ଇତିହାସର ଭୂଗୋଳ

3 comments

 

 


ଅଶୋକ

ଅତୀତ ଅପରିବର୍ତ୍ତନୀୟ; କିନ୍ତୁ ଇତିହାସ ଅପରିବର୍ତ୍ତନୀୟ ନୁହେଁ। ଇତିହାସ ବୋଇଲେ ଏଇଠି ଅତୀତରେ ଘଟିଥିବା ଘଟନାସମୂହ ନୁହେଁ, ବରଂ ଇତିହାସବିଦ୍‌ଙ୍କ ଦ୍ବାରା ଲେଖାଯାଉଥିବା ତଥାକଥିତ ଐତିହାସିକ ଘଟନାବଳୀର ଦଲିଲ। କିନ୍ତୁ ବିଡ଼ମ୍ବନା ଯେ ଇତିହାସକୁ ପରିବର୍ତ୍ତନ କରିବାର ପ୍ରଚେଷ୍ଟା ସବୁ ଯୁଗରେ, ସବୁ ଦେଶରେ ପରିଦୃଷ୍ଟ। ଆପଣା ଇଚ୍ଛାରେ ଇତିହାସକୁ ଗଢ଼ିବା ଲାଗି ଶାସକର ଉଦ୍ୟମ ଅବିରତ। ସେ ଜାଣେ ଯେ ଅତୀତକୁ ପରିବର୍ତ୍ତନ କରିବା ଅସମ୍ଭବ; କିନ୍ତୁ ଅତୀତର ଇତିହାସ ଲେଖାକୁ ବଦଳାଇବା ତା’ ଦ୍ବାରା ଖୁବ୍‌ ସମ୍ଭବ। ଅର୍‌ୱେଲ୍‌ଙ୍କ ଦୂରଦୃଷ୍ଟିସଂପନ୍ନ ଉପନ୍ୟାସ ‘୧୯୮୪’ରେ ବର୍ଣ୍ଣିତ ‘ମିନିଷ୍ଟ୍ରି ଅଫ୍ ଟ୍ରୁଥ୍‌’ର ସେଇ ସ୍ଲୋଗାନ ତା’ର ଆଦର୍ଶ: ‘‘ଯିଏ ଅତୀତକୁ ନିୟନ୍ତ୍ରଣ କରେ, ସେ ଭବିଷ୍ୟତକୁ ନିୟନ୍ତ୍ରଣ କରେ: ଯିଏ ବର୍ତ୍ତମାନକୁ ନିୟନ୍ତ୍ରଣ କରେ, ସେ ଅତୀତକୁ ନିୟନ୍ତ୍ରଣ କରେ।’’ ୟା’ର ମୋଟାମୋଟି ଅର୍ଥ ଯିଏ ବର୍ତ୍ତମାନକୁ ନିଜ ନିୟନ୍ତ୍ରଣରେ ରଖିଥାଏ, ସିଏ ଅତୀତ ଓ ଭବିଷ୍ୟତକୁ ବି ନିଜ ନିୟନ୍ତ୍ରଣରେ ରଖିପାରେ। ଏହା କିନ୍ତୁ ସତ୍ୟ ନୁହେଁ; ସତ୍ୟର ପ୍ରତୀତି ଦେଉଥିବା ଏକ ଭ୍ରମ ମାତ୍ର, ଯେପରି ‘ମିନିଷ୍ଟ୍ରି ଅଫ୍ ଟ୍ରୁଥ୍’(ନାମ ‘ସତ୍ୟର ମନ୍ତ୍ରଣାଳୟ’ ହୋଇଥିଲେ ହେଁ ତାହା ଥିଲା କେବଳ ମିଥ୍ୟାର ମହାଭଣ୍ଡାର)ରେ କାମ କରୁଥିବା ୱିନ୍‌ଷ୍ଟନ ସ୍ମିଥ୍‌ର କାମ ଥିଲା କେବଳ ‘ବିଗ୍‌ ବ୍ରଦର’ ପାଇଁ ଇତିହାସର ପୁନର୍ଲିଖନ। ଏଥିପାଇଁ ସେ ଅତୀତର ଘଟନାବଳୀକୁ ଏପରି ଭାବେ ବର୍ଣ୍ଣନା କରୁଥିଲା, ଯେପରିକି ତାହା ‘ବିଗ୍‌ ବ୍ରଦର’କୁ ସୁହାଇବ ଓ ତା’ର ଶାସନ ଜନତାଙ୍କୁ ଦିଶିବ ନିଷ୍କଳଙ୍କ ଓ ପ୍ରଭାମୟ। ବିଗ୍‌ ବ୍ରଦରର ସର୍ବତୋଭାବେ ଇଚ୍ଛା, ସେ ବର୍ତ୍ତମାନର ନିୟନ୍ତ୍ରକ ହୋଇଥିବାରୁ ଅତୀତର ହେବ ନିୟନ୍ତ୍ରକ ଏବଂ ସେଇ ସୂତ୍ରରେ ଭବିଷ୍ୟତର ମଧ୍ୟ ନିୟନ୍ତ୍ରକ। 

ଇଏ ଏକ କାଳ୍ପନିକ ଉପନ୍ୟାସର ବିଷୟବସ୍ତୁ ହେଲେ ବି ୟା’ର ଅତି ଅଦ୍ଭୁତ ସାମଞ୍ଜସ୍ୟ ଦେଖାଯାଏ ସମକାଳୀନ ପୃଥିବୀରେ, ଯେଉଁଠି ଶାସକ ଚାହିଁଛି ଇତିହାସର ପୁନର୍ଲିଖନ; ସେ ଭୁଲିଯାଇଚି ଯେ ଅତୀତ ଅପରିବର୍ତ୍ତନୀୟ ଓ ନିୟନ୍ତ୍ରଣହୀନ, ଅଥଚ ଇତିହାସର ବିଷୟକୁ ବଦଳାଇବା ହୋଇଚି ତା’ର ସବୁଠୁ ବଡ଼ ନିଶାଣ। ଜୋସେଫ୍ ଷ୍ଟାଲିନ ରୁଷ ବିପ୍ଳବର ସମ୍ପୂର୍ଣ୍ଣ ଇତିହାସ ବଦଳାଇଦେଲା: ଯାହାଙ୍କର ବିଚାର/ଭାବାଦର୍ଶ ତା’ ବିରୋଧରେ ଯାଉଥିଲା, ଇତିହାସ ବହିରୁ ତା’ ନାଁ କାଟିଦିଆଗଲା। ରୁଷ ବିପ୍ଳବରେ ଷ୍ଟାଲିନଠୁ ବି ଏକ ପ୍ରମୁଖ ବ୍ୟକ୍ତିତ୍ବ ଲିଅଁ ତ୍ରତ୍‌ସ୍କିଙ୍କ ନାଁ ସମୂଳେ ଲୋପ କରିଦିଆଗଲା। ଷ୍ଟାଲିନ ଦୀର୍ଘକାଳ ଧରି ରାଜତ୍ବ କଲା ଏବଂ ‘ନୂଆ ଇତିହାସ’ ଲେଖିଦେଇଗଲା, ଯାହା ସମ୍ପୂର୍ଣ୍ଣ ନିଜ ଦ୍ବାରା/ନିଜ ସପକ୍ଷରେ ସୃଷ୍ଟ। ଅତୀତର ମୃତ୍ୟୁ ନଥିଲେ ବି ମନୁଷ୍ୟର ମୃତ୍ୟୁ ଅଛି ଏବଂ ମଜା କଥା ହେଲା ଷ୍ଟାଲିନର ମୃତ୍ୟୁ ପରେ ତା’ର ଉତ୍ତରାଧିକାରୀ ଖୃଶ୍ଚେଭ୍‌ ଦ୍ବାରା ଠିକ୍‌ ସେଇଆ କରାଗଲା- ଇତିହାସର ପୁନର୍ଲିଖନ। ଏପରିକି ଲେନିନ ପରି ଷ୍ଟାଲିନର ମୃତଦେହକୁ ଯେଉଁଠି ସୁରକ୍ଷିତ କବର ଦିଆଯାଇଥିଲା, ସେଇଠୁ ତାକୁ ସ୍ଥାନାନ୍ତର କରିଦିଆଗଲା ଏକ ଦୁର୍ଗମ ସ୍ଥାନକୁ। ଖୃଶ୍ଚେଭ୍‌ର କ’ଣ ହେଲା? ସେଇ ସମାନ ଗତି। ଖୃଶ୍ଚେଭ୍‌ ପ୍ରଣୀତ ଇତିହାସକୁ ବଦଳାଇ ଦିଆଗଲା। ସେଇଥିପାଇଁ ସମ୍ଭବତଃ କୁହାଯାଏ ‘ଇତିହାସ ନିଜକୁ ଦୋହରାଏ’। ଅତୀତ ସରଳରୈଖିକ; କିନ୍ତୁ ମନୁଷ୍ୟର ନିର୍ବୋଧତା ପାଇଁ ଇତିହାସ କେବେ ସରଳରୈଖିକ ହୋଇନାହିଁ, ବରଂ ହୋଇଚି ଚକ୍ରାକାର; ତେଣୁ କୁହାଯାଏ ‘ଇତିହାସର ଚକ୍ର’। ବଡ଼ ବିଚିତ୍ର ଯେ ଇତିହାସରୁ ମଣିଷ ଶିଖେ କୁହାଗଲେ ବି ଏ ପର୍ଯ୍ୟନ୍ତ ତା’ର ପ୍ରମାଣ ମିଳୁନାଇଁ; ନଚେତ ‘ଆଜାଦୀ କା ଅମୃତ ମହୋତ୍ସବ’ ମନାଇବାବେଳେ ଇତିହାସ ବହିରୁ ନେହେରୁ(ଜବାହରଲାଲ)ଙ୍କ ନାମ କିମ୍ବା ପୋଷ୍ଟରରୁ ତାଙ୍କ ଛବିକୁ ବାଦ୍‌ ଦେଇ ତା’ ସ୍ଥାନରେ ଅନ୍ୟ କାହାକୁ ଭର୍ତ୍ତି କରାଯାଆନ୍ତା ନାହିଁ! ଯୋଉମାନେ ଏହା କରୁଚନ୍ତି, ସେମାନେ ସମ୍ଭବତଃ ଭୁଲିଯାଇଥିବେ ଯେ ତାଙ୍କର ପରବର୍ତ୍ତୀ ଶାସକ ତାଙ୍କ ‘ନୂଆ ଇତିହାସ’କୁ ବି ଫୋପାଡ଼ିଦବ ଅଳିଆଗଦାକୁ। ବର୍ତ୍ତମାନକୁ ନିୟନ୍ତ୍ରଣରେ ରଖିଛି ବୋଲି ଭ୍ରମରେ ପଡ଼ିଥିବା ଲୋକଟି ଭାବେ ଅତୀତକୁ ବି ସେଇ ମାର୍ଗରେ ନିୟନ୍ତ୍ରଣ କରିବ; ଅନ୍ତତଃ ସେଇ ପ୍ରତୀତିଟିଏ ସେ ସୃଷ୍ଟି କରିପାରିବ। ଏହା ଭ୍ରାନ୍ତି ଓ ଭ୍ରାନ୍ତ ବୋଲି ଜାଣିସୁଦ୍ଧା କରିଚାଲେ ସେଇ ଅପକର୍ମ। ଏଇ ଅର୍ଥରେ ଇତିହାସର ଲେଖକ ଇତିହାସକାର/ଐତିହାସିକ ହେଲେ ହେଁ ପ୍ରକୃତ ରଚୟିତା/ସ୍ରଷ୍ଟା ତ ଶାସକ, ଯିଏ ବର୍ତ୍ତମାନର ନିୟନ୍ତ୍ରକ। ସେ ନିଜ ସ୍ବାର୍ଥସାଧନ ଉଦ୍ଦେଶ୍ୟରେ ‘ନୂଆ ଇତିହାସ’ ଲେଖାଏ; ତେଣୁ ସେଥିରେ ମିଥ୍ୟା/ଅର୍ଦ୍ଧସତ୍ୟ/ପ୍ରୋପାଗଣ୍ଡା ରହିବା ସତେଯେମିତି ଅବଧାରିତ। ସେଇଥିପାଇଁ ବିଶ୍ବର ସବୁଯାକ ଇତିହାସ ଶାସକର ଯୁଦ୍ଧ/ଜୟପରାଜୟ/ପ୍ରେମପ୍ରତାରଣାର କାହାଣୀରେ ଭର୍ତ୍ତି, ଯାହା ସାଧାରଣତଃ ସ୍ମୃତି/ଶ୍ରୁତି/କିମ୍ବଦନ୍ତୀ/ତଥାକଥିତ ଅପ୍ରାମାଣ୍ୟ ଦସ୍ତାବିଜ୍‌ ଆଧାରିତ। ତା’ ବି ବିଜିତର ନୁହେଁ, ଅଧିକାଂଶ ବିଜେତାର। ଏଡଲ୍‌ଫ ହିଟଲର ଯଦି ପରାଜିତ ହୋଇନଥାନ୍ତା, ତେବେ ଜର୍ମାନୀର ଇତିହାସ ନିଶ୍ଚୟ ଅଲଗା ଲେଖାଯାଇଥାନ୍ତା। ଏବେ ସମଗ୍ର ଇତିହାସ ତା’ର ନିନ୍ଦାଗାନରେ ଭର୍ତ୍ତି ହୋଇଥିବାବେଳେ ତାହା ସ୍ତୁତିଗାନରେ ପରିଣତ ହୋଇଥାନ୍ତା। ତେଣୁ ପୃଥିବୀର କୌଣସି ଇତିହାସ ଶତ ପ୍ରତିଶତ ସତ୍ୟ ନୁହେଁ ବୋଲି କହିଲେ ବୋଧହୁଏ ଭୁଲ୍‌ ହେବନାହିଁ। ଇତିହାସ ତଥ୍ୟ/ସତ୍ୟ ଉପରେ ଯେତିକି ନୁହେଁ, ଇତିହାସ ଲେଖୁଥିବା ଓ ଲେଖାଉଥିବା ବ୍ୟକ୍ତିର ମର୍ଜି ଉପରେ ଏହା ସର୍ବଦା ନିର୍ଭରଶୀଳ। ଇତିହାସ ମୂଳତଃ ପରିବର୍ତ୍ତିତ ଆଖ୍ୟାନଗୁଡ଼ିକର ଏକ ଅଧାଲେଖା ଅସମ୍ପୂର୍ଣ୍ଣ ଦସ୍ତାବିଜ୍‌, ଯାହାକୁ ପ୍ରମାଣ କରିବା ଅସମ୍ଭବ। ଏ ପରିପ୍ରେକ୍ଷୀରେ ମନେପଡ଼ୁଚି କାହାଣୀଟିଏ। 

ପାଶ୍ଚାତ୍ୟର ଜଣେ ପ୍ରୟାତ ଲେଖକ-ଦାର୍ଶନିକ-ରାଜନୀତିଜ୍ଞ ଏଡ଼ମଣ୍ଡ୍‌ ବର୍କ ମନୁଷ୍ୟ ଜାତିର ଇତିହାସ ଲେଖୁଥାନ୍ତି। ବିତିଯାଇଥାଏ ଦୀର୍ଘ କୋଡ଼ିଏ ବର୍ଷରୁ ଊର୍ଦ୍ଧ୍ବ। ଅନ୍ତିମ ଅଧ୍ୟାୟ ଲେଖା ସମୟରେ ଦିନେ ଏପରି ଘଟନା ଘଟିଲା ଯେ ସେ ନିଜର କୋଡ଼ିଏ ବର୍ଷର ଶ୍ରମକୁ ଜାଳିପୋଡ଼ି ପାଉଁଶ କରିଦେଲେ। ଘଟନାଟି ଥିଲା ଏହିପରି: ବର୍କଙ୍କ ଘର ପଛପଟେ ଏକ ହତ୍ୟାକାଣ୍ଡ ଘଟିଥିଲା। ଝଗଡ଼ା ହେବାପରେ ଜଣେ ଜଣକୁ ଗୁଳି କରିଦେଇଥିଲା। ଗୁଳିକାଣ୍ଡ ସ୍ଥଳରେ ଲୋକେ ଜମା ହୋଇଯାଇଥିଲେ। ବର୍କ ବି ଚାଲିଲେ ବୁଝିବାକୁ ଯେ ଘଟନା କ’ଣ? ସେ ପର୍ଯ୍ୟନ୍ତ ଲୋକଟି ମରି ନଥାଏ ଏବଂ ହତ୍ୟାକାରୀ ବି ସେଇଠୁ ଯାଇ ନଥା’ଏ​‌; କିନ୍ତୁ ବର୍କ ଯେତିକି ଲୋକଙ୍କୁ ଘଟନା ସମ୍ପର୍କରେ ପଚାରୁଥାନ୍ତି, ସେତିକିସେତିକି ନୂଆ ଆଉ ଅଲଗା ତଥ୍ୟ ପାଉଥାନ୍ତି। ଯେତେ ମୁନି, ସେତେ ମତ! ପ୍ରତ୍ୟେକଙ୍କର ବ୍ୟାଖ୍ୟା ଭିନ୍ନଭିନ୍ନ। ବର୍କ ପ୍ରକୃତ ତଥ୍ୟ କ’ଣ ଜାଣିବାକୁ ଚାହିଁଲେ ସୁଦ୍ଧା ଜାଣିପାରିଲେ ନାହିଁ। ଘରକୁ ଫେରି ଇତିହାସ ନାମରେ କୋଡ଼ିଏ ବର୍ଷ ଧରି ସେ ଯାହା ଲେଖିଥିଲେ ତତ୍‌କ୍ଷଣାତ୍‌ ସେଥିରେ ନିଆଁ ଲଗାଇଦେଲେ। କିଏ ଜଣେ ପଚାରିବାରୁ କହିଲେ- ମୋ ଘର ପଛପଟେ ସଦ୍ୟ ଘଟିଥିବା ଘଟନାର ତଥ୍ୟ ଯଦି ମୁଁ ଜାଣିପାରୁନାହିଁ, ମୁଁ ମନୁଷ୍ୟ ଜାତିର ଇତିହାସ ଲେଖିବାକୁ କିପରି ଯୋଗ୍ୟ ହେବି? ପାଞ୍ଚ ହଜାର ବର୍ଷ ତଳେ କ’ଣ ଘଟିଥିଲା, ତା’ର ସତ୍ୟତା କିପରି ପରଖିବି? 

ତଥାପି ଏ ପୃଥିବୀରେ ଇତିହାସ ଲେଖା ନା କେବେ ବନ୍ଦ ହୋଇଚି ନା ହେବ! ଅଡେନ (ଡବ୍ଲ୍ୟୁଏଚ୍‌ ଅଡେନ: ଦି ଡାୟାର୍‌ସ ହ୍ୟାଣ୍ଡ୍‌)ଙ୍କ କହିବା ପରି, ‘‘ମନୁଷ୍ୟ ଏକ ଇତିହାସ ସୃଷ୍ଟିକାରୀ ଜୀବ, ଯିଏ ନିଜର ଅତୀତକୁ ନା ଦୋହରାଇପାରେ ନା ତାକୁ ପଛରେ ଛାଡ଼ିଦେଇପାରେ।’’ ମିଛ ହେଉ ପଛେ, ମଣିଷ ଇତିହାସ ଲେଖିବାକୁ ଓ ଲେଖାଇବାକୁ ଭଲ ପାଏ। ଏ ଇତିହାସ କିନ୍ତୁ ମନୁଷ୍ୟ ଜାତିର ଇତିହାସ ନୁହେଁ, ବରଂ କ୍ଷମତାସୀନର ଇତିହାସ। କ୍ଷମତାସୀନର ଇତିହାସ ଅର୍ଥାତ ହିଂସା, ରକ୍ତପାତ, ଶୋଷଣ, ନିର୍ଯାତନାକୁ ଗୌରବୋଜ୍ବଳ କରାଇବାର ଇତିହାସ। ବିଡ଼ମ୍ବନା ଯେ ଏଇ ହେତୁରୁ ‘ତନ୍ତ୍ର’ ବଦଳିଲେ ବି ଶାସକର ପ୍ରକୃତି/ପ୍ରବୃତ୍ତି ବଦଳୁନାହିଁ କଦାଚନ। ରାଜତନ୍ତ୍ରରେ ଯାହା ଦେଖାଯାଉଥିଲା, ଗଣତନ୍ତ୍ରରେ ବି ତାହା ବିକଳ/ଅବିକଳ ଦୃଶ୍ୟମାନ। ଗଣତନ୍ତ୍ରର ମୁଖା ଖସିଲେ ପ୍ରତ୍ୟେକ ଶାସକ ଜଣେଜଣେ ଚେଙ୍ଗିଜ୍‌ ଖାଁ, ନାଦିର ଶାହ, ହିଟଲର, ମୁସୋଲିନି କି ପୁଟିନର ଅଭିନ୍ନ ପ୍ରତିରୂପ। ପ୍ରଚଣ୍ଡ ରାଷ୍ଟ୍ରବାଦୀ ପୁଟିନ ବି ଏବେ ‘ନୂଆ ଇତିହାସ’ ଲେଖିବାକୁ ଦେଇଚି ନିର୍ଦେଶ, ଯେଉଁଥିରୁ ହଟିବ ୟୁକ୍ରେନ୍‌ ଓ କିଭ୍‌ର ନାଁ। ଏଇନା ଭାରତ ସମେତ ବହୁ ରାଷ୍ଟ୍ରରେ ‘ନୂଆ ଇତିହାସ’ ଲେଖାଯିବାର ପ୍ରବଣତା ପ୍ରବଳ। ପୁରୁଣା ଇତିହାସ ଅଣରାଷ୍ଟ୍ରବାଦୀ, ତେଣୁ ଫୋପଡ଼ାଯୋଗ୍ୟ! ଅବଶ୍ୟ ନିଜ ଇତିହାସ ନିଜେ ଲେଖିବା ରାଷ୍ଟ୍ରବାଦର ଏକ ଅପରିହାର୍ଯ୍ୟ ସର୍ତ୍ତ; କିନ୍ତୁ ଗୋଟାପଣେ ଏ ଇଉରୋପୀୟ ସର୍ତ୍ତଟା ଭାରତ ଭଳି ‘ଇଉନିଟି ଇନ୍‌ ଡାଇଭର୍‌ସିଟି’(ବିଭିନ୍ନତା ମଧ୍ୟରେ ଏକତା)ବିଶିଷ୍ଟ ‘ଧର୍ମନିରପେକ୍ଷ’ ରାଷ୍ଟ୍ରର ଇତିହାସ ଲେଖିବାବେଳେ ଏକଦେଶଦର୍ଶୀ ସଂକୀର୍ଣ୍ଣତା ମଧ୍ୟକୁ ଟାଣିଆଣିପାରେ, ସେଇ ଆଶଙ୍କା କମ୍‌ ନୁହେଁ; କାହିଁକିନା ଯେଉଁ ରାଷ୍ଟ୍ରବାଦୀ ବର୍ଗ ନିଜ ଇତିହାସ ଲେଖିବାକୁ ଚାହାନ୍ତି, ସେମାନଙ୍କ ପାଇଁ ଜାତୀୟ ଇତିହାସ କହିଲେ କେବଳ ହିନ୍ଦୁର ସ୍ମୃତି, ହିନ୍ଦୁର ଐକ୍ୟ ଓ ହିନ୍ଦୁର ପରାକ୍ରମ, ଅଥଚ ଯେଉଁମାନେ ହିନ୍ଦୁ ନୁହନ୍ତି, ଅଥଚ ଭାରତବାସୀ, ସେମାନେ ବି ନୁହନ୍ତି ବହିରାଗତ। ଯେଉଁକିଛି ବହିରାଗତ, ସେମାନେ ବି ହୋଇସାରିଛନ୍ତି କେବେଠୁ ଭାରତୀୟତାର ଅବିଚ୍ଛିନ୍ନ ଅଙ୍ଗ। ଭାରତୀୟ ଜନଜୀବନର ବିଭିନ୍ନତା ଯେ ସବୁ ଧର୍ମବିଶ୍ବାସକୁ ଧାରଣ କରିପାରେ, ଏହା ଆଉ ପ୍ରମାଣ କରିବାର ନାହିଁ ଆବଶ୍ୟକତା। ଭାରତୀୟ ଐତିହ୍ୟ ପ୍ରାଚୀନ ହିନ୍ଦୁ ସଭ୍ୟତାର ଅବଦାନ, ଏହା ନିର୍ବିବାଦୀୟ। ଏହା ମଧ୍ୟ ନିଃସଂଶୟ ଯେ ଇସଲାମୀୟ ଇତିହାସ ମୁଖ୍ୟତଃ ବିଦେଶୀ ଆକ୍ରମଣର ଇତିହାସ, ଯେଉଁଥିରେ ମନ୍ଦିର ଭାଂଗି ମସଜିଦ୍ ନିର୍ମାଣ କରାଯିବା ଭଳି ହିଂସ୍ର ଶାସନର ଦୃଷ୍ଟାନ୍ତ କମ୍‌ ନାହିଁ‌; କିନ୍ତୁ ଭାରତୀୟ କଳା, ସ୍ଥାପତ୍ୟ, ଚିତ୍ରକଳା, ସଂଗୀତ, ସଂସ୍କୃତି ସବୁଥିରେ ଯେଉଁ ବୈଚିତ୍ର୍ୟ ଓ ବିବିଧତା ତା’ର ହେତୁ ଯେ ଶହଶହ ବର୍ଷର ସାମ୍ପ୍ରଦାୟିକ ସଦ୍ଭାବ ଓ ସହାବସ୍ଥାନ, ତା’ ତ ଅନସ୍ବୀକାର୍ଯ୍ୟ। ପୁନଶ୍ଚ, ଏ ଗଣତନ୍ତ୍ର ଯୁଗରେ ଶହଶହ ବର୍ଷ ତଳର ସେହି ରାଜତାନ୍ତ୍ରିକ ଅନ୍ୟାୟୀ ଇତିହାସକୁ ପୁଣିଥରେ ଦୋହରାଇବା କେଉଁ ଭାବରେ ବୁଦ୍ଧିମତ୍ତା? କେଉଁ ଯୁଗରେ ଯଦି ପ୍ରାଚୀନ ବୌଦ୍ଧସ୍ତୁପ ଉପରେ କୋଉ ମନ୍ଦିର ଯଦି ଗଢ଼ିଉଠିଥିଲା କାଳକ୍ରମେ, ସେଇ ମନ୍ଦିରକୁ ଭାଂଗି ସେଇଠି କ’ଣ ପୁଣି ବୌଦ୍ଧପୀଠ କରାଯିବ ନିର୍ମାଣ? ଆର୍‌ଏସ୍‌ଏସ୍‌ (ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ) ମୁଖିଆ ମୋହନ ଭାଗବତଙ୍କ କହିବା ପରି ‘ହର୍‌ ମସଜିଦ୍‌ ମେଁ ଶିବଲିଙ୍ଗ୍‌ କ୍ୟୁଁ ଦେଖ୍‌ନା’ (ସବୁ ମସଜିଦ୍‌ରେ ଶିବଲିଙ୍ଗ କାହିଁକି ଖୋଜିବା)। ତାଙ୍କ ଭାଷାରେ କହିଲେ, ‘‘ଇତିହାସକୁ ଆମେ ବଦଳାଇପାରିବା ନାହିଁ। ସେହି ଇତିହାସ ଆମ ଦ୍ବାରା ସୃଷ୍ଟି ହୋଇନଥିଲା, ବର୍ତ୍ତମାନର ହିନ୍ଦୁ ବା ମୁସଲମାନଙ୍କ ଦ୍ବାରା ସୃଷ୍ଟି ହୋଇନଥିଲା; ଏହା ଆକ୍ରମଣକାରୀ ମୁସଲମାନଙ୍କ ସମୟରେ ହୋଇଥିଲା; ତେଣୁ ନୂଆ ବିବାଦ ଆରମ୍ଭ କରିବା ଅନାବଶ୍ୟକ।’’ ମର୍ମକଥା ହେଉ ବା ଛଳକଥା, ଏ ‘ଭାଗବତ ବାଣୀ’ କିନ୍ତୁ ସତ୍ୟର ବେଶି ନିକଟବର୍ତ୍ତୀ, ଅଥଚ ଇତିହାସର ପୁନର୍ଲିଖନକାରୀଙ୍କୁ ଏହା ମନେହୋଇପାରେ ଅସଙ୍ଗତ। ଇସଲାମ ଓ ଖ୍ରୀଷ୍ଟଧର୍ମ ମୂଳତଃ ବହିରାଗତ ହେଲେ ବି ଏ ଦେଶର ମୁସଲମାନ ଓ ଖ୍ରୀଷ୍ଟିଆନ ତ ଆମରି ହିଁ ଧର୍ମାନ୍ତରିତ ଭାଇବିରାଦର, ୟାକୁ କ’ଣ ଅସ୍ବୀକାର କରିହେବ? ସବୁଠୁ ବଡ଼ କଥା, ଇତିହାସ କାହିଁକି ବା ହେବ କୌଣସି ନିର୍ଦିଷ୍ଟ ଧାର୍ମିକ ଅନୁଷଙ୍ଗ କି ମତାଦର୍ଶର ବିଭାଜକ ବିଷୟ। ଯାହା ବାସ୍ତବ, ତାହା କାହିଁକି ହେବନାଇଁ ତା’ର ଉପଜୀବ୍ୟ; ଆଉ ଆର୍ଯ୍ୟ ଓ ଆ​‌େ​‌ର୍ଯ୍ୟତର ସଭିଏଁ ତ ଏ ବାସ୍ତବତାର ଅନ୍ତର୍ଭୁକ୍ତ। ଇତିହାସ ଯଦି ଲେଖାଯିବ ଲେଖାଯାଉ ବିକଳ୍ପ ଇତିହାସ; ଖୋଜାଯାଉ ବିକଳ୍ପ ଇତିହାସର ଭୂଗୋଳ, ଯାହାର କେନ୍ଦ୍ରରେ ରାଜାରାଜୁଡ଼ା, ସୈନ୍ୟସାମନ୍ତ, ଏପରିକି ରାଷ୍ଟ୍ର ବି ନଥିବ; ଥିବେ କେବଳ ଜାତିଧର୍ମ ନିର୍ବିଶେଷରେ ଭାରତବର୍ଷର ଅଗଣିତ ଲୋକସମୂହ, ଯାହାଙ୍କ ଭିତରେ ପ୍ରକୃତ ଇତିହାସ ସମାବିଷ୍ଟ।

(‘ସମାଜ’ରେ ୨୪ ଜୁଲାଇ ୨୦୨୨ରେ ପ୍ରକାଶିତ)

Next PostNewer Post Previous PostOlder Post Home

3 comments:

  1. ଅନ୍ୟ ଯେ କୌଣସି ଅଶୋକୀୟ ଆଲୋଚନା ପରି ଏହା ମଧ୍ୟ ଭାବଗର୍ଭିତ ଓ ସମୟୋପଯୋଗୀ। ତେବେ ଶୀର୍ଷକରେ ଥିବା 'ଭୂଗୋଳ' ଶବ୍ଦଟିର ତାତ୍ପର୍ଯ୍ୟ ବୁଝିପାରିଲି ନାହିଁ। ଭୂଗୋଳ ପ୍ରାୟତଃ ସ୍ଥିର।ତାର ବସ୍ତୁନିଷ୍ଠ ଅଧ୍ୟୟନ ସମ୍ଭବ। ମାତ୍ର ଇତିହାସ ପ୍ରାୟତଃ ବ୍ୟକ୍ତିନିଷ୍ଠ।

    ReplyDelete
  2. Very very beautiful analysis.

    ReplyDelete
  3. Beautiful description

    ReplyDelete

ଏହି ବ୍ଲଗର ସମସ୍ତ ସାମଗ୍ରୀ ଲେଖକଙ୍କ ସର୍ବସ୍ବତ୍ତ୍ବ ସଂରକ୍ଷିତ. Powered by Blogger.