ଶାନ୍ତିକାମୀ ଗଣ; ଯୁଦ୍ଧକାମୀ ଗଣମାଧ୍ୟମ (୨)

Leave a Comment

ହିନ୍ଦୀ ଟିଭି ଚ୍ୟାନେଲରେ ଯୁଦ୍ଧୋନ୍ମାଦ ସୃଷ୍ଟିକାରୀ ବିଶେଷ କାର୍ଯ୍ୟକ୍ରମ

ଣମାଧ୍ୟମ ଯେତେବେଳେ ବ୍ୟବସ୍ଥା ବା ସରକାର ସପକ୍ଷବାଦୀ ହୁଏ, ସ୍ୱୟଂ କେତେବେଳେ ଅନ୍ୟର ହାତବାରିସି ହୋଇପଡେ଼, ସେ ନିଜେ ବି ଜାଣିପାରେନା । ଆଜିର ଗଣମାଧ୍ୟମକୁ ଦେଖିଲେ ସ୍ପଷ୍ଟ ଅନୁଭବ କରିହେବ ଯେ ବ୍ୟବସ୍ଥା ସପକ୍ଷବାଦୀ ହୋଇ ନିଜ ମୁଣ୍ଡ ବିକିବାକୁ ବି ଏହା ପଛାଉନାହିଁ । ପୂର୍ବରୁ ବ୍ୟବସ୍ଥା ବିରୋଧ ପ୍ରତ୍ୟେକ ଗଣମାଧ୍ୟମର ମୌଳିକ ଲକ୍ଷ୍ୟ ହୋଇ ରହିଥିଲା; ଅର୍ଥାତ ବ୍ୟବସ୍ଥା/ସରକାରର ତ୍ରୁଟିବିଚୁ୍ୟତିକୁ ଦେଖାଇଦେଇ ସଚେତନ କରିବା ସହ ଗଣର ସ୍ୱାର୍ଥସାଧନ ପାଇଁ ତାହା କାର୍ଯ୍ୟ କରୁଥିଲା; ଅଥଚ ବର୍ତ୍ତମାନର ଗଣମାଧ୍ୟମ ଗଣ ଓ ସତ୍ୟ ସହ ସର୍ବଦା ରହିଚି ବୋଲି ଆକର୍ଷଣୀୟ ସ୍ଲୋଗାନ ଦେଉଥିଲେ ହେଁ ସେଥିରୁ ଯେ ବିଚୁ୍ୟତ ହୋଇଛି/ହେଉଛି, ତାହା ନିଃସନ୍ଦେହ । ଆମେରିକା ସମେତ ପୃଥିବୀର ସବୁ ଦେଶରେ ଅଳ୍ପବହୁତେ ଗଣମାଧ୍ୟମର ଏଇ ସ୍ଖଳନ ଅନୁଭବ୍ୟ ।

ନିଜକୁ ଉଦାର ବୋଲି ପ୍ରଚାର କରୁଥିବା ଆମେରିକାର କେତେକ ପ୍ରମୁଖ ସମ୍ଭ୍ରାନ୍ତ ଖବରକାଗଜ ଇରାକ୍‍ ଯୁଦ୍ଧ (୨୦୦୩-୨୦୧୧)ରେ କିଭଳି ସେଠା ସରକାରଙ୍କ ‘ଅପପ୍ରଚାର ମୁଖପତ୍ର’ ସାଜିଥିଲେ, ତାହା କାହାକୁ ଅଛପା ନାହିଁ । ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା ମିଡିଆ ମୋଗଲ କୁହାଯାଉଥିବା ରୁପର୍ଟ ମର୍ଡୋକ୍‍ଙ୍କ ଖବରକାଗଜ ବା ନିଉଜ୍‍ ଚ୍ୟାନେଲ୍‍ (ଯେଉଁଥିରୁ କେତେକ ମନଗଢ଼ା ଖବର ଛାପିବାରେ କୁଖ୍ୟାତ) ଅପେକ୍ଷା ନିଉୟର୍କ ଟାଇମ୍ସ, ୱାଶିଂଟନ ପୋଷ୍ଟ୍‍ ଓ ଗାର୍ଡିଆନ ଭଳି ତଥାକଥିତ ଉଦାର ମନୋଭାବାପନ୍ନ ଖବରକାଗଜ ଏଥିରେ ବେଶି ସମ୍ପୃକ୍ତ ହୋଇଥିଲେ । ଇରାକର ଶାସକ ସଦ୍ଧାମ ହୁସେନଙ୍କ ପାଖରେ ଗଣବିଧ୍ୱଂସୀ ଅସ୍ତ୍ର (ବିଭିନ୍ନ ରାସାୟନିକ/ପରମାଣୁ ଅସ୍ତ୍ର) ରହିଥିବା ଭଳି ମିଛ ଖବର ପ୍ରକାଶ କରି ନିଉୟର୍କ ଟାଇମ୍ସ ମିଥ୍ୟା ପ୍ରମାଣ ଦେବାକୁ ମଧ୍ୟ ପଛାଇ ନଥିଲା, ଯାହାକୁ କେବଳ ଆମେରିକା ନୁହେଁ, ସମଗ୍ର ବିଶ୍ୱବାସୀ ବିଶ୍ୱାସ କରିଥିଲେ । ଆମେରିକା ଏହି କାରଣ ଦର୍ଶାଇ ଇରାକରେ ଧ୍ୱଂସଲୀଳା ରଚିବାକୁ ତା’ ସପକ୍ଷରେ ଗଣ ଭିତରେ ସମ୍ମତି ସୃଷ୍ଟି କରିବାରେ ସମର୍ଥ ହୋଇଥିଲା । ମାତ୍ର ବହୁ ଅନୁସନ୍ଧାନ ପରେ ମଧ୍ୟ ଇରାକରେ ସେଭଳି କିଛି ଗଣବିଧ୍ୱଂସୀ ଅସ୍ତ୍ର ମିଳିନଥିଲା; କାରଣ ତାହା ସମ୍ପୂର୍ଣ୍ଣ ରୂପେ ଥିଲା କାଳ୍ପନିକ ଓ ଅପପ୍ରଚାର । ଆମେରିକା ନେତୃତ୍ୱରେ ହୋଇଥିବା ଏହି ଭୟଙ୍କର ଯୁଦ୍ଧରେ ଏକଚ୍ଛତ୍ରବାଦୀ ଶାସକ ସଦ୍ଧାମଙ୍କ ରାଜତ୍ୱର ପତନ ହୋଇଥିଲା ସତ, କିନ୍ତୁ ଇରାକ ଏକପ୍ରକାର ଧ୍ୱଂସସ୍ତୂପରେ ପରିଣତ ହୋଇଥିବାବେଳେ ପ୍ରାୟ ଦଶ ଲକ୍ଷରୁ ଊଦ୍ଧ୍ୱର୍ ଇରାକୀଙ୍କ ମୃତୁ୍ୟ ଘଟିଥିଲା, ଯାହାଙ୍କ ମଧ୍ୟରୁ ଅଦେ୍ର୍ଧକ ଥିଲେ ଶିଶୁ (ୟୁନିସେଫ୍‍ ରିପୋର୍ଟ ଅନୁସାରେ) । ସେତେବେଳେ ଆମେରିକାର ଏହି ଅନ୍ୟାୟ ଓ ଅପପ୍ରଚାରକୁ ଯେଉଁମାନେ ବିରୋଧ କରୁଥିଲେ, ସେମାନଙ୍କୁ ନିର୍ଯାତନା ମଧ୍ୟ ଦିଆଯାଉଥିଲା । ଏହିଭଳି ଜଣେ ହ୍ୱିସିଲ୍‍ବ୍ଲୋଅର୍‍ (ଯିଏ ବହୁ ବର୍ବର କାଣ୍ଡର ସାକ୍ଷୀ ଥିଲେ) ହେଉଛନ୍ତି ଡେନିସ୍‍ ହାଲିଡେ, ଯିଏ ସେହି ସମୟରେ ଜାତିସଂଘର ସହକାରୀ ସଚିବ ଓ ଇରାକ୍‍ରେ ଅବସ୍ଥାପିତ ହୋଇଥିଲେ । ହାଲିଡେ ସେଠାକାର ସ୍ଥିତିକୁ ଗ୍ରହଣ କରିନପାରି ଆମେରିକୀୟ ନୀତିକୁ କାର୍ଯ୍ୟକାରୀ କରିବାକୁ ମନା କରିଦେବା ସହ ଚାକିରିରୁ ଇସ୍ତଫା ଦେଇଥିଲେ । ବିଡ଼ମ୍ବନାର ବିଷୟ ଯେ ଉପରୋକ୍ତ ଖବରକାଗଜଗୁଡ଼ିକ ଗଣମଗଜକୁ ଏମିତି ଧୁଆମଜା କରିଦେଇଥିଲେ ଯେ ଏବେ ବି ଆମେରିକା ଓ ବ୍ରିଟେନ୍‍ବାସୀ ଭାବୁଚନ୍ତି ଇରାକ ଯୁଦ୍ଧରେ ଦଶ ହଜାରରୁ କମ୍‍ ଲୋକ ମରିଥିଲେ (୨୦୧୩ରେ କରାଯାଇଥିବା କମ୍‍ରେସ୍‍ ସର୍ବେକ୍ଷଣ)!

କହିବାର ଅର୍ଥ ହେଉଚି ବହୁ ରାଷ୍ଟ୍ରର ଶାସକ ଶାସିତମାନଙ୍କୁ ଯୁଦ୍ଧକାମୀ କରିବାକୁ ଗଣମାଧ୍ୟମକୁ ହିଁ ବଡ଼ ଅସ୍ତ୍ର ଭାବେ ବ୍ୟବହାର କରିଆସିଚନ୍ତି । ବିଡ଼ମ୍ବନା ଯେ ଗଣ ଯୁଦ୍ଧକାମୀ ହେବା ପୂର୍ବରୁ ଏହି ପ୍ରକ୍ରିୟାରେ ଗଣମାଧ୍ୟମ ନିଜେ କେତେବେଳେ ଯୁଦ୍ଧକାମୀ ହୋଇଯାଇଚି, ସେଥିପ୍ରତି ତା’ର ଚେତା ନାହିଁ । ମନେପଡ଼ୁଚି, ହିଟଲରଙ୍କ ଜଣେ ଘନିଷ୍ଠ ସହକର୍ମୀ ତଥା ନାଜି କାର୍ଯ୍ୟପନ୍ଥା ନିର୍ଦ୍ଧାରକଙ୍କ ମଧ୍ୟରୁ ଅନ୍ୟତମ ମୁଖିଆ ଜୋସେଫ୍‍ ଗୋବେଲ୍ସଙ୍କ ପଦେ କଥା: “ପ୍ରେସ୍‍ (ଗଣମାଧ୍ୟମ)କୁ ଗୋଟିଏ କୀ-ବୋର୍ଡ (ବାଦ୍ୟଯନ୍ତ୍ର) ଭଳି ଭାବ, ଯାହାକୁ ସରକାର ବଜାଇପାରିବ” । ପ୍ରଥମ ବିଶ୍ୱଯୁଦ୍ଧ ପରଠାରୁ ପ୍ରତ୍ୟେକ ରାଷ୍ଟ୍ରର ସରକାର ଯୁଦ୍ଧବେଳେ ଗଣମାଧ୍ୟମକୁ ସତକୁ ସତ ଏକ ଯୁଦ୍ଧଭେରି ପରି ହିଁ ତ ବ୍ୟବହାର କରିଆସିଚି, ଯେଉଁଥିରେ ସରକାରଙ୍କ ସ୍ୱର ହିଁ ଜୋର୍‍ରେ ଗୁଞ୍ଜରିତ ହୋଇଚି । ଏହାର ଉଦାହରଣ ଖୋଜିବାକୁ ହେଲେ ଆମେରିକା କି ବ୍ରିଟେନ ଯିବା ଦରକାର ନାହିଁ, ସଦ୍ୟ ଭାରତ-ପାକିସ୍ତାନ ସଂଘାତରେ ମଧ୍ୟ ଦେଖିବାକୁ ମିଳିବ । ଉଭୟ ଦେଶର ଖୁବ୍‍ କମ୍‍ ଭାଗ ଗଣମାଧ୍ୟମ ପ୍ରକୃତ ତଥ୍ୟକୁ ନେଇ ଗଣଙ୍କୁ ସଚେତନ କରୁଥିବାବେଳେ ବେଶିଭାଗ ସେମାନଙ୍କୁ ଯୁଦ୍ଧ ପାଇଁ ପ୍ରରୋଚିତ କରିବାରେ ଲାଗିଚନ୍ତି । କେତେକ ନିଉଜ୍‍ ଚ୍ୟାନେଲ ତ ‘ନିଉଜ୍‍ରୁମ୍‍’କୁ ସତକୁସତ ‘ୱାର୍‍ରୁମ୍‍’ରେ ପରିଣତ କରିଦେଇଚନ୍ତି । ଉଭୟ ଦେଶର ସରକାର ଯୁଦ୍ଧ ପାଇଁ କିଭଳି ନିଜକୁ ପ୍ରସ୍ତୁତ କରିବେ ଓ ଯୁଦ୍ଧବେଳେ କେମିତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ, ସେ ନେଇ ବାଲୁକା ଆକୃତି ଚାରିପଟେ ଛିଡ଼ାହୋଇ ପ୍ରାଇମ୍‍ଟାଇମ୍‍ରେ ଘମାଘୋଟ ଆଲୋଚନାର ଯୁଦ୍ଧ ଚାଲିଚି! କେବଳ ସେତିକି ନୁହେଁ, ସେଠାରେ ଆଲୋଚକ ଭାବେ ଉପସ୍ଥିତ ଉଭୟ ଦେଶର ରାଜନୈତିକ ଦଳଗୁଡ଼ିକର ମୁଖପାତ୍ର, ଅବସରପ୍ରାପ୍ତ ସେନାଧିକାରୀଙ୍କ ସମେତ କାର୍ଯ୍ୟକ୍ରମର ଉପସ୍ଥାପକ (ଆଙ୍କର୍‍) ହୁଙ୍କାର ଦେଇ ନିଜନିଜ ଦେଶର ବିଜୟ ଘୋଷଣା ମଧ୍ୟ କରୁଚନ୍ତି!! ଏହି ଲୋକଙ୍କୁ ଦେଖିଲେ ଲାଗୁଚି ସେମାନେ ସତେଯେମିତି ଜଣେଜଣେ ବୀର ସୈନିକ; ଷ୍ଟୁଡିଓ ଭିତରେ ନୁହେଁ, ଦେଶର ସୀମାରେ ବନ୍ଧୁକ ଧରି ଦେଶକୁ ସୁରକ୍ଷା ଦେଉଚନ୍ତି! ଦିନରାତି ନିଉଜ୍‍ରୁମ୍‍ ଭିତରର ଏ ଯୁଦ୍ଧଘୋଷଣା ଓ ବିଜୟପ୍ରାପ୍ତିକୁ ଡ୍ରଇଂରୁମ୍‍ରେ ବସି ଦେଖୁଥିବା ଉଭୟ ଦେଶର ସେଇ ଦର୍ଶକମାନଙ୍କୁ ବି କମ୍‍ ଉଚ୍ଚାଟ/ଉଲ୍ଲସିତ କରୁନାହିଁ, ଯେଉଁମାନେ ହ୍ୱାଟ୍‍ସଆପ୍‍ ଓ ଅନ୍ୟ ସୋସିଆଲ୍‍ ମିଡିଆରେ ନିଜନିଜର ଶତ୍ରୁଦେଶ ବିରୋଧୀ କିଛି ବାର୍ତ୍ତା ପଠାଇଦେଇ ନିଜକୁ ସବୁଠୁ ବଡ଼ ଦେଶପ୍ରେମୀ ବୋଲି ଧରିନେଇଥାନ୍ତି । ଏକ ଯୁଦ୍ଧୋନ୍ମାଦ ବାତାବରଣରେ ନିଜକୁ ଦେଶପ୍ରେମୀ ନ କହିବା ଯେ ରାଷ୍ଟ୍ରବିରୋଧୀ, ଏଇ ଚତୁର ଲୋକେ ସେଇପରି ଭାବିନେଇଚନ୍ତି ବୋଧହୁଏ । କେବଳ ଏଇ ଚତୁରମାନେ ନୁହନ୍ତି, ସାମ୍ବାଦିକ ଓ ନିଉଜ୍‍ ଚ୍ୟାନେଲଗୁଡ଼ିକ ବି ଏବେ ନିଜକୁ ନିଜେ ଦେଶପ୍ରେମୀ ଘୋଷଣା କରିବାରେ ଲାଗିଚନ୍ତି । କେତେକ ତଥାକଥିତ ଜାତୀୟ ନିଉଜ୍‍ ଚ୍ୟାନେଲର ବିଶେଷ କାର୍ଯ୍ୟକ୍ରମର ଶୀର୍ଷକ ଦେଖନ୍ତୁ, “ଏଲ୍‍ଓସି ସେ ଦେଶଭକ୍ତ ରିପୋର୍ଟିଂ” (ଏଲ୍‍ଓସିରୁ ଦେଶଭକ୍ତ ରିପୋର୍ଟିଂ), “ୱାର୍‍ରୁମ୍‍ ତୈୟାର୍‍ ପାକ୍‍ ପର୍‍ କବ୍‍ ପ୍ରହାର” (ୱାର୍‍ରୁମ୍‍ ପ୍ରସ୍ତୁତ, ପାକିସ୍ତାନ ଉପରେ ପ୍ରହାର କେବେ) ଇତ୍ୟାଦି । ସେମାନେ ‘ରାଜଦ୍ରୋହ’ ମାମଲାରେ ନ ପଡ଼ିବାକୁ ଏବଂ ରାଷ୍ଟ୍ରକୃପା ପାଇବାକୁ ଏଭଳି ଛଦ୍ମ ଆଚରଣ କରିବାକୁ ବାଧ୍ୟ ହେଉଚନ୍ତି, ଏହା ସତ; ମାତ୍ର ଏହାଦ୍ୱାରା ଅସଲ ସାମ୍ବାଦିକତାର ଧର୍ମ/ଆଦର୍ଶ ଯେ ଗୋଟାପଣେ ନଷ୍ଟଭ୍ରଷ୍ଟ ହୋଇଚାଲିଚି, ତାହା କହିବା ବାହୁଲ୍ୟ ମାତ୍ର । ଏକଦେଶଦର୍ଶୀ/ଅପରିଣାମଦର୍ଶୀ ନ ହୋଇ ସତ୍ୟ/ବାସ୍ତବ/ନିଷ୍ପକ୍ଷ ସମ୍ବାଦ ପରିବେଷଣ ଯେ ଗଣମାଧ୍ୟମର ଅସଲ ଧର୍ମ, ତାକୁ ଏସବୁ ଗଣମାଧ୍ୟମ ଅନୁଷ୍ଠାନ ସତେଯେମିତି ପାସୋରି ପକାଇଚନ୍ତି ।

ଖୁବ୍‍ କମ ଗଣମାଧ୍ୟମ ଅଛନ୍ତି (ବିଶେଷତଃ ନିଉଜ୍‍ ଚ୍ୟାନେଲ୍‍), ଯେଉଁଥିରେ ଯୁଦ୍ଧର ପ୍ରକୃତ ବିଭୀଷିକା ସମ୍ପର୍କରେ ସୂଚନା ଦିଆଯାଉଚି ଓ ଶାନ୍ତି ସପକ୍ଷବାଦୀ ହେବାକୁ କୁହାଯାଉଚି । ବହୁ ଚ୍ୟାନେଲ ଗଣ ମନରେ ଏଭଳି ଏକ ଧାରଣା ସୃଷ୍ଟି କରୁଚନ୍ତି ଯେ ଯୁଦ୍ଧ ନହେଲେ ଯେମିତି ନ ଚଳେ । ଶାନ୍ତି ପାଇଁ ଯୁଦ୍ଧ ନିହାତି ଜରୁରୀ! ଏହା କ’ଣ ସତ୍ୟ? ଇଂଲିଶ ସାମ୍ବାଦିକ/ଔପନ୍ୟାସିକ/ସମାଲୋଚକ ଜର୍ଜ ଅର୍‍ୱେଲ ତାଙ୍କର କ୍ଲାସିକ୍‍ ଉପନ୍ୟାସ ‘ନାଇନ୍‍ଟିନ୍‍ ଏଇଟି ଫୋର୍‍’ରେ ତିନିଟି ସ୍ଲୋଗାନ ଲେଖିଥିଲେ, “ୱାର୍‍ ଇଜ୍‍ ପିସ୍‍ (ଯୁଦ୍ଧ ହିଁ ଶାନ୍ତି); ଫ୍ରିଡମ୍‍ ଇଜ୍‍ ସ୍ଲାଭେରି (ସ୍ୱାଧୀନତା ହିଁ ଦାସତ୍ୱ); ଇଗ୍ନୋରାନ୍ସ ଇଜ୍‍ ଷ୍ଟେ୍ରଙ୍ଗ୍‍ଥ (ଅଜ୍ଞତା ହିଁ ଶକ୍ତି)” । ତେବେ ଏପରି ଲେଖନ ମୂଳରେ ଯେ ତାଙ୍କର ବୃତ୍ତିଗତ ଆକର୍ଷଣ ଅଧିକ ଦାୟୀ, ତାହା କୁହାଯାଇପାରେ; କାହିଁକିନା ସେ ଯୁଦ୍ଧ ଲଢ଼ୁଥିବା ବ୍ରିଟେନର ‘ମିନିଷ୍ଟ୍ରି ଅଫ୍‍ ଇନ୍‍ଫର୍ମେସନ’ ପାଇଁ ଦୁଇବର୍ଷ (୧୯୪୧-୧୯୪୩) ବିବିସି ପୂର୍ବାଞ୍ଚଳ ସେବାର ପ୍ରଯୋଜକ ଭାବେ କାର୍ଯ୍ୟ କରିଥିଲେ । ସେ ଭାରତରେ ପ୍ରସାରିତ ବିଭିନ୍ନ (ଅପ)ପ୍ରଚାରମୂଳକ ଲେଖା ଲେଖୁଥିଲେ (ସେ ବ୍ରିଟିଶ୍‍ ଭାରତର ବେଙ୍ଗଲ୍‍ ପ୍ରେସିଡେନ୍ସ (ବର୍ତ୍ତମାନର ବିହାର)ର ମୋତିହାରିରେ ଜନ୍ମ ହୋଇଥିଲେ) । ସେଇଥିପାଇଁ ତାଙ୍କ ଉପନ୍ୟାସଗୁଡ଼ିକରେ ସମ୍ମତି-ନିର୍ମାଣ (ମାନୁଫାକ୍‍ଚରିଂ କନସେଣ୍ଟ)ର ଚମକ୍ରାର/ଅନନ୍ୟ ବର୍ଣ୍ଣନା ଦେଖାଯାଏ । ଅତଏବ ଯୁଦ୍ଧ ଏକ ବୃହତ୍‍ ଅପପ୍ରଚାରର ଫଳ, ଯାହା ମାନବ ସମାଜକୁ ଶାନ୍ତି ନୁହେଁ, କେବଳ ଅଶାନ୍ତି ପ୍ରଦାନ କରେ ତାହା ବୁଝିବା ସର୍ବାଦୌ ଆବଶ୍ୟକ ।

ପ୍ରଥମ ବିଶ୍ୱଯୁଦ୍ଧର ଭୟାବହତା ସେଥିପାଇଁ ସୃଷ୍ଟ ସୁଦୀର୍ଘ ପରିଖା/ଗଡ଼ଖାଇ (ଟ୍ରେଞ୍ଚ୍‍)ଗୁଡ଼ିକରୁ ସହଜରେ ଅନୁଭବ କରିହୁଏ, ଯାହା ବେଲ୍‍ଜିୟମ (ଯେଉଁ ଦେଶ ଲଢେ଼ଇ ଚାହୁଁନଥିଲା, ଅଥଚ ଯୋଦ୍ଧା ଦେଶଙ୍କ ମଝିରେ ରହିଥିଲା)ଠାରୁ ଆରମ୍ଭ ହୋଇ ସୁଇଜର୍‍ଲାଣ୍ଡରେ ଶେଷ ହୋଇଥାଏ । ସୈନିକ ଓ ନାଗରିକ, ଉଭୟଙ୍କୁ ମିଶାଇ ଦେଢ଼କୋଟିରୁ ଊଦ୍ଧ୍ୱର୍ ବ୍ୟକ୍ତିଙ୍କ ପ୍ରାଣ ଯାଇଥିବା ଏହି ମହାଯୁଦ୍ଧ ଦ୍ୱାରା କାହାର କ’ଣ ଲାଭ ହେଲା? ଏଥିରେ ସମ୍ପୃକ୍ତ ସମସ୍ତ ଦେଶ/ଦେଶବାସୀ ତଳିତଳାନ୍ତ ହୋଇଗଲେ । ତଥାପି ମଣିଷ କିଛି ଶିକ୍ଷାଲାଭ କଲା ନାହିଁ । ବୋଧହୁଏ କରିବ ବି ନାହିଁ; କାରଣ ଗଣମାଧ୍ୟମ ଏବେ ବି ଶାନ୍ତିକାମୀ ଗଣକୁ ଯୁଦ୍ଧକାମୀ ହେବାପାଇଁ ପ୍ରବର୍ତ୍ତାଉଚି । ପ୍ରଥମ ବିଶ୍ୱଯୁଦ୍ଧବେଳେ ବ୍ରିଟିଶ ପ୍ରଧାନମନ୍ତ୍ରୀ ଡେଭିଡ ଲଏଡ ଜର୍ଜ ମାନ୍‍ଚେଷ୍ଟର ଗାର୍ଡିଆନର ସଂପାଦକ ସି.ପି.ସ୍କଟଙ୍କୁ କହିଥିବା କଥାଟି ଏବେ ବି ମନେହେଉଚି ବେଶ୍‍ ପ୍ରାସଙ୍ଗିକ: “ଯଦି ଲୋକେ (ଗଣ) ସତ୍ୟ ଜାଣିଯାଆନ୍ତେ, ତେବେ ଆସନ୍ତାକାଲି ଯୁଦ୍ଧ ବନ୍ଦ ହୋଇଯାଆନ୍ତା; ମାତ୍ର ସେମାନେ ନିଶ୍ଚୟ ଜାଣିବେ ନାହିଁ ଓ ଜାଣିପାରିବେ ନାହିଁ” ।

ଏବେ ଗଣ ଓ ଗଣମାଧ୍ୟମ ଯୁଦ୍ଧକାମୀ ନହୋଇ ସେହି ସତ୍ୟକୁ ଜାଣିବା ଓ ଜଣାଇବା ପାଇଁ ନିଜକୁ ବିନିଯୋଗ କରନ୍ତୁ ।

(୯ ଅକ୍ଟାେବର ୨୦୧୬ରେ ସମାଜର "ଚତୁର୍ଥ ସ୍ତମ୍ଭ"ରେ ପ୍ରକାଶିତ)
Next PostNewer Post Previous PostOlder Post Home

0 comments:

Post a Comment

ଏହି ବ୍ଲଗର ସମସ୍ତ ସାମଗ୍ରୀ ଲେଖକଙ୍କ ସର୍ବସ୍ବତ୍ତ୍ବ ସଂରକ୍ଷିତ. Powered by Blogger.