ବାଧିଲା ଜାଣି କ୍ଷମା

Leave a Comment
ଲେଖକ ପେରୁମଲ ମୁରୁଗନ ମରିଗଲା । ସେ ଭଗବାନ ନୁହେଁ, ତେଣୁ ନିଜକୁ ପୁନରୁଜ୍ଜୀବିତ କରିପାରିବ ନାହିଁ । ସେ ନୂତନ ଅବତାରରେ ମଧ୍ୟ ବିଶ୍ୱାସ କରେନାହିଁ । ବର୍ତ୍ତମାନଠାରୁ ପେରୁମଲ ମୁରୁଗନ କେବଳ ଜଣେ ଶିକ୍ଷକ ଭାବେ ବଞ୍ଚିରହିବ । ତାକୁ ଏଥର ଏକାକୀ ରହିବାକୁ ଦିଅ ।
ପେରୁମଲ ମୁରୁଗନ ଓ ଇଂରାଜୀରେ ଅନୁଦିତ ପୁସ୍ତକ (ସୌଜନୟ: ନୀତି ସେଣ୍ଟ୍ରାଲ)

ଦୀର୍ଘ ପଚିଶ ବର୍ଷ ଧରି ଲେଖିଆସୁଥିବା ତାମିଲ ଲେଖକ ପେରୁମଲଙ୍କ ପକ୍ଷରୁ ଶିକ୍ଷକ ପେରୁମଲ ଯେତେବେଳେ ସର୍ବସାଧାରଣରେ କଲେ ଏ ଅସହାୟ ଉଦ୍‍ଘୋଷଣା, ନାଟକୀୟ ହେଲେ ବି ତାହା ନୁହେଁ କମ୍‍ ମର୍ମନ୍ତୁଦ । ଲେଖକଟିଏ ଯେତେବେଳେ ନିଜେ କରେ ନିଜର ମୃତୁ୍ୟ ଘୋଷଣା, ସେତେବେଳେ କେବଳ ସୃଜନାତ୍ମକ ସ୍ୱତନ୍ତ୍ରତା କି ଅଭିବ୍ୟକ୍ତିର ସ୍ୱାଧୀନତା ବିଷୟରେ ଉଠେନି ପ୍ରଶ୍ନ, ବରଂ କାଠଗଡ଼ାରେ ଠିଆ ହୁଏ ଆମ ସମାଜ/ଆଇନକାନୁନ/ଶାସନପ୍ରଶାସନ । ଦଳେ ଧର୍ମାନ୍ଧ/ନିର୍ବୋଧ/ଜାତିବାଦୀ ଲୋକ, ଯେଉଁମାନେ ପେରୁମଲଙ୍କ ବହି ବି ବୋଧହୁଏ ପଢ଼ିନଥିବେ, ତାଙ୍କୁ ବାରମ୍ବାର ଦେଇଚନ୍ତି ଧମକ; ଶୁଣାଇଚନ୍ତି ନିର୍ବାସନର ଦଣ୍ଡ; ପୋଡ଼ିଦେଇଚନ୍ତି ତାଙ୍କ ପ୍ରିୟ ପୁସ୍ତକ । ଅଥଚ ସେମିତି କିଛି ଅଭିଲା କଥା ଲେଖିନାହାନ୍ତି ଲେଖକ, ଯାହାକୁ ନେଇ ସୃଷ୍ଟି କରାଯାଇଚି ମହାଭାରତ । ଚାରିବର୍ଷ ତଳେ (୨୦୧୦) ପ୍ରଥମେ ତାମିଲ ଭାଷାରେ ପ୍ରକାଶ ପାଇଥିଲା ପେରୁମଲଙ୍କ ପଞ୍ଚମ ଉପନ୍ୟାସ ‘ମଧୋରୁବଗନ’ (ଅର୍ଦ୍ଧନାରୀଶ୍ୱରର
ତାମିଲ ସାହିତ୍ୟର ଶିକ୍ଷକ ପେରୁମଲ କେବଳ ଜଣେ ସାଧାରଣ ଗାଳ୍ପିକ କି ଔପନ୍ୟାସିକ ନୁହନ୍ତି; ତାହା ପ୍ରଥମରୁ ହିଁ ପଡ଼ିଚି ଜଣା । ପ୍ରଥମ ଉପନ୍ୟାସ ‘ଏରୁଭେୟିଲ’ (ବର୍ଦ୍ଧିଷ୍ଣୁ ଉତ୍ତାପ) ପ୍ରକାଶ ପାଇବା ପରେ ବି ହୋଇଥିଲା ରାଜନୈତିକ ଦଳ ପ୍ରରୋଚିତ ବିରୋଧ, ଯେଉଁଥିପାଇଁ ତାଙ୍କୁ ଦୁଇବର୍ଷ କାଳ ଅନେକ ସମୟରେ ଘରଛାଡ଼ି ଭୋଗିବାକୁ ପଡ଼ିଚି ନିର୍ବାସନ । ୨୦୧୪ରେ ପ୍ରକାଶ ପାଇଲା ଆଉ ଏକ ଉପନ୍ୟାସ ‘ପୂକୁଲି’, ଯାହାକୁ ସେ କରିଚନ୍ତି ଉତ୍ସର୍ଗ ଜଣେ ନିର୍ଯାତିତ ଦଳିତ ଯୁବକକୁ, ଯାହାର ନାଁ ଇଲାଭରସନ । ଉଚ୍ଚବର୍ଗର ଜଣେ ଝିଅକୁ ପ୍ରେମବିବାହ କଲା ବୋଲି ସେହି ସମ୍ପ୍ରଦାୟର ଲୋକେ ଉଭୟଙ୍କୁ କରିଥିଲେ ବେଶ୍‍ ହଟହଟା; ଶେଷରେ ରେଳଲାଇନ କଡ଼ରୁ ମିଳିଥିଲା ଇଲାଭରସନର ମୃତଦେହ । ‘ଉତ୍ସର୍ଗ’ ଦେଖିବା ପରେ ‘ପୂକୁଲି’ କିଣିବାକୁ ମନାକରିଥିଲେ ‘ଜାତିପ୍ରେମୀ’ ପାଠକ । କେବେ ହାରିଯାଇନଥିଲେ ବି ପେରୁମଲ ଏଥରର ଅପମାନ ବୋଧେ ସହିପାରିନାହାନ୍ତି ଓ ନେଇଚନ୍ତି ଏମିତି ଏକ ଭୁଲ୍‍ ନିଷ୍ପତ୍ତି । ଭୁଲ୍‍ ଏଇଥିପାଇଁ ଯେ ଏଭଳି ଭାବପ୍ରବଣ ଘୋଷଣା ସେଇମାନଙ୍କୁ ଦୁଃଖିତ କରିବା ବଦଳରେ ଖୁସି ହିଁ ଦେବ, ଯେଉଁମାନେ ଚାହାନ୍ତି ଯେ ସମାଜର ସମସ୍ତେ ସେମାନଙ୍କ ପରି ହୁଅନ୍ତୁ ଅନ୍ଧ-ମୁକ-ବଧିର; ସଭିଏଁ ହୁଅନ୍ତୁ ଚିନ୍ତାହୀନ/ବିଚାରଶୂନ୍ୟ ।
ପୁରାତନ ତାମିଲ ଶବ୍ଦ) ଓ ପାଠକ-ସମାଲୋଚକଙ୍କଠୁ ଗୋଟାଇଥିଲା ଅଜସ୍ର ପ୍ରଶଂସା । ସେତେବେଳେ ତାହା ତଥାକଥିତ ‘ନାରୀବିରୋଧୀ’, ‘ସଂସ୍କୃତିବିରୋଧୀ’ ଲାଗିନଥିଲା କାହାକୁ; ଅଥଚ ବିଡ଼ମ୍ବନା, ଇଂରେଜୀ ଅନୁବାଦ ‘ୱାନ ପାର୍ଟ ୱିମେନ’ (ପ୍ରକାଶକ: ପେଙ୍ଗୁଇନ) ବଜାରକୁ ଆସିଲା ୨୦୧୪ରେ ଓ ୨୦୧୫ରେ ଆରମ୍ଭ ହୋଇଗଲା ପ୍ରତିବାଦର ପ୍ରହସନ (ଇଏ ହେଇପାରେ ଇଂରେଜୀପଢ଼ୁଆଙ୍କ ଦୁର୍ବୁଦ୍ଧିର ଦାନ) । ଯାହାକୁ ନେଇ ବିବାଦ, ଲେଖକ ପୁସ୍ତକର ପାଦଟୀକାରେ ସ୍ପଷ୍ଟ କରିଚନ୍ତି ସେଇ ବିଷୟ ଯେ, ତାହା ନିଃସନ୍ତାନ ଦମ୍ପତିଙ୍କ ପାଇଁ ଏକ ଧାର୍ମିକ-ସମାଜସ୍ୱୀକୃତ ପୁରାତନ ଗର୍ଭଧାରଣ ପ୍ରଥା, ଯାହା ମନ୍ଦିରମାଳିନୀ ସହର ତିରୁଚେଙ୍ଗୋଡ଼େ (ଲେଖକଙ୍କ ନିଜର ଭିଟାମାଟି)ର ବିଖ୍ୟାତ ଅର୍ଦ୍ଧନାରୀଶ୍ୱର (ଶିବ) ମନ୍ଦିରରେ ପ୍ରତିବର୍ଷ ‘ବୈକାଶି ବିସକମ୍‍’ ରଥଯାତ୍ରାବେଳେ ହେଇଥାଏ ଅନୁଷ୍ଠିତ; ନିଃସନ୍ତାନ ମହିଳା ସନ୍ତାନ ଲାଭ ଉଦେ୍ଧଶ୍ୟରେ ସେଠାକୁ ଯାଇ ଅନ୍ୟ ପୁରୁଷ ସହ କରିଥାନ୍ତି ‘ସମ୍ମତି-ସଙ୍ଗମ’ ଓ ପରେ ସେଥିରୁ ଉପôନ୍ନ ସନ୍ତାନକୁ କୁହାଯାଏ ‘ଈଶ୍ୱରଦତ୍ତ ଶିଶୁ’ (ତାମିଲ ଭାଷାରେ ସାମି ପିଲ୍ଲାଇ) । ଏବେ ଏ ପ୍ରଥା ଅବଶ୍ୟ ହେଉନି ଅନୁସୃତ; କିନ୍ତୁ ଏହାକୁ ନେଇ ରହିଚି ବହୁ ଲୋକକଥା/ଗବେଷଣାତ୍ମକ ଆଖ୍ୟାନ । ପୁଣି ଶହେବର୍ଷ ତଳର ଏକ ନିଃସନ୍ତାନ ଦମ୍ପତିର ବ୍ୟଥା, ଲୋକଗଞ୍ଜଣା, ପ୍ରତାଡ଼ନାର କାଳ୍ପନିକ କରୁଣ କାହାଣୀ ମୁଖ୍ୟତଃ ‘ମଧୋରୁବଗନ’ ଉପନ୍ୟାସର ବିଷୟବସ୍ତୁ, ଯାହା ଆଜି ବି ବହୁ ଦୃଷ୍ଟିରୁ ମନେହୁଏ ଖୁବ୍‍ ପ୍ରାସଙ୍ଗିକ; ଅଥଚ ନ୍ୟସ୍ତସ୍ୱାର୍ଥଙ୍କ ଦୃଷ୍ଟିରେ ସେଇଟା ନିଜ ଅଞ୍ଚଳକୁ ନିନ୍ଦିତ କରିବାର ତୁଚ୍ଛା ପ୍ରଖ୍ୟାପକ । ୟା’ର କାରଣ ଅବଶ୍ୟ ନୁହେଁ ଦୁର୍ବୋଧ୍ୟ କି ଅସ୍ପଷ୍ଟ । ନାରୀର ସବୁକିଛି ଯେ ପୁରୁଷର ନିୟନ୍ତ୍ରଣାଧୀନ ହୋଇ ରହିଛି ଓ ସବୁଦିନ ରହିଥିବ, ଏଭଳି ମଧ୍ୟଯୁଗୀୟ ମାନସିକତା ଏବେ ବି କ’ଣ ଗଲାଣି ପୁୁରୁଷ ମନରୁ! ନାରୀର ଯୌନତାକୁ ନେଇ ରକ୍ଷଣଶୀଳତା ତ ପୁରୁଷର ସତେଯେମିତି ସହଜାତ! ଅତଏବ କେମିତି ସହିଥାନ୍ତେ ଦଳେ ରକ୍ଷଣଶୀଳ ଲୋକ ପେରୁମଲଙ୍କ ନାରୀ ସ୍ୱାଧୀନତାର ଉନ୍ମୁକ୍ତ ବିବୃତ!

କେବଳ ପେରୁମଲ ନୁହନ୍ତି, ଯୁଗେଯୁଗେ ଅକୁହା ସତ୍ୟର ପ୍ରଖ୍ୟାପନ ପାଇଁ ଲେଖକ/କଳାକାର/ଶିଳ୍ପୀ ହୋଇଆସିଛନ୍ତି ପ୍ରତାଡ଼ିତ/ନିର୍ଯାତିତ, ଯାହାର ଉଦାହରଣ ଖୋଜିଲେ ମିଳିବ ଢେର୍‍; ଆଗର ଓ ଏବର । ନିକଟ ଅତୀତରେ ତୁର୍କୀର ନୋବେଲ ପୁରସ୍କୃତ ଲେଖକ ଓରହାନ ପାମୁକଙ୍କୁ ବି ଏକଦା ନିଜର ଲେଖାପାଇଁ ଯିବାକୁ ପଡ଼ିଥିଲା କାରାକକ୍ଷ; ଅଥଚ ସେମିତି ଏକ ଅଦାଲତ ହିଁ ତାଙ୍କୁ କହିଥିଲା ଯେ ‘ପାମୁକ ସାହେବ, ଭୁଲ ହେଇଗଲା; ଯେତେ ଲେଖିବ ଲେଖ’! ନିକଟରେ ସାଉଦି ଆରବର ଜଣେ ଯୁବକ (ରାୟଫ୍‍ ବଦାୱି) ବ୍ଲଗରେ କିଛି ଲେଖିଦେଇଥିଲା ବୋଲି ଦଣ୍ଡ ଶୁଣାଇଦିଆଗଲା ଦଶବର୍ଷ ଜେଲ୍‍ ଓ ହଜାରେ ଚାବୁକ ମାଡ଼! ତା’ ପିଠିରେ ପଚାଶ ସରିକି ଚାବୁକ  ବସିସାରିଥିଲେ ବି ସେ ଉଁ କି ଚୁଁ କହିଲାନି କିଛି, ବରଂ ତୟାର୍‍ ଅଛି ଆହୁରି ଖାଇବାକୁ ୯୫୦ ଚାବୁକ୍‍ । ମନେପଡୁଚିÿ ଊର୍ଦ୍ଧୁ ଲେଖକ ସଆଦତ୍‍ ହସନ ମଣ୍ଟୋଙ୍କ କଥା, ଯାହାଙ୍କ ନାଁରେ ଅଶ୍ଳୀଳ କାହାଣୀ ଲେଖୁଥିବା ଅଭିଯୋଗରେ କରାଯାଇଥିଲା ପାଞ୍ଚଟି ମୋକଦ୍ଧମା; ଅଥଚ ପ୍ରତିଥର ବିଚାରପତି ମୋକଦ୍ଧମାକାରୀଙ୍କୁ ପଚାରୁଥିଲେ ଗୋଟିଏ ପ୍ରଶ୍ନ: ଏ ଉଲଙ୍ଗପଣ କ’ଣ? କାହିଁକିନା ଯାହା ମୋ ଦୃଷ୍ଟିରେ ନଗ୍ନ, ଆପଣଙ୍କ ଦୃଷ୍ଟିରେ ତାହା ନ ହୋଇଥାଇପାରେ ନଗ୍ନ! ପାମୁକଙ୍କ ପରି ଜେଲକୁ ଯିବାରୁ ବର୍ତ୍ତିଯାଇଥିଲେ ମଣ୍ଟୋ; କିନ୍ତୁ କିଛି ନବୁଝିଶୁଝି ନଗ୍ନ ସିନେମା ତିଆରିଚ କହି ଏକବିଂଶ ଶତାବ୍ଦୀରେ ବି ପିକେ ସିନେମାର ପୋଷ୍ଟର ଫାଡ଼ିଥିଲେ କି କମ୍‍ ଲୋକ? ଧର୍ମାନ୍ଧତାକୁ କଟାକ୍ଷ କରିଥିବା ଏହି ସିନେମା ବିରୋଧରେ ବି ଚାଲିଚି ମୋକଦ୍ଧମା । ଏମ୍‍ଏଫ୍‍ ହୁସେନ, ସଲମାନ ରୁଶଦି, ତସଲିମା ନସରିନଙ୍କଠୁ ଆରମ୍ଭ କରି ବଲାଙ୍ଗିରର ଦାଦନ କାହାଣୀ ଲେଖି ଚର୍ଚ୍ଚିତ ହୋଇଥିବା କ୍ଷେତ୍ରବାସୀଙ୍କ ପର୍ଯ୍ୟନ୍ତ ସଭିଏଁ ସମାଜ ଓ ଶାସକ/ପ୍ରଶାସକ ଦ୍ୱାରା ବି ପାଇନାହାନ୍ତି କମ୍‍ ଯାତନା/ନିର୍ଯାତନା? ଜୀବନସାରା ଅନ୍ଧବିଶ୍ୱାସ ବିରୋଧରେ ଲଢ଼ିଆସିଥିବା ନରେନ୍ଦ୍ର ଦାଭୋଲକରଙ୍କୁ ଅନ୍ଧବିଶ୍ୱାସୀମାନେ କରିଚନ୍ତି ହତ୍ୟା; ଅନ୍ଧବିଶ୍ୱାସକୁ ଆଙ୍ଗୁଠି ଗେଞ୍ଜି ଦେଖାଇଦେଲେ ବୋଲି ସନଲ ଏଡାମାରୁକୁଙ୍କୁ ହେବାକୁ ପଡ଼ିଚି ଲା‚ିତ; ଶେଷରେ ଭୋଗୁଚନ୍ତି ଦେଶାନ୍ତର (ଭାରତ ଛାଡ଼ି ଏବେ ତାଙ୍କୁ ବାଧ୍ୟହୋଇ ଫିନଲାଣ୍ଡରେ ରହିବାକୁ ପଡ଼ୁଚି) । ସମାଜ/ଶାସକ ସବୁବେଳେ ଦେଇଆସିଚି ସିନା ପ୍ରଗତିର ଗଗନଫଟା ସ୍ଲୋଗାନ; କିନ୍ତୁ ପ୍ରଗତିଶୀଳତା ଓ ପ୍ରଗତିଶୀଳକୁ କେବେ ବି କରିପାରିନି ସହ୍ୟ; ରକ୍ଷଣଶୀଳତାକୁ ହିଁ ଦେଇଚି ସର୍ବଦା ବରାଭୟ । ଫରାସୀ ବ୍ୟଙ୍ଗ ପତ୍ରିକା ଚାର୍ଲି ହେବଦୋ ଉପରେ ମୌଳବାଦୀ ଆତଙ୍କବାଦୀଙ୍କ ଆକ୍ରମଣ ଏବଂ ପେରୁମଲଙ୍କ ପୁସ୍ତକ ପୋଡ଼ି ଓ ନିର୍ଯାତନା ପରେ ପୃଥିବୀସାରା ଉଠିଚି ଗୋଟିଏ ପ୍ରଶ୍ନ: ଅଭିବ୍ୟକ୍ତିର ସ୍ୱାଧୀନତା କାହିଁକି ଜରୁରୀ? ତେବେ ୟା’ଠୁ ବି ବଡ଼ ପ୍ରଶ୍ନ: ଅଭିବ୍ୟକ୍ତିର ସ୍ୱାଧୀନତାର କିଛି ସୀମା ଅଛି ନା ନାଇଁ?

‘ଚାର୍ଲି ହେବଦୋ’ ଆକ୍ରମଣ ନେଇ ଦେଇଥିବା ଏକ ବିବୃତିରେ ଇସାଇ ଧର୍ମଗୁରୁ ପୋପ୍‍ ଫ୍ରାନ୍ସିସ କହିଚନ୍ତି ଯେ ଅଭିବ୍ୟକ୍ତିର ସ୍ୱାଧୀନତାର ଅର୍ଥ ନୁହେଁ କାହାରି ଆସ୍ଥାକୁ ଅପମାନିତ କରିବା । ଏହାର ପ୍ରତିକ୍ରିୟାରେ କିନ୍ତୁ ବ୍ରିଟିଶ ପ୍ରଧାନମନ୍ତ୍ରୀ ଡେଭିଡ କ୍ୟାମରନଙ୍କ ଉକ୍ତି ମନେହୁଏ ଅଧିକ ପ୍ରଗତିଶୀଳ, ତେଣୁ ଚିନ୍ତନୀୟ ଓ କରଣୀୟ । ତାଙ୍କ ମତରେ: ଏକ ସ୍ୱାଧୀନ ସମାଜରେ ଜଣେ ବ୍ୟକ୍ତିକୁ ଅନ୍ୟର ଧାର୍ମିକ ଆସ୍ଥାକୁ ଆହତ କରିବାର ଅଧିକାର ରହିଚି । (ବିବିସି; ୧୮ ଜାନୁୟାରୀ ୨୦୧୫) ‘ଆସ୍ଥାକୁ ଆହତ’ ରୋକିବା ନାଁରେ ଅଣ-ୟୁରୋପୀୟ ଦେଶଗୁଡ଼ିକରେ ଏତେ ଆଇନକାନୁନ/ପ୍ରତିବନ୍ଧକ ସୃଷ୍ଟି କରାଯାଇଚି ଯେ ତା’ର ନାଇଁ କଳନା । ଆମ ତଥାକଥିତ ପ୍ରଗତିଶୀଳ ଦେଶ ଭାରତବର୍ଷରେ ବି ବହୁ ପୁସ୍ତକ, ସିନେମା, ଗୀତ, ପେଣ୍ଟିଂ, କାର୍ଟୁନରେ ଲଗାଯାଇଚି କଟକଣା । ଅଥଚ କିଏ ସ୍ଥିର କରିବ ଓ କେମିତି ଯେ ଅଭିବ୍ୟକ୍ତିର ସ୍ୱାଧୀନତାର ସୀମା କେଉଁଠି? ଜଣକର ସାଧାରଣ କୃତ୍ୟ-କଥ୍ୟ ବି ଆଉ ଜଣକୁ କରିପାରେ ଆହତ; ତା’ବୋଲି ତା’ ଉପରେ ରୋକ ଲଗାଇବା କେତେ ଉଚିତ? ଆସ୍ଥା/ବିଶ୍ୱାସ ରକ୍ଷା ନାଁରେ ଏକବିଂଶ ଶତାବ୍ଦୀରେ ବି ହଜାରେ ବର୍ଷ ତଳର ମାନ୍ୟତା ଉପରେ ପ୍ରଶ୍ନ ପଚାରିବା ଅନୁଚିତ କହିବା କେତେ ସଂଗତ? ଯଦି ଟିକିଏ ବି ଅଭିବ୍ୟକ୍ତିର ସ୍ୱାଧୀନତା ଅଛି ବୋଲି ଧରାଯାଏ, ତେବେ ଆହତ ହେବାର ଓ କରିବାର ବି କାହିଁକି ରହିବନି ଅଧିକାର? କୁହାଯାଏ ଯେ ସଭ୍ୟତାର ପ୍ରଥମ ଜନକ ସେହି ବ୍ୟକ୍ତି ହୋଇଥିବ ଯିଏ ପ୍ରଥମ ଥର ସାମାଜିକ/ଧାର୍ମିକ ମାନ୍ୟତାସବୁକୁ କରିଥିବ କଟାକ୍ଷ; ଅଥଚ ମନୁଷ୍ୟ ଯେତିକିଯେତିକି ନିଜକୁ ବୋଲାଉଚି ସଭ୍ୟ, ତା’ ଭିତରୁ ସେତିକି ଚାଲିଯାଉଚି ନୂତନକୁ ସ୍ୱୀକାର କରିବାର ସାହସ ଓ ସଦିଚ୍ଛା/ସହନଶୀଳତା/ବିଚାରବୋଧ । ଯଦି ସାମାନ୍ୟ କଥାରେ ଦଳେ ଏମିତି ଆହତ ହେଉଥିବେ, ତେବେ ଆସିବ କେମିତି ମୁକ୍ତ ବିଚାର/ନୂତନ ସୃଷ୍ଟି/ଅଭିନବ କଳ୍ପନା? ଯେଉଁମାନେ ପୃଥିବୀକୁ କିଛିଟା ସ୍ୱଚେଷ୍ଟାରେ ବଦଳାଇଚନ୍ତି, ସେମାେନ ଯେ ଅନାହତରେ ହିଁ କରିଦେଇଚନ୍ତି, ସେମିତି ନୁହେଁ । ଆହତ ହେଲେ ହିଁ ତ କିଛି ଗୋଟାଏ ବଦଳିଚି/ବଦଳେ । ରଚନା ହେଉ କି ଆଉ କିଛି, ମନମସ୍ତିଷ୍କକୁ ତାହା ଟିକିଏ ଚିମୁଟିଦେଲେ ହିଁ ତ ହୁଏ ଆନେ୍ଦାଳିତ/ଆଲୋଡ଼ି˜/ଉନ୍ମୀଳିତ ଓ ଜନ୍ମନିଏ ନୂତନ ଚିନ୍ତା/ଚେତନାର ଅମୃତ । ଯଦି ବନ୍ଦ ହେଇଯିବ ଏ ନୂତନ ଚିନ୍ତା/ଚେତନା/ବିଚାରର ପ୍ରକ୍ରିୟା ମୂଳରୁ, ତା’ହେଲେ କେମିତି ହେବ ସଭ୍ୟତାର ପ୍ରକାଶ/ବିକାଶ? ଏଇ କାରଣରୁ ପାଶ୍ଚାତ୍ୟ ସଭ୍ୟତାରେ ବ୍ୟକ୍ତିଗତ ଅଧିକାରକୁ କରିନିଆଯାଇଚି ନିରଙ୍କୁଶ/ଅସୀମିତ ଓ ସମୁଦାୟର ଅଧିକାରକୁ ସୀମିତ; ଅଥଚ ଭାରତବର୍ଷରେ ତା’ର ଓଲଟା; ଅର୍ଥାତ ଏଠି ବ୍ୟକ୍ତିଗତ ଅଧିକାର ସମ୍ପୂର୍ଣ୍ଣ ଉପେକ୍ଷିତ ଓ ସମୁଦାୟକୁ ମିଳିଚି ସତେଯେମିତି ସଂପୂର୍ଣ୍ଣ ଅଧିକାର, ତାହା ହେଉପଛେ ଯେତେ ଅନ୍ୟାୟ-ଅନୀତି-ଶୋଷଣଯୁକ୍ତ/କଳୁଷିତ । ଏଇ କାରଣରୁ ହିଁ ଏକବିଂଶ ଶତାବ୍ଦୀରେ ବି ପେରୁମଲଙ୍କ ଭଳି ସ୍ୱାଭିମାନୀ ଲେଖକଟିଏ କେବଳ ନିଜର ମୃତୁ୍ୟକାମନା ଛଡ଼ା ଆଉକିଛି ଆଣିପାରେନି ମନକୁ । ଅଥଚ ୧୯୩୩ ମସିହାରେ ଜର୍ମାନୀରେ ନାଜିମାନେ ଯେତେବେଳେ ଦେଶସାରା ଆରମ୍ଭ କଲେ ବହିପୋଡ଼ା ପର୍ବ ଓ ଜାଳିଦେଲେ ଲକ୍ଷଲକ୍ଷ ପୁସ୍ତକ, ସେତେବେଳେ ନାଟ୍ୟକାର ଓ କବି ବରତୋଲ୍ଟ ବ୍ରେଖ୍‍ଟ (୧୮୯୮-୧୯୫୬) ନିଜର ମୃତୁ୍ୟକାମନା କରିବା ବଦଳରେ ଭୀରୁମଣିଷମାନଙ୍କୁ ଦେଇଥିଲେ ଚେତାବନୀ/କଡ଼ା ଆହ୍ୱାନ:

ମତେ ଦେଖାଅନି ଆଉ ଏମିତି ବେଭାର
ବାହାରେ ମତେ ଦିଅନି ଛାଡ଼ି
ମୁଁ କ’ଣ ମୋ ବହିରେ ଲେଖିନି ସର୍ବଦା ସତ୍ୟ?
ଏବଂ ବର୍ତ୍ତମାନ ତୁମେ ମତେ ମିଛୁଆ ପରିକା କରୁଚ ବେଭାର!
ମୁଁ ଆଦେଶ ଦଉଚି: ମତେ ଦିଅ ଜାଳିପୋଡ଼ି!
(ଟୁ ପୋଷ୍ଟରିଟି; ଇଂରାଜୀ ଅନୁବାଦ: ଏଚ୍‍.ଆର୍‍. ହେଜ୍‍)

ଯେଉଁମାନଙ୍କୁ ଲେଖା/ଚିତ୍ର/ସିନେମା ଆହତ କରୁଚି/ମନକୁ ବାଧୁଚି, ବହି ପୋଡ଼ିବା/ ପୋଷ୍ଟର୍‍ ଚିରିବା/ ଗିରଫ ଓ ହତ୍ୟା ଧମକ ଦେବା ବଦଳରେ ସେମାନେ ନିଜେ କାହିଁକି ଲେଖୁନାହାନ୍ତି/ ଲେଖାଉନାହାନ୍ତି, ଚିତ୍ର କରୁନାହାନ୍ତି/କରାଉନାହାନ୍ତି, ସିନେମା ବନାଉନାହାନ୍ତି ଠିକ୍‍ ‘ପିକେ’ ବନାମ ‘ମେସେଞ୍ଜର ଅଫ୍‍ ଗଡ଼’ (ଏମ୍‍ଏସ୍‍ଜି) ପରିକା ଯଦି ଦମ୍ଭ ଅଛି! ଅବଶ୍ୟ ଆମେ ତ କହିବୁ କବିସୂର୍ଯ୍ୟ ବଳଦେବ ରଥଙ୍କ ପଦରୁ ଧାଡ଼ିଏ ଉଧାର ନେଇ: ବାଧିଲା ଜାଣି କ୍ଷମା କର ନୋହିଲେ...ଦଣ୍ଡେ ଦିଅ ଟାଳି ।
  • "ସମାଜ"ରେ ୨୫.୧.୨୦୧୫ ରେ ପ୍ରକାଶିତ
Next PostNewer Post Previous PostOlder Post Home

0 comments:

Post a Comment

ଏହି ବ୍ଲଗର ସମସ୍ତ ସାମଗ୍ରୀ ଲେଖକଙ୍କ ସର୍ବସ୍ବତ୍ତ୍ବ ସଂରକ୍ଷିତ. Powered by Blogger.