ଏକ ଆଦର୍ଶ ଗଣତନ୍ତ୍ରର କଥା

Leave a Comment
ସୁଇଡେନର ପ୍ରଧାନମନ୍ତ୍ରୀ ଷ୍ଟିଫାନ ଲୋଫ୍‌ଭେନ ସର୍ବସାଧାରଣ ଯାନରେ ବସି ଯାଉଛନ୍ତି

ଇଂରେଜୀ ‘ଡେମୋକ୍ରେସି’ ଶବ୍ଦକୁ ଆମେ ଗଣତନ୍ତ୍ର ବା ଲୋକତନ୍ତ୍ର ବୋଲି କହୁଛୁ, ଯାହାର ଉତ୍ପତ୍ତି ହୋଇଥିଲା ଗ୍ରୀକ୍ ଶବ୍ଦ ‘ଡେମୋକ୍ରେସିଆ’ରୁ। ଏହାର ଅର୍ଥ ‘ଲୋକଙ୍କ ଶାସନ’ । ଖ୍ରୀଷ୍ଟପୂର୍ବ ପଞ୍ଚମ ଶତାବ୍ଦୀରେ ଗ୍ରୀସ ନଗରୀ ଏଥେନ୍ସରେ ଗ୍ରୀକ୍ ଶବ୍ଦ ‘ଆରିଷ୍ଟୋକ୍ରେସିଆ’ (ଆରିଷ୍ଟୋକ୍ରେଟ୍)ର ବିପରୀତ ଶବ୍ଦ ଭାବେ ଏହା ବ୍ୟବହୃତ ହୋଇଥିଲା, ଯାହାକୁ ଆମେ ‘ସାମନ୍ତଙ୍କ ଶାସନ’ ବା ରାଜତନ୍ତ୍ର ବୋଲି କହିପାରିବା । ସାମନ୍ତ ବା ସାଆନ୍ତ ଶ୍ରେଣୀର ଲୋକଙ୍କ ହାତରୁ ସାଧାରଣ ଲୋକଙ୍କ ହାତକୁ ଶାସନ କ୍ଷମତା ଆସିବା ଗଣତନ୍ତ୍ରର ମୂଳ ଲକ୍ଷ୍ୟ; କିନ୍ତୁ ଏହା ଅନେକ ଦେଶରେ ଦେଖାଯାଏ ନାହିଁ । ଯେଉଁମାନେ ଭୋଟ ମାଧ୍ୟମରେ ନିର୍ବାଚିତ ହୁଅନ୍ତି, ସେମାନେ ଲୋକଙ୍କର ପ୍ରତିନିଧି ଭାବେ ଶାସନକଳ ଅର୍ଥାତ ସରକାର ଚଳାଇବା ବିଧେୟ । ତେବେ ସେମାନେ ଅନ୍ୟଠାରୁ ଉଚ୍ଚ ବା ଅସାଧାରଣ ନୁହନ୍ତି । ସେମାନଙ୍କ ପାଇଁ ସୁବିଧାସୁଯୋଗ ଅନ୍ୟମାନଙ୍କଠାରୁ ଅଧିକ ରହିବା ଅନୁଚିତ । ସେମାନେ ଜନସାଧାରଣଙ୍କ ପରି ଆଇନକାନୁନ ଊର୍ଦ୍ଧ୍ବରେ ମଧ୍ୟ ନୁହନ୍ତି; ବରଂ ଆଇନ ଏପରି କାର୍ଯ୍ୟକାରୀ ହେଉଥିବା ଉଚିତ ଯେ ଯଦି ଜଣେ ଲୋକପ୍ରତିନିଧି ଭ୍ରଷ୍ଟ ହେଲା, ତେବେ ତା’ ବିରୋଧରେ ଅବିଳମ୍ବେ କାର୍ଯ୍ୟାନୁଷ୍ଠାନ ହୋଇପାରୁଥିବ । କିନ୍ତୁ ଗଣତନ୍ତ୍ରର ଏ ଆଦର୍ଶ ରୂପ ବିଶ୍ବରେ ବିରଳ । ଭାରତ ଭଳି ଦେଶରେ ତ ଅକଳ୍ପନୀୟ । ଏଠାରେ ସାଧାରଣ ରାଜନେତା ବା ବିଧାୟକଟିଏ ବି ନିଜକୁ ଭାବେ ଅସାଧାରଣ/ବିଶିଷ୍ଟ/ଖୁବ୍ ଗୁରୁତ୍ବପୂର୍ଣ୍ଣ ବ୍ୟକ୍ତି (ଭିଆଇପି) ଓ ସେହି ଅନୁସାରେ ତାକୁ ଅନ୍ୟମାନଙ୍କଠାରୁ ସର୍ବାଧିକ ସୁବିଧାସୁଯୋଗ ମିଳିବା ଉଚିତ ବୋଲି ଦାବି କରେ । ବିଡ଼ମ୍ବନା ତ ଏଇଆ ଯେ ଲୋକପ୍ରତିନିଧିବୃନ୍ଦ ଲୋକଙ୍କ ଅର୍ଥରେ ହିଁ ଅୟସ/ଆଡ଼ମ୍ବରପୂର୍ଣ୍ଣ ଜୀବନ ଅତିବାହିତ କରିବାକୁ ଚାହାନ୍ତି ଓ ସେଥିପାଇଁ ସେମାନେ ନିଜେ ହିଁ ତା’ର ବ୍ୟବସ୍ଥା କରିଛନ୍ତି, ଏବେ ବି କରୁଛନ୍ତି ।

ଏକଥା କହିବା ବେଳକୁ ଏଭଳି କେତେକ ଦେଶର ଗଣତନ୍ତ୍ର କଥା ମନକୁ ଆସୁଛି, ଯାହା ସର୍ବୋତ୍ତମ ନହେଲେ ହେଁ ଗୋଟିଏଗୋଟିଏ ଆଦର୍ଶ ଗଣତନ୍ତ୍ର ବୋଲି କହିହେବ । ସୁଇଡେନ ସେଥିମଧ୍ୟରୁ ଅନ୍ୟତମ । ଉତ୍ତର ଇଉରୋପର ଏହି ଦେଶର ଲୋକସଂଖ୍ୟା ଏକ କୋଟିରୁ କିଛି ଅଧିକ । ସେଠାରେ ସଂସଦୀୟ ଗଣତନ୍ତ୍ର ବ୍ୟବସ୍ଥା ରହିଛି । ସାମ୍ବିଧାନିକ ମୁଖ୍ୟ ରାଜା ଥିଲେ ହେଁ ତାହା କେବଳ ପାରମ୍ପରିକ; ଅସଲ କ୍ଷମତା ଥାଏ ଶାସନମୁଖ୍ୟ ପ୍ରଧାନମନ୍ତ୍ରୀଙ୍କ ହାତରେ । ସେଠାକାର ସଂସଦ ‘ରିକ୍ସଡାଗ୍’ ୩୪୯ ଆସନବିଶିଷ୍ଟ ଏବଂ ସଂସଦର ସଦସ୍ୟ ଅର୍ଥାତ ଲୋକ ପ୍ରତିନିଧିମାନେ ସମାନୁପାତିକ ପ୍ରତିନିଧିତ୍ବ (ପିଆର୍‌) ବ୍ୟବସ୍ଥାରେ ନିର୍ବାଚିତ ହୋଇ ଆସନ୍ତି । ପ୍ରତି ଚାରିବର୍ଷରେ (ସେପ୍ଟେମ୍ବର ଦ୍ବିତୀୟ ରବିବାର) ସେଠାରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୁଏ । ମାନବ ବିକାଶର ସମସ୍ତ ସୂଚକାଙ୍କରେ ପ୍ରାୟତଃ ସର୍ବାଗ୍ରେ ରହିଆସୁଥିବାରୁ ଏହି ଦେଶର ଶାସନ ବ୍ୟବସ୍ଥା ପ୍ରାୟ ଚର୍ଚ୍ଚାରେ ରହିଥାଏ । ଏହା ପୃଥିବୀର ଏକ ଶ୍ରେଷ୍ଠ ଗଣତନ୍ତ୍ର କାହିଁକି, ତା’ର ଦୃଷ୍ଟାନ୍ତ ସେଠାରେ ଖୋଜିବାକୁ ପଡ଼େ ନାହିଁ । ସେହି ଦେଶର ନିତ୍ୟନୈମିତ୍ତିକ ସାମାଜିକ, ସାଂସ୍କୃତିକ, ଆର୍ଥନୀତିକ ଓ ରାଜନୀତିକ ଜୀବନର ଛତ୍ରେଛତ୍ରେ ତାହା ପରିଦୃଷ୍ଟ ହୋଇଥାଏ। ଦୀର୍ଘବର୍ଷ ଧରି ସୁଇଡେନରେ ରହୁଥିବା ବ୍ରାଜିଲୀୟ ସାମ୍ବାଦିକା-ଲେଖିକା କ୍ଲଡିଆ ୱାଲିନ୍ ନିଜର ଅଙ୍ଗେନିଭା ଅନୁଭୂତି ଓ ଅଭିଜ୍ଞତାକୁ ନେଇ ଗତବର୍ଷ (୨୦୧୮) ‘ସୁଇଡେନ: ଦି ଅନ୍‌ଟୋଲ୍ଡ ଷ୍ଟୋରି’ ଶୀର୍ଷକ ଚମତ୍କାର ପୁସ୍ତକଟିଏ ରଚନା କରିଛନ୍ତି, ଯେଉଁଥିରେ ସେ ସେଠାକାର ଜୀବନଜୀବିକାରେ ଗଣତନ୍ତ୍ରର ଛଟା କିପରି ଉଦ୍‌ଭାସିତ ହେଉଛି, ତାହା ସେ ଦର୍ଶାଇଛନ୍ତି ।

ସୁଇଡେନର ଲୋକପ୍ରତିନିଧି, ଏପରିକି ମନ୍ତ୍ରୀଗଣଙ୍କ ପାଇଁ କୌଣସି ସରକାରୀ ଯାନର ବ୍ୟବସ୍ଥା ନାହିଁ । ସେମାନେ ଦୈନିକ ସାଧାରଣ ଲୋକଙ୍କ ପରି ସର୍ବସାଧାରଣ ଯାନରେ ଯାତାୟାତ କରିଥାନ୍ତି । ସଂସଦର ବାଚସ୍ପତି ମଧ୍ୟ ଏଥିରୁ ବାଦ୍‌ ପଡ଼ନ୍ତି ନାହିଁ । କେବଳ ପ୍ରଧାନମନ୍ତ୍ରୀଙ୍କୁ ସ୍ଥାୟୀ ଭାବେ ଗୋଟିଏ କାର୍ ଓ ଜଣେ ଡ୍ରାଇଭର ରଖିବାର ଅଧିକାର ଦିଆଯାଇଛି । କୌଣସି ମନ୍ତ୍ରୀଙ୍କର ବ୍ୟକ୍ତିଗତ ସଚିବ ମଧ୍ୟ ନଥା’ନ୍ତି ଏବଂ ନିଜେ ହିଁ ସଂସଦ ଭବନର କ୍ଷୁଦ୍ର କାର୍ଯ୍ୟାଳୟ ପ୍ରକୋଷ୍ଠରେ ସବୁ କାମ କରିଥାନ୍ତି । ରାଜଧାନୀ ଷ୍ଟକ୍‌ହୋମରେ ଛୋଟଛୋଟ ଆପାର୍ଟମେଣ୍ଟରେ ସେମାନେ ରହନ୍ତି, ଯେଉଁଠି ଲଣ୍ଡ୍ରିରେ ନିଜେ ନିଜର ପୋଷାକପତ୍ର ସଫା କରିବା ସହ ଇସ୍ତ୍ରୀ କରି ପିନ୍ଧିଥାନ୍ତି । ଦେଶର ନୀତିନିର୍ଦ୍ଧାରକ ବିଶିଷ୍ଟ ବ୍ୟକ୍ତିମାନେ ଏପରି କରୁଥିବା ନିଶ୍ଚୟ ଅନେକଙ୍କୁ ଆଶ୍ଚର୍ଯ୍ୟ କରିବ । ତେବେ ଏହା ସେଠାକାର ରାଜନୀତିକ ସଂସ୍କୃତି । ସେଠାରେ କେହି ‘ବିଶିଷ୍ଟ’ ନୁହନ୍ତି । ସାଂସଦ ହୁଅନ୍ତୁ କି ମନ୍ତ୍ରୀ, କେହି ବହୁତ ଅଧିକ ଦରମା ପାଆନ୍ତି ନାହିଁ । ରିକ୍ସଡାଗ୍‌ର ଜଣେ ସଦସ୍ୟ ବା ସାଂସଦ ସାଧାରଣ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକଙ୍କର ଦୁଇଗୁଣ ଦରମା ପାଆନ୍ତି । ଏଇଠି ମନେରଖିବା ଆବଶ୍ୟକ ଯେ ସୁଇଡେନ ବିଶ୍ବର ଏକ ଶ୍ରେଷ୍ଠ ବିକଶିତ ଦେଶ (ସେଠାକାର ମୁଣ୍ଡପିଛା ଆୟ ୫୦, ୮୪୦ ପିପିପି ଡଲାର୍ ହୋଇଥିବାବେଳେ ଭାରତର ୭,୦୬୦ ପିପିପି ଡଲାର୍; ବିଶ୍ବବ୍ୟାଙ୍କ: ୨୦୧୭) ।

ସୁଇଡେନ ଏଭଳି ଏକ ଦେଶ, ଯେଉଁଠି ସରକାରୀ ଅଧିକାରୀ ବା ରାଜନୀତିକ ପ୍ରତିନିଧିମାନଙ୍କୁ ସାଧାରଣ ନାଗରିକଙ୍କଠାରୁ ଅଧିକ ବିବେଚନା କରାଯାଏ ନାହିଁ; ଅର୍ଥାତ ସେମାନଙ୍କୁ ସ୍ବତନ୍ତ୍ର ସୁବିଧାସୁଯୋଗ/ସମ୍ମାନର ହକ୍‌ଦାର ବୋଲି ଧରାଯାଏ ନାହିଁ । ସେଠାରେ ସେମାନଙ୍କ ପାଇଁ କୌଣସି ନିର୍ଦ୍ଦିଷ୍ଟ ବା ସ୍ବତନ୍ତ୍ର ସମ୍ବୋଧନ ନାହିଁ (ଆମର ‘ମାନ୍ୟବର’ ଇତ୍ୟାଦି ପରି) । ୧୯୬୦ରେ ସେଠାରେ ସମସ୍ତ ପ୍ରକାରର ଔପଚାରିକ ସମ୍ବୋଧନକୁ ନିଷିଦ୍ଧ କରିଦିଆଗଲା ଏବଂ ସମସ୍ତଙ୍କୁ ‘ୟୁ’ (ତୁମେ) ବୋଲି ଡକାଗଲା । ଏହା ଯେ ଅନେକ ପରିମାଣରେ ଉଚ୍ଚନୀଚ ଭେଦକୁ ଦୂରେଇବାରେ ସହାୟକ ହୋଇଥିବ, ତାହା କହିବା ବାହୁଲ୍ୟ । କ୍ଷମତାସୀନ ରାଜନେତାଗଣ ନିଜକୁ ଅନ୍ୟ ଲୋକଙ୍କଠାରୁ ଊର୍ଦ୍ଧ୍ବରେ ମନେ କରିବା ଆମ ପାଇଁ ଏକ ସ୍ବାଭାବିକ ଘଟନା । ସେମାନେ ସାମାଜିକ ଜୀବନରେ ବି ନିଜକୁ ସର୍ବଶ୍ରେଷ୍ଠ ଭାବନ୍ତି; କିନ୍ତୁ ସୁଇଡେନରେ ତାହା ଅସ୍ବାଭାବିକ । ସେଠାକାର ରାଜନୀତିକ ସଂସ୍କୃତି ସଂପୂର୍ଣ୍ଣ ଅଲଗା; କୁହାଯାଇପାରେ ସଂପୂର୍ଣ୍ଣ ଗଣତାନ୍ତ୍ରିକ । ସେଇଠି କୌଣସି ଶପିଙ୍ଗ୍ ମଲ୍‌ରେ ପ୍ରଧାନମନ୍ତ୍ରୀ ଓ ବିଦେଶ ମନ୍ତ୍ରୀଙ୍କୁ ଶପିଙ୍ଗ୍ ଟ୍ରଲି ଠେଲିଠେଲି ଜିନିଷ କିଣୁଥିବାର ଦୃଶ୍ୟ ଆଦୌ କାହାକୁ ଆଶ୍ଚର୍ଯ୍ୟାନ୍ବିତ କରେନାହିଁ । ସେଠାର ଲୋକ ପ୍ରତିନିଧି ବାସ୍ତବରେ ଲୋକଙ୍କ ଦୈନନ୍ଦିନ ଜୀବନର ସୁଖଦୁଃଖ ସହ ଓତପ୍ରୋତ ଭାବେ ଜଡ଼ିତ ହୋଇ ରହିଥାନ୍ତି । ଆମ ଏଠା ରାଜନେତାଙ୍କ ଭଳି ନିର୍ବାଚନବେଳର ଲୋକଦେଖାଣିଆ ନାଟକ (ଭୋଟପରେ ତା’ ବି ଦେଖିବାକୁ ମିଳେନି!) କରିବାକୁ ସେମାନେ ଘୃଣା କରନ୍ତି ।

ଯେଉଁମାନେ ଲୋକସେବକ (ସରକାରୀ ଅଧିକାରୀ/ ଲୋକପ୍ରତିନିଧି) ଭାବେ ନିଯୁକ୍ତ ହୋଇଛନ୍ତି, ସେମାନଙ୍କର ଉତ୍ତରଦାୟିତ୍ବ ଓ ସ୍ବଚ୍ଛତାକୁ ସର୍ବାଧିକ ଗୁରୁତ୍ବ ଦିଆଯାଇଛି । ତା’ର ପ୍ରତିଫଳନ ସେଠାକାର ସବୁ ସ୍ଥାନରେ ଦେଖିବାକୁ ମିଳେ ।  ପ୍ରତ୍ୟେକ ସରକାରୀ କାର୍ଯ୍ୟାଳୟର ସୂଚନା ପାଇବା ସମସ୍ତ ନାଗରିକଙ୍କ ସାମ୍ବିଧାନିକ ଅଧିକାର । ୧୭୬୬ ମସିହାରେ ପ୍ରଣୀତ ‘ସୁଇଡିଶ୍ ଫ୍ରିଡମ୍ ଅଫ୍ ପ୍ରେସ୍‌ ଆକ୍ଟ’ ପୃଥିବୀର ସର୍ବପୁରାତନ ସ୍ବଚ୍ଛତା ଆଇନ । ସୁଇଡେନରେ କୌଣସି ମନ୍ତ୍ରୀ, ବିଚାରପତି, ସେନାମୁଖ୍ୟ, ଏପରିକି ପ୍ରଧାନମନ୍ତ୍ରୀ ସରକାରୀ ଅର୍ଥକୁ କିପରି ଖର୍ଚ୍ଚ କରିଛନ୍ତି ତା’ର ସମସ୍ତ ସୂଚନା ହାସଲ କରିବା ସମ୍ଭବ । କେବଳ ସେତିକି ନୁହେଁ, କେଉଁକେଉଁ ସରକାରୀ ଅଧିକାରୀ କି କି କାର୍ଯ୍ୟ କରୁଛନ୍ତି ଓ ସେମାନେ କେଉଁ ନିଷ୍ପତ୍ତିମାନ ନେଇଛନ୍ତି, ଜଣେ ଚାହିଁଲେ ତାହା ମଧ୍ୟ ଜାଣିପାରିବ । ଏହା କେବଳ ସମ୍ବିଧାନର ପରିଚ୍ଛେଦ ବା ଆଇନ ଭିତରେ ସୀମିତ ହୋଇ ରହିନାହିଁ, ବାସ୍ତବ କ୍ଷେତ୍ରରେ ତା’ର ସୁଚାରୁ କାର୍ଯ୍ୟାନ୍ବୟନ ଦେଖାଯାଏ (ଭାରତରେ ବହୁ କଷ୍ଟରେ ପ୍ରଣୀତ ସୂଚନା ଅଧିକାର ଆଇନକୁ ସରକାର କ୍ରମଶଃ ପଙ୍ଗୁ କରିଦେବାର ଚେଷ୍ଟା ଚଳାଇଛନ୍ତି) । ଫଳରେ ସେଠାରେ ଭ୍ରଷ୍ଟାଚାର ବା ଦୁର୍ନୀତି ବିରଳ । ଏହି ପରିପ୍ରେକ୍ଷୀରେ ୧୯୯୦ର ‘ଟୋବ୍‌ଲେରୋନ୍ ମାମଲା’ (ଟୋବ୍‌ଲେରୋନ୍ ଏକ ଚକଲେଟ୍‌ ବ୍ରାଣ୍ଡ୍‌ର ନାମ) ଦୃଷ୍ଟାନ୍ତମୂଳକ । ତତ୍କାଳୀନ ଉପପ୍ରଧାନମନ୍ତ୍ରୀ ମୋନା ସାହଲିନ୍ ସରକାରୀ କ୍ରେଡିଟ୍‌ କାର୍ଡରେ ​‌େ​‌କତୋଟି ଚକ୍‌ଲେଟ୍, ରୁମାଲ ଓ ବ୍ୟକ୍ତିଗତ ବ୍ୟବହାରରେ ଆସୁଥିବା କିଛି ଜିନିଷ କିଣିଥିଲେ । ସେଥିପାଇଁ ତାଙ୍କୁ ପଦ ହରାଇବାକୁ ପଡ଼ିଥିଲା । ‘ଟ୍ରାନ୍ସପେରେନ୍ସି ଇଣ୍ଟରନ୍ୟାସନାଲ’ ଦ୍ବାରା ପ୍ରକାଶିତ ୨୦୧୮ ବିଶ୍ବ ଦୁର୍ନୀତି ସୂଚକାଙ୍କରେ ସୁଇଡେନ କାହିଁକି ୧୭୫ଟି ଦେଶ ଭିତରେ ଚତୁର୍ଥ ସ୍ଥାନରେ ରହିଛି (ଭାରତର ସ୍ଥାନ ୭୮), ତାହା ଏହି ଘଟନାରୁ ସହଜେ ଅନୁମେୟ ।
ସୁଇଡେନରେ କେବଳ ସାମ୍ବିଧାନିକ ସମାନତା ନୁହେଁ, ସାମାଜିକ ଓ ରାଜନୀତିକ କ୍ଷେତ୍ରରେ ମଧ୍ୟ ଲିଙ୍ଗ ସମାନତାର ଅଦ୍ଭୁତ ଦୃଷ୍ଟାନ୍ତ ଦେଖିବାକୁ ମିଳେ । ୨୦୧୮ ନିର୍ବାଚନରେ ୧୮୮ ଜଣ ପୁରୁଷ ଓ ୧୬୧ ଜଣ ମହିଳା ସଦସ୍ୟ ସଂସଦକୁ ନିର୍ବାଚିତ ହୋଇଛନ୍ତି । ଆହୁରି ମଧ୍ୟ ବର୍ତ୍ତମାନର ସରକାରରେ ୨୨ ଜଣ ମନ୍ତ୍ରୀଙ୍କ ଭିତରୁ ୧୨ ଜଣ ହେଉଛନ୍ତି ମହିଳା, ଯେଉଁଥିରେ ବୈଦେଶିକ ବ୍ୟାପାର ଓ ଅର୍ଥ ଭଳି ଗୁରୁତ୍ବପୂର୍ଣ୍ଣ ମନ୍ତ୍ରଣାଳୟର ଦାୟିତ୍ବ ରହିଛି ମହିଳାଙ୍କ ଉପରେ ।

ସୁଇଡିଶ୍‌ ସମ୍ବିଧାନ ମୁଖ୍ୟତଃ ଚାରିଟି ମୌଳିକ ଆଇନ ଉପରେ ପ୍ରତିଷ୍ଠିତ: ଦି ଇନ୍‌ଷ୍ଟ୍ରୁମେଣ୍ଟ୍ ଅଫ୍‌ ଗଭର୍ଣ୍ଣମେଣ୍ଟ୍, ଦି ଆକ୍ଟ ଅଫ୍ ସକ୍ସେସନ, ଦି ଫ୍ରିଡମ୍ ଅଫ୍ ଦି ପ୍ରେସ୍ ଆକ୍ଟ ଓ ଦି ଫଣ୍ଡାମେଣ୍ଟାଲ୍ ଲ’ ଅନ୍ ଫ୍ରିଡମ୍‌ ଅଫ୍ ଏକ୍ସପ୍ରେସନ । ପ୍ରଥମଟି ନାଗରିକଙ୍କୁ ଅବାଧରେ ସୂଚନା ହାସଲ, ପ୍ରତିବାଦ ପ୍ରଦର୍ଶନ, ରାଜନୀତିକ ଦଳ ଗଠନ ଓ ଧର୍ମ ପାଳନର ଅଧିକାର ନିଶ୍ଚିତ କରିଥାଏ । ଦ୍ବିତୀୟଟି ସୁଇଡିଶ୍ ରାଜପରିବାର ପାଇଁ ଉଦ୍ଦିଷ୍ଟ। ତୃତୀୟଟି ପ୍ରତ୍ୟେକ ନାଗରିକଙ୍କୁ ସଂସଦ ଓ ଯେ କୌଣସି ସରକାରୀ କାର୍ଯ୍ୟାଳୟର ଦସ୍ତାବିଜ୍ ଦେଖିବା ଓ ସମୀକ୍ଷା କରିବାକୁ ଅଧିକୃତ କରିଥାଏ । ଚତୁର୍ଥଟି ତୃତୀୟ ଆଇନର ପରିବର୍ଦ୍ଧିତ ରୂପ । ସୁଇଡେନରେ ପ୍ରେସ୍‌ ବା ଗଣମାଧ୍ୟମକୁ ‘ତୃତୀୟ ଶକ୍ତି’ର ଆଖ୍ୟା ଦିଆଯାଏ, ଯାହା ସମ୍ପୂର୍ଣ୍ଣ ସ୍ବାଧୀନ (ବିଶ୍ବ ପ୍ରେସ ସ୍ବାଧୀନତା ସୂଚକାଙ୍କ ୨୦୧୯ରେ ସୁଇଡେନ ତୃତୀୟ ସ୍ଥାନରେ ରହିଥିବାବେଳେ ଭାରତର ସ୍ଥାନ ୧୪୦) । ସରକାର ପ୍ରଥମ ଶକ୍ତି, ସଂସଦ ଦ୍ବିତୀୟ ଓ ଗଣମାଧ୍ୟମ ତୃତୀୟ । ଏଥିରୁ ଏହାର ଗୁରୁତ୍ବ ଜଣାପଡ଼େ। ସେଠାକାର ସ୍ବାଧୀନ ଓ ନିଷ୍ପକ୍ଷ ଗଣମାଧ୍ୟମ ପ୍ରଥମ ଓ ଦ୍ବିତୀୟ ଶକ୍ତିର ଦୋଷଦୁର୍ବଳତାକୁ ଲୋକଲୋଚନକୁ ଆଣି ଉଚିତ ପରାମର୍ଶ ଦେବାକୁ ଭୁଲେ ନାହିଁ ।

ବିଭିନ୍ନ ମାନଦଣ୍ଡ ପ୍ରୟୋଗ କରି ସାରା ବିଶ୍ବର ଗଣତନ୍ତ୍ର ଓ ସ୍ବାଧୀନତାକୁ ମାପି/ପରଖି ସୂଚକାଙ୍କ ତିଆରି କରୁଥିବା ‘ଫ୍ରିଡମ୍ ହାଉସ୍’ ସୁଇଡେନ୍‌କୁ ଶହେରୁ ଶହେ ନମ୍ବର ଦେଇଛି। ଏହାର କାରଣ ରାଜନୀତିକ ଅଧିକାର, ନାଗରିକ ସ୍ବାଧୀନତା, ବିବିଧତାକୁ ସମ୍ମାନ, ଶାସନ ପରିଚାଳନା, ଗଣମାଧ୍ୟମର ସ୍ବାଧୀନତା ଆଦିରେ ଏହି ଦେଶ ସର୍ବଶ୍ରେଷ୍ଠ ପ୍ରମାଣିତ ହୋଇଛି । ତେବେ ଏ ଦେଶର ସହିଷ୍ଣୁତା ଓ ଉଦାର ବିଚାରଧାରା ତା’ପାଇଁ କେତେକ କ୍ଷେତ୍ରରେ ଭାରୀ ପଡ଼ିଛି । ଶରଣାର୍ଥୀ ସଙ୍କଟ ତନ୍ମଧ୍ୟରୁ ଗୋଟିଏ । ଏହା ସେଠାରେ ‘ସୁଇଡେନ୍ ଡେମୋକ୍ରାଟ’ ପରି ଦକ୍ଷିଣପନ୍ଥୀ ଦଳର ଆବିର୍ଭାବ ଓ ବିକାଶ ପାଇଁ ବାଟ ଫିଟାଇଛି । ସେ ଯାହାହେଉ, ୧ କୋଟି ଜନସଂଖ୍ୟାବିଶିଷ୍ଟ ଏକ ଦେଶ ୪ ଲକ୍ଷ ଶରଣାର୍ଥୀଙ୍କୁ ଥଇଥାନ କରିବା ଛୋଟକଥା ନୁହେଁ। ଏହା ସେହି ଦେଶ ପାଇଁ କିଛି ସମସ୍ୟା ସୃଷ୍ଟି କରିଥାଇପାରେ; କିନ୍ତୁ ଏହା ବି ସେ ଦେଶର ମୂଲ୍ୟବୋଧ ଅନୁରୂପ (ମାନବିକ ଅଧିକାର ସୁରକ୍ଷା ଦେବାରେ ସର୍ବଶ୍ରେଷ୍ଠ ଦେଶ) ଏବଂ ମାନବୀୟ କରୁଣାର ପ୍ରତିଫଳନ, ତାହା ଅନସ୍ବୀକାର୍ଯ୍ୟ ।

ଏକଦା ଇଟାଲୀର ଫାସିବାଦୀ ଶାସକ ମୁସୋଲିନି ‘ନିଉୟର୍କ ଟାଇମ୍ସ’(୧୯୨୮)କୁ ସାକ୍ଷାତକାର ଦେଇ କହିଥିଲେ, ‘‘ଗଣତନ୍ତ୍ରର ତତ୍ତ୍ବ ସୁନ୍ଦର; କିନ୍ତୁ ବାସ୍ତବରେ ତାହା ଏକ ଭ୍ରାନ୍ତି । ତୁମେ ଆମେରିକାରେ ଦିନେ ଏହା ଦେଖିବାକୁ ପାଇବ।’’ ବିଶ୍ବରେ ଏବେ କେଉଁଠି ନା କେଉଁଠି ଗଣତନ୍ତ୍ରକୁ ଯେମିତି ହତ୍ୟା କରାଯାଉଛି, ମୁସୋଲିନିଙ୍କ କଥା ସେତିକି ମହତ୍ତ୍ବପୂର୍ଣ୍ଣ ମନେହେଉଛି । ବହୁ ଦେଶରେ ଛଦ୍ମ-ଗଣତନ୍ତ୍ରର ରାଜୁତି ଚାଲିଛି । ଏହିପରି ସମୟରେ ସୁଇଡେନ ବାସ୍ତବ ଗଣତନ୍ତ୍ରର ପ୍ରତିନିଧି ପରି ମନେହେଉଛି । ସେଠାରେ ଗଣ ଏବେ ବି ଗୌଣ ହୋଇନାହିଁ । ସେଠାରେ ରାଜା ଅଛନ୍ତି (ପ୍ରତୀକାତ୍ମକ), କିନ୍ତୁ ଗଣତନ୍ତ୍ରରେ ରାଜକୀୟତା ଆଦୌ ନାହିଁ; ଭାରତ ଭଳି ଦେଶମାନଙ୍କରେ ଏବେ କେହି ରାଜା ନାହାନ୍ତି, କିନ୍ତୁ ଗଣତନ୍ତ୍ରରେ ରାଜକୀୟତାର ଉତ୍କୃଷ୍ଟ ପ୍ରଦର୍ଶନ! ଏହା ହିଁ ବଡ଼ ବିଡ଼ମ୍ବନା ।

ashok@thesamaja.in

(‘ସମାଜ’ରେ ୧୫.୯.୨୦୧୯ରେ ପ୍ରକାଶିତ)

Next PostNewer Post Previous PostOlder Post Home

0 comments:

Post a Comment

ଏହି ବ୍ଲଗର ସମସ୍ତ ସାମଗ୍ରୀ ଲେଖକଙ୍କ ସର୍ବସ୍ବତ୍ତ୍ବ ସଂରକ୍ଷିତ. Powered by Blogger.