ଶିଷ୍ଟ ବିଶିଷ୍ଟ ଅବଶିଷ୍ଟ

Leave a Comment



ଅଶୋକ


ଦିନେ ସକାଳେ ମୁଁ ଉଠିଲି

ହେ ସୁନ୍ଦରୀ ବିଦାୟ ସୁନ୍ଦରୀ ବିଦାୟ ସୁନ୍ଦରୀ ବିଦାୟ ବିଦାୟ ବିଦାୟ

ଦିନେ ସକାଳେ ମୁଁ ଉଠିଲି

ଆଉ ମତେ ଆକ୍ରମଣକାରୀ ମିଳିଗଲା।

ହେ ପକ୍ଷପାତୀ ମତେ ନେଇଚାଲ

ହେ ସୁନ୍ଦରୀ ବିଦାୟ ସୁନ୍ଦରୀ ବିଦାୟ ସୁନ୍ଦରୀ ବିଦାୟ ବିଦାୟ ବିଦାୟ

ହେ ପକ୍ଷପାତୀ ମତେ ନେଇଚାଲ

କାଇଁକିନା ମତେ ଲାଗୁଚି ମୁଁ ମରିବାକୁ ଯାଉଚି।

​‌ଏଇଟା ପକ୍ଷପାତର ଫୁଲ

ହେ ସୁନ୍ଦରୀ ବିଦାୟ ସୁନ୍ଦରୀ ବିଦାୟ ସୁନ୍ଦରୀ ବିଦାୟ ବିଦାୟ ବିଦାୟ

ଏଇଟା ପକ୍ଷପାତର ଫୁଲ

ସ୍ବାଧୀନତା ନିମନ୍ତେ ମରିଗଲା।

ଇଏ ହେଉଚି ପ୍ରସିଦ୍ଧ ଇତାଲୀୟ ଲୋକଗୀତ ‘ବେଲ୍ଲା ଚାଓ’ (ସୁନ୍ଦରୀ ବିଦାୟ)ର କେଇଟି ପଙ୍‌କ୍ତି, ଯାହାକୁ ମୂଳତଃ ଆଣ୍ଠୁଏ ପାଣିକାଦୁଅରେ ଠିଆହୋଇ ସୂ‌େର୍ଯ୍ୟାଦୟରୁ ସୂର୍ଯ୍ୟାସ୍ତ ଧାନଖେତରେ ବାଳୁଙ୍ଗା ବାଛୁଥିବା ମହିଳାମାନେ ଗାଉଥିଲେ ଊନବିଂଶ ଶତାବ୍ଦୀରେ ସେମାନଙ୍କ ଉତ୍ପୀଡ଼କଙ୍କ ବିରୋଧରେ। ଏହି ମହିଳାମାନେ ମୁଖ୍ୟତଃ ଥିଲେ ଅତି ସାମାଜିକ-ଆର୍ଥିକ ନ୍ୟୂନ ଶ୍ରେଣୀର, ଯାହାଙ୍କ ମୂଲ୍ୟବାନ ଯୁବାକାଳ ବ୍ୟତୀତ ହୋଇଯାଉଥିଲା ସେହି ଅବାଞ୍ଛନୀୟ/ଅସହଣୀୟ କାର୍ଯ୍ୟରେ; କିନ୍ତୁ ସେଇ ଧାନଖେତରେ କେବଳ ବାଳୁଙ୍ଗା ଘାସ ବଛାଯାଉ ନଥିଲା, ସେଇଠି ନବ୍ୟ ରାଜନୀତିକ ଆଦର୍ଶ ଓ ପ୍ରତିବାଦ-ବିପ୍ଳବର ବୀଜ ମଧ୍ୟ ହେଉଥିଲା ବପନ। ପରେପରେ କୃଷକ ଓ କୃଷିଶ୍ରମିକଙ୍କ ଅସନ୍ତୋଷ ଊନବିଂଶ ଶତାବ୍ଦୀର ଅନ୍ତିମ ଓ ବିଂଶ ଶତାବ୍ଦୀର ପ୍ରଥମ ଭାଗରେ ଜନ୍ମ ଦେଇଥିଲା ବହୁ ବିକ୍ଷୋଭ/ ପ୍ରତିବାଦ/ ବିପ୍ଳବ ଏବଂ ତା’ରି ଭିତରୁ ଦିନେ ସୃଷ୍ଟି ହୋଇଥିଲା ଉକ୍ତ ଅଦ୍ଭୁତ ପ୍ରେରଣାଦାୟୀ ସଂଗୀତ ‘ବେଲ୍ଲା ଚାଓ’। ୧୯୪୦ ଦଶକରେ ଇଟାଲିକୁ ନାଜୀ ଜର୍ମାନମାନେ ଯେତେବେଳେ ଅକ୍ତିଆର୍ କଲେ, ଫାସିବାଦୀ ଶକ୍ତିଙ୍କ ବିରୋଧରେ ଏହା ପାଲଟିଥିଲା ପ୍ରତିବାଦୀ ଗୀତ। ବିସ୍ମିତ ହେବାର କିଛି ନାହିଁ ଯେ ତା’ପରଠୁ ସାରା ବିଶ୍ବରେ ଫାସିବାଦ-ବିରୋଧୀ ଗୀତ ଭାବେ ଏହାକୁ ବିଭିନ୍ନ ଭାଷାରେ ଗାନ କରାଯାଇ ଆସୁଥିବାବେଳେ ଏଇନା ଏଇ ନାମରେ ଏକ ଦେଶୀ ସଂଗୀତ ଶୁଭୁଚି ଦିଲ୍ଲୀ ସୀମାନ୍ତରେ ଲକ୍ଷଲକ୍ଷ କୃଷକଙ୍କ ସମାବେଶ ଭିତରୁ, ଯାହାର ଶୀର୍ଷକ ରହିଚି ‘ୱାପସ୍‌ ଯାଓ ୱାପସ୍‌ ଯାଓ’ (ଫେରିଯାଅ ଫେରିଯାଅ)। ଏହାର ଆରମ୍ଭ ଏମିତି: ‘‘ଆମେ ନିଜ ପଛରେ ସବୁ ପ୍ରତିବନ୍ଧକକୁ ଛାଡ଼ି ଆସିଚୁ/ ହେ ନିର୍ଦୟୀ/ ଫେରିଯାଅ ଫେରିଯାଅ/ ମାଟିର ପ୍ରତ୍ୟେକ ଦାନା/ ଏକସଂଗେ ଗାଉଛନ୍ତି/ହେ ନିର୍ଦୟୀ/ ଫେରିଯାଅ ଫେରିଯାଅ।’’

ଏଇ ଆନ୍ଦୋଳନ ସମସ୍ତ ପାରମ୍ପରିକତାକୁ ଭାଂଗି ଯେପରି ଏକ ନୂଆ ପ୍ରତିମାନ ଗଢ଼ିଚି, ତାହା ଆଗାମୀ ଦିନରେ ଇତିହାସରେ ଏକ ସ୍ବତନ୍ତ୍ର ଅଧ୍ୟାୟ ଲେଖିବା ପାଇଁ ଯଥେଷ୍ଟ। ଖାଲି ବୈପ୍ଳବିକ ସଂଗୀତ ନୁହେଁ, ଆନ୍ଦୋଳନ ଭିତରେ ହିଁ ଜନ୍ମ ନେଇଚି ଏକ ଚାରିପୃଷ୍ଠାର ଖବରକାଗଜ ‘ଟ୍ରଲି ଟାଇମ୍ସ’ (ଏଇ ନାଁ ମନେହୁଏ ବେଶ୍ ସାର୍ଥକ, କାହିଁକିନା ପ୍ରାୟ ମାସେ କାଳ ଧରି କିଲୋମିଟର କିଲୋମିଟର ବ୍ୟାପୀ ରାଜପଥ ଉପରେ ଠିଆ ହୋଇଥିବା ଟ୍ରାକ୍ଟର ଟ୍ରଲି ହିଁ ପାଲଟିଚି ଲକ୍ଷାଧିକ ଆନ୍ଦୋଳନକାରୀଙ୍କ ବାସସ୍ଥାନ)। ଗୁରୁମୁଖୀ-ହିନ୍ଦୀ ଦ୍ବିଭାଷୀ ଏଇ ପାକ୍ଷିକ ଖବରକାଗଜର ପ୍ରଥମ ସଂପାଦକୀୟ ଶୀର୍ଷକ ଥିଲା, ‘‘ଇନ୍‌କିଲାବ ଦି ତଲୱାର୍‌ ବିଚାରାଁ ଦି ସାନ ତେ ତେଜ ହୋନ୍ଦି ଏ’’; ଅର୍ଥାତ ଇନ୍‌କିଲାବର ଖଣ୍ଡା ବିଚାରର ଶାଣରେ ଅଧିକ ଧାରୁଆ ହୋଇଥାଏ। ପ୍ରକୃତରେ ଏହି ଶକ୍ତିଶାଳୀ ଶବ୍ଦ କେତୋଟି ଭାରତର ଅନନ୍ୟ ଦେଶପ୍ରେମୀ/ଚିନ୍ତକ/ବିପ୍ଳବୀ ଭଗତ ସିଂହଙ୍କର। ଲକ୍ଷାଧିକ ଆନ୍ଦୋଳନକାରୀଙ୍କ ପାଖରେ ଆନ୍ଦୋଳନ ସମ୍ପର୍କିତ ବିଷୟବସ୍ତୁକୁ ପହଞ୍ଚାଇବା ଲକ୍ଷ୍ୟରେ ପ୍ରକାଶିତ ଏ ଖବରକାଗଜ ଏକ କ୍ଷୁଦ୍ର ପ୍ରୟାସ ହେଲେ ହେଁ ଏହାର ଶକ୍ତି ଅକଳନୀୟ ଏବଂ ସରକାରଙ୍କ ପୋଷ୍ୟ/ଶିଷ୍ଟ ଗଣମାଧ୍ୟମଗୁଡ଼ିକ ମୁହଁରେ ଚାପୁଡ଼ା ସଦୃଶ, ଯେଉଁମାନେ ଗଣ ମାଧ୍ୟମ ବଦଳରେ ପାଲଟିଚନ୍ତି ମଣ ମାଧ୍ୟମ/ଜଣ ମାଧ୍ୟମ। 

ଏ ଆନ୍ଦୋଳନର ସବୁଠୁ ବଡ଼ ବିଶେଷତ୍ବ ହେଉଚି ଏହାର ସୃଜନଶୀଳ ସ୍ବନିର୍ଭରତା। ଏଠି ଲକ୍ଷଲକ୍ଷ ଲୋକଙ୍କ ପାଇଁ ଯେଉଁ ଯନ୍ତ୍ରରେ ଖାଦ୍ୟ ତିଆରି ହେଉଚି, ଶୀତାର୍ତ୍ତ ସକାଳରେ ଗାଧୋଇବାକୁ ଯେଉଁ ଉ‌ପାୟ​‌େ​‌​‌ର ପାଣି ଉଷୁମ କରାଯାଉଚି, ସେସବୁ ଦେଶୀ ଜ୍ଞାନକୌଶଳରେ ନିର୍ମିତ ସାଧନକୁ ଦେଖିଲେ ଏ ଅବଶିଷ୍ଟଙ୍କ ସର୍ଜନଶୀଳତା କାହିଁକି ଶିଷ୍ଟ/ବିଶିଷ୍ଟମାନଙ୍କୁ ଚମକାଇ ଦେଉଚି, ତାହା ବୁଝିବା ସହଜ। କ୍ଷମତାହୀନ ଶ୍ରମଜୀବୀ/କୃଷକଗୋଷ୍ଠୀ ବି ଅମିତ ପରାକ୍ରମୀ ଆଧିପତ୍ୟର ସମ୍ମୁଖୀନ ହେବାକୁ ସମର୍ଥ, ଏହା ତା’ର ବଡ଼ ଦୃଷ୍ଟାନ୍ତ। ଏମାନେ ମୁର୍ଖ/ଅପୋଗଣ୍ଡ/ରାଷ୍ଟ୍ରବିରୋଧୀ ନୁହନ୍ତି (ଯେପରି ଶିଷ୍ଟ/ବିଶିଷ୍ଟ ଅପପ୍ରଚାର କରୁଚନ୍ତି); ବରଂ ଏମାନଙ୍କ ‘ଅର୍ଗାନିକ’ ଗୋଷ୍ଠୀବଦ୍ଧତା ଅନେକ ଦୃଷ୍ଟିରୁ ‘ନିଉ ଇଣ୍ଡିଆ’ ପାଇଁ ଅନନ୍ୟ, କାହିଁକିନା ୟା’ ଜରିଆରେ ବହୁଦିନ ଧରି ନିସ୍ତେଜ ହୋଇପଡ଼ିଥିବା ସିଭିଲ୍‌ ସୋସାଇଟି ବା ନାଗରିକ ସମାଜ ହୋଇଚି ଜାଗ୍ରତ/ଦୃଢ଼ସଂକଳ୍ପ। ସମାଜର ଅଣସରକାରୀ/ଅରାଜନୀତିକ ନେତୃତ୍ବ ଏହି ନାଗରିକ ସମାଜର ଗୋଷ୍ଠୀବଦ୍ଧତା/ସହକାରିତା କ୍ଷମତାସୀନ ବିଶିଷ୍ଟ ତଥା ତାଙ୍କ ଆଜ୍ଞା ପାଳନକାରୀ ଶିଷ୍ଟମାନଙ୍କ ଲାଗି ଯେ ଅଡ଼ୁଆ ବଢ଼ାଇବାରେ ଲାଗିଚି, ତାହା ସେମାନଙ୍କୁ ଚିନ୍ତାରେ ପକାଇଚି। ସେମାନଙ୍କ ଗୋଷ୍ଠୀବଦ୍ଧତାକୁ ଛିନ୍ନଛତ୍ର କରିବା ନିମନ୍ତେ ବିଶିଷ୍ଟ/ଶାସକ ଶ୍ରେଣୀ ଖୁବ୍ ଚକ୍ରାନ୍ତ ଚଳାଇଥିଲେ ବି ହୋଇପାରିନାଇଁ ଏ ଯାଏ ସଫଳ। ଇଏ ଏକ ବିଡମ୍ବନା ଯେ ଭାରତର ପାରମ୍ପରିକ ମୁଖ୍ୟ ଗଣମାଧ୍ୟମ, ନିର୍ଦିଷ୍ଟ କରି କହିଲେ  ଟେଲିଭିଜନ ମାଧ୍ୟମ ଏଇନା ଶାସକର ଚାଟୁକାରିତାରେ ହିଁ ନିଜକୁ ବ୍ୟସ୍ତ ରଖିଥିବାବେଳେ ଜନସାଧାରଣ ସାମାଜିକ ଗଣମାଧ୍ୟମ (ସୋସାଲ୍‌ ମିଡିଆ) ଉପରେ ଭରସା ରଖିଥିଲେ; ମାତ୍ର ତା’ ଉପରେ ବି ପଡ଼ିଲାଣି ଶାସକ ଶ୍ରେଣୀର ଶ୍ୟେନଦୃଷ୍ଟି। ଫଳତଃ ନାଗରିକ ସମାଜ ପାଇଁ ସୋସାଲ୍‌ ମିଡିଆର ଦୁଆରକୁ ବି କିଳି ରଖିବାର ଫିକର ହୋଇଚି। ସୁଖର କଥା ଯେ ଲୋକଚାପ ଆଗରେ ହାର୍‌ ମାନି ପୁଣିଥରେ ଦୁଆର ଖୋଲିବାକୁ ବାଧ୍ୟ ହୋଇଚି ଫେସ୍‌ବୁକ୍‌। ବିଶ୍ବର ବୃହତ୍ତମ ଏଇ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ କ୍ରମେ କେବଳ ଅସାମାଜିକ ହେଉନାଇଁ, ହେବାରେ ବି ଲାଗିଚି ଅଗଣତାନ୍ତ୍ରିକ।

ଦେଶରେ ନିକଟ ଅତୀତରେ ଆଉ ଯେଉଁଠି ଗୋଷ୍ଠୀବଦ୍ଧତା ଦେଖିବାକୁ ମିଳିଥିଲା, ତାହା ଥିଲା ଶାହିନବାଗ। ସେଇଠି ଏକ କ୍ଷୁଦ୍ର ମୁସଲମାନ ଗୃହିଣୀ ଗୋଷ୍ଠୀର ପ୍ରତିବାଦ କ୍ରମଶଃ କିପରି ଏକ ବଡ଼ ଘଟନା ପାଲଟିଥିଲା, ତା’ ତ ବିଶ୍ବଇତିହାସର ଅଂଶ ହୋଇସାରିଚି। ଏହା ଦେଖାଇ ଦେଇଥିଲା ଯେ କୌଣସି ରାଜନୀତିକ ଦଳ ଓ ଟ୍ରେଡ଼ ୟୁନିଅନ ପରି ସଂଗଠନର ସହାୟତା ବିନା ମଧ୍ୟ ନାଗରିକ ସମାଜ ଖୁବ୍‌ ପ୍ରଭାବଶାଳୀ ଭାବେ ଏକ ଗଣତାନ୍ତ୍ରିକ ପରିକଳ୍ପନାକୁ ସାକାର କରିପାରେ। ବାସ୍ତବରେ ଗଣତନ୍ତ୍ର ତ କୋଉ ରାଜନୀତିକ ଦଳର ବୋପାସମ୍ପତ୍ତି ନୁହଁ କି ଏହାକୁ କିଏ ପେଟେଣ୍ଟ୍‌/କପିରାଇଟ୍‌ କରିନାଇଁ। ଗଣତନ୍ତ୍ର ଗଣର ଗଣପାଇଁ ଗଣଦ୍ବାରା; ଅର୍ଥାତ ଏହା ଗଣର ଅଙ୍ଗୀଭୂତ ପ୍ରତ୍ୟେକଙ୍କର। ସଂସଦ/ସଂସଦଭବନ ବି ଗଣତନ୍ତ୍ରର ଅନ୍ତୁଡ଼ିଶାଳ ନୁହେଁ; ସଡ଼କ ହିଁ ଗଣତନ୍ତ୍ରର ଅସଲ ମଞ୍ଚ ଯେଉଁଠି ତାହା ଜୀବନ୍ୟାସ ପାଏ/ ଯେଉଁଠି ନାଗରିକ ସମାଜ ମୁକ୍ତିର ସଂଗୀତ ଗାଇପାରେ/ ଯେଉଁଠି ଉତ୍ପୀଡ଼ିତ ନିର୍ଭୟରେ ଉତ୍ପୀଡ଼କକୁ ଲଢ଼େଇ ପାଇଁ ଆହ୍ବାନ କରିପାରେ/ ଯେଉଁଠି ଅବଶିଷ୍ଟ ଶିଷ୍ଟ/ବିଶିଷ୍ଟମାନଙ୍କୁ ସେମାନଙ୍କ ଦାୟିତ୍ବ/କର୍ତ୍ତବ୍ୟ ବିଷୟରେ ଚେତାଇ ଦେଇପାରେ। ଗଣତନ୍ତ୍ର ଏକ ନିର୍ବାଚନିକ ପରିଘଟନା ମାତ୍ର ନୁହେଁ; ଏହା ବଞ୍ଚିରହେ ନାଗରିକଙ୍କ ନିତ୍ୟନୈମିତ୍ତିକ ପ୍ରୟୋଗରେ; ନାଗରିକ ସମାଜର ଗୋଷ୍ଠୀବଦ୍ଧ ସଜୀବ ପ୍ରଥାପରମ୍ପରାରେ। ଅବଶ୍ୟ ଆମ ବିଶିଷ୍ଟ/ସମ୍ଭ୍ରାନ୍ତ/ଶାସକ ଶ୍ରେଣୀକୁ ଏହା ଲାଗୁଚି ‘ଅଧିକ ଗଣତନ୍ତ୍ର’ (ନିତି ଆୟୋଗର ସିଇଓ ଅମିତାଭ କାନ୍ତଙ୍କ ପରି), ତେଣୁ ଅସହ୍ୟ; କାହିଁକିନା ଗଣତନ୍ତ୍ର ଯେତେ ପାକଳ ହୁଏ ତାହା ଗଣକୁ ଅର୍ଥାତ ନାଗରିକ ସମାଜକୁ  ସେତିକି ସ୍ବନିର୍ଭର/ସ୍ବାଭିମାନୀ/ଶକ୍ତିଶାଳୀ କରେ। ଅନ୍ୟ ଅର୍ଥରେ କହିଲେ ଗଣତନ୍ତ୍ର (ଡେମୋକ୍ରେସି) ସେଇଠି ପାଲଟିଯାଏ ଯଥାର୍ଥରେ ସାଧାରଣତନ୍ତ୍ର (ଇଂରେଜୀରେ ଯାହାକୁ କୁହାଯାଏ ରିପବ୍ଲିକ୍‌)। ସାଧାରଣତନ୍ତ୍ରର ଭାବାଦର୍ଶ ଗଣତନ୍ତ୍ରଠୁ ଅଧିକ ମହତ୍‌/ବିସ୍ତୃତ, ଯେଉଁଠି ବହୁସଂଖ୍ୟକ ବା ସଂଖ୍ୟାଗରିଷ୍ଠ ଚାହିଁଲେ ମଧ୍ୟ ସଂଖ୍ୟାଲଘୁଟିକୁ କେବେ ବି ଦେଇପାରେନା ନିର୍ଯାତନା କି କରିପାରେନା ଉତ୍ପୀଡ଼ନ। ଭାରତକୁ କେବଳ ଗଣତନ୍ତ୍ର ନୁହେଁ, ଅସଲରେ ସାଧାରଣତନ୍ତ୍ରଟିଏ କରି ଗଢ଼ିବା ନିମନ୍ତେ ଆମର ରାଷ୍ଟ୍ରନାୟକମାନେ ‘ସମ୍ବିଧାନ’ ନାମକ ଯେଉଁ ଅଧିକାର ଓ କର୍ତ୍ତବ୍ୟର ଅସାଧାରଣ ଜୀବନ୍ତ ପ୍ରତିଲିପି ତିଆରି କରିଚନ୍ତି, ତାହା ହିଁ ତା’ର ହେତୁ। ନିର୍ବାଚନସମ୍ଭୁତ ସତ୍ତାଧାରୀ ବିଶିଷ୍ଟଗଣ ନୁହନ୍ତି, ଅବଶିଷ୍ଟ ସାଧାରଣ ହିଁ ହେଉଚନ୍ତି ସାଧାରଣତନ୍ତ୍ରର ଆତ୍ମା; ଅଥଚ ଗଣତାନ୍ତ୍ରିକ ଶାସନ ପଦ୍ଧତିରେ ସେଇ ବିଶିଷ୍ଟଙ୍କ (ଏଇନା ଅବଶିଷ୍ଟଙ୍କ ପାଇଁ ସେଇଠି ସ୍ଥାନ ନାହିଁ; ଚା’ ବିକାଳି ପ୍ରଧାନମନ୍ତ୍ରୀ ହେବାର ଦୃଷ୍ଟାନ୍ତ କେବଳ ଅତ୍ୟୁତ୍ସାହୀଙ୍କର ଏକ ଭାବପ୍ରବଣ ମିଥ୍‌) ହାତରେ ହିଁ ଚାବିକାଠି ସମର୍ପି ଦିଆଯିବା ଅବଧାରିତ। ଏଥିରୁ ଯେଉଁ ହିଗେମନି ବା ଆଧିପତ୍ୟର ଜନ୍ମ, ତାହା କେବଳ ରାଷ୍ଟ୍ରକ୍ଷମତାର ନୁହେଁ, ସାମନ୍ତବାଦର ଏକ ରୂପ। ଏଇମାନେ ହିଁ ଏବେ ଭାରତରେ ଅଧିକ ଗଣତନ୍ତ୍ର ହୋଇଗଲା ବୋଲି ଖୁବ୍‌ ଚିନ୍ତିତ।

ତେବେ ରାଷ୍ଟ୍ରକ୍ଷମତାକୁ ବୈଧତା କେବଳ ରାଜନୀତିକ ନୁହେଁ, ସାମାଜିକ ସମ୍ମତିର ମଧ୍ୟ ଫଳ; ଅର୍ଥାତ ସମୁଦାୟ ଶକ୍ତି ଓ କ୍ଷମତାର କେନ୍ଦ୍ର ଏକମାତ୍ର ରାଷ୍ଟ୍ର ନୁହେଁ, ସମାଜର ଛତ୍ରେଛତ୍ରେ ତା’ର ଉପସ୍ଥିତି। ଜନଗଣର ଭାଷା/ଭାବନା ଭିତରେ ହିଁ ଶାସକ ଶ୍ରେଣୀ ବଞ୍ଚିରହିବାକୁ ଚେଷ୍ଟା କରେ ନିଜ ମତାଦର୍ଶଗତ ଭିତ୍ତି ରୂପରେ। ଯେତେବେଳେ ଜନଗଣଙ୍କ ଭିତରୁ ବହୁଳାଂଶ ବିଶ୍ବାସ କରିନିଏ ଯେ ସେଇ ଆଧିପତ୍ୟ ହିଁ ଏକମାତ୍ର ବାସ୍ତବ; ସେତେବେଳେ ବିଶିଷ୍ଟର ଆଧିପତ୍ୟ ବଞ୍ଚିରହିବାରେ ହୁଏ ସଫଳକାମ। ଯେତେବେଳେ ଏହି ଆଧିପତ୍ୟକୁ ଅବଶିଷ୍ଟ ଶ୍ରେଣୀ ପ୍ରଶ୍ନ/ବିରୋଧ/ପ୍ରତିରୋଧ କରେ, ସେ ପାଲଟେ ବିଶିଷ୍ଟ/ରାଷ୍ଟ୍ରକ୍ଷମତାର ଶତ୍ରୁ; ଆଖ୍ୟା ପାଏ ‘ରାଷ୍ଟ୍ରଦ୍ରୋହୀ’ର। ପୁଞ୍ଜିପତିର ସ୍ବାର୍ଥରକ୍ଷା ନିମନ୍ତେ ସଦା ପ୍ରଯତ୍ନଶୀଳ ସଂସ୍କାରବାଦୀ ରାଜନୀତି ଶ୍ରମଜୀବୀର ଆନ୍ଦୋଳନକୁ ନିରସ୍ତ୍ର କରିବାକୁ ସର୍ବଦା ଚେଷ୍ଟିତ; କିନ୍ତୁ ମାନସିକ ଶ୍ରମ କରି ସାଆନ୍ତପଣିଆ ଦେଖାଉଥିବା ବିଶିଷ୍ଟ ତ ସର୍ବଦା ପରାଙ୍ଗପୁଷ୍ଟ ଶ୍ରେଣୀ; ଅବଶିଷ୍ଟର ଶାରୀରିକ ଶ୍ରମ ବିନା ତା’ର ସବୁକିଛି ଅଚଳ। ନିଜେ ସଦା ପରନିର୍ଭର; ଅଥଚ ଆତ୍ମନିର୍ଭର ଅବଶିଷ୍ଟକୁ ଆଇନ ସହାୟତାରେ ଆତ୍ମନିର୍ଭରଶୀଳ ହେବାକୁ ଉପଦେଶ ଦେବାପାଇଁ କରେନା ଲଜ୍ଜାବୋଧ। ସେ ଅବଶିଷ୍ଟର ବିରୋଧ/ପ୍ରତିରୋଧକୁ ଛଳେ ବଳେ କୌଶଳେ ନିଷ୍କ୍ରିୟ କରିଦେବାକୁ ବି ବଦ୍ଧପରିକର; ଅଥଚ ଧନତନ୍ତ୍ର ସହାୟତାରେ ବଳୀୟାନ କ୍ଷମତାସୀନ ବିଶିଷ୍ଟ ବୁଝିପାରେନା ଯେ ତା’ ନିଷ୍ଠୁର ଆଧିପତ୍ୟର ପରିସମାପ୍ତି ଅସମ୍ଭବ ନୁହେଁ, କାରଣ ଏଇ ପୌରସମାଜ ଭିତରୁ ହିଁ ଜନ୍ମନେଇଥାଏ କାଉଣ୍ଟର-ହିଗେମନି ବା ବିକଳ୍ପ ଆଧିପତ୍ୟ। ଏହା ଯେତେବେଳେ ନାଗରିକ ସମାଜ ଭିତରେ ବଞ୍ଚିତ/ଶୋଷିତ/ଅବହେଳିତ ଅବଶିଷ୍ଟର କର୍ତ୍ତୃତ୍ବ ପ୍ରତିଷ୍ଠା କରିବ, ସେତେବେଳେ ରାଷ୍ଟ୍ରତନ୍ତ୍ର ନିଜ ଚରିତ୍ର ବଦଳାଇବାକୁ ବାଧ୍ୟ ହେବ।

(‘ସମାଜ’ରେ ୨୬.୧୨.୨୦୨୦ରେ ପ୍ରକାଶିତ)

ମୋ: ୯୪୩୮୮ ୪୪୬୭୮

ashoksamaja@gmail.com

Next PostNewer Post Previous PostOlder Post Home

0 comments:

Post a Comment

ଏହି ବ୍ଲଗର ସମସ୍ତ ସାମଗ୍ରୀ ଲେଖକଙ୍କ ସର୍ବସ୍ବତ୍ତ୍ବ ସଂରକ୍ଷିତ. Powered by Blogger.