ଊଣେଇଶ ନିର୍ବାଚନ: ମେଣ୍ଟ ସରକାର ମନ୍ଦ ନୁହେଁ

Leave a Comment



ଭାରତକୁ ସ୍ଥିର, ଦୃଢ଼ ନିଷ୍ପତ୍ତି ଗ୍ରହଣରେ ସମର୍ଥ ସରକାର ଦରକାର, ଯାହା ସଂଖ୍ୟାଗରିଷ୍ଠ ମତଦ୍ବାରା କ୍ଷମତାପ୍ରାପ୍ତ ହୋଇଥିବ...କାରଣ ଦୁର୍ବଳ ସରକାର କଠିନ ନିଷ୍ପତ୍ତି ନେବାରେ ଅସମର୍ଥ ହୁଏ ଏବଂ ଭାରତକୁ ଅଗ୍ରଗାମୀ କରିବାକୁ ହେଲେ କଠିନ ନିଷ୍ପତ୍ତି ନେବାକୁ ପଡ଼ିବ।.....ଅସ୍ଥିର ସରକାର (ମେଣ୍ଟ) ଅଧିକ ଭଙ୍ଗୁର ଓ ଦୁର୍ନୀତିପ୍ରବଣ ଏବଂ ସ୍ଥାନୀୟ ଓ ଆଞ୍ଚଳିକ ରାଜନୀତିକ ସ୍ବାର୍ଥରକ୍ଷା ପ୍ରତି ଆଗ୍ରହୀ।
ଅଲ୍‌ ଇଣ୍ଡିଆ ରେଡିଓ (ଏଆଇଆର୍‌) ପକ୍ଷରୁ ଆୟୋଜିତ ସର୍ଦ୍ଦାର ପଟେଲ ସ୍ମୃତି ବ୍ୟାଖ୍ୟାନମାଳାରେ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍ଏସ୍ଏ) ଅଜିତ ଡୋଭାଲଙ୍କ ଏଇ ରାୟ ଏଇଥିପାଇଁ ମହତ୍ତ୍ବପୂର୍ଣ୍ଣ ଯେ ସେ କୌଣସି ସାଧାରଣ ବ୍ୟକ୍ତି ନୁହନ୍ତି। ୨୦୧୬ରେ ତାଙ୍କୁ ବ୍ଲୁମ୍ସବର୍ଗ ତା’ର ଏକ ରିପୋର୍ଟରେ ‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରେ ଭାରତର ସର୍ବାଧିକ କ୍ଷମତାଶାଳୀ ବ୍ୟକ୍ତି’ ବୋଲି ଯେଉଁ ଆଖ୍ୟା ଦେଇଥିଲା, ତାହା ଏବେ ଆଉ ଅତିରଞ୍ଜିତ ମନେହେଉନାହିଁ, କାରଣ ଏଇ ଅବସରପ୍ରାପ୍ତ ଆଇପିଏସ୍ ଅଧିକାରୀ କେବଳ ଏନ୍ଏସ୍ଏ ନୁହନ୍ତି, ଅକ୍ଟୋବର ୯ରେ ମୋଦୀ ତାଙ୍କୁ ‘ଷ୍ଟ୍ରାଟେଜିକ୍ ପଲିସି ଗ୍ରୁପ୍’ର ମୁଖ୍ୟ ଭାବେ ନିଯୁକ୍ତି ଦେଇଛନ୍ତି। ସୂଚନା ଅନୁଯାୟୀ, ଏବେ କ୍ୟାବିନେଟ୍ ସଚିବ, ତିନି ସାମରିକ ମୁଖ୍ୟ ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର୍ ମଧ୍ୟ ଡୋଭାଲଙ୍କୁ ରିପୋର୍ଟ କରିବେ। ଶ୍ରୀ ଡୋଭାଲ କେବଳ ଅମଲାତାନ୍ତ୍ରିକ ନିଷ୍ପତ୍ତି ନୁହେଁ, ମୋଦୀ ସରକାରଙ୍କ ପାଇଁ ରାଜନୀତିକ ଓ ସାମ୍ବିଧାନିକ ନିଷ୍ପତ୍ତି ନେଉଥିବା ଜଣେ ମହାପ୍ରତାପୀ ବ୍ୟକ୍ତି, ଏହା କାହାକୁ ଅଛପା ନୁହେଁ। ‘ବିରାଟ ବାହୁବଳେ କୀଚକ ରାଜା’ ଅବସ୍ଥା ହୋଇଥିବାରୁ ଶ୍ରୀ ଡୋଭାଲଙ୍କ ‘ମୋଦୀଭକ୍ତି’ ଆଦୌ ଅସ୍ବାଭାବିକ ମନେହୁଏନା, ଯେଉଁଥିପାଇଁ ସେ ପରୋକ୍ଷରେ ଶ୍ରୀ ମୋଦୀଙ୍କୁ ଆଗାମୀ ଦଶବର୍ଷ କ୍ଷମତା ଅର୍ପଣ କରିବାକୁ ଓକିଲାତି କରୁଛନ୍ତି। ଏଥିରେ ଆମର କିଛି କହିବାର ନାହିଁ; କିନ୍ତୁ ସେ ଯାହା କହିଛନ୍ତି, ତା’ର ସତ୍ୟତା କେତେ? ସଂଖ୍ୟାଗରିଷ୍ଠ ମତଯୁକ୍ତ ସରକାର ପ୍ରକୃତରେ କ’ଣ ଦେଶର ସବୁଠୁ ବେଶି ଉନ୍ନତି କରିଛି ଓ ମେଣ୍ଟ ସରକାରଗୁଡ଼ିକ କ’ଣ ଦେଶକୁ ରସାତଳକୁ ଠେଲିଦେଇଛନ୍ତି? ଆଗାମୀ ଊଣେଇଶ ନିର୍ବାଚନ ପରିପ୍ରେକ୍ଷୀରେ ଏହି ପ୍ରଶ୍ନ ଅଧିକ ପ୍ରାସଙ୍ଗିକ ହୋଇଉଠେ।
ଆମ ଭିତରୁ ଅନେକଙ୍କର ଧାରଣା ଯେ କେବଳ ସ୍ଥିର, ମଜଭୁତ, ପୂର୍ଣ୍ଣ ସଂଖ୍ୟାଗରିଷ୍ଠ ମତ ହାସଲ କରିଥିବା ସରକାର ହିଁ ଦେଶର ‘ବିକାଶ’ କରିପାରିବ; ମେଣ୍ଟ ସରକାର ଅସ୍ଥିର, ଅନିଶ୍ଚିତ, ନିଷ୍ପତ୍ତି-ଅକ୍ଷମ, ଭ୍ରଷ୍ଟ। ତେଣୁ ଡୋଭାଲ ମହାଶୟ ଯାହା କହିଲେ ତାହା ଆଦୌ ନୂଆ ନୁହେଁ ବା ସେ ଏହି ‘ମିଥ୍’ର ସ୍ରଷ୍ଟା ନୁହନ୍ତି। ଏହାର ପ୍ରକୃତ ଉଦ୍ଭାବକ ହେଲା ଭାରତୀୟ ଜାତୀୟ କଂଗ୍ରେସ, ଯିଏ ଦୀର୍ଘ ପାଞ୍ଚ ଦଶନ୍ଧିରୁ ଊର୍ଦ୍ଧ୍ବକାଳ ଧରି କ୍ରମାଗତ ‘ସ୍ଥିର’ ସରକାର ଗଢ଼ିଆସିଥିଲା, କେବଳ ସତୁରି ଦଶକର କେଇବର୍ଷ ବ୍ୟତୀତ। ୧୯୮୪-୮୯ ଲୋକସଭାରେ ତ ନିରଙ୍କୁଶ ଗାନ୍ଧୀ ପରିବାରକୁ ପ୍ରାୟ ୮୦ ଶତାଂଶ ପର୍ଯ୍ୟନ୍ତ ଭୋଟ ମିଳିଯାଇଥିଲା। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା, କେବଳ କେନ୍ଦ୍ର ନୁହେଁ, ଅଧିକାଂଶ ରାଜ୍ୟରେ ମଧ୍ୟ ଗୋଟିଏ ଦଳ କଂଗ୍ରେସର ହିଁ ଏକାଧିପତ୍ୟ ଶାସନ ଚାଲିଥିଲା ଏବଂ ଅନନ୍ତ କାଳ ଯାଏଁ ସେପରି ଚାଲୁ ରହିବା ଉଚିତ ବୋଲି ସେମାନେ ଚାହୁଁଥିଲେ; କିନ୍ତୁ, ୧୯୮୯ରେ ରାଜୀବ ଗାନ୍ଧୀଙ୍କ ପରାଜୟ ସହିତ ଆରମ୍ଭ ହେଲା ଦେଶରେ ମେଣ୍ଟ ସରକାରର ଯୁଗ, ଯାହା ୨୦୧୪ ପର୍ଯ୍ୟନ୍ତ, ଅର୍ଥାତ ଦୀର୍ଘ ୨୫ ବର୍ଷ ଯାଏଁ ବଳବତ୍ତର ରହିଲା। ତେବେ ସ୍ଥିର-ମଜବୁତ-ନିଷ୍ପତ୍ତିତତ୍ପର କଂଗ୍ରେସ ସରକାର କ’ଣ ସଂଖ୍ୟାଲଘୁ ମେଣ୍ଟ ସରକାର ଅପେକ୍ଷା ଦେଶର ‘ଅଭିବୃଦ୍ଧି’ ଅଧିକ କରିପାରିଥିଲା? ଆର୍ଥିକ ପରିସଂଖ୍ୟାନ କହୁଛି ‘ନା’। ପ୍ରକୃତରେ ପ୍ରଥମ ପାଞ୍ଚଟି ଲୋକସଭା (ଯେତେବେଳେ କଂଗ୍ରେସ ୭୦ ଶତାଂଶ ଆସନର ଅଧିକାରୀ) ସମୟରେ ଦେଶର ସାମଗ୍ରିକ ଅଭିବୃଦ୍ଧି ହାର ଥିଲା ମାତ୍ର ୩.୬ ଶତାଂଶ; ଯାହା ମେଣ୍ଟ ସରକାରଗୁଡ଼ିକର ଅଭିବୃଦ୍ଧି ହାରଠାରୁ ପ୍ରାୟ ଅଧା। ବିଶେଷତଃ ଅଟଳ ବିହାରୀ ବାଜପେୟୀଙ୍କ ୧୩ଟି ଦଳଙ୍କୁ ନେଇ ଗଠିତ ଏନଡିଏ ଏବଂ ମନମୋହନ ସିଂହଙ୍କ ନେତୃତ୍ବରେ ଦୁଇ ପର୍ଯ୍ୟାୟରେ ଯଥାକ୍ରମେ ୧୧ ଓ ୧୪ଟି ଦଳଙ୍କୁ ନେଇ ଗଠିତ ୟୁପିଏ ସରକାର ଦେଶର ଇତିହାସରେ ସର୍ବାଧିକ ୬.୪ ଶତାଂଶ ହାରାହାରି ଅଭିବୃଦ୍ଧି ହାସଲ କରିଥିଲେ। କେବଳ ସେତିକି ନୁହେଁ, ୧୯୮୯-୨୦୧୪ ଭିତରେ ପୂର୍ବାପେକ୍ଷା ଆର୍ଥିକ ଅସ୍ଥିରତା ମଧ୍ୟ ହ୍ରାସ ପାଇଥିଲା।
ଜାଣି ଆଶ୍ଚର୍ଯ୍ୟ ହେବାକୁ ପଡ଼େ ଯେ ଭାରତର ଆର୍ଥିକ ସଂସ୍କାର ସେତେବେଳେ ଶୀର୍ଷରେ ପହଞ୍ଚିଥିଲା, ଯେତେବେଳେ ସ୍ଥିର ଓ ସଂଖ୍ୟାଗରିଷ୍ଠ ସରକାରଗୁଡ଼ିକର ପତନ ଘଟିଲା। କଂଗ୍ରେସର ପତନ ପରେ ପ୍ରଥମ ସରକାର ଥିଲା ଭି.ପି. ସିଂହଙ୍କ ମେଣ୍ଟ ସରକାର (୧୯୮୯)। ଏହା ଅଳ୍ପକାଳ ତିଷ୍ଠିଥିଲା। କଂଗ୍ରେସର ବାହ୍ୟ ସମର୍ଥନରେ ସଂପୂର୍ଣ୍ଣ ନିର୍ଭରଶୀଳ ଚନ୍ଦ୍ରଶେଖରଙ୍କ ସାତମାସିଆ ସରକାର (୧୯୯୦-୯୧) ଋଣ ପରିଶୋଧ ପାଇଁ ଦେଶର ସୁନାକୁ ବିଦେଶ ପଠାଇବା ଭଳି ନିଷ୍ପତ୍ତି ନେବା ନିଶ୍ଚିତଭାବେ କମ୍ ସାହସର କଥା ନଥିଲା। ସେହିପରି ଦେଶରେ ପ୍ରଥମ ଆର୍ଥିକ ସଂସ୍କାର ଆରମ୍ଭ ହୋଇଥିଲା ପି.ଭି. ନରସିଂହ ରାଓଙ୍କ ସରକାର (୧୯୯୧-୯୬) ଅମଳରେ, ଯାହା ଏ ପର୍ଯ୍ୟନ୍ତ ଜାରି ରହିଛି କହିଲେ ଚଳେ। ସେହି ସରକାର ସଂଖ୍ୟାଗରିଷ୍ଠ ମତର ସରକାର ନଥିଲା, ବରଂ ବହୁତ ଦୁର୍ବଳ ଓ ଅଳ୍ପମତବିଶିଷ୍ଟ ଥିଲା। ୧୯୯୬ରେ ଶ୍ରୀ ରାଓଙ୍କ ପରାଜୟ ପରେ ଆଠବର୍ଷ ଭିତରେ ଦେଶକୁ ତିନିଟି ନିର୍ବାଚନର ସମ୍ମୁଖୀନ ହେବାକୁ ପଡ଼ିଲା। ଏଚ୍.ଡି. ଦେୱେଗୌଡ଼ା ଓ ଆଇ.କେ. ଗୁଜରାଲଙ୍କ ଅଳ୍ପାୟୁ ସରକାରଙ୍କ ବ୍ୟତୀତ ୟା’ ଭିତରେ ଥିଲା ବାଜପେୟୀଙ୍କ ୧୩ ଦିନିଆ, ପ୍ରାୟ ବର୍ଷିକିଆ ଓ ସଂପୂର୍ଣ୍ଣ କାର୍ଯ୍ୟକାଳ ବିଶିଷ୍ଟ ତିନିଟି ସରକାର। ନରସିଂହରାଓ ସରକାରଙ୍କ ଅର୍ଥମନ୍ତ୍ରୀ ମନମୋହନ ସିଂହ ଯେଉଁ ପ୍ରଥମ ସଂସ୍କାରବାଦୀ ବଜେଟ୍ (ନୂଆ ଆର୍ଥିକ ନୀତି ୧୯୯୧) ଉପସ୍ଥାପିତ କରିଥିଲେ, ତାହା ଭାରତକୁ ଏକ ଗଭୀର ଆର୍ଥିକ ଅନ୍ଧକାରମୟ ଗର୍ତ୍ତ ଭିତରୁ ଉଦ୍ଧାର କରିଥିଲା କହିଲେ ଅତ୍ୟୁକ୍ତି ହେବନାହିଁ। ଏହି ସରକାର ହିଁ ଥିଲା ‘ଲୁକ୍ ଇଷ୍ଟ୍’ ନୀତିର ଜନକ, ଯାହାକୁ ପରେ ବାଜପେୟୀ ଓ ମନମୋହନ ସିଂହଙ୍କ ସରକାର ଆଗକୁ ବଢ଼ାଇବାକୁ ଉଦ୍ୟମ କରିଥିଲେ। ଏହି କ୍ରମରେ ଶ୍ରୀ ରାଓ ଭାରତର ବିଦେଶ ନୀତିକୁ ଦକ୍ଷିଣ-ପୂର୍ବ ଏସୀୟ ଦେଶସମୂହ, ଯୁକ୍ତରାଷ୍ଟ୍ର ଆମେରିକା, ଇରାନ ଓ ଇସ୍ରାଏଲ ଭଳି ମଧ୍ୟପୂର୍ବ ରାଷ୍ଟ୍ରକୁ ପରିବ୍ୟାପ୍ତ କରିଥିଲେ। ଏହି ସରକାର ଭାରତର ପରମାଣୁ କାର୍ଯ୍ୟକ୍ରମକୁ ଆଗକୁ ବଢ଼ାଇବାରେ ଉଲ୍ଲେଖନୀୟ ଭୂମିକା ତୁଲାଇଥିଲା (ଏହି କାରଣରୁ ବାଜପେୟୀ ଶ୍ରୀ ରାଓଙ୍କୁ ଭାରତର ପରମାଣୁ କାର୍ଯ୍ୟକ୍ରମର ‘ପ୍ରକୃତ ଜନକ’ ଆଖ୍ୟା ଦେଇଥିଲେ)। ସେହିପରି ଗଣମାଧ୍ୟମ ଯାହାକୁ ‘ସ୍ବପ୍ନର ବଜେଟ୍’ (ଡ୍ରିମ୍ ବଜେଟ୍) ଭାବେ ଆଖ୍ୟାୟିତ କରିଥିଲା, ତାହା ଥିଲା ଦେୱେଗୌଡ଼ାଙ୍କ ଦଶମାସିଆ ମେଣ୍ଟ ସରକାର(୧୯୯୬-୯୭)ର ଅବଦାନ। ଅର୍ଥମନ୍ତ୍ରୀ ପି ଚିଦମ୍ବରମ ଏହି ବଜେଟ ମାଧ୍ୟମରେ ଭାରତର ଆର୍ଥିକ ସଂସ୍କାର ପାଇଁ ଏକ ରୋଡମ୍ୟାପ୍ ପ୍ରସ୍ତୁତ କରିଥିଲେ। ବ୍ୟାପକ ଟିକସ ହାର ହ୍ରାସ, ସ୍ବେଚ୍ଛାକୃତ ଆୟ ଘୋଷଣା ଯୋଜନା (ଭିଡିଆଇଏସ୍) କରିବା ସହ ଏହି ସରକାର ସମୟରେ ରାଷ୍ଟ୍ରୀୟ ନିବେଶ ଆୟୋଗ ଗଠନ ଆଦି ଉଲ୍ଲେଖନୀୟ କାର୍ଯ୍ୟ ହୋଇଥିଲା। ଏହାପରେ ଆସିଲା ପୁଣିଏକ ଦଶମାସିଆ ସରକାର (୧୯୯୭-୯୮), ଯାହାର ନେତୃତ୍ବ ନେଇଥିଲେ ଇନ୍ଦ୍ରକୁମାର ଗୁଜରାଲ। ଏଥିରେ ବି ଅର୍ଥମନ୍ତ୍ରୀ ଥିଲେ ପି ଚିଦମ୍ବରମ୍, ଯିଏ ପୂର୍ବ ସରକାରଙ୍କ ଆର୍ଥିକ ନୀତିକୁ ଆଗକୁ ବଢ଼ାଇଲେ। ପାକିସ୍ତାନ ସମେତ ଭାରତର ପଡ଼ୋଶୀ ରାଷ୍ଟ୍ରଙ୍କ ସହ ସମ୍ବନ୍ଧ ମଜଭୁତ କରିବାରେ ଶ୍ରୀ ଗୁଜରାଲଙ୍କ ବିଦେଶ ନୀତି ପ୍ରଶଂସନୀୟ, ଯାହାକୁ ‘ଗୁଜରାଲ ଡକ୍ଟ୍ରିନ୍’ କୁହାଯାଏ। ଏହାପରେ ଆସିଲା ବାଜପେୟୀଙ୍କ ମେଣ୍ଟ ସରକାର।
ଶ୍ରୀ ବାଜପେୟୀଙ୍କ ସରକାର ଥିଲା ପାଞ୍ଚବର୍ଷ ସଂପୂର୍ଣ୍ଣ କାର୍ଯ୍ୟକାଳ ପୂରଣ କରିଥିବା ଦେଶର ପ୍ରଥମ ଅଣକଂଗ୍ରେସ ସରକାର। କେବଳ ଏତିକି ତାଙ୍କର ଉପଲବ୍ଧି ନୁହେଁ। ଏହି ସରକାର ନରସିଂହରାଓ ସରକାରଙ୍କ ଆର୍ଥିକ ସଂସ୍କାରକୁ ବଳବତ୍ତର ରଖିପାରିଥିଲା ଏବଂ ୨୦୦୪ରେ ଉତ୍ତରାଧିକାର ସୂତ୍ରରେ ମନମୋହନ ସିଂହ ସରକାରକୁ ଏକ ଉତ୍ତମ ଅର୍ଥବ୍ୟବସ୍ଥା ପ୍ରଦାନ କରିଥିଲା, ଯାହାର ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ଥିଲା ୮ ଶତାଂଶରୁ ଅଧିକ। ସବୁଠୁ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ଥିଲା ‘ସ୍ବର୍ଣ୍ଣ ଚତୁର୍ଭୁଜ’ ଯୋଜନା (ଚେନ୍ନଇ, କଲକାତା, ଦିଲ୍ଲୀ ଓ ମୁମ୍ବଇକୁ ଜାତୀୟ ରାଜପଥ ନିର୍ମାଣ କରି ଯୋଡ଼ିବା) ଓ ପ୍ରଧାନମନ୍ତ୍ରୀ ଗ୍ରାମୀଣ ସଡ଼କ ଯୋଜନା (ଦେଶର ପ୍ରତ୍ୟେକ ଗ୍ରାମକୁ ସଡ଼କ ସଂଯୋଗ କରିବା)। ଏହି ଯୋଜନାଦ୍ବୟର ସଫଳତା ବିଷୟରେ କହିବା ଅନାବଶ୍ୟକ। ସେହିପରି ସରକାରୀ କମ୍ପାନୀଙ୍କ ଘରୋଇକରଣ (ଅବଶ୍ୟ କେତେକାଂଶରେ ବିବାଦୀୟ), ନୂତନ ଦୂରସଞ୍ଚାର ନୀତି, ସର୍ବଶିକ୍ଷା ଅଭିଯାନ ଆଦି ବାଜପେୟୀ ସରକାରଙ୍କ ଅବଦାନ। ଏହି ‘ଦୁର୍ବଳ’ ମେଣ୍ଟ ସରକାର ହିଁ ଡାକିହାକି ‘ପୋଖରାନ-୨’ ପରୀକ୍ଷା କରିବାର ସାହସ ଦେଖାଇଥିଲା, ଯାହା ସମ୍ପର୍କରେ ଇନ୍ଦିରାଗାନ୍ଧୀଙ୍କ ଶକ୍ତିଶାଳୀ ସରକାର ବି ଖୋଲାଖୋଲି କହିପାରିନଥିଲା (ପୋଖରାନ-୧କୁ ‘ଶାନ୍ତିପୂର୍ଣ୍ଣ ପରମାଣୁ ପରୀକ୍ଷା’ ଭାବେ ଦର୍ଶାଯାଇଥିଲା)। ବାଜପେୟୀଙ୍କ ଏହି ସବୁଠୁ ସାହସିକ ରଣନୀତିକ ନିଷ୍ପତ୍ତି ପରେ ଯେଉଁ ସରକାର ଏଭଳି ଦୃଢ଼ ନିଷ୍ପତ୍ତି ନେଇଥିଲା, ତାହା ଥିଲା ମନମୋହନ ସିଂହଙ୍କ ମେଣ୍ଟ ସରକାର। ୟୁପିଏ-୧ ସମୟରେ ମନମୋହନ ଭାରତ-ଆମେରିକା ପରମାଣୁ ଚୁକ୍ତିରେ ସ୍ବାକ୍ଷର କରିଥିଲେ, ଯେତେବେଳେ ତାଙ୍କ ମେଣ୍ଟ ବାମଦଳଗୁଡ଼ିକ ଉପରେ ନିର୍ଭରଶୀଳ ଥିଲା। ସେ ଏଥିପାଇଁ ଯେଉଁ ଦୃଢ଼ବିଶ୍ବାସ ଦେଖାଇଥିଲେ, ତାହା ଶେଷରେ ଭାରତର ଅନ୍ତର୍ଜାତୀୟ ରଣନୀତିକ ଦୃଷ୍ଟିକୋଣରେ ମୌଳିକ ପରିବର୍ତ୍ତନ ଆଣିଦେଲା କହିଲେ ଭୁଲ୍ ହେବନାହିଁ। ୟୁପିଏ-୨ ଅମଳରେ ମନମୋହନ ଏକ ବିରାଟ ମେଣ୍ଟକୁ ଧରି ଯେଉଁ କାର୍ଯ୍ୟମାନ କରିଛନ୍ତି, ତାହା ଭାରତକୁ ସାମାଜିକ, ରାଜନୀତିକ ଓ କୂଟନୀତିକ ସ୍ତରରେ ଯଥାର୍ଥରେ ବିଶ୍ବରେ ସ୍ବତନ୍ତ୍ର ପରିଚୟ ଦେଇପାରିଥିଲା। ଏଥିରେ ରହିଛି ଆମେରିକା ସହ ୧୨୩ଟି ଚୁକ୍ତି ଅନୁମୋଦନ, ‘ବ୍ରିକ୍ସ’ରେ ଭାରତର ଯୋଗଦାନ, ସ୍ବତନ୍ତ୍ର ଆର୍ଥିକ ବଳୟ (ଏସ୍ଇଜେଡ) ଆଇନ, ଅନ୍ୟାନ୍ୟ ପଛୁଆବର୍ଗ (ଓବିସି) ପାଇଁ ବିଶ୍ବବିଦ୍ୟାଳୟରେ ୨୭ ଶତାଂଶ ଆସନ ସଂରକ୍ଷଣ, ସୂଚନା ଅଧିକାର ଆଇନ, ଏନ୍ଆର୍ଇଜିଏ, ଲୋକପାଳ ଆଇନ, ଜମି ଅଧିଗ୍ରହଣ, ପୁନର୍ବାସ ଓ ପୁନଃଥଇଥାନ ଆଇନ ପ୍ରଣୟନ ଇତ୍ୟାଦି। ଆଉ ଏକ ସାହସିକ ପଦକ୍ଷେପ ଥିଲା ମଲ୍ଟିବ୍ରାଣ୍ଡ୍ ରିଟେଲ (ଖୁଚୁରା ବ୍ୟବସାୟ)ରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ନିଷ୍ପତ୍ତି; ମୋଦୀଙ୍କ ‘ସ୍ଥିର’ ଓ ‘ଦୃଢ଼’ ସରକାର ଏହାକୁ ଆଗକୁ ବଢ଼ାଇବାରେ ବିଫଳ ହୋଇଛି।
ରାଜନୀତିକ ଦୃଷ୍ଟିରୁ ମେଣ୍ଟ ସରକାର ଅସ୍ଥିର ହୋଇପାରେ; କିନ୍ତୁ ‘ସ୍ଥାୟିତ୍ବ’ କେବଳ ସରକାର ଚାଲିବାର ଅବଧିରୁ ଆସେନାହିଁ। ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦ୍ରକୁମାର ଗୁଜରାଲଙ୍କ ଭାଷାରେ କହିଲେ, ‘‘ଏହା ସର୍ବଦା ସାମାଜିକ ହୋଇଥାଏ ଏବଂ ମେଣ୍ଟ ସରକାରର ସାମାଜିକ ସ୍ଥାୟିତ୍ବ ଅଧିକ।’’ (ବିବିସି; ୨୦୦୪) ମେଣ୍ଟରେ ‘ହାଁ ଜୀ’ ସଂସ୍କୃତି ଚଳେ ନାହିଁ ଓ ନେତୃତ୍ବକୁ ସାଥୀ ଦଳଗୁଡ଼ିକର ମତ-ବିମତକୁ ସମ୍ମାନ ଦେବାକୁ ପଡ଼ିଥାଏ। ଅନ୍ୟ ଅର୍ଥରେ କହିଲେ, ଦେଶପାଇଁ କୌଣସି ନିଷ୍ପତ୍ତି ନେବାବେଳେ ଏକାଧିପତ୍ୟ (ଜରୁରୀ ପରିସ୍ଥିତି/ବିମୁଦ୍ରାୟନ ଆଦି ଘୋଷଣା ପରି) ଚଳେ ନାହିଁ। ସବୁଠୁ ବଡ଼କଥା ହେଲା, ମେଣ୍ଟରେ ଆଞ୍ଚଳିକ ଦଳଗୁଡ଼ିକ ମଧ୍ୟ ରହୁଥିବାରୁ ସଂଘୀୟ ଢାଞ୍ଚାକୁ ସରକାର ସହଜରେ ଉପେକ୍ଷା କରିପାରନ୍ତି ନାହିଁ। କହିବା ବାହୁଲ୍ୟ ଯେ ଏହାଦ୍ବାରା ସଂଘବାଦ ଓ ଗଣତନ୍ତ୍ର ସୁଦୃଢ଼ ହୁଏ। ଅପରପକ୍ଷେ, ସଂଖ୍ୟାଗରିଷ୍ଠ ମତବିଶିଷ୍ଟ ସରକାର ମଜଭୁତ; ଅଥଚ ନେତୃତ୍ବକୁ ବେପରୁଆ/ଉଗ୍ର/ଏକଚ୍ଛତ୍ରବାଦୀ କରିଥାଏ। ବ୍ୟକ୍ତିପୂଜା ଅଗ୍ରପ୍ରାଧାନ୍ୟ ପାଏ। ସର୍ବାଧିକ ବିଡ଼ମ୍ବନା, କ୍ଷମତାର ଅସହନୀୟ କେନ୍ଦ୍ରୀକରଣ ହୁଏ, ଯାହା ଏକ ଗଣତାନ୍ତ୍ରିକ ରାଷ୍ଟ୍ରପାଇଁ ଶୁଭଙ୍କର ନୁହେଁ ନିଶ୍ଚୟ। ଏହାର ପ୍ରମାଣ ଖୋଜିବାକୁ କଷ୍ଟ କରିବାକୁ ପଡ଼ିବ ନାହିଁ। ଇନ୍ଦିରା, ରାଜୀବଠୁ ଆରମ୍ଭ କରି ମୋଦୀ ସରକାର ପର୍ଯ୍ୟନ୍ତ ଏହା ବେଶ୍ ଜଳଜଳ।
ଅପରପକ୍ଷେ କେବଳ ଭାରତ ନୁହେଁ, ବିଶ୍ବର ବହୁ ଦେଶରେ ମେଣ୍ଟ ସରକାର ଅଭିବୃଦ୍ଧି ପାଇଁ ପ୍ରତିବନ୍ଧକ ସାଜିନାହିଁ, ବରଂ ଏହାର କର୍ତ୍ତା ହୋଇଛି। ବିଶ୍ବର ପ୍ରମୁଖ ଧନୀ ରାଷ୍ଟ୍ର ଏବଂ ମାନବ ବିକାଶର ସମସ୍ତ ସୂଚକାଙ୍କରେ ସବାଆଗରେ ରହୁଥିବା ଫିନଲାଣ୍ଡ, ସୁଇଜରଲାଣ୍ଡ, ଜର୍ମାନୀ, ଅଷ୍ଟ୍ରିଆ ଆଦି ଦେଶରେ ବିଗତ କୋଡ଼ିଏ ବର୍ଷ ଧରି ମେଣ୍ଟ ସରକାର ଚାଲିଛି। ରାଜନୀତି ବିଜ୍ଞାନୀ ଇରଫାନ ନୁରୁଦ୍ଦିନ ତାଙ୍କର ‘କୋଆଲିସନ ପଲିଟିକ୍ସ ଏଣ୍ଡ୍‌ ଇକୋନୋମିକ୍ ଡେଭଲପ୍‌ମେଣ୍ଟ’ ପୁସ୍ତକରେ ଏହି ଅଭିବୃଦ୍ଧିର କାରଣ ଦର୍ଶାଇବାକୁ ଯାଇ ଯାହା କହିଛନ୍ତି, ତାହା ଉଲ୍ଲେଖନୀୟ। ତାଙ୍କ ଭାଷାରେ, ‘‘ବିଭିନ୍ନ ଗୋଷ୍ଠୀକୁ ନେଇ ମେଣ୍ଟ ହେଉଥିବାରୁ କୌଣସି ନିଷ୍ପତ୍ତିକୁ ସରକାର ହଠାତ୍ ବା ମନଇଚ୍ଛା ବଦଳାଇ ପାରନ୍ତି ନାହିଁ, ଯାହାଦ୍ବାରା ନୀତିଗତ ସ୍ଥିରତା ରହେ ଓ ଦେଶକୁ ଦୀର୍ଘକାଳୀନ ଫାଇଦା ମିଳିଥାଏ।’’
ଅତଏବ ଶ୍ରୀ ଡୋଭାଲଙ୍କ ‘ସଂଖ୍ୟାଗରିଷ୍ଠ ମତବିଶିଷ୍ଟ ସରକାର ହିଁ ଦେଶର ବିକାଶ କରିପାରିବ’ ସିଦ୍ଧାନ୍ତ କେବଳ ଏକ ଭ୍ରାନ୍ତ ଧାରଣା/ମିଥ୍ୟା ଉପରେ ପର୍ଯ୍ୟବସିତ। ବର୍ତ୍ତମାନ ସୁଦ୍ଧା ଯେତିକି ପୂର୍ବାନୁମାନ ସର୍ବେକ୍ଷଣ ହୋଇଛି, ସେଥିରୁ ଜଣାପଡ଼ୁଛି ଯେ ୨୦୧୯ ନିର୍ବାଚନ ପରେ ଦେଶରେ ଏକ ମେଣ୍ଟ ସରକାର ଗଠନର ସମ୍ଭାବନା ସର୍ବାଧିକ। ଶ୍ରୀ ଡୋଭାଲ ବା ଅନ୍ୟ କାହାକୁ ସେଥିପାଇଁ ଡରିବାର ଆବଶ୍ୟକତା ନାହିଁ।
Next PostNewer Post Previous PostOlder Post Home

0 comments:

Post a Comment

ଏହି ବ୍ଲଗର ସମସ୍ତ ସାମଗ୍ରୀ ଲେଖକଙ୍କ ସର୍ବସ୍ବତ୍ତ୍ବ ସଂରକ୍ଷିତ. Powered by Blogger.