Showing posts with label ରାଜନୀତି. Show all posts
Showing posts with label ରାଜନୀତି. Show all posts

ଶାସନ ଓ ଶାସକ

Leave a Comment



ଅଶୋକ


ସଦାସର୍ବଦା ଲୋକଙ୍କ କଥାରେ ସରକାର କାହିଁକି ମୁଣ୍ଡ ପୂରାଇବ। ଜୀବନର ସବୁ କଥାରେ ସରକାର! ଯଦି ୨୦୪୭ର ମୋର ମିଶନ ପୂରଣ  ହେବ, ତା’ହେଲେ ମୁଁ ପ୍ରତ୍ୟେକଙ୍କ ଜୀବନରୁ ସରକାରକୁ ବାହାର କରିଦେବି। ସାଧାରଣ ମାନବୀୟ ଜୀବନରେ ସରକାର ଆଦୌ ରହିବା କଥା ନୁହଁ। ତାକୁ ନିଜ ଜୀବନ ବଞ୍ଚିବା ପାଇଁ ସ୍ବାଧୀନତା (ଖୁଲି ଛୁଟ୍‌) ରହିବା ଦରକାର। ନିଜ ସ୍ବପ୍ନକୁ ସାକାର କରିବା ଲାଗି ପୂରା ଆକାଶ ଖୋଲା ରହିବା ଆବଶ୍ୟକ। 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବକ୍ତୃତା(‘ଇଣ୍ଡିଆ ଟୁଡେ କନ୍‌କ୍ଲେଭ୍‌’, ୧୬ ମାର୍ଚ୍ଚ ୨୦୨୪)ର ଉପର ଉଦ୍ଧୃତିରୁ ‘ଯଦି ୨୦୪୭ର ମୋର ମିଶନ ପୂର୍ଣ୍ଣ ହେବ, ତା’ହେଲେ ମୁଁ ପ୍ରତ୍ୟେକଙ୍କ ଜୀବନରୁ ସରକାରକୁ ବାହାର କରିଦେବି’ କଥାଟିକୁ ଯଦି ଊହ୍ୟ ରଖାଯାଏ, ତେବେ ଏହା ଜଣେ ଶାସକର ଉକ୍ତି ନୁହେଁ, ବରଂ ମନେହେବ କୌଣସି ଦାର୍ଶନିକ ଅଥବା ରାଷ୍ଟ୍ରନୀତିବିଦ୍‌ଙ୍କ ବାଣୀ। ଦୀର୍ଘ ଦଶ ବର୍ଷର ଶାସନ ପରେ ବି ଜଣେ ଶାସକଙ୍କୁ ଲୋକଙ୍କ ଜୀବନରୁ ସରକାରକୁ ବାହାର କରିଦେବା ପାଇଁ ଆହୁରି ତେଇଶି ବର୍ଷ କାହିଁକି ପ୍ରତୀକ୍ଷା କରିବାକୁ ପଡ଼ିବ, ସେଇ ପ୍ରଶ୍ନ ହୁଏତ ଜଣକୁ କରିପାରେ ବ୍ୟତିବ୍ୟସ୍ତ; ସମାଲୋଚକ ୟାକୁ କ୍ଷମତା-ପିପାସୁର ବାଗାଡ଼ମ୍ବର ବୋଲି ମଧ୍ୟ କରିପାରନ୍ତି ଅଭିହିତ; କିନ୍ତୁ କଥାଟି ଯେତିକି ସହଜ ମନେହଉଚି ସେତିକି ସହଜ ନୁହେଁ ଆଦୌ। ଶାସିତ ଜୀବନରୁ ଶାସନ/ସରକାରକୁ ବାହାର କରିବା କ’ଣ ସମ୍ଭବ! କୌଣସି ରାଜା/ସମ୍ରାଟଙ୍କ ପରି ଆଜୀବନ କ୍ଷମତା-ସିଂହାସନରୁ ଓହ୍ଲାଇବାକୁ ଚାହୁଁ ନଥିବା ଶାସକ କ’ଣ ଶାସିତକୁ ଦେବ ସେତିକି ସ୍ବାଧୀନତା/ସ୍ବତନ୍ତ୍ରତା, ଯାହା ତାକୁ ଖୋଲା ଆକାଶରେ ଉଡ଼ିବାକୁ ଦେବ ନିର୍ବାଧ। ଏଭଳି ଅଛି କୋଉ ଶାସନତନ୍ତ୍ର, ଯାହା ଶାସିତ ପଛରେ ଗୋଡ଼ାଇବ ନାହିଁ; ତାକୁ ଆଇନକାନୁନ ଫାଶରେ ବାନ୍ଧିବ ନାହିଁ; ଜଗି ବସିବ ନାହିଁ ତା’ ଜୀବନର ପ୍ରତିଟି ମୁହୂର୍ତ୍ତ। ଆଧୁନିକ ବିଶ୍ବରେ ସର୍ବାଧିକ ଆଦୃତ ପ୍ରତିନିଧିମୂଳକ ଗଣତନ୍ତ୍ର, ଯାହା ‘ଗଣଙ୍କର, ଗଣଙ୍କ ଦ୍ବାରା, ଗଣଙ୍କ ପାଇଁ ଶାସନ’ (ଆବ୍ରାହମ୍‌ ଲିଙ୍କନ)? ଗଣ ଯଦି ହୋଇଥାଏ ଅଶିକ୍ଷିତ/ଅସାଧୁ/ଲାଞ୍ଚୁଆ ଏବଂ ତା’ ଦ୍ବାରା ବଛାଯାଇଥିବ ଶାସନର ପ୍ରତିନିଧି, ତା’ହେଲେ କିଭଳି ହେବ ସେଇ ଗଣତନ୍ତ୍ର(ତା’ ବି କ୍ଷମତାସୀନ ହେବାକୁ ୩୦ରୁ ୪୦ ଶତାଂଶ ମତ ଯଥେଷ୍ଟ)ର ସ୍ବରୂପ? କାର୍ଲାଇଲ (ଥମାସ୍‌) ତ କହନ୍ତି, ‘ଯେମିତି ଲୋକ ସେମିତି ଶାସନ’; ଅର୍ଥାତ୍‌ ଯେମିତି ଗଣ ସେମିତି ତନ୍ତ୍ର; ସେଥିରୁ ଲାଞ୍ଚୁଆ/ଧୂର୍ତ୍ତ/ଅସାଧୁଙ୍କ ତନ୍ତ୍ର ଜନ୍ମ ନେବା ଅବଧାରିତ! ଏଥିରୁ ଗୋଟିଏ କଥା ତ ଦିବାଲୋକ ପରି ସ୍ପଷ୍ଟ ଯେ ଗଣତନ୍ତ୍ରର ନିର୍ଦ୍ଧାରକ ଯେଉଁ ଗଣ, ତା ଉପରେ ଗଣତନ୍ତ୍ରର ଚରିତ୍ର ଗୋଟାପଣେ ନିର୍ଭରଶୀଳ। ଅତଏବ ଆପଣାର ପ୍ରତିନିଧିଙ୍କୁ ବାଛିବାର ଯୋଉ ଯୋଗାଡ଼ଯନ୍ତ୍ର (ନିର୍ବାଚନ), ସବୁଠୁ ଅଧିକ ତା’ର ମହତ୍ତ୍ବ; କାହିଁକି ନା ସେଇ ନିର୍ବାଚିତ ପ୍ରତିନିଧି ହିଁ ଗଣର ଶାସକ। ଏମିତିରେ ବିଦେଶୀ ହୁଅନ୍ତୁ କି ଦେଶୀ, କେହି ଜଣେ କାହାକୁ ଶାସନ କରିବ, ଏଇ ମୂଳ ବିଚାର ହିଁ ମନେହୁଏ ଅମାନବୀୟ; କାହିଁକି ନା ଶାସନ ମାନେ ହିଁ ମନୁଷ୍ୟର ପ୍ରାକୃତିକ ସ୍ବାଧୀନତାର ହନନ। ମନୁଷ୍ୟ ଆପେ ଶୃଙ୍ଖଳିତ ହୋଇପାରୁନି ବୋଲି ଦରକାର ହୋଇଚି ଶାସନ; ଆତ୍ମନିୟନ୍ତ୍ରିତ ହୋଇପାରୁନି ବୋଲି ଆବଶ୍ୟକ ପଡ଼ିଚି ବାହ୍ୟନିୟନ୍ତ୍ରଣ। ରାଜତନ୍ତ୍ରରେ ରାଜା/ସମ୍ରାଟ ଥିଲେ ଗଡ଼୍‌/ଈଶ୍ବରଙ୍କର ପ୍ରତିନିଧି; ତେଣୁ ସେ ପ୍ରଶ୍ନାତୀତ; କିନ୍ତୁ ଗଣତନ୍ତ୍ର କ’ଣ ତା’ଠୁ ବହୁତ ବେଶି ଭିନ୍ନ? ଗଣ ଅବଶ୍ୟ ମନୋନୀତ କରେ ପ୍ରତିନିଧି (ପ୍ରାୟତଃ ବାଧ୍ୟହୋଇ); କିନ୍ତୁ କେହି ଜଣେ କିଭଳି ଲକ୍ଷଲକ୍ଷ ଲୋକଙ୍କର ହୋଇପାରିବ ପ୍ରତିନିଧି; କିପରି କରିପାରିବ ପ୍ରତ୍ୟେକଙ୍କ ପ୍ରତିନିଧିତ୍ବ। ଇଏ ଏକ ଆପାତ ଅସମ୍ଭବ ବ୍ୟାପାର। ବ୍ୟକ୍ତିବିଶେଷ ସ୍ବୟଂ ନିଜର ହିଁ ହୋଇପାରିବ ପ୍ରତିନିଧି; ନଚେତ୍ ଅନ୍ୟସବୁ କେବଳ କପଟାଚାର। 

ସମ୍ଭବତଃ ଏଇ କାରଣରୁ ସକ୍ରେଟିସ୍‌ଙ୍କ ସମୟର ଗଣତନ୍ତ୍ର ପରୋକ୍ଷ ନୁହେଁ, ଥିଲା ପ୍ରତ୍ୟକ୍ଷ। ପ୍ରତ୍ୟକ୍ଷ ଗଣତନ୍ତ୍ର (ଡାଇରେକ୍ଟ ଡେମୋକ୍ରେସି) ଅର୍ଥ ସମାଜର ପ୍ରତ୍ୟେକ ବ୍ୟକ୍ତି/ନାଗରିକ ଶାସନ/ନିଷ୍ପତ୍ତି ଗ୍ରହଣ​‌େ​‌ର ସିଧାସଳଖ ଅଂଶୀଦାର; ତା’ କଥା କହିବା ପାଇଁ ଲୋଡ଼ାନାହିଁ କେହି ପ୍ରତିନିଧି ବା ମଧ୍ୟସ୍ଥ। ଯୋଉଠି ମଧ୍ୟସ୍ଥତା, ସେଇଠି ଭ୍ରଷ୍ଟାଚାର ଅବଶ୍ୟମ୍ଭାବୀ। ମଧ୍ୟସ୍ଥ ଭ୍ରଷ୍ଟାଚାରୀ ହେବା ଅବଧାରିତ; କାରଣ ମୂଳ ଢାଞ୍ଚା ହିଁ ଭ୍ରଷ୍ଟ; ଅତଏବ ଏଥେନ୍ସରେ ଥିଲା ଯୋଉ ପ୍ରତ୍ୟକ୍ଷ ଗଣତନ୍ତ୍ର ତାହା ପ୍ରକୃତ ଗଣତନ୍ତ୍ର। ପରୋକ୍ଷ ଗଣତନ୍ତ୍ର ବାସ୍ତବରେ ଗଣ/ଲୋକଙ୍କ ତନ୍ତ୍ର ନୁହେଁ; କାହିଁକି ନା ସେଥିରେ କେବଳ ମଧ୍ୟସ୍ଥ ପ୍ରତିନିଧି ଓ ମଧ୍ୟସ୍ଥତା ପ୍ରତିନିଧିତ୍ବ; ଲୋକଙ୍କ ଭୂମିକା ସେଇଠି ମତଦାନରେ ସୀମିତ; ଅର୍ଥାତ୍‌ ନାମକୁ ମାତ୍ର। ଜଣେ ପ୍ରତିନିଧି ଲକ୍ଷଲକ୍ଷ ଲୋକଙ୍କ ମନକଥା/ଚିନ୍ତା/ସମସ୍ୟାକୁ ଉପସ୍ଥାପିତ କରିବା ଅସମ୍ଭବ; ଅତଏବ ପ୍ରତିନିଧିଟିଏ କେବଳ ନିଜର ହିଁ କରିଥାଏ ପ୍ରତିନିଧିତ୍ବ। ଅନ୍ୟ ଶବ୍ଦରେ କହିଲେ ତାହା ଗଣତନ୍ତ୍ର ନୁହେଁ, ଜଣତନ୍ତ୍ର; କାହିଁକି ନା ଏଇ ‘ଜଣ’ ହିଁ ତ ପ୍ରତିନିଧି/ଶାସକ। ନିଜେ ପଛେ ହେଇଥାଉ ଅର୍ଦ୍ଧଶିକ୍ଷିତ/ଦୁର୍ନୀତିଗ୍ରସ୍ତ/ନିର୍ବୋଧ; ସେ କିନ୍ତୁ ନିର୍ଦ୍ଧାରଣ  କରେ କୋଟିକୋଟି ମନୁଷ୍ୟଙ୍କ ପାଇଁ ନୀତିନିୟମ; ସେମାନଙ୍କ ଜୀବନଧାରଣର ସାମାଜିକ/ସାଂସ୍କୃତିକ/ଆର୍ଥନୀତିକ ଏପରି କି ନୈତିକ ବିଧିବିଧାନ; ଅର୍ଥାତ୍‌ ତାଙ୍କର ଭାଗ୍ୟଭବିତବ୍ୟ। ଆଜି କେବଳ ସମାଜ ନୁହେଁ, ବ୍ୟକ୍ତିଜୀବନର ଛତ୍ରେଛତ୍ରେ ଶାସନ/ଶାସକ ଉପସ୍ଥିତ; କେବଳ ଉପସ୍ଥିତ ନୁହେଁ, ଅକ୍ଟୋପସ୍‌ର ବାହୁ ସମ ଚତୁର୍ଦିଗରୁ ଦୃଢ଼  ଓତପ୍ରୋତ। ଶାସନର ଆଧିକ୍ୟ ଏତେ ଯେ ଅନ୍ୟାୟ/ଅନୀତି/ଅଧୀନତା/ଆଧିପତ୍ୟ ବି ତା’ପାଇଁ ହୋଇପଡ଼ିଚି ପ୍ରଶ୍ନାତୀତ। 

ଅଥଚ ଶାସନ ତ ଏପରି ହେବା ଉଚିତ ଯେ ଲୋକଙ୍କୁ ଜଣାପଡ଼ିବା କଥା ନୁହେଁ କୋଉଠି ତା’ର ଅସ୍ତିତ୍ବ! ସରକାର ଏପରି ହେବା ଉଚିତ ଯେ ତାହା ଥିଲେ ବି ନଥିଲା ପରି ହଉଥିବ ପ୍ରତୀତ। ଶାସନ, ଛକରେ ଠିଆହୋଇ ଟ୍ରାଫିକ୍ ନିୟନ୍ତ୍ରକ ସେଇ ପୁଲିସ ପରି ହେବା ଦରକାର, ଯିଏ ସବୁଜ ସଙ୍କେତ ଦେଖି ଠିକରେ ଯାଉଥିବା ଲୋକଙ୍କୁ ଆଦୌ ବାଧା ଦିଏ ନାହିଁ; ଯିଏ ନାଲି ସଙ୍କେତ ନମାନି ଡେଇଁଯିବାର ଆସ୍ପର୍ଦ୍ଧା କରେ, ଅର୍ଥାତ ଅନ୍ୟର ସ୍ବାଧୀନତା/ସ୍ବତନ୍ତ୍ରତା ଉପରେ ବାଧା ପହଞ୍ଚାଏ ସେତେବେଳେ ହିଁ ତା’ର ହସ୍ତକ୍ଷେପ ଲୋଡ଼ା। ଲୋକେ ଯଦି ଅନ୍ୟର ସ୍ବାଧୀନତା ଉପରେ ବାଧା ସୃଷ୍ଟି କରୁନାହାନ୍ତି, ସେଇଠି ଶାସନ/ସରକାରର କିଛି କାମ ନାହିଁ; ସେତେବେଳେ ତା’ର ନିଷ୍କ୍ରିୟତା ହିଁ କାମ୍ୟ; କାହିଁକି ନା ସକ୍ରିୟତା ଅର୍ଥ ଲୋକଙ୍କ ସ୍ବାଧୀନତାର ହନନ। ଚୀନର ଦାର୍ଶନିକ/ସନ୍ଥ ଲାଓଜି/ ଲାଓ ତ୍‌ସେ (କୁହାଯାଏ ସେ ଗୌତମ ବୁଦ୍ଧଙ୍କ ସମକାଳୀନ) ଯାହାକୁ କହିଚନ୍ତି, ‘ଉ ୱେଇ’; ଆକ୍ଷରିକ ଅର୍ଥରେ ନିଷ୍କର୍ମ/ନିଷ୍କ୍ରିୟତା। ଭାରତୀୟ ଦର୍ଶନରେ ଏହାକୁ କୁହାଯାଇଚି ‘ଅକର୍ମ’। (ଶ୍ରୀମଦ୍‌ ଭଗବଦ୍ ଗୀତାର ଗୋଟିଏ ଶ୍ଳୋକ ଏହିପରି: କର୍ମଣୋ ହ୍ୟପି ବୋଦ୍ଧବ୍ୟଂ ବୋଦ୍ଧବ୍ୟଂ ଚ ବିକର୍ମଣ। ଅକର୍ମଣଶ୍ଚ ବୋଦ୍ଧବ୍ୟଂ ଗହନା କର୍ମଣୋ ଗତି।।୪.୧୭।। ଅର୍ଥାତ କର୍ମ, ଅକର୍ମ ତଥା ବିକର୍ମର ତତ୍ତ୍ବ ଜାଣିବା ଦରକାର, କାହିଁକି ନା କର୍ମର ଗତି ଅତି ଗହନ। ଅତଏବ ସ୍ବରୂପ ଦୃଷ୍ଟିରୁ କର୍ମ ତିନି ପ୍ରକାର: କର୍ମ, ଅକର୍ମ ଓ ବିକର୍ମ। ସକାମ ଭାବରେ କରାଯାଇଥିବା ଶାସ୍ତ୍ରବିହିତ କ୍ରିୟା ହେଲା କର୍ମ; ଫଳେଚ୍ଛା, ମମତା ଓ ଆସକ୍ତି ରହିତ ହୋଇ କେବଳ ଅନ୍ୟର ହିତ ପାଇଁ କରାଯାଉଥିବା କର୍ମ ହେଲା ଅକର୍ମ ଏବଂ ବିହିତ କର୍ମ ମଧ୍ୟ ଯଦି ଆସକ୍ତ ହୋଇ ଅନ୍ୟର ହିତ ବା ଦୁଃଖ ପହଞ୍ଚାଇବା ଭାବନାରେ କରାଯାଏ, ତାହା ବିକର୍ମ; ନିଷିଦ୍ଧ କର୍ମ ତ ବିକର୍ମ ହିଁ। ଅଷ୍ଟାଦଶ ଶ୍ଳୋକରେ ଏହାକୁ କୁହାଯାଇଚି, ‘ଅକର୍ମଣି ଚ କର୍ମ ଯଃ’।) ଅକର୍ମ ହିଁ ଶ୍ରେଷ୍ଠକର୍ମ। ତେଣୁ ଶାସନର ଆଧିକ୍ୟ ସବୁ ବିକୃତି/ବିଭ୍ରାଟର ମୂଳ। ଶାସନର ଅକର୍ମ କାମ୍ୟ। ବ୍ୟକ୍ତି, ରାଜ୍ୟ (ରାଷ୍ଟ୍ର) ଓ ପ୍ରକୃତିର ଅନ୍ତଃସମ୍ବନ୍ଧ ସମ୍ପର୍କରେ ବିଚାର ଉପସ୍ଥାପନ କରି ଲାଓଜି ତାଙ୍କର ପ୍ରସିଦ୍ଧ ଗ୍ରନ୍ଥ ତାଓ ତେ ଚିଙ୍ଗ୍ (ପଥ ଓ ପୁଣ୍ୟର ପୁସ୍ତକ)ରେ ଯାହା ଉଲ୍ଲେଖ କରିଥିଲେ, ତା’ର ସାରାଂଶ ଏହିପରି ‘‘ତୁମେ ଯେତେ କଟକଣା/ପ୍ରତିବନ୍ଧକ ରଖିବ ମନୁଷ୍ୟ ସେତିକି ଅଧିକ ଦରିଦ୍ର ହେବ...ତୁମେ ଯେତେ ଅଧିକ ଆଇନକାନୁନ ପ୍ରଣୟନ କରିବ, ସେତିକି ଅଧିକ ଦସ୍ୟୁ/ଦୁର୍ବୃତ୍ତ ସୃଷ୍ଟି ହେବେ। ତେଣୁ ଜ୍ଞାନୀଶାସକ କହନ୍ତି: ମୋର ଅକର୍ମ ଜରିଆରେ ମନୁଷ୍ୟମାନେ ଆପେ ରୂପାନ୍ତରିତ ହେବେ; ମୋର ନିରବତା ମଧ୍ୟଦେଇ ମନୁଷ୍ୟମାନେ ସ୍ବତଃସ୍ଫୂର୍ତ୍ତ ଭାବେ ଶାନ୍ତ ହେବେ; ମୋର ଅଣହସ୍ତକ୍ଷେପ ଦ୍ବାରା ସ୍ବତଃ ସେମାନେ ଐଶ୍ବର୍ଯ୍ୟବାନ ହେବେ।’’ (ଅଧ୍ୟାୟ ୫୭)

ମନୁଷ୍ୟ ଜୀବନରେ ଶାସନ/ଶାସକ/ରାଷ୍ଟ୍ରର ହସ୍ତକ୍ଷେପ ଯେତେ କମ୍ ହେବ, ସେତିକି ​ଉତ୍ତମ; କାହିଁକି ନା, ତାହା ହିଁ ବ୍ୟକ୍ତି ସ୍ବାଧୀନତା/ସ୍ବତନ୍ତ୍ରତାକୁ ସୁରକ୍ଷିତ ରଖିବାର ଏକମାତ୍ର ବାଟ। ଲାଓଜିଙ୍କ ଶବ୍ଦରେ କହିଲେ, ‘ଏକ ମହାନ ରାଜ୍ୟ/ରାଷ୍ଟ୍ରରେ ଶାସନ ଏମିତି କରିବା ଉଚିତ ଯେମିତି ତୁମେ ଚୂନାମାଛ ରାନ୍ଧୁଚ!’ ଶାସନ/ଶାସକର ଭୂମିକା ସେତିକିରେ ହିଁ ସୀମିତ; ନଚେତ୍‌ ସାମାନ୍ୟ ଅଧିକ ଘାଣ୍ଟିଦେଲେ ଚୂନାମାଛ ସତ୍ତା ହରାଇବା ଭଳି ଲୋକଙ୍କ ଅବସ୍ଥା ବିପନ୍ନ ହେବା ସୁନିଶ୍ଚିତ। ସମାଜରେ ଦାରିଦ୍ର୍ୟ, କ୍ଷୁଧା, ଅଶିକ୍ଷା, ହିଂସା, ଘୃଣା, ଅସାଧୁତା ବ୍ୟାପିବାର କାରଣ ଖୋଜିଲେ କୋଉଠି ନା କୋଉଠି ତା’ର ସୂତ୍ର ଶାସନ/ଶାସକ (ରାଜନୀତି/ରାଜନେତା) ସହିତ ଯୋଡ଼ି ହୋଇଥାଏ। ଲୋକେ ସବୁକିଛି ସ୍ବୟଂ କରିବାକୁ ସକ୍ଷମ; ଅନ୍ତତଃ ଆନନ୍ଦରେ ବଞ୍ଚିବା ପାଇଁ ଯେତିକି ଆବଶ୍ୟକ, ସେତିକି ଉପାର୍ଜନ କରିବାକୁ ସେମାନେ ସମର୍ଥ; ଅଥଚ ଶାସନ ସେମାନଙ୍କର ପଥରୋଧ କରିବାକୁ ସଦାଉଦ୍ୟତ। ଲୋକସାଧାରଣ ପାଇଁ ତଥାକଥିତ ଉନ୍ନୟନ ତ ତୁଚ୍ଛା ପ୍ରତାରଣା; କାହିଁକି ନା ତା’ର ସିଂହଭାଗ ହିତାଧିକାରୀ ସେମାନେ ନୁହନ୍ତି, ବରଂ ଧନତନ୍ତ୍ରର ସଂବାହକ ଓ ସଂରକ୍ଷକ। ଗଣତନ୍ତ୍ର କେବଳ ମୁଖା, ଧନତନ୍ତ୍ର ହିଁ ମୁଖ ଅର୍ଥାତ୍‌ ଗଣତନ୍ତ୍ରର ଅସଲ ଚାଳିକା ଶକ୍ତି, ଯାହା ଏବେ ଦିଶୁଚି ଜଳଜଳ (ନିର୍ବାଚନୀ ବଣ୍ଡ୍‌ ତା’ର ଏକ କ୍ଷୁଦ୍ର ଅଂଶ)। ଏହା ଆଉ ଅସ୍ପଷ୍ଟ ନୁହେଁ ଯେ ଶାସନର ପରିଚାଳକ/ଶାସକବର୍ଗ ଗଣ ନୁହେଁ, ଧନତନ୍ତ୍ର ପକ୍ଷର ହିଁ ମଧ୍ୟସ୍ଥ/ପ୍ରତିନିଧି, ଯାହାଙ୍କୁ ନେଇ ଗଣ ହୁଏନି କମ୍‌ ଗର୍ବିତ ଓ ଗୌରବାନ୍ବିତ! ସମ୍ବିଧାନର ଅଭୀଷ୍ଟ ଆଦର୍ଶ ସମାଜତନ୍ତ୍ର ହେଲେ ସୁଦ୍ଧା ଧନତନ୍ତ୍ର ଯୋଉ ଶାସନ ବ୍ୟବସ୍ଥାର ନିୟନ୍ତ୍ରକ, ତାହା କଦାପି ହୋଇପାରେନା ଗଣ/ଲୋକଙ୍କ ତନ୍ତ୍ର। ଏଇ କାରଣରୁ ଆଧୁନିକ ବିଶ୍ବରେ ଧନତନ୍ତ୍ରର ଅନ୍ୟତମ ପ୍ରମୁଖ ପ୍ରବକ୍ତା ଏଲନ ମସ୍କ କହିଥିବା ଏ କଥାକୁ ସହଜରେ ଏଡ଼ାଇ ଦେଇ ହୁଏନାହିଁ ​‌ଯେ, ‘‘କିଛି ଲୋକ କର୍ପୋରେସନ ବିରୋଧରେ, କିନ୍ତୁ ସରକାର ସପକ୍ଷରେ ଅଛନ୍ତି।...ସରକାର ତ ସୀମା ମଧ୍ୟରେ ଏକ କର୍ପୋରେସନ ମାତ୍ର। ବାସ୍ତବରେ ଏହା ବୃହତ୍ତମ କର୍ପୋରେସନ ଏବଂ ହିଂସା ଉପରେ ଏହାର ଏକାଧିପତ୍ୟ। ତେଣୁ ଆପଣ ଯଦି କର୍ପୋରେସନକୁ ପସନ୍ଦ କରନ୍ତିନି ତେବେ ବାସ୍ତବରେ ଆପଣ ସରକାରକୁ ଘୃଣା କରିବା ଉଚିତ।’’ (ଦର୍ଶନୀୟ: ସାକ୍ଷାତ୍‌କାର ‘ଦି ବି ୱାର୍ଡ’; ୨୧ ଜୁଲାଇ ୨୦୨୧; ୟୁଟ୍ୟୁବ୍‌) ମୂଳ ପ୍ରଶ୍ନ ତ ଏଇଆ ଯେ କର୍ପୋରେସନ (ଶାସନ)/ କର୍ପୋରେଟ୍‌ (ଶାସକ) ଆପଣଙ୍କ ଜୀବନରୁ କେତେ/କିଭଳି ଆପେ ନିଜକୁ ବାହାର କରିନେବ? ଆପଣ ତାକୁ କ’ଣ ନିଜ ଜୀବନରୁ ବହିଷ୍କାର କରିବାକୁ ଚାହିଁବେ ବା କରିପାରିବେ?

(‘ସମାଜ’ରେ ୨.୪.୨୦୨୪ରେ ପ୍ରକାଶିତ)
Read More

ଯୁଦ୍ଧଭୂମିର ଅନ୍ତିମ ଇଚ୍ଛାପତ୍ର

1 comment


‘ଆଜି ବିଶ୍ରାମ ଓ ଶାନ୍ତି ପାଇଁ ସମୟ ନାହିଁ। ପାଲେଷ୍ଟିନୀୟଙ୍କ ରକ୍ତ ବୁହାଯାଇଛି। ଇସ୍ରାଏଲ ସହିତ ଶାନ୍ତି ଆଲୋଚନା ପାଇଁ କୌଣସି ସ୍ଥାନ ନାହିଁ। ଯଦି ସେମାନେ ନିଜକୁ ହମାସ୍‌ର କ୍ଷେପଣାସ୍ତ୍ର ଆକ୍ରମଣରୁ ନିଜକୁ ବଞ୍ଚାଇବାକୁ ଚାହାନ୍ତି, ତେବେ ସେମାନଙ୍କୁ ଇସ୍ରାଏଲ୍‌ର ପ୍ରତ୍ୟେକ ଘରେ ଗୋଟିଏ ଗୋଟିଏ ଆଇରନ୍‌ ଡୋମ୍‌ ଲଗାଇବାକୁ ପଡ଼ିବ’।


ଗାଜାପଟିରେ ଇସ୍ରାଏଲ୍‌ର ରକେଟ୍‌ ଆକ୍ରମଣ ପରେ ୧୪ ଅଗଷ୍ଟ ୨୦୧୪ରେ ସନ୍ତ୍ରାସବାଦୀ ସଂଗଠନ ହମାସ୍‌ର ମୁଖପାତ୍ର ଫଓଜି ବାର୍‌ହୋମ୍ ଦେଇଥିଲା ଏ ଚେତାବନୀ। ଏହାର ଆଠ ବର୍ଷ ପରେ ଅକ୍ଟୋବର ୭ରେ ହମାସ୍‌ ଇସ୍ରାଏଲ୍‌ ଉପରେ ଆକ୍ରମଣ କରି ଯେଉଁ ଧନଜୀବନ କ୍ଷୟ କରିଚି (ଏକାବେଳକେ ୧୩ ଶହଙ୍କୁ ହତ୍ୟା ଓ ୨ ଶହଙ୍କୁ ପଣବନ୍ଦୀ), ତାହା ସେହି ଦେଶର ପ୍ରତିରକ୍ଷା ବ୍ୟବସ୍ଥାକୁ କେବଳ ବଡ଼ ଧକ୍କା ଦେଇନାହିଁ, ପୁଣିଥରେ ଦୋହଲାଇ ଦେଇଚି ଇହୁଦୀଙ୍କ ଅସ୍ତିତ୍ବ। ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ନାଜୀ ଜର୍ମାନୀରେ ଅତି ନୃଶଂସ ଭାବେ ବିଷାକ୍ତ ଗ୍ୟାସ୍‌ଭରା କୋଠରୀରେ ପୂରାଇ ଏବଂ ସାମୂହିକ ଭାବେ ଗୁଳି କରାଯାଇ ଯେଉଁ ଗଣସଂହାର (ହୋଲୋକଷ୍ଟ୍‌) ହୋଇଥିଲା, ତାହା ମାନବ ଇତିହାସର ଏକ କଳା ଅଧ୍ୟାୟ। ସେତେବେଳେ ପ୍ରାୟ ୬୦ ଲକ୍ଷ ଇହୁଦୀଙ୍କୁ ହତ୍ୟା କରାଯାଇଥିବାବେଳେ ଏଥରର ଘଟନାକୁ ଇସ୍ରାଏଲ୍‌ ସେହିପରି ଗଣହତ୍ୟାର ଦ୍ବିତୀୟ ଘଟନା ଭାବେ କରିଛି ଆଖ୍ୟାୟିତ। ହମାସ୍‌ ଯେଉଁଭଳି ଭାବେ କଲା ଅତର୍କିତ ଆକ୍ରମଣ, ତାହା ଆକସ୍ମିକ ହୋଇନଥିବ କଦାଚନ; ଅଥଚ ବିଶ୍ବର ସର୍ବାଧିକ ଦକ୍ଷ ବୋଲି ଖ୍ୟାତି ଅର୍ଜିଥିବା ଇସ୍ରାଏଲ୍‌ର ଗୁଇନ୍ଦା ସଂସ୍ଥା ‘ମୋସାଦ୍‌’ ବି ଖାଇଲା ଚକ୍‌ମା। ‘ବଳ ବା ଶକ୍ତି ଦ୍ବାରା ଶାନ୍ତି କିଣାଯାଏ; ଏହାକୁ ଦୁର୍ବଳତା ବା ଏକତରଫା ପଶ୍ଚାତ୍‌ଗମନ  ଦ୍ବାରା ନୁହେଁ’ ବୋଲି ବାହୁସ୍ଫୋଟ କରୁଥିବା ଇସ୍ରାଏଲ ସରକାରର ମୁଖିଆ ବେଞ୍ଜାମିନ୍‌ ନେତନ୍ୟାହୁଙ୍କୁ ମଧ୍ୟ ନିଜର ଦୁର୍ବଳତାକୁ ଚିହ୍ନାଇ ଦେଇଥିବ ଏ ମର୍ମାନ୍ତିକ ଓ ନିନ୍ଦନୀୟ ଘଟନା। 


ଏହା ନିଃସଂଶୟ ଯେ ଇସ୍ରାଏଲ୍‌ ଏକ କ୍ଷୁଦ୍ର ଦେଶ ହୋଇମଧ୍ୟ ସମଗ୍ର ବିଶ୍ବରେ ଅନେକ କ୍ଷେତ୍ରରେ ଦେଖାଇଚାଲିଚି ଯେଉଁ ପରାକ୍ରମ, ତା’ର ପଟାନ୍ତର ନାହିଁ; କିନ୍ତୁ ସନ୍ତ୍ରାସବାଦୀ ଭଳି ଅପଶକ୍ତି କେଉଁ ବାଟରେ କେତେବେଳେ କାହାର କ୍ଷତି କରିବ, ତା’ର ଠିକଣା ନାହିଁ, ଏ ଘଟନା ତା’ର ଏକ ଦୃଷ୍ଟାନ୍ତ। ଇସ୍ରାଏଲ୍‌ର ଅତ୍ୟାଧୁନିକ କ୍ଷେପଣାସ୍ତ୍ର ପ୍ରତିରୋଧୀ ବ୍ୟବସ୍ଥା ‘ଆଇରନ୍‌ ଡୋମ୍‌’ ବି ଏଥର ହମାସ୍‌ ​‌େ​‌କ୍ଷପଣାସ୍ତ୍ରକୁ ଅଟକାଇ ପାରିନାହିଁ। ତେବେ ୭ ଅକ୍ଟୋବର ପରେ ଯାହାସବୁ ଘଟିଚାଲିଚି, ତାହା ହେବାକୁ ଯାଉଚି ଇତିହାସର ଆଉ ଏକ କଳଙ୍କିତ ଅଧ୍ୟାୟ । ଇସ୍ରାଏଲ୍‌-ହମାସ୍‌ ସଂଘର୍ଷର ଗତି ଦିନକୁ ଦିନ ଯେତିକି ବିକଟ ​‌େ​‌ହଉଛି, ବଢ଼ିବଢ଼ି ଯାଉଚି ନିରୀହ/ନିର୍ଦୋଷ ମନୁଷ୍ୟମାନଙ୍କ ଆର୍ତ୍ତି। ଇସ୍ରାଏଲ୍‌ ଆକ୍ରମଣରେ ଏ ପର୍ଯ୍ୟନ୍ତ ୪ ହଜାରରୁ ଅଧିକ ପାଲେଷ୍ଟିନୀୟଙ୍କ ଜୀବନ ଗଲାଣି; ଯାହାଙ୍କ ମଧ୍ୟରୁ ୧୫୦୦ରୁ ଊର୍ଦ୍ଧ୍ବ ନିର୍ମାୟା ଶିଶୁ। ୨୦୦୭ରୁ ଗାଜାପଟିକୁ ନିଜ ନିୟନ୍ତ୍ରଣରେ ରଖିଥିବା ହମାସ୍‌ ସମଗ୍ର ପାଲେଷ୍ଟିନୀୟଙ୍କର ପ୍ରତିନିଧିତ୍ବ କରେ ନାହିଁ ବୋଲି ଆମେରିକା ସମେତ ସଭିଏଁ କହୁଥିଲେ/ଜାଣୁଥିଲେ ହେଁ ସମଗ୍ର ଗାଜାପଟିକୁ ଇସ୍ରାଏଲ୍‌ ପାଣି, ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ କରିବା ସହ ଖାଦ୍ୟ, ଔଷଧ ଆଦି ଅତ୍ୟାବଶ୍ୟକ ଦ୍ରବ୍ୟ ଯୋଗାଣକୁ ବନ୍ଦ  କରି ଚତୁର୍ଦିଗ ରାସ୍ତାକୁ କରିଦେଇଛି ଅବରୋଧ। ଫଳତଃ ଗାଜା ୪୦ କିଲୋମିଟରର ଏକ ମୁକ୍ତାକାଶ କାରାଗାର ପାଲଟିଯାଇଚି କହିଲେ ଭୁଲ୍‌ ହେବନାହିଁ, ଯେଉଁଠି ପ୍ରାୟ ୨୩ ଲକ୍ଷ ପାଲେଷ୍ଟିନୀୟଙ୍କୁ ଦୁର୍ବିସହ ଜୀବନ ବଞ୍ଚିବାକୁ ଛାଡ଼ି ଦିଆଯାଇଚି। ନେତନ୍ୟାହୁ ପଣ କରିଚନ୍ତି ଯେ ଯେପରି ହେଉ ହମାସ୍‌କୁ ଏଥର ନିର୍ମୂଳ କରିବେ; କିନ୍ତୁ ହମାସ୍‌କୁ ​‌େ​‌ସ ଖତମ୍‌ କରିବେ କ’ଣ, ଏବେ ପଡ଼ୋଶୀ ଲେବାନନ୍‌ର ମହାଦୁର୍ଦାନ୍ତ ସନ୍ତ୍ରାସବାଦୀ ସଂଗଠନ ହେଜ୍‌ବୋଲ୍ଲା ହମାସ୍‌ର ସାଥୀ ହୋଇ ଇସ୍ରାଏଲ୍‌ ସହ ଲଢ଼ିବା ଆରମ୍ଭ କରିଚି। ଅନ୍ୟପଟେ ପାଲେଷ୍ଟିନୀୟଙ୍କ ଅଧିକାର ଓ ସୁରକ୍ଷା ଆଳରେ ଏହି ସନ୍ତ୍ରାସବାଦୀ ସଂଗଠନକୁ ଇରାନ ଖୋଲାଖୋଲି ସମର୍ଥନ କରୁଥିବାରୁ ଇସ୍ରାଏଲ୍‌-ହମାସ୍‌ ସଂଘର୍ଷ ପ୍ରଲମ୍ବିତ ହେବାର ସମ୍ଭାବନା ଦିଶୁଚି। ଅବଶ୍ୟ ଇରାନ୍‌ ଓ ଆରବ ଦେଶସମୂହ ସହିତ ଇସ୍ରାଏଲ୍‌ର ଲଢ଼େଇ ନୂଆ ବା ପ୍ରଥମ ନୁହେଁ। ଆରବ ଦେଶ ଏକାଠି ଲଢ଼ିଲେ ମଧ୍ୟ ଇସ୍ରାଏଲ୍‌କୁ ଯୁଦ୍ଧରେ ପରାଜୟ କରିବା କଷ୍ଟକର, ଏହା ପୂର୍ବପ୍ରମାଣିତ। ପୁଣି ଆମେରିକା ଓ ବ୍ରିଟେନ ଭଳି ଦୁଇ ମହାଶକ୍ତି ଇସ୍ରାଏଲର ମିତ୍ରରାଷ୍ଟ୍ର। ଇତିମଧ୍ୟରେ ଆମେରିକୀୟ ରାଷ୍ଟ୍ରପତି ଜୋ ବାଇଡେନ ଓ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ଇସ୍ରାଏଲ୍‌ ଗସ୍ତ କରି ସବୁ ପ୍ରକାରର ସାହାଯ୍ୟ ସହାୟତା ଯୋଗାଇଦେବାକୁ ଦେଇଚନ୍ତି ନିର୍ଭର ପ୍ରତିଶ୍ରୁତି। ଆମେରିକା ପ୍ରେରଣ କରିଚି ତା’ର ଦୁର୍ଦ୍ଧର୍ଷ ଯୁଦ୍ଧପୋତ। ତେବେ ସବୁଠୁ ବଡ଼ ପ୍ରଶ୍ନ ହମାସ୍‌, ହେଜ୍‌ବୋଲ୍ଲା ଓ ଅନ୍ୟ ଆତଙ୍କବାଦୀ ସଂଗଠନକୁ ନିର୍ମୂଳ କରିବା ନାଁରେ ଇସ୍ରାଏଲ୍‌ ନିରୀହ ପାଲେଷ୍ଟିନୀୟଙ୍କ ଜୀବନକୁ ବିପନ୍ନ କରୁନାହିଁ କି? ଗାଜା ସହରସ୍ଥିତ ଅଲ୍‌-ଅହ୍‌ଲି ଆରବ ଚିକିତ୍ସାଳୟରେ ବିସ୍ଫୋରଣ ଏ ପ୍ରଶ୍ନକୁ କରିଚି ଅଧିକ ମଜଭୁତ। ଉଭୟ ପକ୍ଷ ଏହି ଯୁଦ୍ଧ ଅପରାଧକୁ ସ୍ବୀକାର କରୁନାହାନ୍ତି; ଅଥଚ ପାଞ୍ଚ ଶହ ନିରୀହ ଲୋକଙ୍କ ଏକାଥରକେ ଲିଭିଗଲା ଜୀବନଦୀପ ଅଭୟସ୍ଥାନ ଧରାଯାଉଥିବା ଚିକିତ୍ସାଳୟରେ। ଇସ୍ରାଏଲ୍‌ ଦାବି କରୁଚି ଯେ ପାଲେଷ୍ଟିନୀୟ ଇସ୍‌ଲାମିକ୍‌ ଜିହାଦ୍‌ (ପିଆଇଜେ) ନାମକ ଆଉ ଏକ ସନ୍ତ୍ରାସବାଦୀ ଗୋଷ୍ଠୀର ଏକ ଲକ୍ଷ୍ୟହୀନ କ୍ଷେପଣାସ୍ତ୍ର ପଡ଼ିବା ଦ୍ବାରା ଘଟିଚି ବିସ୍ଫୋରଣ; କିନ୍ତୁ ଘଟନାର ଅଳ୍ପସମୟ ଭିତରେ ସାମାଜିକ ଗଣମାଧ୍ୟମରେ ଇସ୍ରାଏଲ କର୍ତ୍ତୃପକ୍ଷଙ୍କ ବିବୃତି ଓ ତାକୁ ହଟାଇଦେବା ଭଳି ଘଟନା ଇସ୍ରାଏଲ୍‌ର ଦାବିକୁ କରିଚି ସଂଶୟାଚ୍ଛନ୍ନ। 


ଇତିମଧ୍ୟରେ ଇସ୍ରାଏଲ୍‌ ୱେଷ୍ଟବ୍ୟାଙ୍କ୍‌ (ଜୋର୍ଡାନ ନଦୀର ପଶ୍ଚିମ ଭାଗରେ ଥିବାରୁ ଏହିପରି ନାମିତ)ରେ ମଧ୍ୟ ଆକ୍ରମଣ କରି ଶତାଧିକ ପାଲେଷ୍ଟିନୀୟଙ୍କ ଜୀବନ ନେଲାଣି। ଏଠାରେ ୧୯୯୩ର ଓସ୍‌ଲୋ ଚୁକ୍ତି ପରେ ଅନ୍ତରୀଣ ସରକାର ଭାବେ ପାଲେଷ୍ଟାଇନ ପ୍ରାଧିକରଣ ଗଠିତ ହୋଇଥିଲା ଏବଂ ତାକୁ ୱେଷ୍ଟ୍‌ବ୍ୟାଙ୍କ ଓ ଗାଜାପଟିର କିଛି ଅଂଶରେ ସୀମିତ ସ୍ବଶାସନ ପାଇଁ ଅନୁମତି ମିଳିଥିଲା। ଏବେ ପ୍ରାଧିକରଣର ଅଧ୍ୟକ୍ଷ ଥିବା ମହମୁଦ ଆବ୍‌ବାସ ୨୦୦୫ରେ ଚାରିବର୍ଷ ପାଇଁ ନିର୍ବାଚିତ ହୋଇଥିଲେ ହେଁ ଏ ପର୍ଯ୍ୟନ୍ତ ଚଉକି ଛାଡ଼ୁନାହାନ୍ତି କି କରାଉନାହାନ୍ତି ନିର୍ବାଚନ; ତେଣୁ ପାଲେଷ୍ଟିନୀୟଙ୍କ ମଧ୍ୟରେ ନାହିଁ ଆଉ  ତାଙ୍କର ପୂର୍ବ ଲୋକପ୍ରିୟତା। ଏପରିକି ଏକ ସର୍ବେକ୍ଷଣ ଅନୁସାରେ ଅଧିକ ଲୋକ ତାଙ୍କ ଅପେକ୍ଷା ହମାସ୍‌ ମୁଖ୍ୟଙ୍କ ହାତରେ ଶାସନ ଭାର ଦେବାପାଇଁ ଉତ୍ସୁକ। ଏସବୁ ଦୃଷ୍ଟିରୁ ପାଲେଷ୍ଟିନୀୟଙ୍କ ପାଇଁ ବର୍ତ୍ତମାନ ଅତ୍ୟନ୍ତ କଠିନ ସମୟ। ଏଇନା ଇସ୍ରାଏଲ୍‌ର ଆକ୍ରମଣ ବିରୋଧରେ ଓ ପାଲେଷ୍ଟାଇନ ସପକ୍ଷରେ ଆରବ ଦେଶଗୁଡ଼ିକରେ ପ୍ରତିବାଦ ଶୋଭାଯାତ୍ରାମାନ ଆୟୋଜନ ହେଉଛି ସତ, କିନ୍ତୁ ଇସ୍ରାଏଲ୍‌ ସେଥିପ୍ରତି ଭ୍ରୂକ୍ଷେପ କରୁନାହିଁ ଓ ଆଗାମୀ ଦିନରେ ବି କରିବାର ସମ୍ଭାବନା ନାହିଁ। ସେ ଜାଣେ ଯେ ଆରବ ରାଷ୍ଟ୍ର ତା’ର ସେଭଳି କିଛି କ୍ଷତି କରିପାରିବେ ନାହିଁ। ଇସ୍ରାଏଲ୍‌ ଗାଜାର ଉତ୍ତର ଭାଗରୁ ଦକ୍ଷିଣ ଭାଗକୁ ପ୍ରାୟ ଦଶ ଲକ୍ଷ ଲୋକଙ୍କୁ ପଳାୟନ କରିବାକୁ ବାଧ୍ୟ କରିବା ପରେ ସେହି ଲୋକେ ଏବେ ସମ୍ପୂର୍ଣ୍ଣ ବାସ୍ତୁହରା; ପ୍ରତି ମୁହୂର୍ତ୍ତର ଅନିଶ୍ଚିତତା ସେମାନଙ୍କ ପାଇଁ ଆଣିଚି ଅସହଣୀୟ ଯନ୍ତ୍ରଣା। ପଡ଼ୋଶୀ ଇଜିପ୍ଟ ଓ ଜୋର୍ଡାନ ପାଲେଷ୍ଟାଇନ ପକ୍ଷରେ ବିବୃତି ଦେଉଥିଲେ ହେଁ ସେମାନଙ୍କୁ ଶରଣ ଦେବାକୁ ସ୍ପଷ୍ଟ କରିଦେଇଚନ୍ତି ମନା। ଏପରି ସ୍ଥିତିରେ କୁଆଡ଼େ ଯିବେ ପାଲେଷ୍ଟାଇନବାସୀ! ଲକ୍ଷ୍ୟଣୀୟ ଯେ ଇସ୍ରାଏଲ୍‌-ହମାସ୍‌ ସଂଘର୍ଷ କ୍ରମେ ଇସ୍ରାଏଲ୍‌-ପାଲେଷ୍ଟାଇନ ସଂଘର୍ଷ​‌େ​‌ର ପରିଣତ ହେଉଛି, ଯାହା ଭବିଷ୍ୟତର ଗତିପଥକୁ ଆହୁରି କଣ୍ଟକିତ କରିବାକୁ ଯଥେଷ୍ଟ। ଇତିହାସରେ ଏହାର ପ୍ରମାଣ ଦର୍ଶନୀୟ।


ଯେଉଁ ସମୟରେ ଏସିଆ-ଆଫ୍ରିକା ମହାଦେଶରେ ଔପନିବେଶିକ ଶାସନର ଅନ୍ତ ହେବାକୁ ଯାଉଥିଲା, ସେତେବେଳେ ବ୍ରିଟିଶ ଶାସିତ ପାଲେଷ୍ଟାଇନରେ ଇହୁଦୀଙ୍କୁ ଏକ ଉପନିବେଶ ନିର୍ମାଣର ଅନୁମତି ଦିଆଗଲା; ଯାହାର ନାଁ ରହିଲା ଇସ୍ରାଏଲ୍‌। ଯେଉଁଦିନ ଏ ନୂଆ ରାଷ୍ଟ୍ର ନିର୍ମାଣର ଘୋଷଣା ହେଲା, ସେହିଦିନ ହିଁ ପୋତି ଦିଆଗଲା ଯୁଦ୍ଧର ବୀଜ। ୧୯୪୮ରେ ସହସ୍ରାଧିକ ପାଲେଷ୍ଟିନୀୟଙ୍କୁ ସେମାନଙ୍କ ଭିଟାମାଟିରୁ ଘଉଡ଼ାଇ ଦିଆଗଲା, ଯେଉଁମାନେ ଜୋର୍ଡାନ, ଲେବାନନ, ସିରିୟା ଓ ମିଶର (ଇଜିପ୍ଟ) ଭଳି ପଡ଼ୋଶୀ ଦେଶରେ ଶରଣାର୍ଥୀ ଭାବେ ରହିବାକୁ ବାଧ୍ୟହେଲେ। କ୍ରମେ ଉଭୟଙ୍କ ମଧ୍ୟରେ ପ୍ରତିରୋଧ ଆନ୍ଦୋଳନ ଆରମ୍ଭ ହୋଇଗଲା। ପାଲେଷ୍ଟାଇନ ପକ୍ଷରେ ମିଶର ଓ ସିରିୟା ଥିବାବେଳେ ଇସ୍ରାଏଲ୍‌ ସହିତ ଥିଲେ ଆମେରିକା ଓ ପାଶ୍ଚାତ୍ୟ ରାଷ୍ଟ୍ର। ପ୍ରାୟ ଦୁଇ ଦଶନ୍ଧି ଧରି ଚାଲିଲା ଏ ଯୁଦ୍ଧ, ଯାହାର ଆମେରିକା-ସୋଭିଏତ୍‌ ଶୀତଳ ଯୁଦ୍ଧ ସହ ଦେଖାଯାଏ ସାମଞ୍ଜସ୍ୟ। ୧୯୬୭ରେ ଆଶ୍ଚର୍ଯ୍ୟଜନକ ଭାବେ ଆକ୍ରମଣ କରି ଇସ୍ରାଏଲ ଛଅ ଦିନ ଭିତରେ ଗାଜା ସମେତ ଜୋର୍ଡାନର ପଶ୍ଚିମ ତଟ, ସିରିୟାର ଗୋଲାନ ହାଇଟ୍ସ ଓ ମିଶରର ସିନାଇ ଦ୍ବୀପକୁ କରିନେଲା ଅକ୍ତିଆର। ୧୯୭୩ରେ ମିଶର ସେନା ଇସ୍ରାଏଲ ଉପରେ ଆକ୍ରମଣ କଲା ଏବଂ ୧୯୭୮ରେ ଏକ ଶାନ୍ତିଚୁକ୍ତିରେ ସିନାଇ ଦ୍ବୀପକୁ ମିଶରକୁ ଇସ୍ରାଏଲ୍‌ ଫେରାଇ ଦେଲା; କିନ୍ତୁ ଜେରୁଜେଲମ୍‌ ସମେତ ୱେଷ୍ଟ୍‌ବ୍ୟାଙ୍କ ଓ ଗାଜା ଉପରେ ଜାରି ରଖିଲା ନିୟନ୍ତ୍ରଣ। ଏହିପରି କ୍ରମେ ପାଲେଷ୍ଟାଇନ ହରାଇଲା ତା’ର ଅସଲ ସତ୍ତା। ପରେ ୟାସିର୍‌ ଆରାଫତଙ୍କ ନେତୃତ୍ବରେ ଏକ ମୁଖ୍ୟ ରାଜନୈତିକ ପ୍ରତିରୋଧୀ ସଂଗଠନ ଭାବେ ପାଲେଷ୍ଟାଇନ ମୁକ୍ତି ସଂଗଠନ(ପିଏଲ୍‌ଓ)ର ଘଟିଲା ଅଭ୍ୟୁଦୟ। 


ପିଏଲ୍‌ଓ ନେତୃତ୍ବରେ ହିଁ ପାଲେଷ୍ଟାଇନ ପ୍ରାଧିକରଣ ହୋଇଥିଲା ଗଠିତ, କିନ୍ତୁ ଏ ପର୍ଯ୍ୟନ୍ତ ତା’ର ଲକ୍ଷ୍ୟ ରହିଚି ଅପୂର୍ଣ୍ଣ; ସ୍ବାଧୀନ ପାଲେଷ୍ଟାଇନ ରାଷ୍ଟ୍ର ଏବେ ବି ସ୍ବପ୍ନ। ଏଥିପାଇଁ ଇସ୍ରାଏଲ୍‌ର ଜିଦ୍‌ ବେଶି ଦାୟୀ। ସଂଯୁକ୍ତ ରାଷ୍ଟ୍ର ଅନୁଯାୟୀ, ଜେରୁଜେଲମ୍‌ର ପଶ୍ଚିମ ଭାଗ ଇସ୍ରାଏଲ୍‌ର ଓ ପୂର୍ବ ଭାଗ ପାଲେଷ୍ଟାଇନର, କିନ୍ତୁ ଇସ୍ରାଏଲ୍‌ ସମଗ୍ର ଜେରୁଜେଲମ୍‌କୁ ଅକ୍ତିଆର କରି ତାକୁ ନିଜର ରାଜଧାନୀ ଦାବି କରିବା ସହ ସେଠାରେ ନିର୍ମାଣ କରିଚି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଆଦିଙ୍କ ନିବାସ ହର୍ମ୍ୟ। ସ୍ମରଣୀୟ ଯେ ଜେରୁଜେଲମ୍‌ ହେଉଚି ସେହି ସ୍ଥାନ, ଯେଉଁଠି ରହିଚି ଇହୁଦୀ, ଇସାଇ (ଖ୍ରୀଷ୍ଟିଆନ) ଓ ଇସ୍‌ଲାମ୍‌, ତିନି ଆବ୍ରାହମୀୟ ଧର୍ମାବଲମ୍ବୀଙ୍କ ପବିତ୍ର ପୀଠ। ଦ୍ବିତୀୟତଃ, ଜୋର୍ଡାନ ନଦୀର ପଶ୍ଚିମ ତଟରେ ଇସ୍ରାଏଲ ଦ୍ବାରା ଇହୁଦୀ ବସତି ସ୍ଥାପନ। ସଂଯୁକ୍ତ ରାଷ୍ଟ୍ର ଏହାକୁ ସ୍ପଷ୍ଟରୂପେ ବେଆଇନ ଘୋଷିତ କରିଥିଲେ ହେଁ ଦକ୍ଷିଣପନ୍ଥୀ ନେତନ୍ୟାହୁ ସରକାର ଏହାକୁ ଦେଇଚାଲିଚି ପ୍ରୋତ୍ସାହନ। ଏ ଅଞ୍ଚଳରେ ପାଲେଷ୍ଟିନୀୟ ଓ ଇହୁଦୀଙ୍କ ମଧ୍ୟରେ ସଂଘର୍ଷ ଏକ ନିତ୍ୟନୈମିତ୍ତିକ ଘଟନା। ତୃତୀୟତଃ, ପାଲେଷ୍ଟାଇନ ସ୍ବାଧୀନ ରାଷ୍ଟ୍ର ହେଲେ ମଧ୍ୟ ତାକୁ ସଂପୂର୍ଣ୍ଣ ସ୍ବାୟତ୍ତତା ବା ସାର୍ବଭୌମତ୍ବ ଦିଆଯିବ ନାହିଁ ବୋଲି ସ୍ପଷ୍ଟ କହିଚି ଇସ୍ରାଏଲ୍‌। ଅତଏବ ତଥାକଥିତ ‘ଟୁ-ନେସନ ଥିଓରି’ ଏଇଠି ମନେହେଉଚି ନିଷ୍ଫଳ।  ଅତୀତ ଅପରିବର୍ତ୍ତନୀୟ। ଏକଦା ନିଜର ଅସ୍ତିତ୍ବ ରକ୍ଷା ପାଇଁ ପ୍ରାଣପଣେ ସଂଘର୍ଷ କରୁଥିବା ଇସ୍ରାଏଲ୍‌ ପାଲେଷ୍ଟାଇନର ଅଧିକାଂଶ ଭାଗକୁ କବ୍‌ଜା କରି ଗିଳିଦେବାକୁ ବସିଚି ଗୋଟାପଣେ। ସତେଯେମିତି ‘ଜୋର୍‌ ଯା’ର୍‌ ମୁଲକ ତାର’ କଥାଟି ଇସ୍ରାଏଲ୍‌ ପକ୍ଷରେ ହୋଇଛି ସତ୍ୟ ସାବ୍ୟସ୍ତ। ଏପରିକି ପାଲେଷ୍ଟିନୀୟଙ୍କ ରାଜନୈତିକ ଅସ୍ତିତ୍ବକୁ ମଧ୍ୟ ଇସ୍ରାଏଲ୍‌ ଦିଏ ନାହିଁ ସ୍ବୀକୃତି! ସବୁଠୁ ବଡ଼ ପ୍ରଶ୍ନ, ହମାସ୍‌କୁ ନିର୍ମୂଳ କରିବା ସହଜ ନହେଲେ ହେଁ ଯଦିବା ଧରାଯାଏ ଯେ ତାହା ବାସ୍ତବ ରୂପ ନେବ, ତେବେ ତା’ପରେ କିଏ ହେବ ଗାଜାର ଶାସନକର୍ତ୍ତା ଏବଂ କ’ଣ ହେବ ଯୁଦ୍ଧ ପରବର୍ତ୍ତୀ ଯୋଜନା? 


ସ୍ମରଣରେ ରହୁ ଯେ ୨୦୦୧ ସନ୍ତ୍ରାସବାଦୀ ଆକ୍ରମଣ ପରେ ଆମେରିକା ଆଫଗାନିସ୍ତାନ ଓ ଇରାକ୍‌ରେ ରଚିଲା ଯୁଦ୍ଧ ବିଭୀଷିକା। ଲକ୍ଷ୍ୟ ଥିଲା, ତାଲିବାନ ଓ ଅଲ୍‌-କାଏଦାକୁ ନିର୍ମୂଳ କରିବା ଏବଂ ସେହି ଛଳରେ ସଦ୍ଦାମ ହୁସେନ ଶାସନର ପତନ। ଦୁଇ ଦଶନ୍ଧି ପରେ ଦେଖାଗଲା ଯେ କେବଳ ତାଲିବାନ କାବୁଲ୍‌ ଶାସନକୁ ହାତେଇ ନାହିଁ, ଇରାକ୍‌ ମଧ୍ୟ ଚାଲିଯାଇଛି ଇରାନର ଛାୟା ପ୍ରତିନିଧିଙ୍କ ହାତକୁ, ଯାହା ମନେହେଉଛି ଆହୁରି ବେଶି ଘାତକ। ହମାସ୍‌ ଆକ୍ରମଣ ଓ ଇସ୍ରାଏଲ୍‌ର ପ୍ରତିଆକ୍ରମଣର ତତ୍କାଳ ପ୍ରଭାବ ଯାହା ଉପରେ ପଡ଼ିବ, ତାହା ହେଲା ଆବ୍ରାହମ୍‌ ଏକର୍ଡସ୍‌ ପିସ୍ ଏଗ୍ରିମେଣ୍ଟ ବା ଆରବ-ଇସ୍ରାଏଲ୍‌ ଶାନ୍ତି ଚୁକ୍ତି (୧୫ ସେପ୍ଟେମ୍ବର ୨୦୨୦), ଯେଉଁଥିରେ ବାହାରେନ୍, ୟୁଏଇ, ସୁଦାନ, ମରକ୍କୋ ସାମିଲ ଥିଲେ (ପୂର୍ବରୁ ଇଜିପ୍ଟ ଓ ଜୋର୍ଡାନ ସହ ଶାନ୍ତି ଚୁକ୍ତି ସରିଥିଲା) ଏବଂ ଏଥିରେ ନିକଟ ଭବିଷ୍ୟତରେ ସାଉଦି ଆରବ ଅନ୍ତର୍ଭୁକ୍ତ ହେବାର ଚାଲିଥିଲା ପ୍ରସ୍ତୁତି। ଏ ଚୁକ୍ତି​ରେ ଯେଉଁ ଆରବ ରାଷ୍ଟ୍ରସମୂହ ଓ ଇସ୍ରାଏଲ୍‌ ମଧ୍ୟରେ ଶାନ୍ତି ଓ ସ୍ବାଭାବିକ ସ୍ଥିତି କାମନା କରାଯାଇଥିଲା, ତାହା ଫଳପ୍ରସୂ ହେବାର ସମ୍ଭାବନା ଏବେ ସଂକଟଗ୍ରସ୍ତ। ବର୍ତ୍ତମାନ ଗାଜା ଓ ୱେଷ୍ଟ୍‌ବ୍ୟାଙ୍କ୍‌ ପାଇଁ ନୂତନ ଭାବେ ଉଭୟ ପକ୍ଷ ଚିନ୍ତା କରିବାର ସମୟ। ପିଠାକଳିରେ ତୃତୀୟର ଲାଭ ହେବା ଭଳି ଇସ୍ରାଏଲ୍‌-ହମାସ୍‌ ଲଢ଼େଇରେ ଅନ୍ୟମାନେ ଲାଭ ଉଠାଇବାର ମଉକା ଖୋଜିବାରେ ବ୍ୟସ୍ତ। ଇରାନ ‘ଆବ୍ରାହମ୍‌ ଏକର୍ଡ’କୁ ମୃତ ଘୋଷଣା କରିଥିବାବେଳେ ରୁଷିଆ ପାଇଁ ଏହା ସାବ୍ୟସ୍ତ ହୋଇଛି ବରଦାନ, କାରଣ ବିଶ୍ବସମୁଦାୟର ଦୃଷ୍ଟି ଏବେ ୟୁକ୍ରେନ୍‌ରୁ ଆସି ପହଞ୍ଚିଚି ମଧ୍ୟପୂର୍ବରେ। ଆମେରିକା ତା’ ଉପରେ ଇସ୍ରାଏଲ୍‌ର ନିର୍ଭରଶୀଳତାକୁ ବଢ଼ାଇବାକୁ ଚାହୁଁଚି ଏବଂ ସେଥିରେ ସଫଳ ହୋଇଚି। ମଧ୍ୟପ୍ରାଚ୍ୟରେ ଅସ୍ଥିରତା ଆଳରେ ମଧ୍ୟପ୍ରାଚ୍ୟରୁ ଏସିଆ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ନିଜର ସାଧନକୁ ପ୍ରେରଣ/ମୁତୟନ କରିବାକୁ ଚାହେଁ, ଯେପରିକି ତା’ର ଚିର ପ୍ରତିଦ୍ବନ୍ଦ୍ବୀ ଚୀନକୁ କରିପାରିବ ପ୍ରତିହତ। 


ଲାଗୁଚି କେବଳ ପାଲେଷ୍ଟାଇନ୍‌ବାସୀଙ୍କ ବ୍ୟତୀତ ସଭିଏଁ ହେବେ ଯୁଦ୍ଧବିଜୟୀ। ଗାଜାର ବିଦୀର୍ଣ୍ଣ ବସୁଧାରେ ବସି ହୟା ନାମ୍ନୀ କୁନିଝିଅଟି ଲେଖିଥିବା ଅନ୍ତିମ ଇଚ୍ଛାପତ୍ର (ଉଇଲ୍‌) ପଢ଼ିବାକୁ ବି କାହାର ନଥିବ ଫୁରସତ୍‌ (ଆରବ୍‌ ନେଟୱର୍କ ଫର୍‌ ଆର୍ଲି ଚାଇଲ୍‌ଡ଼ହୁଡ଼ ୱେବ୍‌ସାଇଟ୍‌ରେ ପ୍ରଦତ୍ତ), ଯେଉଁଥିରେ ସେ ସମ୍ଭାବ୍ୟ ମରଣ ପୂର୍ବରୁ ନିଜର ସାମାନ୍ୟ ସଞ୍ଚିତ ଅର୍ଥ, ପୋଷାକ ଓ ଜୋତାକୁ ଦାନ କରିବାକୁ କରିଚି ନିବେଦନ! ତଥାପି ବିଶ୍ବବାସୀଙ୍କୁ ଇସ୍ରାଏଲ୍‌ର ପକ୍ଷ ନେବାବେଳେ ବୁଝିବାକୁ ହିଁ ହେବ ଭୀତତ୍ରସ୍ତ ହୟାର ବେଦନା, ଯୁଦ୍ଧବିଧ୍ବସ୍ତ ଗାଜାର ଡାକ; ଯେଉଁଠି ଏବେ ପ୍ରତିଧ୍ବନିତ ହେଉଚି ପାଲେଷ୍ଟାଇନର ଜାତୀୟ କବି ମହମୁଦ ଦାରୱିଶ୍‌ଙ୍କ ଶବ୍ଦ ‘‘ମୋ ଜନ୍ମଭୂମି ଗୋଟାଏ ସୁଟ୍‌କେଶ୍‌ ନୁହଁ ଏବଂ ମୁଁ ନୁହେଁ ଜଣେ ପର୍ଯ୍ୟଟକ!’’ ଶାନ୍ତି ପାଇଁ ଯୁଦ୍ଧ କ’ଣ ଜରୁରୀ?

(‘ସମାଜ’ରେ ୨୨.୧୦.୨୩ରେ ପ୍ରକାଶିତ)

Read More

କୃତ୍ରିମ ମେଧାର ବାସ୍ତବ ବିପଦ

Leave a Comment



ଅଶୋକ


କୃତ୍ରିମ ମେଧା(ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ବା ଏଆଇ)କୁ ନେଇ ଏଇନା ସମଗ୍ର ବିଶ୍ବ ଯେତିକି ଆଶାନ୍ବିତ, ତତୋଧିକ ଆଶଙ୍କିତ। ଏହା ଅବଶ୍ୟ ଅହେତୁକ ନୁହେଁ। କୃତ୍ରିମ ମେଧା ଏପରି ଏକ ଅତ୍ୟାଧୁନିକ ପ୍ରଯୁକ୍ତି ଯାହା ତା’ର ପ୍ରାରମ୍ଭିକ ସୋପାନରେ ହିଁ ଯେଉଁଭଳି ଶକ୍ତି ଓ ଦକ୍ଷତା ହାସଲ କରିଚି, ତାହା କେବଳ ଅଭୂତପୂର୍ବ ନୁହେଁ, ବୈପ୍ଳବିକ। ସବୁଠୁ ଗୁରୁତ୍ବପୂର୍ଣ୍ଣ, ଏହା କେବଳ ଗୋଟିଏ କ୍ଷେତ୍ରରେ ସୀମିତ ରହିବ ନାହିଁ, ବରଂ ମାନବ ସଭ୍ୟତାର ପ୍ରତ୍ୟେକ କ୍ଷେତ୍ରକୁ ଏହା ପ୍ରଭାବିତ କରିବାର ସମ୍ଭାବନା ସୃଷ୍ଟି କରିଛି। ଅତଏବ ମନୁଷ୍ୟର ପେସାଠୁ ଆରମ୍ଭ କରି ଦୈନନ୍ଦିନ ଜୀବନଯାପନ ପର୍ଯ୍ୟନ୍ତ, ସବୁଠି ଏହା ତା’ର ଛାପ ଛାଡ଼ିବାକୁ ଉଦ୍ୟତ। କେବଳ ସେତିକି ନୁହେଁ, ବାସ୍ତବ ସୃଜନଶୀଳ ହୋଇନଥିଲେ ହେଁ ଏହା ବିଭିନ୍ନ ଉତ୍ସରୁ ଆହରଣ କରି କଳା, ସଂଗୀତ, ସାହିତ୍ୟ ଆଦି କ୍ଷେତ୍ରରେ ମଧ୍ୟ ଏହା ‘ସୃଜନ’ କରିବାରେ ସମର୍ଥ। ଏହି କାରଣରୁ ଏବେ ଏହାକୁ କେହିକେହି ମନୁଷ୍ୟର ପ୍ରତିଦ୍ବନ୍ଦ୍ବୀ ଭାବେ ଦେଖିବାକୁ ପଛାଉନାହାନ୍ତି। କୃତ୍ରିମ ମେଧାକୁ ନେଇ ଯେଉଁ ସବୁଠୁ ବଡ଼ ବାସ୍ତବ ଓ ତତ୍କାଳ ପ୍ରଭାବୀ ଆଶଙ୍କା ପ୍ରକାଶ ପାଇଚି, ତାହା ନିଯୁକ୍ତି/ରୋଜଗାରକୁ ନେଇ। ଶିଳ୍ପ କ୍ଷେତ୍ରରେ କୃତ୍ରିମ ମେଧା ପ୍ରଯୁକ୍ତି ଯେ ମନୁଷ୍ୟଠାରୁ ଅଧିକ ସାମର୍ଥ୍ୟବାନ/ଉତ୍ପାଦନଶୀଳ, ସେଥିରେ କୌଣସି ସନ୍ଦେହ ଥାଇନପାରେ, କାହିଁକିନା ଏହାର ‘ମେକାନିକାଲ୍‌’ ଶକ୍ତି ଅବିରତ ଓ ଅବାରିତ କାର୍ଯ୍ୟ କରିବାରେ ସକ୍ଷମ, ଯାହା ମନୁଷ୍ୟ ପକ୍ଷେ ଅସମ୍ଭବ। ଏହାର ଅର୍ଥ ଏହା ଶିଳ୍ପ/ଉଦ୍ୟୋଗ/ବ୍ୟବସାୟ/ଶିକ୍ଷା ଆଦି କ୍ଷେତ୍ରରେ ମନୁଷ୍ୟର ସ୍ଥାନ ନେବା ଆଶଙ୍କା ଆଦୌ ଅମୂଳକ ନୁହେଁ। ଏ ଧାରା ଆରମ୍ଭ ମଧ୍ୟ ହୋଇସାରିଚି; କିନ୍ତୁ ଏହା ଯେ ସବୁ କ୍ଷେତ୍ରରେ ମନୁଷ୍ୟ ବିକଳ୍ପ ହୋଇଯିବ, ତାହା ନୁହେଁ। ଏହା ଯଦି କିଛି ଲୋକଙ୍କ ଚାକିରି ବା ରୋଜଗାର ନେଇଯିବ, ବହୁ ଲୋକଙ୍କୁ ନୂଆ ରୋଜଗାର ମଧ୍ୟ ଯୋଗାଇଦେବ ବୋଲି ବିଶେଷଜ୍ଞଙ୍କ ମତ। ପ୍ରତ୍ୟେକ ନୂତନତା ଅନେକ କିଛିକୁ ପୁରାତନ କରିଦିଏ, ଏହା ଅବଧାରିତ। ପ୍ରଯୁକ୍ତି କ୍ଷେତ୍ରରେ ମଧ୍ୟ ଏହା ସତ୍ୟ, ବରଂ ଏହାର ପ୍ରବାହ ଏଇଠି ଅପେକ୍ଷାକୃତ ତୀବ୍ର। ସବୁଠୁ ବଡ଼କଥା, ଏହି ପ୍ରବାହରୁ କେହି ସହଜରେ ନିଜକୁ ମୁକ୍ତ କରିପାରି​‌େ​‌ବ ନାହିଁ ବା ଅଟକାଇ ପାରିବେ ନାହିଁ। କୃତ୍ରିମ ମେଧା ଯେ ଭବିଷ୍ୟତରେ ବୈପ୍ଳବିକ ବିବର୍ତ୍ତନ ଆଣିବାକୁ ଯାଉଚି, ଏହା ପ୍ରାୟ ନିଶ୍ଚିତ। 


ଏବେ କ୍ରମାଗତ କୃତ୍ରିମ ମେଧାର ଉପଯୋଗ ତୀବ୍ର ବୃଦ୍ଧି ପାଇବାରେ ଲାଗିଚି; ତେଣୁ ଏଥିରୁ ନୂଆନୂଅା ବିପଦ ମଧ୍ୟ ଆଗକୁ ଆମେ ଅବଶ୍ୟ ଦେଖିବାକୁ ପାଇବା। ଏପରିକି ଆମ ପାଇଁ ସେସବୁ ଅକଳ୍ପନୀୟ ଓ ଅଚିନ୍ତନୀୟ ମଧ୍ୟ ହୋଇପାରେ। ନିକଟରେ ଓଡ଼ିଶାର ଏକ ନିଉଜ୍‌ ଚ୍ୟାନେଲ୍‌ରେ କୃତ୍ରିମ ମେଧାସଂପନ୍ନ ଆଭାସି ଉପସ୍ଥାପିକା (ଲିସା) ଓଡ଼ିଆରେ ଖବର ପଢ଼ିବା ଖୁବ୍‌ ଚର୍ଚା ସୃଷ୍ଟି କରିଥିଲା। ଅବଶ୍ୟ ଆମ ଦେଶରେ ଏହା ପ୍ରଥମ ଥର ପାଇଁ ହୋଇନାହିଁ। ଏହାପୂର୍ବରୁ ଏକ ହିନ୍ଦୀ ଟିଭି ଚ୍ୟାନେଲ୍‌ ତା’ର ଏଆଇ ଉପସ୍ଥାପିକା(ସାନା)କୁ କାମରେ ଲଗାଇସାରିଛି। ପ୍ରକୃତରେ ଏଇନା ବହୁଳ ଲୋକପ୍ରିୟ କୃତ୍ରିମ ମେଧାଯୁକ୍ତ ଚାଟ୍‌ବଟ୍‌ ‘ଚାଟ୍‌ଜିପିଟି’ ସର୍ବସାଧାରଣଙ୍କ ପାଇଁ ଉପଲବ୍ଧ ହେବାର ପାଞ୍ଚବର୍ଷ ପୂର୍ବରୁ (୨୦୧୮) ଚୀନ (ଶିନ୍‌ହୁଆ ନିଉଜ୍‌ ଏଜେନ୍ସି) ତା’ ନିଜର କୃତ୍ରିମ ମେଧାସଂପନ୍ନ ଖବର ଉପସ୍ଥାପକ ପ୍ରସ୍ତୁତ କରି ଚହଳ ସୃଷ୍ଟି କରିଥିଲା। ଏବେ ବିଶ୍ବର ଅନେକ ଦେଶରେ ଏଆଇ ଉପସ୍ଥାପକ ଖବର ପଢ଼ୁଥିବା ଦେଖିବାକୁ ମିଳୁଚି; କିନ୍ତୁ ନକଲି/ମିଥ୍ୟା ସମ୍ବାଦର ଏଇ ଯୁଗରେ ଏଆଇ ଉପସ୍ଥାପକ ମୁହଁରୁ ଯେ ସର୍ବଦା ଠିକ୍‌/ସତ୍ୟ ଖବର ହିଁ ଶୁଣିବାକୁ/ଦେଖିବାକୁ ମିଳିବ, ତାହା ଅନିଶ୍ଚିତ। ୟା’ର ଉଦାହରଣ ବି ହେଲାଣି ଦୃଶ୍ୟମାନ। ଗତ ମାର୍ଚ (୨୦୨୩) ମାସରେ ଭେନେଜୁଏଲାର ସରକାରୀ ଟିଭି ଚ୍ୟାନେଲ୍‌ ଭିଟିଭିରେ ଦୁଇ ଇଂରେଜୀ ଭାଷୀ ଏଆଇ ଉପସ୍ଥାପକ (ନୋଆ ଓ ଡାରେନ୍‌) ‘ଅନ୍ୟ ଚ୍ୟାନେଲ୍‌ଗୁଡ଼ିକ ଯେପରି ଭେନେଜୁଏଲାର ଅର୍ଥନୀତି ବିପର୍ଯ୍ୟସ୍ତ ହୋଇଥିବା ଦର୍ଶାଉଛନ୍ତି, ତାହା ଠିକ୍‌ ନୁହେଁ’ ମର୍ମରେ ସରକାରଙ୍କ ପକ୍ଷରେ ଓକିଲାତି କରିବାକୁ ଚେଷ୍ଟା କରିଥିଲେ (ଭାରତର ଅଧିକାଂଶ ନିଉଜ୍‌ ଚ୍ୟାନେଲ୍‌ ଉପସ୍ଥାପକଙ୍କ ପାଇଁ ଅବଶ୍ୟ ଏହା ସାଧାରଣ କଥା!)। ବାସ୍ତବତା ଏହାର ଓଲଟା ଏବଂ ଭେନେଜୁଏଲାର ଅର୍ଥନୀତି ଏପରି ରସାତଳଗାମୀ ହୋଇସାରିଚି ଯେ ସେଠାରେ ଘୋର ଖାଦ୍ୟସଙ୍କଟ ଦେଖାଦେଲାଣି। ଏହା ଏକ ଭ୍ରମାତ୍ମକ ସୂଚନା (ପ୍ରୋପାଗଣ୍ଡା) ଥିଲା। ‘ସିନ୍ଥେସିଆ’ ନାମକ କମ୍ପାନୀ ଦ୍ବାରା ପ୍ରସ୍ତୁତ ଏଭଳି ଏଆଇ ଉପସ୍ଥାପକ ମାତ୍ର ୩୦ ଡଲାରରୁ କମ୍‌ ବ୍ୟୟରେ କ୍ରୟ କରାଯାଇପାରୁଚି! ସବୁଠୁ ଗୁରୁତ୍ବପୂର୍ଣ୍ଣ, ଏହି ଉପସ୍ଥାପକର ଭିନ୍ନଭିନ୍ନ ‘ଅବତାର’ କରାଯାଇପାରିବ ଏବଂ ପୃଥିବୀର ପ୍ରମୁଖ ଭାଷାଗୁଡ଼ିକରେ ସେ ଖବର ପଢ଼ିପାରିବ। ଏହି ପ୍ରକ୍ରିୟାର ବାସ୍ତବ ବିପଦ ହେଲା, ଏଆଇ ଉପସ୍ଥାପକକୁ ଆୟୁଧ କରି କୌଣସି ଦେଶ/ରାଜ୍ୟର ସରକାର ନିର୍ବିଘ୍ନରେ ଆପଣାର ‘ପ୍ରୋପାଗଣ୍ଡା’ (ମିଥ୍ୟା ସୂଚନା/ତଥ୍ୟର ପ୍ରସାରଣ) ଚଳାଇପାରିବେ ଏବଂ ସେଥିପାଇଁ କାହାକୁ ସହଜରେ ଦାୟୀ ବି କରାଯାଇପାରିବ ନାହିଁ; ଅନ୍ତତଃ ସାଂପ୍ରତିକ ସ୍ଥିତିରେ, କାହିଁକିନା କୃତ୍ରିମ ମେଧାକୁ ନେଇ କୌଣସି ନିର୍ଦିଷ୍ଟ ଆଇନକାନୁନ ଏଯାଏଁ ପ୍ରଣୟନ ହୋଇନାହିଁ। ନିର୍ବାଚନବେଳେ ମିଥ୍ୟା ଖବରର ପ୍ରାବଲ୍ୟ ଓ ତା’ର ସୁଦୂରପ୍ରସାରୀ ପ୍ରଭାବ ବିଷୟରେ ଆମେ ସଭିଏଁ ଅଳ୍ପବହୁତେ ଅବଗତ। ଯଦି ସେଥିରେ କୃତ୍ରିମ ମେଧାର ପ୍ରଯୁକ୍ତି ଯୋଡ଼ିହୁଏ, ତେ‌େବ ତା’ର ପ୍ରଭାବ କେତେ ବ୍ୟାପକ  ଓ ପ୍ରଭାବୀ ହେବ, ତାହା ସହଜେ କଳନୀୟ। 


୨୦୧୪ ଲୋକସଭା ନିର୍ବାଚନରେ ପ୍ରଥମ ଥର ପାଇଁ ଆମେ ଆଧୁନିକ ପ୍ରଯୁକ୍ତିର ଶକ୍ତି ଦେଖିଥିଲୁ, ଯେଉଁଠି ବର୍ତ୍ତମାନର ପ୍ରଧାନମନ୍ତ୍ରୀଙ୍କ ଥ୍ରୀଡି ଅବତାର (ହଲୋଗ୍ରାମ) ଏକାବେଳକେ ଅନେକ ସ୍ଥାନରେ ଉଦ୍‌ବୋଧନ ଦେଉଥିଲା, ଅବଶ୍ୟ ବକ୍ତୃତା ଥିଲା ପ୍ରାକ୍‌ପ୍ରସ୍ତୁତ। ଏବେ କିନ୍ତୁ ସେପରି କରିବାର ଆବଶ୍ୟକତା ରହିବ ନାହିଁ। କୃତ୍ରିମ ମେଧାସଂପନ୍ନ ନେତାଙ୍କ ଆଭାସି ଅବତାର ନିଜ ଦଳ ବା  ସରକାରଙ୍କ ସଫଳତା ବଖାଣିବା ସହିତ ସଭାରେ ଉପସ୍ଥିତ ଲୋକଙ୍କ ପ୍ରଶ୍ନର ଉତ୍ତର ଦେଉଥିବା ଦେଖିବାକୁ ମିଳିଲେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ୨୦୨୪ ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ ଏଆଇର ଅସୁମାରୀ ଶକ୍ତିକୁ ରାଜନୈତିକ ଦଳଗୁଡ଼ିକ ସମ୍ଭବତଃ ହାତଛଡ଼ା କରିବେ ନାହିଁ। ସାମାଜିକ ଗଣମାଧ୍ୟମରେ ମିଥ୍ୟା ଖବରର ପ୍ରସ୍ତୁତି ଓ ପ୍ରଚାରପ୍ରସାର ପାଇଁ ଆଉ ଆଇଟି ସେଲ୍‌ରେ ଅଧିକ ଲୋକଙ୍କୁ ବେତନ ଦେଇ ନିଯୁକ୍ତ କରିବାକୁ ପଡ଼ିବ ନାହିଁ; କୌଣସି ‘ଏଆଇ ଟୁଲ୍‌’ ତାକୁ ଅଳ୍ପ କେଇ ମୁହୂର୍ତ୍ତରେ ଅନାୟାସରେ କରିଦେଇ ପାରିବ। ସ୍ମରଣଯୋଗ୍ୟ, ଦୁଇ ମାସ ତଳେ ତୁର୍କୀରେ ଅନୁଷ୍ଠିତ ନିର୍ବାଚନରେ କୃତ୍ରିମ ମେଧାର କାରନାମା ହଇଚଇ ସୃଷ୍ଟି କରିଥିଲା, ଯେତେବେଳେ ରାଷ୍ଟ୍ରପତି ରଜବ ତୈୟବ ଏର୍ଦୋଆନ୍‌ଙ୍କ ପ୍ରତିଦ୍ବନ୍ଦ୍ବୀ କେମଲ କିଲିକଡ଼ାରୋଗ୍ଲୁଙ୍କର ଏକ ଇଂରେଜୀଭାଷୀ ‘ଡିପ୍‌ଫେକ୍‌’ ଭିଡିଓ ବହୁଳ ପ୍ରଘଟ ହେଲା। ସେହିପରି କେନ୍ଦ୍ର-ବାମ ହୋମଲାଣ୍ଡ୍‌ ପାର୍ଟିର ନେତା ମୁହରମ୍‌ ଇନ୍ସଙ୍କର ଏକ ଅଜ୍ଞାତ ମହିଳାଙ୍କ ସହ ଯୌନସଂପର୍କର ଭିଡିଓ ପ୍ରଘଟ ହେଲା, ଯାହାକୁ ସେ ‘ଡିପ୍‌ଫେକ୍‌’ (ଗଭୀର ନକଲି ଅର୍ଥାତ ଏହା ବାସ୍ତବତାର ଏତେ ନିକଟତର ଯେ ନକଲି ବୋଲି ଜାଣିବା ଅସମ୍ଭବ) ଭିଡିଓ ଆଖ୍ୟା ଦେଇଥିଲେ; କିନ୍ତୁ ରାଷ୍ଟ୍ରପତି ନିର୍ବାଚନରୁ ନିଜର ନାମାଙ୍କନ ପ୍ରତ୍ୟାହାର କରିବାକୁ ବାଧ୍ୟ ହୋଇଥିଲେ। ଏହି ଘଟନାରୁ ୨୦୨୪ରେ ଭାରତର ସାଧାରଣ ନିର୍ବାଚନ ଓ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ କୃତ୍ରିମ ମେଧା କୋଉ ଭୂମିକା ଗ୍ରହଣ କରିପାରେ ଏବଂ ଗଣତନ୍ତ୍ର ପାଇଁ କିଭଳି ବିପଦ ସୃଷ୍ଟି କରିପାରେ, ତା’ର ଆଭାସ ଅବଶ୍ୟ ମିଳେ। ଆଧୁନିକ ନିର୍ବାଚନ ବିଜୟ  ଅଭିନବ ବ୍ୟାଖ୍ୟାନ ସୃଷ୍ଟି ଓ ପ୍ରଚାର ଉପରେ ହିଁ ବେଶି ନିର୍ଭରଶୀଳ, ତାହା ମିଥ୍ୟା ବା ନକଲି ହେଉପଛେ। ଏହା ଆମେରିକା ଓ ଭାରତରେ ପ୍ରମାଣିତ ହୋଇସାରିଚି।  କୃତ୍ରିମ ମେଧା ତାହା କରିବାରେ ସର୍ବାଧିକ ଦକ୍ଷତା ହାସଲ କରିସାରିଚି । ଏଆଇର କୃତି(ଲେଖା/ଅଡ଼ିଓ/ଭିଡିଓ ଇତ୍ୟାଦି)ରେ ଅସଲି-ନକଲି ଭିତରେ ପ୍ରଭେଦ ଜାଣିବା ପ୍ରାୟତଃ ଅସମ୍ଭବ। ‘ଯେବେ ନ ଦେଖିବୁ ବେନି ନୟନେ, ପରତେ ନ ଯିବୁ ଗୁରୁ ବଚନେ’ ଭଳି ପ୍ରବାଦ ବି ଅସାର ପାଲଟିଚି, କାରଣ ବେନି ନୟନ ବି ୟା’ ପାଖରେ ଧୋକା ଖାଇଯାଉଚି। ଆଗାମୀ ସମୟରେ କୃତ୍ରିମ ମେଧା ଗଣତନ୍ତ୍ର ପାଇଁ ଭାରୀ ପଡ଼ିପାରେ, ଏ ଆଶଙ୍କା କ୍ରମେ ଦୃଢ଼ୀଭୂତ ହଉଚି।


କୃତ୍ରିମ ମେଧାର ସବୁଠୁ ବଡ଼ ଶକ୍ତି ହେଉଚି ସ୍ବୟଂକ୍ରିୟତା (ଅଟୋମେସନ)। ଏବେ ମେସିନ ଲର୍ଣ୍ଣିଂ (ଯନ୍ତ୍ର ନିଜେନିଜେ ଶିକ୍ଷା କରେ) ପଦ୍ଧତି ଏଥିରେ ସଂଯୁକ୍ତ ହେବାପରେ ଏହାର ଶକ୍ତି ହୋଇଚି ବହୁଗୁଣିତ। ଆଗାମୀ ସମୟରେ କ୍ବାଣ୍ଟମ୍‌ କଂପ୍ୟୁଟିଙ୍ଗ୍‌ ଓ ରୋବୋଟିକ୍ସରେ ଏହା ସଂଯୋଗ ହେବାପରେ ଏଇନା ଅସମ୍ଭବ ମନେହେଉଥିବା କାର୍ଯ୍ୟସବୁ ଆଗାମୀ ଦିନରେ ସମ୍ଭବ ହେବ ବୋଲି ବୈଜ୍ଞାନିକ ଆଶାନ୍ବିତ। ଏହା ନିର୍ମାଣ/ବିନିର୍ମାଣ କ୍ଷେତ୍ରରୁ ଆରମ୍ଭ କରି ବଜାରୀକରଣ ଏବଂ ସ୍ବାସ୍ଥ୍ୟସେବାଠୁ ନେଇ ବ୍ୟକ୍ତିଗତ ସୁବିଧାସୁଯୋଗ କ୍ଷେତ୍ରରେ ମୌଳିକ ପରିବର୍ତ୍ତନ ଆଣିବାରେ ସମର୍ଥ। ଯଦି ପ୍ରକୃତରେ କୃତ୍ରିମ ମେଧା ତା’ର ସଂପୂର୍ଣ୍ଣ ବିକଶିତ ସ୍ବରୂପକୁ ଆସେ, ତେବେ ମନୁଷ୍ୟ ପାଇଁ କେବଳ ଏହା ସକାରାତ୍ମକ ପରିବର୍ତ୍ତନ ଆଣିବ ନାହିଁ, ବରଂ ଯୁଦ୍ଧ ଭଳି ଭୟାବହ ମାନବୀୟ ସଙ୍କଟ ଓ ବିତ୍ପାତ  ସୃଷ୍ଟିକାରୀ ପ୍ରକରଣରେ ଏହାର ଉପଯୋଗ ନିଶ୍ଚିତ। ଯୁକ୍ତରାଷ୍ଟ୍ର ଆମେରିକା ଓ ଚୀନ ଭଳି ଦେଶ ଏହା କରିସାରିଚନ୍ତି ଆରମ୍ଭ। କାଳ୍ପନିକ ବିଜ୍ଞାନାଧାରିତ ଚଳଚ୍ଚିତ୍ରଗୁଡ଼ିକରେ ଦୃଶ୍ୟାୟିତ ଘଟନାବଳୀଠୁ ଅଧିକ ଧ୍ବଂସାତ୍ମକ ହୋଇପାରେ ଏଆଇ ସଂଚାଳିତ ଯୁଦ୍ଧ, ଯାହାକୁ ଚୀନ ୨୦୧୯ରେ ପ୍ରକାଶିତ ଏକ ଶ୍ବେତପତ୍ରରେ ଆଖ୍ୟା ଦେଇଚି ‘ଇଣ୍ଟେଲିଜେଣ୍ଟାଇଜ୍‌ଡ଼ ୱାର୍‌ଫେୟାର୍’ (କୃତ୍ରିମ ମେଧାଯୁକ୍ତ ଯୁଦ୍ଧ) । ଏଭଳି ଯୁଦ୍ଧରେ ଏଆଇଯୁକ୍ତ ସ୍ବୟଂଚାଳିତ ଅସ୍ତ୍ରଶସ୍ତ୍ର, ଡ୍ରୋନ୍‌, ବଟ୍‌ସ, ସ୍ବୟଂ ନିର୍ଣ୍ଣୟକାରୀ ରୋବଟ୍‌ ଶତ୍ରୁ ସହ ଲଢ଼ିବେ। ଏ ଦିଗରେ ଚୀନର ଦ୍ରୁତ ପଦକ୍ଷେପ ବିଶ୍ବ ପାଇଁ, ବିଶେଷତଃ ଭାରତ ପାଇଁ ଚିନ୍ତାର କାରଣ ନିଶ୍ଚୟ। ଏ ପରିପ୍ରେକ୍ଷୀରେ ପ୍ରସିଦ୍ଧ ସାମରିକ ବିଶାରଦ ତଥା ‘ଫୋର୍ସ’ ପତ୍ରିକାର ସଂପାଦକ ପ୍ରବୀଣ ସାହନୀ ଗତବର୍ଷ ପ୍ରକାଶିତ ତାଙ୍କର ବହୁଚର୍ଚିତ ପୁସ୍ତକ ‘ଦ ଲାଷ୍ଟ୍‌ ୱାର୍‌: ହାଓ ଏଆଇ ୱିଲ୍‌ ଶେପ୍‌ ଇଣ୍ଡିଆଜ୍‌ ଫାଇନାଲ୍‌ ଶୋଡାଉନ୍ ୱିଥ୍‌ ଚାଇନା’ରେ ଉଲ୍ଲେଖ କରିଛନ୍ତି, ‘ଯଦି ନିକଟ ଭବିଷ୍ୟତରେ ଚୀନ ଓ ଭାରତ ମଧ୍ୟରେ ଯୁଦ୍ଧ ହୁଏ, ତେବେ ଭାରତ ଦଶ ଦିନ ଭିତରେ ହିଁ ପରାଜିତ ହେବାର ଆଶଙ୍କାକୁ ଏଡ଼ାଇ ଦେଇ ହେଉନାହିଁ’। ଏ ଭୀତିପ୍ରଦ ବାକ୍ୟକୁ କୌଣସି ପ୍ରତିରକ୍ଷା ବିଶେଷଜ୍ଞର ଖିଆଲ୍‌ କହିବା ନା ଏହା ହିଁ ବାସ୍ତବତା? ପ୍ରତ୍ୟେକ ଦେଶ ଯଦି ଯୁଦ୍ଧକ୍ଷେତ୍ରକୁ ରୋବଟ୍‌ ସେନା ପ୍ରେରଣ କରନ୍ତେ ଓ ସେମାନଙ୍କ ମଧ୍ୟରେ ଲଢ଼େଇ ହୁଅନ୍ତା, ତେବେ ତ ଅସୁବିଧା ନଥିଲା; କିନ୍ତୁ ପ୍ରତି କ୍ଷେତ୍ରରେ ଅସମତା/ବିଷମତାଭରା ଆମର ଏଇ ପୃଥିବୀରେ ତାହା କ’ଣ ସମ୍ଭବ? ଅନ୍ତତଃ ଶହେ ଦୁଇଶହ ବର୍ଷ ଭିତରେ ତ ନୁହେଁ। ତେଣୁ ଯଦି ମାନବ ସୈନିକ ଓ ରୋବଟ୍‌ ସୈନିକଙ୍କ ମଧ୍ୟରେ ଯୁଦ୍ଧ ହୁଏ ତେବେ କାହାର ବିଜୟ ହେବ, ତାହା ସହଜେ ଅନୁମେୟ।


କୃତ୍ରିମ ମେଧା ମନୁଷ୍ୟର ସ୍ଥାନ ନେବା ଯଦି ବାସ୍ତବତାରେ ପରିଣତ ହୁଏ, ବିଶେଷକରି ତା’ର କାର୍ଯ୍ୟକ୍ଷେତ୍ରରେ, ତେ​‌ବେ ଏହାର ସକାରାତ୍ମକ ଦିଗକୁ ଉପେକ୍ଷା କରାଯାଇନପାରେ। ଯଦି ସତକୁ ସତ ବ୍ୟାପକଭାବେ ଏହା ମନୁଷ୍ୟର ସହଯୋଗୀ ହୋଇ ତା’ର ଅଧିକାଂଶ କାର୍ଯ୍ୟ କରିଦିଏ ତେବେ ତା’ର କେବଳ ଉତ୍ପାଦକତା ବଢ଼ିବ ନାହିଁ, ତାକୁ ସୃଜନଶୀଳ କାର୍ଯ୍ୟରେ ବ୍ରତୀ ହେବା ପାଇଁ, ଜୀବନକୁ ଉପଭୋଗ କରିବା ପାଇଁ, ବିଶ୍ବ ଭ୍ରମଣରେ ଯିବା ପାଇଁ ବା ନିଜ ଖୁସି ଅନୁସାରେ ଜୀବନ ବିତାଇବା ଲାଗି ଯଥେଷ୍ଟ ସମୟ/ସାଧନ ମିଳିଯିବ। ଏପରି ହେଲେ ସମାଜରୁ ଜାତି, ଧର୍ମ, ସଂପ୍ରଦାୟ ଭିତ୍ତିକ ଭେଦଭାବ/ଲଢ଼େଇ ସ୍ବତଃ ହଟିଯିବ; ଚୋରି/ଡକାୟତି ଇତ୍ୟାଦି ଦୂର ହେବ; କାରଣ ସ୍ବୟଂକ୍ରିୟ/ସ୍ବୟଂଚାଳିତ ଯନ୍ତ୍ର ଦ୍ବାରା କେବଳ ଶୈଳ୍ପିକ ଉତ୍ପାଦନ ନୁହେଁ, ବରଂ କୃଷି ଉତ୍ପାଦନ ମଧ୍ୟ ବହୁଗୁଣିତ ହୋଇପାରିବ ଏବଂ କେହି ଭୋକିଲା ବା ଗରିବ ରହିବେ ନାହିଁ। ଏପରି ଏକ ଦେଶ/ବିଶ୍ବର କଳ୍ପନା ଅବାସ୍ତବ ପ୍ରତୀତ ହେଉନାହିଁ। କୃତ୍ରିମ ମେଧାର ସଦୁପଯୋଗ ହୁଏତ ଆଗାମୀ ଶତାବ୍ଦୀଗୁଡ଼ିକରେ ମାନବଜାତି ପାଇଁ ବରଦାନ ସାବ୍ୟସ୍ତ ହୋଇପାରେ। ଦୁରୁପଯୋଗ ହିଁ ଅସଲ ବିପଦ।

(‘ସମାଜ’ରେ ୪ ସେପ୍ଟେମ୍ବର ୨୦୨୩​‌ ରେ ପ୍ରକାଶିତ)

Read More

ଇତିହାସର ଭୂଗୋଳ

3 comments

 

 


ଅଶୋକ

ଅତୀତ ଅପରିବର୍ତ୍ତନୀୟ; କିନ୍ତୁ ଇତିହାସ ଅପରିବର୍ତ୍ତନୀୟ ନୁହେଁ। ଇତିହାସ ବୋଇଲେ ଏଇଠି ଅତୀତରେ ଘଟିଥିବା ଘଟନାସମୂହ ନୁହେଁ, ବରଂ ଇତିହାସବିଦ୍‌ଙ୍କ ଦ୍ବାରା ଲେଖାଯାଉଥିବା ତଥାକଥିତ ଐତିହାସିକ ଘଟନାବଳୀର ଦଲିଲ। କିନ୍ତୁ ବିଡ଼ମ୍ବନା ଯେ ଇତିହାସକୁ ପରିବର୍ତ୍ତନ କରିବାର ପ୍ରଚେଷ୍ଟା ସବୁ ଯୁଗରେ, ସବୁ ଦେଶରେ ପରିଦୃଷ୍ଟ। ଆପଣା ଇଚ୍ଛାରେ ଇତିହାସକୁ ଗଢ଼ିବା ଲାଗି ଶାସକର ଉଦ୍ୟମ ଅବିରତ। ସେ ଜାଣେ ଯେ ଅତୀତକୁ ପରିବର୍ତ୍ତନ କରିବା ଅସମ୍ଭବ; କିନ୍ତୁ ଅତୀତର ଇତିହାସ ଲେଖାକୁ ବଦଳାଇବା ତା’ ଦ୍ବାରା ଖୁବ୍‌ ସମ୍ଭବ। ଅର୍‌ୱେଲ୍‌ଙ୍କ ଦୂରଦୃଷ୍ଟିସଂପନ୍ନ ଉପନ୍ୟାସ ‘୧୯୮୪’ରେ ବର୍ଣ୍ଣିତ ‘ମିନିଷ୍ଟ୍ରି ଅଫ୍ ଟ୍ରୁଥ୍‌’ର ସେଇ ସ୍ଲୋଗାନ ତା’ର ଆଦର୍ଶ: ‘‘ଯିଏ ଅତୀତକୁ ନିୟନ୍ତ୍ରଣ କରେ, ସେ ଭବିଷ୍ୟତକୁ ନିୟନ୍ତ୍ରଣ କରେ: ଯିଏ ବର୍ତ୍ତମାନକୁ ନିୟନ୍ତ୍ରଣ କରେ, ସେ ଅତୀତକୁ ନିୟନ୍ତ୍ରଣ କରେ।’’ ୟା’ର ମୋଟାମୋଟି ଅର୍ଥ ଯିଏ ବର୍ତ୍ତମାନକୁ ନିଜ ନିୟନ୍ତ୍ରଣରେ ରଖିଥାଏ, ସିଏ ଅତୀତ ଓ ଭବିଷ୍ୟତକୁ ବି ନିଜ ନିୟନ୍ତ୍ରଣରେ ରଖିପାରେ। ଏହା କିନ୍ତୁ ସତ୍ୟ ନୁହେଁ; ସତ୍ୟର ପ୍ରତୀତି ଦେଉଥିବା ଏକ ଭ୍ରମ ମାତ୍ର, ଯେପରି ‘ମିନିଷ୍ଟ୍ରି ଅଫ୍ ଟ୍ରୁଥ୍’(ନାମ ‘ସତ୍ୟର ମନ୍ତ୍ରଣାଳୟ’ ହୋଇଥିଲେ ହେଁ ତାହା ଥିଲା କେବଳ ମିଥ୍ୟାର ମହାଭଣ୍ଡାର)ରେ କାମ କରୁଥିବା ୱିନ୍‌ଷ୍ଟନ ସ୍ମିଥ୍‌ର କାମ ଥିଲା କେବଳ ‘ବିଗ୍‌ ବ୍ରଦର’ ପାଇଁ ଇତିହାସର ପୁନର୍ଲିଖନ। ଏଥିପାଇଁ ସେ ଅତୀତର ଘଟନାବଳୀକୁ ଏପରି ଭାବେ ବର୍ଣ୍ଣନା କରୁଥିଲା, ଯେପରିକି ତାହା ‘ବିଗ୍‌ ବ୍ରଦର’କୁ ସୁହାଇବ ଓ ତା’ର ଶାସନ ଜନତାଙ୍କୁ ଦିଶିବ ନିଷ୍କଳଙ୍କ ଓ ପ୍ରଭାମୟ। ବିଗ୍‌ ବ୍ରଦରର ସର୍ବତୋଭାବେ ଇଚ୍ଛା, ସେ ବର୍ତ୍ତମାନର ନିୟନ୍ତ୍ରକ ହୋଇଥିବାରୁ ଅତୀତର ହେବ ନିୟନ୍ତ୍ରକ ଏବଂ ସେଇ ସୂତ୍ରରେ ଭବିଷ୍ୟତର ମଧ୍ୟ ନିୟନ୍ତ୍ରକ। 

ଇଏ ଏକ କାଳ୍ପନିକ ଉପନ୍ୟାସର ବିଷୟବସ୍ତୁ ହେଲେ ବି ୟା’ର ଅତି ଅଦ୍ଭୁତ ସାମଞ୍ଜସ୍ୟ ଦେଖାଯାଏ ସମକାଳୀନ ପୃଥିବୀରେ, ଯେଉଁଠି ଶାସକ ଚାହିଁଛି ଇତିହାସର ପୁନର୍ଲିଖନ; ସେ ଭୁଲିଯାଇଚି ଯେ ଅତୀତ ଅପରିବର୍ତ୍ତନୀୟ ଓ ନିୟନ୍ତ୍ରଣହୀନ, ଅଥଚ ଇତିହାସର ବିଷୟକୁ ବଦଳାଇବା ହୋଇଚି ତା’ର ସବୁଠୁ ବଡ଼ ନିଶାଣ। ଜୋସେଫ୍ ଷ୍ଟାଲିନ ରୁଷ ବିପ୍ଳବର ସମ୍ପୂର୍ଣ୍ଣ ଇତିହାସ ବଦଳାଇଦେଲା: ଯାହାଙ୍କର ବିଚାର/ଭାବାଦର୍ଶ ତା’ ବିରୋଧରେ ଯାଉଥିଲା, ଇତିହାସ ବହିରୁ ତା’ ନାଁ କାଟିଦିଆଗଲା। ରୁଷ ବିପ୍ଳବରେ ଷ୍ଟାଲିନଠୁ ବି ଏକ ପ୍ରମୁଖ ବ୍ୟକ୍ତିତ୍ବ ଲିଅଁ ତ୍ରତ୍‌ସ୍କିଙ୍କ ନାଁ ସମୂଳେ ଲୋପ କରିଦିଆଗଲା। ଷ୍ଟାଲିନ ଦୀର୍ଘକାଳ ଧରି ରାଜତ୍ବ କଲା ଏବଂ ‘ନୂଆ ଇତିହାସ’ ଲେଖିଦେଇଗଲା, ଯାହା ସମ୍ପୂର୍ଣ୍ଣ ନିଜ ଦ୍ବାରା/ନିଜ ସପକ୍ଷରେ ସୃଷ୍ଟ। ଅତୀତର ମୃତ୍ୟୁ ନଥିଲେ ବି ମନୁଷ୍ୟର ମୃତ୍ୟୁ ଅଛି ଏବଂ ମଜା କଥା ହେଲା ଷ୍ଟାଲିନର ମୃତ୍ୟୁ ପରେ ତା’ର ଉତ୍ତରାଧିକାରୀ ଖୃଶ୍ଚେଭ୍‌ ଦ୍ବାରା ଠିକ୍‌ ସେଇଆ କରାଗଲା- ଇତିହାସର ପୁନର୍ଲିଖନ। ଏପରିକି ଲେନିନ ପରି ଷ୍ଟାଲିନର ମୃତଦେହକୁ ଯେଉଁଠି ସୁରକ୍ଷିତ କବର ଦିଆଯାଇଥିଲା, ସେଇଠୁ ତାକୁ ସ୍ଥାନାନ୍ତର କରିଦିଆଗଲା ଏକ ଦୁର୍ଗମ ସ୍ଥାନକୁ। ଖୃଶ୍ଚେଭ୍‌ର କ’ଣ ହେଲା? ସେଇ ସମାନ ଗତି। ଖୃଶ୍ଚେଭ୍‌ ପ୍ରଣୀତ ଇତିହାସକୁ ବଦଳାଇ ଦିଆଗଲା। ସେଇଥିପାଇଁ ସମ୍ଭବତଃ କୁହାଯାଏ ‘ଇତିହାସ ନିଜକୁ ଦୋହରାଏ’। ଅତୀତ ସରଳରୈଖିକ; କିନ୍ତୁ ମନୁଷ୍ୟର ନିର୍ବୋଧତା ପାଇଁ ଇତିହାସ କେବେ ସରଳରୈଖିକ ହୋଇନାହିଁ, ବରଂ ହୋଇଚି ଚକ୍ରାକାର; ତେଣୁ କୁହାଯାଏ ‘ଇତିହାସର ଚକ୍ର’। ବଡ଼ ବିଚିତ୍ର ଯେ ଇତିହାସରୁ ମଣିଷ ଶିଖେ କୁହାଗଲେ ବି ଏ ପର୍ଯ୍ୟନ୍ତ ତା’ର ପ୍ରମାଣ ମିଳୁନାଇଁ; ନଚେତ ‘ଆଜାଦୀ କା ଅମୃତ ମହୋତ୍ସବ’ ମନାଇବାବେଳେ ଇତିହାସ ବହିରୁ ନେହେରୁ(ଜବାହରଲାଲ)ଙ୍କ ନାମ କିମ୍ବା ପୋଷ୍ଟରରୁ ତାଙ୍କ ଛବିକୁ ବାଦ୍‌ ଦେଇ ତା’ ସ୍ଥାନରେ ଅନ୍ୟ କାହାକୁ ଭର୍ତ୍ତି କରାଯାଆନ୍ତା ନାହିଁ! ଯୋଉମାନେ ଏହା କରୁଚନ୍ତି, ସେମାନେ ସମ୍ଭବତଃ ଭୁଲିଯାଇଥିବେ ଯେ ତାଙ୍କର ପରବର୍ତ୍ତୀ ଶାସକ ତାଙ୍କ ‘ନୂଆ ଇତିହାସ’କୁ ବି ଫୋପାଡ଼ିଦବ ଅଳିଆଗଦାକୁ। ବର୍ତ୍ତମାନକୁ ନିୟନ୍ତ୍ରଣରେ ରଖିଛି ବୋଲି ଭ୍ରମରେ ପଡ଼ିଥିବା ଲୋକଟି ଭାବେ ଅତୀତକୁ ବି ସେଇ ମାର୍ଗରେ ନିୟନ୍ତ୍ରଣ କରିବ; ଅନ୍ତତଃ ସେଇ ପ୍ରତୀତିଟିଏ ସେ ସୃଷ୍ଟି କରିପାରିବ। ଏହା ଭ୍ରାନ୍ତି ଓ ଭ୍ରାନ୍ତ ବୋଲି ଜାଣିସୁଦ୍ଧା କରିଚାଲେ ସେଇ ଅପକର୍ମ। ଏଇ ଅର୍ଥରେ ଇତିହାସର ଲେଖକ ଇତିହାସକାର/ଐତିହାସିକ ହେଲେ ହେଁ ପ୍ରକୃତ ରଚୟିତା/ସ୍ରଷ୍ଟା ତ ଶାସକ, ଯିଏ ବର୍ତ୍ତମାନର ନିୟନ୍ତ୍ରକ। ସେ ନିଜ ସ୍ବାର୍ଥସାଧନ ଉଦ୍ଦେଶ୍ୟରେ ‘ନୂଆ ଇତିହାସ’ ଲେଖାଏ; ତେଣୁ ସେଥିରେ ମିଥ୍ୟା/ଅର୍ଦ୍ଧସତ୍ୟ/ପ୍ରୋପାଗଣ୍ଡା ରହିବା ସତେଯେମିତି ଅବଧାରିତ। ସେଇଥିପାଇଁ ବିଶ୍ବର ସବୁଯାକ ଇତିହାସ ଶାସକର ଯୁଦ୍ଧ/ଜୟପରାଜୟ/ପ୍ରେମପ୍ରତାରଣାର କାହାଣୀରେ ଭର୍ତ୍ତି, ଯାହା ସାଧାରଣତଃ ସ୍ମୃତି/ଶ୍ରୁତି/କିମ୍ବଦନ୍ତୀ/ତଥାକଥିତ ଅପ୍ରାମାଣ୍ୟ ଦସ୍ତାବିଜ୍‌ ଆଧାରିତ। ତା’ ବି ବିଜିତର ନୁହେଁ, ଅଧିକାଂଶ ବିଜେତାର। ଏଡଲ୍‌ଫ ହିଟଲର ଯଦି ପରାଜିତ ହୋଇନଥାନ୍ତା, ତେବେ ଜର୍ମାନୀର ଇତିହାସ ନିଶ୍ଚୟ ଅଲଗା ଲେଖାଯାଇଥାନ୍ତା। ଏବେ ସମଗ୍ର ଇତିହାସ ତା’ର ନିନ୍ଦାଗାନରେ ଭର୍ତ୍ତି ହୋଇଥିବାବେଳେ ତାହା ସ୍ତୁତିଗାନରେ ପରିଣତ ହୋଇଥାନ୍ତା। ତେଣୁ ପୃଥିବୀର କୌଣସି ଇତିହାସ ଶତ ପ୍ରତିଶତ ସତ୍ୟ ନୁହେଁ ବୋଲି କହିଲେ ବୋଧହୁଏ ଭୁଲ୍‌ ହେବନାହିଁ। ଇତିହାସ ତଥ୍ୟ/ସତ୍ୟ ଉପରେ ଯେତିକି ନୁହେଁ, ଇତିହାସ ଲେଖୁଥିବା ଓ ଲେଖାଉଥିବା ବ୍ୟକ୍ତିର ମର୍ଜି ଉପରେ ଏହା ସର୍ବଦା ନିର୍ଭରଶୀଳ। ଇତିହାସ ମୂଳତଃ ପରିବର୍ତ୍ତିତ ଆଖ୍ୟାନଗୁଡ଼ିକର ଏକ ଅଧାଲେଖା ଅସମ୍ପୂର୍ଣ୍ଣ ଦସ୍ତାବିଜ୍‌, ଯାହାକୁ ପ୍ରମାଣ କରିବା ଅସମ୍ଭବ। ଏ ପରିପ୍ରେକ୍ଷୀରେ ମନେପଡ଼ୁଚି କାହାଣୀଟିଏ। 

ପାଶ୍ଚାତ୍ୟର ଜଣେ ପ୍ରୟାତ ଲେଖକ-ଦାର୍ଶନିକ-ରାଜନୀତିଜ୍ଞ ଏଡ଼ମଣ୍ଡ୍‌ ବର୍କ ମନୁଷ୍ୟ ଜାତିର ଇତିହାସ ଲେଖୁଥାନ୍ତି। ବିତିଯାଇଥାଏ ଦୀର୍ଘ କୋଡ଼ିଏ ବର୍ଷରୁ ଊର୍ଦ୍ଧ୍ବ। ଅନ୍ତିମ ଅଧ୍ୟାୟ ଲେଖା ସମୟରେ ଦିନେ ଏପରି ଘଟନା ଘଟିଲା ଯେ ସେ ନିଜର କୋଡ଼ିଏ ବର୍ଷର ଶ୍ରମକୁ ଜାଳିପୋଡ଼ି ପାଉଁଶ କରିଦେଲେ। ଘଟନାଟି ଥିଲା ଏହିପରି: ବର୍କଙ୍କ ଘର ପଛପଟେ ଏକ ହତ୍ୟାକାଣ୍ଡ ଘଟିଥିଲା। ଝଗଡ଼ା ହେବାପରେ ଜଣେ ଜଣକୁ ଗୁଳି କରିଦେଇଥିଲା। ଗୁଳିକାଣ୍ଡ ସ୍ଥଳରେ ଲୋକେ ଜମା ହୋଇଯାଇଥିଲେ। ବର୍କ ବି ଚାଲିଲେ ବୁଝିବାକୁ ଯେ ଘଟନା କ’ଣ? ସେ ପର୍ଯ୍ୟନ୍ତ ଲୋକଟି ମରି ନଥାଏ ଏବଂ ହତ୍ୟାକାରୀ ବି ସେଇଠୁ ଯାଇ ନଥା’ଏ​‌; କିନ୍ତୁ ବର୍କ ଯେତିକି ଲୋକଙ୍କୁ ଘଟନା ସମ୍ପର୍କରେ ପଚାରୁଥାନ୍ତି, ସେତିକିସେତିକି ନୂଆ ଆଉ ଅଲଗା ତଥ୍ୟ ପାଉଥାନ୍ତି। ଯେତେ ମୁନି, ସେତେ ମତ! ପ୍ରତ୍ୟେକଙ୍କର ବ୍ୟାଖ୍ୟା ଭିନ୍ନଭିନ୍ନ। ବର୍କ ପ୍ରକୃତ ତଥ୍ୟ କ’ଣ ଜାଣିବାକୁ ଚାହିଁଲେ ସୁଦ୍ଧା ଜାଣିପାରିଲେ ନାହିଁ। ଘରକୁ ଫେରି ଇତିହାସ ନାମରେ କୋଡ଼ିଏ ବର୍ଷ ଧରି ସେ ଯାହା ଲେଖିଥିଲେ ତତ୍‌କ୍ଷଣାତ୍‌ ସେଥିରେ ନିଆଁ ଲଗାଇଦେଲେ। କିଏ ଜଣେ ପଚାରିବାରୁ କହିଲେ- ମୋ ଘର ପଛପଟେ ସଦ୍ୟ ଘଟିଥିବା ଘଟନାର ତଥ୍ୟ ଯଦି ମୁଁ ଜାଣିପାରୁନାହିଁ, ମୁଁ ମନୁଷ୍ୟ ଜାତିର ଇତିହାସ ଲେଖିବାକୁ କିପରି ଯୋଗ୍ୟ ହେବି? ପାଞ୍ଚ ହଜାର ବର୍ଷ ତଳେ କ’ଣ ଘଟିଥିଲା, ତା’ର ସତ୍ୟତା କିପରି ପରଖିବି? 

ତଥାପି ଏ ପୃଥିବୀରେ ଇତିହାସ ଲେଖା ନା କେବେ ବନ୍ଦ ହୋଇଚି ନା ହେବ! ଅଡେନ (ଡବ୍ଲ୍ୟୁଏଚ୍‌ ଅଡେନ: ଦି ଡାୟାର୍‌ସ ହ୍ୟାଣ୍ଡ୍‌)ଙ୍କ କହିବା ପରି, ‘‘ମନୁଷ୍ୟ ଏକ ଇତିହାସ ସୃଷ୍ଟିକାରୀ ଜୀବ, ଯିଏ ନିଜର ଅତୀତକୁ ନା ଦୋହରାଇପାରେ ନା ତାକୁ ପଛରେ ଛାଡ଼ିଦେଇପାରେ।’’ ମିଛ ହେଉ ପଛେ, ମଣିଷ ଇତିହାସ ଲେଖିବାକୁ ଓ ଲେଖାଇବାକୁ ଭଲ ପାଏ। ଏ ଇତିହାସ କିନ୍ତୁ ମନୁଷ୍ୟ ଜାତିର ଇତିହାସ ନୁହେଁ, ବରଂ କ୍ଷମତାସୀନର ଇତିହାସ। କ୍ଷମତାସୀନର ଇତିହାସ ଅର୍ଥାତ ହିଂସା, ରକ୍ତପାତ, ଶୋଷଣ, ନିର୍ଯାତନାକୁ ଗୌରବୋଜ୍ବଳ କରାଇବାର ଇତିହାସ। ବିଡ଼ମ୍ବନା ଯେ ଏଇ ହେତୁରୁ ‘ତନ୍ତ୍ର’ ବଦଳିଲେ ବି ଶାସକର ପ୍ରକୃତି/ପ୍ରବୃତ୍ତି ବଦଳୁନାହିଁ କଦାଚନ। ରାଜତନ୍ତ୍ରରେ ଯାହା ଦେଖାଯାଉଥିଲା, ଗଣତନ୍ତ୍ରରେ ବି ତାହା ବିକଳ/ଅବିକଳ ଦୃଶ୍ୟମାନ। ଗଣତନ୍ତ୍ରର ମୁଖା ଖସିଲେ ପ୍ରତ୍ୟେକ ଶାସକ ଜଣେଜଣେ ଚେଙ୍ଗିଜ୍‌ ଖାଁ, ନାଦିର ଶାହ, ହିଟଲର, ମୁସୋଲିନି କି ପୁଟିନର ଅଭିନ୍ନ ପ୍ରତିରୂପ। ପ୍ରଚଣ୍ଡ ରାଷ୍ଟ୍ରବାଦୀ ପୁଟିନ ବି ଏବେ ‘ନୂଆ ଇତିହାସ’ ଲେଖିବାକୁ ଦେଇଚି ନିର୍ଦେଶ, ଯେଉଁଥିରୁ ହଟିବ ୟୁକ୍ରେନ୍‌ ଓ କିଭ୍‌ର ନାଁ। ଏଇନା ଭାରତ ସମେତ ବହୁ ରାଷ୍ଟ୍ରରେ ‘ନୂଆ ଇତିହାସ’ ଲେଖାଯିବାର ପ୍ରବଣତା ପ୍ରବଳ। ପୁରୁଣା ଇତିହାସ ଅଣରାଷ୍ଟ୍ରବାଦୀ, ତେଣୁ ଫୋପଡ଼ାଯୋଗ୍ୟ! ଅବଶ୍ୟ ନିଜ ଇତିହାସ ନିଜେ ଲେଖିବା ରାଷ୍ଟ୍ରବାଦର ଏକ ଅପରିହାର୍ଯ୍ୟ ସର୍ତ୍ତ; କିନ୍ତୁ ଗୋଟାପଣେ ଏ ଇଉରୋପୀୟ ସର୍ତ୍ତଟା ଭାରତ ଭଳି ‘ଇଉନିଟି ଇନ୍‌ ଡାଇଭର୍‌ସିଟି’(ବିଭିନ୍ନତା ମଧ୍ୟରେ ଏକତା)ବିଶିଷ୍ଟ ‘ଧର୍ମନିରପେକ୍ଷ’ ରାଷ୍ଟ୍ରର ଇତିହାସ ଲେଖିବାବେଳେ ଏକଦେଶଦର୍ଶୀ ସଂକୀର୍ଣ୍ଣତା ମଧ୍ୟକୁ ଟାଣିଆଣିପାରେ, ସେଇ ଆଶଙ୍କା କମ୍‌ ନୁହେଁ; କାହିଁକିନା ଯେଉଁ ରାଷ୍ଟ୍ରବାଦୀ ବର୍ଗ ନିଜ ଇତିହାସ ଲେଖିବାକୁ ଚାହାନ୍ତି, ସେମାନଙ୍କ ପାଇଁ ଜାତୀୟ ଇତିହାସ କହିଲେ କେବଳ ହିନ୍ଦୁର ସ୍ମୃତି, ହିନ୍ଦୁର ଐକ୍ୟ ଓ ହିନ୍ଦୁର ପରାକ୍ରମ, ଅଥଚ ଯେଉଁମାନେ ହିନ୍ଦୁ ନୁହନ୍ତି, ଅଥଚ ଭାରତବାସୀ, ସେମାନେ ବି ନୁହନ୍ତି ବହିରାଗତ। ଯେଉଁକିଛି ବହିରାଗତ, ସେମାନେ ବି ହୋଇସାରିଛନ୍ତି କେବେଠୁ ଭାରତୀୟତାର ଅବିଚ୍ଛିନ୍ନ ଅଙ୍ଗ। ଭାରତୀୟ ଜନଜୀବନର ବିଭିନ୍ନତା ଯେ ସବୁ ଧର୍ମବିଶ୍ବାସକୁ ଧାରଣ କରିପାରେ, ଏହା ଆଉ ପ୍ରମାଣ କରିବାର ନାହିଁ ଆବଶ୍ୟକତା। ଭାରତୀୟ ଐତିହ୍ୟ ପ୍ରାଚୀନ ହିନ୍ଦୁ ସଭ୍ୟତାର ଅବଦାନ, ଏହା ନିର୍ବିବାଦୀୟ। ଏହା ମଧ୍ୟ ନିଃସଂଶୟ ଯେ ଇସଲାମୀୟ ଇତିହାସ ମୁଖ୍ୟତଃ ବିଦେଶୀ ଆକ୍ରମଣର ଇତିହାସ, ଯେଉଁଥିରେ ମନ୍ଦିର ଭାଂଗି ମସଜିଦ୍ ନିର୍ମାଣ କରାଯିବା ଭଳି ହିଂସ୍ର ଶାସନର ଦୃଷ୍ଟାନ୍ତ କମ୍‌ ନାହିଁ‌; କିନ୍ତୁ ଭାରତୀୟ କଳା, ସ୍ଥାପତ୍ୟ, ଚିତ୍ରକଳା, ସଂଗୀତ, ସଂସ୍କୃତି ସବୁଥିରେ ଯେଉଁ ବୈଚିତ୍ର୍ୟ ଓ ବିବିଧତା ତା’ର ହେତୁ ଯେ ଶହଶହ ବର୍ଷର ସାମ୍ପ୍ରଦାୟିକ ସଦ୍ଭାବ ଓ ସହାବସ୍ଥାନ, ତା’ ତ ଅନସ୍ବୀକାର୍ଯ୍ୟ। ପୁନଶ୍ଚ, ଏ ଗଣତନ୍ତ୍ର ଯୁଗରେ ଶହଶହ ବର୍ଷ ତଳର ସେହି ରାଜତାନ୍ତ୍ରିକ ଅନ୍ୟାୟୀ ଇତିହାସକୁ ପୁଣିଥରେ ଦୋହରାଇବା କେଉଁ ଭାବରେ ବୁଦ୍ଧିମତ୍ତା? କେଉଁ ଯୁଗରେ ଯଦି ପ୍ରାଚୀନ ବୌଦ୍ଧସ୍ତୁପ ଉପରେ କୋଉ ମନ୍ଦିର ଯଦି ଗଢ଼ିଉଠିଥିଲା କାଳକ୍ରମେ, ସେଇ ମନ୍ଦିରକୁ ଭାଂଗି ସେଇଠି କ’ଣ ପୁଣି ବୌଦ୍ଧପୀଠ କରାଯିବ ନିର୍ମାଣ? ଆର୍‌ଏସ୍‌ଏସ୍‌ (ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ) ମୁଖିଆ ମୋହନ ଭାଗବତଙ୍କ କହିବା ପରି ‘ହର୍‌ ମସଜିଦ୍‌ ମେଁ ଶିବଲିଙ୍ଗ୍‌ କ୍ୟୁଁ ଦେଖ୍‌ନା’ (ସବୁ ମସଜିଦ୍‌ରେ ଶିବଲିଙ୍ଗ କାହିଁକି ଖୋଜିବା)। ତାଙ୍କ ଭାଷାରେ କହିଲେ, ‘‘ଇତିହାସକୁ ଆମେ ବଦଳାଇପାରିବା ନାହିଁ। ସେହି ଇତିହାସ ଆମ ଦ୍ବାରା ସୃଷ୍ଟି ହୋଇନଥିଲା, ବର୍ତ୍ତମାନର ହିନ୍ଦୁ ବା ମୁସଲମାନଙ୍କ ଦ୍ବାରା ସୃଷ୍ଟି ହୋଇନଥିଲା; ଏହା ଆକ୍ରମଣକାରୀ ମୁସଲମାନଙ୍କ ସମୟରେ ହୋଇଥିଲା; ତେଣୁ ନୂଆ ବିବାଦ ଆରମ୍ଭ କରିବା ଅନାବଶ୍ୟକ।’’ ମର୍ମକଥା ହେଉ ବା ଛଳକଥା, ଏ ‘ଭାଗବତ ବାଣୀ’ କିନ୍ତୁ ସତ୍ୟର ବେଶି ନିକଟବର୍ତ୍ତୀ, ଅଥଚ ଇତିହାସର ପୁନର୍ଲିଖନକାରୀଙ୍କୁ ଏହା ମନେହୋଇପାରେ ଅସଙ୍ଗତ। ଇସଲାମ ଓ ଖ୍ରୀଷ୍ଟଧର୍ମ ମୂଳତଃ ବହିରାଗତ ହେଲେ ବି ଏ ଦେଶର ମୁସଲମାନ ଓ ଖ୍ରୀଷ୍ଟିଆନ ତ ଆମରି ହିଁ ଧର୍ମାନ୍ତରିତ ଭାଇବିରାଦର, ୟାକୁ କ’ଣ ଅସ୍ବୀକାର କରିହେବ? ସବୁଠୁ ବଡ଼ କଥା, ଇତିହାସ କାହିଁକି ବା ହେବ କୌଣସି ନିର୍ଦିଷ୍ଟ ଧାର୍ମିକ ଅନୁଷଙ୍ଗ କି ମତାଦର୍ଶର ବିଭାଜକ ବିଷୟ। ଯାହା ବାସ୍ତବ, ତାହା କାହିଁକି ହେବନାଇଁ ତା’ର ଉପଜୀବ୍ୟ; ଆଉ ଆର୍ଯ୍ୟ ଓ ଆ​‌େ​‌ର୍ଯ୍ୟତର ସଭିଏଁ ତ ଏ ବାସ୍ତବତାର ଅନ୍ତର୍ଭୁକ୍ତ। ଇତିହାସ ଯଦି ଲେଖାଯିବ ଲେଖାଯାଉ ବିକଳ୍ପ ଇତିହାସ; ଖୋଜାଯାଉ ବିକଳ୍ପ ଇତିହାସର ଭୂଗୋଳ, ଯାହାର କେନ୍ଦ୍ରରେ ରାଜାରାଜୁଡ଼ା, ସୈନ୍ୟସାମନ୍ତ, ଏପରିକି ରାଷ୍ଟ୍ର ବି ନଥିବ; ଥିବେ କେବଳ ଜାତିଧର୍ମ ନିର୍ବିଶେଷରେ ଭାରତବର୍ଷର ଅଗଣିତ ଲୋକସମୂହ, ଯାହାଙ୍କ ଭିତରେ ପ୍ରକୃତ ଇତିହାସ ସମାବିଷ୍ଟ।

(‘ସମାଜ’ରେ ୨୪ ଜୁଲାଇ ୨୦୨୨ରେ ପ୍ରକାଶିତ)

Read More

ସାକ୍ଷାତକାର/ ହରିବଂଶ ନାରାୟଣ ସିଂହ

Leave a Comment


‘ବିଚାରଗତ ପରିବର୍ତ୍ତନ ସମାଜକୁ କଳୁଷିତ କରୁଛି’

 

ହରିବଂଶ ନାମରେ ଜଣାଶୁଣା ହରିବଂଶ ନାରାୟଣ ସିଂହ (ଜନ୍ମ: ୩୦ ଜୁନ ୧୯୫୬) ଦୀର୍ଘ ତିନି ଦଶନ୍ଧିର ସାମ୍ବାଦିକତା ପରେ ରାଜନୀତିରେ ପାଦ ଦେଇଥିଲେ ୨୦୧୪ ମସିହାରେ ବିହାରର ଜନତା ଦଳ (ୟୁନାଇଟେଡ) ଜରିଆରେ। ରାଜ୍ୟସଭାକୁ ମନୋନୀତ ହୋଇ ପ୍ରଥମ କାର୍ଯ୍ୟକାଳରେ ହିଁ ସେ ୨୦୧୮ରେ ଏନ୍‌ଡିଏର ପ୍ରାର୍ଥୀ ରୂପେ ରାଜ୍ୟସଭାର ଉପାଧ୍ୟକ୍ଷ ନିର୍ବାଚିତ ହେଲେ ଓ ଦ୍ବିତୀୟ ଥର ୨୦୨୦ରେ ପୁନଃନିର୍ବାଚିତ ହୋଇଛନ୍ତି। ଶ୍ରୀ ହରିବଂଶଙ୍କ ସାମ୍ବାଦିକ ଜୀବନ ଆରମ୍ଭ ହୋଇଥିଲା ୧୯୭୭ରେ ଟାଇମ୍ସ ଅଫ୍ ଇଣ୍ଡିଆ ଗ୍ରୁପ୍‌ର ହିନ୍ଦୀ ପତ୍ରିକା ‘ଧର୍ମୟୁଗ୍‌’ରୁ ଏବଂ ପରେ ସେ କଲକାତାର ଆନନ୍ଦ ବଜାର ପତ୍ରିକା ଗ୍ରୁପ୍‌ର ହିନ୍ଦୀ ପତ୍ରିକା ‘ରବିବାର’ରେ କାର୍ଯ୍ୟ କଲେ। ୧୯୮୯ରେ ସେ ‘ପ୍ରଭାତ ଖବର’ ଖବରକାଗଜର ମୁଖ୍ୟ ସମ୍ପାଦକ ହେଲେ, ଯାହା ବିହାରର ଗୋଖାଦ୍ୟ ଦୁର୍ନୀତି ସମେତ ବହୁ ଦୁର୍ନୀତିର ପେଡ଼ି ଖୋଲିଥିବାରୁ ବେଶ୍‌ ପ୍ରସିଦ୍ଧ। ହରିବଂଶ ପୂର୍ବତନ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖରଙ୍କ ଜୀବନୀ ସମେତ ବହୁ ପୁସ୍ତକର ରଚୟିତା ଓ ସଂପାଦକ।
ନିକଟରେ ‘ଗୋପବନ୍ଧୁଙ୍କ ସତ୍ୟବାଦୀ’ ପତ୍ରିକାର ବାର୍ଷିକୋତ୍ସବରେ ଯୋଗ ଦେବାକୁ ଓଡ଼ିଶା ଆସିଥିବା ଅବସରରେ ହରିବଂଶଙ୍କ ସହ ‘ସମାଜ’ ପକ୍ଷରୁ ଆଲୋଚନା କରିଥିଲେ ଅଶୋକ

 

ସମାଜ: ଆପଣ ପ୍ରଥମେ ଜଣେ ସାମ୍ବାଦିକ ଥିଲେ ଏବଂ ପରେ ରାଜନୀତିକୁ ଆସିଲେ।  ଏହା କିପରି ସମ୍ଭବ ହେଲା? ନିଜର ରାଜନୈତିକ ବିଚାର ପାଇଁ ଆପଣ କାହାକୁ ପ୍ରେରଣା ବୋଲି ମାନନ୍ତି?
ହରିବଂଶ: ମୂଳତଃ ମୁଁ ଜଣେ ସାମ୍ବାଦିକ ଓ ଦୀର୍ଘ ସମୟ ଧରି ସାମ୍ବାଦିକତା କରିଛି। ମୋର ଜନ୍ମ ଜୟପ୍ରକାଶ ନାରାୟଣ ଜୀଙ୍କ ଗାଁରେ ହୋଇଥିଲା। ଏହା ଦୁଇଟି ରାଜ୍ୟ ଉତ୍ତରପ୍ରଦେଶ ଓ ବିହାରର ଗାଁ। ତିନିଟି ଜିଲା ଆରା, ବଲିଆ ଓ ଛପରା ଭିତରେ ଏହି ଗାଁଟି ଆସେ। ସଂଯୋଗବଶତଃ ଜୟପ୍ରକାଶଙ୍କ ଜନ୍ମ ସେଇ ଗାଁରେ ହୋଇଥିବାରୁ ସେ ମୋର ସ୍ବାଭାବିକ ପ୍ରେରଣା ପାଲଟିଗଲେ। ଯେତେବେଳେ ମୁଁ ଯୁବକ ଥିଲି, ପାଠ ପଢ଼ୁଥିଲି, ସେତେବେଳେ ଜୟପ୍ରକାଶ ଆନ୍ଦୋଳନ ଆରମ୍ଭ ହେଲା। ମୁଁ ବନାରସ (ବାରାଣସୀ)ରେ ଅର୍ଥନୀତି ପଢ଼ୁଥିଲି। ସେତେବେଳେ ଆନ୍ଦୋଳନରୁ ପ୍ରେରଣା ମିଳିଲା ଓ ଆମକୁ ଲାଗିଲା ଯେ ସମାଜ ବଦଳିବା ଉଚିତ। ଜୟପ୍ରକାଶ ନାରାୟଣ ଯେଉଁ ପ୍ରସଙ୍ଗ ଉଠାଇଛନ୍ତି, ଆମକୁ ତାହା ଠିକ୍‌ ମନେହେଲା। ତେଣୁ ଆ​‌େ​‌ମ ତାକୁ ଦର୍ଶନ ଭାବେ ଗ୍ରହଣ କଲୁ। ସମାଜ ପରିବର୍ତ୍ତନ ପାଇଁ ସାମ୍ବାଦିକତା ଠିକ୍‌ ରାସ୍ତା ବୋଲି ମନେହେଲା। ସ୍ବାଧୀନତା ସଂଗ୍ରାମ ସମୟରେ ମଧ୍ୟ ସାମ୍ବାଦିକତା ତାହା କରୁଥିଲା। ସମ୍ମାନନୀୟ ଗୋପବନ୍ଧୁ ଦାସ ଜୀଙ୍କ କଥା ନିଅନ୍ତୁ। ସ୍ବାଧୀନତା ସଂଗ୍ରାମ ସମୟରେ ସେ ସାମ୍ବାଦିକତା ଓ ସାହିତ୍ୟକୁ ଧରି ହିଁ ସଂଗ୍ରାମ କଲେ, ଅନ୍ୟମାନଙ୍କ ବିଚାରକୁ ପ୍ରଭାବିତ କଲେ। ସେହି ଦୃଷ୍ଟିରୁ ଜୟପ୍ରକାଶ ଆନ୍ଦୋଳନ ସମୟରେ ଟାଇମ୍ସ ଅଫ୍‌ ଇଣ୍ଡିଆରେ ତାଲିମ ଗ୍ରହଣକାରୀ ସାମ୍ବାଦିକତା ଯୋଜନା କାର୍ଯ୍ୟକାରୀ ହେଉଥିଲା। ସେଇଠି ଏସ୍‌.ପି. ସିଂହ, ଗଣେଶ ମନ୍ତ୍ରୀ, ବିକ୍ରମ ରାଓ, ଏମ୍‌.ଜେ. ଆକବର, ଉଦୟନ ଶର୍ମାଙ୍କ ଭଳି ବିଶିଷ୍ଟ ଲୋକେ ମନୋନୀତ ହୋଇ ଆସିଥିଲେ। ସେହି କ୍ରମରେ ୧୯୭୭ରେ ମୋର ‘ବମ୍ବେ ଟାଇମ୍ସ ଅଫ୍ ଇଣ୍ଡିଆ’ରେ ଜଣେ ଟ୍ରେନି ଜର୍ଣ୍ଣାଲିଷ୍ଟ୍‌ ଭାବେ ପ୍ରବେଶ ଘଟିଲା। ସେତେବେଳେ ସର୍ବାଧିକ ବିକ୍ରି ହେଉଥିବା ପତ୍ରିକା ‘ଧର୍ମୟୁଗ୍‌’ରେ କାମ କରିବାର ସୁଯୋଗ ମିଳିଲା। ସେଠାରୁ ମୁଁ ହାଇଦରାବାଦକୁ ଏକ ବ୍ୟାଙ୍କ୍‌ ଚାକିରି ପାଇଁ ଗଲି। ପରେ ତାକୁ ଛାଡ଼ି କଲିକତା ଅାନନ୍ଦ ବଜାର ପତ୍ରିକାର ‘ରବିବାର’ରେ ଯୋଗ ଦେଲି। ଦୁଇ ମହାନଗରୀ ବମ୍ବେ ଓ କଲିକତାର ସବୁଠୁ ବଡ଼ ଖବରକାଗଜ ସମୂହରେ କାମ କରିବା ପରେ ମୋର ମନେହେଲା ଯେ ଛୋଟ ଜାଗାକୁ ଯାଇ ଜୟପ୍ରକାଶ ଆନ୍ଦୋଳନର ଯେଉଁ ଆଶା ଆକାଙ୍‌କ୍ଷା ରହିଥିଲା, ତାହା ସାମ୍ବାଦିକତା ମାଧ୍ୟମରେ ସମ୍ଭବ ହେଉଛି ନା ନାହିଁ ତାହା ପରୀକ୍ଷା କରାଯିବା ଉଚିତ। ଏହାପରେ ୧୯୮୯ ଅକ୍ଟୋବରରେ ମୁଁ ଏକ ବନ୍ଦପ୍ରାୟ ଖବରକାଗଜରେ ଯୋଗ ଦେବାକୁ ରାଞ୍ଚି ଗଲି। ୪୦୦ କପି ବିକ୍ରି ହେଉଥିଲା। ୨୬ ବର୍ଷ ପରେ ଯେତେବେଳେ ମୁଁ ସେହି ଖବରକାଗଜକୁ ବିଦାୟ ନେଲି, ସେତେଳେକୁ ତା’ର ଦଶଟି ସଂସ୍କରଣ ପ୍ରକାଶ ପାଉଥିଲା ଏବଂ ପାଠକ ସଂଖ୍ୟା ଥିଲେ କୋଟିକୋଟି। ୧୯୮୯-୯୦ରେ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖର ଜୀ ମୋତେ ପ୍ରେସ୍‌ ଆଡ଼ଭାଇଜର ଜଏଣ୍ଟ ସେକ୍ରେଟାରୀ ଭାବେ ରଖିଲେ। ମୋ ଭିତରେ ରାଜନୀତି ପ୍ରତି ରୁଚି ଥିଲା। ୨୦୧୪ରେ ଜନତା ଦଳ (ୟୁନାଇଟେଡ)ର ନୀତୀଶ କୁମାର ଜୀ ମୋତେ ରାଜ୍ୟସଭାକୁ ପଠାଇବାକୁ କହିଲେ। ଦେଖନ୍ତୁ, ଆରମ୍ଭରୁ ହିଁ ମୁଁ ମାନିଆସିଛି ଯେ ରାଜନୀତି ହିଁ ସମାଜକୁ ବଦଳାଏ।  ଦେଶର ନିୟତି ସ୍ଥିର ହେଉଥିବା ସଂସଦ ଯାଇକି ଦେଖିବାକୁ ମୋର ଇଚ୍ଛା ହେଲା। ଏହିପରି ଭାବେ ସାମ୍ବାଦିକତାରୁ ମୋର ରାଜନୀତିରେ ପ୍ରବେଶ ଘଟିଲା। 


ଆପଣ କହିଲେ ଆପଣଙ୍କ ଉପରେ ଜୟପ୍ରକାଶଙ୍କ ପ୍ରଭାବ ପଡ଼ିଥିଲା। ତେବେ ଆପଣ ତାକୁ ସାମ୍ବାଦିକତା ଓ ରାଜନୈତିକ ଜୀବନରେ କିପରି କାର୍ଯ୍ୟକାରୀ କଲେ?
ସର୍ବପ୍ରଥମେ ଜୀବନରେ ସରଳତା ଓ ନୈତିକ ମୂଲ୍ୟବୋଧକୁ ଆପଣାଇବା। ମନେରଖନ୍ତୁ ଯେ, ଜୟପ୍ରକାଶ ଥିଲେ ଗାନ୍ଧିଜୀଙ୍କ ଦର୍ଶନର ସର୍ବଶ୍ରେଷ୍ଠ ବ୍ୟାଖ୍ୟାକାର, ସମାଜବାଦର ପ୍ରତିଷ୍ଠାତା ଥିଲେ। ୧୯୬୪ରେ ସେ ହିଁ ‘ସଂପୂର୍ଣ୍ଣ କ୍ରାନ୍ତି’ ଆରମ୍ଭ କଲେ। ଗାନ୍ଧିଜୀ ସବୁବେଳେ ରାଜନୀତିରେ ସରଳତା ଓ ନୈତିକତାକୁ ଗୁରୁତ୍ବ ଦେଉଥିଲେ। ଭୁଲ୍‌ ବାଟରେ ଯାଇ ଆପଣ ଠିକ୍‌ ଲକ୍ଷ୍ୟସ୍ଥଳରେ ପହଞ୍ଚିପାରିବେ ନାହିଁ। ତେଣୁ ଆମକୁ ବୈଚାରିକ ଆଧାରରେ ଏବେମଧ୍ୟ ଜୟପ୍ରକାଶ ଓ ଗାନ୍ଧିବାଦୀ ଦର୍ଶନରୁ ପ୍ରେରଣା ମିଳିଥାଏ, ଯାହାକୁ ଆମେ ବ୍ୟକ୍ତିଗତ ଜୀବନରେ ମଧ୍ୟ ପ୍ରୟୋଗ କରିପାରିବା। 


ଆପଣଙ୍କୁ କିଛି ଲୋକ ସମାଜବାଦୀ କହନ୍ତି ତ କିଛି ଲୋକ ଏବେ ସେପରି କହିବାକୁ କୁଣ୍ଠାବୋଧ କରୁଛନ୍ତି। ଆପଣ ପୂର୍ଣ୍ଣତଃ ସମାଜବାଦୀ ନା ଆଉ କିଛି?

ପ୍ରକୃତରେ ସମାଜବାଦର ଅବଧାରଣା ବଦଳିଚାଲିଛି। ଖୋଦ୍‌ ଜୟପ୍ରକାଶଙ୍କ ଜୀବନକୁ ଦେଖନ୍ତୁ ସେଥିରେ କେତେ ପରିବର୍ତ୍ତନ ଆସିଛି। ସେ ମାର୍କ୍ସବାଦ ଆପଣାଇଲେ; ପରେ ସମାଜବାଦର ପ୍ରଣେତା ହେଲେ। ପୁଣି ସର୍ବୋଦୟ ଏବଂ ଶେଷରେ ୭୪’ରେ ସମ୍ପୂର୍ଣ୍ଣ କ୍ରାନ୍ତି କଥା କହିଲେ। ସେ କହିଲେ ଯେ ସମୟର ଧାରା ଅନୁସାରେ ବିଚାର ମଧ୍ୟ ବଦଳେ। କୌଣସି ବିଚାର ସ୍ଥିର ନୁହେଁ। ଆଜି ସମାଜର ସବୁଠୁ ବଡ଼ ସମସ୍ୟା ହେଲା ଚରିତ୍ରକୁ ନେଇ, ନୈତିକତାକୁ ନେଇ। କାହାକୁ ଆକ୍ରମଣାତ୍ମକ ବ୍ୟବହାର ନ କରିବା, ସରଳ ଓ ନୈତିକ ଜୀବନ ବଞ୍ଚିବା- ଗାନ୍ଧିଜୀ ତାଙ୍କ ଆଶ୍ରମରେ ଏହା ଉପରେ ସର୍ବଦା ଗୁରୁତ୍ବାରୋପ କରୁଥିଲେ। ଜୟପ୍ରକାଶ ମଧ୍ୟ ଏ ମୂଲ୍ୟବୋଧକୁ ଆପଣାଇଥିଲେ। ତେଣୁ ଏସବୁ ଶାଶ୍ବତ ମୂଲ୍ୟବୋଧଗୁଡ଼ିକୁ ନିଜ ଜୀବନର ଅଂଶ କରିବାକୁ ଆମେ ଚେଷ୍ଟିତ ହେବା ଉଚିତ। ତେଣୁ ମୋ କ୍ଷେତ୍ରରେ ଯେଉଁମାନେ ସେପରି କହନ୍ତି, ତାହା ତାଙ୍କ ବ୍ୟକ୍ତିଗତ ବିଚାର। ସର୍ବୋଦୟର ବଡ଼ ନେତା ଦାଦା ଧର୍ମାଧିକାରୀ କହୁଥିଲେ, ପୁଞ୍ଜିବାଦ, ସାମ୍ୟବାଦ, ସମାଜବାଦ, ଅରାଜକତାବାଦ- ଏହା ବଡ଼ ପ୍ରଶ୍ନ ନୁହେଁ; ବଡ଼ ପ୍ରଶ୍ନ ହେଉଛି ଏପରି କୌଣସି ସାଧନ ଅଛି ନା ନାହିଁ, ଯାହାଦ୍ବାରା ମନୁଷ୍ୟର ପରିବର୍ତ୍ତନ ଘଟିବ, ସେ ବଦଳିବ। ଗାନ୍ଧିଜୀ କୌଣସି ବାଦ ଭିତରେ ବାନ୍ଧି ହୋଇ ନଥିଲେ। ସମାଜ କିପରି ବଦଳିବ, ସାମ୍ବାଦିକତାକୁ ଧରି ମୁଁ ଚେଷ୍ଟା କରିଥିଲି ଏବଂ ଏବେ ରାଜନୀତିକୁ ଧରି ତାହା କରିବାକୁ ଉଦ୍ୟମ କରୁଛି। 


ବ୍ୟକ୍ତିଗତ ଜୀବନ ଭଳି ସଂସଦରେ ମଧ୍ୟ ନିଜ ଆଚରଣ ଦ୍ବାରା ଅନ୍ୟମାନଙ୍କୁ ଆପଣ ବେଶ୍‌ ପ୍ରଭାବିତ କରିଛନ୍ତି; କିନ୍ତୁ କୃଷି ବିଧେୟକକୁ ଧ୍ବନିମତରେ ମଂଜୁରୀ ଦିଆଇବା ପରେ ଆପଣଙ୍କ ଭାବମୂର୍ତ୍ତିକୁ ନେଇ ପ୍ରଶ୍ନ ଉଠିଥିଲା। ଏ ସମ୍ପର୍କରେ ଆପଣ କ’ଣ କହିବେ?
ଦୁଇଟି କଥା ମୁଁ କହିବାକୁ ଚାହିଁବି। ସେତେବେଳେ ପଦମର୍ଯ୍ୟାଦା ଅନୁସାରେ ମୁଁ ଆଚରଣ କରିଥିଲି। ଆମ ବ୍ୟବସ୍ଥାରେ ଏପରି କେତେକ ପଦ ଅଛି, ଯଥା ବାଚସ୍ପତି, ଅଧ୍ୟକ୍ଷ, ଉପାଧ୍ୟକ୍ଷ ବା ବିଚାର ବିଭାଗୀୟ ପଦଗୁଡ଼ିକ, ଏସବୁରେ ପଦସ୍ଥ ବ୍ୟକ୍ତି ସାମ୍ବାଦିକ ସମ୍ମିଳନୀରେ କିଛି କହିପାରିବେ ନାହିଁ। ଆପଣ କେବେମଧ୍ୟ କୌଣସି ଖବରକାଗଜ ବା ଗଣମାଧ୍ୟମରେ ଏ ନେଇ ମୋର ବିବୃତି ବା ପ୍ରେସ୍‌ ବିଜ୍ଞପ୍ତି ପାଇବେ ନାହିଁ; କାହିଁକିନା ଏ ପଦର ମର୍ଯ୍ୟାଦା ହିଁ ସେହିଭଳି। କିନ୍ତୁ ଆପଣ ଯେଉଁ ପ୍ରଶ୍ନଟି ପଚାରିଛନ୍ତି, ମୁଁ ଅନୁରୋଧ କରିବି, କୃଷି ବିଲ୍‌ ସମ୍ପର୍କିତ ରାଜ୍ୟସଭାର ରେକର୍ଡକୁ ବାହାର କରି ଦେଖନ୍ତୁ ଯେ ମୁଁ ଅନେକ ଥର ସଦସ୍ୟମାନଙ୍କୁ କହିଛି, ସେମାନେ ଶାନ୍ତିପୂର୍ଣ୍ଣ ଭାବେ ବସନ୍ତୁ, ସତର ଅଠର ଥର। ଆସନରେ ନ ବସିବା ପର୍ଯ୍ୟନ୍ତ ଭୋଟିଂ (ମତଗ୍ରହଣ) ହୋଇପାରିବ ନାହିଁ। ପ୍ରସଙ୍ଗଟି ଉପରେ ସାଢ଼େ ତିନି- ଚାରି ଘଣ୍ଟା ଆଲୋଚନା ହୋଇଛି। ତେଣୁ ଆପଣ ଦେଖିପାରିବେ; ସଦନ ରେକର୍ଡରୁ ଜଣାପଡ଼ିବ ଯେ ସେତେବେଳେ ସ୍ଥିତି କ’ଣ ଥିଲା। ଯେତେବେଳେ ମୁଁ ଏହି ପଦରୁ ଚାଲିଯିବି, ସେତେବେଳେ ଜଣେ ସ୍ବାଧୀନ ନାଗରିକ ଭା‌େ‌ବ ମୁଁ ସବୁକିଛି ସ୍ପଷ୍ଟଭାବେ କହିବି।


ପୂର୍ବତନ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖରଙ୍କ ସହ ଆପଣଙ୍କ ଖୁବ୍‌ ଭଲ ସମ୍ବନ୍ଧ ରହିଥିଲା। ଆପଣ ତାଙ୍କର ଅତିରିକ୍ତ ସୂଚନା ପରାମର୍ଶଦାତା ଥିଲେ। ଆପଣ ତାଙ୍କ ଉପରେ ଅନେକ ପୁସ୍ତକ ମଧ୍ୟ ଲେଖିଛନ୍ତି। ଭାରତ ଇତିହାସରେ ତାଙ୍କର ସ୍ଥାନ କେଉଁଠି ବୋଲି ଆପଣ ଭାବନ୍ତି?
ପ୍ରକୃତରେ ଚନ୍ଦ୍ରଶେଖର ଥିଲେ ନିଜ ବିଚାରାଧାରାରେ ଆଜୀବନ ଚାଲୁଥିବା ଜଣେ ବ୍ୟକ୍ତି। ଆପଣ ଠିକ୍‌ କହିଲେ ଯେ ମୁଁ ତାଙ୍କ ଉପରେ ସାତ ଆଠଟି ବହି ଲେଖିଛି। ୨୦୧୯ରେ ପ୍ରକାଶ ପାଇଥିଲା ତାଙ୍କର ଜୀବନୀ ‘ଦ ଲାଷ୍ଟ୍‌ ଆଇକନ୍‌ ଅଫ୍ ଆଇଡିଓଲୋଜିକାଲ୍‌ ପଲିଟିକ୍ସ’ ଅର୍ଥାତ ‘ବୈଚାରିକ ରାଜନୀତିର ଅନ୍ତିମ ପ୍ରଣେତା’। 


ଏ କଥା ଆପଣଙ୍କ ମନ ଭିତରେ କିପରି ଆସିଲା?

ଜୀବନରେ ଯେଉଁ ସମାଜବାଦର ବିଚାରଧାରାକୁ ଆପଣାଇଲେ, ଆଜୀବନ ସେଥିରେ ଅଟଳ ରହିଲେ। ଆପଣଙ୍କର ମନେଥିବ, ୧୯୯୧ରେ ଯେତେବେଳେ ଉଦାରୀକରଣ ଆରମ୍ଭ ହେଲା, ସେତେବେଳେ ସେ ଏକମାତ୍ର ବ୍ୟକ୍ତି ଥିଲେ ଯିଏ ସମଗ୍ର ଦେଶରେ ପରିଭ୍ରମଣ କରିଥିଲେ। ଓଡ଼ିଶା ବି ଆସିଥିଲେ। ବୁଲିବୁଲି ଲୋକଙ୍କୁ ସଚେତନ କରିବା ଆରମ୍ଭ କଲେ ଯେ ଉଦାରୀକରଣର ପ୍ରଭାବ କ’ଣ ପଡ଼ିବ; ଆମ ସମାଜକୁ କୁଆଡ଼େ ନେବ। ତାଙ୍କ ବିଚାରରେ ଆମେ ସହମତ ବା ଅସହମତ ହୋଇପାରୁ; କିନ୍ତୁ ଆରମ୍ଭରୁ ଯେଉଁ ବିଚାରକୁ ସେ ବିଶ୍ବାସ କଲେ, ତାକୁ ଆଜୀବନ ଧରି ରଖିଲେ। କଳାହାଣ୍ଡି ଯାଇ ସେଠାକାର ପ୍ରସଙ୍ଗ ଉଠାଇବାରେ ​‌େ​‌ସ ଦେଶର ପ୍ରଥମ ଜାତୀୟ ନେତା। ଆଜି ବି କଳାହାଣ୍ଡିରେ ଭକ୍ତଚରଣ ଦାସ ଥିବେ। ଚନ୍ଦ୍ରଶେଖର ଭାରତ ଯାତ୍ରା ପାଇଁ ଯେଉଁ ଟ୍ରଷ୍ଟ୍‌ ଗଢ଼ିଥିଲେ, ସେଥିରେ ନିଜର କୌଣସି ସମ୍ପର୍କୀୟଙ୍କୁ ରଖି ନଥିଲେ। ଯେଉଁ ବ୍ୟକ୍ତି ନିଜ ଜୀବନରେ ସର୍ବଦା ସମାଜବାଦର ଆଦର୍ଶକୁ ବଞ୍ଚିଚାଲିଥିଲେ, ତାଙ୍କର ଗଭୀର ପ୍ରଭାବ ପଡ଼ିବା ସ୍ବାଭାବିକ ଥିଲା। ସେ ଜୟପ୍ରକାଶଙ୍କର ଅତି ଘନିଷ୍ଠ ଥିଲେ। 


ବିଗତ କିଛି ବର୍ଷ ହେଲା ଦେଖାଯାଉଛି ଯେ ସଂସଦରେ ଯେଉଁଭଳି ବିଚାରବିମର୍ଶ ହେବା କଥା ତାହା ହେଉନାହିଁ। ସରକାରୀ ପକ୍ଷ ବିରୋଧୀଙ୍କ କଥା ଶୁଣିବାକୁ ପ୍ରସ୍ତୁତ ନୁହନ୍ତି। ଆପଣଙ୍କୁ ଲାଗୁନାହିଁ କି ଯେ ଏହା ଏକ ଅଗଣତାନ୍ତ୍ରିକ ଆଚରଣ ଏବଂ ଗଣତନ୍ତ୍ରର ଅପମାନ?

ମୁଁ ଯେଉଁ ପଦରେ ରହିଛି, ସେଥିରେ ଥାଇ ଏ ପ୍ରଶ୍ନର ଉତ୍ତର ଯେପରି ଦେବା କଥା ଦେଇପାରିବି ନାହିଁ। ମୋ କାର୍ଯ୍ୟ ହେଉଛି ଗୃହ ପରିଚାଳନା କରିବା। ଉତ୍ତମ ବିଚାରବିମର୍ଶ ହେଉ- ସରକାର ଓ ବିରୋଧୀ ଦଳ ଉଭୟ ସେପରି ଚାହିଁବା ଦରକାର। ଆପଣ ଦେଖିଥିବେ ଯେ ରାଜ୍ୟସଭାରେ ବହୁତ ଉଚ୍ଚ ସ୍ତରର ବିଚାରବିମର୍ଶ ହୋଇଥାଏ। ଦୁର୍ଭାଗ୍ୟର କଥା ଯେ ଆଜିକାଲି କେବଳ ସଂସଦ ନୁହେଁ, ବିଧାନସଭାରେ ମଧ୍ୟ ଉତ୍ତମ ବିଚାରବିମର୍ଶ ଓ ଆଲୋଚନା ହୋଇପାରୁ ନାହିଁ। ସଂସଦ ଓ ବିଧାନସଭା, ଏହା ହେଉଛି ଗଣତନ୍ତ୍ରର ମନ୍ଦିର; ଏଠାରେ ଲୋକଙ୍କର ନିୟତି ନିର୍ଣ୍ଣୟ ହୋଇଥାଏ। ଆଜି ଟେକ୍ନୋଲୋଜି ଯେଉଁଭଳି ବଦଳିଚାଲିଛି; ଜଳବାୟୁ ପରିବର୍ତ୍ତନ ଘଟୁଛି, ଏସବୁ ଆଗାମୀ ଦଶନ୍ଧିରେ ପୃଥିବୀକୁ ସମ୍ପୂର୍ଣ୍ଣ ବଦଳାଇ ଦେବ। ଏସବୁ ବଡ଼ବଡ଼ ଆହ୍ବାନ ବିଷୟରେ ଏହିଭଳି ବଡ଼ ମଞ୍ଚଗୁଡ଼ିକରେ ବିସ୍ତୃତ ଆଲୋଚନା ହେବା ଦରକାର; ଏବଂ ଆଲୋଚନା କରାଇବା ରାଜନୈତିକ ଦଳଗୁଡ଼ିକର ଦାୟିତ୍ବ। 


ଆପଣ ଜେଡି(ୟୁ)ର ନେତା। ଭଲ କଥା ଯେ ନୀତୀଶ କୁମାର ବିହାରରେ ସଂପୂର୍ଣ୍ଣ ମଦବନ୍ଦ କରିବାପାଇଁ ଆଇନ ଆଣିଛନ୍ତି; କିନ୍ତୁ ସେ ସେଥିରେ ସଫଳତା ପାଉନାହାନ୍ତି କାହିଁକି?

ଏକ ସଭ୍ୟ ଓ ସୁସଂସ୍କୃତ ସମାଜ ଗଢ଼ିବା ପାଇଁ ଗାନ୍ଧିଜୀଙ୍କର ଯେଉଁ ଇଚ୍ଛା ଥିଲା, ସେ ଦିଗରେ ନୀତୀଶ ଜୀ’ ପ୍ରଚେଷ୍ଟା ଜାରି ରଖିଛନ୍ତି। ଆପଣ ଦେଖନ୍ତୁ, ଏହି ଆଇନ ଲାଗୁ ହେବାପରେ ସମାଜର ନିମ୍ନବର୍ଗର ଲୋକଙ୍କ ଜୀବନରେ କେତେ ପରିବର୍ତ୍ତନ ଆସିଛି। ସେମାନଙ୍କର ପିଲା ପଢ଼ୁଛନ୍ତି, ସେମାନଙ୍କ ଘରେ ଖୁସି ଫେରିଛି। କିନ୍ତୁ ଆପଣ ଜାଣନ୍ତି, ଆଇନ ହେବାପରେ ବି ମଣିଷର ପ୍ରବୃତ୍ତି ସହଜରେ ବଦଳେ ନାହିଁ। ଯେମିତି, ହତ୍ୟା ରୋକିବା ପାଇଁ ଆଇନ ଅଛି, କିନ୍ତୁ ହତ୍ୟାକାଣ୍ଡ ବନ୍ଦ ହେଉନାହିଁ। ତଥାପି ଆଇନକୁ ଅଧିକ ପ୍ରଭାବଶାଳୀ କରିବାପାଇଁ ଯେଉଁ କୌଶଳ ଆପଣାଇବା ଦରକାର, ବିହାର ସରକାର ସାହସର ସହ ତାହା କରୁଛି। ଅନ୍ୟ କୌଣସି ଦେଶରେ ଏ ପର୍ଯ୍ୟନ୍ତ ଏପରି ସାହସିକ ପଦକ୍ଷେପ ନେବାକୁ ଉଦ୍ୟମ କରାଯାଉ ନାହିଁ; କାରଣ ସେଥିରୁ ଆୟ ବହୁତ ହୁଏ। ବିହାର ଭଳି ରାଜ୍ୟରେ ନୀତୀଶ ଜୀ ତାହା କରି ଦେଶ ଓ ଦୁନିଆକୁ ଏକ ରାସ୍ତା ଦେଖାଇଛନ୍ତି।


ଆପଣ ମୂଳତଃ ଜଣେ ସାମ୍ବାଦିକ। ଜଣେ ବିଖ୍ୟାତ ସଂପାଦକ ମଧ୍ୟ ଥିଲେ। ପ୍ରତିବର୍ଷ ‘ବିଶ୍ବ ପ୍ରେସ୍‌ ସ୍ବାଧୀନତା ସୂଚକାଙ୍କ’ରେ ଭାରତ ନିମ୍ନଗାମୀ ହୋଇଚାଲିଛି। ଆପଣଙ୍କ ଅନୁସାରେ ଏହାର କାରଣ କ’ଣ?
ଗୋଟିଏ ଧାରଣା ରହିଛି ଯେ ବ୍ୟବସ୍ଥା ବହୁତ ହସ୍ତକ୍ଷେପ କରୁଛି; ମୁଁ ସେପରି ହେଉଛି ବୋଲି ଭାବୁନାହିଁ। ହଁ, ସାମ୍ବାଦିକତାରେ ଯେଉଁ ଆଦର୍ଶ ରହିଥିଲା, ତାହା କ’ଣ ଏବେ ଅଛି? ଆମେ ସମସ୍ତେ ମିଶି ଏ ବିଷୟରେ ଆତ୍ମମନ୍ଥନ କରିବା ଆବଶ୍ୟକ। ଏଡିଟର୍ସ ଗିଲ୍ଡ, ପ୍ରେସ୍‌ କାଉନସିଲ୍‌ ଆଦି ସଂସ୍ଥା ଓ ସରକାର ମିଶି ସାମ୍ବାଦିକତାକୁ ନେଇ ଗାନ୍ଧୀଯୁଗରେ ଯେଉଁ ସ୍ବପ୍ନ ଥିଲା ବା ସାମ୍ବାଦିକତା ​‌କ୍ଷେତ୍ରରେ ଗୋପବନ୍ଧୁ ଦାସ ଜୀ ଯେଉଁ ରାସ୍ତା ଦେଖାଇଛନ୍ତି, ସେହି ଦିଗ ଆଡ଼କୁ କିପରି ମୁହାଁଇ ନେଇହେବ, ସେ ଦିଗରେ ଉଦ୍ୟମ କରିବା ଦରକାର। ଏବେ ବଡ଼ବଡ଼ କମ୍ପାନୀ ଏ କ୍ଷେତ୍ରକୁ ଆସିଛନ୍ତି। ପୂର୍ବରୁ ଠିକ୍‌ ତଥ୍ୟ ଉପରେ ଗୁରୁତ୍ବ ଦିଆଯାଉଥିଲା। ଏବେ କମ୍ପାନୀର ସ୍ବାର୍ଥକୁ ଗୁରୁତ୍ବ ଦିଆଯାଉଛି।


ପ୍ରେସ୍‌ କାଉନସିଲ୍‌ ତ ଏକ ସରକାରୀ ସଂସ୍ଥା। ଏ ଦିଗରେ ଏହା ଯେଉଁଭଳି କାର୍ଯ୍ୟ କରିବା କଥା, ବୋଧହୁଏ ସେପରି କରୁନାହିଁ। ଆପଣଙ୍କ ଧାରଣା କ’ଣ?
ଦେଖନ୍ତୁ, ପ୍ରେସ୍‌ କାଉନସିଲକୁ ସରକାର ସ୍ବାୟତ୍ତ ସଂସ୍ଥା ଭାବେ ଗଢ଼ିଛନ୍ତି। ଯେତେବେଳେ ଏହା ଗଠନ ହେଲା, ସେତେବେଳେ ଏହାର ଲକ୍ଷ୍ୟ କ’ଣ ଥିଲା। ଆପଣଙ୍କର ମନେଥିବ, ୧୯୭୭ରେ, ଜରୁରୀ ପରିସ୍ଥିତି ପରେ, ଏହାକୁ କୁହାଯାଉଥିଲା ‘ଦନ୍ତବିହୀନ ସଂସ୍ଥା’। ସମୟାନୁସାରେ ଏହା ପରିବର୍ତ୍ତନ ହେବା ଦରକାର। ଆପଣ ଜାଣିଥିବେ ଯେ ବିହାରରେ ଏକ ପ୍ରେସ୍‌ ବିଲ୍‌ ଆସିଥିଲା। ସେହି ବିଲ୍‌ ବିଧାନସଭାରେ ଉପସ୍ଥାପନ କରା ନଯାଇ ତାକୁ ଗୃହୀତ କରାଇ ନିଆଯାଇଥିଲା। ଇତିହାସରେ ଆଜି ପର୍ଯ୍ୟନ୍ତ କେଉଁଠି ସେପରି ହୋଇନଥିବ। ଅରୁଣ ସୌରୀ ଜୀ’ଙ୍କ ନୂଆ ପୁସ୍ତକରେ ଏ ବିଷୟରେ ବିସ୍ତୃତ ବର୍ଣ୍ଣନା ରହିଛି। ସେତେବେଳେ ପ୍ରଯୁକ୍ତି ଏତେ ଶକ୍ତିଶାଳୀ ନଥିଲା କି ସୋସିଆଲ୍‌ ମିଡିଆ ବି ନଥିଲା। ଏହା ୧୯୮୪-୮୫ର କଥା। ସେତେବେଳେ ପ୍ରେସ୍‌ କାଉନସିଲ୍‌ରେ ଏହା ଆଲୋଚନା ହେବାର ଥିଲା। ତାହା ଗୋଟିଏ ଗୁରୁତ୍ବପୂର୍ଣ୍ଣ ମୋଡ଼ ଥିଲା। ତେବେ ଏବେ ବି ବିଳମ୍ବ ହୋଇନାହିଁ। ଏ ବିଷୟରେ ସଚେତନ ହେବାପରେ, ଏଡିଟର୍ସ ଗିଲ୍‌ଡ ଓ ଅନ୍ୟମାନେ ବସି ଏହାର କୌଣସି ରାସ୍ତା ବାହାର କରିବା ଉଚିତ। ଗାନ୍ଧୀ କହୁଥିଲେ, ବାହାରୁ କୌଣସି ପରିବର୍ତ୍ତନ ହେଲେ ତାହା ଉତ୍ତମ ନୁହେଁ, ବରଂ ଭିତରୁ ପରିବର୍ତ୍ତନ ହେବା ଦରକାର।


ଆପଣ ଜରୁରୀ ପରସ୍ଥିତି (ଇମର୍ଜେନ୍ସି) କଥା କହିଲେ। କିଛି ଲୋକ କହୁଛନ୍ତି ଯେ ଜରୁରୀ ପରିସ୍ଥିତି ସମୟରେ ଗଣମାଧ୍ୟମ ଯେପରି ଥିଲା, ଏବେ ତା’ର ଅବସ୍ଥା ସେହିପରି। ସରକାର ତା’ ଉପରେ ଭାରୀ ପଡ଼ୁଛି। ଆପଣଙ୍କ ମତ କ’ଣ?
ଦେଖନ୍ତୁ, ବହୁତ ଲୋକ ବହୁତ କଥା କହନ୍ତି, ତାହା ସେମାନଙ୍କ ବ୍ୟକ୍ତିଗତ ବିଚାର। କିନ୍ତୁ ମୁଁ ଗୋଟିଏ କଥା କହିବି। ଜରୁରୀ ପରିସ୍ଥିତି ସମୟରେ କେତୋଟି ଖବରକାଗଜ ବିରୋଧ କଲେ? କୁଲଦୀପ ନାୟାରଙ୍କୁ ଛାଡ଼ି କେତେଜଣ ସାମ୍ବାଦିକ କଲମ ଚାଳନା କଲେ? ଏ ସମ୍ପର୍କରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଲାଲକୃଷ୍ଣ ଆଡ଼ୱାଣିଙ୍କର ପ୍ରସିଦ୍ଧ ଉକ୍ତି ରହିଛି, ‘‘ଯେତେବେଳେ ନଇଁବାକୁ କୁହାଗଲା, ସେମାନେ ଘୁଷୁରିଲେ।’’ କେହି ସରକାର ବିରୋଧରେ ସ୍ବର ଉତ୍ତୋଳନ କରିନଥିଲେ। ଆଜି ଦେଶ ଓ ରାଜ୍ୟଗୁଡ଼ିକରେ ଅଲଗା ଅଲଗା ସରକାର ଅଛନ୍ତି ଓ ସରକାର ବିରୋଧରେ ଖୋଲିକି ଲୋକେ କହୁଛନ୍ତି, ଲେଖୁଛନ୍ତି। ଏପରିକି ଅମୂଳକ କଥା ବି ଲେଖୁଛନ୍ତି।  ମୁଁ ଅନେକ ରାଜ୍ୟ କଥା କହିପାରିବି। 


କିନ୍ତୁ ସରକାରୀ ହେଉ କି ଘରୋଇ, ସବୁ ପ୍ରକାରର ଟିଭି ଚ୍ୟାନେଲ୍‌ରେ ସରକାରଙ୍କ ଗୁଣଗାନ କରାଯାଉଥିବା ଅଭିଯୋଗ ହେଉଛି।
ବହୁତ ଦିନରୁ ଏ ଅଭିଯୋଗ ହୋଇଆସୁଛି ଯେ ସରକାରୀ ଟିଭି ଚ୍ୟାନେଲ୍‌ ବା ଅନ୍ୟ ସରକାରୀ ମାଧ୍ୟମରେ ସରକାରଙ୍କ କଥା କୁହାଯାଉଛି। ଏହା ଏକ ଧାରଣା। ଘରୋଇ ଚ୍ୟାନେଲ୍‌ ଉପରେ କାହାର ନିୟନ୍ତ୍ରଣ ରହିଛି? ବହୁତ ଚ୍ୟାନେଲ୍‌ ଅଛି, ବହୁତ ବିରୋଧରେ ବି କହୁଛନ୍ତି। ସବୁଠି। ଏ ଦେଶରେ ଅଲଗା ଅଲଗା ରାଜ୍ୟରେ ଅଲଗା ଅଲଗା ସରକାର ଅଛି। କେଉଁଠି କେତେ ଟିଭି ଚ୍ୟାନେଲ୍‌ ଉପରେ କାର୍ଯ୍ୟାନୁଷ୍ଠାନ କରାଯାଇଛି? ଏବେ ବି ସରକାରଙ୍କ ବିରୋଧରେ ଚ୍ୟାନେଲ୍‌ରେ ବହୁତ କଥା କୁହାଯାଉଛି। ଏପରିକି ଆଗେ ମଧ୍ୟ ଏତେ ସରକାର ବିରୋଧୀ କଥା କହିବା କଷ୍ଟକର ଥିଲା। ହଁ, ଏ ଦେଶର କେତେକ ପ୍ରଭାବଶାଳୀ ଇଂରେଜୀପଢ଼ୁଆ, ସମ୍ଭ୍ରାନ୍ତ (ଏଲିଟ୍‌) ଶ୍ରେଣୀର ଯେତେବେଳେ ଗୁରୁତ୍ବ କମିଯାଏ, ସେମାନେ ବିଭିନ୍ନ ପ୍ରକାରର ପ୍ରଚାର କରନ୍ତି; ସେମାନେ କରିପାରିବେ। 


ଗଣମାଧ୍ୟମକୁ ନେଇ ‘ଗୋଦି ମିଡିଆ’ ଶବ୍ଦଟି ଆଜିକାଲି ବହୁତ ପ୍ରଚଳିତ ଏବଂ ଚର୍ଚିତ। ଏ ସମ୍ପର୍କରେ ଆପଣ କ’ଣ କହିବେ?
ଆପଣଙ୍କର ମନେଥିବ, ‘ଲିଙ୍କ୍‌’, ‘ପେଟ୍ରିଅଟ୍‌’ ଆଦି ସାମ୍ୟବାଦୀ ବିଚାରଧାରାର, ‘ଜୁଟ୍‌ ପ୍ରେସ୍‌’, ବୁର୍ଜୁଆ ଖବରକାଗଜ, ପୁଞ୍ଜିପତିଙ୍କ ଖବରକାଗଜ ବୋଲି କହୁଥିଲେ, କିନ୍ତୁ ସେହି ମୁଖ୍ୟସ୍ରୋତର ଖବରକାଗଜ ହିଁ ସେବା ପ୍ରଦାନ କଲା। ଆପଣଙ୍କର ବା ମୋର ବ୍ୟକ୍ତିଗତ ବିଚାର ଅଲଗା ହୋଇପାରେ; କିନ୍ତୁ ସେହି ଅନୁସାରେ ବ୍ୟବସ୍ଥା କାମ କରେ ନାହିଁ। ଏହା ଏ ଦେଶର ସ୍ବାଧୀନତା, ଏହା ଏ ଦେଶର ଗଣତନ୍ତ୍ର। ଆପଣ କିପରି କହିପାର​‌େ​‌ବ ଯେ ଏଥିରେ କଟକଣା ରହିଛି? ଆପଣ ଗଣମାଧ୍ୟମକୁ ଏପରି ବିଶେଷଣ ଦେଉଛନ୍ତି ଓ ତାହା ପ୍ରସାରିତ ହେଉଛି। ସମସ୍ତଙ୍କର କହିବାର ସ୍ବାଧୀନତା ଅଛି। ୭୫’ରେ କ’ଣ କିଏ ନିଜ କଥା କହିପାରୁଥିଲା? ତ ଗଣମାଧ୍ୟମର ସ୍ବାଧୀନତା ଆଜି ଅଛି ନା ସେତେବେଳେ ଥିଲା?


ଆଜି କର୍ପୋରେଟ୍‌ ସଂସ୍ଥାଗୁଡ଼ିକ ଗଣମାଧ୍ୟମକୁ ମଧ୍ୟ ନିୟନ୍ତ୍ରଣ କରୁଛନ୍ତି...।
ଏହା ଆଜିର କଥା ନୁହେଁ। ଯେତେବେଳେ ୧୯୯୧ରେ ଦେଶରେ ଉଦାରୀକରଣ ଆସିଲା, ସେତେବେଳେ ପୁଞ୍ଜି ସବୁ ସ୍ଥାନକୁ ଗଲା। ହିନ୍ଦୀ ଭାଷାର ଜଣେ ପ୍ରମୁଖ ସାମ୍ବାଦିକ ଥିଲେ ପାରାଳକର ଜୀ। ମୂଳତଃ ସେ ମରାଠୀ ଥିଲେ। ୧୯୫୨ରେ ସେ କହିଥିଲେ, ଭବିଷ୍ୟତରେ ବଡ଼ବଡ଼ କର୍ପୋରେଟ୍‌ ଆସିବେ, ଖବରକାଗଜ ଆକର୍ଷଣୀୟ ହୋଇଯିବ; କିନ୍ତୁ ସେଥିରେ ସତ୍ୟ ରହିବ ନାହିଁ। କେବଳ ଖବରକାଗଜକୁ କାହିଁକି ଦୋଷ ଦେବା। ପ୍ରଥମେ ସମାଜ ବିଚାରକୁ ନେଇ ପରିଚାଳିତ ହେଉଥିଲା। ଆଜିର ସମାଜ ବିଚାର ନୁହେଁ, ନ୍ୟସ୍ତସ୍ବାର୍ଥ ଦ୍ବାରା ପରିଚାଳିତ ହେଉଛି। ଗାନ୍ଧିଜୀଙ୍କ ସମୟରେ ସେ ସମାଜକୁ, ଗଣମାଧ୍ୟମକୁ, ଆଇନକୁ ଯେଉଁ ଚରିତ୍ର/ସ୍ବଭାବ ଦେଇଥିଲେ, ନୈତିକତା ଦେଇଥିଲେ, ତାହା ଆଜି ନାହିଁ। ମୂଲ୍ୟବୋଧ ବଦଳିଛି। ଏହା ଦୁଇଟି ଜାଗାରେ ଗଠନ ହୁଏ- ବିଦ୍ୟାଳୟରେ ଓ ଘରେ। ସେଥିପାଇଁ ଆମର ଗୋପବନ୍ଧୁ ଦାସ ଜୀ ବିଦ୍ୟାଳୟ ଖୋଲିଥିଲେ। ତେଣୁ ସମାଜର ସଚ୍ଚରିତ୍ର କିପରି ଫେରିବ, ସେ ଦିଗରେ ଉଦ୍ୟମ ହେବା ଦରକାର।


ଓଡ଼ିଶା ସହ ଆପଣଙ୍କର ସମ୍ବନ୍ଧ କିଭଳି?

ଓଡ଼ିଶା ମୋ ପାଇଁ ଆଧ୍ୟାତ୍ମିକ, ସାଂସ୍କୃତିକ ସ୍ଥଳ। ମାନନୀୟ ପ୍ରଧାନମନ୍ତ୍ରୀ କହନ୍ତି ଯେ ଓଡ଼ିଶାରୁ ପ୍ରାରମ୍ଭିକ ସୂର୍ଯ୍ୟକିରଣ ବାହାରେ ଓ ସମଗ୍ର ଦେଶକୁ ବିଚ୍ଛୁରିତ କରିଥାଏ। ଏହା ଶ୍ରୀଜଗନ୍ନାଥଙ୍କ ମାଟି। ଏଠାରେ ଲିଙ୍ଗରାଜ ମନ୍ଦିର ଅଛି। ଏହା ସନ୍ଥ ପରମ୍ପରାର ରାଜ୍ୟ। ଏଇଠି ବଡ଼ବଡ଼ ସ୍ବାଧୀନତା ସଂଗ୍ରାମୀ ଜନ୍ମ ନେଇଥିଲେ। ଯେଉଁ ପ୍ରଦେଶ ନିଜର ସଂସ୍କୃତି, ପରିଚିତି ଓ ଗୌରବକୁ କ୍ରମାଗତ ଶକ୍ତିଶାଳୀ କରିଚାଲିଛି, ତାହା ଓଡ଼ିଶା। ମୁଁ ଏହାକୁ ବହୁତ ସମ୍ମାନ କରେ ଏବଂ ମୁଁ ପ୍ରାୟ ଓଡ଼ିଶା ଆସେ। 

(‘ସମାଜ’ରେ ୧୦ ଏପ୍ରିଲ ୨୦୨୨ରେ ପ୍ରକାଶିତ)

Read More

ମହନ୍ତ ବନାମ ‘ମଫ୍‌ଲର୍‌ ମ୍ୟାନ୍‌’

2 comments


‘‘ଶୁଣ କେଜରିୱାଲ୍,

ଯେତେବେଳେ ସମଗ୍ର ମାନବ ସମାଜ କରୋନା ପୀଡ଼ାରେ ଛଟପଟ ହେଉଥିଲା, ସେହି ସମୟରେ ଆପଣ ୟୁପିର ଶ୍ରମଜୀବୀମାନଙ୍କୁ ଦିଲ୍ଲୀ ଛାଡ଼ିବାକୁ ବିବଶ କରିଦେଇଥିଲେ। ଛୋଟ ପିଲା ଓ ମହିଳାଙ୍କୁ ଅର୍ଦ୍ଧରାତ୍ରିରେ ୟୁପି ସୀମାରେ ଅସହାୟ ଭାବେ ଛାଡ଼ିଦେବା ଭଳି ଅଗଣତାନ୍ତ୍ରିକ ଓ ଅମାନବୀୟ କାର୍ଯ୍ୟ ଆପଣଙ୍କ ସରକାର କଲା। ଆପଣଙ୍କୁ ମାନବଦ୍ରୋହୀ କହିବା ନା....’’


ଇଏ ଥିଲା ୭ ଫେବୃଆରୀ ରାତିରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଟୁଇଟ୍‌ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍‌ଙ୍କ ଉଦ୍ଦେଶ୍ୟରେ। ଏହାର ଅଧଘଣ୍ଟା ଭିତରେ ହିଁ ଶ୍ରୀ କେଜରିୱାଲ୍‌ ଜବାବ ଦେଲେ: 

‘‘ଶୁଣ ଯୋଗୀ,

ଆପଣ କିଛି ନ କହିଲେ ହିଁ ଭଲ। ଯେଉଁଭଳି ୟୁପିର ଲୋକଙ୍କ ଶବ ନଦୀରେ ବୋହିଯାଉଥିଲା ଓ ଆପଣ କୋଟିକୋଟି ଟଙ୍କା ଖର୍ଚ କରି ଟାଇମ୍ ପତ୍ରିକାରେ ନିଜର ମିଥ୍ୟା ପ୍ରଶଂସାର ବିଜ୍ଞାପନ ଦେଇଚାଲିଥିଲେ, ଆପଣଙ୍କ ପରି ନିର୍ଦୟୀ ଓ କ୍ରୂର ଶାସକ ମୁଁ ଦେଖିନାହିଁ।’’


ଦୁଇଟି ରାଜ୍ୟର ସର୍ବୋଚ୍ଚ ଶାସକଙ୍କ ଏପରି ରାଜନୈତିକ ଅଶିଷ୍ଟ ସମ୍ବୋଧନକୁ ଆମେ ସହଜରେ ଗ୍ରହଣ କରିନେଲୁ; କାହିଁକିନା ଆାମେ ଧରିନେଇଚୁ ଯେ ଏହା ସାମ୍ପ୍ରତିକ ରାଜନୀତିର ‘ନିଉ ନର୍ମାଲ୍‌’ ବା ନୂଆ ସ୍ବାଭାବିକତା। କୌଣସି ଦେଶର ରାଜନୈତିକ ଭାଷା ଯେ ସେ ଦେଶର ଲୋକତାନ୍ତ୍ରିକ ଶିଷ୍ଟତା ତଥା ସବଳତାର ପରିଚାୟକ, ତାହା ଆମେ କେବେଠୁ ପାସୋରି ସାରିଛୁ। ତେବେ ଏ ‘ମାନବଦ୍ରୋହୀ’ ଏବଂ ‘କ୍ରୂର’ ଶାସକଦ୍ବୟ ଯେ ଏଇନା ଭାରତୀୟ ରାଜନୈତିକ ଆକାଶର ଦୁଇ ଉଜ୍ବଳ ଜ୍ୟୋତିଷ୍କ ଭାବେ ଉଭା ହୋଇଛନ୍ତି, ବିଶେଷତଃ ସଦ୍ୟସମାପ୍ତ ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ପରେ, ତାହା କହିବା ଆଦୌ ଅତିଶୟୋକ୍ତି ନୁହେଁ। ଏପରି କାହିଁକି ହେଲା? 


ଅଜୟ ମୋହନ ସିଂହ ବିଷ୍ଟ୍‌ ଓରଫ୍‌ ଯୋଗୀ ଆଦିତ୍ୟନାଥ ଓ ଅରବିନ୍ଦ କେଜରିୱାଲ- ଭାରତୀୟ ରାଜନୀତିର ଏହି ଉଦୀୟମାନ ତାରକାଙ୍କ ଅବସ୍ଥାନ ଏଇନା ବିପରୀତ ମେରୁରେ। ଉଭୟ ନରେନ୍ଦ୍ର ମୋଦୀଙ୍କ ପରି କଠୋର ପରିଶ୍ରମୀ, ରାଜ୍ୟ/ରାଷ୍ଟ୍ର ପାଇଁ ଉତ୍ସର୍ଗୀକୃତ ଜାତୀୟତାବାଦୀ, ଦୃଢ଼ମନା ଭାବେ ନିଜର ଏକ ଭାବମୂର୍ତ୍ତି ପ୍ରତିଷ୍ଠା କରିବାରେ ପ୍ରୟାସୀ ଏବଂ ସଫଳ। ଏହି ଗୋଟିଏ ସାମଞ୍ଜସ୍ୟ ବ୍ୟତୀତ ୟାଙ୍କ ଭିତରେ ବୈଚାରିକ ପାର୍ଥକ୍ୟ ଏତେ ଯେ ଉଭୟଙ୍କର ତୁଳନା ମନେହେବ ଅତି ଅସଂଗତ ଓ ଅବାସ୍ତବ; କିନ୍ତୁ ଉଭୟଙ୍କୁ ଗୋଟିଏ ନିକିତିରେ ଓଜନ କରିବା ପାଇଁ ଆମେ ବାଧ୍ୟ, କାହିଁକିନା ଏଇ ଦୁଇଜଣ ହିଁ ମନେହେଉଚନ୍ତି ଆଗାମୀ ଭାରତବର୍ଷର ପ୍ରମୁଖ ପ୍ରତିଦ୍ବନ୍ଦ୍ବୀ ନେତୃତ୍ବ। ଜଣେ ଗୈରିକ ବସନ ପିନ୍ଧା ମଠ ମହନ୍ତରୁ ରାଜନେତା ଓ ଅନ୍ୟଜଣେ ଆଇଆଇଟି ଶିକ୍ଷାପ୍ରାପ୍ତ ଇଂଜିନିୟର୍‌-ସମାଜକର୍ମୀରୁ ‘ମଫ୍‌ଲର୍‌ ମ୍ୟାନ୍‌’ ରାଜନେତା। ଉଭୟଙ୍କର ରାଜନୀତି ସହିତ ପ୍ରତ୍ୟକ୍ଷ ସମ୍ବନ୍ଧ ସ୍ବାଭାବିକ ଭାବେ ଖୁବ୍‌ କମ୍‌ ରହିବା କଥା। ଶ୍ରୀ କେଜରିୱାଲଙ୍କ କ୍ଷେତ୍ରରେ ଅନେକ ଦିନ ଧରି ରାଜନୀତି ଦୂରରେ ରହିଥିଲା ଏବଂ ସେ ରାଜନୀତିକୁ ଆସିବା ପରେ ଏପରି କାର୍ଯ୍ୟ କରିଆସୁଥିଲେ, ଯାହାକୁ ଅରାଜନୈତିକ, ଏପରିକି ରାଜନୀତିବିରୋଧୀ ବୋଲି ମଧ୍ୟ କୁହାଯାଇପାରିବ। ମୂଳତଃ ଦୁର୍ନୀତି ବିରୋଧୀ ଆନ୍ଦୋଳନରୁ ତାଙ୍କ ରାଜନୀତିର ଜନ୍ମ। ୨୦୧୨ ମସିହାରେ ଭାରତୀୟ ରାଜନୀତିରେ ଦୁଇଟି ବିପରୀତ ରାଜନୈତିକ ଅବଧାରଣାର ଅଭ୍ୟୁଦୟ ଘଟିଥିଲା ନରେନ୍ଦ୍ର ମୋଦୀ ଓ ଅରବିନ୍ଦ କେଜରିୱାଲଙ୍କ ରୂପରେ। ଶ୍ରୀ ମୋଦୀ ଗୁଜରାଟରେ କ୍ରମାଗତ ତୃତୀୟ ଥର ମୁଖ୍ୟମନ୍ତ୍ରିତ୍ବ ହାସଲ କରିବା ପରେ ୨୦୧୪ରେ ବିଜେପିର ପ୍ରଧାନମନ୍ତ୍ରୀ ପଦର ପ୍ରାର୍ଥୀ ମନୋନୀତ ହେବା ଭାରତୀୟ  ରାଜନୈତିକ ଇତିହାସର ଏକ ଗୁରୁତ୍ବପୂର୍ଣ୍ଣ ମୋଡ଼ ଥିଲା। ତାଙ୍କ ସ୍ଥାନରେ ଯଦି ଆଉ କେହି ମନୋନୀତ ହୋଇଥା’ନ୍ତା, ଭାରତର ନିକଟ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ନିଶ୍ଚୟ ଭିନ୍ନ ହୋଇଥାନ୍ତା। ଭାରତ ପ୍ରଥମ ଥର ପାଇଁ ଦେଖିଲା ଏପରି ଜଣେ ପ୍ରକାଣ୍ଡ ରାଜନୈତିକ ବ୍ୟକ୍ତିତ୍ବକୁ, ଯିଏ ଜାତୀୟ ରାଜନୀତିରୁ ଦୂରରେ ରହିଥିବା ସତ୍ତ୍ବେ ପ୍ରଥମ ଥର ପାଇଁ ବଂଶବାଦ ରାଜନୀତିରୁ ନ ଆସି ଜନମନରେ ନିଜକୁ ସର୍ବଶକ୍ତିମାନ ବୋଲି ବିଶ୍ବାସ ଜନ୍ମାଇବାରେ ସଫଳ ହେଲା। ୨୦୧୭ ହେଉ କି ୨୦୨୨, ଉତ୍ତରପ୍ରଦେଶ ନିର୍ବାଚନରେ ମୋଦୀ ଯେ ଏକ ଅପ୍ରତିହତ ଶକ୍ତି, ତାହା ଯେ କେହି ସ୍ବୀକାର କରିବାକୁ ବାଧ୍ୟ। ତେବେ ଏ ସଫଳତାରେ ଯୋଗୀ ଆଦିତ୍ୟନାଥଙ୍କ ଭାଗ କେତେ, ତାହା ନିଶ୍ଚୟ ଏକ ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନ। 


ଯୋଗୀଙ୍କ ଜନ୍ମ ହୋଇଥିଲା ଏକ ସାଧାରଣ ଠାକୁର ପରିବାରରେ, ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲା ମସାଲଗାଓଁ ନାମକ ଗାଁରେ। ୧୯୯୨ରେ ସେ ବିଜ୍ଞାନରେ ସ୍ନାତକୋତ୍ତର ଶିକ୍ଷା ଗ୍ରହଣବେଳେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)ର ଛାତ୍ର ସଂଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ର ସଦସ୍ୟ ହେବା ସହ ଛାତ୍ରସଂସଦର ସଚିବ ପଦ ପାଇଁ ନିର୍ବାଚନ ଲଢ଼ିବା ଥିଲା ତାଙ୍କ ରାଜନୈତିକ ଜୀବନର ଅୟମାରମ୍ଭ; କିନ୍ତୁ ସେ ସେଥିରେ ଶୋଚନୀୟ ପରାଜୟ ବରଣ କଲେ। ସେ ପର୍ଯ୍ୟନ୍ତ ସେ ଥିଲେ ଅଜୟ ବିଷ୍ଟ୍‌। ଏ ଘଟନାର ଅଳ୍ପଦିନ ପରେ ହିଁ ନାଟକୀୟ ଭାବେ ତାଙ୍କ ଜୀବନର ପଟ୍ଟଭୂମି ସମ୍ପୂର୍ଣ୍ଣ ବଦଳିଗଲା, ଯେତେବେଳେ ସେ ଗୋରଖପୁର ଗଲେ ଏବଂ ମହନ୍ତ ଅବୈଦ୍ୟନାଥଙ୍କ ଆଶିଷ ଲାଭକଲେ। ସେ ବିଖ୍ୟାତ ଗୋରଖନାଥ ମଠର ନାଥ ସମ୍ପ୍ରଦାୟର ଏହି ମହନ୍ତଙ୍କ ଶିଷ୍ୟତ୍ବ ଗ୍ରହଣ କଲେ, ଯିଏ କେବଳ ହିନ୍ଦୁ ରାଷ୍ଟ୍ରବାଦର ଜଣେ ସମର୍ଥକ ନଥିଲେ, ବରଂ ୧୯୮୯ ପର୍ଯ୍ୟନ୍ତ ହିନ୍ଦୁ ମହାସଭା ଟିକଟରେ ନିର୍ବାଚନ ଲଢ଼ିଆସିଥିଲେ ଏବଂ ରାମ ଜନ୍ମଭୂମି ଆନ୍ଦୋଳନର ଥିଲେ ଅନ୍ୟତମ ପ୍ରମୁଖ ଉଦ୍ୟୋକ୍ତା। ୧୯୯୧ ବେଳକୁ ଅବୈଦ୍ୟନାଥ ଭାରତୀୟ ଜନତା ପାର୍ଟି(ବିଜେପି)ରେ ସାମିଲ୍‌ ହୋଇସାରିଥିଲେ ଏବଂ ସେହିବର୍ଷ ତଥା ୧୯୯୬ରେ ସେ ବିଜେପି ଟିକଟରେ ଗୋରଖପୁରରୁ ସାଂସଦ ନିର୍ବାଚିତ ହେଲେ। ଅବୈଦ୍ୟନାଥ ଯାହାଙ୍କୁ ନିଜର ଉତ୍ତରାଧିକାରୀ ଭାବେ ମନୋନୀତ କରିଥିଲେ, ସେ ହେଲେ ଯୋଗୀ ଆଦିତ୍ୟନାଥ। ଫଳସ୍ବରୂପ, ରାଜନୀତିରୁ ଗୁରୁ ସନ୍ନ୍ୟାସ ନେବାପରେ ୧୯୯୮ରେ ଶିଷ୍ୟ ଆଦିତ୍ୟନାଥ ଲୋକସଭାର କନିଷ୍ଠତମ ସଦସ୍ୟ ହେବାର ସୌଭାଗ୍ୟ ଅର୍ଜନ କଲେ। ବ୍ରିଟିଶ ଶାସନକାଳରୁ ଦକ୍ଷିଣପନ୍ଥୀ ରାଜନୀତିରେ କେନ୍ଦ୍ରୀୟ ଭୂମିକା ତୁଲାଇ ଆସୁଥିବା ଗୋରଖନାଥ ପୀଠର ଅଧୀଶ୍ବର ହେବାପରେ ତାଙ୍କ ଧାର୍ମିକ/ରାଜନୈତିକ ପ୍ରଭାମଣ୍ଡଳ ବୃଦ୍ଧି ପାଇଲା। ୨୦୦୪ ସାଧାରଣ ନିର୍ବାଚନରେ ଦେଶର ଅଧିକାଂଶ ସ୍ଥାନରେ ବିଜେପି ପରାଜିତ ହେବା ସତ୍ତ୍ବେ ଗୋରଖପୁର ଆସନରେ ଲକ୍ଷାଧିକ ଭୋଟ ବ୍ୟବଧାନରେ ଜିଣିଲେ ଆଦିତ୍ୟନାଥ। ଏହା ପଛରେ ଥିଲା ତାଙ୍କଦ୍ବାରା ଗଠିତ ହିନ୍ଦୁ ଯୁବାବାହିନୀର ବିଶେଷ ଅବଦାନ, ଯାହାର ଅପଖ୍ୟାତି ସର୍ବଜନବିଦିତ। କୁହାଯାଏ ଯେ ୨୭ ଫେବୃଆରୀ ୨୦୦୨ର ଗୋଧ୍ରା ଘଟନା ପରେ ଗୁଜରାଟରେ ଭାରତୀୟ ଇତିହାସର ଯେଉଁ ବର୍ବରତମ ନରସଂହାର ଘଟିଥିଲା, ଆଦିତ୍ୟନାଥ ତା’ପରେ ହିଁ ଏପରି ଏକ ବାହିନୀ ଗଠନର ପରିକଳ୍ପନା କରିଥିଲେ। କ୍ରମଶଃ ସେ ପାଲଟିଗଲେ ହିନ୍ଦୁତ୍ବ ରାଜନୀତିର ‘ପୋଷ୍ଟର୍‌ ବୟ’। ୨୦୧୭ ବିଧାନସଭା ନିର୍ବାଚନରେ ବହୁମତ ହାସଲ ପରେ ବିଜେପି ଆଦିତ୍ୟନାଥଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଏକପ୍ରକାର ବାଧ୍ୟ ହେଲା। ପଦ ସମ୍ଭାଳିବାର ମାସକ ପରେ ପ୍ରଥମ ଟିଭି ସାକ୍ଷାତକାରରେ ସେ କହିଲେ, ‘‘ହିନ୍ଦୁରାଷ୍ଟ୍ରର ବିଚାରରେ କିଛି ବି ତ୍ରୁଟି ନାହିଁ।’’ ଆଦିତ୍ୟନାଥ ଜଣେ ବୈରାଗୀ ରାଜନୀତିଜ୍ଞ ଭାବେ ନିଜର ଭାବମୂର୍ତ୍ତିକୁ ଯେପରି ଗଢ଼ିଆସିଛନ୍ତି, ତା’ ତୁଳନାରେ ମୋଦୀଙ୍କ ତଦ୍ରୂପ ଭାବମୂର୍ତ୍ତି ବେଳେବେଳେ ନିଷ୍ପ୍ରଭ ମନେହୁଏ; ଏହାର କାରଣ ଆଦିତ୍ୟନାଥ ଜଣେ ଦୀକ୍ଷିତ ଯୋଗୀ ଏବଂ ତାଙ୍କ ପାଇଁ ଗୈରିକ ବସନ ଅନ୍ୟ ବିଜେପି ନେତାଙ୍କ ପରି କେବଳ ରାଜନୈତିକ ରଂଗିନ କପଡ଼ା ନୁହେଁ, ବରଂ ତାଙ୍କ ଅସ୍ମିତାର ଏକ ଅଭିନ୍ନ ଅଙ୍ଗ। ହୁଏତ ଏହା ହିଁ ତାଙ୍କୁ ଅନ୍ୟ ସମସ୍ତଙ୍କଠାରୁ କରିପାରିଚି ଅନନ୍ୟ/ଆକର୍ଷଣୀୟ। ଯୋଗୀଙ୍କ ଜୀବନୀ ଦି ମଙ୍କ୍‌ ହୁ ଟ୍ରାନ୍ସଫର୍ମଡ ଉତ୍ତରପ୍ରଦେଶ ରେ ଶାନ୍ତନୁ ଗୁପ୍ତା ଲେଖନ୍ତି, ‘‘ଉତ୍ତରାଖଣ୍ଡର ଗ୍ରାମାଞ୍ଚଳରେ ଲାଳିତପାଳିତ ଅଜୟ ସିଂହ ବିଷ୍ଟ୍‌ ନାମକ ଯୁବକ ଗାଈ, ଖେତ, ପାହାଡ଼, ନଦୀ ଆଦି ଭିତରେ ବିକାଶଲାଭ କଲେ ଏବଂ ପ୍ରଥମେ ମହନ୍ତ, ତା’ ପରେ ସାଂସଦ ଓ ପୁଣି ମୁଖ୍ୟମନ୍ତ୍ରୀ ହେଲେ।’’ ୨୦୨୨ ବିଧାନସଭା ନିର୍ବାଚନରେ ତାଙ୍କର ଅପ୍ରତ୍ୟାଶିତ ଓ ଅଭୂତପୂର୍ବ ବିଶାଳ ବିଜୟ ତାଙ୍କୁ ନରେନ୍ଦ୍ର ମୋଦିଙ୍କ ପରେ ବିଜେପିର ୨ନଂ ନେତାର ଆସନରେ ବସିବା ପାଇଁ ‘ଉପଯୋଗୀ’ (ନିର୍ବାଚନ ପ୍ରଚାରବେଳେ ମୋଦୀ ତାଙ୍କୁ ‘ୟୁପି+ଯୋଗୀ=ଉପଯୋଗୀ’ କହିଥିଲେ) କରାଇଛି ବୋଲି କୁହାଯାଉଚି, ଯାହା ଅଯଥାର୍ଥ ମନେହେଉ ନାହିଁ।


କେଜରିୱାଲଙ୍କୁ କିନ୍ତୁ ଯୋଗୀଙ୍କ ପରି କର୍ତ୍ତବ୍ୟବୋଧ ବା ରାଜନୀତି, କୌଣସିଟି ଉତ୍ତରାଧିକାର ସୂତ୍ରରେ ପ୍ରାପ୍ତ ହୋଇନଥିଲା। ତାଙ୍କ ରାଜନୀତି ଯଥାର୍ଥରେ ଆରମ୍ଭ ହୋଇଥିଲା ଶୂନ୍ୟରୁ, ଅଣରାଜନୈତିକ କାର୍ଯ୍ୟକ୍ରମରୁ, ଅନଶନରୁ। ସେ ରାଜନୈତିକ ଦଳ ଗଢ଼ିବା ପରେ ବହୁ ଲୋକଙ୍କ ଭ୍ରୁକୁଟି ଓ ନାସିକା କୁଞ୍ଚନ ରୋଗ ଦେଖାଦେଇଥିଲା। ତାଙ୍କର ରାଜନୈତିକ ଆଦର୍ଶକୁ ନେଇ ପରମ୍ପରାବାଦୀମାନେ ପ୍ରଶ୍ନ କରିବାକୁ ଭୁଲିଲେ ନାହିଁ। ସେମାନେ ଭାବୁଥିଲେ ଯେ ଜଣେ ସାମାଜିକ କର୍ମୀକୁ ରାଜନୀତି ଆଦୌ ଆସେନି ଓ ସେ ଅଳ୍ପଦିନରେ ଧୂଳିସାତ୍‌ ହୋଇଯିବ; କିନ୍ତୁ କେଜରିୱାଲ ରାଜନୀତିର ପିଚ୍ଛିଳ ପଥରେ ପ୍ରାରମ୍ଭିକ ପତନ ପରେ ଖୁବ୍‌ଶୀଘ୍ର ଚାଲିବା ଶିଖିଗଲେ; ତେବେ ଆପଣାର ମୂଳ ଅଣପାରମ୍ପରିକ ରାଜନୀତିକୁ ଛାଡ଼ିଲେ ନାହିଁ। ଏହା ହିଁ ପାଲଟିଗଲା ତାଙ୍କର ସବୁଠୁ ବଡ଼ ବିଜୟ-ମନ୍ତ୍ର। ଏବେ ଆଉ ଭାରତୀୟମାନଙ୍କୁ ତାଙ୍କ ‘ଆକ୍ଟିଭିଜମ୍‌’ ରାଜନୀତି ଅସୁନ୍ଦର କି ଅବିଶ୍ବାସ୍ୟ ମନେହେଉ ନାହିଁ, ବରଂ ସେମାନଙ୍କୁ ଲାଗୁଚି ଯେ ଏହା ହିଁ ସାଂପ୍ରଦାୟିକ/ଜାତିବାଦୀ/ବଂଶବାଦୀ ରାଜନୀତିକୁ ହଟାଇବାର ବାସ୍ତବ ବିକଳ୍ପ। କେବଳ ଶିକ୍ଷା, ସ୍ବାସ୍ଥ୍ୟ ପରି ସାଧାରଣତଃ ଅଣରାଜନୈତିକ ପ୍ରସଙ୍ଗଗୁଡ଼ିକୁ ରାଜନୈତିକ ପ୍ରସଙ୍ଗ କରି ଲୋକଙ୍କୁ ମାଗଣାରେ ସର୍ବୋତ୍ତମ ସେବା ଉପଲବ୍ଧ କରାଇବା ନୁହେଁ; ଆର୍‌ଏସ୍‌ଏସ୍‌ର ହିନ୍ଦୁ ଜାତୀୟତାବାଦକୁ ଆଡ଼େଇ ଦେଇ ଏକ ନବ୍ୟ ଜାତୀୟତାବାଦର ଉଦ୍ଭାବନ କରି କେଜରିୱାଲ କେବଳ ବିଜେପି ନୁହେଁ କଂଗ୍ରେସର ମଧ୍ୟ ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ପାଲଟିଚନ୍ତି। ଏଥିପାଇଁ ତାଙ୍କୁ ନେହେରୁଙ୍କୁ ଚବିଶ ଘଣ୍ଟା ଗାଳି ଦେବାକୁ ପଡ଼ିନାହିଁ କି ଗାନ୍ଧିଙ୍କୁ ଖଳନାୟକ ଓ ଗଡ୍‌ସେଙ୍କୁ ନାୟକ ଭାବେ ଉପସ୍ଥାପନ କରିବା ଆବଶ୍ୟକ ହୋଇନାହିଁ; କେବଳ ସର୍ଦ୍ଦାର ଭଗତ ସିଂହ ଓ ବାବାସାହେବ ଆମ୍ବେଦକରଙ୍କୁ ପ୍ରତୀକ ଭାବେ ଥୋଇ ଗାନ୍ଧୀ, ନେହେରୁ ଓ ସାଭରକରଙ୍କଠୁ ଦୂରତା ବଜାୟ ରଖିବାରେ କେଜରିୱାଲ୍‌ ସମର୍ଥ ହୋଇଚନ୍ତି, ଯେଉଁ ଦୁଇଜଣ ସମ୍ଭବତଃ ଭାରତୀୟ ରାଜନୀତିରେ ଚର୍ଚିତ ହେଲେ ମଧ୍ୟ ସବୁଠୁ କମ୍‌ ଧ୍ରୁବୀକରଣୀୟ ବ୍ୟକ୍ତିତ୍ବ। ମନେହୁଏ, କେବଳ ଜାତୀୟତାବାଦ ନୁହେଁ ବରଂ ଭାରତୀୟ ସାଧାରଣତନ୍ତ୍ରର ଧର୍ମନିରପେକ୍ଷତା ଓ ସମାଜବାଦକୁ ମଧ୍ୟ ସେ ଯେପରି ପୁନଃ ପରିଭାଷିତ କରିବାକୁ ଉଦ୍ୟମରତ। ଏ ନବ୍ୟ ଜାତୀୟତାବାଦ, ନବ୍ୟ ଧର୍ମନିରପେକ୍ଷତା ଏବଂ ନବ୍ୟ ସମାଜବାଦର ସ୍ବରୂପ ଅବଶ୍ୟ ଏ ପର୍ଯ୍ୟନ୍ତ ଅସ୍ପଷ୍ଟ। ଆଗାମୀ ଦିନରେ ହୁଏତ ଏହାର ପ୍ରକୃତ ସ୍ବରୂପ ଉନ୍ମୋଚିତ ହେବ। କେଜରିୱାଲଙ୍କ ରାଜନୀତି ଅସାଧାରଣ ଓ ‘ସ୍ମାର୍ଟ’ ହେଲେ ବି ସୁବିଧାବାଦୀ; କିନ୍ତୁ ସୁବିଧାବାଦ ତ ଭୋଟ ରାଜନୀତିର ଏକ ସ୍ବଭାବଗତ ପ୍ରକୃତି; ତେଣୁ କେବଳ ତାଙ୍କୁ ଦୋଷ ଦେବା ଅସମୀଚୀନ। ଦିଲ୍ଲୀ ପରେ ପଞ୍ଜାବରେ ଅସାଧାରଣ ସଫଳତା କେଜରିୱାଲଙ୍କୁ ଅନ୍ୟ ରାଜ୍ୟ, ବିଶେଷତଃ ୨୦୨୨ ଶେଷ ଆଡ଼କୁ ହେବାକୁ ଥିବା ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ପ୍ରେରିତ କରିବ ନିଶ୍ଚୟ ଏବଂ ସେଠାରେ ମୁସଲମାନ ସମ୍ପ୍ରଦାୟର ଭୋଟ ତାଙ୍କୁ ମିଳିବା ସାଧ୍ୟାତୀତ ନୁହେଁ। 


ବୟସ ଦୃଷ୍ଟିରୁ ଯୋଗୀ (୪୯), କେଜରିୱାଲ (୫୩) ଓ ରାହୁଳ ଗାନ୍ଧୀ (୫୧) ସମପର୍ଯ୍ୟାୟର; କିନ୍ତୁ ପ୍ରଥମ ଦୁଇଜଣଙ୍କ ପ୍ରଭାମଣ୍ଡଳ ଇତିମଧ୍ୟରେ ଅଧିକ ବିସ୍ତୃତ ଓ ଉଜ୍ବଳ ହୋଇସାରିଚି, ଯାହାକୁ ଚାହିଁଲେ ମଧ୍ୟ ରାହୁଳ ନିଷ୍ପ୍ରଭ କରିବାରେ ସମର୍ଥ ହେବାଭଳି ଲାଗୁ ନାହିଁ। ପ୍ରକୃତରେ ବିଜେପି ଓ ଆମ୍‌ ଆଦ୍‌ମୀ ପାର୍ଟି(ଆପ୍‌)ର ବିକଳ୍ପ ରାଜନୀତି ମଧ୍ୟରେ ଭାରତ ପାଇଁ ଏବେ ଆଉ ରାହୁଳ ଓ ପ୍ରିୟଙ୍କାଙ୍କ ଭବିଷ୍ୟତ ବା କଂଗ୍ରେସର ପୁନରୁତ୍‌ଥାନ ପ୍ରଶ୍ନ ମହତ୍ତ୍ବପୂର୍ଣ୍ଣ ହୋଇ ରହିନାହିଁ, ବରଂ ଆଗାମୀ ଦିନରେ ଜାତୀୟ ସ୍ତରରେ ବିଜେପି ବନାମ ଆପ୍‌ ହେବାର ସମ୍ଭାବନା ସର୍ବାଧିକ। ୨୦୨୨ ନିର୍ବାଚନ ଫଳ ତେଣୁ ୨୦୨୪ ନୁହେଁ, ବରଂ ୨୦୨୯ ଲଢ଼େଇର ପୂର୍ବାଭାସ ଦେଇଚି, ଯାହାର ଦୁଇ ନାୟକ ହୋଇପାରନ୍ତି ଯୋଗୀ ଓ କେଜରିୱାଲ।


(‘ସମାଜ’ରେ ୧୩.୩.୨୦୨୨ରେ ପ୍ରକାଶିତ)

Read More

ବସୁଧୈବ କୁଟୁମ୍ବକଂ ବାସ୍ତବତା

Leave a Comment


 ଅୟଂ ନିଜଃ ପରୋ ବେତି ଗଣନା ଲଘୁଚେତସାଂ।

ଉଦାରଚରିତାନାଂ ତୁ ବସୁଧୈବ କୁଟୁମ୍ବକଂ।।


ପଞ୍ଚତନ୍ତ୍ରହିତୋପଦେଶରେ ସ୍ଥାନିତ ଏହି ଶ୍ଳୋକଟି ଭାରତବର୍ଷରେ ଅତୀବ ଲୋକପ୍ରିୟ ଲୋକଗଳ୍ପମାଳା ସିଂହାସନବତ୍ରିଶିରେ ବି ଦେଖିବାକୁ ମିଳେ, ଯାହା ଦ୍ବାତ୍ରିଂଶତ-ପୁତ୍ତଳିକା-ସିଂହାସନମ ବା ବିକ୍ରମ ଚରିତ ନାମରେ ମଧ୍ୟ ପ୍ରସିଦ୍ଧ। ଅବଶ୍ୟ ଏଥିରେ ଏହାର କେତେକ ଶବ୍ଦ ଭିନ୍ନ ଥିବାବେଳେ ସକାରାତ୍ମକ ଅର୍ଥରେ ବ୍ୟବହୃତ। ପ୍ରାଚୀନ ଧାରାବତୀ ନଗରୀ (ଓଡ଼ିଆ କାହାଣୀ ଜଗନ୍ନାଥ ସିଂହଙ୍କ ବତ୍ରିଶ ସିଂହାସନରେ ଏହାର ନାମ ଉଜ୍ବଳ ନଗ୍ର ଭାବେ ବର୍ଣ୍ଣିତ)ର ସମ୍ରାଟ ଭୋଜଦେବ ପରମାର ଐତିହାସିକ ଚରିତ୍ର ହେଲେ ହେଁ ତାଙ୍କ କଥନିକା ଓ ସ୍ମୃତି ଗ୍ରାମ୍ୟଗୀତି, ସହରୀ ପ୍ରବାଦ, ଥଟ୍ଟାପରିହାସ ଓ ସର୍ବୋପରି ଲୋକଗଳ୍ପ ମଧ୍ୟରେ ହଜାରହଜାର ବର୍ଷ ଧରି ଭାରତୀୟ ଜନମାନସରେ ଜୀବିତ ରହିଚି। ଏସବୁକୁ ଆନୁମାନିକ ଏକାଦଶ ଖ୍ରୀଷ୍ଟାବ୍ଦରେ ରାଜା ଭୋଜଙ୍କ ସମୟରେ ରଚନା କରାଯାଇଥିଲା ଏବଂ ଇତିହାସ ଅନୁସାରେ ୧୩୦୫ ମସିହା ବେଳକୁ ସୁଦୂର ମଙ୍ଗୋଲିଆ ବାଟ ଦେଇ ରୁଷିଆ ଓ ଜର୍ମାନୀରେ ପହଞ୍ଚିଥିବା ପ୍ରମାଣ ମିଳେ। ଏପରିକି ମଙ୍ଗୋଲୀୟ ଲୋକକଥାରେ ‘ଅର୍ଜି ବୁଜି’ ନାମକ ଯେଉଁ ଚରିତ୍ର ରହିଛି, ତାହା ‘ରାଜା ଭୋଜ’ ବୋଲି କୁହାଯାଏ। ସେହିପରି ବିଶ୍ବପ୍ରସିଦ୍ଧ ଗ୍ରୀମ୍‌ସ କାହାଣୀମାଳାରେ ରହିଥିବା ଗୋଟିଏ ଗଳ୍ପ ମଧ୍ୟ ବିକ୍ରମ ଚରିତ ପ୍ରେରଣାରେ ରଚିତ ହୋଇଥିବା ସ୍ପଷ୍ଟ। 


ବିକ୍ରମ ଚରିତରେ ବସୁଧୈବ  କୁଟୁମ୍ବକଂ ପରିପ୍ରେକ୍ଷକୁ ବୁଝିବାକୁ ହେଲେ ଏହାର ମୂଳ କାହାଣୀର ଉପୋଦ୍‌ଘାତକୁ ଜାଣିବା ଜରୁରୀ। ତାହା ସଂକ୍ଷେପରେ ଏହିପରି: ଘଟନାକ୍ରମରେ ଦିନେ ସମ୍ରାଟ ବିକ୍ରମାଦିତ୍ୟ/ବିକ୍ରମାର୍କଙ୍କର ଏକ ସିଂହାସନରେ ଉପବେଶନ କରିବାକୁ ଗଲାବେଳେ ସେଥିରେ ଖଚିତ ବତିଶିଟି ପୁତ୍ତଳି/ପୁତ୍ତଳିକା ରାଜା ଭୋଜଙ୍କୁ ବିକ୍ରମାଦିତ୍ୟଙ୍କ କୀର୍ତ୍ତି ଓ ମହାନତା ସମ୍ବନ୍ଧରେ ବର୍ଣ୍ଣନା କରିବାକୁ ଯାଇ ପ୍ରତ୍ୟେକେ ଗୋଟିଏ ଗୋଟିଏ କାହାଣୀ କହନ୍ତି ଏବଂ ତାଙ୍କ ପରି ହୋଇପାରିଲେ ଯାଇ ସେହି ସିଂହାସନରେ ସେ ବସିପାରିବେ ବୋଲି ତାଙ୍କୁ ଚେତାଇ ଦିଅନ୍ତି। ଏଇଠାରୁ ହିଁ ବତିଶି ପୁତ୍ତଳିକାଙ୍କ କାହାଣୀ ଆରମ୍ଭ ହୁଏ। ବିକ୍ରମ ଚରିତ ଭାରତର ପ୍ରାୟ ସମସ୍ତ ଭାଷାରେ ଉପଲବ୍ଧ ଥିଲେ ହେଁ ସବୁଠୁ ପ୍ରାଚୀନ ଯେଉଁଗୁଡ଼ିକୁ ଧରାଯାଏ, ତାହା ହେଲା ଆନ୍ଧ୍ରପ୍ରଦେଶରେ ମିଳୁଥିବା ସଂସ୍କରଣ, ଗଦ୍ୟରେ ବର୍ଣ୍ଣିତ ଆଉ ଏକ ସଂସ୍କରଣ, ଦେବନାଗରୀ ଲିପିରେ ଲିଖିତ ଦୁଇଟି ଜୈନ ସଂସ୍କରଣ ଓ ବରରୁଚିଙ୍କ ରଚିତ ସଂସ୍କରଣ। ଉଲ୍ଲେଖଯୋଗ୍ୟ, ଏହି ବିକ୍ରମ ଚରିତ ଧାରାରେ ବେତାଳ ପଞ୍ଚବିଂଶତି/ବେତାଳ ପଚିଶି ନାମକ କାହାଣୀମାଳା ମଧ୍ୟ ଭାରତୀୟ ଭାଷାଗୁଡ଼ିକରେ ଦେଖିବାକୁ ମିଳେ। ସେ ଯାହାହେଉ, ବସୁଧୈବ କୁଟମ୍ବକଂ ଶ୍ଳୋକଟିକୁ ବିକ୍ରମ ଚରିତର ତେଲୁଗୁ ସଂସ୍କରଣରେ ଦେଖିବାକୁ ମିଳେ ପ୍ରାରମ୍ଭିକ କାହାଣୀ ‘ସର୍ବସ୍ବ-ଦକ୍ଷିଣା-ଯଜ୍ଞ ବର୍ଣ୍ଣନଂ’ରେ, ଯାହାକୁ ସୁପ୍ରଭା ନାମକ ପୁତ୍ତଳିକା କହିଛି। ଏଥିରେ ବର୍ଣ୍ଣିତ ଶ୍ଳୋକଟି ଏହିପରି: ଅୟଂ ନିଜଃ ପରୋବେତି ବିକଳ୍ପୋ ଭ୍ରାନ୍ତଚେତସାଂ/ ପୁନସ୍ତୁଦାର ଚିତ୍ତାନାଂ ବସୁଧୈବ କୁଟୁମ୍ବକଂ। (ବିକ୍ରମ ଚରିତ, ଆନ୍ଧ୍ର, ୩.୧)। ସେହିପରି ଜୈନ ସଂସ୍କରଣରେ ଏହି ଶ୍ଳୋକଟି ସ୍ଥାନ ପାଇଛି ‘ପରୋପକାରାୟ-ସ୍ବଦେହାହୁତି-ଦାନ’ ନାମକ କାହାଣୀରେ, ଯାହାକୁ କହିଛି ସେହି ସୁପ୍ରଭା, କିନ୍ତୁ ଏଠାରେ ସେ ତୃତୀୟ ନୁହେଁ, ସପ୍ତଦଶତମ ପୁତ୍ତଳିକା ରୂପରେ। ତେବେ ବିକ୍ରମ ଚରିତରେ ବିକ୍ରମାଦିତ୍ୟଙ୍କ ଉଦାର ହୃଦୟ ଓ ନ୍ୟାୟ ପରାୟଣତାକୁ ଦର୍ଶାଇବାକୁ ବସୁଧୈବ କୁଟୁମ୍ବକଂ ବ୍ୟବହାର କରାଯାଇଛି; ବିଶ୍ବଭ୍ରାତୃତ୍ବ ଆଦି ଦର୍ଶାଇବା ପାଇଁ ନୁହେଁ;  ଯେପରି ଆଧୁନିକ ସମୟରେ ଏହାର ତ୍ରୁଟିପୂର୍ଣ୍ଣ ଉପଯୋଗ ହୋଇଛି।


ତେବେ ବସୁଧୈବ କୁଟୁମ୍ବକଂ ଶ୍ଳୋକଟିକୁ ପଞ୍ଚତନ୍ତ୍ର, ହିତୋପଦେଶ, ବିକ୍ରମ ଚରିତ ବା ଅନ୍ୟ ଯେଉଁଥିରେ ବି ବର୍ଣ୍ଣନା କରାଯାଇଛି, ସେଥିରେ ଉଦ୍ଧୃତି ରୂପରେ ହିଁ ସଂଲଗ୍ନ ହୋଇଛି, କେବଳ ଗୋଟିଏକୁ ଛାଡ଼ି। ଏହା ହେଉଛି ମହୋପନିଷଦ। ଏଥିରେ ଏହାର ସ୍ବାଭାବିକ ବର୍ଣ୍ଣନା ରହିଥିବାରୁ ବର୍ତ୍ତମାନ ସୁଦ୍ଧା ଏହା ହିଁ ଏହି ବିଖ୍ୟାତ ଶ୍ଳୋକର ମୂଳ ଉତ୍ସ ବୋଲି ଧରାଯାଇଆସୁଚି। ବ୍ରହ୍ମସୂତ୍ରର ଟୀକାକାର ଭାବେ ପ୍ରସିଦ୍ଧ ଆଚାର୍ଯ୍ୟ ରାମାନୁଜ ଶ୍ରୀ-ଭାଷ୍ୟମ ଦ୍ବିତୀୟ ଅଧ୍ୟାୟର ସପ୍ତମ ଅଧିକରଣାରେ ତାଙ୍କ ତର୍କକୁ ପୁଷ୍ଟ କରିବାପାଇଁ ମହୋପନିଷଦରୁ ଉଦ୍ଧୃତି ଦେଇଛନ୍ତି। ଅନ୍ୟାନ୍ୟ ଉପନିଷଦଗୁଡ଼ିକ ପରି ଏହା ଏତେଟା ଲୋକପ୍ରିୟ ନହେଲେ ହେଁ ଏହାକୁ ଅନ୍ୟ ପ୍ରାଚୀନ ସଂସ୍କୃତଜ୍ଞମାନେ (ଯମୁନାଚାର୍ଯ୍ୟ ‘ପୁରୁଷ ନିର୍ଣ୍ଣୟ’ରେ; ନାରାୟଣାଚାର୍ଯ୍ୟ ‘ତତ୍ତ୍ବ ନିର୍ଣ୍ଣୟ’ରେ, ଯାଦବ ପ୍ରକାଶ ‘ଭଗବତ୍‌ଗୀତା ଟୀକା’ରେ) ଏ ସମ୍ବନ୍ଧରେ ଦର୍ଶାଇଛନ୍ତି। 


ବସୁଧୈବ କୁଟୁମ୍ବକଂ ଶ୍ଳୋକଟି ମହୋପନିଷଦର ଷଷ୍ଠ ଅଧ୍ୟାୟର ୭୨ତମ ଶ୍ଳୋକ। ତେବେ ଏଥିରେ ଅୟଂ ନିଜଃ ପରୋବେତି ସ୍ଥାନରେ ରହିଛି ଅୟଂ ବନ୍ଧୁରୟଂ ନେତି। ଏହି ଶ୍ଳୋକଟିର ପ୍ରକୃତ ଭାବ ଓ ଭିତ୍ତିକୁ ବୁଝିବାକୁ ହେଲେ ଏହାର ପୂର୍ବାପର ଶ୍ଳୋକ ଜାଣିବା ନିହାତି ଆବଶ୍ୟକ: 

ଉଦାର ପେଶାଲାଚାରଃ ସର୍ବାଚାରାନୁବୃତ୍ତିମାନ

ଅନ୍ତଃସଙ୍ଗ-ପରିତ୍ୟାଗୀ ବହିଃ ସଂଭାରବାନିବ। 

ଅନ୍ତଃବୈରାଗ୍ୟମାଦାୟ ବହିରାଶୋନ୍ମୁଖେହିତଃ

ଅୟଂ ବନ୍ଧୁରୟଂ ନେତି ଗଣନା ଲଘୁ ଚେତସାଂ

ଉଦାରଚରିତାନାଂ ତୁ ବସୁଧୈବ କୁଟୁମ୍ବକଂ। 

ଭାବାଭାବ ବିନିର୍ମୁକ୍ତଂ ଜରାମରଣବର୍ଜିତଂ

 ପ୍ରଶାନ୍ତ କଳନାରଭ୍ୟଂ ନୀରାଗଂ ପଦମାଶ୍ରୟ। 

ଏଷା ବ୍ରାହ୍ମୀସ୍ଥିତିଃ ସ୍ବଚ୍ଛା ନିଷ୍କାମା ବିଗତାମୟା 

ଆଦାୟ ବିହରନ୍ନେବଂ ସଙ୍କଟେଷୁ ନ ମୁହ୍ୟତି।। (ମହୋପନିଷଦ: ୬.୭୦-୭୩)


ଏହି ଶ୍ଳୋକାଂଶଟିରେ ସେହି ମହାନ ବ୍ୟକ୍ତିଙ୍କ ଆଚାରବ୍ୟବହାର ଓ ଲକ୍ଷଣ ବିଷୟରେ ବର୍ଣ୍ଣିତ, ଯିଏ ଅଧ୍ୟାତ୍ମର ସର୍ବୋଚ୍ଚ ସୋପାନ ବ୍ରାହ୍ମୀସ୍ଥିତିକୁ ପ୍ରାପ୍ତ କରିଛନ୍ତି। ଏହାର ଭାବାର୍ଥ ଏପରି: ବ୍ରାହ୍ମୀସ୍ଥିତିକୁ ଯିଏ ଲାଭ କରିପାରିଛି, ସେ ଉଦାର, ସ୍ବଚ୍ଛ ଆଚାରସଂପନ୍ନ ଏବଂ ସମସ୍ତ ମୋହମାୟାରୁ ମୁକ୍ତ। ବାହାରକୁ ସେ ଅନ୍ୟ ନଶ୍ବରଙ୍କ ପରି ସମସ୍ତ ସାଂସାରିକ କର୍ତ୍ତବ୍ୟ କରୁଥିଲେ ମଧ୍ୟ ଆନ୍ତରିକ ଭାବେ ସେ ସବୁକିଛି ପରିତ୍ୟାଗ କରିଥାନ୍ତି। ନୀଚମନା (ସାଧାରଣ) ଲୋକେ ‘ଇଏ ବନ୍ଧୁ ଓ ସିଏ ନୁହେଁ’ ଏପରି ଭେଦ କରନ୍ତି, କିନ୍ତୁ ଏହାଙ୍କର (ବ୍ରାହ୍ମୀସ୍ଥିତି ଲାଭ କରିଥିବା ମହାପୁରୁଷ) ହୃଦୟ ଏତେ ଉଦାର ଯେ ସମଗ୍ର ବିଶ୍ବବ୍ରହ୍ମାଣ୍ଡକୁ ସେ ନିଜର କୁଟୁମ୍ବ/ପରିବାର ମନେକରନ୍ତି। ଭାବଅଭାବରୁ ମୁକ୍ତ, ଜରାମରଣ ବିବର୍ଜିତ ଏହାଙ୍କ କ୍ଳେଶରୂପକ ଅଗ୍ନି ନିର୍ବାପିତ ହୋଇଥାଏ; ତେଣୁ ତାଙ୍କଠାରେ କୌଣସି ମୋହମାୟା ଆଶ୍ରୟ ନେଇପାରେ ନାହିଁ। ଏହା ହେଉଛି ବ୍ରାହ୍ମୀସ୍ଥିତିର ଲକ୍ଷଣ; ପୂର୍ଣ୍ଣ ବିଶୁଦ୍ଧ ଓ ନିଷ୍କାମ, ଯାହା ସମସ୍ତ ଦୁଃଖଶୋକଠାରୁ ଊର୍ଦ୍ଧ୍ବରେ। ଏପରି ଲକ୍ଷଣସଂପନ୍ନ ମହାପୁରୁଷ କୌଣସି ପ୍ରକାର ସଙ୍କଟର ସମ୍ମୁଖୀନ ନହୋଇ ଧରାପୃଷ୍ଠରେ ମୁକ୍ତ/ସ୍ବାଧୀନ ଭାବେ ବିଚରଣ କରନ୍ତି।


ଏଥିରୁ ଏହା ଅବଶ୍ୟ ନିଃସନ୍ଦେହରେ କୁହାଯାଇପାରେ ଯେ, ବସୁଧୈବ କୁଟୁମ୍ବକଂର ପରିପ୍ରେକ୍ଷ କୌଣସି ସମାଜ/ରାଷ୍ଟ୍ର ପାଇଁ କୌଣସି ପ୍ରକାରର ଆଦର୍ଶ/ବିଚାରର ଉପସ୍ଥାପନ କରାଯାଇ ନାହିଁ ଅଥବା ଏହା କୌଣସି ପ୍ରକାରର ରାଜନୈତିକ/କୂଟନୈତିକ ଦର୍ଶନ ବି ନୁହେଁ, ଯେପରି ଆଧୁନିକ ସମୟରେ ଏକ ଧାରଣା ସୃଷ୍ଟି ହୋଇଛି ବା କରାଯାଇଛି; ବରଂ ଏହାରି ଉଦ୍ଦେଶ୍ୟ, କେବଳ ବ୍ୟକ୍ତିଗତ ଆଧ୍ୟାତ୍ମିକ ଉତ୍କର୍ଷ ହାସଲ କରିଥିବା ‘ବ୍ରହ୍ମବେତ୍ତା’ଙ୍କ ଲକ୍ଷଣ ଦର୍ଶାଇବା। 


ଏହା ସତ୍ୟ ଯେ ଭାରତବର୍ଷର ଭୌଗୋଳିକ ପରିସୀମା ଯାହା ଥାଉ ନା କାହିଁକି, ପ୍ରାଚୀନ କାଳରେ ଏହା ଖୁବ୍‌ ସମ୍ଭବ ପୃଥିବୀର ଅନ୍ୟ ପ୍ରାନ୍ତର ଅଧିବାସୀଙ୍କ ନିମନ୍ତେ ଏକ ଉଦାର ଦୃଷ୍ଟିକୋଣସଂପନ୍ନ ହୋଇ ରହିଥିଲା। ବିଗତ ପାଞ୍ଚ ସାତଶହ ବର୍ଷର ଇତିହାସ କହେ ଯେ, ଇରାନର ପାର୍ସିଙ୍କଠାରୁ ଆରମ୍ଭ କରି ପୂର୍ବ ଆଫ୍ରିକାରୁ ଇଉରୋପୀୟଙ୍କ ଦ୍ବାରା ଅଣାଯାଇଥିବା କ୍ରୀତଦାସଙ୍କ ପର୍ଯ୍ୟନ୍ତ (ଏହାଙ୍କ ମଧ୍ୟରୁ କୁତୁବୁଦ୍ଦିନ ଆଇବାକ୍‌ ରାଜସିଂହାସନ ମଧ୍ୟ ଆରୋହଣ କରିଥିଲେ), ସଭିଙ୍କୁ ଭାରତ ଉଦାର ଚିତ୍ତରେ ଗ୍ରହଣ କରିଥିଲା। ସେହିପରି ବାଣିଜ୍ୟ ପାଇଁ ହେଉ ରାଜ୍ୟ ଜୟ ଲୋଭରେ ହେଉ, ଭାରତକୁ ଆସିଥିବା ତୁର୍କ, ହୁଣ, ମଙ୍ଗୋଲ୍‌, ଆଫଗାନ, ଆରବୀୟ ପ୍ରଭୃତି ଏଠାରେ ହିଁ ନିଜକୁ ପ୍ରତିଷ୍ଠିତ କରି ପରବର୍ତ୍ତୀ ସମୟରେ ଆପଣାକୁ ‘ଭାରତୀୟ’ କରିଦେଇଥିଲେ। କେବଳ ସେତିକି ନୁହେଁ, ଶୈକ୍ଷିକ/ସାଂସ୍କୃତିକ କ୍ଷେତ୍ରରେ ଭାରତ ସମଗ୍ର ବିଶ୍ବ ପ୍ରତି ଏକ ଉଦାର ଦୃଷ୍ଟିକୋଣ ରଖିଥିଲା, ଯାହାର ଫଳସ୍ବରୂପ ବିଶ୍ବର କୋଣ ଅନୁକୋଣରୁ ନାଳନ୍ଦା, ତକ୍ଷଶିଳା, ବିକ୍ରମଶିଳା ଭଳି ବିଶ୍ବବିଦ୍ୟାଳୟକୁ ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ଶିକ୍ଷାଗ୍ରହଣ/ଶିକ୍ଷାଦାନ କରିବାକୁ ଆସୁଥିଲେ। ଗ୍ରୀସ୍‌ରୁ ମେଘାସ୍ଥିନିସ୍‌, ଚୀନରୁ ଫାହିୟାନ ଓ ହୁଏନ ସାଂଙ୍କଠାରୁ ମରକ୍କୋର ଇବନ ବତୁତାଙ୍କ ପର୍ଯ୍ୟନ୍ତ ବହୁ ବୁଦ୍ଧିଜୀବୀ, ଶିକ୍ଷାବିତ୍‌, ଜ୍ଞାନପିପାସୁ ଏଠାକୁ ଆସି ଜ୍ଞାନଚର୍ଚା କରିଥିବା ଜଣାଯାଏ। ଅପରପକ୍ଷେ, ପ୍ରାଚୀନ ଭାରତ କେବେ ଅନ୍ୟ ମନୁଷ୍ୟ ସମୂହ ବା ଭୌଗୋଳିକ ପରିସୀମା ଉପରେ ନିଜର ଆଧିପତ୍ୟ ବିସ୍ତାର କରିବାକୁ ଚେଷ୍ଟିତ ହୋଇନାହିଁ। ଚୀନ ପରି ପ୍ରାଚୀନ ସଭ୍ୟତା ନିଜକୁ ସର୍ବଦା ‘ସାମ୍ରାଜ୍ୟର କେନ୍ଦ୍ର’ (ମିଡିଲ୍‌ କିଙ୍ଗ୍‌ଡମ୍‌) ବୋଲି ବିଶ୍ବାସ କରି ନିଜକୁ ଅନ୍ୟ ସଭ୍ୟତାଠାରୁ ଯଥାସମ୍ଭବ ଦୂରତା ଅବଲମ୍ବନ କରିଆସିଥିବାବେଳେ ପାଶ୍ଚାତ୍ୟ ରାଷ୍ଟ୍ରସମୂହ (ଗ୍ରେକୋ-ରୋମାନ ସଭ୍ୟତା) ବିଶ୍ବର ଅନ୍ୟ ସଭ୍ୟତାଠାରୁ ଆପଣାକୁ ‘ଶ୍ରେଷ୍ଠ’ କହି ଅନ୍ୟମାନଙ୍କ ଅଧିପତି ହେବା ତାଙ୍କର ଅଧିକାର ବୋଲି ଏକ ନିର୍ବୋଧ ଭାବନାର ବଶବର୍ତ୍ତୀ ହୋଇଆସିଛନ୍ତି।  ଏହି ସାମନ୍ତବାଦୀ ପ୍ରବୃତ୍ତି ହିଁ ବିଶ୍ବରେ ବହୁଳାଂଶ ସନ୍ତ୍ରାସ/ଯୁଦ୍ଧର ସୂତ୍ରଧର ହୋଇଚି। କୌଣସି ନିର୍ଦ୍ଦିଷ୍ଟ ଭୌଗୋଳିକ ପରିସୀମାରେ ଆବଦ୍ଧ ଭୂଖଣ୍ଡ ଅର୍ଥାତ ଦେଶ/ରାଷ୍ଟ୍ରକୁ ମାଆ (ମଦରଲାଣ୍ଡ୍‌) ବୋଲି ବିଚାର କରିବାର ବୋଧଟି ମୂଳତଃ ପାଶ୍ଚାତ୍ୟ ସଭ୍ୟତାର, ଇଉରୋପର। ପ୍ରାଚୀନ ଗ୍ରୀସ୍‌ ଓ ଇଉରୋପର ପ୍ରତିନିଧିତ୍ବ କରୁଥିବା ଦାର୍ଶନିକ ସକ୍ରେଟିସ୍‌ ଓ ପ୍ଲେଟୋ କହୁଥିଲେ ଯେ ଗ୍ରୀସ୍‌ଦେଶରେ ଜଣେ ନାଗରିକ ଭାବରେ ଭୂମିଷ୍ଠ ହୋଇଥିବାରୁ ଏବଂ ଅନ୍ୟ ଦେଶରେ ମ୍ଳେଚ୍ଛ ଭାବେ ଜନ୍ମ ନେଇ ନଥିବାରୁ ସେମାନେ ଭାଗ୍ୟଦେବତା ପାଖରେ କୃତଜ୍ଞ। ଆରିଷ୍ଟୋଟଲ ତାଙ୍କର ପ୍ରସିଦ୍ଧ ଗ୍ରନ୍ଥ ‘ନୀତିଶାସ୍ତ୍ର’ରେ କେବଳ ଗ୍ରୀସ୍‌ର ନାଗରିକଙ୍କୁ ହିଁ ପ୍ରକୃତ ମଣିଷ ବୋଲି ସ୍ବୀକାର କରିବା ସହ ଗ୍ରୀସ୍‌ ସୀମାର ଚତୁଃପାର୍ଶ୍ବ, ଅର୍ଥାତ ସଂସାରର ଅନ୍ୟ ମଣିଷମାନଙ୍କୁ   ମ୍ଳେଚ୍ଛ, ବର୍ବର ଓ ପଶୁ ବୋଲି ଅଭିହିତ କରିଚନ୍ତି। ଏସବୁ ମୋହୋକ୍ତିମାନ ପରବର୍ତ୍ତୀ କାଳରେ ଆଧୁନିକ ଇଉରୋପରେ ରାଷ୍ଟ୍ରବାଦ ରୂପରେ ଉଭା ହୋଇଥିଲା। ବିଡ଼ମ୍ବନା ଯେ ସେହି ରାଷ୍ଟ୍ରବାଦକୁ ଆଧୁନିକ ଭାରତର କେତେକ ଗୋଷ୍ଠୀ ଉଧାର ଆଣି ଆପଣାକୁ ରାଷ୍ଟ୍ରବାଦୀ/ଜାତୀୟତାବାଦୀ ବୋଲି ବୃଥାଗର୍ବ କରିଆସିଚନ୍ତି; ଅଥଚ ଭାରତବର୍ଷର ପୁରାତନ ସଂସ୍କୃତିରେ ପରିସୀମାଚିହ୍ନିତ କୌଣସି ଭୂଖଣ୍ଡକୁ ନୁହେଁ, ବରଂ ମାଟିକୁ ହିଁ ମାଆ ବୋଲି ଜ୍ଞାନ କରାଯାଇଆସିଚି। ମାଟି ଅର୍ଥାତ ସମଗ୍ର ବିଶ୍ବର ମାଟି; ସମଗ୍ର ଧରିତ୍ରୀ। ଏହି ଧରିତ୍ରୀ ଉପରେ ବସବାସ କରୁଥିବା ସମସ୍ତ ମନୁଷ୍ୟ ତେଣୁ ମ୍ଳେଚ୍ଛ, ବର୍ବର କି ପଶୁ ନୁହନ୍ତି; ସେମାନେ ସମସ୍ତେ ‘ଅମୃତର ସନ୍ତାନ’, ଯାହାର ଉଦ୍‌ଘୋଷଣା ଏହିପରି: 

ୟୁଜେ ବାଂ ବ୍ରହ୍ମ ପୂର୍ବ୍ୟଂ ନମୋଭିର୍ବିଶ୍ଳୋକ

ଏତୁ ପଥ୍ୟେବ ସୁରେଃ। 

ଶୃଣ୍ବନ୍ତୁ ବିଶ୍ବେ ଅମୃତସ୍ୟ ପୁତ୍ରା ଆ ୟେ

ଧାମାନି ଦିବ୍ୟାନି ତସ୍ଥୁ।। (ଶ୍ବେତାଶ୍ବତର ଉପନିଷଦ: ଦ୍ବିତୀୟ ଅଧ୍ୟାୟ; ଶ୍ଳୋକ: ୫) 

ଅର୍ଥାତ: ଜ୍ଞାନୀଜନଙ୍କ ପଦଚିହ୍ନର ଅନୁଗମନ କରି ମୁଁ ନିରନ୍ତର ଧ୍ୟାନ ଦ୍ବାରା ତୁମ ଦୁଇଜଣଙ୍କୁ ଅନାଦି ବ୍ରହ୍ମରେ ବିଲୟ କରୁଚି। ମହିମାମୟ ପ୍ରଭୁ ସ୍ବୟଂ ନିଜକୁ ଅଭିବ୍ୟକ୍ତ କରନ୍ତୁ। ବିଶ୍ବର ସମସ୍ତ ଅମୃତ ପୁତ୍ର ମୋ କଥା ଶୁଣନ୍ତୁ ଏବଂ ସେମାନେ ବି ଶୁଣନ୍ତୁ, ଯେଉଁମାନେ ଦିବ୍ୟଧାମରେ ନିବାସ କରନ୍ତି।


ରାଷ୍ଟ୍ର/ରାଷ୍ଟ୍ରବାଦ/ରାଷ୍ଟ୍ରନୀତି(ରାଜନୀତି) ସୀମା ତିଆରି କରେ; କଣ୍ଟାବାଡ଼/ପ୍ରାଚୀର ଲଗାଇ ମନୁଷ୍ୟର ଗତିରୋଧ କରେ। ଧର୍ମ ଯେବେଠୁ ଅଧ୍ୟାତ୍ମ ରହିତ ହେଲା, ତାହା ମଧ୍ୟ ରାଜନୀତିର ନିୟନ୍ତ୍ରଣରେ ରହିଲା; ମନୁଷ୍ୟ ପାଇଁ କାଳ ହେଲା। ‘ଗୋଟିଏ ବିଶ୍ବ’ (ୱାନ୍‌ ୱାର୍ଲଡ), ‘ସୀମାବିହୀନ ପୃଥିବୀ’ (ବର୍ଡରଲେସ୍‌ ୱାର୍ଲଡ), ‘ବିଶ୍ବ ଗ୍ରାମ’ (ଗ୍ଲୋବାଲ୍‌ ଭିଲେଜ) ଆଦି ଚାତୁର୍ଯ୍ୟପୂର୍ଣ୍ଣ ପରିକଳ୍ପନାମାନ ଯେ ଅବାସ୍ତବ ଧାରଣା, ତାହା କ୍ରମେ ପ୍ରମାଣିତ ହେବାରେ ଲାଗିଚି। ‘ବସୁଧୈବ କୁଟୁମ୍ବକଂ’ର ବ୍ୟକ୍ତିଗତ ଆଧ୍ୟାତ୍ମିକ ଦର୍ଶନର ରାଜନୈତିକ ପ୍ରୟୋଗ ମଧ୍ୟ ତଦନୁରୂପ ଏକ ଛଳନା ନତୁବା ନିର୍ବୋଧତାରୁ ସୃଷ୍ଟ; ତେଣୁ ଅବାସ୍ତବ। 


(ବି.ଦ୍ର.: ଏ ଶୃଙ୍ଖଳାର ପ୍ରଥମ ଲେଖା ଏହି ସ୍ତମ୍ଭରେ ୧୪.୧୧.୨୦୨୧ରେ ପ୍ରକାଶିତ)

‘ସମାଜ’, କଟକ; ଦୂରଭାଷ: ୭୯୭୮୧୦୯୧୫୩

ashoksamaja@gmail.com

(‘ସମାଜ’ରେ ୨୬.୧୨.୨୦୨୧ରେ ପ୍ରକାଶିତ)

Read More

ବସୁଧୈବ କୁଟୁମ୍ବକଂ ବିଭ୍ରମ

Leave a Comment

 


ଅୟଂ ନିଜଃ ପରୋ ବେତି ଗଣନା ଲଘୁଚେତସାଂ।

ଉଦାରଚରିତାନାଂ ତୁ ବସୁଧୈବ କୁଟୁମ୍ବକଂ।। (ପଞ୍ଚତନ୍ତ୍ର: ୫.୩୮)

(ନୀଚମନା ଲୋକେ ‘ଇଏ ଆପଣା ଇଏ ପର’ ଏଭଳି ଭେଦବୁଦ୍ଧି ପ୍ରକାଶ କରିଥାନ୍ତି; କିନ୍ତୁ ଉଦାରମନା ଲୋକେ ସମଗ୍ର ପୃଥିବୀର ଲୋକଙ୍କୁ ନିଜ ପରିବାର ବୋଲି ମନେ କରନ୍ତି।)

ସଂସ୍କୃତର ସର୍ବାଧିକ ଲୋକପ୍ରିୟ ଶ୍ଳୋକ କ’ଣ ଜାଣିବା ନିମନ୍ତେ ଆମେ ଯଦି ଏକ ସର୍ବେକ୍ଷଣ କରିବା, ତେବେ ଏହି ଶ୍ଳୋକର ଶେଷ ପଦ, ଅର୍ଥାତ ବସୁଧୈବ କୁଟୁମ୍ବକଂ ହିଁ ସର୍ବାଗ୍ରେ ରହିବ। ଆମେ ଜାଣି ଆଶ୍ଚର୍ଯ୍ୟ ହେବା ଯେ ଏହା ସାହିତ୍ୟ କି ଧର୍ମ କ୍ଷେତ୍ରରେ ଯେତେ ବ୍ୟବହାର କରାଯାଏ, ତା’ଠୁ ଏହାର ଅଧିକ ଉପଯୋଗ ଦେଖାଯାଏ ରାଜନୀତି/କୂଟନୀତି କ୍ଷେତ୍ରରେ। ସାଧାରଣତଃ ଏହାକୁ ବହୁସଂସ୍କୃତିବାଦ ଓ ଆନ୍ତର୍ଜାତିକବାଦର ପ୍ରତୀକ ରୂପେ ଆମ ଦେଶର ନେତୃବୃନ୍ଦ ଜାତୀୟ/ଅନ୍ତର୍ଜାତୀୟ ମଞ୍ଚଗୁଡ଼ିକରେ ବାରମ୍ବାର ଉଚ୍ଚାରଣ କରିଆସିଚନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କଠୁ ଆରମ୍ଭ କରି ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦର ଦାସ ମୋଦିଙ୍କ ପର୍ଯ୍ୟନ୍ତ, ଏପରି କୌଣସି ପ୍ରମୁଖ ନେତା ନାହାନ୍ତି, ଯିଏ ଏହି ଶ୍ଳୋକର ସମ୍ମୋହନରେ ପଡ଼ିନାହାନ୍ତି। ଏମାନଙ୍କ ମଧ୍ୟରୁ ତିନି ଜଣଙ୍କ ଦୃଷ୍ଟାନ୍ତ ଅବଶ୍ୟ ଦ୍ରଷ୍ଟବ୍ୟ। ପୂର୍ବତନ ରାଷ୍ଟ୍ରପତି ତଥା ବୈଦେଶିକ ମନ୍ତ୍ରୀ ପ୍ରଣବ ମୁଖାର୍ଜୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଡ ମନମୋହନ ସିଂହ ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ଉପଯୋଗ କେବଳ ରୋଚକ ନୁହେଁ, ମହତ୍ତ୍ବପୂର୍ଣ୍ଣ ମଧ୍ୟ; କାହିଁକିନା ସେମାନଙ୍କ ବିବୃତିରୁ ଆମେ ଏହି ଶ୍ଳୋକାଂଶ ପ୍ରତି ଭାରତୀୟଙ୍କ ସାଧାରଣ ଦୃଷ୍ଟିକୋଣ ଜାଣିବା ସହ ଭାରତର ବୈଦେଶିକ କୂଟନୀତି ଉପରେ ଧାରଣାଟିଏ ଅବଶ୍ୟ ପାଇପାରିବା। 


୨୦୦୬ (୨୫ ମାର୍ଚ୍ଚ)ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ‘ହାଭାର୍ଡ ଆଲୁମ୍‌ନି ଆସୋସିଏସନ’ ସଭାରେ ଉଦ୍‌ବୋଧନ ଦେଇ ମନମୋହନ କହିଥିଲେ, ‘‘ପ୍ରାଚୀନ ଭାରତବର୍ଷରେ ଭାରତର ଉଦାରବାଦୀ ଦୃଷ୍ଟିକୁ ବସୁଧୈବ କୁଟୁମ୍ବକଂ ଦର୍ଶନ ଦ୍ବାରା ସଂଜ୍ଞାୟିତ କରାଯାଉଥିଲା, ଯାହା ‘ସଭ୍ୟତାର ସଂଘର୍ଷ’ (କ୍ଲାଶ୍‌ ଅଫ୍ ସିଭିଲାଇଜେସନ୍ସ)ର ବିପରୀତ... ଯେଉଁ ଉପପାଦ୍ୟ ସହିତ ମୁଁ ଆଦୌ ଏକମତ ନୁହେଁ। ଆମକୁ ସେହି ଉଦାରବାଦୀ ସ୍ଥାନକୁ ପୁନଃ ପ୍ରାପ୍ତ କରିବାକୁ ହେବ।’’ ଆମେରିକୀୟ ରାଜନୀତି ବିଜ୍ଞାନୀ ସାମୁଏଲ୍‌ ହଟିଙ୍ଗ୍‌ଟନଙ୍କ ବହୁଚର୍ଚିତ ବିଚାର ‘ସଭ୍ୟତାର ସଂଘର୍ଷ’ର ଓଲଟା ସୂତ୍ର ବସୁଧୈବ କୁଟୁମ୍ବକଂରେ ରହିଛି, ଯାହା ସଭ୍ୟତାଗୁଡ଼ିକ ମଧ୍ୟରେ ପାରସ୍ପରିକ ସଂପ୍ରୀତି ଓ ସଦ୍ଭାବନାର କାରକ ହୋଇପାରିବ- ମନମୋହନଙ୍କ ଏହି ଚିନ୍ତାରେ ନେହେରୁଙ୍କ ଉଦାରବାଦୀ ଆନ୍ତର୍ଜାତିକବାଦର ପ୍ରତିଫଳନ ପରିସ୍ଫୁଟ। ପ୍ରାଚୀନ ହିନ୍ଦୁ ଆଦର୍ଶକୁ ପୁନଃସଂଚାଳିତ କରି ଆପଣାର ମୂଲ୍ୟବୋଧକୁ ପ୍ରତ୍ୟୟନ କରିବାର ୟେ ଥିଲା ଏକ ନିଷ୍କପଟ ପ୍ରଚେଷ୍ଟା। ତେବେ ଭାରତର ତତ୍କାଳୀନ ବୈଦେଶିକ ମନ୍ତ୍ରୀ ପ୍ରଣବ ମୁଖାର୍ଜୀ ୨୦୦୭ (୫ ଡିସେମ୍ବର)ରେ ରାଜ୍ୟସଭାକୁ ଉଦ୍‌ବୋଧନ ଦେଇ ଉଦାତ୍ତ କଣ୍ଠରେ ଯେଉଁ ଘୋଷଣା କରିଥିଲେ, ତାହା ଥିଲା ଅପୂର୍ବ: ‘‘ବସୁଧୈବ କୁଟୁମ୍ବକଂ ଆମର ବୈଦେଶିକ ନୀତି।’’ ସେହିପରି ଶ୍ରୀ ମୋଦି ୨୦୧୮ରେ (୨୩ ଜାନୁଆରୀ) ଡାଭୋସ୍‌ରେ ଆୟୋଜିତ ‘ୱାର୍ଲଡ ଇକୋନୋମିକ୍‌ ଫୋରମ୍‌’ରେ ବସୁଧୈବ କୁଟୁମ୍ବକଂର ଅର୍ଥ ବୁଝାଇବାକୁ ଯାଇ କହିଥିଲେ, ‘‘ଭୌତିକ ପୃଥିବୀ ବିଷୟରେ ମଧ୍ୟ, କେଉଁ ପ୍ରାଚୀନ କାଳରୁ ଆମେ ସେହି ସମାନ କଥା ବସୁଧୈବ କୁଟୁମ୍ବକଂ କହିଆସୁଛୁ। ତତ୍କାଳୀନ ପୃଥିବୀର ଗୋଟିଏ ପ୍ରାନ୍ତରୁ ଆର ପ୍ରାନ୍ତକୁ ଯାତାୟାତ ପାଇଁ ସେପରି ସାଧନ ନଥିଲା; ତଥାପି ଏକତା ଭାବନା ରହିଥିଲା।’’


 ଏଥିରେ କୌଣସି ସନ୍ଦେହ ନାହିଁ ଯେ ଭାରତ ସ୍ବାଧୀନତୋତ୍ତର କାଳରେ ତା’ର ନୀତିନିର୍ଦ୍ଧାରଣକୁ ବିଶ୍ବତୋମୁଖୀ ଉପସ୍ଥାପନ ପାଇଁ ବସୁଧୈବ କୁଟୁମ୍ବକଂକୁ ହିଁ ତା’ର ସର୍ବୋତ୍କୃଷ୍ଟ ଆଦର୍ଶ ବୋଲି ଦର୍ଶାଇଆସିଛି। ତେଣୁ ସଂସଦ ଭବନ ପ୍ରବେଶ ପଥରେ ମଧ୍ୟ ଏହାକୁ  ଉତ୍‌କୀର୍ଣ୍ଣ କରାଯାଇଛି। ପାରମ୍ପରିକ ହିନ୍ଦୁଙ୍କ ଧାରଣା ଯେ ଭାରତବର୍ଷର ମୁନିଋଷିଗଣ ଏହାକୁ ବିଶ୍ବଭ୍ରାତୃତ୍ବ ପ୍ରତି ସେମାନଙ୍କର ଉଦାର ଦୃଷ୍ଟି‌େକାଣ ରୂପେ ଉପସ୍ଥାପିତ କରିଥିଲେ। ତେବେ ଆଧୁନିକ ଭାରତୀୟଙ୍କ ମଧ୍ୟରୁ ବହୁଳାଂଶ ସମ୍ପୂର୍ଣ୍ଣ ଶ୍ଳୋକଟି ଜାଣିଥିବେ କି ନା ତାହା ସନ୍ଦେହ। ସମ୍ଭବତଃ ସେହି ହେତୁରୁ ଅନେକାଂଶରେ ଏ ସମ୍ପର୍କିତ ବହୁଳ ବିମର୍ଶ ଏକ କୃତ୍ରିମ/କପଟ ଆଚରଣ ଓ ଅଜ୍ଞ ବୌଦ୍ଧିକତାର ପ୍ରତିଫଳ, ତାହା ଶ୍ଳୋକଟିର ଗଭୀର ଅନୁଶୀଳନରୁ ଅବଶ୍ୟ ଜଣାପଡ଼େ। କୂଟନୀତି କ୍ଷେତ୍ରରେ ଯେଭଳି ଏହାର ଅପପ୍ରୟୋଗ ହୋଇଆସିଛି, ତାହା କେବଳ ଅଜ୍ଞାନତାର ପରିଣାମ କୁହାଗଲେ ଅସଙ୍ଗତ ହେବନାହିଁ। ଅତଏବ ଏହି ଶ୍ଳୋକର ମୂଳ ସ୍ରୋତ ଏବଂ ଏହାର ପ୍ରୟୋଗର ହେତୁଗୁଡ଼ିକର ନିରୀକ୍ଷଣର ଆବଶ୍ୟକତା ମନେହୁଏ ଅପରିହାର୍ଯ୍ୟ।


ଏହି ସର୍ବାଧିକ ବ୍ୟବହୃତ ଶ୍ଳୋକାଂଶଟି ଋଗ୍‌ବେଦ, ମହାଭାରତ, ମନୁସ୍ମୃତି ଓ ପୁରାଣ ଆଦିରୁ ଆନୀତ ବୋଲି ଅନେକଙ୍କ ଧାରଣା; କିନ୍ତୁ ପ୍ରକୃତରେ ଏହାକୁ ଆମେ ଯେଉଁ କେତେକ ପ୍ରାଚୀନ ସଂସ୍କୃତ ଗ୍ରନ୍ଥରେ ଦେଖିବାକୁ ପାଉ, ତାହା ହେଲା ହିତୋପଦେଶ, ପଞ୍ଚତନ୍ତ୍ର, ଚାଣକ୍ୟ ଓ ଭର୍ତ୍ତୃହରିଙ୍କ ରଚନା, ମହୋପନିଷଦ, ବିକ୍ରମ ଚରିତ ଏବଂ କାଶ୍ମୀରୀ କବି ଭଟ୍ଟ ଉଦ୍ଭଟଙ୍କ ରଚନାରେ। ଆମେ ସର୍ବପ୍ରଥମେ ଦେଖିବା ହିତୋପଦେଶରେ ଏହା କେଉଁ ପରିପ୍ରେକ୍ଷୀରେ ପ୍ରୟୋଗ ହୋଇଛି। ଆନୁମାନିକ ପଞ୍ଚମ ଶତାବ୍ଦୀରେ ପ୍ରସିଦ୍ଧ ରାଜନୀତିବେତ୍ତା ନାରାୟଣ ପଣ୍ଡିତ ଦୁଇ ଜଣ ବିଦ୍ୟାବିମୁଖ ରାଜପୁତ୍ରଙ୍କୁ ଶିକ୍ଷା ଦେବା ନିମନ୍ତେ ଏହାକୁ ନିଜର ନୀତିକଥା ମଧ୍ୟରେ ସନ୍ନିବେଶିତ କରିଥିଲେ। ହିତୋପଦେଶରେ ଚାରିଟି ମୁଖ୍ୟ ଅଧ୍ୟାୟ ରହିଥିବାବେଳେ ପ୍ରତ୍ୟେକ କଥା(ଗଳ୍ପ) ଭିତରେ ଏକାଧିକ ଉପକଥା/ଆଖ୍ୟାୟିକା ଗୁନ୍ଥାଯାଇଛି। ପ୍ରଥମ ଅଧ୍ୟାୟ ‘ମିତ୍ରଲାଭ’ରେ ହିଁ ବସୁଧୈବ କୁଟୁମ୍ବକଂ ଦେଖିବାକୁ ମିଳେ। ହିରଣ୍ୟକ ନାମକ ମୂଷିକ ଏବଂ ତା’ ବନ୍ଧୁ ଲଘୁପତନକ କାକ(କୁଆ)ର କାହାଣୀ ଭିତରେ ଆଉ ଗୋଟିଏ କାକ ସୁବୁଦ୍ଧି, ଚିତ୍ରାଙ୍ଗ ମୃଗ ଓ କ୍ଷୁଦ୍ରବୁଦ୍ଧି ଶୃଗାଳକୁ ନେଇ ଏହାର କଥନିକା ଗତିଶୀଳ। ଏଠାରେ କ୍ଷୁଦ୍ରବୁଦ୍ଧି ଯେତେବେଳେ ସୁବୁଦ୍ଧିଠାରୁ ‘ଜରଦ୍‌ଗବ ଗୃଧ୍ର (ଶାଗୁଣା) ଓ ଦୀର୍ଘକର୍ଣ୍ଣ ମାର୍ଜାର (ବିରାଡ଼ି)’ ସମ୍ବନ୍ଧୀୟ ଅନ୍ୟ ଏକ କାହାଣୀ ଶୁଣେ, ସେତେବେଳେ ସେ ବସୁଧୈବ କୁଟୁମ୍ବକଂ ଶ୍ଳୋକଟି ଉଚ୍ଚାରଣ କରେ। କ୍ଷୁଦ୍ରବୁଦ୍ଧି ଶୃଗାଳ ଚିତ୍ରାଙ୍ଗ ମୃଗକୁ ଭକ୍ଷଣ କରିବା ଉଦ୍ଦେଶ୍ୟରେ ତା’ ସହ ମିତ୍ରତା କରିବାକୁ ପାଞ୍ଚେ; କିନ୍ତୁ ଚିତ୍ରାଙ୍ଗର ପ୍ରକୃତ ବନ୍ଧୁ ସୁବୁଦ୍ଧି କାକ କ୍ଷୁଦ୍ରବୁଦ୍ଧିର ମନ୍ଦ ଉଦ୍ଦେଶ୍ୟ ଜାଣି ଚିତ୍ରାଙ୍ଗକୁ ଚେତାଇଦିଏ; କିନ୍ତୁ କ୍ଷୁଦ୍ରବୁଦ୍ଧି ବସୁଧୈବ କୁଟୁମ୍ବକଂ ଶ୍ଳୋକ ଆବୃତ୍ତି ସହ ଯୁକ୍ତି କରି କହେ ଯେ ଚିତ୍ରାଙ୍ଗ କେବଳ କାକକୁ ନିଜର ଓ ତାକୁ (ଶୃଗାଳ) ପର ବୋଲି ଭାବି ନୀଚମନା ହେବା ଅନୁଚିତ। ବସୁଧୈବ କୁଟୁମ୍ବକଂ ବିମର୍ଶ ହିଁ ଚିତ୍ରାଙ୍ଗ ମୃଗର ମନରୁ କ୍ଷୁଦ୍ରବୁଦ୍ଧି ଶୃଗାଳ ପ୍ରତି ଥିବା ସମସ୍ତ ସଂଶୟକୁ ଦୂର କରିଦିଏ ଓ ପ୍ରକୃତ ବନ୍ଧୁ ସୁବୁଦ୍ଧି କାକର ଉପଦେଶକୁ ସେ ଅଗ୍ରାହ୍ୟ କରିବା ସହ ବସୁଧୈବ କୁଟୁମ୍ବକଂ ଉଚ୍ଚାରଣକାରୀ ପ୍ରବଞ୍ଚକ ଶୃଗାଳକୁ ନିଜ ବାସସ୍ଥାନକୁ ଡାକିନିଏ। ଶୃଗାଳଟି ପରେ ତାକୁ ଫାଶରେ ପକାଇବାର ମନ୍ଦ ଉପାୟ ପାଞ୍ଚେ ଓ ସଫଳ ହୁଏ; କିନ୍ତୁ ସୌଭାଗ୍ୟକୁ କାକ ସେଠାରେ ପହଞ୍ଚି ନିଜର ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି ବନ୍ଧୁ ମୃଗକୁ ବଞ୍ଚାଏ ଏବଂ ଶୃଗାଳର ପ୍ରାଣନାଶ କରିବାରେ ମଧ୍ୟ ସଫଳ ହୁଏ।


ମହାନ ରାଜନୀତିବିଦ୍‌ ନାରାୟଣ ପଣ୍ଡିତଙ୍କ ବସୁଧୈବ କୁଟୁମ୍ବକଂର ଏ ପରିପ୍ରେକ୍ଷ ଲୋକପ୍ରିୟ ପରିପ୍ରେକ୍ଷଠାରୁ କେବଳ ଭିନ୍ନ ନୁହେଁ; ପ୍ରାୟ ବିପରୀତମୁଖୀ! ଭ୍ରାତୃତ୍ବ/ସଖ୍ୟ କଥା କହି ପ୍ରବଞ୍ଚନା କରୁଥିବା ଗୋଟିଏ ଶୃଗାଳ ମୁହଁରେ ଏହି ଶ୍ଳୋକଟିକୁ ଉଚ୍ଚାରଣ କରାଇ ସେ ଇତିହାସ, ପ୍ରକୃତି ଓ ଉଦ୍ଦେଶ୍ୟ ନ ଜାଣି ଅନ୍ଧଭାବେ କୌଣସି ବିଚାର/ବ୍ୟକ୍ତିକୁ ଗ୍ରହଣ ନ କରିବାକୁ ତାଙ୍କ ଚେତାବନୀ ଖୁବ୍‌ ସ୍ପଷ୍ଟ।


ଶୃଗାଳଟିକୁ ବିଶ୍ବାସ ନ କରିବାକୁ ବୁଝାଇବା ପାଇଁ ସୁବୁଦ୍ଧି ତା’ ବନ୍ଧୁ ମୃଗକୁ ‘ଜରଦ୍‌ଗବ ଗୃଧ୍ର ଓ ଦୀର୍ଘକର୍ଣ୍ଣ ମାର୍ଜାର’ ଗଳ୍ପ ଶୁଣାଇଥିଲା। ସଂକ୍ଷେପରେ କାହାଣୀଟି ଏମିତି: ଜରଦ୍‌ଗବ ଅତି ବୃଦ୍ଧ ହୋଇଯାଇଥିବା ହେତୁ ସେ ପକ୍ଷୀଶାବକଙ୍କୁ ବୃକ୍ଷ କୋରଡ଼ରେ ଜଗିବାର ଦାୟିତ୍ବ ନେଇଥିଲା; କିନ୍ତୁ ନିଜକୁ ଧାର୍ମିକ ପ୍ରତିପାଦିତ କରି ଦୀର୍ଘକର୍ଣ୍ଣ ମାର୍ଜାର କୋରଡ଼ରେ ଅବସ୍ଥାନ କଲା ଏବଂ ଗୋଟିଏ ପରେ ଗୋଟିଏ ସମସ୍ତ ପକ୍ଷୀଶାବକଙ୍କୁ ଭକ୍ଷଣ କଲା। ଜରଦ୍‌ଗବ ଭକ୍ଷଣ କରିଥିବା ସନ୍ଦେହରେ ପକ୍ଷୀମାନେ ତାକୁ ମାରିଦେଲେ। ଏହି କାହାଣୀ ଶୁଣିବା ପରେ କ୍ରୁଦ୍ଧ ହୋଇ ଶୃଗାଳଟି କାକକୁ ବସୁଧୈବ କୁଟୁମ୍ବକଂ ଦର୍ଶନ ଶୁଣାଇଥିଲା। 


ଏଥିରୁ ଅବଶ୍ୟ ଗୋଟିଏ କଥା ସ୍ପଷ୍ଟ ଯେ ଆଚାର୍ଯ୍ୟ ନାରାୟଣ ପଣ୍ଡିତ ନୀତି ପ୍ରଣୟନ କ୍ଷେତ୍ରରେ ଅନ୍ଧଭାବେ ଭ୍ରାତୃତ୍ବ ଓ ସଖ୍ୟ ଭାବ ପ୍ରତିଷ୍ଠା ନ କରିବାକୁ ଚେତାବନୀ ଦେଇଛନ୍ତି। ଅପରପକ୍ଷେ ସେ ଏହି ଶ୍ଳୋକଟିକୁ ବିଶ୍ବର ସର୍ବଶ୍ରେଷ୍ଠ ନୀତିକଥା ‘ପଞ୍ଚତନ୍ତ୍ର’ରୁ ଉଦ୍ଧାର କରିଥିବା ସ୍ପଷ୍ଟ; କାରଣ ସେ ଠାଏ ସ୍ବୀକାର କରିଛନ୍ତି: ‘‘ପଞ୍ଚତନ୍ତ୍ରାତ୍ତଥାନ୍ୟସ୍ମାତ୍‌ ଗ୍ରନ୍ଥାଦକୃଷ୍ୟ ଲିଖ୍ୟତେ’’ (ହିତୋପଦେଶ ୧.୯)। ଆନୁମାନିକ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରେ ମୌର୍ଯ୍ୟ ଶାସନକାଳରେ ଆଚାର୍ଯ୍ୟ ବିଷ୍ଣୁଶର୍ମଣ/ବିଷ୍ଣୁଶର୍ମାଙ୍କ ଦ୍ବାରା ରଚିତ ଏହି ଅମୂଲ୍ୟ ନୀତିକଥା ତତ୍କାଳୀନ ସମସାମୟିକ ପୃଥିବୀର ସମସ୍ତ ସଭ୍ୟତାକୁ ସଞ୍ଚରିଯାଇଥିଲା, ଯାହା ଏକ ବିସ୍ମୟ। ଫଳତଃ ଏସବୁ ନୀତିକଥା ପର୍ସିଆନ, ସିରିଆକ୍, ତୁର୍କିକ୍‌, ଗ୍ରୀକ, ଲାଟିନଠାରୁ ଆରମ୍ଭ କରି ହିବ୍ର୍ୟୁ ଓ ଚାଇନିଜ୍‌ ଯାଏ, ବିଶ୍ବର ସମସ୍ତ ପ୍ରମୁଖ ପ୍ରାଚୀନ ଭାଷାରେ ଉପଲବ୍ଧ। ଆହୁରି ମଧ୍ୟ ପିଲ୍‌ପାଇ, ଏସପ୍‌, ଗ୍ରୀମ୍‌ ଭଳି ଇଉରୋପର ପ୍ରମୁଖ ଗଳ୍ପମାଳାଗୁଡ଼ିକର ମୂଳ ଉତ୍ସ ‘ପଞ୍ଚତନ୍ତ୍ର’ ବୋଲି ସର୍ବସ୍ବୀକୃତ। ଏଥିରେ ବସୁଧୈବ କୁଟୁମ୍ବକଂର ପ୍ରୟୋଗ ହୋଇଛି ପଞ୍ଚମ ତନ୍ତ୍ର ‘ଅପରୀକ୍ଷିତକାରକମ୍’ର ‘ସିଂହ କାରକ ମୂର୍ଖ ବ୍ରାହ୍ମଣ କଥା’ ଗଳ୍ପ‌େର। ଧ୍ୟାନଯୋଗ୍ୟ, ବିଷ୍ଣୁଶର୍ମା ଏହି ଶ୍ଳୋକଟିକୁ ଯେଉଁ ଚରିତ୍ର ମୁହଁରେ ଆବୃତ୍ତି କରାଇଛନ୍ତି, ତାକୁ ସେ ଆରମ୍ଭରୁ ହିଁ ମୂର୍ଖ/ନିର୍ବୁଦ୍ଧିଆ ​‌େ​‌ଘାଷଣା କରିଛନ୍ତି। ସଂକ୍ଷିପ୍ତ କାହାଣୀଟି ଏହିପରି: ଚାରିଜଣ ବ୍ରାହ୍ମଣ ଯୁବବନ୍ଧୁଙ୍କ ମଧ୍ୟରୁ ତିନି ଜଣ ଶାସ୍ତ୍ରବିଦ୍ୟାରେ ପାରଙ୍ଗମ ଥିଲେ ହେଁ ଥିଲେ ନିର୍ବୁଦ୍ଧିଆ, କିନ୍ତୁ ଜଣେ ଶାସ୍ତ୍ରଶିକ୍ଷାରେ ନ୍ୟୂନ ଥିଲେ ମଧ୍ୟ ଥିଲା ଅତି ବୁଦ୍ଧିମାନ। ଶିକ୍ଷିତ-ନିର୍ବୁଦ୍ଧିଆମାନେ ଥରେ ଆପଣାର ଶାସ୍ତ୍ରଜ୍ଞାନ ପରୀକ୍ଷା ପାଇଁ ମନ ବଳାଇ ଏକ ନଗର ଅଭିମୁଖେ ବାହାରିଲେ। ଅଶିକ୍ଷିତ-ବୁଦ୍ଧିଅ‌ାଜଣକ ସେମାନଙ୍କ ବନ୍ଧୁ ଥିବାରୁ ତୃତୀୟ ଶିକ୍ଷିତ-ନିର୍ବୁଦ୍ଧିଆର ପ୍ରରୋଚନାରେ ସେମାନେ ତାକୁ ସାଙ୍ଗ​‌େ​‌ର ନେଲେ। ଅନ୍ୟ ଦୁଇଜଣ ତାକୁ ନିଜ ସହ ନେବାକୁ ମନା କରୁଥିବାରୁ ତୃତୀୟଜଣକ ସେମାନଙ୍କୁ ପ୍ରବର୍ତ୍ତାଇବାପାଇଁ ବସୁଧୈବ କୁଟୁମ୍ବକଂ ଆବୃତ୍ତି କରିଥିଲା। ଯିବାବେଳେ ବାଟରେ ଏକ ସ୍ଥାନରେ ଅସ୍ଥିମାନ ପଡ଼ିଥିବା ଦେଖି ତାକୁ ଜୀବନ୍ୟାସ ଦେଇ ନିଜ ଶାସ୍ତ୍ରଜ୍ଞାନ ପରୀକ୍ଷା କରିବାକୁ ତିନି ଶିକ୍ଷିତ-ନିର୍ବୁଦ୍ଧିଆ ଭାବିଲେ ଏବଂ ସତକୁ ସତ ତାକୁ ସଜୀବ କରିବା ପରେ ସେଥିରୁ ସିଂହଟିଏ ଆବିର୍ଭାବ ହୋଇ ତିନିଜଣଙ୍କୁ ମାରି ପକାଇଥିଲା। ଅଶିକ୍ଷିତ-ବୁଦ୍ଧିଆଜଣକ ସେପରି କରିବାକୁ ପୂର୍ବରୁ ବାରଣ କରିଥିଲା; କିନ୍ତୁ ସେମାନେ ତା’ କଥା ନ ଶୁଣିବାରୁ ସେ ଏକ ଉଚ୍ଚବୃକ୍ଷରେ ଆଶ୍ରୟ ନେଇ ନିଜର ଜୀବନରକ୍ଷା କରିପାରିଥିଲା। 


ଉଲ୍ଲେଖନୀୟ, ହିତୋପଦେଶରେ ନାରାୟଣ ପଣ୍ଡିତ ବସୁଧୈବ କୁଟୁମ୍ବକଂ ଶ୍ଳୋକଟିକୁ ଜଣେ ପ୍ରବଞ୍ଚକ ଶୃଗାଳ ମୁହଁରେ କୁହାଇ ଏହାର ଅନ୍ଧ-ପ୍ରୟୋଗକୁ ବ୍ୟଙ୍ଗ କରିବା ସହ ଚେତାବନୀ ଦେଇଥିବାବେଳେ ଆଚାର୍ଯ୍ୟ ବିଷ୍ଣୁଶର୍ମା ଏହାକୁ ଜଣେ ଘୋଷିତ ମୂର୍ଖ ବା ନିର୍ବୁଦ୍ଧିଆ ମୁହଁରେ ଆବୃତ୍ତି କରାଇ ତାଙ୍କର ଏ ନେଇ ଥିବା ଦୃଷ୍ଟିକୋଣକୁ ସ୍ପଷ୍ଟ କରିଦେଇଛନ୍ତି। ସେ ଏପରି ଜଣକ ମୁହଁରେ ବସୁଧୈବ କୁଟୁମ୍ବକଂ କୁହାଇଛନ୍ତି, ଯିଏ ତା’ର ବୋକାମି ଦ୍ବାରା ନିଜର ମରଣକୁ ଆମନ୍ତ୍ରଣ କଲା, ଠିକ୍‌ ହିତୋପଦେଶର ସେହି ଶଠ ଶୃଗାଳଟି ପରି, ଯାହାକୁ ବାସ୍ତବବାଦୀ ନାୟକ ସୁବୁଦ୍ଧି କାକ ଆପଣାର ବୁଦ୍ଧିବଳରେ ମାରି ନିଜ ବନ୍ଧୁର ପ୍ରାଣରକ୍ଷା କରିଥିଲା। ବିଶ୍ବର ପ୍ରାଚୀନତମ ଶ୍ରେଷ୍ଠ ନୀତିକଥାଦ୍ବୟ ପଞ୍ଚତନ୍ତ୍ର ଓ ହିତୋପଦେଶର ରଚୟିତା ତଥା ମହାନ ରାଜନୀତିବେତ୍ତା ବିଷ୍ଣୁଶର୍ମା ଓ ନାରାୟଣ ପଣ୍ଡିତ ଏହା ଚେତାଇବାକୁ ଚେଷ୍ଟା କରିଛନ୍ତି ଯେ ପାର୍ଥିବ/ଜାଗତିକ/ଭୌତିକ ବିଷୟରେ ବସୁଧୈବ କୁଟୁମ୍ବକଂର ନିଃସର୍ତ୍ତ ପ୍ରୟୋଗ କେବଳ ଆତ୍ମଘାତୀ​‌ ନୁହେଁ; ଅବାସ୍ତବ ମଧ୍ୟ। ଏହା କେବଳ ଓ କେବଳ ଅଧ୍ୟାତ୍ମ ​‌େ​‌କ୍ଷତ୍ର (‘ମହୋପନିଷଦ’ରେ ଅଧ୍ୟାତ୍ମର ସର୍ବୋଚ୍ଚ ସୋପାନ ବ୍ରାହ୍ମୀସ୍ଥିତିର ଲକ୍ଷଣ ବର୍ଣ୍ଣନା ନିମନ୍ତେ ଏହି ଶ୍ଳୋକର ଅବତାରଣା ହୋଇଛି; ଏ ଶୃଙ୍ଖଳାର ପରବର୍ତ୍ତୀ ରଚନାରେ ଆଲୋଚିତ) ନିମନ୍ତେ ଉଦ୍ଦିଷ୍ଟ।


‘ସମାଜ’, କଟକ; ଦୂରଭାଷ: ୭୯୭୮୧୦୯୧୫୩

ashoksamaja@gmail.com


(‘ସମାଜ’​‌ରେ ୧୪.୧୧.୨୦୨୧ରେ ପ୍ରକାଶିତ)

Read More

ମାନବାଧିକାରର ଇତିହାସ: ଗଣତନ୍ତ୍ର

Leave a Comment


ଅଶୋକ


ମାନବାଧିକାର, ଅର୍ଥାତ ମାନବ ବା ମନୁଷ୍ୟର ପ୍ରାପ୍ୟ ଅଧିକାର। ଏହା ସମାଜ, ରାଷ୍ଟ୍ର, ଶାସନ ଓ ନାଗରିକ ସହ ଜଡ଼ିତ ଥିବାରୁ ଏହାକୁ ସାଧାରଣତଃ ଆଧୁନିକ ସଭ୍ୟତା ସହ ଯୋଡ଼ି ଦେଖାଯାଏ, ଯାହା ଅସଙ୍ଗତ ମଧ୍ୟ ନୁହେଁ। ମାନବାଧିକାରକୁ ସଂସ୍ଥାଗତ ମହତ୍ତ୍ବ ପ୍ରଦାନ ଆଧୁନିକ ସମାଜର ହିଁ ଅବଦାନ। ତେବେ ଏହାର ମୌଳିକ ବିଚାର ମାନବ ସଭ୍ୟତା ଭଳି ହିଁ ପୁରାତନ। କେବଳ ପାର୍ଥକ୍ୟ ଏଇଆ ଯେ ପୂର୍ବରୁ ଏହା ସାମାଜିକ/ଧାର୍ମିକ ଆଚାର-ସଂହିତାର ଏକ ଅଂଶ ଥିଲା, ଯାହା ଆଇନଗତ ବଦଳରେ ଥିଲା ବ୍ୟାବହାରିକ/ଲୋକାୟତ। ଧର୍ମ ଭାରତ ଭଳି ଦେଶରେ ମନୁଷ୍ୟର ସମଗ୍ର ଜୀବନଚର୍ଯ୍ୟାକୁ ଅନୁଶାସିତ କରୁଥିବା ସମୟରେ ମାନବାଧିକାରକୁ ଧାର୍ମିକ ଆଚାର-ସଂହିତାର ଅଂଶ ଭାବେ ପ୍ରଚାର କରାଯାଇଆସିଛି। ମନୁଷ୍ୟ ମାତ୍ରେ ହିଁ ସମସ୍ତଙ୍କର ଅଧିକାର ରହିଛି, ଯେହେତୁ ପ୍ରକୃତି କାହା ପ୍ରତି ଭେଦଭାବ କରେ ନାହିଁ ଓ ସଭିଙ୍କ ସହ ସମାନ ବ୍ୟବହାର କରିଥାଏ। ଏହି ପ୍ରାକୃତିକ ସମାନତାର ନ୍ୟାୟ ହିଁ ମନୁଷ୍ୟକୁ ତା’ର ଅଧିକାର ପ୍ରଦାନ କରିଥାଏ। ଲକ୍ଷ୍ୟଣୀୟ ଯେ ଏଥିରେ ବ୍ୟକ୍ତି ସ୍ବାତନ୍ତ୍ର୍ୟର ମଧ୍ୟ ଗୁରୁତ୍ବ ରହିଛି, ଯାହା କେବଳ ପାଶ୍ଚାତ୍ୟ ନୁହେଁ, ପ୍ରାଚ୍ୟ ଏବଂ ଭାରତୀୟ ଧର୍ମଗ୍ରନ୍ଥଗୁଡ଼ିକରେ ମଧ୍ୟ ପ୍ରତିଭାତ। ଶୁକ୍ଳ ଯଜୁର୍ବେଦର ଏକ ଋଚା(୩୬/୧୮)ରେ ପ୍ରତିପାଳକଙ୍କ ପକ୍ଷରୁ ଉଦ୍‌ଘୋଷଣା କରାଯାଇଛି: 


ମିତ୍ରସ୍ୟାହଂ ଚକ୍ଷୁସା ସର୍ବାଣି ଭୂତାନି ସମୀକ୍ଷେ। ମିତ୍ରସ୍ୟ ଚକ୍ଷୁଷା ସମୀକ୍ଷାମହେ।।

ଅର୍ଥାତ ମୁଁ ସମସ୍ତ ପ୍ରାଣୀଙ୍କୁ ମିତ୍ର-ଭାବରେ ଦେଖେ। ମୋତେ ମଧ୍ୟ ଅନ୍ୟ ସମସ୍ତେ ମିତ୍ରଦୃଷ୍ଟିରେ ଦେଖନ୍ତୁ। 


ଗୋଟିଏ ଦିଗରୁ ଦେଖିଲେ ଧର୍ମକୁ ଲୋକଙ୍କ ଜୀବନର ଏକ ଅଂଶ କରିଦେବାରେ ଏହି ମାନବାଧିକାରର ଉଦ୍‌ଘୋଷଣ ବେଶ୍‌ ସହାୟକ ହୋଇଛି; କିନ୍ତୁ ଆଧୁନିକ ଅର୍ଥରେ ଯେଉଁ ମାନବାଧିକାର କଥା କୁହାଯାଉଛି, ତାକୁ ଧର୍ମ ସହ ଯୋଡ଼ିବାର ଔଚିତ୍ୟ ନାହିଁ। ମିତ୍ର-ଭାବରେ ଦେଖିବା ଅର୍ଥ ସମସ୍ତ ପ୍ରାଣୀଙ୍କ ପ୍ରତି ସମଦୃଷ୍ଟି ରଖିବା। ମନୁଷ୍ୟ ହେଉ ବା ସମାଜ ଅଥବା ରାଷ୍ଟ୍ର, ବିଶ୍ବସନୀୟତା ପାଇଁ ଏହା ଅତ୍ୟାବଶ୍ୟକ। ଯେଉଁଠି ସମତା ଓ ସମାନତାର ଭାବ ରହିଥାଏ, ସେଇଠି ସାମାଜିକ ଜୀବନରେ ମଧ୍ୟ ରାଷ୍ଟ୍ରର ଭୂମିକା ଗୌଣ ହୋଇଯାଏ; ଅନାବଶ୍ୟକ ସାଂସ୍କୃତିକ ପ୍ରତୀକଗୁଡ଼ିକର ଉପଯୋଗ କମିଯାଏ। ସମାଜ ଯେତେବେଳେ ସ୍ବୟଂ ଅନୁଶାସିତ ହୁଏ, ବ୍ୟକ୍ତିଜୀବନରେ ମଧ୍ୟ ପ୍ରତୀକମାନ ପ୍ରଭାବହୀନ ପାଲଟେ। ତା’ର ସ୍ଥାନ ନିଏ ବାସ୍ତବତା, ଅର୍ଥାତ ବର୍ତ୍ତମାନତା। ସମାଜ ଅତୀତ ଅଥବା ସ୍ମୃତି-ସ୍ମାରକ ବଦଳରେ ବର୍ତ୍ତମାନରେ ବଞ୍ଚିବାକୁ ଲାଗେ। ତା’ର ସ୍ବପ୍ନ କ୍ରମେ ଯଥାର୍ଥମୁଖୀ ହୁଏ। ଏପରି ସମାଜରେ ନାଗରିକ ନିଜ ଅଧିକାର ଓ କର୍ତ୍ତବ୍ୟଗୁଡ଼ିକ ପ୍ରତି ସମାନ ଭାବେ ସଚେତନ ଥାଏ ଏବଂ ସେହି କାରଣରୁ ବାହାରର କୌଣସି ଅନୁଶାସନର ଆବଶ୍ୟକତା ପଡ଼େନାହିଁ। ଏପରି ରାଷ୍ଟ୍ର ପ୍ଲେଟୋଙ୍କ ‘ଆଦର୍ଶ ରାଷ୍ଟ୍ର’ ଅବଧାରଣାର ନିକଟତର, ଯାହା ଅନୁସାରେ, ‘‘ଉତ୍ତମ ମନୁଷ୍ୟ ଓ ଉତ୍ତମ ଜୀବନ ଉତ୍ତମ ରାଜ୍ୟରେ ହିଁ ମିଳିପାରିଥାଏ’’। ଏହା ଅସମ୍ଭବ ମନେ ହେଉଥିଲେ ହେଁ ଅବାସ୍ତବ ନୁହେଁ। ଏକ ଆଦର୍ଶ ରାଷ୍ଟ୍ର କିପରି ହେବା ଉଚିତ? ସମାଜରେ ଶାସକ ଓ ଶାସିତର ବିଭାଜନ ରହିବ ନାହିଁ ଏବଂ ଯେଉଁଠି ତାହା ଅପରିହାର୍ଯ୍ୟ ସେଇଠି ଶାସକ ଶାସିତ ପ୍ରତି ମିତ୍ରଭାବ ରଖିବ; ସତ୍ତା ଯଦି ଅଛି, ତାହା ନ୍ୟୂନତମ ଶାସନ କରିବ; ସମସ୍ତ ନାଗରିକଙ୍କୁ ସମଦୃଷ୍ଟିରେ ଦେଖିବ; ସେମାନଙ୍କ ମୌଳିକ ଅଧିକାରଗୁଡ଼ିକୁ ସର୍ବତୋଭାବେ ସୁରକ୍ଷିତ ରଖିବ। ସ୍ମରଣ ରଖିବା ଯେ, ରାଷ୍ଟ୍ର ଓ ନାଗରିକ ପରସ୍ପରର ପରିପୂରକ ଏବଂ ରାଷ୍ଟ୍ର ଯେତେବେଳେ ନିଜର ଶ୍ରେଷ୍ଠତ୍ବ ହରାଏ, ନାଗରିକ ମଧ୍ୟ ତା’ର ଶ୍ରେଷ୍ଠତ୍ବ ହରାଏ ଏବଂ ଏହାର ବିପରୀତଟି ମଧ୍ୟ ସମପରିମାଣରେ ସତ୍ୟ। ଜର୍ଜ ହୋଲାଣ୍ଡ୍‌ ସାବାଇନ (୧୮୮୦-୧୯୬୧) ତାଙ୍କର ପ୍ରସିଦ୍ଧ ପୁସ୍ତକ ‘ହିଷ୍ଟ୍‌ରି ଅଫ୍ ପଲିଟିକାଲ୍‌ ଥିଓରି’ ରେ କହନ୍ତି, ‘‘ଶ୍ରେଷ୍ଠ ମନୁଷ୍ୟ ହିଁ ଶ୍ରେଷ୍ଠ ନାଗରିକ ହୋଇଥାଏ; ଏବଂ ଶ୍ରେଷ୍ଠ ନାଗରିକ ଶ୍ରେଷ୍ଠ ରାଷ୍ଟ୍ରରେ ହିଁ ରହିପାରେ।’’


ସମାନତା ଏକ ଅତି ମହତ୍ତ୍ବପୂର୍ଣ୍ଣ ଅବଧାରଣା, ଯାହାର ମନନ ଓ ଅନୁପାଳନ ସେତେଟା ସହଜ ନୁହେଁ। ପ୍ରତ୍ୟେକ ବ୍ୟକ୍ତି ପ୍ରତି ନିରପେକ୍ଷ, ଉଦାର ଭାବନା ତଥା ତାକୁ ତା’ର ପ୍ରଗତି ପାଇଁ ପକ୍ଷପାତରହିତ ସୁଯୋଗ ଏବଂ  ସ୍ବାଧୀନତା ଉପଲବ୍ଧ କରାଇବା ମାନବାଧିକାରର ଗୋଟିଏଗୋଟିଏ ମହତ୍ତ୍ବପୂର୍ଣ୍ଣ ଅଂଶ। ଯେଉଁଠି ସମାଜରେ ପୂର୍ବରୁ ହିଁ ଅତ୍ୟଧିକ ସାମାଜିକ-ଆର୍ଥିକ-ରାଜନୈତିକ ବୈଷମ୍ୟ ରହିଛି, ସେଠି ସମାନ ସୁଯୋଗର ସିଦ୍ଧାନ୍ତ ଏକ ସମାନତା ଆଧାରିତ ସମାଜ ସ୍ଥାପନ ଲକ୍ଷ୍ୟକୁ ବିଫଳ କରିବା ଅନିବାର୍ଯ୍ୟ; କାରଣ ବହୁ ଆଗକୁ ଯାଇସାରିଥିବା ଜଣେ ବ୍ୟକ୍ତି ସହ ଯଦି ସବା ପଛରେ ପଡ଼ିଥିବା ଜଣେ ବ୍ୟକ୍ତିକୁ ସମାନ ସୁଯୋଗ ଦିଆଯାଏ, ତେବେ ସେହି ସ୍ଥିତି ସର୍ବଦା ଅପରିବର୍ତ୍ତିତ ହିଁ ରହିବ; ସମାନତା କେବେ ପ୍ରାପ୍ତ ହେବ ନାହିଁ। ଏ କ୍ଷେତ୍ରରେ ନ୍ୟାୟର ଆବଶ୍ୟକତା ଅପରିହାର୍ଯ୍ୟ। ରାଷ୍ଟ୍ର ଯେତେବେଳେ ସମସ୍ତ ନାଗରିକଙ୍କ ନିମନ୍ତେ ନ୍ୟାୟ ଅନୁକୂଳ ସ୍ଥିତିର ସୃଜନ କରିଥାଏ; ସେତେବେଳେ ସମାନତାର ବାଟ ଫିଟେ। ସମାନତା ହିଁ ମାନବାଧିକାରର ପୁଣ୍ୟଭୂମି। ଏହାର ଆକାଙ୍‌କ୍ଷା ରାଷ୍ଟ୍ର-ସମାଜର ଇତିହାସ ଭଳି ପ୍ରାଚୀନ କହିଲେ ଭୁଲ୍‌ ହେବନାହିଁ। ମହାଭାରତର ଶାନ୍ତିପର୍ବରେ ରାଜଧର୍ମର ଶ୍ରେଷ୍ଠ ପଣ୍ଡିତ ପିତାମହ ଭୀଷ୍ମ ଅତୀତର ସମାନତା ଆଧାରିତ ଶ୍ରେଣୀହୀନ ସମାଜକୁ ମନେପକାଇ କହନ୍ତି: 


ନ ରାଜ୍ୟଂ ନ ଚ ରାଜାସୀତ୍‌, ନ ଦଣ୍ଡୋ ନ ଚ ଦାଣ୍ଡିକଃ । ସ୍ବୟମେବ ପ୍ରଜାଃ ସର୍ବା ରକ୍ଷନ୍ତି ସ୍ମ ପରସ୍ପରମ୍‌ ।। 

ଅର୍ଥାତ୍‌, ଏକଦା ଯେତେବେଳେ ରାଜ୍ୟ ନଥିଲା, ରାଜା ନ ଥିଲେ, ଦଣ୍ଡ ନ ଥିଲା ବା ଦଣ୍ଡଦାତା ମଧ୍ୟ ନ ଥିଲେ, ଲୋକେ ସ୍ବତଃସ୍ଫୂର୍ତ୍ତ  ପରସ୍ପରକୁ ସାହାଯ୍ୟ-ସହଯୋଗ ଓ ରକ୍ଷା କରୁଥିଲେ।


ପ୍ରାଚୀନ ଭାରତରେ ଗଣତାନ୍ତ୍ରିକ ଚେତନା ଓ କଲ୍ୟାଣରେ ସମସ୍ତଙ୍କ ସମାନ ଭାଗୀଦାରିତା ବିଚାର ବୌଦ୍ଧ ଦର୍ଶନରେ ଦର୍ଶନୀୟ। ଗୌତମ ବୁଦ୍ଧ ସ୍ବୟଂ ଗଣତାନ୍ତ୍ରିକ ପଦ୍ଧତିର ବିଶିଷ୍ଟ ସମର୍ଥକଙ୍କ ମଧ୍ୟରେ ରହିଥିଲେ ଏବଂ ବୌଦ୍ଧ ବିହାରଗୁଡ଼ିକ ଭିତରେ ଏପରି ଗଣତାନ୍ତ୍ରିକ ଚେତନା ଦେଖିବାକୁ ମିଳେ। ସେତେବେଳେ ମଧ୍ୟ ବର୍ତ୍ତମାନ ପରି ଜାତି ଓ ଶ୍ରେଣୀରେ ସମାଜ ବିଭାଜିତ ଥିଲା। ସେହି ମାନବକୃତ କୃତ୍ରିମ ବିଭାଜନକୁ ଧର୍ମସତ୍ତାର ମଧ୍ୟ ସମର୍ଥନପ୍ରାପ୍ତ ଥିଲା। ଗୌତମ ବୁଦ୍ଧ ପ୍ରଥମେ ଏହି ଚତୁର୍ବର୍ଣ୍ଣ ବ୍ୟବସ୍ଥାକୁ ଦୃଢ଼ ଚୁନୌତି ଦେଲେ; ଯଜ୍ଞବେଦିରେ ପ୍ରଦତ୍ତ ପଶୁବଳିକୁ ଘୋର ବିରୋଧ କଲେ। ରାଷ୍ଟ୍ରର ବିଧିବତ୍‌ ପ୍ରତିଷ୍ଠା ପରେ ଆର୍ଥିକ-ସାମାଜିକ-ରାଜନୈତିକ ସମାନତାର ବିଚାର ସମ୍ଭବତଃ ସର୍ବପ୍ରଥମେ ବୌଦ୍ଧକାଳରେ ହିଁ ଲୋକସମ୍ମୁଖକୁ ଆସିଲା। ଗୌତମ ବୁଦ୍ଧ ବୌଦ୍ଧସଙ୍ଘ ଗଢ଼ି ଜାତି-ଧର୍ମ-ବର୍ଗ ନିର୍ବିଶେଷରେ ସମସ୍ତ ମନୁଷ୍ୟଙ୍କ ପାଇଁ ନିଜ ଦ୍ବାର ଖୋଲି ଦେଇଥିଲେ; ଅର୍ଥାତ ଗୋଷ୍ଠୀଜୀବନ ଭିତରେ ମଧ୍ୟ ବ୍ୟକ୍ତି ସ୍ବାଧୀନତାର ସର୍ବୋଚ୍ଚ ସମ୍ମାନ ରହିଥିଲା। ବୌଦ୍ଧକାଳରେ ସମ୍ରାଟମାନେ ହିଁ ନିଜ ପ୍ରଜାର ପାଳନକର୍ତ୍ତା, ସଂରକ୍ଷକ ଓ ମାଲିକ ଥିଲେ  ଏବଂ ସମାଜର ଅଳ୍ପ କିଛି କୁଳୀନ ଲୋକଙ୍କ ନିକଟରେ ସବୁଯାକ କ୍ଷମତା ଠୁଳ ହୋଇଥିଲା। ବୁଦ୍ଧ ସେହି ଧାରାକୁ ଭାଙ୍ଗିବାକୁ ଉଦ୍ୟମ କଲେ। ସେତେବେଳେ ବୈଶାଳୀ ଭଳି ଗଣତାନ୍ତ୍ରିକ  ବିଚାର ଉପରେ ପ୍ରତିଷ୍ଠିତ କେତେକ କ୍ଷୁଦ୍ର ରାଜ୍ୟ ଥିଲା ସତ୍ୟ, କିନ୍ତୁ ତାହା ଥିଲା ଖଣ୍ଡିତ ଗଣତନ୍ତ୍ର। ବୁଦ୍ଧ ତତ୍କାଳୀନ ଗଣତନ୍ତ୍ରରେ ରାଜ୍ୟଗୁଡ଼ିକର ସଂଘ ଉପରେ ଅଧିକାରକୁ ଅଗ୍ରାହ୍ୟ କରିିଥିଲେ। ସମ୍ରାଟଙ୍କ ଅଧିକାରର ଅସ୍ବୀକାର୍ଯ୍ୟତାକୁ ନେଇ ଅନେକ ଜାତକ କଥା ରଚିତ ହୋଇଥିଲା। ସେଥିରୁ ଗୋଟିଏ ଥିଲା ଏହିପରି: 


ଥରେ ରାଜାଙ୍କୁ ପ୍ରିୟତମା ପାଟରାଣୀ ବର ମାଗିଲେ, ‘‘ମହାରାଜ, ମୋତେ ରାଜ୍ୟରେ ଅମର୍ଯ୍ୟାଦିତ ନିଷ୍କଣ୍ଟକ ରାଜ୍ୟଭୋଗ କରିବାର ଅଧିକାର ପ୍ରଦାନ କରାଯାଉ।’’


ରାଜା ମହାରାଣୀଙ୍କୁ ବୁଝାଇ କହିଲେ, ‘‘ହେ ଭଦ୍ରେ! ରାଜ୍ୟର ସମସ୍ତ ନିବାସୀଙ୍କ ଉପରେ ମୋର କୌଣସି ଅଧିକାର ନାହିଁ। ମୁଁ ସେମାନଙ୍କ ସ୍ବାମୀ (କର୍ତ୍ତା) ନୁହେଁ। ମୁଁ ତ କେବଳ ସେଇମାନଙ୍କର ସ୍ବାମୀ ଓ ନିୟନ୍ତ୍ରଣକର୍ତ୍ତା, ଯେଉଁମାନେ ରାଜକୀୟ କର୍ତ୍ତବ୍ୟର ଉଲ୍ଲଙ୍ଘନ ପୂର୍ବକ ଅକରଣୀୟ କାର୍ଯ୍ୟ କରି ଅନ୍ୟର ଜୀବନରେ ବାଧା ସୃଷ୍ଟି କରନ୍ତି। ଏଣୁ ମୁଁ ତୁମକୁ ରାଜ୍ୟର ସମସ୍ତ ନିବାସୀଙ୍କ ଉପରେ ସ୍ବାମିତ୍ବ (କର୍ତ୍ତୃତ୍ବ) ପ୍ରଦାନ କରିବା ପାଇଁ ଅସମର୍ଥ ଅଟେ।’’


ଏହି କାହାଣୀ ଭିତରେ ରାଜ୍ୟ/ରାଜା ଅର୍ଥାତ ରାଷ୍ଟ୍ର/ ରାଷ୍ଟ୍ରାଧ୍ୟକ୍ଷର ପ୍ରଜା ବା ନାଗରିକଙ୍କ ପ୍ରତି ଉଦାର ଭାବନା ପରିସ୍ଫୁଟ ହୋଇଥାଏ। ଏହି ଉଦାରତା ହିଁ ଶାସକ ଏବଂ ଶାସିତ ଭିତରେ ରହିଥିବା ଦୂରତା/ପାର୍ଥକ୍ୟକୁ କମ୍‌ କରିଥାଏ। ସୂଚନାଯୋଗ୍ୟ ଯେ, ତୃତୀୟ ଶତାବ୍ଦୀ ପୂର୍ବରୁ ଜନ୍ମଗ୍ରହଣ କରିଥିବା କୌଟିଲ୍ୟ ଓରଫ୍‌ ଚାଣକ୍ୟ ରାଜାଙ୍କ ନେତୃତ୍ବରେ ଏକ କଲ୍ୟାଣକାରୀ ରାଜ୍ୟ ଗଠନକୁ ସମର୍ଥନ କରିଥିଲେ। ସେ କହିଥିଲେ ଯେ ରାଜା ରାଜ୍ୟର ସ୍ବାମୀ ନୁହନ୍ତି; ପ୍ରଥମ ପ୍ରବନ୍ଧନକର୍ତ୍ତା। ପ୍ରଜା ଉପରେ ନିଜର ଇଚ୍ଛା ବଳପୂର୍ବକ ଲଦି ନ ଦେବାପାଇଁ ଚାଣକ୍ୟ ରାଜାଙ୍କୁ ସାବଧାନ କରିଥିଲେ- ‘ଜନତାଙ୍କ କୋପ ସବୁ କୋପଠାରୁ ଭୟଙ୍କର’। ସେ ସ୍ପଷ୍ଟରୂପେ କହିଥିଲେ ଯେ ‘ଯଦି ଜନତାର ଅବସ୍ଥା ଉତ୍ତମ, ତେବେ ରାଜାଙ୍କ ବିନା ମଧ୍ୟ ରାଜ୍ୟ ଠିକ୍‌ଭାବେ ଚାଲିପାରିବ’। ଏହି ପରିପ୍ରେକ୍ଷୀରେ ଫରାସୀ ବିପ୍ଳବର ଅନ୍ୟତମ ମହାନାୟକ ହେନ୍‌ରୀ ସେଣ୍ଟ୍‌-ସାଇମନ (୧୭୬୦-୧୮୨୫)ଙ୍କ ଏକ ଲଘୁକଥାର ପରିକଳ୍ପନା ସ୍ମରଣକୁ ଆସୁଚି: 


‘‘କଳ୍ପନା କରନ୍ତୁ ଯେ ଫ୍ରାନ୍ସରେ ବର୍ତ୍ତମାନ ପଚାଶ ଜଣ ପ୍ରଥମ ଶ୍ରେଣୀର ଚିକିତ୍ସକ, ପଚାଶ ଜଣ ପ୍ରମୁଖ ରସାୟନବିତ୍‌, ଭୌତିକ ବିଜ୍ଞାନୀ, ଦୁଇ ଶହ ଜଣ ବଡ଼  ବ୍ୟବସାୟୀ, ଛଅ ଶହ ଜଣ ବଡ଼ ଚାଷୀ, ପାଞ୍ଚ ଶହ ଜଣ ଯୋଗ୍ୟ କାରିଗର, ବଢ଼େଇ, ମୋଚି ଆଦିଙ୍କର ମୃତ୍ୟୁ ହେଲା। ଏପରି ହେଲେ ଫ୍ରାନ୍ସର ସମୃଦ୍ଧି ତତ୍କାଳ ସମାପ୍ତ ହୋଇଯିବ; ସମଗ୍ର ଦେଶ ଧୂଳିସାତ୍‌ ହୋଇଯିବ।


ଏହାର ବିପରୀତ, କଳ୍ପନା କରନ୍ତୁ ଯେ ଏହି ସମସ୍ତେ ସୁରକ୍ଷିତ ରହିବେ କିନ୍ତୁ ରାଜ ପରିବାରର ସମସ୍ତ ସଦସ୍ୟ, ଦରବାରୀ, ଅଧିକାରୀ, ମନ୍ତ୍ରୀ, ପୁରୋହିତ, ନ୍ୟାୟାଧୀଶ, ଭୂସ୍ବାମୀ ଆଦିଙ୍କର ପରଲୋକ ଘଟିବ; ତେବେ ଦେଶ ପାଇଁ ଦୁଃଖ ଆସିବ, ଶୋକ ମଧ୍ୟ ଅବଶ୍ୟ ହେବ, କାହିଁକିନା ଫ୍ରାନ୍ସ ଏକ ଭାବୁକ ଦେଶ; ପରନ୍ତୁ ସେଥିରେ ଦେଶର କୌଣସି ବାସ୍ତବିକ ଅହିତ ହେବ ନାହିଁ।’’


ଏ କାହାଣୀର ସନ୍ଦେଶ ଖୁବ୍‌ ସ୍ପଷ୍ଟ। ଯେ କୌଣସି ଦେଶ ରାଜା ଅବା ଦରବାରୀଙ୍କ ଦ୍ବାରା ତିଆରି ହୋଇନଥାଏ ବା ସତ୍ତାସୁଖଭୋଗୀ ତାକୁ ନିର୍ମାଣ କରି ନଥାନ୍ତି; ଦେଶର ପ୍ରକୃତ ନିର୍ମାତା/ରକ୍ଷାକର୍ତ୍ତା ତାହାର ଜନସାଧାରଣ। ସେମାନେ ହିଁ ତା’ର ଅସଲ ଶକ୍ତି-କେନ୍ଦ୍ର। ତେବେ ଅଧିକାଂଶ ଜନତା ନିଜର ସେହି ଅକୁତ ଶକ୍ତି ସହ ଅପରିଚିତ ଥାଆନ୍ତି। ପରିଣାମତଃ, ସେମାନେ ରାଜ୍ୟ/ରାଷ୍ଟ୍ର ସଂଚାଳନର ଶୀର୍ଷସ୍ଥ ବ୍ୟକ୍ତିମାନଙ୍କର ଅଧୀନତାକୁ ଅନ୍ଧଭାବେ ସ୍ବୀକାର କରନ୍ତି। ରାଷ୍ଟ୍ର ସଂଚାଳକ ନିଜ ଶୀର୍ଷତ୍ବ/ଶ୍ରେଷ୍ଠତ୍ବର ଔଚିତ୍ୟ ସିଦ୍ଧ କରିବା ପାଇଁ କେବେ ବିକାଶ ତ ଆଉ କେବେ ସୁଖ-ଶାନ୍ତି, ସୁରକ୍ଷା ଆଦିର ଆଳ ଦେଖାନ୍ତି; ଜାତି, ଧର୍ମ, ରାଷ୍ଟ୍ରପ୍ରେମ ପ୍ରଭୃତିର ଦ୍ବାହି ଦେଇ ଆପଣାର ସତ୍ତା ନିଷ୍କଣ୍ଟକ ରଖିବା ନିମିତ୍ତ ଅନୁକୂଳ ବାତାବରଣ ସୃଷ୍ଟି କରିବାରେ ଲାଗିଥାନ୍ତି। ସତ୍ତାସୀନ ବ୍ୟକ୍ତିଙ୍କ ନିର୍ଦେଶ, ଆଦେଶ ଓ କାର୍ଯ୍ୟର ଅନ୍ଧ ଅନୁସରଣ/ଅନୁକରଣରେ ଜନତା ଯଦି ନିର୍ଣ୍ଣୟ/ନିଷ୍ପତ୍ତି ନିଏ ତାହା କେବଳ ତା’ ନିଜର ନୁହେଁ, ଦେଶ/ରାଷ୍ଟ୍ରର ପତନର କାରଣ ହେବା ଅବଶ୍ୟମ୍ଭାବୀ। ତା’ର ଏହି ନିର୍ବୋଧ ଆଚରଣ ହିଁ ସ୍ବାର୍ଥସର୍ବସ୍ବ ପରାଙ୍ଗପୁଷ୍ଟ ଶକ୍ତିଗୁଡ଼ିକୁ ନିଜର ଆଧିପତ୍ୟ/କର୍ତ୍ତୃତ୍ବ ଚିରକାଳ ବଜାୟ ରଖିବାକୁ ସହାୟତା କରିବା ସହ ଜନତାଙ୍କ ଶକ୍ତିକୁ ଅପହୃତ କରି କ୍ଷମତାହୀନ କରିଦିଏ। ଗଣତାନ୍ତ୍ରିକ/ମାନବିକ ଅଧିକାରର ରକ୍ଷା କରିବାକୁ ହେଲେ ଜନତା/ଗଣକୁ ଆପଣାର ଶକ୍ତି/କ୍ଷମତାକୁ ଚିହ୍ନି ତା’ର ସଦୁପଯୋଗ କରିବା ନିତାନ୍ତ ଜରୁରୀ।


ବି.ଦ୍ର.: ଏହା ‘ମାନବାଧିକାରର ଇତିହାସ’ ଶୀର୍ଷକ ଏକ ଦୀର୍ଘ ପ୍ରବନ୍ଧର ସଂପାଦିତ ଅଂଶ


(‘ସମାଜ’ରେ ୨୨.୯.୨୧ରେ ପ୍ରକାଶିତ)

Read More

ପେଗାସସ୍ ପିଠିରେ ପ୍ରେତ

Leave a Comment

 


ଅଶୋକ

ପେଗାସସ୍। ଏଇ ପୌରାଣିକ ନାମଟି ଏବେ କେବଳ ଭାରତରେ ନୁହେଁ, ସମଗ୍ର ବିଶ୍ବରେ ଚର୍ଚ୍ଚା/ବିବାଦର କେନ୍ଦ୍ର। ଆମ ଦେଶରେ ସଂସଦର ହଟ୍ଟଗୋଳରୁ ଯାଇ ପହଞ୍ଚିଚି ସର୍ବୋଚ୍ଚ ନ୍ୟାୟାଳୟର କାଠଗଡ଼ାରେ। ଗ୍ରୀକ୍‌ ପୌରାଣିକ କାହାଣୀର ଶୁଭ୍ର ପକ୍ଷୀରାଜ ଅଶ୍ବ ପେଗାସସ୍‌ ଅବିକଳ ଆମ ପୁରାଣର ଉଚ୍ଚୈଶ୍ରବା (ସମୁଦ୍ରମନ୍ଥନରୁ ଜାତ) ପରି, ଯିଏ ଚିମେରା ନାମକ ଅତୀବ ଶକ୍ତିଶାଳୀ ରାକ୍ଷସ(ମହାକବି ହୋମର୍‌ଙ୍କ ବର୍ଣ୍ଣନାନୁସାରେ ଏହା ସିଂହ ମୁଣ୍ଡ, ଛାଗଳ ଶରୀର ଓ ସର୍ପ ଲାଞ୍ଜବିଶିଷ୍ଟ, ଯାହାର ପାଟିରୁ ସର୍ବଦା ନିଆଁହୁଳା ବାହାରୁଥାଏ)କୁ ବଧ କରିବାପାଇଁ ନାୟକ ବେଲ୍ଲେରୋଫୋନ୍‌ଙ୍କ ବାହନ ସାଜିଥିଲା। ପରେ ଗ୍ରୀକ୍‌ ଦେବରାଜ ଜିଅସ୍‌ଙ୍କ ଦ୍ବାରା ତାହା ଏକ ନକ୍ଷତ୍ରରେ ପରିଣତ ହୋଇ ନଭମଣ୍ଡଳରେ ବିରାଜମାନ କଲା। ଏବେ କିନ୍ତୁ ପେଗାସସ୍‌ ପୃଥିବୀକୁ ପକ୍ଷୀରାଜ ଅଶ୍ବ ରୂପରେ ନୁହେଁ, ଏକ ଅତି ଶକ୍ତିଶାଳୀ ଗୁପ୍ତଚର ସଫ୍ଟୱେର୍‌ (ସ୍ପାଏୱେର୍‌) ଭାବେ ସୂକ୍ଷ୍ମରୂପରେ ଓହ୍ଲାଇ କରୁଚି ବିଶ୍ବଭ୍ରମଣ! ସନ୍ତ୍ରାସବାଦୀ/ଅପରାଧୀଙ୍କୁ ବଧ କରିବା ଲକ୍ଷ୍ୟରେ ଏହା ଓହ୍ଲାଇଥିଲେ ହେଁ ୟା’କୁ କିଏ ବାହନ କରିଚି ଓ କାହା ନିର୍ଦେଶରେ କାର୍ଯ୍ୟ କରୁଚି, ତାହା ଏ ପର୍ଯ୍ୟନ୍ତ ଅଜ୍ଞାତ। ଆହୁରି ମଧ୍ୟ, ଏବେ ଗୋଳ ଉଠିଚି ଯେ ଏହା କୌଣସି ପ୍ରେତ(ବର୍ତ୍ତମାନ ସୁଦ୍ଧା ଅଦୃଶ୍ୟ)ର ନିୟନ୍ତ୍ରଣରେ, ଯିଏ ଆତଙ୍କବାଦୀ/ଅପରାଧୀଙ୍କ ବଧ ପାଇଁ ନୁହେଁ, ବରଂ ପ୍ରମୁଖ ରାଜନେତା, ସାମ୍ବାଦିକ, ସାମାଜିକ କର୍ମୀ ଓ ଅନ୍ୟମାନଙ୍କ ବିରୋଧରେ ଏହାକୁ କରିଚି ପ୍ରୟୋଗ।


ପ୍ରଯୁକ୍ତି ମନୁଷ୍ୟ ପାଇଁ ବରଦାନ ନା ଅଭିଶାପ, ଏ ପ୍ରଶ୍ନର ଉତ୍ତର ଖୋଜିବାର ସମୟ ଆସିଚି ଯେତେବେଳେ ଏହା ତା’ର ଜୀବନ ପ୍ରତି ପାଲଟୁଚି ବିପଜ୍ଜନକ। ଆଧୁନିକ ପ୍ରଯୁକ୍ତିର ହିଁ ଅବଦାନ ପେଗାସସ୍ ଭଳି ଅତି ଶକ୍ତିଶାଳୀ ଗୁପ୍ତଚର ସାଇବର୍ ଅସ୍ତ୍ର, ଯାହା ଜଣକର ଅଜାଣତରେ କେବଳ ତା’ର ବ୍ୟକ୍ତିଗତ ସ୍ବାଧୀନତା, ଗୋପନୀୟତାକୁ ଅପହରଣ କରିପାରେ ନାହିଁ, ବରଂ ଚାହିଁଲେ ତା’ ଜୀବନଯାପନର ପ୍ରତ୍ୟେକ ମୁହୂର୍ତ୍ତର ଦୃଶ୍ୟ-ଶ୍ରାବ୍ୟ-କଥ୍ୟକୁ ଏହା ପ୍ରେଷକ ନିକଟକୁ ପ୍ରେରଣ କରିବା ସହ ତା’ ପ୍ରାଣଘାତର ହେତୁ ମଧ୍ୟ ହୋଇପାରେ। ନିର୍ଦିଷ୍ଟ ଭାବେ ପେଗାସସ୍‌ର ଅତୀତକୁ ଦେଖିଲେ ମଧ୍ୟ ଏଭଳି ଆଶଙ୍କା ଦୃଢ଼ ହେବାକୁ ଲାଗେ, ଯେତେବେଳେ ଦୁଇଜଣ ସାମ୍ବାଦିକ (ମେକ୍ସିକୋର ସିସିଲିଓ ପିନେଦା ବିର୍ତୋ ଏବଂ ‘ୱାଶିଂଟନ ପୋଷ୍ଟ୍‌’ର ଜମାଲ୍‌ ଖାଶୋଗି)ଙ୍କୁ ହତ୍ୟା କରାଯାଇଥିଲା, ଯାହାଙ୍କ ସେଲ୍‌ଫୋନ୍‌ରେ ଏହି ସ୍ପାଏୱେର୍‌ (ଗୁପ୍ତଚର ସଫ୍ଟୱେର୍‌) ରୋପଣର ଅଭିଯୋଗ ହୋଇଥିଲା। ସ୍ମାର୍ଟଫୋନ୍‌ ଆଧୁନିକ ମଣିଷର ଅହର୍ନିଶ ସାଥୀ ପାଲଟିଥିବାବେଳେ ଏହା ହିଁ ସାଇବର୍‌ ଅସ୍ତ୍ରର ଏକ ସହଜ ମାଧ୍ୟମ ମଧ୍ୟ ପାଲଟିଚି, ଯାହା ସହାୟତାରେ ଜଣକ ଉପରେ ସର୍ବଦା ରଖାଯାଇପାରେ ଗୁପ୍ତ ନଜର। ଏହି ସ୍ପାଏୱେର୍‌ର ସ୍ବାତନ୍ତ୍ର୍ୟ ହେଲା, ଏହାକୁ ଜଣକର ଅଜାଣତରେ ତା’ ସେଲ୍‌ଫୋନ୍‌ରେ କେବଳ ଗୋଟିଏ ‘ମିସ୍‌ଡ କଲ୍‌’ କରି ରୋପଣ କରାଯାଇପାରେ; ଅର୍ଥାତ ପୂର୍ବରୁ ବ୍ୟବହାରକାରୀ ବାର୍ତ୍ତା ବା ଇ-ମେଲ୍‌ ଆଦିକୁ ଖୋଲିବାପରେ ହିଁ ତା’ ଫୋନ୍‌/କଂପ୍ୟୁଟର୍‌ ଏପରି ଭାଇରସ୍‌/ମାଲ୍‌ୱେର୍‌ ଦ୍ବାରା ସଂକ୍ରମିତ ହେଉଥିଲା; କିନ୍ତୁ ଏବେ ତାହା ଅନାବଶ୍ୟକ; ତେଣୁ ଏହାକୁ ‘ଜିରୋ-କ୍ଲିକ୍‌’ ଆକ୍ରମଣ କୁହାଯାଉଛି। ପେଗାସସ୍‌ର ସୃଷ୍ଟିକର୍ତ୍ତା ଇସ୍ରାଏଲ୍‌ ଦେଶର ଏନ୍‌ଏସ୍‌ଓ ଗ୍ରୁପ୍‌ (ସଂସ୍ଥାର ତିନି ପ୍ରତିଷ୍ଠାତା ନିଭ୍‌ କାର୍ମି, ଶାଲେଭ୍‌ ହୁଲ୍ଲୋ ଓ ଓମ୍ରି ଲେଭିଙ୍କ ନାମର ପ୍ରଥମ ଅକ୍ଷରକୁ ନେଇ ଏହାର ନାମକରଣ ହୋଇଛି) ତା’ ୱେବ୍‌ସାଇଟ୍‌ରେ ଉକ୍ତ ସ୍ପାଏୱେର୍‌କୁ ଅପରାଧୀ ଓ ସନ୍ତ୍ରାସବାଦୀଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ତିଆରି କରାଯାଇଛି ଏବଂ ଏହା ନିର୍ଦିଷ୍ଟ ଭାବେ ସରକାର ତଥା ସରକାରୀ ଗୁଇନ୍ଦା ଓ ନିରାପତ୍ତା ସଂସ୍ଥାଗୁଡ଼ିକୁ ହିଁ ବିକ୍ରି କରିଥିବା ଦର୍ଶାଇଚି। ତେବେ ୨୦୧୮ରେ ପେଗାସସ୍‌ ସମ୍ପର୍କରେ ଗଭୀର ଅନୁସନ୍ଧାନ କରିଥିବା କାନାଡ଼ାର ଟରଣ୍ଟୋ ବିଶ୍ବବିଦ୍ୟାଳୟ ଅଧୀନସ୍ଥ ‘ଦି ସିଟିଜେନ୍‌ ଲ୍ୟାବ୍‌’ ଏକ ବିବରଣୀ ପ୍ରକାଶ କରି ଦର୍ଶାଇଥିଲା ଯେ ବିଶ୍ବର ୪୫ଟି ଦେଶରେ ଏହା ବ୍ୟବହୃତ ହେଉଛି। ଏହି ୪୫ଟି ଦେଶ ମଧ୍ୟରେ ସେହି ଦେଶଗୁଡ଼ିକର ନାମ ମଧ୍ୟ ରହିଥିଲା, ଯାହା ‘ପ୍ରୋଜେକ୍ଟ ପେଗାସସ୍‌’ରେ ଦର୍ଶାଯାଇଥିବା ଭାରତ ସମେତ ୧୦ଟି ଦେଶ ମଧ୍ୟ ଅନ୍ତର୍ଭୁକ୍ତ। 


ଉଲ୍ଲେଖଯୋଗ୍ୟ, ନିକଟରେ ପ୍ୟାରିସ୍‌ର ଏକ ଅଣଲାଭକାରୀ ସଂସ୍ଥା ‘ଫର୍‌ବିଡେନ୍‌ ଷ୍ଟୋରିଜ୍‌’ ଓ ମାନବାଧିକାର ନେଇ ବିଶ୍ବବ୍ୟାପୀ କାର୍ଯ୍ୟରତ ‘ଆମ୍‌ନେଷ୍ଟି ଇଣ୍ଟରନ୍ୟାସନାଲ୍‌’ ପୃଥିବୀର ପ୍ରମୁଖ ୧୭ଟି ଗଣମାଧ୍ୟମ ଜରିଆରେ ବିଭିନ୍ନ ଦେଶର ୫୦ ହଜାର ଫୋନ୍‌ନମ୍ବର (ଭାରତର ପ୍ରାୟ ୧୦୦୦ ଅନ୍ତର୍ଭୁକ୍ତ) ସାର୍ବଜନୀନ କରିଛନ୍ତି, ଯାହା ‘ପ୍ରୋଜେକ୍ଟ ପେଗାସସ୍‌’ ଭାବେ ଦେଶ/ବିଶ୍ବରେ ଚହଳ ପକାଇଚି। ଏହି ବ୍ୟୟବହୁଳ ଗୁପ୍ତଚର ପ୍ରଯୁକ୍ତିର ପ୍ରୟୋଗକର୍ତ୍ତା କେଉଁମାନେ, ତାହା ସନ୍ଧାନସାପେକ୍ଷ; ତେବେ ଏହାର ଐତିହାସିକ କାଳକ୍ରମକୁ ନିରୀକ୍ଷଣ କଲେ ବିଶ୍ବର କେବଳ ଏକଛତ୍ରବାଦୀ ଶାସକ ନୁହନ୍ତି, ବରଂ ଗଣତାନ୍ତ୍ରିକ (ଛଦ୍ମ) ଶାସକମାନେ ମଧ୍ୟ ୟା’ର ପ୍ରୟୋଗ କର୍ତ୍ତା, ସେହି ସନ୍ଦେହ କ୍ରମେ ଦୃଢ଼ ହେବାକୁ ଲାଗିଚି। 


ପେଗାସସ୍ ସ୍ପାଏୱେର୍‌ର ଉଦ୍ଭବ କେବେ, ତାହା ତ ଏ ପର୍ଯ୍ୟନ୍ତ ଉଦ୍ଭାବକଙ୍କ ଛଡ଼ା ଆଉ କାହାକୁ ଜଣାନାହିଁ, କିନ୍ତୁ ସର୍ବପ୍ରଥମେ ଏହାକୁ ଆବିଷ୍କାର କରାଯାଇଥିଲା ୨୦୧୬ ଅଗଷ୍ଟ ମାସରେ, ଆରବ ଦେଶର ମାନବାଧିକାର କର୍ମୀ ଅହମଦ ମନସୁରଙ୍କ ଆଇଫୋନ୍‌ର ଏକ ବାର୍ତ୍ତା (ମେସେଜ୍‌)ରେ, ଯେଉଁଠି ୟୁନାଇଟେଡ ଆରବ ଏମିରେଟ୍‌ସ (ୟୁଏଇ)ର କାରାଗାରରେ ନିର୍ଯାତନା ଦିଆଯିବାର ‘ଗୁପ୍ତ ରହସ୍ୟ’ ରହିଥିବା ଦର୍ଶାଯାଇଥିଲା। ମନସୁର୍‌ ଉକ୍ତ ବାର୍ତ୍ତାର ‘ଲିଙ୍କ୍‌’କୁ ଉପରୋକ୍ତ ‘ଦି ସିଟିଜେନ୍‌ ଲ୍ୟାବ୍‌’କୁ ପରୀକ୍ଷା ପାଇଁ ପଠାଇବା ପରେ ଜଣାପଡ଼ିଥିଲା ଯେ ତାହା ପେଗାସସ୍‌ ସହ ସଂଯୁକ୍ତ। ୟୁଏଇରେ ଏହା ଅନ୍ୟତ୍ର ମଧ୍ୟ ବ୍ୟବହୃତ ହୋଇଥିବା ଅନୁସନ୍ଧାନରୁ ସେତେବେଳେ ଜଣାପଡ଼ିଥିଲା। ସେହିପରି ତୁର୍କୀରେ ଅବସ୍ଥିତ ସାଉଦି ଆରବର ଦୂତାବାସରେ ସାମ୍ବାଦିକ ତଥା ମାନବାଧିକାର କର୍ମୀ ଖାଶୋଗିଙ୍କୁ ହତ୍ୟାର ଦୁଇ ମାସ ପରେ ଏନ୍‌ଏସ୍‌ଓ ବିରୋଧରେ ମୋକଦ୍ଦମା ଦାୟର୍‌ କରାଯାଇଥିଲା। ଭାରତରେ ସର୍ବପ୍ରଥମେ ପେଗାସସ୍‌ ପ୍ରୟୋଗ କରି ସାମ୍ବାଦିକ ଓ ମାନବାଧିକାର କର୍ମୀଙ୍କୁ ନିଶାଣ କରାଯାଇଥିବା ସମ୍ପର୍କରେ ସର୍ବପ୍ରଥମେ ହ୍ବାଟ୍ସଆପ୍‌ ପକ୍ଷରୁ ୨୦୧୯ ଅକ୍ଟୋବରରେ ସୂଚନା ଦିଆଯାଇଥିଲା। ସେହିବର୍ଷ ନଭେମ୍ବରରେ ଡିଏମ୍‌କେ ସାଂସଦ ଦୟାନିଧି ମାରାନ ଲୋକସଭାରେ ପ୍ରଶ୍ନ କରିଥିଲେ ଯେ ସରକାର ହ୍ବାଟ୍ସଆପ୍‌ ଦୂରଭାଷ ଓ ବାର୍ତ୍ତାକୁ ‘ଟ୍ୟାପ୍‌’ କରିବା ପାଇଁ କିମ୍ବା ଅନ୍ୟ କୌଣସି କାରଣ ପାଇଁ ପେଗାସସ୍‌କୁ ବ୍ୟବହାର କରିଚନ୍ତି କି? ତତ୍କାଳୀନ ଗୃହ ରାଷ୍ଟ୍ରମନ୍ତ୍ରୀ କିଷନ ରେଡ୍ଡୀ ସିଧାସଳଖ ‘ପେଗାସସ୍‌’ ସମ୍ପର୍କିତ ଉତ୍ତର ନରଖି କହିଥିଲେ, ‘‘ଦେଶର ନିରାପତ୍ତା ଓ ସାର୍ବଭୌମତ୍ବ ରକ୍ଷା ପାଇଁ ସୂଚନା ପ୍ରଯୁକ୍ତି ଆଇନ, ୨୦୦୦ରେ ଧାରା ୬୯ ଅନୁୁସାରେ ଯେ କୌଣସି କଂପ୍ୟୁଟରରୁ ତଥ୍ୟ ସଂଗ୍ରହ, ନିୟନ୍ତ୍ରଣ ବା ନିରୀକ୍ଷଣ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର କ୍ଷମତା ରହିଛି। ସେହିପରି ଭାରତୀୟ ଟେଲିଗ୍ରାଫ୍ ଆଇନ, ୧୮୮୫ର ଧାରା ୫ ଜରୁରୀକାଳୀନ ସ୍ଥିତିରେ ସରକାରଙ୍କୁ ଯେ କୌଣସି ବାର୍ତ୍ତାର ଗତିରୋଧ କରିବା ଆଇନତଃ ବୈଧ।’’ 


ଅନେକଙ୍କୁ ହୁଏତ ଜଣାନଥିବ ଯେ, ଦେଶରେ ସରବରାହ ହେଉଥିବା ଯେ କୌଣସି ବାର୍ତ୍ତା ଓ ଇ-ମେଲ୍‌ ଆଦିକୁ ସଂରକ୍ଷଣ/ନିରୀକ୍ଷଣ କରିବା ପାଇଁ ସରକାରଙ୍କ ପାଖରେ ଅତ୍ୟଧିକ ଗୁପ୍ତ ‘ସେଣ୍ଟ୍ରାଲ୍‌ ମନିଟରିଂ ସିଷ୍ଟମ୍‌’ (ସିଏମ୍‌ଏସ୍‌) ନାମକ ବ୍ୟବସ୍ଥା ନିରନ୍ତର କାର୍ଯ୍ୟ କରୁଛି (ୟୁପିଏର ପି. ଚିଦମ୍ବରମ୍‌ଙ୍କ ଅବଦାନ!); କିନ୍ତୁ ପେଗାସସ୍‌ ଏହାଠାରୁ ଅତ୍ୟୁନ୍ନତ ପ୍ରଯୁକ୍ତି କୌଶଳ। ‘ପ୍ରୋଜେକ୍ଟ ପେଗାସସ୍‌’ ରହସ୍ୟୋଦ୍‌ଘାଟନ‌ରେ ସ୍ଥାନିତ ଭାରତର ୧୦ଟି ଫୋନ୍‌ ନମ୍ବରବିଶିଷ୍ଟ ସେଲ୍‌ଫୋନ୍‌ର ସ୍ବାଧୀନ ‘ଫୋରେନ୍ସିକ୍’ ବିଶ୍ଳେଷଣ କରାଯିବା ପରେ ପେଗାସସ୍‌ ଜରିଆରେ ସେଗୁଡ଼ିକ ‘ହ୍ୟାକ୍‌’ ହୋଇଥିବା କିମ୍ବା ସେହି ଉଦ୍ୟମ କରାଯାଇଥିବାର ମିଳିସାରିଚି ପ୍ରମାଣ (ଦ୍ରଷ୍ଟବ୍ୟ: ପ୍ରଥମ ଥରପାଇଁ ଫ୍ରାନ୍ସ ସରକାରଙ୍କ ନିଯୁକ୍ତ ତଦନ୍ତ ଅଧିକାରୀ ସ୍ପଷ୍ଟ କରିଚନ୍ତି ଯେ ସେହି ଦେଶର ଦୁଇଜଣ ସାମ୍ବାଦିକଙ୍କ ସେଲ୍‌ଫୋନ୍‌ରେ ମଧ୍ୟ ପେଗାସସ୍‌ ରୋପିତ ହୋଇଥିଲା)। ଦୃଷ୍ଟାନ୍ତ ଭାବେ ଯେଉଁ ଦୁଇଟି ଘଟନାର ସ୍ଥାନ-କାଳ-ପାତ୍ର ସହ ପେଗାସସ୍‌କୁ ଯୋଡ଼ାଯାଉଚି, ତାହା ସତ୍ୟ ହୋଇଥିଲେ ନିଶ୍ଚିତ ସାଙ୍ଘାତିକ। ପ୍ରଥମ: ୨୦୧୯ରେ ଭାରତର ତତ୍କାଳୀନ ପ୍ରଧାନ ବିଚାରପତିଙ୍କ ଉପରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିବା ସର୍ବୋଚ୍ଚ ନ୍ୟାୟାଳୟର ଜଣେ ମହିଳା କର୍ମଚାରୀ ଓ ତାଙ୍କ ସମ୍ପର୍କୀୟଙ୍କ ୧୧ଟି ଫୋନ୍‌ ନମ୍ବର ଏହି ପେଗାସସ୍‌ ତାଲିକାରେ ରହିଚି। ଉକ୍ତ ମହିଳା କର୍ମଚାରୀ ଓ ତାଙ୍କ ପରିବାରର ସଦସ୍ୟଗଣଙ୍କୁ କିପରି ତଳିତଳାନ୍ତ କରିଦିଆଯାଇଥିଲା, ତାହା ଗଣମାଧ୍ୟମରେ ଚର୍ଚିତ ହୋଇଥିଲା। ଦ୍ବିତୀୟ: ସେହି ବର୍ଷ ହିଁ ବିଜେପି ଓ ଜେଡିୟୁ-କଂଗ୍ରେସ ସରକାର ମଧ୍ୟରେ କ୍ଷମତା କନ୍ଦଳ ଚାଲିଥିବାବେଳେ କର୍ଣ୍ଣାଟକର ପ୍ରମୁଖ ରାଜନେତାଙ୍କ ଫୋନ୍‌ନମ୍ବର ମଧ୍ୟ ଏହି ତାଲିକାରେ ଅନ୍ତର୍ଭୁକ୍ତ; ଅର୍ଥାତ୍‌ ସେମାନଙ୍କ ଫୋନ୍‌ରେ ସ୍ପାଏୱେର୍‌ କରାଯାଇଥିଲା ରୋପଣ। 


ଏସବୁ ଘଟନାକ୍ରମରୁ ଜଣାଯାଉଚି ଯେ ବିଧାନପାଳିକା, ନ୍ୟାୟପାଳିକା, କାର୍ଯ୍ୟପାଳିକା, ଗଣମାଧ୍ୟମ- ଗଣତନ୍ତ୍ରର କୌଣସି ସ୍ତମ୍ଭ ଗୁପ୍ତଚର ଆଖିରୁ ବାଦ୍‌ ପଡ଼ିନାହିଁ। ୨୦୨୦ରେ ‘ରିସେଟ୍: ରିକ୍ଲେମିଙ୍ଗ୍‌ ଦି ଇଣ୍ଟର୍‌ନେଟ୍‌ ଫର୍‌ ସିଭିଲ୍‌ ସୋସାଇଟି’ ନାମକ ପୁସ୍ତକ ପ୍ରକାଶିତ ହେବାପରେ ବହୁଚର୍ଚିତ ହୋଇଥିଲା, କାରଣ ଏଥିରେ ଲେଖକ ଖୁବ୍‌ ସ୍ପଷ୍ଟ ଭାବେ ଲେଖିଚନ୍ତି ଯେ ବିଶ୍ବର ଅନ୍ୟ ଦେଶ ଅପେକ୍ଷା ପେଗାସସ୍‌ ଭାରତରେ ସର୍ବାଧିକ ବ୍ୟବହୃତ ହୋଇଚି ଏବଂ ‘‘ଭାରତୀୟ ଆରକ୍ଷୀ ଏବଂ ସୁରକ୍ଷା ସଂସ୍ଥାଗୁଡ଼ିକ ଏନ୍‌ଏସ୍‌ଓ ସ୍ପାଏୱେର୍‌ର ସବୁଠୁ ବଡ଼ ଉପଯୋଗ ଓ ଦୁରୁପଯୋଗକାରୀ’’। ଏ ପୁସ୍ତକର ଲେଖକ ଆଉ କେହି ନୁହନ୍ତି, ପେଗାସସ୍‌ ସମ୍ବନ୍ଧରେ ଗଭୀର ଅନୁସନ୍ଧାନକାରୀ ପୂର୍ବୋକ୍ତ ‘ଦି ସିଟିଜେନ୍‌ ଲ୍ୟାବ୍‌’ର ପ୍ରତିଷ୍ଠାତା-ନିର୍ଦେଶକ ରୋନାଲ୍ଡ ଡେଇବର୍ଟ। ତାଙ୍କ ମନ୍ତବ୍ୟ ଉପେକ୍ଷାଯୋଗ୍ୟ ନୁହେଁ, କାହିଁକିନା ଇଣ୍ଟରନେଟ୍‌, ଅତ୍ୟାଧୁନିକ ଯୋଗାଯୋଗ ବ୍ୟବସ୍ଥା, ସାଇବର୍‌ ସୁରକ୍ଷାର ବିଶେଷଜ୍ଞ ଓ ଗବେଷକ ଭାବେ ରୋନାଲ୍ଡଙ୍କ ପ୍ରସିଦ୍ଧି ଅବିସମ୍ବାଦିତ। ତେବେ ରାଜ୍ୟସଭାରେ ସରକାରୀ ଭାବେ ପ୍ରଥମ ଥର ପାଇଁ ଏକ ଲିଖିତ ଉତ୍ତରରେ ଭାରତର ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଅଜୟ ଭଟ୍ଟ ଏବେ (୧୦/୮/୨୧) ଦର୍ଶାଇଛନ୍ତି, ‘‘ପ୍ରତିରକ୍ଷା ମନ୍ତ୍ରଣାଳୟ ଏନ୍‌ଏସ୍‌ଓ ଗ୍ରୁପ୍‌ ସହ କୌଣସି କାରବାର କରିନାହିଁ’’। ଏହା ହୁଏତ ସତ୍ୟ; କିନ୍ତୁ ଅସଲ ପ୍ରଶ୍ନ ତ ଏବେ ବି ଅନୁତ୍ତରିତ ଯେ ସେଇ ‘ପ୍ରେତ’ଟି କିଏ, ଯିଏ ପେଗାସସ୍‌କୁ ବାହନ କରି ଗୋପନରେ କରୁଚି ଆତଙ୍କର ଆବାହନ? ମେକ୍ସିକୋରେ ନିଶାଦ୍ରବ୍ୟ ବିକ୍ରୟକାରୀ ଓ ସେମାନଙ୍କୁ ପ୍ରୋତ୍ସାହିତ କରୁଥିବା ସରକାରୀ ଅଧିକାରୀ ସେଠାକାର କେତେକ ସାମ୍ବାଦିକଙ୍କ ଫୋନ୍‌ରେ ପେଗାସସ୍‌ ଲଗାଇଥିବାର ମିଳିସାରିଚି ଆପାତପ୍ରମାଣ। ଏହାର ଅର୍ଥ, ଅପରାଧୀର ଅନୁସନ୍ଧାନ/ଉନ୍ମୁଳନ ନିମନ୍ତେ ଯାହା ଅଭିପ୍ରେତ, ଏବେ ତାହା ପାଲଟିଚି ସେଇ ଅପରାଧୀର ଅକାଟ୍ୟ ଅସ୍ତ୍ର। ଥରେ ଚିନ୍ତା କରନ୍ତୁ, ଯଦି ସନ୍ତ୍ରାସବାଦୀ ପେଗାସସ୍‌କୁ କରନ୍ତି ବାହନ, କ’ଣ ହେବ ଭବିଷ୍ୟତ ଦେଶ/ବିଶ୍ବର! କୁହାଯାଏ, ପ୍ରଯୁକ୍ତି ଆବିଷ୍କାର ସଦା ନିରପେକ୍ଷ ଓ ସ୍ବାଧୀନ ଏବଂ ମନୁଷ୍ୟ ନିଜ ପ୍ରବୃତ୍ତି ଅନୁଯାୟୀ କରିଥାଏ ତାହାର ଭଲ ବା ମନ୍ଦ ଉପଯୋଗ; କିନ୍ତୁ ତାହା ଯଦି ମାନବ ଜାତି ପାଇଁ ପରାଧୀନତା, ଦାସତ୍ବ ଓ ସନ୍ତ୍ରାସର କାରଣ ହୁଏ; ଗଣତନ୍ତ୍ରକୁ ହତ୍ୟା କରିବାର ମାଧ୍ୟମ ପାଲଟେ, ତା’ର ଭୟାବହ ପରିଣତି ଅଚିନ୍ତନୀୟ। ପେଗାସସ୍‌ ପ୍ରକରଣକୁ ପ୍ରହସନ ମନେକଲେ ଏହା ପ୍ରାଣାନ୍ତକ ହେବା ଅଧିକ ସମ୍ଭବ। ଅତଏବ ନାୟକ ପରିବର୍ତ୍ତେ ପେଗାସସ୍‌ ପିଠିରେ ବସିଥିବା ସେହି ପ୍ରେତ(ଖଳନାୟକ)ର ଅସଲ ସ୍ବରୂପ ଉଦ୍‌ଘାଟନ ଅପରିହାର୍ଯ୍ୟ। ନ୍ୟାୟାଳୟ କ’ଣ ସେଥିରେ ସଫଳ ହେବ?

(‘ସମାଜ’ରେ ୧୨ ଅଗଷ୍ଟ ୨୦୨୧ରେ ପ୍ରକାଶିତ)

Read More
Previous PostOlder Posts Home
ଏହି ବ୍ଲଗର ସମସ୍ତ ସାମଗ୍ରୀ ଲେଖକଙ୍କ ସର୍ବସ୍ବତ୍ତ୍ବ ସଂରକ୍ଷିତ. Powered by Blogger.