ସଂପାଦକର କର୍ତ୍ତବ୍ୟ (୧)

2 comments

 ମୁଁ କୌଣସି ଖବରକାଗଜର ସଂପାଦକ ନୁହେଁ ଯେ ସବୁବେଳେ ଠିକ୍‌ କରିବା ପାଇଁ ଓ ଭଲ ହେବାପାଇଁ ଚେଷ୍ଟା କରିବି, ସତେଯେମିତି ଭଗବାନ ମତେ ଏକାକୀ ତିଆରି କରିଛନ୍ତି ।
(ଗ୍ୟାଲେକ୍ସି ପତ୍ରିକା, ୧୮୭୦ ଡିସେମ୍ବର)

ଆପଣାର ବ୍ୟଙ୍ଗ ଓ ଭ୍ରମଣ ରଚନା ଦ୍ୱାରା ପ୍ରସିଦ୍ଧି ହାସଲ କରିଥିବା ଆମେରିକୀୟ ସାମ୍ବାଦିକ-ସାହିତି୍ୟକ ମାର୍କ ଟ୍ୱେନ୍‌ (୧୮୩୫-୧୯୧୦)ଙ୍କ ଏହି କଥାଟି ବ୍ୟଙ୍ଗାତ୍ମକ ହୋଇଥିଲେ ହେଁ ଏଥିରୁ ଜଣେ ଖବରକାଗଜ ସଂପାଦକର ଦାୟିତ୍ୱ କ’ଣ, ତାହା ସହଜରେ ବୁଝି ହୋଇଯାଏ । ସର୍ବଦା ତ୍ରୁଟିଶୂନ୍ୟ କାର୍ଯ୍ୟ କରିବା ଓ ଭଲ ହେବା ପାଇଁ ପ୍ରୟାସ କରିବା ଜଣେ ସଂପାଦକର କର୍ତ୍ତବ୍ୟ । ସମ୍ବାଦପତ୍ରର କାର୍ଯ୍ୟ ସବୁବେଳେ ସହଭାଗିତା/ ସହଯୋଗିତାର କାର୍ଯ୍ୟ ହୋଇଥିବାବେଳେ ସେଥିରେ ତାକୁ ତ୍ରୁଟିଶୂନ୍ୟ ଓ ନିର୍ଦିଷ୍ଟ ଲକ୍ଷ୍ୟରେ ପ୍ରେରିତ କରିବାର ଗୁରୁ ଦାୟିତ୍ୱ ନ୍ୟସ୍ତ ଥାଏ ଜଣେ ସଂପାଦକ ହାତରେ । ସଂପାଦକୀୟ ଲେଖା ଲିଖନ ପରି ବୌଦ୍ଧିକ କସରତିଆ କାର୍ଯ୍ୟ କରିବା ବ୍ୟତୀତ ନିଜକୁ ସର୍ବଦା ତାଜା ସୂଚନାସଂପନ୍ନ ହେବାକୁ ପଡ଼ିଥାଏ ଏବଂ ତା’ ପାଖକୁ ଆସୁଥିବା ପ୍ରତ୍ୟେକ ତଥ୍ୟ କିଭଳି ନିର୍ଭୁଲ/ ନିଷ୍ପକ୍ଷ/ସତ୍ୟନିଷ୍ଠ/ପ୍ରଭାବଶାଳୀ ହେବ, ତାହା ନିଶ୍ଚିତ କରିବା ବି ସଂପାଦକର ଦାୟିତ୍ୱ । ଦେଶ/ଜାତି/ସମାଜର ମଙ୍ଗଳ ପାଇଁ ନିର୍ଦିଷ୍ଟ ଜନମତ ସୃଷ୍ଟି କରିବା ମଧ୍ୟ ତାଙ୍କର ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ, ଯାହା ଜାତୀୟ ବିତର୍କ ସୃଷ୍ଟି କରିବା ସହିତ ତାଙ୍କର ଏକ ଭାବମୂର୍ତ୍ତି ନିର୍ମାଣରେ ସହାୟତା କରିଥାଏ । ଜଣେ ସଂପାଦକ କୌଣସି ସରକାରକୁ ଦୋହଲାଇଦେବା, ଏପରିକି କ୍ଷମତାଚୁ୍ୟତ କରିବା କଥା ଆମ ଦେଶ ବା ଅନ୍ୟ ଦେଶରେ ମଧ୍ୟ ନୂଆ ନୁହେଁ । ଏଥିରୁ ଜଣେ ସଂପାଦକର କ୍ଷମତା ମଧ୍ୟ ସହଜରେ କଳି ହୁଏ । ଏକଦା ଆମ ଦେଶରେ ଏଭଳି ସଂପାଦକମାନେ ଥିଲେ, ଯେଉଁମାନେ ଦେଶର ବୌଦ୍ଧିକ ସମ୍ପତ୍ତି ଭାବେ ଗଣା ହେଉଥିଲେ । ପୂର୍ବରୁ ସଂପାଦକ କହିଲେ ଗୋଟିଏ ଖବରକାଗଜର ମସ୍ତିଷ୍କ ବୋଲି ବୁଝାଯାଉଥିଲା, କାରଣ ସେ ହିଁ ତା’ର ସାମଗ୍ରିକ ଦୃଷ୍ଟିଦର୍ଶନକୁ ନିର୍ଦ୍ଧାରଣ କରୁଥିଲା । ଏହାର କେତୋଟି ଉଦାହରଣ ପ୍ରାସଙ୍ଗିକତା ରଖେ; ଯାହା ଜଣେ ସଂପାଦକର କର୍ତ୍ତବ୍ୟକୁ ମଧ୍ୟ ବୁଝିବାରେ ଆମର ସହାୟକ ହେବ ।

ପ୍ରାକ୍‌ସ୍ୱାଧୀନତା କାଳରେ ତିନିଟି ଇଂରେଜୀ ସାପ୍ତାହିକ (ଇଣ୍ଡିଆନ ଓପିନିଅନ: ୧୯୦୩-୧୦୧୫; ୟଙ୍ଗ୍‌ ଇଣ୍ଡିଆ: ୧୯୧୯-୧୯୩୧ ଓ ହରିଜନ: ୧୯୩୩-୩୪ ଏବଂ ୧୯୪୬-ଜାନୁୟାରୀ ୧୯୪୮)ର ସଂପାଦକ ଦାୟିତ୍ୱ ତୁଲାଇଥିବା କେବଳ ଭାରତ କାହିଁକି, ପୃଥିବୀର ଅନ୍ୟତମ ଶ୍ରେଷ୍ଠ ସାମ୍ବାଦିକ-ସଂପାଦକ ଗାନ୍ଧିଜୀ ୧୯୧୫ରେ ଦକ୍ଷିଣ ଆଫ୍ରିକାର ଫିନିକ୍ସରୁ ଫେରିଲା ପରେ ସେଠାରେ ‘ଇଣ୍ଡିଆନ ଓପିନିଅନ’ର କାର୍ଯ୍ୟଭାର ସମ୍ଭାଳୁଥିବା ଦ୍ୱିତୀୟ ପୁତ୍ର ମଣିଲାଲଙ୍କୁ ସଂପାଦକର କର୍ତ୍ତବ୍ୟ ସମ୍ପର୍କରେ ଦେଇଥିବା ଦି’ପଦ ଉପଦେଶ ଉଲ୍ଲେଖଯୋଗ୍ୟ । ସେ କହିଥିଲେ: “ଯାହା ସତ୍ୟ ତାହା ହିଁ ତୁମେ ଇଣ୍ଡିଆନ ଓପିନିଅନରେ ଲେଖିବା ଉଚିତ । ତୁମେ କେବେ ଅବିନୀତ/ଅଶିଷ୍ଟ ହେବ ନାହିଁ ଓ କ୍ରୋଧ କରିବ ନାହିଁ । ଶବ୍ଦ ପ୍ରୟୋଗରେ ସଂଯମୀ ହେବ । ଯଦି କୌଣସି ତ୍ରୁଟି କର, ତେବେ ତାକୁ ସ୍ୱୀକାର କରିବାକୁ ଦ୍ୱିଧା କରିବ ନାହିଁ ।”

ଗାନ୍ଧିଜୀ ଶବ୍ଦ ପ୍ରୟୋଗରେ ସଂଯମ ଆଚରଣ କରିବାକୁ କହିଥିଲେ ବି ନିଜେ ବେଳେବେଳେ ଅନେକ କଠୋର ଶବ୍ଦ ପ୍ରୟୋଗ କରିଥିବା ଦେଖାଯାଏ । ଏହା ଅବଶ୍ୟ ସେତେବେଳେ ସ୍ୱାଭାବିକ ଥିଲା; କାରଣ ବ୍ରିଟିଶ୍‌ ଶାସକଙ୍କଠାରୁ ଦେଶକୁ ମୁକ୍ତ କରିବା ପାଇଁ ଯେଉଁ ସ୍ୱାଧୀନତା ସଂଗ୍ରାମ ଚାଲୁଥିଲା, ତା’ର ସେ ନେତୃତ୍ୱ ନେଇଥିଲେ । ଭାରତୀୟଙ୍କ ଭିତରେ କୌଣସି ନିର୍ଦିଷ୍ଟ ବିଷୟରେ ଜନମତ ସୃଷ୍ଟି କରିବାକୁ ସେ ପତ୍ରପତ୍ରିକା ପ୍ରକାଶନର ସହାୟତା ନେଇଥିଲେ । ସେ ତେଣୁ ଖୋଲାଖୋଲି  ଅନ୍ୟାୟ/ଅନୀତି/କୁନୀତି ବିଷୟରେ କଡ଼ାଭାଷାରେ ସଂପାଦକୀୟ ଲେଖୁଥିଲେ । ତାଙ୍କ ଉପରେ କି ଦଣ୍ଡବିଧାନ ହେବ, ତାକୁ ସେ ଖାତିର୍‌ କରୁନଥିଲେ (ବି.ଦ୍ର: ୟଙ୍ଗ୍‌ ଇଣ୍ଡିଆରେ ଲେଖିଥିବା ଲେଖା ‘ଶେକିଂ ଦି ମାନେସ୍‌’ ବା ‘ଆତ୍ମାର କମ୍ପନ’ ଲେଖା ପାଇଁ ତାଙ୍କୁ ରାଷ୍ଟ୍ରଦ୍ରୋହ ଅଭିଯୋଗରେ ୬ ବର୍ଷ ଜେଲ୍‌ ଦଣ୍ଡାଦେଶ ହୋଇଥିଲା) । ଏକଦା ସେ ଲେଖିଥିଲେ, “ଯେତେବେଳେ କୌଣସି ପ୍ରକାଶିତ ଲେଖା ସରକାରଙ୍କୁ ଅପ୍ରିୟ ଲାଗିଲା ବା ସତ୍ୟ ହୋଇଥିଲେ ହେଁ କୌଣସି ଆଇନର ଉଲ୍ଲଙ୍ଘନ କଲା, ତେବେ ସେତେବେଳେ ଜଣେ ସଂପାଦକ କ’ଣ କରିବା ଆବଶ୍ୟକ? ସେ କ’ଣ କ୍ଷମା ମାଗିବା ଉଚିତ? ଆମେ କହିବୁ, ନିଶ୍ଚିତ ଭାବେ ନୁହେଁ । ଏହା ସତ୍ୟ ଯେ ସେଭଳି କଥାକୁ ସେ ପ୍ରକାଶ କରିବା ପାଇଁ ବାଧ୍ୟ ନୁହେଁ, କିନ୍ତୁ ଥରେ ପ୍ରକାଶ ପାଇଯିବା ପରେ ସଂପାଦକ ସେଥିପାଇଁ ଉତ୍ତରଦାୟୀ ହେବା ଉଚିତ ।” (ଇଣ୍ଡିଆନ ଓପିନିଅନ, ଗୁଜରାଟୀ ସଂସ୍କରଣ, ୨୩ ଏପ୍ରିଲ ୧୯୧୯)

ଜଣେ ସଂପାଦକ ଏହି ଉତ୍ତରଦାୟିତ୍ୱକୁ କିଭଳି ପାଳନ କରନ୍ତି/କରିବା ଉଚିତ, ତା’ର ଶ୍ରେଷ୍ଠ/ଉଜ୍ଜ୍ୱଳତମ ଉଦାହରଣ ରଖିଛନ୍ତି ଉକ୍ରଳମଣି ପଣ୍ଡିତ ଗୋପବନ୍ଧୁ ଦାସ । ୧୯୨୦ ମସିହାରେ ଅସହଯୋଗ ଆନେ୍ଦାଳନରେ ତାଙ୍କର ସଂପୃକ୍ତି ଯୋଗୁଁ ସେ ସରକାରଙ୍କ ରୋଷର ଶିକାର ହୋଇଥିଲେ, ଯାହା ଆଦୌ ନଥିଲା ଅସ୍ୱାଭାବିକ । ତାଙ୍କୁ କିଭଳି ଦଣ୍ଡିତ କରାଯିବ, ସୁଯୋଗ ଖୋଜାଯାଉଥିଲା ଓ ଠିକ୍‌ ସେହି ସମୟରେ ‘ସମାଜ’ରେ ପ୍ରକାଶିତ ଏକ ଖବରକୁ ଆଳକରି ତାଙ୍କ ନାମରେ ମୋକଦ୍ଦମା ହେଲା । ୧୯୨୧ ମସିହା ଅଗଷ୍ଟ ୧୩ରେ ‘ସତ୍ୟ ହେଲେ ସାଙ୍ଘାତିକ’ ଶିରୋନାମାରେ ପ୍ରକାଶ ପାଇଥିବା ଉକ୍ତ ଖବରଟି ପୁରୀ ଜିଲା ବେଗୁନିଆ ଥାନାର ଦୁଇ ଜଣ କନଷ୍ଟେବଳ ବଜାରରେ ଜଣେ ଯୁବତୀଙ୍କୁ ଅସଦାଚରଣ କରିବା ଘଟଣାକୁ କେନ୍ଦ୍ରକରି ଥିଲା । ପରବର୍ତ୍ତୀ ଅନୁସନ୍ଧାନରେ ଖବରଟି ଅତିରଞ୍ଜିତ ହୋଇଥିବା ଗୋପବନ୍ଧୁ ଅନୁଭବ କଲେ ଏବଂ ସେପ୍ଟେମ୍ବର ୨୪ରେ ପ୍ରତିବାଦ ପ୍ରକାଶ କଲେ, କିନ୍ତୁ ତାହା ସରକାରଙ୍କୁ ସନ୍ତୁଷ୍ଟ କଲା ନାହିଁ । କନଷ୍ଟେବଳଙ୍କ ମାନହାନି ଅଭିଯୋଗରେ ତାଙ୍କ ନାମରେ ମୋକଦ୍ଦମା ରୁଜୁ ହେଲା । ଏହି ମାମଲାରେ ଗୋପବନ୍ଧୁ ଅଦାଲତରୁ ନିର୍ଦୋଷରେ ଖଲାସ ହେଲେ । ତଥାପି ଜଣେ ସତ୍ୟାଗ୍ରହୀ ହୋଇଥିବାରୁ ସେ ନୀତିଗତ ଭାବେ ନିଜ ପକ୍ଷ ସମର୍ଥନ ନ କରିବାରୁ ତାଙ୍କୁ ୧୯୨୧ ଅକ୍ଟୋବର ୨୮ରୁ ନଭେମ୍ବର ୨୯ ତାରିଖ ପର୍ଯ୍ୟନ୍ତ ମାସେ କାଳ ଜେଲ୍‌ରେ ରହିବାକୁ ପଡ଼ିଥିଲା । (ଦ୍ର: ପଣ୍ଡିତ ଗୋପବନ୍ଧୁ ଦାସ: ଡ. ଶ୍ରୀରାମଚନ୍ଦ୍ର ଦାଶ; ପୃ: ୧୩୨)

ପତ୍ରପତ୍ରିକାର ସଂପାଦକଭାବେ ଉତ୍ତରଦାୟିତ୍ୱ ତୁଲାଇବାରେ ଏଭଳି ଉଦାହରଣ ଅନ୍ୟତ୍ର ବିରଳ । ସମ୍ପାଦକୀୟ କର୍ତ୍ତବ୍ୟ ସମ୍ପର୍କରେ ସେ ଏକଦା ଲେଖିଥିଲେ, “ଗୋଟିଏ ସମ୍ବାଦପତ୍ର ଦେଶର ସମାଚାର ପ୍ରକାଶ କରିଥାଏ । ସମ୍ବାଦଗୁଡ଼ିକ ସବୁ ଅଞ୍ଚଳରୁ ଆସିଥିଲେ ସଂପାଦକଙ୍କ ପାଇଁ ତାହା ପସନ୍ଦଯୋଗ୍ୟ ହୋଇଥାଏ । ଯଦି ସତ୍ୟ ସମ୍ବାଦ ମିଳିଥାଏ ତାଙ୍କ କର୍ତ୍ତବ୍ୟର ଏହା ଏକ ଅଂଶ ଭାବି ତାକୁ ଆନନ୍ଦରେ ପ୍ରକାଶ କରିଥାନ୍ତି । ଯଦି ଏକ ନିର୍ଦିଷ୍ଟ ସମ୍ବାଦ ପ୍ରକାଶ ପାଇବ କି ନାହିଁ ଏବଂ ଯଦି ପାଏ, ତାହା କେବେ ପ୍ରକାଶ ପାଇବ ଏବଂ ଏଥିରେ ଏହା ପ୍ରକାଶନରେ ଦାୟିତ୍ୱବୋଧ କେତେ ଜଡ଼ିତ ଆଦି ବିଷୟ ସମ୍ପାଦକଙ୍କ ବ୍ୟତୀତ ଅନ୍ୟ କେହି ନିର୍ଦ୍ଧାରିତ କରିବା ଉଚିତ ନୁହେଁ । +++ ବିନା ଅନୁସନ୍ଧାନରେ ସାମ୍ବାଦିକମାନେ ସମ୍ବାଦ ପଠାଇବାର ବହୁ ଉଦାହରଣ ରହିଛି । ଅନ୍ୟଥା ପ୍ରତିକାର ବ୍ୟବସ୍ଥା ଥିବା, ସତ୍ୟତା ବିଷୟରେ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ସମ୍ବାଦ ପ୍ରକାଶ କରିବା ଆଦୌ ନିରାପଦ ନୁହେଁ । +++ ‘ସମାଜ’ ଓଡ଼ିଶାର ଗ୍ରାମ୍ୟଜନତାଙ୍କ ପାଇଁ ଲେଖାଯାଏ । ସେମାନେ କେତେଦୂର ଶିକ୍ଷିତ ଆମେ ଜାଣୁ । ତେଣୁ ଆମେ ତାକୁ ସାବଧାନତାର ସହ ସମ୍ପାଦିତ କରୁ ଏବଂ ଯାହା ଯଥାର୍ଥ ଏବଂ ସମୟ ଉପଯୋଗୀ ତାହା ପ୍ରକାଶ କରୁ । କାର୍ଯ୍ୟଭାରରେ କେତେକ ଦରକାରୀ ସମ୍ବାଦ ଆମ ଦୃଷ୍ଟି ବାହାରକୁ ଚାଲିଯାଇପାରନ୍ତି, ମାତ୍ର ଆମେ ଏଥିପାଇଁ ସଦାବେଳେ ଦୁଃଖିତ ।” (ସମାଜ, ୧୧ ଫେବୃୟାରୀ ୧୯୨୨)

କହିବା ବାହୁଲ୍ୟ ଯେ ଗୋପବନ୍ଧୁଙ୍କ ଏ ଆବେଦନର ପ୍ରାସଙ୍ଗିକତା ଏବେ ମଧ୍ୟ ରହିଚି ଅକ୍ଷୁଣ୍ଣ; କାହିଁକିନା ଆଧୁନିକ ଗଣମାଧ୍ୟମ ଯେତିକି ନିଜକୁ ‘କର୍ପୋରେଟ୍‌’ ଢାଞ୍ଚାରେ ଗଢ଼ିବାକୁ ଚେଷ୍ଟା କରୁଚି, ତାହା ସେତିକି ହେଉଚି ଛିନ୍ନମୂଳ; ଅର୍ଥାତ ଗଣଠାରୁ ବିଚ୍ଛିନ୍ନ । ଅତିରଞ୍ଜିତ/ଅଶାଳୀନ/ଅପ୍ରାମାଣ୍ୟ ସମ୍ବାଦର ପ୍ରାବଲ୍ୟ ତାକୁ କରୁଚି ସମ୍ବେଦନହୀନ । ପୂର୍ବରୁ ସଂପାଦକଟି ଉପରେ ନୈତିକ ଚାପ ରହୁଥିଲାବେଳେ ଏବେ ତା’ଉପରେ ରହୁଛି ବେଶି ଅନୈତିକ ଚାପ; ତେଣୁ ସଂପାଦକଟିଏ ନିଜର ପ୍ରକୃତ କର୍ତ୍ତବ୍ୟ ତୁଲାଇବା ହୋଇପଡ଼ୁଛି କଠିନ ।

(ସମାଜରେ "ଚତୁର୍ଥ ସ୍ତମ୍ଭ" ସ୍ତମ୍ଭରେ ୮.୫.୨୦୧୬ରେ ପ୍ରକାଶିତ)
Next PostNewer Post Previous PostOlder Post Home

2 comments:

  1. ବହୁତ ସୁନ୍ଦର ହୋଇଛି।କିନ୍ତୁ ମିଡିଆ ଆଜି ‘କର୍ପୋରେଟ୍‌ର ମାନଙ୍କ ହାତରେ ବନ୍ଧା । ଏଲୋକ୍ଟ୍ରୋନିକ ମିଡିଆ କଥା ତ ନକହିଲେ ଭଲ ପ୍ରାୟ ସମସ୍ତେ ବିଦେଶୀ । ଯାହା ହେଉ ଲେଖାଟି ଭଲ ହେଇଛି

    ReplyDelete
    Replies
    1. ରଞ୍ଜନ ଦାଦା

      Delete

ଏହି ବ୍ଲଗର ସମସ୍ତ ସାମଗ୍ରୀ ଲେଖକଙ୍କ ସର୍ବସ୍ବତ୍ତ୍ବ ସଂରକ୍ଷିତ. Powered by Blogger.