ଅାସ, ସିଟି ମାରିବା

Leave a Comment
ମନ ଖୁସି ହେଲେ ମଣିଷ ସିଟି (ହ୍ୱିସିଲ)ମାରେ । ଭାରାକ୍ରାନ୍ତ ମନ ସିଟି ମାରିପାରେନା । ଖୁସି ମନ ଅର୍ଥାତ ସ୍ୱଚ୍ଛ ମନ, ସରଳ ମନ, ସାହସୀ ମନ । କେହି କେତେବେଳେ ଜାଣତ ଅଜାଣତରେ ସିଟି ମାରିଦେଲେ ତଥାକଥିତ ବଡ଼ମାନେ, ସମ୍ମାନନୀୟମାନେ, ବୟସ୍କମାନେ, କ୍ଷମତାଧାରୀମାନେ ତାକୁ କହନ୍ତି ପିଲାଳିଆମି ଅବା ବାଚାଳାମି । ଅନେକଙ୍କୁ ମନେହୁଏ ଅପମାନଜନକ; ଦଣ୍ଡନୀୟ । ସମ୍ମାନ, କ୍ଷମତା, ଅର୍ଥ ଓ ପ୍ରତିପତ୍ତିକୁ ଯେଉଁମାନେ ଜୀବନର ସବୁକିଛି ବୋଲି ଧରିନେଇଥାନ୍ତି, ସେମାନେ ନିଜେ କେବେ ସିଟି ମାରିପାରନ୍ତି ନାହିଁ କି ଆଉ କେହି ସିଟି ମାରିଲେ ସହିପାରନ୍ତି ନାହିଁ । ମନ ଯାହାର ନିର୍ମଳ ନୁହେଁ କି ସାହସୀ ନୁହେଁ, ସେ କେବେ ସିଟି ମାରିପାରିବ ନାହିଁ । ପୁଲିସକୁ ଆପଣ ସିଟି ମାରିବା ଦେଖିଥିବେ । ତାକୁ ସେଥିପାଇଁ କ୍ଷମତା ଦିଆଯାଇଚି । ତେଣୁ ତା’ ପାଇଁ ତାହା ସହଜ । କିନ୍ତୁ କ୍ଷମତା ନଥାଇ ଅନ୍ୟମାନଙ୍କୁ ଚମକାଇଦେବା ଭଳି ସିଟି ମାରିବା ସେତେ ସହଜ ନୁହେଁ । ଆପଣ ଆଠ ଦିନ ଭୋକିଲା ରହି ଅନଶନ କରିପାରିବେ, ବାବା ରାମଦେବ ଓ ଅନ୍ନା ହଜାରେଙ୍କ ସଭାକୁ ଯାଇ ବଡ଼ପାଟିରେ ଦୁର୍ନୀତିବିରୋଧୀ ସ୍ଲୋଗାନ ଦେଇପାରିବେ, ଶରଦ ପୱାରଙ୍କ ଗାଲରେ ଚାପୁଡ଼ାଟିଏ ପକାଇପାରିବେ କିମ୍ବା ଚିଦମ୍ବରମ୍‍ଙ୍କ ଉପରକୁ ଜୋତା ଫୋପାଡ଼ିପାରିବେ; ମାତ୍ର ସହଜରେ ସିଟି ମାରିପାରିବେ ନାହିଁ । କାରଣ ଇଏ ପାଣି ଭିତରେ ରହି କୁମ୍ଭୀର ସହ କଳି କରିବା କଥା । ଏଥିପାଇଁ କେବଳ କୁମ୍ଭୀରର ଶତ୍ରୁ ହେବାକୁ ପଡ଼ିବ ନାହିଁ, ବରଂ ଅନ୍ୟ ଜୀବଜନ୍ତୁଙ୍କ କଟୁଦୃଷ୍ଟିରେ ମଧ୍ୟ ପଡ଼ିବାକୁ ହେବ । କେତେବେଳେ ଯେ ସେମାନେ ପାଣି ବାହାରକୁ ଫିଙ୍ଗିଦେବେ, ସେଥିପାଇଁ ସର୍ବଦା ପ୍ରସ୍ତୁତ ଥିବାକୁ ହେବ । ତା’ହେଲେ ହିଁ ଆପଣ ସିଟି ମାରିପାରିବେ । ଏହି କାରଣରୁ ଆମ ଭିତରୁ ଖୁବ୍‍ କମ୍‍ ଲୋକ ହିଁ ଏମିତି ସିଟି ମାରିପାରନ୍ତି । ପାଣି ଭିତରେ ରହି କୁମ୍ଭୀର ସହ କଳି କରିପାରନ୍ତି । ସେମାନେ କେବଳ ସିଟି ମାରିଚାଲନ୍ତି (ହ୍ୱିସିଲବ୍ଲୋଇଂ) ଜୀବନକୁ ବାଜି ଲଗାଇ କୋଉଠି କିଛି ଅନୀତି ଦୁର୍ନୀତି ଦେଖିଲେ, ଅନ୍ୟାୟ ଅତ୍ୟାଚାରର ସାମ୍ନା କଲେ । ଲଢ଼ିଲଢ଼ି ଜୀବନ ଦେଇଦିଅନ୍ତି । ଏସ୍‍.ପି. ମହାଂତେଶ, ରବିନ୍ଦର  ବଲ୍‍ୱାନୀ, ଅମିତ୍‍ ଜେଠ୍‍ୱା, ବିଠଲ୍‍ ଗୀତେ, ସତ୍ୟେନ୍ଦ୍ର ଦୁବେ, ମଂଜୁନାଥ ସନ୍‍ମୁଗମ୍‍...ଏଇ ସିଟିବଜାଳି (ହ୍ୱିସିଲ୍‍ବ୍ଲୋଅର; ଏ ଶବ୍ଦଟିକୁ ସତୁରି ଦଶକରେ ସର୍ବପ୍ରଥମେ ଆମେରିକାର ମାନବାଧିକାର କର୍ମୀ ରାଲ୍‍ଫ ନାଦାର ବ୍ୟବହାର କରିଥିଲେ)ଙ୍କ ଭିତରୁ ଅନେକଙ୍କ ନାଁ ଆପଣ ହୁଏତ ଶୁଣିନଥିବେ । ଖବରକାଗଜ କି ଟିଭିବାଲା ଆପଣଙ୍କୁ ଏମାନଙ୍କ ବିଷୟରେ କିଛି କହିଥିଲେ ତ? ଏମାନେ ସିଟି ମାରି ଦୁନିଆକୁ କୁମ୍ଭୀରମାନଙ୍କ ବିଷୟରେ ଜଣାଇ ଦିଅନ୍ତି ସିନା, ନିଜେ କିନ୍ତୁ ନିଃସଙ୍ଗ ହୋଇପଡ଼ନ୍ତି । କୁମ୍ଭୀର ସହ ସମାଜର ଅନ୍ୟମାନେ ମିତ୍ରତା କରନ୍ତି ଓ ଏମାନଙ୍କୁ ବାସନ୍ଦ କରିଦିଅନ୍ତି । ଏସ୍‍.ପି. ମହାଂତେଶ । କର୍ଣ୍ଣାଟକ କୋପରେଟିଭ୍‍ ଅଡିଟ୍‍ ମହାନିର୍ଦେଶାଳୟରେ ଥିଲେ ଉପନିର୍ଦେଶକ । ସେ ଯୋଗଦେବା ପରଠୁ ଏମିତି ସିଟି ମାରିଲେ ଯେ କର୍ଣ୍ଣାଟକର କୋପରେଟିଭ୍‍ରେ ହେଉଥିବା ବହୁ ଦୁର୍ନୀତି ଉପରୁ ପରଦା ଉଠିବାକୁ ଲାଗିଲା । ତାଙ୍କୁ ହତ୍ୟା ଧମକ ଆସିଲା; କିନ୍ତୁ ସାହସୀ ମହାଂତେଶ ଡରିଗଲେନି । ସେ ଆଉ ଜୋର୍‍ରେ ସିଟି ବଜାଇଲେ । ହେଲେ ଦିନେ ତାଙ୍କୁ କର୍ଣ୍ଣାଟକ ମୁଖ୍ୟ ବିଚାରପତିଙ୍କ ଘର ସାମ୍ନାରେ ହାଣିଦିଆଗଲା । ଡାକ୍ତରଖାନାରେ ମୃତୁ୍ୟ ସହ ସଂଗ୍ରାମ କଲାବେଳେ ବି କୋପରେଟିଭ୍‍ ବିଭାଗର ମନ୍ତ୍ରୀ (ମୁଖ୍ୟମନ୍ତ୍ରୀ ନିଜେ ଥିଲେ) ଦେଖିବାକୁ ବି ଟିକିଏ ଗଲେନାହିଁ । ଜଣେ ଇମାନଦାର ଅଧିକାରୀ ବେଇମାନ ଓ ଦୁର୍ନୀତିଗ୍ରସ୍ତ ଲୋକଙ୍କ ପାଇଁ ସହିଦ ହେଲା ।

ସତ୍ୟେନ୍ଦ୍ର ଦୁବେ । ଆଇଆଇଟି କାନପୁରର ଏହି ୩୧ବର୍ଷୀୟ ମେଧାବୀ ଯୁବକଜଣକ ଭାରତର ଜାତୀୟ ରାଜପଥ ପ୍ରାଧିକରଣ (ଏନ୍‍ଏଚ୍‍ଏଆଇ)ରେ କାମ କରୁଥିଲେ । ସେଠାରେ ହେଉଥିବା ଭ୍ରଷ୍ଟାଚାର ଦେଖି ସେ ଅନ୍ୟମାନଙ୍କ ପରି ଆଖି ବୁଜିଦେଲେନି । ସିଟି ମାରିଲେ । ସ୍ୱର୍ଣ୍ଣ ଚତୁର୍ଭୁଜ ଯୋଜନାରେ ୩୦ ହଜାର କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଦେଖାଇଦେଲେ । ବଡ଼ବଡ଼ ଅଧିକାରୀ ଯେତେବେଳେ ଶୁଣି ବି ଅଣଦେଖା କଲେ, ପ୍ରଧାନମନ୍ତ୍ରୀଙ୍କୁ ବି ଖୁବ୍‍ ଜୋରରେ ଶୁଣାଇଲେ । କିନ୍ତୁ ନିଷ୍ଫଳ । ସମସ୍ତେ ଯେମିତି କାଲା କିମ୍ବା ନପୁଂସକ । ଏହା ୨୦୦୨ ମସିହା କଥା । ପ୍ରଧାନମନ୍ତ୍ରୀଙ୍କୁ ସେ ଲେଖିଥିବା ଚିଠି ଅମଲାତନ୍ତ୍ରରେ ବାଣ୍ଟିଦିଆଗଲା । ସାବାସି ମିଳିବା ବଦଳରେ ୨୦୦୩ ନଭେମ୍ବରରେ ଗୟାରେ ତାଙ୍କୁ ବି ସହିଦ୍‍ କରିଦିଆଗଲା ।

ମଂଜୁନାଥ ସନମୁଗମ୍‍ । ଆଇଆଇଏମ୍‍ ଲକ୍ଷ୍ନୌର ଏହି ମେଧାବୀ ଯୁବକ ଇଣ୍ଡିଆନ ଅଏଲ୍‍ କର୍ପୋରେସନରେ କାମ କଲାବେଳେ ଉତ୍ତର ପ୍ରଦେଶର ଲଖିମପୁର ଖେରିର ଦୁଇଟି ପେଟ୍ରୋଲ ପମ୍ପ୍‍ରେ ମିଶ୍ରିତ ପେଟ୍ରୋଲ ବିକି୍ର ହେଉଥିବାରୁ ତାକୁ ବନ୍ଦ ଆଦେଶ ଦେଇଥିଲେ । ତାହା ପୁଣିଥରେ ଚାଲୁହେବା ପରେ ମଞ୍ଜୁନାଥ ଅକସ୍ମାତ୍‍ ପରିଦର୍ଶନ କଲେ । ୨୦୦୫ ନଭେମ୍ବର ୧୯ରେ ତାଙ୍କୁ ସେଥିପାଇଁ ଗୁଳି ଖାଇବାକୁ ପଡ଼ିଲା ।

ଠିକ୍‍ ଏହିପରି ଏକ ଘଟଣାରେ ଦୁଇବର୍ଷ ତଳେ ମାଲେଗାଓଁର ଉପଜିଲାପାଳ   ୟଶୱନ୍ତ ସୋନଭନେଙ୍କୁ ତେଲ ମାଫିଆମାନେ ନାସିକ ନିକଟସ୍ଥ ମାନମାଡ଼ରେ ଜୀବନ୍ତ ଜାଳିଦେଲେ । କେବଳ ସରକାରୀ ଅଧିକାରୀ ନୁହନ୍ତି, ଇମାନଦାର ଓ ସଚ୍ଚୋଟ ସାଧାରଣ ଲୋକେ, ଯେଉଁମାନେ ଭ୍ରଷ୍ଟାଚାରୀଙ୍କ ବିରୋଧରେ ସିଟି ମାରିବାର ସାହସ କରିଛନ୍ତି, ସେମାନଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇ ଦିଆଯାଇଛି । ବିଠଲ୍‍ ଗୀତେ । ବୀଡ଼ର ଜଣେ ଚାଷୀ । ସ୍କୁଲକୁ ଆସୁଥିବା ସରକାରୀ ଟଙ୍କା ହଡ଼ପ ହେବା ଦେଖି ସ୍ୱର ଉତ୍ତୋଳନ କରିବା ପରେ ତାଙ୍କୁ ଚେନରେ ମାଡ଼ ମରାଗଲା ଓ ତାଙ୍କ ପ୍ରାଣ ଗଲା । ରାମଦାସ ପାଟିଲ । ମହାରାଷ୍ଟ୍ରର ନାନେ୍ଦଡ଼ର ଏହି କ୍ଷୀରବାଲା ବାଲିମାଫିଆଙ୍କୁ ଡରିଗଲେନି ଓ ପ୍ରତିବାଦ କଲେ, କିନ୍ତୁ ସେଥିପାଇଁ ତାଙ୍କୁ ଜୀବନ ଦେବାକୁ ହେଲା । ସତୀଶ ଶେଟ୍ଟି । ତଲେଗାଓଁ-ଲୋନାଭାଲାର ଜମି ଦୁର୍ନୀତି ନେଇ ସିଟି ମାରିଲେ । ତାଙ୍କୁ ହତ୍ୟା କରାଗଲା । ଗତ ଏପ୍ରିଲରେ ଦିଲ୍ଲୀର ଆର୍‍ଟିଆଇ କର୍ମୀ ରବିନ୍ଦର ବଲୱାନିଙ୍କୁ ମାରିଦିଆଗଲା । ପୁଲିସ ଏଯାଏଁ ଦୁର୍ଘଟଣା କହୁଚି । ୨୦୧୦ ଜୁଲାଇରେ ଗୁଜରାଟ ହାଇକୋର୍ଟ ନିକଟରେ ଆର୍‍ଟିଆଇ କର୍ମୀ ଅମିତ ଜେଠୱାଙ୍କୁ ଗୁଳି କରାଗଲା । ୨୦୧୧ରେ ମଧ୍ୟପ୍ରଦେଶରେ ଆଉଜଣେ  ଆର୍‍ଟିଆଇ କର୍ମୀ ଶେହଲା ମାସୁଦଙ୍କୁ ହତ୍ୟା କରାଗଲା । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଗତ ପାଞ୍ଚବର୍ଷ (୨୦୦୭ରୁ ୨୦୧୨ ଫେବୃୟାରୀ) ମଧ୍ୟରେ ଦୁର୍ନୀତିର ସୂଚନା ପାଇଥିବା ଏବଂ ସୁଟି ମାରିଥିବା ୨୨ ଜଣ ଆର୍‍ଟିଆଇ କର୍ମୀଙ୍କୁ ମାରିଦିଆଯାଇଛି, ୫୦ ଜଣଙ୍କୁ ମାର୍‍ପିଟ୍‍ କରାଯାଇଛି, ୭୩ ଜଣଙ୍କୁ ବିଭିନ୍ନ ଉପାୟରେ ନିର୍ଯାତନା ଦିଆଯାଇଛି ।

ଏତେସବୁ ଜାଣିସାରିବା ପରେ ଆପଣ ଏଥର କହନ୍ତୁ, ମହାଂତେଶ, ଅମିତ, ସତ୍ୟେନ୍ଦ୍ର, ମଂଜୁନାଥମାନଙ୍କୁ ବାରମ୍ବାର କାହିଁକି ମରିବାକୁ ପଡ଼ୁଚି? ସମାଜର ମଙ୍ଗଳ ପାଇଁ ଯେଉଁ ଇମାନଦାର ମଣିଷମାନେ ଲଢ଼େଇ କରୁଚନ୍ତି, ସେମାନଙ୍କୁ ହିଁ ଆମେ କାହିଁକି କୁମ୍ଭୀର ମୁହଁକୁ ଠେଲିଦଉଚୁ? ସେମାନଙ୍କ ସାଂଗରେ ଯିବାକୁ ଆମେ କାହିଁକି ପଛଘୁଞ୍ଚା ଦଉଚୁ? ସେମାନଙ୍କ ମରଣ ପାଇଁ ଆମେ, ସମାଜ ଓ ସରକାର, କ’ଣ ଦାୟୀ ନୋହୁ? ଆମେ ନିଜେ ଭ୍ରଷ୍ଟ ସରକାର ଓ ବ୍ୟବସ୍ଥା ସହ ହାତ ମିଳାଇନାହୁଁ ତ? ମଞ୍ଚରେ ଦୁର୍ନୀତିବିରୋଧୀ ଭାଷଣ ମାରି ନିଜେ ଦୁର୍ନୀତିରେ ଲିପ୍ତ ନାହୁଁ ତ? ଏସବୁ ପ୍ରଶ୍ନ ଆଜି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାହିଁକିନା ‘ଦାରିଦ୍ର୍ୟ’ ପରି ‘ଦୁର୍ନୀତି/ଭ୍ରଷ୍ଟାଚାର’ ଶବ୍ଦଟି ବର୍ତ୍ତମାନ ଭାରତର ଅଧିକାଂଶ ଲୋକ (ବିଶେଷତଃ ଶାସକ, ପ୍ରଶାସକ, ବୁଦ୍ଧିଜୀବୀ, ସାମ୍ବାଦିକ, ସେଲିବ୍ରିଟି)ଙ୍କ ପାଇଁ ଏକ ଖିଆଲ (ଫାଣ୍ଟାସି) ପାଲଟିସାରିଚି । ସେଇଥିପାଇଁ କି କ’ଣ, ଦୁର୍ନୀତିବିରୋଧୀ ତନ୍ତ୍ର ଲୋକପାଳ ପାଇଁ ଆନେ୍ଦାଳନର ନେତୃତ୍ୱ ନେଉଥିôବା ଲୋକେ ବି ରାଜନୀତିକୁ ଡେଇଁବାକୁ ମନ କଲେଣି । ରାଜନୀତି ଅର୍ଥାତ କ୍ଷମତାର କଳ । ଏଇ ରାଜନୀତି ହିଁ କେବଳ ଶାସନ ନୁହେଁ, ସମାଜକୁ ବି ପରିଚାଳିତ କରୁଚି ତା’ର ଆଇନକାନୁନ ମାଧ୍ୟମରେ । ୟାକୁ ବି କୁହାଯାଉଚି ଗଣତନ୍ତ୍ର । କିନ୍ତୁ ଏ ଦେଶର ଦୁର୍ଭାଗ୍ୟ, ଯେଉଁମାନେ ନିଜ ଜୀବନକୁ ପାଣିଛଡ଼ାଇ ଦୁର୍ନୀତି/ଅନୀତିର ମୁଖା ଖୋଲିବାପାଇଁ ଚେଷ୍ଟା କରିଚନ୍ତି ଓ କରୁଚନ୍ତି, ସେମାନଙ୍କ ପାଇଁ ଏପର୍ଯ୍ୟନ୍ତ ରାଜନୀତି ବା ଆମ ସମାଜ କିଛି କରିନାହିଁ । ଏଗାର ବର୍ଷ ତଳେ ଆଇନ କମିଶନ ଦୁର୍ନୀତିକୁ ରୋକିବା ଏବଂ ସିଟିବଜାଳି (ହ୍ୱିସିଲବ୍ଲୋଅର)ଙ୍କୁ ସୁରକ୍ଷା ଦେବାପାଇଁ ଏକ ଆଇନ ପ୍ରଣୟନ କରିବାକୁ କହିଥିଲେ । ବହୁ ଚାପ ଫଳରେ ୨୦୧୧ରେ ଲୋକସଭାରେ ‘ହ୍ୱିସିଲବ୍ଲୋଅର୍ସ (ପ୍ରୋଟେକ୍ସନ) ବିଲ୍‍’ ପାସ ହେଲା ସତ, କିନ୍ତୁ ରାଜ୍ୟସଭାର ଶୀତଳଭଣ୍ଡାରରୁ ଏଯାଏଁ ବାହାରିପାରିଲାନି । ଆମ ସମାଜ ଓ ସରକାର ଯଦି ସତକୁସତ ଦୁର୍ନୀତି ବିରୋଧରେ ଲଢ଼ିବାକୁ ଯାଇ ପ୍ରାଣବଳି ଦେଇଥିବା ଯୋଦ୍ଧାମାନଙ୍କ ପ୍ରତି ଟିକିଏ ବି ସମ୍ବେଦନଶୀଳ ଥାଆନ୍ତା, ତେବେ ଗୋଟାଏ ଜରୁରୀ ଆଇନ ପ୍ରଣୟନ ପାଇଁ ଦୀର୍ଘ ଦଶବର୍ଷ ସମୟ ନିଅନ୍ତା ନାହିଁ । ଲୋକପାଳ ଅପେକ୍ଷା ଏହି ଆଇନର ଆବଶ୍ୟକତା ସର୍ବାଧିକ । ଆହୁରି ମଧ୍ୟ କ୍ଷୋଭର କଥା, ଏ ଆଇନ ହେବାପରେ ବି ଏହା ଯେ ସିଟିମାରୁଙ୍କୁ ସୁରକ୍ଷା ଦେବ, ସେଇ ଆଶା ବୃଥା । କାରଣ ଏହି ବିଲ୍‍ରେ ସିଟିମାରୁଙ୍କୁ ନିର୍ଯାତନା ଦେବା ବିରୋଧରେ କୌଣସି ଦଣ୍ଡର ନିୟମ ନାହିଁ । ଏପରିକି ଉପôୀଡ଼ନର ପ୍ରକାର ବା ଉପôୀଡ଼କଙ୍କୁ କି ଦଣ୍ଡ ଦିଆଯିବ, ସେନେଇ ମଧ୍ୟ ସ୍ପଷ୍ଟ କରାଯାଇନାହିଁ । ରାଜନୀତି ସବୁବେଳେ ଗଳାବାଟଟିଏ ରଖିଥାଏ; ଏଠି ବି ରଖିଛି । ଯୋଉ ରାଷ୍ଟ୍ର ଯେତିକି ଅଧିକ ଦୁର୍ନୀତିଗ୍ରସ୍ତ, ସେଠାରେ ସେତିକି ବେଶି ଆଇନ । ଭାରତ ଏହାର ଜ୍ୱଳନ୍ତ ନମୁନା । ଏଠି ପ୍ରତିବର୍ଷ ବିଭିନ୍ନ ପ୍ରକାରର ଦଶକୋଡ଼ିଏ ଆଇନ ତିଆରି ହେଉଛି, ଅଥଚ ନା ଦୁର୍ନୀତି କମୁଚି ନା ଦାରିଦ୍ର୍ୟ ନା ଅପରାଧ । ସୂଚନା ଅଧିକାର ଆଇନ (ଆର୍‍ଟିଆଇ) ବୈପ୍ଳବିକ ବୋଲି କୁହାଯାଉଥିଲେ ବି ଏହା ସିଟିବଜାଳିଙ୍କ ହାତରେ ଅସ୍ତ୍ର ସିନା ଧରାଇଦେଲା, କିନ୍ତୁ ସାଞ୍ଜୁ ବା ଢାଲ ଦେଲାନି, ଯାହା ସେମାନଙ୍କୁ ଶତ୍ରୁ (ଭ୍ରଷ୍ଟାଚାରୀ)ର ଆକ୍ରମଣରୁ ରକ୍ଷା କରିପାରିବ । ଏହି କାରଣରୁ ସିଟିବଜାଳିଙ୍କୁ ଦିନ ଦି’ପହରେ ଗୁଳି ଖାଇବାକୁ କିମ୍ବା ନିର୍ଯାତିତ ହେବାକୁ ପଡ଼ୁଚି । ତଥାପି ସତ୍ୟେନ୍ଦ୍ର, ମଂଜୁନାଥମାନେ ଡରିଯାଇନାହାନ୍ତି ଓ ସିଟି ମାରିବାର ସତ୍‍ସାହସ କରୁଚନ୍ତି, ତାହା ହିଁ ବଡ଼ ଆଶ୍ୱାସନା । ଏହି ହେତୁ ‘ୱିକିଲିକ୍ସ’ ୱେବ୍‍ସାଇଟ୍‍ ମାଧ୍ୟମରେ ଅଷ୍ଟ୍ରେଲିଆର  ସାମ୍ବାଦିକ ତଥା ସିଟିବଜାଳି ଜୁଲିଆନ୍‍ ଆସାଞ୍ଜ୍‍ (ଆମେରିକାଠୁ ଆରମ୍ଭ କରି ଆଫଗାନିସ୍ତାନ ପର୍ଯ୍ୟନ୍ତ ବହୁ ଦେଶର ଗୋପନ ତଥ୍ୟ ପ୍ରଘଟ କରି ବିଶ୍ୱବିଖ୍ୟାତ)ଙ୍କଠାରୁ ଆରମ୍ଭ କରି ନାନେ୍ଦଡ଼ର କ୍ଷୀରବାଲା ରାମଦାସ ଆମର ନମସ୍ୟ । ତେବେ ମନେରଖିବାକୁ ହେବ ଯେ ଆମପାଇଁ ଆଉ କେହି ସିଟି ମାରିବ ବୋଲି ଅପେକ୍ଷା କରିବା ନପୁଂସକତା । ତେଣୁ ଆସନ୍ତୁ, ଯିଏ ଯୋଉଠି ଥାଆନ୍ତୁ ପଛକେ, ଏଥର ଆମେ ନିଜେ ସିଟି ବଜାଇବାକୁ ଚେଷ୍ଟା କରିବା ।  ଅର୍ଥାତ ନିଜେ ସ୍ୱଚ୍ଛ ହେବା ଓ ଅନ୍ୟକୁ ସ୍ୱଚ୍ଛ କରିବାକୁ ସିଟି ମାରିବା । ତା’ହେଲେ ଆଉ ଅନ୍ନା, ରାମଦେବ, ଅଗ୍ନିବେଶମାନଙ୍କର ଆଦୌ ଆବଶ୍ୟକତା ପଡ଼ିବ ନାହିଁ ।
Next PostNewer Post Previous PostOlder Post Home

0 comments:

Post a Comment

ଏହି ବ୍ଲଗର ସମସ୍ତ ସାମଗ୍ରୀ ଲେଖକଙ୍କ ସର୍ବସ୍ବତ୍ତ୍ବ ସଂରକ୍ଷିତ. Powered by Blogger.