ଶାନ୍ତିକାମୀ ଗଣ; ଯୁଦ୍ଧକାମୀ ଗଣମାଧ୍ୟମ (୧)

Leave a Comment
ଭିଏତନାମ ଯୁଦ୍ଧର ଏକ ଦୃଶ୍ୟ


କେମ୍ବାଇସିସ୍‍ଙ୍କୁ କ୍ରୋଏସସ୍‍ କହିଥିଲେ ଯେ ଶାନ୍ତି ଯୁଦ୍ଧଠାରୁ ଶ୍ରେୟସ୍କର; କାରଣ ଶାନ୍ତି ସମୟରେ ସନ୍ତାନମାନେ ନିଜର ପିତାଙ୍କୁ କବର ଦେଇପାରନ୍ତି, ମାତ୍ର ଯୁଦ୍ଧବେଳେ ପିତାମାନେ ସନ୍ତାନମାନଙ୍କୁ କବର ଦିଅନ୍ତି ।
(ଦ ୱାର୍କସ ଅଫ୍‍ ଫ୍ରାନ୍‍ସିସ୍‍ ବେକନ, ଖଣ୍ଡ-୧୩, ୧୮୬୦, ପୃ: ୩୫୯; ବି.ଦ୍ର.: କେମ୍ବାଇସିସ୍‍ ଓ କ୍ରୋଏସସ୍‍ ଯଥାକ୍ରମେ ପ୍ରାଚୀନ ପାରସ୍ୟ ଓ ଗ୍ରୀସ୍‍ର ଦୁଇଜଣ ରାଜା)

ଯୁଦ୍ଧର ଭୟାବହତା ଓ ଶାନ୍ତିର ଆବଶ୍ୟକତା ସମ୍ପର୍କରେ ବ୍ରିଟିଶ ଦାର୍ଶନିକ/ରାଷ୍ଟ୍ରନୀତିଜ୍ଞ/ପ୍ରାବନ୍ଧିକ ଫ୍ରାନସିସ୍‍ ବେକନ(୧୫୬୧-୧୬୨୬)ଙ୍କ ଏହି ସରଳ ବାକ୍ୟଟି ସମଗ୍ର ମାନବ ସମାଜ ପାଇଁ ଯେ ଏକ ବଡ଼ ଚେତାବନୀ, ତାହା ଅଳ୍ପବୁଦ୍ଧି ବ୍ୟକ୍ତିଟିଏ ବି ବୁଝିପାରିବ । ସତକୁ ସତ ପୃଥିବୀର ବହୁଳାଂଶ ମଣିଷ ଯୁଦ୍ଧ ଚାହାନ୍ତି ନାହିଁ; କାରଣ ସେମାନେ ଆପଣା ଆପଣାର ଜୀବନଜୀବିକା ସଂଘର୍ଷରେ ସର୍ବଦା ବ୍ୟସ୍ତ/ବ୍ୟାପୃତ ଥାଆନ୍ତି । ମାତ୍ର କୌଣସି କାରଣରୁ ରାଷ୍ଟ୍ର ଯେତେବେଳେ ଯୁଦ୍ଧଖୋର୍‍ ହୋଇଯାଏ ସେତେବେଳେ ସେଠାକାର ବାସିନ୍ଦା ମଧ୍ୟ ଯୁଦ୍ଧକାମୀ ହୁଅନ୍ତି; ପ୍ରକୃତରେ ସେମାନଙ୍କୁ ଯୁଦ୍ଧକାମୀ କରିଦିଆଯାଏ । ରାଷ୍ଟ୍ର କହିଲେ ଏଇଠି କୌଣସି ଭୌଗୋଳିକ ଭୂଖଣ୍ଡ ମାତ୍ର ନୁହେଁ, ରାଷ୍ଟ୍ରକୁ ଶାସନ/ପରିଚାଳନା କରୁଥିବା ନାୟକ ବା ଶାସକ । ଆଗରୁ ରାଜା/ସମ୍ରାଟମାନେ ବିଭିନ୍ନ ରାଜ୍ୟ/ରାଷ୍ଟ୍ରରେ ପଶି ତାକୁ ନିଜ କବଳକୁ ଆଣିବା ପାଇଁ ଯୁଦ୍ଧ କରୁଥିଲେ । ଏବର ଶାସକମାନେ ମଧ୍ୟ ଠିକ୍‍ ସେଇଆ ହିଁ କରୁଚନ୍ତି । ‘ଗଣ’ ଯେତେବେଳେ ‘ପ୍ରଜା’ ଥିଲା, ସେ ଯୁଦ୍ଧରେ ପ୍ରାଣବଳି ଦେବାକୁ ବାଧ୍ୟ ହେଉଥିଲା । ଆଜିର ଗଣତାନ୍ତ୍ରିକ ପୃଥିବୀରେ ସେହି ପ୍ରକାରର ବାଧ୍ୟବାଧକତା ନାହିଁ ସତ, ମାତ୍ର ଶାସକମାନେ ଯୁଦ୍ଧ ଉନ୍ମାଦନା ସୃଷ୍ଟି କରିବା ପାଇଁ ନାନା ଫନ୍ଦିଫିକର ଏମିତି ଖଞ୍ଜୁଚନ୍ତି ଯେ ଗଣ ସେହି ପାଲରେ ପଡ଼ି ନିଜ ଜୀବନ ହରାଇବା ପାଇଁ ହେଉଚି ବାଧ୍ୟ । ଗଣ ଅନାହାରରେ ରହୁ, ଯୁଗଯୁଗ ଧରି ନିରକ୍ଷର ହୋଇ ରହିଥାଉ, ରୋଗବଇରାଗରେ ସଢ଼ୁଥାଉ କିଛି ପରବାୟ ନାହିଁ, ପ୍ରତିରକ୍ଷା ଓ ଯୁଦ୍ଧ ବଜେଟ୍‍ର ପରିମାଣ ପ୍ରତିବର୍ଷ ବଢ଼ିବା ନିହାତି ଜରୁରୀ । ବିଡ଼ମ୍ବନା ଯେ ଗଣ ଏହାରି ବିରୋଧରେ ସ୍ୱର ଉତ୍ତୋଳନ କରିବା ବଦଳରେ ତାଳି ମାରି ତାକୁ ସ୍ୱାଗତ କରୁଛି; କାରଣ ତା’ଠାରୁ ସତ୍ୟକୁ ଲୁଚାଇ ରଖିବା ପାଇଁ ଖୁବ୍‍ କୂଟକପଟ କରାଯାଉଛି ଓ ଅସତ୍ୟର ପ୍ରଚାର କରିବା ପାଇଁ ଶାସକ ଓ ତା’ର ସମର୍ଥକମାନେ ବେଶ୍‍ କସରତ କରୁଚନ୍ତି । ନିଜ ସପକ୍ଷରେ ସମ୍ମତି ସୃଷ୍ଟି ପାଇଁ ଆଜିର ଶାସକମାନେ କେତେ ‘ଜଣ’ ବା ‘ଗୋଷ୍ଠୀ’ଙ୍କୁ ସ୍ୱତନ୍ତ୍ର ସୁବିଧାସୁଯୋଗ/ଉକ୍ରୋଚ ଦେଇ ହାତବାରିସୀ କରି ରଖିଥାନ୍ତି, ଯେଉଁମାନେ ନିଜର ବିଦ୍ୟାବୁଦ୍ଧି/ସଂପତ୍ତି ବଳରେ କେବଳ ସଂସାରର ସବୁ ସାଧନ/ପ୍ରତିପତ୍ତି/କ୍ଷମତାକୁ ନିଜ ଅକ୍ତିଆରରେ ରଖିବାକୁ ଚେଷ୍ଟା କରନ୍ତି ନାହିଁ, ଆଜିର ସବୁଠୁ ଶକ୍ତିଶାଳୀ ଅସ୍ତ୍ର କୁହାଯାଉଥିବା ସୂଚନା ଓ ବିଚାର କ୍ଷେତ୍ରରେ ବିଭ୍ରାଟ ଘଟାଇବାକୁ ମଧ୍ୟ ଆପ୍ରାଣ ଉଦ୍ୟମ କରନ୍ତି । ଏହିଭଳି ଲୋକେ ହିଁ ଶାସକର ପ୍ରରୋଚନାରେ ଓ ଛତ୍ରଛାୟା ତଳେ ରହି ଯୁଦ୍ଧ ସପକ୍ଷରେ ଗଣମତ ନିର୍ମାଣ କରିବା କାର୍ଯ୍ୟରେ ଲାଗିଥାନ୍ତି । ଏ ଗଣମତ ନିର୍ମାଣକୁ ଆଧୁନିକ ଭାଷାରେ କୁହାଯାଉଚି ‘ମ୍ୟାନୁଫାକ୍‍ଚର ଅଫ୍‍ କନ୍‍ସେଣ୍ଟ୍‍’ ବା ଓଡ଼ିଆରେ କହିଲେ ‘ସମ୍ମତି ନିର୍ମାଣ’ । ଏହି ପଦଟିର ଜନ୍ମଦାତା ହେଉଚନ୍ତି ‘ଆଧୁନିକ ସାମ୍ବାଦିକତାର ଜନକ’ ଭାବେ ଆଖ୍ୟାୟିତ ଆମେରିକୀୟ ସାମ୍ବାଦିକ/ଲେଖକ/ରାଜନୈତିକ ବିଶ୍ଳେଷକ ୱାଲ୍‍ଟର ଲିପ୍‍ମ୍ୟାନ ଏବଂ ଏହାକୁ ନେଇ ସମକାଳୀନ ବିଶ୍ୱର ଜଣେ ଶ୍ରେଷ୍ଠ ଚିନ୍ତକ ନୋମ୍‍ ଚମ୍‍ସ୍କି ଲେଖିଚନ୍ତି ତାଙ୍କର ବିଖ୍ୟାତ ପୁସ୍ତକ ‘ମାନୁଫାକ୍‍ଚରିଂ କନସେଣ୍ଟ: ଦି ପଲିଟିକାଲ୍‍ ଇକନମି ଅଫ୍‍ ଦି ମିଡିଆ’ । ଆଗରୁ ଯୋଉ ଗଣମତ ନିର୍ମାଣ କଥା କହିଛି, ତାହାକୁ ଚମ୍‍ସ୍କି ଆମେରିକାକୁ ପରିପ୍ରେକ୍ଷ କରି ଏକ ‘ପ୍ରୋପାଗଣ୍ଡା ମଡେଲ୍‍’ ବା ‘ଅପପ୍ରଚାର  ନମୁନା’ ବର୍ଣ୍ଣନା କରିଛନ୍ତି, ଯେଉଁଥିରେ ସେ ଯୁଦ୍ଧରେ ସମ୍ବାଦଦାତା ଅର୍ଥାତ ଗଣମାଧ୍ୟମର ଅପପ୍ରଚାର କଥା ମଧ୍ୟ କହିଛନ୍ତି ।

ଯେ କୌଣସି ଯୁଦ୍ଧ ପାଇଁ ଏକ ଉନ୍ମାଦନା ଆବଶ୍ୟକ ଏବଂ ଯୁଦ୍ଧ ଲଢ଼ିବା ପୂର୍ବରୁ ଏହି ଉନ୍ମାଦନା ସୃଷ୍ଟି କରିବା ଶାସକଙ୍କ ପାଇଁ ଅତି ଜରୁରୀ ହୋଇଥାଏ । ଶତ୍ରୁପକ୍ଷ ବିରୋଧରେ ଗଣ ଭିତରେ ପ୍ରବଳ ଘୃଣା ଭରିଦେବା ପାଇଁ ହେଲେ ତା’ ସମ୍ପର୍କରେ ଅପପ୍ରଚାର କରିବା ଆବଶ୍ୟକ ଏବଂ ଯୁଦ୍ଧ ଲାଗି ଏହି ‘ଅପପ୍ରଚାର ନମୁନା’ ଶ୍ରେଷ୍ଠ ଆଦର୍ଶ । ଜର୍ମାନୀର ଦୁର୍ଦ୍ଧର୍ଷ ଶାସକ ଆଡଲ୍‍ଫ ହିଟଲରଙ୍କ ସ୍ୱାକାରୋକ୍ତିରୁ ଏକଥା ସହଜରେ ବୁଝିହୁଏ । ସେ ତାଙ୍କର ଆତ୍ମଜୀବନୀ ‘ମେଇନ କେମ୍ଫ୍‍’ (ମୋ ସଂଘର୍ଷ)ରେ ଠାଏ ପସ୍ତେଇବା ପରି ଉଲ୍ଲେଖ କରିଚନ୍ତି ଯେ “ଜର୍ମାନୀ ପ୍ରଥମ ବିଶ୍ୱଯୁଦ୍ଧ ହାରିଲା କାରଣ ସେ ଅପପ୍ରଚାର ଲଢେ଼ଇରେ ହାରିଥିଲା ।” ଏଥିରୁ ଜାଣିହେଉଛି ଯେ ବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ହିଁ ‘ମିଡିଆ ପ୍ରୋପ୍ରାଗଣ୍ଡା’ ବା ‘ଗଣମାଧ୍ୟମ ଜରିଆରେ ଅପପ୍ରଚାର’ ଯୁଦ୍ଧର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିସାରିଥିଲା । ବ୍ରିଟେନ ଏଭଳି ପ୍ରୋପାଗଣ୍ଡା ତିଆରି କରିବା ପାଇଁ ‘ମିନିଷ୍ଟ୍ରି ଅଫ୍‍ ଇନଫର୍ମେସନ’ (୧୯୩୯) ଗଢ଼ିଥିବାବେଳେ ଯୁକ୍ତରାଷ୍ଟ୍ର ଆମେରିକା ଗଢ଼ିଥିଲା ‘ଦ କମିଟି ଅନ୍‍ ପବ୍ଲିକ୍‍ ଇନ୍‍ଫର୍ମେସନ’ (ଯାହାକୁ ଏହାର ଅଧ୍ୟକ୍ଷ ଜର୍ଜ କ୍ରିଲ୍‍ଙ୍କ ନାମାନୁକରଣରେ କ୍ରିଲ୍‍ କମିଟି ବୋଲି ମଧ୍ୟ କୁହାଯାଏ) । କହିବା ବାହୁଲ୍ୟ ଯେ ପ୍ରଥମ ବିଶ୍ୱଯୁଦ୍ଧରେ ନିଜନିଜ ରାଷ୍ଟ୍ରର ଗଣଙ୍କୁ ଯୁଦ୍ଧକାମୀ କରିବା ପାଇଁ ସେଠାକାର ସରକାରମାନେ ଗଢ଼ିଥିବା ଏହି ସଂଗଠନସବୁ ଆପଣା ଉଦ୍ଦେଶ୍ୟରେ ବେଶ୍‍ ସଫଳ ହୋଇଥିଲେ । ଅପପ୍ରଚାର କରି ଯୁଦ୍ଧ ସପକ୍ଷରେ ଗଣର ସମ୍ମତି ନିର୍ମାଣ ପାଇଁ ଆମେରିକା ସରକାର ଏହି କମିଟିର ତତ୍ତ୍ୱାବଧାନରେ ବହୁ ଚମକ୍ରାର କୌଶଳ ଫାନ୍ଦିଥିଲେ । ଖବରକାଗଜ, ବେତାର, ଚଳଚ୍ଚିତ୍ର, ପୋଷ୍ଟର ଆଦି ଗଣମାଧ୍ୟମ ବ୍ୟତୀତ ୭୫ ହଜାର ସ୍ୱେଚ୍ଛାସେବୀଙ୍କୁ ନିଯୁକ୍ତ କରିଥିଲେ, ଯାହାଙ୍କୁ କୁହାଯାଉଥିଲା ‘ଫୋର୍‍ ମିନିଟ୍‍ ମେନ୍‍’ ବା ଚାରି ମିନିଟିଆ ଲୋକ । ସେମାନେ ବିଭିନ୍ନ ସାମାଜିକ ଉତ୍ସବଗୁଡ଼ିକରେ ଯୁଦ୍ଧର ଲାଭ ଓ ଆମେରିକା ପାଇଁ ତା’ର ଆବଶ୍ୟକତା କାହିଁକି, ସେ ସମ୍ବନ୍ଧରେ ଗଣଙ୍କୁ ଅନ୍ତତଃ ଚାରି ମିନିଟ୍‍ ଯାଏଁ ବୁଝାଉଥିଲେ । ଚାରି ମିନିଟ୍‍ ଏଇଥିପାଇଁ ଯେ ଏହି ଅବଧି ହିଁ ମଣିଷ ପାଇଁ ସର୍ବାଧିକ ଦୃଷ୍ଟି ଆକର୍ଷଣକାରୀ ହୋଇଥାଏ! ଗଣର ଚିନ୍ତା/ବିଚାରକୁ ଯୁଦ୍ଧାଭିମୁଖୀ କରିବାରେ ଏହି କୌଶଳ ବେଶ୍‍ ସଫଳତା ହାସଲ କରିଥିଲା, ତାହା ଯୁଦ୍ଧ ସମୟରେ ଜଣାପଡ଼ିଯାଇଥିଲା ।

ସେହିଦିନଠାରୁ ଆମେରିକା ସର୍ବଦା ଯୁଦ୍ଧଖୋର୍‍ ହୋଇ ରହିଥିବାର ବହୁ ପ୍ରମାଣ ଇତିହାସରେ ଅଛି । ବିଡ଼ମ୍ବନାର ବିଷୟ ଯେ ଗଣ ଭିତରେ ଯୁଦ୍ଧୋନ୍ମାଦ ଭରିଦେବା ପାଇଁ ଆମେରିକା ସରକାର ଅନ୍ୟ ରାଷ୍ଟ୍ର ଉପରେ ମିଥ୍ୟା ଆରୋପ ଲଗାଇବାର ପ୍ରମାଣ ବି ରହିଚି ଢେର୍‍, ଯେଉଁଥିରେ ଗଣମାଧ୍ୟମ ହୋଇଚି ଏକ ବଡ଼ ମାଧ୍ୟମ । ଏହାର ଏକ ବଡ଼ ଉଦାହରଣ ‘ଭିଏତ୍‍ନାମ ଯୁଦ୍ଧ’ (୧୯୫୫-୧୯୭୫) । ଏହି ଦ୍ୱିତୀୟ ଇଣ୍ଡୋଚାଇନା ଯୁଦ୍ଧ ଭିଏତ୍‍ନାମ, କାମ୍ବୋଡିଆ ଓ ଲାଓସ୍‍ରେ ମୁଖ୍ୟତଃ ଉତ୍ତର ଭିଏତ୍‍ନାମ ଓ ଦକ୍ଷିଣ ଭିଏତ୍‍ନାମ ଭିତରେ ଲଢ଼ାଯାଇଥିଲା । ଉତ୍ତର ଭିଏତ୍‍ନାମ ସେନାକୁ ସୋଭିଏତ୍‍ ସଂଘ, ଚୀନ ଓ ଅନ୍ୟ କମୁ୍ୟନିଷ୍ଟ୍‍ ଦେଶ ସମର୍ଥନ କରୁଥିବାବେଳେ ଦକ୍ଷିଣ ଭିଏତ୍‍ନାମ ସପକ୍ଷରେ ରହିଥିଲେ ଆମେରିକା, ଫିଲିପାଇନ୍ସ ଓ ଅନ୍ୟ କମୁ୍ୟନିଷ୍ଟବିରୋଧୀ ରାଷ୍ଟ୍ରଗୋଷ୍ଠୀ । ୧୯୬୪ ମସିହା ଅଗଷ୍ଟ ମାସରେ ଜନତାଙ୍କୁ କୁହାଗଲା ଯେ ଉତ୍ତର ଭିଏତ୍‍ନାମର ସୈନ୍ୟ ଟୋନ୍‍କିନ୍‍ ଉପସାଗରରେ ଦୁଇ ଥର ଭିନ୍ନଭିନ୍ନ ସମୟରେ ଆମେରିକାର ଯୁଦ୍ଧପୋତ ଉପରକୁ ଆକ୍ରମଣ କରିଚନ୍ତି । ଏହି ଆକ୍ରମଣକୁ ‘କମୁ୍ୟନିଷ୍ଟ ଆକ୍ରମଣ’ ଭାବରେ ଅଭିହିତ କରାଯାଇ ଆମେରିକୀୟ କଂଗ୍ରେସରେ ତୁରନ୍ତ ଏକ ପ୍ରସ୍ତାବ ଗୃହୀତ କରାଯାଇ ଭିଏତ୍‍ନାମରେ ଆମେରିକୀୟ ସୈନ୍ୟ ମୁତୟନ କରିବାକୁ ରାଷ୍ଟ୍ରପତି ଜନସନଙ୍କୁ ଅଧିକୃତ କରାଗଲା । ଏହା ପରଠାରୁ ଯେଉଁ ଯୁଦ୍ଧ ସଂଘଟିତ ହୋଇଥିଲା, ସେଥିରେ ୬୦ ହଜାର ଆମେରିକୀୟ ସୈନ୍ୟକର୍ମୀ, ୩୦ ଲକ୍ଷ ଭିଏତ୍‍ନାମୀ ଏବଂ ୫ ଲକ୍ଷରୁ ଊଦ୍ଧ୍ୱର୍ କାମ୍ବୋଡିଆ ଓ ଲାଓସ୍‍ବାସୀ ପ୍ରାଣ ହରାଇଥିଲେ । ତେବେ ବିସ୍ମୟ ଓ ବିଡ଼ମ୍ବନାର ବିଷୟ ଯେ ଯେଉଁ ଘଟନା ସମ୍ବନ୍ଧରେ ଆମେରିକା ସରକାର ଓ ଆମେରିକୀୟ ଗଣମାଧ୍ୟମ ପକ୍ଷରୁ ଜନତାଙ୍କୁ କୁହାଯାଇଥିଲା, ତାହା ଆଦୌ ଘଟିନଥିଲା! ୨୦୦୫ ମସିହାରେ ଖୋଦ୍‍ ଆମେରିକା ସରକାରଙ୍କ ଗୁଇନ୍ଦା ବିଭାଗ ଏନ୍‍ଏସ୍‍ଏ (ନେସନାଲ ସିକୁ୍ୟରିଟି ଏଜେନ୍ସି) ହିଁ ତା’ର ଏକ ଆଭ୍ୟନ୍ତରୀଣ ଅନୁଧ୍ୟାନ ରିପୋର୍ଟରେ ପ୍ରକାଶ କରିଥିଲା ଯେ ଉତ୍ତର ଭିଏତ୍‍ନାମ ଦ୍ୱିତୀୟ ଥର ଆକ୍ରମଣ କେବେ କରିନଥିଲା; ଅଥଚ ଏକ କାଳ୍ପନିକ ଘଟନା ଲକ୍ଷଲକ୍ଷ ଲୋକଙ୍କ ପ୍ରାଣନାଶର କାରଣ ହେଲା ।

(୨ ଅକ୍ଟୋବର ୨୦୧୬ରେ ସମାଜର "ଚତୁର୍ଥସ୍ତମ୍ଭ'ରେ ପ୍ରକାଶିତ)
Next PostNewer Post Previous PostOlder Post Home

0 comments:

Post a Comment

ଏହି ବ୍ଲଗର ସମସ୍ତ ସାମଗ୍ରୀ ଲେଖକଙ୍କ ସର୍ବସ୍ବତ୍ତ୍ବ ସଂରକ୍ଷିତ. Powered by Blogger.