ସଂପାଦକର କର୍ତ୍ତବ୍ୟ (୨)

1 comment

ସଂପାଦକ ମୁଣ୍ଡରେ ଗୋଟିଏ ଖବରକାଗଜର ଉତ୍ତରଦାୟିତ୍ୱ ଲଦି ହୋଇଥିଲେ ହେଁ କୁହାଯାଏ ଯେ ତା’ କାମଟି ଧନ୍ୟବାଦବିହୀନ/ପ୍ରଶଂସାଶୂନ୍ୟ କାର୍ଯ୍ୟ! ବୋଧହୁଏ ଏହା ଏଇଥିପାଇଁ କୁହାଯାଏ, ଯେହେତୁ ଗୋଟିଏ ଖବରକାଗଜରେ ଦୈନିକ ଶହଶହ ଲୋକଙ୍କ ମତମନ୍ତବ୍ୟ, ସେମାନଙ୍କ ସମ୍ପର୍କିତ ଖବର ଆଦି ପ୍ରକାଶ ପାଏ ଏବଂ ସବୁକୁ ଜଣେ ବ୍ୟକ୍ତି ତନଖି ଦେଖିବା ଏକ ଅସମ୍ଭବ ବ୍ୟାପାର; କିନ୍ତୁ ତାକୁ ତା’ର ଉତ୍ତରଦାୟିତ୍ୱ ନେବାକୁ ପଡ଼ିଥାଏ । ଅନ୍ୟପକ୍ଷରେ ଶତାଧିକ ଖବରର ସମାଗମ ମଧ୍ୟରେ ପରସ୍ପର ବିରୋଧାଚରଣକାରୀ ଦୃଷ୍ଟିଭଙ୍ଗୀ/ମନ୍ତବ୍ୟ/ଆଲୋଚନା/ସମାଲୋଚନା ଆଦି ରହିଥାଏ, ଯେଉଁଥିପାଇଁ ସଂପାଦକଙ୍କୁ ହିଁ ସର୍ବଦା ଦାୟୀ କରାଯାଏ । ଏହି କାରଣରୁ କୁହାଯାଏ ଯେ ଜଣେ ସଂପାଦକଙ୍କୁ ଲୋକେ ଯେତିକି ସମ୍ମାନ ଦିଅନ୍ତି, ସେତିକି ଭୟ କରନ୍ତି; ଏପରିକି ତାଙ୍କୁ ଅନେକ ଘୃଣା ମଧ୍ୟ କରନ୍ତି! ଏ ପ୍ରସଙ୍ଗରେ ମାର୍କ ଟ୍ୱେନ, ହେନରୀ ମିଲ୍ସ ଆଲଡେନଙ୍କୁ ଏକ ପତ୍ରରେ ଲେଖିଥିବା ମନ୍ତବ୍ୟ ବେଶ୍‌ ଉଲ୍ଲେଖନୀୟ । ସେ ଲେଖିଥିଲେ, “ଆମେ ଅନେକ ଥର ଅବସୋସର ସହ ସ୍ମରଣ କରୁ ଯେ, ନେପୋଲିଅନ ଥରେ ଜଣେ ପତ୍ରିକା ସଂପାଦକଙ୍କୁ ଗୁଳି ମାରିଥିଲେ । ତାଙ୍କୁ ତାହା ବାଜିଲା ନାହିଁ ଏବଂ ପରେ ସେ ପ୍ରକାଶକଙ୍କୁ ହତ୍ୟା କଲେ; କିନ୍ତୁ ଆମେ ଉଦାରତାର ସହ ସ୍ମରଣ କରୁ ଯେ ତାଙ୍କ ଅଭିପ୍ରାୟ ଭଲ ଥିଲା ।” (ଚିକାଗୋ ଡେଲି ଟ୍ରିବୁ୍ୟନରେ ୧୧ ନଭେମ୍ବର ୧୯୦୬ରେ ପ୍ରକାଶିତ)

ଅତଏବ ସଂପାଦକଙ୍କ କର୍ତ୍ତବ୍ୟ ତୁଲାଇବା ଏକ ସହଜ କାର୍ଯ୍ୟ ନୁହେଁ; ଆଧୁନିକ ଗଣମାଧ୍ୟମର ସଂପାଦକଟିଏ ପାଇଁ ଏହା ଆହୁରି ଜଟିଳ, କାହିଁକିନା ବର୍ତ୍ତମାନ ସେ କେବଳ ‘ସଂପାଦକ’ ନୁହେଁ, ବରଂ ଜଣେ ‘କାର୍ଯ୍ୟକ୍ରମ ପ୍ରବନ୍ଧକ/ପରିଚାଳକ’ (ଇଭେଣ୍ଟ୍‌ ମ୍ୟାନେଜର) ମଧ୍ୟ, ଯିଏ ଖବରକାଗଜ ମାଲିକଙ୍କ ମର୍ଜି ଅନୁସାରେ ପରିଚାଳିତ ହେବାକୁ ବାଧ୍ୟ । ଏ ପରିପ୍ରେକ୍ଷୀରେ ଭାରତର ଉପରାଷ୍ଟ୍ରପତି ଏମ୍‌ ହମିଦ ଅନସାରୀ ରାଜ୍ୟସଭା ଟିଭି ଦ୍ୱାରା ଆୟୋଜିତ (୧୯ ମାର୍ଚ୍ଚ ୨୦୧୬) ‘ଆଜିର ଗଣମାଧ୍ୟମରେ ସଂପାଦକର ଭୂମିକା’ ଶୀର୍ଷକ ଆଲୋଚନାଚକ୍ରରେ ଆଦ୍ୟବକ୍ତୃତା ପ୍ରଦାନ କରି ଯେଉଁ ଉପପାଦ୍ୟ ବାଢ଼ିଛନ୍ତି, ତାହା ଖୁବ୍‌ ଉପାଦେୟ ଓ ଉଲ୍ଲେଖଯୋଗ୍ୟ । ଗଣମାଧ୍ୟମର ବ୍ୟବସ୍ଥା ଭିତରେ ନ ଥାଇ ବାହାରୁ ନିଜର ପର୍ଯ୍ୟବେକ୍ଷଣ ଓ ଅନୁଶୀଳନ ଦ୍ୱାରା ସେ ଏହା ଉପସ୍ଥାପନ କରିଥିବାରୁ ଏହାର ମୂଲ୍ୟ ସର୍ବାଧିକ ।
ତାଙ୍କ ମତରେ ସାମ୍ବାଦିକତାର ତତ୍ତ୍ୱ ଓ ମୂଲ୍ୟବୋଧକୁ ବଜାୟ ରଖିବା ପାଇଁ ଜଣେ ସଂପାଦକ ନିମ୍ନଲିଖିତ କର୍ତ୍ତବ୍ୟକୁ ନିଷ୍ଠାର ସହ ତୁଲାଇବା ଆବଶ୍ୟକ:

• ଖବରର ତ୍ରୁଟିହୀନତା ଓ ପ୍ରାସଙ୍ଗିକତାକୁ ନିଶ୍ଚିତ କରିବା । ଚବିଶଘଣ୍ଟିଆ ଖବର ପ୍ରକାଶନ/ପ୍ରସାରଣର ଏକ ପ୍ରତିଯୋଗିତାପୂର୍ଣ୍ଣ ପରିବେଶରେ ନବୀନ ସମ୍ବାଦ ହିଁ ସର୍ବାଧିକ ଗୁରୁତ୍ୱ ବହନ କରିଥାଏ; କିନ୍ତୁ ଏହାରି ନାମରେ ଯେଭଳି ଅପ୍ରାମାଣିକ ଓ ତ୍ରୁଟିଯୁକ୍ତ ଖବର ପାଠକ/ଦର୍ଶକଙ୍କ ପାଖକୁ ନ ଯାଏ, ତାହା ଦେଖିବା ସଂପାଦକର ସର୍ବପ୍ରଧାନ କର୍ତ୍ତବ୍ୟ । ଭୁଲ ଖବର ନାଗରିକଙ୍କ ମାନହାନି କରିବା ସହ ବିଭିନ୍ନ ପ୍ରକାରେ କ୍ଷତି ଘଟାଇପାରେ, ଏହାର ବହୁ ଉଦାହରଣ ଦେଖିବାକୁ ମିଳେ । ତେଣୁ ଖବର ନିର୍ଭୁଲ ହେବା ଆବଶ୍ୟକ; ଏବଂ ତ୍ରୁଟି ଥିଲେ ଯଥାଶୀଘ୍ର ତାହା ଠିକ୍‌ କରାଯିବା ବିଧେୟ ।

• ସଂପାଦକଟିଏ ପକ୍ଷପାତଶୂନ୍ୟ ଓ ସ୍ୱାଧୀନ ହେବା ଆବଶ୍ୟକ । ଯେ କୌଣସି ଗଣମାଧ୍ୟମ ପାଇଁ ପାଠକ/ଦର୍ଶକ ସହ ତା’ର ସମ୍ବନ୍ଧ, ଅର୍ଥାତ ଭରସା/ବିଶ୍ୱାସ ମହତ୍ତ୍ୱପୂର୍ଣ୍ଣ । ଖବର ମଧ୍ୟ ଗଣ ସହ ତା’ର ଏହି ମୂଲ୍ୟବାନ ସମ୍ବନ୍ଧକୁ ସୁରକ୍ଷିତ ରଖିବା ଭଳି ହୋଇଥିବା ଉଚିତ । ସଂପାଦକ କ୍ଷମତାର ସ୍ୱାଧୀନ ପର୍ଯ୍ୟବେକ୍ଷକ ଭାବେ କାର୍ଯ୍ୟ କରିବ । ବିଲ୍‌ କୋଭାଚ୍‌ ଓ ଟମ୍‌ ରୋଜେନଷ୍ଟିଲ୍‌ ତାଙ୍କ ପୁସ୍ତକ ‘ଦ ଏଲିମେଣ୍ଟ୍‌ସ ଅଫ୍‌ ଜର୍ଣ୍ଣାଲିଜମ୍‌’ରେ ଲେଖିଛନ୍ତି ଯେ ସାମ୍ବାଦିକୀୟ ସ୍ୱାଧୀନତା କେବଳ ନିରପେକ୍ଷତା ନୁହେଁ । ତାଙ୍କ ମତରେ, “ସଂପାଦକୀୟ ଓ ପ୍ରବନ୍ଧ/ସ୍ତମ୍ଭ ଲେଖକମାନେ ନିରପେକ୍ଷ ନ ହେଲେ ମଧ୍ୟ ସେମାନଙ୍କ ବିଶ୍ୱସନୀୟତା/ବିଶ୍ୱାସଯୋଗ୍ୟତାର ସ୍ରୋତ ଏବେମଧ୍ୟ ତ୍ରୁଟିହୀନତା, ବୌଦ୍ଧିକ ପକ୍ଷପାତଶୂନ୍ୟ ଓ ସୂଚନା ଦେବାର ଦକ୍ଷତା; କୌଣସି ନିର୍ଦିଷ୍ଟ ଗୋଷ୍ଠୀକୁ ରହିଥିବା ସେମାନଙ୍କ ସମର୍ଥନ ନୁହେଁ । ଆମ ସ୍ୱାଧୀନତାର ପରିସର ମଧ୍ୟରେ ଅବଶ୍ୟ ସାମ୍ବାଦିକମାନେ ଅହଂକାର, ସମ୍ଭ୍ରାନ୍ତବୋଧ, ବିଚ୍ଛିନ୍ନତାବାଦ ବା ନେତିବାଦ ଭଳି ପଥଭ୍ରଷ୍ଟକାରୀ ତତ୍ତ୍ୱଠାରୁ ଦୂରେଇ ରହିବା ଆବଶ୍ୟକ ।”

• ପାଠକ/ଦର୍ଶକଙ୍କ ପ୍ରତି ନିଷ୍ପକ୍ଷ ଓ ସମ୍ମାନପୂର୍ଣ୍ଣ ହେବା ଜରୁରୀ । ଗଣମାଧ୍ୟମ ସର୍ବଦା ତା’ର ଲକ୍ଷ୍ୟ/ଉଦେ୍ଦଶ୍ୟ ସମ୍ପର୍କରେ ଉନ୍ମୁକ୍ତ ଏବଂ ବିଷୟବସ୍ତୁକୁ ନେଇ ରହିଥିବା ଦୃଷ୍ଟିକୋଣ ସମ୍ମାନର ସହ ଉପସ୍ଥାପନ କରିବା ଆବଶ୍ୟକ । ହିଂସା/ ଅପରାଧ/ଯୁଦ୍ଧ/ଲଢ଼େଇ/ପ୍ରାକୃତିକ ଦୁର୍ବିପାକ ଆଦିର ପୀଡ଼ିତମାନଙ୍କ ପ୍ରତି ସର୍ବାଧିକ ସମ୍ମାନ ପ୍ରଦର୍ଶନ କରିବା ବିଧେୟ । କେବେମଧ୍ୟ ଖବରକୁ ଉତ୍ତେଜନାପୂର୍ଣ୍ଣ/ଚହଳସୃଷ୍ଟିକାରୀ ଭାବେ ଉପସ୍ଥାପନ କରିବା ଉଚିତ ନୁହେଁ ।

• ଗଣମାଧ୍ୟମ ଚରିତ୍ରରେ ଦ୍ରୁତ ଓ ବ୍ୟାପକ ପରିବର୍ତ୍ତନ ଆଣିବାରେ ଟେଲିଭିଜନର ଭୂମିକା ବେଶ୍‌ ଉଲ୍ଲେଖନୀୟ । ଆଗରୁ ଟେଲିଭିଜନ ଜଣେ ସଂପାଦକଙ୍କ ପାଇଁ ଏକ ଆଶ୍ୱସ୍ତକାରୀ ମାଧ୍ୟମ ଥିଲା, ଯେଉଁଠି ଘଟନାସ୍ଥଳରୁ ହିଁ ଜଣେ ସାମ୍ବାଦିକ ଖବର ପଠାଉଥିଲା । ଏବେ ଶତାଧିକ ଚବିଶଘଣ୍ଟିଆ ନିଉଜ୍‌ ଚ୍ୟାନେଲର ଭିଡ଼ ଭିତରେ ଘଟନାସ୍ଥଳରୁ ରିପୋର୍ଟିଂ କ୍ରମଶଃ କମିଯାଉଥିବାବେଳେ କ୍ରିକେଟ/ଚଳଚ୍ଚିତ୍ର/ହସମଜା/ଭୂତପ୍ରେତ/ଅପରାଧ କାହାଣୀ ଆଦି ବିଭିନ୍ନ ଅପ୍ରାସଙ୍ଗିକ ବିଷୟ ବେଶି ସ୍ଥାନ ପାଇବାରେ ଲାଗିଚି, ଯାହାକୁ ପରଦା ଉପରେ ଅଯଥା ଗ୍ରାଫିକ୍ସ/ଲେଖା ମାଧ୍ୟମରେ ଆକର୍ଷଣୀୟ କରାଯାଉଚି । ଅନ୍ୟପକ୍ଷରେ ସାମ୍ବାଦିକତାର ମୂଲ୍ୟବୋଧକୁ ବଜାୟ ରଖିବା ଭଳି ପ୍ରତ୍ୟେକ ଖବର ନ୍ୟାଯ୍ୟ/ପକ୍ଷପାତଶୂନ୍ୟ ହେବାର ଉତ୍ତରଦାୟିତ୍ୱ ମଧ୍ୟ ସଂପାଦକ କାନ୍ଧରେ, ଯାହା ଧୀରେଧୀରେ ହ୍ରାସ ପାଇବାରେ ଲାଗିଚି ।

• ଗଣମାଧ୍ୟମ ସଂସ୍ଥାର ମାଲିକ/ବ୍ୟବସାୟୀଙ୍କ ଇଚ୍ଛା/ଚାପ ଅନୁଯାୟୀ ବର୍ତ୍ତମାନର ସଂପାଦକମାନଙ୍କୁ ପରିଚାଳିତ ହେବାକୁ ପଡ଼ୁଥିବାରୁ ଗଣ ବଦଳରେ ସମାଜର ସମ୍ଭ୍ରାନ୍ତ/ପ୍ରଭାବଶାଳୀ ଶ୍ରେଣୀ ବେଶିବେଶି ସ୍ଥାନ ପାଇବାରେ ଲାଗିଚନ୍ତି, ଯେଉଁମାନଙ୍କୁ ଖୁସି କରିବା ପାଇଁ ଗଣମାଧ୍ୟମ ଆପଣାର ମୂଲ୍ୟବୋଧକୁ ବି ଜଳାଞ୍ଜଳି ଦେବାକୁ ପଛାଉନାହିଁ । ଧୀରେଧୀରେ ସଂପାଦକ ଓ ମାଲିକ ଭିତରେ ଯେଉଁ ସୀମାରେଖା ରହିବା କଥା ତାହା ଲିଭିଆସୁଚି (ଅବଶ୍ୟ ବହୁ ଗଣମାଧ୍ୟମ ସଂସ୍ଥାର ମାଲିକ ବ୍ୟବସାୟୀ/ରାଜନେତା ବା ଅନ୍ୟ ବୃତ୍ତିର ଏବଂ ଅଯୋଗ୍ୟ ହୋଇଥିଲେ ହେଁ ନିଜେ ହିଁ ସଂପାଦକ) । ତେଣୁ ମାଲିକମାନେ ଏବେ ସଂପାଦକର ଭୂମିକାକୁ ଗୌଣ କରିଦେବା ସହ ଖବର ବିଷୟବସ୍ତୁ ଓ ପ୍ରସାର/ପ୍ରଚାରରେ ମଧ୍ୟ ହସ୍ତକ୍ଷେପ କରିବାର ଅପଚେଷ୍ଟା କରୁଚନ୍ତି । ଫଳରେ ସ୍ୱାଭାବିକ ଭାବେ ଜଣେ ସଂପାଦକର ସ୍ୱାଧୀନତା କ୍ଷୁଣ୍ଣ ହେଉଛି । ବୃହତ୍‌ କର୍ପୋରେଟ୍‌ ଏବେ ପ୍ରମୁଖ ଗଣମାଧ୍ୟମଗୁଡ଼ିକୁ ନିଜ ହାତରେ ରଖିବାକୁ କରୁଥିବା ଚେଷ୍ଟା ଏହି ଧାରାକୁ ପ୍ରଖର ଓ ଆତ୍ମଘାତୀ କରିଛି ।

• ଡିଜିଟାଲ୍‌ ମାଧ୍ୟମ ଓ ସୋସିଆଲ୍‌ ମିଡିଆର ଉଦ୍ଭବ ତଥା ପ୍ରସାର ସଂପାଦକର ଭୂମିକାକୁ ମଧ୍ୟ ପ୍ରଭାବିତ କରିଛି । ଯେଉଁ ସମୟରେ ଟ୍ୱିଟର/ଫେସ୍‌ବୁକ୍‌ରେ ବିଶିଷ୍ଟରୁ ନିକୃଷ୍ଟ, ସବୁ ପ୍ରକାରର ଖବର ‘ବ୍ରେକ୍‌’ ହେବାରେ ଲାଗିଛି ଏବଂ ‘ନିଉଜ୍‌ମେକର୍‌’ମାନେ ସିଧାସଳଖ ପାଠକ/ଦର୍ଶକ ଓ ସାଧାରଣ ଲୋକଙ୍କ ସହିତ ଯୋଗାଯୋଗ ସ୍ଥାପନ କରୁଛନ୍ତି, ସେତେବେଳେ ପାରମ୍ପରିକ ସାମ୍ବାଦିକତାର ସ୍ୱରୂପ ମଧ୍ୟ ବଦଳିଚାଲିଛି । ଅତିଖବରର ଏହି ଭୟଙ୍କର ସ୍ଥିତିରେ ଜଣେ ସଂପାଦକର ଭୂମିକା ଜଣେ ‘ଗୋଲ୍‌ରକ୍ଷକ’ ପରି ସୀମିତ ହୋଇଯାଉଛି, ଯେଉଁଥିରେ ସେ କେବଳ ତ୍ରୁଟିପୂର୍ଣ୍ଣ ସୂଚନାକୁ ଫିଙ୍ଗିଦେଇ ତା’ ମାଧ୍ୟମ ଦେଇ ପାଠକ/ଦର୍ଶକଙ୍କ ପାଖକୁ ନିର୍ଭୁଲ ଖବର ପଠାଉଛି । ଏତିକି ହିଁ ତା’ର କାମ ।

• କହିବା ବାହୁଲ୍ୟ ଯେ ଡିଜିଟାଲ ମାଧ୍ୟମ ସ୍ୱାଧୀନ ଚିନ୍ତା/ବିଚାର ଓ ପରସ୍ପର ବିରୋଧୀ ମତ ପ୍ରକାଶ/ପ୍ରସାର ହେବାର ଏକ ସୁନ୍ଦର ସ୍ଥାନ ହୋଇଥିବାରୁ ଏହାର ଲୋକପ୍ରିୟତା ବୃଦ୍ଧି ପାଇଚାଲିଚି । ଏହି କାରଣରୁ ବିଦେଶରେ ମୁଦ୍ରିତ ଗଣମାଧ୍ୟମର ବହୁ ପତ୍ରପତ୍ରିକା ଏବେ ଡିଜିଟାଲ ମାଧ୍ୟମକୁ ସଂପୂର୍ଣ୍ଣ ଆପଣାଇଲେଣି । ଭାରତରେ ବି ଭବିଷ୍ୟତରେ ଏଭଳି ପରିବର୍ତ୍ତନ ଆସିବ, ତା’ର ପ୍ରାକ୍‌ସୂଚନା ମିଳିଲାଣି । ସଂପାଦକମାନେ ସେହି ଅନୁସାରେ ନିଜକୁ ପ୍ରସ୍ତୁତ କରିବା ଆବଶ୍ୟକ ।

ପରିଶେଷରେ ଏତିକି କହିହେବ ଯେ ସଂପାଦକର ଭୂମିକା ଯେତିକି ଗୌଣ/କ୍ଷୁଣ୍ଣ/ଖର୍ବ ହେବ ଗଣମାଧ୍ୟମର ବିଶ୍ୱସନୀୟତା ମଧ୍ୟ ସେତିକି ହ୍ରାସ ପାଇବ, ଯାହା ତା’ର ମୂଳ ସଂପତ୍ତି । ଥରେ ବିଶ୍ୱାସସଙ୍କଟ ହେବାର ଅର୍ଥ ଅବନତିର ଆରମ୍ଭ । ଏଥିପ୍ରତି ବେଳହୁଁ ସତର୍କ/ଯତ୍ନବାନ ନହେଲେ ରକ୍ଷା ନାହିଁ ।

(୨୨ ମେ ୨୦୧୬ରେ ସମାଜରେ "ଚତୁର୍ଥ ସ୍ତମ୍ଭ" ସ୍ତମ୍ଭରେ ପ୍ରକାଶିତ)
Next PostNewer Post Previous PostOlder Post Home

1 comment:

  1. ବହୁତ ସୁନ୍ଦର ଲେଖା କଲମ ଜାରି ରହୂ ଅନେକ ଅନେକ ଶୁଭେଚ୍ଛା ରାଞ୍ଜନ ଦା କେସିଙ୍ଗା

    ReplyDelete

ଏହି ବ୍ଲଗର ସମସ୍ତ ସାମଗ୍ରୀ ଲେଖକଙ୍କ ସର୍ବସ୍ବତ୍ତ୍ବ ସଂରକ୍ଷିତ. Powered by Blogger.