ଭୂତପ୍ରେମୀ ଭାରତୀୟ (୨)

Leave a Comment
ଯୋଉମାନେ ଇତିହାସକୁ ବଦଳାଇବାକୁ ଚାହାନ୍ତି, ସେମାନେ ଅତୀତକୁ ବି ନିଜ ଇଚ୍ଛାରେ ଗଢ଼ିବାକୁ ଚେଷ୍ଟା କରନ୍ତି; ଅପୂର୍ବ/ଅଦୃଶ୍ୟ/ଅପାର୍ଥିବ/ଅମୂର୍ତ୍ତ ଅତୀତକୁ ନେଇ ତିଆରନ୍ତି ସଂସ୍କୃତି, ରଚନ୍ତି ସାହିତ୍ୟ, କରନ୍ତି ରାଜନୀତି । ଏଇ ଭୂତପ୍ରେମୀମାନେ ହିଁ ଅତୀତର ସତମିଛ କାହାଣୀ ଗଢ଼ି ପ୍ରତିଷ୍ଠା କରନ୍ତି ମାଳମାଳ ସ୍ମୃତି-ସ୍ମାରକୀ । ଗଣକୋଷ (ରାଜତନ୍ତ୍ରରେ ‘ରାଜକୋଷ’ କହିବା ହୋଇପାରେ ଠିକ୍‍, ଗଣତନ୍ତ୍ରରେ ‘ଗଣକୋଷ’ କହିବା ସଂଗତ)ରୁ ଅର୍ଥ ଶ୍ରାଦ୍ଧ କରି ପ୍ରକାଣ୍ଡ ପ୍ରତିମା ଗଢ଼ିବେ ବୋଲି ମାରନ୍ତି ବୃଥା ବାହାସ୍ଫୋଟ । ପୃଥିବୀର ସର୍ବୋଚ୍ଚ ପ୍ରତିମୂର୍ତ୍ତି ନିର୍ମାଣି ଏମାନେ କୋଉ/କାହା ଯଶବାନା ଉଡ଼ାଇବାକୁ ବାହାରିଚନ୍ତି କେଜାଣି? ଆମେରିକାକୁ ହରାଇବେ ବୋଲି ନା ଆପଣା ବଡ଼ିମା ଦେଖାଇବେ ବୋଲି? ‘ଷ୍ଟେଚୁ୍ୟ ଅଫ୍‍ ଲିବର୍ଟି’ ଅନୁକରଣରେ ନାଁ ବି ଦିଆଯାଇଚି ‘ଷ୍ଟେଚୁ୍ୟ ଅଫ୍‍ ୟୁନିଟି’! ଏ ଅଜବ ଖିଆଲ୍‍ର କର୍ତ୍ତାମାନେ ଜାଣିଚନ୍ତି କି, ଷ୍ଟେଚୁ୍ୟ ଅଫ୍‍ ଲିବର୍ଟିରେ ଗଣକୋଷରୁ ପଇସାଟିଏ ବି ଖର୍ଚ କରିନଥିଲା ସେଠାକାର ସରକାର (ଷ୍ଟେଚୁ୍ୟ ଅଫ୍‍ ୟୁନିଟି ପାଇଁ ସରକାରଙ୍କ ବ୍ୟୟ ଅଟକଳ ୨୫୦୦ କୋଟି ଟଙ୍କା); ଫ୍ରାନ୍ସ ଦେଇଥିଲା ଉପହାରସ୍ୱରୂପ ନାରୀ ପ୍ରତିମୂର୍ତ୍ତି ଓ ବହୁବର୍ଷ ଧରି ଦାନ ଅର୍ଥରେ ହୋଇଥିଲା ତଳପିଣ୍ଡି ପ୍ରସ୍ତୁତ? ଯଦି ଆମେରିକାକୁ ହରାଇବାର ଅଛି, ନିର୍ମାଣ କଲନି ହାଭାର୍ଡ କି ଅକ୍ସଫୋର୍ଡଠୁ ଆହୁରି ଉନ୍ନତ ବିଶ୍ୱବିଦ୍ୟାଳୟ ଅବା ଏମିତି ଗୋଟାଏ ଚିକିତ୍ସାଳୟ, ଯାହା ହୁଅନ୍ତା ଏକ ବିଶ୍ୱବିସ୍ମୟ? ଅଥଚ ଅତୀତର ସ୍ମୃତି ସଂରକ୍ଷଣ ହିଁ ହୋଇଚି ସତେଯେମିତି ଏ ଦେଶର ପ୍ରଧାନ କାର୍ଯ୍ୟ, ଯାହା କେବଳ ଅଜ୍ଞ ପର୍ଯ୍ୟଟକ/ଗବେଷକଙ୍କୁ କରେ ସାମାନ୍ୟ ବିଜ୍ଞ/ କିଛିଟା ଆମୋଦିତ; ରାଜନେତାଙ୍କ ପାଇଁ ସୃଷ୍ଟି କରେ ଫୁଲମାଳ ପିନ୍ଧିବାର/ପିନ୍ଧାଇବାର ମଉକା ଅନନ୍ତ ।
ଆମ ଓଡ଼ିଶାରେ ବି ଗୋଟାଏ ହୋ ଉଠିଚି ଯେ ନିର୍ମାଣ କରାଯାଉ ଦ୍ୱିତୀୟ ସୂର୍ଯ୍ୟମନ୍ଦିର (ଅଦ୍ୱିତୀୟ ମନ୍ଦିରଟିଏ ଥାଉଥାଉ) । ୟେ ଅବଶ୍ୟ ‘ଷ୍ଟେଚୁ୍ୟ ଅଫ୍‍ ୟୁନିଟି’ ପରି ନୁହେଁ କୌଣସି ଭୂତପ୍ରେମୀର ରାଜନୈତିକ କଳ୍ପନା; ଏହା କେବଳ କେତେଜଣ ଉଚ୍ଚାକା„ୀ ବ୍ୟକ୍ତିଙ୍କ ବିଳାସୀ ଯୋଜନା! ରାଜତନ୍ତ୍ରରେ ଆପଣାର କୀର୍ତ୍ତି ସ୍ଥାପିବାକୁ କି କୌଣସି ସ୍ମୃତିରକ୍ଷା ଲାଗି ଅବା ଧାର୍ମିକ ବିଶ୍ୱାସ ନେଇ ରାଜନ୍ୟବର୍ଗ ତୋଳୁଥିଲେ ପ୍ରକାଣ୍ଡ ମନ୍ଦିର; ଏକବିଂଶ ଶତାବ୍ଦୀର ଜନତାନ୍ତ୍ରିକ ଯୁଗରେ ଯାହା ଅପ୍ରାସଙ୍ଗିକ/ଅସାର । କୋଣାର୍କ ସୂର୍ଯ୍ୟମନ୍ଦିର ବି ତ ଥିଲା ଜଣେ ରାଜାର ଖିଆଲି କଳ୍ପନା (ଯାହାକୁ ତୃତୀୟ ଅନଙ୍ଗ ଭୀମ (୧୨୧୧-୩୯)ଙ୍କ ପୁଅ ପ୍ରଥମ ନରସିଂହ ଦେବ ଗଢ଼ିଥିଲେ ଗୌଡ଼ (ଅବିଭକ୍ତ ବଙ୍ଗଦେଶ) ମୁସଲମାନ ରାଜ୍ୟ ଆକ୍ରମଣ କରି ତା’ର ରାଜଧାନୀକୁ ଅବରୋଧ କରିବାର ବିଜୟ ସ୍ମାରକୀ ଭାବେ) । ବିଡ଼ମ୍ବନା ଯେ ଯେଉଁ ରାଜ୍ୟର ମନ୍ଦିର ଯେତିକି ବିଶ୍ୱବନ୍ଦିତ, ସେଠାକାର ଦାରିଦ୍ର୍ୟ ବି ସେତିକି ବିଶ୍ୱବିଦିତ । ମନ୍ଦିରମାଳିନୀ ରାଜ୍ୟରେ ଅଜସ୍ର ଅର୍ଥ ବିନିଯୋଗ କରି ଆଉ ଏକ ମନ୍ଦିର ତୋଳିବା କେତେ ନ୍ୟାୟଯୁକ୍ତ? ଆମର କେବଳ ଦାରିଦ୍ର୍ୟ ଥିଲେ ଚଳନ୍ତା, ଦୈନ୍ୟ ବି ଅଛି; କାହିଁକିନା ଓଡ଼ିଆଙ୍କ କୀର୍ତ୍ତି ହୋଇ ନଥିଲେ ବି ଆମେ କମ୍‍ ଗର୍ବ କରୁ କି ଅତୀତ କୀର୍ତ୍ତିକୁ ନେଇ? ଅଥଚ ସୂର୍ଯ୍ୟ ମନ୍ଦିର/ଶ୍ରୀମନ୍ଦିର (ଦ୍ରାବିଡ଼ ବଂଶୀୟ ଚୋଳଗଙ୍ଗ ଦେବ ଓ ଅନଙ୍ଗଭୀମ ଦେବ)/ବାରବାଟୀ ଦୁର୍ଗ (ତୃତୀୟ ଅନଙ୍ଗଭୀମ ଦେବ) ସବୁଯାକ ଅଣଓଡ଼ିଆ ରାଜାଙ୍କ କୃତିତ୍ୱ! (ଏସବୁ ନିର୍ମାଣ ପାଇଁ ଓଡ଼ିଆ ବି ହୋଇ ନଥିବେ କମ୍‍ ନିର୍ଯାତିତ!) ଐତିହ୍ୟ ଭାବେ ଅବଶ୍ୟ ଏହା ହୋଇପାରେ ସ୍ୱୀକୃତ, କିନ୍ତୁ ଆମେ ଏଥିପାଇଁ କାହିଁକି ହେବା ଏତେ ଗର୍ବିତ?
କେବଳ ସେତିକି ନୁହେଁ, ଅନ୍ୟ ଭାରତୀୟଙ୍କ ପରି ଓଡ଼ିଆମାନେ ବି ଅସଂଖ୍ୟ  ଲୋକକଥା/କିମ୍ବଦନ୍ତୀ/ଗପ/କାହାଣୀକୁ ଭାବିଆସିଚନ୍ତି ସତ-ଅତୀତ ଓ ହୋଇଚନ୍ତି ମିଛରେ ଗୌରବାନ୍ୱିତ । ଉଦାହରଣ: କାଞ୍ଚି ଅଭିଯାନ । ଅନେକ ହୁଏତ ଜାଣି ନଥିବେ ଯେ ସ୍ୱାଧୀନଚେତା/ନିର୍ଭୀକ ନେତା ପଣ୍ଡିତ ନୀଳକଣ୍ଠ ଦାସ ଏ ନେଇ ଥିବା ସଂଶୟକୁ ପଚାଶ ବର୍ଷ ତଳୁ ହିଁ କରିସାରିଚନ୍ତି ବିମୋଚିତ । ‘ନୀଳକଂଠ ଗ୍ରଂଥାବଳୀ’(୧୯୬୩)ର ମୁଖବନ୍ଧରେ ସେ ଠାଏ ଲେଖିଚନ୍ତି (ଅବିକଳ), “...ଜଗନ୍ନାଥେ ବଡ଼ଠାକୁରେ ଦୁହେଁ କାଂଚୀଯୁଦ୍ଧରେ ପୁରୁଷୋତ୍ତମ ଦେବଙ୍କ ସଂଗରେ ଯାଇ କାଂଚୀଯୁଦ୍ଧ ଜିଣାଇବା । ଜଗମୋହନରେ ଏଇ ଗଳ୍ପଟିର ଗୋଟିଏ ସୁନ୍ଦର କାଂଥଚିତ୍ର ଅଛି । ତାକୁ ଏବେ ମଧ୍ୟ ପ୍ରତ୍ୟେକ ଜଗନ୍ନାଥ ଦର୍ଶକ ଦର୍ଶନ କରଂତି । ବଳରାମ ଦାସଂକ ‘ବଟ ଅବକାଶ’ରେ ଏଇ ଚିତ୍ର ଥିବା କଥା ମଧ୍ୟ ଲେଖା ଅଛି; କିନ୍ତୁ ପରେ ଅନୁସଂଧାନରୁ ଜଣାଯାଏ ଏ ଚିତ୍ର ବହୁ ପ୍ରାଚୀନ ଘଟଣାର ଗୋଟିଏ ସ୍ମୃତି ଛଡ଼ା ଆଉ କିଛି ନୁହେଁ । ଏହା କାଂଚୀକାବେରୀ ଯୁଦ୍ଧରେ ଜଗନ୍ନାଥ, ବଡ଼ଠାକୁରଂକ ରାଜସଂଗୀ ହେବା କଥା ନୁହେଁ । ଏହାଠାରୁ ପ୍ରାୟ ହଜାରେ ବର୍ଷ ପୂର୍ବେ ‘ଆସିରିୟା’ ରଜାଂକ ସଂଗେ ଦେବତା ଯୁଦ୍ଧକୁ ଯାଉଥିବାର ପ୍ରମାଣ ମିଳେ । ଏଇ ସ୍ମୃତିର ଛାୟା ଏଥିରେ ପଡ଼ିଚି ।”
କାହିଁ କୋଉ ଯୁଗରୁ ଆମେ କାର୍ତ୍ତିକ ପୂର୍ଣ୍ଣିମାରେ ଓଡ଼ିଆ ସାଧବ ପୁଅର ବୋଇତ ଯାତ୍ରାକୁ ସ୍ମୃତି କରି ବଡ଼ିଭୋରରୁ ଉଠି ନଈପୋଖରୀରେ ଭସାଇଚାଲିଛୁଁ ରଙ୍ଗବେରଙ୍ଗୀ/କଦଳୀପଟୁଆ ଡଙ୍ଗା; ଅଥଚ କେବେଠୁ ଓଡ଼ିଆ ସାଧବଙ୍କ ଅଣ୍ଟା ଭାଙ୍ଗି ଅଣଓଡ଼ିଆ ବେପାରୀ ହିଁ ସାରା ଓଡ଼ିଶାରେ ଏ ଯାଏଁ ଜମାଇଚନ୍ତି ଆଧିପତ୍ୟ । ତେତିଶ କୋଟି ଦେବଦେବୀ, ଏପରିକି ସ୍ୱୟଂ ଜଗତର ନାଥ ଥାଉଥାଉ ଅଣଓଡ଼ିଆ ବାବା/ସ୍ୱାମୀ/ଆନନ୍ଦମାନଙ୍କ ଅତୀତର ମହିମା ଗାନ/ଭଜନକୀର୍ତ୍ତନରେ ବେଶୀ ଭାଗ ଓଡ଼ିଆ ବିତାଇଚାଲିଚୁଁ ସାରା ଜୀବନ (ଅବଶ୍ୟ ଏଇନା ଜଣେ ଓଡ଼ିଆ ଯୁବକ ପ୍ରବଚନ ଦେଉଦେଉ ‘ପ୍ରଭୁ’ ପାଲଟି ବାଣ୍ଟୁଚନ୍ତି ଆଶୀର୍ବାଦ, ଯାହାଙ୍କ ପାଦୁକା ବି ହେଲାଣି ପୂଜନ)!
ଅଣଓଡ଼ିଆମାନେ ସରଳ ଓଡ଼ିଆଙ୍କୁ ପ୍ରତ୍ୟକ୍ଷ/ପରୋକ୍ଷରେ ଯୁଗେଯୁଗେ  ବନାଇଆସିଚନ୍ତି ଅବୋଧ, ତା’ର ଉଦାହରଣ ଏମିତି ଖୋଜିଲେ ମିଳିବ ଢେର୍‍ । ତେବେ ପଡ଼ୋଶୀଙ୍କ କଥା ନ କହିଲେ ନ ଚଳେ, କାହିଁକିନା ସେମାନେ ହିଁ ଓଡ଼ିଆଙ୍କୁ ଭାଷାରକ୍ଷା ପାଇଁ ତତାଇଥିଲେ ଏକଦା ‘ଓଡ଼ିଆ ଏକ ଭାଷା ନୁହେଁ’ କହି; ଅଥଚ ତାଙ୍କ ଭାଷା ନୁହେଁ, ଓଡ଼ିଆ ହିଁ ପାଇଲା ଶାସ୍ତ୍ରୀୟ ମାନ୍ୟ । (ଅବଶ୍ୟ ସାଧାରଣ ଓଡ଼ିଆଙ୍କର ଏଥିରେ ଯାଏ କେତେ ଆସେ କେତେ? ତଥାପି ଶୋଚନୀୟ ଯେ ଏବେ ବି ପଣ୍ଡିତଙ୍କ ଭିତରେ ଅଙ୍କ ଛିଣ୍ଡୁନି, ଓଡ଼ିଆରେ କେତୋଟି ବର୍ଣ୍ଣ?) ତେବେ ଓଡ଼ିଆଙ୍କ ପ୍ରତି କ’ଣ ଏବେ ବଦଳିଲାଣି ସେମାନଙ୍କର ସେଇ ଅପରିଚ୍ଛନ୍ନ ଦୃଷ୍ଟିକୋଣ? ଷୋଡ଼ଶ ଶତାବ୍ଦୀରେ ଚୈତନ୍ୟଙ୍କ ପରେପରେ ଯେଉଁମାନେ କର୍ମସଂସ୍ଥାନ ଆଶାରେ ଆସିଥିଲେ ଓଡ଼ିଶାକୁ, ସେମାନେ ହିଁ ପରେ ହେଲେ ଏଇଠି ଜମିଦାର । ଊନବିଂଶ ଶତାବ୍ଦୀରେ ଏମାନେ ସାଜିଲେ ଇଂରେଜଙ୍କ ଏଜେଣ୍ଟ ଓ ବନିଗଲେ ମହକୁମାଗୁଡ଼ିକର କର୍ଣ୍ଣଧାର । ଖବରକାଗଜ ପ୍ରକାଶନ, ଉପନ୍ୟାସ/ନାଟକ ଲେଖାଠୁ ଆରମ୍ଭ କରି କଲେଜର କମିଶନର ପଦବୀ, ସବୁଠି ସେମାନଙ୍କ ‘ପ୍ରଥମ’ ଆଧିପତ୍ୟ । ଅବଶ୍ୟ ଏଥିରେ ଓଡ଼ିଆଙ୍କ ଥିଲା ସମ୍ମତି । କମ୍‍ ଶିକ୍ଷାଦୀକ୍ଷାପ୍ରାପ୍ତ/ଦାରିଦ୍ର୍ୟଗ୍ରସ୍ତ/ଦୀର୍ଘକାଳ ଧରି ନିର୍ଯାତିତ ଗୋଟିଏ ଜାତିପାଇଁ ସବୁକୁ ସହିନେବା ଛଡ଼ା ନଥିଲା ଭିନ୍ନ ଗତି । ଭାଗ୍ୟ ଭଲ, କେଇଜଣ ମନୀଷୀଙ୍କ ନିରବଚ୍ଛିନ୍ନ ପ୍ରଚେଷ୍ଟାରେ ଓଡ଼ିଶା ହେଲା ସ୍ୱତନ୍ତ୍ର ରାଜ୍ୟ, ହେଉପଛେ ବିଖଣ୍ଡିତ । ତେବେ ଏପର୍ଯ୍ୟନ୍ତ ଆମେ କ’ଣ ହୋଇପାରିଚୁ ବର୍ତ୍ତମାନମନସ୍କ/ଭବିଷ୍ୟଦ୍ରଷ୍ଟା/ଅତୀତ-ଅନାସକ୍ତ?
ଭାରତୀୟ/ଓଡ଼ିଆଙ୍କ ଏଇ ଅତୀତ-ପ୍ରବଣତା ଅବଶ୍ୟ ନୁହେଁ ଅହେତୁକ; କାହିଁକିନା  ଏହା ଆସିଚି ସଂକୀର୍ଣ୍ଣତାବୋଧ(ସଦ୍ୟ ଉଦାହରଣ: ଦେଶର ମାନବସମ୍ବଳ (ଶିକ୍ଷା)ମନ୍ତ୍ରୀଙ୍କ ଜ୍ୟୋତିଷ ପାଖରେ ହାତଦେଖା; ସାଂସଦଙ୍କ ସଂସଦରେ ବୟାନ, ଜ୍ୟୋତିଷ ବିଜ୍ଞାନଠୁ ବି ବଡ଼ ଶାସ୍ତ୍ର ଓ ହଜାରେ ବର୍ଷ ପୂର୍ବେ ଭାରତରେ ଜଣେ ଋଷି କରିଥିଲେ ପରମାଣୁ ପରୀକ୍ଷଣ; ବିଦେଶ ମନ୍ତ୍ରୀଙ୍କ ଗୀତାକୁ ‘ଜାତୀୟ ଗ୍ରନ୍ଥ’ ଘୋଷଣା କରିବାର ଅସାମ୍ବିଧାନିକ ଦାବି ଇତ୍ୟାଦି)ରୁ, ଯାହାର ସୃଷ୍ଟି ବର୍ତ୍ତମାନର ସଙ୍କଳ୍ପ ଓ ଭବିଷ୍ୟତର ଦୃଷ୍ଟି/ଦର୍ଶନ ଅଭାବରୁ । ଧ୍ୟାନଯୋଗ୍ୟ, ଯିଏ କହେ ସେ ଥିଲା ଧନୀ; ଏହାର ଅର୍ଥ ହେଉଛି ସେ ଏବେ ନିର୍ଧନ । ଯିଏ କହେ ଯେ ସେ ଥିଲା ବିଜ୍ଞ; ବର୍ତ୍ତମାନ ସେ ହୋଇଯାଇଛି ଅଜ୍ଞ । ଯିଏ କହେ ଯେ ସେ ଅତୀତରେ ଥିଲା ସମ୍ଭ୍ରାନ୍ତ, ଧରି ନେବାକୁ ହେବ ଏବେ ତା’ର ଆଉ ନାହିଁ ମୁଣ୍ଡ ଉପରେ ଛାତ! ଅଥଚ ଆମେ ଏଇଆ ହିଁ ତ କହିଆସିଚୁ ଦୀର୍ଘକାଳ! ଏହି କାରଣରୁ ଆମଠୁ ଦରିଦ୍ର ଦେଶ/ରାଜ୍ୟ ଆଜି କେହି ନାହିଁ ସମଗ୍ର ବିଶ୍ୱରେ; ଆମଠୁ ଅଧିକ ଅଶିକ୍ଷିତ/ଅବୈଜ୍ଞାନିକ/ରୋଗିଣା/ଦୁର୍ବଳମନା ବି କେହି ନାହାନ୍ତି ଅନ୍ୟ କୌଣସି ରାଷ୍ଟ୍ରରେ । ଆମେ କେବଳ କରିଚାଲିଚୁ ବର୍ତ୍ତମାନର ଉପେକ୍ଷା ଓ ଅତୀତର ଗୁଣଗାନ, ଯାହା  କେବଳ ବୃଦ୍ଧର ଲକ୍ଷଣ । ଦେଶର ଅଧାରୁ ଅଧିକ ଲୋକ ସିନା ଯୁବା (ଆଧୁନିକ ଭାଷାରେ ମାନବ ସମ୍ବଳ), କିନ୍ତୁ ସତେଯେମିତି ବୁଢ଼ା ହେଇଯାଇଛି ସେମାନଙ୍କ ମନ । ସେଇଥିପାଇଁ ମନ ଭିତରେ ନା ଅଛି ଭବିଷ୍ୟ ପ୍ରତି ଉନ୍ମୁଖତା ନା ଅଛି ବର୍ତ୍ତମାନର ଶ୍ରମ/ସାଧନା/ସମ୍ମାନ । କାବି୍ୟକ ଭାଷାରେ କହିଲେ ଆମ ଅବସ୍ଥା ‘ଅତୀତର ଧ୍ୟାନେ ହୋଇ ଏକତାନ, ଅତୀତକୁ ଯେହ୍ନେ ମଣେ ବର୍ତ୍ତମାନ’ (ମହେନ୍ଦ୍ରଗିରି: ରାଧାନାଥ) । ତାହା ଯେତେ ସ୍ୱର୍ଣ୍ଣିମ (ମନେରଖନ୍ତୁ ଏହା ସବୁବେଳେ ସ୍ୱର୍ଣ୍ଣିମ!) ହେଉପଛେ ଏ ସତ୍ୟକୁ ଆମେ ଭୁଲିଯାଉ ଯେ ଅତୀତ ସର୍ବଦା ଅଫେରନ୍ତା (‘ଏକମାତ୍ର କଥା ଯାହା ଈଶ୍ୱର ହେଲେ ବି କରିପାରନ୍ତି ନାଇଁ, ଘଟିଯାଇଚି ଯାହା ତାକୁ ଆଉ ବଦଳାଇ ପାରନ୍ତି ନାଇଁ’- ଆରିଷ୍ଟୋଟଲ: ଦ ନିକୋମେକିଆନ ଏଥିକ୍ସ ଅଫ୍‍ ଆରିଷ୍ଟୋଟଲ; ଅନୁବାଦ: ରବର୍ଟ ୱିଲିୟମ୍ସ); ଅଥଚ ଅତୀତକୁ ଫେରାଇବାର ଚେଷ୍ଟା ଅବ୍ୟାହତ । ଭାରତୀୟଙ୍କୁ ଅତୀତ-ଅଫିମ ଖୁଆଇ ଶୁଆଇ ପକାଇବାକୁ ବି କମ୍‍ କରିନି/କରୁନି ଉଦ୍ୟମ ଆମ ନେତୃତ୍ୱ (ରାଜନୀତି/ସାହିତ୍ୟ/ସଂସ୍କୃତି ପ୍ରତ୍ୟେକ କ୍ଷେତ୍ରର); ସେଇଥôରେ ହିଁ ହୋଇପାରୁଚି/ହୋଇପାରିବ ପୂରଣ ସେମାନଙ୍କ ନ୍ୟସ୍ତସ୍ୱାର୍ଥ ।
ହୁଏତ ଖରାପ କଥା ନୁହେଁ କିଛିଟା ସତ୍ୟ ଅତୀତ/ଇତିହାସର ଗଉରବ ଗାନ, ଯଦି ତାହା ଅବରୁଦ୍ଧ କରୁନି ମନୁଷ୍ୟର ଅଗ୍ରଗମନ । ଅତୀତ ଠିକ୍‍ ପଶ୍ଚାତ୍‍ ଦୃଶ୍ୟ ଦର୍ଶନ ପାଇଁ ଯାନରେ ଲାଗିଥିବା ଦର୍ପଣ ଭଳି, ଯାହାକୁ ଦେଖି କଳନା କରିହୁଏ ପଛ ରାସ୍ତାର ସ୍ଥିତି; ଅଥଚ କେହି ଯଦି ଆଗକୁ ନ ଦେଖି କେବଳ ସେଇ ଦର୍ପଣକୁ ହିଁ ଚାହିଁରହିଥାଏ ତେବେ ତା’ର ଭବିଷ୍ୟତ ନିଶ୍ଚୟ ଅନ୍ଧାର, କାହିଁକିନା ବର୍ତ୍ତମାନ ପାଇଁ ଦୁର୍ଘଟନା ସାର । ଅତୀ˜/ସ୍ମୃତି/ସ୍ମାରକୀ/ପ୍ରତୀକ ସବୁର କାମ କେବଳ ସେତିକି, ଯେତିକି ପଶ୍ଚାତ୍‍ଦର୍ଶନ-ଦର୍ପଣର । ଯୋଉମାନେ ତାକୁ ଭାବିନିଅନ୍ତି ସର୍ବସ୍ୱ, ସେମାନଙ୍କ ପାଇଁ ବନ୍ଦ ହେଇଯାଏ ଭବିଷ୍ୟର ଦ୍ୱାର ଓ ଆରମ୍ଭ ହୁଏ ପଶ୍ଚାତ୍‍ଗମନ; ୟା’କୁ ଭିନ୍ନ ଭାଷାରେ କେହିକେହି କହନ୍ତି ‘ଇତିହାସର ଚକ୍ର’ ।
ପ୍ରାୟତଃ କୁହାଯାଏ ଯେ ଅତୀ˜/ଇତିହାସ ମଣିଷକୁ ଶିକ୍ଷା ଦିଏ । ଅଥଚ ମନେହୁଏ ଇଏ କେବଳ ଏକ ଧାରଣା; କାହିଁକିନା ଅତୀତଠୁ ଯଦି ମନୁଷ୍ୟ ସତକୁ ସତ କିଛି ଶିଖୁଥାନ୍ତା, ତେବେ ସେ ବାରମ୍ବାର କରନ୍ତାନି ସେଇ ସମାନ ତ୍ରୁଟିବିଚୁ୍ୟତି; ତୁଚ୍ଛାଟାରେ ନିନ୍ଦୁ ନଥାନ୍ତା ନିୟତିକୁ; ହୁଅନ୍ତାନି ନିରନ୍ତର ବ୍ୟକ୍ତି-ବ୍ୟକ୍ତି, ଜାତି-ଜାତି, ସମ୍ପ୍ରଦାୟ-ସମ୍ପ୍ରଦାୟ, ଦେଶ-ଦେଶ ମଧ୍ୟରେ ହିଂସା/ଦଙ୍ଗା/ଯୁଦ୍ଧ; ଗତି ତା’ର ଚକ୍ରାକାର ନହେଇ ହୁଅନ୍ତା ଏକରୈଖିକ; ଅର୍ଥାତ ପଶ୍ଚାତ୍‍ଗମନ ନୁହେଁ, ‘ଚରୈବେତି ଚରୈବେତି’ (ଆଗକୁ ଚାଲ, ଆଗକୁ ଚାଲ; ଐତରେୟ ଉପନିଷଦ) ।
ଅତଏବ ଅତୀତର ପଶ୍ଚାତ୍‍ଦର୍ଶନ-ଦର୍ପଣ (ରିଅର୍‍ ଭିଉ ମିରର୍‍)କୁ ଦେଖିବାର ଅଛି ଯେତିକି, ସେତିକି ହିଁ ଦେଖିବା ହେଉ; ମନଗଢ଼ା ଅତୀତକୁ ମହିମାନ୍ୱିତ କରି ମିଛରେ ବୋଲା ନଯାଉ ମନବୋଧ ଗୀତ! ଛାଡ଼ିବାକୁ ହେବ ଭୂତପ୍ରେମ/ଦେଖିବାକୁ ହେବ ଅତୀତ ଓ ବର୍ତ୍ତମାନକୁ ନିର୍ମୋହ ଦୃଷ୍ଟିରେ, ଯଦି ସତକୁ ସତ ନିର୍ମାଣିବାର ଅଛି ଆଧୁନିକ ଭାରତର ଭବିଷ୍ୟତ । ବ୍ୟକ୍ତିଗତ ସ୍ମୃତି/ସ୍ମାରକ/ପ୍ରତୀକ ନଗଢ଼ି ଗଢ଼ାଯାଉ ପ୍ରଗତି/ଉନ୍ନତିର ବହୁବିଧ ସୌଧ ସାମୂହିକ, ଉଭୟ ଭୌତିକ/ଅଭୌତିକ । ମନୁଷ୍ୟ ଚାହୁଁ ନଚାହୁଁ, ତା’ ସହିତ ରହିଥାଏ ଐତିହ୍ୟ/ସଂସ୍କାର/ପ୍ରେରଣା ରୂପେ ଜରୁରୀ ଅତୀତ; ସେଥିପାଇଁ କେହି ଉଦ୍‍ବିଗ୍ନ ହେବାର, ଆନେ୍ଦାଳନ କରିବାର କି ସେସବୁକୁ ଆମ ଉପରେ ଲଦିଦେବାର ନାଇଁ ଆବଶ୍ୟକ । (ସମାପ୍ତ)
Next PostNewer Post Home

0 comments:

Post a Comment

ଏହି ବ୍ଲଗର ସମସ୍ତ ସାମଗ୍ରୀ ଲେଖକଙ୍କ ସର୍ବସ୍ବତ୍ତ୍ବ ସଂରକ୍ଷିତ. Powered by Blogger.