମହୋପନିଷଦରୁ ଉଦ୍ଧୃତି ଦେଇଛନ୍ତି। ଅନ୍ୟାନ୍ୟ ଉପନିଷଦଗୁଡ଼ିକ ପରି ଏହା ଏତେଟା ଲୋକପ୍ରିୟ ନହେଲେ ହେଁ ଏହାକୁ ଅନ୍ୟ ପ୍ରାଚୀନ ସଂସ୍କୃତଜ୍ଞମାନେ (ଯମୁନାଚାର୍ଯ୍ୟ ‘ପୁରୁଷ ନିର୍ଣ୍ଣୟ’ରେ; ନାରାୟଣାଚାର୍ଯ୍ୟ ‘ତତ୍ତ୍ବ ନିର୍ଣ୍ଣୟ’ରେ, ଯାଦବ ପ୍ରକାଶ ‘ଭଗବତ୍‌ଗୀତା ଟୀକା’ରେ) ଏ ସମ୍ବନ୍ଧରେ ଦର୍ଶାଇଛନ୍ତି। 


ବସୁଧୈବ କୁଟୁମ୍ବକଂ ଶ୍ଳୋକଟି ମହୋପନିଷଦର ଷଷ୍ଠ ଅଧ୍ୟାୟର ୭୨ତମ ଶ୍ଳୋକ। ତେବେ ଏଥିରେ ଅୟଂ ନିଜଃ ପରୋବେତି ସ୍ଥାନରେ ରହିଛି ଅୟଂ ବନ୍ଧୁରୟଂ ନେତି। ଏହି ଶ୍ଳୋକଟିର ପ୍ରକୃତ ଭାବ ଓ ଭିତ୍ତିକୁ ବୁଝିବାକୁ ହେଲେ ଏହାର ପୂର୍ବାପର ଶ୍ଳୋକ ଜାଣିବା ନିହାତି ଆବଶ୍ୟକ: 

ଉଦାର ପେଶାଲାଚାରଃ ସର୍ବାଚାରାନୁବୃତ୍ତିମାନ

ଅନ୍ତଃସଙ୍ଗ-ପରିତ୍ୟାଗୀ ବହିଃ ସଂଭାରବାନିବ। 

ଅନ୍ତଃବୈରାଗ୍ୟମାଦାୟ ବହିରାଶୋନ୍ମୁଖେହିତଃ

ଅୟଂ ବନ୍ଧୁରୟଂ ନେତି ଗଣନା ଲଘୁ ଚେତସାଂ

ଉଦାରଚରିତାନାଂ ତୁ ବସୁଧୈବ କୁଟୁମ୍ବକଂ। 

ଭାବାଭାବ ବିନିର୍ମୁକ୍ତଂ ଜରାମରଣବର୍ଜିତଂ

 ପ୍ରଶାନ୍ତ କଳନାରଭ୍ୟଂ ନୀରାଗଂ ପଦମାଶ୍ରୟ। 

ଏଷା ବ୍ରାହ୍ମୀସ୍ଥିତିଃ ସ୍ବଚ୍ଛା ନିଷ୍କାମା ବିଗତାମୟା 

ଆଦାୟ ବିହରନ୍ନେବଂ ସଙ୍କଟେଷୁ ନ ମୁହ୍ୟତି।। (ମହୋପନିଷଦ: ୬.୭୦-୭୩)


ଏହି ଶ୍ଳୋକାଂଶଟିରେ ସେହି ମହାନ ବ୍ୟକ୍ତିଙ୍କ ଆଚାରବ୍ୟବହାର ଓ ଲକ୍ଷଣ ବିଷୟରେ ବର୍ଣ୍ଣିତ, ଯିଏ ଅଧ୍ୟାତ୍ମର ସର୍ବୋଚ୍ଚ ସୋପାନ ବ୍ରାହ୍ମୀସ୍ଥିତିକୁ ପ୍ରାପ୍ତ କରିଛନ୍ତି। ଏହାର ଭାବାର୍ଥ ଏପରି: ବ୍ରାହ୍ମୀସ୍ଥିତିକୁ ଯିଏ ଲାଭ କରିପାରିଛି, ସେ ଉଦାର, ସ୍ବଚ୍ଛ ଆଚାରସଂପନ୍ନ ଏବଂ ସମସ୍ତ ମୋହମାୟାରୁ ମୁକ୍ତ। ବାହାରକୁ ସେ ଅନ୍ୟ ନଶ୍ବରଙ୍କ ପରି ସମସ୍ତ ସାଂସାରିକ କର୍ତ୍ତବ୍ୟ କରୁଥିଲେ ମଧ୍ୟ ଆନ୍ତରିକ ଭାବେ ସେ ସବୁକିଛି ପରିତ୍ୟାଗ କରିଥାନ୍ତି। ନୀଚମନା (ସାଧାରଣ) ଲୋକେ ‘ଇଏ ବନ୍ଧୁ ଓ ସିଏ ନୁହେଁ’ ଏପରି ଭେଦ କରନ୍ତି, କିନ୍ତୁ ଏହାଙ୍କର (ବ୍ରାହ୍ମୀସ୍ଥିତି ଲାଭ କରିଥିବା ମହାପୁରୁଷ) ହୃଦୟ ଏତେ ଉଦାର ଯେ ସମଗ୍ର ବିଶ୍ବବ୍ରହ୍ମାଣ୍ଡକୁ ସେ ନିଜର କୁଟୁମ୍ବ/ପରିବାର ମନେକରନ୍ତି। ଭାବଅଭାବରୁ ମୁକ୍ତ, ଜରାମରଣ ବିବର୍ଜିତ ଏହାଙ୍କ କ୍ଳେଶରୂପକ ଅଗ୍ନି ନିର୍ବାପିତ ହୋଇଥାଏ; ତେଣୁ ତାଙ୍କଠାରେ କୌଣସି ମୋହମାୟା ଆଶ୍ରୟ ନେଇପାରେ ନାହିଁ। ଏହା ହେଉଛି ବ୍ରାହ୍ମୀସ୍ଥିତିର ଲକ୍ଷଣ; ପୂର୍ଣ୍ଣ ବିଶୁଦ୍ଧ ଓ ନିଷ୍କାମ, ଯାହା ସମସ୍ତ ଦୁଃଖଶୋକଠାରୁ ଊର୍ଦ୍ଧ୍ବରେ। ଏପରି ଲକ୍ଷଣସଂପନ୍ନ ମହାପୁରୁଷ କୌଣସି ପ୍ରକାର ସଙ୍କଟର ସମ୍ମୁଖୀନ ନହୋଇ ଧରାପୃଷ୍ଠରେ ମୁକ୍ତ/ସ୍ବାଧୀନ ଭାବେ ବିଚରଣ କରନ୍ତି।


ଏଥିରୁ ଏହା ଅବଶ୍ୟ ନିଃସନ୍ଦେହରେ କୁହାଯାଇପାରେ ଯେ, ବସୁଧୈବ କୁଟୁମ୍ବକଂର ପରିପ୍ରେକ୍ଷ କୌଣସି ସମାଜ/ରାଷ୍ଟ୍ର ପାଇଁ କୌଣସି ପ୍ରକାରର ଆଦର୍ଶ/ବିଚାରର ଉପସ୍ଥାପନ କରାଯାଇ ନାହିଁ ଅଥବା ଏହା କୌଣସି ପ୍ରକାରର ରାଜନୈତିକ/କୂଟନୈତିକ ଦର୍ଶନ ବି ନୁହେଁ, ଯେପରି ଆଧୁନିକ ସମୟରେ ଏକ ଧାରଣା ସୃଷ୍ଟି ହୋଇଛି ବା କରାଯାଇଛି; ବରଂ ଏହାରି ଉଦ୍ଦେଶ୍ୟ, କେବଳ ବ୍ୟକ୍ତିଗତ ଆଧ୍ୟାତ୍ମିକ ଉତ୍କର୍ଷ ହାସଲ କରିଥିବା ‘ବ୍ରହ୍ମବେତ୍ତା’ଙ୍କ ଲକ୍ଷଣ ଦର୍ଶାଇବା। 


ଏହା ସତ୍ୟ ଯେ ଭାରତବର୍ଷର ଭୌଗୋଳିକ ପରିସୀମା ଯାହା ଥାଉ ନା କାହିଁକି, ପ୍ରାଚୀନ କାଳରେ ଏହା ଖୁବ୍‌ ସମ୍ଭବ ପୃଥିବୀର ଅନ୍ୟ ପ୍ରାନ୍ତର ଅଧିବାସୀଙ୍କ ନିମନ୍ତେ ଏକ ଉଦାର ଦୃଷ୍ଟିକୋଣସଂପନ୍ନ ହୋଇ ରହିଥିଲା। ବିଗତ ପାଞ୍ଚ ସାତଶହ ବର୍ଷର ଇତିହାସ କହେ ଯେ, ଇରାନର ପାର୍ସିଙ୍କଠାରୁ ଆରମ୍ଭ କରି ପୂର୍ବ ଆଫ୍ରିକାରୁ ଇଉରୋପୀୟଙ୍କ ଦ୍ବାରା ଅଣାଯାଇଥିବା କ୍ରୀତଦାସଙ୍କ ପର୍ଯ୍ୟନ୍ତ (ଏହାଙ୍କ ମଧ୍ୟରୁ କୁତୁବୁଦ୍ଦିନ ଆଇବାକ୍‌ ରାଜସିଂହାସନ ମଧ୍ୟ ଆରୋହଣ କରିଥିଲେ), ସଭିଙ୍କୁ ଭାରତ ଉଦାର ଚିତ୍ତରେ ଗ୍ରହଣ କରିଥିଲା। ସେହିପରି ବାଣିଜ୍ୟ ପାଇଁ ହେଉ ରାଜ୍ୟ ଜୟ ଲୋଭରେ ହେଉ, ଭାରତକୁ ଆସିଥିବା ତୁର୍କ, ହୁଣ, ମଙ୍ଗୋଲ୍‌, ଆଫଗାନ, ଆରବୀୟ ପ୍ରଭୃତି ଏଠାରେ ହିଁ ନିଜକୁ ପ୍ରତିଷ୍ଠିତ କରି ପରବର୍ତ୍ତୀ ସମୟରେ ଆପଣାକୁ ‘ଭାରତୀୟ’ କରିଦେଇଥିଲେ। କେବଳ ସେତିକି ନୁହେଁ, ଶୈକ୍ଷିକ/ସାଂସ୍କୃତିକ କ୍ଷେତ୍ରରେ ଭାରତ ସମଗ୍ର ବିଶ୍ବ ପ୍ରତି ଏକ ଉଦାର ଦୃଷ୍ଟିକୋଣ ରଖିଥିଲା, ଯାହାର ଫଳସ୍ବରୂପ ବିଶ୍ବର କୋଣ ଅନୁକୋଣରୁ ନାଳନ୍ଦା, ତକ୍ଷଶିଳା, ବିକ୍ରମଶିଳା ଭଳି ବିଶ୍ବବିଦ୍ୟାଳୟକୁ ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ଶିକ୍ଷାଗ୍ରହଣ/ଶିକ୍ଷାଦାନ କରିବାକୁ ଆସୁଥିଲେ। ଗ୍ରୀସ୍‌ରୁ ମେଘାସ୍ଥିନିସ୍‌, ଚୀନରୁ ଫାହିୟାନ ଓ ହୁଏନ ସାଂଙ୍କଠାରୁ ମରକ୍କୋର ଇବନ ବତୁତାଙ୍କ ପର୍ଯ୍ୟନ୍ତ ବହୁ ବୁଦ୍ଧିଜୀବୀ, ଶିକ୍ଷାବିତ୍‌, ଜ୍ଞାନପିପାସୁ ଏଠାକୁ ଆସି ଜ୍ଞାନଚର୍ଚା କରିଥିବା ଜଣାଯାଏ। ଅପରପକ୍ଷେ, ପ୍ରାଚୀନ ଭାରତ କେବେ ଅନ୍ୟ ମନୁଷ୍ୟ ସମୂହ ବା ଭୌଗୋଳିକ ପରିସୀମା ଉପରେ ନିଜର ଆଧିପତ୍ୟ ବିସ୍ତାର କରିବାକୁ ଚେଷ୍ଟିତ ହୋଇନାହିଁ। ଚୀନ ପରି ପ୍ରାଚୀନ ସଭ୍ୟତା ନିଜକୁ ସର୍ବଦା ‘ସାମ୍ରାଜ୍ୟର କେନ୍ଦ୍ର’ (ମିଡିଲ୍‌ କିଙ୍ଗ୍‌ଡମ୍‌) ବୋଲି ବିଶ୍ବାସ କରି ନିଜକୁ ଅନ୍ୟ ସଭ୍ୟତାଠାରୁ ଯଥାସମ୍ଭବ ଦୂରତା ଅବଲମ୍ବନ କରିଆସିଥିବାବେଳେ ପାଶ୍ଚାତ୍ୟ ରାଷ୍ଟ୍ରସମୂହ (ଗ୍ରେକୋ-ରୋମାନ ସଭ୍ୟତା) ବିଶ୍ବର ଅନ୍ୟ ସଭ୍ୟତାଠାରୁ ଆପଣାକୁ ‘ଶ୍ରେଷ୍ଠ’ କହି ଅନ୍ୟମାନଙ୍କ ଅଧିପତି ହେବା ତାଙ୍କର ଅଧିକାର ବୋଲି ଏକ ନିର୍ବୋଧ ଭାବନାର ବଶବର୍ତ୍ତୀ ହୋଇଆସିଛନ୍ତି।  ଏହି ସାମନ୍ତବାଦୀ ପ୍ରବୃତ୍ତି ହିଁ ବିଶ୍ବରେ ବହୁଳାଂଶ ସନ୍ତ୍ରାସ/ଯୁଦ୍ଧର ସୂତ୍ରଧର ହୋଇଚି। କୌଣସି ନିର୍ଦ୍ଦିଷ୍ଟ ଭୌଗୋଳିକ ପରିସୀମାରେ ଆବଦ୍ଧ ଭୂଖଣ୍ଡ ଅର୍ଥାତ ଦେଶ/ରାଷ୍ଟ୍ରକୁ ମାଆ (ମଦରଲାଣ୍ଡ୍‌) ବୋଲି ବିଚାର କରିବାର ବୋଧଟି ମୂଳତଃ ପାଶ୍ଚାତ୍ୟ ସଭ୍ୟତାର, ଇଉରୋପର। ପ୍ରାଚୀନ ଗ୍ରୀସ୍‌ ଓ ଇଉରୋପର ପ୍ରତିନିଧିତ୍ବ କରୁଥିବା ଦାର୍ଶନିକ ସକ୍ରେଟିସ୍‌ ଓ ପ୍ଲେଟୋ କହୁଥିଲେ ଯେ ଗ୍ରୀସ୍‌ଦେଶରେ ଜଣେ ନାଗରିକ ଭାବରେ ଭୂମିଷ୍ଠ ହୋଇଥିବାରୁ ଏବଂ ଅନ୍ୟ ଦେଶରେ ମ୍ଳେଚ୍ଛ ଭାବେ ଜନ୍ମ ନେଇ ନଥିବାରୁ ସେମାନେ ଭାଗ୍ୟଦେବତା ପାଖରେ କୃତଜ୍ଞ। ଆରିଷ୍ଟୋଟଲ ତାଙ୍କର ପ୍ରସିଦ୍ଧ ଗ୍ରନ୍ଥ ‘ନୀତିଶାସ୍ତ୍ର’ରେ କେବଳ ଗ୍ରୀସ୍‌ର ନାଗରିକଙ୍କୁ ହିଁ ପ୍ରକୃତ ମଣିଷ ବୋଲି ସ୍ବୀକାର କରିବା ସହ ଗ୍ରୀସ୍‌ ସୀମାର ଚତୁଃପାର୍ଶ୍ବ, ଅର୍ଥାତ ସଂସାରର ଅନ୍ୟ ମଣିଷମାନଙ୍କୁ   ମ୍ଳେଚ୍ଛ, ବର୍ବର ଓ ପଶୁ ବୋଲି ଅଭିହିତ କରିଚନ୍ତି। ଏସବୁ ମୋହୋକ୍ତିମାନ ପରବର୍ତ୍ତୀ କାଳରେ ଆଧୁନିକ ଇଉରୋପରେ ରାଷ୍ଟ୍ରବାଦ ରୂପରେ ଉଭା ହୋଇଥିଲା। ବିଡ଼ମ୍ବନା ଯେ ସେହି ରାଷ୍ଟ୍ରବାଦକୁ ଆଧୁନିକ ଭାରତର କେତେକ ଗୋଷ୍ଠୀ ଉଧାର ଆଣି ଆପଣାକୁ ରାଷ୍ଟ୍ରବାଦୀ/ଜାତୀୟତାବାଦୀ ବୋଲି ବୃଥାଗର୍ବ କରିଆସିଚନ୍ତି; ଅଥଚ ଭାରତବର୍ଷର ପୁରାତନ ସଂସ୍କୃତିରେ ପରିସୀମାଚିହ୍ନିତ କୌଣସି ଭୂଖଣ୍ଡକୁ ନୁହେଁ, ବରଂ ମାଟିକୁ ହିଁ ମାଆ ବୋଲି ଜ୍ଞାନ କରାଯାଇଆସିଚି। ମାଟି ଅର୍ଥାତ ସମଗ୍ର ବିଶ୍ବର ମାଟି; ସମଗ୍ର ଧରିତ୍ରୀ। ଏହି ଧରିତ୍ରୀ ଉପରେ ବସବାସ କରୁଥିବା ସମସ୍ତ ମନୁଷ୍ୟ ତେଣୁ ମ୍ଳେଚ୍ଛ, ବର୍ବର କି ପଶୁ ନୁହନ୍ତି; ସେମାନେ ସମସ୍ତେ ‘ଅମୃତର ସନ୍ତାନ’, ଯାହାର ଉଦ୍‌ଘୋଷଣା ଏହିପରି: 

ୟୁଜେ ବାଂ ବ୍ରହ୍ମ ପୂର୍ବ୍ୟଂ ନମୋଭିର୍ବିଶ୍ଳୋକ

ଏତୁ ପଥ୍ୟେବ ସୁରେଃ। 

ଶୃଣ୍ବନ୍ତୁ ବିଶ୍ବେ ଅମୃତସ୍ୟ ପୁତ୍ରା ଆ ୟେ

ଧାମାନି ଦିବ୍ୟାନି ତସ୍ଥୁ।। (ଶ୍ବେତାଶ୍ବତର ଉପନିଷଦ: ଦ୍ବିତୀୟ ଅଧ୍ୟାୟ; ଶ୍ଳୋକ: ୫) 

ଅର୍ଥାତ: ଜ୍ଞାନୀଜନଙ୍କ ପଦଚିହ୍ନର ଅନୁଗମନ କରି ମୁଁ ନିରନ୍ତର ଧ୍ୟାନ ଦ୍ବାରା ତୁମ ଦୁଇଜଣଙ୍କୁ ଅନାଦି ବ୍ରହ୍ମରେ ବିଲୟ କରୁଚି। ମହିମାମୟ ପ୍ରଭୁ ସ୍ବୟଂ ନିଜକୁ ଅଭିବ୍ୟକ୍ତ କରନ୍ତୁ। ବିଶ୍ବର ସମସ୍ତ ଅମୃତ ପୁତ୍ର ମୋ କଥା ଶୁଣନ୍ତୁ ଏବଂ ସେମାନେ ବି ଶୁଣନ୍ତୁ, ଯେଉଁମାନେ ଦିବ୍ୟଧାମରେ ନିବାସ କରନ୍ତି।


ରାଷ୍ଟ୍ର/ରାଷ୍ଟ୍ରବାଦ/ରାଷ୍ଟ୍ରନୀତି(ରାଜନୀତି) ସୀମା ତିଆରି କରେ; କଣ୍ଟାବାଡ଼/ପ୍ରାଚୀର ଲଗାଇ ମନୁଷ୍ୟର ଗତିରୋଧ କରେ। ଧର୍ମ ଯେବେଠୁ ଅଧ୍ୟାତ୍ମ ରହିତ ହେଲା, ତାହା ମଧ୍ୟ ରାଜନୀତିର ନିୟନ୍ତ୍ରଣରେ ରହିଲା; ମନୁଷ୍ୟ ପାଇଁ କାଳ ହେଲା। ‘ଗୋଟିଏ ବିଶ୍ବ’ (ୱାନ୍‌ ୱାର୍ଲଡ), ‘ସୀମାବିହୀନ ପୃଥିବୀ’ (ବର୍ଡରଲେସ୍‌ ୱାର୍ଲଡ), ‘ବିଶ୍ବ ଗ୍ରାମ’ (ଗ୍ଲୋବାଲ୍‌ ଭିଲେଜ) ଆଦି ଚାତୁର୍ଯ୍ୟପୂର୍ଣ୍ଣ ପରିକଳ୍ପନାମାନ ଯେ ଅବାସ୍ତବ ଧାରଣା, ତାହା କ୍ରମେ ପ୍ରମାଣିତ ହେବାରେ ଲାଗିଚି। ‘ବସୁଧୈବ କୁଟୁମ୍ବକଂ’ର ବ୍ୟକ୍ତିଗତ ଆଧ୍ୟାତ୍ମିକ ଦର୍ଶନର ରାଜନୈତିକ ପ୍ରୟୋଗ ମଧ୍ୟ ତଦନୁରୂପ ଏକ ଛଳନା ନତୁବା ନିର୍ବୋଧତାରୁ ସୃଷ୍ଟ; ତେଣୁ ଅବାସ୍ତବ। 


(ବି.ଦ୍ର.: ଏ ଶୃଙ୍ଖଳାର ପ୍ରଥମ ଲେଖା ଏହି ସ୍ତମ୍ଭରେ ୧୪.୧୧.୨୦୨୧ରେ ପ୍ରକାଶିତ)

‘ସମାଜ’, କଟକ; ଦୂରଭାଷ: ୭୯୭୮୧୦୯୧୫୩

ashoksamaja@gmail.com

(‘ସମାଜ’ରେ ୨୬.୧୨.୨୦୨୧ରେ ପ୍ରକାଶିତ)

Read More

ଗାଁ ଛାଡ଼ିବୁ ନାହିଁ: ଉତ୍ପୀଡ଼ନ ଓ ପ୍ରତିରୋଧର ଇତିହାସ

Leave a Comment




ଅଶୋକ

କ୍ଷମତା ସର୍ବଦା କର୍ତ୍ତୃତ୍ବ ଜାହିର କରେ; ଅନ୍ୟକୁ ଶୋଷଣ କରି ନିଜର ବଡ଼ପଣ ଦେଖାଏ। ଔପନିବେଶିକ ହେଉ ବା ଗଣତାନ୍ତ୍ରିକ, ସବୁ ଶାସନରେ ସମାଜର ନିମ୍ନବର୍ଗର ଲୋକଙ୍କ ପ୍ରତି କେବଳ ଅନ୍ୟାୟ ଅତ୍ୟାଚାର କରାଯାଇନାହିଁ, ସେମାନଙ୍କଠାରୁ ପ୍ରକୃତିଦତ୍ତ ଜଳ, ଜମି, ଜଙ୍ଗଲକୁ ମଧ୍ୟ ଛଡ଼ାଇ ନେବାର ଫନ୍ଦିଫିକର କରାଯାଇଛି। ସାମାଜିକ-ଆର୍ଥିକ-ସାଂସ୍କୃତିକ କ୍ଷେତ୍ରରୁ ଉତ୍ପାଟିତ କରିଦେବାକୁ ମଧ୍ୟ ବିଭିନ୍ନ ଷଡ଼ଯନ୍ତ୍ର ରଚନା କରାଯାଇଛି। ଯେତେବେଳେ ଏହା ଅସହ୍ୟ ହୋଇଚି, ସେତେବେଳେ  ଆଗ୍ନେୟଗିରିର ଲାଭା ପରି ଅସନ୍ତୋଷର ଅନଳ ଉଦ୍‌ଗୀରଣ ହୋଇଚି ଓ ବେଳେବେଳେ ଉତ୍‌ପୀଡ଼କକୁ ଜାଳିପୋଡ଼ି ଧ୍ବଂସ କରିଚି। ଉତ୍ତର-ସ୍ବାଧୀନତା କାଳରୁ ନବେ ଦଶକର ନବ୍ୟ-ଉଦାରବାଦୀ ଅର୍ଥନୀତି ତଥା ପରବର୍ତ୍ତୀ କାଳର ଓଡ଼ିଶାରେ ତଥାକଥିତ ବିକାଶର ଧାରା ସହିତ ସାଧାରଣ ଚାଷୀ ମୂଲିଆ, ଆଦିବାସୀ, ବନବାସୀ, ମତ୍ସ୍ୟଜୀବୀଙ୍କ ସଂଘର୍ଷର ଇତିହାସ ସମାନ୍ତରାଳ ଭାବେ ଗତିଶୀଳ। ଗୋଟିଏ ପଟେ ଶାସନ-ପ୍ରଶାସନ ପ୍ରାୟୋଜିତ/ପ୍ରୋତ୍ସାହିତ ପୁଞ୍ଜିବାଦୀ ଅତ୍ୟାଚାର ଓ ଅନ୍ୟ ପଟେ ନିଜ ଜୀବନଜୀବିକାର ଉତ୍ସ ନଦୀ, ଝରଣା, ହ୍ରଦ, ମାଳି, ଡଙ୍ଗର ଆଦିର ସୁରକ୍ଷା ପାଇଁ ପ୍ରତିରୋଧ- ବିକାଶ ଓ ବିନାଶର ଏହି  ପ୍ରାଣାନ୍ତକ ଖେଳରେ କେତେ ଶହ ଲୋକଙ୍କ ଜୀବନ ଯାଇଚି ତ କେତେ ସହସ୍ର ହୋଇଚନ୍ତି ଉଦ୍‌ବାସ୍ତୁ, ତା’ର ଠିକଣା ନାଇଁ। ସରକାରୀ ସାହାଯ୍ୟ ସହାୟତା, ଥଇଥାନ ଏହି ମଣିଷମାନଙ୍କୁ ଦଶନ୍ଧି ଦଶନ୍ଧି ପରେ ବି ଦେଇପାରିନାଇଁ ସାମାଜିକ-ସାଂସ୍କୃତିକ-ରାଜନୈତିକ ପରିଚୟ, ବରଂ କରିଦେଇଚି ସମାଜ/ସଂସ୍କୃତି/ବାସ-ଚ୍ୟୁତ; ଏକାବେଳକେ ଚ୍ଛିନ୍ନମୂଳ। ଏହି ଶ୍ରେଣୀକୁ କୁହାଯାଇପାରେ ଆନ୍ତନିଅ ଗ୍ରାମ୍‌ସିଙ୍କ ‘ସବ୍‌ଅଲ୍‌ଟର୍ନ’ ଏବଂ କାର୍ଲ ମାର୍କ୍ସଙ୍କ ‘ପ୍ରୋଲେତାରିଏତ୍’ର ପ୍ରତିଭୂ, ଯାହାକୁ ପୁଞ୍ଜିବାଦର ଲାଳସା ନିମନ୍ତେ ସଜାଯାଇଚି ବଳିଭୋଜ୍ୟ। ଆଧୁନିକ ମନ୍ଦିର ଭାବେ ଏକଦା ଖ୍ୟାତ ହୀରାକୁଦ ବନ୍ଧ ଯୋଗୁଁ ବାସଚ୍ୟୁତ ହୁଅନ୍ତୁ ବା ଚିଲିକାର ଉଦ୍‌ବାସ୍ତୁ ମତ୍ସ୍ୟଜୀବୀ- ଏମାନଙ୍କ ଅବସ୍ଥା ପ୍ରାୟ ସମାନ। ପୁଞ୍ଜିପତି ଓ କ୍ଷମତାସୀନଙ୍କ ବିରୋଧରେ ପୁଞ୍ଜିହୀନ ଓ କ୍ଷମତାହୀନଙ୍କ ସଂଘର୍ଷର ଇତିହାସ ଓଡ଼ିଶାର ଚାରିଆଡ଼େ ବିଛାଡ଼ି ହେଇ ରହିଚି। ହୀରାକୁଦରୁ ଆରମ୍ଭ କରି ରେଙ୍ଗାଲି, ଚିଲିକା, ଗନ୍ଧମାର୍ଦନ, ବାଲିଆପାଳ, ଗୋପାଳପୁର, କଳିଙ୍ଗନଗର, କାଶୀପୁର, ନିୟମଗିରି ଓ ଢିଙ୍କିଆ ପର୍ଯ୍ୟନ୍ତ ସବୁଠି ସେହି ଉତ୍ପୀଡ଼ନ ଓ ତା’ ବିରୋଧରେ ପ୍ରତିରୋଧ ଓ ଆନ୍ଦୋଳନ ସେଗୁଡ଼ିକୁ ଓଡ଼ିଶା ସାମାଜିକ ଇତିହାସର ଗୋଟିଏ ଗୋଟିଏ ଗୁରୁତ୍ବପୂର୍ଣ୍ଣ ଅଧ୍ୟାୟରେ ପରିଣତ କରିଚି। ସ୍ଥାନ ଓ କାଳ ବିଶେଷରେ ଏହି ଆନ୍ଦୋଳନଗୁଡ଼ିକ ପରସ୍ପରଠାରୁ ଭିନ୍ନ ହୋଇଥିଲେ ହେଁ ସେଗୁଡ଼ିକର ଅନ୍ତଃସ୍ବର ସମାନ: ନିଜ ଭିଟାମାଟିରୁ ଉଚ୍ଛେଦ ନହେବାପାଇଁ, ଅତି ଆପଣାର ଗାଁ ଭୂଇଁକୁ ଛାଡ଼ି ନଯିବା ପାଇଁ ଶେଷ ପର୍ଯ୍ୟନ୍ତ ଆପ୍ରାଣ ଉଦ୍ୟମ। ନବେ ଦଶକର ଭାରତରେ ଉଦାରୀକରଣ, ଜଗତୀକରଣ ଓ ଘରୋଇକରଣର ଯେଉଁ ଅାର୍ଥନୀତିକ ତତ୍ତ୍ବମାନ ପ୍ରୟୋଗ କରାଗଲା, ତା’ରି ଫଳଶ୍ରୁତି ଥିଲା ବହୁରାଷ୍ଟ୍ରୀୟ ପୁଞ୍ଜିପତିଙ୍କ ପୁଞ୍ଜିରେ ବୃହତ୍‌ ଶିଳ୍ପ ପ୍ରତିଷ୍ଠା ଏବଂ ରାଷ୍ଟ୍ରାୟତ୍ତ ଶିଳ୍ପଗୁଡ଼ିକର ଘରୋଇକରଣ, ଯାହା ଆଜି ପର୍ଯ୍ୟନ୍ତ ଜାରି ରହିଛି। ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ଜୀବନଜୀବିକାର ଉତ୍ସ ଚିଲିକାର ଜଳ ହେଉ ବା ଗୋପାଳପୁରର କିଆଫୁଲ ଚାଷୀଙ୍କ ଜମି, ପୁଞ୍ଜିପତିଙ୍କ ହାତକୁ ଟେକି ଦିଆଗଲା। କ୍ରମେ ରାଷ୍ଟ୍ରର ଭୂମିକା ଗୌଣ ହୋଇଗଲା ଓ ପୁଞ୍ଜି ହିଁ ତା’ର ଅର୍ଥନୀତିର ଅସଲ ଚାଳକ ଶକ୍ତି ସାଜିଲା। ରାଜନୀତି ଯେତେବେ​‌େ​‌ଳ ସମାଜ ବା ନାଗରିକପ୍ରଧାନ ନହୋଇ ପୁଞ୍ଜିପ୍ରଧାନ ହେଲା, ତାହା ସମାଜବିରୋଧୀ ହେବା ଆଦୌ ବିଚିତ୍ର ନୁହେଁ। ହେଲା ମଧ୍ୟ। ନାଗରିକ ବା ସମାଜ ନୁହେଁ, ପୁଞ୍ଜି ଓ ପୁଞ୍ଜିପତିର ସ୍ବାର୍ଥ ତା’ ପାଇଁ ହେଲା ମୁଖ୍ୟ। ରାଜନୈତିକ ମହତ୍ତ୍ବାକାଂକ୍ଷାର ଏ ସ୍ଖଳନ ଅନେକ ବିକୃତିକୁ ଜନ୍ମ ଦେଲା। ଯେଉଁ ରାଷ୍ଟ୍ର ତା’ର ନାଗରିକଙ୍କ ସୁରକ୍ଷା କରିବା କଥା, ସେ ଦମନକାରୀ ପାଲଟିଲା; ଯାହାର ଉଦାହରଣ ଆମେ ଦେଖିବାକୁ ପାଉ ଓଡ଼ିଶାର କାଶୀପୁର, ନିୟମଗିରି, କଳିଙ୍ଗନଗର ଓ ଢିଙ୍କିଆରେ। 


ଆଶ୍ଚର୍ଯ୍ୟର କଥା ଯେ କର୍ପୋରେଟ୍‌ ପରିଚାଳିତ ପୁଞ୍ଜିବାଦୀ ବିକାଶକୁ ଦଳିତ, ଆଦିବାସୀ, ଗରିବ, ଚାଷୀ ଆଦି ସମାଜର ଏକ ବୃହତ୍‌ ଗୋଷ୍ଠୀ ବିରୋଧ କରୁଥିଲେ ହେଁ ସେମାନଙ୍କୁ ରାଜନୈତିକ ସମର୍ଥନ ମିଳିଲା ନାହିଁ। ଗଣମାଧ୍ୟମ ବି ଜନ ଆନ୍ଦୋଳନର ପ୍ରକୃତ କଥାକୁ ଯେପରି  ପ୍ରଚାର କରିବା କଥା ତାହା କଲାନାହିଁ ଏବଂ ପୁଞ୍ଜିବାଦୀ ପ୍ରଲୋଭନରେ ତାହା ବି ପଡ଼ିଗଲା। ତେବେ ଗଣ ହିଁ ନିଜ ଭିତରୁ ଶକ୍ତି ସଂଗ୍ରହ କରି ଲ​‌େ​‌ଢ଼ଇ ଜାରି ରଖିଲା ଏବଂ ଏବେ ବି ରଖିଚି। କେଉଁଠି ହାରିଚି ଓ କେଉଁଠି ତା’ର ଜିତାପଟ ବି ହୋଇଚି। ଖୁସିର କଥା ଯେ ଓଡ଼ିଶାରେ ଗଣ ସଂଗ୍ରାମର ଏପରି ଏକ ସୁଦୀର୍ଘ ଇତିହାସ ବିଛାଡ଼ି ହୋଇ ରହିଥିବାବେଳେ ସେଗୁଡ଼ିକୁ ବିଧିବଦ୍ଧ ଭାବେ ଏକତ୍ର ଲିପିବଦ୍ଧ କରିବାକୁ ଏବେ ଏକ ନିଷ୍ଠାପର ଉଦ୍ୟମ ହୋଇଚି।   ସାମାଜିକ କର୍ମୀ ନିଗମାନନ୍ଦ ଷଡ଼ଙ୍ଗୀ ଓ ଲେଖିକା ରଞ୍ଜନା ପାଢ଼ୀ ସେହି ଅନନ୍ୟ କାର୍ଯ୍ୟଟିକୁ କରିବାର ସାହସ ଦେଖାଇଚନ୍ତି ସେମାନଙ୍କ ପୁସ୍ତକ ‘ଗାଁ ଛାଡ଼ିବୁ ନାହିଁ- ଦଶଟି ଜନ ଆନ୍ଦୋଳନର ଗାଥା’ରେ। ସେମାନେ ଏଇଥିପାଇଁ ସାହସୀ ଯେ ଏଥିରେ ଯେଉଁ ଶୋଷିତ, ବଞ୍ଚିତ, ଅତ୍ୟାଚାରିତଙ୍କ ଲୁହଲହୁର ଗାଥା ରହିଚି, ସେମାନଙ୍କ କଥାକୁ ନା ସରକାର ନା ପ୍ରଶାସନ ନା ଆମ ସମାଜ କେବେ​‌ ଶୁଣିବାକୁ କି ବୁଝିବାକୁ ଚେଷ୍ଟା କରିଚନ୍ତି, ଅଥଚ ଲେଖକଦ୍ବୟ ସେମାନଙ୍କ ନିକଟରେ ନିଜେ ପହଞ୍ଚି ସେମାନଙ୍କ ଅଙ୍ଗେନିଭା କାହାଣୀର ସତ୍ୟନିଷ୍ଠ ବିବରଣୀ ବୃହତ୍ତର ପାଠକଙ୍କ ନିକଟରେ ପହଞ୍ଚାଇଚନ୍ତି। ‘ଗାଁ ଛାଡ଼ିବୁ ନାହିଁ’ରେ ସାତ ଦଶନ୍ଧି ଭିତରେ ଓଡ଼ିଶାରେ ଘଟିଥିବା ଦଶଟି ଉଲ୍ଲେଖନୀୟ ଜନ ଆନ୍ଦୋଳନର ଇତିହାସ ଲିପିବଦ୍ଧ ହୋଇଚି ଦଶଟି ଅଧ୍ୟାୟରେ। ସବୁଠୁ ବଡ଼କଥା ହେଲା, ସରଳ ଓ ଭାବଦ୍ୟୋତକ ଭାଷା; ଆନ୍ଦୋଳନ ସହ ସଂପୃକ୍ତ ଲୋକଙ୍କ ମୂଳ କଥନ ଓ ସ୍ଥାନୀୟ ଭାଷାର ଅବିକଳ ଉପସ୍ଥାପନା; ଆନ୍ଦୋଳନ ସହ ଜଡ଼ିତ ସାଂସ୍କୃତିକ ପ୍ରେକ୍ଷାପଟର ଅବତାରଣା ଏହାକୁ କେବଳ ସୁବୋଧ୍ୟ କରିନାହିଁ, ପ୍ରାମାଣିକ ମଧ୍ୟ କରିପାରିଚି। ମାନବ ବିଜ୍ଞାନ କେନ୍ଦ୍ର ଭୁବନେଶ୍ବର ଦ୍ବାରା ପ୍ରକାଶିତ ଏହି ଉତ୍ପୀଡ଼ନ ଓ ପ୍ରତିରୋଧର ଇତିହାସ କେବଳ ଓଡ଼ିଶାର ସମାଜତାତ୍ତ୍ବିକ ଗବେଷଣା କ୍ଷେତ୍ରରେ ନୁହେଁ, ବରଂ ଗଣତାନ୍ତ୍ରିକ ଆନ୍ଦୋଳନ ଏବଂ ଏକାଡେମିକ୍‌ କ୍ଷେତ୍ରରେ ମଧ୍ୟ ମାର୍ଗଦର୍ଶକର ଭୂମିକା ତୁଲାଇବ, ତାହା ନିଃସନ୍ଦେହ।

(‘ସମାଜ’ରେ ୨୮.୩.୨୦୨୧ (ରବିବାର)ରେ ସମ୍ପାଦକୀୟ ପୃଷ୍ଠାରେ ପ୍ରକାଶିତ)


Read More

ପଦ୍ମାବତୀ: ସାହିତ୍ୟ-ଇତିହାସ-ରାଜନୀତି

Leave a Comment


ଭାରତବର୍ଷରେ ଲିଖିତ ଇତିହାସର କାଳଖଣ୍ଡ ଆଦୌ ବେଶି ନୁହେଁ। ସେହି ହେତୁରୁ ଏଠାରେ ଯୁଗଯୁଗ ଧରି ଲୋକମୁଖରେ ପ୍ରଚଳିତ ସ୍ମୃତି, କିମ୍ବଦନ୍ତୀ, ଗାଥା, ଗଳ୍ପ ଆଦିର ବିଷୟବସ୍ତୁ ଅନେକ ସମୟରେ ଇତିହାସର ହୋଇଛି ଉପଜୀବ୍ୟ। ତେଣୁ ସେଥିରେ ଗପ/କାହାଣୀ ଓ ତଥ୍ୟ/ସତ୍ୟକୁ ଚିହ୍ନିବା ଏକ କଷ୍ଟକର ବ୍ୟାପାର; ସାଧାରଣ ଲୋକଙ୍କ ପାଇଁ ତ ସମ୍ପୂର୍ଣ୍ଣ ଅସମ୍ଭବ। ଏଥିରେ ଇତିହାସ ପାଇଁ ଯେଉଁ ବସ୍ତୁନିଷ୍ଠତା/ପ୍ରାମାଣିକତା ଆବଶ୍ୟକ, ତା’ର ଅଭାବ ଥିବାରୁ ସେଗୁଡ଼ିକର ଐତିହାସିକତା ହୋଇପାରେନା ପ୍ରଶ୍ନାତୀତ। ଇତିହାସ ଯେମିତି ମଣିଷକୁ ଗଢ଼େ, ମଣିଷ ବି ଇତିହାସକୁ ଗଢ଼େ/ଲେଖେ; ମାତ୍ର ତାକୁ ଯଦି ସେ ମନଇଚ୍ଛା ଗଢ଼ିଲା, ତାହା ଇତିହାସ ନହୋଇ ହୁଏ କାବ୍ୟ କି ପୁରାଣ। ଏଭଳି ଏକ ଦ୍ବନ୍ଦ୍ବରୁ ବର୍ତ୍ତମାନର ବହୁଚର୍ଚିତ ବିବାଦ ‘ପଦ୍ମାବତୀ’ର ଉତ୍ପତ୍ତି। ୟା’ ପଛରେ କେବଳ ଏକ ପାରମ୍ପରିକ ଗୌରବବୋଧର ମଜବୁତ ଅଥଚ ଅନିଶ୍ଚିତ ବିଶ୍ବାସବୋଧ ନାହିଁ; ଅଛି ବି ତଥାକଥିତ  ଜାତୀୟତାବାଦର ସ୍ବାର୍ଥସର୍ବସ୍ବ ରାଜନୈତିକ ସଂସ୍କାର। ସର୍ବୋପରି ‘ପଦ୍ମାବତୀ’ ଚଳଚ୍ଚିତ୍ରର କାହାଣୀ ଯେଉଁ ପୃଷ୍ଠଭୂମିକୁ କରିଚି ଆଧାର, ତାହା ଇତିହାସ ଏବଂ କଳ୍ପନାର ଫେଣ୍ଟାଫେଣ୍ଟି ଏକ ମହାକାବ୍ୟ ହୋଇଥିବାରୁ ବାସ୍ତବତାକୁ କଳ୍ପନାଠାରୁ ଭିନେ କରି ଚିହ୍ନିବା ହୋଇଚି କାଠିକର ପାଠ।  ପଦ୍ମାବତୀ ଚରିତ୍ର ପ୍ରକୃତରେ ଐତିହାସିକ ନା କାଳ୍ପନିକ, ତାହା କେବଳ ଏବେ ନୁହେଁ, କୋଉ ଯୁଗରୁ ପାଲଟିଚି ସବୁଠୁ ବଡ଼ ପ୍ରଶ୍ନ।

ସାହିତ୍ୟରେ ପଦ୍ମାବତୀ

ଭାରତୀୟ ଜନଜୀବନରେ, ବିଶେଷତଃ ଉତ୍ତର ଭାରତରେ ଲୋକମୁହଁରେ ଯୁଗଯୁଗ ଧରି ଯେଉଁ କାହାଣୀ ପ୍ରଚଳିତ, ସେଥିରେ ରାଣୀ ପଦ୍ମାବତୀ/ପଦ୍ମିନୀ କେବଳ ଅପୂର୍ବ ସୁନ୍ଦରୀ ନୁହନ୍ତି, ଜଣେ ବୀରା ରମଣୀ ମଧ୍ୟ ଯିଏ ଆପଣାର ସ୍ବାଭିମାନ ରକ୍ଷା ପାଇଁ ନିଜ ପ୍ରାଣ ବିସର୍ଜିବାକୁ ପଛାଇନାହାନ୍ତି! ରାଜସ୍ଥାନର ରାଜପୁତ ସମ୍ପ୍ରଦାୟ ପାଇଁ ସେ କୌଣସି ପ୍ରଖ୍ୟାତ ଦେବୀଠାରୁ କମ୍ ନୁହନ୍ତି; କିନ୍ତୁ ପଦ୍ମାବତୀ ଚରିତ୍ରକୁ ନେଇ ଲିଖିତ ଭାବେ ଯେଉଁ ସର୍ବପ୍ରଥମ ଆଖ୍ୟାନଟି ମିଳୁଚି, ତାହା ଇତିହାସରୁ ନୁହେଁ, ବରଂ ‘ପଦ୍ମାବତ୍’ ନାମକ ଏକ କାବ୍ୟରୁ, ଯାହାକୁ ଅୱଧି ଭାଷାରେ ଲେଖିଥିଲେ ଜଣେ ସୁଫିକବି ମଲିକ ମହମ୍ମଦ ଜାୟସୀ ଷୋଡ଼ଶ ଶତାବ୍ଦୀରେ, ୧୫୪୦ରେ। ଉତ୍ତର ଭାରତରେ ଚତୁର୍ଦଶରୁ ଷୋଡ଼ଶ ଶତାବ୍ଦୀ ମଧ୍ୟରେ କବିମାନେ ଯେଉଁ କାବ୍ୟ ରଚନା କରିଚନ୍ତି, ସେଥିରେ ସୁଫି କାବ୍ୟଧାରାରେ ‘ପ୍ରେମକାହାଣୀ’ର ଏକ ନବ୍ୟ ଅଧ୍ୟାୟ ଯୋଡ଼ି ହୋଇଥିଲା, ଯାହା ମୁଖ୍ୟତଃ ରହସ୍ୟବାଦୀ। ସେସବୁ କାବ୍ୟର ନାୟକ ଜଣେ ରାଜା, ଯିଏ ଅପୂର୍ବ ରୂପସୀ ନାରୀକୁ ଆଶ୍ରୟ କରି ପରମ ସତ୍ୟ ସହ ଭେଟ ହେବାର ଆକାଙ୍କ୍ଷା ରଖେ। ସେ ସାଂସାରିକ ସୁଖସୁବିଧା ଉପଭୋଗ କରୁଥିଲେ ହେଁ ସର୍ବଦା ବଞ୍ଚୁଥାଏ ଆଧ୍ୟାତ୍ମିକ ଜୀବନ। ‘ପଦ୍ମାବତ୍’ ବୋଧହୁଏ ଏଭଳି ଏକମାତ୍ର କାବ୍ୟ, ଯେଉଁଠି ଏହି ତତ୍ତ୍ବର ହୋଇଚି ସାମାନ୍ୟ ବ୍ୟତିକ୍ରମ, କାରଣ ଏଥିରେ କେବଳ କଳ୍ପନା ନାହିଁ, ଇତିହାସ ବି ଅଛି। ଏହାର ନାୟକ ଏକ ଐତିହାସିକ ଚରିତ୍ର, ଯାହାଙ୍କ ନାଁ ରତନ ସିଂହ ବା ରତ୍ନସିଂହ (ଶାସନକାଳ ୧୩୦୨-୧୩୦୩), ଯିଏ ଚିତ୍ତୋଡ଼ ରାଜ୍ୟର ରାଜା ଏବଂ ଖଳନାୟକ (!) ଆଉ ଏକ ବିଖ୍ୟାତ ଐତିହାସିକ ଚରିତ୍ର ଆଲାଉଦ୍ଦିନ ଖିଲଜୀ (ଶାସନ କାଳ ୧୨୯୬-୧୩୧୬), ଯିଏ ଦିଲ୍ଲୀ ସଲ୍‌ତନତ୍‌ର ଦିଗ୍‌ବିଜୟୀ ସୁଲତାନ।

ଜାୟସୀଙ୍କ କାବ୍ୟକଥା ଅନୁସାରେ, ହୀରାମନ ନାମକ ଶୁଆଟିଏ ଚିତ୍ତୋଡ଼ ରାଜା ରତନ ସିଂହଙ୍କୁ ସିଂହଳ/ଶ୍ରୀଲଙ୍କାର ରାଜକୁମାରୀ ପଦ୍ମାବତୀଙ୍କ ଅନିନ୍ଦ୍ୟ ସୌନ୍ଦର୍ଯ୍ୟ ସମ୍ପର୍କରେ ସୂଚନା ଦିଏ ଓ ରାଜା ତାଙ୍କୁ ପାଇବାକୁ ଏତେ ବିକଳ ହୁଅନ୍ତି ଯେ ପତ୍ନୀ ନାଗମତୀକୁ ଛାଡ଼ି ଯୋଗୀ ହୋଇ ପଦ୍ମାବତୀଙ୍କ ସନ୍ଧାନରେ ସୁଦୂର ସିଂହଳ ଅଭିମୁଖେ ବାହାରିପଡ଼ନ୍ତି। ଶେଷରେ ସେ ତାଙ୍କ ଲକ୍ଷ୍ୟସ୍ଥଳରେ ପହଞ୍ଚନ୍ତି ଓ ପଦ୍ମାବତୀଙ୍କୁ ବିବାହ କରି ତାଙ୍କୁ ସାଥୀରେ ନେଇ ପ୍ରତ୍ୟାବର୍ତ୍ତନ କରନ୍ତି। ତେଣେ ରତନ ସିଂହଙ୍କ ରାଜଦରବାରରୁ ପୂର୍ବରୁ ବହିଷ୍କୃତ ଜଣେ ବ୍ରାହ୍ମଣ ପ୍ରତିଶୋଧ ନେବାପାଇଁ ପଦ୍ମାବତୀଙ୍କ ଅପରୂପ ସୌନ୍ଦର୍ଯ୍ୟ ବିଷୟରେ ଖିଲିଜୀଙ୍କୁ ସୂଚନା ଦିଏ। ଏହାପରେ ଖିଲିଜୀ ପଦ୍ମାବତୀଙ୍କୁ ପାଇବା ପାଇଁ ଚିତ୍ତୋଡ଼ ଆକ୍ରମଣ କରନ୍ତି; କିନ୍ତୁ ଅଭେଦ୍ୟ ଦୁର୍ଗକୁ ଭେଦ କରିବା ସମ୍ଭବ ହୁଏ ନାହିଁ। ଦ୍ବିତୀୟ ବାର ସେ ତାଙ୍କ ଲକ୍ଷ୍ୟସାଧନରେ ସଫଳ ହୁଅନ୍ତି। ଏହି ସମୟ ମଧ୍ୟରେ ବହୁ ଘଟଣା ଘଟେ। ସମୟଚକ୍ରରେ ପଡ଼ୋଶୀ କୁମ୍ଭଲଗଡ଼ର ରାଜପୁତ ରାଜା ଦେବପାଲ(ସେ ମଧ୍ୟ ପଦ୍ମାବତୀଙ୍କୁ ପାଇବା ପାଇଁ ଯୁଦ୍ଧ କରିଥିଲେ)ଙ୍କ ସହ ଯୁଦ୍ଧରେ ରତନ ସିଂହଙ୍କ ମୃତ୍ୟୁ ଘଟେ ଏବଂ ପଦ୍ମାବତୀ ଓ ନାଗମତୀ ତାଙ୍କ ଚିତାଗ୍ନିରେ ହିଁ ଆତ୍ମଦାହ(ଜୌହର) କରନ୍ତି। ଖିଲଜି ଦ୍ବିତୀୟ ଥର ଆକ୍ରମଣ କରି ଚିତ୍ତୋଡ଼ ଦୁର୍ଗକୁ ଅଧିକାର କରନ୍ତି; କିନ୍ତୁ ତାଙ୍କର ଅସଲ ଲକ୍ଷ୍ୟ ସାଧିତ ହୁଏ ନାହିଁ; କାରଣ ସେତେବେଳକୁ ପଦ୍ମାବତୀଙ୍କ ଚିତାଭସ୍ମ ବ୍ୟତୀତ ତାଙ୍କୁ ଅନ୍ୟକିଛି ମିଳେନାହିଁ। ଏଇଠି ‘ପଦ୍ମାବତ୍‌’ କାହାଣୀର ହୁଏ ପରିସମାପ୍ତି। (କେତେକ ଲୋକକାହାଣୀରେ ରାଜା ରତନ ସିଂହ ଏକ ସ୍ବୟଂବର ଜରିଆରେ ପଦ୍ମିନୀଙ୍କୁ ବିବାହ କରିଥିବା ଏବଂ ଏକ ବିରାଟ ଦର୍ପଣର ପ୍ରତିଫଳନରେ ତାଙ୍କ ରୂପସୌନ୍ଦର୍ଯ୍ୟକୁ ଆଲାଉଦ୍ଦିନ ଖିଲଜୀ ଦେଖିଥିବା ଦର୍ଶାଯାଇଛି; ଖୁବ୍‌ ସମ୍ଭବ ଯାହା ପରେ ମୂଳକାହାଣୀରେ ଯୋଡ଼ିହୋଇଛି।)

‘ପଦ୍ମାବତ୍’ରେ କବି ଜୟସୀ ଚିତ୍ତୋଡ଼କୁ ଶରୀର, ରତନ ସିଂହ ଆତ୍ମା, ପଦ୍ମିନୀ ବୁଦ୍ଧି, ହୀରାମନ ଆଧ୍ୟାତ୍ମିକ ମାର୍ଗଦର୍ଶକ ଓ ଖିଲଜୀଙ୍କୁ ମାୟା ଭାବେ ଚିତ୍ରଣ କରିଥିବା କହିଛନ୍ତି। ଧ୍ୟାନଯୋଗ୍ୟ ଯେ ଅମିର ଖୁସ୍ରୋଙ୍କଠାରୁ ଆରମ୍ଭ କରି ଇରାନର ରୁମି, ହାଫିଜ, ସାନାଇ ପ୍ରମୁଖ କେନ୍ଦ୍ର ଏସୀୟ ଓ ଉପମହାଦେଶୀୟ କବିମାନେ ଯେଉଁ କାବ୍ୟକବିତା ରଚନା କରିଥିଲେ, ସେଥିରେ ପାର୍ଶୀ ଆଧ୍ୟାତ୍ମିକ କବିତା ପାଇଁ ଅପରିହାର୍ଯ୍ୟ ମନେ କରାଯାଉଥିବା ‘ଷୋହଳ ରୀତି’କୁ ପାଳନ କରିଥିଲେ। ଏହାର ଗୋଟିଏ ରୀତି ଅନୁସାରେ ସେମାନେ ଏକ ଦେବୀତୁଲ୍ୟ ନାରୀ ଚରିତ୍ର ସୃଷ୍ଟି କରୁଥିଲେ। ଜାୟସୀଙ୍କ ସୃଷ୍ଟିରେ ସେହି ଚରିତ୍ରଟି ଯେ ପଦ୍ମାବତୀ/ପଦ୍ମିନୀ, ତାହା ନିଃସନ୍ଦେହ। ‘ପଦ୍ମାବତୀ’ ଚରିତ୍ରଟି ଜାୟସୀଙ୍କ କଳ୍ପନାପ୍ରସୂତ ବୋଲି ମନେ କରିବାର ଆଉ ଏକ କାରଣ ହେଉଛି, ତାଙ୍କ ସମଧର୍ମା କବିମାନଙ୍କ ସମସ୍ତ ନାରୀ ଚରିତ୍ର ବା ନାୟିକା ଥିଲା କାଳ୍ପନିକ; ଉଦାହରଣ: ଜଲାଲୁଦ୍ଦିନ ରୁମିଙ୍କ ଇର୍ଫା; ନିଜାମୀଙ୍କ ନାହିଲା, ଆତ୍ତାରଙ୍କ କନିମ୍, ହକିମ୍ ସାନାଇଙ୍କ ଅଭିଆରା ଆଦି। ସେମାନେ ଏହି ଚରିତ୍ରସବୁକୁ ନିଜ କାବ୍ୟକାହାଣୀରେ ଏଭଳି ପ୍ରାଣବନ୍ତ କରି ଖଞ୍ଜିଚନ୍ତି ଯେ ଜଣେ ସେମାନଙ୍କୁ ରକ୍ତମାଂସର ମନୁଷ୍ୟ ବୋଲି ମନେ କରିବା ବିଚିତ୍ର ନୁହେଁ।

ଇତିହାସରେ ପଦ୍ମାବତୀ?

‘ପଦ୍ମାବତ୍’ କାବ୍ୟକୁ ଜାୟସୀ ଲେଖିଥିଲେ ରାଜା ରତନ ସିଂହ ଓ ଆଲାଉଦ୍ଦିନ ଖିଲଜିଙ୍କ ମଧ୍ୟରେ ହୋଇଥିବା ଯୁଦ୍ଧ (୧୩୦୩)ର ପ୍ରାୟ ୨୪୦ ବର୍ଷ ପରେ। ତେଣୁ ସେଥିରେ ଐତିହାସିକତା ଅପେକ୍ଷା କାଳ୍ପନିକତା ବେଶି ରହିଥିବା ସ୍ବାଭାବିକ। କେବଳ ଦୁଇଟି ପ୍ରମୁଖ ଚରିତ୍ର ଏବଂ ରତନ-ଖିଲଜି ଯୁଦ୍ଧ ପ୍ରକରଣ ବ୍ୟତୀତ ସବୁଯାକ ଘଟନା କାଳ୍ପନିକ ବୋଲି ପ୍ରାୟ ସମସ୍ତ ଆଧୁନିକ ଐତିହାସିକଙ୍କ ମତ। ପଦ୍ମାବତୀ କାହାଣୀ ପ୍ରସଙ୍ଗରେ ସର୍ବାଧିକ ଉଦ୍ଧୃତ ଓ ପ୍ରାମାଣିକ ମତ ଧରାଯାଉଥିବା ରାୟବାହାଦୁର ଗୌରୀଶଙ୍କର ହୀରାଚନ୍ଦ ଓଝାଙ୍କ ଅନୁଯାୟୀ, ‘‘ଇତିହାସ ଅଭାବରୁ ଲୋକେ ‘ପଦ୍ମାବତ୍‌’କୁ ଐତିହାସିକ ପୁସ୍ତକ ବୋଲି ଧରିନେଲେ, କିନ୍ତୁ ବାସ୍ତବରେ ତାହା ଆଜିକାଲିର ଐତିହାସିକ ଉପନ୍ୟାସ ଭଳି ଏକ କବିତାବଦ୍ଧ କାହାଣୀ।’’ (ରାଜପୁତାନା କା ଇତିହାସ; ୧୯୨୭) ଉତ୍ତର ଭାରତ ଓ ଗୁଜରାଟରେ ‘ପଦ୍ମାବତ୍’ କାହାଣୀର ପୁନଃପୁନଃ କଥନ ଫଳରେ ତା’ର ରୂପ କେମିତି ଅନେକ ସ୍ଥାନରେ ବଦଳିଚି, ତାକୁ ଐତିହାସିକା ରମ୍ୟା ଶ୍ରୀନିବାସନ ମଧ୍ୟ ଖୁବ୍ ଯତ୍ନର ସହ ତାଙ୍କର ଗବେଷଣାତ୍ମକ ପୁସ୍ତକ ‘ଦ ମେନି ଲାଇଭ୍ସ ଅଫ୍ ଏ ରାଜପୁତ କୁଇନ’(୨୦୦୭)ରେ ଉଲ୍ଲେଖ କରିଛନ୍ତି। ତାଙ୍କ ଅନୁସାରେ, ‘ପଦ୍ମାବତ୍’ ରଚନାର କେଇ ଦଶନ୍ଧି ପରେ ଏହାର ଏକ ସଂସ୍କରଣ ଚାରଣକବି/ଭାଟମାନଙ୍କ ଦ୍ବାରା ଗାନ କରାଯାଉଥିଲା। ସେହି ସମୟରେ ହେମ ରତନ ଲେଖିଥିଲେ ‘ଗୋରା ବାଦଲ ପଦ୍ମିନୀ ଚୌପାଇ’ (୧୫୮୯), ଯେଉଁଥିରେ ଏହି କାହାଣୀକୁ ବାସ୍ତବ ଘଟନା ପରି ବର୍ଣ୍ଣନା କରାଯାଇଛି। ସେହିପରି ସପ୍ତଦଶ ଶତାବ୍ଦୀରେ ରତନ ସିଂହଙ୍କ କାହାଣୀରେ ମେୱାଡ଼ର ସିସୋଦିଆ ଶାସକଙ୍କୁ ସଂପୃକ୍ତ କରାଗଲା (ପଦ୍ମାବତୀଙ୍କୁ ଯାହାଙ୍କ ବଂଶଜ ବୋଲି କେତେକ ମନେକରନ୍ତି); ଅଷ୍ଟାଦଶ ଶତାବ୍ଦୀରେ ମୋଗଲ ସାମ୍ରାଜ୍ୟର ପତନ ପରେ ଏବଂ ଔପନିବେଶିକ ଶାସନର ପ୍ରାରମ୍ଭରେ ପଦ୍ମାବତୀ କାହାଣୀ ବଦଳିଲା, ଯେଉଁଥିରେ ଖିଲଜୀଙ୍କ ଚରିତ୍ରକୁ ନ୍ୟୂନ କରାଯାଇଥିଲା। ଉଲ୍ଲେଖଯୋଗ୍ୟ, ମଧ୍ୟଯୁଗୀୟ ଐତିହାସିକଙ୍କ ଦୃଢ଼ ମତ ହେଉଛି ଆଲାଉଦ୍ଦିନ ଥିଲେ ପ୍ରଥମ ଶାସକ, ଯିଏ ସ୍ଥାନୀୟ ଲୋକଙ୍କୁ ନିଜ ସରକାରରେ ଅଂଶୀଦାର କରିଥିଲେ ଏବଂ ବଜାର ନିୟନ୍ତ୍ରଣ ଓ କୃଷି ସଂସ୍କାର ପାଇଁ ସେ ବିଧିବଦ୍ଧ ବ୍ୟବସ୍ଥା କରିଥିଲେ, ଯାହା ସେତେବେଳେ ଥିଲା ଅଚିନ୍ତନୀୟ। ଆହୁରି ମଧ୍ୟ ତାଙ୍କ ଗଠିତ ସେନା ଥିଲା  ଅଦ୍ବିତୀୟ; ଯାହା ସାହାଯ୍ୟରେ ସେ ମଧ୍ୟଏସିଆ ଓ ଇରାକକୁ ଅଧିକାର କରିନେଇଥିବା ଶକ୍ତିଶାଳୀ ମଙ୍ଗୋଲଙ୍କ ହାତରୁ ଭାରତକୁ ସୁରକ୍ଷିତ ରଖିପାରିଥିଲେ। ଇତିହାସକାରଙ୍କ ମତରେ, ତାଙ୍କ ବ୍ୟକ୍ତିତ୍ବକୁ ଦେଖିଲେ ସେ ଯେ କୌଣସି ନାରୀକୁ ପାଇବା ପାଇଁ ଯୁଦ୍ଧ କରିଥିବେ, ତାହା ଅକଳ୍ପନୀୟ; ଅନ୍ୟପକ୍ଷରେ ରତନ ସିଂହଙ୍କ ସହ ଯୁଦ୍ଧର ଏକମାତ୍ର କାରଣ ଥିଲା ସାମ୍ରାଜ୍ୟ ବିସ୍ତାର।

ଊନବିଂଶ ଶତାବ୍ଦୀରେ ରାଜପୁତାନାରେ ଥିବା ଇଷ୍ଟ ଇଣ୍ଡିଆ କମ୍ପାନୀର ଏଜେଣ୍ଟ୍ କର୍ଣେଲ ଜେମ୍ସ ଟୋଡ଼ ଏହି ପ୍ରସଙ୍ଗକୁ ତାଙ୍କ ପୁସ୍ତକ ‘ଆନ୍ନାଲ୍ସ ଏଣ୍ଡ୍ ଆଣ୍ଟିକ୍ବିଟିଜ୍ ଅଫ୍ ରାଜସ୍ଥାନ’ରେ ବର୍ଣ୍ଣନା କରିଛନ୍ତି; କିନ୍ତୁ ସେ ସ୍ଥାନୀୟ ଲୋକକାହାଣୀରୁ ଏହାର ଉପାଦାନ ସଂଗ୍ରହ କରିଛନ୍ତି, ଯାହା ବେଶି ବିଭ୍ରାନ୍ତିକର। ଏଥିରେ ସେ ଚିତ୍ତୋଡ଼ର ତତ୍କାଳୀନ ଶାସକ ଭାବେ ରାଜା ରତନ ସିଂହ ନୁହନ୍ତି, ଲକ୍ଷମସି (ଲକ୍ଷ୍ମଣ ସିଂହ)ଙ୍କୁ ଦର୍ଶାଇଛନ୍ତି; ପୁଣି ପଦ୍ମିନୀଙ୍କୁ ସିଲୋନ (ଶ୍ରୀଲଙ୍କା)ର ଚୌହାନ ଶାସକ ହମିର୍ ସାଙ୍କଙ୍କ କନ୍ୟା ବୋଲି କହିଛନ୍ତି। ପରେ କିନ୍ତୁ ସେ ସେହି ଚରିତ୍ରକୁ ସ୍ଥାନୀୟ ରାଜପୁତ୍ ଜାତିର ବୀରାଙ୍ଗନା ପରି ଅର୍ଥାତ ‘ରାଜସ୍ଥାନୀ ପଦ୍ମିନୀ’ ରୂପରେ ଚିତ୍ରଣ କରିଛନ୍ତି। ପଦ୍ମିନୀଙ୍କ ଆତ୍ମବଳିଦାନକୁ ଜଣେ ହିନ୍ଦୁନାରୀର ଦୁଃସାହସିକ ଓ ମହିମାମୟ କାର୍ଯ୍ୟର ପ୍ରତୀକ ଭାବେ ଟୋଡ଼ ଚିତ୍ରଣ କରିଛନ୍ତି। ଏହିପରି ଭାବେ ଏକ କାଳ୍ପନିକ ଚରିତ୍ର ଅବଲୀଳାକ୍ରମେ ଐତିହାସିକ ଚରିତ୍ର ପାଲଟିଯାଇଛି। ତତ୍କାଳୀନ ବାଂଲା ସାହିତ୍ୟକୁ ଟୋଡ଼ଙ୍କ ପୁସ୍ତକ ପ୍ରଭାବିତ କରିଥିବା ଦେଖାଯାଏ। ରଙ୍ଗଲାଲ ବନ୍ଦୋପାଧ୍ୟାୟଙ୍କ ‘ପଦ୍ମିନୀ ଉପାଖ୍ୟାନ’ (୧୮୫୮), ଜ୍ୟୋତିରୀନ୍ଦ୍ରନାଥ ଠାକୁରଙ୍କ ‘ସରୋଜିନୀ ବା ଚିତ୍ତୋର ଆକ୍ରମଣ’ (୧୮୭୫), କ୍ଷୀରୋଦପ୍ରସାଦ ବିଦ୍ୟାବିନୋଦଙ୍କ ନାଟକ ‘ପଦ୍ମିନୀ’ (୧୯୦୬) ଓ ଅବନୀନ୍ଦ୍ରନାଥ ଠାକୁରଙ୍କ ‘ରାଜକାହିଣୀ’ (୧୯୦୯) ତା’ର ଉଦାହରଣ। ଏମାନେ ଟୋଡ଼ଙ୍କ ପୁସ୍ତକକୁ ଅନୁସରଣ କରି ପ୍ରମାଦରେ ପଡ଼ିଚନ୍ତି। ଜବାହରଲାଲ ନେହେରୁ ମଧ୍ୟ ତାଙ୍କ ପ୍ରସିଦ୍ଧ ପୁସ୍ତକ ‘ଡିସ୍କଭରି ଅଫ୍ ଇଣ୍ଡିଆ’ (୧୯୪୬)ରେ ଖିଲଜୀ ଦର୍ପଣରେ ପଦ୍ମିନୀଙ୍କ ପ୍ରତିବିମ୍ବ ଦେଖିଥିବା କାହାଣୀକୁ ବର୍ଣ୍ଣନା କରିଛନ୍ତି।
ପଦ୍ମାବତୀ ଯେ ଏକ କାଳ୍ପନିକ ଚରିତ୍ର, ତାହା ଐତିହାସିକମାନେ ଦୃଢ଼ମତ ପୋଷଣ କରିବା ପଛରେ ଆଉ ଯେଉଁ ତଥ୍ୟଟି ରହିଛି, ତାହା ହେଲା ମହମ୍ମଦ ତୋଗଲକ ଓ ଫିରୋଜ ଶାହଙ୍କ ରାଜଦରବାରରେ କାର୍ଯ୍ୟକରୁଥିବା ଐତିହାସିକ ଜିୟାଉଦ୍ଦିନ ବରଣି (୧୨୮୫-୧୩୫୭) ତଥା ବିଖ୍ୟାତ ସଂଗୀତଜ୍ଞ, କବି ଏବଂ ବିଦ୍ବାନ ଅମୀର ଖୁସ୍ରୋ (୧୨୫୩-୧୩୨୫) ରାଣୀ ପଦ୍ମିନୀ/ପଦ୍ମାବତୀଙ୍କ ନାମ କେଉଁଠି ହେଲେ ଉଲ୍ଲେଖ କରିନାହାନ୍ତି। ଖୁସ୍ରୋ ତାଙ୍କର ‘ଖାଜା’ଇନ ଉଲ୍ ଫୁତୁହ୍’ ଏବଂ ତା’ପରେ ଲେଖିଥିବା ‘ଦିୱାଲ ରାନୀ ଖିଜର ଖାଁ’ (୧୩୧୫), କୌଣସିଥିରେ ପଦ୍ମିନୀ/ପଦ୍ମାବତୀ ସମ୍ପର୍କରେ ସାମାନ୍ୟତମ ସୂଚନା ଦେଇନାହାନ୍ତି; ବରଂ ଆଲାଉଦ୍ଦିନ ଓ ଗୁଜରାଟର ରାଜକୁମାରୀଙ୍କ ପ୍ରେମକାହାଣୀ ବିଷୟରେ ସେ ଲେଖିଛନ୍ତି। ଏହି ଦୁଇ ଜଣଙ୍କ ରଚନାକୁ ମଧ୍ୟଯୁଗୀୟ ଇତିହାସର ତଥ୍ୟ ପାଇଁ ସବୁଠୁ ବିଶ୍ବସ୍ତ ସୂତ୍ର ବୋଲି ଐତିହାସିକ ମନେକରନ୍ତି।

ତେବେ କେହିକେହି ଚିତ୍ତୋଡ଼ ଦୁର୍ଗସ୍ଥ ପଦ୍ମିନୀ ମହଲ, ଜୌହର କୁଣ୍ଡ ଆଦିକୁ ପ୍ରତ୍ନତାତ୍ତ୍ବିକ ପ୍ରମାଣ କହି ପଦ୍ମିନୀଙ୍କୁ ଏବେମଧ୍ୟ ଐତିହାସିକ ଚରିତ୍ର ବୋଲି ଦାବି କରନ୍ତି; କିନ୍ତୁ ଆଧୁନିକ ଐତିହାସିକମାନେ ସେଗୁଡ଼ିକୁ ଐତିହାସିକ ଘଟନାର ବହୁ ପରବର୍ତ୍ତୀ କାଳର ନିର୍ମାଣ ବୋଲି କହନ୍ତି। ଆଉମଧ୍ୟ, ଏ ପ୍ରଶ୍ନ ଏବେ ବି ଅନୁତ୍ତରିତ ଯେ ଖୋଦ୍ ପଦ୍ମିନୀଙ୍କ ସମ୍ବନ୍ଧରେ ଇତିହାସ ସମ୍ପୂର୍ଣ୍ଣ ନିରବ କାହିଁକି? ଜଣେ କବିର ଏକ ସାହିତ୍ୟିକ ଉପସ୍ଥାପନାକୁ ଇତିହାସ ବୋଲି ଧରିନେଲେ ଏପରି ବିଭ୍ରାଟ ସୃଷ୍ଟି ହେବା ଅସ୍ବାଭାବିକ ନୁହେଁ।

ରାଜନୀତିରେ ପଦ୍ମାବତୀ

‘ପଦ୍ମାବତୀ’ ଚଳଚ୍ଚିତ୍ରର କାହାଣୀ ଯାହା ହୋଇଥାଉନା କାହିଁକି, ତାକୁ କଳା ରୂପରେ ଦେଖିଥିଲେ ବିବାଦ ଉପୁଜିବାର ନଥିଲା କୌଣସି କାରଣ; କିନ୍ତୁ ଏହାକୁ ଜାଣିଶୁଣି ବିବାଦୀୟ କରାଯିବାର ସନ୍ଦେହ କ୍ରମେ ଦୃଢ଼ ହେଉଚି। କାହିଁକିନା ପ୍ରଥମତଃ, ପଦ୍ମାବତୀ କାହାଣୀକୁ ନେଇ ଯଦି ଭାରତବର୍ଷରେ ଉଠିଥାନ୍ତା ବିବାଦ, ତେବେ ଅନ୍ତତଃ ଛଅ ଦଶନ୍ଧି ତଳୁ ତାହା ଉଠିଥା’ନ୍ତା, ଆଉ ସଂଜୟ ଲୀଲା ଭଁଶାଲୀ ଏବେ ସାହସ କରିନଥାନ୍ତେ ଆଦୌ ଏଭଳି ଏକ ଚିତ୍ର ତିଆରିବାକୁ; କାରଣ ପଦ୍ମାବତୀ କାହାଣୀକୁ ନେଇ ଏହା ପ୍ରଥମ ଚଳଚ୍ଚିତ୍ର ନୁହେଁ ଏ ଦେଶରେ। ଅନେକ ଜାଣିନଥିବେ ଯେ ଏହି କାହାଣୀକୁ ନେଇ ସର୍ବପ୍ରଥମ ଚଳଚ୍ଚିତ୍ର ଥିଲା ଧୀରେନ ଗାଙ୍ଗୁଲିଙ୍କ ନିର୍ଦେଶିତ ‘କାମନାର୍ ଆଗୁନ’ (କାମନାର ନିଆଁ; ୧୯୩୦), ଯାହା ଥିଲା ଏକ ନିର୍ବାକ୍ ଚିତ୍ର। ଏହାପରେ ଚଳଚ୍ଚିତ୍ର ‘ଚିତ୍ତୋଡ଼ ରାଣୀ ପଦ୍ମିନୀ’ ଚିତ୍ରାପୁ ନାରାୟଣ ମୂର୍ତ୍ତିଙ୍କ ନିର୍ଦେଶନାରେ ନିର୍ମିତ ହୋଇଥିଲା ୧୯୬୩ରେ ତାମିଲ ଭାଷାରେ, ଯେଉଁଥିରେ ପ୍ରଖ୍ୟାତ ଅଭିନେତ୍ରୀ ବୈଜୟନ୍ତୀମାଲା ପଦ୍ମିନୀ ଭୂମିକାରେ କରିଥିଲେ ଅଭିନୟ। ଉକ୍ତ ଚଳଚ୍ଚିତ୍ରରେ ଲୋକପ୍ରିୟ କାହାଣୀକୁ ହିଁ ଚିତ୍ରରୂପ ଦିଆଯାଇଥିଲା; କିନ୍ତୁ ସେତେବେଳେ ଜଣକର ବି ଶୁଭିନଥିଲା ପ୍ରତିବାଦର ସ୍ବର। ଏହା ଏକ ଆଞ୍ଚଳିକ ଭାଷାର ଚଳଚ୍ଚିତ୍ର ହୋଇଥିବାରୁ ‘ଭାବନା ଆହତ ହେଉଥିବା’ ଲୋକଙ୍କ ଦୃଷ୍ଟିରେ ପଡ଼ିନଥିଲା ବୋଧହୁଏ! ତା’ ପରବର୍ଷ ଅର୍ଥାତ ୧୯୬୪ରେ ଏହି କାହାଣୀକୁ ନେଇ ଏକ ହିନ୍ଦୀ ଚଳଚ୍ଚିତ୍ର ‘ମହାରାନୀ ପଦ୍ମିନୀ’ ଜଶୱନ୍ତ ଜାଭେରିଙ୍କ ନିର୍ଦେଶନାରେ ନିର୍ମିତ ହୋଇଥିଲା, ଯେଉଁଥିରେ ଅନୀତା ଗୁହା ସାଜିଥିଲେ ପଦ୍ମିନୀ। ଏଥିରେ ରାଣୀ ପଦ୍ମିନୀ ଏକ ଗୀତରେ ନୃତ୍ୟ କରୁଥିବାର ଦୃଶ୍ୟ ମଧ୍ୟ ରହିଛି (ସ୍ମରଣଯୋଗ୍ୟ ଯେ ‘ପଦ୍ମାବତୀ’ ଚଳଚ୍ଚିତ୍ରରେ ପଦ୍ମାବତୀଙ୍କ ନୃତ୍ୟ ଥିବା ଅଭିଯୋଗ କରି ରାଜପୁତ କରଣୀ ସେନା ଫିଲ୍ମସେଟରେ ନିଆଁ ଲଗାଇଦେଇଥିଲେ)। ଏଥିରେ ମଧ୍ୟ ଖିଲଜୀ ପଦ୍ମିନୀଙ୍କୁ ପାଇବାର ଆକାଙ୍କ୍ଷା ରଖିଥିବାର ଦୃଶ୍ୟ ରହିଛି। ସବୁଠୁ ମଜାକଥା ହେଉଛି ଏହି ଚିତ୍ରରେ ଶେଷରେ ଖିଲଜୀ ପଦ୍ମିନୀଙ୍କୁ ଭଉଣୀ ମାନିଛନ୍ତି ଓ ରାଜା ରତନ ସିଂହ ଖିଲିଜୀଙ୍କ ବାହୁବନ୍ଧନରେ ଶେଷନିଃଶ୍ବାସ ତ୍ୟାଗ କରିଚନ୍ତି। ରାଣୀ ପଦ୍ମିନୀଙ୍କ ଜୌହର ଦୃଶ୍ୟରେ ଚଳଚ୍ଚିତ୍ର ଶେଷ ହୋଇଛି।

ଦ୍ବିତୀୟତଃ, ପ୍ରଚଳିତ କାହାଣୀ ଅନୁସାରେ ରାଣୀ ପଦ୍ମାବତୀ ଜଣେ ବିଦେଶିନୀ (ସିଂହଳୀ) ହୋଇଥିଲେ ହେଁ ଭାରତର ରାଜବଧୂ ହେବା ସହ (ସୋନିଆଙ୍କ ପରି!) ପାଲଟିନାହାନ୍ତି କେବଳ ରାଜପୁତ୍ ଜାତିର ଗୌରବ, କେତେକ ଏବେ ତାଙ୍କୁ ହିନ୍ଦୁ ଗୌରବର ପ୍ରତୀକ କରି ଗଢ଼ିବାରେ ମତ୍ତ। ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନଙ୍କ ପାଇଁ ତ ସେ ପାଲଟିସାରିଚନ୍ତି ‘ରାଷ୍ଟ୍ରମାତା’! ‘ରାଷ୍ଟ୍ରପିତା’ ମହାତ୍ମା ଗାନ୍ଧିଙ୍କ ହତ୍ୟାକାରୀ ନଥୁରାମ ଗୋଡ଼ସେଙ୍କ ମୂର୍ତ୍ତିକୁ ଗୋଆଲିୟରରେ ‘ଭଗବାନ’ କରି ପୂଜା କରିବା ନେଇ ଏହି ବିଜେପି ନେତାଙ୍କ ମତ କ’ଣ କେଜାଣି! ଏ ଦେଶର କେହି ବି ଏହାକୁ ପ୍ରତିବାଦ ନକରି ଦେଖାଇଚନ୍ତି ଖୁବ୍ ସହିଷ୍ଣୁତା। ଏଥିପାଇଁ କରଣୀ ସେନା ଭଳି କୌଣସି ଉତ୍ପାତିଆ ‘ସେନା’ର ଆବଶ୍ୟକତା ପଡ଼ିବ କି? ବଡ଼ ବିଚିତ୍ର, ଏ ଦେଶରେ ଏବେ ବି ଚାଲିଚି ଜୌହର/ସତୀଦାହର ମହିମାମଣ୍ଡନ; ସେଇଥିପାଇଁ କି କ’ଣ, ଆକ୍ରମଣକାରୀଙ୍କ ସହ ଲଢ଼ିଲଢ଼ି ଆତ୍ମବଳି ଦେଇଥିବା ଲକ୍ଷ୍ମୀବାଈଙ୍କଠୁ ଆତ୍ମହତ୍ୟାକାରୀ ପଦ୍ମାବତୀଙ୍କୁ ଏଇନା ମିଳୁଚି ବେଶି ସମ୍ମାନ (ୟେ ନୁହଁ ତ ‘ଅନର୍-ସୁଇସାଇଡ’ର ଉଦାହରଣ?)! ସୂରଜପାଲ ଅମୁ(ହରିୟାଣା ବିଜେପିର ମୁଖ୍ୟ ମିଡିଆ ସଂଯୋଜକ)ଙ୍କ ‘ଫତ୍‌ୱା’ ବି ଆମକୁ କରୁନି ଆଦୌ ବିଚଳିତ, ଯିଏ ‘ପଦ୍ମାବତୀ’ର ନାୟିକା ଦୀପିକା ଓ ନିର୍ଦେଶକ ବଂଶାଲୀଙ୍କ ହତ୍ୟାପାଇଁ ସୁପାରି ଦେଇଚନ୍ତି ଦଶକୋଟିର; ଅଥଚ ‘ପଦ୍ମାବତୀ’ ଚଳଚ୍ଚିତ୍ର ମୁକ୍ତିଲାଭ ନ କରୁଣୁ ରାଜସ୍ଥାନ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ଗୁଜରାଟ ଭଳି ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସବୁଠୁ ବଡ଼ ଚିନ୍ତା ‘ଦେଶର ଆଇନ ଶୃଙ୍ଖଳା ରକ୍ଷା’!! ପଦ୍ମାବତୀ କାହାଣୀ କେବଳ ଲୋକମୁଖରେ ବଞ୍ଚିନାହିଁ, ବଞ୍ଚିଚି ବି ରାଜନୈତିକ ଇସ୍ତାହାରରେ; ବିଂଶ ଶତାବ୍ଦୀର ସ୍ବଦେଶୀ ଆନ୍ଦୋଳନରେ! ଏକବିଂଶ ଶତାବ୍ଦୀରେ କେବଳ ପଦ୍ମାବତୀ ନୁହନ୍ତି, ଆକବର, ଔରଙ୍ଗଜେବ, ତାଜମହଲ ଆଉ କେତେକ’ଣ ବି ପାଲଟିଚନ୍ତି ଗୋଟି, ଯାହାକୁ ଚଳାଇ ଶାସକ ଭାବୁଚି ସିଂହାସନ ପାଉଥିବ ବାରମ୍ବାର ଅନାୟାସରେ; ନିଜ ସ୍ଥାନ ବି ସୁରକ୍ଷିତ ରଖିନବ ଇତିହାସରେ!

(‘ସମାଜ’ର ୨୬ ନଭେମ୍ବର ୨୦୧୭ ସଂସ୍କରଣରେ ପ୍ରକାଶିତ)
Read More

ଭାରତମାତା: ଇତିହାସ-ସାହିତ୍ୟ-ସଂସ୍କୃତି

Leave a Comment
ଅବନୀନ୍ଦ୍ରନାଥ ଠାକୁରଙ୍କ "ଭାରତମାତା" ଚିତ୍ର


‘ଭାରତମାତା କୀ ଜୟ’ ସ୍ଲୋଗାନଟି ପରାଧୀନ ଭାରତବର୍ଷର ଏକ ପ୍ରାତଃସ୍ମରଣୀୟ ମନ୍ତ୍ର ହୋଇଯାଇଥିଲା, କାହିଁକିନା ତାହା ତାକୁ ବ୍ରିଟିଶ ସରକାରଙ୍କ ସହ ଲଢ଼ିବା ପାଇଁ ଯୋଗାଉଥିଲା ଶକ୍ତି ଏବଂ ନିଜର ଏକ ଭୂଖଣ୍ଡକୁ ଚିହ୍ନଟ କରି ସାରା ପୃଥିବୀକୁ ଜଣାଇଦେବା ଥିଲା ତକ୍ରାଳୀନ ଆବଶ୍ୟକତା; ମାତ୍ର ଜାତୀୟତାବାଦର ଏହି ମନ୍ତ୍ରଟି କାଳକ୍ରମେ ଏକ ଧାର୍ମିକ ପ୍ରତୀକ ଭାବେ ବ୍ୟବହାର ହେବା ଫଳରେ ସୃଷ୍ଟି ହୋଇଚି ଯାବତୀୟ ବିଭ୍ରାଟ । ଜାଣିବା ଆବଶ୍ୟକ ଯେ ସ୍ଲୋଗାନଟି ସୃଷ୍ଟି ହେବା ପୂର୍ବରୁ ‘ଭାରତମାତା’ର ସ୍ୱରୂପକୁ ଭାରତୀୟ କବି, ଲେଖକ, ଚିତ୍ରଶିଳ୍ପୀ ଆଦି ସ୍ରଷ୍ଟାମାନେ ବିଭିନ୍ନ ରୂପରେ ଦର୍ଶାଇଚନ୍ତି, ଯାହାର ଆକଳନ କରିବା ସାଂପ୍ରତିକ ପରିପ୍ରେକ୍ଷୀରେ ମନେହୁଏ ପ୍ରାସଙ୍ଗିକ ।

ଭାରତର ସାଂସ୍କୃତିକ ଇତିହାସକୁ ଅନୁଧ୍ୟାନ କଲେ ଜଣାଯାଏ ଯେ ସର୍ବପ୍ରଥମେ ଭାରତମାତାର ମୂଳସ୍ୱରୂପଟି ଭୂଦେବ ମୁଖୋପାଧ୍ୟାୟଙ୍କ ଦ୍ୱାରା ୧୮୬୬ରେ ରଚିତ ‘ଊନବିଂଶ ପୁରାଣ’ ନାମକ ଏକ ବ୍ୟଙ୍ଗାତ୍ମକ ରଚନାରେ ପରିଦୃଷ୍ଟ ହୁଏ । ଏଥିରେ ‘ଭାରତମାତା’କୁ ‘ଅଧି-ଭାରତୀ’ର ଆଖ୍ୟା ଦିଆଯାଇଛି । ପରେ ୧୮୭୩ ମସିହାରେ ନାଟକ ‘ଭାରତମାତା’ରେ କିରଣଚନ୍ଦ୍ର ବନେ୍ଦାପାଧ୍ୟାୟ ଭାରତମାତାର ସ୍ୱରୂପକୁ ଚିତ୍ରଣ କରିଥିଲେ, ଯାହା ପ୍ରାରମ୍ଭିକ ପର୍ଯ୍ୟାୟରେ ଦର୍ଶକଙ୍କ ମନରେ ଜାତୀୟତାବାଦ ସୃଷ୍ଟି କରିଥିବା କୁହାଯାଏ । ତେବେ ଏ କ୍ଷେତ୍ରରେ ମାଇଲ୍‌ଖୁଣ୍ଟ ସ୍ଥାପନ କଲାଭଳି ସୃଷ୍ଟି ଥିଲା ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ‘ଆନନ୍ଦମଠ’, ଯେଉଁଥିରେ ଭାରତମାତାର ସ୍ୱରୂପକୁ ତିନିଟି ଦେବୀ ରୂପରେ ଦର୍ଶାଯାଇଛି (୧୮୮୨ରେ ବଙ୍ଗଳା ଓ ସଂସ୍କୃତ ଭାଷାରେ ରଚିତ ଏହି ଉପନ୍ୟାସର ମାତୃଭୂମି ବନ୍ଦନା ‘ବନେ୍ଦ ମାତରଂ’ ସ୍ୱାଧୀନତା ସଂଗ୍ରାମର ମନ୍ତ୍ର ହେବା ସହ ପରେ ଜାତୀୟ ଗୀତ (ପ୍ରଥମ ଦୁଇଟି ପଦ) ହେଲା); ସେଗୁଡ଼ିକ ହେଲା ଜଗଦ୍ଧାତ୍ରୀ, କାଳୀ ଓ ଦୁର୍ଗା । ଏହାର ଦୁଇ ଦଶକ ପରେ ୧୯୦୫ ମସିହାରେ ଭାରତର ଆଧୁନିକ କଳା ଇତିହାସରେ ସର୍ବପ୍ରଥମେ ଭାରତମାତାର ସ୍ୱରୂପକୁ ବଙ୍ଗ ନବଜାଗରଣ (ରେନେସାଁ) ସମୟରେ ଚିତ୍ରଣ କଲେ ଧୂରୀଣ ଶିଳ୍ପୀ ଅବନୀନ୍ଦ୍ରନାଥ ଠାକୁର (ରବୀନ୍ଦ୍ରନାଥ ତାଙ୍କର ସମ୍ପର୍କୀୟ ଜେଜେ) । ସେ ମଧ୍ୟ ବଙ୍କିମଙ୍କ ପରି ‘ଭାରତମାତା’କୁ ଜଣେ ଦେବୀ (ଲକ୍ଷ୍ମୀ) ରୂପରେ ଚିତ୍ରଣ କଲେ । ତାଙ୍କ ‘ଭାରତମାତା’ ଗୈରିକବସ୍ତ୍ର ପରିହିତା, ଶାନ୍ତ ମୁଖମଣ୍ଡଳ, ଚତୁଃହସ୍ତବିଶିଷ୍ଟା ଜଣେ ମହିଳା, ଯାହାଙ୍କ ମସ୍ତକ ଚାରିପାଖେ ଏକ ଶୁଭ୍ର ପ୍ରଭାମଣ୍ଡଳ । ଚାରିଟି ହାତରେ ସେ ପୋଥି, ମାଳି, ଧାନଗଛ ଓ ବସ୍ତ୍ର ଧରିଥିବାରୁ ସିଷ୍ଟର ନିବେଦିତା ତାକୁ ‘ଶିକ୍ଷା-ଦୀକ୍ଷା-ଅନ୍ନ-ବସ୍ତ୍ର’ ବୋଲି ଅଭିହିତ କରିଛନ୍ତି (ଦ୍ରଷ୍ଟବ୍ୟ: ଦ କମ୍ପ୍ଲିଟ୍‌ ୱାର୍କସ ଅଫ୍‌ ସିଷ୍ଟର ନିବେଦିତା; ପୃ: ୫୮) । ଉଲ୍ଲେଖଯୋଗ୍ୟ, ‘ଭାରତମାତା’ ଚିତ୍ର ଆଙ୍କିଥିବା ଆଉ ଜଣେ ବିଶିଷ୍ଟ ଚିତ୍ରଶିଳ୍ପୀ ହେଲେ ଏମ୍‌.ଏଫ୍‌. ହୁସେନ, ଯାହାକୁ କରିଦିଆଯାଇଥିଲା ନିଷିଦ୍ଧ (ଜୀବନର ଶେଷପର୍ଯ୍ୟନ୍ତ ତାଙ୍କୁ ବିଦେଶରେ ନିର୍ବାସିତ ଜୀବନ ବିତାଇବାକୁ ପଡ଼ିଥିଲା) ।

ଦେଶକୁ ମାତା ଭାବରେ କରାଯାଉଥିବା ଏ ପରିକଳ୍ପନାକୁ ନେଇ ସେଇ ୧୯୦୫ ମସିହାରେ ବିପ୍ଳବୀ ଅରବିନ୍ଦ ଘୋଷ ପତ୍ନୀ ମୃଣାଳିନୀ ଦେବୀଙ୍କୁ ଏକ ପତ୍ରରେ ଲେଖିଥିଲେ, “ମୁଁ ମୋ ଦେଶକୁ ମାତା ରୂପରେ ଦେଖୁଚି । ମୁଁ ତାକୁ ମାଆ ଭାବେ ପୂଜା କରୁଚି । ଜଣେ ରାକ୍ଷସ ତା’ ମାଆ ଥନରେ ବସି ରକ୍ତ ଶୋଷିଲେ ତା’ ପୁଅ କ’ଣ କରିବ?” ଏହି ଚିଠିଟିକୁ ଅଲିପୁର୍‌ ବୋମା ବିସ୍ଫୋରଣ ମାମଲାରେ ଅରବିନ୍ଦଙ୍କ ବିରୋଧରେ ପ୍ରମାଣ ସ୍ୱରୂପ ଉପସ୍ଥାପନ କରାଯାଇଥିଲା । ସେ ଯାହାହେଉ, ଲକ୍ଷ୍ୟଣୀୟ ବିଷୟ ହେଉଚି ‘ଭାରତମାତା’ର ସ୍ୱରୂପ ଆଙ୍କିବାରେ ବଂଗୀୟ ସ୍ରଷ୍ଟାମାନେ ପ୍ରଥମ ହୋଇଥିବାରୁ ସେଥିରେ ଦୁର୍ଗା ଓ କାଳୀ ଭଳି ସେମାନଙ୍କ ଗୃହଦେବୀଙ୍କ ରୂପ ସ୍ଥାନ ପାଇଥିବା ସ୍ପଷ୍ଟ । ତେଣୁ ସେମାନଙ୍କର ‘ଭାରତମାତା’ ପ୍ରକୃତରେ ‘ବଂଗମାତା’ ବୋଲି କହନ୍ତି ଅନେକ ଐତିହାସିକ । ‘ବନେ୍ଦ ମାତରଂ’ରେ ବଙ୍କିମ କେବଳ ‘ସପ୍ତକୋଟି’ ଶବ୍ଦ ଉଲ୍ଲେଖ କରିଚନ୍ତି, ଯାହା ବଙ୍ଗର ସାତକୋଟି ଲୋକଙ୍କୁ ବୁଝାଏ । ବଙ୍ଗ ବିଭାଜନର ପନ୍ଦରବର୍ଷ ପରେ, ୧୯୨୦ ଅଗଷ୍ଟରେ ଅରବିନ୍ଦ ‘ବନେ୍ଦ ମାତରଂ’ ସ୍ଲୋଗାନର ସୀମା ସମ୍ପର୍କରେ ସଚେତନ କରାଇବା ସହ ଅନ୍ୟ ଏକ ଉତ୍ତମ ସ୍ଲୋଗାନ ସୃଷ୍ଟି ପାଇଁ ଦେଇଥିଲେ ଆହ୍ୱାନ । ସେ ଲେଖିଥିଲେ, “ଆମେ ଆମର ହୃଦୟ ଓ ଆତ୍ମାର ସହ ବନେ୍ଦ ମାତରଂ ମନ୍ତ୍ରଟିକୁ ବ୍ୟବହାର କରୁଛୁ...କିନ୍ତୁ ମନ୍ତ୍ରଟିର ମୂଳ ଉଦେ୍ଦଶ୍ୟ ବୁଡ଼ିଯିବାକୁ ବସିଚି ଓ ଦେଶରେ ଏହା ଗୁରୁତ୍ୱ ହରାଇ ବିବର୍ଣ୍ଣ ହେବାକୁ ଆରମ୍ଭ କରିଚି । ତା’ କାମ ସଂପୂର୍ଣ୍ଣ ହୋଇସାରିଥିବାରୁ ଈଶ୍ୱର ଏହା କରିଛନ୍ତି । ବନେ୍ଦ ମାତରଂଠାରୁ ଆହୁରି ଅଧିକ ଶକ୍ତିଶାଳୀ ମନ୍ତ୍ରଟିଏ ଲୋଡ଼ା । ଭାରତୀୟଙ୍କୁ ଜଗାଇବା ପାଇଁ ବଙ୍କିମ ଏକମାତ୍ର ଦ୍ରଷ୍ଟାପୁରୁଷ ନୁହନ୍ତି । ସେ କେବଳ ଆରମ୍ଭ କରିଛନ୍ତି, ଅନ୍ତଃ ଗୋପନ ଉପାସନାର ସୂତ୍ର ଓ ବିଧି ବତାଇନାହାନ୍ତି । ଯାହା ନିଜ ଭିତରେ ଝଙ୍କୃତ ହୁଏ, ତାହା ହିଁ ସର୍ବଶ୍ରେଷ୍ଠ ମନ୍ତ୍ର ।” ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଚି ଯେ ତାଙ୍କ ପରିକଳ୍ପିତ ‘ଭାରତମାତା’ର ଉପାସନା ପାଇଁ ‘ବନେ୍ଦ ମାତରଂ’ ବନ୍ଦନା ଉପଯୁକ୍ତ ନୁହେଁ ବୋଲି ଅରବିନ୍ଦ ଭାବୁଥିଲେ । ତେବେ ଦାସତ୍ୱର ବେଡିରେ ବନ୍ଧା ହୋଇଥିବା ଏକ ଦେଶର ଜନଗଣଙ୍କୁ ନୂତନ ଉଦ୍ଦୀପନାରେ ଭରିଦେବାରେ ‘ବନେ୍ଦ ମାତରଂ’ର ଭୂମିକା ଅତୁଳନୀୟ, ସେଥିରେ ସନେ୍ଦହ ନାହିଁ । 

‘ଭାରତମାତା’ ପ୍ରତି ଅରବିନ୍ଦଙ୍କର ଏକ ସ୍ୱତନ୍ତ୍ର ଦୃଷ୍ଟିକୋଣ ମଧ୍ୟ ଉଲ୍ଲେଖନୀୟ, ଯାହା ଚେତାବନୀପୂର୍ଣ୍ଣ । ୧୯୨୦ରେ ସେ ଲେଖିଥିଲେ, “...ଆମେ କଂଗ୍ରେସରେ କୃତ୍ରିମ ଭାବେ ନିର୍ମିତ ଯେଉଁ ‘ଭାରତାମାତା’କୁ ପୂଜା କରୁଛୁ, ତାହା ବ୍ରିଟିଶ ଲୋକଙ୍କ ସାଥୀ ଓ ପ୍ରିୟ, ଆମର ମାତା ନୁହେଁ...ଆମେ ଯେଉଁଦିନ ଆମର ମାତୃରୂପର ଅବିଭାଜିତ ଦୃଶ୍ୟ ଦେଖିବା, ସେତେବେଳେ ହିଁ ଭାରତର ସ୍ୱାଧୀନତା, ମୈତ୍ରୀ ଓ ପ୍ରଗତି ସମ୍ଭବ ହେବ” । ସେ ଆହୁରି ଚେତାଇ ଦେଇଥିଲେ, “ଯଦି ଆମେ ହିନ୍ଦୁ ରାଷ୍ଟ୍ରବାଦ ପ୍ରତିଷ୍ଠା ପାଇଁ ମାତା ସ୍ୱରୂପର ପରିକଳ୍ପନା କରିବା, ତେବେ ତାହା ଏକ ବିରାଟ ଭୁଲ୍‌ ହେବ ଓ ଆମେ ସଂପୂର୍ଣ୍ଣ ଜାତୀୟତାରୁ ବଞ୍ଚିତ ହେବା ।” ପରବର୍ତ୍ତୀ କାଳରେ ଠିକ୍‌ ତାହା ଦେଖିବାକୁ ମିଳିଲା ଓ ‘ଭାରତାମାତା’ର ରୂପ ଶୁଭ୍ରବସନା ଦେବୀ, ସିଂହବାହନ ସହ ଅଭୟ ମୁଦ୍ରାରେ ଠିଆ ହୋଇ ହାତରେ ଗୈରିକ ପତାକା (କେତେକ ପ୍ରତିମାରେ ଜାତୀୟ ପତାକା) ଧରିଥିବା ଦେଖାଗଲା । ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଲେଖିଲେ, “ଭାରତମାତା ଆମ ରାଷ୍ଟ୍ରବାଦର ଭିତ୍ତିଭୂମି । ମାତାକୁ ହଟାଇଦେଲେ ଭାରତ କେବଳ ଏକ ଭୂଖଣ୍ଡରେ ପରିଣତ ହୋଇଯିବ ।” ଭାରତର ଦୁଇଟି ମନ୍ଦିରମାଳିନୀ ତୀର୍ଥସ୍ଥଳୀରେ ଦୁଇଟି ଭାରତମାତା ମନ୍ଦିର ମଧ୍ୟ ଅବସ୍ଥିତ, ଯାହାର ପୃଷ୍ଠଭୂମି ଅବଶ୍ୟ ଭିନ୍ନଭିନ୍ନ । ଅସହଯୋଗ ଆନେ୍ଦାଳନ ସମୟରେ ଦେଶର ଏକତା ଓ ଅଖଣ୍ଡତାକୁ ବଜାୟ ରଖିବା ପାଇଁ ସ୍ୱାଧୀନତା ସଂଗ୍ରାମୀ ଶିବପ୍ରସାଦ ଗୁପ୍ତ ଓ ସ୍ଥପତି ଦୁର୍ଗାପ୍ରସାଦ ଖତ୍ରୀ ୧୯୩୬ରେ  ବାରାଣସୀର ଭାରତମାତା ମନ୍ଦିର ନିର୍ମାଣ କରିଥିଲେ, ଯାହାକୁ ଉଦ୍‌ଘାଟନ କରିଥିଲେ ଖୋଦ୍‌ ମହାତ୍ମା ଗାନ୍ଧି । ଏଥିରେ ଦେବଦେବୀ ବଦଳରେ ସ୍ଥାନ ପାଇଥିଲା ଅଖଣ୍ଡ ଭାରତର ନକ୍ସା । ହରିଦ୍ୱାରରେ ରହିଥିବା ଭାରତମାତା ମନ୍ଦିରରେ କିନ୍ତୁ ପୂଜା ପାଆନ୍ତି ‘ଭାରତମାତା’ ପ୍ରତିମା, ଯାହାକୁ ୧୯୮୩ରେ ପ୍ରତିଷ୍ଠା କରିଥିଲେ ସ୍ୱାମୀ ସତ୍ୟମିତ୍ରାନନ୍ଦ ଗିରି । ମନ୍ଦିରର ଦିଗ୍‌ଦର୍ଶକ ବହିରେ ଲେଖାଯାଇଚି, “ଏହି ମନ୍ଦିର ଭାରତମାତାଙ୍କ ପ୍ରତି ଭକ୍ତିଭାବ ସୃଷ୍ଟି ଉଦେ୍ଦଶ୍ୟରେ ସମର୍ପିତ, ଯାହାକୁ ଐତିହାସିକ ଓ ପୁରାଣବିତ୍‌ମାନେ ଛାଡ଼ିଯାଇଥାଇପାରନ୍ତି ।” ୧୯୫୭ର ‘ମଦରଇଣ୍ଡିଆ’ ଚଳଚ୍ଚିତ୍ର ଭଳି ଲୋକପ୍ରିୟ ଗଣମାଧ୍ୟମରେ ଭାରତମାତାର ଚିତ୍ରଣ ଏକ ଗୁରୁତ୍ୱପୂର୍ଣ୍ଣ ସାଂସ୍କୃତିକ ହସ୍ତକ୍ଷେପ, ଯିଏ ଜଣେ ସ୍ୱାଧୀନ ଅଥଚ ଦୁଃଖୀ ମହିଳା ଏବଂ ନ୍ୟାୟ ପାଇଁ ନିଜ ପୁତ୍ରକୁ ହତ୍ୟା କରିବାକୁ ବି ପଛାଏ ନାହିଁ (ଉଲ୍ଲେଖଯୋଗ୍ୟ: ପ୍ରମୁଖ ଚରିତ୍ରରେ ନର୍ଗିସ ଅଭିନୟ କରିଥିବାବେଳେ ନିର୍ଦେଶକ ଥିଲେ ମେହବୁବ୍‌ ଖାଁ; ଉଭୟେ ମୁସଲମାନ) ।

ତେବେ କୌଣସି ଦେଶର ବ୍ୟକ୍ତିତ୍ୱକରଣ ଯେ ପ୍ରମାଦପୂର୍ଣ୍ଣ ହୋଇପାରେ, ତାହା ରବୀନ୍ଦ୍ରନାଥ ଠାକୁର ନିଜର ଏକ କବିତା ‘ଭାରତତୀର୍ଥ’ରେ ଦର୍ଶାଇଚନ୍ତି । ସେ ଭାରତକୁ ଏଭଳି ଏକ ସ୍ଥାନ ଭାବେ ସ୍ୱୀକାର କରିଚନ୍ତି, ଯେଉଁଠିକି ସେ ଆର୍ଯ୍ୟ-ଅନାର୍ଯ୍ୟ, ହିନ୍ଦୁ-ମୁସଲମାନ, ଇଂରେଜ, ଖ୍ରୀଷ୍ଟିଆନ, ଦ୍ରାବିଡ଼, ଚୀନା, ଶକ, ହୁଣ, ପଠାଣ, ମୋଗଲ ସଭିଙ୍କୁ ଆହ୍ୱାନ କରି ଗୋଟିଏ ଶରୀରରେ ପରିଣତ ହେବାକୁ କହିଛନ୍ତି । ସତେଯେମିତି ଭାରତ ସମଗ୍ର ପୃଥିବୀର ମଣିଷଙ୍କୁ ନିଜ କୋଳରେ ସ୍ଥାନ ଦେବ ବୋଲି ସେ କରୁଥିଲେ କଳ୍ପନା । ସେ ଜାତୀୟତାବାଦର କୌଣସି ସଂକୀର୍ଣ୍ଣ ସଂଜ୍ଞାକୁ ଗ୍ରହଣ କରିପାରିନଥିଲେ, ଯାହାକୁ ସେ ତାଙ୍କର ଏକ ପ୍ରସିଦ୍ଧ ଉପନ୍ୟାସ ‘ଘରେବାଇରେ’ (ସତ୍ୟଜିତ୍‌ ରାୟ ଏହାକୁ ନେଇ ଚଳଚ୍ଚିତ୍ର ନିର୍ମାଣ କରିଚନ୍ତି)ର ଏକ ଚରିତ୍ର ନିଖିଳ ମାଧ୍ୟମରେ ଦର୍ଶାଇଚନ୍ତି । ବିମଳା ତା’ ସ୍ୱାମୀ ନିଖିଳ ଉପରେ ଏଇଥିପାଇଁ ଖପ୍ପା ହୋଇଚି ଯେ ସେ ବନେ୍ଦ ମାତରଂ ସ୍ଲୋଗାନ ଦେବାକୁ ମନା କରିଚି; ଭାରତକୁ ଦେବୀ କହି ବନ୍ଦନା କରିବାକୁ ବି ମନା କରିଚି । ସେ ମନେପକାଇଚି ଯେ ତା’ ଶିକ୍ଷକ ତାକୁ କହିଥିଲେ ଦେଶ ଅର୍ଥ ପାଦ ତଳର ମାଟି ନୁହେଁ, ତା’ ଉପରେ ବିଚରଣ କରୁଥିବା ଲୋକ ।

ଠିକ୍‌ ଏଇ ମର୍ମ ଆମେ ଦେଖିବାକୁ ପାଉ ପଣ୍ଡିତ ଜବାହରଲାଲ ନେହେରୁଙ୍କ ‘ଡିସ୍କଭରି ଅଫ୍‌ ଇଣ୍ଡିଆ’ (ଭାରତ ଆବିଷ୍କାର) ପୁସ୍ତକରେ । ସେ ଲେଖିଚନ୍ତି, “କେବେକେବେ ମୁଁ କୌଣସି ସଭାରେ ପହଞ୍ଚିଲେ ‘ଭାରତମାତା କୀ ଜୟ’ ସ୍ଲୋଗାନରେ ମୋର ସ୍ୱାଗତ କରାଯାଏ । ମୁଁ ସାଂଗେସାଂଗେ ପଚାରିବସେ ଯେ ଅନ୍ତତଃ ଏ ସ୍ଲୋଗାନର ଅର୍ଥ ସେମାନଙ୍କ ପାଇଁ କ’ଣ? ସେମାନେ ଯାହାର ଜୟଜୟକାର କରୁଚନ୍ତି, ସେହି ଭାରତମାତା କିଏ? ମୋ ପ୍ରଶ୍ନରେ ସେମାନେ ଆଶ୍ଚର୍ଯ୍ୟ ହୁଅନ୍ତି ଓ ମୋ ମୁହଁକୁ ବଲବଲ କରି ଅନାନ୍ତି । ମୁଁ ପୁଣି ପଚାରେ । ଶେଷରେ (ଏକଦା) ଜଣେ ଯୋଦ୍ଧାଭଳି ଦିଶୁଥିବା ଜାଠ ଲୋକ ଉଠି ଠିଆ ହୋଇ କହେ, ଏହି ଧରଣୀ, ଭାରତର ପ୍ରିୟ ଧରଣୀ ଭାରତମାତା । କେଉଁ ଧରଣୀ, ତା’ ନିଜ ଗାଁର ମାଟି ନା ତା’ ଜିଲା, ରାଜ୍ୟର ଧରଣୀ, ନା ସମଗ୍ର ଭାରତର ଧରଣୀ? ଏହିପରି ଭାବେ ଆମ ଭିତରେ ପ୍ରଶ୍ନୋତ୍ତର ସେ ପର୍ଯ୍ୟନ୍ତ ଚାଲୁରହେ, ଯେ ପର୍ଯ୍ୟନ୍ତ ସେମାନେ ମୋ’ଠୁ ଉତ୍ତର ପାଇବାକୁ ନ ଚାହାନ୍ତି । ମୁଁ ଉତ୍ତର ଦେବାକୁ ଚେଷ୍ଟା କରେ । ଭାରତ ସେହି ସବୁକିଛି, ଯେମିତି ସେମାନେ ଭାବନ୍ତି; କିନ୍ତୁ ତାହା ତା’ଠୁ ବି ବହୁତ ଅଧିକ । ଭାରତର ପାହାଡ଼ପର୍ବତ, ନଦୀ, ଜଙ୍ଗଲ, ଆମକୁ ଭୋଜନ ଦେଉଥିବା ବିସ୍ତୃତ କ୍ଷେତ, ସବୁ ଆମର ପ୍ରିୟ; କିନ୍ତୁ ସର୍ବୋପରି ଆମର ସବୁଠୁ ବେଶି ପ୍ରିୟ ଭାରତର ଲୋକ, ତୁମ ଓ ମୋ ପରି ଲୋକ, ଯେଉଁମାନେ ଏହି ବିଶାଳ ଭୂଖଣ୍ଡର ପ୍ରତ୍ୟେକ ଜାଗାରେ ବାସ କରନ୍ତି । ପ୍ରକୃତରେ ସେହି କୋଟିକୋଟି ଲୋକ ହିଁ ଭାରତମାତା; ଏବଂ ଭାରତମାତାର ବିଜୟର ଅର୍ଥ ପ୍ରକୃତରେ ସେମାନଙ୍କ ବିଜୟ । ଆପଣ ସମସ୍ତେ ଭାରତମାତାର ଅଙ୍ଗ । ମୁଁ ସେମାନଙ୍କୁ କହେ, ବରଂ ଗୋଟିଏ କଥାରେ କହିଲେ ଆପଣ ହିଁ ଭାରତମାତା... ।”

ମନନଯୋଗ୍ୟ ଯେ ‘ଭାରତମାତା’ର ପରିକଳ୍ପନା ପ୍ରାଚୀନ ବା ମଧ୍ୟଯୁଗୀୟ ଭାରତରେ କେବେ ନ ଥିଲା । ଭୂଖଣ୍ଡଟିର ନାମ ସର୍ବପ୍ରଥମେ ‘ଭାରତ’ ବୋଲି ପ୍ରାକୃତରେ ଲିଖିତ ସମ୍ରାଟ ଖାରବେଳଙ୍କ ସମୟର ଶିଳାଲେଖରେ ଦେଖିବାକୁ ମିଳେ ବୋଲି ପ୍ରଖ୍ୟାତ ଐତିହାସିକ ଇର୍‌ଫାନ ହବିବ୍‌ଙ୍କ ମତ । ନିକଟରେ ବିପନଚନ୍ଦ୍ର ସ୍ମୃତି ବ୍ୟାଖ୍ୟାନରେ ଯୋଗଦେଇ ସେ ଆହୁରି ମଧ୍ୟ କହିଛନ୍ତି ଯେ ଦେଶକୁ ମାତା ବା ପିତା ଭଳି ମାନବୀୟ ରୂପ ଦେବା ପ୍ରାଚୀନ ଭାରତରେ ନଥିଲା ଏବଂ ଏହା ରାଷ୍ଟ୍ରବାଦର ଉଦ୍ଭବ ସହ ଆରମ୍ଭ ହୋଇଥିବା ୟୁରୋପର ଏକ ଆମଦାନୀ, ଯାହା ବ୍ରିଟେନ, ରୁଷିଆ ଆଦି ଦେଶରେ ଦେଖାଯାଏ । ହିନ୍ଦୁଙ୍କ ସଙ୍କଳ୍ପ ଶ୍ଳୋକ (ଜମ୍ବୁଦ୍ୱୀପେ, ଭାରତବର୍ଷେ, ଭାରତଖଣ୍ଡେ, ଆର୍ଯ୍ୟବର୍ତ୍ତେ ଇତ୍ୟାଦି) ହେଉ ବା ଋଷିମୁନିଙ୍କ ରଚନା, କେଉଁଠି ‘ଭାରତମାତା’ ଦେଖାଯାଏ ନାହିଁ । ଭାରତୀୟ ମୁନିଋଷି ସର୍ବଦା ସମଗ୍ର ବିଶ୍ୱର ଧରିତ୍ରୀକୁ ହିଁ ମାତା ରୂପେ କଳ୍ପନା କରିଚନ୍ତି ଓ ଗାଇଚନ୍ତି ଭାବବିଭୋର ହୋଇ ‘ମାତା ପୃଥିବୀ ମହିତମ୍‌’ (ଋଗ୍‌ବେଦ) ଅର୍ଥାତ ଏହି ବିଶାଳ ପୃଥିବୀ ଆମର ମାତା; ମାତା ଭୂମିଃ ପୁତ୍ରୋ ଅହଂ ପୃଥିବ୍ୟାଃ (ଅଥର୍ବବେଦ) ଅର୍ଥାତ ପୃଥିବୀ ମୋର ମାତା ଓ ମୁଁ ତାଙ୍କରି ପୁତ୍ର ।
କୌଣସି ବ୍ୟକ୍ତି, ବସ୍ତୁ, ସ୍ଥାନ ବା ମନୁଷ୍ୟେତର ଜୀବକୁ ମାତା ସମ୍ବୋଧନ କରିବାରେ ସମସ୍ୟା ନାହିଁ (ମହାତ୍ମା ଗାନ୍ଧି ଗୀତାକୁ ମାତା କହୁଥିଲେ ଓ ‘ଗୀତା-ମାତା’ ନାମକ ଏକ ସ୍ତମ୍ଭ ଲେଖୁଥିଲେ); କିନ୍ତୁ ତା’ର ସମ୍ବନ୍ଧ ମନୁଷ୍ୟର ବ୍ୟକ୍ତିଗତ ଭାବନା ସହ ହିଁ ହେବା ଚାହି । ଏହାକୁ ରାଜନୈତିକ/ସରକାରୀ/ବାଧ୍ୟ ବିଚାର କରିବାର ପ୍ରୟାସ ହିଂସାତ୍ମକ/ଅବୈଜ୍ଞାନିକ । ଏଇଠି ମନେପଡ଼ୁଚି, ୧୯୪୬ ଫେବୃୟାରୀରେ ହୋଇଥିବା ବିଫଳ ନୌବିଦ୍ରୋହର ସମର୍ଥନ କରି ଆନେ୍ଦାଳନକାରୀମାନେ ମୁମ୍ବଇରେ ଲୋକଙ୍କୁ ଯେତେବେଳେ ‘ଜୟ ହିନ୍ଦ୍‌’ ସ୍ଲୋଗାନ ଦେବାକୁ ବାଧ୍ୟ କରୁଥିଲେ, ଗାନ୍ଧି ସେତେବେଳେ କହିଥିଲେ, “କୌଣସି ଜଣେ ବ୍ୟକ୍ତିକୁ ମଧ୍ୟ ଜୟ ହିନ୍ଦ୍‌ କହିବାକୁ ବାଧ୍ୟ କରିବା ଅର୍ଥ ସ୍ୱରାଜର କଫିନରେ ଗୋଟିଏ ଗୋଟିଏ କଣ୍ଟା ବାଡ଼େଇବା ।” (ହରିଜନ, ମାର୍ଚ୍ଚ ୩, ୧୯୪୬) ଏକଥା ଆମ ସମ୍ବିଧାନ ପ୍ରଣେତାମାନେ ବି ଭଲଭାବେ ବୁଝିଥିଲେ । ଆମ ରାଜନୈତିକ ନେତୃତ୍ୱ ମଗଜରେ କେବେ ଏ ଚେତନା ଉଦୟ ହେବ?

(ସମାଜରେ ଚିନ୍ତାବିକଳ୍ପ ସ୍ତମ୍ଭରେ ୧୮.୦୪.୨୦୧୬ ରେ ପ୍ରକାଶିତ)
Read More

ଭୂତପ୍ରେମୀ ଭାରତୀୟ (୧)

1 comment
“ମହାଭାରତ କା କହନା ହୈ କୀ କର୍ଣ୍ଣ ମାଁ କୀ କୋକ୍‍ ସେ ପୈଦା ନହିଁ ହୁଆ ଥା । ଇସ୍‍କା ମତଲବ୍‍ ୟେ ହୈ କୀ ଉସ୍‍ ସମୟ ଜେନେଟିକ୍‍ ସାଇନ୍ସ ମୌଜୁଦ୍‍ ଥା...ହମ୍‍ ଗଣେଶଜୀ କୀ ପୂଜା କିୟା କର୍‍ତେ ହୈଁ, କୋଇ ତୋ ପ୍ଲାଷ୍ଟିକ ସର୍ଜନ ହୋଗା ଉସ୍‍ ଜମାନେ ମେଁ, ଜିସ୍‍ନେ ମନୁଷ୍ୟ କେ ଶରୀର୍‍ ପର୍‍ ହାଥୀ କା ସର୍‍ ରଖ୍‍କର୍‍କେ ପ୍ଲାଷ୍ଟିକ୍‍ ସର୍ଜରୀ କା ପ୍ରାରମ୍ଭ କିୟା ହୋଗା ।” ଅର୍ଥାତ, ମହାଭାରତ କହେ ଯେ କର୍ଣ୍ଣ ମାଆ ପେଟରୁ ଜନ୍ମ ହୋଇ ନଥିଲା । ଏହାର ଅର୍ଥ ହେଲା ସେତେବେଳେ ଜିନ୍‍ ସମ୍ବନ୍ଧୀୟ ବିଜ୍ଞାନ ରହିଥିଲା...ଆମେ ଗଣେଶଜୀଙ୍କ ପୂଜା କରୁ, କେହିଜଣେ ପ୍ଲାଷ୍ଟିକ୍‍ ସର୍ଜନ ତ ଥିବ ସେ ଯୁଗରେ, ଯିଏ ମନୁଷ୍ୟ ଶରୀରରେ ହାତୀମୁଣ୍ଡ ରଖି ପ୍ଲାଷ୍ଟିକ୍‍ ସର୍ଜରୀର ଆରମ୍ଭ କରିଥିବ । (ପ୍ରଧାନମନ୍ତ୍ରୀଙ୍କ ଦପ୍ତର ୱେବ୍‍ସାଇଟ୍‍ରୁ ଆନୀତ; ୨୫ ଅକ୍ଟୋବର ୨୦୧୪ରେ ମୁମ୍ବଇରେ ଏକ ଡାକ୍ତରଖାନା ନବୀକରଣ ଉତ୍ସବ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦର ଦାସ ମୋଦିଙ୍କ ଦ୍ୱାରା ପ୍ରଦତ୍ତ ଉଦ୍‍ବୋଧନର ଅଂଶବିଶେଷ)

ଏ ମନ୍ତବ୍ୟଟି କୌଣସି ଧର୍ମଗୁରୁ ବା ପ୍ରବଚକଙ୍କର ହୋଇଥିଲେ ବିସ୍ମୟର କୌଣସି କାରଣ ନଥିଲା; କାହିଁକିନା ଏଭଳି ଅଲୌକିକ/ଅବାସ୍ତବ/ଅତିବାସ୍ତବ କଥା/ଉପକଥାକୁ ମନମସ୍ତିଷ୍କରେ ଏମିତି ବାଗରେ ପୂରାଇ ଦିଆଯାଇଛି ଯେ ସେସବୁକୁ ଭାରତୀୟମାନେ ଯୁଗଯୁଗ ଧରି ଧରିନେଇଛନ୍ତି ସତ୍ୟ/ବାସ୍ତବ । ବିସ୍ମୟ ଯେ ଅତୀତ ଗୌରବ ବଖାଣିବାକୁ ଯାଇ ଭାରତବାସୀଙ୍କ ପ୍ରତିନିଧିତ୍ୱ/ନେତୃତ୍ୱକାରୀ ଜଣେ ପ୍ରଧାନମନ୍ତ୍ରୀଙ୍କର ଏହା ହେଉଛି ଆଧୁନିକ ଡାକ୍ତରମାନଙ୍କୁ ଉଦ୍‍ବୋଧନ; ଡାକ୍ତରୀ ବିଦ୍ୟାରେ ଭାରତର ପରାକାଷ୍ଠା ପ୍ରତିପାଦନ ପାଇଁ ବିଚିତ୍ର/ବୃଥା ଚେଷ୍ଟା । ବୃଥା ଏଇଥିପାଇଁ ଯେ ଏହାଦ୍ୱାରା କଳ୍ପନା କେବେ ବାସ୍ତବରେ ପରିଣତ ହେବାର ସମ୍ଭାବନା ନାଇଁ କି ଭାରତୀୟମାନେ ମହାଭାରତୀୟ ଯୁଗରେ ଜେନେଟିକ୍‍ ସାଇନ୍ସ ବା ଜିନ୍‍ ସମ୍ବନ୍ଧୀୟ ବିଜ୍ଞାନର ଜନକ ଥିଲେ ଅଥବା ପ୍ଲାଷ୍ଟିକ୍‍ ସର୍ଜରୀ ଆରମ୍ଭ କରିଥିଲେ, ତାକୁ ପ୍ରମାଣ କରିହେବ ନାଇଁ ଏବଂ ବିଜ୍ଞାନ ଏକ ଆଦ୍ୟନ୍ତ ପ୍ରମାଣ-ନିର୍ଭର ବିଦ୍ୟା । ମଙ୍ଗଳଯାନ ଉତ୍‍କ୍ଷେପଣରେ ଉତ୍‍ଫୁଲ୍ଲିତ ଏକବିଂଶ ଶତାବ୍ଦୀର ଭାରତୀୟମାନେ ଯଦି ବିଶ୍ୱବାସୀଙ୍କୁ କହିବେ ଯେ କର୍ଣ୍ଣ ନାମକ ବାଳକ ମାଆ ପେଟରୁ ଜନ୍ମ ହୋଇନଥିଲା ଓ ଏହାର କାରଣ ସେତେବେଳର ‘ଜେନେଟିକ୍‍ ସାଇନ୍ସ’, ସେମାନେ ଆମକୁ କ'ଣ ଭାବୁଥିବେ କେଜାଣି! ପୌରାଣିକ କାହାଣୀକୁ ଦେଖିଲେ ମଧ୍ୟ କୌଣସି ଦୃଷ୍ଟିରୁ ଇଏ ଜିନ୍‍ ସମ୍ବନ୍ଧୀୟ ବିଜ୍ଞାନ ସହ ଆଦୌ ଅସମ୍ବନ୍ଧିତ, କାହିଁକିନା କାନବାଟେ କୁମାରୀ ମାତା କୁନ୍ତୀ ଜନ୍ମ ଦେଇଥିବାରୁ ପିଲାଟିର ନାଁ ଥିଲା ‘କର୍ଣ୍ଣ’; ତାହା ପୁଣି ସୂର୍ଯ୍ୟଙ୍କ ଔରସରୁ!  ଋଷିଟିଏ ସେ ପର୍ଯ୍ୟନ୍ତ ଅରଜୋବତୀ ବାଳିକା କୁନ୍ତୀଙ୍କୁ ଏଭଳି ମାଳିଟିଏ ଦେଇଥିଲେ ଯେ ସେ ଯେଉଁ ପୁରୁଷକୁ ଡାକିବେ ସେ ଆସି ତାଙ୍କ ସହ ସମ୍ଭୋଗ କରିବା ଅନିବାର୍ଯ୍ୟ! ଦିନେ କୌତୂହଳବଶତଃ କୁନ୍ତୀ ଡାକିଦେଲେ ସୂର୍ଯ୍ୟଙ୍କୁ ଓ ଜନ୍ମନେଲେ କବଚ-କୁଣ୍ଡଳପିନ୍ଧା ଶିଶୁ କର୍ଣ୍ଣ । ଏଥିରେ ଜିନ୍‍-ବିଜ୍ଞାନର ଭୂମିକା କ’ଣ?
ତେବେ କଳ୍ପନା ନୁହେଁ, ଯିଏ ଏହି ଯୁଗାନ୍ତକାରୀ ବିଜ୍ଞାନକୁ ବାସ୍ତବ ରୂପ ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ, ସେଇ ବୈଜ୍ଞାନିକ ଗ୍ରେଗର୍‍ ଜୋହାନ୍‍ ମେଣ୍ଡେଲ୍‍ (୧୮୨୨-୧୮୮୪) ସର୍ବଦା ସ୍ମରଣୀୟ ହୋଇରହିବେ । କୌତୂହଳର କଥା ହେଉଛି ଅଷ୍ଟ୍ରିଆର ଏହି ବୈଜ୍ଞାନିକ ଥିଲେ ଜଣେ ଧର୍ମଗୁରୁ/ସନ୍ନ୍ୟାସୀ (ମଙ୍କ୍‍), ଯାହାଙ୍କ ଅବସ୍ଥାନ ଥିଲା ଏକ ମଠ । ଲୋକଜୀବନର ଆଢୁଆଳରେ ସେ ମଟର ଗଛ ଉପରେ ବର୍ଷବର୍ଷ ଧରି ଗବେଷଣା ଚଳାଇ ଯେଉଁ ବିବରଣୀ ଲିପିବଦ୍ଧ କରିଥିଲେ, ତାହା ହିଁ ହୋଇଥିଲା ଆଧୁନିକ ଜିନ୍‍-ବିଜ୍ଞାନର ଜାତକ/ମୂଳସୂତ୍ର । ବିଡ଼ମ୍ବନା ଯେ ତାଙ୍କ ଜୀବଦ୍ଧଶାରେ ଏହି ସୂତ୍ର ଥିଲା ଅନ୍ୟପାଇଁ ମୂଲ୍ୟହୀନ; ମୃତୁ୍ୟର ଷୋହଳ ବର୍ଷ ପରେ ବିଂଶ ଶତାବ୍ଦୀର ଉଦୟ କାଳରେ ପୃଥିବୀ ଜାଣିଲା ତାହା ଅମୂଲ୍ୟ ଓ ତାଙ୍କୁ ଦିଆଗଲା ‘ଜିନ୍‍-ବିଜ୍ଞାନର ଜନକ’ ଉପାଧି! ଉଲ୍ଲେଖନୀୟ, ମେଣ୍ଡେଲଙ୍କ ସମସାମୟିକ ବିଖ୍ୟାତ ବୈଜ୍ଞାନିକ ଚାର୍ଲସ୍‍ ଡାରଉଇନ ‘ପାନ୍‍ଜେନେସିସ୍‍ ଥିଓରି’ ମାଧ୍ୟମରେ ଆନୁବଂଶିକତାର ବିଶ୍ଳେଷଣ ପାଇଁ ଚେଷ୍ଟା କରି ହୋଇଥିଲେ ବିଫଳ ।
ଗଜାନନ ଓ ପ୍ଲାଷ୍ଟିକ୍‍ ସର୍ଜରୀ ପ୍ରସଙ୍ଗ ଆହୁରି ବେଶି ବିଭ୍ରାନ୍ତକାରୀ; କାରଣ ଏ ସମ୍ପର୍କିତ ପୌରାଣିକ କାହାଣୀରେ ବି ରହିଛି ଦର୍ଶନୀୟ ଭିନ୍ନତା । ତେବେ ଶିବପୁରାଣର ଗପଟି ବେଶି ଜଣାଶୁଣା, ଯେଉଁଥିରେ ନିଜ ଶରୀରଲେପିତ ହଳଦୀକୁ ଜୀବନ୍ୟାସ ଦେଇ ସୃଷ୍ଟି କରିଥିôବା ଗଣେଶଙ୍କୁ ଦୁଆର ମୁହଁରେ ଦରୁଆନ କରି ଜଗାଇ ପାର୍ବତୀ ସ୍ନାନ କରୁଥିବାବେଳେ ସେଠାରେ ପହଞ୍ଚିଲେ  ମହାଦେବ; ଅଚିହ୍ନା ବାଳକଟିଏ ନିଜ ଘରେ ପୂରାଇ ନଦେବା ଦେଖି ତାଙ୍କୁ କରିଚନ୍ତି ମସ୍ତକଚୁ୍ୟତ । ପାର୍ବତୀ ଏହା ଜାଣିବା ପରେ ହୋଇଛନ୍ତି କ୍ରୋଧାନ୍ୱିତ ଓ ନିଷ୍ପତ୍ତି ନେଇଛନ୍ତି ସୃଷ୍ଟି ଧ୍ୱଂସର । ସର୍ଜନାକାରୀ ବ୍ରହ୍ମା ଏଥିରେ ପ୍ରମାଦ ଗଣିଛନ୍ତି ଓ ସେଭଳି ନକରିବାକୁ କରିଛନ୍ତି ପ୍ରାର୍ଥନା । ପାର୍ବତୀ ରାଜି ହେଇଛନ୍ତି ଦୁଇଟି ସର୍ତ୍ତରେ: ଗଣେଶଙ୍କୁ ଜୀବଦାନ ଦିଆଯିବ ଓ ସେ ସର୍ବଦା ହେବେ ଅଗ୍ରପୂଜ୍ୟ । ଶିବ ରାଜି ହେଇଛନ୍ତି ଏ ସର୍ତ୍ତରେ ଓ ବ୍ରହ୍ମାଙ୍କୁ ପଠାଇଛନ୍ତି ଉତ୍ତର ଦିଗକୁ ମୁଣ୍ଡ କରିଥିବା କୌଣସି ପ୍ରାଣୀର ମୁଣ୍ଡ ଆଣିବାକୁ, ଯାହାକୁ ସେ ପ୍ରଥମେ ଦେଖିବେ । ବ୍ରହ୍ମା ଏକ ବିରାଟ ହାତୀମୁଣ୍ଡ ଧରି ଆସିଛନ୍ତି, ଯାହାକୁ ଗଣେଶଙ୍କ ଗଣ୍ଡିରେ ଲଗାଇ ଶିବ ଜୀବନ୍ୟାସ କରି ତାଙ୍କୁ ଦେଇଛନ୍ତି ପୁତ୍ରର ମାନ୍ୟତା ।
କାହାଣୀ ଅନୁସାରେ ପ୍ରଧାନମନ୍ତ୍ରୀଙ୍କ କଥିତ ‘ପ୍ଲାଷ୍ଟିକ୍‍ ସର୍ଜନ’ ଆଉ କେହି ନୁହନ୍ତି, ସ୍ୱୟଂ ମହାଦେବ । ଗଣେଶ ବି କ’ଣ ଥିଲେ ଆମ ତମ ପରି ମନୁଷ୍ୟ? କଳ୍ପିତ କାବ୍ୟ/ମହାକାବ୍ୟ/ପୁରାଣକୁ ବାସ୍ତବ ବୋଲି ପ୍ରଖ୍ୟାପିତ କରିବା ଯେମିତି କାଳ୍ପନିକ, ସେଥିରେ ବୈଜ୍ଞାନିକ ସୂତ୍ର ଖୋଜିବା ତଦ୍ରୂପ ନିରର୍ଥକ ଓ ବିପଜ୍ଜନକ । ମହାଦେବଙ୍କ କଥା ଜଣାନାହିଁ, କିନ୍ତୁ ପ୍ଲାଷ୍ଟିକ୍‍ ସର୍ଜରୀ ବା ସେହିଭଳି ଶଲ୍ୟ ଚିକିତ୍ସା କ୍ଷେତ୍ରରେ ଜଣେ ଭାରତୀୟଙ୍କ ଅବଦାନକୁ ବିଶ୍ୱବାସୀ କେବେ ଭୁଲିପାରିବେ ନାହିଁ; ସେ ହେଲେ ଶୁଶ୍ରୂତ । ଗବେଷକ କହୁଛନ୍ତି, ‘ଶୁଶ୍ରୂତ ସଂହିତା’ର ରଚୟିତା ଏହି ମହାନ ବୈଦ୍ୟଜଣକ ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀରେ ପ୍ଲାଷ୍ଟିକ୍‍ ସର୍ଜରୀ ଓ ଚକ୍ଷୁ ଅସ୍ତ୍ରୋପଚାର କରୁଥିଲେ । ଆଧୁନିକ ବୈଜ୍ଞାନିକଙ୍କ ପାଇଁ ତାଙ୍କ ଶାସ୍ତ୍ର ହିଁ ହୋଇଥିଲା ଏ କ୍ଷେତ୍ରରେ ମୂଳ ପ୍ରେରଣା । ଆମପାଇଁ ସେ ହିଁ ଗର୍ବ-ଗଉରବ ।
ଅନେକ ଭାରତୀୟ, ବିଶେଷତଃ ହିନ୍ଦୁତ୍ୱବାଦର ସମର୍ଥକ ପୁରାଣ କାହାଣୀକୁ ଉପଲକ୍ଷ୍ୟ କରି ଏବେ ବି ବିଶ୍ୱାସ କରୁଛନ୍ତି ଯେ ବିମାନ, ଟେଲିଭିଜନ, ମୋଟର୍‍ କାର୍‍ ଆଦି ପ୍ରାକ୍‍-ଐତିହାସିକ କାଳର ସୃଷ୍ଟି । ଗୁଜରାଟର ସ୍କୁଲଗୁଡ଼ିକରେ ବାଧ୍ୟତାମୂଳକ ପାଠ୍ୟପୁସ୍ତକ କରାଯାଇଥିବା ଏକ ବହି ‘ତେଜୋମୟ ଭାରତ’ରେ ଏହାର ଲେଖକ ଦୀନନାଥ ବାତ୍ରା ମହାଭାରତର କୌରବ ଶହେଭାଇଙ୍କ ଜନ୍ମ ବୃତ୍ତାନ୍ତକୁ ଆଧୁନିକ ଷ୍ଟେମ୍‍ସେଲ୍‍ ଗବେଷଣାର ମୂଳ ଉତ୍ସ ବୋଲି ଦର୍ଶାଇବା ସହ କୁନ୍ତୀ-କର୍ଣ୍ଣ ଉପାଖ୍ୟାନ ମଧ୍ୟ କରିଛନ୍ତି ବର୍ଣ୍ଣନା; ଯାହାର ମୁଖବନ୍ଧ ଲେଖିଛନ୍ତି ତକ୍ରାଳୀନ ଗୁଜରାଟ ମୁଖ୍ୟମନ୍ତ୍ରୀ ଓ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର (ମନେହୁଏ  ବାତ୍ରାଙ୍କ ଲେଖା ହିଁ ତାଙ୍କ ବକ୍ତୃତାର ଉତ୍ସ) । ଗତ ମାସରେ (ନଭେମ୍ବର ୧୫) ଏକ ସରକାରୀ କାର୍ଯ୍ୟକ୍ରମରେ ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହ ନୂତନ ଦାବି ଉପସ୍ଥାପନ କରି କହିଛନ୍ତି ଯେ ଜର୍ମାନ ଭୌତିକ ବିଜ୍ଞାନୀ ୱେର୍ଣ୍ଣର ହେଇଜେନବର୍ଗଙ୍କ ବିଖ୍ୟାତ ‘ଅନିଶ୍ଚିତତା ସିଦ୍ଧାନ୍ତ’ (ଅନ୍‍ସର୍ଟେନ୍‍ଟି ପ୍ରିନ୍ସିପୁଲ) ବେଦ ଉପରେ ଆଧାରିତ । ହେଇଜେନ୍‍ବର୍ଗ କୁଆଡ଼େ ରବୀନ୍ଦ୍ରନାଥ ଠାକୁରଙ୍କଠୁ ବେଦର ବ୍ୟାଖ୍ୟା ଶୁଣି ତାଙ୍କ ସିଦ୍ଧାନ୍ତ କରିଥିଲେ ଉପସ୍ଥାପିତ! ଅଥଚ ଅନୁଧ୍ୟାନରୁ ଜଣାପଡ଼ୁଚି ଯେ ୧୯୨୯ରେ ହେଇଜେନବର୍ଗ ଆସିଥିଲେ ଭାରତ ଓ ଭେଟିଥିଲେ ରବୀନ୍ଦ୍ରନାଥଙ୍କୁ; ତା’ର ଦୁଇବର୍ଷ ପୂର୍ବରୁ ୧୯୨୭ରେ ସେ ଉପସ୍ଥାପନ କରିଥିଲେ ତାଙ୍କର ‘ଅନିଶ୍ଚିତତା ତତ୍ତ୍ୱ’ । ରାଜନାଥ ଯେଉଁ ପଦାର୍ଥ ବିଜ୍ଞାନୀ ଫ୍ରିତ୍‍ଜୋଫ୍‍ କାପ୍ରାଙ୍କ ଲେଖାର କିୟଦଂଶକୁ ଉଦ୍ଧାର କରି ନୂତନ ତତ୍ତ୍ୱ ଥୋଇଛନ୍ତି, ମନେ ରହିବା ଆବଶ୍ୟକ ଯେ ସେ ବିଜ୍ଞାନରେ ରହସ୍ୟବାଦକୁ ଭର୍ତ୍ତି କରିବାର ଲେଖକଭାବେ ବେଶ୍‍ ଜଣାଶୁଣା (ତାଓ ଅଫ୍‍ ଫିଜିକ୍ସ: ଏନ୍‍ ଏକ୍ସପ୍ଲୋରେସନ ଅଫ୍‍ ଦି ପାରାଲାଲ୍ସ ବିଟୁଇନ୍‍ ମଡର୍ନ ଫିଜିକ୍ସ ଏଣ୍ଡ୍‍ ଇଷ୍ଟର୍ନ ମିଷ୍ଟିସିଜିମ୍‍ର ରଚୟିତା) । ରାଜନେତା ହେବା ପୂର୍ବରୁ ରାଜନାଥ ପଦାର୍ଥ ବିଜ୍ଞାନର ଅଧ୍ୟାପକ ଥିବାରୁ ସେ ଏ ସମ୍ପର୍କରେ ବେଶି ଅବହିତ ଥିବା ଉଚିତ । ଅସଲ କଥା ହେଉଛି ବିଜ୍ଞାନ ନୁହେଁ, ଆସ୍ଥା ଉପରେ ତାଙ୍କ ଭଳି କୋଟିକୋଟି ଭାରତୀୟଙ୍କର ବେଶି ବିଶ୍ୱାସ; ଅଥଚ ବିଜ୍ଞାନ ଆସ୍ଥା-ଆଧାରିତ ନୁହେଁ, ବିକାଶ-ଆଧାରିତ; ଅର୍ଥାତ ଜରୁରୀ, କୌଣସି ଉଦ୍ଭାବନ ଓ ଆବିଷ୍କାରର ଏକ ଆମୂଳଚୂଳ କ୍ରମସୋପାନର ବସ୍ତୁନିଷ୍ଠ ବିବରଣ । ସେତିକି ନାହିଁ ବୋଲି ଭାରତ ବିଶ୍ୱଗୁରୁ ଥିଲା ଓ ବିଶ୍ୱଗୁରୁ ହେବ ବୋଲି ପୃଥିବୀସାରା କହିବୁଲିଲେ ବି ଆଜି କେହି ମାନିବାକୁ ପ୍ରସ୍ତୁତ ନୁହନ୍ତି । (ଜଗତୀକରଣ ଓ ଉଦାରୀକରଣର ଯୁଗରେ ‘ବିଶ୍ୱଗୁରୁ’ ଭଳି ପଦ କେବଳ ତୁଚ୍ଛା ଆତ୍ମସନ୍ତୋଷକାରୀ ନୁହେଁ, ଅର୍ଥହୀନ ମଧ୍ୟ, କାହିଁକିନା ପ୍ରତି ମୁହୂର୍ତ୍ତରେ ଜ୍ଞାନବିଜ୍ଞାନର ପରିସର ଓ ପରିମାଣର ବ୍ୟାପ୍ତି କୌଣସି ବ୍ୟକ୍ତି/ଅନୁଷ୍ଠାନ/ଦେଶ ଯେତେ ଶକ୍ତିଶାଳୀ ହେଲେ ବି କରିବାକୁ ଦେବନି ଏକାଧିପତ୍ୟ; ସବୁ ଦେଶଭଳି ଭାରତ ମଧ୍ୟ ଏ ସତ୍ୟକୁ ମାନିନେବା ହିଁ ମଙ୍ଗଳ ।) ସେମାନେ ଚାହୁଁଚନ୍ତି ପ୍ରମାଣ, ଯାହାକୁ ଆମେ ଜୁଟାଇବାକୁ ହୋଇଛୁ ଅସମର୍ଥ । ଏହି ହେତୁରୁ ବିମାନ, ଟେଲିଭିଜନ, ମୋଟର କାର୍‍ ସବୁଗୁଡ଼ିକ ଅଣଭାରତୀୟଙ୍କ ଉଦ୍ଭାବନ ବୋଲି କହିଲେ ଆମେ ସ୍ୱୀକାର କରିବାକୁ ବାଧ୍ୟ । ଯଦି ଆମ ପୂର୍ବଜ ଏମିତି ଜ୍ଞାନକୌଶଳରେ ଥିଲେ ଧୁରନ୍ଧର, ତା’ ହେଲେ କୁଆଡ଼େ ଗଲା ସେଇ ଜ୍ଞାନଗରିମା; ଆମେ କାହିଁକି ହେଲୁ ଏତେ ବଳହୀନ/ବୁଦ୍ଧିହୀନ/ଧନହୀନ । ଅନ୍ତତଃ ଗତ ହଜାରେ ଦୁଇହଜାର ବର୍ଷର ପୃଥିବୀ ଇତିହାସକୁ ଦେଖିଲେ ଜଣାଯାଉଚି ଯେ ଅନ୍ୟ ଜାତି ତୁଳନାରେ ପ୍ରମୁଖ କ୍ଷେତ୍ରରେ ବିଶ୍ୱକୁ ଭାରତୀୟଙ୍କ ଅବଦାନ ନିହାତି ନଗଣ୍ୟ । ଏକବିଂଶ ଶତାବ୍ଦୀରେ ବି କ’ଣ ଆମେ ହେଇପାରିଛୁ ସେତିକି ସ୍ୱାବଲମ୍ବୀ/ଧନୀ/ଜ୍ଞାନୀ/ବିଜ୍ଞାନୀ, ଯେତିକି ମାରୁଚୁ ଫୁଟାଣି? ନିଜେ କରିପାରଥିଲେ କାହିଁକି ଦେଇଥାନ୍ତୁ ‘ମେକ୍‍ ଇନ୍‍ ଇଣ୍ଡିଆ’ର ବିକଳ ଡାକ; ସାରା ପୃଥିବୀର ଲୋକଙ୍କୁ କହିଥାନ୍ତୁ ଆମ କଞ୍ଚାମାଲରେ ଜିନିଷ ତିଆର ଆଉ ଆମକୁ ବିକ! ଦାରିଦ୍ର୍ୟ ଦୂରୀକରଣ ନାଁରେ ଯୁଗଯୁଗ ଧରି ହାତ ପତାଉ ନଥାନ୍ତୁ ବିଦେଶୀଙ୍କ ଆଗରେ (ତଥାପି ଅନାହାରରେ ନିତି ମରୁଚନ୍ତି ଲୋକ; ବିଷ ପିଉଚି କୃଷକ); ଓବାମା ଆସିବ ବୋଲି ଟ୍ୱିଟରରେ ‘ବ୍ରେକିଙ୍ଗ୍‍ ନୁ୍ୟଜ୍‍’ ଦେଇ କୃତକୃତ୍ୟ ହେଉ ନଥାନ୍ତେ ଆମ ପ୍ରଧାନ ସେବକ!!
ମୋଟକଥା, ଆମ ଦେଶର ନେତୃତ୍ୱ/ବୁଦ୍ଧିଜୀବୀ/ବିଜ୍ଞଜନ ପୁରାଣକୁ ଇତିହାସ ଓ ଇତିହାସକୁ ବିଜ୍ଞାନ ଭାବେ ଚିତ୍ରିତ କରି ସର୍ବଦା ନିଜକୁ ମିଛରେ କରିଆସିଚନ୍ତି ମହିମାମଣ୍ଡିତ; ଭୂତ ପରି ଆପଣା ପଛରେ ଗୋଡ଼ାଉଥିବା ଭୂତକାଳକୁ କହିଛନ୍ତି ‘ସ୍ୱର୍ଣ୍ଣିମ ଅତୀତ’ । ଶାସକମାନେ ଆପଣାଆପଣା ଇଚ୍ଛାରେ ଗଢ଼ିଚାଲିଛନ୍ତି ଇତିହାସ । ନବୀନ ଶାସକ ଆଉ ପାଦେ ଆଗକୁ ଯାଇ ଗୋଟାପଣେ ଇତିହାସକୁ ମୋଡ଼ିମକ୍‍ଚି ବଦଳାଇ ଦେବାକୁ ହେଲେଣି ତପôର; ଇତିହାସ ଗବେଷଣାର ମୁଖ୍ୟ କେନ୍ଦ୍ର (ଇଣ୍ଡିଆନ କାଉନସିଲ ଅଫ୍‍ ହିଷ୍ଟୋରିକାଲ ରିସର୍ଚ)ରେ ସେଇଥିପାଇଁ ଐତିହାସିକ (ଇତିହାସ ଅଧ୍ୟାପକ ଓ ହିନ୍ଦୁତ୍ୱ ଏଜେଣ୍ଡାର ଦୃଢ଼ ସମର୍ଥକ) ନହେଲେ ହେଁ ନିଯୁକ୍ତ କରାଯାଇଛି ଏଭଳି ଜଣେ ବ୍ୟକ୍ତି(ୱାଇ. ସୁଦର୍ଶନ ରାଓ)ଙ୍କୁ ଯାହାଙ୍କ ମୁଖ୍ୟ ଲକ୍ଷ୍ୟ ମହାଭାରତ ଓ ରାମାୟଣର ତାରିଖ ନିର୍ଣ୍ଣୟ! କବିଙ୍କ ସଂପୂର୍ଣ୍ଣ କାଳ୍ପନିକ ରଚନାରେ ତାରିଖ ଖୋଜିବା ଯେତିକି ହାସ୍ୟାସ୍ପଦ, ସେତିକି ନିରର୍ଥକ; ମାତ୍ର ପୁରାଣକୁ ଇତିହାସରେ ପରିଣତ କରିବେ ବୋଲି ଯେଉଁମାନେ ଦୃଢ଼ପ୍ରତିଜ୍ଞ, ସେମାନଙ୍କ ପାଇଁ ଇତିହାସ ଲେଖିବାକୁ ପ୍ରତ୍ନତାତ୍ତ୍ୱିକ ପ୍ରମାଣର ଆଦୌ ନାହିଁ ଆବଶ୍ୟକତା, ବରଂ ଲୋକଗପର ମାଲ୍‍ମସଲା ବି ଯଥେଷ୍ଟ । (ଦ୍ରଷ୍ଟବ୍ୟ: ସୁଦର୍ଶନ ରାଓଙ୍କ ସହ ସାକ୍ଷାତକାର; ଆଉଟ୍‍ଲୁକ୍‍: ୨୧ ଜୁଲାଇ ୨୦୧୪) ଅଥଚ ସମାଜରେ ବସବାସ କରୁଥିବା ମଣିଷର ଜୀବନଯାପନର ତଥ୍ୟନିଷ୍ଠ ଅତୀତ-ବ୍ୟାଖ୍ୟା ହିଁ ଇତିହାସ; ଅନୁମାନ/ଆକଳନ/କଳ୍ପନା/ଶୁଣାକଥା କେବେ ବି ହୋଇପାରେନା ଯାହାର ଉପାଦାନ । ଇତିହାସ ଲିଖନର କଦାଚିତ୍‍ ଲକ୍ଷ୍ୟ ନୁହେଁ କୌଣସି ବ୍ୟକ୍ତି/ଜାତି/ଦେଶର ଗୌରବ ଗାନ, ବରଂ ଅତୀତ ଘଟନାବଳୀର ଏକ ନିଷ୍ପକ୍ଷ/ସ୍ଥିତପ୍ରଜ୍ଞ ଉପସ୍ଥାପନ । ମାତ୍ର ବିଡ଼ମ୍ବନା, ଯେଉଁ ଦେଶରେ ପୁରାଣଶାସ୍ତ୍ରକୁ ବି ବଦଳାଇ ଦିଆଯାଇଛି ଅନୁକ୍ଷଣ (ଉଦାହରଣ: ରାମାୟଣର ୩୦୦ ପ୍ରକାର ସଂସ୍କରଣ ଭାରତରେ ଉପଲବ୍ଧ), ସେଥିରେ ଚାଲିଚି ଐତିହାସିକ ତଥ୍ୟ/ତତ୍ତ୍ୱର ମୂଢ଼ ଅନୁସନ୍ଧାନ । ଭୁଲିଯିବା ଅନୁଚିତ, ମଣିଷ ଚାହିଁଲେ ଇତିହାସ (ଲେଖା) ବଦଳିପାରେ, ଅତୀତ କିନ୍ତୁ ବଦଳିଯାଏନା; ବଦଳିପାରେନା । ଅର୍ଥାତ ଉଜ୍ଜ୍ୱଳମୟ ଅତୀତକୁ ଲିଭାଇ ହୁଏନା ଯେତେ କଲେ ବି ଧୂମାୟିତ କି କଳଙ୍କମୟ ଅତୀତରେ ଯେତେ ସୌନ୍ଦର୍ଯ୍ୟର ପ୍ରଲେପ ଦେଲେ ବି ତାହା ହୋଇଯାଏନା ମହିମାନ୍ୱିତ । ଏକଥା କେବେ ବୁଝିବ ଆମ ନେତୃତ୍ୱ?
Read More

ଭୂତପ୍ରେମୀ ଭାରତୀୟ (୨)

Leave a Comment
ଯୋଉମାନେ ଇତିହାସକୁ ବଦଳାଇବାକୁ ଚାହାନ୍ତି, ସେମାନେ ଅତୀତକୁ ବି ନିଜ ଇଚ୍ଛାରେ ଗଢ଼ିବାକୁ ଚେଷ୍ଟା କରନ୍ତି; ଅପୂର୍ବ/ଅଦୃଶ୍ୟ/ଅପାର୍ଥିବ/ଅମୂର୍ତ୍ତ ଅତୀତକୁ ନେଇ ତିଆରନ୍ତି ସଂସ୍କୃତି, ରଚନ୍ତି ସାହିତ୍ୟ, କରନ୍ତି ରାଜନୀତି । ଏଇ ଭୂତପ୍ରେମୀମାନେ ହିଁ ଅତୀତର ସତମିଛ କାହାଣୀ ଗଢ଼ି ପ୍ରତିଷ୍ଠା କରନ୍ତି ମାଳମାଳ ସ୍ମୃତି-ସ୍ମାରକୀ । ଗଣକୋଷ (ରାଜତନ୍ତ୍ରରେ ‘ରାଜକୋଷ’ କହିବା ହୋଇପାରେ ଠିକ୍‍, ଗଣତନ୍ତ୍ରରେ ‘ଗଣକୋଷ’ କହିବା ସଂଗତ)ରୁ ଅର୍ଥ ଶ୍ରାଦ୍ଧ କରି ପ୍ରକାଣ୍ଡ ପ୍ରତିମା ଗଢ଼ିବେ ବୋଲି ମାରନ୍ତି ବୃଥା ବାହାସ୍ଫୋଟ । ପୃଥିବୀର ସର୍ବୋଚ୍ଚ ପ୍ରତିମୂର୍ତ୍ତି ନିର୍ମାଣି ଏମାନେ କୋଉ/କାହା ଯଶବାନା ଉଡ଼ାଇବାକୁ ବାହାରିଚନ୍ତି କେଜାଣି? ଆମେରିକାକୁ ହରାଇବେ ବୋଲି ନା ଆପଣା ବଡ଼ିମା ଦେଖାଇବେ ବୋଲି? ‘ଷ୍ଟେଚୁ୍ୟ ଅଫ୍‍ ଲିବର୍ଟି’ ଅନୁକରଣରେ ନାଁ ବି ଦିଆଯାଇଚି ‘ଷ୍ଟେଚୁ୍ୟ ଅଫ୍‍ ୟୁନିଟି’! ଏ ଅଜବ ଖିଆଲ୍‍ର କର୍ତ୍ତାମାନେ ଜାଣିଚନ୍ତି କି, ଷ୍ଟେଚୁ୍ୟ ଅଫ୍‍ ଲିବର୍ଟିରେ ଗଣକୋଷରୁ ପଇସାଟିଏ ବି ଖର୍ଚ କରିନଥିଲା ସେଠାକାର ସରକାର (ଷ୍ଟେଚୁ୍ୟ ଅଫ୍‍ ୟୁନିଟି ପାଇଁ ସରକାରଙ୍କ ବ୍ୟୟ ଅଟକଳ ୨୫୦୦ କୋଟି ଟଙ୍କା); ଫ୍ରାନ୍ସ ଦେଇଥିଲା ଉପହାରସ୍ୱରୂପ ନାରୀ ପ୍ରତିମୂର୍ତ୍ତି ଓ ବହୁବର୍ଷ ଧରି ଦାନ ଅର୍ଥରେ ହୋଇଥିଲା ତଳପିଣ୍ଡି ପ୍ରସ୍ତୁତ? ଯଦି ଆମେରିକାକୁ ହରାଇବାର ଅଛି, ନିର୍ମାଣ କଲନି ହାଭାର୍ଡ କି ଅକ୍ସଫୋର୍ଡଠୁ ଆହୁରି ଉନ୍ନତ ବିଶ୍ୱବିଦ୍ୟାଳୟ ଅବା ଏମିତି ଗୋଟାଏ ଚିକିତ୍ସାଳୟ, ଯାହା ହୁଅନ୍ତା ଏକ ବିଶ୍ୱବିସ୍ମୟ? ଅଥଚ ଅତୀତର ସ୍ମୃତି ସଂରକ୍ଷଣ ହିଁ ହୋଇଚି ସତେଯେମିତି ଏ ଦେଶର ପ୍ରଧାନ କାର୍ଯ୍ୟ, ଯାହା କେବଳ ଅଜ୍ଞ ପର୍ଯ୍ୟଟକ/ଗବେଷକଙ୍କୁ କରେ ସାମାନ୍ୟ ବିଜ୍ଞ/ କିଛିଟା ଆମୋଦିତ; ରାଜନେତାଙ୍କ ପାଇଁ ସୃଷ୍ଟି କରେ ଫୁଲମାଳ ପିନ୍ଧିବାର/ପିନ୍ଧାଇବାର ମଉକା ଅନନ୍ତ ।
ଆମ ଓଡ଼ିଶାରେ ବି ଗୋଟାଏ ହୋ ଉଠିଚି ଯେ ନିର୍ମାଣ କରାଯାଉ ଦ୍ୱିତୀୟ ସୂର୍ଯ୍ୟମନ୍ଦିର (ଅଦ୍ୱିତୀୟ ମନ୍ଦିରଟିଏ ଥାଉଥାଉ) । ୟେ ଅବଶ୍ୟ ‘ଷ୍ଟେଚୁ୍ୟ ଅଫ୍‍ ୟୁନିଟି’ ପରି ନୁହେଁ କୌଣସି ଭୂତପ୍ରେମୀର ରାଜନୈତିକ କଳ୍ପନା; ଏହା କେବଳ କେତେଜଣ ଉଚ୍ଚାକା„ୀ ବ୍ୟକ୍ତିଙ୍କ ବିଳାସୀ ଯୋଜନା! ରାଜତନ୍ତ୍ରରେ ଆପଣାର କୀର୍ତ୍ତି ସ୍ଥାପିବାକୁ କି କୌଣସି ସ୍ମୃତିରକ୍ଷା ଲାଗି ଅବା ଧାର୍ମିକ ବିଶ୍ୱାସ ନେଇ ରାଜନ୍ୟବର୍ଗ ତୋଳୁଥିଲେ ପ୍ରକାଣ୍ଡ ମନ୍ଦିର; ଏକବିଂଶ ଶତାବ୍ଦୀର ଜନତାନ୍ତ୍ରିକ ଯୁଗରେ ଯାହା ଅପ୍ରାସଙ୍ଗିକ/ଅସାର । କୋଣାର୍କ ସୂର୍ଯ୍ୟମନ୍ଦିର ବି ତ ଥିଲା ଜଣେ ରାଜାର ଖିଆଲି କଳ୍ପନା (ଯାହାକୁ ତୃତୀୟ ଅନଙ୍ଗ ଭୀମ (୧୨୧୧-୩୯)ଙ୍କ ପୁଅ ପ୍ରଥମ ନରସିଂହ ଦେବ ଗଢ଼ିଥିଲେ ଗୌଡ଼ (ଅବିଭକ୍ତ ବଙ୍ଗଦେଶ) ମୁସଲମାନ ରାଜ୍ୟ ଆକ୍ରମଣ କରି ତା’ର ରାଜଧାନୀକୁ ଅବରୋଧ କରିବାର ବିଜୟ ସ୍ମାରକୀ ଭାବେ) । ବିଡ଼ମ୍ବନା ଯେ ଯେଉଁ ରାଜ୍ୟର ମନ୍ଦିର ଯେତିକି ବିଶ୍ୱବନ୍ଦିତ, ସେଠାକାର ଦାରିଦ୍ର୍ୟ ବି ସେତିକି ବିଶ୍ୱବିଦିତ । ମନ୍ଦିରମାଳିନୀ ରାଜ୍ୟରେ ଅଜସ୍ର ଅର୍ଥ ବିନିଯୋଗ କରି ଆଉ ଏକ ମନ୍ଦିର ତୋଳିବା କେତେ ନ୍ୟାୟଯୁକ୍ତ? ଆମର କେବଳ ଦାରିଦ୍ର୍ୟ ଥିଲେ ଚଳନ୍ତା, ଦୈନ୍ୟ ବି ଅଛି; କାହିଁକିନା ଓଡ଼ିଆଙ୍କ କୀର୍ତ୍ତି ହୋଇ ନଥିଲେ ବି ଆମେ କମ୍‍ ଗର୍ବ କରୁ କି ଅତୀତ କୀର୍ତ୍ତିକୁ ନେଇ? ଅଥଚ ସୂର୍ଯ୍ୟ ମନ୍ଦିର/ଶ୍ରୀମନ୍ଦିର (ଦ୍ରାବିଡ଼ ବଂଶୀୟ ଚୋଳଗଙ୍ଗ ଦେବ ଓ ଅନଙ୍ଗଭୀମ ଦେବ)/ବାରବାଟୀ ଦୁର୍ଗ (ତୃତୀୟ ଅନଙ୍ଗଭୀମ ଦେବ) ସବୁଯାକ ଅଣଓଡ଼ିଆ ରାଜାଙ୍କ କୃତିତ୍ୱ! (ଏସବୁ ନିର୍ମାଣ ପାଇଁ ଓଡ଼ିଆ ବି ହୋଇ ନଥିବେ କମ୍‍ ନିର୍ଯାତିତ!) ଐତିହ୍ୟ ଭାବେ ଅବଶ୍ୟ ଏହା ହୋଇପାରେ ସ୍ୱୀକୃତ, କିନ୍ତୁ ଆମେ ଏଥିପାଇଁ କାହିଁକି ହେବା ଏତେ ଗର୍ବିତ?
କେବଳ ସେତିକି ନୁହେଁ, ଅନ୍ୟ ଭାରତୀୟଙ୍କ ପରି ଓଡ଼ିଆମାନେ ବି ଅସଂଖ୍ୟ  ଲୋକକଥା/କିମ୍ବଦନ୍ତୀ/ଗପ/କାହାଣୀକୁ ଭାବିଆସିଚନ୍ତି ସତ-ଅତୀତ ଓ ହୋଇଚନ୍ତି ମିଛରେ ଗୌରବାନ୍ୱିତ । ଉଦାହରଣ: କାଞ୍ଚି ଅଭିଯାନ । ଅନେକ ହୁଏତ ଜାଣି ନଥିବେ ଯେ ସ୍ୱାଧୀନଚେତା/ନିର୍ଭୀକ ନେତା ପଣ୍ଡିତ ନୀଳକଣ୍ଠ ଦାସ ଏ ନେଇ ଥିବା ସଂଶୟକୁ ପଚାଶ ବର୍ଷ ତଳୁ ହିଁ କରିସାରିଚନ୍ତି ବିମୋଚିତ । ‘ନୀଳକଂଠ ଗ୍ରଂଥାବଳୀ’(୧୯୬୩)ର ମୁଖବନ୍ଧରେ ସେ ଠାଏ ଲେଖିଚନ୍ତି (ଅବିକଳ), “...ଜଗନ୍ନାଥେ ବଡ଼ଠାକୁରେ ଦୁହେଁ କାଂଚୀଯୁଦ୍ଧରେ ପୁରୁଷୋତ୍ତମ ଦେବଙ୍କ ସଂଗରେ ଯାଇ କାଂଚୀଯୁଦ୍ଧ ଜିଣାଇବା । ଜଗମୋହନରେ ଏଇ ଗଳ୍ପଟିର ଗୋଟିଏ ସୁନ୍ଦର କାଂଥଚିତ୍ର ଅଛି । ତାକୁ ଏବେ ମଧ୍ୟ ପ୍ରତ୍ୟେକ ଜଗନ୍ନାଥ ଦର୍ଶକ ଦର୍ଶନ କରଂତି । ବଳରାମ ଦାସଂକ ‘ବଟ ଅବକାଶ’ରେ ଏଇ ଚିତ୍ର ଥିବା କଥା ମଧ୍ୟ ଲେଖା ଅଛି; କିନ୍ତୁ ପରେ ଅନୁସଂଧାନରୁ ଜଣାଯାଏ ଏ ଚିତ୍ର ବହୁ ପ୍ରାଚୀନ ଘଟଣାର ଗୋଟିଏ ସ୍ମୃତି ଛଡ଼ା ଆଉ କିଛି ନୁହେଁ । ଏହା କାଂଚୀକାବେରୀ ଯୁଦ୍ଧରେ ଜଗନ୍ନାଥ, ବଡ଼ଠାକୁରଂକ ରାଜସଂଗୀ ହେବା କଥା ନୁହେଁ । ଏହାଠାରୁ ପ୍ରାୟ ହଜାରେ ବର୍ଷ ପୂର୍ବେ ‘ଆସିରିୟା’ ରଜାଂକ ସଂଗେ ଦେବତା ଯୁଦ୍ଧକୁ ଯାଉଥିବାର ପ୍ରମାଣ ମିଳେ । ଏଇ ସ୍ମୃତିର ଛାୟା ଏଥିରେ ପଡ଼ିଚି ।”
କାହିଁ କୋଉ ଯୁଗରୁ ଆମେ କାର୍ତ୍ତିକ ପୂର୍ଣ୍ଣିମାରେ ଓଡ଼ିଆ ସାଧବ ପୁଅର ବୋଇତ ଯାତ୍ରାକୁ ସ୍ମୃତି କରି ବଡ଼ିଭୋରରୁ ଉଠି ନଈପୋଖରୀରେ ଭସାଇଚାଲିଛୁଁ ରଙ୍ଗବେରଙ୍ଗୀ/କଦଳୀପଟୁଆ ଡଙ୍ଗା; ଅଥଚ କେବେଠୁ ଓଡ଼ିଆ ସାଧବଙ୍କ ଅଣ୍ଟା ଭାଙ୍ଗି ଅଣଓଡ଼ିଆ ବେପାରୀ ହିଁ ସାରା ଓଡ଼ିଶାରେ ଏ ଯାଏଁ ଜମାଇଚନ୍ତି ଆଧିପତ୍ୟ । ତେତିଶ କୋଟି ଦେବଦେବୀ, ଏପରିକି ସ୍ୱୟଂ ଜଗତର ନାଥ ଥାଉଥାଉ ଅଣଓଡ଼ିଆ ବାବା/ସ୍ୱାମୀ/ଆନନ୍ଦମାନଙ୍କ ଅତୀତର ମହିମା ଗାନ/ଭଜନକୀର୍ତ୍ତନରେ ବେଶୀ ଭାଗ ଓଡ଼ିଆ ବିତାଇଚାଲିଚୁଁ ସାରା ଜୀବନ (ଅବଶ୍ୟ ଏଇନା ଜଣେ ଓଡ଼ିଆ ଯୁବକ ପ୍ରବଚନ ଦେଉଦେଉ ‘ପ୍ରଭୁ’ ପାଲଟି ବାଣ୍ଟୁଚନ୍ତି ଆଶୀର୍ବାଦ, ଯାହାଙ୍କ ପାଦୁକା ବି ହେଲାଣି ପୂଜନ)!
ଅଣଓଡ଼ିଆମାନେ ସରଳ ଓଡ଼ିଆଙ୍କୁ ପ୍ରତ୍ୟକ୍ଷ/ପରୋକ୍ଷରେ ଯୁଗେଯୁଗେ  ବନାଇଆସିଚନ୍ତି ଅବୋଧ, ତା’ର ଉଦାହରଣ ଏମିତି ଖୋଜିଲେ ମିଳିବ ଢେର୍‍ । ତେବେ ପଡ଼ୋଶୀଙ୍କ କଥା ନ କହିଲେ ନ ଚଳେ, କାହିଁକିନା ସେମାନେ ହିଁ ଓଡ଼ିଆଙ୍କୁ ଭାଷାରକ୍ଷା ପାଇଁ ତତାଇଥିଲେ ଏକଦା ‘ଓଡ଼ିଆ ଏକ ଭାଷା ନୁହେଁ’ କହି; ଅଥଚ ତାଙ୍କ ଭାଷା ନୁହେଁ, ଓଡ଼ିଆ ହିଁ ପାଇଲା ଶାସ୍ତ୍ରୀୟ ମାନ୍ୟ । (ଅବଶ୍ୟ ସାଧାରଣ ଓଡ଼ିଆଙ୍କର ଏଥିରେ ଯାଏ କେତେ ଆସେ କେତେ? ତଥାପି ଶୋଚନୀୟ ଯେ ଏବେ ବି ପଣ୍ଡିତଙ୍କ ଭିତରେ ଅଙ୍କ ଛିଣ୍ଡୁନି, ଓଡ଼ିଆରେ କେତୋଟି ବର୍ଣ୍ଣ?) ତେବେ ଓଡ଼ିଆଙ୍କ ପ୍ରତି କ’ଣ ଏବେ ବଦଳିଲାଣି ସେମାନଙ୍କର ସେଇ ଅପରିଚ୍ଛନ୍ନ ଦୃଷ୍ଟିକୋଣ? ଷୋଡ଼ଶ ଶତାବ୍ଦୀରେ ଚୈତନ୍ୟଙ୍କ ପରେପରେ ଯେଉଁମାନେ କର୍ମସଂସ୍ଥାନ ଆଶାରେ ଆସିଥିଲେ ଓଡ଼ିଶାକୁ, ସେମାନେ ହିଁ ପରେ ହେଲେ ଏଇଠି ଜମିଦାର । ଊନବିଂଶ ଶତାବ୍ଦୀରେ ଏମାନେ ସାଜିଲେ ଇଂରେଜଙ୍କ ଏଜେଣ୍ଟ ଓ ବନିଗଲେ ମହକୁମାଗୁଡ଼ିକର କର୍ଣ୍ଣଧାର । ଖବରକାଗଜ ପ୍ରକାଶନ, ଉପନ୍ୟାସ/ନାଟକ ଲେଖାଠୁ ଆରମ୍ଭ କରି କଲେଜର କମିଶନର ପଦବୀ, ସବୁଠି ସେମାନଙ୍କ ‘ପ୍ରଥମ’ ଆଧିପତ୍ୟ । ଅବଶ୍ୟ ଏଥିରେ ଓଡ଼ିଆଙ୍କ ଥିଲା ସମ୍ମତି । କମ୍‍ ଶିକ୍ଷାଦୀକ୍ଷାପ୍ରାପ୍ତ/ଦାରିଦ୍ର୍ୟଗ୍ରସ୍ତ/ଦୀର୍ଘକାଳ ଧରି ନିର୍ଯାତିତ ଗୋଟିଏ ଜାତିପାଇଁ ସବୁକୁ ସହିନେବା ଛଡ଼ା ନଥିଲା ଭିନ୍ନ ଗତି । ଭାଗ୍ୟ ଭଲ, କେଇଜଣ ମନୀଷୀଙ୍କ ନିରବଚ୍ଛିନ୍ନ ପ୍ରଚେଷ୍ଟାରେ ଓଡ଼ିଶା ହେଲା ସ୍ୱତନ୍ତ୍ର ରାଜ୍ୟ, ହେଉପଛେ ବିଖଣ୍ଡିତ । ତେବେ ଏପର୍ଯ୍ୟନ୍ତ ଆମେ କ’ଣ ହୋଇପାରିଚୁ ବର୍ତ୍ତମାନମନସ୍କ/ଭବିଷ୍ୟଦ୍ରଷ୍ଟା/ଅତୀତ-ଅନାସକ୍ତ?
ଭାରତୀୟ/ଓଡ଼ିଆଙ୍କ ଏଇ ଅତୀତ-ପ୍ରବଣତା ଅବଶ୍ୟ ନୁହେଁ ଅହେତୁକ; କାହିଁକିନା  ଏହା ଆସିଚି ସଂକୀର୍ଣ୍ଣତାବୋଧ(ସଦ୍ୟ ଉଦାହରଣ: ଦେଶର ମାନବସମ୍ବଳ (ଶିକ୍ଷା)ମନ୍ତ୍ରୀଙ୍କ ଜ୍ୟୋତିଷ ପାଖରେ ହାତଦେଖା; ସାଂସଦଙ୍କ ସଂସଦରେ ବୟାନ, ଜ୍ୟୋତିଷ ବିଜ୍ଞାନଠୁ ବି ବଡ଼ ଶାସ୍ତ୍ର ଓ ହଜାରେ ବର୍ଷ ପୂର୍ବେ ଭାରତରେ ଜଣେ ଋଷି କରିଥିଲେ ପରମାଣୁ ପରୀକ୍ଷଣ; ବିଦେଶ ମନ୍ତ୍ରୀଙ୍କ ଗୀତାକୁ ‘ଜାତୀୟ ଗ୍ରନ୍ଥ’ ଘୋଷଣା କରିବାର ଅସାମ୍ବିଧାନିକ ଦାବି ଇତ୍ୟାଦି)ରୁ, ଯାହାର ସୃଷ୍ଟି ବର୍ତ୍ତମାନର ସଙ୍କଳ୍ପ ଓ ଭବିଷ୍ୟତର ଦୃଷ୍ଟି/ଦର୍ଶନ ଅଭାବରୁ । ଧ୍ୟାନଯୋଗ୍ୟ, ଯିଏ କହେ ସେ ଥିଲା ଧନୀ; ଏହାର ଅର୍ଥ ହେଉଛି ସେ ଏବେ ନିର୍ଧନ । ଯିଏ କହେ ଯେ ସେ ଥିଲା ବିଜ୍ଞ; ବର୍ତ୍ତମାନ ସେ ହୋଇଯାଇଛି ଅଜ୍ଞ । ଯିଏ କହେ ଯେ ସେ ଅତୀତରେ ଥିଲା ସମ୍ଭ୍ରାନ୍ତ, ଧରି ନେବାକୁ ହେବ ଏବେ ତା’ର ଆଉ ନାହିଁ ମୁଣ୍ଡ ଉପରେ ଛାତ! ଅଥଚ ଆମେ ଏଇଆ ହିଁ ତ କହିଆସିଚୁ ଦୀର୍ଘକାଳ! ଏହି କାରଣରୁ ଆମଠୁ ଦରିଦ୍ର ଦେଶ/ରାଜ୍ୟ ଆଜି କେହି ନାହିଁ ସମଗ୍ର ବିଶ୍ୱରେ; ଆମଠୁ ଅଧିକ ଅଶିକ୍ଷିତ/ଅବୈଜ୍ଞାନିକ/ରୋଗିଣା/ଦୁର୍ବଳମନା ବି କେହି ନାହାନ୍ତି ଅନ୍ୟ କୌଣସି ରାଷ୍ଟ୍ରରେ । ଆମେ କେବଳ କରିଚାଲିଚୁ ବର୍ତ୍ତମାନର ଉପେକ୍ଷା ଓ ଅତୀତର ଗୁଣଗାନ, ଯାହା  କେବଳ ବୃଦ୍ଧର ଲକ୍ଷଣ । ଦେଶର ଅଧାରୁ ଅଧିକ ଲୋକ ସିନା ଯୁବା (ଆଧୁନିକ ଭାଷାରେ ମାନବ ସମ୍ବଳ), କିନ୍ତୁ ସତେଯେମିତି ବୁଢ଼ା ହେଇଯାଇଛି ସେମାନଙ୍କ ମନ । ସେଇଥିପାଇଁ ମନ ଭିତରେ ନା ଅଛି ଭବିଷ୍ୟ ପ୍ରତି ଉନ୍ମୁଖତା ନା ଅଛି ବର୍ତ୍ତମାନର ଶ୍ରମ/ସାଧନା/ସମ୍ମାନ । କାବି୍ୟକ ଭାଷାରେ କହିଲେ ଆମ ଅବସ୍ଥା ‘ଅତୀତର ଧ୍ୟାନେ ହୋଇ ଏକତାନ, ଅତୀତକୁ ଯେହ୍ନେ ମଣେ ବର୍ତ୍ତମାନ’ (ମହେନ୍ଦ୍ରଗିରି: ରାଧାନାଥ) । ତାହା ଯେତେ ସ୍ୱର୍ଣ୍ଣିମ (ମନେରଖନ୍ତୁ ଏହା ସବୁବେଳେ ସ୍ୱର୍ଣ୍ଣିମ!) ହେଉପଛେ ଏ ସତ୍ୟକୁ ଆମେ ଭୁଲିଯାଉ ଯେ ଅତୀତ ସର୍ବଦା ଅଫେରନ୍ତା (‘ଏକମାତ୍ର କଥା ଯାହା ଈଶ୍ୱର ହେଲେ ବି କରିପାରନ୍ତି ନାଇଁ, ଘଟିଯାଇଚି ଯାହା ତାକୁ ଆଉ ବଦଳାଇ ପାରନ୍ତି ନାଇଁ’- ଆରିଷ୍ଟୋଟଲ: ଦ ନିକୋମେକିଆନ ଏଥିକ୍ସ ଅଫ୍‍ ଆରିଷ୍ଟୋଟଲ; ଅନୁବାଦ: ରବର୍ଟ ୱିଲିୟମ୍ସ); ଅଥଚ ଅତୀତକୁ ଫେରାଇବାର ଚେଷ୍ଟା ଅବ୍ୟାହତ । ଭାରତୀୟଙ୍କୁ ଅତୀତ-ଅଫିମ ଖୁଆଇ ଶୁଆଇ ପକାଇବାକୁ ବି କମ୍‍ କରିନି/କରୁନି ଉଦ୍ୟମ ଆମ ନେତୃତ୍ୱ (ରାଜନୀତି/ସାହିତ୍ୟ/ସଂସ୍କୃତି ପ୍ରତ୍ୟେକ କ୍ଷେତ୍ରର); ସେଇଥôରେ ହିଁ ହୋଇପାରୁଚି/ହୋଇପାରିବ ପୂରଣ ସେମାନଙ୍କ ନ୍ୟସ୍ତସ୍ୱାର୍ଥ ।
ହୁଏତ ଖରାପ କଥା ନୁହେଁ କିଛିଟା ସତ୍ୟ ଅତୀତ/ଇତିହାସର ଗଉରବ ଗାନ, ଯଦି ତାହା ଅବରୁଦ୍ଧ କରୁନି ମନୁଷ୍ୟର ଅଗ୍ରଗମନ । ଅତୀତ ଠିକ୍‍ ପଶ୍ଚାତ୍‍ ଦୃଶ୍ୟ ଦର୍ଶନ ପାଇଁ ଯାନରେ ଲାଗିଥିବା ଦର୍ପଣ ଭଳି, ଯାହାକୁ ଦେଖି କଳନା କରିହୁଏ ପଛ ରାସ୍ତାର ସ୍ଥିତି; ଅଥଚ କେହି ଯଦି ଆଗକୁ ନ ଦେଖି କେବଳ ସେଇ ଦର୍ପଣକୁ ହିଁ ଚାହିଁରହିଥାଏ ତେବେ ତା’ର ଭବିଷ୍ୟତ ନିଶ୍ଚୟ ଅନ୍ଧାର, କାହିଁକିନା ବର୍ତ୍ତମାନ ପାଇଁ ଦୁର୍ଘଟନା ସାର । ଅତୀ˜/ସ୍ମୃତି/ସ୍ମାରକୀ/ପ୍ରତୀକ ସବୁର କାମ କେବଳ ସେତିକି, ଯେତିକି ପଶ୍ଚାତ୍‍ଦର୍ଶନ-ଦର୍ପଣର । ଯୋଉମାନେ ତାକୁ ଭାବିନିଅନ୍ତି ସର୍ବସ୍ୱ, ସେମାନଙ୍କ ପାଇଁ ବନ୍ଦ ହେଇଯାଏ ଭବିଷ୍ୟର ଦ୍ୱାର ଓ ଆରମ୍ଭ ହୁଏ ପଶ୍ଚାତ୍‍ଗମନ; ୟା’କୁ ଭିନ୍ନ ଭାଷାରେ କେହିକେହି କହନ୍ତି ‘ଇତିହାସର ଚକ୍ର’ ।
ପ୍ରାୟତଃ କୁହାଯାଏ ଯେ ଅତୀ˜/ଇତିହାସ ମଣିଷକୁ ଶିକ୍ଷା ଦିଏ । ଅଥଚ ମନେହୁଏ ଇଏ କେବଳ ଏକ ଧାରଣା; କାହିଁକିନା ଅତୀତଠୁ ଯଦି ମନୁଷ୍ୟ ସତକୁ ସତ କିଛି ଶିଖୁଥାନ୍ତା, ତେବେ ସେ ବାରମ୍ବାର କରନ୍ତାନି ସେଇ ସମାନ ତ୍ରୁଟିବିଚୁ୍ୟତି; ତୁଚ୍ଛାଟାରେ ନିନ୍ଦୁ ନଥାନ୍ତା ନିୟତିକୁ; ହୁଅନ୍ତାନି ନିରନ୍ତର ବ୍ୟକ୍ତି-ବ୍ୟକ୍ତି, ଜାତି-ଜାତି, ସମ୍ପ୍ରଦାୟ-ସମ୍ପ୍ରଦାୟ, ଦେଶ-ଦେଶ ମଧ୍ୟରେ ହିଂସା/ଦଙ୍ଗା/ଯୁଦ୍ଧ; ଗତି ତା’ର ଚକ୍ରାକାର ନହେଇ ହୁଅନ୍ତା ଏକରୈଖିକ; ଅର୍ଥାତ ପଶ୍ଚାତ୍‍ଗମନ ନୁହେଁ, ‘ଚରୈବେତି ଚରୈବେତି’ (ଆଗକୁ ଚାଲ, ଆଗକୁ ଚାଲ; ଐତରେୟ ଉପନିଷଦ) ।
ଅତଏବ ଅତୀତର ପଶ୍ଚାତ୍‍ଦର୍ଶନ-ଦର୍ପଣ (ରିଅର୍‍ ଭିଉ ମିରର୍‍)କୁ ଦେଖିବାର ଅଛି ଯେତିକି, ସେତିକି ହିଁ ଦେଖିବା ହେଉ; ମନଗଢ଼ା ଅତୀତକୁ ମହିମାନ୍ୱିତ କରି ମିଛରେ ବୋଲା ନଯାଉ ମନବୋଧ ଗୀତ! ଛାଡ଼ିବାକୁ ହେବ ଭୂତପ୍ରେମ/ଦେଖିବାକୁ ହେବ ଅତୀତ ଓ ବର୍ତ୍ତମାନକୁ ନିର୍ମୋହ ଦୃଷ୍ଟିରେ, ଯଦି ସତକୁ ସତ ନିର୍ମାଣିବାର ଅଛି ଆଧୁନିକ ଭାରତର ଭବିଷ୍ୟତ । ବ୍ୟକ୍ତିଗତ ସ୍ମୃତି/ସ୍ମାରକ/ପ୍ରତୀକ ନଗଢ଼ି ଗଢ଼ାଯାଉ ପ୍ରଗତି/ଉନ୍ନତିର ବହୁବିଧ ସୌଧ ସାମୂହିକ, ଉଭୟ ଭୌତିକ/ଅଭୌତିକ । ମନୁଷ୍ୟ ଚାହୁଁ ନଚାହୁଁ, ତା’ ସହିତ ରହିଥାଏ ଐତିହ୍ୟ/ସଂସ୍କାର/ପ୍ରେରଣା ରୂପେ ଜରୁରୀ ଅତୀତ; ସେଥିପାଇଁ କେହି ଉଦ୍‍ବିଗ୍ନ ହେବାର, ଆନେ୍ଦାଳନ କରିବାର କି ସେସବୁକୁ ଆମ ଉପରେ ଲଦିଦେବାର ନାଇଁ ଆବଶ୍ୟକ । (ସମାପ୍ତ)
Read More
ଏହି ବ୍ଲଗର ସମସ୍ତ ସାମଗ୍ରୀ ଲେଖକଙ୍କ ସର୍ବସ୍ବତ୍ତ୍ବ ସଂରକ୍ଷିତ. Powered by Blogger.