ଡାକ୍ତରଖାନା ଶଯ୍ୟାରେ କର୍କଟ ରୋଗାକ୍ରାନ୍ତ କ୍ରିକେଟର ଯୁବରାଜ ସିଂହଙ୍କ ମନରେ ଯେଉଁ ‘ଆତ୍ମଜୀବନୀ’ଟି ସାହସ ସଞ୍ଚାର କରିଦେଇଥିଲା, ଆଜି ସେସବୁ ପ୍ରମାଣିତ ହୋଇସାରିଛି ମିଛ ମାହାତ୍ମ୍ୟ । ଯିଏ ଅସମ୍ଭବ ମନେହେଉଥିବା କାର୍ଯ୍ୟକୁ ସମ୍ଭବ କରି ଦେଖାଇଦେଇଥିଲା ଏବଂ ପୃଥିବୀ ପାଇଁ ପାଲଟିଯାଇଥିଲା ପ୍ରେରଣା, ସେ ବି ହଠାତ୍ ମିଛୁଆ ରାଧୁଆଠୁ ବି ମନେହେଉଛି ହୀନ । ଏମିତି କାହିଁକି ହେଲା? ପୃଥିବୀର ସର୍ବବୃହତ୍ ସାଇକଲ ଚାଳନା ପ୍ରତିଯୋଗିତା ‘ଟୁର୍ ଦି ଫ୍ରାନ୍ସ’ରେ କ୍ରମାଗତ ସାତ ଥର ବିଜୟର ବୈଜୟନ୍ତୀ ଉଡ଼ାଇ ଆଦର୍ଶ ପ୍ରତିମା ପାଲଟିଯାଇଥିବା ଲାନ୍ସ ଆର୍ମଷ୍ଟ୍ରଙ୍ଗ୍ ମହାଶୟ ଶେଷରେ ସ୍ୱୀକାର କଲେ ଯେ ସେ ସବୁଥର ନିଷିଦ୍ଧ ନିଶାଦ୍ରବ୍ୟ ସେବନ କରି ପ୍ରତିଯୋଗିତାରେ ଓହ୍ଲାଉଥିଲେ ଓ ସଭିଙ୍କୁ ପଛରେ ପକାଇ ଦେଉଥିଲେ । କର୍କଟ ରୋଗରୁ ନିସ୍ତାର ପାଇବାପରେ ଆର୍ମଷ୍ଟ୍ରଙ୍ଗ୍ଙ୍କ ଏଭଳି କୃତିତ୍ୱ କୌଣସି ଚମକ୍ରାରଠୁ କମ୍ ନଥିଲା ସତକୁସତ । କିନ୍ତୁ ସେ ଯେ ସାରା ଜୀବନ ଏକ ମିଥ୍ୟା ଆଦର୍ଶ ଗଢ଼ିଚାଲିଥିଲେ ଏବଂ ଅନେକଙ୍କୁ ତାହା ଯୋଗାଉଥିଲା ପ୍ରେରଣା, ତାହା ହିଁ ଏ ଯୁଗର ସବୁଠୁ ବଡ଼ ବିଡ଼ମ୍ବନା । ‘ବେଷ୍ଟସେଲର’ ଭାବେ ସାରା ପୃଥିବୀରେ ଲକ୍ଷଲକ୍ଷ ବିକ୍ରି ହୋଇଥିବା ଆର୍ମଷ୍ଟଙ୍ଗ୍ଙ୍କ ଆତ୍ମଜୀବନୀ ପୁସ୍ତକ ‘ଇଟ୍ସ ନଟ୍ ଏବାଉଟ୍ ଦ ବାଇକ୍: ମାଇଁ ଜର୍ଣ୍ଣି ବ୍ୟାକ୍ ଟୁ ଲାଇଫ୍’ (୨୦୦୦) ଓ ‘ଏଭ୍ରି ସେକେଣ୍ଡ୍ କାଉଣ୍ଟସ’ (୨୦୦୩) କେବଳ କଳ୍ପନା ଓ ମିଥ୍ୟାରେ ଭରା ଉପନ୍ୟାସ ହିଁ ଥିଲା, ତାହା ଏବେ ବି ଆମପାଇଁ ଅବିଶ୍ୱସନୀୟ । ଓପ୍ରା ୱିନ୍ଫ୍ରେଙ୍କ ଟିଭି ଶୋ’ରେ ଯଦି ନିଜେ ଆର୍ମଷ୍ଟଙ୍ଗ ଏହି ମିଥ୍ୟାକୁ ସ୍ୱୀକାର କରିନଥାନ୍ତେ (ଯାହାକୁ ବାରମ୍ବାର ସେ ଅସ୍ୱୀକାର କରିଆସିଥିଲେ), ତେବେ ଯୁବରାଜଙ୍କ ପରି ସଭିଙ୍କ ମନ ଆକାଶରେ ସେ ଏବେ ଏକ ଧ୍ରୁବତାରା ହୋଇ ଶୋଭାପାଉଥାନ୍ତେ! ଭଲ ହେଇଚି, ତାଙ୍କୁ ଏ ପୃଥିବୀ ଧ୍ରୁବ କରିଦେବା ପୂର୍ବରୁ ହିଁ ଉଜ୍ଜ୍ୱଳତାର ଉତ୍ସ ଜଣାପଡ଼ିଛି ଓ ତାହା ଯେ ପ୍ରାକୃତିକ ନୁହେଁ ବରଂ କୃତ୍ରିମ, ତା’ ଆମ ସାମ୍ନାକୁ ଆସିଛି ।
ତେବେ କିଏ ହେବ ଧ୍ରୁବ? ଏମିତି ଏକ ଧ୍ରୁବ, ଯିଏ ଆପଣାର ଔଜ୍ୱଲ୍ୟରେ କେବଳ ଅବିରତ ଝଟକୁନଥିବ, ଅନ୍ୟକୁ ବି ଘନଘୋର ଅନ୍ଧାର ଭିତରେ ବାଟ କଢ଼ାଇନେଇପାରିବ । ପଥପ୍ରଦର୍ଶକ ହେବ ଠିକ୍ ଧୁ୍ରବତାରା ପରି । ପୃଥିବୀଠୁ ୪୩୪ ଆଲୋକବର୍ଷ ଦୂରରେ ରହି ଯିଏ ଆଖି ପାଉନଥିବା ସମୁଦ୍ର ଭିତରେ କିମ୍ବା ଦିଗନ୍ତବିସ୍ତାରୀ ମରୁଭୂମି ମଧ୍ୟରେ କିଟିକିଟି ଅନ୍ଧାରରେ ବାଟ ଦେଖାଇଦିଏ, ସେଇଟି ତ ଧ୍ରୁବତାରା । ବୈଜ୍ଞାନିକ କହୁଚନ୍ତି, ବର୍ତ୍ତମାନ ପର୍ଯ୍ୟନ୍ତ ମଣିଷଦ୍ୱାରା ଆବିଷ୍କୃତ ନକ୍ଷତ୍ର ଭିତରେ ଏହା ଏକମାତ୍ର ତାରା, ଯିଏ ମନେହୁଏ ସ୍ଥିର ଓ ଅବିଚଳ । ପୃଥିବୀର ଘୂର୍ଣ୍ଣନ ସହ ରାତି ଆକାଶରେ ପ୍ରାୟ ସବୁ ତାରକା ଧୀରେଧୀରେ ଘୂରିବା ପରି ଲାଗନ୍ତି ଏବଂ ଯଦି କେହି ଦୀର୍ଘ ସମୟ ଧରି ଏ ଦୃଶ୍ୟକୁ କ୍ୟାମେରାରେ ଧରିରଖେ, ତେବେ ଜଣାପଡ଼େ ଯେ ସବୁ ତାରକା ଧ୍ରୁବ ଚାରିପଟେ ହିଁ ଘୂରିବୁଲୁଚନ୍ତି । ଏ ତାରକାର ଉପôତ୍ତି କେମିତି? ବୈଦିକ ‘ପୁରୁଷ ସୂକ୍ତ’ ଏହାର ଉତ୍ତର ଦେଇଚି । ଧ୍ରୁବ ହେଉଛି ରାଜା ଉତ୍ତାନପାଦ (ସ୍ୱୟମ୍ଭୁ ମନୁଙ୍କ ପୁଅ)ଙ୍କ ପାଞ୍ଚବର୍ଷର ପୁତ୍ର, ଯିଏ ବିଷ୍ଣୁଙ୍କୁ କାମନାରହିତ ତପସ୍ୟା କରି ‘ଧ୍ରୁବପଦ’ ପ୍ରାପ୍ତି ହୋଇଥିଲା । ବିଷ୍ଣୁ ତାକୁ ନଭୋମଣ୍ଡଳରେ ଏଭଳି ଏକ ସ୍ଥାନ ଦେଲେ, ଯାହା ମହାପ୍ରଳୟ ବା ସୃଷ୍ଟିଧ୍ୱଂସବେଳେ ବି ରହିବ ଅସ୍ପୃଶ୍ୟ ବା ଅକ୍ଷୟ । ଇଏ ହେଇପାରେ କଳ୍ପନା କି କିମ୍ବଦନ୍ତୀ; ହେଲେ କେବଳ ତପସ୍ୟା କଲେ ଯାଇ ବା ତାରକା ହେଲେ ହିଁ ଜଣେ ଧ୍ରୁବ ହେଇପାରିବ, ସେପରି ନୁହେଁ । ଧ୍ରୁବତ୍ୱକୁ ପ୍ରାପ୍ତ ହେବାର ସବୁଠୁ ବଡ଼ ସାଧନ ହେଉଛି ସତ୍ୟନିଷ୍ଠା । ଉଚ୍ଚାରଣ ଓ ଆଚରଣ ଭିତରେ ଶତ ପ୍ରତିଶତ ସମନ୍ୱୟ ଯାହାର ଭିତ୍ତି । ଯିଏ ଏ ସତ୍ୟନିଷ୍ଠାକୁ ଆମୃତୁ୍ୟ ଶୟନେ ସ୍ୱପନେ ଜାଗରଣେ ଜୀବନର କଠିନତମ ମୁହୂର୍ତ୍ତରେ ବି ତ୍ୟାଗ କରେନାହିଁ, ସେ ହିଁ ଧ୍ରୁବ । କିନ୍ତୁ ଏହା କ’ଣ ସମ୍ଭବ?
ଅପରିମିତ ବୁଦ୍ଧିବିବେକ ଓ ଶକ୍ତିସାମର୍ଥ୍ୟର ଅଧିକାରୀ ମନୁଷ୍ୟ ପାଇଁ ଯେ କିଛି ଅସମ୍ଭବ ନାହିଁ, ତା’ର ବହୁଳ ପ୍ରମାଣ ଆମ ଆଖି ସାମ୍ନାରେ । ନିଜର ଜ୍ଞାନବିଜ୍ଞାନ ବଳରେ ସୃଷ୍ଟିର ଗହନ ରହସ୍ୟକୁ ଭେଦ କରିବା ଭଳି ତା’ର ପ୍ରଚେଷ୍ଟା ଓ ସଫଳତା ସୂଚାଇ ଦିଏ ଯେ ତା’ପାଇଁ ସବୁ ସମ୍ଭବ । ଭଲଭାବେ ଅନୁଧ୍ୟାନ କଲେ ଜାଣିହେବ ଯେ ଏସବୁ ବି ମନୁଷ୍ୟର ସତ୍ୟନିଷ୍ଠତାର ଫଳଶ୍ରୁତି । ଏହାର ସ୍ରଷ୍ଟା ନିଶ୍ଚୟ ଜଣେଜଣେ ଧ୍ରୁବ । ତେଣୁ ନିଜର ସାଥୀ ମନୁଷ୍ୟମାନଙ୍କ ପାଇଁ ଯେ ବିଭିନ୍ନ ମାର୍ଗରେ ଜଣେ ଧ୍ରୁବ ହୋଇପାରିବ, ତା’ର ପ୍ରମାଣ ଏ ପୃଥିବୀରେ କମ୍ ହେଲେ ବି ବିରଳ ନୁହଁ । ଗାନ୍ଧି ହୁଅନ୍ତୁ କି ଗୋପବନ୍ଧୁ, ଏମାନେ ଆମପାଇଁ ଜଣେଜଣେ ଧ୍ରୁବ; କାହିଁକିନା ଏମାନଙ୍କ ଆଭା ତାଙ୍କ ଅନୁପସ୍ଥିତିରେ ବି ମଣିଷକୁ ଅନ୍ଧକାର ଭିତରେ ବାଟ କଢ଼ାଇ ନେବାର ସାମର୍ଥ୍ୟ ରଖେ । ସେମାନଙ୍କ ନୈକଟ୍ୟ ଅନୁଭବ ହେଲେ ମନ ଭିତରେ ନୂତନ ଶକ୍ତି ସଂଚାର ହୁଏ । ହେଲେ ନିଜକୁନିଜେ ଯିଏ ଧ୍ରୁବ ଘୋଷଣା କରେ, ସେ କେବେହେଲେ ଧ୍ରୁବ ନୁହେଁ । ଅନ୍ୟମାନେ ବି ଆପଣାର ନ୍ୟସ୍ତସ୍ୱାର୍ଥ ପୂରଣ ପାଇଁ କିଛି ଲୋକଙ୍କୁ ଧ୍ରୁବ କରିଦେବାରେ ତପôର । ସେମାନେ ବି ଧ୍ରୁବ ନୁହନ୍ତି । ଷ୍ଟାର୍, ସୁପର୍ଷ୍ଟାର୍, ରକ୍ଷ୍ଟାର୍ ଭଳି ତାରକାଚିହ୍ନିତ ବ୍ୟକ୍ତିମାନେ ଆଜିକାଲି ବହୁତଙ୍କ ଆଦର୍ଶ ପ୍ରତିମା । ବିଶେଷକରି କ୍ରୀଡ଼ା ଓ ମନୋରଞ୍ଜନ ସହିତ ସଂଶ୍ଳିଷ୍ଟ ଖେଳାଳି ଓ କଳାକାର ଆଜି ଭାରତୀୟ ଯୁବପିଢ଼ିର ‘ଧ୍ରୁବ’ । ଅମିତାଭ, ସଲମାନ, ଅମୀର; ସଚିନ, ଧୋନି, ସାନିଆ- ଏମିତି ଅନେକ । ଏମାନେ କେବଳ ସେଲିବ୍ରିଟି ନୁହନ୍ତି, ଅମିତାଭ ଓ ସଚିନଙ୍କ ପରି କିଛି ଭାଗ୍ୟବାନ ସାଧାରଣ ଜନଙ୍କ ଆଖିରେ ହେଇସାରିଛନ୍ତି ‘ଭଗବାନ’ । ‘ଧ୍ରୁବ’ଠୁ ବି ଅଧିକ ଶକ୍ତିଶାଳୀ, ଅଧିକ ମହାନ । ଭାରତ ହିଁ ବୋଧହୁଏ ଏଭଳି ଏକ ଦେଶ, ଯେଉଁଠି ମଣିଷକୁ ଖୁବ୍ସହଜରେ କରିଦିଆଯାଏ ମହାପୁରୁଷ କି ଭଗବାନ । ବଞ୍ଚିଥିବାବେଳେ ବି ସେମାନଙ୍କୁ ମୂର୍ତ୍ତି କରିଦେଇ କରାଯାଏ ପୂଜାର୍ଚ୍ଚନା । ଜୀବିତାବସ୍ଥାରେ କେତେକ ଲୋକ ଗାନ୍ଧିଙ୍କୁ ବି ଭଗବାନ କରିବାକୁ ଛାଡ଼ିନଥିଲେ । ଥରେ ସେ ରାସ୍ତାକଡ଼ରେ ଦେଖିଲେ ଯେ ତାଙ୍କ ମୂର୍ତ୍ତି ତିଆରି କରି ପୂଜା ହେଉଛି । ଗାନ୍ଧି ସେଠାକୁ ଯାଇ କହିଲେ, ‘ତୁମେମାନେ ମୋତେ ପୂଜା କରି ଦୟାକରି ଆଉ ଅପମାନିତ କରନାହିଁ । ମୋତେ ମଣିଷ ହୋଇ ରହିବାକୁ ଦିଅ । ଏ ମୁର୍ଖତା ନଛାଡ଼ିବା ଯାଏଁ ଆମର ଉନ୍ନତି ଅସମ୍ଭବ’ । ଏ ଘଟଣାର ବହୁ ଦଶନ୍ଧି ବିତିବା ପରେ ବି ଆମର ସେହି ମୁର୍ଖତା କମିଛି ବୋଲି କହିହେବ ନାହିଁ, ବରଂ ବଢ଼ିଚି । ଏବେ ତ ଯୁବପିଢ଼ି ଆଖିରେ ଅଶ୍ଳୀଳ ସିନେମାର ନାୟିକା ସନି ଲିଓନ ଭାରତର ସବୁଠୁ ଲୋକପ୍ରିୟ ସେଲିବ୍ରିଟି! ସେ ବି ଅନେକଙ୍କ ପାଇଁ ପ୍ରେରଣା । ଦିନେ କେବେ ତାଙ୍କୁ ବି ଦେବୀ ରୂପରେ ପୂଜା କରାନଯିବ, ତାହା କହିହେବ ନାହିଁ! ସେଲିବ୍ରିଟିର ଅର୍ଥ ନାୟକତ୍ୱ ନୁହେଁ ବା ଧ୍ରୁବତ୍ୱ ନୁହେଁ । ପ୍ରତିଭା ଥାଉ ବା ନଥାଉ, ନିଜକୁ କଳେବଳେକୌଶଳେ ତାକୁ ବିକିଭାଙ୍ଗି ଖ୍ୟାତି-ସମ୍ପତ୍ତି ସୃଷ୍ଟି କରିପାରୁଥିବା ଚାଲାକ ମଣିଷଟି ହେଉଚି ‘ସେଲିବ୍ରିଟି’ । ଏ କାମଟିକୁ ଯିଏ ଯେତେ ଦକ୍ଷତାର ସହ କରିପାରିଲା, ସେ ସେତେବଡ଼ ସେଲିବ୍ରିଟି । ତା’ ନହୋଇଥିଲେ ସିନେମା ଶିଳ୍ପରେ ‘ଶତାବ୍ଦୀର ମହାନାୟକ’ ହେବାପରେ ବି ବଚ୍ଚନ ମହାଶୟ ଜମି ଖଣ୍ଡେ ପାଇବାର ଲୋଭରେ ନିଜକୁ ଚାଷୀ ବୋଲି ଦର୍ଶାଇନଥାନ୍ତେ କି ରାଜୀବ ଗାନ୍ଧୀଙ୍କଠୁ ଆରମ୍ଭ କରି ଅମର ସିଂହ, ମୁଲାୟମ, ନରେନ୍ଦ୍ର ମୋଦିଙ୍କ ପର୍ଯ୍ୟନ୍ତ ନେତାଙ୍କ ଇସାରାରେ ଥେଇଥେଇ ନାଚିନଥାନ୍ତେ । ‘କ୍ରିକେଟ୍ର ଭଗବାନ’ ବି ଶିଳ୍ପପତିଙ୍କ ପାଖରେ ନିଜକୁ ବନ୍ଧା ପକାଇନଥାନ୍ତେ କି ସନ୍ନ୍ୟାସ ନେବାପରେ ପୁଣିଥରେ ସଂସାର (କ୍ରିକେଟ)ସୁଖ ଭୋଗିବା ପାଇଁ ଆତୁର ହେଉନଥାନ୍ତେ! ବଲ୍କୁ କାଠଫାଳିଆରେ ପିଟିପିଟି ଅକୁତ ସମ୍ପତ୍ତି ଓ ଖ୍ୟାତି ଅର୍ଜନ କରିବାରେ କି ପୁରୁଷାର୍ଥ ଅଥବା ବାହାଦୁରୀ, ତାହା କ୍ରିକେଟପାଗଳ ଲୋକଙ୍କୁ ହିଁ ଜଣା । କିନ୍ତୁ ପୁତ୍ର ଅର୍ଜୁନ ଅଯୋଗ୍ୟ ଥିବାସତ୍ତ୍ୱେ ତାକୁ ମୁମ୍ବଇ ଚଉଦବର୍ଷରୁ କମ୍ ବୟସର କ୍ରିକେଟ୍ ଦଳରେ ଚୟନ କରାଯିବା ଅଭିଯୋଗ ଉପରେ ସେ କାହିଁକି ନିରବ ରହିଲେ, ତାହା ତାଙ୍କର ଭୂମିକାକୁ କରେ ସନେ୍ଦହପୂର୍ଣ୍ଣ । (କେବଳ ସଚିନଙ୍କ ଯୋଗୁଁ ହିଁ ଭୁପେନ ଲାଲୱାନି ବାଦ୍ ପଡ଼ିଥିଲା, ଯିଏ ଅପରାଜିତ କରିଥିଲା ୩୯୮ ରନ୍) । ଏହି ଅଯୋଗ୍ୟ ଅର୍ଜୁନକୁ ହିଁ ଦିନେ ଏ ଦେଶର ଲୋକେ ‘ଶ୍ରୀକୃଷ୍ଣ’ କରିଦେବେ, ତା’ର ସମ୍ଭାବନା ବି ପ୍ରବଳ । ଜନ୍ମ ନହେଉଣୁ ଯେଉଁଠି ଐଶ୍ୱର୍ଯ୍ୟା କନ୍ୟା ସେଲିବ୍ରିଟି, ସେଇଠି କିଛି ଅସମ୍ଭବ ନୁହେଁ । ଗଣର ବୋକାମିକୁ ଗଣମାଧ୍ୟମ ବି ଆପଣାର ସ୍ୱାର୍ଥରେ କିଭଳି ଉପଯୋଗ କରିଥାଏ, ତାହା ନବୁଝିବା ଯାଏଁ ମିଛ ମାହାତ୍ମ୍ୟଗୁଡ଼ାକ ମଣିଷକୁ ଏମିତି କରିଚାଲିଥିବ ପ୍ରଲୋଭିତ । ସେଲିବ୍ରିଟିମାନେ ଗୋଟିଏ ପଟେ ନିଜକୁ ‘ଭଗବାନ’ କରି ରଖିଥିବାବେଳେ ଅନ୍ୟପଟେ ଅଳତାଠୁ ଆରମ୍ଭ କରି ଅନ୍ତର୍ବସ୍ତ୍ର ଓ ସୁରାରୁ ଆରମ୍ଭ କରି ସୁରେଇ ଯାଏଁ, ସବୁ ‘ବ୍ରାଣ୍ଡ୍’ର ‘ଆମ୍ବାସାଡର୍’ ହୋଇ ଲୋକଙ୍କୁ ବନାଇ ଚାଲିଥିବେ ବୋକା । ଦିନରାତି ଖଟିଲେ ବି ଶିକ୍ଷକ, ଡାକ୍ତର, ପୁଲିସ କେବେ ବି ବୋଲାଇବେନି ସମାଜସେବୀ; ଅଥଚ ‘ସତ୍ୟମେବଜୟତେ’ ନାଁରେ ଅମୀର ଖାଁ ଖାଲି ଟିଭିପର୍ଦ୍ଧାରେ ସମାଜସେବା କରି ରାତାରାତି ପାଲଟିଯିବେ ‘ସମାଜସେବୀ’ । ଅମ୍ବାନୀମାନେ ବାଣିଜ୍ୟକୁ ସମାଜସେବାବୋଲି ଦେଖାଉଥିବାବେଳେ ‘ପର୍ଫେକ୍ସନିଷ୍ଟ’ ଅମୀରମାନେ ଅତି ଚତୁରତା ଓ ନିଖୁଣତାର ସହ ସମାଜସେବାକୁ ବାଣିଜ୍ୟରେ ପରିଣତ କରି ହେଉଥିବେ ‘ପୂଜନୀୟ’ । ଏକଦା କାର୍ଲ ମାର୍କ୍ସ ଏହାର ନାଁ ରଖିଥିଲେ ‘କଲ୍ଟ ଅଫ୍ ଦ ଇଣ୍ଡିଭିଜୁଆଲ’ (ଏବେ କୁହାଯାଉଛି ‘କଲ୍ଟ ଅଫ୍ ପର୍ସନାଲିଟି) । ଆଗରୁ ରାଜାରାଣୀ ଓ ସମ୍ରାଟସାମ୍ରାଜ୍ଞୀମାନେ ନିଜକୁ ଈଶ୍ୱରତୁଲ୍ୟ ଉପସ୍ଥାପିତ କରୁଥିଲେ କେବଳ ପ୍ରଜାଙ୍କୁ ଆଜ୍ଞାବହ କରି ରଖିବେ ବୋଲି ଚିରକାଳ । ଆଜି ଆମର ‘ପୂଜ୍ୟ’ ଓ ‘ପୂଜନୀୟ’ମାନେ ଲୋକଙ୍କୁ ଅଜ୍ଞ କରି ରଖି ନିଜେ ସବୁ ସୁଖସୁବିଧା ଭୋଗିବାକୁ ତପôର । ମାର୍କ୍ସ ଏ ଅନ୍ଧ ପୂଜ୍ୟପୂଜା ଭିତରୁ ବାହାରି ଆସିବାକୁ ଯେଉଁ ଡାକରା ଦେଇଥିଲେ, ଏବେ ବି ତାହା ଗ୍ରହଣୀୟ । ମିଛ ମାହାତ୍ମ୍ୟକୁ ଆଡ଼େଇ ସତ ମହାତ୍ମା ଅର୍ଥାତ ‘ଧ୍ରୁବ’କୁ ଚିହ୍ନିବା ଆଜିର ସବୁଠୁ ବଡ଼ ଆହ୍ୱାନ । କାରଣ କେବଳ ଲାନ୍ସ ଆର୍ମଷ୍ଟ୍ରଙ୍ଗ୍ଙ୍କ ପରି ଦୁର୍ବଳ ଲୋକ ନୁହନ୍ତି, ବହୁ ସମର୍ଥ ଓ ସୁଖ୍ୟାତମାନେ ବି ନିଜକୁ ମହାନତମ କରିବାର ଲୋଭରେ ଆତ୍ମଜୀବନୀ ଲେଖି ପରଷିଛନ୍ତି ତୁଚ୍ଛା ଆତ୍ମପ୍ରଖ୍ୟାପନର ଗୁଡ଼ାଏ ମିଥ୍ୟା କାହାଣୀ; ପାଠକକୁ କରିଛନ୍ତି ଅନ୍ଧ । ଦୁର୍ଭାଗ୍ୟକୁ ଓଡ଼ିଶାରେ ବି କମ୍ ନାହିଁ ଏହାର ଉଦାହରଣ । ପଦ୍ମଶ୍ରୀ ସଚି ରାଉତରାୟଙ୍କ ପରି ଆମ କାବ୍ୟଜଗତର ମଉଡ଼ମଣି ମଧ୍ୟ ଏଭଳି ଲୋଭ ସମ୍ବରଣ କରିପାରିନାହାନ୍ତି ଓ ବହୁ କାଳ୍ପନିକ କଥା ଲେଖି ନିଜ ‘ଉତ୍ତରକକ୍ଷ’କୁ ଛନ୍ଦି ପକାଇଚନ୍ତି ପ୍ରଶ୍ନଜାଲରେ (ବିଶିଷ୍ଟ ପ୍ରାବନ୍ଧିକ ଓ ଚିନ୍ତକ ରବୀନ୍ଦ୍ରପ୍ରସାଦ ପଣ୍ଡା ଏହାକୁ ସପ୍ରମାଣ ଦର୍ଶାଇଛନ୍ତି ତାଙ୍କ ‘ବାବୁବୃତ୍ତାନ୍ତ’ ରଚନାରେ; ଦ୍ରଷ୍ଟବ୍ୟ: ମଧ୍ୟବିତ୍ତର ଆତ୍ମବିଚାର, ପୃ: ୪୦୨-୪୧୦) ।
ଅତଏବ ଅସଲ ‘ଧ୍ରୁବ’ ଖୋଜିବା ଓ ପାଇବା ଅନେକ ସମୟରେ କେବଳ ଏକ ପ୍ରତାରଣା । ଯାହା ନଦେଖିବୁ ବେନି ନୟନେ, ପରତେ ନଯିବୁ ଗୁରୁ ବଚନେ । ନିଜ ଭିତରେ ଥିବା ଅସଲ ଧ୍ରୁବକୁ ନଖୋଜିବା ଓ ନପାଇବା ପର୍ଯ୍ୟନ୍ତ ମନୁଷ୍ୟ ବାହାରେ ‘ଧ୍ରୁବ’ଟିକୁ ଖୋଜିବୁଲୁଥାଏ । ଏହା ହିଁ ବଡ଼ ବିଡ଼ମ୍ବନା । ଯିଏ ନିଜ ଭିତରର ଧ୍ରୁବଟିକୁ ଠାବ କରିପକାଏ, ସେ ନିଜେ ପାଲଟିଯାଏ ଧ୍ରୁବ । ସତସତିକା ଧ୍ରୁବ ।
ଏହି ବ୍ଲଗର ସମସ୍ତ ସାମଗ୍ରୀ ଲେଖକଙ୍କ ସର୍ବସ୍ବତ୍ତ୍ବ ସଂରକ୍ଷିତ. Powered by Blogger.
ଅତ୍ୟନ୍ତ ପ୍ରାସଙ୍ଗିକ "କିଏ ହେବ ଧ୍ରୁବ"ଟି ଧ୍ରୁବ ସତ୍ୟ ର ପରିପ୍ରକାଶ
ReplyDeleteରଞ୍ଜନ ପଣ୍ଡା