ଲଘୁ ବନଜାତ ଦ୍ରବ୍ୟ (ଏମ୍ଏଫ୍ପି) ସଂଗ୍ରହ, ବିକ୍ରୟ ଓ ପ୍ରକ୍ରିୟାକରଣ କ୍ଷେତ୍ରରେ ଓଡ଼ିଶା ଅନ୍ୟ ରାଜ୍ୟ ତୁଳନାରେ ବହୁତ ପଛରେ ପଡ଼ିଛି। ଲକ୍ଡାଉନରେ ବନଧନ ସଂଗ୍ରହକାରୀ ବନବାସୀ ଉଚିତ ପ୍ରାପ୍ୟ ନପାଇ ହେଉଛି ଖୁବ୍ ହନ୍ତସନ୍ତ। ସରକାରୀ ଫାଇଲ୍ର ବଂଧନ ଭିତରେ ଅଟକିରହିଛି ବନଧନ ବିକାଶ।
ଲଘୁ ବନଜାତ ଦ୍ରବ୍ୟ (ଏମ୍ଏଫ୍ପି) ଓ ଅଣକାଷ୍ଠ ବନଜାତ ଦ୍ରବ୍ୟ (ଏନ୍ଟିଏଫ୍ପି) ଆଦିବାସୀ ବହୁଳ ରାଜ୍ୟ ଓଡ଼ିଶାର ବନାଞ୍ଚଳ ଅଧିବାସୀଙ୍କର ଜୀବନଧାରଣ ଓ ରୋଜଗାରର ମୁଖ୍ୟ ମାଧ୍ୟମ। ସାମୟିକ କୃଷି କରୁଥିଲେ ହେଁ ତାହା ଆୟର ଉତ୍ସ ହୋଇପାରୁନଥିବାରୁ ଜଙ୍ଗଲଜାତ ଜିନିଷ ହିଁ ଓଡ଼ିଶାର ଲକ୍ଷଲକ୍ଷ ଆଦିବାସୀ ପରିବାରର ଆୟର ଏକମାତ୍ର ସ୍ରୋତ। ତେବେ ସେମାନଙ୍କ ଦ୍ବାରା ସଂଗୃହୀତ ବନଜାତ ଦ୍ରବ୍ୟଗୁଡ଼ିକର ଉଚିତ ମୂଲ୍ୟ ସେମାନେ ପାଇପାରୁନାହାନ୍ତି। ସରକାରୀ ସ୍ତରରେ ଏଥିପାଇଁ ବହୁ ପ୍ରକାରର ନୀତି ଓ ଆଇନକାନୁନ ରହିଥିଲେ ମଧ୍ୟ ବାସ୍ତବ କ୍ଷେତ୍ରରେ ତା’ର ପ୍ରଭାବ ଖୁବ୍ ସୀମିତ। ସମ୍ବିଧାନର ୭୩ତମ ସଂଶୋଧନ ଓ ଭୁରିଆ କମିଟି ରିପୋର୍ଟରେ ସ୍ୱାୟତ୍ତ ଶାସନ ସଂସ୍ଥାଙ୍କ ଦ୍ୱାରା ଗୋଷ୍ଠୀସମ୍ବଳ ପରିଚାଳନା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଏହାପରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପଞ୍ଚାୟତ (ଅନୁସୂଚିତ ଅଞ୍ଚଳକୁ ସଂପ୍ରସାରଣ) ଆଇନ୍ ବା ‘ପେସା’ ଆଇନ୍ ୧୯୯୬ ଲାଗୁ କରାଗଲା, ଯେଉଁଥିରେ ଲଘୁ ବନଜାତ ଦ୍ରବ୍ୟର ମାଲିକାନା ଗ୍ରାମସଭାକୁ ଦିଆଗଲା। ଏହି ପେସା ଆଇନକୁ ଭିତ୍ତିିକରି ଓଡ଼ିଶା ସରକାର ୨୦୦୦ ମସିହାରେ ଆଇନ ପ୍ରଣୟନ କରି ୬୯ଟି ଲଘୁ ବନଜାତ ଦ୍ରବ୍ୟର ମାଲିକାନା, ନିୟନ୍ତ୍ରଣ ଓ ପରିଚାଳନା ସ୍ବତ୍ବ ଗ୍ରାମପଞ୍ଚାୟତକୁ ହସ୍ତାନ୍ତର କଲେ। ତେବେ ଏହା ଏପର୍ଯ୍ୟନ୍ତ କେବଳ ସରକାରୀ କାଗଜପତ୍ରରେ ହିଁ ସୀମିତ ରହିଛି। ପରିଣାମତଃ ବନଜାତ ଦ୍ରବ୍ୟ ସଂଗ୍ରହକାରୀ ଆଦିବାସୀ ଉଚିତ ପ୍ରାପ୍ୟ ପାଇବାରୁ ବଞ୍ଚିତ ହେଉଛନ୍ତି। ସେମାନେ ମଧ୍ୟସ୍ଥ, ଦଲାଲ୍ ଓ ବ୍ୟବସାୟୀଙ୍କୁ ଅଳ୍ପ ଦରରେ ବିକିବାକୁ କିମ୍ବା ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ବଦଳରେ (ବାର୍ଟାର୍ ସିଷ୍ଟମ୍) ବନଜାତ ଦ୍ରବ୍ୟଗୁଡ଼ିକୁ ଦେବାକୁ ବାଧ୍ୟ ହେଉଛନ୍ତି। ଫଳରେ ବାସ୍ତବରେ ୨୦ ଶତାଂଶ ମୂଲ୍ୟ ହିଁ ସେମାନେ ପାଉଛନ୍ତି ଓ ୮୦ ଶତାଂଶ ଅନ୍ୟମାନଙ୍କ ପକେଟ୍କୁ ଯାଉଛି।
ମହାମାରୀରେ ବନଧନ
କୋଭିଡ-୧୯ ମହାମାରୀ ଓ ତଦ୍ଜନିତ ଲକ୍ଡାଉନ ସମାଜର ଅନ୍ୟ ବର୍ଗ ଭଳି ଆଦିବାସୀଙ୍କ ଜୀବନଜୀବିକା ଉପରେ ମଧ୍ୟ ଖୁବ୍ ପ୍ରଭାବ ପକାଇଛି। ଗୁରୁତ୍ବପୂର୍ଣ୍ଣ କଥାଟି ହେଲା ଏପ୍ରିଲରୁ ଜୁନ୍ ମାସରେ ହିଁ ଅଧିକ ପରିମାଣରେ ଲଘୁ ଜଙ୍ଗଲଜାତ ଦ୍ରବ୍ୟ (ଏମ୍ଏଫ୍ପି) ସଂଗ୍ରହ ହୋଇଥାଏ। ଏହି ସମୟରେ ସେମାନେ ଏସବୁ ଦ୍ରବ୍ୟ ବିକ୍ରି କରି ନିଜ ମୋଟ ଆୟର ୬୦ରୁ ୮୦ ଭାଗ ରୋଜଗାର କରିଥାନ୍ତି। ଚଳିତବର୍ଷ ଲକ୍ଡାଉନ୍ ହେତୁ ସେମାନେ ସଂଗୃହୀତ ଜିନିଷଗୁଡ଼ିକୁ ମଧ୍ୟ ଏ ପର୍ଯ୍ୟନ୍ତ ବିକିପାରିନାହାନ୍ତି; କାରଣ ଏବେମଧ୍ୟ ରାଜ୍ୟର ଅନେକ ଆଦିବାସୀବହୁଳ ଜିଲାରେ ଠିକ୍ଭାବେ ବଜାର ଖୋଲିନାହିଁ। ଲଘୁ ବନଜାତ ଦ୍ରବ୍ୟର ବିକ୍ରିବଟା ଓ ଉପଯୁକ୍ତ ମୂଲ୍ୟ ପ୍ରଦାନ କ୍ଷେତ୍ରରେ ଓଡ଼ିଶାରେ କାର୍ଯ୍ୟ କରୁଥିବା ଆଦିବାସୀ ଉନ୍ନୟନ ସମବାୟ ନିଗମ ଓଡ଼ିଶା ଲିମିଟେଡ (ଟିଡିସିସିଓଏଲ୍) ଯେପରି ସକ୍ରିୟଭାବେ କାର୍ଯ୍ୟ କରିବା କଥା, ତାହା ମଧ୍ୟ ସବୁ ଜିଲାରେ ଦେଖିବାକୁ ମିଳୁନାହିଁ। ଏହି ସଂଗଠନ ଦ୍ବାରା ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହକାରୀଙ୍କଠାରୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଧାରିତ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି)ରେ ଜିନିଷ କିଣାଯାଇପାରୁନାହିଁ।
ଲକ୍ଡାଉନଜନିତ ସମସ୍ୟାକୁ ଦୃଷ୍ଟିରେ ରଖି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଗତ ୧ ମେ ୨୦୨୦ରେ ସରକାର ନିର୍ଦ୍ଧାରିତ ୪୯ଟି ବନଜାତ ଦ୍ରବ୍ୟର ଏମ୍ଏସ୍ପି ବୃଦ୍ଧି କରାଯାଇଥିଲା। ବିଭିନ୍ନ ଜିନିଷର ଏମ୍ଏସ୍ପି ୧୬%ରୁ ୬୬% ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ସରକାର କହିଥିଲେ। ପୁଣି ମେ ୨୬ରେ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗକୁ ପ୍ରେରିତ ପତ୍ର ଅନୁସାରେ ପୂର୍ବ ନିର୍ଦ୍ଧାରିତ ୪୯ଟି ଦ୍ରବ୍ୟ ବ୍ୟତୀତ ଆହୁରି ୨୩ଟି ନୂଆ ଜିନିଷକୁ ‘ଲଘୁ ବନଜାତ ଦ୍ରବ୍ୟ’ ତାଲିକାରେ ଅନ୍ତର୍ଭୁକ୍ତ କରାଯିବା ସହ ସେସବୁର ଏମ୍ଏସ୍ପି ଘୋଷଣା କରାଯାଇଛି। ଏହି ପତ୍ରରେ ଦର୍ଶାଯାଇଛି ଯେ କେନ୍ଦ୍ର ସରକାର ନିର୍ଦ୍ଧାରଣ କରିଥିବା ଏମ୍ଏସ୍ପିଠାରୁ ରାଜ୍ୟ ସରକାର ୧୦% ଅଧିକ ବା କମ୍ କରିପାରିବେ।
ଇତିମଧ୍ୟରେ ଓଡ଼ିଶା ସମେତ ଦେଶର ଆଦିବାସୀବହୁଳ ରାଜ୍ୟ ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନ ସାମାଜିକ ଦୂରତା ଓ ସ୍ବଚ୍ଛତା ରଖି ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ ଓ କିଣାବିକା କରାଯାଇପାରିବ ବୋଲି ଘୋଷଣା କରିଥିଲେ। ଏହା ଏକ ଭଲ ପଦକ୍ଷେପ ହୋଇଥିଲେ ହେଁ ଓଡ଼ିଶା ଭଳି ରାଜ୍ୟରେ ଏହାର ବିଶେଷ ଲାଭ ବନବାସୀଙ୍କୁ ମିଳିପାରିନାହିଁ। ସହରାଗତ ବ୍ୟବସାୟୀମାନେ ଯେପରି ବନାଞ୍ଚଳକୁ ଯାଇ ଶସ୍ତାରେ ଜିନିଷ କିଣିପାରିବେ ନାହିଁ ଏବଂ ପ୍ରଧାନମନ୍ତ୍ରୀ ବନ ଧନ ଯୋଜନା ଅଧୀନରେ ଥିବା ପାଣ୍ଠିକୁ ସର୍ବନିମ୍ନ ସହାୟକ ମୂଲ୍ୟରେ ଲଘୁ ବନଜାତ ଦ୍ରବ୍ୟ କିଣାଯାଇପାରିବ, ତାହା ନିଶ୍ଚିତ କରିବାକୁ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା ମଧ୍ୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ତେବେ ବିଡ଼ମ୍ବନାର କଥା ଯେ ମନ୍ତ୍ରୀ ଯେଉଁ ବନ ଧନ ଯୋଜନା କଥା କହିଛନ୍ତି, ତାହା ଏ ପର୍ଯ୍ୟନ୍ତ ଓଡ଼ିଶାରେ ଠିକ୍ଭାବେ କାର୍ଯ୍ୟକାରୀ ହୋଇପାରିନାହିଁ।
ବନଧନ ବିକାଶ କେବେ?
ଭାରତୀୟ ଜନଜାତି ସମବାୟ ବିପଣନ ସଂଘ (ଟ୍ରାଇଫେଡ଼) କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରୁଥିବା ଶୀର୍ଷ ସଂସ୍ଥା। ବନଜାତ ଦ୍ରବ୍ୟର କିଣାବିକା ବ୍ୟାପାର ବୁଝିବା ସମେତ ଆଦିବାସୀଙ୍କ ବିକାଶ ପାଇଁ ଏହି ସଂସ୍ଥା କାମ କରିଥାଏ। ଗତବର୍ଷ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଦ୍ବାରା ପ୍ରଧାନମନ୍ତ୍ରୀ ବନ ଧନ ଯୋଜନା ଆରମ୍ଭ କରାଯାଇଥିଲା। ଏହି ଯୋଜନା ଅଧୀନରେ ଦେଶର ୨୨ଟି ରାଜ୍ୟରେ ୧୨୦୫ଟି ବନ ଧନ ବିକାଶ କେନ୍ଦ୍ର (ଭିଡିଭିକେ) ଖୋଲିବା ପାଇଁ ମଞ୍ଜୁରି ମିଳିଛି। ଏହି କେନ୍ଦ୍ରଗୁଡ଼ିକ ମାଧ୍ୟମରେ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ ଓ କିଣାଯିବାର ବ୍ୟବସ୍ଥା କରିବା ପାଇଁ କୁହାଯାଇଥିଲା। ଜଙ୍ଗଲଜାତ ଦ୍ରବ୍ୟର ଉଚିତ ମାର୍କେଟିଂ, ପ୍ୟାକେଜିଂ ଓ ବ୍ରାଣ୍ଡିଂ ଓ ଆଦିବାସୀଙ୍କୁ ଉଦ୍ୟୋଗୀ କରାଇ ସେମାନଙ୍କ ଆୟକୁ ଦ୍ବିଗୁଣିତ କରିବା ମଧ୍ୟ କେନ୍ଦ୍ରର ମୁଖ୍ୟ ଉଦ୍ଦେଶ୍ୟ। ପ୍ରତ୍ୟେକ କେନ୍ଦ୍ର ଅଧୀନରେ ୧୫ଟି ଲେଖାଏଁ ଆଦିବାସୀ ସ୍ବୟଂ ସହାୟକ ଗୋଷ୍ଠୀ ରହିବେ ଓ ପ୍ରତ୍ୟେକ ଗୋଷ୍ଠୀରେ ୨୦ ଜଣ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହକାରୀ ସଦସ୍ୟ ରହିବେ। ତେବେ ବିଡ଼ମ୍ବନା ଯେ ବର୍ତ୍ତମାନ ସୁଦ୍ଧା ଅନେକ ରାଜ୍ୟରେ ଏହି କେନ୍ଦ୍ର ଠିକ୍ରୂପେ କାର୍ଯ୍ୟକ୍ଷମ ହୋଇପାରିନାହିଁ।
ଏକ ରିପୋର୍ଟ ଅନୁସାରେ, ଓଡ଼ିଶାରେ ଆସନ୍ତା ୫ ବର୍ଷ ଭିତରେ ୨୦୦ଟି ବନ ଧନ ବିକାଶ କେନ୍ଦ୍ର ପ୍ରତିଷ୍ଠା କରାଯିବ ଓ ପ୍ରତ୍ୟେକ କେନ୍ଦ୍ରରେ ୩୦୦ ଲେଖାଏଁ ଆଦିବାସୀଙ୍କୁ ପ୍ରଶିକ୍ଷଣ ଦିଆଯିବ ବୋଲି ଟ୍ରାଇଫେଡ଼ର ପରିଚାଳନା ନିର୍ଦେଶକ ପ୍ରବୀର କୃଷ୍ଣ ଗତବର୍ଷ ସେପ୍ଟେମ୍ବରରେ କହିଥିଲେ; କିନ୍ତୁ ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ମାତ୍ର ୯ଟି କେନ୍ଦ୍ର ହିଁ କାର୍ଯ୍ୟକ୍ଷମ ହୋଇପାରିଛି। କହିବା ବାହୁଲ୍ୟ ଯେ ଏହା ଖୁବ୍ ନିରାଶାଜନକ। ଏ ସମ୍ପର୍କରେ ଟିଡିସିସିଓଏଲ୍ର ପରିଚାଳନା ନିର୍ଦେଶକ ସନତ କୁମାର ମହାନ୍ତି କହିଛନ୍ତି, ଗତବର୍ଷଠାରୁ ବନ ଧନ ବିକାଶ କେନ୍ଦ୍ରର ପରିକଳ୍ପନା ହୋଇଥିଲେ ହେଁ ଓଡ଼ିଶାରେ ମାର୍ଚ ୨୦୨୦ରୁ ଖୋଲିବା ଆରମ୍ଭ ହୋଇଛି ଏବଂ ଲକ୍ଡାଉନ୍ ଯୋଗୁଁ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା।
ଦୁର୍ଗମ ବନାଞ୍ଚଳରେ ସରକାରୀ ବ୍ୟବସ୍ଥା କିପରି କାର୍ଯ୍ୟ କରେ, ତାହା କାହାକୁ ଅଜଣା ନୁହେଁ। ରାୟଗଡ଼ା ଜିଲାକୁ ଉଦାହରଣ ଭାବେ ନିଆଯାଉ। ସେଠାରେ ବର୍ତ୍ତମାନ ସୁଦ୍ଧା ତେନ୍ତୁଳି ବ୍ୟତୀତ ଅନ୍ୟ କୌଣସି ଲଘୁ ବନଜାତ ଦ୍ରବ୍ୟ କିଣାଯାଇନଥିବା ଜଣାପଡ଼ିଛି। କାଶୀପୁର ଅଞ୍ଚଳରେ ବହୁ ପରିମାଣରେ ଫୁଲଝାଡ଼ୁ ସଂଗ୍ୃହୀତ ଓ ଉତ୍ପାଦିତ ହୋଇଥାଏ; କିନ୍ତୁ ଚଳିତବର୍ଷ ଏହାର ଘୋର ଅଭାବୀ ବିକ୍ରି ଦେଖାଦେଇଛି ବୋଲି କହନ୍ତି କାଶୀପୁର ବ୍ଲକ ଅନ୍ତର୍ଗତ ମାଣ୍ଡିବିଶିରେ ୧୯୮୭ରୁ ଏହି କାର୍ଯ୍ୟରେ ସଂପୃକ୍ତ ଆଦିବାସୀ ମହିଳାଙ୍କ ସଂଗଠନ ‘ଆମ ସଂଗଠନ’ର ସଂପାଦିକା ସୁଶୀଳା ମାଝୀ। ‘ଆମ ସଂଗଠନ’ ପ୍ରତିବର୍ଷ ଫୁଲଝାଡୁ ଓ ଅନ୍ୟ କେତେକ ଜଙ୍ଗଲଜାତ ଜିନିଷର ପ୍ରକ୍ରିୟାକରଣ କରିଥାଏ। ଚଳିତବର୍ଷ ଫୁଲଝାଡ଼ୁର କେହି କ୍ରେତା ଆସିନଥିବା ସେ କହିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାର ଫୁଲଝାଡ଼ୁର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି) କିଲୋଗ୍ରାମ ପିଛା ୫୦ ଟଙ୍କା ରଖିଥିବାବେଳେ ତାଙ୍କ ଅଞ୍ଚଳରେ ଏବେ ୨୦ରୁ ୨୬ ଟଙ୍କାରେ ଲୋକେ ବିକିବାକୁ ବାଧ୍ୟ ହେଉଛନ୍ତି।
ଛତିଶଗଡ଼ଠୁ ଶିଖୁ ଓଡ଼ିଶା
ଛତିଶଗଡ଼ ନିଜର ବନଜାତ ଦ୍ରବ୍ୟର ସଂଗ୍ରହ ଓ ବିକ୍ରି କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଛତିଶଗଡ଼ ସରକାର ଚଳିତବର୍ଷ ୨୨୫ କୋଟି ଟଙ୍କାର ଲଘୁ ଜଙ୍ଗଲଜାତ ଦ୍ରବ୍ୟ କ୍ରୟ କରିବାପାଇଁ ନିଷ୍ପତ୍ତି ନେଇଥିବାବେଳେ ମେ ୧୦ ତାରିଖ ସୁଦ୍ଧା ୨୮ କୋଟି ଟଙ୍କାର କିଣିସାରିଥିଲେ। ୨୦୧୯-୨୦ରେ ୧୯୦ କୋଟି ଟଙ୍କାର କ୍ରୟ କରିଥିଲେ। ଏହି ତୁଳନାରେ ଓଡ଼ିଶା ବହୁତ ପଛରେ ପଡ଼ିଛି। ଟିଡିସିସିର ତଥ୍ୟ ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ମାତ୍ର ୨ କୋଟି ୭୫ ଲକ୍ଷ ଟଙ୍କାର ଜିନିଷ କିଣାଯାଇଛି। ଏହା ଭିତରେ ମୁଖ୍ୟତଃ ତେନ୍ତୁଳି ଓ ଅନ୍ୟ କେତେକ ଦ୍ରବ୍ୟ ରହିଛି। ୨୦୧୪ରୁ ଓଡ଼ିଶାର ଯେଉଁ ଜିଲାଗୁଡ଼ିକରେ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି) ଲାଗୁ କରାଯାଇଛି, ତାହା ହେଲା କୋରାପୁଟ, କନ୍ଧମାଳ, ନବରଂଗପୁର, କଳାହାଣ୍ଡି, ରାୟଗଡ଼ା, କେନ୍ଦୁଝର, ମୟୁରଭଞ୍ଜ, ସୁନ୍ଦରଗଡ଼, ଦେବଗଡ଼, ଗଜପତି, ସମ୍ବଲପୁର, ନୂଆପଡ଼ା ଓ ମାଲକାନଗିରି। ଓଡ଼ିଶାରେ ଲଘୁ ବନଜାତ ଦ୍ରବ୍ୟର ଅଭାବୀ ବିକ୍ରି ଲାଗିରହୁଥିବାରୁ ସ୍ବୟଂ ସହାୟକ ଗୋଷ୍ଠୀ ଜରିଆରେ କିଣାଯିବାକୁ ନିଷ୍ପତ୍ତି ନିଆଯାଇଛି; କିନ୍ତୁ ଏହା ସବୁସ୍ଥାନରେ ଠିକ୍ଭାେବ କାର୍ଯ୍ୟକାରୀ ହୋଇପାରୁନାହିଁ। ଛତିଶଗଡ଼ ସୁନ୍ଦର ଭାବେ ଏହି ସମସ୍ୟାର ସମାଧାନ କରିପାରିଛି। ସେଠା ସରକାର କେତେକ ଲଘୁ ବନଜାତ ଦ୍ରବ୍ୟର କେବଳ ମୂଲ୍ୟ ବଢ଼ାଇନାହାନ୍ତି, ଆଦିବାସୀ ଅଞ୍ଚଳର ୮୬୬ଟି ହାଟରେ ଏସବୁ ଜିନିଷକୁ ସଂଗ୍ରହକାରୀଙ୍କଠାରୁ ସିଧାସଳଖ କିଣିବାର ବ୍ୟବସ୍ଥା କରିଛନ୍ତି। ଘରଘର ବୁଲି ମଧ୍ୟ କିଣାଯିବାର ବ୍ୟବସ୍ଥା ହୋଇଛି। ୧୩୯ଟି ବନ ଧନ ବିକାଶ କେନ୍ଦ୍ର ପ୍ରତିଷ୍ଠା କରି ପ୍ରାଥମିକ ଲଘୁ ବନଜାତ ଦ୍ରବ୍ୟଗୁଡ଼ିକର ପ୍ରକ୍ରିୟାକରଣ ବ୍ୟବସ୍ଥା କରିଛନ୍ତି। ତେଣୁ ଲକ୍ଡାଉନ ସମୟରେ ବି ଏହି ରାଜ୍ୟରେ ଏମ୍ଏଫ୍ପି ସଂଗ୍ରହ ଓ ବିକ୍ରି ବିଶେଷ ପ୍ରଭାବିତ ହୋଇନାହିଁ। ସମଗ୍ର ଦେଶରୁ କ୍ରୟ ମୋଟ ଏମ୍ଏଫ୍ପିର ୯୮% କେବଳ ଛତିଶଗଡ଼ ସରକାରଙ୍କ ଦ୍ବାରା କିଣାଯାଇଛି। ଟ୍ରାଇଫେଡର ତଥ୍ୟ ଅନୁଯାୟୀ ଏହାଦ୍ବାରା ଚଳିତବର୍ଷ ସେଠାକାର ୧ ଲକ୍ଷ ୬୬ ହଜାର ଏମ୍ଏଫ୍ପି ସଂଗ୍ରହକାରୀ ଲାଭବାନ ହୋଇସାରିଛନ୍ତି। ଏ ଦୃଷ୍ଟିରୁ ଓଡ଼ିଶା କଥା ଦେଖିଲେ ନିରାଶ ହେବାକୁ ପଡ଼େ। ଟିଡିସିସି ୱେବ୍ସାଇଟ୍ରେ ପ୍ରଦତ୍ତ ତଥ୍ୟ ଅନୁଯାୟୀ ସର୍ବନିମ୍ନ ସହାୟକ ମୂଲ୍ୟ ଯୋଜନାରେ ୨୦୧୪ରେ ମାତ୍ର ୧୬୦, ୨୦୧୫ରେ ୨୯୦୫, ୨୦୧୬ରେ ୩୫୯୬, ୨୦୧୭ରେ ୪୯୦୬, ୨୦୧୮ରେ ୩୧ ଓ ୨୦୧୯ରେ ୩୬୪ ଜଣ, ଏହିପରି ଗତ ଛଅ ବର୍ଷ ଭିତରେ କେବଳ ୧୧,୯୬୨ ଜଣ ଉପକୃତ ହୋଇଛନ୍ତି। ଏଥିରୁ ସ୍ପଷ୍ଟ ଯେ ବହୁ ଯୋଜନା ଓ କାର୍ଯ୍ୟକ୍ରମ କେବଳ ଫାଇଲ୍ର ବନ୍ଧନ ଭିତରେ ହିଁ ରହିଯାଇଛି। କମ୍ ମୂଲ୍ୟରେ ଜିନିଷ ନବିକିବାପାଇଁ ସଚେତନତା ରଥ ବାହାର କଲେ କିଛି ଫଳ ହେବନାହିଁ, ସେଥିପାଇଁ ଉପଯୁକ୍ତ ବ୍ୟବସ୍ଥା କରିବାକୁ ହେବ।
ସରକାର କ’ଣ କରିପାରିବେ?
୧. ଯଥାଶୀଘ୍ର ପ୍ରତ୍ୟେକ ବନାଞ୍ଚଳରେ ବନ ଧନ ବିକାଶ କେନ୍ଦ୍ର ପ୍ରତିଷ୍ଠା କରାଯିବା ଆବଶ୍ୟକ। ଏଥିସହ ଯୋଡ଼ି ହୋଇଥିବା ସ୍ବୟଂ ସହାୟିକା ଗୋଷ୍ଠୀଗୁଡ଼ିକୁ ଲଘୁ ବନଜାତ ଦ୍ରବ୍ୟ (ଏମ୍ଏଫ୍ପି) କିଣାବିକାର ସଂପୂର୍ଣ୍ଣ ଅଧିକାର ଦିଆଯିବା ଦରକାର, ଯେପରିକି ଦଲାଲ/ମଧ୍ୟସ୍ଥଙ୍କ ହାବୁଡ଼ରେ ଲୋକେ ପଡ଼ିବେ ନାହିଁ।
୨. ସରକାରଙ୍କ ପକ୍ଷରୁ ବନାଞ୍ଚଳରେ ବସୁଥିବା ପ୍ରତ୍ୟେକ ହାଟରେ ଏମ୍ଏଫ୍ପି କିଣାଯିବାର ବ୍ୟବସ୍ଥା କରାଯାଉ। ଏପ୍ରିଲ-ଜୁନ ମାସରେ ଛତିଶଗଡ଼ ପରି ଘରଘର ବୁଲି କିଣିବାର ବ୍ୟବସ୍ଥା ହେଉ। ପ୍ରତ୍ୟେକ ବନଧନ କେନ୍ଦ୍ରରେ ପ୍ରକ୍ରିୟାକରଣ ବ୍ୟବସ୍ଥା ରହୁ।
୩. ମଣିପୁର ପରି ବନଧନ ଦ୍ରବ୍ୟଗୁଡ଼ିକୁ ମୋବାଇଲ୍ ଭ୍ୟାନ୍ରେ ବିକ୍ରୟ ବ୍ୟବସ୍ଥା କରାଯିବା ଆବଶ୍ୟକ।
୪. ସ୍ଥାନୀୟ ଚାହିଦାକୁ ଦୃଷ୍ଟିରେ ରଖି ଏମ୍ଏଫ୍ପିର ଏମ୍ଏସ୍ପି ରାଜ୍ୟ ସରକାର ବୃଦ୍ଧି କରିବା ଦରକାର।
୫. ଲଘୁ ବନଜାତ ଦ୍ରବ୍ୟ ଉତ୍ପାଦନ ହୋଇପାରୁଥିବା ଜଙ୍ଗଲ ସୃଷ୍ଟି କରାଯିବା ସହ ଏହାର ରକ୍ଷଣାବେକ୍ଷଣ ଭାର ସ୍ଥାନୀୟ ଲୋକଙ୍କୁ ଦିଆଯାଉ, ଯେଉଁମାନେ ଏହାର ହିତାଧିକାରୀ ହେବେ।
ମତମନ୍ତବ୍ୟ
ଜଗଦାନନ୍ଦ, ସଦସ୍ୟ-ସଂପାଦକ, ସିୱାଇଏସ୍ଡି ତଥା ପ୍ରାକ୍ତନ ରାଜ୍ୟ ସୂଚନା ଆୟୁକ୍ତ
ଆଦିବାସୀ ଲଘୁ ବନଜାତ ଦ୍ରବ୍ୟ (ଏମ୍ଏଫ୍ପି) ଉପରେ ସମ୍ପୂର୍ଣ୍ଣ ରୂପେ ନିର୍ଭର କରନ୍ତି। ସରକାର ଯେଉଁ ନିୟମ କରିଛନ୍ତି, ସେହି ଅନୁସାରେ ଗ୍ରାମ ପଞ୍ଚାୟତ ଏହାକୁ ତୁଲାଇପାରିଲା ନାହିଁ। କେନ୍ଦ୍ର ସରକାର ଚଳିତବର୍ଷ ଭଲ ସର୍ବନିମ୍ନ ସହାୟକ ମୂଲ୍ୟ ରଖିଛନ୍ତି; କିନ୍ତୁ ଟିଡିସିସି ଏହାକୁ ଠିକ୍ଭାବେ କାର୍ଯ୍ୟକାରୀ କରିବା ଦରକାର। ଗତ ଦୁଇତିନିବର୍ଷ ହେଲା କେନ୍ଦ୍ର ସରକାର ଏମ୍ଏଫ୍ପି କ୍ରୟ କରିବାପାଇଁ ମୂଳଧନ ଓ ରିଆତି ମଧ୍ୟ ରାଜ୍ୟକୁ ଦେଉଛନ୍ତି; କିନ୍ତୁ ତାହା ଖର୍ଚ ହୋଇପାରୁନାହିଁ। ଟିଡିସିସି ଠିକ୍ଭାବେ ସେହି କାମ ତୁଲାଉନାହିଁ। ଆଉ ଏକ ଢାଞ୍ଚାଗତ ସମସ୍ୟା ହେଲା ‘ପ୍ରାଥମିକ କୃଷି ସମବାୟ ସମିତି’ (ପାକ୍ସ) ପରି ଆଦିବାସୀ ଅଞ୍ଚଳରେ ‘ବ୍ୟାପକ ଅଞ୍ଚଳ ବହୁମୁଖୀ ସମିତି’ (ଲ୍ୟାମ୍ପ୍ସ) ଦୁର୍ବଳ ହୋଇପଡ଼ିଛି। ବର୍ତ୍ତମାନ ସମୟରେ ଏହାର ପୁନର୍ବିନ୍ୟାସ କରାଯିବା ଦରକାର। ଆହୁରି ମଧ୍ୟ ଆଦିବାସୀ ଅଞ୍ଚଳେର ହାଟବଜାରର ବିକାଶ ଜରୁରୀ।
ସୁମନୀ ଝୋଡ଼ିଆ, ଆଦିବାସୀ ନେତ୍ରୀ ତଥା ସଭାପତି, ‘ଆମ ସଂଗଠନ’, ମାଣ୍ଡିବିଶି, କାଶୀପୁର
ଏଇ ଦୁଇତିନି ମାସ ଏଠାକାର ଲୋକେ ଯାହାକିଛି ଆୟ କରିଥା’ନ୍ତେ, ଲକ୍ଡାଉନ୍ ସେମାନଙ୍କଠାରୁ ତାହା ଛଡ଼ାଇ ନେଇଛି। ସରକାରୀ ସଂସ୍ଥାର ବି ଦେଖାନାହିଁ। ଲୋକେ ଜଙ୍ଗଲୀ ଜିନିଷ ବିକିବା କଥା ଦୂରେ ଥାଉ, ପନିପରିବା ବି ବିକ୍ରି କରିପାରୁନାହାନ୍ତି।
ସୁଶୀଳା ମାଝୀ, ସଂପାଦିକା, ‘ଆମ ସଂଗଠନ’, ମାଣ୍ଡିବିଶି, କାଶୀପୁର
ଆମ ଅଞ୍ଚଳକୁ କେହି ସରକାରୀ ସଂସ୍ଥା ବା ଅଧିକାରୀ ଆସିନାହାନ୍ତି। ଫୁଲଝାଡ଼ୁ ଏବେ ୨୦ରୁ ୨୬ ଟଙ୍କା ଭିତରେ ବିକ୍ରି ହେଉଛି। ତାହା ବି ବହୁତ କଷ୍ଟରେ।
ସନତ କୁମାର ମହାନ୍ତି, ପରିଚାଳନା ନିର୍ଦେଶକ, ଟିଡିସିସିଓଏଲ୍
ଚଳିତବର୍ଷ ଏ ପର୍ଯ୍ୟନ୍ତ ୨ କୋଟି ୭୫ ଲକ୍ଷ ଟଙ୍କାର ଲଘୁ ବନଜାତ ଦ୍ରବ୍ୟ (ଏମ୍ଏଫ୍ପି) କିଣାଯାଇସାରିଛି। କୌଣସି ଜାଗାରେ ଅଭାବୀ ବିକ୍ରି ହେଉନାହିଁ। ଯଦି ହେଉଛି ଆପଣ ଜଣାଇଲେ ଆମେ ପଦକ୍ଷେପ ନେବୁ।
ଓଡ଼ିଶାରେ କେତେକ ପ୍ରମୁଖ ଲଘୁ ବନଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ (କି.ଗ୍ରା. ପ୍ରତି ଟଙ୍କାରେ)
ତେନ୍ତୁଳି(ମଞ୍ଜିଲଗା) ୩୬
ତେନ୍ତୁଳି(ମଞ୍ଜିଛଡ଼ା) ୬୩
ଶାଳମଞ୍ଜି ୨୦
ମହୁଲ ଫୁଲ ଶୁଖିଲା ୩୦
ମହୁଲ ମଞ୍ଜି (ଟୋଲ) ୨୯
ହରିଡ଼ା ୧୫
ବାହାଡ଼ା ୧୭
ଗେଣ୍ଡୁଳି ଅଠା ୧୧୪
ଚାର ମଞ୍ଜି ୧୨୬
ଜାମୁମଞ୍ଜି ଶୁଖିଲା ୧୪
ନିମ୍ବ ମଞ୍ଜି ୨୭
କରଞ୍ଜ ମଞ୍ଜି ୨୨
କୁସୁମ ମଞ୍ଜି ୨୩
ଫୁଲଝାଡ଼ୁ ୫୦
ଭୂଇଁନିମ୍ବ ୩୫
ବନ ତୁଳସୀ ୨୨
ମଞ୍ଜିଛଡ଼ା ଅଁଳା ୫୨
କଳା ଭାଲିଆ ୯
ଜଙ୍ଗଲି ମଧୁ ୨୨୫
ଶାଳମଞ୍ଜି ୨୦
ତେଜପତ୍ର ଶୁଖିଲା ୪୦
ରଙ୍ଗିଣ ୨୭୫
ଗୁଗୁଲ ଅଠା ୮୧୨
କଉଡ ମଞ୍ଜି ୧୦୦
ନାଗରମଥା ୩୦
ଶତାବରି ଶୁଖିଲା ୧୦୭
ଗୁଡମାରୀ ୧୦୭
କାଳମେଘ ୩୫
କାଇଁଚ ୨୧
ବାଉଁଶ ଝାଡ଼ୁ ୬୦
‘ସମାଜ’ କଟକ; ମୋ: ୯୪୩୮୮୪୪୬୭୮
ashok@thesamaja.in
('ସମାଜ'ରେ ୭ ଜୁନ ୨୦୨୦ରେ ପ୍ରକାଶିତ)
0 comments:
Post a Comment