ଅତିମାରୀ ଲେଖକଙ୍କ ଅନ୍ତର୍ଦୃଷ୍ଟି

Leave a Comment

ଆଲ୍‌ବେର୍‌ କାମ୍ୟୁଙ୍କ ‘ଦ ପ୍ଲେଗ୍’
ମନୁଷ୍ୟ କେବେ ମୃତ୍ୟୁ ଚାହେଁନା। ତା’ର ଇଚ୍ଛା ସେ ମୃତ୍ୟୁଞ୍ଜୟୀ ହେବ; ଅଥଚ ମୃତ୍ୟୁ ଅବଶ୍ୟମ୍ଭାବୀ। କେତେବେଳେ ତାହା କେଉଁ ରୂପରେ ଆସିବ, ତା’ର ଆକଳନ ସେ କରିପାରେନା, ହୁଏତ କେବେକେବେ କରିପାରେ କେବଳ କଳ୍ପନା। ବିଶେଷତଃ ଯୁଦ୍ଧ ଓ ଅତିମାରୀର ମୃତ୍ୟୁ ସେ ଚାହେଁନା, କାହିଁକିନା ସେଠି ଥାଏ ଖାଲି ହା’ହୁତାଶ, ଯାତନା ଓ ଯନ୍ତ୍ରଣା; ଅଥଚ ମଝିମଝିରେ ବିନା ଚେତାବନୀରେ ଏହା ଆସି ଧସେଇ ପଶେ ମଣିଷ ସଭ୍ୟତାକୁ। ଛିନ୍ନଛତ୍ର କରିଦିଏ ତା’ର ସମଗ୍ର ସ୍ଥିତିଅବସ୍ଥିତିକୁ। ଯେଉଁମାନେ ଏଥିରୁ ବର୍ତ୍ତିଯାଆନ୍ତି, ସେମାନେ ଦିନେ ଭୁଲିଯାଆନ୍ତି ସେହି ମର୍ମାନ୍ତିକ ଘଟଣାକୁ ଓ ଗଢ଼ିଚାଲନ୍ତି ପୁଣି ସଭ୍ୟତାର ନୂଆ ଇମାରତ୍‌। ପୁଣି ସ୍ବପ୍ନ ଦେଖନ୍ତି ମୃତ୍ୟୁଞ୍ଜୟୀ ହେବାର। ଏ ଚକ୍ରର ସତେଯେମିତି ଅନ୍ତ ନାହିଁ। ତେବେ ମହାମାରୀର ଗଣହତ୍ୟାକୁ ରୋକିପାରିନି ମଣିଷ ଆଜିଯାକେ।

ଅତିମାରୀ ସମୟର ସେଇ ହାହୁତାଶ, ଯାତନା, ଯନ୍ତ୍ରଣା, ବିଶ୍ବାସ ଅବିଶ୍ବାସର ଜୀବନ୍ତ ଚିତ୍ର ଯେପରି ବର୍ଣ୍ଣିତ ହୋଇଛି କେତେକ ଉପନ୍ୟାସରେ, ତାକୁ ପଢ଼ିଲେ ଆଦୌ ମନେହୁଏନା ଯେ ସେଗୁଡ଼ିକ କାଳ୍ପନିକ ଓ ବହୁବର୍ଷ ପୂର୍ବେ ଲେଖାଯାଇଥିଲା। ଏପରି ଉପନ୍ୟାସ ମଧ୍ୟରେ ସର୍ବକାଳୀନ ଶ୍ରେଷ୍ଠ ଆଲ୍‌ବେର୍‌ କାମ୍ୟୁ(୧୯୧୩-୧୯୬୦)ଙ୍କ ‘ଦ ପ୍ଲେଗ୍’। ୧୯୪୭ର ଏହି ରଚନା ଏବେ ବି ପଢ଼ିଲେ ମନେହେବ, ସତେଯେମିତି ୨୦୨୦ର ଅତିମାରୀ କରୋନା କବଳିତ ବିଶ୍ବର ଚିତ୍ର ମଁୁ ଦେଖୁଚି। ଆଲ୍‌ଜେରିଆର ଓରାନ୍ ସହରରେ ପ୍ଲେଗ୍ ବ୍ୟାପିବାର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଚିତ୍ର ଏତେ ବାସ୍ତବବାଦୀ ଯେ ସାଂପ୍ରତିକ ପୃଥିବୀ ମନେହେବ ଓରାନର ପ୍ରତିରୂପ। ବର୍ତ୍ତମାନର ନେତାଙ୍କ ପରି ସେଥିରେ ମଧ୍ୟ ଆରମ୍ଭରୁ ନେତୃବୃନ୍ଦ ପ୍ଲେଗ୍‌ ଆଦୌ ମନୁଷ୍ୟପାଇଁ କ୍ଷତିକାରକ ନୁହେଁ ବୋଲି ଭାବୁଥିଲେ। ଜଣେ ସାମ୍ବାଦିକ ସ୍ଥାନୀୟ ଖବରକାଗଜରେ ପଚାରିଥିଲେ, ‘‘ରାସ୍ତାରେ ମରିପଡ଼ିଥିବା ମୂଷାର ମୃତଦେହ ମଣିଷ ପାଇଁ ବିପଜ୍ଜନକ ନା ନୁହେଁ, ଆମ ନେତୃବୃନ୍ଦ ତାହା ଜାଣିଛନ୍ତି ତ?’’ ସହର ଫାଟକ ବନ୍ଦ (ବର୍ତ୍ତମାନର ରାଜ୍ୟ ଓ ଦେଶ ସୀମା ବନ୍ଦ)ଠାରୁ ଆରମ୍ଭ କରି ମୁଖା(ବର୍ତ୍ତମାନର ମାସ୍କ)ପିନ୍ଧା ମଣିଷଙ୍କ କଥା ସତେଯେମିତି ୭୨ ବର୍ଷ ପରର ଚିତ୍ର ବର୍ଣ୍ଣନା କରିଛନ୍ତି ଔପନ୍ୟାସିକ କାମ୍ୟୁ। ଉପନ୍ୟାସର କଥକ ବର୍ଣ୍ଣାଡ଼ ରିଉଙ୍କ ମୁହଁରେ ସ୍ବାସ୍ଥ୍ୟକର୍ମୀଙ୍କ ଯୋଦ୍ଧାପଣ (ବର୍ତ୍ତମାନ ପରି) ବି ବେଶ୍ ଫୁଟିଉଠିଚି: ‘‘ଆଗକୁ କ’ଣ ହବ ମୋତେ ଜଣାନାହିଁ, କି ଏହା କେବେ ଶେଷ ହେବ ତା’ ବି ଜାଣିନାହିଁ। ବର୍ତ୍ତମାନ ମୁଁ ଏତିକି ଜାଣିଚି: ଲୋକେ ଖୁବ୍‌ ଅସୁସ୍ଥ ଓ ସେମାନେ ଚାହାନ୍ତି ଆରୋଗ୍ୟଲାଭ।’’
ଉପନ୍ୟାସରେ ଠାଏ ଯାହା ଲେଖାଯାଇଛି, ତାହା ବର୍ତ୍ତମାନର ପରିସଂଖ୍ୟାନଗତ ବିବରଣୀ ସହ କିପରି ମେଳ ଖାଉଛି, ତାହା ଦେଖନ୍ତୁ: ‘‘ହଁ’’ ରିଉ କହିଲା। ଏଥର ବି ପ୍ଲେଗ୍‌ରେ ସେତିକି ଲୋକ ମରୁଛନ୍ତି ଓ ଆଗରୁ ପ୍ଲେଗ୍‌ରେ ଯେତେ​‌ ଲୋକଙ୍କୁ କବର ଦିଆଯାଉଥିଲା, ଏବେ ବି ସେତିକିଙ୍କୁ କବର ଦିଆଯାଉଛି; କିନ୍ତୁ ଏବେ ଆମେ ମୃତ୍ୟୁର ପରିସଂଖ୍ୟାନ ରଖୁଛୁ। ଆପଣଙ୍କୁ ମାନିବାକୁ ପଡ଼ିବ ଯେ ଏହାର ନାଁ ପ୍ରଗତି।’’ ଏ ବକ୍ରୋକ୍ତିର କଟୁସତ୍ୟ ଏବେମଧ୍ୟ କମ୍ ପ୍ରାସଙ୍ଗିକ ନୁହେଁ।

ପ୍ରତ୍ୟେକ ଆରମ୍ଭର ଅନ୍ତ ଅଛି ଓ ଦିନେ ପ୍ଲେଗ୍ ଅତିମାରୀର ବି ଅନ୍ତ ଘଟିଛି। ସେଥିରୁ ଉଦ୍ଧାର ପାଇଯାଇଥିବା ଲୋ‌େ​‌କ ଶେଷରେ ଯାହା ହୃଦ୍‌ବୋଧ କରିଚନ୍ତି, ତାହା ଏହିପରି: ‘‘ସେମାନେ ଏବେ ଜାଣିପାରିଲେ ଯେ ସର୍ବଦା ଆକାଙ୍‌କ୍ଷିତ ଏପରି ଜିନିଷଟିଏ ବି ରହିଛି ଓ ଯାହା ବେଳେବେଳେ ପ୍ରାପ୍ୟ ହୁଏ, ତାହା ମଣିଷର ଭଲ ପାଇବା।’’

କାମ୍ୟୁଙ୍କ ପରି ଅନ୍ୟଜଣେ ବାସ୍ତବବାଦୀ ଔପନ୍ୟାସିକ ଡାନିଏଲ୍‌ ଡେଫୋଙ୍କ ‘ଏ ଜର୍ଣ୍ଣାଲ୍‌ ଅଫ୍ ଦ ପ୍ଲେଗ୍‌ ଇୟର୍‌’ରେ ମହାମାରୀର ଯେପରି ଜୀବନ୍ତ ଚିତ୍ରଣ ହୋଇଛି, ତାହା ତାଙ୍କ ତୀକ୍ଷ୍‌ଣ ଅନ୍ତର୍ଦୃଷ୍ଟିର ସମୁଜ୍ବଳ ଦୃଷ୍ଟାନ୍ତ। ୧୭୭୨ରେ ପ୍ରକାଶିତ ଏହି ଉପନ୍ୟାସରେ ୧୬୬୫ରେ ଲଣ୍ଡନରେ ବିଭୀଷିକା ସୃଷ୍ଟି କରିଥିବା ମହାମାରୀ ‘ବ୍ୟୁବୋନିକ୍ ପ୍ଲେଗ୍’ର ବର୍ଣ୍ଣନା ରହିଛି। ଜଣେ ବ୍ୟକ୍ତିଙ୍କ ସ୍ବଅନୁଭୂତିର ଏହା ଏକ କ୍ରମବିବରଣୀ। ଡେଫୋ ଏଥିରେ ପ୍ରତି ମାସରେ କି କି ଘଟଣା ଘଟିଥିଲା ତାହା ଲେଖିଛନ୍ତି; ଯେମିତି: ଜୁଲାଇରେ ଲଣ୍ଡନ ସହରରେ ଜନସମାଗମ କଟକଣା, ପରେ ଘରୁ ନବାହାରିବାକୁ ନିର୍ଦେଶ, ଥିଏଟର ବନ୍ଦ (ବର୍ତ୍ତମାନର ତାଲାବନ୍ଦ ପରି) ଇତ୍ୟାଦି। ଆଶ୍ଚର୍ଯ୍ୟର କଥା ଯେ କିଛି ଲୋକ ତାଲାବନ୍ଦ କଟକଣାକୁ ନମାନି ବୁଲାବୁଲି କରୁଥିବାରୁ ତାହା ଅନ୍ୟପାଇଁ ବିପଦ ହେଉଥିବା କଥା ମଧ୍ୟ ସେ ବର୍ଣ୍ଣନା କରିଛନ୍ତି। ଅଗଷ୍ଟରେ ସ୍ଥିତି ଖରାପ ଓ ସେପ୍ଟେମ୍ବର ବେଳକୁ ଅତି ଭୟଙ୍କର ହୋଇଗଲା; ତେବେ ଡିସେମ୍ବରରେ ଅସୁସ୍ଥଙ୍କ ସଂଖ୍ୟା କମିଗଲା, ଯେଉଁମାନେ ଈଶ୍ବରଙ୍କୁ ଧନ୍ୟବାଦ ଦେଇ ରାସ୍ତାକୁ ବାହାରିବା କଥା ଡେଫୋ ଲେଖିଛନ୍ତି।

୧୯୧୮ର ସ୍ପେନିଶ୍ ଫ୍ଲୁ ମଣିଷ ଜାତି ପାଇଁ ଯେଉଁ ବିଭୀଷିକା ରଚିଥିଲା, ତାହା ବିଶ୍ବଯୁଦ୍ଧ ବି କରିପାରିନଥିଲା। ପ୍ରଥମ ବିଶ୍ବଯୁଦ୍ଧରେ ୧ କୋଟି ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ଏହି ମହାମାରୀରେ ମରିଥିଲେ ୫ କୋଟିରୁ ଅଧିକ। ଏହାରି ଉପରେ ପର୍ଯ୍ୟବସିତ ଏକ ହୃଦୟସ୍ପର୍ଶୀ ଉପନ୍ୟାସ ହେଉଛି କ୍ୟାଥେରିନ୍ ଆନ୍ନି ପୋର୍ଟରଙ୍କ ‘ପେଲ୍‌ ହର୍ସ, ପେଲ୍‌ ରାଇଡର୍’। ଫ୍ଲୁ’ରେ ଆକ୍ରାନ୍ତ ହେବାପରେ ବନ୍ଧୁ ଆଦାମ ଏହାର ନାୟିକା ମିରାଣ୍ଡାକୁ କହିଚି: ‘‘ଖୁବ୍‌ ଖରାପ ସ୍ଥିତି ଆସିଲାଣି...ଦୋକାନବଜାର, ରେସ୍ତୋରାଁ ସବୁ ବନ୍ଦ; ଗଳିଗଳିରେ ଶବ ଶୋଭାଯାତ୍ରା ଏବଂ ଦିନରାତି କେବଳ ଆମ୍ବୁଲାନ୍ସର ଗର୍ଜନ।’’ ମନେହେଉଛି, ଏ ଦୃଶ୍ୟ ସାଂପ୍ରତିକ ପୃଥିବୀର।

ଏକବିଂଶ ଶତାବ୍ଦୀରେ ମଧ୍ୟ ମହାମାରୀଠାରୁ ମଣିଷ ନିଷ୍କୃତି ପାଇନାହିଁ। ୨୦୦୨ରେ ସାର୍ସ, ୨୦୦୨ରେ ମର୍ସ, ୨୦୧୪ରେ ଇବୋଲା ସହସ୍ରାଧିକ ଲୋକଙ୍କ ଜୀବନ ନେଇଛି। ମହାମାରୀର ସେହି ଅକଥନୀୟ ଅନୁଭବକୁ କହିବାକୁ ଚେଷ୍ଟା କରିଛନ୍ତି କେତେକ ସ୍ରଷ୍ଟା। ମାର୍ଗାରେଟ୍ ଅଟଉଡ଼ଙ୍କ ଉପନ୍ୟାସ ‘ଦି ଇଅର୍‌ ଅଫ୍ ଦ ଫ୍ଲଡ଼’ (୨୦୦୯) ଖୁବ୍ ପ୍ରସିଦ୍ଧି ଲାଭ କରିଥିଲା। ନାଁରୁ ବନ୍ୟା ଉପରେ ଲେଖାଯାଇଥିବ ବୋଲି କେହିକେହି ଭାବିପାରନ୍ତି; କିନ୍ତୁ ଏ ବନ୍ୟା ପାଣିର ବନ୍ୟା ନୁହେଁ, ରୋଗର ବନ୍ୟା। ଲେଖିକାଙ୍କ ଭାଷାରେ, ‘ଜଳଶୂନ୍ୟ ବନ୍ୟା’ ପବନଡେଣାରେ ଉଡ଼ିଉଡ଼ି ସତେଯେମିତି ସହରରେ ନିଆଁ ଲଗାଇ ସବୁକିଛିକୁ ଜାଳିପୋଡ଼ି ଦେଲା। ଏକାନ୍ତବାସ (ଆଇସୋଲେସନ) ପରେ ବଞ୍ଚିଯାଇଥିବା ଟୋବି ମୁହଁରେ ସେ ସମୟର ଯନ୍ତ୍ରଣାକୁ ମାର୍ଗାରେଟ୍‌ କୁହାଇଛନ୍ତି ଏମିତି: ‘‘ଯଦି ବେଶିଦିନ ଏକାକୀ ରହିବ, ତୁମେ ନିଜେ କିଏ ତାହା ବି ଭୁଲିଯାଇପାର।’’

ଚୀନା-ଆମେରିକୀୟ ଔପନ୍ୟାସିକା ଲିଂ ମା’ଙ୍କ ‘ସେଭେରାନ୍ସ’ (୨୦୧୮) ଏ କ୍ଷେତ୍ରରେ ଏକ ଗୁରୁତ୍ବପୂର୍ଣ୍ଣ ସଂଯୋଗ। ନିଉୟର୍କ ସହରର ଏକ ବାଇବେଲ୍‌ ପ୍ରକାଶନ ସଂସ୍ଥାରେ କାମ କରୁଥିବା ପ୍ରବାସୀ କେନ୍‌ଡେସ ଚେନ୍‌ କାଳ୍ପନିକ ୨୦୧୧ ଶେନ୍‌ ମହାମାରୀରୁ ବର୍ତ୍ତିଯାଏ। ସେହି ସମୟରେ ହଠାତ୍‌ ବିଦ୍ୟୁତ୍‌ ଇଣ୍ଟରନେଟ୍‌ବିଚ୍ଛିନ୍ନ ହୋଇ ସହରଟି କିପରି ବିରାଟ ଭୂତକୋଠି ପରି ମନେହୁଏ, ତାହା ସେ ବର୍ଣ୍ଣନା କରିଛନ୍ତି। ବିଶ୍ବମାରୀ ଯିବାପରେ ସେ ଯେଉଁ କାଳ୍ପନିକ ସ୍ଥିତିର ଚିତ୍ର ଦେଇଛନ୍ତି, ତାହା ବେଶ୍ ଭୟ ସୃଷ୍ଟିକାରୀ। ସେ ପଚାରିଛନ୍ତି: କିଏ ଗଢ଼ିବ ନୂଆ ଦୁନିଆ? ନୂଆ ସଂସ୍କୃତି? କିଏ ସ୍ଥିର କରିବ କ୍ଷମତା କାହାର?

ମହାମାରୀ ଉପରେ ରଚିତ ଅନ୍ୟ ଉଲ୍ଲେଖଯୋଗ୍ୟ କୃତି ମଧ୍ୟରେ ରହିଛି ଗାବ୍ରିଏଲ୍‌ ଗାର୍ସିଆ ମା‌େର୍କ୍ବଜ୍‌ଙ୍କ ‘ଲଭ୍‌ ଇନ୍ ଦି ଟାଇମ୍‌ ଅଫ୍ କଲେରା’; ସତ୍ୟ କାହାଣୀ ଆଧାରିତ ରିଚାର୍ଡ ପ୍ରେଷ୍ଟନଙ୍କ ‘ଦି ହଟ୍‌ ଜୋନ୍‌’ (୧୯୯୪) ଓ ଇବୋଲା ମହାମାରୀ ଉପରେ ପର୍ଯ୍ୟବସିତ ‘କ୍ରାଇସିସ୍‌ ଇନ୍‌ ରେଡ୍‌ ଜୋନ୍‌’ (୨୦୧୯); ଏମିଲି ସେଣ୍ଟ ଜନ ମଣ୍ଡେଲ୍‌ଙ୍କ ‘ଷ୍ଟେସନ ଇଲେଭେନ’ (୨୦୧୪), ଡିନ୍‌ କୁଂଜ୍‌ଙ୍କ ‘ଦି ଆଇଜ୍‌ ଅଫ୍ ଡାର୍କନେସ୍’ (୧୯୮୧: ଏଥିରେ ମନୁଷ୍ୟ ଦ୍ବାରା ତିଆରି ବାଇଓଲୋଜିକାଲ୍‌ ଅସ୍ତ୍ରର ନାମ ଉହାନ-୪୦୦ ରହିଥିଲା) ଏବଂ ସିଲ୍‌ଭିଆ ବ୍ରାଉନଙ୍କ ‘ଏଣ୍ଡ୍‌ ଅଫ୍ ଡେଜ୍‌’। ଏସବୁର ବର୍ଣ୍ଣନା ସମସାମୟିକ ଘଟଣା ସହ ଏତେ ମେଳ ଖାଏ ଯେ ପାଠକ ଆଶ୍ଚର୍ଯ୍ୟ ନହୋଇ ରହିପାରେନା। ସ୍ରଷ୍ଟାର ଅସୀମ କଳ୍ପନା ଓ ପ୍ରଖର ଅନ୍ତର୍ଦୃଷ୍ଟିର ଏହା ଦ୍ୟୋତକ। 


ଭାରତୀୟ ସାହିତ୍ୟରେ ମହାମାରୀ
ବିଭିନ୍ନ ସମୟରେ ହଇଜା, ମିଳିମିଳା, ଇନ୍‌ଫ୍ଲୁଏଞ୍ଜା, ପ୍ଲେଗ୍‌ ଭଳି ମହାମାରୀ ଭାରତରେ ବି ତା’ର ବିଭୀଷିକା ରଚିଛି, ଯାହାକୁ ନେଇ ଭାରତୀୟ ଲେଖକଗଣ ରଚନା କରିଛନ୍ତି କାଳଜୟୀ କୃତି। କଥାସମ୍ରାଟ ଫକୀରମୋହନ ସେନାପତିଙ୍କ ଓଡ଼ଅା ଭାଷାର ପ୍ରଥମ ଆଧୁନିକ ଗଳ୍ପ ‘ରେବତୀ’କୁ କିଏ ବା ଭୁଲିପାରିବ, ଯେଉଁଠି ହଇଜାର କରାଳ ରୂପ ନିଖୁଣ ଭାବେ ବର୍ଣ୍ଣିତ (ବାଡ଼ିବୁଢ଼ୀ ସତେ ପରା ଟୋକେଇଟିଏ କାଖେଇ ଦାଣ୍ଡରେ ମନୁଷ୍ୟ ଗୋଟାଉଛି)। ସେହିପରି ଭାରତୀୟ କଥା ସାହିତ୍ୟର ଧ୍ରୁପଦ ପ୍ରେମଚାନ୍ଦଙ୍କ ‘ଇଦ୍‌ଗାହ୍’ ଓ ‘ଦୁଧ୍‌ କା ଦାମ୍‌’ରେ ମହାମାରୀର ବିଭୀଷିକା ଦେଖିବାକୁ ମିଳେ। ତେବେ ସଂପୂର୍ଣ୍ଣ ଉପନ୍ୟାସ ଦୃଷ୍ଟିରୁ ପ୍ରଖ୍ୟାତ ମାଲାୟାଲମ୍‌ ଲେଖକ ଟି ଶିବଶଙ୍କର ପିଲାଇଙ୍କ ଉପନ୍ୟାସ ‘ଥୋଟ୍ଟିୟୁଡେ ମାକାନ’ (ଝାଡ଼ୁଦାରର ପୁଅ) ଓ ୟୁ.ଆର୍‌. ଅନନ୍ତମୂର୍ତ୍ତିଙ୍କ କନ୍ନଡ଼ ଉପନ୍ୟାସ ‘ସଂସ୍କାର’ ବିଶେଷ ଉଲ୍ଲେଖଯୋଗ୍ୟ। ଭାରତ​‌େ​‌ର ୧ କୋଟିରୁ ଊର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ଘଟିଥିବା ସ୍ପେନିଶ୍‌ ଫ୍ଲୁ (୧୯୧୮) ମହାମାରୀର ଛାତିଥରା ବର୍ଣ୍ଣନା ଦେଖିବାକୁ ମିଳେ ଅହମଦ ଅଲିଙ୍କ ‘ଟୁଇଲାଇଟ୍‌ ଇନ୍‌ ଦିଲ୍ଲୀ’ ଉପନ୍ୟାସରେ।

(‘ସମାଜ’ ରବିବାର ସାହିତ୍ୟ ପୃଷ୍ଠାରେ ୩.୫.୨୦୨୦ରେ ପ୍ରକାଶିତ)
Next PostNewer Post Previous PostOlder Post Home

0 comments:

Post a Comment

ଏହି ବ୍ଲଗର ସମସ୍ତ ସାମଗ୍ରୀ ଲେଖକଙ୍କ ସର୍ବସ୍ବତ୍ତ୍ବ ସଂରକ୍ଷିତ. Powered by Blogger.