![]() |
ଚୀନର ଜାତୀୟ ଗଣମାଧ୍ୟମ ଦପ୍ତରରେ ରାଷ୍ଟ୍ରପତି ସି ଜିନପିଙ୍ଗ୍ |
ଗତ ଫେବୃୟାରୀ (୨୦୧୬)ରେ ଜିନ୍ପିଙ୍ଗ୍ ରାଷ୍ଟ୍ର ପରିଚାଳିତ ସର୍ବବୃହତ୍ ଟିଭି ଚ୍ୟାନେଲ୍ ସିସିଟିଭି ଓ ଖବରକାଗଜ ପିପୁଲ୍ସ ଡେଲି ଦପ୍ତର ପରିଦର୍ଶନ ଅବସରରେ ସ୍ପଷ୍ଟ କରିଦେଇଥିଲେ ଯେ କେବଳ ସରକାରୀ ଗଣମାଧ୍ୟମ ନୁହେଁ, ଦେଶର ସମସ୍ତ ଗଣମାଧ୍ୟମ ‘ପାର୍ଟିର ଉପନାମ ବହନ କରିବେ’ । ଏଥିରୁ ସରକାର ଯେ ଗଣମାଧ୍ୟମର ସ୍ୱାଧୀନତାକୁ ହତ୍ୟା କରିବାକୁ ଚାହୁଁଛନ୍ତି, ତାହା ଜଣାପଡ଼ିଯାଇଥିଲା । ପରେପରେ ଠିକ୍ ସେଇଆ ହୋଇଛି । ଗତ କେଇମାସ ଭିତରେ ସିଏସି ଦ୍ୱାରା ଏ ଦିଗରେ ଅଧିକ କଠୋରତା ଅବଲମ୍ବନ ପୂର୍ବକ ସେହି ଦେଶର ପ୍ରମୁଖ ଇଣ୍ଟରନେଟ୍ କମ୍ପାନୀ ସିନା, ନେଟ୍ଇଜି, ସୋହୁ, ଟେନ୍ସେଣ୍ଟ୍ ଓ ଫିନିକ୍ସର ଅନ୍ଲାଇନ ଖବର ରିପୋର୍ଟିଂକୁ ନିଷିଦ୍ଧ କରିଛି । ଚୀନର ସର୍ବାଧିକ ବ୍ୟବହୃତ ସୋସିଆଲ୍ ନେଟ୍ୱାର୍କିଂ ସାଇଟ୍ ୱିବୋ ଓ ୱିଚାଟ୍କୁ ଚେତାବନୀ ଦିଆଯାଇଛି ଯେ ସେମାନେ ତାଙ୍କର ନିଉଜ୍ ପୋର୍ଟାଲ୍କୁ ବନ୍ଦ କରନ୍ତୁ ନହେଲେ କମ୍ପାନୀକୁ ସମ୍ପୂର୍ଣ୍ଣ ବନ୍ଦ କରାଦିଆଯିବ । ଇତିମଧ୍ୟରେ ଟ୍ୱିଟର, ଫେସ୍ବୁକ୍, ସ୍ନାପ୍ଚାଟ୍ ଭଳି ପୃଥିବୀର ବୃହତ୍ତମ ସୋସିଆଲ୍ ମିଡିଆ ସାଇଟ୍ଗୁଡ଼ିକୁ ମଧ୍ୟ ନିଷିଦ୍ଧ କରାଯାଇଛି । ଗୁଗୁଲ୍ ସମେତ ଆଉ କେତେକ ବିଦେଶୀ ୱେବ୍ସାଇଟ୍କୁ କେତେକ ସୀମିତ ଅଞ୍ଚଳରେ (ଶାଙ୍ଘାଇ ମୁକ୍ତ ବାଣିଜ୍ୟ ଅଞ୍ଚଳ) ବ୍ୟବହାର ପାଇଁ ଅନୁମତି ଦିଆଯାଇଛି । କେବଳ ଗଣମାଧ୍ୟମ ଉପରେ ଅଙ୍କୁଶ/କଟକଣା ଲଗାଯାଇ ଜିନ୍ପିଙ୍ଗ୍ ସରକାର ଶାନ୍ତ ହୋଇନାହାନ୍ତି । ବହୁ ସାମ୍ବାଦିକ/ବ୍ଲଗର୍/ମାନବାଧିକାର କର୍ମୀଙ୍କୁ ମଧ୍ୟ କାରାଗାରକୁ ପଠାଇ ଦେଇଛନ୍ତି । ନିକଟ ଅତୀତରେ ପ୍ରଖ୍ୟାତ ଆକ୍ଟିଭିଷ୍ଟ ଲିଉ ଶିଆଓବୋଙ୍କୁ ଜେଲ୍ଦଣ୍ଡ ଏହାର ଏକ ଉଦାହରଣ । ଯେଉଁ ଖବରଦାତା/ସାମ୍ବାଦିକ/ଖବରକାଗଜ/ପତ୍ରିକାମାନେ ସମ୍ବେଦନଶୀଳ ବିଷୟ ଉପରେ ଲେଖୁଥିଲେ/ଲେଖୁଛନ୍ତି, ସେମାନେ ଏବେ ଭୟଭୀତ ଅବସ୍ଥାରେ ରହିଛନ୍ତି ।
କେବଳ ସେତିକି ନୁହେଁ, କମୁ୍ୟନିଷ୍ଟ ସରକାର ଉଦାରପନ୍ଥୀ ଓ ସ୍ୱାଧୀନ ମତବ୍ୟକ୍ତ କରୁଥିବା/ଖବର ଲେଖୁଥିବା ସାମ୍ବାଦିକ/ସମ୍ବାଦ ସଂସ୍ଥାଙ୍କର ମୁହଁ ବନ୍ଦ କରିବା ପାଇଁ କେବଳ କଳବଳ ନୁହେଁ, କୌଶଳ ମଧ୍ୟ ପ୍ରୟୋଗ କରୁଚନ୍ତି । ନିଜର ସାହସୀ ସାମ୍ବାଦିକତା ପାଇଁ ଖ୍ୟାତି ଅର୍ଜିଥିବା ଏକ ଉଦାରବାଦୀ ପତ୍ରିକା ‘ସଦର୍ନ ୱିକ୍ଲି’ର ଘଟ/ପଟ ପରିବର୍ତ୍ତନ ଏହାର ବଡ଼ ପ୍ରମାଣ । ୨୦୧୩ରେ ନୂଆବର୍ଷ ଅବସରରେ ଏଥିରେ ‘ଏକ ସାମ୍ବିଧାନିକ ଜାତୀୟ ସରକାର ପ୍ରତିଷ୍ଠା ଆହ୍ୱାନ’ ବିଷୟକ ସଂପାଦକୀୟ ପ୍ରକାଶ ପାଇଁ ଯୋଜନା କରାଗଲା; କିନ୍ତୁ ଶେଷ ମୁହୂର୍ତ୍ତରେ ସେଥିରେ ସ୍ଥାନୀୟ ପ୍ରଶାସନ ହସ୍ତକ୍ଷେପ କରି ଏକ ଭିନ୍ନ ସଂପାଦକୀୟ ପ୍ରକାଶ କରିବା ପାଇଁ ବାଧ୍ୟ କଲା । ବର୍ତ୍ତମାନ ତିନିବର୍ଷ ପରେ ଦେଖାଯାଉଚି ଯେ ଏହି ପତ୍ରିକାର ମାଲିକ ‘ସଦର୍ନ ମିଡିଆ ଗ୍ରୁପ୍’ ପତ୍ରିକାର ମୁଖ୍ୟ ପଦଗୁଡ଼ିକରେ କମୁ୍ୟନିଷ୍ଟ୍ ପାର୍ଟିର ଲୋକ କିମ୍ବା ତାଙ୍କ ବଶମ୍ବଦମାନଙ୍କୁ ହିଁ ନିଯୁକ୍ତି ଦେଇଚି; ଅର୍ଥାତ ଏକଦା ସରକାର ବିରୋଧୀ ସ୍ୱର ଉତ୍ତୋଳନ କରି ଗଣମାଧ୍ୟମର ସ୍ୱାଧୀନତାକୁ ଅକ୍ଷୁଣ୍ଣ ରଖିବାର ଆଶା ସୃଷ୍ଟି କରିଥିବା ପତ୍ରିକା ଏବେ ଗୋଟାପଣେ ସରକାରର ହେଇସାରିଛି ।
ଲକ୍ଷ୍ୟଣୀୟ ଯେ କେବଳ ଚୀନରେ ଏହି ସମସ୍ୟା ନାହିଁ, ବରଂ ଆମେରିକା, ବ୍ରିଟେନ, ଭାରତ ଭଳି ଗଣତାନ୍ତ୍ରିକ ଦେଶଗୁଡ଼ିକରେ ମଧ୍ୟ ଶାସକମାନଙ୍କର ଗଣମାଧ୍ୟମକୁ ନିଜ ହାତରେ ରଖିବାର ଏପରି ପ୍ରବୃତ୍ତି ବଢ଼ିଚାଲିଚି । ଏହା କେବଳ ଗଣମାଧ୍ୟମ ନୁହେଁ, ଗଣତନ୍ତ୍ର ପାଇଁ ମଧ୍ୟ କମ୍ ବିପଜ୍ଜନକ ନୁହେଁ । ଭାରତର ତଥାକଥିତ ଜାତୀୟ/ଆଞ୍ଚଳିକ ଗଣମାଧ୍ୟମ କଥା ଯଦି ଦେଖିବା, ତେବେ ବର୍ତ୍ତମାନ ସ୍ପଷ୍ଟ ଅନୁଭବ୍ୟ ଯେ ଗଣମାଧ୍ୟମ ସଂସ୍ଥା/ବ୍ୟକ୍ତିତ୍ୱ/ସାମ୍ବାଦିକମାନେ କୌଣସି ନା କୌଣସି ନିର୍ଦିଷ୍ଟ ରାଜନୈତିକ ଦଳର ଗୋଡ଼ାଣିଆ/ପ୍ରଖ୍ୟାପକ/ବଚସ୍କର ସାଜିଚନ୍ତି; ଖବର କ୍ରମଶଃ ‘ପ୍ରୋପାଗଣ୍ଡା’ ବା ପ୍ରଜ୍ଞାପନରେ ହୋଇଚି ପରିଣତ । ରାଜନେତାଙ୍କ ସହ ସେମାନଙ୍କର ବଢ଼ୁଚି ଭାବଦୋସ୍ତି, ଯାହା ଅସ୍ପୃହଣୀୟ । ନେତୃତ୍ୱ ସହ ସାମ୍ବାଦିକତା/ସମ୍ବାଦ ସଂସ୍ଥାର ବନ୍ଧୁତା (ମଧୁଚନ୍ଦ୍ରିକା) ଅର୍ଥ କ୍ଷମତାହୀନ ଗଣ ପ୍ରତି ବିଶ୍ୱାସଘାତକତା; କ୍ଷମତାସୀନ ସହ ବନ୍ଧୁତା ତ ଯଥାର୍ଥ ସାମ୍ବାଦିକତାର ହତ୍ୟା । ଅଥଚ ଏବେ ଚତୁର ଶାସକର ପଦଲେହନରେ ବ୍ୟସ୍ତ ଅଧିକାଂଶ ଗଣମାଧ୍ୟମ ସଂସ୍ଥା/ବ୍ୟକ୍ତି; ବିଶେଷତଃ ଟିଭି ଚ୍ୟାନେଲ୍ଗୁଡ଼ିକର ନପୁଂସକତା ସୁଦୃଶ୍ୟ । ଶାସକର ସ୍ୱାର୍ଥରକ୍ଷା ପାଇଁ ଗଣମାଧ୍ୟମ ଗୁଜବ ସୃଷ୍ଟିକାରୀ ହେବାକୁ ବି ପଛାଉ ନାହିଁ, ଯେଉଁ ଗୁଜବ ଗଣ/ଗଣତନ୍ତ୍ର ପାଇଁ ସାଜିପାରେ/ସାଜୁଚି ଆତ୍ମଘାତୀ । ଯେଉଁ ସୋସିଆଲ୍ ମିଡିଆକୁ ଏକଦା କୁହାଯାଉଥିଲା ଗଣ ପାଇଁ ପ୍ରକୃତ ସ୍ୱାଧୀନ ମାଧ୍ୟମ, କ୍ରମଶଃ ତାହା ବି ହୋଇସାରିଚି ବିକୃ˜/ଗୁଜବ ତିଆରି କାରଖାନା; ତେଣୁ ଅବିଶ୍ୱାସ୍ୟ । ଏହି ହେତୁରୁ ଶାସକକୁ ତା’ର ଅନ୍ୟାୟ/ଅନୀତି ପାଇଁ କାଠଗଡ଼ାରେ ଠିଆ କରିବାର ସାମର୍ଥ୍ୟ ହରାଇଚାଲିଚି ଗଣମାଧ୍ୟମ । ସାମ୍ବାଦିକତାର ରାଜନୀତିକରଣ ଚାହୁଁଥିବା ଶାସକ ପାଇଁ ଏହା ସତେଯେମିତି ସୁବର୍ଣ୍ଣ ସୁଯୋଗ । ଦାୟିତ୍ୱବାନ ଗଣମାଧ୍ୟମ ସଂସ୍ଥାଗୁଡ଼ିକ ସାହସର ସହ ଏହାର ବିରୋଧ ନକଲେ ଆତ୍ମଘାତୀ ହେବା ନିଶ୍ଚିତ । ଗଣମାଧ୍ୟମ ଯଦି ପ୍ରକୃତରେ ଗଣର ମାଧ୍ୟମ ହେବାକୁ ଚାହୁଁଚି, ତେବେ ତାହା ଶାସକ-ମାଧ୍ୟମ ହେବାରୁ ନିଜକୁ ନିବୃତ୍ତ କରିବା ଆବଶ୍ୟକ; ନଚେତ୍ ତା’ର ଅବନତି ଅବଶ୍ୟମ୍ଭାବୀ ।
(୧୪ ଅଗଷ୍ଟ ୨୦୧୬ରେ ସମାଜର "ଚତୁର୍ଥ ସ୍ତମ୍ଭ" ସ୍ତମ୍ଭରେ ପ୍ରକାଶିତ)
0 comments:
Post a Comment