କିଏ ଦେବ ତା’ର ମୂଲ

Leave a Comment

ଅଶୋକ


ତାଲାବନ୍ଦ ସମୟରେ ସଂପନ୍ନ ଲୋକେ ଘରେ ରହି ମଉଜ କରୁଥିବାବେଳେ ବେରୋଜଗାର ଶ୍ରମଜୀବୀ ଶ୍ରେଣୀ ଭୋକଉପାସରେ ରାଜରାସ୍ତାରେ କିମ୍ବା ନିରୁପାୟ ଅବସ୍ଥାରେ ସଙ୍ଗରୋଧ କେନ୍ଦ୍ରରେ। ଏହି ଦୁଃସମୟରେ ହିଁ ତାଙ୍କ ଅଜାଣତରେ ବଦଳିଯାଇଚି ସେମାନଙ୍କ ସୁରକ୍ଷା ଓ ଅଧିକାର ପାଇଁ ରହିଥିବା ଆଇନ। ପୁଞ୍ଜିବାଦୀ ସରକାର ନା ବୁଝୁଚି ଶ୍ରମଜୀବୀ ଜୀବନର ମୂଲ୍ୟ ନା ପୁଞ୍ଜିପତି ଦଉଚି ତା’ ଜୀବିକାର ମୂଲ।


ପୁଞ୍ଜି ମୃତ ଶ୍ରମ ଅଟେ, ଯାହା ପିଶାଚ ପରି କେବଳ ଜୀବିତ ଶ୍ରମିକଙ୍କ ରକ୍ତ ଶୋଷି ବଞ୍ଚିରହେ, ଏବଂ ସେ ଯେତିକି ଅଧିକ ବଞ୍ଚେ ସେତିକି ବେଶି ଶ୍ରମଜୀବୀଙ୍କୁ ଶୋଷେ।
ଦେଢ଼ଶହ ବର୍ଷ ତଳେ ଜର୍ମାନ ଦାର୍ଶନିକ, ଅର୍ଥନୀତିଜ୍ଞ ଓ ସମାଜତତ୍ତ୍ବବିଦ୍‌ କାର୍ଲ ହେନରିକ୍ ମାର୍କ୍ସ(୧୮୧୮-୧୮୮୩) ତାଙ୍କର ବିଶ୍ବବିଖ୍ୟାତ ପୁସ୍ତକ ‘ଦାସ୍‌ କ୍ୟାପିଟାଲ୍‌’ (ପୁଞ୍ଜି) ପୁସ୍ତକରେ ଲେଖିଥିବା ଏ ଗୂଢ଼ତତ୍ତ୍ବଟି ସେତେବେଳେ ବୁଝିବା କଷ୍ଟକର ହୋଇଯାଏ, ଯେତେବେଳେ ଶାସକ ଅର୍ଥାତ ସରକାର ନିଜେ ପୁଞ୍ଜିପତି ପକ୍ଷରୁ ଶ୍ରମଜୀବୀର ରକ୍ତ ଶୋଷିବାର ଉପାୟ ବାହାର କରନ୍ତି। ସରକାର ମନେହୁଅନ୍ତି ପୁଞ୍ଜିପତି ଓ ପୁଞ୍ଜିପତି ମନେହୁଅନ୍ତି ସରକାର। ବିଡ଼ମ୍ବନା ଯେ ଶାସକ ଶ୍ରେଣୀ ପୁଞ୍ଜିପତିଙ୍କ ସପକ୍ଷବାଦୀ ହେଲେ ହେଁ ଶ୍ରମଜୀବୀ ପକ୍ଷର ବୋଲି ମିଛରେ ସବୁବେଳେ କହିଆସିଛନ୍ତି। ସେ ଯାହାହେଉ, ଏକଥା କହିବାକୁ ପଡ଼ୁଛି ଏଇଥିପାଇଁ ଯେ ନିକଟରେ କରୋନାଜନିତ ତାଲାବନ୍ଦ (ଲକ୍‌ଡାଉନ) ନାମରେ ଓଡ଼ିଶା ସମେତ ଅନେକ ରାଜ୍ୟର ସରକାର ଶ୍ରମଜୀବୀଙ୍କ ମୌଳିକ ଅଧିକାରକୁ ଛଡ଼ାଇ ନେବାଭଳି ଆଇନରେ ହେର୍‌ଫେର୍‌ କରିଛନ୍ତି। ପ୍ରାୟ ଦେଢ଼ଶହ ବର୍ଷ ଧରି ସାରା ପୃଥିବୀରେ ଅନେକ ସଂଘର୍ଷ ଓ ବିଚାରମନ୍ଥନ ପରେ ହାସଲ୍ ହୋଇଥିବା ଶ୍ରମ ଅଧିକାରକୁ ଏପରି ସମୟରେ ଛଡ଼ାଇ ନିଆଯାଇଛି, ଯେଉଁ ସମୟରେ କୋଟିକୋଟି ଶ୍ରମଜୀବୀ କେବଳ ନିଜର ରୋଜଗାର ହରାଇ ନାହାନ୍ତି; ଖାଦ୍ୟ ଓ ବାସ ନପାଇ ସହସ୍ରାଧିକ କିଲୋମିଟର ଦୂର ନିଜ ଗ୍ରାମ ଅଭିମୁଖେ ଯାତ୍ରା କରିବାକୁ ବାଧ୍ୟ ହୋଇଛନ୍ତି। କିଏ ନିଜର ସମସ୍ତ ସଞ୍ଚିତ ଟଙ୍କାରେ ଡଙ୍ଗା କିଣି ଜୀବନକୁ ପାଣି ଛଡ଼ାଇ ସମୁଦ୍ରପଥରେ ଘରେ ପହଞ୍ଚିବାର ଚେଷ୍ଟା କରୁଛି ତ ଆଉ କିଏ ସାଇକଲରେ ହିଁ ହଜାରହଜାର କିଲୋମିଟର ଯାତ୍ରା କରୁଛି। ଖାଲିପାଦରେ ଚାଲିଚାଲି ଅନେକ ରାସ୍ତାରେ ପ୍ରାଣ ହରାଉଛନ୍ତି। କେଉଁଠି ସେମାନେ ପୁଲିସ ମାଡ଼ରେ ଜୀବନ ଦେଉଛନ୍ତି ତ ଆଉ କେଉଁଠି ଚାଲିଚାଲି ଥକିଯାଇ ରେଳଧାରଣାରେ ଶୋଇପଡ଼ିଥିବା ଅଭାଗା ଶ୍ରମଜୀବୀଙ୍କୁ ଟ୍ରେନ୍ ଦଳିଦେଉଚି। ‘ଆଜୀବିକା’ ନାମକ ସଂଗଠନର ହିସାବ ଅନୁଯାୟୀ ମେ ୧୧ ସୁଦ୍ଧା ଦେଶରେ ୪୧୮ ଜଣ ଶ୍ରମଜୀବୀ ପ୍ରାଣ ହରାଇଛନ୍ତି। ସେମାନଙ୍କ ଅସହାୟତା ଏଥିରୁ ବୁଝିହେବ ଯେ ୮୩ ଜଣ ଆତ୍ମହତ୍ୟା କରିସାରିଲେଣି। ପୂର୍ବ ପୀଡ଼ିତ ରୋଗର ଠିକ୍‌ ସମୟରେ ଚିକିତ୍ସା କରିନପାରି ୪୦ ଜଣ ଶ୍ରମଜୀବୀଙ୍କ ପ୍ରାଣ ଯାଇଛି। ସତେ ଯେମିତି ଏମାନଙ୍କ ଜୀବନର ମୂଲ୍ୟ କିଛି ନାହିଁ। ଶ୍ରମଜୀବୀ ମଣିଷଙ୍କ ଏ ଦୁର୍ଗତିର ପ୍ରାଣଥରା ଚିତ୍ର ତଥାକଥିତ ‘ନିଉ ଇଣ୍ଡିଆ’ର ପରିକଳ୍ପନାକୁ ଉପହାସ କରୁନାହିଁ କି?

ଏବେ ପୁଣି ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ। ମେ ୩୧ ପର୍ଯ୍ୟନ୍ତ ଘୋଷଣା ହେବାପରେ ଶ୍ରମଜୀବୀ ଶ୍ରେଣୀ ପାଇଁ ଏହା ଆତଙ୍କ ସୃଷ୍ଟି କରିବା ସ୍ବାଭାବିକ। ନା କେନ୍ଦ୍ର ସରକାର ନା ରାଜ୍ୟ ସରକାର, କେହି ମଧ୍ୟ ଠିକ୍‌ ସମୟରେ ଏହି ଶ୍ରେଣୀର କଥା ନବୁଝି ସେମାନଙ୍କୁ ନିଜ ଭାଗ୍ୟ ଆଦରି ପଡ଼ି ରହିବାକୁ ଛାଡ଼ିଦେଇଥିଲେ। କେନ୍ଦ୍ର ସରକାରଙ୍କ ଚେତା ପଶିଲା ସେତେବେଳେ, ଯେତେବେଳେ ଶ୍ରମଜୀବୀଙ୍କ ପଳାୟନ ସମସ୍ୟା ଏକ ମାନବିକ ସଙ୍କଟ ପାଲଟିଲା। ଦୀର୍ଘ ୩୮ ଦିନ ପରେ ସରକାର ପ୍ରବାସୀ ଶ୍ରମଜୀବୀଙ୍କ ପାଇଁ ନିଜ ଗୃହରାଜ୍ୟକୁ ଫେରିବାକୁ ଟ୍ରେନ୍ ଓ ବସ୍‌ର ବ୍ୟବସ୍ଥା କଲେ; କିନ୍ତୁ ଏହା ଆଦୌ ଯଥେଷ୍ଟ ନୁହେଁ; କାରଣ ଏବେମଧ୍ୟ ନିଜ ଘରକୁ ଫେରିବାକୁ ଚାହୁଁଥିବା ଲକ୍ଷଲକ୍ଷ ପ୍ରବାସୀ ଶ୍ରମଜୀବୀ ଅନ୍ୟ ରାଜ୍ୟରେ ଅତି ଦୟନୀୟ ଅବସ୍ଥାରେ ରାସ୍ତାଘାଟ, ପ୍ଲାଟଫର୍ମ, ବସ୍‌ଷ୍ଟାଣ୍ଡରେ ପଡ଼ିରହିଛନ୍ତି। କେବଳ ନିଜ ନାମ ପଞ୍ଜୀକରଣ ପାଇଁ ଦିନଦିନ ଧାଡ଼ିରେ ଛିଡ଼ା ହେବାକୁ ପଡ଼ୁଛି। କେନ୍ଦ୍ର ସରକାରଙ୍କ ଅଦୂରଦର୍ଶୀ ତରବରିଆ ଲକ୍‌ଡାଉନ୍‌ ଘୋଷଣା ସେମାନଙ୍କ ଜୀବନଜୀବିକାକୁ ହଠାତ୍‌ ଯେଭଳି ବିପନ୍ନ କରିଦେଲା, ତାହା ସେମାନଙ୍କ ପାଇଁ ଏବେ ଅଭିଶାପ ପାଲଟିଛି। ତା’ ଉପରେ ବର୍ତ୍ତମାନ ସେମାନଙ୍କ ଦୀର୍ଘବର୍ଷର ସଂଘର୍ଷରୁ ପ୍ରାପ୍ତ ଅଧିକାରକୁ ଛଡ଼ାଇ ନେବାର କାରସାଦି!

ମୁଲତବୀର ମୂଲ

ଆମ ଦେଶରେ ଶ୍ରମଜୀବୀଙ୍କ ଅଧିକାରର ସୁରକ୍ଷା ନିମନ୍ତେ କେନ୍ଦ୍ର ସରକାରଙ୍କ ୪୫ଟି ଓ ରାଜ୍ୟ ସରକାରଙ୍କର ପ୍ରାୟ ୨୦୦ଟି ଆଇନ ରହିଛି। ସମ୍ବିଧାନ ଅନୁଯାୟୀ ଶ୍ରମ ସମବର୍ତ୍ତୀ ତାଲିକାର ବିଷୟ, ଯାହା ଉପରେ ରାଜ୍ୟ ଓ କେନ୍ଦ୍ର ଉଭୟ ଆଇନ ତିଆରି କରିପାରିବେ। ତେ​‌ବେ ମୋଦି ସରକାର ଆସିବା ପରେ ସଂସ୍କାର ନାମରେ ଶ୍ରମ ଆଇନକୁ କୋହଳ କରାଯିବାପାଇଁ ଚେଷ୍ଟା ଚାଲିଥିବା ଅଭିଯୋଗ ହୋଇଆସୁଛି। ୨୦୧୯ରେ ଅର୍ଥାତ ଗତବର୍ଷ କେନ୍ଦ୍ର ସରକାର ୪୫ଟି ଆଇନ ବଦଳରେ ଚାରିଟି ଆଇନ ହିଁ ରଖିବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି। ୮ ଅଗଷ୍ଟ ୨୦୧୯ରେ ଶ୍ରମ ଆଇନ ୨୦୧୯ର ଅଧିସୂଚନା ଜାରି କରାଯାଇଥିଲା। ଏହି ଆଇନଗୁଡ଼ିକ ଦେଶର ଔପଚାରିକ ବା ସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମଜୀବୀଙ୍କ ପାଇଁ ଉଦ୍ଦିଷ୍ଟ। ତେବେ ସବୁଠୁ ବଡ଼ ବିଡ଼ମ୍ବନା ଯେ ଦେଶର ୮୧ ଶତାଂଶ ଶ୍ରମଜୀବୀ ଅନୌପଚାରିକ ବା ଅଂସଗଠିତ କ୍ଷେତ୍ରରେ ହିଁ କାର୍ଯ୍ୟ କରନ୍ତି ଓ ମାତ୍ର ୧୮ ଶତାଂଶ ହିଁ ଔପଚାରିକ କ୍ଷେତ୍ରରେ କାମ କରନ୍ତି। ୦.୮ ଶତାଂଶ ଘରେ କାମ କରିଥାନ୍ତି।

ନିକଟରେ ଲକ୍‌ଡାଉନ ବାହାନାରେ ବିଭିନ୍ନ ରାଜ୍ୟ ସରକାର ଗୁରୁତ୍ବପୂର୍ଣ୍ଣ ଶ୍ରମ ଆଇନଗୁଡ଼ିକୁ ମୁଲତବୀ ରଖିବାକୁ କିମ୍ବା କୋହଳ କରିବାର ନିଷ୍ପତ୍ତି ନେଇଛନ୍ତି। ଏହା ଭିତରେ ସବୁଠୁ ବଡ଼ ନିଷ୍ପତ୍ତି ହେଲା ଦୈନିକ କାର୍ଯ୍ୟ ଅବଧି ବୃଦ୍ଧି। ମେ ୧ରେ ଏଇଥିପାଇଁ ଶ୍ରମିକ ଦିବସ ପାଳନ କରାଯାଏ, କାରଣ ଏହି ଦିନ ପ୍ରତ୍ୟହ ଆଠ ଘଣ୍ଟା କାମ କରିବାର ମାନଦଣ୍ଡକୁ ପୃଥିବୀର ବିଭିନ୍ନ ଦେଶ ସ୍ବୀକାର କରିଥିଲେ। ଭାରତ ମଧ୍ୟ ଏହାକୁ ମାନ୍ୟତା ଦେଇଛି। ତେବେ ଏହି ଅନ୍ତର୍ଜାତୀୟ ମାନଦଣ୍ଡକୁ କେତେକ ରାଜ୍ୟ ସରକାର ଏବେ ଅବମାନନା କରି ଉଦ୍ୟୋଗ ଓ ପୁଞ୍ଜିପତିଙ୍କ ସପକ୍ଷରେ ଅଧ୍ୟାଦେଶ ଆଣିଛନ୍ତି। ଏହାରି ଅନୁସାରେ ବର୍ତ୍ତମାନ ଉଦ୍ୟୋଗଗୁଡ଼ିକ ଶ୍ରମିକଙ୍କଠାରୁ ଦୈନିକ ୮ ଘଣ୍ଟା ବଦଳରେ ୧୨ ଘଣ୍ଟା କାମ ଆଦାୟ କରିପାରିବେ। ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ ଓ ଗୁଜରାଟ ସରକାର କେବଳ କାର୍ଯ୍ୟଅବଧି ବଢ଼ାଇନାହାନ୍ତି, ତିନିଚାରିଟି ଆଇନକୁ ଛାଡ଼ି ଅନ୍ୟ ଆଇନ ପାଳନର ଅନିବାର୍ଯ୍ୟତାକୁ ମଧ୍ୟ ହଟାଇ ଦେଇଛନ୍ତି; ଅର୍ଥାତ ଉଦ୍ୟୋଗପତିଙ୍କ ଦ୍ବାରା ଏବେ ଶ୍ରମିକଙ୍କୁ ଯେ କୌଣସି ପ୍ରକାରେ ଶୋଷଣ କରିବାର ରାସ୍ତା ଖୋଲିଦିଆଯାଇଛି। ଇତିମଧ୍ୟରେ ଓଡ଼ିଶା, ମହାରାଷ୍ଟ୍ର, ରାଜସ୍ଥାନ, ଗୋଆ, ଉତ୍ତରାଖଣ୍ଡ, ଆସାମ, ପଞ୍ଜାବ, ହରିୟାଣା ଓ ହିମାଚଳ ପ୍ରଦେଶ ମଧ୍ୟ ଶ୍ରମ ଆଇନରେ ପରିବର୍ତ୍ତନ ଆଣିଛନ୍ତି।

ସର୍ବପ୍ରଥମେ ଉତ୍ତର ପ୍ରଦେଶ ସରକାର ତିନିଟିକୁ ବାଦ୍‌ ଦେଇ ସମସ୍ତ ଶ୍ରମ ଆଇନକୁ ମୁଲତବୀ କରିବା ପାଇଁ ଅଧ୍ୟାଦେଶ ଆଣିଲେ। ତାଙ୍କ ପଛେପଛେ ମଧ୍ୟପ୍ରଦେଶ ଓ ଗୁଜରାଟ ମଧ୍ୟ ସେହି ରାସ୍ତା ଧରିଲେ। ଉତ୍ତରପ୍ରଦେଶ ସରକାର ମେ ୬ରେ ଏ ସମ୍ବନ୍ଧୀୟ ଅଧ୍ୟାଦେଶ ଆଣିଲେ, ଯାହା ଅନୁସାରେ ତିନିବର୍ଷ ପାଇଁ ୩୮ଟି ଶ୍ରମ ଆଇନକୁ ସଂପୂର୍ଣ୍ଣ ନିଲମ୍ବିତ କରିଦିଆଗଲା। ସେ ଯାହାହେଉ, ଉତ୍ତର ପ୍ରଦେଶ ସରକାରଙ୍କ ନିଷ୍ପତ୍ତି ବିରୋଧରେ ଏକ ଜନସ୍ବାର୍ଥ ମାମଲା ଦାୟର୍ ହେବାପରେ ଏହାର ଶୁଣାଣି କରି ଆହ୍ଲାବାଦ ଉଚ୍ଚ ନ୍ୟାୟାଳୟ ସରକାରଙ୍କଠାରୁ ଜବାବ ତଲବ କରିଥିଲେ। ପରେ ଉତ୍ତର ପ୍ରଦେଶ ସରକାର ୧୨ ଘଣ୍ଟାରୁ ୧୦ ଘଣ୍ଟାକୁ ଶ୍ରମ ଅବଧି କରାଯିବ ବୋଲି ଅଦାଲତକୁ କହିଛନ୍ତି। ତେବେ ଅଧ୍ୟାଦେଶ ବଳବତ୍ତର ରହିବ ବୋଲି କୁହାଯାଇଛି। ଏହାର ଅର୍ଥ ହେଲା ଆଗାମୀ ତିନିବର୍ଷ ପର୍ଯ୍ୟନ୍ତ ଉତ୍ତର ପ୍ରଦେଶରେ ଶ୍ରମଜୀବୀଙ୍କ ପ୍ରାୟ ସମସ୍ତ ଅଧିକାରକୁ କାଢ଼ି ନିଆଯାଇଛି।

ବିଜେପି ଶାସିତ ତିନିଟି ରାଜ୍ୟ ଯେଉଁ ଶ୍ରମ ଆଇନଗୁଡ଼ିକୁ ମୁଲତବୀ କରିଛନ୍ତି, ସେଗୁଡ଼ିକ ମଧ୍ୟରେ ବୋନସ୍‌ ଆଇନ, ଗ୍ରାଚୁଇଟି ଆଇନ, ଆଠଘଣ୍ଟା କାମ କରିବା ଆଇନ, ବେତନ ପ୍ରଦାନ ଆଇନ, ଚାକିରି ସ୍ଥାୟିତ୍ବ ସମ୍ବନ୍ଧୀୟ ଆଇନ, କାରଖାନା ପରିସରରେ ପାନୀୟ ଜଳ ଓ ପରିସ୍ରାଗାର ଭଳି ମୌଳିକ ଆବଶ୍ୟକତା ଯୋଗାଣ ସମ୍ବନ୍ଧୀୟ ଆଇନ ଆଦି ଅନ୍ତର୍ଭୁକ୍ତ। କେବଳ ଏତିକି ନୁହେଁ, ସରକାରୀ ଇନ୍ସପେକ୍ଟରଙ୍କ ଦ୍ବାରା କାରାଖାନା ପରିଦର୍ଶନ ବ୍ୟବସ୍ଥା ଓ ମାଲିକ ସହ ମୂଲଚାଲ ନିମନ୍ତେ ଶ୍ରମିକ ସଂଘ ଗଠନ ଆଦି ମଧ୍ୟ ଏବେ ସେସବୁ ରାଜ୍ୟରେ ସମ୍ଭବ ହେବନାହିଁ। ଠିକା ଶ୍ରମିକ ପ୍ରଥାକୁ ନିରୁତ୍ସାହିତ ଓ ନିୟନ୍ତ୍ରଣ କରିବାପାଇଁ ରହିଥିବା ଆଇନ ମଧ୍ୟ ଆଉ ନାହିଁ; ଅର୍ଥାତ ବର୍ତ୍ତମାନ ଶ୍ରମଜୀବୀଙ୍କୁ ଦିନମଜୁରିଆଭାବେ କାରଖାନା ମାଲିକମାନେ ରଖିପାରିବେ। ସେମାନଙ୍କୁ ଚାହିଁଲେ କାମ ଦେବେ, ନହେଲେ ବାହାର କରିଦେଇ ପାରିବେ। ଏପରିକି ସେମାନଙ୍କ ପାଇଁ ପିଇବା ପାଣି ଓ ପାଇଖାନା ଭଳି ମୌଳିକ ସୁବିଧାର ବ୍ୟବସ୍ଥା ନକଲେ ବି ସେମାନଙ୍କ ପାଇଁ କିଛି ସମସ୍ୟା ନାହିଁ। ଏଥିପାଇଁ କେହି ପାଟି ଫିଟାଇ ପାରିବେ ନାହିଁ। ପୁଞ୍ଜିପତି ଓ ମାଲିକ ଶ୍ରେଣୀ ମନଇଚ୍ଛା ଶୋଷଣ କରିଚାଲିବେ। ଶ୍ରମ ଆଇନ ମୁଲତବୀର ମୂଲ ସେଇ ଶ୍ରମଜୀବୀଙ୍କୁ ହିଁ ଦେବାକୁ ପଡ଼ିବ।

ଓଡ଼ିଶାରେ ବି ପରିବର୍ତ୍ତନ

ନିକଟରେ ଓଡ଼ିଶା ସରକାର ମଧ୍ୟ ଶ୍ରମ ଆଇନରେ ପରିବର୍ତ୍ତନ ଆଣିଛନ୍ତି। ସରକାରଙ୍କ ଘୋଷଣା ଅନୁସାରେ ଏବେ ଉଦ୍ୟୋଗଗୁଡ଼ିକରେ ଶ୍ରମଜୀବୀଙ୍କୁ ୮ ନୁହେଁ, ୧୨ ଘଣ୍ଟାର କାମ ଆଦାୟ କରିହେବ। ଅବଶ୍ୟ ଅଧିକ ୪ ଘଣ୍ଟା ପାଇଁ ଅଧିକ ମଜୁରି ଦେବାକୁ କୁହାଯାଇଛି; କିନ୍ତୁ ଏହା କେତେ ଓ କିଭଳି ପାଳନ ହେବ, ତାହା ସନ୍ଦେହଜନକ। ରାଜ୍ୟର ‘ଲେବର୍‌ ଏଣ୍ଡ୍ ଏମ୍ପ୍ଲୟିଜ୍ ଷ୍ଟେଟ୍‌ ଇନସ୍ୟୁରାନ୍ସ’ ବିଭାଗ ଦ୍ବାରା ଦିଆଯାଇଥିବା ନୋଟିଫିକେସନ ଅନୁସାରେ କୌଣସି ଦିନ ଶ୍ରମିକଙ୍କୁ କାରଖାନାରେ ୧୨ ଘଣ୍ଟାରୁ ଅଧିକ ବା ସପ୍ତାହରେ ୭୨ ଘଣ୍ଟାରୁ ଅଧିକ କାମ କରିବାକୁ ଅନୁମତି ଦିଆଯିବ ନାହିଁ। ୬ ଘଣ୍ଟା ବ୍ୟବଧାନରେ ଅଧ ଘଣ୍ଟାର ବିରତିକୁ ମିଶାଇ ଏହା ଦୈନିକ ୧୩ ଘଣ୍ଟାରୁ ଅଧିକ ହେବନାହିଁ। ସରକାରଙ୍କ ବିନା ଅନୁମତିରେ ସନ୍ଧ୍ୟା ୭ରୁ ସକାଳ ୬ଟା ପର୍ଯ୍ୟନ୍ତ ମହିଳା ଶ୍ରମିକଙ୍କୁ ନିୟୋଜିତ କରାଯାଇପାରିବ ନାହିଁ। ଏହି ନିୟମ ତିନି ମାସ ବଳବତ୍ତର ରହିବ।

ତେବେ ପ୍ରଶ୍ନ ଉଠୁଛି, ବର୍ତ୍ତମାନ କରୋନାଜନିତ ଲକ୍‌ଡାଉନ୍ ସ୍ଥିତିରେ କାରଖାନା ବା ଉଦ୍ୟୋଗ ଠିକ୍‌ଭାବେ ଚାଲୁ ନଥିବାବେଳେ ଏଭଳି ପରିବର୍ତ୍ତନର ଉଦ୍ଦେଶ୍ୟ କ’ଣ? ପୁଣି ଶ୍ରମଜୀବୀ ଶ୍ରେଣୀ ଯେଭଳି ଅସହାୟ ଅବସ୍ଥାରେ ରହିଛନ୍ତି, କାରଖାନାଗୁଡ଼ିକ ଖୋଲିବା ପରେ ସେମାନଙ୍କୁ ୧୨ ଘଣ୍ଟା କାମ କରାଇ ୮ ଘଣ୍ଟାର ମଜୁରି ଦେଲେ ମଧ୍ୟ ସେମାନେ କ’ଣ ପାଟି ଫିଟାଇବେ? ଅନେକ ଉଦ୍ୟୋଗରେ ପୂର୍ବରୁ ସେହିପରି ଚାଲିଆସିଥିବା ଅଭିଯୋଗ ହୋଇଛି। ଶ୍ରମ ଆଇନ ଖୋଲାଖୋଲି ଉଲ୍ଲଙ୍ଘନ ହେଉଥିଲେ ହେଁ ସରକାରୀ ନିୟନ୍ତ୍ରଣ ନାହିଁ। ଏହା ଆଗକୁ ଉଦ୍ୟୋଗପତିଙ୍କ ସପକ୍ଷରେ ବାଟ ଖୋଲିଦେବ ନାହିଁ ତ?

ମୁଲତବୀର ପ୍ରଭାବ

ଶ୍ରମ ଆଇନ ପରିବର୍ତ୍ତନ ବା ମୁଲତବୀ କରିବା ପଛରେ ରାଜ୍ୟ ସରକାରଗୁଡ଼ିକର ଯେଉଁ ଯୁକ୍ତି ରହିଛି ତାହା ହେଲା ଏହାଦ୍ବାରା ପୁଞ୍ଜି ଆକର୍ଷଣ ଜରିଆରେ ରାଜ୍ୟରେ ଶିଳ୍ପାୟନ ବଢ଼ିବ ଓ ରୋଜଗାର ସୁଯୋଗ ସୃଷ୍ଟି ହେବ। ପ୍ରବାସୀ ଶ୍ରମିକମାନେ ନିଜ ରାଜ୍ୟକୁ ଫେରିଆସିବା ପରେ ସେମାନଙ୍କୁ କାମ ମିଳିବ ଓ ସେମାନେ ଆଗପରି ରାଜ୍ୟାନ୍ତର ହେବେନାହିଁ। ଏ ଯୁକ୍ତି ନିରାଧାର; କାରଣ ଶ୍ରମ ଆଇନ ଔଦ୍ୟୋଗିକ ବିକାଶରେ କେବେ ବି ବାଧା ହୋଇନାହିଁ। ପ୍ରକୃତ ବାଧା ତ ଅମଲାତାନ୍ତ୍ରିକ ଉଦାସୀନତା। ଶ୍ରମ ଆଇନ ଶ୍ରମିକଙ୍କ ଅଧିକାର ଓ ସ୍ବାର୍ଥର ସୁରକ୍ଷା ପାଇଁ; ତାକୁ ହଟାଇଦେଲେ ବା ସେଥିରେ ପରିବର୍ତ୍ତନ କରିଦେଲେ ଯେ ପୁଞ୍ଜିପତି ରାଜ୍ୟଗୁଡ଼ିକୁ ଚାଲିଆସିବେ ଓ ରୋଜଗାର ସଙ୍କଟର ସମାଧାନ ହୋଇଯିବ, ତାହା ଆଦୌ ନୁହେଁ; ବରଂ ଶ୍ରମ ଆଇନ କୋହଳ ଦ୍ବାରା ଶୋଷଣ ବଢ଼ିବ; ଅସମାନତା ବଢ଼ିବ। ଏବେ କାରଖାନା ମାଲିକଙ୍କ ହାତରେ ଶ୍ରମିକଙ୍କୁ କାମରେ ରଖିବା ଓ ବାହାର କରିବାର ସଂପୂର୍ଣ୍ଣ ସ୍ବାଧୀନତା ରହିବ; ଶ୍ରମ ବିଭାଗର କୌଣସି ନିରୀକ୍ଷଣ ହେବ ନାହିଁ ବା ସରକାରୀ ହସ୍ତକ୍ଷେପ ରହିବ ନାହିଁ; ଶ୍ରମିକ ସଂଘଗୁଡ଼ିକର ଭୂମିକା ଗୌଣ ବା ପ୍ରଭାବହୀନ ହେବାକୁ ବାଧ୍ୟ; କାମ କରିବାର ସମୟ ବଢ଼ିଥିବାରୁ ଶ୍ରମିକଙ୍କ ଶାରୀରିକ-ମାନସିକ ସ୍ବାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପଡ଼ିବ।

କେବଳ ସେତିକି ନୁହେଁ, ସରକାର ପ୍ରବାସୀ ଶ୍ରମଜୀବୀ ଆଇନକୁ ମଧ୍ୟ ଦୁର୍ବଳ କରିବାକୁ ଚାହୁଁଛନ୍ତି। ପ୍ରବାସୀ ଶ୍ରମଜୀବୀଙ୍କୁ ଏକଦା କେନ୍ଦ୍ର ସରକାରଙ୍କ ଦସ୍ତାବିଜ୍‌ରେ ‘ପ୍ରଗତିର ପରିଚାୟକ’ ଆଖ୍ୟା ଦିଆଯାଇଥିଲା। ୨୦୧୬-୧୭ ଆର୍ଥିକ ସର୍ବେକ୍ଷଣ ପ୍ରବାସୀ ଶ୍ରମିକଙ୍କ ରାଜ୍ୟାନ୍ତରକୁ ‘ଗତିଶୀଳ ଭାରତ’ର ପ୍ରମାଣ ଭାବେ ଉପସ୍ଥାପିତ କରିଥିଲା। ତତ୍କାଳୀନ ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା ଅରବିନ୍ଦ ସୁବ୍ରମଣ୍ୟମଙ୍କ ନେତୃତ୍ବରେ ଆସିଥିବା ଉକ୍ତ ସର୍ବେକ୍ଷଣରେ ଶ୍ରମିକଙ୍କ ପ୍ରବାସକୁ ଚୀନର ବିକାଶ ସହ ତୁଳନା କରାଯାଇଥିଲା। ତାଙ୍କ ଅନୁସାରେ ଦେଶରେ ଏହି ପ୍ରବାସୀ ଶ୍ରମିକଙ୍କ ସଂଖ୍ୟା ୧୦ କୋଟିରୁ ଊର୍ଦ୍ଧ୍ବ। ପ୍ରାୟ ଚାରିକୋଟି ନିର୍ମାଣ କ୍ଷେତ୍ରରେ କାମ କରୁଥିବାବେଳେ ଦୁଇ କୋଟି ଅନ୍ୟର ଘରେ ଶ୍ରମଦାନ କରନ୍ତି। ସେହିପରି ୧.୧୦ କୋଟି ଲୋକ କପଡ଼ା ଉଦ୍ୟୋଗରେ, ୧ କୋଟି ଲୋକ ଇଟା ଭାଟିରେ କାମ କରନ୍ତି। ଏମାନେ ହିଁ ଉଦ୍ୟୋଗ ଓ ଶିଳ୍ପକୁ ଚଳାଇ ଅର୍ଥବ୍ୟବସ୍ଥାକୁ ବଞ୍ଚାଇ ରଖିଥାନ୍ତି; ଅଥଚ ସେମାନଙ୍କୁ ହିଁ ସରକାର ଉପେକ୍ଷା କରୁଛନ୍ତି।  କୌଣସି ରାଜ୍ୟରେ ଅସଂଗଠିତ କ୍ଷେତ୍ରର ଶ୍ରମିକଙ୍କ ସଂଖ୍ୟା କେତେ, ତା’ର ତଥ୍ୟ ନାହିଁ। ଏବେ ଶ୍ରମଜୀବୀଙ୍କ ସୁରକ୍ଷା କବଚ ଭଳି ଥିବା ଶ୍ରମ ଆଇନକୁ ମୁଲତବୀ କରିବା ବା ସେଥିରେ ପରିବର୍ତ୍ତନ ଆଣିବାର ଅପଚେଷ୍ଟା କରାଯାଇଛି। ସେମାନଙ୍କୁ ଦୈନିକ ୮ ଘଣ୍ଟାରୁ ୧୨ ଘଣ୍ଟା କାମ କରାଇବା କେବଳ ବେଆଇନ ନୁହେଁ, ଅସାମ୍ବିଧାନିକ ମଧ୍ୟ। ଶ୍ରମଜୀବୀ ଶ୍ରେଣୀ ପାଇଁ ଆଗରୁ ହିଁ ଆଇନକାନୁନର ଉଲ୍ଲଙ୍ଘନ ହେଉଥିବାବେଳେ ଏବେ ଏପରି ଶ୍ରମ ଆଇନରେ ନମନୀୟତା ସେମାନଙ୍କ ଶୋଷଣରେ ହିଁ ଅଧିକ ବ୍ୟବହାର କରାଯିବ, ଏଥିରେ ସନ୍ଦେହ ନାହିଁ।

‘ସମାଜ’, କଟକ; ମୋ: ୯୪୩୮୮୪୪୬୭୮
ashok@thesamaja.in

(‘ସମାଜ’ରେ ୨୪.୫.୨୦୨୦ରେ ପ୍ରକାଶିତ)
Next PostNewer Post Previous PostOlder Post Home

0 comments:

Post a Comment

ଏହି ବ୍ଲଗର ସମସ୍ତ ସାମଗ୍ରୀ ଲେଖକଙ୍କ ସର୍ବସ୍ବତ୍ତ୍ବ ସଂରକ୍ଷିତ. Powered by Blogger.