ସାହିତ୍ୟର ସାଅାନ୍ତମାନେ

1 comment
ପୂର୍ବରୁ ସାହିତ୍ୟ ମୂଳତଃ ଦରବାରୀ ଥିଲା; ଅର୍ଥାତ ରାଜାମହାରାଜାଙ୍କ ଦରବାରକୁ ସଜ୍ଜିତ କରିବା ପାଇଁ ଏକ ବିଳାସୀ ସାଧନ ଥିଲା । ସେତେବେଳର ସାହିତ୍ୟ କହିଲେ ମୂଳତଃ କାବ୍ୟକବିତା । କବି ବା ସାହିତି୍ୟକମାନେ ଥିଲେ ରାଜାଙ୍କ ଚରଣାଶ୍ରିତ, ରାଜାନୁଗ୍ରହପ୍ରାପ୍ତ । ତେଣୁ ସେମାନଙ୍କ ରଚନାରେ ରାଜା ଓ ସମ୍ରାଟମାନଙ୍କ ସ୍ତବ, ରାଜକୁମାର ରାଜକୁମାରୀଙ୍କ ପ୍ରଣୟ-ବିରହ କାହାଣୀ, ପ୍ରକୃତି ବର୍ଣ୍ଣନା ଆଳରେ ସାମନ୍ତବାଦର ଗୁଣଗାନର ଚିତ୍ର ସମୁଜ୍ଜ୍ୱଳ । ମହାକବି ବି ବାଦ୍‍ ପଡ଼ିନାହାନ୍ତି ଏଥିରୁ । କୁହାଯାଏ ଯେ ରାଜା ବିକ୍ରମାଦିତ୍ୟଙ୍କ ରାଜସଭାରେ କାଳିଦାସ ଦରବାରର ଗୁଣକୀର୍ତ୍ତନସମ୍ବଳିତ ଗୋଟାଏ ଲେଖାଏଁ ଶ୍ଳୋକ ରଚନା କରି ପ୍ରତ୍ୟହ ଆବୃତ୍ତି କରୁଥିଲେ ଓ ସେଥିପାଇଁ ିତାଙ୍କୁ ମିଳୁଥିଲା ଗୋଟିଏ କରି ସ୍ୱର୍ଣ୍ଣମୁଦ୍ରା । ଓଡ଼ିଶାରେ ବି ଏଭଳି ରାଜାରାଜୁଡ଼ା ସାହିତ୍ୟର ଢେର୍‍ ପ୍ରମାଣ ରହିଛି । ତା’ପରେ ଭାରତରେ ସାହିତ୍ୟ ଦେଶୀ ବିଦେଶୀ ଶାସକ, କୁଳୀନ ଜମିଦାର, ସାମନ୍ତମାନଙ୍କ ପ୍ରୀତ୍ୟର୍ଥେ ଲେଖାଗଲା । ଅନେକ ସମୟରେ ରୀତିଗୁଡ଼ାକ ଏସବୁରେ ପ୍ରାଧାନ୍ୟ ପାଇଲା । ଜୀବନର କଠୋରତମ ସତ୍ୟଗୁଡ଼ାକୁ ଫାଙ୍କି ଦିଆଗଲା ଓ ପ୍ରକୃତି-ରମଣୀ-କଳ୍ପନା ଭିତରେ ସୌନ୍ଦର୍ଯ୍ୟ ଓ ମନୋରଞ୍ଜନ ଖୋଜାଗଲା ।

ରାଜତନ୍ତ୍ର ଓ ବ୍ରିଟିଶ୍‍ରାଜ୍‍ର ଯୁଗ ଚାଲିଯିବା ପରେ ଦେଶରେ ରାଜନୈତିକ ସ୍ୱାଧୀନତା ଆସିଲା ସତ, କିନ୍ତୁ ଲୋକେ ସତକୁସତ ସ୍ୱାଧୀନ ହେଲେ ନାହିଁ । କେବଳ ଅର୍ଥନୈତିକ ନୁହେଁ, ସାମାଜିକ ସ୍ତରରେ ବି ମଣିଷ ପୂର୍ବବତ୍‍ ପରାଧୀନ ହୋଇରହିଲା । ଏହାର ଛାପ ଦେଖିବାକୁ ମିଳିଲା ଇତିହାସ, ସାହିତ୍ୟ, ସଂସ୍କୃତି, ସବୁଥିରେ । ହାତଗଣତି ସାହିତ୍ୟସ୍ରଷ୍ଟାଙ୍କୁ ଛାଡ଼ିଦେଲେ ଯେଉଁମାନେ ସାହିତ୍ୟ କଲେ, ଅଧିକାଂଶ ଥିଲେ ନିଜେ ସାମନ୍ତବାଦ ପକ୍ଷଭୁକ୍ତ । ତେଣୁ ସେମାନେ ନିଜକୁ ମୂଳରୁ ହିଁ ପରାଧୀନ କରି ରଖିଲେ ବା ସେପରି ହେବାକୁ ଭଲ ପାଇଲେ । ଧୀରେଧୀରେ ସେମାନେ ସରକାରଙ୍କ ଅଧୀନସ୍ଥ ହେଲେ, ହାକିମ ହେଲେ । କର୍ତ୍ତବ୍ୟ କବଳରେ ପଡ଼ି ପାଠବହି ଲେଖି ତାକୁ ବି ସାହିତ୍ୟର ଆଖ୍ୟା ଦେଲେ । ଆମର ଦୁର୍ଭାଗ୍ୟ କିମ୍ବା ସୌଭାଗ୍ୟ, ଓଡ଼ିଶାର ଅଧିକାଂଶ ସାହିତି୍ୟକ ଅମଲାତାନ୍ତ୍ରିକ ଓ ଅଧ୍ୟାପକୀୟ । ମଧ୍ୟବିତ୍ତ ଶ୍ରେଣୀରୁ ଆସି ‘କୁଟୁମ୍ବ ପୋଷ ନାହିଁ ଦୋଷ’ ନୀତିକୁ ଆଦର୍ଶ କରି ବାଟ ଚାଲୁଥିବା ଏହି ଲୋକେ ଯେତେବେଳେ ଅର୍ଥ, ପ୍ରତିପତ୍ତି ଓ କ୍ଷମତାର ସ୍ୱାଦ ଚାଖିଲେ, ସେମାନେ ସେଇଥିରେ ହିଁ ବଶୀଭୂତ ହୋଇ ରହିଗଲେ । ମାର୍କ୍ସଙ୍କ ମତ: ‘The writer must naturally make a living in order to exist and write, but he must not exist and write in order to make a living’ । ଅଥଚ, ଆମ ସାହିତି୍ୟକ କେବଳ ସମାଜରେ ନୁହେଁ, ସାହିତ୍ୟରେ ବି ଖୋଜିଲେ ଆଧିପତ୍ୟ, ସମ୍ପତ୍ତି ଉପାର୍ଜନର ତରିକା । ସାହିତ୍ୟ ତେଣୁ ହେଲା ଉପôାଦନ ଓ ସାହିତି୍ୟକ ଉପôାଦକ । ପାଠକଗୋଷ୍ଠୀ ବଜାର । ଯିଏ ଯେତେ ସତମିଛ କହି ଆକର୍ଷଣୀୟ କରି ନିଜକୁ ଉପସ୍ଥାପିତ କଲା, ସେ ସେତେ ବିକ୍ରି ହେଲା । ଅନେକ ତେଣୁ ଚାଟୁକାରିତା କଲେ, ଭାଣ୍ଡ ହେଲେ । ଏମାନେ ସାହିତ୍ୟ ସଭା କଲେ, ବେକରେ ଗଜରା ଲମ୍ବାଇଲେ । ସାହିତ୍ୟ ସମାଜ, ସାହିତ୍ୟ ସମ୍ମିଳନୀ, ସାହିତ୍ୟ ସାମ୍ମୁଖ୍ୟ ଇତ୍ୟାଦି ଭଳିକିଭଳି ସଂଗଠନ ଗଢ଼ିଲେ । ‘ସାହିତ୍ୟ ବିନା ମଣିଷ କେମିତି ବଞ୍ଚିବ’ ବୋଲି ଅଲାଜୁକ ଭାବେ ବାହୁନି ହେଲେ, ସତେଯେମିତି ସାହିତ୍ୟଟା ହିଁ ସବୁକିଛି ଏବଂ ସାହିତ୍ୟ ବିନା ପୃଥିବୀଟା ଏକାବେଳକେ ଅଚଳ ହୋଇଯିବ! ନିଜ ଚତୁଃପାଶ୍ୱର୍ରେ ବସବାସ କରୁଥିବା ସଂଖ୍ୟାଗରିଷ୍ଠ ମଣିଷ ଯେ ଏବେ ବି ବୁଭୁକ୍ଷୁ ଓ ନିରକ୍ଷର, ସେକଥା ଦେଖି ବି ନଦେଖିବାର ଓ ଜାଣି ବି ନଜାଣିବାର ଛଳନା କଲେ । ସାହିତ୍ୟ ଯେ ଅଦ୍ୟାବଧି ସଂଖ୍ୟାଲଘୁ ଗୋଷ୍ଠୀର ସୁନାପୁଅମାନଙ୍କ କୋଠସମ୍ପତ୍ତି ହୋଇରହିଛି, ଯାହା ଏ ଦେଶ ଓ ରାଜ୍ୟର ଅଧିକାଂଶ ମଣିଷଙ୍କ ପାଇଁ ଅପହଞ୍ଚ, ସେକଥା ପାଶୋର ଗଲେ । ଆମ ସମାଜର ଅଦେ୍ର୍ଧକ ମଣିଷଙ୍କ ‘ଢୋକେ ପି’ ଦଣ୍ଡେ ଜି’ ଅବସ୍ଥା ପାଇଁ ଯେ ନିଜେ ବି ସମପରିମାଣରେ ଦାୟୀ, ତାକୁ ନଜରଅନ୍ଦାଜ କଲେ ।

କାଳକ୍ରମେ କେନ୍ଦ୍ର ଓ ରାଜ୍ୟରେ ଏକାଡେମୀ ବା ଅକାଦମୀ ନାମକ ସରକାରୀ ସାହିତ୍ୟ ନଅରମାନ ବି ଗଢ଼ିଉଠିଲା । ଏହା ସାହିତ୍ୟର ରାଜନୀତିଜ୍ଞଙ୍କ କାରସାଦି ନା ରାଜନୀତିଆ ସାହିତି୍ୟକଙ୍କ ଅବଦାନ, ତାହା ଅବଶ୍ୟ ଅନୁସନ୍ଧାନସାପେକ୍ଷ । ଏ ନଅରଗୁଡ଼ାକରେ ଯେଉଁମାନଙ୍କୁ ଦଣ୍ଡଛତ୍ର ଧରାଇ ଦିଆଗଲା, ସେମାନେ ଗୋଟା ସାହିତ୍ୟକୁ ଆପଣାର ସାମ୍ରାଜ୍ୟଟିଏ ବୋଲି ଭାବିଲେ ଓ ସେଥିରେ ସାଆନ୍ତ ହେଲେ । ତାଙ୍କଠୁ ବଳି ବଳୀ ଖଣ୍ଡମଣ୍ଡଳରେ କେହି ନାହାନ୍ତି ବୋଲି ବି ବେଳଅବେଳରେ ଡିଣ୍ଡିମ ପିଟିଲେ । ନିଜ ଇଚ୍ଛାରେ କାହା ମୁଣ୍ଡରେ ଶିରପା ବାନ୍ଧିଲେ ତ ଆଉ କାହାକୁ ଦଣ୍ଡଦେଲେ । ସାହିତ୍ୟରେ ରାଜନୀତି ପୂରାଇଦେବାର ଚକ୍ରାନ୍ତଟା ଏଭଳି ଭାବେ ସାକାର ହେଲା । ପୁରସ୍କାର, ଉପଢୌକନ, ସମ୍ମାନର ସ୍ୱୀକୃତି ଧରାଇଦେଇ ସରକାର ସେମାନଙ୍କୁ ନିଜ ବଶରେ ରଖିଲେ ।  ଖାଲି ସରକାର ନୁହନ୍ତି, ସାହିତ୍ୟ ଓ ସାହିତି୍ୟକଙ୍କୁ ପୁଞ୍ଜିପତିଙ୍କ ଶରଣ ନେବାକୁ ବି ପଡ଼ିଲା । ଅର୍ଥ ବଳରେ ଯେ ସାହିତି୍ୟକଙ୍କୁ ଗତର ଖଟାଇବା ସମ୍ଭବ, ଆମର ଏ ନିଉଛୁଣା ଯୁଗରେ ସେଇଆ ବି ଦେଖିବାକୁ ମିଳିଲା । ସାହିତି୍ୟକର ଯେଉଁ ଲାଜସରମ ଟିକିଏ ଥିଲା, ସେତିକି ବି ଗଲା । ସେମାନଙ୍କୁ ଖୁସି କରିବାପାଇଁ ବଡ଼ ବେପାରୀମାନେ ସର୍ବଭାରତୀୟ ସ୍ତରରେ ଜ୍ଞାନପୀଠ, ସରସ୍ୱତୀ ଓ ଆମ ଓଡ଼ିଶାରେ ଶାରଳା ଭଳି ପୁରସ୍କାରଗୁଡ଼ାକ ସାହିତି୍ୟକଙ୍କ ମୁଣାରେ ପୂରାଇଦେଲେ । ଆମ ସାହିତି୍ୟକ ନିଜକୁ ଭାରି କୃତକୃତ୍ୟ ମନେକଲେ । କିନ୍ତୁ ନିଜକୁ ଆଉ କାହା ପାଖରେ ବନ୍ଧା ପକାଇଥିବା କଥାଟା ସେତେବେଳେ ସେମାନଙ୍କର ଆଉ ମନେପଡ଼ିଲା ନାହିଁ । ପୂର୍ବରୁ ରଜାମାନଙ୍କ ନିକଟରେ  ଯିଏ ଆପଣାକୁ ସମର୍ପି ଦେଇଥିଲା, ଏବେ ସେ ସରକାର ଓ ପୁଞ୍ଜିପତିଙ୍କ ଚରଣାଶ୍ରିତ ହେଲା । ସାହିତି୍ୟକ ସତକୁସତ ପରାଧୀନ ହେଲା; ଏବଂ ଜଣେ ପରାଧୀନ ସାହିତି୍ୟକଠୁ ଯେଉଁ ସାହିତ୍ୟ ଜନ୍ମନେବ, ତାହା ଅସତ୍‍ ହେବାର ଆଶଙ୍କା ସର୍ବାଧିକ; କାରଣ ସତ୍‍ ସାହିତ୍ୟ, ମହତ୍‍ ସାହିତ୍ୟ ସର୍ବଦା ସତ୍ୟ ସପକ୍ଷରେ ଥାଏ, ପ୍ରତିବାଦୀ ହୁଏ; ଯେତେ ପ୍ରଲୋଭନ ଦେଖାଇଲେ ବି ସେ ନିଜକୁ କେବେ ସମର୍ପି ଦିଏନା, ନିଜର ସ୍ୱାଧୀନତାକୁ ସର୍ବାଧିକ ଗୁରୁତ୍ୱ ଦିଏ ।

ଏଇଠି ମନେପଡୁଚନ୍ତି ଫ୍ରାନ୍ସର ଦାର୍ଶନିକ, ଔପନ୍ୟାସିକ ଓ ସମାଲୋଚକ ଜାଁ ପଲ୍‍ ସାର୍ତ୍ର, ଯିଏ ୧୯୬୪ରେ ସାହିତ୍ୟର ସର୍ବୋଚ୍ଚ ପୁରସ୍କାର ନୋବେଲକୁ କରିଥିଲେ ସବିନୟ ପ୍ରତ୍ୟାଖ୍ୟାନ (ସ୍ୱେଚ୍ଛାରେ ଏପରି କରିବାରେ ସେ ପ୍ରଥମ ନୋବେଲ ପୁରସ୍କାର ବିଜେତା; ପୂର୍ବରୁ ବି ୧୯୪୫ରେ ସମ୍ମାନଜନକ ପୁରସ୍କାର ‘ଲିଜିଅନ ଡି’ହନିଉର୍‍’ ଗ୍ରହଣ କରିବାକୁ ମନା କରିଦେଇଥିଲେ); କହିଥିଲେ “ପୁରସ୍କାର ତାଙ୍କ ସ୍ୱାଧୀନତାକୁ ଛଡ଼ାଇନେବ ଚିରକାଳ” । ପ୍ରକୃତରେ ସେ ଅକ୍ଟୋବର ୨୨ରେ ପୁରସ୍କାର ଘୋଷଣା ହେବାର ଆଠଦିନ ପୂର୍ବରୁ ନୋବେଲ ଇନ୍‍ଷ୍ଟିଚୁ୍ୟଟ୍‍କୁ ଚିଠି ଲେଖି ଜଣାନ୍ତି ଯେ ସେମାନେ ମନୋନୟନ ତାଲିକାରୁ ତାଙ୍କ ନାମ ବାଦ୍‍ ଦିଅନ୍ତୁ ଓ ଚେତାଇ ଦିଅନ୍ତି, ତାଙ୍କୁ ଯଦି ପୁରସ୍କାର ବି ମିଳେ ତେବେ ସେ ତାକୁ ଗ୍ରହଣ କରିବେ ନାହିଁ । ଦୁର୍ଭାଗ୍ୟକୁ ଚିଠିଟି କର୍ତ୍ତୃପକ୍ଷଙ୍କ ଦୃଷ୍ଟିକୁ ଆସେନି ଓ ସେ ହୁଅନ୍ତି ନୋବେଲ ବିଜେତା । ଏକଥା ଜାଣିବାପରେ ଗଣମାଧ୍ୟମଠୁ ଲୁଚନ୍ତି ସାର୍ତ୍ର । ପୁରସ୍କାର ଘୋଷଣାର ପରଦିନ ଅର୍ଥାତ ୨୩ ତାରିଖରେ ଲେ ଫିଗାରୋ ଖବରକାଗଜରେ ଛପାହୁଏ ତାଙ୍କ ବିବୃତି ଯାହାର ପ୍ରଥମ ବାକ୍ୟ: ‘ଏଭଳି ପୁରସ୍କାର ଦ୍ୱାରା ନିଜକୁ ‘ଟ୍ରାନ୍ସଫର୍ମ’ କରିବାକୁ ମୁଁ ଚାହୁଁନାହିଁ’ । ସାର୍ତ୍ରଙ୍କ ବ୍ୟବହୃତ ଟ୍ରାନ୍ସଫର୍ମ ଶବ୍ଦଟି ଖୁବ୍‍ ମହତ୍ତ୍ୱପୂର୍ଣ୍ଣ, କାହିଁକିନା ଏହା କେବଳ ସାଧାରଣ ପରିବର୍ତ୍ତନ ନୁହେଁ, ଆମୂଳଚୂଳ ପରିବର୍ତ୍ତନ; ଏକାବେଳକେ ଘଟ ପରିବର୍ତ୍ତନ, ପ୍ରକୃତି ଓ ସ୍ୱଭାବ ପରିବର୍ତ୍ତନ । ଏବଂ ଥରେ ସ୍ୱଭାବ ପରିବର୍ତ୍ତନ ହେବା ଅର୍ଥ ଗୋଟାପଣେ ସ୍ଖଳନ, ଯାହା ଜଣେ ସାହିତି୍ୟକକୁ କରେ ଚରିତ୍ରହୀନ । କେବଳ ଚରିତ୍ରହୀନ ନୁହେଁ, କରେ ଦାୟିତ୍ୱହୀନ ବି । ସେଇଥିପାଇଁ ସେହି ସାର୍ତ୍ରେ ଚେତାଇ ଦିଅନ୍ତି: ‘ଟୁ ରାଇଟ୍‍ ଇଜ୍‍ ଟୁ ଟେକ୍‍ ରେସପନ୍‍ସିବିଲିଟି’ । ଖାଲି ଲେଖିଲେଖି ଲେଖକ ବା  ସାହିତି୍ୟକ ହେଲେ ଚଳିବନି, ଦାୟବଦ୍ଧତା ସ୍ୱୀକାର କରିବାକୁ ପଡ଼ିବ । କେବଳ ନିଜର ଲେଖା କାହିଁକି, ଆପଣା ଚାରିପାଖରେ ବସବାସ କରୁଥିବା ମଣିଷ, ଜୀବଜନ୍ତୁ, ଗଛଲତାଙ୍କର ମଧ୍ୟ ଦାୟିତ୍ୱ ନେବାକୁ ହେବ ଓ କହିବାକୁ ପଡ଼ିବ ଭୀମଭୋଇଙ୍କ ପରି ‘ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ’ । କିନ୍ତୁ ଅର୍ଥ, କ୍ଷମତା, ପୁରସ୍କାର, ଉପଢୌକନ, ଗଜରାମାଳକୁ ଆଶା ରଖିଥିବା ସାହିତି୍ୟକମାନେ ସେପରି କରିପାରିବେ ନାଇଁ କଦାଚନ, କାରଣ ସେମାନେ ସ୍ୱଭାବତଃ ପରାଧୀନ ।

ପରାଧୀନ ବୋଲି ହିଁ ଆମ ସାହିତି୍ୟକମାନଙ୍କର ଆଜି ସାଆନ୍ତ ହେବାକୁ ବେଶି ମନ । ଏଇନା ଏମିତି ଜଣେ ସାଆନ୍ତ ମାୟାବୀ ରାବଣ ଭଳି ମାୟାମୃଗ ଦେଖାଇ ସ୍ୱୀକୃତି-ସୀତାଙ୍କୁ ହରଣ କରିନେଇଛି ବୋଲି ଓଡ଼ିଶାରେ ଭାରି ଗୋଳ ଲାଗିଛି । ଦଳେ ସାଆନ୍ତ ଏକଥା ସେମାନେ ଦେଖିଛନ୍ତି, ତେଣୁ ତିଳେହେଁ ମିଥ୍ୟା ନାହିଁ ବୋଲି କହୁଚନ୍ତି । ଜଣେ ଏହି ପାରିଧିରେ ସାମିଲ ହୋଇଥିବାରୁ ତାଙ୍କୁ ଓଡ଼ିଶାବାସୀ କ୍ଷମା କରିଦିଅନ୍ତୁ ବୋଲି ମଧ୍ୟ ଲୁହ ଗଡ଼ାଇଚନ୍ତି । କିନ୍ତୁ ଏସବୁ ସୁଆଙ୍ଗ ଦ୍ୱାରା ସାହିତ୍ୟଟା ହିଁ ହଟହଟା ହଉଚି, ସେଥିକି କାହାର ନିଘା ନାହିଁ ।

‘ସହିତ’ ଶବ୍ଦରୁ ସାହିତ୍ୟ ଆସିଚି ବୋଲି ପଣ୍ଡିତମାନେ କହିଚନ୍ତି; ଅର୍ଥାତ ସାହିତ୍ୟ ମଣିଷ ସହିତ ମଣିଷକୁ ଯୋଡ଼ିବ, ମଣିଷ ସହିତ ସାରା ପୃଥିବୀକୁ ଯୋଡ଼ିବ । ସେଥିପାଇଁ ତାହା ସେତୁଟିଏ ଭଳି କାର୍ଯ୍ୟ କରିବ । କିନ୍ତୁ ସାହିତ୍ୟ ନିଜେ ଯଦି ସବୁ ମଣିଷଙ୍କ ପାଇଁ ଅଛୁଆଁ ହୋଇ ରହିଥାଏ, ତେବେ ତାହା କିଭଳି ସେହି ଦାୟିତ୍ୱଟି ତୁଲାଇପାରିବ? ସାହିତି୍ୟକ ନିଜେ ଯେତେବେଳେ ଦାୟିତ୍ୱଶୂନ୍ୟ, ସେତେବେଳେ ତା’ ଦ୍ୱାରା ସୃଷ୍ଟ ସାହିତ୍ୟ ବି ଦାୟିତ୍ୱବାନ ହେବ, ତାହା ଆଶା କରିବା ନିର୍ବୋଧତା । ଲିପିରେ ପ୍ରକାଶ କରାନଗଲେ ବି ଯଦି ଆମେ ସାହିତ୍ୟ ବୋଲି କହିବା, ତେବେ ସେଭଳି ଉପାଦାନ ଆମ ସାଧାରଣ ନିରକ୍ଷର ମଣିଷ ଜୀବନରେ ବି ନିତ୍ୟ ପରିଦୃଷ୍ଟ । କ୍ଷେତରେ ହଳ କଲାବେଳେ ଚାଷୀ, ଭରା ନଦୀରେ ନାଆ ବାହିଲାବେଳେ ନାଉରୀ ବା ତଳି ରୋଇବାବେଳେ ଗ୍ରାମ୍ୟମହିଳା ଯେଉଁ ଗୀତ ଗାଆନ୍ତି, ତାହା ବି ସାହିତ୍ୟ । ବରଂ ସେସବୁ ଆମ ତଥାକଥିତ ପୋଥିସାହିତ୍ୟଠୁ ବେଶି ପ୍ରାଣୋଚ୍ଛ୍ୱଳ, ଅଧିକ ଜୀବନ୍ତ । ସେମାନେ ଆମ ଭିତରର ମଣିଷ । କିନ୍ତୁ ଯେଉଁମାନେ ସାହିତ୍ୟକୁ ଖ୍ୟାତି, ପୁରସ୍କାର, ସମ୍ମାନର ବ୍ୟବସାୟ ବୋଲି ଧରିନେଇଚନ୍ତି, ସେମାନେ କେବେ ମଣିଷ ସହିତ ଅର୍ଥାତ ଆମ ସହିତ ନଥିଲେ କି ଏବେ ବି ଥିଲା ପରି ଲାଗୁନାହାନ୍ତି; ଆମ ବାସଭୂମି ତ ଦୂରର କଥା, ଆମେ ନିଜେ ବି ସେମାନଙ୍କ ପାଇଁ ଅଚିହ୍ନା । ଏବେ ସାହିତ୍ୟର ସାଆନ୍ତମାନେ ନିଜନିଜ ନଅରର ଅନ୍ତଃପୁରମାନଙ୍କରେ ପୁରସ୍କାରର ପରକୀୟା ପ୍ରୀତିରେ ମସ୍ତ ।
Next PostNewer Post Previous PostOlder Post Home

1 comment:

  1. ଚନ୍ଦ୍ର ଶେଖର୍ ହୋତାJanuary 4, 2015 at 11:25 PM

    ତୁମେ ମୋତେ ବିମୁଗ୍ଧ କଲ. ଚିନ୍ତା ଓ ଚେତନକୁ ଦୀପ୍ତ କଲ. ଆଶା ଏହି ପ୍ରୟାସ ବାଲ୍ମୀକିୟ ହେଉ.

    ReplyDelete

ଏହି ବ୍ଲଗର ସମସ୍ତ ସାମଗ୍ରୀ ଲେଖକଙ୍କ ସର୍ବସ୍ବତ୍ତ୍ବ ସଂରକ୍ଷିତ. Powered by Blogger.