ସୌଜନ୍ୟ: ଦି କ୍ବିଣ୍ଟ୍ |
ଅଶୋକ
ନିଉଜ୍ ଚ୍ୟାନେଲ୍ଗୁଡ଼ିକ ଭିତରେ ଏକ ନମ୍ବର ହେବାର ତଣ୍ଟିକଟା ପ୍ରତିଯୋଗିତା ମଧ୍ୟରେ ଟିଆର୍ପିର ଖେଳ ବେଶ୍ ଜମିଚି। ଅବଶ୍ୟ ଏହା ନୂଆ ନୁହେଁ। ତେବେ ଏ ଖେଳ କେବଳ ବିଜ୍ଞାପନଦାତା ନୁହନ୍ତି, ଦର୍ଶକଙ୍କ ପାଇଁ ମଧ୍ୟ ବଡ଼ ଘାତକ। ତେଣୁ ଏହାର ଭିତିରି କଥା ଜାଣିବା ନିହାତି ଜରୁରୀ।
‘ସୁଶାନ୍ତ ପର୍ ରିୟା କା କାଲା ଯାଦୁ’; ‘(ଅ)ପବିତ୍ର ରିସ୍ତା’; ‘ସୁଶାନ୍ତ କା ପ୍ୟାର୍, ରିୟା କା ହତିୟାର୍’; ‘ଦିଲ୍ ବେଚାରା, ଗ୍ୟାଙ୍ଗ୍ସ କା ମାରା’...ଏସବୁ କୌଣସି ଚଳଚ୍ଚିତ୍ରର ସଂଳାପ ନୁହେଁ, କେତେକ ହିନ୍ଦୀ ନିଉଜ୍ ଚ୍ୟାନେଲ୍ର ଖବରର ଶୀର୍ଷକ, ଯାହାକୁ ନିକଟ ଅତୀତରେ ବାରମ୍ବାର ଦର୍ଶକଙ୍କ ଆଖି ଝଲସାଇ ଦେବାପରି ବଡ଼ବଡ଼ ଅକ୍ଷରରେ ଲେଖାଯାଇ (ଫ୍ଲାସ୍ କରାଯାଇ) ପରିବେଷଣ କରାଯାଇଥିଲା। ଗୋଟିଏ ଦୁଇଟି ବ୍ୟତିକ୍ରମକୁ ଛାଡ଼ିଦେଲେ ଜାତୀୟ ଚ୍ୟାନେଲ୍ କୁହାଯାଉଥିବା ପ୍ରାୟ ସମସ୍ତ ହିନ୍ଦୀ/ଇଂରେଜୀ ନିଉଜ୍ ଚ୍ୟାନେଲ୍ର ଏପରି ଅରୁଚିକର/ନୀତିନୈତିକତାଶୂନ୍ୟ ଶୀର୍ଷକ ଓ ଖବର ପରିବେଷଣ ନୂଆ ନୁହେଁ; କିନ୍ତୁ ଗତ ବର୍ଷେ ଦି’ବର୍ଷ ଭିତରେ ଏହା ସବୁ ସୀମା ଲଙ୍ଘନ କରିଥିବା ମନେହୁଏ। ଏହାର କାରଣ ଅବଶ୍ୟ କାହାକୁ ଅଜଣା ନୁହେଁ। ସବୁ ନିଉଜ୍ ଚ୍ୟାନେଲ୍ର ଗୋଟିଏ ଲକ୍ଷ୍ୟ କିପରି ‘ଏକ ନମ୍ବର’ ହେବେ। ଗଣମାଧ୍ୟମର ନୀତିନୈତିକତା ଚୁଲିକୁ ଯାଉ କିନ୍ତୁ ତଣ୍ଟିକଟା ପ୍ରତିଯୋଗିତାରେ (ନିକଟରେ ହାଥରସ୍ ଗଣଧର୍ଷଣ ଓ ହତ୍ୟା ଘଟନାରେ ମଧ୍ୟ ଆମେ ଏହା ଦେଖିଛୁ) ଭାଗ ନେବା ଜରୁରୀ; କାରଣ ତାହା ହିଁ ଅସଲ ଲକ୍ଷ୍ୟ ଏବଂ ଏହି ଲକ୍ଷ୍ୟକୁ ହାସଲ କରିହୁଏ ଟିଆର୍ପି ବୃଦ୍ଧି ଜରିଆରେ। ଟିଆର୍ପି ଅର୍ଥାତ ଟେଲିଭିଜନ ରେଟିଂ ପଏଣ୍ଟ୍। ଯେଉଁ ଚ୍ୟାନେଲ୍ର ଟିଆର୍ପି ଯେତେ ବେଶୀ, ତାହାର ବ୍ୟବସାୟ ସେତେ ଅଧିକ; ଅର୍ଥାତ ବିଜ୍ଞାପନଦାତାଙ୍କ ପାଖରେ ତା’ର କାଟ୍ତି ବେଶି। ଟିଭିରେ ବିଜ୍ଞାପନ ଦେଖି ଜିନିଷ କିଣିବା ମୁର୍ଖତା ହେଲେ ମଧ୍ୟ ଆଜିର ମଧ୍ୟବିତ୍ତ ଶ୍ରେଣୀ ତାହା କରିବାକୁ ଭଲ ପାଏ। ଏକଥା ବିଜ୍ଞାପନଦାତା ଓ ଶିଳ୍ପପତି ଭଲଭାବେ ବୁଝନ୍ତି। ସେଇ କାରଣରୁ ଟିଭି ଚ୍ୟାନେଲ୍ରେ ବିଜ୍ଞାପନ ବଜାରର ମୂଲ୍ୟ ଏବେ ବାର୍ଷିକ ୨୭,୦୦୦ କୋଟି ଟଙ୍କାରୁ ଉର୍ଦ୍ଧ୍ବ। ପୁଣି ମଧ୍ୟବିତ୍ତ/ଉଚ୍ଚ ମଧ୍ୟବିତ୍ତ ଟିଭିରେ କେବଳ ଧାରାବାହିକ ଦେଖୁନାହିଁ, ଏବେ ନିଉଜ୍ ଚ୍ୟାନେଲ୍କୁ ବି ମନୋରଂଜନ ଚ୍ୟାନେଲ୍ ବୋଲି ଭାବିନେଇଚି; ତାହା ମନୋରଂଜନର ବଢ଼ିଆ ଖୋରାକ୍ ଯୋଗାଉଚି; ଆଙ୍କର୍ ବା ଖବର ଉପସ୍ଥାପକଙ୍କ ହେରଷାମି ଆଉ ହେଙ୍କଡାମି ଦେଖିବାକୁ ତାକୁ ଖୁବ୍ କୁତୁକୁତୁ ଲାଗୁଚି। ୟା’ ଭିତରେ ସେ ଭୁଲିଯାଇଚି ଯେ ଖବରକୁ ଯଦି ମନୋରଂଜନର ମସଲା କରିଦିଆଯାଏ, ତେବେ ତାହା ଆଉ ଖବର ହୋଇ ରହେନାହିଁ। ଏଇ କାରଣରୁ ଖବର ଚ୍ୟାନେଲ୍ ତାକୁ ବୋକା ବନାଇବାକୁ ସୁଯୋଗ ପାଉଚି। ଦେଶରେ ହଜାରେ ସମସ୍ୟା ରହିଥିଲେ ବି ଚବିଶ ଘଣ୍ଟା ରିୟା କି କଙ୍ଗନା ପଛରେ ପଡ଼ିଚି; କ୍ଷମତାହୀନ ଗଣର ମାଧ୍ୟମ ହେବା ଛାଡ଼ି କ୍ଷମତାସୀନଙ୍କ ଓକିଲାତି କରୁଚି। ଏହା ହିଁ ତାକୁ ଅର୍ଥ ଦଉଚି; କ୍ଷମତା ଦଉଚି; ଟିଆର୍ପି ବି ଦଉଚି। ଯେତେବେଳେ ଅନ୍ୟଠୁ ତା’ର ଟିଆର୍ପି କମୁଚି, ନାନା ଫନ୍ଦିଫିକର କରୁଚି। ଟିଭି ଦେଖିବାକୁ ବି ଲୋକଙ୍କୁ ଲାଞ୍ଚ ଦଉଚି! ହଁ, ଏହା ହିଁ ସତ। ମୁମ୍ବଇ ପୁଲିସ୍ ଠିକ୍ ଏଇଆ ହିଁ କହିଚି। ଏଇଠୁ ଆରମ୍ଭ ହୋଇଚି ଟିଆର୍ପି ଖେଳ।
ନୂଆ ନୁହେଁ ଟିଆର୍ପି ଖେଳ
ଏବେ ତିିନିଟି ଟିଭି ଚ୍ୟାନେଲ୍ ଟିଆର୍ପି ମପାଯନ୍ତ୍ର (ବାର୍-ଓ-ମିଟର) ଲାଗିଥିବା ଘରର ଲୋକଙ୍କୁ ‘ତୁମେ ଦେଖ କି ନଦେଖ, ଆମ ଚ୍ୟାନେଲ୍ ଚାଲୁ କରି ରଖିଥିବ’ ବୋଲି କହି ଟଙ୍କା ଦେଇଛନ୍ତି, ଯେପରିକି ତାଙ୍କ ଟିଆର୍ପି ବଢ଼ିଯିବ। ମୁମ୍ବଇ ପୁଲିସ ଏହାର ପ୍ରମାଣ ପାଇବାପରେ ଏଇ ମାମଲାରେ ପାଞ୍ଚଜଣଙ୍କୁ ଗିରଫ କରିସାରିଚି। ଏମାନଙ୍କ ଭିତରେ ଅଛନ୍ତି ଅଭିଯୁକ୍ତ ଚ୍ୟାନେଲ୍ ଫଖ୍ତ ମରାଠୀ ଓ ବକ୍ସ ସିନେମାର ଦୁଇ ମାଲିକ, ହଂସା ରିସର୍ଚ ଗ୍ରୁପ୍ର ଜଣେ ପୂର୍ବତନ କର୍ମଚାରୀ। ଅନ୍ୟତମ ଅଭିଯୁକ୍ତ ଚ୍ୟାନେଲ୍ ରିପବ୍ଲିକ୍ ଟିଭିର କର୍ମକର୍ତ୍ତାଙ୍କୁ ପୁଲିସ୍ ଜେରା କରିଚି। ଏଇଠି ସୂଚାଇ ଦେବା ଆବଶ୍ୟକ ଯେ ହଂସା ରିସର୍ଚ ହେଉଛି ସେଇ କମ୍ପାନୀ ଯାହା ସାରା ଦେଶରେ ଲୋକଙ୍କ ଘରେ ବାର୍-ଓ-ମିଟର (ଆଗରୁ ଏହାକୁ କୁହାଯାଉଥିଲା ‘ପିପୁଲ୍ସ ମିଟର’) ଲଗାଇ ଟିଆର୍ପି ମାପିଥାଏ ଓ ତାକୁ ନେଇ ବ୍ରଡ଼କାଷ୍ଟ୍ ଅଡିଏନ୍ସ ରିସର୍ଚ କାଉନ୍ସିଲ୍ (ବାର୍କ) ଟିଭି ଚ୍ୟାନେଲ୍ ଓ ତା’ର କାର୍ଯ୍ୟକ୍ରମଗୁଡ଼ିକୁ ପ୍ରତି ସପ୍ତାହରେ ରେଟିଂ ଦେଇଥାଏ। ଯେଉଁ କାର୍ଯ୍ୟକ୍ରମ ବା ଚ୍ୟାନେଲ୍ ଅଧିକ ରେଟିଂ ପାଏ, ତାହା ସେତେ ଲୋକପ୍ରିୟ ଭାବେ ଗଣାଯାଏ। ବିଜ୍ଞାପନଦାତାଙ୍କ ପାଇଁ ମଧ୍ୟ ଲୋକପ୍ରିୟତା ଜାଣିବାର ଏହା ହିଁ ଏକମାତ୍ର ଉପାୟ। ତେଣୁ ସେମାନେ ଅଧିକ ଟିଆର୍ପି ହାସଲକାରୀ ଚ୍ୟାନେଲ୍କୁ ଅଧିକ ଟଙ୍କାର ବିଜ୍ଞାପନ ଦିଅନ୍ତି। ଏହା ହିଁ ଟିଆର୍ପି ଖେଳର ଅସଲ କାରଣ। ଅର୍ଥରୁ ଅନର୍ଥ। ନିକଟରେ ସୁପ୍ରିମକୋର୍ଟ କହିଥିଲେ ଯେ ଟିଭି ଚ୍ୟାନେଲ୍ଗୁଡ଼ିକ ଟିଆର୍ପି ପଛରେ ମାତିଛନ୍ତି; କାରଣ ତାହା ସେମାନଙ୍କପାଇଁ ବିଜ୍ଞାପନ-ଆକର୍ଷଣର ଏକ ମାଧ୍ୟମ।
ତେବେ ଟିଆର୍ପି ଖେଳ ଯେ ବହୁତ ପୁରୁଣା ଏହା ଅତୀତର କେତେକ ଘଟଣାରୁ ଜାଣିହେବ। ଟିଆର୍ପି ବିବାଦକୁ ନେଇ ୨୦୦୮ରେ ସଂସଦରେ ବେଶ୍ ବିତର୍କ ହୋଇଥିଲା। ସେତେବେଳେ ‘ଟ୍ୟାମ୍’ (ଟେଲିଭିଜନ ଅଡିଏନ୍ସ ମେଜର୍ମେଣ୍ଟ) ନାମକ ସଂସ୍ଥା ଟିଆର୍ପି ମାପିବା କାର୍ଯ୍ୟ କରୁଥିଲା। ବାରମ୍ବାର ଅଭିଯୋଗ ହୋଇଥିଲା ଯେ ଏହି ସଂସ୍ଥା ଅଳ୍ପ ‘ପିପୁଲ୍ସ ମିଟର’ ଲଗାଉଛି ଓ ସେଥିରେ ଅନିୟମିତତା କରୁଚି। ଏପରିକି ଏନ୍ଡିଟିଭି ଟ୍ୟାମ୍ ଓ ନିଲ୍ସନ ବିରୋଧରେ ମାମଲା ରୁଜୁ କରିଥିଲା। ତତ୍କାଳୀନ ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରିୟରଂଜନ ଦାସମୁନ୍ସି କହିଥିଲେ ଯେ ଟିଆର୍ପି ମପା ବ୍ୟବସ୍ଥା କେବଳ ତ୍ରୁଟିପୂର୍ଣ୍ଣ ନୁହେଁ, ଏହା ଷ୍ଟକ୍ ଏକ୍ସଚେଞ୍ଜ୍ ଓ କମ୍ପାନୀଗୁଡ଼ିକ ମଧ୍ୟରେ ଏକ ଖେଳ। ଏହି ବ୍ୟବସ୍ଥାରେ ଅଧିକ ସ୍ବଚ୍ଛତା ଆଣିବା ଜରୁରୀ (ଏବେ ଟିଆର୍ପି ଦୁର୍ନୀତି ପରେ ବର୍ତ୍ତମାନର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ମଧ୍ୟ ସେଇ ସମାନ କଥା କହିଛନ୍ତି)। ଏହାପରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ସେହିବର୍ଷ ଟେଲିକମ୍ େରଗୁଲେଟୋରି ଅଥରିଟି (ଟ୍ରାଇ)କୁ ରେଟିଂ ଏଜେନ୍ସିଗୁଡ଼ିକ ପାଇଁ ନୀତି ନିର୍ଦେଶାବଳୀ ଜାରି କରିବାକୁ କୁହାଯାଇଥିଲା। ଟ୍ରାଇ ଇଣ୍ଡଷ୍ଟ୍ରି-ନେତୃତ୍ବାଧୀନ ଏକ ସଂସ୍ଥା ଦ୍ବାରା ଆତ୍ମ-ନିୟନ୍ତ୍ରଣ ବ୍ୟବସ୍ଥା ସୃଷ୍ଟିକୁ ପ୍ରାଧାନ୍ୟ ଦେବାକୁ କହିଥିଲା, ଯେଉଁଥିରୁ ଜନ୍ମ ନେଇଥିଲା ବ୍ରଡ଼କାଷ୍ଟ୍ ଅଡିଏନ୍ସ ରିସର୍ଚ କାଉନ୍ସିଲ୍ (ବାର୍କ)। ଜୁଲାଇ ୨୦୧୦ରେ ବାର୍କ ଗଠିତ ହୋଇଥିଲେ ହେଁ ଏହା ତିନିବର୍ଷ ପରେ ୨୦୧୪ ଜାନୁଆରିରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ନିର୍ଦେଶାବଳୀ ଜାରି କରିଥିଲା ଏବଂ ବାର୍କ ୨୮ ଜୁଲାଇ ୨୦୧୫ରୁ କାର୍ଯ୍ୟ ଆରମ୍ଭ କରିଥିଲା। ସେହିଦିନଠାରୁ ଭାରତରେ ଏହା ଟିଭି ରେଟିଂ କାର୍ଯ୍ୟ କରିଆସୁଛି।
ଟ୍ୟାମ୍ ପରି ବାର୍କର କାର୍ଯ୍ୟଶୈଳୀ ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି, କାରଣ କୋଟିକୋଟି ଟିଭି ସେଟ୍ ଓ ଦର୍ଶକ ଥିବା ଏକ ଦେଶରେ ମାତ୍ର ୪୦,୦୦୦ ଟିଭି ସେଟ୍ରେ ମେସିନ୍ ଲଗାଇ ଟିଆର୍ପି ମାପୁଚି। ଏତିକି ନମୁନାରୁ କୋଟିକୋଟି ଲୋକଙ୍କ ପସନ୍ଦ ନାପସନ୍ଦ କଳିବା ନିଶ୍ଚିତ ଅସମ୍ଭବ। ତେଣୁ ମନେହୁଏ, ମୂଳରୁ ହିଁ ଏହା ଏକ ତ୍ରୁଟିପୂର୍ଣ୍ଣ ବ୍ୟବସ୍ଥା; କିନ୍ତୁ କେବଳ ଦୁର୍ନୀତିଗ୍ରସ୍ତ ଟିଭି ଚ୍ୟାନେଲ୍ ନୁହେଁ, ଏହି ଚ୍ୟାନେଲଗୁଡ଼ିକୁ ବୋଲକରା ବନାଇ ରାଜନୀତି କରୁଥିବା କ୍ଷମତାସୀନଙ୍କୁ ମଧ୍ୟ ବେଶ୍ ସୁହାଉଚି। ତେଣୁ ଏବେ ବି ସ୍ଥିତି ‘ଯଥାପୂର୍ବଂ ତଥାପରଂ’! ୨୦୧୮ରେ ମଧ୍ୟ ବାର୍କ ତା’ର ଜଣେ କର୍ମଚାରୀ ତଥ୍ୟଚୋରି କରିଥିବାରୁ ତା’ ବିରୋଧରେ ମୋକଦ୍ଦମା କରିଥିଲା।
ମୁମ୍ବଇ ପୁଲିସ ଟିଆର୍ପି ଦୁର୍ନୀତିକୁ ଲୋକଲୋଚନକୁ ଆଣିବାପରେ ବାର୍କ ଆସନ୍ତା ତିନି ମାସ କୌଣସି ନିଉଜ୍ ଚ୍ୟାନେଲ୍ର ରେଟିଂ କରିବ ନାହିଁ ବୋଲି ଘୋଷଣା କରିଚି ଏବଂ ଅଧିକ ନମୁନା ସଂଗ୍ରହ ପାଇଁ ବ୍ୟବସ୍ଥା କରିବ ବୋଲି ସଫେଇ ଦେଇଚି; କିନ୍ତୁ ଏହା ସମସ୍ତଙ୍କୁ ଜଣା ଯେ ଏହା ଆଦୌ କଥିତ ସମସ୍ୟାର ସମାଧାନ ପନ୍ଥା ନୁହେଁ ବା ଏହାଦ୍ବାରା ଟିଆର୍ପି ଦୁର୍ନୀତି ହଟିବାର ସମ୍ଭାବନା ନାହିଁ। ତେବେ ଏହାର କ’ଣ କିଛି ସମାଧାନ ଉପାୟ ନାହିଁ?
ସମାଧାନ ଅଛି ଡିଟିଏଚ୍ରେ
ଡାଇରେକ୍ଟ-ଟୁ-ହୋମ୍ ବା ଡିଟିଏଚ୍ ବ୍ୟବସ୍ଥା ଆସିବା ପରେ ଭାରତରେ ଟେଲିଭିଜନ ଇଣ୍ଡଷ୍ଟ୍ରିରେ ଏକ ନୂଆ ଯୁଗର ସୂତ୍ରପାତ ହୋଇଚି କହିଲେ ଅତ୍ୟୁକ୍ତି ହେବନାହିଁ। ଏହାର ସେଟ୍ଟପ୍ ବକ୍ସରେ ରେକର୍ଡିଂ ଭଳି ସୁବିଧା ସହଜରେ ଉପଲବ୍ଧ। ଜଣେ ଚାହିଁଲେ ଏଥିରେ ସହଜରେ କେତେ ସମୟ କାର୍ଯ୍ୟକ୍ରମ ଦେଖୁଚି, ତାହାକୁ ରେକର୍ଡ କରିପାରିବ। ଏହାଦ୍ବାରା ଜଣେ ଦର୍ଶକର ବ୍ୟକ୍ତିଗତ ଗୋପନୀୟତା ଭଙ୍ଗ ହେବାର ଆଶଙ୍କା ରହିଛି; ତେବେ ଏହାକୁ ‘ଏନ୍କ୍ରିପ୍ସନ’ ଭଳି ଆଧୁନିକ ସୁରକ୍ଷା ବ୍ୟବସ୍ଥାରେ ସୁରକ୍ଷିତ ରଖାଯାଇପାରେ।
ତଥ୍ୟ କହୁଚି, ୩୧ ଡିସେମ୍ବର ୨୦୧୯ ସୁଦ୍ଧା ଭାରତରେ ୬୯.୯୮ ନିୟୁତ ସକ୍ରିୟ ଡିଟିଏଚ୍ ସବ୍ସ୍କ୍ରାଇବର୍ ଥିଲେ। ଏହା ବ୍ୟତୀତ ଦୂରଦର୍ଶନର ଫ୍ରି ଡିଟିଏଚ୍ ବ୍ୟବହାରକାରୀଙ୍କ ସଂଖ୍ୟା ୫୦ ନିୟୁତ। ତେଣୁ ଏଥିରୁ ଅଳ୍ପ କେତେ ଶତାଂଶ ଡିଟିଏଚ୍ ଜରିଆରେ ଯଦି ଟିଆର୍ପି ମାପିବାର ବ୍ୟବସ୍ଥା କରାଯାଏ, ତେବେ ତା’ର ତଥ୍ୟକୁ ତ୍ରୁଟିଶୂନ୍ୟ ଓ ପ୍ରାମାଣିକ ହେବ େବାଲି କୁହାଯାଇପାରିବ। ଅନ୍ତତଃ ବର୍ତ୍ତମାନର ବ୍ୟବସ୍ଥାଠାରୁ ନିଶ୍ଚିତ ଭାବେ ଏହା ଅଧିକ ଗ୍ରହଣୀୟ ହୋଇପାରିବ। ବାର୍କ ବା ସରକାର ଏ ବିଷୟରେ ଚିନ୍ତା କରିବା ଜରୁରୀ।
ଟିଆର୍ପି ଖେଳ, ମିଡିଆର କାଳ
ଟିଆର୍ପିରେ ହେର୍ଫେର୍ କେବଳ ଆର୍ଥିକ ହେର୍ଫେର୍ ନୁହେଁ, ଲୋକଙ୍କ ସତ୍ୟ ଜାଣିବାର ଅଧିକାରକୁ ଚ୍ଛିନ୍ନ କରିବା ଭଳି ଅପରାଧ। ସତ୍ୟ ଖବର ଦେବାକୁ ଗଣମାଧ୍ୟମ ନୈତିକ ଓ ଆଇନଗତ ଭାବେ ବାଧ୍ୟ। ଯଦି ସେ ମିଥ୍ୟା/ମନଗଢ଼ା/ଅର୍ଦ୍ଧସତ୍ୟ/ସାମାଜିକ ବୈରତା ସୃଷ୍ଟିକାରୀ ଖବର ପରିବେଷଣ କରେ, ତେବେ ତାହା ସବୁଠୁ ବଡ଼ ଅପରାଧ; କିନ୍ତୁ ଆଜିର ଗଣମାଧ୍ୟମ ବିଶେଷତଃ ନିଉଜ୍ ଚ୍ୟାନେଲ୍ଗୁଡ଼ିକୁ ଦେଖିଲେ ମନେହେଉଚି ଯେ ସେଗୁଡ଼ିକ ଏବେ ଏହାକୁ ‘ନିଉ ନର୍ମାଲ୍’ (ନୂଆ କିନ୍ତୁ ସ୍ବାଭାବିକ) ବୋଲି ଧରିନେଇଚନ୍ତି। ନୀତିନୈତିକତାବର୍ଜିତ ବ୍ୟକ୍ତି ସମାଜ ପାଇଁ ଯେତେ ଘାତକ, ଗଣମାଧ୍ୟମ ପରି ଅନୁଷ୍ଠାନ ସେପରି ହେବା ତା’ଠାରୁ ଲକ୍ଷେଗୁଣ ଅଧିକ ଘାତକ। ଟିଆର୍ପି ଖେଳ କେବଳ ସମାଜ ନୁହେଁ, ଖୋଦ୍ ଗଣମାଧ୍ୟମ ପାଇଁ ବି କାଳ ସାଜିଲାଣି, ଏହା ବୁଝିବା ଜରୁରୀ। ଯେଉଁ ବିଜ୍ଞାପନ ପାଇଁ ଟିଆର୍ପି ବଢ଼ାଇବା କାରସାଦି କରିବାରେ ଏମାନେ ବ୍ୟସ୍ତ, ସେଇ ବିଜ୍ଞାପନ ଦେଉଥିବା ଲୋକେ ମଧ୍ୟ ଏବେ କହିଲେଣି ଯେ ଯେଉଁମାନେ ସାମାଜିକ ସଂହତି ନଷ୍ଟ କରିବା ଭଳି ଖବର ପ୍ରସାରଣ କରୁଚନ୍ତି, ହିଂସା ଉଦ୍ରେକକାରୀ ଭାଷା କହୁଚନ୍ତି, ସେମାନଙ୍କୁ ବିଜ୍ଞାପନ ଦିଆଯିବ ନାହିଁ। ବଜାଜ୍ ଅଟୋ, ଅମୁଲ୍, ପାର୍ଲେ-ଜି ଭଳି ଦେଶର ପ୍ରତିଷ୍ଠିତ କମ୍ପାନୀଗୁଡ଼ିକ ରିପବ୍ଲିକ୍ ଟିଭି ସମେତ ଟିଆର୍ପି ଦୁର୍ନୀତିରେ ସଂପୃକ୍ତ ଚ୍ୟାନେଲ୍ଗୁଡ଼ିକୁ ବିଜ୍ଞାପନ ଦେବେ ନାହିଁ ବୋଲି ଘୋଷଣା କରିଚନ୍ତି। ବିଜ୍ଞାପନଦାତା କମ୍ପାନୀଗୁଡ଼ିକର ଏହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ଆଶା, ଏଥିରୁ ନିଉଜ୍ ଚ୍ୟାନେଲ୍ଗୁଡ଼ିକ ଶିକ୍ଷା ଗ୍ରହଣ କରିବେ। କେବଳ ବିଜ୍ଞାପନଦାତା ନୁହନ୍ତି, ବଲିଉଡ଼ର ୩୭ ଜଣ ପ୍ରଯୋଜକ ଏବଂ ଅନ୍ୟ କେତେକ ବୁଦ୍ଧିଜୀବୀ ମଧ୍ୟ ଦୁଇଟି ନିଉଜ୍ ଚ୍ୟାନେଲ୍ ଓ ତା’ର ସଂପାଦକଙ୍କ ବିରୋଧରେ ଅଦାଲତ ଗଲେଣି।
ଅବଶ୍ୟ କିଛି ବିଜ୍ଞାପନ ପାଇଁ ଯେ କ୍ଷମତାସୀନଙ୍କ ପୋଷା ମାନିଥିବା ଚ୍ୟାନେଲ୍ଗୁଡ଼ିକ ଖବର ନାଁରେ ମନୋରଞ୍ଜନ ପରଷିବେ ନାହିଁ, ତା’ର ସମ୍ଭାବନା କମ୍; କାହିଁକିନା ଯେଉଁମାନଙ୍କୁ ଏସବୁରେ ସଂପାଦକ କରି ବସାଇ ଦିଆଯାଇଚି ସେମାନେ ସଂପାଦକ କମ୍, ବ୍ୟବସାୟୀ ବେଶି। ଖବରକୁ ତାମସା ଭାବେ ଉପସ୍ଥାପିତ କରିବାର ଏହି ବିକୃତ ଶୈଳୀ ଆରମ୍ଭ ହୋଇଥିଲା ନବେ ଦଶକର ଆରମ୍ଭରେ। ଇଂରେଜୀ ଚ୍ୟାନେଲ୍ ସିଏନ୍ଏନ୍ କୁଏତ୍ ଉପରେ ଇରାକ୍ର ଆକ୍ରମଣକୁ ସିଧାପ୍ରସାରଣ କରି ଖବରକୁ ଏକପ୍ରକାର ମନୋରଞ୍ଜନଧର୍ମୀ କରିଦେଇଥିଲା। ସିଏନ୍ଏନ୍ର ଏହି ମଡେଲ୍ ଏବେ ଅନେକଙ୍କର ଆଦର୍ଶ। ଏହାପରେ ମିଡିଆ ମୋଗଲ୍ ରୁପର୍ଟ ମର୍ଡୋକ୍ ୧୯୯୬ରେ ଫକ୍ସ ନିଉଜ୍ ପ୍ରତିଷ୍ଠା ପରେ ସଂପାଦକଙ୍କ ବଦଳରେ ଖବର ପରିଚାଳକମାନଙ୍କୁ ନିଯୁକ୍ତି ଦେଲେ, ଯେଉଁମାନେ ସଂପାଦନା ବଦଳରେ ଖବର ଗଢ଼ିବାରେ ଓ ତା’ର ବଜାରୀକରଣରେ ବେଶି ଦକ୍ଷ ଥିଲେ। ଏମାନେ ଖବରକୁ ବି ବଜାରୀ କରିଦେଲେ। ଭାରତରେ ମଧ୍ୟ ଏହା ଦେଖିବାକୁ ମିଳିଲା। ନିଉଜ୍ ଚ୍ୟାନେଲ୍ର ଆଙ୍କର୍ କେବଳ ବଜାରୀ ହେଲାନାହିଁ, ନେତା ପାଲଟିଗଲା; ମୁଖପାତ୍ର ହେଲା। ପ୍ରାଇମ୍ ଟାଇମ୍ରେ ନେତାଙ୍କ ପରି ଜଣକର ପକ୍ଷ ନେଇ ଗର୍ଜନତର୍ଜନ କଲା; ସାମାନ୍ୟ କଥାରେ ଜଣକୁ ଦେଶଦ୍ରୋହୀ ସଜାଇବାକୁ ଚେଷ୍ଟା କଲା; ଚୀନ-ପାକିସ୍ତାନ କଥା କହୁକହୁ ହାତରେ ବନ୍ଧୁକ (ଖେଳନା ହେଉପଛେ) ଧରି ଡରାଇଲା; ଶାସକର ଗୁଣଗାନ କରୁକରୁ ଆପଣା କର୍ତ୍ତବ୍ୟକୁ ବି ଭୁଲିଗଲା; ନିଜ ଇଜ୍ଜତକୁ ବି ପୋଡ଼ି ଖାଇଲା। ପ୍ରାୟ ଶହେବର୍ଷ ତଳେ ବିଖ୍ୟାତ ସାମ୍ବାଦିକ ୱାଲ୍ଟର ଲିପ୍ମ୍ୟାନ ଯେଉଁ ‘ସମ୍ମତି ନିର୍ମାଣ’ କଥା କହିଥିଲେ, ତାହା ଏବେ ‘ଖବର ନିର୍ମାଣ’ରେ ପହଞ୍ଚି ସାରିଚି। ପାଠକ/ଦର୍ଶକଙ୍କୁ ଅନ୍ଧାରରେ ରଖିବାର ଫିକର ବଢ଼ିଚି। ଖବର ନାଁରେ ଏ ମନୋରଂଜନ ଶିଳ୍ପ ଚାଲିବାରେ ଏହାର ଉପଭୋକ୍ତା ଯେ ବେଶି ଦାୟୀ, ସେଥିରେ ଆଦୌ ସନ୍ଦେହ ନାହିଁ। ସେମାନେ ଯେପର୍ଯ୍ୟନ୍ତ ଏହାକୁ ନାକଚ କରିନାହାନ୍ତି, ସେପର୍ଯ୍ୟନ୍ତ କୌଣସି ନା କୌଣସି ରୂପରେ ଟିଆର୍ପି ଖେଳ ଚାଲିବ।
ଟିଆର୍ପି : କିଛି ତଥ୍ୟ
ଟିଆର୍ପି କ’ଣ?
ଟିଆର୍ପି ବା ଟେଲିଭିଜନ ରେଟିଂ ପଏଣ୍ଟ୍ ଏପରି ଏକ ବ୍ୟବସ୍ଥା, ଯାହା ଜରିଆରେ କୌଣସି ଟିଭି କାର୍ଯ୍ୟକ୍ରମ ବା ଚ୍ୟାନେଲ୍ର ଲୋକପ୍ରିୟତା କେତେ ତାହା ନିର୍ଦ୍ଧାରିତ ହୋଇଥାଏ। ଲୋକେ ସଂପୃକ୍ତ କାର୍ଯ୍ୟକ୍ରମ ବା ଚ୍ୟାନେଲ୍କୁ କେତେ ସମୟ ଦେଖିବା ପାଇଁ ଦେଉଛନ୍ତି, ତାହା ମଧ୍ୟ ଜଣାପଡ଼େ। ସରଳ ଭାଷାରେ କହିଲେ ଯେଉଁ ଚ୍ୟାନେଲ୍ ବା କାର୍ଯ୍ୟକ୍ରମ ଯେତେ ଲୋକପ୍ରିୟ, ତା’ର ସେତିକି ଟିଆର୍ପି ଅଧିକ ହେବ; କିନ୍ତୁ କୋଟିକୋଟି ଦର୍ଶକଙ୍କ ଦେଶ ଭାରତରେ ମାତ୍ର ୪୪୦୦୦ ଟିଭି ସେଟ୍ରୁ ଟିଆର୍ପି ମାପିବା ତ୍ରୁଟିପୂର୍ଣ୍ଣ ବ୍ୟବସ୍ଥା ମନେହୁଏ।
ଟିଆର୍ପି କିଏ ହିସାବ କରେ?
ବ୍ରଡ଼କାଷ୍ଟ୍ ଅଡିଏନ୍ସ ରିସର୍ଚ କାଉନ୍ସିଲ୍ ବା ବାର୍କ ନାମକ ସଂସ୍ଥା ଟିଆର୍ପି ହିସାବ କରିଥାଏ। ଏହା ଏକ ସାମୂହିକ ସଂଗଠନ, ଯାହାକୁ ବିଜ୍ଞାପନଦାତା, ବିଜ୍ଞାପନ ଏଜେନ୍ସି ଓ ବ୍ରଡକାଷ୍ଟିଂ କମ୍ପାନୀ ଚଳାଇଥାନ୍ତି। ସମଗ୍ର ଦେଶରେ ଏହା ବାର୍-ଓ-ମିଟରମାନ ଲଗାଇ ଚ୍ୟାନେଲ୍ ବା ନିର୍ଦିଷ୍ଟ କାର୍ଯ୍ୟକ୍ରମର ଲୋକପ୍ରିୟତା ମାପିଥାଏ। ବାର୍କ ସାରାଦେଶରେ ୪୪,୦୦୦ ମିଟର୍ ଲଗାଇଥିବା କହୁଚି।
ଟିଆର୍ପି ରେଟିଂ କିଭଳି ନିର୍ଦ୍ଧାରିତ ହୁଏ?
ବର୍ତ୍ତମାନ ଭାରତରେ କୋଟିକୋଟି ଟିଭି ସେଟ୍ ଅଛି; କିନ୍ତୁ ଟିଆର୍ପି କିଭଳି ନିର୍ଦ୍ଧାରିତ ହୁଏ, ଏହା ଜାଣିବା ଜରୁରୀ। ଏହା ଜାଣିବାପାଇଁ ନମୁନା ଭାବେ ନିର୍ଦ୍ଧାରିତ ସହର, ଗାଁର ଘରଗୁଡ଼ିକରେ ଟିଆର୍ପି ମପାଯାଉଥିବା ‘ପିପୁଲ୍ ମିଟର’ ବା ‘ବାର୍-ଓ-ମିଟର୍’ ଲଗାଯାଏ। ଏହାକୁ ସଂପୃକ୍ତ ଘରଗୁଡ଼ିକର ଟିଭି ସେଟ୍ ସହ ସଂଯୋଗ କରାଯାଏ। ଟିଭି ସେଟ୍ରେ କେଉଁ କାର୍ଯ୍ୟକ୍ରମ କେତେ ସମୟ ଦେଖାଯାଉଛି, ଏଥିରେ ରେକର୍ଡ ହୋଇ ରହେ। ଯେଉଁ ଘରେ ଏହା ଲାଗିଥାଏ, ସେଠାକାର ସଦସ୍ୟ ଏକ ଭିଉଅର୍ ଆଇଡି ବଟନ ଦବାଇ ଟିଭି ଖୋଲେ ଓ ବନ୍ଦ କରିଥାଏ। ଏଇଥିରୁ ଟିଆର୍ପି ନିର୍ଦ୍ଧାରିତ ହୋଇଥାଏ। ଏହାର ଡେଟା ବା ତଥ୍ୟକୁ ଗୋପନୀୟ ରଖାଯାଏ।
ଏହା ବ୍ୟତୀତ ପିକ୍ଚର ମ୍ୟାଚିଙ୍ଗ୍ ଓ ଅଡିଓ ୱାଟରମାର୍କ ଭଳି ପ୍ରଯୁକ୍ତିରେ ମଧ୍ୟ ଏହି ନମୁନା ସଂଗୃହୀତ ହୁଏ। ଗୋଟିଏ କଥା ବୁଝିବା ଜରୁରୀ ଯେ ଏହି ବ୍ୟବସ୍ଥାରେ ଯଦି କୌଣସି ଚ୍ୟାନେଲ୍ କମ୍ ଟିଭି ସେଟ୍ରେ ବେଶି ସମୟ ଧରି ଦେଖାଯାଉଛି, ତେବେ ତା’ର ଟିଆର୍ପି ଅଧିକ ଟିଭି ସେଟ୍ରେ ଦେଖାଯାଉଥିବା ଅନ୍ୟ ଚ୍ୟାନେଲ୍ଠାରୁ ବେଶି ହୋଇପାରେ।
ଟିଆର୍ପି ଦୌଡ଼ କାହିଁକି?
ଆଜିକାଲି ଟିଭି ଚ୍ୟାନେଲ୍, ବିଶେଷକରି ନିଉଜ୍ ଚ୍ୟାନେଲ୍ଗୁଡ଼ାକରେ ଯେଉଁ ତଣ୍ଟିକଟା ପ୍ରତିଯୋଗିତା ଚାଲିଛି ସେଥିପାଇଁ ଏହି ଟିଆର୍ପି ଦୌଡ଼ ବେଶି ଦାୟୀ; କାରଣ ଏଥିସହ ସିଧାସଳଖ ରାଜସ୍ବ ବା ଅର୍ଥର ସମ୍ପର୍କ ରହିଛି। ଯେଉଁ ଚ୍ୟାନେଲ୍ ଯେତିକି ଅଧିକ ଟିଆର୍ପି ହାସଲ୍ କଲା, ସେ ବିଜ୍ଞାପନଦାତାଙ୍କଠାରୁ ସେତିକି ଅଧିକ ବିଜ୍ଞାପନ ପାଏ ଏବଂ ବିଜ୍ଞାପନ ଅଧିକ ପାଇଲେ ସ୍ବାଭାବିକ ଭାବେ ତାକୁ ରାଜସ୍ବ ମଧ୍ୟ ଅଧିକ ମିଳେ। ତେଣୁ ନିଉଜ୍ ଚ୍ୟାନେଲ୍ଗୁଡ଼ିକ ଟିଆର୍ପି ଦୌଡ଼ରେ ଆଗରେ ରହିବାକୁ ନାନା ଫନ୍ଦିଫିକର କରୁଛନ୍ତି। ଏପରିକି ପଛରେ ପଡ଼ିଥିବା ଉଚ୍ଚାଭିଳାଷୀମାନେ ଟିଆର୍ପି ହାତେଇବାକୁ ଲୋକଙ୍କୁ ଲାଞ୍ଚ ଦେଇ ତାଙ୍କ ଚ୍ୟାନେଲ୍ ଦେଖିବାକୁ କହୁଛନ୍ତି। ଏବେ ଏପରି ଘଟଣାର ପ୍ରମାଣ ମିଳିବା ପରେ ମୁମ୍ବଇ ପୁଲିସ୍ ମାମଲା ରୁଜୁ କରିବା ସହ ଏହି ରିପୋର୍ଟ ଲେଖାଯିବା ବେଳ ସୁଦ୍ଧା ଏଥିସହ ସଂପୃକ୍ତ ପାଞ୍ଚ ଜଣଙ୍କୁ ଗିରଫ କରିସାରିଛି। ଟିଆର୍ପିରେ ସବାଆଗରେ ରହିଛି ବୋଲି ବାହାସ୍ଫୋଟ ଦେଖାଇଆସୁଥିବା ରିପବ୍ଲିକ୍ ଟିଭିର କର୍ମକର୍ତ୍ତାଙ୍କୁ ମଧ୍ୟ ପୁଲିସ୍ ପଚରାଉଚୁରା କରିଛି।
0 comments:
Post a Comment